ଖୁବଶୀଘ୍ର ଏହି ଦୁଇ ଷ୍ଟାର୍ଙ୍କୁ ବଡ ପରଦାରେ ଏକାଠି ଦେଖିବାକୁ ମିଳିବ। ଉଭୟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ରିଲିଜ ପାଇଁ ପ୍ରସ୍ତୁତ। ଏହି ଫିଲ୍ମକୁ ନେଇ ଫ୍ୟାନ୍ଙ୍କ ମଧ୍ୟରେ ଜୋରଦାର କ୍ରେଜ ରହିଛି। ଏହି ଫିଲ୍ମର ପ୍ରମୋସନ ପାଇଁ ନିକଟରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଲକ୍ଷ୍ନୌ ଯାଇଥିଲେ। ସେଠାକାର ଘଣ୍ଟାଘର ପାଖରେ ପହଞ୍ଚି ଫିଲ୍ମ ପ୍ରମୋସନ ପାଇଁ ଲୋକଙ୍କ ସାମ୍ନାରେ ଉଭୟ ଷ୍ଟଣ୍ଟ ଦେଖାଇଥିଲେ।
ଏହି ଦୁଇ ଷ୍ଟାର୍ଙ୍କୁ ଦେଖିବାକୁ ପାଇଁ ଖଚାଖଚ ଭିଡ ମଧ୍ୟ ଜମିଥିଲା। କିନ୍ତୁ ଦେଖୁଦେଖୁ ଏହି ଭିଡ ବଢ଼ିବାକୁ ଲାଗିଥିଲା ଓ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ପରସ୍ପର ଉପରକୁ ଚପଲ ଫିଙ୍ଗିବା ସହ ପଥର ମାଡ କରିଥିଲେ। ଫଳରେ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଲାଠି ଚାର୍ଜ କରିଥିଲା। ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଅକ୍ଷୟ କୁମାର ଓ ଟାଇଗରଙ୍କ ଇଭେଣ୍ଟରେ ହୋଇଥିବା ଏହି ଉତ୍ତେଜନାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି।
Lucknow me #AkshayKumar kaa chappalo se swagat chota star 🤣🤣#BadeMiyanChoteMiyan pic.twitter.com/MIFwfwxXx0
— TYAGI-HR (@ReturnTyagi) February 26, 2024
ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ଆକ୍ସନ ଥ୍ରୀଲର ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ଆସନ୍ତା ଇଦ୍ ଅବସରରେ ପରଦାକୁ ଆସିବ। ଏହି ଫିଲ୍ମରେ ଉଭୟ ଷ୍ଟାର୍ଙ୍କୁ ଭୟାନକ ଷ୍ଟଣ୍ଟ ସିନ୍ ରହିଛି। କେବଳ ସେତିକି ନୁହେଁ ଏହି ଦୁଇ ଷ୍ଟାର୍ ପ୍ରଥମ ଥର ଏହି ଫିଲ୍ମ ଜରିଆରେ ଏକାଠି ସ୍କ୍ରିନ୍ ସେୟାର କରିବାକୁ ଯାଉଛନ୍ତି। ଅକ୍ଷୟ ଓ ଟାଇଗରଙ୍କୁ ଏଥିରେ ଆର୍ମି ଅଫିସର ଭୂମିକାରେ ଦେଖିବାକୁ ମିଳିବ। ସେହିପରି ଏମାନଙ୍କ ବ୍ୟତୀତ ପିଲ୍ମରେ ଲିଡ୍ ଅଭିନେତ୍ରର ରୂପେ ମାନୁଷି ଛିଲ୍ଲର ଓ ସୋନାକ୍ଷୀ ସିହ୍ନା ନଜର ଆସିବେ। ଖଳନାୟକ ଭୂମିକାରେ ସାଉଥଷ୍ଟାର୍ ପୃଥ୍ୱୀରାଜ ସୁକୁମାରନ୍ଙ୍କୁ ଦେଖିବାକୁ ମିଳିବ।
ପୁଣି ଥରେ ଦମ୍ଦାର ଆକ୍ସନ ସହ ପରଦାକୁ ଫେରୁଛନ୍ତି ଖିଲାଡି ଷ୍ଟାର୍ ଅକ୍ଷୟ କୁମାର। ତେବେ ସେ ଏକା ନୁହନ୍ତି। ତାଙ୍କ ସହ ଆକ୍ସନର ଡବଲ ଡୋଜ୍ ଦେବେ ଟାଇଗର ଶ୍ରଫ। ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କୁ ଏକାଠି ଦେଖିବାକୁ ମିଳିବ। ବହୁ ପ୍ରତିକ୍ଷିତ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ'ରେ ଦୁହେଁ ଆକ୍ସନ ସାଙ୍ଗକୁ ଦର୍ଶକଙ୍କୁ କମେଡିର ଖୋରାକ ମଧ୍ୟ ଯୋଗାଇବେ।
ଏହି ଫିଲ୍ମକୁ ନେଇ ଦର୍ଶକମାନେ ବେଶ୍ ଉତ୍ସାହିତ ଥିବା ବେଳେ ମେକର୍ସ ଏବେ ଏହାର ଟିଜର ରିଲିଜ କରିଛନ୍ତି। ୧ ମିନିଟ୍ ୩୮ ସେକେଣ୍ଡର ଏହି ଟିଜର୍ରେ ଭରପୂର ଆକ୍ସନ ରହିଛି। ଦମ୍ଦାର ଡାଏଲଗ୍ ସାଙ୍ଗକୁ ଅୟକ୍ଷ ଓ ଟାଇଗରଙ୍କ ଆକ୍ସନ ଷଣ୍ଟ ଦେଖି ଫ୍ୟାନ୍ମାନେ ଏକ୍ସାଇଟେଡ୍ ହୋଇପଡିଛନ୍ତି। ରିଲିଜର କିଛି ଘଣ୍ଟା ମଧ୍ୟରେ ହିଁ ଏହି ଟିଜରଟିକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ଅଲ୍ଲି ଅବାସ ଜାଫରଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍ରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଥିବା ବେଳେ ତାଙ୍କ ଅପୋଜିଟ୍ରେ ଅଛନ୍ତି ସୋନାକ୍ଷୀ ସିହ୍ନା, ମାନୁଷି ଛିଲର୍ ଓ ଅଲାୟା ଏଫ୍। କେବଳ ସେତିକି ନୁହେଁ ଖଳନାୟକ ଭୂମିକାରେ ଅଛନ୍ତି ସାଉଥର ସୁପରଷ୍ଟାର ପୃଥ୍ୱୀରାଜ ସୁକୁମାରନ୍। ଜ୍ୟାକି ଭଗନାନିଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମ ଇଦ୍ ଅବସରରେ ତଥା ଏପ୍ରିଲ ୨୪ ତାରିଖରେ ପରଦାକୁ ଆସିବ। ଏଥିର ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କ ସହ ଦର୍ଶକମାନେ ଇଦ୍ ପାଳିବେ।
ଅକ୍ଷୟ କୁମାର ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରି ପତ୍ନୀ ଟ୍ୱିଙ୍କିଲଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏହି ଫଟୋରେ ସେ ନିଜ ପତ୍ନୀ ଟ୍ୱିଙ୍କିଲଙ୍କ ସହ ନଜର ଆସିଛନ୍ତି। ଟ୍ୱିଙ୍କିଲ ଏକ ଗ୍ରୀନ୍ କଲର ଶାଢ଼ିରେ ବେଶ୍ କ୍ୟୁଟ୍ ଲାଗୁଥିବା ବେଳେ ଗ୍ରାଜୁଏଶନ କୋଟ ଓ ଟୋପି ବି ପିନ୍ଧିଥିଲେ। ତାଙ୍କୁ ମ୍ୟାଚ୍ କରି ମିଷ୍ଟର ଖିଲାଡି ବ୍ଲାକ କଲର ପ୍ୟାଣ୍ଟ ସହ ଏକ ଓଭରକୋଟ୍ ପିନ୍ଧିଛନ୍ତି।
ଏହି ଫଟୋ ଶେଆର କରି ଅକ୍ଷୟ କୁମାର ଲେଖିଛନ୍ତି, ୨ ବର୍ଷ ପୂର୍ବେ ଯେତେବଳେ ତୁମେ ମୋତେ ପଢ଼ିବା ପାଇଁ କହିଥିଲ, ମୁଁ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। କିନ୍ତୁ ପରେ ତୁମ କଠିନ ପରିଶ୍ରମ କରୁଥିବାର ଦେଖି ଜଣେ ସୁପର ୱିମେନକୁ ବାହା ହୋଇଥିବା ଭାବିଥିଲି। ନିଜ ଘର, କ୍ୟାରିଅର ଓ ପିଲାଙ୍କୁ ସମ୍ଭାଳିବା ସହ ତୁମେ ଏକ ଷ୍ଟୁଡେଣ୍ଟ ଲାଇଫ୍କୁ ଖୁବ୍ ଭଲ ଭାବେ ମ୍ୟାନେଜ କରି ପାରିଲ ।
ଆଜି ତୁମ ଗ୍ରାଜୁଏଶନ ଡିଗ୍ରୀ ହାସଲ ଦିନରେ ଭାବୁଛି ମୁଁ ଆଉ କିଛି ପଢ଼ି ପାରିଥିଲେ ଭଲ ହୋଇଥାନ୍ତା। ଫଳରେ ମୁଁ ତୁମ ପାଇଁ କେତେ ଗର୍ବ ଅନୁଭବ କରୁଛି ତାହାକୁ ଭଲ ଭାବେ ଶବ୍ଦରେ ପରିପ୍ରକାଶ କରି ପାରିଥାନ୍ତି। ତୁମକୁ ଅନେକ ଅନେକ ଶୁଭେଚ୍ଛା ଏବଂ ଆଇ ଲଭ୍ ୟୁ ଟିନା ବୋଲି ଲେଖିଛନ୍ତି ଅକ୍ଷୟ କୁମାର ।
ଅକ୍ଷୟ କୁମାରଙ୍କ ପ୍ରେମଭରା ନୋଟ୍ ଦେଖି ଟ୍ୱିଙ୍କିଲ ବି ସୁଇଟ୍ ରିଆକ୍ସନ ଦେଇଛନ୍ତି । ସେ ପୋଷ୍ଟ କରିଛନ୍ତି, ଭାବୁଛି କାଲି ହିଁ ସବୁ କିଛି ଆରମ୍ଭ କରିଥିଲି। ହେଲେ ଆଜି ଆସି ଗ୍ରାଜୁଏଶନ ଡେ ପହଞ୍ଚି ଗଲାଣି ବିଶ୍ୱାସ ହେଉନି। ସୁନ୍ଦର ଧୁମ୍, ସୁନ୍ଦର ଶାଢ଼ି ଓ ମୋ ପରିବାର ମୋ’ ଦିନକୁ ଖୁବ୍ ସ୍ପେଶାଲ କରିଦେଇଛନ୍ତି।
ଟ୍ୱିଙ୍କିଲ ଦୁଇ ବର୍ଷ ପୂର୍ବେନିଜ ପୁଅ ଆରବଙ୍କ ସହ ଲଣ୍ଡନର ଏକ ୟୁନିଭରସିଟିରେ ଫିକ୍ସନ ରାଇଟିଙ୍ଗରେ ମାଷ୍ଟର ଡିଗ୍ରୀ ପ୍ରୋଗ୍ରାମରେ ଆଡମିଶନ କରିଥିଲେ । କଠିନ ପରିଶ୍ରମ କରି ଏବେ ସେ ନିଜ ଡିଗ୍ରୀ ହାସଲ କରି ସାରିଛନ୍ତି।
ଜଣେ ଅଭିନେତ୍ରୀ ଭାବେ କ୍ୟାରିଅର ଆରମ୍ଭ କରିଥିବା ଟ୍ୱିଙ୍କିଲ ନିଜ କ୍ୟାରିଅରରେ ସଫଳତା ପାଇ ପାରି ନ ଥିଲେ। ଏହାପରେ ଲେଖାଲେଖିରେ ମନୋନିବେଶ କରି ସେ ଏବେ ଜଣେ ଆଗଧାଡ଼ିର ଲେଖିକା ଭାବେ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି।
