ଅମୁଲ ବେଙ୍ଗାଲୁରୁରେ ନିଜ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ ଆରମ୍ଭ କରିବ ବୋଲି ଘୋଷଣା କରିବା ପରେ ଦୁଇ ଦୁଗ୍ଧଜାତ ଦ୍ରବ୍ୟ କମ୍ପାନୀ ନନ୍ଦିନୀ ଏବଂ ଅମୁଲଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏପରିକି ଏହାକୁ ନେଇ କର୍ଣ୍ଣାଟକାରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ପରିସ୍ଥିତିକୁ ଚାଲି ଆସିଛନ୍ତି ।
ଏନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ମଣିଷ ଓ ବ୍ୟବସାୟିକ ଅନୁଷ୍ଠାନ ପାଇଁ ପାଣି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଗୁଜୁରାଟ ଏବେ ଚାଷ ଆଡକୁ ଅଗ୍ରସର ହେଉଛି। ଏହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଉଥିଲେ ମଧ୍ୟ ଏହାକୁ ନେଇ କୌଣସି ଚାଷୀଙ୍କର କିଛି ବି ସମସ୍ୟା ନାହିଁ। ତେଣୁ ଆମେ ଏହି ଆଧାରରେ ଆଗକୁ ବଢ଼ିବାକୁ ଯୋଜନା କରୁଛୁ।
କର୍ଣ୍ଣାଟକର ବିରୋଧୀ କଂଗ୍ରେସ ଏବଂ ଜେଡିଏସ୍ ଅଭିଯୋଗ କରିଛନ୍ତି ଯେ ଶାସକ ବିଜେପି ଦକ୍ଷିଣ ରାଜ୍ୟରେ ଅମୁଲକୁ ଅନୁମତି ଦେଇ ନନ୍ଦିନୀଙ୍କୁ ମାଟିରେ ମିଶାଇବାକୁ ଚାହୁଁଛି । ତେବେ କର୍ଣ୍ଣାଟକର ବସବରାଜ ବମ୍ମାଇ ନେତୃତ୍ୱାଧୀନ ବିଜେପି ସରକାର ଏହି ଅଭିଯୋଗକୁ ଅସ୍ୱୀକାର କରି କହିଛନ୍ତି ଯେ ଅମୁଲ ତରଫରୁ ନନ୍ଦିନୀକୁ କୌଣସି ବିପଦ ନାହିଁ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଅମୂଲ ଘୋଷଣା କରିଥିଲା ଯେ ସଂସ୍ଥା ପକ୍ଷରୁ ଦୁଗ୍ଧ ଜାତୀୟ ଦ୍ରବ୍ୟ ବେଙ୍ଗାଲୁରୁରେ ବିକ୍ରି କରାଯିବ। ଏହି ଘୋଷଣା ପରେ ବିରୋଧୀ କଂଗ୍ରେସ ଓ ଜେଡିଏସ୍ ଏହାକୁ ବିରୋଧ କରିବା ଆରମ୍ଭ ହୋଇଥିଲା। ମାତ୍ର କ୍ଷମତାସୀନ ବିଜେପି ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ କଂଗ୍ରେସ ମିଥ୍ୟା ପ୍ରଚାର କରୁଥିବା କହିଛି। ଏହି ବିବାଦ ଏ ଯାଏ ଥମିନି ।
