ମଙ୍ଗଳବାର ନୀତୀଶ କୁମାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ। ଏଥିରେ ମେଓ୍ୱଲାଲା ଚୌଧୁରୀଙ୍କୁ ଶିକ୍ଷା ବିଭାଗ ଦେଇଥିଲେ ନୀତୀଶ। ମେଓ୍ୱାଲାଲ ଚୌଧୁରୀ ସହକାରୀ ପ୍ରଫେସର ଥିବା ବେଳେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଭଳି ଗୁରୁତର ମାମଲା ତାଙ୍କ ବିରୋଧରେ ରହିଛି। ଏବେ ତାଙ୍କୁ ଶିକ୍ଷା ମନ୍ତ୍ରୀ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦୁର୍ନୀତି କରିବାର ପୁରସ୍କାର ସ୍ୱରୂପ ମେଭାଲାଲଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି କି ବୋଲି ନୀତୀଶଙ୍କୁ ପ୍ରଶ୍ନ କରିଥିଲେ ଆରଜେଡି ନେତା ତେଜସ୍ୱୀ।
ସେହିଭଳି କଂଗ୍ରେସ ନେତା ଗୌରବ କହିଥିଲେ, ଡବଲ ଇଞ୍ଜିନ ସରକାରରେ ଦୁର୍ନୀତି କରିବା ପାଇଁ ମେଓ୍ୱାଲାଲ ଗୋଟିଏ ଇଞ୍ଜିନ ଏବେ ‘ସୁଶାସନ ବାବୁ’ଙ୍କୁ ଆଉ ଏକ ଇଞ୍ଜିନ୍ ଖୋଜିବା ଦରକାର ବୋଲି ସେ କହିଥିଲେ।
ନୀତୀଶ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଡକ୍ଟର ମେଓ୍ୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତିରେ ଯୋଗଦେବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ସେ ୨୦୧୫ ରେ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ରେ କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନେଇଥିଲେ ଏବେର ଶିକ୍ଷା ମନ୍ତ୍ରୀ।
୨୦୧୨-୨୦୧୩ ମସିହାରେ କୃଷି ବିଶ୍ୱବିଦ୍ୟାଳୟରେ ୧୬୧ ସହକାରୀ ପ୍ରଫେସର ଏବଂ ଜୁନିଅର ବୈଜ୍ଞାନିକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିହାର ରାଜ ଭବନଙ୍କ ନିର୍ଦ୍ଦେଶରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା। ପରେ ଫେବୃଆରୀ ୨୦୧୭ ରେ ସାବୋର ଥାନାରେ ପୂର୍ବତନ କୁଳପତି ମେଭାଲାଲଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।
ଆହୁରି ପଢ଼ନ୍ତୁ : ଶିକ୍ଷାମନ୍ତ୍ରୀଙ୍କୁ ଗାଇ ଆସେନାହିଁ ଜାତୀୟ ସଂଗୀତ!
ହେଲେ ଏନଡିଏ ବୈଠକରେ ହୋଇଥିବା ଆଲୋଚନା ଏବେ ସମସ୍ତଙ୍କୁ ଚକିତ କରିଛି। କାରଣ ରିପୋର୍ଟ ଅନୁଯାୟୀ ଏହି ବୈଠକରେ ବିଜେପିର ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ତାଙ୍କ ଆଗରେ ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ସିଧାସିଧା ମନା କରି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଏନଡିଏ ବିଧାୟକ ପାର୍ଟି ବୈଠକରେ ନୀତୀଶ କୁମାର ସମସ୍ତ ବିଧାୟକଙ୍କ ସାମ୍ନାରେ କହିଥିଲେ ଯେ ମୁଁ ବିଜେପିକୁ କହିଥିଲି ମୁଖ୍ୟମନ୍ତ୍ରୀ ଚେହେରା ବିଜେପିରୁ ହେବା ଦରକାର। କାରଣ ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ହେଲେ ବିଜେପି ପ୍ରସ୍ତୁତ ନୁହେଁ। ଆମେ କେବଳ ବିଜେପିର ଆଦେଶ ପାଳନ କରୁଛୁ ବୋଲି ସେ କହିଥିଲେ। ହେଲେ ବିଜେପି ନୀତୀଶଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା। କାରଣ ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ। ବିହାର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ସାରିଛନ୍ତି। ନୀତୀଶଙ୍କ ନେତୃତ୍ୱରେ ଏନଡିଏ ପ୍ରତିଶ୍ରୁତି ପୂରଣ କରିବ ବୋଲି ମୋଦି କହିଥିଲେ। ଆମେ ସମସ୍ତେ ନୀତୀଶଙ୍କ ନେତୃତ୍ୱକୁ ସମର୍ଥନ କରୁଛୁ ବୋଲି ସେ କହିଥିଲେ।
ନୀତୀଶଙ୍କ ଏହି ମନ୍ତବ୍ୟ ବିରୋଧୀଙ୍କ ଆକ୍ଷେପକୁ ଆଧାର କରି ସେ କହିଥିବା ଆକଳନ କରାଯାଉଛି। କାରଣ ବିରୋଧୀ ନୀତୀଶଙ୍କୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଜେଡିୟୁକୁ ଜନାଦେଶ ମିଳିନି। ମାତ୍ର ୪୦ଟି ଆସନରେ ବିଜୟୀ ହୋଇ ସେ କେମିତି ମୁଖ୍ୟମନ୍ତ୍ରୀ ଆସନରେ ବସୁଛନ୍ତି। ତେଣୁ ବୈଠକରେ ବୋଧହୁଏ ଏହି କାରଣ ପାଇଁ ନୀତୀଶ କହିଥିଲେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଦେଉ।
ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନଡିଏକୁ ୧୨୫ ଆସନ ଯାଇଥିବା ବେଳେ ମହାମେଣ୍ଟକୁ ୧୧୦ ଆସନ ମିଳିଛି। ଆରଜେଡିକୁ ୭୫, ବିଜେପିକୁ ୭୪, ଜେଡିୟୁ ୪୩, କଂଗ୍ରେସ ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛନ୍ତି। ମହାମେଣ୍ଟରେ ଆରଜେଡି, କଂଗ୍ରେସ ସମେତ ୧୦ଟି ଦଳ ରହିଛନ୍ତି।
ଆଗକୁ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡ଼ିବା ପରେ ସୁଶୀଲ୍ ମୋଦି କୁଆଡ଼େ ଯିବେ?