Two years ago when you told me you wanted to take up studies all over again, I wondered if you meant it. But the day I saw you work so hard and perfectly manage a full-fledged student life along with home, career, me and kids, I knew I had married a super woman. Today on your… pic.twitter.com/smHAHNlTWd
— Akshay Kumar (@akshaykumar) January 16, 2024
ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସେଲେବ୍ରିଟିମାନେ ତମାଖୁ କମ୍ପାନୀଗୁଡ଼ିଗର ବିଜ୍ଞାପନ କରିବା ଉପରେ ଚିନ୍ତା ପ୍ରକଟ କରି ଆଡଭୋକେଟ ମୋତିଲାଲ ଯାଦବ ଏକ ଆବେଦନ କରିଥିଲେ। ଏହି ସେଲେବ୍ରିଟିମାନେ ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଥିବା ସାମଗ୍ରୀଗୁଡ଼ିକର ବିଜ୍ଞାପନ କରୁଥିବା ସେ ତାଙ୍କ ଆବେଦନରେ ଉଲ୍ଲେଖ କରିଥିଲେ। ସେ ଆହୁରି ଦର୍ଶାଇଥିଲେ ଯେ ପଦ୍ମଶ୍ରୀ ପୁରସ୍କାର ପାଉଥିବା ବ୍ୟକ୍ତି ବିଶେଷଙ୍କ ଆଚରଣ ସଠିକ୍ ନରହିଲେ ସେମାନଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରି ନେବା ପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ଉଚିତ। ସେ ତାଙ୍କ ଆବେଦନରେ ଅନେକ ବଲିଉଡ୍ ଷ୍ଟାରଙ୍କ ନାଁ ଦର୍ଶାଇଥିଲେ। ସେମାନଙ୍କ ମଧ୍ୟରେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ସହିତ ଅମିତାଭ ବଚ୍ଚନ ବି ଥିଲେ।
ଏହି ମାମଲାରେ ଭାରତ ସରକାରଙ୍କ ଦ୍ୱାରସ୍ଥ ହେବାକୁ କୋର୍ଟ ଆବେଦନକାରୀଙ୍କୁ କହିଥିଲେ। କିନ୍ତୁ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରୀ ଏକ ଅଦାଲତ ଅବମାନନା ପିଟିସନ ଦାଖଲ କରିଥିଲେ। ତାଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଭାରତ ସରକାରଙ୍କ କ୍ୟାବିନେଟ୍ ସେକ୍ରେଟେରୀ ଓ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (CCPA)ର ମୁଖ୍ୟ କମିଶନରଙ୍କୁ ନୋଟିସ୍ ଜାରି କରିଥିଲେ।
ସେହି ନୋଟିସ୍ର ଉତ୍ତରରେ ଡେପୁଟି ସଲିସିଟର ଜେନେରାଲ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚକୁ କହିଛନ୍ତି ଯେ ଅଭିନେତା ଶାହରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କୁ ନୋଟିସ୍ ଦିଆଯାଇଛି। ଅମିତାଭ ବଚ୍ଚନ ସେହି ତମାଖୁ କମ୍ପାନୀକୁ ନୋଟିସ୍ ପଠାଇଛନ୍ତି ଯିଏ ତାଙ୍କୁ ବିଜ୍ଞାପନରେ ଦେଖାଇଥିଲା। କାରଣ ସେ ଉକ୍ତ କମ୍ପାନୀ ସହିତ ତାଙ୍କର ଚୁକ୍ତିକୁ ପୂର୍ବରୁ ରଦ୍ଦ କରି ସାରିଥିଲେ।
କୋର୍ଟ ଏହି ମାମଲାର ଶୁଣାଶି ୨୦୨୪ ମେ’ ୯ ତାରିଖରେ କରିବେ।
ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟ୍ କରି ଖିଲାଡ଼ି ଷ୍ଟାର୍ ଅକ୍ଷୟ କୁମାର ଲେଖିଛନ୍ତି, ଖୁବ୍ ସୁନ୍ଦର ନରେନ୍ଦ୍ର ମୋଦିଜୀ। ସାର୍ ଆପଣ ଏବେ ଆମ କ୍ଷେତ୍ର(କଳା)ରେ ବି, ଆମେ କୁଆଡ଼େ ଯିବୁ? ଆପଣଙ୍କୁ ଶୁଭ ନବରାତ୍ରୀ ଏବଂ ସମସ୍ତଙ୍କୁ ଶୁଭ ନବରାତ୍ରୀ ବୋଲି କହିଛନ୍ତି ଅକ୍ଷୟ କୁମାର। ଅକ୍ଷୟଙ୍କ ଏହି ପୋଷ୍ଟକୁ 2 ଲକ୍ଷ 47 ହଜାର ଲାଇକ୍ ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ପୋଷ୍ଟଟି ଡିଲିଟ୍ ହୋଇଯାଇଛି।
ଗରବା ଉପରେ ଆଧାରିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରଚିତ ସଂଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି। ଗତକାଲି ଦେବୀ ଦୁର୍ଗାଙ୍କ ଷୋଡଷ ଦିନାତ୍ମକ ପୂଜାର ପ୍ରଥମ ଦିନରେ ମୋଦିଙ୍କ ରଚିତ ଏହି ଗୀତ ରିଲିଜ୍ ହୋଇଛି। ଏହି ଗୀତର ନାମ ‘ମାଡ୍ଡି’ ରଖାଯାଇଛି।
ଏହି ଗୀତକୁ ମେଲ୍ ଓ ଫିମେଲ୍ ଭର୍ସନ୍ରେ ରିଲିଜ କରାଯାଇଛି। ମେଲ୍ ଭର୍ସନ୍ରେ ଗୀତକୁ ଦିବ୍ୟା କୁମାର ଗାଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମିତ୍ ବ୍ରଦସ୍ଙ୍କ ଯୋଡ଼ି। ସେହିପରି ଫିମେଲ୍ ଭର୍ସନ୍ରେ ବଲିଉଡର ଫେମସ୍ ସିଙ୍ଗର ଧ୍ୱନୀ ଭାନୁଶାଳୀ ଗାଇଛନ୍ତି। ଏହାର ନାଁ ରହିଛି 'ଗର୍ବୋ'। ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି ତନିସ୍କ ବାଗ୍ଚୀ। ଏହି ମ୍ୟୁଜିକ୍ ଭିଡିଓରେ ଧ୍ୱନୀ ଭାନୁଶାଳୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ଗରବା ହେଉଛି ଗୁଜରାଟର ପ୍ରସିଦ୍ଧ ନୃତ୍ୟ। ନବରାତ୍ରୀ ସମୟରେ ଏହି ନୃତ୍ୟ ପରିବେଷଣ କରାଯାଏ। ପ୍ରଧାନମନ୍ତ୍ରୀ ମୋଦି ଲେଖିଥିବା ଏହି ଗୀତରେ ଗୁଜରାଟର କଳା, ସଂସ୍କୃତି, ସଭ୍ୟତା ଏବଂ ନବରାତ୍ରୀ ଉତ୍ସବର ଝଲକ ରହିଛି।
ଭାରତ ବନାମ ଇଣ୍ଡିଆକୁ ନେଇ ରାଜନୀତିକ ବୟାନବାଜୀ ଚାଲିଛି। ଶାସକ ଦଳ ବିଜେପି ଦେଶର ନାଁ ଭାରତ ସପକ୍ଷରେ ରହିଛି। ବିରୋଧୀ କିନ୍ତୁ ଭାରତ ସହ ଇଣ୍ଡିଆ ରଖିବାକୁ କହୁଛନ୍ତି।
ଏହି ବାଦବିବାଦ ଭିତରେ ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ ବଦଳି ଯାଇଛି। ସିନେମାଟି ପ୍ରକୃତ ଘଟଣାକୁ ନେଇ ନିର୍ମାଣ କରାଯାଇଛି। ରାଣୀଗଞ୍ଜ କୋଇଲା ଖଣି ଭିତରେ କିଛି ଶ୍ରମିକ ଫସି ରହିଥିଲେ।
ଏତିକି ବେଳେ ଦିବଂଗତ ଯଶୱନ୍ତ ସିଂହ ଗିଲ୍ ବେଶ ସାହାସ ଦେଖାଇ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ୧୯୮୯ରେ ଏହି ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଯଶବନ୍ତ ସିଂହ ଗିଲ ଓ ତାଙ୍କ ଟିମ ସୁରକ୍ଷିତ ଭାବେ ବନ୍ୟା ପ୍ରଭାବିତ କୋଇଲା ଖଣି ଭିତରୁ ଉଦ୍ଧାର କରିଥିଲେ।
ଏସବୁ ଘଟଣାକୁ ନେଇ ଫିଲ୍ମକୁ ନିର୍ମାଣ କରାଯାଇଛି। ସିନେମାରେ ଅକ୍ଷୟ କୁମାର, ପରିଣୀତି ଚୋପ୍ରା, କୁମୁଦ ମିଶ୍ରା, ପବନ ମାଲହୋତ୍ରା, ରବି କିଶନ ପ୍ରମୁଖ ରହିଛନ୍ତି।
ସିନେମାର ମୋସନ ପିକଚର ରିଲିଜ ହୋଇଥିବା ବେଳେ ଆସନ୍ତାକାଲି ଏହାର ଟିଜର ଜାରି କରାଯିବ। ସିନେମାଟି ଅକ୍ଟୋବର ୬ରେ ରିଲିଜ ହେବାର କାର୍ଯ୍ୟକ୍ରମ ରହିଛି।
ଅକ୍ଷୟ କୁମାର କିଛି ଦିନ ତଳେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ ତାଙ୍କ କାନାଡିୟ ନାଗରିକତ୍ୱ ବିଷୟରେ ଖୁଲାସା କରିଥିଲେ। ଏହାପରେ ତାଙ୍କୁ ଖୁବ୍ ଟ୍ରୋଲ୍ କରିଥିଲେ ନେଟିଜେନ୍ସ। ଅଧିକାଂଶ ସମୟରେ ତାଙ୍କୁ କାନାଡାର ପାସପୋର୍ଟ ଧାରକ ବୋଲି ମଧ୍ୟ ଆକ୍ଷେପ କରାଯାଉଥିଲା। ସେ ମଧ୍ୟ ଭାରତର ନାଗରିକତ୍ୱ ପାଇଁ ଆବେଦନ କରିଥିବା କହିଥିଲେ। ଖୁବ୍ ଶୀଘ୍ର ସେ କାନାଡ୍ ପାସପୋର୍ଟ ଛାଡ଼ି ଭାରତର ନାଗରିକତ୍ୱ ପ୍ରମାଣପତ୍ର ହାସଲ କରିବେ ବୋଲି କହିଥିଲେ। ଆଉ ଆଜି ଗଣତନ୍ତ୍ର ଦିବସରେ ସେ ଏହାକୁ ପ୍ରାପ୍ତ କରିଛନ୍ତି।
Dil aur citizenship, dono Hindustani.
— Akshay Kumar (@akshaykumar) August 15, 2023
Happy Independence Day!
