ସୋମବାର ରାତି ପ୍ରାୟ ୩ଟା ହେବ। ପୁଲିସ୍ର ସ୍ୱତନ୍ତ୍ର ଟିମ୍ ବୋକୁଆ ଗାଁରେ ଜଣେ ଅଫିମ ଚାଷୀଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଘରୁ ବିପୁଳ ପରିମାଣରେ ଅଫିସ ଓ ଅଫିମ ଚାଷରେ ବ୍ୟବହୃତ ସରଞ୍ଜାମ ଜବତ ମିଳିଥିଲା। ଏହା ପରେ ପୁଲିସ୍ ଅଫିମ ଚାଷୀକୁ ଉଠାଇ ଆଣିଥିଲା। ସୋମବାର ରାତି ସାରା ଓ ମଙ୍ଗଳବାର ଦିନ ତମାମ ପୁଲିସ୍ ଟିମ୍ ତାଙ୍କୁ ଘନଘନ ଜେରା କରିଥିଲା। ଜେରା ସମୟରେ ସେ ସବୁ କଥା କହି ପକାଇଥିଲେ। ଗତ ୨ ବର୍ଷ ଧରି ୨ ଏକର ଜମିରେ ଅଫିମ ଚାଷ କରୁଥିବା ସ୍ୱୀକାର କରିଥିଲେ। ଅଫିମ ଚାଷ ପାଇଁ ବିହନ କେଉଁଠୁ ଆଣୁଥିଲେ? ଅମଳ ପରେ କିଏ ନେଉଥିଲେ? ଆଉ କେଉଁ କେଉଁମାନେ ଏହି ଚାଷରେ ନିୟୋଜିତ ଅଛନ୍ତି? ଏମିତି କେତେ କଣ ପ୍ର’ଶ୍ନ ତାଙ୍କୁ ପଚାରିଥିଲା ପୁଲିସ୍। ହେପାଜତରେ ଥିବା ଅଫିମ ଚାଷୀ ସବୁ କହି ପକାଇଥିବା ଜଣାପଡ଼ିଛି।
ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଦୀର୍ଘ ଦିନ ଧରି ଚାଲିଥିଲା ଅଫିମ ଚାଷ। ବିଶେଷ ସୂତ୍ରରୁ ଖବର ପାଇ ଗତ ୧୦ ତାରିଖରେ ଅବକାରୀ ବିଭାଗ ଓ ପୁଲିସ୍ ଅଲଗା ଅଲଗା ଚଢ଼ଉ କରିଥିଲା। ଅବକାରୀ ବିଭାଗ ଜଜଗଡ଼ା ଓ ଫୁଲ୍ବାଡ଼ି ଅଞ୍ଚଳରେ ଚଢ଼ଉ କରି ପ୍ରାୟ ୭ କୋଟି ୩୪ ଲକ୍ଷ ଟଙ୍କାର ଅଫିମ ଚାଷ ନଷ୍ଟ କରିଥିଲା। ସେହିପରି ପୁଲିସ୍ ବିଭାଗ ବକୁଆ ଓ କୁକୁରଭୁକ ଅଞ୍ଚଳରେ ଚଢ଼ଉ କରି ୧୦ କୋଟି ୬୬ ଲକ୍ଷ ଟଙ୍କାର ଅଫିମ ଚାଷକୁ ନଷ୍ଟ କରିଥିଲା। ପୁଲିସ୍ ଓ ବକାରୀ ବିଭାଗର ଚଢ଼ଉ ସମ୍ପର୍କରେ ଜାଣିପାରି ନିଶା ମାଫିଆମାନେ ଚମ୍ପଟ ମାରିଥିଲେ।
ଶିମିଳିପାଳ ଅଭୟାରଣ୍ୟ ହେଉଛି ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ। ଏଠାରେ ବହୁ ଔଷଧୀୟ ବୃକ୍ଷଲତା ଓ ଲୁପ୍ତପ୍ରାୟ ପ୍ରାଣୀ ରହିଛନ୍ତି। ଯେଉଁଥିପାଇଁ ଏହାର କ୍ଷାତି ଦେଶ ବିଦେଶରେ ରହିଛି। ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଶିମିଳିପାଳକୁ ପାଖରୁ ଦେଖିବା ପାଇଁ ଆସୁଛନ୍ତି। ଏପରି ସ୍ଥିତିରେ ଅଫିମ ଚାଷ ଖବର ପ୍ରକାଶ ପାଇବା ପରେ ଶିମିଳିପାଳର ଯଶ ଓ ଗୌରବ ନଷ୍ଟ ହେଉଥିଲା। ତେଣୁ ଶିମିଳିପାଳର କ୍ଷାତି ଫେରାଇ ଆଣିବା ପାଇଁ ଅପିଲ୍ କରିଥିଲେ ମୟୂରଭଞ୍ଜର ମହାରାଣୀ। ଶିମିଳିପାଳ କୋର ଏରିଆରେ ଅଫିମ ଚାଷ ନକରିବା ପାଇଁ ସମସ୍ତଙ୍କୁ ଅପିଲ୍ କରିଥିଲେ ମହାରାଣୀ।
ରିପୋର୍ଟ- କପ୍ତିପଦାରୁ ଦୀପକ ମହାନ୍ତ
ଯଶୀପୁର ବ୍ଲକ୍ର ପୋଡ଼ାଗଡ, ବରେହିପାଣି, ଅସ୍ତକୁମାର, ଗୁରୁଗୁଡ଼ିଆ ଓ ଧଳାବଣୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାମ ପାଇଁ ମନରେଗାରେ ୩ କୋଟି ୨୧ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ହେଲେ ସେହି ଅର୍ଥରେ କୌଣସି କାମ ହୋଇନଥିବା ଅଭିଯୋଗ ହୋଇଥିଲା। ମନରେଗା ଅର୍ଥ ଆତ୍ମସାତ ହୋଇଥିବା ନେଇ ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହା ପରେ ତତ୍କାଳୀନ(ସେତେବେଳର) ଯଶୀପୁର ବିଡ଼ିଓ ଅନୁପମା ଘୋଷ ମାମଲାର ଖୋଳତାଡ଼ କରିଥିଲେ।
ମନରେଗା ମହା ଦୁର୍ନୀତି ହୋଇଥିବା ନେଇ ବିଡିଓ ସୂଚନା ପାଇଥିଲେ। ପାରେ ସେ ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ତା’ପରେ ଜିଲ୍ଲା ପ୍ରଶାସନ ଖୋଳତାଡ଼ କରି ଦୁର୍ନୀତି ହୋଇଥିବା ଜଣାବାକୁ ପାଇଥିଲା। ସେତେବେଳେ ବିଡିଓ ଏନେଇ ୨୫ ଜଣଙ୍କ ନାଁରେ ଯଶୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ୩ ଜଣ ସରପଞ୍ଚ ଓ ଜଣେ ପିଇଓଙ୍କୁ ଗିରଫ କରି ଜେଲ୍ ପଠାଇଥିଲା।
ଗିରଫ ହୋଇଥିବା ସରପଞ୍ଚ ଓ ପିଇଓଙ୍କୁ ଜେରା ବେଳେ ମହା ଦୁର୍ନୀତିର ଖୋଲାସା କରିଥିଲେ। ଏହା ପରେ ଜିଲ୍ଲାପ୍ରଶାସନ ୫ ପଞ୍ଚାୟତର ସରପଞ୍ଚ, ପିଇଓଙ୍କୁ ବହିଷ୍କାର କରିଥିଲେ। ଏଥିସହ ଜଣେ ସହକାରୀ ଯନ୍ତ୍ରୀ, ୨ କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ସସ୍ପେଣ୍ଡ କରିଥିଲେ। ପରବର୍ତ୍ତୀ ସମୟରେ ମାମଲା ଭିଜିଲାନ୍ସକୁ ଯାଇଥିଲା। ସେହି ସମୟରେ ସରକାରୀ ବାବୁମାନେ ଫେରାର ହୋଇଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିନଥିଲେ। କେବଳ ସରପଞ୍ଚ, ଭେଣ୍ଡରଙ୍କୁ ଘନଘନ ଜେରା କରିଥିଲା। ଜେରା ବେଳେ ଦୁର୍ନୀତିର ପରିମାଣ ବଢ଼ିଥିଲା। ତେଣୁ ମାମଲା ଇଡି ହାତକୁ ଯାଇଥିଲା।
ସେପଟେ ସସ୍ପେଣ୍ଡ ହୋଇଥିବା ସରକାରୀ ବାବୁମାନେ ଚାକିରିରେ ପୁଣି ଥରେ ଯୋଗ ଦେଇଥିଲେ। ପ୍ରାୟ ୩ ବର୍ଷ ପରେ ଇଡି ଯଶୀପୁରର ତତ୍କାଳିନ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାୟକ(ବର୍ତ୍ତମାନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ କନିଷ୍ଠ ଯନ୍ତ୍ରୀ) ଓ ପଡାଗୋଡ ପଞ୍ଚାୟତର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ(ବର୍ତ୍ତମାନ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ୍ କନିଷ୍ଠ ଯନ୍ତ୍ରୀ) ସମୀର କବିଙ୍କୁ ନୋଟିସ୍ କରିଛି। ଆସନ୍ତା ୨୦ ତାରିଖରେ ହାଜର ହେବାକୁ ନୋଟିସ୍ରେ କୁହାଯାଇଛି। ତେବେ ବାକି ୨୨ ଜଣ ଅଭିଯୁକ୍ତଙ୍କ ପାଖକୁ କୌଣସି ନୋଟିସ୍ ଆସିନ ଥିବାରୁ ନାନା କଳ୍ପନାଜଳ୍ପନା ଲାଗି ରହିଛି।
ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହାନ୍ତ
ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଉଦଳା ଏନ୍ଏସି ୭ ନମ୍ବର ୱାର୍ଡରେ ବାସ କରନ୍ତି ବିଜୟ କୁମାର କମିଳା। ସେ ପେସାରେ ଜଣେ ଗ୍ୟାରେଜ ମିସ୍ତ୍ରୀ। ଦୀର୍ଘ ୨୦ ବର୍ଷ ଧରି ଗ୍ୟାରେଜ ମିସ୍ତ୍ରୀ ଭାବେ କାମ କରୁଛନ୍ତି। ଜଣେ ଭଲ ଗ୍ୟାରେଜ ମିସ୍ତ୍ରୀ ଭାବେ ଆଖପାଖ ଅଞ୍ଚଳରେ ତାଙ୍କର ନାଁ ରହିଛି। ମହାମାରୀ କରୋନା କାଳରେ ପୂରା ଦୁନିଆ ଠପ୍ ହୋଇଗଲା। ଗ୍ୟାରେଜ ବନ୍ଦ ହୋଇଗଲା। ଘରେ ବସି ବସି ବୋର ହୋଇଯାଇଥିଲେ ବିଜୟ। ମହାମାରୀର ସେହି ସମୟକୁ ଅତିବାହିତ କରିବା ପାଇଁ ନୂଆ ରାସ୍ତା ଖୋଜିଲେ ବିଜୟ।
ରାସ୍ତା ଖୋଜୁ ଖୋଜୁ ଗାଁ ପାଖ ମନ୍ଦିରରୁ ବଞ୍ଚିବାର ନୂଆ ରାସ୍ତା ପାଇଗଲେ ବିଜୟ। ପୂଜା ପରେ ଅଦରକାରୀ ଭାବେ ମନ୍ଦିରରୁ ବାହାରୁଥିବା ସଢ଼େଇ(ନଡ଼ିଆ ଖୋଳପା)କୁ ସଂଗ୍ରହ କରିବାରେ ଲାଗିଲେ। ଗାଁ ପାଖ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର, ମାଆ ତାରିଣୀ ମନ୍ଦିରରୁ ସଂଗ୍ରହ କଲେ ସଢ଼େଇ। ସେହି ସଢ଼େଇକୁ ଘରକୁ ଆଣି ବିଭିନ୍ନ ସାଜସଜା ସାମଗ୍ରୀ ତିଆରି କରିବାରେ ଲାଗିଲେ। ପ୍ରଥମେ ପ୍ରଥମେ ଫେଲ୍ ମାରିଲେ। ନିଜର ଅଧ୍ୟବସାୟ ଓ ଧୌର୍ଯ୍ୟ ବଳରେ ସେ ସଫଳ ମଧ୍ୟ ହେଲେ। ବିଭିନ୍ନ ସାମଗ୍ରୀ ତିଆରି କରିଥିଲେ।
ସଢ଼େଇକୁ ବ୍ୟବହାର କରି ୪ ଫୁଟ ୩ ଇଞ୍ଚର ଡାକୋଟା ବିମାନ ତିଆରି କରିଥିଲେ। ସେହି ବିମାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ବିଜୟ। ହେଲେ ଆଜି ପର୍ଯ୍ୟନ୍ତ ସେ ଦେଇପାରିଲେ ନାହିଁ। ଏବେ ମଧ୍ୟ ଉଦ୍ୟମ ରଖିଛନ୍ତି। ସମୟ ମିଳିଲେ, ସଢ଼େଇରେ ତିଆରି ଡାକୋଟାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ପାଇଁ ଅଢେଇ ବସ୍ତା ସଢ଼େଇରେ ତିଆରି କରିଛନ୍ତି ଚନ୍ଦ୍ରଯାନ-୩। ଯାହାର ଉଚ୍ଚତା ରହିଛି ୩ ଫୁଟ ୮ଇଞ୍ଚ। ଯାହାକୁ ତିଆରି କରିବା ପାଇଁ ବିଜୟଙ୍କୁ ଲାଗିଥିଲା ପାଖାପାଖି ୪ ମାସ ସମୟ। ସୁଯୋଗ ମିଳିଲେ ପ୍ରଧାନମନ୍ତ୍ରୀଙ୍କୁ ସ୍ଵ’ହସ୍ତରେ ପ୍ରଦାନ କରିବେ ବୋଲି କହିଛନ୍ତି ବିଜୟ। ଏବେ ନିର୍ବାଚନ ଋତୁ ଆରମ୍ଭ ହୋଇଛି। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନିଶ୍ଚିତ ଆସିବେ। ସୁଯୋଗ ମିଳେ, ସେହି ଉପହାରଟିକୁ ଦେବେ ବୋଲି ବିଜୟ କହିଛନ୍ତି।
ସଢ଼େଇକୁ ବ୍ୟବହାର କରି ବିଜୟ ବିଭିନ୍ନ ଘର ସାଜସଜା ଉପକରଣ ତିଆରି କରୁଛନ୍ତି। ଯେମିତି ଫୁଲ ଦାନି, କପ୍, ପ୍ଲେଟ୍, ଫ୍ୟାନ, ନଡ଼ିଆ ଗଛ, ଫୁଲ ଦାନି, ମାଛ, କଇଁଛ, କୁମ୍ଭୀର, ଯୋଡ଼ା ହଂସ ସହିତ ଭଳିକି ଭଳି ଜିନିଷ ରହିଛି। ବିଜୟଙ୍କ କହିବା ଅନୁସାରେ ଦୁନିଆରେ କୌଣସି ଜୀନିଷ ଅଦରକାରି ନୁହଁ। ଗଢ଼ି ପାରିଲେ ସବୁ ଜୀନିଷ ସୁନ୍ଦର ଲାଗିଥାଏ ବୋଲି ସେ କହିଛନ୍ତି। ଏହି କାମରେ ତାଙ୍କୁ ତାଙ୍କ ପରିବାର ଲୋକ ସହଯୋଗ କରୁଛନ୍ତି। ଏବେ ଗ୍ୟାରେଜରୁ ସମୟ ମିଳିଲେ ଏହି କାମରେ ଲାଗି ପଡ଼ୁଛନ୍ତି ବିଜୟ।
ବିଜୟଙ୍କ ଏହି କଳାକୃତି ତାଙ୍କୁ ନୂଆ ପରିଚୟ ଦେଇଛି। ଉଦଳା ମହୋତ୍ସବ ସମେତ ମେଳାରେ ତାଙ୍କୁ ବିଭିନ୍ନ ସଂଘଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ତାଙ୍କର ହାତ ନିର୍ମିତ ବିଭିନ୍ନ ଘର କରଣା ସାମଗ୍ରୀ ବାରିପଦା, ଉଦଳା, କପ୍ତିପଦାରେ ପଦର୍ଶିତ ହୋଇ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରଶଂସିତ ହୋଇଛି।
ଗତକାଲି ବିଳମ୍ବିତ ରାତିରେ ପ୍ଲାଇ ବୋଡ ବୋଝେଇ ଟ୍ରକଟି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଜଗନ୍ନାଥଖୁଣ୍ଟା ଛକ ନିକଟରେ ଟ୍ରକଟି ଭାରସାମ୍ୟ ହରାଇ ୨୦ଫୁଟ୍ ତଳ ସୁବର୍ଣ୍ଣରେଖା କେନାଲ ଭିତରକୁ ଖସି ପଡ଼ିଥିଲା। ଗାଡ଼ି ଭିତରେ ଚାପି ହୋଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
ବାଙ୍ଗିରିପୋଷି ଅଗ୍ନିଶମ ବିଭାଗ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକର କିଛି ଅଂଶ କଟର ସାହାଯ୍ୟରେ କାଟି ଦୁଇଟି ମୃତ ଶରୀରକୁ ବାହାର କରିଥିଲେ। ପରେ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବେପାରୁଆ ଗାଡ଼ି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଶିମିଳିପାଳ ଅଭୟାରଣ୍ୟର କୋର ଏରିଆ ବକୁଆ ଓ କୁକୁରଭୁକା ଗାଁରେ ବ୍ୟାପକ ପରିମାଣର ଅଫିମ ଚାଷ ହୋଇଥିଲା। ଏହାର ଖବର ପାଇ ବନ ବିଭାଗ, ଅବକାରୀ ବିଭାଗ ଓ ପୁଲିସ ଟିମ ମିଳିତ ଭାବେ ଚଢ଼ଉ କରିଥିଲେ। ବ୍ୟାପକ ଅଞ୍ଚଳରେ ଅଫିସ ଚାଷ ଦେଖି ସମସ୍ତେ ଜଳକା ହୋଇଛନ୍ତି।
ଶେଷରେ ମୟୁରଭଞ୍ଜ ଜିଲ୍ଲା ଜଶିପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପାଞ୍ଚ ଲକ୍ଷ ପଚିଶି ହଜାରରୁ ଅଧିକ ଅଫମ ଗଛକୁ ନଷ୍ଟ କରିଛି। ଗଛ ଗୁଡ଼ିକୁ ପୋଡ଼ି ଦିଆଯାଇଛି। ଏହି ଅଫିମ ଗଛଗୁଡ଼ିକର ଆନୁମାନିକ ମୂଲ୍ୟ ପାଖାପାଖି ଦଶ କୋଟି ଟଙ୍କା ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଶିମିଳିପାଳ ଅଭୟାରଣ୍ୟରେ ଏତେ ପରିମାଣର ଅଫିମ ଚାଷ କରା ଯାଇଥିବା ଘଟଣାକୁ କେହି ବି ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। କାରଣ କୋର ଅଞ୍ଚଳରେ ବନ ବିଭାଗର ସବୁ ବେଳେ ନଜର ରହିଥାଏ। ଏହା ସତ୍ତ୍ୱେ ଦୀର୍ଘଦିନ ହେଲା, ଏଠାରେ କେମିତି ଅଫିମ ଚାଷ କରାଯାଉଥିଲା, ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।
ଶିମିଳିପାଳ ଅଭୟାରଣ୍ୟ ଭିତରେ ଏହି ଅଫିମ ଚାଷ କିଏ କରୁଥିଲା ଓ ଏହି ଅଫିମ ଚାଷ ପଛରେ କାହାର ହାତ ଅଛି ଏ ନେଇ ପୁଲିସ ସ୍ପଷ୍ଟ କରି ନ ଥିଲା ବେଳେ ଏହାର ତଦନ୍ତ ଚାଲିଥିବା କହିଛି। ଏ ନେଇ ଜଶିପୁର ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା କରାଯାଇଛି।
ରିପୋର୍ଟ : ବାରିପଦାରୁ ମାଣିକ ଲାଲ ପାଣି