ସେପଟେ ଆଜି ପାଟନାରେ ନବ ନିର୍ବାଚିତ ବିଜେପି ବିଧାୟକମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ବୈଠକରେ ବିଜେପି ବିଧାୟତ ଦଳ ନେତା ଚୟନ କରାଯିବ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିବେ। ବିଜେପି ନିଜ ପକ୍ଷରୁ କାହାକୁ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିବ ତାହା ମଧ୍ୟ ବୈଠକ ପରେ ସ୍ପଷ୍ଟ ହୋଇଯିବ। ତେବେ ସରକାର ଗଠନ କରିବା ନେଇ ଆଲୋଚନା କରିବାକୁ ଦଳ ପକ୍ଷରୁ ବିଜେପି ବରିଷ୍ଠ ନେତା ତଥା ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ଦିଲ୍ଲୀ ଡକାଯାଇଛି।
ସୂଚନାଯୋଗ୍ୟ, ପ୍ରାୟ 12.30 ସମୟରେ ବିଜେପି ବିଧାୟକ ଦଳ ବୈଠକ ପରେ ଏନଡିଏ ନବନିର୍ବାଚିତ ବିଧାୟକମାନଙ୍କ ବୈଠକ ଆରମ୍ଭ ହେବ। ଏଥିରେ ବିଜେପି, ଜେଡିୟୁ. ଭିଆଇରି ଏବଂ ହମ୍ ଦଳର ବିଧାୟକମାନେ ଉପସ୍ଥିତ ରହିବେ। ବୈଠକରେ ଏନଡିଏର ସମସ୍ତ 125 ବିଧାୟକଙ୍କୁ ଡକାଯାଇଛି। ନଭେମ୍ବର 13ରେ ବିହାରରେ ସରକାର ଗଠନ ନେଇ ପ୍ରଶ୍ନ ଉଠିବାରୁ ନୀତିଶ କୁମାର କହିଥିଲେ ଯେ, ନଭେମ୍ବର 15ର ବୈଠକରେ ସରକାର ଗଠନ କରାଯିବା ନେଇ ସମସ୍ତ ନିଷ୍ପତ୍ତି ନିଆଯିବ।
ଏହି ବୈଠକରେ ଔପଚାରିକ ଭାବେ ନୀତିଶ କୁମାରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ। ଅନ୍ୟପଟେ ବିହାର ନିର୍ବାଚନରେ ଏନଡିଏ ବିଜୟୀ ହେବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଶୁକ୍ରବାର ରାଜ୍ୟପାଳ ଫାଗୁ ଚୌହାନଙ୍କୁ ନିଜ ଇସ୍ତଫା ଦେଇସାରିଛନ୍ତି। ରାଜ୍ଯପାଳ ବିହାର ବିଧାନସଭାକୁ ଭଙ୍ଗ କରିବା ସହ ନୂଆ ସରକାର ଗଠନ ହେବା ନେଇ ସାମ୍ବିଧାନିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।
ହେଲେ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଦଳ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଜିତିଛି। ତେଣୁ ବଡ଼ ଭାଇ ରହିଥିବା ଜେଡିୟୁ ଏବେ ସାନ ଭାଇ ହୋଇଯାଇଛି। ଏବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଏନଡିଏ ମେଣ୍ଟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନା ବିଜେପିର କେଉଁ ନେତା ଏହି ପଦ ସମ୍ଭାଳିବେ, ତା’କୁ ନେଇ ରାଜନୀତି ସରଗରମ ହୋଇଛି।
ଏସବୁ ଭିତରେ ନୀତୀଶ କୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ କୌଣସି ଦାବି କରି ନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତା’ର ନିଷ୍ପତ୍ତି ଏନଡିଏ ନେବ। ଆମେ ବର୍ତ୍ତମାନ ନିର୍ବାଚନର ଫଳାଫଳକୁ ସମୀକ୍ଷା କରୁଛୁ।
ଆସନ୍ତାକାଲି ଏନଡିଏ ବୈଠକ ବସିବ। ଏଥିରେ ସମସ୍ତ ୪ ଦଳର ସଦସ୍ୟ ଯୋଗଦେବେ। ସେହିପରି ଶପଥ ପାଠ ଉତ୍ସବ କେବେ ଆୟୋଜନ କରାଯିବ, ସେ ସମ୍ପର୍କରେ ଏଯାଏ ନିଷ୍ପତ୍ତି ହୋଇନାହିଁ। ଶପଥ ପାଠ କାର୍ଯ୍ୟକ୍ରମ ଛଟ ପୂଜା ପରେ କିମ୍ବା ଦୀପାବଳି ପରେ ଆୟୋଜନ କରାଯିବ, ତା’ ଉପରେ କୌଣସି ଆଲୋଚନା ହୋଇନି। ଆଜି ଜେଡିୟୁର ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ ହୋଇଛି। ଏନଡିଏ ହିଁ ରାଜ୍ୟରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।
ପଢ଼ନ୍ତୁ: ବିହାରରେ ୬୮% ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା
ଆରଜେଡି ନେତା ତେଜସ୍ୱୀ ଯାଦବଙ୍କୁ ପ୍ରଶଂସା କରିଛନ୍ତି ବିଜେପି ନେତ୍ରୀ ଉମା ଭାରତୀ। ସେ କହିଛନ୍ତି ଯେ ଯଦିଓ ତେଜସ୍ୱୀଙ୍କ ବୟସ ହୋଇସାରିଛି, ତଥାପି ସେ ଏକ ରାଜ୍ୟ ଚଳାଇବାକୁ ଅଭିଜ୍ଞ ନୁହନ୍ତି। ବିହାରକୁ ଶେଷରେ ଲାଲୁ ହିଁ ଚଲାଇଥାନ୍ତେ।
ଉମା ଭାରତୀ କହିଛନ୍ତି ଯେ, ତେଜସ୍ୱୀ ଜଣେ ଭଲ ପିଲା। କିନ୍ତୁ ସେ ରାଜ୍ୟ ଚଳାଇବାକୁ ସକ୍ଷମ ନୁହଁନ୍ତି। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଶେଷରେ ବିହାରକୁ ଜଙ୍ଗଲରାଜକୁ ଠେଲି ଦେଇଥାନ୍ତେ। ତେଜସ୍ୱୀ ଟିକେ ବଡ଼ ହେଲା ପରେ ନେତୃତ୍ୱ ନେଇପାରିବେ ବୋଲି ସେ କହିଛନ୍ତି।
ଉମା ଭାରତୀ ଆହୁରି ମଧ୍ୟ କହିଛନ୍ତି ଯେ, "କମଲନାଥ ଏହି ନିର୍ବାଚନରେ ଭଲ ଲଢ଼େଇ କରିଛନ୍ତି। ଯଦି ସେ ନିଜ ସରକାର ଭଲରେ ଚଳାଇଥାନ୍ତେ, ତେବେ ଏଠାରେ ଏତେ ସମସ୍ୟା ଉପୁଜି ନ ଥାନ୍ତା। ସେ ସଭ୍ୟ ମଣିଷ। ମୋ ବଡ଼ ଭାଇ ଭଳି ସେ। ଏହି ନିର୍ବାଚନକୁ ସେ ଚତୁରତାର ସହ ଲଢ଼ିଛନ୍ତି।"