Jai Hind! 🇮🇳 pic.twitter.com/DLH0DtbGxk
ଅକ୍ଷୟ କହିଛନ୍ତି, "ମୋ ପାଇଁ ଭାରତ ସବୁକିଛି। ମୁଁ ଯାହା ଅର୍ଜନ କରିଛି, ଯାହା ପାଇଛି ତାହା ଏହିଠାରୁ ହିଁ ପାଇଛି। ମୁଁ ଭାଗ୍ୟବାନ ଯେ ଭାରତୀୟ ନାଗରିକତ୍ୱ ଫେରିପାଇବାର ସୁଯୋଗ ପାଇଛି।" ଯେତେବେଳେ ଲୋକମାନେ କିଛି ନ ଜାଣି କିଛି କହନ୍ତି, ଖୁବ୍ ଖରାପ ଲାଗେ ବୋଲି ଅକ୍ଷୟ କହିଛନ୍ତି। ଫିଲ୍ମ ଫ୍ଲପ୍ ହେଉଥିବା ସମୟର କିଛି ଅନୁଭୂତି ବାଣ୍ଟି ଅକ୍ଷୟ କହିଛନ୍ତି, ପାସପୋର୍ଟ ନବେ ଦଶକରେ ଥିଲା। ସେତେବେଳେ ଚଳଚ୍ଚିତ୍ର ଭଲ ନ ଚାଲିବାରୁ, କାମ ପାଇଁ କାନାଡା ଯାଇଥିଲି। ଏହି ସମୟରେ କାନାଡା ପାସପୋର୍ଟ ଗ୍ରହଣ କରିବାକୁ ପଡିଥିଲା।
"ସେଠାରେ କାମ କରିବା ସମୟରେ ଦୁଇଟି ସିନେମା ରିଲିଜ୍ ପାଇଁ ଥିଲା। କାନାଡାରେ ଥିବା ସମୟରେ ଏହି ଦୁଇଟି ସିନେମା ରିଲିଜ୍ ହୋଇଥିଲା ଆଉ ହିଟ୍ ମଧ୍ୟ ହୋଇଥିଲା। ପରେ ଭାରତ ଫେରି ଆସିଲି ଏବଂ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାର୍ଯ୍ୟ କରିବାର ସୁଯୋଗ ପାଇଲି।ଏହାରି ମଧ୍ୟରେ ମୋ ପାଖରେ କାନାଡାର ପାସପୋର୍ଟ ଅଛି ବୋଲି ଭୁଲି ଯାଇଥିଲି। ପାସପୋର୍ଟ ପରିବର୍ତ୍ତନ କରିବା ଜରୁରୀ ବୋଲି ବି ଜାଣିନଥିଲା।" ପରେ ଏଥିପାଇଁ ଆବେଦନ କରିଥିଲି ବୋଲି ଅକ୍ଷୟ କହିଥିଲେ।
ଏଥିରେ ଘୋଷଣା କରାଯାଇଛି ଯେ, ଓଃ ମାଇ ଗଡ୍-୨ରେ ଅଭିନୟ କରିଥିବା ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କୁ ଯିଏ ଚାପୁଡ଼ା ମାରିବ କିମ୍ବା ତାଙ୍କ ଉପରକୁ ଛେପ ପକାଇବ ତାଙ୍କୁ 10 ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଭାରତ ସଭାପତି ଗୋବିନ୍ଦ ପରାଶର ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏଥିସହ ସିନେମାରେ ଭଗବାନ ଶିବଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ କରିଛନ୍ତି। ଅଭିନେତାମାନେ ଈଶ୍ୱରଙ୍କ ପ୍ରତିମୂର୍ତ୍ତିକୁ ଅପବିତ୍ର କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଗୋବିନ୍ଦ।
ସେନ୍ସର ବୋର୍ଡ ଏବଂ କେନ୍ଦ୍ର ସରକାର ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ନଚେତ୍ ଏହିପରି ବିରୋଧ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ସେପଟେ ସାଧବୀ ରିତାମ୍ବର ମଧ୍ୟ ଏକ ଅଭିଭାଷଣରେ କହିଛନ୍ତି, "ହିନ୍ଦୁ ଧର୍ମର ବିନମ୍ରତା ହିଁ ବଲିଉଡକୁ ବାରମ୍ବାର ଏପରି ଘୃଣ୍ୟ କାର୍ଯ୍ୟ କରିବାକୁ ସୁଯୋଗ ଦେଉଛି। ସେମାନେ ହିନ୍ଦୁ ଧର୍ମ ବ୍ୟତୀତ ଅନ୍ୟ କୌଣସି ଧର୍ମ ଉପରେ ମନ୍ତବ୍ୟ ଦେବାକୁ ଭୟ କରୁଛନ୍ତି।"
ସେ କହିଛନ୍ତି ଯେ, ହିନ୍ଦୁ ଦେବତା ଏବଂ ଦେବୀଙ୍କୁ ରୂପେଲି ପରଦାରେ ଅପମାନିତ କରାଯାଇଛି। ହିନ୍ଦୁମାନଙ୍କ ଆସ୍ଥା ବିଶ୍ୱାସ ଏପରେ ଏପରି ଖେଳ ଖେଳିବା ଉଚିତ ନୁହେଁ ବୋଲି କହିଛନ୍ତି। ଏଥିସହ ଏହାକୁ ଦୃଢ଼ ବିରୋଧ କରିବା ପାଇଁ ହିନ୍ଦୁମାନଙ୍କୁ ଆହ୍ୱାନ କରିଛନ୍ତି। ଗତକାଲି ଆଗ୍ରାରେ ସିନେମାକୁ ବିରୋଧ କରି ପ୍ରବଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ହିନ୍ଦୁ ଭାବାବେଗକୁ ଆଘାତ କରାଯାଇଥିବା ଅଭିଯୋଗ କରି ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ବିଭିନ୍ନ ପ୍ରେକ୍ଷାଳୟରେ ପୋଡ଼ାଜଳା କରିଛି। ଏଥିସହ ପ୍ରେକ୍ଷାଳୟ ସମ୍ମୁଖରେ ଅଭିନେତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏହି ବିକ୍ଷୋଭ ସିନେମା ହଲର ଇଞ୍ଚେ ପଛକୁ ହଟିବ ନାହିଁ ବୋଲି ହିନ୍ଦୁ ପରିଷଦ ସଦସ୍ୟ କହିଛନ୍ତି।
ନିକଟରେ ରିଲିଜ୍ ହୋଇଥିବା OMG2 ୨୦୧୨ରେ ରିଲିଜ୍ ହୋଇଥିବା OMGର ଏକ ସିକ୍ୱେଲ। ଉମେଶ ଶୁକ୍ଳା ଏହାର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ। ସେଥିରେ ମଧ୍ୟ ଅକ୍ଷୟ କୁମାର ଓ ପରେଶ ରାୱଲ ଅଭିନୟ କରିଥିଲେ। OMG2ର 13 ମିନିଟର ଦୃଶ୍ୟ କାଟିବା ପରେ ସେନ୍ସର୍ ବୋର୍ଡ ସିନେମାକୁ 'ଏ' ସାର୍ଟିଫିକେଟ୍ ଦେଇଛନ୍ତି।
ବିଜ୍ଞାପନ ହେଉଛି କୌଣସି ଉତ୍ପାଦ ବିକ୍ରି ପାଇଁ ପ୍ରୋତ୍ସାହନର ସବୁଠାରୁ ସାଧାରଣ ଏବଂ ପ୍ରଭାବଶାଳୀ ପଦ୍ଧତି। ବିଜ୍ଞାପନ ହେଉଛି ବିକ୍ରି ପାଇଁ ଲିଡ୍ ସୃଷ୍ଟି କରିବାର ସର୍ବୋତ୍ତମ ଉପାୟ। କିନ୍ତୁ ଅନେକ କିଛି ଉତ୍ପାଦ ବିଜ୍ଞାପନର ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଞ୍ଚାଉଥିବା ମଦ, ସିଗାରେଟ୍ ଏବଂ ତମାଖୁ ଭଳି ନିର୍ଦ୍ଦିଷ୍ଟ ଦ୍ରବ୍ୟ ସେବନକୁ ଅନୁମତି ଦିଆଯିବା ଉଚିତ ନୁହେଁ। ସେଥିପାଇଁ ସରକାର ଏଭଳି ଉତ୍ପାଦର ପ୍ରଚାର ପାଇଁ ଅନୁମତି ଦେଇନାହାଁନ୍ତି। ତେଣୁ, ସରୋଗେଟ୍ ମାର୍କେଟିଂ ଏଭଳି ଉତ୍ପାଦର ସମାଧାନ ଭାବରେ କାର୍ଯ୍ୟ କରେ। ଯେଉଁଥିରେ ମୁଖ୍ୟ ପ୍ରଡକ୍ଟ ବ୍ୟତୀତ ଅନ୍ୟ ବ୍ରାଣ୍ଡର ପ୍ରଡକ୍ଟ ବିଜ୍ଞାପନ କରାଯାଏ। ଏହି ଉତ୍ପାଦ ମୂଳ ଉତ୍ପାଦର 'ସରୋଗେଟ୍' ଭାବରେ କାର୍ଯ୍ୟ କରେ। ଏହି ପ୍ରକାର ବିଜ୍ଞାପନ ପଦ୍ଧତି, ଯେଉଁଠାରେ ସାଧାରଣତଃ ସମାନ କିମ୍ବା ସମାନ ବ୍ରାଣ୍ଡର ଅନ୍ୟ ଉତ୍ପାଦ ନାମରେ ଅନ୍ୟ ଏକ ଉତ୍ପାଦକୁ ଏକ ଝଲକ ଭାବରେ ପ୍ରଦର୍ଶନ କରାଯାଇ ବିଜ୍ଞାପନ କରାଯାଏ, ଏପରି ବିଜ୍ଞାପନକୁ ସରୋଗେଟ୍ ବିଜ୍ଞାପନ କୁହାଯାଏ। ଏହି ଉତ୍ପାଦଗୁଡ଼ିକ ପରୋକ୍ଷଭାବରେ ବିଜ୍ଞାପିତ ହୁଏ କିମ୍ବା ଅନ୍ୟ ଉତ୍ପାଦ ଅଧୀନରେ ବିଜ୍ଞାପନ ଦିଆଯାଏ। ନିଷିଦ୍ଧ ଉତ୍ପାଦଗୁଡ଼ିକୁ ପରୋକ୍ଷରେ ପ୍ରୋତ୍ସାହିତ କରିବା ପାଇଁ ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଦର୍ଶକଙ୍କୁ ଗୁପ୍ତଭାବରେ ଏହି ସରୋଗେଟ୍ ଉତ୍ପାଦ ପ୍ରଦର୍ଶନ କରନ୍ତି। ଉଦାହରଣ ସ୍ୱରୂପ, କିଛି ମଦକୁ କ୍ଲବ ସୋଡ଼ା, ମିନେରାଲ ଜଳ କିମ୍ବା ମ୍ୟୁଜିକ୍ ସିଡି, ତମାଖୁ ଜାତୀୟ ପାନ ମସଲାକୁ ଇଲାଇଚି କିମ୍ୱା ମାଉଥ ଫ୍ରେସନର୍ ଦ୍ୱାରା ବଦଳାଯାଇଥାଏ। କିନ୍ତୁ ସେମାନଙ୍କର ମୂଳ ଉତ୍ପାଦର ନାମ ଅକ୍ଷୁଣ୍ଣ ରଖାଯାଇଥାଏ।