ଆଜି ରାଷ୍ଟ୍ରପତି ନିଜ ଜନ୍ମମାଟି ରାଇରଙ୍ଗପୁର ମହୁଲଡିହାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ପରେ ସେ କହିଥିଲେ, ଭାରତ ସରକାରଙ୍କ ପ୍ରସାଦ ଯୋଜନାରେ ଖିଚିଂର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀ ମନ୍ଦିରକୁ ଅନ୍ତର୍ଭୁକ୍ତ କରାଯାଇଛି। ଆମେ ସମସ୍ତେ ଜାଣିଛେ, ମୟୂରଭଞ୍ଜ ମାନେ ମା’ କିଚକେଶ୍ୱରୀ। ଆଉ ମା’ କିଚକେଶ୍ୱରୀ ମୟୂରଭଞ୍ଜକୁ ପରିଚୟ ଦେଇଛନ୍ତି। ସେଇଥିପାଇଁ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟକୁ ସାଧୁବାଦ ଜଣାଉଛି। ଗତବର୍ଷ ମେ’ ମାସରେ ଏଠାକୁ ଆସିଥିଲି। ଭାରତର ରାଷ୍ଟ୍ରପତି ହେବା ପରେ ତାହା ଥିଲା ଜନ୍ମମାଟିକୁ ମୋର ପ୍ରଥମ ଆଗମନ। ଏ ମାଟି ଓ ଏ ମାଟିର ଲୋକଙ୍କ ଆଶୀର୍ବାଦ ପାଇଁ ଆଜି ମୁଁ ମହାମହୀମ ହୋଇଛି। ତେଣୁ ନିଜ ମାଟିକୁ କେମିତି ଭୁଲି ପାରିବି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଗତବର୍ଷ ଜନ୍ମମାଟିକୁ ଆସିଥିଲି। ଆସିଲା ବେଳେ କେବେହେଲେ ଖାଲି ହାତରେ ଆସିନଥିଲି। ଟାଟାନଗର-ବାଦାମପାହାଡ଼ MEMU ଟ୍ରେନ୍, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ୍ ଟ୍ରେନ୍, ସାଲିମାର-ବାଦାମପାହାଡ଼ ଏକ୍ସପ୍ରେସ୍ ଟ୍ରେନ୍ର ପ୍ରମୁଖ ଶୁଭାରମ୍ଭ କରିଥିଲି। ଏହାଦ୍ୱାରା ଝାରଖଣ୍ଡ, ପଶ୍ଚିମବଙ୍ଗ ଓ ଶିଳ୍ପ ନଗରୀ ରାଉରକେଲାର ଲୋକମାନେ ଉପକୃତ ହେବେ। ଏହି ଅଞ୍ଚଳର ଉନ୍ନତି ଘଟୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ସେ ଆହୁରି କହିଛନ୍ତି, ରେଳପଥ ପରି ସଡ଼କ ସେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ବାଇପାସ୍ ରୋଡ଼୍ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଲୋକମାନେ କମ୍ ସମୟ ଭିତରେ ଯିବା ଆସିବା କରିପାରିବେ। ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କ୍ରିଡ଼ା କ୍ଷେତ୍ରରେ ଯୁବପୀଢ଼ୀଙ୍କୁ ଉତ୍ତମ ସୁଯୋଗ ପ୍ରଦାନ କରିବ। ଆପଣମାନେ ଜାଣିଛନ୍ତି ଏହି ମାଟିରୁ ମୁଁ ଦିନେ ପବ୍ଲିକ୍ ଲାଇଫ୍କୁ ଆସିଥିଲି। ପବ୍ଲିକ୍ ଲାଇଫ୍ ଥିବା ବେଳେ କ୍ରିଡ଼ା କ୍ଷେତ୍ରରେ ବିକାଶ ପାଇଁ ବହୁ ଉଦ୍ୟମ କରିଥିଲି। ଏବେ ସେହି ସମୟ ଆସିଯାଇଛି। ଏଥିରୁ ସେମାନେ ଫଳପ୍ରଦ ହୋଇପାରିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତି ଆହୁରି କହିଛନ୍ତି, ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ଭାଇ ଓ ଭଉଣୀ ବସବାସ କରୁଛନ୍ତି। ଇତି ମଧ୍ୟ ଭାରତ ସରକାର ଆଉ ଦୁଇ ପ୍ରକାର ଜାତିକୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହାଦ୍ୱାରା ଓଡ଼ିଶାରେ ଆଦିବାସୀଙ୍କ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ତାହାଛଡ଼ା ଉଚ୍ଚାରଣ ଓ ବନାନଗତ ଭିନ୍ନତା ଯୋଗୁ ଆଦିବାସୀ ମାନ୍ୟତା ପାଇନଥିବା କେତେକ ବର୍ଗକୁ ଆଦିବାସୀ ତାଲିକା ଭୂକ୍ତ କରାଯାଇଛି। ଏହାଦ୍ୱାରା ଦରକାରୀ ସୁବିଧାରୁ ବଞ୍ଚିତ ଅନେକ ଲୋକ ଉପକୃତ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରୁ ଝାରଖଣ୍ଡର ରାଞ୍ଚି ଆସିଥିଲେ। ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜର ଖିଚିଂର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଦର୍ଶନ କରିଥିଲେ। ୧୯୩୪ରେ ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରକୁ ଯାଇ ମା’ଙ୍କ ପାଖରେ ସ୍ୱତନ୍ତ୍ର ପୂଜା ସହ ଆଳତୀ କରିଥିଲେ। ପରେ ଚନ୍ଦ୍ରଶେଖର ମହାଦେବଙ୍କ ପୂଜାର୍ଚ୍ଚନା କରି କଦଳୀ ପତ୍ରରେ ଅନ୍ନପ୍ରସାଦ ସେବନ କରିଥିଲେ। ସାଙ୍ଗରେ ଥିଲେ ରାଷ୍ଟ୍ରପତିଙ୍କ ଝିଅଙ୍କ ସହ ରାଜ୍ୟପାଳ ରଘୁବର ଦାସ। କନିକା, ଡାଲି, ବେସର, ଶାଗ ଓ ଖିରି ଆଦି ସେବନ କରିଥିଲେ ସମସ୍ତେ।
ମାର୍ଚ୍ଚ ୨ ଯାଏଁ ଓଡ଼ିଶାରେ ରହିବେ ମହାମହିମ। ଆସନ୍ତାକାଲି କେନ୍ଦୁଝର ଯାଇ ଗୋନାସିକା କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ। ପରେ ଧରଣୀଧର ୟୁନିଭର୍ସିଟିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଇଠୁ ଫେରି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, କଟକରେ ବ୍ରହ୍ମକୁମାରୀ ଓଡ଼ିଶାର
ସୁବର୍ଣ୍ଣ ଜୟନ୍ତୀ ସମାରୋହ ଏବଂ ରାଜଭବନରେ ପ୍ରଧାନମନ୍ତ୍ରୀ ଜନମନର ଉପସ୍ଥାପନା ଦେଖିବେ। ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଜିଲ୍ଲା ଗସ୍ତରେ ଯାଇ ସନ୍ଥକବି ଭୀମଭୋଇଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନ ପରିଦର୍ଶନ କରି ମହିମା ଧର୍ମାବଲମ୍ବୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆରେ ଏକ ଆଦିବାସୀ ଭବନ ନିର୍ମାଣ କରାଯିବ। ସେଥିପାଇଁ ମଙ୍ଗଳବାର ଏହି ଭବନର ଶିଳାନ୍ୟାସ କରିଥିଲେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି। ହେଲେ ସେହି ଶିଳାନ୍ୟାସ ଫଳକକୁ କିଏ ବିଳମ୍ୱିତ ରାତିରେ ଭାଙ୍ଗି ଦେଇଛି। ଫଳକ କିଏ ଭାଙ୍ଗିଲା ଓ କ’ଣ ପାଇଁ ଭାଙ୍ଗିଲା, ସେ ସମ୍ପର୍କରେ କାହା ପାଖରେ କୌଣସି ସୂଚନା ନାହିଁ। ଏପରିକି ଥାନାରେ ମଧ୍ୟ କୌଣସି ଅଭିଯୋଗ ହୋଇନାହିଁ।
ସେପଟେ କିନ୍ତୁ ଶିଳାନ୍ୟାସ୍ ସ୍ଥାନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ରଙ୍ଗାମାଟିଆ ଗାଁର ବରିଷ୍ଠ ଲୋକମାନେ ଏହି ବୈଠକରେ ଯୋଗ ଦେଇଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ରଙ୍ଗାମାଟିଆ ପଞ୍ଚାୟତରେ ଆଦିବାସୀ ଭବନ ନିର୍ମାଣ ହେଉଥିବା ବେଳେ ଫଳକରେ କାହିଁକି ଦେବେନ୍ଦ୍ରପୁର ମୈଜା ନାଁ ଲେଖା ଯାଇଛି? ଏହାକୁ ନେଇ ଗାଁର ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଆଦିବାସୀ ଭବନ ଶିଳାନ୍ୟାସ ପୁର୍ବରୁ କାହିଁକି ସ୍ଥାନୀୟ ଆଦିବାସୀଙ୍କ ସହିତ ଆଲୋଚନା କରାଗଲା ନାହିଁ? ସ୍ଥାନୀୟ ନେତା ଓ ଆଦିବାସୀଙ୍କୁ ଉପେକ୍ଷା କରାଯାଇ ବାହାର ଅଞ୍ଚଳର ନେତା ଓ ଲୋକଙ୍କୁ ଆଣି ଶିଳାନ୍ୟାସ କରାଯାଇଥିବାରୁ ସ୍ଥାନୀୟ ପ୍ରତିବାଦ କରିଥିଲେ।
ଫଳକ ଭଙ୍ଗାଯିବାକୁ ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ରିପୋର୍ଟ- ବାରିପଦାରୁ ମାନିକଲାଲ୍ ପାଣି
ପ୍ରସାଦ ସେବନ ପରେ ରାଷ୍ଟ୍ରପତି ରାଇରଂଗପୁର ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ଥିବା ହଲି ଡେ ହୋମ୍ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ। ତା’ପରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ସେଠାରୁ ସେ ରାଇରଂଗପୁର ମହୁଲଡିହା ସ୍ଥିତ ବାସଭବନକୁ ଯାଇ ନିଜର ସମ୍ପର୍କୀୟମାନଙ୍କୁ ଭେଟିବା ସହ ରାତ୍ରି ଭୋଜନ କରିବେ। ଆସନ୍ତାକାଲି କେନ୍ଦୁଝର ଧରଣୀଧର ବିଶ୍ୱ ବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ଆଜି ଏହି ଭୟାରଣ୍ୟରୁ ଆସିଛି ଭଲ ଖବର। ଦିନ ବେଳେ ଅଭୟାରଣ୍ୟର କୋର ଅଞ୍ଚଳରେ ଗୋଟିଏ ମହାବଳ ବାଘ ଚାଲି ଚାଲି ଯାଉଛି। ତା’ର ପଛେ ପଛେ ଜଣେ ବ୍ୟକ୍ତି ଛୋଟ ଛୁଆକୁ ଧରି ନିର୍ଭୟରେ ଚାଲି ଚାଲି ଯାଉଛନ୍ତି। ଯାହାର ଚିତ୍ର ଅଭୟାରଣ୍ୟରେ ଲାଗିଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଛି। ସେହି ଫଟୋକୁ ୱାଇଲଡ୍ ଲାଇଫ୍ ପିସିସିଏଫ ସୁଶାନ୍ତ ନନ୍ଦ ସୋଶାଲ୍ ମିଡ଼ିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।
ଆଉ ସେ ଲେଖିଛନ୍ତି, ବାଘ ଓ ଗାଁ ଲୋକ ସମାନ ରାସ୍ତା ବ୍ୟବହାର କରୁଛନ୍ତି। କିଛି ମିନିଟ୍ର ବ୍ୟବଧାନରେ ଉଭୟ ସମାନ ରାସ୍ତାରେ ଯାଉଛନ୍ତି। ଏହି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଆମ ବ୍ୟାଘ୍ର ସଂରକ୍ଷଣର ଭବିଷ୍ୟତ ବୋଲି ଶ୍ରୀ ନନ୍ଦ ଲେଖିଛନ୍ତି।
Tiger & the villagers using the same path inside STR, with few minutes in between. This peaceful coexistence is the future of our Tiger Reserves. pic.twitter.com/TtIrH80Qan
— Susanta Nanda (@susantananda3) February 20, 2024
ସୂଚନାରୁ ପ୍ରକାଶ, ଶିମିଳିପାଳ ଅଭୟାରଣ୍ୟରେ ବନ୍ୟ ଜୀବଯନ୍ତୁଙ୍କ ସହିତ ମଣିଷ ରହୁଛି। କୋର ଏରିଆରେ ୧୧ଟି ଗାଁ ରହିଥିଲା। କେବଳ ବକୁଆ ଗାଁକୁ ଛାଡ଼ିଦେଲେ ରାଜ୍ୟ ସରକାର ସବୁ ଗାଁକୁ କୋର ଏରିଆ ବାହାରେ ଥଇଥାନ୍ କରିଛନ୍ତି। ବକୁଆ ଗାଁ ସ୍ଥାନାନ୍ତରିତ ହେଲେ ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତା ପାଇବ।
ସେପଟେ ଦେଖିବାକୁ ଗଲେ ୫୦ଟି ପଡ଼ାର ପ୍ରାୟ ୧୦ ହଜାର ଲୋକ କୋର ଏରିଆ ଭିତରେ ଯିବା ଆସିବା କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ବାଘ କାହାର କିଛି କ୍ଷତି କରିନି। ନା କେବେ ଉଭୟଙ୍କ ଭିତରେ ଲଢ଼େଇ ହୋଇଥିବା ଦେଖିବାକୁ ମିଳିନି। କହିବାକୁ ଗଲେ ମଣିଷ ଓ ବାଘ ମିଳିମିଶି ରହୁଛନ୍ତି। ଏହା ନିଶ୍ଚିତ ଶିମିଳିପାଳ ଅଭୟାରଣ୍ୟ ପାଇଁ ଭଲ ଖବର ବୋଲି ପରିବେଶବିତମାନେ ମତପ୍ରକାଶ କରିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍ ବଡ଼ କୁଲେଇବିରା ଗାଁର କୁନ୍ଦନ ମୁଣ୍ଡା। ସେ ନିଜସ୍ୱ ଅର୍ଥରେ ଗୋଟିଏ ଧୂପକାଠି ପ୍ରସ୍ତୁତି ମେସିନ୍ କିଣିଛନ୍ତି। ଗତ ୮ ମାସ ହେଲା ସେ ଧୂପକାଠି ତିଆରି କରି ବିକ୍ରି କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ତାଙ୍କୁ ଟଙ୍କାଟିଏ ଦେଇନାହାନ୍ତି। ହେଲେ ରାଜ୍ୟ ସରକାରଙ୍କ ‘ନବୀନ ଓଡ଼ିଶା, ଆମ ଓଡ଼ିଶା’ ପ୍ରଚାର ପୁସ୍ତିକାରେ କୁନ୍ଦନ ମୁଣ୍ଡାଙ୍କ ନାଁ ରହିଛି। ସେଥିରେ ଦର୍ଶାଯାଇଛି, ସେ କୁଆଡ଼େ ମା’ ଦୁର୍ଗା SHGରୁ ଲକ୍ଷେ ଟଙ୍କା ଋଣ ନେଇ ଧୂପକାଠି ମେସିନ କିଣିଛନ୍ତି। ରାଜ୍ୟ ସରକାରଙ୍କ ଏହି ମିଛ ପ୍ରଚାରକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି।
ସେହିପରି କୁଲେଇବିରା ପଞ୍ଚାୟତର ପ୍ରଚାର ପୁସ୍ତିକାରେ ରହିଛି ଆଉ ଗୋଟିଏ ମିଛ ତଥ୍ୟ। ସେଥିରେ ଦର୍ଶାଯାଇଛି, ଘରକୁ ଘର ପାଣି ଯୋଗାଇ ଦିଆଯାଇଛି। କିନ୍ତୁ ଗାଁରେ ଥିବା ଏକମାତ୍ର ନଳକୂପରୁ ଦୁର୍ଗନ୍ଧଯୁକ୍ତ ପାଣି ବାହାରୁ ଥିବାରୁ ନଦୀର ପ୍ରଦୂଷିତ ପାଣି ପିଇ ଜୀବନ ଧାରଣ କରୁଛନ୍ତି ଲୋକେ। ବର୍ତ୍ତମାନ ଗାଁରେ ବଡ଼ ଟାଙ୍କି ଅଛି, କିନ୍ତୁ ଭଙ୍ଗା ଅବସ୍ଥାରେ ରହିଛି। ତାହା କୌଣସି ବ୍ୟବହାରରେ ଲାଗୁନି। ହେଲେ କୁଲେଇବିରା ପିଇଓ ଭାବଗ୍ରାହୀ ମହାକୁଡ, ଏହି କଥାକୁ ବାଏଁ ବାଏଁ ଉଡ଼ାଇ ଦେବା ସହ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ମୟୂରଭଞ୍ଜ ପରି କଟକରେ ଦେଖିବାକୁ ମିଳିଛି ମିଛ ପ୍ରଚାର। ନରସିଂହପୁର ବ୍ଲକ୍ ଅଢ଼େଇଗୁଣ୍ଡି ଗାଁରେ ନିଜସ୍ୱ ଅର୍ଥରେ ଜଣେ ବ୍ୟକ୍ତି ନିର୍ମାଣ କରିଛନ୍ତି ମା’ ମଙ୍ଗଳା ମନ୍ଦିର। କିନ୍ତୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ବିଜ୍ଞାପନ ପୁସ୍ତିକାରେ ଦର୍ଶାଯାଇଛି, ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟରେ ଏହି ମନ୍ଦିରକୁ ନିର୍ମାଣ କରାଯାଇଛି। ଏହାର ପୋଲ୍ ଖୋଲିଦେଇଛନ୍ତି ଅଢେଇଗୁଣ୍ଡି ସମିତି ସଭ୍ୟ ମନୋଜ ପଣ୍ଡା। ଏବେ ନରସିଂହପୁର ବିଡ଼ିଓ ନୀଳମାଧବ ସୁନା କହୁଛନ୍ତି, ଜେଇ ଓ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପାଇଁ ପ୍ରତି ପଞ୍ଚାୟତକୁ ରାଜ୍ୟ ସରକାର ୫୦ ଲକ୍ଷ ଦେଉଛନ୍ତି। ଯେଉଁ ଟଙ୍କାରେ ଧାର୍ମିକ ଉପାସନାସ୍ଥଳୀର ବିକାଶ, ମହିଳା ଓ ଯୁବକଙ୍କୁ ସଶକ୍ତିକରଣ, ମିଶନ ଶକ୍ତି ସଦସ୍ୟାଙ୍କ ପାଇଁ ଅତିରିକ୍ତ ସୁବିଧା, ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତ୍ତିଭୂମି, ସ୍କୁଲରେ ଅତିରିକ୍ତ ଶିକ୍ଷା ସୁବିଧା, ନୂଆ ଭିତ୍ତିଭୂମି, ସ୍କୁଲ ଶିକ୍ଷାର ଆଧୁନିକୀକରଣ ଓ ସଂପ୍ରସାରଣ କରାଯିବ। କିନ୍ତୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିଙ୍କ ନାଁକୁ ଯୋଡ଼ି ଏଭଳି ମିଛ ପ୍ରଚାରର ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ ମୁହାଁମୁହିଁ ହେବାରେ ଲାଗିଛନ୍ତି ନେତା ଓ ଜନତା।