ଚାର୍ଜ ଓ କାଉଣ୍ଟର ଚାର୍ଜ ମଧ୍ୟରେ ଆଜି କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ବଡ଼ ବୟାନ ଦେଇଛନ୍ତି। ସେ ଆଜି ଦଳୀୟ କର୍ମୀଙ୍କ ସହ ହାସାନ ଠାରେ ଥିବା ଗୋଟିଏ ନନ୍ଦିନୀ ଦୁଗ୍ଧ ପାର୍ଲରକୁ ଯାଇ ବିଭିନ୍ନ ଜିନିଷ କିଣିଛନ୍ତି। ଏଥିସହ ସେ ରାଜ୍ୟର ନିଜସ୍ୱ ଦୁଗ୍ଧ ଉତ୍ପାଦନ ସଂସ୍ଥା ନନ୍ଦିନୀକୁ ପ୍ରଶଂସା କରିବା ସହ ଅମୂଲର କୌଣସି ଆବଶ୍ୟକ ନାହିଁ ବୋଲି କହିଛନ୍ତି।
ସେ ଖୋଲାଖୋଲି ଭାବେ ନନ୍ଦିନୀ ଦୁଗ୍ଧ ବ୍ରାଣ୍ଡକୁ ସମର୍ଥନ କରି ଗୁଜରାଟ ଭିତ୍ତିକ ଡାଏରୀ କୋପୋରେଟିଭ ଅମୂଲକୁ ବିରୋଧ କରିଛନ୍ତି। ସର୍ବସମ୍ମୁଖରେ ସେ ନନ୍ଦିନୀର ବିଭିନ୍ନ ଜିନିଷ କିଣିବା ସହ ଏହାକୁ ଖାଇଛନ୍ତି ଓ ପିଇଛନ୍ତି। ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନନ୍ଦିନୀର ବିଭିନ୍ନ ଦ୍ରବ୍ୟକୁ ବାଣ୍ଟିଛନ୍ତି।
ସେ କହିଛନ୍ତି, “ଆମ ପାଖରେ ପୂର୍ବରୁ ନନ୍ଦିନୀ ରହିଛି। ଏହା ଅମୂଲ ଠାରୁ ଭଲ ବ୍ରାଣ୍ଡ। ଆମେ ଅମୂଲ ଚାହୁଁନାହୁଁ। ଆମ ପାଣି, ଆମ କ୍ଷୀର ଓ ଆମ ମାଟି ଅଧିକ ସୁଦୃଢ଼। କର୍ଣ୍ଣାଟକାରେ ଚାଷୀଙ୍କ ଅଧିକାର ବଡ଼ ପ୍ରଶ୍ନ। ୭୦ ଲକ୍ଷରୁ ଅଧିକ ଚାଷୀ କ୍ଷୀର ଉତ୍ପାଦନ କରନ୍ତି ଓ ନନ୍ଦିନୀକୁ ଦିଅନ୍ତି।
ଗୁଜରାଟର ଅମୂଲ ମଧ୍ୟ ଚାଷୀଙ୍କ ଠାରୁ କ୍ଷୀର ଆଣେ। କିନ୍ତୁ ନନ୍ଦିନୀକୁ ପଛକୁ ଠେଲି ଅମୂଲକୁ ଆଗକୁ ଆଣିବା ଠିକ ନୁହେଁ। ସେମାନଙ୍କ(ବିଜେପି) ସରକାର ଚାଷୀଙ୍କୁ କୌଣସି ପ୍ରକାରର ସହଯୋଗ କରି ନାହାନ୍ତି। ଆମକୁ ଆମର ଚାଷୀ ଓ ଆମ ଦ୍ରବ୍ୟକୁ ସୁରକ୍ଷା କରିବାକୁ ପଡ଼ିବ।”
ବିଜେପି ସରକାର ସମସ୍ତ ପ୍ରକାରର ଦୁଗ୍ଧ ଜାତୀୟ ଦ୍ରବ୍ୟର ଦର ବୃଦ୍ଧି କରିଥିଲେ। କିନ୍ତୁ ସେମାନେ ଚାଷୀଙ୍କୁ କୌଣସି ପ୍ରକାରର ଲାଭ ଦେଇ ନଥିଲେ। ଏହା ମଧ୍ୟରେ ଆମେ କ୍ଷୀର ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହେଉଛି ବୋଲି ମଧ୍ୟ ଶିବକୁମାର କହିଛନ୍ତି।
କର୍ଣ୍ଣାଟକାରେ ଅମୂଲର ପ୍ରବେଶକୁ ବିରୋଧ କରି ଆଜି ବେଙ୍ଗାଲୁରୁ ଠାରେ କର୍ଣ୍ଣାଟକା ରକ୍ଷଣା ବେଦିକେର କର୍ମୀମାନେ ବିକ୍ଷୋଭ କରିଥିଲେ। ବିକ୍ଷୋଭ ବେଳେ ପୁଲିସ୍ ସଂଗଠନର ଅନେକ ନେତାଙ୍କୁ ଅଟକ ରଖିଛି।