ସରୋଗେଟ୍ ବିଜ୍ଞାପନର ଆରମ୍ଭ ଗ୍ରେଟ୍ ବ୍ରିଟେନରେ ହୋଇଥିବାର ଜଣାଯାଏ। ସେ ଦେଶରେ ଗୃହିଣୀମାନେ ମଦ୍ୟପାନର ବିଜ୍ଞାପନକୁ ବିରୋଧ କରି ଆନ୍ଦୋଳନ କରିଥିଲେ, ଯାହାଫଳରେ ଏହା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଥିଲା। ଏହା ବ୍ରାଣ୍ଡଗୁଡ଼ିକୁ କ୍ଷତି ପହଞ୍ଚାଇଥିଲା, ଯେଉଁମାନଙ୍କୁ ଉତ୍ପାଦର ପ୍ରଚାର ପାଇଁ ଅନ୍ୟ ଉପାୟ ବିଷୟରେ ଚିନ୍ତା କରିବାକୁ ପଡ଼ିଥିଲା। ଏହି କାରଣରୁ ସରୋଗେଟ୍ ବିଜ୍ଞାପନର ଜନ୍ମ ହୋଇଥିଲା। ଭାରତରେ ସିଗାରେଟ୍ ଓ ତମାଖୁ ଦ୍ରବ୍ୟର ସିଧାସଳଖ ବିଜ୍ଞାପନ ଉପରେ ପ୍ରତିବନ୍ଧକ ପାଇଁ ୨୦୦୩ରେ ସିଓଟିପିଏ ବା ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଉତ୍ପାଦ ଆଇନ ପାରିତ ହୋଇଥିଲା। ଏଥିରେ ତମାଖୁ ଓ ସିଗାରେଟ୍ର ସିଧାସଳଖ ବିଜ୍ଞାପନ କଲେ ୨ରୁ ୫ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ଏବଂ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନାର ନିୟମ ରହିଛି। ଏହାବ୍ୟତୀତ କେବୁଲ ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୪ ଜରିଆରେ ସିଗାରେଟ, ତମାଖୁ, ମଦ କିମ୍ବା ଅନ୍ୟ କୌଣସି ନିଶାଦ୍ରବ୍ୟର ସିଧାସଳଖ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଯାଇଛି। କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଅଧୀନରେ 'ବିଭ୍ରାନ୍ତିକର ବିଜ୍ଞାପନ ନିବାରଣ ଏବଂ ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଅନୁମୋଦନ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨' ଅନୁଯାୟୀ ସିସିପିଏ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ନିର୍ମାତା, ବିଜ୍ଞାପନଦାତା ଏବଂ ଅନୁମୋଦନକାରୀଙ୍କ ଉପରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରେ। ପରବର୍ତ୍ତୀ ନିୟମ ଉଲ୍ଲଂଘନ କଲେ ସିସିପିଏ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିପାରେ। ଏପରିକି ଓଡ଼ିଶାରେ ୨୦୧୩ ମସିହାରେ ତମାଖୁ ତଥା ନିକୋଟିନ ଜାତୀୟ ପାନ ମସଲା ଆଦି ବିକ୍ରି ଉପରେ କଟକଣା ଲଗାଯାଇଛି।
ସରୋଗେଟ୍ ବିଜ୍ଞାପନରେ ବ୍ରାଣ୍ଡଗୁଡ଼ିକ ସେମାନଙ୍କ ଉତ୍ପାଦର ପ୍ରଚାର ପାଇଁ ମୁଖ୍ୟତଃ ସମାନ ନାମରେ ଅନ୍ୟ ଉତ୍ପାଦ ପ୍ରସ୍ତୁତ କରି, ଲୋକପ୍ରିୟ ଅଭିନେତାଙ୍କୁ ନେଇ, ଟିଭି ବିଜ୍ଞାପନ ମାଧ୍ୟମରେ, ଇଭେଣ୍ଟ ଓ ପ୍ରାୟୋଜକତା ମାଧ୍ୟମରେ ଏବଂ ଜନସେବା ଘୋଷଣା ଆଦି ଉପାୟ ବ୍ୟବହାର କରନ୍ତି। ଯଦିଓ ସରୋଗେଟ୍ ବିଜ୍ଞାପନ ଏବେ ବି ଏକ ସାଧାରଣ କଥା। ଗଣମାଧ୍ୟମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଭାରତରେ ସରୋଗେଟ୍ ବିଜ୍ଞାପନ ପାଇଁ ବାର୍ଷିକ ୬୦୦-୮୦୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାର ୭୦ ପ୍ରତିଶତ ଟିଭି ବିଜ୍ଞାପନରେ ଖର୍ଚ୍ଚ ହୋଇଥାଏ। ଏହା ବ୍ୟତୀତ କମ୍ପାନିଗୁଡ଼ିକ ଇଭେଣ୍ଟ ଆୟୋଜନ, ଇଭେଣ୍ଟ ସ୍ପନ୍ସରସିପ୍, କର୍ପୋରେଟ୍ ଫିଲ୍ମ ଏବଂ ଏଭଳି ଅନେକ ଅଭିନବ ଏବଂ ସମନ୍ୱିତ ମାର୍କେଟିଂ କୌଶଳ ଆପଣାଉଛନ୍ତି।
ଉତ୍ପାଦର ବିଜ୍ଞାପନ ପାଇଁ ସରୋଗେଟ୍ ବିଜ୍ଞାପନ ଏକ ସଫଳ କୌଶଳ ସାବ୍ୟସ୍ତ ହୋଇଥିବା ବେଳେ ଏଭଳି ସାମଗ୍ରୀର ବୈଧତା ଅନେକ ଦିଗରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନେକ ସର୍ବେକ୍ଷଣରୁ ଜଣାପଡ଼ିଛି ୫୦ ଜଣଙ୍କ ମଧ୍ୟରୁ ୪୨ ଜଣ ବିଜ୍ଞାପନ ଦିଆଯାଉଥିବା ପ୍ରକୃତ ପାନୀୟ କିମ୍ବା ତମାଖୁ ଉତ୍ପାଦକୁ ବୁଝିପାରନ୍ତି ଏବଂ ସରୋଗେଟ୍ ବିଜ୍ଞାପନ ଗ୍ରାହକଙ୍କୁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଦ୍ରବ୍ୟ କିଣିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏହା ଶିଶୁ ଏବଂ ଯୁବକମାନଙ୍କୁ ଜୀବନରେ ଏକ ଖରାପ ଦିଗ ପ୍ରଦାନ କରେ କାରଣ ଅନେକ ନିଷିଦ୍ଧ ଉତ୍ପାଦ ଏବଂ ବିଜ୍ଞାପିତ ଉତ୍ପାଦ ମଧ୍ୟରେ ପାର୍ଥକ୍ୟ କରିପାରିବେ ନାହିଁ। ତେଣୁ ଏଭଳି ପରିସ୍ଥିତିକୁ ରୋକିବା ପାଇଁ ଅନେକ ଦେଶର ସରକାର ଏଭଳି ଉତ୍ପାଦର ସିଧାସଳଖ ମାର୍କେଟିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେଉଛନ୍ତି।
ଯଦିଓ ସରୋଗେଟ ବିଜ୍ଞାପନକୁ ନେଇ ଅନେକ ଆଇନ୍ ଏବଂ ନିର୍ଦ୍ଦେଶାବଳୀ ରହିଛି, ତଥାପି ଏଥିରେ ସ୍ପଷ୍ଟତା ଅଭାବରୁ ତଥା ସମାନ ବ୍ରାଣ୍ଡ ନାମରେ ଅନ୍ୟ ଉତ୍ପାଦ ପ୍ରସ୍ତୁତ କରି ବିଭିନ୍ନ କମ୍ପାନୀ ଏସବୁକୁ ଅଣଦେଖା କରିଚାଲିଛନ୍ତି। ସେହିପରି ଇଭେଣ୍ଟ ଏବଂ ପ୍ରାୟୋଜକତାକୁ ନେଇ ସେପରି କୌଣସି ସ୍ପଷ୍ଟ ଆଇନ୍ ପ୍ରସ୍ତୁତ ହୋଇନି। ଏହା ଛଡ଼ା ମଦ ଏବଂ ତମାଖୁ ବ୍ୟବସାୟ ଆଇନ ମାଧ୍ୟମରେ ସୀମିତ ଅଟେ, କିନ୍ତୁ ଏହା ପ୍ରତି ଉଦାସୀନତାର କାରଣ ଏହା ସରକାରଙ୍କ ପାଇଁ ବିପୁଳ ରାଜସ୍ୱ ସୃଷ୍ଟି କରିବାରେ ସାହାଯ୍ୟ କରେ, ଯାହା ଦେଶର ଅର୍ଥନୀତିକୁ ଫାଇଦା ଦେଇଥାଏ। ଏପରିକି ଓଡ଼ିଶାରେ ତମାଖୁ ତଥା ନିକୋଟିନ ଜାତୀୟ ପାନ ମସଲା ବିକ୍ରି ପ୍ରତିବନ୍ଧିତ ଥିବା ବେଳେ ରାଜ୍ୟରେ ତମାଖୁ ଓ ନିକୋଟିନ୍ ଦ୍ରବ୍ୟର ବିକ୍ରି ଓ ସେବନ ନିରବଚ୍ଛିନ୍ନ ଭାବେ ଜାରି ରହିଥିବାରୁ ଏହି ଆଇନ୍ କେବଳ କାଗଜପତ୍ରରେ ସୀମିତ ଅଛି। ଏବେ ବି ଗୁଟଖା କମ୍ପାନି ଶିକ୍ଷାନୁଷ୍ଠାନ ନିକଟରେ, ଜନଗହଳି ପୂର୍ଣ୍ଣ ସ୍ଥାନରେ ତଥା ସାଧାରଣରେ ଖୋଲାଖୋଲି ଭାବେ ନିଷିଦ୍ଧ ଦ୍ରବ୍ୟ ବିକ୍ରି କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ। ଏଣୁ ପ୍ରଶାସନିକ ଉଦାସୀନତାର ଫାଇଦା ଉଠାଇ ଆଉ ପାଦେ ଆଗକୁ ଯାଇ ଏକ ତମାଖୁ କମ୍ପାନୀ ପ୍ରତିଷ୍ଠିତ ଓଡ଼ିଆ କଳାକାରଙ୍କୁ ନେଇ ଓଡ଼ିଆରେ ଏକ ସରୋଗେଟ୍ ବିଜ୍ଞାପନ ପ୍ରସ୍ତୁତ କରିଛି।
ସରୋଗେଟ୍ ବିଜ୍ଞାପନ ହେଉଛି ଏକମାତ୍ର ଉପାୟ ଯାହା ତମାଖୁ ଏବଂ ପାନୀୟ କମ୍ପାନୀମାନେ ସେମାନଙ୍କ ଉତ୍ପାଦର ପ୍ରଚାର କରିପାରିବେ। ସରକାର ଏଭଳି ବିଜ୍ଞାପନକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ଉଚିତ ନୁହେଁ, ବରଂ ଏହି ବିଜ୍ଞାପନ ଗୁଡ଼ିକ ଯେପରି ସେମାନଙ୍କ ଉଦ୍ଦେଶ୍ୟ ପୂରଣ କରିପାରିବ ସେଥିପାଇଁ ନିୟମକୁ ଅଧିକ କଠୋର କରିବା ଉଚିତ। ଉଦ୍ଦେଶ୍ୟ ହେଉଛି ଉତ୍ପାଦକୁ ସମସ୍ତଙ୍କୁ ନୁହେଁ ବରଂ ସମ୍ପୃକ୍ତ ଟାର୍ଗେଟ୍ ଲୋକଙ୍କ ନିକଟରେ ପ୍ରୋତ୍ସାହିତ କରିବା। ସରକାର ଏପରି ଆଇନ ପ୍ରଣୟନ କରିପାରିବେ ଯେ କୌଣସି ବ୍ରାଣ୍ଡ ନାମରେ ମଦ କିମ୍ବା ତମାଖୁ ଉତ୍ପାଦ ବିକ୍ରି କରୁଥିବା କୌଣସି କମ୍ପାନି ଅନ୍ୟ ଉତ୍ପାଦ ପାଇଁ ସମାନ ବ୍ରାଣ୍ଡ୍ ନାମ କିମ୍ବା ଟ୍ୟାଗ୍ ଲାଇନ୍ ବ୍ୟବହାର କରିପାରିବେ ନାହିଁ। ଯଦିଓ ଏହା ଏକ ଅତି ସରଳ ସମାଧାନ ପରି ଲାଗୁଛି କିନ୍ତୁ ଏଥିପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ସମ୍ପୂର୍ଣ୍ଣ ଦାୟିତ୍ୱ କେବଳ ସରକାରଙ୍କ ଉପରେ ଲଦିଦେଲେ ହେବ ନାହିଁ। ସେଲିବ୍ରିଟିମାନଙ୍କର ଏକ ଲମ୍ବା ତାଲିକା ଅଛି ଯେଉଁମାନେ ଦେଶର ଲୋକଙ୍କୁ କର୍କଟ ବିକ୍ରି କରୁଛନ୍ତି। ଯଦି ଆମେ ରାଜନୀତି କିମ୍ବା ଆଇନଗତ ଢାଞ୍ଚାକୁ ବାଦ୍ ଦେଇଥାଉ ତେବେ ସେଲିବ୍ରିଟିମାନଙ୍କ ଉପରେ ମଧ୍ୟ ସମାଜର ଦାୟିତ୍ୱ ରହିଛି। ସେ ଦୃଷ୍ଟିରୁ ସେମାନେ ଏଭଳି ଉତ୍ପାଦର ବିଜ୍ଞାପନ କରିବା ଉଚିତ ନୁହେଁ।