ମୋରୋଡା ବ୍ଲକ୍ ଜୁଆଳିଭଙ୍ଗା ପଞ୍ଚାୟତ କାଳିଆନାଳ ଗାଁରେ ଥିବା ମମତା ଗୃହରେ ପଇନ ଦେହୁରୀ ଗୁରୁବାର ରାତିରେ ଶୋଇଥିଲେ। ବିଳମ୍ୱିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ଦନ୍ତାହାତୀ ଆସି ତାଙ୍କୁ ଘର ଭିତରୁ ଟାଣିନେ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗାଁ ଲୋକେ ମୃତଦେହ ଦେଖି ବନ ବିଭାଗକୁ ଜଣାଇଥିଲେ।
ବେତନଟୀ ରେଞ୍ଜ କର୍ମଚାରୀ ଗାଁରେ ପହଞ୍ଚିଥିଲେ। ମୃତଦେହ ଜବତ କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି। ସେପଟେ ହାତୀଟି ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ଗତ କିଛି ଦିନ ହେଲା ମୋରଡା ଅଞ୍ଚଳରେ ହାତୀ ପଲ ଉତ୍ପାତ କରୁଛନ୍ତି। ବିଳମ୍ୱିତ ରାତିରେ ହାତୀ ଗାଁରେ ପଶି ଭଙ୍ଗାରୁଜା କରୁଛନ୍ତି। ଯେଉଁଥିପାଇଁ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀର ଜୀବନ ଯାଉଛି ତ ଆଉ କେତେବେଳେ ମଣିଷର ପ୍ରାଣ ଯାଉଛି। ହେଲେ ହାତୀ ଓ ମଣିଷର ଲଢ଼େଇର ଅନ୍ତ ଘଟୁନାହାଁ। ଏହାକୁ ନେଇ ଜଙ୍ଗଳ ପାର୍ଶ୍ୱବର୍ତ୍ତୀ ଗାଁର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ବାରିପଦା ସହରକୁ ଯିବା ଆସିବାର ମୁଖ୍ୟ ରାସ୍ତା ହେଉଛି ବାରିପଦା-ଉଦଳା ରାସ୍ତା। ସେହି ରାସ୍ତାରେ ଗଲେ ପଡ଼ିବ ବୁଢାବଳଙ୍ଗ ନଦୀ। ଆଉ ସେହି ନଦୀ ଉପରେ ରଜରାଜୁଡା ଅମଳରେ ତିଆରି ହୋଇଥିଲା ପୋଡାଅସ୍ତିଆ ବ୍ରିଜ୍। ଏହି ବ୍ରିଜ୍ ଦିନେ ବାରିପଦା ସହର ପାଇଁ ଲାଇଫ୍ ଲାଇନ ପାଲଟିଥିଲା। ହେଲେ ଏବେ ଏହି ବ୍ରିଜ୍ ଡେଞ୍ଜର ଲାଇନ୍ ପାଲଟିଛି। ଅଣ ଓସାରିଆ ବ୍ରିଜ୍ ଯୋଗୁ ପ୍ରତିଦିନ ଜାମ୍ ହେଉଛି। ଆଉ ଘଟୁଛି ଦୁର୍ଘଟଣା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଥିଲା।
ବାରିପଦା ବୁଢାବଳଙ୍ଗ ନଦୀରେ ନୂତନ ବ୍ରିଜ୍ ନିର୍ମାଣ ପାଇଁ ଅନେକ ଦାବି ଓ ଆନ୍ଦୋଳନ ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ଥିଲା। ୨୦୧୭ ମସିହାରେ ନୂତନ ବ୍ରିଜ୍ ପାଇଁ ଶିଳାନ୍ୟାସ କରିଥିଲେ ରାଜ୍ୟ ସରକାର। ୨୭.୩୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ବ୍ରିଜ୍ କାମ ୨୦୧୭ ମେ’ ୧୨ ତାରିଖରେ ଆରମ୍ଭ ହୋଇଥିଲା। ୨୦୧୯ ମସିହା ଜାନୁଆରୀ ୧୧ ତାରିଖରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ସରିବା କଥା। ଏହା ଭିତରେ ୭ ବର୍ଷ ବିତିଲାଣି। ହେଲେ ସରିଲାନି ବ୍ରିଜ୍ ନିର୍ମାଣ କାର୍ଯ୍ୟ। ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଛି। ୧୧ ମିଟର ଚଉଡ଼ା ଓ ୨୯୨ ମିଟର ଲମ୍ବରେ ନିର୍ମିତ ବ୍ରିଜ୍ କାର୍ଯ୍ୟ କେବେ ସରିବ କାହା ପାଖରେ ଉତ୍ତର ନାହିଁ। ସେପଟେ କିନ୍ତୁ ସହରବାସୀ ସମସ୍ୟାରେ ଘାଣ୍ଟି ହେଉଛନ୍ତି।
ଶୁଣିବାକୁ ମିଳୁଛି କିଛି ମାସ ତୂଳେ ବୁଢ଼ାବଳଙ୍ଗ ନଦୀ ଉପରେ ନିର୍ମାଣ ହେଉଥିବା ବ୍ରିଜ୍ କାର୍ଯ୍ୟର ତଦାରଖ କରିବା ପାଇଁ ଯାଇଥିଲେ ଆରଡିସି। ବ୍ରିଜ୍ ନିର୍ମାଣ କାର୍ଯ୍ୟର ମନ୍ଥରତାକୁ ନେଇ ଆର୍ଡିସି କୁଆଡ଼େ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଜିଲାପାଳଙ୍କୁ ତାଗିଦ କରିଥିବା ଚର୍ଚ୍ଚା ହେଉଛି। ସେପଟେ ବାରିପଦା ଗୃହ ଓ ରାସ୍ତା ନିର୍ମାଣ ବିଭାଗ( PWD ) ଅଧିନରେ ଥିବା ବେଳେ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, କିଛି ବୈଷୟିକ ସମସ୍ୟା ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା। ଏବେ ଖୁବ୍ ଶୀଘ୍ର କାର୍ଯ୍ୟ ସାରିବାକୁ ଚେଷ୍ଟା କରାଯାଉଛି।
ବାରିପଦା ବାସିନ୍ଦା ଜୟନ୍ତ କୁମାର ନାୟକ କହିଛନ୍ତି, ବ୍ରିଜ୍ଟି ଅଣଓସାରିଆ ହୋଇଥିବାରୁ ସବୁ ବେଳେ ପ୍ରବଳ ଭିଡ ହେଉଛି। ସାଧାରଣ ଲୋକ ଛାଡ଼ନ୍ତୁ, ଗୁରୁତର ରୋଗୀ ନେଇ ଯାଉଥିବା ଆମ୍ୱୁଲାନ୍ସ ଯାଇପାରୁ ନାହିଁ। ଏଥିପ୍ରତି ପ୍ରଶାସନ ତଜର ଦେଉନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ରାଇରଙ୍ଗପୁର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ଶୁକ୍ରା ସିଂ। ସେ ସୋଶାଲ ମିଡିଆ ଫେସ୍ବୁକ୍ ଓ ଇନ୍ଷ୍ଟାରେ ଆକାଉଣ୍ଟ ଖୋଲି ସୁନ୍ଦରୀ ମହିଳା ଏବଂ ଯୁବତୀଙ୍କ ସହିତ ବନ୍ଧୁତା କରୁଥିଲେ। ପରବର୍ତ୍ତୀ ସମୟରେ ବନ୍ଧୁତା, ପ୍ରେମରେ ପାଲଟୁଥିଲା। ଆଉ ତା’ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଡାକି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଏପରିକି ସେମାନଙ୍କଠାରୁ ଟଙ୍କା ହଡପ୍ କରିଥିବା ଅଭିଯୋଗ ହୋଇଛି।
ରଙ୍ଗିଲା ଯନ୍ତ୍ରୀଙ୍କ କଳା କାରନାମା ପଦାକୁ ଆସିବା ପରେ ଗତ ୯ ତାରିଖରେ ଦୁଇ ଜଣ ମହିଳା ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିବା ସହିତ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ନେଣ ଦେଣ ଦେଇ ତଦନ୍ତ ଚାଲିଥିବା ପୁଲିସ୍ କହିଛି।
ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି
୨୦୧୯ରେ ଜିଲ୍ଲାର ବାରିପଦା ଓ କରଞ୍ଜିଆ ଶାଖା ପାଇଁ ଦୁଇଟି ଭ୍ରାମ୍ୟମାଣ ଶାଖା ଆରମ୍ଭ ହୋଇଥିଲା। କିଛି ମାସ ଲୋକଙ୍କୁ ସେବା ଯୋଗାଇଥିଲା। ହେଲେ ଏବେ କାମରେ ଲାଗୁନି ଭ୍ରାମ୍ୟମାଣ ଶାଖା। ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ପରିସରରେ ଖାତ ଖାଉଛି। ବସ୍ ଭିତରେ ବନ୍ଦ ହୋଇ ପଡ଼ିଛି ନେଣ ଦେଣ କରୁଥିବା ଦାମୀ ମେଶିନ୍। ଏ ଚିତ୍ର କେବଳ ମୟୂରଭଞ୍ଜ ଜିଲ୍ଲାର ନୁହେଁ, ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରୁ ଆରମ୍ଭ କରି ଗଞ୍ଜାମ ଯାଏଁ ରାଜ୍ୟ ପ୍ରାୟ ସ୍ଥାନରେ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ସମାନ ଅବସ୍ଥା। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ବ୍ୟାଙ୍କିଙ୍ଗ ସେବା ମିଳୁନଥିବାରୁ ଲୋକଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ।
ଅନ୍ୟପକ୍ଷରେ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିକାରୀଙ୍କ କହିବା କଥା, ଭ୍ରାମ୍ୟମାଣ ବ୍ୟାଙ୍କ ଶାଖାର ମେସିନ ବାରମ୍ବାର ଖରାପ ହେଉଛି। ଉପାନ୍ତ ଅଞ୍ଚଳକୁ ବସ୍ ଯାଉଥିବାରୁ ଏହାର ମରାମତି ପାଇଁ ମଧ୍ୟ ଟଙ୍କା ଦରକାର ପଡ଼ୁଛି। ଉପରିସ୍ଥ ଅଧିକାରୀ ଟଙ୍କା ଅନୁମୋଦନ କଲେ ପୁଣିଥରେ ଗାଁକୁ ଗଡ଼ିବ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା।
ବ୍ୟାଙ୍କିଙ୍ଗ ବିଶେଷଜ୍ଞ ଦାମୋଦର ନନ୍ଦଙ୍କ କହିବା କଥା, ବ୍ୟାଙ୍କ ଶାଖା ଓ ଏଟିଏମ୍ ନଥିବା ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ଖୋଲାଯାଇଥିଲା। ଏହି ଶାଖାଗୁଡ଼ିକ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇଥାନ୍ତି। ତେବେ କେଉଁ କାରଣରୁ ଏ ଭ୍ରାମ୍ୟମାଣ ବ୍ୟାଙ୍କ ଶାଖା ବନ୍ଦ ହୋଇଛି, ତାହା ବ୍ୟାଙ୍କ କର୍ତ୍ତୃପକ୍ଷ କହିପାରିବେ। କିନ୍ତୁ ଯଦି ଗାଡ଼ି ମରାମତି କାରଣରୁ ଭ୍ରାମ୍ୟମାଣ ବ୍ୟାଙ୍କ ସେବା ବନ୍ଦ ରହିଛି, ତାହା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ସେ କହିଛନ୍ତି।
ଏସିଆ ମହାଦେଶର ସର୍ବ ବୃହତ୍ ଜୈବ ମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ବର୍ତ୍ତମାନ ସାଧାରଣ ଲୋକଙ୍କ ପାଇଁ ଅଭୟାରଣ୍ୟ ଖୋଲା ରହିଛି। ଲୋକମାନେ ଦୂରଦୂରାନ୍ତରୁ ଆସି ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି। ସେହି ମର୍ମରେ ରବିବାର ମଧୁବନ ବାସିନ୍ଦା ଜୟନ୍ତ ଦାସଙ୍କ ପରିବାର ଶିମିଳିପାଳ ପରିଭ୍ରମଣରେ ଯାଇଥିଲେ। ଜୟନ୍ତଙ୍କ ପୂରା ପରିବାର ଏକ ଗାଡ଼ିରେ ପିଠାକଟା ଗେଟ୍ ଦେଇ ଚହଲାରେ ଥିବା ହରିଣ ଦେଖିବାକୁ ଯାଇଥିଲେ।
ସନ୍ଧ୍ୟା ପ୍ରାୟ ୭ଟା ହେବ। ଜୟନ୍ତଙ୍କ ପରିବାର ଚହଲାରୁ ଫେରୁଥିଲେ। ତେବେ ଭାଜାମ ତନଖି ଫାଟକ ଏକ କିମି ପୂର୍ବରୁ ଜୟନ୍ତଙ୍କ ଗାଡ଼ି ସାମ୍ନାକୁ ଗୋଟିଏ କଳାବାଘ ଚାଲି ଆସିଥିଲା। ଗାଡ଼ି ଆଗରେ ରାସ୍ତାରେ ବାଘଟି ବସିଥିଲା। ଆଖି ଆଗରେ ବାଘକୁ ଦେଖି ଜୟନ୍ତଙ୍କ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ଗାଡ଼ି ଚାଳକ ଷ୍ଟାଟ୍ ବନ୍ଦ କରି କେବଳ ଲାଇଟ୍ ପକାଇ ଛିଡ଼ା ହୋଇଥିଲା। କିଛି ସମୟ ପରେ ଗୋଟିଏ ବାର୍ହା ଦ୍ରୁତ ଗତିରେ ରାସ୍ତା ପାର୍ କରିଥିଲା। ଏହା ଦେଖି କଳା ବାଘଟି ତାକୁ ଗୋଡାଇ ଥିଲା।
କଳାବାଘ ପଳାଇ ଗଲା ଭାବି ଜୟନ୍ତଙ୍କ ପରିବାର ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ହଠାତ୍ କଳାବାଘଟି ପୁଣି ଫେରି ଆସି ଗାଡ଼ି ଆଗରେ ଚାଲିବାକୁ ଲାଗିଲା। ଆଗକୁ ଯିବା ପାଇଁ ଦେଲା ନାହିଁ। ଦୀର୍ଘ ୧୫ ମିନିଟ୍ରୁ ଅଧିକ ସମୟ ଧରି ବାଘଟି ଗାଡ଼ି ଆଗରେ ଚାଲିବାରୁ ଭୟର ବାତାବରଣ ଖେଳି ଯାଇଥିଲା। କିଛି ସମୟ ପରେ ବାଘଟି ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିଲା।
ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି
ଶିମିଳିପାଳ ଅଭୟାରଣ୍ୟର ନଅଣା ସାଉଥ୍ର ଧୁଡୁରୁଚମ୍ପା ରେଞ୍ଜରେ ଗୋଟିଏ ମହାବଳ ବାଘର ମୃତ୍ୟୁ ଘଟିଥିଲା। ମୃତ ବାଘର ବୟସ ୩ରୁ ସାଢ଼େ ୩ ବର୍ଷ ହେବ। ଗତ ୫ ତାରିଖରେ ବାଘ ମରିଥିବା ବନ ବିଭାଗ ଅନୁମାନ କରୁଛନ୍ତି। ୬ ତାରିଖରେ ବନ ବିଭାଗ ମୃତଦେହ ଜବତ କରିଥିଲା। ତା’ପରେ NTCA , PCCF, JTF, CCF wild lifeର ଦଶ ଜଣିଆ ପ୍ରତିନିଧି ଦଳ ଘଟଣା ସ୍ଥଳରେ ପହଞ୍ଚି ବାଘର ବ୍ୟବଚ୍ଛେଦ କରିଥିଲେ। ଏଥିସହ ମୃତ୍ୟୁର କାରଣ ଖୋଜୁଛନ୍ତି।
ମିଳିଥିବା ସୂଚନା ଅନୁସାରେ ମୃତ ମହାବଳ ବାଘ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ମହାବଳର ମୃତ୍ୟୁ କେମିତି ହେଲା? ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ କହନ୍ତି, ଯଦି ବାଘ ବିଷ କିମ୍ୱା ଫାସ ବା ରୋଗରେ ଆକ୍ରାନ୍ତି ହୋଇଥାଆନ୍ତା, ତାହା ହେଲେ ମୃତ୍ୟୁ ପୂର୍ବରୁ ଅନେକ ଥର ଚିତ୍କାର କରିଥିବ। ବାଘ ଚିତ୍କାର କଲେ ଜଙ୍ଗଲ ଥରି ଉଠିବ। ହେଲେ ବିଟ ହାଉସ୍ରେ ନିୟୋଜିତ କର୍ମଚାରୀମାନେ କେମିତି ଜାଣିପାରିଲେନି? ଏଥିରୁ ସ୍ପଷ୍ଟ ହେଉଛି, ବନ କର୍ମଚାରୀମାନେ ନିଜର କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ କରୁନାହାନ୍ତି।
ସେପଟେ ଶିମିଳିପାଳ ସୁରକ୍ଷା ପାଇଁ ଗତ କିଛି ମାସ ମଧ୍ୟରେ ସ୍ୱତନ୍ତ୍ର ବାହିନୀ STF ଓ JTF ପରି ଅତ୍ୟାଧୁନିକ ବନ୍ଧୁକଧାରୀ ଫୋର୍ସ ସହ ତିନି ପ୍ଲାଟୁନ ପୁଲିସ ଫୋର୍ସ ଏବଂ ଅତ୍ୟାଧୁନିକ ଉଦ୍ଧାରକାରୀ ଗାଡ଼ି ଯୋଗାଇ ଦେଇଛନ୍ତି ସରକାର। ଗୁଇନ୍ଦାକୁ ସୁଦୃଢ଼ କରିଛି ବନ ବିଭାଗ। ଏହା ଭିତରେ ଶିମିଳିପାଳରୁ ୩୦୦ରୁ ଅଧିକ ଦେଶୀ ବନ୍ଧୁକ ଜବତ କରାଯାଇଛି। ଅନେକ ଶିକାରୀଙ୍କୁ ଗିରଫ ମଧ୍ୟ କରାଯାଇଛି। ତାହା ପରେ ମଧ୍ୟ କେମିତି ହେଲା ବାଘ ମୃତ୍ୟୁ?