https://twitter.com/ANI/status/1326023074932695040
ତେବେ ଏହାରି ଭିତରେ ତେଜ୍ ପ୍ରତାପଙ୍କ ଦଳ ଆରଜେଡି ସମର୍ଥକ ମହାମେଣ୍ଟର ବିଜୟୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିଛି ଆରଜେଡି ସମର୍ଥକ ତେଜ୍ ପ୍ରତାପଙ୍କ ସାନ ଭାଇ ତେଜସ୍ୱୀ ଯାଦବଙ୍କ ପାଇଁ ମାଛ ଧରି ତାଙ୍କ ଘର ଆଗରେ ପହଞ୍ଚିଥିବା ଜଣାପଡ଼ିଛି। ମାଛ ଦେଖି କୌଣସି ସ୍ଥାନକୁ ଗଲେ ଶୁଭ ବୋଲି ବିବେଚନା କରାଯାଏ। ତେଣୁ ମାଛ ଆଣି ସମର୍ଥକମାନେ ତେଜସ୍ୱୀଙ୍କ ଘର ଆଗକୁ ଆସିଛନ୍ତି। ଫଳାଫଳ ବାହାରିବା ପରେ ଭୋଜି ହେବ ବୋଲି ଜଣାପଡ଼ିଛି।
ବିହାର ନିର୍ବାଚନରେ ଜେଡିୟୁର ଅନେକ ଭେଟେରାନ ନେତା ବିଜୟୀ ନେଇ ଆଶଙ୍କାରେ ରହିଛନ୍ତି। ରାଘୋପୁର ଆସନରେ ତେଜସ୍ୱୀ ଯାଦବ, ମାଧେପୁରା ବିଧାନସଭା ଆସନରେ ପପୁ ଯାଦବ ଏବଂ ପାର୍ସା ଆସନରେ ଚନ୍ଦ୍ରିକା ରାୟଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି।
https://twitter.com/ANI/status/1326001330951839744
ବିହାରରେ ବିଧାନସଭା ନିର୍ବାଚନ ୨୮ ଅକ୍ଟୋବର, ୩ ନଭେମ୍ବର ଏବଂ ୭ ନଭେମ୍ବରରେ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଯଦି ଏନଡିଏ ବିଜୟୀ ହେବ ତାହେଲେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ତେବେ ଏକଜିଟ୍ ପୋଲ୍ ଅନୁଯାୟୀ ମହାମେଣ୍ଟ ବିହାରରେ ବାଜି ମାରିବ।
ଜାଣନ୍ତୁ ନିର୍ଵାଚନର ଟିକିନିଖି ଖବର
ସେ ଶୋଭାଯାତ୍ରାରେ ସମ୍ବୋଧନ କରୁଥିବା ବେଳେ ଲୋକମାନେ ତାଙ୍କ ଉପରକୁ ପଥମାଡ଼ କରିଛନ୍ତି। ଆଜି ନୀତୀଶ କୁମାର ମଧୁବନୀ ଜିଲ୍ଲାର ହରଲାଖୀରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇଥିଲେ। ଏଠାରେ ନୀତୀଶ କୁମାର ଯେତେବେଳେ ନିଯୁକ୍ତି ପ୍ରସଙ୍ଗରେ ଭାଷଣ ଦେଇଥିଲେ ସେତେବେଳେ ତାଙ୍କ ବିରୋଧରେ ଲୋକମାନେ ନାରାବାଜୀ କରିଥିଲେ। ଏହାପରେ ଭିଡ଼ ମଧ୍ୟରୁ କିଛି ଲୋକ ତାଙ୍କୁ ପଥର ମଧ୍ୟ ମାଡ଼ କରିଥିଲେ ବୋଲି କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଏହା ଦେଖି ମଞ୍ଚ ଉପରୁ ହିଁ ନୀତୀଶ କୁମାର ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ସେ ବିରକ୍ତ ହୋଇ କହିଥିଲେ ଯେ ଆହୁରି ପଥର ମାଡ଼ କରନ୍ତୁ। ଏମିତି ପଥର ମାଡ଼ କରିଚାଲ। କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।
ଅନ୍ୟପକ୍ଷରେ ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟୋଜିତ ଲୋକମାନେ ଘେରା ବନ୍ଦୀ କରି ଲୋକଙ୍କୁ ଶାନ୍ତ ରହିବାକୁ ବୁଝାଇଥିଲେ। ସେହିପରି ନୀତୀଶ କୁମାର ମଧ୍ୟ ନିର୍ବାଚନ ସଭାରେ ନିଜର ଭାଷଣ ପୂରା କରିଥିଲେ। ନୀତୀଶ କୁମାରଙ୍କ ଉପରକୁ ପଥର ମାଡ଼ ଘଟଣାରେ ମନ୍ତ୍ରୀ ରଞ୍ଜନ କୁମାର ଝା କହିଛନ୍ତି, ବିରୋଧୀ ଦଳ ଭଲ ଭାବେ ଜାଣି ସାରିଲେଣି ଯେ ସେମାନେ ଭୋଟିଂରେ ଆମକୁ ହରାଇ ପାରିବେ ନାହିଁ। ତେଣୁ ସେମାନେ ଏଭଳି ଘଟଣା ଘଟାଇବାକୁ ଚେଷ୍ଟା କରୁଛନ୍ତି।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବିରୋଧୀ ଦଳ ଗୁଡ଼ିକ ଆକ୍ରମଣ କରିଛନ୍ତି। ଆପଣମାନେ ନୀତୀଶ କୁମାରଙ୍କୁ ପସନ୍ଦ କରନ୍ତୁ କି ନ କରନ୍ତୁ, ଲୋକମାନେ ତାଙ୍କୁ ଭୋଟ ଦେଇ ଜିତାଇବେ। ଆପଣମାନେ ତାଙ୍କୁ ପସନ୍ଦ କରୁନାହାନ୍ତି ବୋଲି କ’ଣ ଜୀବନ ନେବା ପାଇଁ ଚେଷ୍ଟା କରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି।
ଏହାପୂର୍ବରୁ ମୁଜାଫରପୁର ଠାରେ ଆୟୋଜିତ ଏକ ରାଲିରେ ନୀତୀଶ କୁମାରଙ୍କୁ ଜଣେ ଯୁବକ ଚପଲ ମାଡ଼ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ଭାଇରାଲ ଭିଡିଓ ବାବଦରେ କହିଛନ୍ତି, ମହିଳା ଜଣକ ଏଭଳି ବ୍ୟକ୍ତି, ଯିଏ ହୁଏତ ଟିଭି ବା ଖବରକାଗଜ ଦେଖୁ ନ ଥିବେ। ତାଙ୍କୁ ଯେତେବେଳେ ମୋଦିଙ୍କୁ ଭୋଟ କାହିଁକି ଦେବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଥିଲା, ସେ ମଧ୍ୟ ଏହାର କାରଣ କହିଥିଲେ। ଭାଇରାଲ ଭିଡିଓରେ ମହିଳା ଜଣକ କହୁଥିଲେ, "ଆମକୁ ବିଜୁଳି, ପାଣି, ରାସନ ଦେଇଛନ୍ତି ତ ମୋଦିଙ୍କୁ ଆମେ କାହିଁକି ଭୋଟ୍ ଦେହୁନାହିଁ।"
ମୋଦି ପୁଣି କହିଛନ୍ତି, ପ୍ରଥମ ଚରଣ ଭୋଟ ଗ୍ରହଣରୁ ସ୍ପଷ୍ଟ ଜଣାପଡ଼ିଛି ଯେ, ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ପୁଣି ସରକାର ଗଢ଼ିବାକୁ ଯାଉଛି। ବିଜେପି ଏବଂ ଏନଡିଏ ପାଇଁ ଥିବା ଜନତାଙ୍କ ପ୍ରେମ କେତେଜଣ ଲୋକଙ୍କୁ ଭଲଲାଗୁନି। ସେମାନଙ୍କ ରାତିର ନିଦ ହଜିଯାଇଛି। ସେମାନଙ୍କ ହତାଶା-ନିରାଶା, କ୍ରୋଧ ଏବେ ବିହାରର ଜନତାଙ୍କୁ ଦେଖାଯାଉଛି। ସେମାନହଙ୍କ ମୁହଁରୁ ହସ ଉଭେଇଯାଇଛି।
ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜି ବିହାର ସାମ୍ନାରେ ଡବଲ ଇଞ୍ଜିନ ସରକାର ଅଛି ତ ଅନ୍ୟପଟେ ଡବଲ-ଡବଲ ଯୁବରାଜ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜଙ୍ଗଲରାଜର ମଧ୍ୟ ଯୁବରାଜ ଅଟନ୍ତି। ଡବଲ ଇଞ୍ଜିନ ସରକାର ବିହାରର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଆଉ ଏ ଡବଲ-ଡବଲ ଯୁବରାଜ ନିଜ ନିଜର ସିଂହାସନ ବଞ୍ଚେଇବାକୁ ସଂଗ୍ରାମ କରୁଛନ୍ତି ବୋଲି କହି ପ୍ରତିପକ୍ଷଙ୍କୁ ଟାର୍ଗେଟ୍ କରିଛନ୍ତି ମୋଦି।
ଅମିଷା କହିଛନ୍ତି, "ମୁଁ କେବଳ ଏତିକି କହିପାରିବି ଯେ, ଜଣେ ଅତିଥି ହିସାବରେ ମୁଁ ଡା. ପ୍ରକାଶ ଚନ୍ଦ୍ରାଙ୍କ କ୍ୟାମ୍ପେନରେ ଯୋଗଦେଇଥିଲି। ସେ ବହୁତ ଭୟଙ୍କର ମଣିଷ। ସେ ଲୋକମାନଙ୍କୁ ବ୍ଲାକମେଲ୍ କରନ୍ତି ଏବଂ ଧମକାଇ ଥାଆନ୍ତି। ସେ ମୋତେ ଆଉ ମୋ ଟିମକୁ ମଧ୍ୟ ବହୁତ ଖରାପ ବ୍ୟବହାର କରିବା ସହ ଧମକ ଦେଇଛନ୍ତି। ଏପରି କି ଗତ କାଲି ଯେତେବେଳେ ମୁଁ ମୁମ୍ବାଇ ଫେରୁଥିଲି, ସେତେବେଳେ ସେ ମୋତେ ଫୋନରେ ଧମକ ଦେବାସହ ମେସେଜ ମଧ୍ୟ କରିଛନ୍ତି।"
ଅମିଷା ପୁଣି କହିଛନ୍ତି, ପାଟନାରେ ପ୍ରକାଶ ଚନ୍ଦ୍ରାଙ୍କ ସହ 3 ଘଣ୍ଟା ନିର୍ବାଚନୀ ପ୍ରଚାର କରିବାକୁ ତାଙ୍କୁ ଧମକ ଦିଆଯାଇଥିଲା। ସେହି ଦିନ ସନ୍ଧ୍ୟାରେ ତାଙ୍କୁ ମୁମ୍ବାଇ ଫେରିବାର ଥିଲା। କିନ୍ତୁ ପ୍ରକାଶ ଚନ୍ଦ୍ରା ତାଙ୍କୁ ଅଟକାଇଦେଇଥିଲେ। ବାଧ୍ୟ କରି ତାଙ୍କୁ ଗୋଟିଏ ଗାଁରେ ରଖାଯାଇଥିଲା। ଏପରି କି ଅମିଷାଙ୍କୁ ଧମକ ଦେଇ କୁହାଯାଇଥିଲା ଯେ, ଯଦି ସେ ତାଙ୍କ କଥା ନ ମାନନ୍ତି, ତାଙ୍କୁ ସେହି ଗାଁରେ ଛାଡ଼ି ସମସ୍ତେ ପଳାଇବେ।
ଅମିଷାଙ୍କୁ ବଳପୂର୍ବକ ଅଟକ ରଖାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି, ତାଙ୍କ ଜୀବନ ବିପଦରେ ଥିଲା। ସେ ଏପରି କାମ କରନ୍ତି ବୋଲି ଲୋକ ଜାଣିବା ଆବଶ୍ୟକ। ସେ ବ୍ଲାକମେଲ୍ କରନ୍ତି ଏବଂ ମୋ ଜୀବନ ବଞ୍ଚାଇବାକୁ ମୁଁ ସେମାନଙ୍କ ସବୁ କଥା ମାନିଥିଲି। ଯେଉଁଠି ତାଙ୍କୁ ରଖାଯାଇଥିଲା,ସେ ଗାଁ ପାଟନା ସହରଠାରୁ ତିନି ଘଣ୍ଟା ଦୂରରେ ଥିବା ସେ କହିଛନ୍ତି। ପ୍ରକାଶ ଚନ୍ଦ୍ରା ଓ ତାଙ୍କ ଗୁଣ୍ଡାମାନଙ୍କ କଥା ମାନିବା ଛଡ଼ା ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିଲା। ତାଙ୍କ ସହ ଦୁଷ୍କର୍ମ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ତାଙ୍କ ଗାଡ଼ିକୁ ସବୁବେଳେ ଲୋକମାନେ ଘେରିକି ରଖିଥିଲେ। ଅମିଷା ବୁଝିସାରିଥିଲେ ଯେ, ତାଙ୍କର ହତ୍ୟା ବି ହୋଇପାରେ। ଏଣୁ ସେ ସେମାନଙ୍କ ସବୁ କଥା ମାନି ଚାଲିଥିଲେ ବୋଲି କହିଛନ୍ତି।
ଚିରାଗ ପାଶ୍ୱାନ କ୍ରମାଗତ ଭାବେ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଏହାକୁ ନେଇ ବିଜେପିର ଚିନ୍ତା ମଧ୍ୟ ବଢ଼ିଛି।
ଏସବୁ ଭିତରେ ଆଜି ଏବିପି-ସି-ଭୋଟର ପକ୍ଷରୁ ଗୋଟିଏ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ରିପୋର୍ଟରେ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।
ବିଜେପି ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ଅଲଗା ହୋଇ ଯାଇଥିଲେ ହେଁ ଉଭୟ ଦଳ ମଧ୍ୟରେ ଭିତିରି ସମ୍ପର୍କ ରହିଛି। ଉଭୟ ମିଳିତ ଭାବେ ନୀତୀଶ କୁମାର ଓ ଜେଡିୟୁ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ମଧ୍ୟ ମତ ପ୍ରକାଶ ପାଇଛି। ସର୍ଭେରୁ ଜଣାପଡ଼ିଛି ଯେ ୬୧% ବିହାରବାସୀଙ୍କ ମତରେ ବିଜେପି ଓ ଏଲଜେପି ପୂର୍ବଭଳି ବିହାରରେ ଏକାଠି କାମ କରୁଛନ୍ତି।
ରାଜ୍ୟ ନିର୍ବାଚନରେ ଚିରାଗ ପାଶ୍ୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପିକୁ ସମର୍ଥନ କରୁଛନ୍ତି। ଏଭଳି ଜନମତ ଏବେ ନୀତୀଶ କୁମାର ଓ ଜେଡିୟୁକୁ ଚିନ୍ତାରେ ପକାଇଛି। କାରଣ ବିଜେପି ଭରସାରେ ପୁଣିଥରେ ବିହାରରେ କ୍ଷମତା ଦଖଲ କରିବାକୁ ଜେଡିୟୁ ଆଶା ରଖିଛି। ଯଦି ଜନମତ ସର୍ଭେ ସତ ହୋଇଥାଏ, ତା’ହେଲେ ନୀତୀଶ କୁମାରଙ୍କ ପାଇଁ ଶାସନ ଗାଦି ଦଖଲ କରିବା ସହଜ ହେବନାହିଁ।
ଅନ୍ୟପକ୍ଷରେ ସର୍ଭେ ବେଳେ ଲୋକଙ୍କୁ ଏଲଜେପି ଓ ଆରଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ପ୍ରଶ୍ନ କରାଯାଇଥିଲା। ୫୩.୩% ଲୋକଙ୍କ ମତ ହେଉଛି ନିର୍ବାଚନ ପରେ ଚିରାଗ ପାଶ୍ୱାନ ଓ ତେଜସ୍ୱୀ ଯାଦବ ହାତ ମିଳାଇବେ। ସେହିପରି ୪୬.୭% ଲୋକ ଏହା ଅସମ୍ଭବ ବୋଲି କହିଛନ୍ତି।
ଅଧିକାଂଶ ଲୋକ କହିଛନ୍ତି, ବିଜେପି ମେଣ୍ଟରୁ ଏଲଜେପି ଓହରି ଯାଇଥିବାରୁ ଏହା ବଡ଼ ବିପର୍ଯ୍ୟୟ। ଏହା ମେଣ୍ଟ ହାରିବାର ପ୍ରମୁଖ କାରଣ ମଧ୍ୟ ହୋଇପାରେ। ୫୯.୩% ଲୋକ କହିଛନ୍ତି ଯେ ଏଲଜେପି ମେଣ୍ଟରୁ ଓହରି ଯିବା ବିଜେପି ଓ ଜେଡିୟୁ ପାଇଁ ଶକ୍ତ ଝଟକା। ହେଲେ ୪୦.୭% ଲୋକ ଏଥିରେ ଏକମତ ହୋଇନାହାନ୍ତି।
ପ୍ରକୃତରେ କିଏ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶ ବିଶେଷ, ତା’କୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୪୨.୭% ଲୋକଙ୍କ ମତରେ ବିଜେପି ଓ ଏଲଜେପି ହେଉଛନ୍ତି ପ୍ରକୃତ ଏନଡିଏ। ସେହିପରି ୫୭.୩% ଲୋକଙ୍କ ମତରେ ବିଜେପି-ଜେଡିୟୁ ହେଉଛନ୍ତି ପ୍ରକୃତ ଏନଡିଏ।
ଚିରାଗ ପାଶ୍ୱାନ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଛନ୍ତି। ଏହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି କି ବୋଲି ପ୍ରଶ୍ନ କରାଯାଇଥିଲା। ୫୭.୭% ଲୋକ ଏହାକୁ ନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ୪୨.୩% ଲୋକ କୌଣସି ଦ୍ୱନ୍ଦ୍ୱ ନଥିବା କଥା କହିଛନ୍ତି।
ନୀତିଶଙ୍କ କାର୍ଯ୍ୟକାଳରେ ଦୁର୍ନୀତିଖୋର୍ ଓ ଭ୍ରଷ୍ଟ୍ରାଚାରୀଙ୍କୁ ଜେଲ୍ ପଠାଯାଇଥିବା ମନ୍ତବ୍ୟ ଉପରେ ଚିରାଗ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦୁର୍ନୀତିରେ ସାମିଲ ନଥିବା ସମ୍ଭବ ହିଁ ନୁହେଁ। ମୁଁ କହିଥିଲେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତଦନ୍ତ ପରେ ତାଙ୍କୁ ଜେଲ୍ ପଠାଯିବ। ଏତେ ବଡ଼ ଦୁର୍ନୀତି ଚାଲିଥିବା ବେଳଏ ମୁଖ୍ୟମନ୍ତ୍ରୀ ଏନେଇ ଅଜଣା ଏହା ସମ୍ଭବ ହୋଇନପାରେ। ଯଦି ଦୁର୍ନୀତି ହୋଇଥିବା ନେଇ ସେ ଅବଗତ ନ ଥିଲେ, ତେବେ ତଦନ୍ତ ହେବା ଆବଶ୍ୟକ। ତେବେ ମୁଁ ଏବଂ ଲୋକମାନଙ୍କର ବିଶ୍ୱାସ ଯେ, ମୁଖ୍ୟମନ୍ତ୍ରୀ ଦୁର୍ନୀତି ଓ ଘୋଟାଲାରେ ସମ୍ପୃକ୍ତ।
ଚିରାଗ ପୁଣି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦୁର୍ନୀତିଖୋର୍ ଏବଂ ତାଙ୍କ ପାଇଁ ଜେଲ୍ ହିଁ ଉଚିତ୍ ଠିକଣା। କୌଣସି ଭ୍ରଷ୍ଟ ବ୍ୟକ୍ତିଙ୍କୁ ଖୋଲାଖୋଲି ବିଚରଣ କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ। ନୀତିଶ କୁମାର ଜେଲ୍ ଭିତରେ ରହିବା ଉଚିତ୍।
ସାମ୍ନା ଜରିଆରେ ଶିବସେନା କହିଛି ଯେ, ବିଜେପିର ଅସଲ ନୀତି କଣ? ସେମାନଙ୍କ ପଥ ପ୍ରଦର୍ଶକ କିଏ? ଏହାକୁ ନେଇ ସାମାନ୍ୟ ଭ୍ରମ ସୃଷ୍ଟି ହେଲା ଭଳି ଜଣାପଡ଼ୁଛି। ଦୁଇ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଜନତାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, କରୋନା ଟିକା ଆସିବା ମାତ୍ରେ ପ୍ରତ୍ୟେକ ଦେଶବାସୀଙ୍କୁ ଟିକା ଯୋଗାଇବାକୁ ସରକାର ଚେଷ୍ଟା କରିବେ। ପ୍ରଧାନମନ୍ତ୍ରୀ ଟିକା ବିତରଣ ବିଷୟ କହିବା ସମୟରେ କୌଣସି ଜାତି, ଧର୍ମ, ପ୍ରାନ୍ତ କିମ୍ବା ରାଜନୀତି ବିଷୟ ଉଠାଇନାହାନ୍ତି।
ଶିବସେନା ନିଜ ମୁଖ ପତ୍ରିକାରେ କହିଛି ଯେ, ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରଥମ ନଂରେ ବିହାର ଜନତାଙ୍କୁ ପ୍ରତିଶ୍ରୁତି ଦେଇ କହିଛି ଦେଶକୁ ଟିକା ଆସିଲେ, ସମସ୍ତବିହାରବାସୀଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ। ଏହା ବିଚିତ୍ର ବୋଲି କହିବା ସହ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ୍ କରିଛି ଶିବସେନା। ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ, ସେହି ରାଜ୍ୟଗୁଡ଼ିକ କଣ ପାକିସ୍ତାନରେ ଅଛି? ବିଜେପି ଅଣଶାସିତ ରାଜ୍ୟଗୁଡ଼ିକୁ କରୋନା ଟିକା କଣ ପୁଟିନ୍ ଦେବେ କି? ବୋଲି ଶିବସେନା ସାମ୍ନାରେ ପ୍ରଶ୍ନ କରିଛି।
ଏହାଛଡ଼ା ନିର୍ବାଚନୀ ରାଲିକୁ ପ୍ରସଙ୍ଗ କରି ପ୍ରଶ୍ନବାଚୀ କରିଛି ଶିବସେନା। ନେତାମାନଙ୍କ ହେଲିକେପ୍ଟର ଉଡ଼ୁଛି, ପ୍ରଚଣ୍ଡ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି। ଏଭଳି ଭିଡ଼ରେ ହୁଏତ କରୋନା ଚାପିହୋଇ ମରିଯାଇ ପାରେ ଏବଂ ରାଜନୈତିକ କ୍ରାନ୍ତି ଆସିଯାଇପାରେ ବୋଲି ଶିବସେନା କହିଛି।