ଅତୀତରେ ପିଅର୍ସ ବ୍ରୋସନନ୍, ଅମିତାଭ ବଚ୍ଚନଙ୍କ ପରି ସେଲିବ୍ରିଟିମାନେ ଜନସାଧାରଣଙ୍କ ବିରୋଧ କାରଣରୁ ସରୋଗେଟ୍ ବିଜ୍ଞାପନ କରିବା ବନ୍ଦ କରିଥିଲେ। ଅକ୍ଷୟ କୁମାର ମଧ୍ୟ ଏଥି ନିମନ୍ତେ ନିଜ ପ୍ରସଂଶକଙ୍କୁ କ୍ଷମା ମାଗିଥିଲେ। ବ୍ୟକ୍ତିଗତ ଭାବରେ, କୌଣସି ମଦ କିମ୍ବା ତମାଖୁ ବ୍ରାଣ୍ଡ ସହିତ ମୋର କୌଣସି ଶତ୍ରୁତା ନାହିଁ, କିନ୍ତୁ ମୋଟାମୋଟି ଭାବରେ, ସରୋଗେଟ୍ ବିଜ୍ଞାପନ ଉପରେ ନୈତିକ ଦୃଷ୍ଟିକୋଣ ଜଟିଳ, ଏବଂ କମ୍ପାନୀଗୁଡ଼ିକ ପାଇଁ ଉଭୟ ଉପଭୋକ୍ତା ଏବଂ ସମଗ୍ର ସମାଜ ଉପରେ ଏହି ଅଭ୍ୟାସର ସମ୍ଭାବ୍ୟ ନକାରାତ୍ମକ ପ୍ରଭାବକୁ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ବିଜ୍ଞାପନରେ ନିରପେକ୍ଷତା ଏବଂ ସଚ୍ଚୋଟତାକୁ ପ୍ରୋତ୍ସାହିତ କରିବା ପାଇଁ କଂପାନିଗୁଡ଼ିକ ସେମାନଙ୍କ ମାର୍କେଟିଂ ଅଭ୍ୟାସରେ ସ୍ୱଚ୍ଛ ଏବଂ ଦାୟିତ୍ୱବାନ ହେବା ଏବଂ ନିୟମ ଏବଂ ନୈତିକ ମାନଦଣ୍ଡପାଳନ କରିବା ଗୁରୁତ୍ୱପୂର୍ଣ୍ଣ। ପରିଶେଷରେ ଲୋକମାନେ ହିଁ ଭଲ ଏବଂ ଖରାପ ମଧ୍ୟରେ ପାର୍ଥକ୍ୟ ଜାଣିବା ଉଚିତ ଏବଂ ସେମାନେ କେବଳ ବିଜ୍ଞାପନ ଦ୍ୱାରା ପ୍ରଭାବିତ ହେବା ଉଚିତ୍ ନୁହେଁ।
ଏ ପି ଶୁଭକାନ୍ତ ସାମଲ, ହରିପୁର, ଖଡିଅଙ୍ଗ, ଯାଜପୁର, ଫୋ- ୮୨୮୦୧୩୦୬୦୫
୨୦୨୨ରେ ଏକାଧିକ ଫିଲ୍ମରେ ନଜର ଆସିଥିଲେ ଖିଲାଡି ବୟ ଅକ୍ଷୟ କୁମାର। ‘ବଚ୍ଚନ ପାଣ୍ଡେ’, କଟପୁତଲି, ‘ସମ୍ରାଟ ପୃଥ୍ୱୀରାଜ’, ‘ରାମ ସେତୁ’ ଏବଂ ‘ରକ୍ଷା ବନ୍ଧନ’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏସବୁ ଫିଲ୍ମ ବକ୍ସ ଅଫିସରେ ସେତେଟା କମାଲ କରିପାରି ନଥିଲା। ବର୍ଷ ଶେଷ ହୋଇ ନୂଆ ବର୍ଷ ଆରମ୍ଭ ହୋଇଥିଲେ ବି ଅକ୍ଷୟଙ୍କ କୌଣସି ଫିଲ୍ମ ହିଟ ହୋଇପାରି ନାହିଁ।
୨୦୨୩ରେ ରିଲିଜ ହୋଇଥିବା ଫିଲ୍ମ ‘ସେଲ୍ଫି’ ମଧ୍ୟ ଶୋଚନୀୟ ଭାବେ ଫ୍ଲପ ହୋଇଛି। ବାରମ୍ବାର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ ହେଉଥିବାରୁ ଏବେ ଖିଲାଡି କୁମାରଙ୍କ କ୍ରେଜ ଦର୍ଶକଙ୍କ ଉପରୁ ଧୀରେ ଧୀରେ କମି କମି ଯାଉଥିବା ଚର୍ଚ୍ଚା ହେଉଛି।
ସେପଟେ ଏହି ଫିଲ୍ମ ଫ୍ଲପ୍ର ପ୍ରଭାବ ତାଙ୍କ ଅପ୍କମିଂ ଫରେନ୍ କନ୍ସର୍ଟ ଉପରେ ପଡିଛି। ଅକ୍ଷୟଙ୍କ ଶୋ’ର ଟିକେଟ୍ ବିକ୍ରି ହେଉନାହିଁ। ଅକ୍ଷୟ କୁମାର ତାଙ୍କ ଟିମ୍ ସହ ବିଦେଶ ଗସ୍ତରେ ଥିବା ବେଳେ ତାଙ୍କର କେତେଟା ଶୋ’ ଏହି କାରଣରୁ କ୍ୟାନ୍ସେଲ୍ କରିବାକୁ ପଡିଛି। ନ୍ୟୁ ଜର୍ସିରେ ଥିବା ଅକ୍ଷୟଙ୍କ ଶୋ’ ବାତିଲ ହୋଇଥିବା ସୂଚନା ମିଳିଛି।
ବେଳେବେଳେ ଆମକୁ କଷ୍ଟଦାୟକ ଜିନିଷ ବାଛିବାକୁ ପଡେ। ଆମେ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛୁ, କାରଣ ଅକ୍ଷୟ କୁମାରଙ୍କ ‘ଦ ଏଣ୍ଟରଟେନର୍ସ ଟୁର’ ବାତିଲ କରାଯାଉଛି। ଯେଉଁମାନେ ଟିକେଟ୍ କିଣିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି SAI USA INC ଫେସବୁକରେ ଏକ ପୋଷ୍ଟ ସେୟାର କରି ଲେଖିଛି।
ଉଲ୍ଲେଖଯୋଗ୍ୟ, ଅକ୍ଷୟଙ୍କ ସହ ଏହି ଫରେନ୍ ଟୁର୍ରେ ଅଭିନେତ୍ରୀ ନୋରା ଫତେହି, ଦିଶା ପଟାନୀ, ସୋନମ ବାଜୱା, ମୌନୀ ରୟ, ଜସଲିନ୍ ରୟାଲ ଓ ଅପାରଶକ୍ତି ଖୁରାନା ମଧ୍ୟ ଅଛନ୍ତି। ଏମାନେ ମଧ୍ୟ ଏହି କନ୍ସର୍ଟରେ ନିଜ ନିଜ ପରଫର୍ମାନ୍ସ ଦେଇଥାନ୍ତେ।
ଭାରତରେ ଥାଇ ବି କାନାଡାର ନାଗରିକତ୍ୱ ଥିବାକୁ ନେଇ ଅନେକଥର ଅକ୍ଷୟ ଟ୍ରୋଲର ଶିକାର ହେବାକୁ ପଡିଛି। ଏଥିପାଇଁ ତାଙ୍କୁ ଅନେକ ସମାଲୋଚିତ ମଧ୍ୟ ହେବାକୁ ପଡିଛି। ଏବେ ଲୋକଙ୍କ କଥା ତାଙ୍କୁ ଆଘାତ ଦେଉଥିବାରୁ ଏବେ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ନେ ନିଜ କାନାଡାର ନାଗିରିକତ୍ୱ ଛାଡିବା ନେଇ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତ।
ଭାରତ ତାଙ୍କ ଲାଗି ସବୁକିଛି। ସେ ଯାହା ବି ରୋଜଗାର କରିଛନ୍ତି, ଏଠାରେ ରହି ଅର୍ଜନ କରିଛନ୍ତି। ଫେରାଇବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଲୋକେ ଯେତେବେଳେ ନାଗରିକତ୍ୱକୁ ନେଇ ପ୍ରଶ୍ନ କରନ୍ତି ତାଙ୍କୁ ଖରାପ ଲାଗେ। କିଛି ନ ଜାଣି ସମସ୍ତେ ତାଙ୍କୁ କାଠଗଡ଼ାରେ ଛିଡ଼ା କରନ୍ତି ବୋଲି ଅକ୍ଷୟ କହିଛନ୍ତି।
୧୯୯୦-୨୦୦୦ ଦଶକରେ ଅକ୍ଷୟ ଅନେକ ଫିଲ୍ମରେ କାମ କରିଥିଲେ। ହେଲେ ଲଗାତାର ଭାବେ ୧୫ ଫିଲ୍ମ ଫ୍ଲପ ହୋଇଥିଲା। ଅଭିନେତା ଭାବେ ନିରାଶ ହେବା ପରେ ଆଉ କିଛି କାମ କରିବେ ବୋଲି ସେ ଭାବିଥିଲେ। ଏନେଇ ସେ କାନାଡ଼ାରେ ଥିବା ବନ୍ଧୁଙ୍କ ପରାମର୍ଶ ଲୋଡି ସେଠାକୁ ଯିବାକୁ ସ୍ଥିର କରିଥିଲେ। ଏହି ସମୟରେ ସେ କାନାଡ଼ାର ନାଗରିକତ୍ୱ ଲାଗି ଆବେଦନ କରିଥିଲେ। ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ଅକ୍ଷୟଙ୍କ ଅଭିନୀତ ବାକି ୨ ଫିଲ୍ମ ସୁପରହିଟ୍ ହୋଇଥିଲା।
ଏହାପରେ ତାଙ୍କର ବନ୍ଧୁ ତାଙ୍କୁ ଭାରତ ଫେରି କାମ କରିବାକୁ କହିଥିଲେ। ସେଠାରୁ ଫେରି ସେ ଅଭିନୟରେ ନିଜର ଶତ ପ୍ରତିଶତ ଦେଇଥିଲେ। ହେଲେ ତାଙ୍କ ପାଖରେ ଏହି ପାସପୋର୍ଟ ଥିବା ସେ ଭୁଲି ଯାଇଥିଲା। ଏହାକୁ ବଦଳାଇବା ଉଚିତ ବୋଲି ମନକୁ କେବେ ଆସି ନ ଥିଲା। ହେଲେ ଏବେ ସେ ଆବେଦନ କରିଛନ୍ତି। ଖୁବ୍ଶୀଘ୍ର ପାସପୋର୍ଟ ବଦଳି ଯିବ ବୋଲି ଅକ୍ଷୟ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ମଧ୍ୟ କାନାଡାର ପାସ୍ପୋର୍ଟ ଫେରାଇବାକୁ ସେ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ସେ ଆବେଦନ ମଧ୍ୟ କରିଥିଲେ। କିନ୍ତୁ କୋବିଡ-୧୯କୁ ଏହି କାମରେ ବିଳମ୍ବ ହୋଇଥିଲା ଏବଂ ସେ ପାସପୋର୍ଟ ଫେରାଇାରେ ସକ୍ଷମ ହୋଇପାରିନଥିଲେ। ଏବେ କିନ୍ତୁ ଅକ୍ଷୟ କୁମାରଙ୍କୁ ଖୁବ ଶୀଘ୍ର ଭାରତର ନଗରିକତ୍ୱ ମିଳିଯିବ ବୋଲି କୁହାଯାଉଛି।
ବଲିଉଡର ଖିଲାଡି କୁମାର ଏବେ ତାଙ୍କ ଅପ୍କମିଂ ଫିଲ୍ମ ‘ସେଲ୍ଫି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଏହି ଫିଲ୍ମର ପ୍ରମୋସନ ବେଳେ ସେ କରିଛନ୍ତି ଏକ ନୂଆ ରେକର୍ଡ। ୩ ମିନିଟ୍ ଭିତରେ ଅକ୍ଷୟ ନିଜ ଫ୍ୟାନ୍ଙ୍କ ସହ ୧୮୪ଟି ସେଲ୍ଫି ନେଇ ଗିନିଜ ୱାର୍ଲ୍ଡ ରେକର୍ଡ କରିଛନ୍ତି। ଏଥିସହ ପୂର୍ବରୁ ଆମେରିକାର ଜେମ୍ସ ସ୍ମିଥଙ୍କ ଥିବା ରେକର୍ଡକୁ ସେ ଭାଙ୍ଗିଛନ୍ତି। ଜେମ୍ସ ତିନି ମିନିଟ୍ରେ ୧୬୮ଟି ସେଲ୍ଫି ନେଇଥିଲେ।