ନିକଟରେ ଅମୂଲ ଘୋଷଣା କରିଥିଲା ଯେ ସଂସ୍ଥା ପକ୍ଷରୁ ଦୁଗ୍ଧ ଜାତୀୟ ଦ୍ରବ୍ୟ ବେଙ୍ଗାଲୁରୁରେ ବିକ୍ରି କରାଯିବ। ଏହି ଘୋଷଣା ପରେ ବିରୋଧୀ କଂଗ୍ରେସ ଓ ଜେଡିଏସ୍ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ କ୍ଷମତାସୀନ ବିଜେପି ସବୁ ଅଭିଯୋଗକୁ ଖଣ୍ଡନ କରିଛି। ଏଥିସହ କଂଗ୍ରେସ ମିଥ୍ୟାର ପ୍ରଚାର କରୁଥିବା କହିଛି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ରବି କୁମାର କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ହିଁ ନନ୍ଦିନୀ ସମଗ୍ର ଭାରତରେ ନମ୍ବର ୨ରେ ରହିଥିଲା।
ପୂରା ଦେଶରେ ନନ୍ଦିନୀର ସ୍ଥାନ ଦ୍ୱିତୀୟ। ତେଣୁ ଆଗାମୀ ଦିନରେ ଆମେ ନନ୍ଦିନୀର ଜିନିଷକୁ ବିଦେଶକୁ ପଠାଇବୁ। ଏଥିପାଇଁ ଯୋଜନା କରାଯାଉଛି। ନନ୍ଦିନୀ ଦ୍ରବ୍ୟଗୁଡ଼ିକ ଏବେ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯାଉଛି। ନନ୍ଦିନୀ କ୍ଷୀର ତିରୁପତି ମନ୍ଦିରରେ ଲଡ଼ୁ ତିଆରି ପାଇଁ ବ୍ୟବହାର କରାଯାଉଛି ବୋଲି ସେ କହିଛି।
ଆଜି ଠାରୁ ହିଁ ଅମୁଲ ବ୍ରାଣ୍ଡରେ ବିକ୍ରି ହେଉଥିବା କ୍ଷୀରକୁ ଲୋକମାନେ ୩ ଟଙ୍କା ଅଧିକ ଦେଇ କିଣିଛନ୍ତି। ବର୍ଦ୍ଧତ ଦର ପରେ ଅମୁଲ ଗୋଲ୍ଡର ଲିଟର ପିଛା ଦାମ ୬୩ ଟଙ୍କାରୁ ବଢ଼ି ୬୬ ଟଙ୍କାରେ ପହଞ୍ଚିଛି। ସେହିପରି ଅମୁଲ ତାଜାର ଦାମ ୫୪ ଟଙ୍କା ଓ ଅମୁଲ ଗାଈ କ୍ଷୀରର ଦାମ ୫୬ ଟଙ୍କା ଛୁଇଁଛି। ଅମୁଲ ଏ୨ ମଇଁଷି କ୍ଷୀରକୁ ଲୋକମାନା ଲିଟର ପିଛା ୭୦ ଟଙ୍କା ଦେଇ କିଣିବାକୁ ବାଧ୍ୟ ହୋଇଛନ୍ତି।
ଗୁଜରାଟ କୋପରେଟିଭ ମିଲ୍କ ମାର୍କେଟିଂ ଫେଡରେସନ(ଜିସିଏମଏମଏଫ) ହିଁ ଅମୁଲ ବ୍ରାଣ୍ଡରେ କ୍ଷୀର ବ୍ୟବସାୟ କରିଥାଏ। ଜିଏସିଏମଏମଏଫ ଶେଷଥର ଅକ୍ଟୋବର ମାସରେ ଦର ବୃଦ୍ଧି କରିଥିଲେ। ସେତେବେଳେ ଅମୁଲ ଗୋଲ୍ଡ, ତାଜା ଓ ଶକ୍ତି କ୍ଷୀରର ଲିଟର ପିଛା ଦାମ ୨ ଟଙ୍କା ମହଙ୍ଗା ହୋଇଥିଲା।
ଗୋବର୍ଦ୍ଧନ ଭଳି ଅମୁଲ ମଧ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିଥିବାରୁ କ୍ଷୀର ଦାମ ବୃଦ୍ଧି କରିଥିବା କହିଛି। ସେହିପରି ଗୋ-ଖାଦ୍ୟର ଦାମ ୨୦% ବୃଦ୍ଧି ପାଇବାରୁ ଫେବୃଆରୀ ୩ରୁ ବର୍ଦ୍ଧିତ ଦାମ ଲାଗୁ ହୋଇଥିବା ଅମୁଲ କହିଛି।