ଶିବସେନା ସାମ୍ନାର ସମ୍ପାଦକୀୟରେ କହିଛି, ମାଗଣା ଟିକା କେବଳ ବିହାରରେ ହିଁ କାହିଁକି ଦିଆଯିବ? ସାରା ଦେଶରେ କରୋନା ତାଣ୍ଡବ ଲୀଳା ଚାଲିଛି। ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟୁଛି। ଏଭଳି ପରିସ୍ଥିତିରେ ବିହାର ବିଧାନସଭା ନିର୍ବାଚନ ହେଉଛି। ସାରା ଦେଶକୁ କରୋନା ଟିକା ଆବଶ୍ୟକ। ଟିକା ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଟିକା ପ୍ରଥମେ ବିହାରରେ ବିଜେପିକୁ ଭୋଟ୍ ଦେବା ଲୋକଙ୍କୁ ମିଳିବ। ଆଉ ଯଦି ବିହାରରେ ସରକାର ବଦଳି ଯାଏ, ତେବେ କଣ ବିଜେପି ଆଉ ବିହାରକୁ
ଟିକା ଦେବ ନାହିଁ? ଅନେକ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ।
ଆରଜେଡି ଇସ୍ତାହାରରେ ବିହାରର ବେରୋଜଗାର ସମସ୍ୟାକୁ ଗୁରୁତ୍ୱ ଦେଇ ୧୦ ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି ପୁଣି ଦୋହରାଇଛି। ଏହା ବ୍ୟତୀତ କ୍ଷମତାକୁ ଆସିଲେ ଦଳ ବେରୋଜଗାର ଯୁବକମାନଙ୍କୁ ୧୫୦୦ ଟଙ୍କା ବେରୋଜଗାରୀ ଭତ୍ତା ଦେବ ବୋଲି କୁହାଯାଇଛି। ସେହିପରି ସରକାରୀ ଚାକିରି ଲାଗି ଆବେଦନ କରିବାକୁ ହେଲେ ବିହାରର ଯୁବପିଢି଼ଙ୍କୁ କୌଣସି ଶୁଳ୍କ ଦେବାକୁ ପଡ଼ିବନି ବୋଲି ଆରଜେଡି ନିଜ ଇସ୍ତାହାରରେ କହିଛି।
ସରକାରୀ ଚାକିରିରେ ବିହାରର ଯୁବକମାନଙ୍କୁ ଅଗ୍ରାଧିକାର ଦେବା ପାଇଁ ରାଜ୍ୟ ସରକାର ଘରୋଇ ନୀତି ଆଣିବେ ଏବଂ ସରକାରୀ ଚାକିରିର ୮୫ ପ୍ରତିଶତ ବିହାର ଯୁବକମାନଙ୍କ ପାଇଁ ସଂରକ୍ଷିତ ରଖାଯିବ। ଏହାଛଡ଼ା କୃଷକମାନଙ୍କ ଋଣ ଛାଡ଼ କରିବାକୁ ମଧ୍ୟ ଆରଜେଡି ଘୋଷଣା କରିଛି।
ଆରଜେଡି ନିର୍ବଚନୀ ଇସ୍ତାହାର ଜରିଆରେ ନୂତନ ଶିଳ୍ପ ନୀତି ଆଣିବା, ନୂତନ ଶିଳ୍ପ ସ୍ଥାପନ କରିବା ନେଇ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ, ଚୁକ୍ତିଭିତ୍ତିକ ଶିକ୍ଷକ ଏବଂ ଉର୍ଦ୍ଦୁ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, କୃଷକ ଆୟୋଗ, ବ୍ୟବସାୟୀ ଆୟୋଗ, ଯୁବ ଆୟୋଗ ତଥା କ୍ରୀଡ଼ା ଆୟୋଗ ଗଠନ କରିବାକୁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛି।
ଅନ୍ୟପଟେ ରାଜ୍ୟର ଜିଡିପିର ୨୨ ପ୍ରତିଶତ ଶିକ୍ଷା କ୍ଷେତ୍ରରେ ଉପଯୋଗ କରିବ ବୋଲି ଇସ୍ତାହାରରେ ଘୋଷଣା କରିଛି। ସେହିଭଳି ବୟସ୍କ ଏବଂ ଗରିବଙ୍କୁ ମାସିକ ୪୦୦ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ପେନସନ, ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲ ନିର୍ମାଣ, କିଡନୀ ରୋଗୀଙ୍କୁ ମାଗଣାରେ ଡାଏଲେସିସି ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଆରଜେଡି ଇସ୍ତାହାରରେ ଘୋଷଣା କରାଯାଇଛି।
ସମ୍ବୋଧନ କରିବା ପୂର୍ବରୁ ମୋଦି ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାମବିଳାସ ପାସଓ୍ୱାନ ଏବଂ ରଘୁବଂଶ ପ୍ରସାଦ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନିର୍ବାଚନୀ ଭାଷଣ ଦେବା ସମୟରେ ବିହାରର ଲୋକଙ୍କୁ ସ୍ୱାଭିମାନୀ ଏବଂ ପରିଶ୍ରମୀ ବୋଲି ସେ କହିବା ସହ ସଠିକ୍ କୋଭିଡ୍ ପରିଚାଳନା ଲାଗି ନୀତିଶ କୁମାର ସରକାରଙ୍କ ପ୍ରଶଂସା ମଧ୍ୟ କରିଛନ୍ତି।
ସେହିପରି କୋଭିଡ୍ ପରିସ୍ଥିତିକୁ ଧୈର୍ଯ୍ୟର ସହ ସାମ୍ନା କରିଥିବାରୁ ବିହାରବାସୀଙ୍କୁ ମଧ୍ୟ ମୋଦି ଅଭିନନ୍ଦନ ଜଣାଇଛନ୍ତି। କରୋନା ସଙ୍କଟ ମୁକାବିଲା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷେପ ନୀତିଶ ସରକାର ନେଇଥିଲେ, ନୀତିଶଙ୍କ ଲୋକମାନେ, ଏନଡିଏ ସରକାର ଯେତିକି ପରିଶ୍ରମ କରିଛନ୍ତି ତାହାର ଫଳାଫଳ ଆଜି ଦେଖିବାକୁ ମିଳୁଛି। ଯଦି ବିହାରରେ ତୁରନ୍ତ ପଦକ୍ଷେପ ନିଆ ନ ଯାଇଥିଲେ, କୋଭିଡ୍ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା, ଯାହାର କଳ୍ପନା ମଧ୍ୟ କରାଯାଇ ନ ପାରେ।
ନିର୍ବାଚନ ଫଳାଫଳକୁ ନେଇ ମୋଦି କହିଛନ୍ତି, ଏହି ନିର୍ବାଚନଗୁଡ଼ିକୁ ବିହାର ସ୍ପଷ୍ଟ ବାର୍ତ୍ତା ଦେଇଛି। ବିହାରବାସୀଙ୍କ ସବୁଠାରୁ ଭଲ କଥା ହେଲା ସେମାନେ ସ୍ପଷ୍ଟ। ସେମାନେ କେବେବି ଭ୍ରମରେ ରୁହନ୍ତି ନାହିଁ। ନିର୍ବାଚନ ପୂର୍ବରୁ ହିଁ ସେମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି। ଯେତିକି ସର୍ଭେ ଏବଂ ରିପୋର୍ଟ ସାମ୍ନାକୁ ଆସିଛି, ସେଥିରେ ଏନଡିଏ ସରକାର ଗଠନ କରିବ ବୋଲି ଜଣାପଡ଼ିଛି।