ତେବେ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗନେଇ କହିଛନ୍ତି, ମୃତ ବାଘର କଲିଜା, ପାକସ୍ଥଳୀ ଓ ଚମଡାର ସେମ୍ପୁଲକୁ wild life institute of India କୁ ପଠା ଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ସଠିକ କାରଣ ଜଣାପଡ଼ିବ।
ଶିମିଳିପାଳରେ ପୂର୍ବରୁ ଅନେକ ବାଘ ହାତୀଙ୍କ ମୃତ୍ୟୁ ହୋଇଛି। ପ୍ରତିଥର ବିଭାଗ କହେ, ଏହାର ତଦନ୍ତ ହେଉଛି। ମୃତ୍ୟୁର କାରଣ ଜାଣିବା ପାଇଁ wild life institute of Indiaକୁ ପଠାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସଠିକ ଭାବେ ଜଣାପଡ଼ିବ ବୋଲି କୁହାଯାଉଛି। ହେଲେ ସେହି ରିପୋର୍ଟ କେବେ ଆସିବ, ତାହା କାହାକୁ ଜଣାଯାଉ ନାହିଁ। ରିପୋର୍ଟ ସାର୍ବଜନୀନ କରିବା ପାଇଁ ଏବେ ସାଧାରଣରେ ଦାବି ହେଉଛି।
ରିପୋର୍ଟ- ବାରିପଦାରୁ ମାନିକଲାଲ୍ ପାଣି
ବାରିପଦା ଟାଉନ୍ର ଶ୍ରୀପଦଗଞ୍ଜର ନମିତା ଘୋଷଙ୍କର ଗୋଟିଏ ଗାଈ ଥିଲା। ଗାଈଟି ଗର୍ଭବତୀ ଥିଲା। ମଙ୍ଗଳବାର ଗାଈଟି ଅସୁସ୍ଥ ହୋଇପଡ଼ି ଥିଲା। ତେଣୁ ସେ ପ୍ରାଣୀଧନ ଚିକିତ୍ସାଳୟକୁ ଘରକୁ ଡାକିଥିଲେ। ହେଲେ ଆନ୍ଦୋଳନ ଚାଲିଥିବାରୁ କୌଣସି ପ୍ରାଣୀଧନ ଚିକିତ୍ସକ ଘରକୁ ଆସିନଥିଲେ। ଯେଉଁଥିପାଇଁ ରୋଗୀଣା ଗାଈର ମୃତ୍ୟୁ ଘଟିଥିଲା।
ସେପଟରେ ଗାଈ ମୃତଦେହ ବ୍ୟବଚ୍ଛେଦ ହେଉନଥିବାରୁ ମୃତ୍ୟୁ ପ୍ରମାଣ ପତ୍ର ପାଉନାହାନ୍ତି ନମିତା ଘୋଷ। ଯେଉଁଥିପାଇଁ ସେ ବୀମା ଟଙ୍କା ପାଇବାକୁ ଆବେଦନ କରିପାରୁ ନାହାନ୍ତି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ନମିତା ଘୋଷ। କିଛି ଉପାୟ ନପାଇ ଆଜି ମୃତଗାଈକୁ ଏକ ଟ୍ରଲିରେ ଲଦି ଜିଲ୍ଲାପାଳଙ୍କ ଅଫିସ୍ ଆଗକୁ ଆଣିଥିଲେ। ଆଉ ଧାରଣାରେ ବସିଥିଲେ। ମୃତ୍ୟୁ ପ୍ରମାଣପତ୍ର ଦେବାକୁ ଦାବି କରିଥିଲେ।
ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ମହିଳାଙ୍କ ଗୁହାରୀ ଶୁଣିଥିଲେ। ବୁଝାସୁଝା କରିବା ସହ ଗାଈ ମୃତଦେହର ବ୍ୟବଚ୍ଛେଦ କରାଇବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ପରେ ନମିତା ଘୋଷ ଧାରଣାରୁ ଉଠିଥିଲେ।
ସୂଚନାରୁ ପ୍ରକାଶ, ବିଭିନ୍ନ ଦାବି ପୂରଣ ପାଇଁ ଗତ କିଛି ଦିନ ହେଲା ପ୍ରାଣୀଧନ ଚିକିତ୍ସକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଯେଉଁଥିପାଇଁ ପ୍ରାଣୀଧନ ଚିକିତ୍ସାଳୟରେ ପଡ଼ିଛି ତାଲା। ଲୋକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସେପଟେ ଚିକିତ୍ସା ଅଭାବରୁ ଗାଈ ଗୋରୁଙ୍କର ମୃତ୍ୟୁ ଘଟିଛି।
ରିପୋର୍ଟ- ବାରିପଦାରୁ ମାନିକ୍ଲାଲ ପାଣି
ପୂରା ଘଟଣାଟି ଏମିତି। ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଏକ ବିଜ୍ଞପ୍ତି ଓ ଚିଠି ଗତ ୪ ତାରିଖରେ ପ୍ରକାଶ ପାଇଥିଲା। ଯେଉଁଥିରେ ଉଲ୍ଲେଖ ରହିଛି, ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ; ଜଙ୍ଗଳ ଭିତରେ ଜମିର ମାଲିକାନାତ୍ଵ ରଖିଥିବା ସମସ୍ତ ଲୋକ ୨ ମାସ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଜଙ୍ଗଲ ବନ୍ଦୋବସ୍ତ ବିଭାଗରେ ହାଜର ହୋଇ ତଥ୍ୟ ଦାଖଲ କରନ୍ତୁ। ଧାର୍ଯ୍ୟ ଅବଧି ମଧ୍ୟରେ ହାଜର ହୋଇ ନିଜର ଅବସ୍ଥିତି ଓ ଜମିଜମା ବାବଦ ତଥ୍ୟ ଦାଖଲ ନକଲେ ପରବର୍ତ୍ତୀ ସମୟରେ କୌଣସି ଆପତ୍ତି ଅଭିଯୋଗ ଗ୍ରହଣ ହେବନି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଥିଲା। ଏ ସଂକ୍ରାନ୍ତୀୟ ସରକାରୀ ଚିଠି ଯଶିପୁର, ବାଙ୍ଗିରିପୋଷି, ଉଦଳା, କରଞ୍ଜିଆ, ଠାକୁରମୁଣ୍ଡା ଓ ଶାମାଖୁଣ୍ଟା ବ୍ଲକ ପ୍ରଶାସନକୁ ମଧ୍ୟ ପଠାଯାଇଥିଲା।
ସେପଟେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ଦେବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଖାରଜ କରିଦେଇଥିଲେ। ହେଲେ ଏହାର କାରଣ ସମ୍ପର୍କରେ ତର୍ଜମା ନକରି ଜଙ୍ଗଲ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପୁଣି ଥରେ ଏପରି ବିଜ୍ଞପ୍ତି ପ୍ରକାଶ କରିଥିଲା। ଯାହାକୁ ବିଭିନ୍ନ ମହଲରେ ପ୍ରତିବାଦ କରାଯାଇଥିଲା। ବନବାସୀମାନେ ବିରୋଧ କରିବା ପାଇଁ ସଜବାଜ ହେଉଥିଲେ। ଏ ସମ୍ପର୍କରେ ଜାଣିପାରିଥିଲେ ସ୍ଥାନୀୟ ବିଧାୟକ ତଥା ଗଣଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ଶୁଣିବାକୁ ମିଳୁଛି, ସୁଦାମ ମରାଣ୍ଡି ଏନେଇ କୁଆଡ଼େ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲ୍ଲାପାଳ ବିନୀତ ଭରଦ୍ୱାର ଗତ ୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନେଇଥିଲେ।
୨୭୫୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଏହି ଜୈବମଣ୍ଡଳର ୨୨ ଶହ ବର୍ଗ କିମି ଅଞ୍ଚଳକୁ ୧୯୭୯ ମସିହାରେ ଅଭୟାରଣ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର। ୧୯୮୦ ମସିହାରେ ଏହି ଅଭୟାରଣ୍ୟର ୩୦୬୩ ବର୍ଗ କିମି କୋର ଏରିଆ ବୋଲି ଘୋଷଣା କରାଯାଇଛି। ଶିମିଳିପାଳକୁ ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି। ଏ ଦିଗରେ ରାଜ୍ୟ ସରକାର ମଧ୍ୟ ଉଦ୍ୟମ ଆରମ୍ଭ କରି ବିଭିନ୍ନ ପର୍ଯ୍ୟାୟରେ ଅଭୟାରଣ୍ୟ ଭିତରୁ ଜନବସତିକୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ ବ୍ୟବସ୍ଥା କରିଛନ୍ତି।
ଶିମିଳିପାଳର କୋର ଏରିଆରେ ଓ ଏହାକୁ ଲାଗି ୫୦ରୁ ଅଧିକ ପଡ଼ା ଗ୍ରାମରେ ୧୦ ହଜାରରୁ ଅଧିକ ବନବାସୀ ରହୁଥିବାରୁ ନୂଆ ଗାଁ ମଧ୍ୟ ସ୍ଥାପନ କରାଯାଇଛି। ହେଲେ ଜାତୀୟ ଉଦ୍ୟାନ ପାଇଁ ମୁଖ୍ୟତଃ ବକୁଆ ଗାଁ ବିସ୍ଥାପନ ଏବେ ପ୍ରାଥମିକତା ପାଲଟିଛି। ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ଯୋଗୁ ଶିମିଳିପାଳ ଜାତୀୟ ଉଦ୍ୟାନ ମାନ୍ୟତାରୁ ବାଦ ପଡୁଛି ବୋଲି କହିଛନ୍ତି ବାରିପଦା ବିଧାୟକ ପ୍ରକାଶ ସୋରେନ। ସେ କହିଛନ୍ତି, କେନ୍ଦ୍ର ସରକାରଙ୍କ NTCA ରାଜ୍ୟ ସରକାରଙ୍କୁ ବିସ୍ଥାପିତଙ୍କ ବାବଦରେ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ତାହାହେଲେ ରାଜ୍ୟ ସରକାର କାହିଁକି ବିସ୍ଥାପନ ସମସ୍ୟା ଦୂର କରୁନାହାନ୍ତି? ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଜାଣିଶୁଣି ବିଜ୍ଞପ୍ତି ପ୍ରକାଶ କରି ପୁଣି ତାକୁ ପ୍ରତ୍ୟାହାର କରିନେଲେ ବୋଲି ବିଧାୟକ କହିଛନ୍ତି।
ତେବେ ଏ ନେଇ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେଇନଥିଲେ।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ବାରିପଦା ବାଙ୍ଗିରିପୋଷୀ ଦ୍ୱାରଶୁଣୀ ଘାଟିରେ ଘଟିଥିବା ବସ୍ ଦୁର୍ଘଟଣାରେ ୬ ଜଣ ଯାତ୍ରା ପାର୍ଟି କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍ ସ୍ଥାନାନ୍ତରିତ କରାଯାଇଛି। ତେବେ ବର୍ତ୍ତମାନ ବାରିପଦାରେ ୮ ଜଣଙ୍କ ଚିକିତ୍ସା ଚାଲିଛି। ଏହି ଖବର ପାଇ ଭାଙ୍ଗି ପଡ଼ିଥିଲେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା। ଆଜି ସେ ମେଡ଼ିକାଲ୍ରେ ପହଞ୍ଚି ଥିଲେ। ଆହତଙ୍କ ସହିତ ଆଲୋଚନା କରିଥିଲେ। ମେଡ଼ିକାଲ୍ରେ ଚାଲିଥିବା ଚିକିତ୍ସା ସେବା ସମ୍ପର୍କରେ ପଚାରି ବୁଝିଥିଲେ।
କଥାବାର୍ତ୍ତା ସମୟରେ ଅସନ୍ତୋଷ ଝାଡ଼ିଥିଲେ ଆହତ ଯାତ୍ରା କର୍ମଚାରୀମାନେ। ଦୁର୍ଘଟଣା ଘଟିବାକୁ ଦୁଇ ଦିନ ବିତିବାକୁ ବସିଲାଣି। ହେଲେ ଆଜି ପର୍ଯ୍ୟନ୍ତ ଧଉଳି ଯାତ୍ରା ପାର୍ଟି ମାଲିକ ବା ମ୍ୟାନେଜର ଦେଖା କରିବାକୁ ଆସିନଥିବା ଆହତମାନେ ଅଭିଯୋଗ କରିଥିଲେ। ରାନୀ ପଣ୍ଡା ସେମାନଙ୍କୁ ଆଶ୍ୱାସନା ଦେବା ସହିତ ଗୁରୁତର ଆହତଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। ଏପରିକି ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଓ ମୃତଦେହ ଘରକୁ ନେବା ପାଇଁ ରାନୀ ପଣ୍ଡା ବ୍ୟବସ୍ଥା କରିଥିବା ଜଣାପଡ଼ିଛି।
ମେଡ଼ିକାଲ୍ରେ ଆହତଙ୍କୁ ଭେଟିବା ପରେ ଯାତ୍ରା ପାର୍ଟି ମାଲିକ ଓ ଯାତ୍ରା କଳାକାର ସଂଘ ଉପରେ ବର୍ଷିଛନ୍ତି ରାନୀ। ଆଉ ସେ କହିଛନ୍ତି, ଏହି ଭାଇମାନଙ୍କ ଦ୍ୱାରା ତିଆରି ହୋଇଥିବା ମଞ୍ଚରେ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀମାନେ ଅଭିନୟ କରୁଛନ୍ତି। ହେଲେ ଦୁଃଖର ବିଷୟ ସେମାନଙ୍କ ପାଖରେ ଛିଡ଼ା ହେବା ପାଇଁ ଆଜି କେହି ନାହାନ୍ତି। ଶୁଣିବାକୁ ପାଇଲି ଯାତ୍ରା ପାର୍ଟି ମାଲିକ ଆଜି ପର୍ଯ୍ୟନ୍ତ ଆସିନାହାନ୍ତି। ମୁଁ ତାଙ୍କୁ ଅନୁରୋଧ କରୁଛି, ଯଥାଶୀଘ୍ର ଏଠାକୁ ଆସନ୍ତୁ ଓ ଆହତ ଏବଂ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରନ୍ତୁ। ଆପଣ ଆସିଲେ, ସେମାନଙ୍କ ମନବଳ ଦୃଢ଼ହେବ। ନହେଲେ ସେମାନେ ଭାଙ୍ଗି ପଡ଼ିବେ। ବଡ଼ ବଡ଼ କଳାକାରଙ୍କର ଭାଷଣ ପ୍ରବଳ ଦିଅନ୍ତି। କିନ୍ତୁ ସେମାନଙ୍କ କାମ ଦୁର୍ବଳ। ମୁଁ ଯାତ୍ରା ପାର୍ଟ ମାଲିକମାନଙ୍କୁ କହିବାକୁ ଚାହୁଁଛି, ଆପଣମାନେ କଳାକାରଙ୍କୁ ଯେମିତି ଆତିଥେୟ ଦେଉଛନ୍ତି, ଠିକ୍ ସେମିତି ଟେକ୍ନିସିଆନ୍ ଭାଇଙ୍କ ପାଇଁ ଗୋଟିଏ ବସ୍ର ବନ୍ଦୋବସ୍ତ କରାନ୍ତୁ। ସବୁ କଳାକାର ଯାହା ଖାଇବେ, ଟେକ୍ନିସିଆନ୍ ଭାଇମାନେ ସେୟା ଖାଇବା ଦରକାର। ଟେକ୍ନିସିଆନ୍ ଭାଇମାନେ ପଖାଳ ଓ ପିଆଜ ନୁହେଁ, ସେମାନେ ମାଛ ଭାଇ ଖାଇ ରହିବା ଦରକାର ବୋଲି ରାନୀ ପଣ୍ଡା କହିଛନ୍ତି।
ସେପଟେ ରାନୀ ପଣ୍ଡାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଯାତ୍ରା କଳାକାର ସଂଘ ସମ୍ପାଦକ ହରାଲାଲ୍। ସେ କହିଛନ୍ତି, ମାଲିକ ଆସିଥିଲେ। ହେଲେ ତାଙ୍କ ଦେହ ହଠାତ୍ ଅସୁସ୍ଥ ହେବାରୁ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସଂଘ ତରଫରୁ ଆମେମାନେ ଆସିଛୁ। ସମସ୍ତଙ୍କ କଥା ବୁଝୁଛୁ ବୋଲି ହୀରାଲାଲ କହିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକ୍ଲାଲ ପାଣି
କଳା ବାଘ ସଫାରୀ ନେଇ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, କଳାବାଘ ସଫାରୀ ଲାଗି NTCA ଅନୁମତି ଦେଇଛି। ଅଭୟାରଣ୍ୟଠାରୁ ୧୫ କିମି ଦୂରରେ ୨୦୦ ହେକ୍ଟର ଜମିରେ ହେବ। ୨୦୦ ହେକ୍ଟରରୁ ୧୦୦ ହେକ୍ଟରରେ ହେବ ବାଘ ରହଣି ସ୍ଥଳ। ବାକି ୧୦୦ ହେକ୍ଟରରେ ପାର୍କିଂ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବ। ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ଓ ଧଳା ବାଘ ରହିବେ। ଆସନ୍ତା ଅକ୍ଟୋବରରୁ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ପିସିସିଏଫ୍ କହିଛନ୍ତି।
National Tiger Conservation Authority(ଏନ୍ଟିସିଏ)ର ୨୦୨୨ ମସିହା ରିପୋର୍ଟ ଅନୁସାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍ ୧୮ଟି ମହାବଳ ବାଘ ଅଛନ୍ତି। ସେଥିରୁ ୯ଟି କଳା ବାଘ ରହିଛନ୍ତି। ବାଘମାନେ ସୁସ୍ଥ ଓ ନିର୍ଭୟରେ ଘୂରି ବୁଲୁଛନ୍ତି। ଏହି ରିପୋର୍ଟ ଆସିବା ପରେ ପରିବେଶବିତ୍ଙ୍କ ମଧ୍ୟରେ ଉତ୍ସାହ ଖେଳି ଯାଇଥିଲା।
ସୂଚନାରୁ ପ୍ରକାଶ, କିଛି ଦିନତଳେ ବନ ବିଭାଗ ଏକ ଭିଡିଓ ସୋଶାଲ୍ ମିଡ଼ିଆରେ ସେୟାର କରିଥିଲା। ଯେଉଁଥିରେ ଦୁଇଟି ମହାବଳ ବାଘ ଆଗପଛ ହୋଇ ବୁଲୁଥିଲେ। ମଝିରେ ମଝିରେ ଖେଳୁଥିବା ଦେଖିବାକୁ ମିଳିଥିଲେ।
Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve in #Mayurbhanj. Tourists and visitors can now have a glimpse of the rare and majestic species found only in Odisha. pic.twitter.com/h3g2ep8tui
— Naveen Patnaik (@Naveen_Odisha) January 24, 2024
ଲାଇଟ୍ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ଆଜି ସକାଳେ ଏକ ଟ୍ରକ୍ରେ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ। ଗାଡ଼ିଟି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡ଼ରେ ଭାରସାମ୍ୟ ହରାଇଥିଲା। ଗାଡ଼ିଟି ରାସ୍ତାର ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିରେ ଥିବା ଲାଇଟ୍ ଓ ବାକ୍ସ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ।
ଖବର ପାଇ ତୁରନ୍ତ ବାଙ୍ଗିରିପୋଷି ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିକୁ ମୟୂରଭଞ୍ଜ ଜିଲ୍ଲାର ଲାଇଫଲାଇନ୍ କୁହାଯାଉଥିବା ବେଳେ ଏବେ ଘାଟି ରାସ୍ତା ମରଣଯନ୍ତା ପାଲଟିଛି। ବାଙ୍ଗିରିପୋଷି ଘାଟିର ୯ କିଲୋମିଟର ରାସ୍ତା ଶିମିଳିପାଳ ଜୈବ ମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର ସମ୍ପ୍ରସାରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି। ଫଳରେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଲାଣି। ଏହି ଘାଟି ରାସ୍ତାରେ ଗତ ଦୁଇ ବର୍ଷ ମଧ୍ୟରେ ୧୬୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିଥିବା ବେଳେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ ଶହରୁ ଅଧିକ ଗୁରୁତର ହୋଇ ପଙ୍ଗୁ ହୋଇଯାଇଛନ୍ତି।
ଆଜିର ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେହିପରି ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ଏହି ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବରେ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।
ଗତ ଦୁଇ ମାସ ଭିତରେ ଶିମିଳିପାଳ ଅଭୟାରଣ୍ୟର ଆଖ ପାଖରେ ଥିବା ୮ଟି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଦେଶୀ ବନ୍ଧୁକ ଜବତ କରିଥିବା ପୁଲିସ କହିଛି। ତେବେ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଧୁକ ମୁକ୍ତ କରିବା ଉଦ୍ଦେଶ୍ୟରେ ଚାଲିଥିବା ସ୍ପେଶାଲ ଡ୍ରାଇଭ୍କୁ ଆଗକୁ ଚାଲୁ ରଖାଯିବ ବୋଲି କହିଛନ୍ତି ମୟୁରଭଞ୍ଜ ଏସପି। ତେବେ ଏହି ଘଟଣାରେ କାହାରିକୁ ଗିରଫ କରା ଯାଇନଥିବା ବେଳେ ଶିକାରୀମାନେ ଏହି ବନ୍ଧୁକକୁ ଜଙ୍ଗଲରେ ଲୁଚାଇ ରଖିଥିବା ବେଳେ ପୁଲିସ ଏହାକୁ ଜବତ କରିଛି।
ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କର ଗୁରୁବାର ଅପରାହ୍ନରେ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଥିଲା। ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲା। ରାତିରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
ପରିବାର ଲୋକ ସ୍ୱର୍ଗତ ମହାନ୍ତିଙ୍କ ମରଶରୀର ଧରି ବାହାରିଥିଲେ ବାରିପଦା ଅଭିମୁଖେ। ଆଜି ସକାଳ ପ୍ରାୟ ୭ଟା ବେଳେ ବାରିପଦା ୱାର୍ଡ-୬ର କାଲପଡ଼ିଆରେ ପହଞ୍ଚିଥିଲା ମୃତଦେହ। ସେଠାରେ ଶେଷ ଦର୍ଶନ କରିଥିଲେ ସ୍ୱର୍ଗତ ମହାନ୍ତିଙ୍କ ପରିବାର, ବନ୍ଧୁବାନ୍ଧବ, ସାହିଭାଇ ଓ ସାଙ୍ଗ ସାଥୀ। ହେଲେ ସିମୁଳିଆ ବ୍ଲକରେ କାର୍ଯ୍ୟରତ କୌଣସି ଅଧିକାରୀଙ୍କ ଦେଖା ମିଳିନଥିଲା। ଏପରିକି ଜିଲ୍ଲାପ୍ରଶାସନର କୌଣସି ବ୍ୟକ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଲା ନାହିଁ। ସବୁଠାରୁ ଦୁଃଖର ବିଷୟ ସ୍ୱର୍ଗତ ମହାନ୍ତି ଜଣେ ବିଡିଓ ହୋଇଥିଲେ ସୁଦ୍ଧା ନିଜ ସଂଘର କର୍ମକର୍ତ୍ତାଙ୍କୁ ସେଠାରେ ଦେଖିବାକୁ ମିଳିନଥିଲା। ଏଥିରୁ ଅନେକ କିଛି ସନ୍ଦେହ କରାଯାଉଛି।
ସକାଳ ପ୍ରାୟ ୯ଟା ବେଳେ ସ୍ୱର୍ଗତ ମହାନ୍ତିଙ୍କ ମରଶରୀରକୁ ବିଶାଳ ଶୋଭାଯାତ୍ରାରେ ବାରିପଦା ବାରୁଣୀଘାଟ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଦିନେ ଯେଉଁ ଗାଁର ଧୂଳିରେ ଖେଳି ବଡ଼ ହୋଇଥିଲେ, ଆଜି ସେହି ଗାଁର ମାଟିରେ ମିଶିଗଲେ। ଆଉ ଛାଡ଼ିଗଲେ ଅନେକ ପ୍ରଶ୍ନବାଚୀ। ଯାହା ଉତ୍ତର ଖୋଜୁଛନ୍ତି ପରିବାର, ସାଙ୍ଗ ସାଥୀ ଓ ବନ୍ଧୁବାନ୍ଧବ। କ’ଣ ପାଇଁ ଅବେଳରେ ସଂସାର ଛାଡ଼ି ଚାଲିଗଲେ ବିଶ୍ୱରଞ୍ଜନ ମହାନ୍ତି?
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ବାରିପଦା ଜେଲରେ ଗତ ୩୧ ତାରିଖ ଦିନ ରବି ସିଂ ନାମକ ଜଣେ ବିଚାରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ମେଡିକାଲକୁ ଆଣିବା ପରେ ମୃତ ଘୋଷଣା କରିଥିଲେ ଡାକ୍ତର। ହେଲେ ଏହାକୁ ଗ୍ରହଣ କରି ପାରିନାହାନ୍ତି ରବି ସିଂଙ୍କ ପରିବାର। କିଭଳି ରବି ଆତ୍ମହତ୍ୟା କଲେ? କେଉଁ ସ୍ଥାନରେ ଏହି ଘଟଣା ଘଟିଛି? ଘଟଣା ବେଳର ସିସିଟିଭି ଫୁଟେଜ୍ ଦେଖାଇବାକୁ ଅଡ଼ି ବସିଛନ୍ତି ପରିବାର ଲୋକେ।
ଏନେଇ ଜେଲ୍ ଆଗରେ ବିକ୍ଷୋଭ ବି ପ୍ରଦର୍ଶନ କରିଛନ୍ତି ପରିବାର ଲୋକେ। ତଥାପି କୌଣସି ସମାଧାନର ବାଟ ଫିଟି ପାରିନି। ସେପଟେ ପୁଲିସ୍ କହିଛି, ରବି ସିଂଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି ବୋଲି। ତେବେ ତଦନ୍ତ ପରେ ବିଚାର ହେବ ବୋଲି କହିଛନ୍ତି ବାରିପଦା ଏସଡିପିଓ।
ବାଲେଶ୍ୱର ITR କଲୋନୀର ବିଶ୍ୱ ସୁନ୍ଦର ଜେନା ଓ ତାଙ୍କର ୪ ସାଙ୍ଗ ନୂଆବର୍ଷରେ ପିକ୍ନିକ କରିବା ପାଇଁ ଶିମିଳିପାଳ ଯାଇଥିଲେ। ସେମାନେ ଶିମିଳିପାଳ ପାଦ ଦେଶରେ ବୋହି ଯାଇଥିବା ପଳପଳା ନଈ କୂଳରେ ଭୋଜି କରୁଥିଲେ। ରୋଷେଇ ବାସ ପରେ ସେମାନେ ନଈରେ ଗାଧୋଉଥିଲେ। ଅସାବଧାନତା ଯୋଗୁ ବିଶ୍ୱ ସୁନ୍ଦର ପାଣିରେ ବୁଡ଼ି ଯାଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡ଼ିକାଲ୍ ନେବା ପରିବର୍ତ୍ତେ ୨୫ କିମି ଦୂର ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରି ଚମ୍ପଟ ମାରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପ୍ରଘଟ ହେବା ପରେ ମେଡ଼ିକାଲ୍ରେ ଲୋକଙ୍କ ଗହଳି ଜମିଥିଲା। କିଛି ସମୟ ପରେ ପରିବାର ଲୋକ ମେଡ଼ିକାଲ୍ରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ପଳପଳା ନଈ ଆଖପାଖ ଅଞ୍ଚଳରେ ଡାକ୍ତରଖାନା ଥିବା ସତ୍ତ୍ୱେ ସେମାନେ କାହିଁକି ବିଶ୍ୱ ସୁନ୍ଦରଙ୍କୁ ୨୫ କିମି ଦୂରରେ ଥିବା ମେଡିକାଲ୍ କଲେଜରେ ଭର୍ତ୍ତିକରି ପଳାଇଲେ? ଏହା ପଛରେ ଆଉ କିଛି କାରଣ ନାହିଁ ତ?
ରିପୋର୍ଟ- ବାରିପଦାରୁ ମାନିକଲାଲ୍ ପାଣି
ମୟୂରଭଞ୍ଜ ଜିଲ୍ଲା ଏକ ଏନଜିଓ ପନ୍ଦର ୧୫୦୦ ହେକ୍ଟର ଜମିରେ ବିଶୋଇ, ବହଳଦା, କୁସୁମୀ ଆଦି ବ୍ଲକରେ ଟସର ଚାଷ ପାଇଁ ଅସନ ଓ ଅର୍ଜୁନ ବୃକ୍ଷ ରୋପଣ କରିଛି। ଉକ୍ତ ବୃକ୍ଷ ରୋପଣର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପାଇଁ ଯଶିପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲାପାଳଙ୍କ ଅଫିସ୍ ତରଫରୁ ଏନେଇ ସହକାରୀ ନିର୍ଦ୍ଦେଶକ ରେଶମ ଶିଳ୍ପକୁ ରିପୋର୍ଟ ମଗା ଯାଇଥିଲା। ହେଲେ ଟସର ବିଭାଗର କ୍ଷେତ୍ର ସହାୟକ ବିଭୁତି ମଲ୍ଲିକ ରିପୋର୍ଟ ରିପୋର୍ଟ ଦେଉନଥିବାରୁ ଶିରିଷ ଫିଜିବିଲିଟି ସାର୍ଟିଫିକେଟ୍ ପାଇପାରୁନଥିଲେ।
ଶିରିଷ ଚନ୍ଦ୍ର ମହାନ୍ତ ଏନେଇ ଟସର ବିଭାଗର କ୍ଷେତ୍ର ସହାୟକ ବିଭୁତି ମଲ୍ଲିକଙ୍କ ଯୋଗାଯୋଗ କରିଥିଲେ। ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ଦାବି କରିଥିଲେ। ଯେଉଁଥିପାଇଁ ଶିରିଷ ଅସହାୟତା ପ୍ରକାଶ କରିଥିଲେ। ମାତ୍ର ସେ କିଛି ଶୁଣିନଥିଲେ। ବିଭୁତି ମଲ୍ଲିକଙ୍କ କଥାରେ ରାଜି ହୋଇଥିଲେ ଶିରିଷ। ପରେ ସେ ଏନେଇ ବାରିପଦା ଭିଜିଲାନ୍ସ ବିଭାଗ ପାଖରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଆଜି ଶିରିଷ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକଙ୍କ ଫିସ୍ରେ ପହଞ୍ଚିଥିଲେ। ଡିଲ୍ ମୁତାବକ ଲାଞ୍ଚ ଟଙ୍କା ଦେଉଥିଲେ। ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ବିଭୁତିଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରି ଗିରଫ କରିଛି। ତାଙ୍କ ଭଡ଼ା ଘର ଓ ପୈତୃକ ଘର ଭଦ୍ରକ ଜିଲ୍ଲାର ଧାମନଗରରେ ଚଢ଼ଉ କରିଛି ଭିଜିଲାନ୍ସ। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ବିଭାଗର ଆଡିସିନାଲ ଏସ୍ପି ହରେକୃଷ୍ଣ ମାଝି।
ରିପୋର୍ଟ- ବାରିପଦାରୁ ମାନିକ ଲାଲ୍ ପାଣି
ଆସନ୍ତାକାଲି ଠାରୁ ଶିମିଳିପାଳରେ ମୁତୟନ ହେବ ଏସବୁ ଗାଡ଼ି। ଏହାଦ୍ୱାରା ଆଗାମୀ ଦିନରେ ଶିମିଳିପାଳର ସବୁ ଅଞ୍ଚଳକୁ କାଠ ମାଫିଆ ଓ ଶିକାରୀଙ୍କ କବଳରୁ ଅଧିକ ସୁରକ୍ଷିତ କରାଯାଇପାରିବ ବୋଲି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି।
ସୂଚନାରୁ ପ୍ରକାଶ, ଗତ କିଛି ମାସ ହେଲା ଶିମିଳିପାଳ ଅଭୟାରଣ୍ୟରେ ମାତିଛନ୍ତି ଶିକାରୀ। ସେମାନେ ଅନାୟସରେ ଅଭୟାରଣ୍ୟରେ ଘୁରି ବୁଲୁଛନ୍ତି। ଆଉ ସମୟ ସୁବିଧା ଦେଖି ଶିକାର କରୁଛନ୍ତି। ଯେଉଁଥିପାଇଁ ବନ କର୍ମଚାରୀ ଓ ଶିକାରୀଙ୍କ ମଧ୍ୟରେ ସଂଘର୍ଷ ହେଉଛି। ଅନେକ ସମୟରେ ଶିକାରୀଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଜୀବନ ଯାଉଛି। ଏହାକୁ ରୋକିବା ପାଇଁ ପୁଲିସ୍ ଓ ବନ ବିଭାଗ ମିଳିତ ଭାବେ ଅପରେସନ୍ କରି ଅନେକ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିଲା। ତେବେ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ଗାଡ଼ି ଆସିଲେ ପାଟ୍ରୋଲିଂ ସହଜ ହେବ ବୋଲି ମତ ପ୍ରକାଶ ପାଉଛି।
କଲେଜର ଛାତ୍ରଛାତ୍ରୀ ମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଦାବି ହେଉଛି ଅଧ୍ୟକ୍ଷଙ୍କ ନାମରେ ଆସିଥିବା ଅଭିଯୋଗକୁ ନିରପେକ୍ଷ ତଦନ୍ତ କରାଯାଉ ଏବଂ ଥାନାରେ ଦିଆଯାଇଥିବା ଏତଲା ପ୍ରତ୍ୟାହାର କରାଯାଉ।
ଯେଉଁ ଅଧ୍ୟାପିକା ମାନେ ଅଧ୍ୟକ୍ଷଙ୍କ ନାମରେ ଅଭିଯୋଗ କରିଛନ୍ତି ସେମାନେ ଠିକ୍ ସେ ଡିୟୁଟି କରନ୍ତି ନାହିଁକି ଠିକ୍ଠାକ୍ ପାଠ ପଢାନ୍ତି ନାହିଁ। ତେବେ ଅଧ୍ୟକ୍ଷ ଏନେଇ ବିରକ୍ତ ହେବାରୁ। ତାଙ୍କ ନାମରେ ମଥ୍ୟା ଅଭିଯୋଗ ଆଣିଛନ୍ତି ଅଧ୍ୟାପିକା ମାନେ। ଆମ ଅଧ୍ୟକ୍ଷ କେବେ ହେଲେ ଏଭଳି ଖରାପ କାର୍ଯ୍ୟ କରିବେ ନାହିଁ ତାଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ଵାସ ରହିଥିବା କରିଛନ୍ତି ଏମ୍ପିସି ଜୁନିୟର କଲେଜର କିଛି ଛାତ୍ରଛାତ୍ରୀ ମାନେ।
ବାରିପଦା ଟାଉନ୍ରେ ଚେତନ ଲାଢାଙ୍କ ଜନ୍ମ। ସେ ହେଉଛନ୍ତି ମଦନଲାଲ ଲାଢା ଓ ପୁଷ୍ପା ଲାଢାଙ୍କ ପୁତ୍ର। ବାପା ହେଉଛନ୍ତି ଜଣେ ଛୋଟ ବ୍ୟବସାୟୀ। ତାଙ୍କର ସେହି ରୋଜଗାରରେ ଚଳୁଛି ପୂରା ପରିବାର। ଘରର ନାନା ଖର୍ଚ୍ଚ ଓ ପିଲାଙ୍କ ପାଠ ପଢ଼ା। ନାନା ଅଭାବ ଭିତରେ ପାଠ ପଢ଼ା ଛାଡ଼ି ନଥିଲେ ଚେତନ। ସେ ବାରିପଦାର ସେଣ୍ଟ ଜେଭିୟର ସ୍କୁଲରୁ ମାଟ୍ରକି ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ସତ୍ୟସାଇ ବିଦ୍ୟା ବିହାରରେ ନାମ ଲେଖାଇଥିଲେ। ସେଠାରେ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ରାଇପୁର ନେସନଲ ଲ’ ୟୁନିଭରସିଟିରେ ଆଇନ ପାଠ ପଢିଥିଲେ। ୨୦୨୦ ମସିହାରେ ପାସ୍ କରିଥିଲେ।