ବଙ୍ଗ ବିଭାଜନର ଆକ୍ରୋଶକୁ ଜାତୀୟତା କ୍ରାନ୍ତିରେ ପରିଣତ କରି ବ୍ରିଟିଶ ସାମଗ୍ରୀ ବର୍ଜ୍ଜନ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବାଲ୍ ଗଙ୍ଗାଧର ତିଳକ । ସାଥିରେ ଥିଲେ ବାବୁ ଗେଣୁ, ଲାଲା ଲଜପତ ରାୟ, ବିପିନ ଚନ୍ଦ୍ର ପାଲ୍, ଅରବିନ୍ଦ ଘୋଷ , ବିନାୟକ ଦାମୋଦର ସବରକର, ଭି ଚିଦାମ୍ବରମ ପିଲ୍ଲାଇ ଆଦି ଅନେକ ରାଷ୍ଟ୍ରବାଦୀ ସଂଗ୍ରାମୀ । ବିଦେଶୀ ସାମଗ୍ରୀ ବଦଳରେ ଦେଶୀୟ ଉତ୍ପାଦକୁ ଆପଣାଇ ବ୍ରିଟିଶ ଅର୍ଥନୀତିକୁ ଦୁର୍ବଳ କରିବା ଆନ୍ଦୋଳନର ମୂଳ ଲକ୍ଷ୍ୟ ଥିଲା ।
୧୯୦୯ ମସିହା ବେଳକୁ ସ୍ୱଦେଶୀ ଆନ୍ଦୋଳନ ସାରା ଭାରତରେ ବ୍ୟାପି ଯାଇଥିଲା । ଗତିବିଧିକୁ ତୀବ୍ର କରାଇବା ପାଇଁ ଶତାଧିକ ଗୁପ୍ତ ସଙ୍ଗଠନ ଗଠନ କରାଯାଇଥିଲା । ଆନ୍ଧ୍ରପ୍ରଦେଶରେ ଏହାର ନାମ ଥିଲା ବନ୍ଦେ ମାତରମ ଆନ୍ଦୋଳନ ।୧୯୧୭ ମସିହାରେ ମହାତ୍ମା ଗାନ୍ଧୀଙ୍କ ଚମ୍ପାରଣ ସତ୍ୟାଗ୍ରହର ଭିତିଭୂମି ଥିଲା ଏହି ସ୍ୱଦେଶୀ ଆନ୍ଦୋଳନ ।ପରବର୍ତୀ ସମୟରେ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଅସହଯୋଗ, ଆଇନ ଅମାନ୍ୟ, ଭାରତଛାଡ଼ ଆଦିଆନ୍ଦୋଳନରେ ବିଦେଶୀ ସାମଗ୍ରୀ ବର୍ଜନ କରିବାକୁ ଆହ୍ୱାନ ଥିଲେ ମଧ୍ୟ ସେଗୁଡିକର କେନ୍ଦ୍ରବିନ୍ଦୁ ରହିଲା ପୂର୍ଣ ସ୍ୱରାଜ ଆଧାରିତ । ଗାନ୍ଧୀ ସ୍ୱୟଂ ଦାଣ୍ଡି ଯାତ୍ରାର ନେତୃତ୍ୱ ନେବା ସହ କୁଟି ଖାଇ କାଟି ପିନ୍ଧିବା ପରି ଆତ୍ମନିର୍ଭରଶୀଳ ଜୀବନର ପ୍ରେରଣା ଦେଉଥିଲେ ମଧ୍ଯ ପ୍ରକୃତ ସ୍ୱଦେଶୀ ଆନ୍ଦୋଳନ କୋଉଠି ନା କୋଉଠି ପଛରେ ରହିଯାଇଥିଲା ।
୧୯୦୫ ମସିହାରେ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସ୍ୱାଧିନତା ପ୍ରାପ୍ତି ବେଳକୁ ମୃତପ୍ରାୟ ଅବସ୍ଥାରେ ଥିଲା । ସ୍ୱରାଜ ହାସଲ କରିବାର ରାଜନୈତିକ ଝଡରେ ଉଭୟ ଭାରତୀୟ ନେତୃତ୍ୱ ଓ ଜନତା ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଓଉଦେଶ୍ୟ ଠାରୁ ଦୁରେଇ ଯାଇଥିଲେ । ଅବଶ୍ୟ ତାହା ସମୟର ଆବଶ୍ୟକତା ଥିଲା । ବିନା ସ୍ୱାଧୀନତାରେ ସ୍ୱଦେଶୀ ଅବଲମ୍ବନ କଦାପି ସମ୍ଭବ ହୋଇ ନଥାନ୍ତା । ଏପରି ଏକ ଅନିଶ୍ଚିତତାର ମୁହୂର୍ତରେ ଗୁଜରାଟ କାଇରାର କିଛି ଦୁଗ୍ଧଚାଷୀ ଆସି ପହଞ୍ଚିଥିଲେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିକଟରେ । ସେମାନଙ୍କ ସହିତ ଥିଲେ ବମ୍ବେ ହାଇକୋର୍ଟରୁ ଓକିଲାତି ଛାଡି କୃଷକ ନେତା ବନିଥିବା ତ୍ରିଭୂବନ ଦାଶ ପଟେଲ । ସମସ୍ତଙ୍କ ବଲ୍ଲଭଭାଇଙ୍କ ଉପରେ ପ୍ରଗାଢ ବିଶ୍ୱାସ, ସେ ନିଶ୍ଚୟ ସମାଧାନର ରାସ୍ତା ଦେଖାଇବେ । ସମସ୍ୟା ଥିଲା ବମ୍ବେର ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ପୋଲସନର ଏକଚାଟିଆ କାରବାର । ପୋଲସନ ଆନନ୍ଦ ତଥା ତାର ଆଖପାଖ ସ୍ଥାନର ଦୁଗ୍ଧଚାଷୀଙ୍କ ଠାରୁ ଖୁବ ଶସ୍ତାରେ ଦୁଗ୍ଧ ସଂଗ୍ରହ କରି ଉଚ୍ଚା ଦାମରେ ବମ୍ବେରେ ବିକ୍ରି କରୁଥିଲା । କମ୍ପାନୀ ପ୍ରଚୁର ଲାଭବାନ ହେଉଥିବା ସତ୍ୱେ ଗରିବ ଚାଷୀମାନଙ୍କୁ ପଶୁଦାନାର କ୍ରୟମୂଲ୍ୟ ବି ମିଳୁ ନଥିଲା, ଯାହା ସେମାନଙ୍କୁ ଅଧିକ କ୍ରୋଧିତ କରିଥିଲା ।
ସର୍ଦ୍ଦାର ପଟେଲ ସବୁ ଶୁଣିବା ପରେ ଦୁଗ୍ଧଚାଷୀମାନଙ୍କୁ ଏକ ନିଜସ୍ୱ ସମବାୟ ସମିତି ଗଠନ ପାଇଁ ପରାମର୍ଶ ଦେଇଥିଲେ । ଯଦ୍ୱାରା ସେମାନେ କ୍ଷୀର ସଂଗ୍ରହ କରି ସିଧାସଳଖ ବମ୍ବେ ପଠାଇ ପାରିବେ ଆଉ ଉଚିତ ମୂଲ୍ୟ ମଧ୍ୟ ମିଳିବ । ତ୍ରିଭୂବନ ଦାଶଙ୍କୁ ଏହି ସମବାୟ ସମିତିର ନେତୃତ୍ୱ ନେବାକୁ ଅନୁରୋଧ କରାଗଲା ଓ ତାଙ୍କୁ ସାହାଯ୍ୟ କରିବା ପାଇଁ ବଲ୍ଲଭଭାଇ ମୋରାରଜୀ ଦେଶାଇଙ୍କୁ କାଇରା ପଠାଇ ଥିଲେ । ୧୯୪୬ ମସିହା ଡିସେମ୍ବର ୧୯ ତାରିଖରେ କାଇରା ଜିଲ୍ଲା ଦୁଗ୍ଧ ଉତ୍ପାଦନକାରୀ ସମବାୟ ସଙ୍ଘ ସହ ଅମୁଲ୍ (ଆନନ୍ଦ ମିଳ୍କ ୟୁନିଅନ ଲିମିଟେଡ଼)ର ଯାତ୍ରା ଆରମ୍ଭ ହୋଇଥିଲା । ତ୍ରିଭୂବନ ଦାଶ ପଟେଲ ହୋଇଥିଲେ ଏହାର ପ୍ରଥମ ଚେୟାରମ୍ୟାନ ଓ ଭର୍ଗିସ କୁରିଅନ ଟେକ୍ନିକାଲ-ମାର୍କେଟିଙ୍ଗ ମୁଖ୍ୟ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ଅମୁଲ୍ ପ୍ରଥମେ ଅଣ-ଚର୍ବିଯୁକ୍ତ କ୍ଷୀର ପ୍ରସ୍ତୁତ କରି ସାମୟିକ ଭାରତୀୟ ଦୁଗ୍ଧ ବଜାରରେ ପ୍ରମୁଖ ବ୍ରାଣ୍ଡ ରୂପେ ଉଭା ହୋଇଥିଲା । ଏହା ତାକୁ ଏକ ବୈଶ୍ୱିକ ପରିଚୟ ଦେବା ସହ ଅନ୍ତର୍ଜାତୀୟ ରପ୍ତାନୀ ପାଇଁ ମଧ୍ୟ ମାର୍ଗ ପ୍ରଶସ୍ତ କରିଥିଲା ।