ମୋଦି ପୁଣି କହିଛନ୍ତି, ନିର୍ବାଚନ ପାଖେଇ ଆସିଲେ ଗୋଟିଏ-ଦୁଇଟି ଚେହେରାକୁ ବଡ଼ ଆକାରରେ ପ୍ରଦର୍ଶନ କରାଯାଇଥାଏ। ହେଲେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ବିହାରର ଜନତା ନିଜେ ଏଭଳି ପ୍ରୟାସକୁ ଭୁଲ ପ୍ରମାଣିତ କରୁଛନ୍ତି। ଯେଉଁମାନେ ଅତୀତରେ ବିହାରକୁ ରୋଗଗ୍ରସ୍ତ କରିଛନ୍ତି, ସେମାନଙ୍କୁ ଆଖପାଖରେ ପଶିବାକୁ ଦେବେ ନାହିଁ ବୋଲି ବିହାରବାସୀ ନିଷ୍ପତ୍ତି ନେଇସାରିଛନ୍ତି।
ମୋଦି କହିଛନ୍ତି, ଜମ୍ମୁ-କାଶ୍ମୀରରେ ଆର୍ଟିକଲ୍-୩୭୦ହଟାଇବା ପାଇଁ ବର୍ଷ ବର୍ଷ ଧରି ଦେଶ ଅପେକ୍ଷା କରିଥିଲା। ଏହି ନିଷ୍ପତ୍ତି ଏନବିଏ ସରକାର ନେଲା। କିନ୍ତୁ ଆଜି ଏମାନେ ନିଷ୍ପତ୍ତି ବଦଳାଇବାକୁ କହୁଛନ୍ତି। ଏମାନେ କହୁଛନ୍ତି, ଯଦି ନିର୍ବାଚନ ଜିତି ସରକାର ଗଢ଼ିବେ, ତେବେ ପୁଣି ଜମ୍ମୁ-କାଶ୍ମୀରରେ ୩୭୦ ଧାରା ଲାଗୁ କରିଦେବେ। ଏମାନଙ୍କ ପାଇଁ ଜନତାଙ୍କ ଚିନ୍ତା ନାହିଁ, ଏମାନେ କେବଳ ନିଜ ସ୍ୱାର୍ଥ ଦେଖନ୍ତି। ଏହି କାରଣରୁ ଭୋଜପୁର ସମେତ ସାରା ବିହାର ରାଜ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍, ରାସ୍ତା, ପାଣି ଭଳି ମୌଳିକ ସୁବିଧାର ମଧ୍ୟ ମିଳିପାରୁ ନ ଥିଲା।
ମୋଦି ଆହୁରି କହିଛନ୍ତି, ଯେତେବେଳେ ଦେଶ ସଙ୍କଟର ସମାଧାନ କରି କରି ଆଗକୁ ବଢ଼ୁଛି, ଏମାନେ ଦେଶର ପ୍ରତ୍ୟେକ ସଙ୍କଳ୍ପ ସାମ୍ନାରେ ବାଧା ହୋଇ ଛିଡ଼ା ହେଉଛନ୍ତି। କୃଷକମାନଙ୍କୁ ମଧ୍ୟସ୍ଥି ଏବଂ ଦଲାଲମାନଙ୍କ କବଳରୁ ମୁକ୍ତି ଦେବାକୁ ଦେଶ ନିଷ୍ପତ୍ତି ନେଇଛି। ହେଲେ ଏମାନେ ଦଲାଲ ଏବଂ ମଧ୍ୟସ୍ଥିମାନଙ୍କ ସପକ୍ଷରେ ଖୋଲାଖୋଲି ଭାବେ ମଇଦାନରେ ଲଢ଼େଇ କରୁଛନ୍ତି ବୋଲି କହି ମୋଦି ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି।
ଆସନ୍ତା ୨୮ରୁ ନଭେମ୍ବର ୭ ମଧ୍ୟରେ ୩ଟି ପର୍ଯ୍ୟାୟରେ ଲୋକମାନେ ବିହାରରେ କିଏ ସରକାର ଗଠନ କରିବ, ତା’ର ନିଷ୍ପତ୍ତି ନେବେ। ନଭେମ୍ବର ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଜନମତ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି।
ଲୋକନୀତି-ସିଏସଡିଏସର ଆକଳନ ଅନୁଯାୟୀ, ନୀତୀଶ କୁମାର ଓ ବିଜେପି ଯୋଡ଼ି ବିହାରରେ ପୁଣି ସରକାର ଗଠନ କରିବେ। ଏହାର ଅର୍ଥ ଏନଡିଏକୁ ବିହାରରେ ସରକାର ଗଠନ ପାଇଁ ଅନୁମତି ମିଳିବ। ସର୍ଭେ ସଂସ୍ଥାର ଆକଳନ କହୁଛି ଯେ ଏନଡିଏ ମେଣ୍ଟ ୧୩୩ରୁ ୧୪୩ଟି ଆସନ ପାଇବ। ସେହିପରି କଂଗ୍ରେସ-ଆରଜେଡି ଗଠନ କରିଥିବା ମହାମେଣ୍ଟ ସପକ୍ଷରେ ୮୮ରୁ ୯୮ଟି ଆସନ ପଡ଼ିବ। ଯଦି ଆକଳନ ସତ ହୁଏ, ଏନଡିଏ ଓ ମହାମେଣ୍ଟ ମଧ୍ୟରେ ଆସନ ବ୍ୟବଧାନ ବହୁତ କମ ରହିବ। ବିହାରରେ ସରକାର ଗଠନ କରିବାକୁ ୨୪୩ଟି ଆସନରୁ ୧୨୨ଟିରେ ଜିତିବାକୁ ପଡ଼ିବ।
ଅନ୍ୟପକ୍ଷରେ ଏନଡିଏରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢ଼ୁଥିବା ଚିରାଗ ପାଶ୍ୱାନଙ୍କ ଏଲଜେପି ୨ରୁ ୬ ଓ ଅନ୍ୟାନ୍ୟ ଦଳ ୬ରୁ ୧୦ଟି ଆସନରେ ଜିତିବେ। ଭୋଟ ଶେୟାର କଥା ବିଚାରକୁ ନେଲେ ଏନଡିଏ ୩୮%, ମହାମେଣ୍ଟ ୩୨%, ଜିଡିଏସ୍ଏଫ ୭%, ଏଲଜେପି ୬% ଓ ଅନ୍ୟାନ୍ୟ ଦଳ ୧୭% ଭୋଟ ପାଇବେ।
ଜନମତ ସର୍ଭେ ଅନୁଯାୟୀ, ୨୦୧୫ ତୁଳନାରେ ୨୦୨୦ରେ ଏନଡିଏର ଭୋଟ ଭାଗ ପ୍ରାୟ ୫% ହ୍ରାସ ପାଇବ। ସେହିପରି ମହାମେଣ୍ଟର ଭୋଟ ପ୍ରତିଶତ ୩.୫% ବୃଦ୍ଧି ପାଇବ। ୨୦୧୫ରେ ଏନଡିଏର ଭୋଟ ଶେୟାର ୪୩% ରହିଥିବା ବେଳେ ମହାମେଣ୍ଟ ସପକ୍ଷରେ ୨୮.୫% ଭୋଟ ପଡ଼ିଥିଲା।
ପଢନ୍ତୁ- ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…
ଆରା ଏବଂ ପାଟନା ମଧ୍ୟରେ ଜାତୀୟ ରାଜପଥ-30ରେ ମନେର ନାମକ ଏକ ଛୋଟ ସହର ରହିଛି। ସାଧୁ, ସନ୍ଥଙ୍କ ସ୍ଥାନ ହିସାବରେ ମନେର ଖୁବ୍ ଲୋକପ୍ରିୟ ସହର। ହେଲେ ଏହି ସହରର ଲଡ଼ୁ ଏହାକୁ ବିଶେଷ ପ୍ରସିଦ୍ଧି ଆଣିଦେଇଛି। ମନେର୍ ଲଡ଼ୁ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଖୁବ୍ ଲୋକପ୍ରିୟ।
ସୋନ୍-ଗଙ୍ଗାର ପାଣି, ବେସନ ଏବଂ ସିରାରେ ପ୍ରସ୍ତୁତ ଏହି ଲଡ଼ୁ ନେତାଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କ ମନ କିଣିଛି। ଏପରି କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ହୁଅନ୍ତୁ ବା ବଲିଉଡ୍ ପରଫେକ୍ସନିଷ୍ଟ ଆମୀର ଖାନ୍ ମନେର୍ ଆସିଲେ ଲଡ଼ୁ ଖାଇବାକୁ କେବେ ବି ଭୁଲୁ ନ ଥିଲେ।
ମନେର୍ ଲଡ଼ୁର ସୁଗନ୍ଧ ବିଶେଷକରି ଭାରତୀୟ ରାଜନେତାମାନଙ୍କ ପ୍ରଥମ ପସନ୍ଦ। ଅଟଳ ବିହାରୀ ବାଜପେୟୀ, ଚନ୍ଦ୍ରଶେଖର, ଭି,ପି. ସିଂହ, ରବିଶଙ୍କର ପ୍ରସାଦ, ପ୍ରମୋଦ ମହାଜନ, ସ୍ୱର୍ଗତା ସୁଷମା ସ୍ୱରାଜ, ଲାଲୁ ପ୍ରସାଦ ଯାଦବ, ନୀତିଶ କୁମାର, ସ୍ୱର୍ଗତ ରାମବିଳାସ ପାସଓ୍ୱାନ, ରାମକୃପାଳ ଯାଦବଙ୍କ ଭଳି ଅନେକ ଲୋକପ୍ରିୟ ରାଜନେତା ବିହାର ଆସିଲେ ମନେର୍ ଲଡ଼ୁ ଖାଇବାକୁ ଦୋକାନକୁ ଟାଣି ହୋଇଯାନ୍ତି।
ତେବେ ଫିଲ୍ମ ତାରକାମାନେ ମଧ୍ୟ କିଛି ପଛରେ ନାହାନ୍ତି। ବିହାର ଆସିଲେ ମନେର ଲଡ଼ୁ ନ ଖାଇ କେଉଁ ତାରକା ଫେରିଯାଇଥିବା ଏହା ହୁଏତ ସମ୍ଭବ ନୁହେଁ। ଜିତେନ୍ଦ୍ର, ଶତ୍ରୁଘ୍ନ ସିହ୍ନା, ଆମୀର ଖାନ, ରାମାୟଣ ତିଓ୍ୱାରୀଙ୍କ ସମେତ ଭୋଜପୁରୀ ଅଭିନେତା କୁନାଲ୍, ମନୋଜ ତିଓ୍ୱାରୀ, ଖେସରୀ ଲାଲ୍ ଯାଦବ, କୁମକୁମ ପଦ୍ମା ଖନ୍ନା, ନିତୁ ଚନ୍ଦ୍ରାଙ୍କ ଭଳି ଲୋକପ୍ରିୟ କଳାକାରଙ୍କୁ ବି ବେଶ୍ ପସନ୍ଦ ଏହି ଲଡ଼ୁ।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ମନେର୍ ଲଡ଼ୁର ଚାହିଦା ଏତେ ଯେ, ବଲିଉଡ୍ ଫିଲ୍ମ 'ଖୁଦଗର୍ଜରେ ଶତ୍ରୁଘ୍ନ ସିହ୍ନାଙ୍କୁ ମନେର୍ ଲଡ଼ୁ ବୋଲି କହି ଜିତେନ୍ଦ୍ର ସମ୍ବୋଧନ କରୁଥିଲେ। ଶହ ଶହ ବର୍ଷ ଧରି ମନେର୍ ଲଡ଼ୁର ଚାହିଦା ଆଜି ବି ଲାଗିରହିଛି।
ଦେଶ ବାହାରେ ଦୁବାଇ, ଆମେରିକା, ଇଂଲଣ୍ଡ ସମେତ ବହୁ ଦେଶରେ ଉପହାର ଆକାରରେ ମନେର୍ ଲଡ଼ୁ ପଠାଯାଇଥାଏ। ବ୍ରିଟିଶମାନେ ଏହି ଲଡ଼ୁକୁ ଓ୍ୱାର୍ଲଡ୍ ଫେମ୍ ପ୍ରମାଣପତ୍ର ମଧ୍ୟ ଦେଇଛନ୍ତି। ଶୁଦ୍ଧ ଦେଶୀ ଘିଅ, ବେସନ, ଡ୍ରାଏ ଫ୍ରୁଟସ୍ ସହ ବିଶେଷକରି ଏଠାକାର ପାଣି ମିଶାଇ ଏହି ଲଡ଼ୁ ପ୍ରସ୍ତୁତ କରାଯାଏ।
ଘିଅରେ ଜୁରିଯାଇଥିବା ଏହାର ଦାନା ଏତେ ଛୋଟ ଛୋଟ ଆଉ ପତଳା ଯେ, ପାଟିକୁ ଯାଉ ଯାଉ ଏହା ମିଳେଇ ଯାଇଥାଏ। ଯିଏ ଥରେ ଖାଇଛି, ପ୍ରଶଂସାରେ ପୋତି ପକାଇଛି। କୁହାଯାଏ, ସୋନ ଏବଂ ସରଜୁ ନଦୀର ସଂଗମ ସ୍ଥଳରେ ଖୁବ୍ ମିଠା ପାଣି। ସେହି ପାଣିରେ ଏହି ଲଡ଼ୁ ତିଆରି ହେଉଥିବାରୁ ଏହାର ସ୍ୱାଦ ସବୁଠାରୁ ନିଆରା। ଏହି ଜଳ ଏତେ ସୁସ୍ୱାଦୁ ଆଉ ମିଠା ଯେ, ଲଡ଼ୁ ପ୍ରସ୍ତୁତିରେ ମଧ୍ୟ କମ୍ ଚିନି ବ୍ୟବହାର ହୋଇଥାଏ। ଅର୍ଥାତ୍ ବିଶ୍ୱ ପ୍ରସିଦ୍ଧ ମନେର୍ ଲଡ଼ୁର ସ୍ୱାଦ ହେଉଛି ପ୍ରାକୃତିକ। ଆପଣ ସୁଯୋଗ ମିଳିଲେ, ନିଶ୍ଚୟ ଚାଖନ୍ତୁ...
ବିଜେପି ନେତାମାନେ ଚିରାଗଙ୍କୁ କହିଛନ୍ତି ଯେ, ଯେପରି ପିତା ରାମ ବିଲାସ ପାସଓ୍ୱାନଙ୍କ ତୁମେ ସେବା କରୁଛ, ସେ ସୁସ୍ଥ ହେବା ପରେ ତୁମ ଉପରେ ଗର୍ବ ଅନୁଭବ କରିବେ। ତେବେ ସିଧାସଳଖ ରାଜନୀତିକୁ କୌଣସି ନେତା ଆଲୋଚନା କରିଛନ୍ତି କି ନାହିଁ, ସେନେଇ ଚିରାଗ କୌଣସି ବୟାନ ଦେଇନାହାନ୍ତି। ଅନ୍ୟପଟେ ଲୋକ ଜନଶକ୍ତି ସଂସଦୀୟ ଦଳର ଆଜି 3ଟା ବେଳେ ଜରୁରୀ ବୈଠକ ଅନୁଷ୍ଠିତ ହେବ।
ରାମବିଳାସ ପାସଓ୍ୱାନ ବର୍ତ୍ତମାନ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏନେଇ ଶନିବାର ଚିରାଗ ସୂଚନା ଦେଇ କହିଛନ୍ତି, ତାଙ୍କ ପିତାଙ୍କର ଆଉ ଏକ ହାର୍ଟ ସର୍ଜରୀ ହୋଇପାରେ। ଚିରାଗ ଟ୍ୱିଟ୍ କରି କହିଛନ୍ତି, ଗତ କିଛି ଦିନ ହେଲା ପିତା ହସ୍ପିଟାଲରେ ଚିକିତ୍ସାରତ। ବିଳମ୍ବିତ ରାତିରେ ତାଙ୍କର ହାର୍ଟ ଅପରେସନ କରିବାକୁ ପଡ଼ିଲା। ଆବଶ୍ୟକ ପଡ଼ିଲେ କିଛି ସପ୍ତାହ ମଧ୍ୟରେ ଆଉ ଏକ ସର୍ଜରୀ କରିଯିବ।
୫୦-୫୦ ଫର୍ମୁଲାରେ ବିହାର ନିର୍ବାଚନ ଲାଗି ଏନିଡିଏରେ ଆସନ ବଣ୍ଟାଯାଇଛି। ବିଜେପି ଏବଂ ଜେଡିୟୁ ଉଭୟ ୧୨୨ଟି ଲେଖାଏଁ ଆସନରୁ ନିର୍ବାଚନ ଲଢ଼ିବେ। ତେବେ ଜୀତନ ରାମ ମାନଝିଙ୍କ ହମ୍ ପାର୍ଟି ମଧ୍ୟ ଜେଡିୟୁର ୧୨୨ଟି ଆସନରୁ ନିଜର ଭାଗ ବସେଇବେ। ଏପଟେ ଯଦି ଚିରାଗ ପାସଓ୍ୱାନ ଏନଡିଏ ସହ ରୁହନ୍ତି। ତେବେ ବିଜେପି ମଧ୍ୟ ନିଜ ଭାଗର ଆସନରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ୍ ଦେବ। ହେଲେ ଚିରାଗ୍ ବର୍ତ୍ତମାନ ସୁଦ୍ଧା ନିଜର ନିଷ୍ପତ୍ତି ଜଣାଇ ନାହାନ୍ତି।
ଏହା ପୂର୍ବରୁ ବିଜେପିର ଟପ୍ ନେତାମାନେ ଚିରାଗ ପାସଓ୍ୱାନଙ୍କ ସହ ବୈଠକ କରି ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନର ଘଟକ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ମାମଲାର ସମାଧାନ କରିବାକୁ ପ୍ରୟାସ କରିସାରିଛନ୍ତି। ଏବେ ଚିରାଗ କଣ ନିଷ୍ପତ୍ତି ନେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ଅନ୍ୟପଟେ କିଛି ଦିନ ତଳେ ନୀତିଶ କୁମାର ଜିଦ୍ ଧରିଥିଲେ କି ଜନତା ଦଳ ୟୁନାଇଟେଡ୍ ବିଜେପିଛାରୁ ଅଧିକ ଆସନରେ ନିର୍ବାଚନ ଲଢ଼ିବ। ବେଲେ ଶେଷରେ ତାଙ୍କୁ ଜିଦ୍ ଛାଡ଼ି ୫୦-୫୦ରେ ବୁଝାମଣା କରିବାକୁ ପଡ଼ିଛି।