ଏଭଳି ରେକର୍ଡ ସୃଷ୍ଟି କରିବା ନେଇ ଅକ୍ଷୟ ନଜ ଇନ୍ଷ୍ଟାଗ୍ରାମରେ କହିଛନ୍ତି, ‘ମୁଁ ଏହି ଅଦ୍ଭୁତ ବିଶ୍ୱ ରେକର୍ଡକୁ ଭାଙ୍ଗି ଓ ନିଜ ଫ୍ୟାନ୍ମାନଙ୍କ ସହ ସେଲ୍ଫି ନେଇ ନିଜକୁ ବେଶ୍ ଖୁସି ଅନୁଭବ କରୁଛି। ମୁଁ ଏଯାଏଁ ମୋ ଜୀବନରେ ଯାହା ବି ହାସଲ କରିଛି ଏବଂ ଯେଉଁଠି ମୁଁ ଆଜି ଅଛି, ତାହା କେବଳ ମୋ ଫ୍ୟାନ୍ମାନଙ୍କ ଭଲ ପାଇବା ଓ ସମର୍ଥନ ଲାଗି ସମ୍ଭବ ହୋଇପାରିଛି। ସେଥିଲାଗି ମୋ ଢ଼ଙ୍ଗରେ ତାଙ୍କୁ ମୁଁ ଏହି ବିଶେଷ ଉପହାର ଦେଇଛି।’
କେବଳ ସେତିକି ନୁହେଁ ଅକ୍ଷୟ କୁମାର ସୋଶାଲ ମିଡିଆରେ ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଏହି ଭିଡିଓରେ ସେ ଜଣଙ୍କ ପରେ ଜଣେ ଫ୍ୟାନ୍ଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଅପ୍କମିଂ ଫିଲ୍ମ ସେଲ୍ଫିରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାରଙ୍କ ସହ ଇମ୍ରାନ ହାସମି ଲିଡ୍ ରୋଲ୍ରେ ଅଛନ୍ତି। ତାଙ୍କ ଅପୋଜିଟ୍ରେ ଡାଇନା ପେଣ୍ଟି ଓ ନୁସରତ ଭରୁଚାଙ୍କୁ ଦେଖିବାକୁ ମିଳିବ। ଆସନ୍ତାକାଲି ଫିଲ୍ମଟି ପରଦାକୁ ଆସିବ। ଏହି ଫିଲ୍ମ ଜରିଆରେ ପ୍ରଥମ କରି ଅକ୍ଷୟ ଓ ଇମ୍ରାନଙ୍କ ଯୋଡିକୁ ଦର୍ଶକ ଦେଖିବାକୁ ପାଇବେ।
ଏହି ସମୟରେ ଅକ୍ଷୟ ଓ ଇମ୍ରାନଙ୍କୁ ଦେଖିବା ପାଇଁ ଜମିଥିଲା ପ୍ରବଳ ଭିଡ। ଏହାରି ଭିତରେ ଅକ୍ଷୟଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍ ବ୍ୟାରିକେଡ୍ ଡେଇଁ ଅକ୍ଷୟଙ୍କୁ ମିଶିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେଠାରେ ଥିବା ସୁରକ୍ଷାକର୍ମୀମାନେ ଉକ୍ତ ଫ୍ୟାନ୍ଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ।
ତେବେ ସୁରକ୍ଷାକର୍ମୀଙ୍କ ଫ୍ୟାନ୍ଙ୍କ ପ୍ରତି ଏଭଳି ବ୍ୟବହାର ସହି ପାରିନଥିଲେ ଖିଲାଡି ବୟ। ସଙ୍ଗେ ସଙ୍ଗେ ଯାଇ ସେ ନିଜ ଫ୍ୟାନ୍ଙ୍କୁ ତଳୁ ଉଠାଇ ଆଲିଙ୍ଗନ କରିନେଇଥିଲେ। ଅକ୍ଷୟ କୁମାରଙ୍କ ଏହି ଉଦାରତର ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍ରେ ଭାଇରାଲ ହେବାରେ ଲାଗିଛି।
Two things come to mind after watching this video that how much fans of #AkshayKumar love Akshay and how much love and respect Akshay Kumar gives to his fans😍💖 pic.twitter.com/SL3Pa00LlI
— ༄༒Swєtα🔥࿐ (@Swetaakkian) February 19, 2023
ଫ୍ୟାନ୍ଙ୍କ ପ୍ରତି ଅକ୍ଷୟଙ୍କ କୁମାର ଏଭଳି ଭଲପାଇବା ଦେଖି ସାଧାରଣ ଜନତା ଖୁସି ହୋଇ ଉଠିଛନ୍ତି। ଚାରିଆଡେ ଏବେ ଅକ୍ଷୟ କୁମାରଙ୍କ ଏହି ଉଦାରତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ମୁମ୍ବାଇ ମେଟ୍ରୋରେ ଯାତ୍ରା କରିବା ବେଳେ ଅକ୍ଷୟ ଓ ଇମ୍ରାନ ନିଜ ଫ୍ୟାନ୍ମାନଙ୍କୁ ସରପ୍ରାଇଜ ଦେଇଥିଲେ। ସେ ନିଜ ଫ୍ୟାନ୍ମାନଙ୍କ ସହ ମିଶି ଡ୍ୟାନ୍ସ ମଧ୍ୟ କରିଥିଲେ।
ଅକ୍ଷୟ କୁମାର ଓ ଇମ୍ରାନ ହାସମିଙ୍କ ଅପ୍କମିଂ ଫିଲ୍ମ ସେଲ୍ଫି ଆସନ୍ତା ଫେବ୍ରୁଆରୀ ୨୪ରେ ପରଦାକୁ ଆସିବ। ଏହି ଫିଲ୍ମର ଲିଡ୍ ରୋଲ୍ରେ ଅକ୍ଷୟ ଓ ଇମ୍ରାନଙ୍କ ବ୍ୟତୀତ ନୁସରତ ଭରୁଚା ଏବଂ ଡାଇନା ପେଣ୍ଟି ଅଛନ୍ତି। ପ୍ରଥମଥର ପାଇଁ ଏହି ଫିଲ୍ମ ଜରିଆରେ ଇମ୍ରାନ ଓ ଅକ୍ଷୟ ଏକାଠି ନଜର ଆସିଛନ୍ତି।
ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମର ସ୍ପେଶାଲ ସ୍କ୍ରିନିଂକୁ ଦେଖିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ରାଟ ପୃଥ୍ୱୀରାଜ ଫିଲ୍ମକୁ ୟୁପିରେ ଟ୍ୟାକ୍ସ ଫ୍ରି କରାଯାଇଥିଲା। ଏବେ ଏହି ଟିକସ ଫ୍ରି ତାଲିକାରେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଯୋଡ଼ି ହୋଇଯାଇଛନ୍ତି। ଏହି ଦୁଇ ରାଜ୍ୟରେ ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି।
ରିଲିଜ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ବି ଅକ୍ଷୟ କୁମାର ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିଥିଲେ। ଶ୍ରୀ ଶାହ ଏହାକୁ ଦେଖି ବେଶ ପ୍ରଶଂସା କରିଛନ୍ତି। ସେହିପରି ଲକ୍ଷ୍ନୌରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ ସଦସ୍ୟମାନେ ଫିଲ୍ମକୁ ଦେଖିଥିଲେ। ଏହି ସ୍ପେଶାଲ ସ୍କ୍ରିନିଂ କାର୍ଯ୍ୟକ୍ରମରେ ଅକ୍ଷୟ କୁମାର, ଫିଲ୍ମର ନିର୍ମାତା ଓ ହିରୋଇନ ମାନୁଷୀ ଛିଲ୍ଲର ଯୋଗଦେଇଥିଲେ। ଫିଲ୍ମ ଦେଖି ସାରିବା ପରେ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି ସମ୍ରାଟ ପୃଥ୍ୱୀରାଜକୁ ୟୁପିରେ ଟିକସ ମୁକ୍ତ କରାଯାଇଥିବା ଘୋଷଣା କରିଥିଲେ। ଅକ୍ଷୟ କୁମାର ଏଥିପାଇଁ ଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି।
.@ChouhanShivraj ji आपका ये निर्णय भारत के एक महान योद्धा की अद्भुत कहानी और भी लोगों तक पहुँचाने में मदद करेगा। सम्राट पृथ्वीराज की पूरी टीम की ओर से बहुत बहुत धन्यवाद 🙏🏻 https://t.co/vw12TmnsoQ
— Akshay Kumar (@akshaykumar) June 2, 2022
ଯୋଗୀଙ୍କ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ଟ୍ୱିଟ କରି ଫିଲ୍ମକୁ ଟିକସ ମୁକ୍ତ କରାଯାଇଥିବା ଘୋଷଣା କରିଛନ୍ତି।
ଶିବରାଜ ସିଂହ ଚୌହାନ ଲେଖିଛନ୍ତି, “ମହାନ ଯୋଦ୍ଧା ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଉପରେ ଆଧାରିତ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ’କୁ ମଧ୍ୟପ୍ରଦେଶରେ ଟିକସ ମୁକ୍ତ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ମହାନ ସମ୍ରାଟଙ୍କ ଜୀବନ ବିଷୟକୁ ଅଧିକରୁ ଅଧିକ ଯୁବବର୍ଗ ଦେଖନ୍ତୁ। ଏହାଦ୍ୱାରା ମାତୃଭୂମି ପ୍ରତି ସେମାନଙ୍କର ଅଧିକ ଭଲ ପାଇବା ଜାଗୃତ ହେବ।”
ଏହାର ଜବାବରେ ଅକ୍ଷୟ କୁମାର କହିଛନ୍ତି, “ଆପଣଙ୍କ ନିଷ୍ପତ୍ତି ଭାରତର ଜଣେ ମହାନ ଯୋଦ୍ଧାଙ୍କ ଅଦଭୂତ କାହାଣୀ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାରେ ସହାୟକ ହେବ। ସମ୍ରାଟ ପୃଥ୍ୱୀରାଜର ପୂରା ଟିମ୍ ତରଫରୁ ଆପଣଙ୍କୁ ଧନ୍ୟବାଦ।” ପୁଷ୍କର ସିଂହ ଧାମି ମଧ୍ୟ ଉତ୍ତରାଖଣ୍ଡରେ ସମ୍ରାଟ ପୃଥ୍ୱୀରାଜ ଟିକସ ମୁକ୍ତ ହେବ ବୋଲି ଘୋଷଣା କରିଛନ୍ତି।
उत्तराखंड में 'सम्राट पृथ्वीराज' फिल्म टैक्स फ्री होगी।
देशप्रेम, साहस एवं पराक्रम से परिपूर्ण सम्राट पृथ्वीराज चौहान जी के जीवन पर आधारित इस फिल्म को अवश्य देखें। @akshaykumar