ଏବେ ଫେରିଆସିବା ସ୍ୱଦେଶୀ ଆନ୍ଦୋଳନକୁ । ବହୁ ବାଦ-ବିବାଦ ପରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଜବାହରଲାଲ ନେହେରୁ । ତାଙ୍କର ସ୍ୱଦେଶୀ ବସ୍ତୁ ପ୍ରତି ସେପରି ବିଶେଷ ପ୍ରୀତି ନଥିଲା । ଏମିତି ବି ନେହେରୁଙ୍କ ଭାଷା, ପୋଷାକ, ଖାଦ୍ୟପେୟ, ଚାଲି ଚଳନ ସବୁଥିରେ ୟୁରୋପୀୟ ଛାପ ସ୍ପଷ୍ଟ ଦୃଶ୍ୟମାନ ହୁଏ । ହୁଏତ ଏଥିପାଇଁ ତାଙ୍କ ଇଂଲଣ୍ଡରେ ବାଲ୍ୟ ପରିପାଳନ ଦାୟୀ । ଯାହାବି ହେଉ ନେହେରୁ ସର୍ବଦା ବୈଦେଶିକ ଆମଦାନୀଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କ ମତରେ ଏହା ଅନ୍ତର୍ଜାତୀୟ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହେବ । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଇ ସେ ସଭ୍ୟ ରାଷ୍ଟ୍ର ଗୁଡ଼ିକ ସହ ଏକାଧିକ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଥିଲେ ଯେଉଁଥିରେ ରପ୍ତାନୀ ଠାରୁ ଆମଦାନୀକୁ ପ୍ରାଥମିକତା ଦିଆ ଯାଇଥିଲା । ହଁ, ଏହା ମଧ୍ୟ ସାମୟିକ ଆବଶ୍ୟକତା ହୋଇଥାଇପାରେ । ନେହେରୁଙ୍କ ପରେ ଆସିଲେ ସ୍ୱଦେଶୀ ମଣିଷ ଲାଲ ବାହାଦୂର ଶାସ୍ତ୍ରୀ । ସେତେବେଳକୁଭାରତ ବିଶ୍ୱର ନିମ୍ନ ଉତ୍ପାଦନକାରୀ ରାଷ୍ଟ୍ରଙ୍କ ମଧ୍ୟରୁ ଅନ୍ୟତମ । ଆମେରିକାରୁ ପରିତ୍ୟକ୍ତ ଶସ୍ୟ ନ ଆସିଲେ ଭାରତବାସୀଙ୍କ ପେଟକୁ ମୁଠେ ଦାନା ଯିବା କଷ୍ଟକର । ବିଚାର ହେଲା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ କୃଷିକୁ ଅଗ୍ରାଧିକାର ଦେଇ ଉତ୍ପାଦନ କ୍ଷମତା ବଢାଇବା ପାଇଁ ।
ଶାସ୍ତ୍ରୀ ନିଜର ସ୍ୱଳ୍ପ ଶାସନ କାଳରେ ଭାରତର କ୍ଷୁଦ୍ର ଓ କୁଟୀର ଶିଳ୍ପର ଦ୍ରୁତ ପରିବର୍ତନ ଆଣିବା ସହ ଜୟ କିଷାନ ନାରା ଦେଇ ସବୁଜ ବିପ୍ଳବ ଓ ଶ୍ୱେତ ବିପ୍ଳବର ଅୟମାରମ୍ଭ କରିଥିଲେ । ପରବର୍ତୀ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହାକୁ ବିଶେଷ ଗୁରୁତ୍ୱ ଦେବା ସହ ବିଶେଷ ବଜେଟ ର ପ୍ରାବଧାନ କରିଥିଲେ । ଶ୍ୱେତ ବିପ୍ଳବ ବା ଅପରେସନ ଫ୍ଲଡ଼ର ନେତୃତ୍ୱ ନେଇଥିଲା ଅମୁଲ୍ ଓ ନାୟକ ସାଜିଥିଲେ ଏହାର ମୁଖ୍ୟ ଭର୍ଗିସ କୁରିଅନ । ମାତ୍ର ୫ ବର୍ଷ ମଧ୍ୟରେ ଭାରତ ଦୁଗ୍ଧ ତଥା ଅନ୍ୟାନ୍ୟ ଦୁଗ୍ଧ ଜାତୀୟ ସାମଗ୍ରୀର ଆମଦାନୀ ବନ୍ଦ କରିବା ସହ ୧୯୯୮ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାକୁ ପଛରେ ପକାଇ ବିଶ୍ୱର ସର୍ବାଧିକ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଥିଲା । ବର୍ତମାନ (୨୦୧୯-୨୦ ରିପୋର୍ଟ ଅନୁଯାୟୀ) ଭାରତର ଦୁଗ୍ଧଜାତୀୟ ସାମଗ୍ରୀର ରପ୍ତାନୀ ୫୧,୪୨୧.