ଆଇନ ପାଠ୍ୟକ୍ରମ ପଢ଼ା ସରିବା ପରେ ଓଜେଏସ୍ ପରୀକ୍ଷା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଚେତନ ଲାଢା। ସେଥିପାଇଁ ଦିନକୁ ୭ରୁ ୮ ଘଣ୍ଟା ଧରି ପାଠ ପଢ଼ୁଥିଲେ। ଏଥିରେ ବାପା ମାଆ ଓ ଦୁଇ ଭଉଣୀ ଭିଣୋଇ ସହଯୋଗ କରୁଥିଲେ। ସେମାନଙ୍କ ଆଶୀର୍ବାଦ ଯୋଗୁ ଆଜି କୃତକାର୍ଯ୍ୟ ହୋଇଛନ୍ତି ଚେତନ। ଆଉ ଓଜେଏସ୍ ପରୀକ୍ଷାରେ ୨୯ତମ ରେଙ୍କ ଅଧିକାର କରିଛନ୍ତି। ଖାଲି ସେତିକି ନୁହେଁ, ମୟୂରଭଞ୍ଜ ପାଇଁ ଗୌରବ ଆଣିଛନ୍ତି। ଚେତନ ପାଠ ପଢ଼ା ସହ ଖେଳ ପ୍ରତି ରୁଚି ରଖିଛନ୍ତି। ସେ ରାଜ୍ୟ ଓ ରାଜ୍ୟ ବାହାରେ ଅନେକ ସ୍ଥାନରେ କ୍ରିକେଟ ମ୍ୟାଚରେ ଭାଗ ନେଇଛନ୍ତି। କୃତକାର୍ଯ୍ୟ ପରେ ଚେତନଙ୍କ ପାଖକୁ ଶୁଭେଚ୍ଛା ସୁଅ ଛୁଟୁଛି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ବାରିପଦା ସହର ଷ୍ଟେସନ୍ ରୋଡ୍ରେ ରହିଛି ମାନାପୁରମ୍ ଫାଇନାନ୍ସ କମ୍ପାନୀର ଅଫିସ୍। ବୁଧବାର ସକାଳେ କର୍ମଚାରୀମାନେ ଅଫିସ୍ ଶର୍ଟର ଉଠାଉ ଥିଲେ। ଠିକ୍ ସେହି ସମୟରେ ୫ ଜଣ ଯୁବକ ହାତରେ ବନ୍ଧୁକ ଧରି ଅଫିସ୍ ଭିତରେ ପଶି ଯାଇଥିଲେ। କର୍ମଚାରୀଙ୍କୁ ମାରଧର କରିଥିଲେ। ପରେ ସେମାଙ୍କଠାରୁ ମୋବାଇଲ୍ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ତେବେ ଲକର ଖୋଲିବା ସମୟରେ ସାଇରନ୍ ବାଜି ଉଠିଥିଲା। ତା’ପରେ ଦୁର୍ବୃତ୍ତମାନେ ଧରାପଡ଼ିଯିବା ଭୟରେ ସେଠାରୁ ଚମ୍ପଟ ମାରିଥିଲେ।
ସଂସ୍ଥାର ଏରିଆ ମ୍ୟାନେଜର ରୋନି କୁଣ୍ଡୁ ଏନେଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ପ୍ରାଥମିକ ପର୍ଯ୍ୟାୟରେ ପୁଲିସ୍ ସିସିଟିଭି ଯାଞ୍ଚ କରୁଛି। ହେଲେ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପାଇନି ପୁଲିସ୍।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ଶିମିଳିପାଳ ବିକାଶ ପରିଷଦ ପକ୍ଷରୁ ୫ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରି ଅଭୟାରଣ୍ୟକୁ ବନ୍ଦ କରି ରଖିଥିଲେ।ଏଥିରେ ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ ଥିଲେ।
ବାରମ୍ବାର ଅଭୟାରଣ୍ୟ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ପରେ ମଧ୍ୟ ଖୋଲି ନଥିଲା ଶିମିଳିପାଳ। ତେବେ ଶିମିଳିପାଳ ଅନ୍ତେବାସୀଙ୍କ ସହ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଭାଗୀୟ ଅଧିକାରୀଙ୍କର ଗତକାଲି ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଥିଲା। ଆଜି ଠାରୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା ଶିମିଳିପାଳ ଅଭୟାରଣ୍ୟ।
ଏମ୍ପିସି ଜୁନିୟର କଲେଜ ଅଧ୍ୟକ୍ଷ ହେଉଛନ୍ତି ଶୁଭଙ୍କର ସାହୁ। ସେ କଲେଜରେ କାର୍ଯ୍ୟରତ ୪ ଜଣ ଅଧ୍ୟାପିକାଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ସେ ଏହି ଅଧ୍ୟାପିକାମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହ ରାତି ଅଧିଆ କଲ୍ କରୁଛନ୍ତି। ସେ ହ୍ୱାଟ୍ସଆପ୍ରେ ଖରାପ ମେସେଜ ପଠାଉଥିବା ଅଧ୍ୟାପିକାମାନେ ଅଭିଯୋଗ କରିଛନ୍ତି। ଦିନକୁ ଦିନ ଅଧ୍ୟକ୍ଷଙ୍କ ଦୁର୍ବ୍ୟବହାର ବଢ଼ିବାରେ ଲାଗିଲା। ଯେଉଁଥିରେ ଅତିଷ୍ଠ ହୋଇ ୪ ଅଧ୍ୟାପିକା ଆଜି ବାରିପଦା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଏହି ୪ ଅଧ୍ୟାପିକାମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, ମୋତେ ସବୁବେଳେ ଖରାପ ମେସେଜ କରୁଥିଲେ। ରାତି ଅଧରେ କଲ୍ କରୁଥିଲେ। ଡରରେ ଫୋନ୍ ଉଠାଇବାକୁ ପଡ଼ୁଥିଲା। ସେ ସବୁବେଳେ ଧମକ ଦେଉଥିଲେ। ଆଉ କହୁଥିଲେ, ମୁଁ ଲେଖିଦେଲେ ତୁମର ସିସିଆର୍ ଖରାପ ହୋଇଯିବ, ଆଉ ପ୍ରମୋସନ୍ ପାଇବନାହିଁ। ଆମକୁ ସେ ଏମିତି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ ଥାନାରେ ଅଭିଯୋଗ କରିବାକୁ ଆସିଛୁ ବୋଲି ଅଧ୍ୟାପିକା କହିଛନ୍ତି।
ଆଉ ଜଣେ ଅଧ୍ୟାପିକା କହିଛନ୍ତି, ଅଧ୍ୟକ୍ଷ ମୋତେ ଜାତିଆଣ ଆକ୍ଷେପ କରି ଗାଳି ଦେଉଛନ୍ତି। ମାନସିକ ନିର୍ଯାତନା ଦେଉଛନ୍ତି। ସେ କ’ଣ ପାଇଁ ଏମିତି କହୁଛନ୍ତି, ତାହା ଜାଣିନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ଅଧ୍ୟାପିକାଙ୍କ ଅଭିଯୋଗ ନେଇ କଲେଜ ଅଧ୍ୟକ୍ଷ ଶୁଭଙ୍କର ସାହୁ କହିଛନ୍ତି, ୪ ଅଧ୍ୟାପିକା କଲେଜରେ କୌଣସି କାର୍ଯ୍ୟ ଠିକ୍ ଭାବେ ତୁଲାଉ ନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ପରଫରର୍ମମାନ୍ସ ରିପୋର୍ଟରେ ଜଣାଇଛି। ହୁଏତ ସେଥିପାଇଁ ଅଧ୍ୟାପିକାମାନେ ଅସନ୍ତୋଷ ହୋଇ ଆକ୍ରୋଶ ମୂଳକ ଭାବେ ଏପରି ମିଥ୍ୟା ଆରୋପ କରିଥାଇ ପାରନ୍ତି ବୋଲି ଅଧ୍ୟକ୍ଷ ସଫେଇ ଦେଇଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
କରଞ୍ଜିଆରୁ ବାରିପଦା ଯିବାବେଳେ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ହୋଇଛି। ପୁଲିସ ଭ୍ୟାନ୍ ଘାଟିରେ ବ୍ରେକ୍ ଫେଲ୍ ହେବାରୁ ଆଗରେ ଥିବା ଟ୍ରକ୍ରେ ପିଟି ହୋଇଥିଲା। ପୁଲିସ ଗାଡ଼ିରେ ପ୍ରାୟ ୨୦ ଜଣ ପୁଲିସ ଡ୍ୟୁଟି ପାଇଁ ଯାଉଥିବା ବେଳେ ବାରିପଦା ଘାଟିରେ ଏଭଳି ଦୃର୍ଘଟଣା ଘଟିଛି।
ଗତ ନଭେମ୍ବରରେ ଶିମିଳିପାଳରେ T-31 ଓ T-35 ନାମକ ଦୁଇଟି ବାଘ ମଧ୍ୟରେ ଏହି ବିଗ୍ ଫାଇଟ ହୋଇଥିଲା। ଉଭୟଙ୍କ ମଧ୍ୟରୁ T-35 ଅପେକ୍ଷାକୃତ ଭାବେ T-31 ଅପେକ୍ଷା ଯୁବ ବୟସର। ତେଣୁ T-31 ସାମନାରେ ତିଷ୍ଠି ପାରି ନ ଥିଲା T-35 । ଆଉ ଦେଇଥିଲା ପଛ ଘୁଞ୍ଚା।
ଶିମିଳିପାଳ କର୍ତ୍ତୃପକ୍ଷଙ୍କ ତରଫରୁ ଏହାର ଭିଡିଓ ଜାରି କରାଯାଇଛି। ଭିଡିଓରେ କିଛି ସମୟ ପରେ ଦେଖାଯାଇଛି ଯେ, ଫାଇଟ୍ ପରେ ଉକ୍ତ ଅଞ୍ଚଳରେ T-35 ମହାବଳ ଏକାକୀ ବୁଲୁଛି। ଅର୍ଥାତ ଏହି ବାଘଟି ଲଢ଼େଇରେ ଜିତିଥିବାର ଅନୁମାନ କରାଯାଉଛି। ଫଳରେ ଶିମିଳିପାଳ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ T-31 ନିଜର ଏକ ଚାଟିଆ ଆଧିପତ୍ୟ ଜାହିର କରିଥିବା ସ୍ପଷ୍ଟ ହୋଇଛି।
ଏନେଇ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିର୍ଦ୍ଦେଶକ କହିଛନ୍ତି, ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ୩୫ ମହାବଳ ବାଘ ଥିବା ଗଣନା ବେଳେ କ୍ୟାମେରା ଟ୍ରାପ୍ରୁ ଜଣାପଡ଼ିଛି। ଏଥିସହ ସେ କହିଛନ୍ତି, ଶିମିଳିପାଳରେ ଏବେ ବାଘ ଗଣନା ଚାଲିଛି। ତେବେ ଗଣନା ସରିଲେ ଏହି ସଂଖ୍ୟା ସ୍ପଷ୍ଟ ହୋଇଯିବ ।
ତେବେ ବାଘ ଫାଇଟ୍ ଏକ ସାଧାରଣ ଘଟଣା। ମାତ୍ର ଲୋକଙ୍କୁ ମହାବଳ ବାଘଙ୍କ ଫାଇଟ୍ ସମ୍ପର୍କରେ ଅବଗତ କରିବାକୁ ଏହି ଭିଭିଓ ସୋଶାଲ ମିଡିଆରେ ପୋଷ୍ଟ କରାଯାଇଥିବା ଶିମିଳିପାଳ RRCF ପ୍ରକାଶ କରିଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ଅସ୍ତିତ୍ୱକୁ ନେଇ ବହୁ ପ୍ରଶ୍ନ ଉଠୁଥିବା ବେଳେ ଏବେ ସେଥିରେ ଏକ ପ୍ରକାର ବିରାମ ଲାଗିଛି। କାରଣ ଏପରି ଫାଇଟ୍ ଶିମିଳିପାଳରେ ବାଘଙ୍କ ବଂଶବିସ୍ତାର ହେଉଥିବା ସୂଚନା ଦେଉଛି।
ଶିମିଳିପାଳ ଏବେ ବାଘଙ୍କ ବାଘଙ୍କ ସୁରକ୍ଷା ଆଶ୍ରୟସ୍ଥଳୀ ପାଲଟିଛି । ଶିମିଳିପାଳରେ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କରାଯାଉଛି। ଏଥିସହ ବନ ବିଭାଗ ପକ୍ଷରୁ ମଧ୍ୟ କଡ଼ା ପହରା ଦିଆଯାଉଛି। ଫଳରେ ଦିନେ ଶିକାରୀଙ୍କ ଚରା ଭୂଇଁ ପାଲଟିଥିବା ଶିମିଳିପାଳ ଏବେ ସେଥିରୁ ମୁକ୍ତ ପାଉଥିବା ଅନୁମାନ କରାଯାଉଛି।
#SimilipalTigerReserve He is T35 a young tiger trying to claim is territory. Got into a fight with T31. Seems to be victorious as it confidently patrols it's area. Have you marked the dark pattern on forehead? @ForestDeptt @susantananda3 @ntca_india @pccfodisha @PCCFWL_Odisha pic.twitter.com/IfUhe96aJL
— Similipal Tiger Reserve, Odisha (@Similipal_South) December 18, 2023
ଉଦଳା-ବାଲେଶ୍ୱର ରାସ୍ତାର କଇଁସାରୀ ଜାମୁଘାଟ ପୋଲ ବର୍ଷା ଯୋଗୁଁ ଭାଙ୍ଗିଯାଇଛି। ଦୁଇବର୍ଷ ହେଲା ପୋଲ ଏଭଳି ଅବସ୍ଥାରେ ଅଛି। ବାରମ୍ବାର ଦାବି ସତ୍ୱେ ଏଥିପ୍ରତି କେହି ଦୃଷ୍ଟିଦେଉନାହାନ୍ତି।
ଗତକାଲି ଜଇଦା ଗାଁରେ ଜଣେ ମହିଳା ଗୁରୁତର ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଡାକ୍ତରଖାନା ନେବା ନିମନ୍ତେ ୧୦୮ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା। ହେଲେ ପୋଲ ଭାଙ୍ଗି ଯାଇଥିବାରୁ ଗାଁକୁ ଆସିପାରି ନଥିଲା ଆମ୍ବୁଲାନ୍ସ। ପୋଲ ଆରପାଖରେ ଆମ୍ବୁଲାନ୍ସ ଛିଡ଼ା ହୋଇଥିଲା। ତେଣୁ ଜଣେ ସଂପର୍କୀୟ ରୋଗୀଙ୍କୁ ଦେଢ଼ କିଲୋମିଟର ହାତରେ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ପରେ ରୋଗୀଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।
ରିପୋର୍ଟ – ବାରିପଦରୁ ମାଣିକ ଲାଲ ପାଣୀ
ଆଜି ସକାଳେ ଶୁଳିଆପଦା ଥାନା ଅଞ୍ଚଳ ଦେଇ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିଲା। କୌଣସି ସୁତ୍ରରୁ ଖବର ପାଇ ପୁଲିସ ଆଜି ସକାଳେ ନାକଡ଼ାଗୁଞ୍ଜା ରାସ୍ତାରେ ଜଗି ରହିଥିଲା। ଠିକ ସେଇ ସମୟରେ ଗୋରୁ ବୋଝେଇ କରି ଯାଉଥିବା ୫ଟି ପିକଅପ ଭ୍ୟାନକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୫୩ ଗୋଟି ଗୋରୁ ଉଦ୍ଧାର କରିଥିଲା। ଯେଉଁଥିରେ ଗାଈ, ବାଛୁରୀ, ବଳଦ ଥିଲେ।
ନକଡ଼ାଗୁଞ୍ଜାରୁ ଉଦ୍ଧାର ହୋଇଥିବା ଗୋରୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ଗୋରୁଙ୍କୁ ବହରାଗୋଡ଼ ସ୍ଥିତ ଗୋ ଶାଳାରେ ଛଡ଼ା ଯାଇଥିଲା। ଏହି ଅଭିଯୋଗରେ ୧୨ ଗୋରୁ ମାଫିଆଙ୍କୁ ଗିରଫ କରିଛି ଶୁଳିଆପଦା ପୁଲିସ।
ରିପୋର୍ଟ – ବାରିପଦାରୁ ମାନିକ୍ ଲାଲ୍ ପାଣି
୫ ଦଫା ଦାବି ପୂରଣ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖାର ସାମ୍ବାଦିକ। ଦାବି ଗୁଡ଼ିକ ହେଲା- ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ, ଅନ୍ୟାନ୍ୟ ରାଜ୍ୟ ଭଳି ବୟସ୍କ ସାମ୍ବାଦିକଙ୍କୁ ପେନସନ୍ ପ୍ରଦାନ, ଅଧିସ୍ୱୀକୃତି କମିଟି ପୁନଃର୍ଗଠନ, ବ୍ଲକଠାରୁ ରାଜ୍ୟ ପର୍ଯ୍ୟନ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ସ୍ଵାସ୍ଥ୍ୟ ବୀମା ଯୋଜନାରେ ପିତାମାତା ଓ ୨୫ ବର୍ଷରୁ ଊର୍ଦ୍ଧ୍ଵ ନିର୍ଭରଶୀଳ ସନ୍ତାନଙ୍କୁ ସାମିଲ୍ ଏବଂ ପ୍ରେସ୍ ଏକାଡେମୀ ଗଠନ ଆଦି ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଏଥିରେ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ସାମିଲ୍ ହୋଇଥିଲେ।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ବୁଧବାର ସକାଳେ ବାଘୁଆ ମହୁମାଛି ପଲ ବେତନଟୀ ବ୍ଲକ ବୈଦପୁର ହାଟପଡିଆ ଗାଁ ରାସ୍ତା ଅତିକ୍ରମ କରୁଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ବିନ୍ଧିଥିଲେ। ବାଘୁଆ ମହୁମାଛି ଆକ୍ରମଣରେ ଦୁଇ ସ୍କୁଲ ଛାତ୍ରଙ୍କ ସମେତ କୁରାଢ଼ିକ ଗାଁର କିରଣ ମହାନ୍ତ ଓ ଶୁଭମ ମହାନ୍ତ, ବୈଦପୁର ଗ୍ରାମର ଦୁର୍ଗା ସିଂ, ମେର୍ଦା ଗ୍ରାମର ଦୀପିକା ଡଗରା, ଯୁଗଳ ଗ୍ରାମର ରାଜେନ୍ଦ୍ର ଧାଉଁଡିଆ, ସାତପଉଟିଆ ଗ୍ରାମର ଇନ୍ଦ୍ରଜିତ ସାହୁ ଏବଂ ଶୁଭଲକ୍ଷ୍ମୀ ସାହୁ ପ୍ରମୁଖ ଗୁରୁତର ଆହତ ହୋଇଥିଲେ।
ବାଘୁଆ ମହୁମାଛିଙ୍କ ବିଷାକ୍ତ ଦଂଶନରେ ଗୁରୁତର ହୋଇଥିବା ୭ଜଣଙ୍କୁ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନେ ଚିକିତ୍ସାଧୀନ ଥିବା ଜଣାଯାଇଛି। ତେଣୁ ବୈଦପୁର ରାସ୍ତାରେ ଆଜି ସକାଳେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
୧୯୩୨ ମସିହାରୁ ରେଳସେବା ମାନଚିତ୍ରରେ ଯୋଡ଼ି ହେବା ସହ କେବଳ ପାସେଞ୍ଜର ଟ୍ରେନରେ ଯାତ୍ରା କରୁଥିଲେ ମୟୂରଭଞ୍ଜର ବାଦାମପାହାଡ଼ବାସୀ। ଆଜିଠୁ କିନ୍ତୁ ବାଦାମପାହାଡ଼ରୁ ରାଉରକେଲା ଏବଂ ସାଲିମାରକୁ ୨ଟି ଏକ୍ସପ୍ରେସ ସହ ଟାଟାନଗରକୁ ଗୋଟିଏ ମେମୁରେ ବସି ଯାତ୍ରା କରିବାର ସୁଯୋଗ ପାଇଛନ୍ତି। ରାଜ୍ୟପାଳ ରଘୁବର ଦାସଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଓ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଣିଙ୍କ ଉପସ୍ଥିତିରେ ପତାକା ଦେଖାଇ ଏହି ଟ୍ରେନ ସେବାର ଶୁଭାରମ୍ଭ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହାପରେ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ଛାତ୍ରଛାତ୍ରୀଙ୍କୁ ଧରି ବାଦାମପାହାଡ଼ରୁ ୩୨ କିଲୋମିଟର ଦୂର ରାଇରଙ୍ଗପୁର ଯାଏଁ ସାଲିମାର ଏକ୍ସପ୍ରେସରେ ଯାତ୍ରା କରିଥିଲେ ମହାମହିମ।
ରେଳସେବାର ଲୋକାର୍ପଣ ପୂର୍ବରୁ ଗତରାତିରେ ମହୁଲଡିହା ଘରେ ରହିଲେ ରାଷ୍ଟ୍ରପତି। ଭାଇ ଭାଉଜ ଓ ପରିବାର ସହ ରାତି ବିତାଇଥିଲେ। ଏହାପରେ ଆଜି ସକାଳୁ ପ୍ରଥମେ ବାଦାମପାହାଡ଼ ଅଞ୍ଚଳରେ ଥିବା ଶାଶୁଘର ପାହାଡ଼ପୁରକୁ ଯାଇଥିଲେ। ଯିବାବେଳେ ଦିବଙ୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ରକୁ ଯାଇ ୧୭୧ ଜଣ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ। ପରେ ସ୍ୱାମୀ ଓ ୨ ପୁଅଙ୍କ ସ୍ମୁତିରେ ନିର୍ମିତ SLS ଶିକ୍ଷାନୁଷ୍ଠାନରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ୫ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପରିଶେଷରେ କୁନି କୁନି ପିଲାଙ୍କୁ ଚକୋଲେଟ୍ ବାଣ୍ଟିଥିଲେ। ସ୍ଥାନୀୟ ପଞ୍ଚାୟତ ପ୍ରତିନିଧିଙ୍କ ପାଇଁ ରାଷ୍ଟ୍ରପତି ଭବନରୁ ଆଣିଥିବା ପୋଷାକ ଓ ଶାଢ଼ୀ ପ୍ରଦାନ କରିଥିଲେ ରାଷ୍ଟ୍ରପତି।
President Droupadi Murmu flagged off three new trains; inaugurated new Rairangpur Postal Division; released a Commemorative Special Cover of Rairangpur Postal Division; and laid foundation stone for redevelopment of Badampahar Railway station from Badampahar Railway station,… pic.twitter.com/cNcF16wQQ5
— President of India (@rashtrapatibhvn) November 21, 2023
ବାଦାମପାହାଡ଼ରୁ ଟ୍ରେନର ଆସି ପହଞ୍ଚିବା ପରେ ରାଇରଙ୍ଗପୁର ଦାଣ୍ଡବୋଷ ହେଲିପ୍ୟାଡକୁ ଯାଉଥିଲେ ମହାମହିମ। ଆଉ ଯିବାବେଳେ ରାସ୍ତାର ଉଭୟ କଡ଼ରେ ଥିବା ସ୍ଥାନୀୟ ଲୋକ, ଛାତ୍ରଛାତ୍ରୀଙ୍କୁ ହାତ ମିଳାଇବା ସହ କଥା ହୋଇଥିଲେ। ପିଲାଙ୍କୁ ଚକୋଲେଟ୍ ଦେଖି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ଏହାପରେ ଭର୍ଚୁଆଲରେ ଉଦଘାଟନ କରିଥିବା ରାଇରଙ୍ଗପୁର ଡାକମଣ୍ଡଳକୁ ଯାଇଥିଲେ ମହାମହିମ। ସେଠାରୁ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି ଦ୍ରୌଦଦୀ ମୁର୍ମୁ।
President Droupadi Murmu inaugurated a Skill Training Centre at Pahadpur in Mayurbhanj district of Odisha and visited SLS Memorial residential school in the same village where she interacted with the students. pic.twitter.com/jmy4PuxKQK
— President of India (@rashtrapatibhvn) November 21, 2023
ଆଜି ଅପରାହ୍ନରେ ସମ୍ବଲପୁର ଯାଇଥିଲେ ରାଷ୍ଟ୍ରପତି। ସେ ପ୍ରଥମେ ବୁର୍ଲା ଭିସୁଟର ୧୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନାରୀଙ୍କ ଗରିମା ବଖାଣିଥିଲେ ମହାମହିମ। ତା’ସହ ଛାତ୍ରଛାତ୍ରୀଙ୍କୁ ସବୁ କ୍ଷେତ୍ରରେ ଶକ୍ତିମାନ ହେବା ଲାଗି ଉପଦେଶ ଦେବା ସହ ନିଜ ସାମର୍ଥ୍ୟର ସଦୁପଯୋଗ ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ୨୭ ଜଣ ସ୍ୱର୍ଣ୍ଣ ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ ରାଷ୍ଟ୍ରପତି।
ସମାବର୍ତ୍ତନ ଉତ୍ସବ ପରେ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଟୁକୁନି ସାହୁ, ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ପ୍ରମୁଖ। ରାଷ୍ଟ୍ରପତିଙ୍କ ଦର୍ଶନ କାର୍ଯ୍ୟକ୍ରମ ପାଇଁ ସଂଧ୍ୟାରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା। ଆସନ୍ତାକାଲି ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନ୍ୟାସନାଲ ଏଜୁକେସନ କ୍ୟାମ୍ପେନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଏହି ୨ ଦିନିଆ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ରାଷ୍ଟ୍ରପତି ସେଠାରେ ପ୍ରଥମେ ବାରିପଦାରେ ୩୬ତମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଅଧିବେଶନରେ ଉଦବୋଧନ ଦେବେ। ଏହାପରେ ସର୍କିଟ୍ ହାଉସରେ ମଧ୍ୟାହ୍ନ ଭୋଜନ ଓ ବିଶ୍ରାମ ପରେ କୁଳିଅଣାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଲୋକର୍ପଣ କରିବେ।
ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ହେବା ପରେ ମୟୂରଭଞ୍ଜ ଜିଲ୍ଲାକୁ ଦ୍ୱିତୀୟ ଥର ପାଇଁ ଆସିଛନ୍ତି ଦ୍ରୌପଦୀ ମୁର୍ମୁ। ମାଟିର ଝିଅକୁ ସ୍ୱାଗତ କରିବା ପାଇଁ ସାଧବ ବୋହୁ ପରି ସଜେଇ ହୋଇଛି ବାରିପଦା ଓ ରାଇରଙ୍ଗପୁର।
ଆସନ୍ତାକାଲି ବାଦାମପାହାଡ଼ରୁ ରାଇରଙ୍ଗପୁର ଟ୍ରେନ୍ ଯାତ୍ରାବେଳେ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବେ ରାଷ୍ଟ୍ରପତି। ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶେଶ୍ୱର ଟୁଡୁ ପ୍ରମୁଖ ସାମିଲ ହେବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ହେବା ପରେ ଦ୍ୱିତୀୟ ଥର ପାଇଁ ରାଇରଙ୍ଗପୁର ଯାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେଠି ବି କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବେ ଓ ନିଜ ମହୁଲଡିହା ବାସଭବନରେ ରାତ୍ରୀଯାପନ କରିବେ।
ମଙ୍ଗଳବାର ଶାଶୁଘର ପାହାଡ଼ପୁରରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟନ କରିବାପରେ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସ୍ମୃତିରେ ଚାଲିଥିବା ଆବାସିକ ସ୍କୁଲରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେହିପରି ରାଇରଙ୍ଗପୁରରେ ପୋଷ୍ଟାଲ ଡିଭିଜନକୁ ଉଦଘାଟନ କରିବେ ରାଷ୍ଟ୍ରପତି। ଯାହାଦ୍ୱାରା ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ଟି ବ୍ଲକର ଲକ୍ଷ ଲକ୍ଷ ଲୋକଙ୍କୁ ଆଉ ୧୦୦ କିଲୋମିଟର ଅତିକ୍ରମ କରି ବାରିପଦା ଆସିବାକୁ ପଡିବନି। ତେଣୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାବାସୀ ମହାମହିମଙ୍କୁ ଆସିବା ବାଟକୁ ଉତ୍କଣ୍ଠାରେ ଅପେକ୍ଷା କରିଛନ୍ତି।
ଆଜି କପ୍ତିପଦା ଥାନା ଅଞ୍ଚଳର ନିତ୍ୟାନନ୍ଦ ସିଂ, ଚାମୁରୁ ସିଂ, ଲଛୁ ସିଂ ଓ ମହୁଲଡିହା ଥାନା ଅଞ୍ଚଳର ରାଜୁ ବାଙ୍କିରା ହାତୀ ଦାନ୍ତ ଧରି ବାଇକ୍ରେ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗର କର୍ମଚାରୀମାନେ ଠାକୁରମୁଣ୍ଡା ବନାଞ୍ଚଳ ଚମ୍ପାଝରନ ନିକଟରେ ଛପି ରହିଥିଲେ। ଶିକାରୀମାନେ ବାଇକ୍ରେ ଯାଉଥିବା ବେଳେ ସେମାନଙ୍କୁ ମାଡ଼ି ବସିଥିଲା ବନ ବିଭାଗ।
ବନ ବିଭାଗ ସେମାନଙ୍କଠାରୁ ୩ ବାଇକ, ଚାରୋଟି ମୋବାଇଲ ଓ ଦୁଇଟି ହାତୀ ଦାନ୍ତ ଜବତ କରିଛି। ଜବତ ବାମ ହାତୀ ଦାନ୍ତର ଓଜନ ୧ କିଲୋ ୯ ଶହ ଗ୍ରାମ ଥିବା ବେଳେ ଲମ୍ବ ୬୮ ସେଣ୍ଟିମିଟର ରହିଛି। ସେହିପରି ହାତୀର ଡାହାଣ ଦାନ୍ତର ଓଜନ ୧ କିଲୋ ୯ ଶହ ୫୦ ଗ୍ରାମ ହୋଇଥିବା ବେଳେ ଲମ୍ୱ ୭୨ ସେଣ୍ଟି ମିଟର ରହିଛି। ଗିରଫ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ। ତେବେ ସେମାନେ କେତେ ଦିନ ହେଲା ଏହି କାରବାର କରୁଥିଲେ, ତାହା ଜଣାପଡ଼ି ନାହିଁ। ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏହି ରାକେଟରେ ଆଉ କାହାର ହାତ ରହିଛି, ତାହା ଉପରେ ତଦନ୍ତ ଚାଲିଥିବା ବନ ବିଭାଗ କହିଛି।
ରିପୋର୍ଟ- ବାରିପଦାରୁ ମାନିକ ଲାଲ ପାଣି
ରାଜତନ୍ତ୍ର ଅମଳରେ ଅର୍ଥାତ ୧୯୩୨ ମସିହାରେ ମୟୂରଭଞ୍ଜ ରାଜ୍ୟରେ ଗଡ଼ିଥିଲା ରେଳ। ବାଦାମପାହାଡରୁ ଟାଟାନଗରକୁ ବିଛା ଯାଇଥିଲା ନ୍ୟାରୋ ଗଜ୍ ରେଳ ଧାରଣା। ମୟୂରଭଞ୍ଜ ରାଜାଙ୍କ ଦ୍ୱାରା ରେଳ ପରିଚାଳିତ ହେଉଥିଲା। ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବାଦାମପାହାଡ଼ରୁ ଟାଟାନଗର ଓ ଜାମସେଦପୁରକୁ ଖଣିଜ ପଦାର୍ଥ ରତ୍ପାନୀ କରିବା। ପରବର୍ତ୍ତୀ ସମୟରେ ରାଜତନ୍ତ୍ର ହଟିଥିଲା। ଆଉ ଓଡ଼ିଶା ପ୍ରଦେଶରେ ମିଶିଥିଲା ମୟୂରଭଞ୍ଜ ରାଜ୍ୟ। ତା’ପରଠାରୁ ମୟୂରଭଞ୍ଜ ଓଡ଼ିଶା ରାଜ୍ୟର ଗୋଟିଏ ଜିଲ୍ଲାର ମାନ୍ୟତା ପାଇଥିଲା।
ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲାର ବଢ଼ିଥିଲା କଳେବର। କଡ଼ ଲେଉଟାଇଥିଲା ମୟୂରଭଞ୍ଜ। ନ୍ୟାରୋ ଗଜ୍ରୁ ବ୍ରୋଡ୍ ଗଜକୁ ରୂପାନ୍ତରିତ ହୋଇଥିଲା ବାଦାମପାହାଡ-ଟାଟାନଗର ରେଳପଥ। ପ୍ରତିଦିନ ଶହ ଶହ ଟନ୍ ଲୁହାପଥର ବୋଝେଇ ହୋଇ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ଟାଟାନଗର, ପଶ୍ଚିମବଙ୍ଗ ଓ ଅନ୍ୟ ଅଞ୍ଚଳକୁ ଗଲା। ହେଲେ ଅଞ୍ଚଳର ଲୋକଙ୍କ ପାଇଁ ପାସେଞ୍ଜର ଟ୍ରେନ୍ଟିଏ ଚାଲୁନଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ଦାବି ଯୋଗୁ ଗଡ଼ିଥିଲା ପାଞ୍ଜର ଟ୍ରେନ୍। ହେଲେ ଦେଖିବାକୁ ପାଇନଥିଲା ଏକ୍ସପ୍ରେସ୍ ଟ୍ରେନ୍।
୯୦ ବର୍ଷ ଭିତରେ ଏକ୍ସପ୍ରେସ ଟ୍ରେନ୍ଟି ଦେଖି ପାରିନଥିଲା ବାଦାମପାହାଡ଼ ରେଳ ଷ୍ଟେସନ୍। ରାଷ୍ଟ୍ରପତି ହେବା ପୂର୍ବରୁ ନିଜ ଅଞ୍ଚଳକୁ ରାଜ୍ୟ ତଥା ଦେଶର ଅନ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ସହ ଏକ୍ସପ୍ରେସ ଟ୍ରେନ୍ ଯୋଗେ ଯୋଡ଼ିବାକୁ ବହୁବାର ଚେଷ୍ଟା କରିଥିଲେ ଦ୍ରୌପଦୀ ମୁର୍ମୁ। ୨୦୦୦ରୁ ୨୦୦୨ ମସିହା ଯାଏଁ ରାଜ୍ୟ ପରିବହନ ମନ୍ତ୍ରୀ ଥିଲା ବେଳେ ବହୁବାର ପ୍ରୟାସ କରିଥିଲେ। ହେଲେ ସାକାର ହୋଇପାରି ନ ଥିଲା ତାଙ୍କ ସ୍ୱପ୍ନ। ଏବେ ରାଷ୍ଟ୍ରପତି ହେବା ପରେ ସେହି ସ୍ୱପ୍ନ ସତ ହେବାକୁ ଯାଉଛି। ଆସନ୍ତା ୨୧ ତାରିଖରେ ବାଦାମପାହାଡ଼ରୁ ରାଉରକେଲା ଓ କୋଲକାତାକୁ ଗଡ଼ିବ ଏକ୍ସପ୍ରେସ ଟ୍ରେନ୍। ଏମିତିକି ତାଙ୍କ ଶ୍ୱଶୁର ଘର ଅଞ୍ଚଳ ବାଦାମପାହାଡ଼ରୁ ଜନ୍ମମାଟି ରାଇରଙ୍ଗପୁର ଦେଇ ଏକ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରିବ। ଆଉ ସବୁଠୁ ଖୁସିର କଥା ହେଉଛି, ଏ ସମସ୍ତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ ଖୋଦ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ରାଷ୍ଟ୍ରପତି କେବଳ ୩ଟି ଟ୍ରେନର ଶୁଭାରମ୍ଭ କରିବେ ତାହା ନୁହେଁ, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଯାତ୍ରା ମଧ୍ୟ କରିବେ। କୋଲକାତାକୁ ଯୋଡ଼ିବାକୁ ଥିବା ବାଦାମପାହାଡ଼ ସାଲିମାର ଏକ୍ସପ୍ରେସର ଏସି-୧ କୋଚରେ ରାଇରଙ୍ଗପୁର ଯାଏଁ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ। ଆଉ ଦେଶର ରାଷ୍ଟ୍ରପତି ସ୍ୱତନ୍ତ୍ର ପ୍ରେସିଡେନ୍ସିଆଲ ଟ୍ରେନ୍ ବଦଳରେ ସାଧାରଣ ଏସି କୋଚରେ ଯାତ୍ରା କରିବାରେ ଏହା ହେବ ଭାରତୀୟ ରେଳ ଇତିହାସର ପ୍ରଥମ ଘଟଣା। ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ସେହି ଟ୍ରେନ୍ ଯାତ୍ରାରେ ସାମିଲ ହେବେ।
ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରଠାରୁ ରାଇରଙ୍ଗପୁର ଓ ବାଦାମପାହାଡ଼ ଅଞ୍ଚଳର ବିକାଶ ଧାରା ଆଗେଇ ଚାଲିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି। ବାୟୁସେନା ପକ୍ଷରୁ ଆଜି ସ୍ବତନ୍ତ୍ର ହେଲିକପ୍ଟର ଆକାଶ ମାର୍ଗରେ ପଇଁତରା ମାରିବା ସହ ଟ୍ରାଏଲ ରନ୍ କରିଛି। ବାୟୁସେନାର ଏକ ପାଞ୍ଚ ଜଣିଆ ଟିମ୍ ବାରିପଦାରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକ ଲାଲ୍ ପାଣି ଓ ଉଦଳାରୁ ରବୀନ୍ଦ୍ର ନାୟକ
ଦୁଇ ଦିନିଆ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଗସ୍ତ ସମୟରେ ସେ ନିଜ ଜନ୍ମମାଟି ମୟୂରଭଞ୍ଜକୁ ଆସିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା ୨୦ ତାରିଖରେ ନୂଆଦିଲ୍ଲୀରୁ ବାହାରିବେ। ସେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବାୟୁସେନା ବିମାନ ଘାଟିରେ ଅବତରଣ କରିବେ। ସେଠାରୁ ସେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ବାରିପଦା ଆସିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଆଜି ବାୟୁସେନା ପକ୍ଷରୁ ଟ୍ରାଏଲ୍ ରନ କରାଯାଇଛି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଦୁଇ ଦୁଇ ଥର ବାରିପଦା ଆକାଶରେ ପଇଁତରା ମାରିବା ପରେ ଅବତରଣ କରିଛି। ଏଥିସହ ବାୟୁସେନାର ୫ ଜଣିଆ ଟିମ୍ ବାରିପଦାରେ ପହଞ୍ଚି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।
ସେପଟେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବାରିପଦା ଓ ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ଥିବାରୁ ମୋଟ୍ ୧୮ଟି ସ୍ଥାନରେ କ୍ୟାମ୍ପ କରା ଯାଇଥିଲା ବେଳେ ଓଡ଼ିଶାର ବିଭିନ୍ନ ଅଗ୍ନିଶମ ବିଭାଗ କର୍ମଚାରୀମାନେ ନିୟୋଜିତ ରହିଛନ୍ତି ବୋଲି ଜିଲ୍ଲା ଅଗ୍ନିଶମ ଅଧିକାରୀ ଭବେନ୍ଦନାଥ ଦେ କହିଛନ୍ତି।
ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି
ମୟୂରଭଞ୍ଜ ଜିଲ୍ଲାର ବିଶ୍ୱେଶ୍ୱର ନାଏକ। ପରିବାର ମୁହଁରେ ମେଞ୍ଚାଏ ଖୁସି ଦେବା ପାଇଁ ରୋଜଗାର ଆଶାରେ ରାଜ୍ୟ ବାହାରକୁ ଯାଇଥିଲେ। ଆଉ ଚାରଧାମ ରୋଡ୍ ପ୍ରୋଜେକ୍ଟ କାମରେ ନିଜକୁ ନିୟୋଜିତ କରିଥିଲେ। ସୁଖର ସଉଦା କରୁକରୁ ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଯମୁନୋତ୍ରୀ ଧାମକୁ ସଂଯୋଗ କରୁଥିବା ନିର୍ମାଣାଧୀନ ଟନେଲ୍ରେ ଫସି ଗଲେ। ସେହି ନିର୍ମାଣାଧୀନ ଟନେଲରେ କେବଳ ବିଶ୍ୱେଶ୍ୱର ଫସି ନାହାନ୍ତି, ଆହୁରି ୪୦ରୁ ଅଧିକ ଶ୍ରମିକ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି।
ଟନେଲ୍ ଭିତରେ ବିଶ୍ୱେଶ୍ୱର ଫସି ରହିଥିବା ଖବର ପାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ୪ ପରେ ମଧ୍ୟ ଉଦ୍ଧାର ହୋଇ ପାରୁନଥିବାରୁ ପରିବାର ଲୋକଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗିବାକୁ ଲାଗିଲାଣି। ଆଉ ଉଦ୍ଧାରକାରୀ ଦଳ ଓ ପ୍ରଶାସନ ଉପରେ ଭରସା ପାଉନି। ସେପଟେ ଅପ୍ଡେଟ୍ ଖବର ମିଳୁନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏବେ ବାବା ଝାଡେଶ୍ୱରଙ୍କ ଶରଣ ପଶିଛନ୍ତି ବିଶ୍ୱେଶ୍ୱରଙ୍କ ପତ୍ନୀ ସୁକାନ୍ତି ଓ ପରିବାର ଲୋକେ। ସମସ୍ତେ ଆଜି ମହାଦେବ ମନ୍ଦିରରେ ଜଳାଭିଷେକ କରିଛନ୍ତି। ସୁରକ୍ଷିତ ସ୍ୱାମୀଙ୍କ ଉଦ୍ଧାର ପାଇଁ ମହାଦେବଙ୍କୁ ପ୍ରାର୍ଥନା କରିଛନ୍ତି ପତ୍ନୀ ସୁକାନ୍ତି।
ଟୋନାଲ ନିର୍ମାଣ କାର୍ଯ୍ୟରେ ୪୦ରୁ ଅଧିକ ଶ୍ରମିକ ନିୟୋଜିତ ହୋଇଥିଲେ। ସେଥିରେ ଓଡ଼ିଶାରୁ ୫ ଜଣ ଶ୍ରମିକ ଥିଲେ। ସେହି ୫ ଜଣଙ୍କ ଭିତରେ ମୟୂରଭଞ୍ଜ ଜିଲ୍ଲାରୁ ୩ ଜଣ ଅଛନ୍ତି। ସେମାନେ ହେଲେ ବିଶ୍ୱଶ୍ୱର ନାଏକ, ଧୀରେନ ନାଏକ ଓ ରାଜୁ ନାଏକ। ସୁରକ୍ଷିତ ଉଦ୍ଧାର ପାଇଁ ସମସ୍ତଙ୍କ ପରିବାର ଲୋକେ ଭଗବାନଙ୍କ ଭରସାରେ ଅଛନ୍ତି।
ସେପଟେ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ନରୱେ ଓ ଥାଇଲାଣ୍ଡରୁ ଆସିଛନ୍ତି ବିଶେଷଜ୍ଞ ଟିମ୍। ଥାଇଲାଣ୍ଡରୁ ଆସିଥିବା ବିଶେଷଜ୍ଞ ଟିମ୍ ପୂର୍ବରୁ ଗୁମ୍ଫା ଭିତରେ ଫସିଥିବା କିଛି ପିଲାଙ୍କୁ ଉଦ୍ଧାର କରିଥିଲା। ତେଣୁ ଏପରି ଅପରେସନରେ ସେହି ବିଶେଷଜ୍ଞ ଟିମର ସାହାଯ୍ୟ କାମରେ ଆସିବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ଟନେଲ୍ ଭିତରକୁ ଯିବା ପାଇଁ ସ୍ୱତନ୍ତ୍ର ପ୍ରକାର ଡ୍ରିଲିଂ ମେସିନ ମଧ୍ୟ ଆସିଛି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
କରଞ୍ଜିଆ ବନାଞ୍ଚଳରେ ଦୀର୍ଘ ଦିନ ହେଲା ବେଆଇନ୍ ଭାବେ ନିରୀହ ବନ୍ୟ ଜୀବଜନ୍ତୁଙ୍କୁ ଶିକାର କରାଯାଉଥିଲା। ଏଥିସହ ବନ୍ୟ ଜୀବଜନ୍ତୁଙ୍କ ଛାଲ, ଦାନ୍ତ, ଚମଡା ଓ ଅନ୍ୟାନ୍ୟ ବହୁମୂଲ୍ୟ ଦ୍ରବ୍ୟକୁ ଚାଲାଣ କରାଯାଉଥିଲା। ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁ ବନ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନଥିଲା। ତେବେ କେନ୍ଦୁମୁଣ୍ଡି ଅଞ୍ଚଳରେ ଡିଲ୍ ଚାଲିଥିବା ବେଳେ ବନ ବିଭାଗ ଅଚାନକ ଚଢ଼ଉ କରିଥିଲା।
ଚଢ଼ଉ ବେଳେଘଟଣା ସ୍ଥଳରୁ ୩ କିଲୋ ୬ଶହ ଗ୍ରାମ ବଜ୍ରକପ୍ତା କାତି ଓ ୪ଟି ମୋବାଇଲ୍ ଜବତ କରିଥିଲା। ଏଥିସହ ଗୌରାଙ୍ଗ ମାଙ୍କିଡିଆ, ମାଣିକ ଦେଓଗାମ, ମାଟୁ ହୋ ଓ ସାଲାଇ ସିଦୁକୁ ଗିରଫ କରିଥିଲା ବନ ବିଭାଗ। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗଗନେଇ। ତେବେ କେତେଦିନ ଧରି ଏମାନେ ଶିକାର କରୁଥିଲେ ଓ କେଉଁ ଅଞ୍ଚଳକୁ ଚାଲାଣ କରୁଥିଲେ, ତାହା ଉପରେ ସ୍ପଷ୍ଟ ଭାବେ କିଛି ଜଣାପଡ଼ି ନାହିଁ। ତାହା ଉପରେ ବନ ବିଭାଗ ତଦନ୍ତ ଚଳାଇଛି।
ରିପୋର୍ଟ-ବାରିପଦାରୁ ମାନିକ୍ ଲାଲ ପାଣି
ଆଜି ସକାଳେ ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ପାଖରେ ଜଙ୍ଗଲରେ ଦୁର୍ଗନ୍ଧ ହେଉଥିଲା। ସ୍ଥାନୀୟ ଲୋକେ ଖୋଜାଖୋଜି କରିବାରୁ ଜଙ୍ଗଲ ଯିବା ରାସ୍ତା ପାର୍ଶ୍ୱରେ ଏକ ଗଛ ମୂଳରେ ମୃତଦେହ ପୋତା ହୋଇଥିବା ଦେଖିବାକୁ ମିଳିଥିଲା। ପରେ ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ସରପଞ୍ଚ ଓ ପୁଲିସକୁ ଖବର ଦେଇଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ଏସ୍ଡ଼ିପିଓ ସୁବ୍ରତ କୁମାର, ଠାକୁରମୁଣ୍ଡା ଥାନା ଅଧିକାରୀ ସାବିତ୍ରୀ ଦଳେଇ ଓ ସାଇଣ୍ଟିଫିକ୍ ଟିମ୍ ଜଙ୍ଗଲରେ ପହଞ୍ଚିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୁଲିସ୍ ମାଟି ଖୋଳି ମୃତଦେହ ବାହାର କରିଥିଲା।
ପୁଲିସ୍ ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତଦେହକୁ କମଳରେ ଘୋଡ଼ାଇ ରଶୀରେ ବାନ୍ଧି ପୋତି ଦେଇଥିବା ଦେଖିବାକୁ ମିଳୁଛି। ହେଲେ ତାଙ୍କ ପରିଚୟ ମିଳିପାରି ନାହିଁ। ପ୍ରାଥମିକ ତଦନ୍ତରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହନ୍ତ
ବାରିପଦା ସହର ଶ୍ରୀପଦଗଞ୍ଜ ସାହିର ୬୫ ବର୍ଷୀୟା ବନବାସୀନି ବେହେରା। ଦୀର୍ଘ ଦିନ ତଳେ ସ୍ୱାମୀଙ୍କୁ ହରାଇଥିଲେ। ସ୍ୱାମୀଙ୍କ ଦେହାନ୍ତ ପରେ ହାର ମାନିନଥିଲେ। ଦୁଇ ଝିଅଙ୍କୁ ଗଢ଼ି ତୋଳିଥିଲେ। ସେମାନଙ୍କ ହାତ ଧରି ବଡ଼ କରାଇଥିଲେ। ହାତକୁ ଦି’ ହାତ କରାଇଥିଲେ। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଝିଅମାନେ ଶାଶୂ ଘରକୁ ଚାଲିଗଲେ। ନୂଆକରି ସଂସାର ଗଢ଼ିଲେ। ବନବାସୀନି ମାଉସୀ ସ୍ୱାମୀଙ୍କ ହାତ ଗଢ଼ା ଘରେ ଏକାକୀ ରହୁଥିଲେ।
ବନବାସୀନି ମାଉସୀଙ୍କ ପାଚେରୀ ପାର୍ଶ୍ୱରେ ଗାଁର କିଛି ବୟସ୍କ ବ୍ୟକ୍ତି ବସି ହରି ନାମ ଧରୁଥିଲେ। ଭଜନ କୀର୍ତ୍ତନରେ ମନୋନିବେଶ କରୁଥିଲେ। ଦୁଇ ଝିଅଙ୍କୁ ବାହା କରାଇବା ପରେ କେବେ ଏକାକୀ ଭାବୁନଥିଲେ ବନବାସୀନି ମାଉସୀ। ସଞ୍ଜ ନଇଁ ଆସିଲେ ଧାଇଁ ଆସୁଥିଲେ ନିଜ ପାଚେରୀ ପାଖକୁ। ଆଉ ହରି ସଂକୀର୍ତ୍ତନରେ ନିଜକୁ ବିଭୋର କରିଦେଉଥିଲେ। ସେ ସୟନେ ସପନେ ଜାଗରଣେ ସବୁବେଳେ ମହାପ୍ରଭୁଙ୍କ ନାମ ଧରୁଥିଲେ। ହରି ନାମ ଜପୁଥିଲେ।
ବନବାସୀ ମାଉସୀନିଙ୍କୁ ଏବେ ବୟସ ହେଲାଣି ୬୫ବର୍ଷ। ବାର୍ଦ୍ଧକ୍ୟରେ ନେଲେ ବଡ଼ ନିଷ୍ପତ୍ତି। ନିଜର ଘର ଡିହ ଖଣ୍ଡକୁ ଦାନ କରିବା ପାଇଁ ନିଷ୍ପତ୍ତି ନେଲେ। ତା’ପୂର୍ବରୁ ନିଜର ଦୁଇ ଝିଅଙ୍କ ପରାମର୍ଶ ଲୋଡିଲେ। ବଡ଼ ଝିଅ ଭାଗ ନେବେ ବୋଲି କହିଥିଲେ। ହେଲେ ସାନ ଝିଅ ମିତାରାଣୀ ବେହେରା ସମ୍ପତ୍ତିରୁ ଭାଗ ନେବେ ନାହିଁ ବୋଲି କହିଥିଲେ। ଏହା ପରେ ବନବାସୀ ମାଉସୀନି ମାଉସୀ ନିଜର ଘରଡିହକୁ ୩ ଭାଗରେ ବିଭକ୍ତ କରିଦେଲେ। ଗୋଟିଏ ଭାଗ ବଡ଼ଝିଅକୁ ଦେଇଦେଲେ। ଆଉ ସାନ ଝିଅ ଓ ନିଜ ଭାଗ ଘରଡିହ ଜମିକୁ ଗାଁ ଲୋକଙ୍କୁ ଦାନ କରିଦେଲେ। ପାଚେରୀ ପାର୍ଶ୍ୱରେ ହରି ନାମ ସଂକୀର୍ତ୍ତନ କରୁଥିବା ଗାଁ ଲୋକଙ୍କୁ ଦାନ କରିଦେଲେ। ସାହି ପଡ଼ିଶାଙ୍କୁ ଡାକି ନିଜ ଘର ଓ ଜଗାକୁ ସଂକୀର୍ତ୍ତନ ପାଇଁ ଦାନପତ୍ରରେ ଲେଖିଦେଇଛନ୍ତି ବନବାସୀ ମାଉସୀ। ନିଜର ଘର ଡିହ ଦାନ କରିବା ପରେ ବନବାସୀ ମାଉସୀନି ଏବେ ନିଜ ସାନ ଝିଅ ପାଖରେ ରହୁଛନ୍ତି।
ବନବାସୀନି ମାଉସୀ କହିଛନ୍ତି, ସେ ଦିନେ ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ଫେରିବା ପରେ ଜଗା ସ୍ୱପ୍ନରେ ଆସିଥିଲେ। ଡାକି ଉଠାଇଥିଲେ। ତା’ପରେ ମୁଁ ମନସ୍ତ କଲେ। ଘର ଡିହଟିକୁ ଦାନ କରିଦେବା ପାଇଁ।
ସେପଟେ ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟ ଗୌରହରି ନାୟକ କହିଛନ୍ତି, ତାଙ୍କର ଜମିବାଡ଼ି କିଛି ନାହିଁ। କେବଳ ଏହି ଘର ଖଣ୍ଡିକ ରହିଥିଲା। ସେ ସେହି ଘରକୁ କୀର୍ତ୍ତନ ମଣ୍ଡଳୀକୁ ଦାନ କରିଦେଲେ। ସେଥିପାଇଁ ଆମେ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଉଛୁ ବୋଲି ଶ୍ରୀ ନାୟକ କହିଛନ୍ତି।
ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି
ଅଞ୍ଜନା ମାର୍ଣ୍ଡି ତାଙ୍କ ଚିତ୍ରରେ ଶିମିଳିପାଳ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ଜୀବନ ଶୈଳୀକୁ ଅତି ନିଖୁଣ ଭାବେ ବର୍ଣ୍ଣନା କରିଥିଲେ। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସହିତ ସୁସମ୍ପର୍କ ରଖି କେମିତି ପାରମ୍ପରିକ ଏବଂ ସାଂସ୍କୃତିକ ଢଙ୍ଗରେ ଆଦିବାସୀମାନେ ଜୀବନ ଅତିବାହିତ କରୁଛନ୍ତି, ତାହାକୁ ଖୁବ୍ ସୁନ୍ଦର ଭାବରେ ଦେଖାଇଥିଲେ ଅଞ୍ଜନା। ଏହାଛଡ଼ା ନିଜ ହାତରେ ତିଆରି କରିଥିବା ରାଷ୍ଟ୍ରପତିଙ୍କ ପେନ୍ସିଲ୍ ସ୍କେଚ୍କୁ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଞ୍ଜନା ପ୍ରଦାନ କରିଛନ୍ତି।
ରିପୋର୍ଟ- ମାନିକଲାଲ୍ ପାଣି