ନୂଆଦିଲ୍ଲୀରେ ବିଜେପିରେ ମିଶିବା ପରେ ଶ୍ରୀ ମହତାବ ଓଟିଭିକୁ କହିଛନ୍ତି, ପାପ ଶକ୍ତି ବିରୋଧରେ ଲଢ଼ିବାକୁ ଯାଉଛି। ସେହି ପାପ ଶକ୍ତି ବିରୋଧରେ ଲଢ଼ିବାର ଏକ ମାତ୍ର ଆୟୁଧ ହେଉଛି ଧର୍ମ ଓ ନ୍ୟାୟ। ଆଉ ତାକୁ ଆୟୁଧ କରି ସମୁଦ୍ରରେ ସେତୁ ବନ୍ଧ ବାନ୍ଧିବାର ଅଛି ଏବଂ ଲଙ୍କା ଜୟ କରିବାର ରହିଛି। ମାତା ସୀତାଙ୍କୁ ଉଦ୍ଧାର କରିବାର ରହିଛି। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ ମାତା ସୀତା କିଏ? ମାତା ସୀତା ହେଉଛନ୍ତି ଓଡ଼ିଶାର ଅସ୍ମିତା। ଯେଉଁ ଅସ୍ମିତା ଆଜି କ୍ଷମତାର ବଳୟ ଭିତରେ ବନ୍ଦୀ ହୋଇଛି ବୋଲି ଶ୍ରୀ ମହତାବ କହିଛନ୍ତି।
ଓଡ଼ିଶାର ଅସ୍ମିତା କ’ଣ ସଙ୍କଟରେ ପ୍ରଶ୍ନରେ ଶ୍ରୀ ମହତାବ କହିଲେ, ଓଡ଼ିଶାର ଅସ୍ମିତା କେବଳ ସଙ୍କଟରେ ନୁହେଁ, ସିଏ ଆଜି ବନ୍ଦୀ। ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନଙ୍କୁ ପଚାରନ୍ତୁ ଓଡ଼ିଶାର ଅସ୍ମିତା କ’ଣ? ଓଡ଼ିଆଙ୍କ ଅସ୍ମିତା କ’ଣ? ଅସ୍ମିତା ହେଉଛି ଆମେ ଯାହାକୁ ନେଇ ଗର୍ବ ଅନୁଭବ କରିବା କଥା। ଯେଉଁଠି ଉତ୍କଳ କେଶରୀ ହରେକୃଷ୍ଣ ମହାତବଙ୍କୁ ହରେକୃଷ୍ଣ ମହାନ୍ତି କୁହାଯାଉଛି, ସେଠି ଆଉ କେତେ କେତେ ଜଣଙ୍କ ନାଁ କହିବି? ତା’ହେଲେ ସେ ଭାଷା ସମ୍ମିଳନୀର ମାନେ କ’ଣ ଅଛି? ଯେଉଁଠି ଭାଷଣ ପଢ଼ିଲା ବେଳେ ‘କାନ୍ତକବି’ ‘କଣ୍ଠକବି’ ହେଇଯାଉଛି। ସେହି ସବୁ ସମ୍ମିଳନୀର ଉଦ୍ଦେଶ୍ୟ କ’ଣ? ଆମର ମନିଷୀ ଓ ସାହିତ୍ୟିକଙ୍କୁ କ’ଣ ତାଚ୍ଛଲ୍ୟ କରିବା? ଦୁଇ ଦିନ ତଳେ ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ-ବେସିକ ସାଇନ୍ସ ରାସ୍ତାରେ ଗଲା ବେଳେ ଦେଖିଲି କିଛି ପ୍ରତିମୂର୍ତ୍ତି। ସେହି ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱ ଅଳିଆ ଆବର୍ଜନା ଓ ଘାସରେ ଭର୍ତ୍ତି ହୋଇଛି। ମୂର୍ତ୍ତି ବସାଇଦେଇ ତା’ ତଳେ ନିଜ ନାଁ ଲେଖି ଦେବାଟା କ’ଣ ଓଡ଼ିଆ ଅସ୍ମିତା? ଏସବୁ ପୁଞ୍ଜିଭୂତ କ୍ରୋଧ ଓଡ଼ିଶାବାସୀଙ୍କ ମନରେ ରହିଛି ବୋଲି ଶ୍ରୀ ମହତାବ କହିଛନ୍ତି।
ଆଜି ସେ ପୁଣି ଥରେ ବିଜେଡି ବିରୋଧରେ ଗର୍ଜିଛନ୍ତି। ଭର୍ତ୍ତୃହରି ମହତାବ କହିଛନ୍ତି, ଗୋଟିଏ ଆଞ୍ଚଳିକ ଦଳ ସାମୁହିକ ଉତ୍ତର ଦାୟିତ୍ୱରେ ଚାଲୁଥିଲା। ୨୦୦୪ ପରଠାରୁ ତାହା ଦୁଇ ଜଣଙ୍କ ଭିତରେ ସୀମିତ ହୋଇଗଲା। ୨୦୧୯ରେ ଯିଏ ନେତା ଥିଲେ, ସିଏ ନେତା ହୋଇ ଆଉ ଦଳ ସଞ୍ଚାଳନ କଲେନି। ଆଜି ନିଷ୍ପତ୍ତି ଆଉ ଜଣେ ତାଙ୍କର କା’ ହିସାବରେ କରୁଛନ୍ତି। ସେଠି