୮୫ ମେଟ୍ରିକ ଟନରେ ପହଞ୍ଚି ଯାଇଛି ଯାହାର ମୂଲ୍ୟ ପାଖାପାଖି ୧୮୭ ମିଲିଅନ ଆମେରିକାନ ଡଲାର ହେବ । ଏସବୁର ଶ୍ରେୟ ମୁଖ୍ୟତଃ ଅମୁଲ୍କୁ ହିଁ ଯାଇଥାଏ ।
ଭାରତରେ ସ୍ୱଦେଶୀ ଆନ୍ଦୋଳନକୁ ଆଉ ଏକ ନୂଆ ନେତୃତ୍ୱ ମିଳିଥିଲା ଭାରତୀୟ ମଜଦୂର ସଙ୍ଘ ର ପ୍ରତିଷ୍ଠାତା ଶ୍ରୀଦତୋପନ୍ତ ଠେଙ୍ଗଡିଙ୍କ ଦ୍ୱାରା । ସେ ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରତିଷ୍ଠାରେ ମୁଖ୍ୟ ଭୂମିକା ନେବା ସହ ସାରା ଦେଶରେ ଭାରତୀୟ ବସ୍ତୁ ଆପଣାଇବା ପାଇଁ ଏକ ନୂତନ ଚିନ୍ତାଧାରା ଉଦ୍ରେକ କରାଇ ପାରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଓ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟ ସ୍ୱଦେଶୀ ଆନ୍ଦୋଳନ ପାଇଁ ବିଶେଷ ଯୋଗଦାନ ରହିଛି ।
ବାଜପେୟୀଙ୍କ ସମୟରେ ଆଇଟି ଓ ଟେଲିକମ୍ ଶିଳ୍ପରେ ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗ କରାଯାଇ ଏକ ବିଶାଳ ପରିବର୍ତନ ଅଣାଯାଇଥିଲା। ଶ୍ରୀ ମନମୋହନ ସିଂହଙ୍କ ସମୟରେ ସ୍ୱଦେଶୀ ଆନ୍ଦୋଳନ ପୁଣି ଶିଥିଳତା ଆଡକୁ ଗତି କରିଥିଲା। ବିନା କୌଣସି ସର୍ତ୍ତରେ ଏଫଡିଆଇ (ଫରେନ ଡାଇରେକ୍ଟ ଇନଭେସ୍ଟମେଣ୍ଟକୁ ମଞ୍ଜୁରୀ ଦେବାର ନିଷ୍ପତି ଆନ୍ଦୋଳନ ପ୍ରତି ଏକ ବଡ଼ କୁଠାରଘାତ ଥିଲା ।
ତେବେ ୨୦୧୪ ମସିହାରେ ସ୍ୱଦେଶୀ ଆନ୍ଦୋଳନ ପୁଣି ଟ୍ରାକକୁ ଫେରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶୀୟ ଉତ୍ପାଦନକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ଯୁଦ୍ଧ ବିମାନ, ଜାହାଜ ଓ ଅନ୍ୟାନ୍ୟ ପ୍ରତିରକ୍ଷା ସାମଗ୍ରୀକୁ ଭାରତରେ ନିର୍ମାଣ କରିବାକୁ ନିଷ୍ପତି ନେଇଥିଲେ। ସରକାରଙ୍କ ଦର୍ଶନୀୟ ପଦକ୍ଷେପ ହେଉଛି ଲୁପ୍ତ ହେବାକୁ ଯାଉଥିବା କୁଟୀର ଶିଳ୍ପର ପୁନରୁତଥାନ ଏବଂ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପକୁ ବିଶେଷ ସହାୟତା ପ୍ରଦାନ । ଷ୍ଟାର୍ଟ ଅପ ଇଣ୍ଡିଆ, ସ୍କିଲ ଇଣ୍ଡିଆ, ମୁଦ୍ରା, ଆଦି ଅନେକ ଯୋଜନା ସ୍ୱଦେଶୀ ଉତ୍ପାଦନ ବୃଦ୍ଧିରେ ପରିପୂରକ ସାବ୍ୟସ୍ତ ହୋଇଅଛି। ଖାଦ୍ୟସାମଗ୍ରୀ ଠାରୁ ଆରମ୍ଭ କରି ସଫ୍ଟୱେର ଟେକ୍ନୋଲୋଜି ରପ୍ତାନୀ ପର୍ଯ୍ୟନ୍ତ ସବୁଥିରେ ଭାରତ ବିଶ୍ୱରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରି ସାରିଲାଣି। ପ୍ରତିରକ୍ଷା ସାମଗ୍ରୀର ରପ୍ତାନୀ ମଧ୍ୟ ଆରମ୍ଭ ହୋଇଗଲାଣି। ଭାରତ ବୁଝି ସାରିଛି ଯେ ସ୍ମିଥ ଓ ରିକାର୍ଡୋଙ୍କ ମୁକ୍ତ ବାଣିଜ୍ୟ ଥିଓରୀ ସାମ୍ପ୍ରତିକ ବୈଶ୍ୱିକ ବ୍ୟବସ୍ଥାରେ ଆଦୌ ଉପଯୋଗୀ ନୁହେଁ । ଆମକୁ ସମସ୍ତ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ପଡିବ।
ଚୀନ ସହ ସୀମା ବିବାଦ ବଢ଼ିଥିବା ବେଳେ ଦେଶର କୋଣ ଅନୁକୋଣରେ ଚାଇନା ବସ୍ତୁ ବର୍ଜ୍ଜନକୁ ନେଇ ଏକ ବୃହତ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି । ଅମୁଲ୍ ଏକ ଦାୟିତ୍ୱବାନ ରାଷ୍ଟ୍ରବାଦୀ ବ୍ରାଣ୍ଡ ଭାବେ ଏହି କ୍ୟାମ୍ପେନକୁ ସଫଳ କରିବାକୁ ପ୍ରୟାସ ଜାରି ରଖିଛି। ବିଭିନ୍ନ ଭାରତ ବିରୋଧୀ ତତ୍ୱଙ୍କ ବାଧାକୁ ସାମ୍ନା କରି ନିଜର ବିଜ୍ଞାପନ ମାଧ୍ୟମରେ ଅମୁଲ୍ ପିଲା ଠାରୁ ବୃଦ୍ଧ ସମସ୍ତଙ୍କୁ ବେଶ ପ୍ରଭାବିତ କରୁଅଛି । ନିକଟରେ ଅମୁଲ୍ ବିଶ୍ୱର ୧୬ତମ ସର୍ବାଧିକ ଦୁଗ୍ଧଜାତୀୟ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ ରୂପେ ରାବୋବ୍ୟାଙ୍କ ଦ୍ୱାରା ମାନ୍ୟତା ଲାଭ କରିଛି । ବାର୍ଷିକ ୫.୫ ବିଲିଅନ ଆମେରିକାନ ଡଲାର ଟର୍ଣ୍ଣ ଓଭରରେ ପହଞ୍ଚି ଥିବା ଏହି କମ୍ପାନୀ ଆଗାମୀ ଦଶ ବର୍ଷରେ ୧.୨ କୋଟି ନୂତନ ଚାକିରୀ ସୃଷ୍ଟି କରିବାକୁ ଦୃଢ଼ ସଂକଳ୍ପବଦ୍ଧ । ଶେଷରେ, ସ୍ୱଦେଶୀ ଅର୍ଥନୀତିର ପ୍ରଣୟନ ତଥା ଭୋକାଲ ଫର୍ ଲୋକାଲର ନାରା ସହ ଭାରତରେ ସ୍ୱଦେଶୀ ଆନ୍ଦୋଳନ ୨.୦ ର ଶଙ୍ଖନାଦ ହୋଇସାରିଛି, ଏବେ ତ ବାସ୍ ଫଳାଫଳକୁ ହିଁ ଅପେକ୍ଷା।
ଓମ୍ ପ୍ରିୟଦର୍ଶୀ ଛୋଟରାୟ
ଟ୍ୱିଟର : iommpriyadarshi
ମୋ : ୯୧୭୮୫୬୦୩୫୫