— Pushkar Singh Dhami (@pushkardhami) June 2, 2022
ସୂଚନାଯୋଗ୍ୟ, ସମ୍ରାଟ ପୃଥ୍ୱୀରାଜ ଆଜି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ସମଗ୍ର ଦେଶରେ ରିଲିଜ ହୋଇଛି।
ଅକ୍ଷୟ କୁମାର ସୋଶାଲ୍ ମିଡିଆ ଯୋଗେ ତାଙ୍କ ମା’ଙ୍କ ଦେହାନ୍ତ ଖବରକୁ ସାର୍ବଜନୀନ କରିଛନ୍ତି। ଗତ କିଛି ଦିନ ଧରି ଅକ୍ଷୟ ତାଙ୍କର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ହେଲେ ମା’ଙ୍କ ଅସୁସ୍ଥତା ହେତୁ ସେ ଲଣ୍ଡନରୁ ମୁମ୍ବାଇ ଫେରି ଆସିଥିଲେ।
ଅକ୍ଷୟ ନିଜ ସୋଶାଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି, ସେ ମୋ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ଆଜି ଅସହନୀୟ ଯନ୍ତ୍ରଣା ହେଉଛି। ଆଜି ସକାଳେ ମୋ ମା’ ଦୁନିଆକୁ ଅଲବିଦା କହିଦେଲେ। ପୂର୍ବରୁ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଏବେ ମା’ ବି ତାଙ୍କ ପାଖକୁ ଚାଲି ଯାଇଛନ୍ତି। ମୁଁ ଓ ମୋ ପରିବାର ଏବେ ଏକ କଷ୍ଟକର ସମୟ ଦେଇ ଗତି କରୁଥିବା ବେଳେ ଆପଣମାନଙ୍କ ପ୍ରାର୍ଥନା ପାଇଁ ବହୁତ ବହୁତ ଧନ୍ୟବାଦ ।
https://www.instagram.com/p/CTi9v8ToZ-d/?utm_source=ig_web_copy_link
ଅକ୍ଷୟ କୁମାର ଗତ କିଛି ଧରି ନିଜର ଆଗାମୀ ଫିଲ୍ମ ‘ସିଣ୍ଡ୍ରେଲା’ର ଶୁଟିଂରେ ବ୍ୟସ୍ତ ଥିଲେ। ଅକ୍ଷୟ ତାଙ୍କ ମା’ର ବହୁତ ନିକଟତର। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନହେବା ଯାଏ ସେ ନିଜ ମା’ଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଅକ୍ଷୟ ଏବେ ମୁମ୍ବାଇରେ ନିଜ ମା’ଙ୍କ ସହ ରହିବେ।
ଅକ୍ଷୟ ଶୁଟିଂ ଅଧାରୁ ଚାଲିଆସିଥିଲେ ହେଁ ଯେଉଁ ଦୃଶ୍ୟରେ ତାଙ୍କ ଉପସ୍ଥିତି ଆବଶ୍ୟକ ନାହିଁ, ତା’ର ଶୁଟିଂ ଜାରି ରଖିବାକୁ ସେ କହିଛନ୍ତି। ସେ ସବୁବେଳେ କାମ ଜାରି ରଖିବାରେ ବିଶ୍ୱାସ କରନ୍ତି, ତେଣିକି ତାହା କେତେ ବ୍ୟକ୍ତିଗତ ହେଉ ନା କାହିଁକି। ସୂଚନା ଅନୁଯାୟୀ, ଅକ୍ଷୟଙ୍କ ମା’ଙ୍କର ସ୍ୱାସ୍ଥ୍ୟାବସ୍ଥା ଗତ କିଛି ଦିନ ଧରି ଭଲ ନାହିଁ।
ନିକଟରେ ସିନେମା ହଲ୍ ଖୋଲିବା ସହ ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ବେଲ୍ ବଟମ’କୁ ଥିଏଟରେ ରିଲିଜ୍ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ବାଣୀ କପୁର, ଲାରା ଦତ୍ତ, ହୁମା କ୍ୟୁରେସି ଲିଡ୍ ରୋଡରେ ନଜର ଆସିଛନ୍ତି। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବିଜନେସ୍ କରିଥିବା ଜଣାପଡ଼ିଛି। ଫିଲ୍ମରେ ଅକ୍ଷୟଙ୍କ ଅଭିନୟ ଓ ଲୁକକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି।
ଅକ୍ଷୟ କୁମାରଙ୍କ ହାତରେ ଏବେ ପାଖାପାଖି ୭-୮ଟି ଫିଲ୍ମ ରହିଛି। ଏଥିମଧ୍ୟରୁ ବଚ୍ଚନ ପାଣ୍ଡେ, ଅତରଙ୍ଗୀ ରେ, ରକ୍ଷାବନ୍ଦନ, ସୂର୍ଯ୍ୟବଂଶୀ, ରାମ ସେତୁ, ପୃଥ୍ୱୀରାଜ, ଓ ମାଇଁ ଗଡ୍-୨ ସମେତ ଆଉ କିଛି ଫିଲ୍ମ ଅକ୍ଷୟଙ୍କ ହାତରେ ରହିଛି। ସେଥିରୁ ବଚ୍ଚନ ପାଣ୍ଡେ, ସୂର୍ଯ୍ୟବଂଶୀ ଓ ଅତରଙ୍ଗୀ ରେ’ ଫିଲ୍ମର ଶୁଟିଂ ଶେଷ ହୋଇସାରିଛି। ଏବେବି ଅକ୍ଷୟଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ ରିଲିଜ୍ ଅପେକ୍ଷାରେ ରହିଛି। ଏହି ଫିଲ୍ମ ଗତବର୍ଷ ମାର୍ଚ୍ଚରେ ରିଲିଜ୍ ହେବାର ଥିଲା। କିନ୍ତୁ କରୋନା ଯୋଗୁ ଏହି ଫିଲ୍ମକୁ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମରେ ତାଙ୍କ ସହ କ୍ୟାଟ୍ରିନ୍ କୈଫ୍ ଲିଡ୍ ରୋଲରେ ଅଛନ୍ତି।
ସୂତ୍ର ଅନୁଯାୟୀ, ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ଫୁଲ୍ ମସ୍ତିଭରା କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ’। ତେବେ କପିଲ୍ଙ୍କ ଶୋ’ର ପ୍ରଥମ ଗେଷ୍ଟ କିଏ ହେବେ, ତାକୁ ନେଇ ଆକଳନ କରିବା ଆରମ୍ଭ କରି ଦେଲେଣି ଦର୍ଶକ ।
ମିଳିଥିବା ଖବର ଅନୁଯାୟୀ, ଖିଲାଡି ଷ୍ଟର ଅକ୍ଷୟ କୁମାର ହେବେ କପିଲଙ୍କ ନୂଆ ସିଜିନ୍ର ପ୍ରଥମ ଗେଷ୍ଟ। କରୋନା ପରେ ଅକ୍ଷୟଙ୍କ ପରି ବଡ଼ ଷ୍ଟାରକାଷ୍ଟ ଥିବା ଫିଲ୍ମ ‘ବେଲବଟମ’ ପ୍ରଥମ ଥର ଥିଏଟରରେ ପ୍ରଦର୍ଶୀତ ହେବ। ଏହାର ଟ୍ରେଲର ଆଜି ରିଲିଜ୍ ହେବ ବୋଲି ପ୍ଲାନିଂ ହୋଇଥିବା ବେଳେ ଏହାର ପ୍ରମୋଶନ ପାଇଁ କିଛି ବି ମିସ୍ କରିବାକୁ ଚାହୁଁ ନାହାନ୍ତି ଫିଲ୍ମର ପୂରା ଟିମ୍।
ତେଣୁ ନିଜ ଫିଲ୍ମର ପ୍ରମୋଶନ ପାଇଁ ଅକ୍ଷୟ କପିଲଙ୍କ ଶୋ’ର ପ୍ରଥମ ଗେଷ୍ଟ ହେବେ ବୋଲି ଶୁଣିବାକୁ ମିଳୁଛି। ହେଲେ କପିଲଙ୍କ ଶୋ’କୁ କେବଳ ଖିଲାଡି ଷ୍ଟାର ଆସିବେ, ନା ଫିଲ୍ମର ପୂରା ଷ୍ଟାରକାଷ୍ଟ ଆସିବେ. ସେ ନେଇ ଅଫିସିଆଲି କିଛି ଘୋଷଣା କରାଯାଇ ନାହିଁ।
‘ବେଲବଟମ’ରେ ଅକ୍ଷୟ କୁମାରଙ୍କ ସହ ବାଣୀ କପୁର, ଲାରା ଦତ୍ତ, ହୁମା କ୍ୟୁରେସି ଓ ଆଦିଲ ହୁସେନ ବି ନଜର ଆସିବେ। ‘ବେଲବଟମ’ ଫିଲ୍ମ ଜରିଆରେ ପୂର୍ବତନ ମିସ୍ ୟୁନିଭର୍ସ ଲାରା ଦତ୍ତ ପୁଣି ଥରେ ବଲିଉଡ଼ରେ ଏଣ୍ଟ୍ରି କରିବେ।
View this post on Instagram
ପ୍ରକୃତରେ ଅପକମିଂ ଫିଲ୍ମ ‘ଅତରଙ୍ଗିରେ’ ରେ ଅକ୍ଷୟ କୁମାରଙ୍କୁ ସଲିମ ଭୂମିକାରେ ଦେଖିବାକୁ ମିଳିବ । ନିକଟରେ ଏହି ଫିଲ୍ମର ଶୁଟିଂ ଆଗ୍ରାରେ ଚାଲିଛି । ଶୁଟିଂ ସେଟ ପଛର ଏକ ଭିଡିଓକୁ ଅକ୍ଷୟ ତାଙ୍କ ଇନଷ୍ଟାଗ୍ରାମରେ ଶେଆର କରିଛନ୍ତି । ଏହି ଭିଡିଓରେ ସେ ତାଜମହଲ ଠିକ୍ ସାମ୍ନାରେ ଥିବା ଗେଟ୍ ଆଗରେ ନାଚୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖି ଅନୁମାନ କରାଯାଉଛି ଯେ, ଫିଲ୍ମର କୌଣସି ଏକ ରୋମାଣ୍ଟିକ ଗୀତର ଶୁଟିଂ ଆଗ୍ରାରେ ଚାଲିଛି, ଯାହାକୁ ଏ.ଆର. ରହମାନ କମ୍ପୋଜ କରିଛନ୍ତି ।
ଆନନ୍ଦ ଏଲ.ରୟଙ୍କ ଫିଲ୍ମ ‘ଅତରଙ୍ଗି ରେ’ର ଶୁଟିଂ ଏବେ ଆଗ୍ରାରେ ଚାଲିଛି । ଫିଲ୍ମର ଲିଡ୍ ରୋଲରେ ଥିବା ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଆଗ୍ରାରେ ଡେରା ପକାଇଛନ୍ତି । ଏହି ଫିଲ୍ମର ଲିଡ ରୋଲରେ ଅକ୍ଷୟ କୁମାର , ସାରା ଅଲ୍ଲି ଖାନ ଏବଂ ସାଉଥ ସୁପରଷ୍ଟାର ଧନୁଷ ଅଛନ୍ତି । ଏଥିରେ ସାରା ଅଲ୍ଲି ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ ।
