ଏହାସତ୍ତ୍ୱେ ସେ ରାଷ୍ଟ୍ରପତି ହେବାର ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ। ଯଦି ସେ ରାଷ୍ଟ୍ରପତି ହେବେ, ତା’ହେଲେ ଭାରତର ସଂସଦୀୟ ଗଣତାନ୍ତ୍ରିକ ପରମ୍ପରା କ୍ଷତିଗ୍ରସ୍ତ ହେବ। ଏଥିସହ ଭବିଷ୍ୟତର ନେତାମାନଙ୍କ ପାଇଁ ଏହା ଗୋଟିଏ ବିପଦଜନକ ଉଦାହରଣ ସୃଷ୍ଟି କରିବ ବୋଲି ବାଜପେୟୀ କହିଥିଲେ। ଏହାପରେ ସେ ରାଷ୍ଟ୍ରପତି ହେବା ପାଇଁ ମିଳିଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ବୋଲି ନୂଆ ବହିରେ ଦାବି କରାଯାଇଛି।
୧୯୯୮ରୁ ୨୦୦୪ ଯାଏ ବାଜପେୟୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ମିଡିଆ ପରାମର୍ଶଦାତା ଭାବେ ଅଶୋକ ଟଣ୍ଡନ କାମ କରୁଥିଲେ। ଏବେ ସେ ତାଙ୍କ ବହି The Reverse Swing: Colonialism to Cooperationରେ କହିଛନ୍ତି ଯେ ରାଷ୍ଟ୍ରପତି ଭାବେ କେଆର ନାରାୟଣଙ୍କ କାର୍ଯ୍ୟକାଳ ୨୦୦୨ ମସିହାରେ ଶେଷ ହୋଇଥିଲା।
ଏହାପରେ ବାଜପେୟୀ ହିଁ ଏପିଜେ ଅବଦୁଲ କଲାମଙ୍କ ନାଁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ପାଇଁ ପ୍ରସ୍ତାବ ଦେଇଥିଲେ। କଂଗ୍ରେସ ନେତାମାନେ ଏହି ପ୍ରସ୍ତାବରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସମାଜବାଦୀ ପାର୍ଟି ଏହାକୁ ସମର୍ଥନ କରିବା ପରେ ସବୁ ରାଜନୀତିକ ଦଳ ସର୍ବସମ୍ମତିକ୍ରମେ କଲାମଙ୍କୁ ଦେଶର ରାଷ୍ଟ୍ରପତି ପଦରେ ବସାଇଥିଲେ।
ବହିରେ ମୁଲାୟମ ସିଂହ ଯାଦବଙ୍କ ମନ୍ତବ୍ୟକୁ ମଧ୍ୟ ସାମିଲ କରାଯାଇଛି। ମୁଲାୟମ କହିଥିଲେ ଯେ “ଡ.କଲାମ ହେଉଛନ୍ତି ମୋ ପସନ୍ଦ।” ବହିରେ ଟଣ୍ଡନ କହିଛନ୍ତି ଯେ ବାଜେପୟୀଙ୍କ ଟିମ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଏଲକେ ଆଡଭାନୀଙ୍କୁ ଛାଡ଼ି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ପ୍ରସ୍ତାବ ଦେଇଥିଲା।
କିନ୍ତୁ ବାଜପେୟୀ ଏହି ପ୍ରସ୍ତାବ ପରେ କହିଥିଲେ ଯେ ବିଶାଳ ସଂଖ୍ୟା ଗରିଷ୍ଠତାର ସହ ଯଦି ଜଣେ କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଉଛନ୍ତି, ତା’ହେଲେ ଏହା ଭାରତର ସଂସଦୀୟ ଗଣତାନ୍ତ୍ରିକ ପରମ୍ପରାକୁ କ୍ଷୁଣ୍ଣ କରିବ ଓ ଭବିଷ୍ୟତର ନେତାମାନଙ୍କ ପାଇଁ ଏହା ବିପଦଜନକ ଉଦାହରଣ ସୃଷ୍ଟି କରିବ।
ଟଣ୍ଡନ ବହିରେ ଲେଖିଛନ୍ତି ଯେ “ମୋର ଠିକ ମନେଅଛି ସୋନିଆ ଗାନ୍ଧି, ପ୍ରଣବ ମୁଖାର୍ଜୀ ଓ ଡ ମନମୋହନ ସିଂହ ଏକଦା ବାଜପେୟୀଙ୍କୁ ଭେଟିବାକୁ ଆସିଥିଲେ। ଏହି ସମୟରେ ବାଜପେୟୀ ସେମାନଙ୍କୁ ଚକିତ କରିବା ସହ ପ୍ରଥମଥର ପାଇଁ କହିଥିଲେ ଯେ କଲାମଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିବ ବୋଲି ନିଷ୍ପତ୍ତି ନେଇଛି।
ଏହା ଶୁଣି କଂଗ୍ରେସ ନେତାମାନେ ପୂରା ଚୁପ ହୋଇଯାଇଥିଲେ। ବେଶ କିଛି ସମୟର ନୀରବତା ପରେ ସୋନିଆ ଗାନ୍ଧି ପ୍ରଥମେ ମୁହଁ ଖୋଲିଥିଲେ। ସେ କହିଥିଲେ ଯେ “ଆପଣଙ୍କ ପସନ୍ଦରେ ଆମେ ଆଶ୍ଚର୍ଯ୍ୟ। ଆମ ପାଖରେ ତାଙ୍କୁ ସମର୍ଥନ ଛଡ଼ା ଆଉ କୌଣସି ବିକଳ୍ପ ନାହିଁ। କିନ୍ତୁ ଆମେ ଆପଣଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବୁ ଓ ନିଷ୍ପତ୍ତି ନେବୁ।”