ଆଉ ଦଳ କାହିଁ? ସେଇଟା ଜଣତନ୍ତ୍ର ହୋଇଗଲା। ଜଣତନ୍ତ୍ରରେ ମତ ପ୍ରକାଶ କରିବାର କୌଣସି ସୁଯୋଗ ନାହିଁ। ଭିନ୍ନ ମତର କୌଣସି ସମ୍ମାନ ନାହିଁ। ଆଉ ତା’ହେଲେ ଗଣତନ୍ତ୍ର କ’ଣ? କେବଳ କିଛି ଟଙ୍କା ଫୋପାଡି, ଯିଏ ଭାବୁଛନ୍ତି ଆମର ସଂଖ୍ୟା ବଢ଼ୁଛି, ତାର ପରୀକ୍ଷା ଏହି ନିର୍ବାଚନରେ ହୋଇଯିବ ବୋଲି ମହତାବ କହିଛନ୍ତି।
ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ କହିଛନ୍ତି, ୧୭ତମ ଲୋକସଭାର କାର୍ଯ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ଯ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି। ତେବେ ଏଠି ପ୍ରଶ୍ନ ହେଉଛି କାହିଁକି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି, ବିଜେଡିରେ ବହୁ ପରିବର୍ତ୍ତନ ହୋଇଯାଇଛି। ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦଳ ଯେଉଁଭଳି ପରିଚାଳିତ ହେଉଛି, ତାହାର ସଂଶୋଧନ ପାଇଁ ବହୁବାର ଉଦ୍ୟମ କରିଛି ଓ କହିଛି। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ ପୁନର୍ବାର ଯେତେବେଳେ ନିର୍ବାଚନ ଆସିବାକୁ ଯାଉଛି, ମୁଁ ଭାବୁଛି ଦଳଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାର୍ଯ୍ୟ କରିପାରିବି। ମୁଁ ଯେତେବେଳେ ବନ୍ଧନରେ ରହିଯାଉଥିଲି, ସେତେବେଳେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା। ଯଦି କିଛି କହିଲି, ତାକୁ କଦର୍ଥ କରି ସମାଲୋଚନା କରାଯାଉଥିଲା। ଭଲ ହେବ ଯଦି ମୁଁ ଦଳଠାରୁ ଦୂରେଇ ଯିବି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଲି ବୋଲି ଶ୍ରୀ ମହତାବ କହିଛନ୍ତି।
ନିଜ ନାଁରେ ଚାର୍ଜଫ୍ରେମ୍ ନେଇ ଶ୍ରୀ ମହତାବ କହିଛନ୍ତି, ରାଜ୍ୟରେ ବିଜେଡି ଶାସନ ଚାଲିଛି। ମୋକଦ୍ଦମା କରିଛି ବିଜେଡି ସରକାର। ତାହା ପୁଣି ବିଜେଡି ସାଂସଦ ବିରୋଧରେ ଓ ୧୩ ବର୍ଷ ପରେ। ଏତେ ପରେ କ’ଣ ସବୁ କଥା ବୁଝାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।
ବିଜେପିରେ ମିଶିବା ପ୍ରଶ୍ନରେ ଭର୍ତ୍ତୃହରି ମହତାବ କହିଛନ୍ତି, ଜଣେ ବନ୍ଧୁ ହିସାବରେ ପଚାରୁଛି ମୋତେ କ’ଣ କରିବା ଦରକାର? ବିଜେପିରେ ମିଶିବା କଥା ବର୍ତ୍ତମାନ ସୁଦ୍ଧା ଚିନ୍ତା କରିନାହିଁ। ଆଜି ବିଜେଡିରୁ ଇସ୍ତଫା ଦେଇଛି। ଆଗକୁ କ’ଣ କରିବି ସମୟ କହିବ ବୋଲି ଭର୍ତ୍ତୃହରି କହିଛନ୍ତି।
ଇସ୍ତଫାପତ୍ରରେ କ’ଣ ଲେଖିଛନ୍ତି?
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଲେଖିଥିବା ଇସ୍ତଫାପତ୍ରରେ ଭର୍ତ୍ତୃହରି ଲେଖିଛନ୍ତି- ପ୍ରିୟ ନବୀନ ବାବୁ, ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି। ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।
କାହିଁକି ଦେଲେ ଇସ୍ତଫା?
ଭର୍ତ୍ତୃହରି ମହତାବ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା। ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ। ବହୁତ ସହିଛି। ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି। ନିଷ୍ପତ୍ତି କଠୋର ହୋଇପାରେ। କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି।
କଲେକ୍ଟିଭ୍ ରେସ୍ପନ୍ସିବିଲିଟି ନାହିଁ
ସେ କହିଛନ୍ତି, ରାଜ୍ୟରେ ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି। କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି ତାହା ଜାଣିବା ପାଇଁ ଡାଏରି ଦେଖିବାକୁ ପଡ଼ିବ। ବିଜେଡି ତିଆରି ବେଳେ ଏକ କଲେକ୍ଟିଭ୍ ରେସ୍ପନ୍ସିବିଲିଟି ଥିଲା। ତାହା ଆମେ ଅନେକ ଦିନରୁ ହଜାଇ ଦେଲୁଣି।
ଅନୈତିକ ମେଣ୍ଟ ହେବାକୁ ଯାଉଥିଲା
ବେଶ୍ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏହା ଅନ୍ ଏଥିକାଲ ହୋଇଥା’ନ୍ତା ବୋଲି କହିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଏକ ଅନ୍ ଏଥିକାଲ ବା ଅନୈତିକ ମେଣ୍ଟ ହେବାକୁ ଯାଉଥିଲା। ମେଣ୍ଟ ହେଲାନାହିଁ। ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ।
କେଉଁ ଦଳକୁ ଯିବେ?
ବିଜେଡି ଛାଡ଼ିବା ପରେ ବିଜେପିକୁ ଯିବେ କି ଭର୍ତ୍ତୃହରି ମହତାବ? ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଜବାବରେ ସେ କହିଛନ୍ତି- ଏକଥା ସମୟ କହିବ।ପୁଣି ଏକ ବନ୍ଧନ ଭିତରକୁ ଯିବି କି ନାହିଁ ସମୟ କହିବ। ବନ୍ଧୁ, ଶୁଭେଚ୍ଛୁ ଏବଂ ମୋ ଲୋକମାନଙ୍କ ମତାମତ ନେବି।
୧୩ ବର୍ଷ ପରେ ଚର୍ଜଫ୍ରେମ
ଜଣେ ପୁଲିସ୍ ଏସ୍ଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୧୩ ବର୍ଷ ପରେ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ନିଜ ସାଂସଦଙ୍କ ନାଁରେ ନିଜ ସରକାର ଚାର୍ଜଫ୍ରେମ୍ କରିଛନ୍ତି। ଏନେଇ ଆଉ ବେଶୀ କିଛି କହିବିନି।
‘ଦଳରେ ଭିନ୍ନମତ କଣ ନେତା ବିରୋଧୀ?’ ଶୀର୍ଷକ ସମ୍ପାଦକୀୟରେ ଭର୍ତ୍ତୃହରି ଲେଖିଛନ୍ତି, ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧି ହୁଅନ୍ତୁ କିମ୍ବା ପାର୍ଲାମେଣ୍ଟକୁ, ସେମାନେ ଦଳୀୟ ନେତାଙ୍କ ନିର୍ଦ୍ଦେଶରେ ମତ ପ୍ରଦାନ କରିବାକୁ ବାଧ୍ୟ ହେଉଛନ୍ତି। ଗୃହ ଭିତରେ ଆଉ ବୌଦ୍ଧିକ ବିଚାର-ଆଲୋଚନା ହେଉନାହିଁ କି ହୋଇପାରୁନାହିଁ। ଜଣେ ଚାହିଁଲେ ବି ଏହା ହୋଇପାରୁ ନାହିଁ। କାରଣ ଦଳର ଦୃଷ୍ଟିକୋଣକୁ ହିଁ କେବଳ ଗୃହରେ ଉପସ୍ଥାପନ କରିବା ଏକପ୍ରକାର ବାଧ୍ୟ କରାଯାଉଛି। ଯଦି କେହି ଦଳୀୟ ନେତାଙ୍କ ସ୍ୱାର୍ଥ ବିରୋଧୀ କିନ୍ତୁ ଦେଶ ବା ରାଜ୍ୟ ସପକ୍ଷରେ ମତ ଦେଲା, ତେବେ ତାହାକୁ ଦଳ ବିରୋଧୀ ବୋଲି ଆଖ୍ୟା ଦେବାକୁ ଦୁଇ ମିନିଟ୍ ବି ଲାଗୁନଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭର୍ତ୍ତୃହରି।
ସେ ଆହୁରି ଲେଖିଛନ୍ତି, ଯଦି ସେହି ଦଳ ସରକାରରେ ଅଛି, ତେବେ କିଛି ପଣ୍ଡିତ ଅଫିସର ହିଁ ସରକାରଙ୍କ ନୀତି ନିର୍ଦ୍ଧାରଣ କରିନେଉଛନ୍ତି ଏବଂ ତାକୁ ହିଁ ଶାସକ ଦଳର ନୀତି ଭାବେ ଲଦି ଦିଆଯାଉଛି। କୌଣସି ପ୍ରସଙ୍ଗ ନେଇ ଭିନ୍ନମତ ପ୍ରକାଶ ପାଇବା ଏବଂ ସେନେଇ ବିତର୍କ କରାଯିବାର ସୁଯୋଗ ମିଳୁନାହିଁ। ଏହା ବାସ୍ତବରେ ଦଳ ବିରୋଧୀ ନା ନେତାଙ୍କ ସ୍ୱାର୍ଥ ବିରୋଧୀ ବୋଲି କହି ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଭର୍ତ୍ତୃହରି।
କମ୍ପାନୀ ମାଲିକ ଯେଭଳି ନିଜର କିଛି ଅନୁଗତ ମ୍ୟାନେଜର ଏବଂ ଗୁମାସ୍ତା ରଖି ସଂସ୍ଥାର ପରିଚାଳନା କରେ, ସେଭଳି ଢଙ୍ଗରେ ଅଧିକାଂଶ ରାଜନୈତିକ ଦଳ ଚାଲିଛି ବୋଲି ସାଂସଦ ଶ୍ରୀ ମହତାବ ଲେଖିଛନ୍ତି। ସେ ଲେଖିଛନ୍ତି, ଯେଉଁ ରାଜନୈତିକ ଦଳରେ ବିଚାରବିମର୍ଶ ବନ୍ଦ ହୋଇଯାଉଛି ବା ସଂକୁଚିତ ହୋଇଯାଇଛି, ସେ ଦଳଠାରୁ ଗଣତାନ୍ତ୍ରିକ ବ୍ୟବହାର ଆଶା କରିବା ବୃଥା। ଏହି ଆଲେଖ୍ୟରେ ଭର୍ତ୍ତୃହରି ମହତାବ ଅବଶ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳ ବା ବ୍ୟକ୍ତି ବିଶେଷଙ୍କ ନାଁ ନେଇନାହାନ୍ତି।
ଅନ୍ୟପକ୍ଷରେ ତିନି ଦିନ ତଳେ ବିଜେଡି ଉପସଭାପତି ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟ ତାଙ୍କ ମାଲିକାନାରେ ଥିବା ଦୈନିକ ‘ସମ୍ବାଦ’ରେ ଆମ ଘରର ହାଲଚାଲ ସ୍ତମ୍ଭରେ ‘ଶ୍ରେଣୀରେ ପ୍ରଥମ ହେଲା ପରେ ବି କପି ?’ରେ ରାଜ୍ୟରେ କୋଭିଡ୍ ପରିଚାଳନା ଓ କୋଭିଡଜନିତ ମୃତ୍ୟୁକୁ ଲୁଚାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉଥିବା ପ୍ରୟାସକୁ ଉଲ୍ଲେଖ କରିଥିଲେ। ଏହା ସହିତ ସେ ପରୋକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ପରିଚାଳନା ଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ।
ଏହି ଆଲେଖ୍ୟରେ ସୌମ୍ୟ ଆହୁରି ଲେଖିଥିଲେ, ନବୀନ କୌଣସି କର୍ମୀ ଓ ସାଧାରଣ ଲୋକଙ୍କ ଗହଳିରେ ରହିବାକୁ ପସନ୍ଦ କରନ୍ତି ନାହିଁ। ହାତଗଣତି କେତେଜଣ ରାଜନେତା ଓ ପ୍ରଶାସକଙ୍କ ସହାୟତାରେ କାର୍ଯ୍ୟ କରନ୍ତି। କରୋନା କଟକଣାରେ ଏହି ହାତଗଣତିଙ୍କ ସଂଖ୍ୟା ଆହୁରି ବି ସୀମିତ ହୋଇଯାଇଛି। ତେଣୁ କରୋନା ତଥ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କେତେ ଅବଗତ ଅଛନ୍ତି ଓ ତାଙ୍କ ପାଖରେ ପ୍ରକୃତ ତଥ୍ୟ ପହଞ୍ଚୁଛି କି ନାହିଁ ବୋଲି ସେ ପ୍ରଶ୍ନ କରିବାକୁ ପଛାଇ ନଥିଲେ।