ନିକଟରେ ଯୋଗୀ ଆଦିତ୍ୟ ନାଥ ମୁମ୍ବାଇ ଗସ୍ତରେ ଆସିଥିଲେ । ଯୋଗୀ ସରକାର ଉତ୍ତରପ୍ରଦେଶରେ ନିର୍ମାଣ ହେବାକୁ ଥିବା ଫିଲ୍ମ ସିଟି ବିଷୟରେ କେତେଜଣ କଳାକାରଙ୍କୁ ଭେଟିଥିଲେ । ଏହି ସମୟରେ ଅକ୍ଷୟ କୁମାର ମଧ୍ୟ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଥିଲେ । ତାଙ୍କୁ ଭେଟି ଅପକମିଂ ଫିଲ୍ମ ‘ରାମସେତୁ’ ଶୁଟିଂ ଅଯୋଧ୍ୟା ନଗରୀର ରିଅଲ ଲୋକେସନରେ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଖିଲାଡି ଷ୍ଟାରଙ୍କ ଏହି ଇଚ୍ଛାକୁ ଯୋଗୀ ସରକାର ଗ୍ରହଣ କରିବା ସହ ତାଙ୍କୁ ଅଯୋଧ୍ୟାରେ ଶୁଟିଂ କରିବା ପାଇଁ ଅନୁମତି ଦେଇଛନ୍ତି। ୨୦୨୧ର ମଧ୍ୟ ଭାଗରେ ଫିଲ୍ମ ‘ରାମ ସେତୁ’ର ଶୁଟିଂ ଅଯୋଧ୍ୟାର ରିଅଲ ଲୋକେସନରେ ହେବ ।
ଅକ୍ଷୟ କୁମାର ଦୀପାବଳି ଅବସରେ ନିଜ ଅପକମିଂ ଫିଲ୍ମ ‘ରାମ ସେତୁ’ର ଘୋଷଣା କରିଥିଲେ । ଏଥିସହ ସୋଶାଲ ମିଡିଆରା ଫିଲ୍ମର ଫାଷ୍ଟ ଲୁକ୍ ମଧ୍ୟ ଜାରି କରିଥିଲେ । ଏଥିରେ ଅକ୍ଷୟଙ୍କୁ ରାମ ସେତୁ ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା । ପୋଷ୍ଟର ବ୍ୟାକ ଗ୍ରାଉଣ୍ଡରେ ରାମଙ୍କ ଏକ ବଡ ଫଟୋ ଚିତ୍ର ସହ ‘ସତ ନା କଳ୍ପନା’ କ୍ୟାପସନ ଲେଖା ହୋଇଥିଲା । ଅଭିଷେକ ବର୍ମାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମର ଲିଡ୍ ରୋଲରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପୋଜିଟରେ କେଉଁ ନାୟିକା ନଜର ଆସିବେ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।
ପ୍ରକୃତରେ ଫିଲ୍ମର ଟାଇଟେଲକୁ ନେଇ ଅନେକେ ଆପତ୍ତି ଉଠାଇଥିବା ବେଳେ ଏହା ଲଭ୍ ଜିହାଦ୍ ଭଳି ଅପରାଧକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଏନେଇ ଫିଲ୍ମ ନିର୍ମାତାଙ୍କୁ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ଏବେ ଲିଗାଲ୍ ନୋଟିସ୍ କରାଯାଇଛି।
ନୋଟିସରେ କୁହାଯାଇଛି ଯେ, ଫିଲ୍ମର ନାମ 'ଲକ୍ଷ୍ମୀ ବମ୍' ରଖାଯାଇଥିବାରୁ ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କୁ ଆଘାତ ଦେଇଛି। ଏହା ଦେବୀ ଲକ୍ଷ୍ମୀଙ୍କ ପ୍ରତି ଅପମାନଜନକ ଶବ୍ଦ। ଜାଣିଶୁଣି ଦେବୀ ଲକ୍ଷ୍ମୀଙ୍କୁ ଅପମାନ ଦେବାକୁ ଏଭଳି ଟାଇଟେଲ ରଖାଯାଇଛି ବୋଲି ଅଭିଯୋଗ କରାଯାଇଛି। ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ଆଇନଜୀବୀ ରାଘବେନ୍ଦ୍ର ମେହରୋତ୍ରା ଫିଲ୍ମ ନିର୍ମାତାଙ୍କୁ ଏହି ନୋଟିସ୍ କରିଛନ୍ତି।
ଏହାସହ ଫିଲ୍ମ ନିର୍ମାତାମାନଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ନୋଟିସରେ କୁହାଯାଇଛି। ଫିଲ୍ମ ମାଧ୍ୟମରେ ସମାଜରେ ହିନ୍ଦୁ ଧର୍ମର ଦେବଦେବୀ, ରୀତିନୀତି ଏବଂ ଭଗବାନଙ୍କ ବିରୁଦ୍ଧରେ ଭୁଲ୍ ଧାରଣା ପ୍ରସାର କରାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ହିନ୍ଦୁ ସେନା ନାମକ ଏକ ସଂଗଠନ ମଧ୍ୟ ଫିଲ୍ମର ନାମ ବଦଳାଇବାକୁ ଦାବି କରିଥିଲା।
ପ୍ରାୟ 4 ମିନିଟର ଏକ ଭିଡିଓ ଶେୟାର କରି ଅକ୍ଷୟ ସମସ୍ତଙ୍କୁ ଅପିଲ୍ କରିଛନ୍ତି। ଏହାସହ କ୍ୟାପଶନରେ ଲେଖିଛନ୍ତି, "ଅନେକ ଦିନ ହେଲା ମନରେ କିଛି କଥା ଥିଲା। ହେଲେ ବୁଝିପାରୁ ନ ଥିଲି କଣ କହିବି, କେମିତି କହିବି। ଆଜି ଆପଣମାନଙ୍କ ସହ ଶେୟାର କରିବାକୁ ସ୍ଥିର କରିଛି।"
ଭିଡିଓରେ ଅକ୍ଷୟ କହିଛନ୍ତି, ଆଜି କୋହଭରା ହୃଦୟ ନେଇ ଆପଣଙ୍କ ସହ କଥା ହେଉଛି। ଗତ କିଛି ସପ୍ତାହ ହେଲା ଅନେକ କିଛି କହିବାକୁ ଚାହୁଥିଲି। ହେଲେ ଚାରିଆଡ଼େ ଏତେ ମାତ୍ରାରେ ନକାରାତ୍ମକତା ଯେ, ବୁଝିପାରୁ ନ ଥିଲି କଣ କହିବି, କାହାକୁ କହିବି, କେତିକି କହିବି। ଆମେ ଯଦିଓ ତାରକା, ହେଲେ ବଲିଉଡକୁ ଆପଣ ଆପଣଙ୍କ ଭଲପାଇବା ଦେଇ ତିଆରି କରିଛନ୍ତି। ଆମେ କେବଳ ଇଣ୍ଡଷ୍ଟ୍ରୀ ନୁହନ୍ତି, ଆମେ ଫିଲ୍ମ ଜରିଆରେ ଆମ ଦେଶର ସଂସ୍କୃତି, ମହତ୍ୱକୁ ଦୁନିଆର ପ୍ରତ୍ୟେକ କୋଣରେ ପହଞ୍ଚାଇଛୁ। ଯେତେବେଳେ ଦର୍ଶକ ଯାହା ଚାହିଁଛନ୍ତି, ତାହା ସିନେମାରେ ଦେଖାଇବାକୁ ସବୁବେଳେ ଚେଷ୍ଟା କରିଛୁ।
ଏଭଳି ପରିସ୍ଥିତିରେ ଆଜି ଯଦି ଆପଣଙ୍କ ଭାବନାରେ କ୍ରୋଧ ରହିଛି। ତାହା ବି ଆମେ ସ୍ୱିକାର କରୁଛୁ। ସୁଶାନ୍ତ ସିଂହ ରାଜପୁତଙ୍କ ଅଚାନକ ମୃତ୍ୟୁ ପରେ ଏଭଳି ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି, ଯଦ୍ଦ୍ୱାରା ଆପଣମାନେ ଯେତିକି କଷ୍ଟ ପାଇଛନ୍ତି, ଆମକୁ ବି ସେତିକି ଦେଇଛି। ଏହି ପ୍ରସଙ୍ଗଗୁଡ଼ିକ ଆଜି ଆମକୁ ନିଜର ତର୍ଜମା କରିବାକୁ ବାଧ୍ୟ କରିଛି। ଏହି ପ୍ରସଙ୍ଗଗୁଡ଼ିକ ଆମ ଫିଲ୍ମ ଇଣ୍ଡଷ୍ଚ୍ରୀର ଅନେକ ତ୍ରୁଟିକୁ ଦେଖିବାକୁ ବାଧ୍ୟ କରିଛି, ଯାହା ଉପରେ ଧ୍ୟାନ ଦିଆଯିବା ନିହାତି ଆବଶ୍ୟକ। ଯେପରି ନାରକୋଟିକ୍ସ ଓ ଡ୍ରଗ୍ସ ବିଷୟରେ ଏବେ ଚର୍ଚ୍ଚା ହେଉଛି। ମୁଁ କେବେ ବି ଛାତି ଉପରେ ହାତ ରଖି ଏହାକୁ ଅସ୍ୱୀକାର କରିପାରିବି ନାହିଁ।
Bahot dino se mann mein kuch baat thi lekin samajh nahi aa raha tha kya kahoon, kisse kahoon. Aaj socha aap logon se share kar loon, so here goes... #DirectDilSe 🙏🏻 pic.twitter.com/nelm9UFLof
— Akshay Kumar (@akshaykumar) October 3, 2020
ସେ ପୁଣି କହିଛନ୍ତି, ଯେପରି ପ୍ରତ୍ୟେକ ଇଣ୍ଡଷ୍ଟ୍ରୀରେ ସବୁ ପେସାରେ ଏଭଳି ହୋଇପାରେ। କିନ୍ତୁ ପ୍ରତ୍ୟେକ ଇଣ୍ଡଷ୍ଟ୍ରୀର ପ୍ରତ୍ୟେକ ପେସାଦାର ଏଥିରେ ଜଡ଼ିତ ହୋଇ ନ ପାରେ। ଡ୍ରଗ୍ସ ଏକ ଆଇନଗତ ମାମଲା। ଏହାର ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଉ ଏଥିରେ ଫିଲ୍ମ ଇଣ୍ଡଷ୍ଚ୍ରୀର ପ୍ରତ୍ୟେକ ବ୍ୟକ୍ତି ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବ ମୁଁ ଜାଣିଛି। ହେଲେ ହାତ ଯୋଡ଼ି ଅନୁରୋଧ କରୁଛି, ସମ୍ପୂର୍ଣ୍ଣ ଫିଲ୍ମ ଇଣ୍ଡଷ୍ଚ୍ରୀକୁ ଏକ ବଦନାମ ଦୁନିଆ ଭଳି ଦେଖନ୍ତୁ ନାହିଁ। ଏହା ଠିକ୍ ନୁହେଁ। ଏହା ଭୁଲ୍।
ସେ ଆହୁରି ମଧ୍ୟ କହିଛନ୍ତି, ବ୍ୟକ୍ତିଗତ ଭାବେ ମିଡିଆର ଶକ୍ତି ଉପରେ ମୋର ସବୁବେଳେ ବିଶ୍ୱାସ ରହିଛି। ମିଡିଆର ସଠିକ୍ ପ୍ରସଙ୍ଗ ସଠିକ୍ ସମୟରେ ନ ଉଠାଇଲେ ଅନେକ ଲୋକଙ୍କୁ ନ୍ୟାୟ ମିଳିପାରିବ ନାହିଁ। ମୁଁ ହୃଦୟରୁ ଅନୁରୋଧ କରି କହୁଛି ଯେ, ମିଡିଆ ସ୍ୱର ଉତ୍ତୋଳନ କରିବା ବେଳେ ଟିକେ ସମ୍ବେଦନଶୀଳ ହେଉ। କାରଣ ଗୋଟିଏ ନକାରାତ୍ମକ ଖବର ଜଣେ ବ୍ୟକ୍ତିଙ୍କ ବର୍ଷ ବର୍ଷର ସମ୍ମାନ ଏବଂ ପରିଶ୍ରମକୁ ବରବାଦ୍ କରିପାରେ। ଶେଷରେ ଫ୍ୟାନମାନଙ୍କୁ ଏତିକି ଅନୁରୋଧ, ଆପଣମାନେ ଆମକୁ ତିଆରି କରିଛନ୍ତି। ଆପଣଙ୍କ ବିଶ୍ୱାସ ଭାଙ୍ଗିବାକୁ ଦେବୁନାହିଁ। ଆପଣ ଯଦି ରାଗିଛନ୍ତି, ଆମେ ନିଜର ଦୋଷ ତ୍ରୁଟି ସୁଧାରିବାକୁ ଆହୁରି ପରିଶ୍ରମ କରିବୁ। ଆପଣ ଥିଲେ, ଆମେ ଅଛୁ। ଆପଣଙ୍କ ସମର୍ଥନ ରଖିଥାନ୍ତୁ।