ଏହାପୂର୍ବରୁ ରାଜ୍ୟସଭାର ପୂର୍ବତନ ଅଧ୍ୟକ୍ଷ ଭେଙ୍କଆ ନାଇଡୁ ମଧ୍ୟ ବାଜପେୟୀଙ୍କ ସମ୍ପର୍କରେ ସମାନ କଥା କହିଥିଲେ।
ରେଡିଓ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ କାରଗିଲ୍ ଦିବସର ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦି ଶହିଦ ବୀର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହାସହ ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ଜୀଙ୍କ ବାର୍ତ୍ତାକୁ ମଧ୍ୟ ମନେପକାଇ ଦେଇଥିଲେ ମୋଦି।
'ମନ୍ କି ବାତ୍' କାର୍ଯ୍ୟକ୍ରମରେ ୧୯୯୯ ସ୍ୱାଧିନତା ଦିବସରେ ଅଟଳ ଜୀଙ୍କ ଏକ ବକ୍ତବ୍ୟକୁ ପୁଣିଥରେ ଉପସ୍ଥାପନା କରାଯାଇଛି। ଅଟଳ ଜୀ କହିଥିଲେ, "ମହାତ୍ମା ଗାନ୍ଧୀ ଆମ ସମସ୍ତଙ୍କୁ ଏକ ମନ୍ତ୍ର ଶିଖାଇଛନ୍ତି। ଯଦି କେହି କୌଣସି ସମୟରେ କଣ କରିବା ଉଚିତ୍, କଣ ନ କରିବା ଉଚିତ୍ ବିଷୟରେ ଦ୍ୱନ୍ଦ୍ୱରେ ପଡ଼େ। ତେବେ ତାଙ୍କୁ ଭାରତର ସବୁଠାରୁ ଗରୀବ ଏବଂ ଅସହାୟ ବ୍ୟକ୍ତିଙ୍କ ବିଷୟ ଭାବିବା ଉଚିତ୍। ଯେକୌଣସି କର୍ମ କରୁଛ, ତାହା ଗରିବ ଓ ଅସହାୟଙ୍କ ଲାଭାନ୍ୱିତ କରିବ କି ନାହିଁ ଏହା ଭାବିବା ଉଚିତ୍।"
କାରଗିଲ୍ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଭାରତ ବିଜୟୀ ହେବାର ଆଗାମୀ ଦିନ ସ୍ୱାଧିନତା ଦିବସ ଅବସରରେ ଅଟଳ ଜୀ ଏହି ବକ୍ତବ୍ୟ ରଖିଥିଲେ। ସେ ପୁଣି କହିଥିଲେ, "କାରଗିଲ୍ ଯୁଦ୍ଧ ଆମକୁ ଆଉ ଏକ ମନ୍ତ୍ର ଶିଖେଇଛି। ଏହି ମନ୍ତ୍ର ହେଲା, କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଆମେ ଚିନ୍ତା କରିବା ଉଚିତ୍ ଯେ, ଏହି କାର୍ଯ୍ୟ ଦୁର୍ଗମ ପାହାଡ଼ ଉପରେ ପ୍ରାଣବଳୀ ଦେଇଥିବା ସେହି ସୈନ୍ୟଙ୍କ ସମ୍ମାନଯୋଗ୍ୟ ହେବ କି ନାହିଁ।"
ଅଟଳ ଜୀଙ୍କ ବକ୍ତବ୍ୟର ଏହି ଅଡିଓ କ୍ଲିପ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମ ଜରିଆରେ ଦେଶବାସୀ ଶୁଣିବାର ସୁଯୋଗ ପାଇଥିଲେ। ଏହି ପରିପ୍ରେକ୍ଷୀରେ ମୋଦି କହିଥିଲେ, "ଆମର ଭୁଲିଯିବା ଉଚିତ୍ ନୁହେଁ ଯେ, ଆମର ଶବ୍ଦ ଏବଂ କାର୍ଯ୍ୟ ଯବାନ ଓ ତାଙ୍କ ପରିବାରର ମନୋବଳକୁ ଗଭୀର ଭାବରେ ପ୍ରଭାବିତ କରିଥାଏ।"
ପ୍ରଧାନମନ୍ତ୍ରୀ ପୁଣି କହିଥିଲେ, ଯୁଦ୍ଧ ସମୟରେ ଆମେ ଯାହା କହିବା ଏବଂ କରିବା। ଏହା ଯବାନ ଏବଂ ତାଙ୍କ ପରିବାରକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ଏହି ସତ୍ୟକୁ ଆମେ କେବିବି ଭୁଲିବା ଉଚିତ୍ ନୁହେଁ। ଏଣୁ ଆମର ଆଚରଣ, ଉଚ୍ଚାରଣ, ବ୍ୟବହାର, ଲକ୍ଷ୍ୟ ଏବଂ ଶବ୍ଦ ସୈନ୍ୟମାନଙ୍କ ମନୋବଳ ବୃଦ୍ଧି କରିବା ସହ ତାଙ୍କ ପ୍ରତି ସମ୍ମାନଜନକ ହେବା ଉଚିତ୍ ବୋଲି ମୋଦି ନିଜ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି।