ପାଟନାର ଗାନ୍ଧୀ ମଇଦାନରରେ ଆୟୋଜିତ ଜନ ବିଶ୍ୱାସ ମହା ରାଲିରେ ଆଜି ଯୋଗ ଦେଇଥିଲେ ଆର୍ଜେଡି ନେତା ଲାଲୁ ପ୍ରସାଦ ଯାଦବ। ଏହି ରାଲିରେ ଯୋଗ ଦେଇ ସେ ମୋଦିଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ମୋଦିଙ୍କ ପରିବାରବାଦ ବୟାନକୁ ନେଇ ସେ ତାଙ୍କୁ ଟାର୍ଗେଟ୍ କରିଛନ୍ତି।
ଲାଲୁ କହିଛନ୍ତି, 'ମୋଦି ପରିବାରବାଦ କଥା କହୁଛନ୍ତି। ହେଲେ ଅସଲରେ ତାଙ୍କର ପରିବାର ହିଁ ନାହିଁ। ତାଙ୍କର କୌଣସି ସନ୍ତାନ ନାହିଁ, ଏଥିରେ ଆମେ କ'ଣ କରିବୁ। ଏମାନେ ପ୍ରକୃତ ହିନ୍ଦୁ ମଧ୍ୟ ନୁହନ୍ତି। ହିନ୍ଦୁମାନଙ୍କ ମାନ୍ୟତାକୁ ଏମାନେ ମାନନ୍ତି ନାହିଁ। କେବଳ ଭୋଟ ହାତେଇବା ପାଇଁ ଏମାନେ ନାଟକବାଜୀ କରୁଛନ୍ତି। ଯଦି କାହାର ମା’ ମରିଯାଏ, ତେବେ ପୁଅକୁ ଲଣ୍ଡା ହେବାକୁ ପଡେ। ଆପଣଙ୍କ ମା’ଙ୍କ ମୃତ୍ୟୁ ପରେ କାହିଁକି ଏହାକୁ ଆପଣ ପାଳିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାରା ଦେଶରେ ଘୃଣା ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି ଲାଲୁ। ରାଲିରେ ଉପସ୍ଥିତ ଭିଡକୁ ସମ୍ବୋଧିତ କରି ଲାଲୁ କହିଛନ୍ତି, ରାମ ରହୀମଙ୍କ ଅନୁଗାମୀମାନଙ୍କ ମଧ୍ୟରେ ବିଜେପି ଭେଦଭାବ କରୁଛି। ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପତିଷ୍ଠାକୁ ଟାର୍ଗେଟ କରି ସେ କହିଛନ୍ତି, ଏତେ ଦିନ ଯାଏଁ ଭଗବାନ ବିନା ପ୍ରାଣ ପ୍ରତିଷ୍ଠାରେ ଥଲେ କି?
ସେହିପରି ଲାଲୁ ଏକ ଭୋଜପୁରୀ ଗୀତ ଲାଗଲ ଲାଗଲ ଝୁଲନିଆ ମେଁ ଧକ୍କା ବଲମ କୋଲକତା ଚଲୋ… ଗାଇ ନୀତୀଶ କୁମାରଙ୍କୁ ମଧ୍ୟ ନିଜ ଅନ୍ଦାଜରେ ଟାର୍ଗେଟ୍ କରିଛନ୍ତି। ସେ ନୀତୀଶଙ୍କୁ ପଲଟୁରାମ ବୋଲି କହିଛନ୍ତି। ସେ ପୁଣି ଥରେ ବିଜେପିର ଗୋଡ ଧରିଛନ୍ତି। ତାଙ୍କୁ ଏସବୁ କିରିବା ବେଳେ ଲାଜ ଲାଗୁନାହିଁ। ଏହି ଭିଡକୁ ଦେଖି ନୀତୀଶଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିବ। ଯଦି ନୀତୀଶ ପୁଣି ଥରେ ଏପଟକୁ ଆସିବା ପାଇଁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଜୋରଦାର ଧକ୍କା ଦିଆଯିବ ବୋଲି ଲାଲୁ କହିଛନ୍ତି।
୨୦୨୪ ଲୋକସଭା ନିର୍ବାଚନରେ ଦିଲ୍ଲୀ ଉପରେ କବ୍ଜା କରିବା ପାଇଁ ଲାଲୁ ନିଜ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି। ଏବେ ଠାରୁ ହିଁ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିବା ପାଇଁ ସେ ନିଜ କର୍ମକର୍ତ୍ତାଙ୍କୁ କହିଛନ୍ତି। ଏଥର ସବୁସ୍ଥାନରୁ ତାଙ୍କ ଦଳ ନିର୍ବାଚନ ଲଢ଼ିବ। ବିହାରର ପବନରେ ଢ଼େର ତାକତ ଅଛି ବୋଲି ସେ କହିଛନ୍ତି।
୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଆସନ ଆବଶ୍ୟକ। ବିଜେପି-ଜେଡି (ୟୁ) ମେଣ୍ଟ ପାଖରେ ୧୨୮ ସଦସ୍ୟ ଥିବା ଦାବି କରାଯାଉଛି।
ବିଜେପି ପାଖରେ ୭୮ଟି ଆସନ ଥିବାବେଳେ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ, ଜେଡି (ୟୁ) ପାଖରେ ୪୫ ଏବଂ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ଏଚଏଏମ) ପାଖରେ ଚାରିଟି ଆସନ ରହିଛି। ଅବଶିଷ୍ଟ ଆସନଟି ଜଣେ ସ୍ୱାଧୀନ ବିଧାୟକଙ୍କ ପାଖରେ ଅଛି।
ଅନ୍ୟପଟେ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ସହଯୋଗୀ କଂଗ୍ରେସ ୧୧୪ ଟି ଆସନ ପାଇଛନ୍ତି। ନୀତୀଶଙ୍କୁ ସରକାର ଗଢିବାକୁ ହେଲେ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ।
ଆଜି ବିହାର ବିଧାନସଭାରେ ବଜେଟ୍ ଅଧିବେଶନ ବସିବ। ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆସ୍ଥା ଭୋଟରେ ସମ୍ମୁଖୀନ କରିବେ। ତେବେ କେତେ ଜଣ ବିଧାୟକଙ୍କ ସମର୍ଥନ ନୀତୀଶଙ୍କ ସହ ରହୁଛି, ତାହା ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ।
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ବୈଠକ ପରେ ଦଳର ବିଧାୟକଙ୍କୁ ଦିଲ୍ଲୀରୁ ହାଇଦ୍ରାବାଦକୁ ପଠାଯାଇଛି। ସମସ୍ତ ବିଧାୟକ ଫ୍ଲୋରଟେଷ୍ଟ ଦିନ ତଥା ଫେବ୍ରୁଆରୀ ୧୨ ତାରିଖରେ ହିଁ ବିହାର ଫେରିବେ।
ବିହାରରେ ମହାମେଣ୍ଟ ଭାଙ୍ଗିବା ପରେ ନୀତୀଶ କୁମାର ଏନ୍ଡିଏ ସହ ମିଶି ସରକାର ଗଠନ କରିଛନ୍ତି। ଏହା ପରେ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ ବିଧାୟକମାନେ ଦଳବଦଳ କରିପାରନ୍ତି ବୋଲି କଂଗ୍ରେସକୁ ଭୟ ଘାରିଛି। ଏହି ଚର୍ଚ୍ଚା ଭିତରେ ବିଧାୟକଙ୍କୁ ହଠାତ୍ ଦିଲ୍ଲୀରୁ ହାଇଦ୍ରାବାଦକୁ ସିଫ୍ଟ କରାଯାଇଛି। ଏହାକୁ ନେଇ ଏବେ ବିହାର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।
#BreakingNews: बिहार में 12 फरवरी को फ्लोर टेस्ट, हैदराबाद भेजे गए #कांग्रेस विधायक!#Congress #Bihar #Hyderabad #BiharPoliticalCrisis pic.twitter.com/YEtM1tVfgd
— Humara Bihar (@HumaraBihar) February 4, 2024
ସୂଚନା ମୁତାବକ, କଂଗ୍ରେସର ୧୯ ବିଧାୟକଙ୍କୁ ହାଇଦ୍ରାବାଦ ପଠାଯାଇଛି। ଏମାନେ ଅପରାହ୍ନରେ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ସମସ୍ତ ବିଧାୟକଙ୍କୁ ଏକ ରିଜର୍ଟରେ ରଖାଯାଇଥିବା ସୂତ୍ରରୁ ଜଣାପଡିଛି। ଏଆଇସିସି ସଚିବ ସମ୍ପାତ କୁମାର, ପ୍ରୋଟୋକଲ୍ ସଭାପତି ହରକାରା ଭେନୁଗୋପାଲ ଏବଂ କଂଗ୍ରେସର ବରିଷ୍ଠ ନେତା ମଲାରେଡ୍ଡୀ ରାମାରେଡ୍ଡୀ ଏମାନଙ୍କୁ କୋଅର୍ଡିନେଟ୍ କରୁଛନ୍ତି। ଦିନକ ପୂର୍ବରୁ ହିଁ ଦିଲ୍ଲୀରେ ହୋଇଥିବା ବୈଠକରେ ବିଧାୟକଙ୍କୁ ବିହାରରୁ ବାହାରକୁ ସିଫ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୮ ତାରିଖରେ ନୀତୀଶ କୁମାର ଆର୍ଜେଡି ଠାରୁ ଭିନ୍ନ ହୋଇ ଏନ୍ଡିଏ ସହ ମିଶି ବିହାରରେ ସରକାର ଗଠନ କରିଛନ୍ତି। ବିହାରରେ ବିଜେପି ସହିତ ନୂତନ ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଫେବ୍ରୁଆରୀ ୧୨ରେ ଫ୍ଲୋର ଟେଷ୍ଟରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ।
ବର୍ତ୍ତମାନ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ବିଜେପିର ୭୮ ବିଧାୟକ ଅଛନ୍ତି। ଏନ୍ଡିଏ ସହ ମେଣ୍ଟ କରିଥିବା ନୀତୀଶ କୁମାରଙ୍କ ଜେଡିୟୁ ପାଖରେ ୪୫, ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା ପାଖରେ ୪ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି। ସଂଖ୍ୟାଗରିଷ୍ଠତା ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଲୋଡା। ଏଭଳି ସ୍ଥିତିରେ ୧୨୮ ବିଧାୟକଙ୍କ ସମର୍ଥନ ସହ ନୀତୀଶ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାରେ କୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ନାହିଁ ବୋଲି କୁହାଯାଇଛି।
ଏକଦା ନୀତୀଶ କୁମାରଙ୍କ ନିକଟତର ଥିବା ପ୍ରଶାନ୍ତ କିଶୋର କରିଛନ୍ତି କଡା ଟିପ୍ପଣୀ। ନୀତୀଶ କୁମାର ଲୋକଙ୍କୁ ବାରମ୍ବାର ବୋକା ବନାଉଥିବା ସେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ ନୀତୀଶ କୁମାର ଜଣେ ଧୂର୍ତ୍ତ ଅଟନ୍ତି। ଆସନ୍ତା ବିହାର ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ସେ ବିଜେପି ସହ ମେଣ୍ଟରେ ରହିବେ ନାହିଁ। ପୁଣି ଥରେ ସେ ପଲଟି ଯିବେ। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପ୍ରଶାନ୍ତ କିଶୋର।
ସେ ଅହୁରି କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ୨୦ରୁ କମ ଜେଡିୟୁ ବିଧାୟକ ଜିତିବେ। ଏହା ଲେଖିକି ରଖ। ଯଦି ଏହା ନ ହୁଏ ତେବେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି। ନୀତୀଶ କୁମାର ଚତୁର ନୁହଁନ୍ତି ବରଂ ଜଣେ ଧୂର୍ତ୍ତ ଅଟନ୍ତି। ସମଗ୍ର ବିହାରର ୧୩ କୋଟି ଲୋକଙ୍କୁ ସେ ବୋକା ବନାଉଛନ୍ତି। ତାଙ୍କୁ ଧୋକା ଦେଉଛନ୍ତି। ଆଗାମୀ ନିର୍ବାଚନରେ ଜନତା ଏହାର ଗୋଟି ଗୋଟି ହିସାବ ନେବେ।
#WATCH | Begusarai: On On JDU Chief Nitish Kumar resigning as the CM of Bihar and JD(U)-BJP alliance, Prashant Kishor, Poll Strategist says, "I have been saying this since starting that Nitish Kumar can swap anytime. This has become a part of his politics... He is a 'paltumaar'.… pic.twitter.com/V7LR9rcJ71
— ANI (@ANI) January 28, 2024
ମୁଁ ହିଁ ଏକମାତ୍ର ବ୍ୟକ୍ତି ଯିଏକି ନୀତୀଶ କୁମାର ଯେକୌଣସି ମୁହୂର୍ତ୍ତରେ ପଲଟିପାରନ୍ତି ବୋଲି କହିଥିଲି। ଆଉ ଆଜି ତାହା ପ୍ରମାଣିତ ହୋଇଛି। ନୀତୀଶ କୁମାର ପାଲଟୁରାମ ନୁହଁନ୍ତି ବରଂ ପାଲଟୁରାମଙ୍କ ସରଦାର। ଲୋକେ ଏହା ଜାଣି ସାରିଲେଣି। ଆଜିର ଘଟଣାବଳି ଦର୍ଶାଇଛି ଯେ ବିହାରର ସମସ୍ତ ନେତା କିମ୍ବା ଦଳ ପାଲଟୁରାମ ଅଟନ୍ତି। ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ନରେନ୍ଦ୍ର ମୋଦି, ଅମିତ ଶାହା ଏବଂ ବିଜେପି ମଧ୍ୟ ସମାନ ପାଲଟୁରାମ ଅଟନ୍ତି ବୋଲି ପିକେ କହିଛନ୍ତି।
ଯାଦବ କହିଛନ୍ତି ତାଙ୍କର କୌଣସି "କ୍ରୋଧ କି ବିରକ୍ତ ଭାବ ନାହିଁ, ଆରଜେଡି କେବଳ ମହାଗଠବନ୍ଧନକୁ ଅନୁସରଣ କରିଥିଲା। କିନ୍ତୁ ମୁଁ ଗୋଟିଏ କଥା ସ୍ପଷ୍ଟ ଭାବରେ କହିବାକୁ ଚାହେଁ। ଏବେ ଖେଳ ଆରମ୍ଭ ହେଲା, ଆଗକୁ ବହୁତ କିଛି ଘଟିବାକୁ ଯାଉଛି। ମୁଁ ଯାହା କହେ, ତାହା କରେ। ମୁଁ ଆପଣଙ୍କୁ ଲେଖିକି ଦଉଛି, 2024ରେ ଜେଡିୟୁ ଶେଷ ହୋଇଯିବ।"
#WATCH | On Nitish Kumar joining NDA and breaking ties with RJD, RJD leader Tejashwi Yadav says, "He was a tired CM. Khel abhi shuru huai, khel abhi baki hain. I can give you in writing that the JDU party will be finished in 2024. The public is with us..." pic.twitter.com/yQfQmodkEh
— ANI (@ANI) January 28, 2024
ସେ ଆହୁରି କହିଛନ୍ତି ଯେ, ବିହାରର ଜନତା ତାଙ୍କ ପାର୍ଟି ସହ ଅଛନ୍ତି ଏବଂ ସେମାନଙ୍କ ସହ ଛିଡା ହେବେ। ଆମେ ବିଜେପିକୁ ଧନ୍ୟବାଦ ଦେବାକୁ ଚାହୁଁଛୁ ଯେ ସେମାନେ ଜେଡି(ୟୁ)କୁ ନେଇଯାଇଛନ୍ତି।
2022ରେ ନୀତୀଶ କୁମାର ଯେତେବେଳେ ସରକାର ଗଠନ କରିବାକୁ ଏନଡିଏ ଛାଡି କଂଗ୍ରେସ ଏବଂ ବାମପନ୍ଥୀ ଦଳ ସହିତ ମହାଗଠବନ୍ଧନ କରିଥିଲେ ସେହି ବର୍ଷର ଘଟଣାକୁ ମନେ ପକାଇ ତେଜସ୍ୱୀ କହିଛନ୍ତି, "ଆମେ ବହୁତ ଆଶା ନେଇ ସରକାର ଗଠନ କରିଥିଲୁ। ନୀତୀଶ କୁମାର ସେହି ସମୟରେ ସରକାର ଗଠନ କରିବାର ଉଦ୍ଦେଶ୍ୟ ମଧ୍ୟ ବୁଝାଇଥିଲେ। କିନ୍ତୁ ସେ ବର୍ତ୍ତମାନ ସରକାରକୁ ହତ୍ୟା କରି ଛାଡି ଚାଲିଗଲେ, ଜନତା ଏହାର ଉଚିତ୍ ଜବାବ ଦେବେ।"
#WATCH | RJD leader Tejashwi Yadav says, "Why should we not take credit for the work we have done? ... The CM who used to say that it is impossible to give jobs, we gave jobs and showed that it is possible. We brought new policies in tourism, IT, and sports. The work that was… pic.twitter.com/tvqFLQELmS
— ANI (@ANI) January 28, 2024
ନୀତୀଶଙ୍କୁ କଟାକ୍ଷ କରି ତେଜସ୍ୱୀ ଆହୁରି କହିଛନ୍ତି, ତାଙ୍କର କୌଣସି ଭିଜନ୍ ନଥିଲା, ସେ ଜଣେ ଅଳସୁଆ ମୁଖ୍ୟମନ୍ତ୍ରୀ ଥିଲେ, ଆମେ ତାଙ୍କୁ ଅନେକ କାମ କରିବାକୁ ଦେଇଥିଲୁ। ଆମେ ପର୍ଯ୍ୟଟନ, ଆଇଟି ଏବଂ କ୍ରୀଡା କ୍ଷେତ୍ରରେ ଅନେକ ନୂଆ ନିୟମ ଆଣିଥିଲୁ। 17 ମାସ ମଧ୍ୟରେ ଯାହା କରିଥିଲୁ, ତାହା ବିଜେପି-ଜେଡିୟୁର 17 ବର୍ଷ ଶାସନ କାଳ ମଧ୍ୟରେ ହୋଇନଥିଲା। ଆମେ 17 ମାସ ମଧ୍ୟରେ ଯେଉଁସବୁ ଐତିହାସିକ କାର୍ଯ୍ୟ କରିଥିଲୁ ଦେଶର ଅନ୍ୟ କୌଣସି ସ୍ଥାନରେ ହୋଇନାହିଁ।
ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବିହାରର କଂଗ୍ରେସ ଏବଂ ଆଞ୍ଚଳିକ ଦଳ ସମେତ ଇଣ୍ଡିଆ ମେଣ୍ଟ ଉପରେ ଏହାର କି ପ୍ରଭାବ ପଡୁଛି ତା' ଉପରେ ସମସ୍ତଙ୍କ ନଜର।
ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏମାନଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଛନ୍ତି। କୁଶୱା ଜାତିର ଏବଂ ବିହାର ବିଜେପି ସଭାପତି ହେଉଛନ୍ତି ସମ୍ରାଟ ଚୌଧୁରୀ। ସେ ଭେଟେରାନ ନେତା ଶକୁନି ଚୌଧୁରୀଙ୍କ ପୁଅ ଅଟନ୍ତି। ସେହିଭଳି ଲାଖୀସରାଇ ଆସନରୁ ଚାରିଥର ବିଧାୟକ ହୋଇଥିବା ବିଜୟ ସିହ୍ନା ଭୁମିହାର ଜାତିର ପ୍ରତିନିଧିତ୍ୱ କରନ୍ତି। ସେ ବିହାରର ନୂତନ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ପୂର୍ବ ସରକାରରେ ଶ୍ରମ ମନ୍ତ୍ରୀ ଥିଲେ।
ସେହିପରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହ ଶପଥ ନେଇଛନ୍ତି। JDU ଓ ବିଜେପିରୁ ୩ ଜଣ ଲେଖାଏଁ, HAMରୁ ଜଣେ ଓ ଜଣେ ସ୍ୱାଧିନ ବିଧାୟକ ଶପଥ ନେଇଥିବା ସୂଚନା ମିଳିଛି।
Nitish Kumar takes oath as Bihar CM for the 9th time after he along with his party joined the BJP-led NDA bloc. pic.twitter.com/7yZygtsKpo
— ANI (@ANI) January 28, 2024
ଉଲ୍ଲେଖଯୋଗ୍ୟ, ଆଜି ସକାଳେ ନୀତୀଶ କୁମାର ମହାମେଣ୍ଟକୁ ବାଏ ବାଏ କହି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ଏନ୍ଡିଏ ସହ ମିଶି ସରକାର ଗଠନ କରିବାକୁ ଦାବି କରିଥିଲେ।
ବିହାରରେ ସରକାର ଗଠନ ପାଇଁ କେବଳ ୧୨୨ ଜଣ ବିଧାୟକ ଆବଶ୍ୟକ। ତେବେ ନୂଆ ସରକାର ଗଢ଼ିବା ପାଇଁ ନୀତୀଶଙ୍କୁ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ୭୮ ବିଜେପି, ୪୫ ଜେଡିୟୁ, ୪ HAM (ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା) ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଜଣାଇଛନ୍ତି।
ସୋଶାଲ ମିଡିଆ ସାଇଟ୍ 'X'ରେ ପୋଷ୍ଟ କରି ରୋହିଣୀ ନୀତୀଶଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି, 'ଆମ ଜୀବନ ଥିବା ପର୍ଯ୍ୟନ୍ତ ସାମ୍ପ୍ରଦାୟିକ ଶକ୍ତି ବିରୋଧରେ ଆମର ସଂଗ୍ରାମ ଜାରି ରହିବ। ଅଳିଆ ପୁଣି ଅଳିଆ ଗଦାକୁ ଗଲା। ଆଳିଆ ମଣ୍ଡଳୀକୁ ଦୁର୍ଗନ୍ଧମୟ ଅଳିଆ ସୁହାଏ।' କେବଳ ସେତିକି ନୁହେଁ ସେ ଏନ୍ଡିଏକୁ ମଧ୍ୟ ଟାର୍ଗେଟ୍ କରି ପୋଷ୍ଟ କରିଛନ୍ତି।
ରୋହିଣୀଙ୍କ ପୂର୍ବରୁ ଲାଲୁଙ୍କ ପୁଅ ତେଜ ପ୍ରତାପ ଯାଦବ ମଧ୍ୟ ସୋଶାଲ ମିଡିଆ ପୋଷ୍ଟ କରି ନିଆରା ଢ଼ଙ୍ଗରେ ନୀତୀଶଙ୍କୁ କଟାକ୍ଷ କରିଥିଲେ। ସେ କବିତା ଲେଖି 'ଭାବ' ଶବ୍ଦ ଜରିଆରେ ନୀତୀଣ କୁମାରଙ୍କୁ 'ମୂଲ୍ୟବୋଧ' ଓ 'ବିଚାରଧାରା'କୁ ନେଇ ସମାଲୋଚନା କରିଥିଲେ।
कूड़ा गया फिर से कूड़ेदानी में
— Rohini Acharya (@RohiniAcharya2) January 28, 2024
कूड़ा - मंडली को बदबूदार कूड़ा मुबारक pic.twitter.com/gQvablD7fC
ସୂଚନାଯୋଗ୍ୟ, ଆଉ କିଛି ସମୟ ପରେ ନୀତୀଶ ଶପଥ ଗ୍ରହଣ କରି ଏନ୍ଡିଏ ସମର୍ଥନରେ ବିହାରରେ ନୂଆ ସରକାର ଗଠନ କରିବେ। ଆସନ ବଣ୍ଟନ ବୁଝାମଣା ଆଲୋଚନା ବିଫଳ ହେବାରୁ ନୀତୀଶ କୁମାର ‘ଇଣ୍ଡିଆ ବ୍ଲକ୍’ ଉପରେ ରାଗି ଯାଇଥିଲେ ବୋଲି ସୂତ୍ରରୁ ଜଣାପଡ଼ିଛି।
ଗତ କିଛି ଦିନ ହେବ ନୀତୀଶ କୁମାର ପୁଣିଥରେ ୟୁ-ଟର୍ଣ୍ଣ ମାରିବେ ବୋଲି ଆଶଙ୍କା କରାଯାଉଥିଲା। ସେ ପୁଣିଥରେ ବିଜେପି ଆଡକୁ ଢ଼ଳିବେ ବୋଲି ଆଭାସ ମିଳୁଥିଲା।
ନୀତୀଶ କୁମାର ଓ ତାଙ୍କ ଜେଡିୟୁ ପୁଣି ଥରେ ବିଜେପି ଆଡକୁ ଢ଼ଳିଛି। ରବିବାର ଜେଡିୟୁର ବିଧାୟକ ଦଳ ବୈଠକ ପରେ ସେ ମହାମେଣ୍ଟ ସରକାରଙ୍କୁ ଇସ୍ତଫା ଦେଇଛନ୍ତି। ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରିଛନ୍ତି। ଚଳିତ ଇସ୍ତଫାକୁ ମିଶାଇ ସେ ୮ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି। ଗତ ୨୮ ବର୍ଷ ମଧ୍ୟରେ ସେ ତୃତୀୟ ଥର ପାଇଁ ବିଜେପି ଶିବିର ମୁହାଁ ହୋଇଛନ୍ତି। ସେ ଅଗଷ୍ଟ ୨୦୨୨ ରେ ବିଜେପି ଛାଡିଥିଲେ। ଆଉ ଏବେ ଦୁଇ ବର୍ଷ ନ ପୂରୁଣୁ ସେ ପୁଣି ଏନଡିଏରେ ଯୋଗ ଦେଇଛନ୍ତି।
- ୧୯୯୬ ରେ ନୀତୀଶ ପ୍ରଥମ ଥର ପାଇଁ ବିଜେପି ସହ ମେଣ୍ଟ କରିଥିଲେ। ୩ ମାର୍ଚ୍ଚ ୨୦୦୦ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତଥାପି, ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିବାରୁ ତାଙ୍କୁ ୭ ଦିନ ମଧ୍ୟରେ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହି ପଦ ଛାଡି ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିଲେ।
- ନଭେମ୍ବର ୨୦୦୫ ରେ ବିହାରରେ ଅନୁଷ୍ଠିତ ନିର୍ବାଚନରେ ନୀତୀଶ ଦ୍ୱିତୀୟ ଥର ପାଇଁ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜେପି ଜେଡିୟୁ ମେଣ୍ଟ ପାଖରେ ସଂଖ୍ୟାଗରିଷ୍ଠତା ଥିଲା।
- ୨୦୧୦ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଦଳର ପ୍ରଦର୍ଶନ ଭଲ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
- ୧୯୯୬ ରୁ ୨୦୧୩ ପର୍ଯ୍ୟନ୍ତ ନୀତୀଶ ବିଜେପି ସହିତ ଥିଲେ। ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲା, ସେତେବେଳେ ସେ ଏନଡିଏଠାରୁ ଅଲଗା ହୋଇଥିଲେ। ସେ ଆର୍ଜେଡି ସହ ମିଶି ସରକାର ଗଠନ କରିଥିଲେ। ୨୦୧୪ରେ ଲୋକସଭା ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥଇଲେ।
- ୨୦୧୪ରୁ ୨୦୧୫ ମଧ୍ୟରେ ଜୀତନ ରାମ ମାଞ୍ଝିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ୨୦୧୫ ରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିଲା, ନୀତୀଶ ମାଞ୍ଝିଙ୍କୁ ହଟାଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ।
- ୨୦୧୫ ବିଧାନସଭା ନିର୍ବାଚନରେ ଏନଡିଏ ବିରୋଧରେ ମହାମେଣ୍ଟ (ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ) ର ବିଜୟ ପରେ ନୀତୀଶ କୁମାର ପୁଣି ଥରେ ବିହାରର ଶାସନ ଭାର ନିଜ ହାତକୁ ନେଇଥିଲେ। ଏହାକୁ ମିଶାଇ ନୀତୀଶ ପଞ୍ଚମ ଥର ପାଇଁ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
- ନୀତୀଣଙ୍କ ମହାମେଣ୍ଟ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ନୀତୀଶ କୁମାର ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ୨୬ ଜୁଲାଇ ୨୦୧୭ ରେ ଏହି ପଦରୁ ଇସ୍ତଫା ଦେଇଥିଲେ। ପୁଣି ଥରେ ଏନଡିଏରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ।
- ୨୦୧୯ ଲୋକସଭା ନିର୍ବାଚନ ଓ ୨୦୨୦ ବିହାର ନିର୍ବାଚନ ଜେଡିୟୁ ବିଜେପି ସହ ମିଶି ଲଢ଼ିଥିଲା। ନିର୍ବାଚନରେ ଜେଡିୟୁ ମାତ୍ର ୧୬ଟି ଆସନରେ ଜିତିଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ଦଳ ମାତ୍ର ୪୩ଟି ଆସନରେ ବିଜୟ ହାସଲ କରି ସୀମିତ ରହିଥିଲା। ଏହା ସତ୍ତ୍ୱେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।
- ୨୦୨୨ରେ ନୀତୀଶ କୁମାରଙ୍କ ବିଜେପି ସହ ପୁଣି ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ। କନ୍ଦଳ ବଢ଼ିବା ପରେ ୯ ଅଗଷ୍ଟ ୨୦୨ରେ ବିଜେପି ଠାରୁ ଅଲଗା ହୋଇଥିଲେ ନୀତୀଶ। ନୀତୀଶ କୁମାର ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ(ଆର୍ଜେଡି ଓ କଂଗ୍ରେସ)ରେ ଯୋଗଦେବାକୁ ଘୋଷଣା କରିଥିଲେ। ଏହା ସହ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନୀତୀଶ କୁମାର।
- ଏବେ ୨୮ ଜାନୁଆରୀ ୨୦୨୪ ରେ, ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ ଭାଜପା ସହାୟତାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ବିହାରରେ ସରକାର ଗଠନ ପାଇଁ କେବଳ ୧୨୨ ଜଣ ବିଧାୟକ ଆବଶ୍ୟକ। ତେବେ ନୂଆ ସରକାର ଗଢ଼ିବା ପାଇଁ ନୀତୀଶଙ୍କୁ ୧୨୮ ବିଧାୟକଙ୍କ ସମର୍ଥନ ରହିଛି। ଏଥିରେ ୭୮ ବିଜେପି, ୪୫ ଜେଡିୟୁ, ୪ HAM (ହିନ୍ଦୁସ୍ତାନ ଆଓ୍ୱାମ ମୋର୍ଚ୍ଚା) ଓ ଜଣେ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଜଣାଇଛନ୍ତି।
ନୀତୀଶ କୁମାର NDA ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। ଯଦି ସବୁକିଛି ଠିକ୍ ରୁହେ ତେବେ ଆଜି ସନ୍ଧ୍ୟାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ। ଏଥସହ ସେ ଏହାକୁ ମିଶାଇ ୯ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ। ନୀତୀଶ କୁମାରଙ୍କ ସମେତ ମୋଟ ୯ଜଣ ମନ୍ତ୍ରୀ ଆଜି ଶପଥ ନେବେ।
नीतीश कुमार ने राज्यपाल को सौंपी चिट्ठी, नई सरकार बनाने का दावा किया पेश...@GovernorBihar @NitishKumar @samrat4bjp #BiharPolitics pic.twitter.com/9W8dxCCNSw
— Gaurav Kumar (@gaurav1307kumar) January 28, 2024
JDU ଓ ବିଜେପିରୁ ୩ ଜଣ ଲେଖାଏଁ, HAMରୁ ଜଣେ ଓ ଜଣେ ସ୍ୱାଧିନ ବିଧାୟକ ଶପଥ ନେବେ। ସମ୍ରାଟ ଚୌଧୁରୀ, ବିଜୟ ସିହ୍ନା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରେମ କୁମାର, ଶ୍ରବଣ କୁମାର, ସନ୍ତୋଷ କୁମାର ସୁମନ, ବିଜେନ୍ଦ୍ର ଯାଦବ, ସୁମିତ କୁମାର ସିଂହଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥ ଗ୍ରହଣ କରାଇବେ।
ବିଜେପି ସାଂସଦ ସୁଶୀଲ ମୋଦି କହିଛନ୍ତି, 'ନୀତୀଶ କୁମାରଙ୍କ ଇସ୍ତଫା ଦେବା ନିଷ୍ପତ୍ତିକୁ ଆମେ ସ୍ୱାଗତ କରୁଛୁ। ମୁଁ ଜାଣିଥିଲି ଯେ ଆରଜେଡି-ଜେଡିୟୁ ଏକ ଅସ୍ୱାଭାବିକ ମେଣ୍ଟ। ବିଜେପି ଏବଂ ଜେଡିୟୁ ମିଳିତ ଭାବେ ବିହାରରେ ସରକାର ଗଠନ କରିବେ। ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏକ ନୂତନ ସରକାର ଗଠନ ହେବ।'
କହିରଖୁ ଯେ, ବିଜେପିର ସମର୍ଥନରେ ନୀତୀଶ ନେତୃତ୍ୱରେ ବିହାରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ବିଜେପିର ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ନୂତନ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ହେବେ। ରବିବାର ଦିନ ବିଧାୟକ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନୂତନ ସରକାରକୁ ଜିତନ ରାମ ମଞ୍ଜୀ ମଧ୍ୟ ସମର୍ଥନ କରିଛନ୍ତି। ନୀତୀଶଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନାଡ୍ଡା ମଧ୍ୟ ପାଟନାକୁ ଆସୁଥିବା ସୂଚନା ମିଳିଛି।
ଗତଥର ବିଜେପି ତାରକେଶ୍ୱର ପ୍ରସାଦ ଏବଂ ପଛୁଆ ଜାତିରୁ ଆସିଥିବା ରେଣୁ ଦେବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରିଥିବାବେଳେ ଏଥର ଭୁମିହାର ସମ୍ପ୍ରଦାୟରୁ ଆସିଥିବା ବିଜୟ ସିହ୍ନା ଏବଂ ପଛୁଆ ଜାତିର ସମ୍ରାଟ ଚୌଧୁରୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ନିଷ୍ପତ୍ତି ନେଇଛି। ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିବା ବେଳେ ବିଜୟ ସିହ୍ନାଙ୍କୁ ଉପନେତା ଭାବେ ନିର୍ବାଚିତ କରାଯାଇଥିବା ସୂଚନା ମିଳିଛି।
ସମ୍ରାଟ ଚୌଧୁରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, 'ଏହା ମୋ ପାଇଁ ଏକ ଭାବପ୍ରବଣ ମୁହୂର୍ତ୍ତ ... ସରକାରରେ କାମ କରିବା ପାଇଁ ବିଧାନସଭା ଦଳର ନେତା ଭାବରେ ମୋତେ ଚୟନ କରାଯାଇଛି। ଯେତେବେଳେ ବିହାରର ବିକାଶ ତଥା ଲାଲୁ ପ୍ରସାଦଙ୍କ ଆତଙ୍କକୁ ଦୂର କରିବା ପାଇଁ ନୀତୀଶ ଜୀଙ୍କ ପ୍ରସ୍ତାବ ପାଇଥିଲୁ, ସେତେବେଳେ ଆମେ ତାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଥିଲୁ।'
ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା ପରେ ବିହାରରେ ରାଜନୈତିକ ସମୀକରଣ ବଦଳିଯାଇଛି। ବର୍ତ୍ତମାନ ଜେଡିୟୁ, ହମ ଏବଂ ବିଜେପି ସହିତ ମିଶି ଏକ ନୂଆ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି।
ସେ ଗଣମାଧ୍ୟମକୁ କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ମୁଁ ସବୁ ଦିଗରୁ ପରାମର୍ଶ ଗ୍ରହଣ କରୁଥିଲି। ମୁଁ ଏକ ନୂତନ ସହଯୋଗୀ ଦଳ ପାଇଁ ପୂର୍ବ ସହଯୋଗୀ ଦଳ ଛାଡ଼ିଥିଲି। କିନ୍ତୁ ପରିସ୍ଥିତି ଭଲ ନଥିଲା। ସେଥିପାଇଁ ମୁଁ ଇସ୍ତଫା ଦେଇଛି।'
ପରବର୍ତ୍ତୀ ସମୟରେ କ'ଣ ହେବ ସେ ସମ୍ପର୍କରେ ସେ କହିଛନ୍ତି, 'ଦଳମାନେ ବୈଠକ କରିବେ ଏବଂ ନିଷ୍ପତ୍ତି ନିଆଯିବ।' 'ଇଣ୍ଡିଆ' ମିଳିତ ମଞ୍ଚ ସମ୍ପର୍କରେ ନୀତୀଶ କୁମାର କହିଛନ୍ତି ଯେ ସେ ଆଉ ଇଣ୍ଡିଆ ମହାମେଣ୍ଟର ଅଂଶ ନୁହଁନ୍ତି। ଆମେ ଇଣ୍ଡିଆ ବ୍ଲକ୍ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ଏହା କାମ କରୁନଥିଲା କେହି କୌଣସି କାମ କରୁନଥିଲେ। ତେଣୁ ଆମେ ମଝିରେ କହିବା ବନ୍ଦ କରିଦେଇଥିଲୁ।
ମହାମେଣ୍ଟକୁ ନିନ୍ଦା କରି ନୀତୀଶ କୁମାର କହିଛନ୍ତି ଯେ ଦେଢ଼ ବର୍ଷ ଧରି ଥିବା ନୂଆ ମେଣ୍ଟର ଲୋକମାନେ ଦାବି କରୁଥିଲେ ଯେ ସେମାନେ ସମସ୍ତେ ହିଁ କଠିନ ପରିଶ୍ରମ କରୁଛନ୍ତି। ଏହା ଭୁଲ ଥିଲା। ଆଜି ଆମେ ଅଲଗା ହୋଇଯାଇଛୁ। ପୂର୍ବ ସହଯୋଗୀ ଦଳ ଛାଡି ଏକ ନୂତନ ମିଳିତ ମେଣ୍ଟ ଗଠନ କରିବୁ।ମହାଗଠବନ୍ଧନ ସମାପ୍ତ ହୋଇଛି। ମୁଁ ସମସ୍ତଙ୍କର ପରାମର୍ଶ ଶୁଣିଛି। ଗ୍ରାଣ୍ଡ ଆଲାଇନ୍ସରେ ସ୍ଥିତି ଭଲ ନଥିଲା। ବର୍ତ୍ତମାନ, ଯଦି ଆମର ପୂର୍ବ ସହଯୋଗୀ (ବିଜେପି) ଆମ ସହିତ ଯୋଗ ଦିଅନ୍ତି, ଆମେ ଆଗକୁ ବଢ଼ିବୁ।
ବିହାରରେ ରାଜନୈତିକ ହଇଚଇ ଜାରି ରହିଥିବା ବେଳେ ଆଜି ବିଧାୟକମାନଙ୍କ ସହ ବୈଠକ କରିବା ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି। ନୀତୀଶ କୁମାରଙ୍କ ସହିତ ମନ୍ତ୍ରୀ ବିଜେନ୍ଦ୍ର ଯାଦବ ଓ ସଞ୍ଜୟ ଝା’ ମଧ୍ୟ ଯାଇଥିଲେ। ରାଜ୍ୟପାଳଙ୍କୁ ରାଜ୍ୟରେ ମହାଗଠବନ୍ଧନ ଠାରୁ ସମ୍ପର୍କ ବିଚ୍ଛିନ୍ନ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ନୀତୀଶ କୁମାର କହିଥିଲେ।
କହିରଖୁ ଯେ, ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରିଛନ୍ତି। ଚଳିତ ଇସ୍ତଫାକୁ ମିଶାଇ ସେ ୮ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି। ଏବେ ନବମ ଥର ପାଇଁ ପୁଣି ଶପଥ ନେବେ। ଗତ ୨୮ ବର୍ଷ ମଧ୍ୟରେ ସେ ତୃତୀୟ ଥର ପାଇଁ ବିଜେପି ଶିବିର ମୁହାଁ ହୋଇଛନ୍ତି।
ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ଇସ୍ତଫା ପତ୍ର ପଠାଇଛନ୍ତି। ଏଥିସହ ଆରଜେଡି ସହ ଜେଡିୟୁର ମହାଗଠବନ୍ଧନକୁ ଭାଙ୍ଗିବାକୁ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି ନୀତୀଶ। ଖୁବଶୀଘ୍ର ବିହାରରେ ଗଠନ ହେବାକୁ ଯାଉଛି ନୂଆ ସରକାର।
ଆରଜେଡି ସହ ମେଣ୍ଟ ଭାଙ୍ଗି ପୁଣି ବିଜେପିରେ ମିଶିବେ ନୀତୀଶ। ଆଜି ସନ୍ଧ୍ୟା 5ଟାରେ ଜେଡିୟୁ-ବିଜେପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର। ସେ ବିହାର ବିଧାନସଭାର ନବମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୀତୀଶ କୁମାର କହିଛନ୍ତି, 'ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି। ସରକାର ଭଙ୍ଗ ପାଇଁ ମଧ୍ୟ ରାଜ୍ୟପାଳଙ୍କୁ ପ୍ରସ୍ତାବ ଦେଇଛି। ଦଳର ନିଷ୍ପତ୍ତି ଆଧାରରେ ମୁଁ ଇସ୍ତଫା ଦେଇଛି।'
ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା ରବିବାର ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ବର୍ତ୍ତମାନ ଜନତା ଦଳ (ୟୁନାଇଟେଡ୍) ଏବଂ ରାଷ୍ଟ୍ରୀୟ ଜନତା ଦଳ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ନୀତୀଶ ବିଜେପି-ଜେଡିୟୁ ସରକାରର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
ଭାରତ ରତ୍ନ ସମ୍ମାନ ପାଇଁ କର୍ପୂରୀ ଠାକୁରଙ୍କ ନାମ ଘୋଷଣା ପରେ ବଦଳିଯାଇଛି ବିହାରର ରାଜନୈତିକ ସମୀକରଣ। ନୀତୀଶ କୁମାର କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଗତକାଲି ମଧ୍ୟ ଏକ ବଡ ଧରଣର ମାନସ ମନ୍ଥନ ହୋଇଥିଲା।
ଶେଷରେ ଜେଡିୟୁ ବିଜେପି ସହ ଗଠବନ୍ଧନ କରିବାକୁ ଯାଉଥିବା ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।
ସୂଚନା ମୁତାବକ, ଭାରତୀୟ ଜନତା ପାର୍ଟି ତଥା ବିଜେପି ନୀତୀଶ କୁମାରଙ୍କ ଘର ବାହୁଡାକୁ ମଞ୍ଜୁରୀ ଦେଇସାରିଛି। ଏଭଳି ସ୍ଥିତିରେ ନୀତୀଶ ବିହାର ବିଧାନସଭା ଭାଙ୍ଗି ପାରନ୍ତି ବୋଲି କୁହାଯାଇଛି। ବିଜେପି ନିଜର ସମସ୍ତ ବିଧାୟକଙ୍କୁ ପାଟନା ଡକାଇଥିବା ମଧ୍ୟ ସୂଚନା ମିଳିଛି।
ସେପଟେ ଗୁରୁବାର ସନ୍ଧ୍ୟାରେ ବିଜେପି ରାଜ୍ୟ ସଭାପତି ସମ୍ରାଟ ଚୌଧୁରୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ ଦୁହେଁ ହଠାତ୍ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ଗହଳି ଚହଳି ବଢିଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନୀତୀଶ କୁମାରଙ୍କ ସହ ଜେଡିୟୁ ରାଜ୍ୟ ସଭାପତି ଉମେଶ କୁଶୱାହା, ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦଳର ସାଂସଦ ଲଲନ ସିଂହ, ବିହାର କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ଝା ଏବଂ ଦଳର ଅନ୍ୟ ବଡ଼ ବଡ଼ ନେତାମାନେ ଉପସ୍ଥିତ ଅଛନ୍ତି। ସେଠାରେ ଏହି ନେତାମାନଙ୍କର ଏକ ବୈଠକ ଚାଲିଛି।
ଏହି ବୈଠକରେ ଉଭୟ ଲାଲୁ ଓ ନୀତୀଶଙ୍କ ଘନିଷ୍ଠ କୁହାଯାଉଥିବା ମୁସଲମାନ ନେତା ଅଲ୍ଲୀ ଅସରଫ ଫାତମି ମଧ୍ୟ ଉପସ୍ଥିତ ଥିଲେ। ସେପଟେ ପାଟନାର ତେଜସ୍ୱୀ ଯାଦବ ଓ ଆରଜେଡି ଶିବିରରେ ମଧ୍ୟ ହଇଚଇ ସୃଷ୍ଟି ହୋଇଛି । ତେଜସ୍ୱୀ ଯାଦବ ତାଙ୍କ ଘନିଷ୍ଠ ବିଧାୟକ ଏବଂ ଦଳୀୟ ଅଧିକାରୀଙ୍କ ସହ ଘନ ଘନ ବୈଠକ ଜାରି ରଖିଛନ୍ତି।
ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏସବୁ ଭିତରେ ମେଣ୍ଟ ନ ଭାଙ୍ଗିବା ପାଇଁ ନୀତୀଶ କୁମାରଙ୍କୁ ମନାଇବା ଲାଗି ଲାଲୁ ପ୍ରସାଦ ଯାଦବ ଆକ୍ଟିଭ ହୋଇପଡିଛନ୍ତି। ସେ ନୀତୀଶ କୁମାରଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି। ସେପଟେ କଂଗ୍ରେସର ଶୀର୍ଷ ନେତାମାନେ ମଧ୍ୟ ନୀତୀଶଙ୍କ ସହ ଯୋଗାଯୋଗ କରିଛନ୍ତି।
ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ 'ଇଣ୍ଡି' ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଛଟ୍କା ଲାଗୁଛି। ଗତ ଦୁଇ ଦିନରେ ଦୁଇ ପ୍ରମୁଖ ନେତା ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲ କଂଗ୍ରେସ ସହ ପଞ୍ଜାବ ଏବଂ ପଶ୍ଚିମବଙ୍ଗରେ ମେଣ୍ଟ କରିବାକୁ ମନା କରି ଦେଇଥିଲେ। ଏବେ ଇଣ୍ଡିଆ ମେଣ୍ଟକୁ ଗଠନ କରିଥିବା ନୀତୀଶ ମଧ୍ୟ ଏଥିରୁ ଭିନ୍ନ ହେବାକୁ ଯାଉଥିବା ଆଶଙ୍କା କରାଯାଇଛି।
ଗତ ସପ୍ତାହରେ ନୀତୀଶ କୁମାର ରାଜନୀତିରେ ବଂଶବାଦ ଉପରେ ମନ୍ତବ୍ୟ ଦେଇଥିଲେ। ଯାହାଦ୍ଵାରା ସେ ପରୋକ୍ଷରେ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ କରୁଥିବା କୁହାଯାଉଥିଲା। ପରେ ଲାଲୁଙ୍କ ଝିଅ ମଧ୍ୟ ପରୋକ୍ଷରେ ନୀତୀଶଙ୍କୁ ସମାଲୋଚନା କରିଥିଲେ। ଏହାରି ମଧ୍ୟରେ ଇଣ୍ଡିଆ ମେଣ୍ଟରେ ଚାଲିଥିବା ଟଣା ଓଟରାରେ କୌଣସି ବାସ୍ତବିକ ଚିତ୍ର ମିଳୁ ମନଥିବାରୁ ନୀତୀଶ କୁମାର ଅସନ୍ତୋଷ ଥିବା କୁହାଯାଉଛି।
ଯଦି ଆଲୋଚନା ସତ ହୁଏ ତେବେ ନୀତୀଶ କୁମାରଙ୍କ ଶିବିରରେ ପଞ୍ଚମ ଥର ପରିବର୍ତ୍ତନ ହେବ। ୨୦୧୩ ଠାରୁ ସେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ ଗୋଷ୍ଠୀ ପରିବର୍ତ୍ତନ କରିଛନ୍ତି।
କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର କହିଛନ୍ତି, “ଯେତେବେଳେ ବିଶ୍ୱରେ ସୈତାନୀ ବୃଦ୍ଧି ପାଇଥିଲା, ବିଶ୍ୱାସ ହ୍ରାସ ପାଇଥିଲା, ଦୁର୍ନୀତି ଖୋର ଓ ରାକ୍ଷାସଙ୍କ ସଂଖ୍ୟା ସବୁ ଆଡ଼େ ବଢ଼ିଥିଲା ସେତେବେଳେ କେନ୍ଦ୍ରୀୟ ଏସିଆରେ ଭଗବାନ ଜଣେ ମହାନ ବ୍ୟକ୍ତିଙ୍କୁ ତିଆରି କରିଥିଲେ। ଆଉ ସେ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଫେଟ ମହମ୍ମଦ। ବିଶ୍ୱାସ ଫେରାଇ ଆଣିବାକୁ ଭଗବାନ ତାଙ୍କୁ ପଠାଇଥିଲେ। ବିଶ୍ୱାସୀଙ୍କ ପାଇଁ ଇସଲାମ ଆସିଛି। ଅନ୍ୟାୟ ବିରୋଧରେ ଇସଲାମ। ରାକ୍ଷାସଙ୍କ ବିରୋଧରେ ଇସଲାମ।”
ହିନ୍ଦୁ ପରମ୍ପରାରେ ଭଗବାନ ରାମକୁ ମର୍ଯ୍ୟାଦା ପୁରୁଷୋତ୍ତମ କୁହାଯାଏ। ଚନ୍ଦ୍ରଶେଖର ମର୍ଯ୍ୟାନା ପୁରୁଷୋତ୍ତମ ସହ ପ୍ରଫେଟ ମହମ୍ମଦଙ୍କୁ ତୁଳନା କରିଥିବାରୁ ବିଜେପି ଏହାକୁ କାଉଣ୍ଟର କରିଛି।
ବିଜେପି ମୁଖପାତ୍ର ଅରବିନ୍ଦ କୁମାର ସିଂହ କହିଛନ୍ତି, “ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ମାନସିକ ରୋଗର ଶିକାର ହୋଇଛନ୍ତି। ବେଳେବେଳେ ସେ ରାମାୟଣ ଉପରେ ମତ ରଖୁଛନ୍ତି ଓ ଏବେ ସେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ କହିଛନ୍ତି। ଏପରି ଲୋକମାନେ ଜାତି ଓ ଧର୍ମ ନାଁରେ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି।”
ନୀତିଶ ବୋଝ ପାଲଟିଥିବା ଓ ମୁଖ୍ୟମନ୍ତ୍ରୀ ଭାବେ ଭୋଟ ପାଇବାର କ୍ଷମତା ହରାଇଥିବା ସୁଶୀଲ କହିଛନ୍ତି।
ତେବେ ଏନ୍ଡିକୁ ପୁଣି ନୀତୀଶ ଫେରି ପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ତଥା ଏନ୍ଡିଏର ସହଯୋଗୀ ଦଳ ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ନେତା ରାମଦାସ କହିଥିଲେ। ଯାହା ପରେ ଗତବର୍ଷ ବିଜେପି ଠାରୁ ଅଲଗା ହୋଇଥିବା ନୀତିଶଙ୍କ ଘର ଲେଉଟା ବିଷୟ ଆଲୋଚନାରେ ଥିଲା।
ପିଟିଆଇକୁ ରାମଦାସ ଏହା କହିଥିଲେ ଯେ, ଗତଥର ନୀତୀଶ ଏନ୍ଡିଏ ସହଯୋଗୀ ହୋଇଥିଲେ ହେଁ ବିହାର ବିଧାନସଭା ନିର୍ବାଚନରେ ବିଜେପି ଅଧିକ ସିଟ୍ ଜିତିଥିଲା। ନୀତୀଶ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ।
ତେବେ ନୀତୀଶଙ୍କ ଜେଡି(ୟୁ) ଅଗଷ୍ଟ ୨୦୨୨ରେ ଏନ୍ଡିଏରୁ ବାହାରି ଯାଇ ବିରୋଧୀଙ୍କ ସହ ମିଶିଥିଲା। ପରେ ଆରଜେଡି ସହ ମିଶି ସେଠାରେ ସରକାର ଗଠନ କରିଥିଲା। ବିରୋଧୀ ସାମ୍ମୁଖ୍ୟରେ ସେ ଜଣେ ମୁଖ୍ୟ ନେତା। ତେବେ ସେ କେବେବି ଏନ୍ଡିଏକୁ ଫେରିଆସିପାରନ୍ତି।
ଆଇ.ଏନ୍.ଡି.ଆଇ.ଏ. ସାମ୍ମୁଖ୍ୟ ଗଠନ ନେଇ ରାମଦାସ କହିଥିଲେ, ଏହାର ମୂଳ ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା। ଏହି ବିରୋଧୀ ସାମ୍ମୁଖକୁ ନେଇ ନୀତୀଶ ଖୁସି ନାହାନ୍ତି। ଗତ ବାଙ୍ଗାଲୁରୁ ବୈଠକରୁ ସେ ଫେରିଆସିଥିବା ଖବର ଗତକାଲି ପାଟନା ଗସ୍ତବେଳେ ଜାଣିବାକୁ ପାଇଥିଲେ। ମୁମ୍ୱାଇରେ ହେବାକୁ ଥିବା ଆସନ୍ତା ବିରୋଧୀ ସମ୍ମୁଖ୍ୟ ବୈଠକରେ ସେ ଯୋଗଦେଇ ନପାରନ୍ତି ବୋଲି ରାମଦାସ କହିଛନ୍ତି।
ତେବେ ରାମଦାସଙ୍କୁ କାଉଣ୍ଟର କରିଛନ୍ତି ବିଜେପି ଏମ୍ପି ସୁଶୀଲ ମୋଦି।
୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ପୂର୍ବରୁ ଜୁଲାଇରେ ବେଙ୍ଗଲୁରୁ ଠାରେ ୧୭ରୁ ୧୮ଟି ବିରୋଧୀ ଦଳ ଏକାଠି ହେବାକୁ ଯାଉଛନ୍ତି। ତେବେ ବିରୋଧୀଙ୍କ ରାଜନୀତି ସମୀକରଣ ଦୃତଗତିରେ ବଦଳୁଛି। ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନ୍ସିପିରେ ପୁତୁରା ଅଜିତ୍ ପାୱାର ବିଦ୍ରୋହ କରିବାରୁ ଏହି ଦଳରେ ଫାଟ ସୃଷ୍ଟି ହୋଇସାରିଛି। ଅନ୍ୟପଟେ ବିହାରର ଜନତା ଦଳ ୟୁନାଟେଡ୍(ଜେଡିୟୁ) ଏବଂ ଆରଜେଡି ଭିତରେ ଫାଟ ଦେଖାଦେଇଛି। ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀଙ୍କ ଭିତରେ ଝଗଡ଼ା ଏହି ଫାଟର ସୂତ୍ରପାତ କରିଛି। ଶିକ୍ଷାମନ୍ତ୍ରୀ ଚନ୍ଦ୍ରଶେଖର ଏବଂ ଆଇଏଏସ୍ କେକ ପାଠକଙ୍କ ଭିତରେ ବିବାଦ ଏବେ ଦଳସ୍ତରରେ ପହଞ୍ଚିଛି। ଯାହାକୁ ନେଇ ଏହି ଦୁଇ ଦଳ ଭିତରେ ବୟାନବାଜୀ ଓ ନିର୍ବାଚନୀ ଯୁଦ୍ଧର ପ୍ରସ୍ତୁତି ଦେଖିବାକୁ ମିଳିଛି।
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅତି ନିକଟତର ଆଇଏଏସ୍ କେକେ ପାଠକଙ୍କୁ ଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ନିଯୁକ୍ତ କରାଯିବା ପରେ ବିହାର ମହାମେଣ୍ଟ ଭିତରେ ଏହି ଫାଟ ନଜର ଆସିଛି। ପାଠକ ଏହି ପଦବୀ ସହ ବିହାର ଖରାପ ଶିକ୍ଷା ପ୍ରଳାଳୀରେ ପରିବର୍ତ୍ତନ ଆଣି ଏହାକୁ ମଜଭୁତ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ମୁତାବକ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ପରିବର୍ତ୍ତନ କରିଥିଲେ। ଏଥିସହ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଜିନ୍ସ ଓ ଟି-ସାର୍ଟ ପିନ୍ଧି ଅଫିସ୍ ଆସିବା ଉପରେ ବ୍ୟାନ୍ ଲଗାଇ ଦେଇଥିଲେ।
ପାଠକଙ୍କର ଏହି ନିଷ୍ପତ୍ତିକୁ ନେଇ ଆରଜେଡି କୋଟାରୁ ହୋଇଥିବା ଶିକ୍ଷା ମନ୍ତ୍ରୀ ପ୍ରଫେସର ଚନ୍ଦ୍ରଶେଖର ଖୁସି ନଥିଲେ। ଚନ୍ଦ୍ରଶେଖରଙ୍କ ସଚିବ କୃଷ୍ଣ ମଦନ ଯାଦବ ୪ ଜୁଲାଇରେ ଏବାବଦରେ ଏକ ଅଭିଯୋଗ କେକେ ପାଠକଙ୍କୁ ଲେଖିଥିଲେ। ଯେଉଁଥିରେ ପାଠକଙ୍କ କାର୍ଯ୍ୟଶୈଳୀ ନେଇ ପ୍ରଶ୍ନ ଉଠାଇଥିଲେ।
ଏହି ଅଭିଯୋଗ ପରେ ପାଠକ କଡ଼ା ଅଭିମୁଖ୍ୟ ଗ୍ରହଣ କରି ମନ୍ତ୍ରୀ ଶ୍ରୀ ପାଠକଙ୍କ ନିଜସ୍ୱ ସଚିବ କୃଷ୍ଣ ମଦନଙ୍କ ଏଣ୍ଟ୍ରି ଶିକ୍ଷା ବିଭାଗର ସମସ୍ତ କାର୍ଯ୍ୟାଳୟରେ ବ୍ୟାନ୍ କରିଦେଇଥିଲେ। ଯାହାପରେ ଚନ୍ଦ୍ରଶେଖର ଓ କେକେ ପାଠକଙ୍କ ବିବାଦ ବଢ଼ିବଢ଼ି ଚାଲିଛି।
ଏହା ଜାଣିବା ପରେ ଆଜେଡି ସୁପ୍ରିମୋ ଲାଲୁ ଯାଦବ ଗୁରୁବାର ଦିଲ୍ଲୀ ଯିବା ପୂର୍ବରୁ ଚନ୍ଦ୍ରଶେଖରଙ୍କୁ ତାଙ୍କ ଘରକୁ ଡାକିଥିଲେ। ପୂରାସ୍ଥିତି ବୁଝିବା ପରେ ତୁରନ୍ତ ଘଟଣାର ସମାଧାନ କରିବାକୁ ଜେଡିୟୁ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଫୋନ୍ ଯୋଗେ କହିଥିଲେ।
ଲାଲୁଙ୍କ ଫୋନ୍ ପାଇବା ଏହିଦିନ ହିଁ ପାଠକ ଓ ଚନ୍ଦ୍ରଶେଖରଙ୍କୁ ନିଜ ଘରକୁ ଡକାଇ ଆଲୋଚନା କରିଥିଲେ ନୀତିଶ। ଏଥିରେ ଜନତା ଦଳ ୟୁନାଇଟେଡ୍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଓ ବିହାର ସରକାରରେ ଥିବା ବରିଷ୍ଠ ମନ୍ତ୍ରୀ ବିଜୟ କୁମାର ଚୌଧୁରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଏହି ବିବାଦ ଦେଇ ମୁଖ୍ୟମନ୍ତ୍ରୀ ସହ କୌଣସି ଆଲୋଚନା ହୋଇନଥିବା ପରେ କହିଥିଲେ ଚନ୍ଦ୍ରଶେଖର।
ସେପଟେ ଏହି ବିବାଦକୁ ନେଇ ଦୁଇଦଳର ନେତାଙ୍କ ଭିତରେ ବୟାନବାଜୀ ଆରମ୍ଭ ହୋଇଯାଇଛି। ଯାହା ଦଳୀୟ ଫାଟ ସୃଷ୍ଟିର କାରଣ ହୋଇଥିବା କୁହାଯାଉଛି। ତେଣୁ ଏଠାରେ ଆଗକୁ ରାଜନୀତି ରଙ୍ଗ କି ପ୍ରକାର ରୂପ ନେଉଛି ଦେଖିବାର କଥା।
ଜିତନ ରାମ ଗତ ମଙ୍ଗଳବାର ବିହାର ରାଜ୍ୟପାଳଙ୍କୁ ସାକ୍ଷାତ କରି ନୀତୀଶ କୁମାର ଙ୍କ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ସେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସା ସାକ୍ଷାତ କରିବାକୁ ଦିଲ୍ଲୀ ଚାଲି ଯାଇଥିଲେ। ଏହି ବୈଠକରେ କେନ୍ଦ୍ରୀ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବି ଉପସ୍ଥିତ ଥିଲେ। ନିତ୍ୟାନନ୍ଦ ରାୟ ଏବେ ବିହାରର ଉଜିୟାରପୁର ସାଂସଦ ଅଛନ୍ତି। ଜିତନ ରାମ ଙ୍କ ପାର୍ଟିରେ ଏବେ ୪ ବିଧାୟକ ଅଛନ୍ତି।
ବୈଠକରେ ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଜିତନ ରାମ ମାଞ୍ଝୀ କହିଛନ୍ତି, ଏବେ ଆମେ ଏନଡିଏର ସହଯୋଗୀ । ଆମେ ଏନଡିଏକୁ ସମର୍ଥନ ଦେବାକୁ ରାଜି। ଏନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି।
ଏହି ଆଲୋଚନା ଖୁବ୍ ସଫଳ ହୋଇଛି। ଆମେ ଏବେଠୁ ଏନଡିଏ ସହ ଚାଲିବାକୁ ନିଷ୍ପତ୍ତି ନେଇଛୁ। ଆଗାମୀ ଦିନରେ ଆମେ କେତେ ସିଟ୍ରେ ଲଢ଼ିବୁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜିତନ ରାମ ମାଞ୍ଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ କହିଛନ୍ତି।
ବିହାର ପରିଷଦର ସଦସ୍ୟ ଥିବା ସନ୍ତୋଷ କୁମାର ସୁମନ ପ୍ରାୟ ସପ୍ତାହେ ତଳେ ଇସ୍ତଫା ଦେଇଦେଇଥିଲେ। ନୀତୀଶ କୁମାର ତାଙ୍କ ପାର୍ଟିକୁ ଜେଡିୟୁରେ ବିଲୀନ କରିବାକୁ ଚାପ ପ୍ରୟୋଗ କରୁଥିବାରୁ ସେମାନେ ଏପରି ନିଷ୍ପତ୍ତି ନେଇଥିବା ସୁମନ କୁମାର କହିଛନ୍ତି।
ଅପରପକ୍ଷେ, ଏନେଇ କିଛି ଦିନ ପୂର୍ବେ ନୀତୀଶ କୁମାର କହିଥିଲେ, ମାଞ୍ଝୀ ନିୟମିତ ଭାବେ ବିଜେପି ନେତାଙ୍କ ଯୋଗାଯୋଗରେ ରହିଥିଲେ। ସେ ନିକଟରେ ଏକାଧିକ ବିଜେପି ନେତାଙ୍କୁ ଭେଟିଥିଲେ। ଏହାବାଦ ଜୁନ ୨୩ରେ ହେବାକୁ ଥିବା ବିରୋଧୀଙ୍କ ବୈଠକରେ ବି ସେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ଉକ୍ତ ବୈଠକର ବିଷୟବସ୍ତକୁ ସେ ଲିକ୍ କରିଦେବେ ବୋଲି ଆଶଙ୍କା ଥିଲା। ଏହାକୁ ନଜରରେ ରଖି ମୁଁ ତାଙ୍କୁ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା(ସେକ୍ୟୁଲାର) ଦଳକୁ ଜେଡିୟୁ ସହିତ ଲୀନ କରିଦେବାକୁ କହିଥିଲି। ହେଲେ ସେ ସେମିତି କରି ନଥିଲେ। ତେଣୁ ମୁଁ ତାଙ୍କୁ ମହାଗଠବନ୍ଧନରୁ ବାହାରିଯିବାକୁ କହିଥିଲି। ସେ ଚାଲି ଯିବା ଭଲ କଥା।”
ମଙ୍ଗଳବାର ଭୋର ସମୟରେ ଏକ ଧଳା ରଙ୍ଗର ସ୍କର୍ପିଓରେ କିଛି ଦୁର୍ବୃତ୍ତ ଆସି ଜୋରଜବରଦସ୍ତ ସୁନୀଲ ରାୟଙ୍କୁ ଉଠାଇ ନେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ସୁନୀଲ ରାୟଙ୍କୁ ଉଦ୍ଧାର କରିବାକୁ ପୁଲିସ୍ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କଲା। ଅପହରଣର ୨୪ ଘଣ୍ଟା ମଧ୍ୟରେ ପୁଲିସ୍ ସୁନୀଲ ରାୟଙ୍କୁ ଉଦ୍ଧାର କରି ୨ ଜଣଙ୍କୁ ଗିରଫ କରିଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଥିବା ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ଏନେଇ ସୁନୀଲଙ୍କ ପିତା ପୁଲିସ୍କୁ ସୂଚନା ଦେଇ କହିଥିଲେ ମୋ ପୁଅର କାହା ସହ ଶତ୍ରୁତା ନାହିଁ । କେହି ଫୋନ୍ କରି ଡାକିବାରୁ ମୋ’ ପୁଅ ତା ଅଫିସ୍ ନିକଟରେ ପହଞ୍ଚିଥିଲା। ଏହାପରେ ସେଠାରୁ ତାକୁ କିଡନାପ୍ କରିନେଇଥିଲେ। ସୁନୀଲଙ୍କ ଅପହରଣ ନିମନ୍ତେ ବ୍ୟବହୃତ ହୋଇଥିବା ସ୍କର୍ପିଓକୁ ବି ଜବତ କରାଯାଇଛି ।
ବିହାରରରେ ଆରଜେଡି ଓ ଜେଡିୟୁର ଗଠବନ୍ଧନ ସରକାର ଥିବା ସତ୍ତ୍ୱେ କିପରି ଜଣେ ଆରଜେଡି ନେତାଙ୍କ ଅପହରଣ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବା କହି ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
https://youtu.be/4oNQbIrfk-0
ଆରଜେଡି ନେତା ତେଜସ୍ୱୀ କହିଛନ୍ତି, ଆମ ପ୍ରତିନିଧି ଦଳ ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ। କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଜାତି ଜନଗଣନା କରିବାକୁ ଆମେ ଦାବି କରିଛୁ। ଏବେ ଆମେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ। ନୀତୀଶ କହିଛନ୍ତି, ଜାତି ଜନଗଣନା ଉପରେ ଦେଶ ଏବଂ ବିହାରର ଗୋଟିଏ ମତ ରହିଛି। ପ୍ରଧାନମନ୍ତ୍ରୀ ଆମକୁ ଭେଟିବାକୁ ଅନୁମତି ଦେଲେ ଏବଂ ଗୁରୁତ୍ୱ ଦେଇଥିବାରୁ କୃତଜ୍ଞ। ଏବେ ମୋଦି କଣ ନିଷ୍ପତ୍ତି ନେଉଛନ୍ତି ତାକୁ ଦେଖିବାକୁ ବାକି ରହିଲା।
ଏହା ପୂର୍ବରୁ ଆରଜେଡି ନେତା କହିଛନ୍ତି ଯେ ବିହାର ବିଧାନସଭାରେ ବିହାରରେ ଜାତିସଂଘ ଜନଗଣନା କରିବାକୁ ଦାବି କରି ଦୁଇଟି ସଂକଳ୍ପ ପାରିତ ହୋଇଛି। ଜାତି ଜନଗଣନା ସମ୍ବନ୍ଧୀୟ ତଥ୍ୟ ବାହାରକୁ ଆସିବା ପରେ ଏହା ଜନ କଲ୍ୟାଣ ନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳ ଜେଡିଏର ବିଜୟ କୁମାର ଚୌଧୁରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଞ୍ଝୀ, କଂଗ୍ରେସ ନେତା ଅଜିତ ଶର୍ମା, ବିଜେପି ନେତା ଜନକ ରାମ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ, ଜାତି ଆଧାରରେ ଜନଗଣନା କରିବା ଦାବିରେ ତେଜସ୍ୱୀ ଯାଦବ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ପୂର୍ବରୁ ଏକ ଚିଠି ଲେଖିଥିଲେ। ତେବେ ବିହାରର ଏହି ନେତାଙ୍କ ଏହି ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଜୁଲାଇ ୨୦ ରେ ଲୋକସଭାରେ ଏକ ଲିଖିତ ଉତ୍ତରରେ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ଜାତି ଭିତିକ ଜନଗଣନା ନକରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ଏଥିସହ ନୀତୀଶ କୁମାର ଦଳିତ ବିରୋଧୀ ମାନସିକତା ରଖିଥିବା ଜଣେ ବ୍ୟକ୍ତି ଓ ଦଳ ମଧ୍ୟରେ ଦଳିତମାନଙ୍କୁ ଠିକ୍ ଭାବେ ବ୍ୟବହାର କରୁ ନଥିବା ମଧ୍ୟ କହିଛନ୍ତି। ଏହାବାଦ ବିଜେପିର ବରିଷ୍ଠ ନେତାଙ୍କ ଅଜାଣତରେ ତାଙ୍କ ବିରୋଧରେ ବିଦ୍ରୋହ ହୋଇଥିବା କଥାକୁ ମଧ୍ୟ ସେ ବିଶ୍ୱାସ କରିପାରୁ ନାହାନ୍ତି ବୋଲି କହିଛନ୍ତି।
ସେ କହିଛନ୍ତି, ଆମେ ତାଙ୍କ(ବିଜେପି) ସହ ପୂର୍ବରୁ ରହି ଆସିଥିଲୁ ବୋଲି କେହି ଭୁଲିବା ଉଚିତ ନୁହେଁ। ଯେତେବେଳେ ୨୦୧୪ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ନାଁ ଘୋଷଣା କରାଗଲା ସେତେବେଳେ ପୁରୁଣା ବନ୍ଧୁ ନୀତୀଶ କୁମାର ବିଜେପିରୁ ଅଲଗା ହୋଇଯାଇଥିଲେ। ଏହି ସମୟରେ ପାଶ୍ୱନ ଭୋଟର ହିଁ ସବୁ କିଛି ଅଦଳବଦଳ କରିଥିଲେ। ଏବେ ବି ୬% ଦଳିତ ଭୋଟ ଆମ ସହ ଅଛି। ଏକଥାକୁ ସମସ୍ତେ ମନେ ରଖିବାକୁ ଉଚିତ ବୋଲି ଚିରାଗ କହିଛନ୍ତି।
ନୀତୀଶ କୁମାର ହିଁ ଏଲଜେପିକୁ ଭାଙ୍ଗି ଭୋଟ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଚିରାଗ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଆପଣ ଯଦି ତାଙ୍କ ରାଜନୀତିକ ଯାତ୍ରାକୁ ଦେଖିବେ, ତା’ହେଲେ ୨୦୦୫ ମସିହା ଫେବୃଆରୀରୁ ସେ ଏଲଜେପିକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଆମ ଟିକେଟରେ ସେତେବେଳେ ୨୭ ଜଣ ନିର୍ବାଚିତ ହୋଇଥିଲେ।
ସବୁବେଳେ ପାଶ୍ୱାନ ଓ ଜାତଭମାନଙ୍କୁ ଏକଘରକିଆ କରିବା ହିଁ ତାଙ୍କର ମାନସିକତା। ସେ ତାଙ୍କ ଦଳ ମଧ୍ୟରେ ବି ଦଳିତ ମାନଙ୍କୁ ଠିକ ବ୍ୟବହାର କରୁନାହାନ୍ତି। ସେ ନିଜ ଇଚ୍ଛା ଅନୁସାରେ ଜୀତନ ରାମ ମାଞ୍ଝୀଙ୍କୁ କ୍ଷମତାରୁ ବିତାଡ଼ିତ କରିଥିଲେ। ମୁଁ ନିଶ୍ଚିତ ଭାବେ ତାଙ୍କ ଅସଲ ଚେହେରାର ପର୍ଦ୍ଦାଫାସ କରିବି। ବିହାରରେ ରୋଡ ଶୋ’ ବେଳେ ଦଳିତମାନଙ୍କୁ ସବୁ କଥା କହିବି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତାମାସରେ ଚିରାଗ ପାଶ୍ୱାନ ନିଜର ଶକ୍ତି ପ୍ରଦର୍ଶନ ପାଇଁ ବିହାରରେ ରୋଡ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି।
ଲୋକସଭାରେ ଏଲଜେପିର ୬ ଜଣ ସାଂସଦ ଅଛନ୍ତି। ଏହି ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଚିରାଗ ପାଶୱାନଙ୍କୁ ଲୋକସଭାରୁ ସଂସଦୀୟ ଦଳର ନେତା ଭାବରେ ହଟାଇବାକୁ ଦାବି କରିଛନ୍ତି। ଅଧିକାଂଶ ସାଂସଦ ଚାହୁଁଛନ୍ତି ଯେ ହାଜିପୁର ସାଂସଦ ପଶୁପତି କୁମାର ପରାସ ଚିରାଗ ପାଶୱାନଙ୍କ ବଦଳରେ ଲୋକସଭାରେ ସେମାନଙ୍କର ନେତା ହୁଅନ୍ତୁ। ସମସ୍ତ ବିଦ୍ରୋହୀ ସାଂସଦ ଲୋକସଭା ବାଚସ୍ପତିଙ୍କୁ ଭେଟି ଏ ବାବଦରେ ଏକ ଚିଠି ପ୍ରଦାନ କରିଛନ୍ତି।
ସୂଚନାନୁସାରେ, ଏଲଜେପି ସାଂସଦ ରବିବାର ଦିନ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ସେମାନଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଲୋକସଭାରେ ଦଳର ନୂଆ ନେତା ଭାବରେ ପଶୁପତି କୁମାର ପରାସଙ୍କୁ ନିଯୁକ୍ତ କରିବାକୁ ସାଂସଦମାନେ ଅନୁରୋଧ କରିଛନ୍ତି।
ରାମ ବିଳାଶ ପାଶୱାନଙ୍କ ମୃତ୍ୟୁ ପରେ ଚିରାଗ ପାଶୱାନ ଯେଉଁଭଳି ନେତୃତ୍ୱ ନେଉଛନ୍ତି ଏହାକୁ ନେଇ ସାଂସଦମାନେ ଖୁସି ନାହାନ୍ତି। ଅନ୍ୟପଟେ ଦଳର ସଭାପତି ପଦରୁ ମଧ୍ୟ ଚିରାଗଙ୍କୁ ହଟାଇବାକୁ ଦଳୀୟ ନେତା ମାନେ ଦାବି କରିଛନ୍ତି। ସେମାନେ ଚିରାଗଙ୍ଗ ଦାଦା ତଥା ପାଶଓ୍ୱାନଙ୍କ ଭାଇ ପଶୁପତିକୁ ସଭାପତି କରିବାକୁ ଦାବି କରୁଛନ୍ତି। ଅସନ୍ତୁଷ୍ଟ ନେତାଙ୍କ ମଧ୍ୟରେ ଚିରାଗଙ୍କ ଭାଇ ପ୍ରିନ୍ସ ରାଜ, ଚନ୍ଦନ ସିଂହ, ମହବୁବ ଅଲୀ କେଶାର ଏବଂ ବୀଣା ଦେବୀ ରହିଛନ୍ତି।
ଏଲଜେପିରେ ବିଦ୍ରୋହର ସ୍କ୍ରିପ୍ଟ ରାମବିଳାଶ ପାଶୱାନଙ୍କ ଦେହାନ୍ତ ପରେ ଲେଖା ହୋଇଥିଲା। ବିଧାନସଭା ନିର୍ବାଚନ ବେଳେ ମଧ୍ୟ ପଶୁପତୀଙ୍କ ନେତୃତ୍ୱରେ ବିଦ୍ରୋହ ହେବା ବୋଲି ଖବର ଆସିଥିଲା। କିନ୍ତୁ ଯେତେବେଳେ ଏହାକୁ ନେଇ ରାଜନୀତି ତେଜିଲା ସେତେବେଳେ ପଶୁପତି ଅଭିଯୋଗକୁ ଖଣ୍ଡନ କରିଥିଲେ। ଯାହା ଏବେ ଘଟିଛି।
ମଙ୍ଗଳବାର ନୀତୀଶ କୁମାର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଥିଲେ। ଏଥିରେ ମେଓ୍ୱଲାଲା ଚୌଧୁରୀଙ୍କୁ ଶିକ୍ଷା ବିଭାଗ ଦେଇଥିଲେ ନୀତୀଶ। ମେଓ୍ୱାଲାଲ ଚୌଧୁରୀ ସହକାରୀ ପ୍ରଫେସର ଥିବା ବେଳେ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଭଳି ଗୁରୁତର ମାମଲା ତାଙ୍କ ବିରୋଧରେ ରହିଛି। ଏବେ ତାଙ୍କୁ ଶିକ୍ଷା ମନ୍ତ୍ରୀ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦୁର୍ନୀତି କରିବାର ପୁରସ୍କାର ସ୍ୱରୂପ ମେଭାଲାଲଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି କି ବୋଲି ନୀତୀଶଙ୍କୁ ପ୍ରଶ୍ନ କରିଥିଲେ ଆରଜେଡି ନେତା ତେଜସ୍ୱୀ।
ସେହିଭଳି କଂଗ୍ରେସ ନେତା ଗୌରବ କହିଥିଲେ, ଡବଲ ଇଞ୍ଜିନ ସରକାରରେ ଦୁର୍ନୀତି କରିବା ପାଇଁ ମେଓ୍ୱାଲାଲ ଗୋଟିଏ ଇଞ୍ଜିନ ଏବେ ‘ସୁଶାସନ ବାବୁ’ଙ୍କୁ ଆଉ ଏକ ଇଞ୍ଜିନ୍ ଖୋଜିବା ଦରକାର ବୋଲି ସେ କହିଥିଲେ।
ନୀତୀଶ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଡକ୍ଟର ମେଓ୍ୱାଲାଲ ଚୌଧୁରୀ ତାରାପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ସେ ରାଜନୀତିରେ ଯୋଗଦେବା ପୂର୍ବରୁ ୨୦୧୫ ପର୍ଯ୍ୟନ୍ତ ଭାଗଲପୁର କୃଷି ବିଶ୍ୱବିଦ୍ୟାଳୟର କୁଳପତି ଥିଲେ। ସେ ୨୦୧୫ ରେ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୭ରେ କୃଷି ବିଶ୍ୱବିଦ୍ୟାଳୟରେ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ କୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ନେଇଥିଲେ ଏବେର ଶିକ୍ଷା ମନ୍ତ୍ରୀ।
୨୦୧୨-୨୦୧୩ ମସିହାରେ କୃଷି ବିଶ୍ୱବିଦ୍ୟାଳୟରେ ୧୬୧ ସହକାରୀ ପ୍ରଫେସର ଏବଂ ଜୁନିଅର ବୈଜ୍ଞାନିକ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ବିହାର ରାଜ ଭବନଙ୍କ ନିର୍ଦ୍ଦେଶରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ତଦନ୍ତ କରାଯାଇଥିଲା। ପରେ ଫେବୃଆରୀ ୨୦୧୭ ରେ ସାବୋର ଥାନାରେ ପୂର୍ବତନ କୁଳପତି ମେଭାଲାଲଙ୍କ ବିରୋଧରେ ଏକ ରିପୋର୍ଟ ଦାଖଲ କରାଯାଇଥିଲା।
ଆହୁରି ପଢ଼ନ୍ତୁ : ଶିକ୍ଷାମନ୍ତ୍ରୀଙ୍କୁ ଗାଇ ଆସେନାହିଁ ଜାତୀୟ ସଂଗୀତ!
ହେଲେ ଏନଡିଏ ବୈଠକରେ ହୋଇଥିବା ଆଲୋଚନା ଏବେ ସମସ୍ତଙ୍କୁ ଚକିତ କରିଛି। କାରଣ ରିପୋର୍ଟ ଅନୁଯାୟୀ ଏହି ବୈଠକରେ ବିଜେପିର ପର୍ଯ୍ୟବେକ୍ଷକ ଭାବରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଥିଲେ। ତାଙ୍କ ଆଗରେ ମୁଖ୍ୟମନ୍ତ୍ରୀ ହେବାକୁ ନୀତୀଶ ସିଧାସିଧା ମନା କରି ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ଏନଡିଏ ବିଧାୟକ ପାର୍ଟି ବୈଠକରେ ନୀତୀଶ କୁମାର ସମସ୍ତ ବିଧାୟକଙ୍କ ସାମ୍ନାରେ କହିଥିଲେ ଯେ ମୁଁ ବିଜେପିକୁ କହିଥିଲି ମୁଖ୍ୟମନ୍ତ୍ରୀ ଚେହେରା ବିଜେପିରୁ ହେବା ଦରକାର। କାରଣ ଏନଡିଏରେ ବିଜେପିକୁ ଅଧିକ ଆସନ ମିଳିଛି। ହେଲେ ବିଜେପି ପ୍ରସ୍ତୁତ ନୁହେଁ। ଆମେ କେବଳ ବିଜେପିର ଆଦେଶ ପାଳନ କରୁଛୁ ବୋଲି ସେ କହିଥିଲେ। ହେଲେ ବିଜେପି ନୀତୀଶଙ୍କ ଏହି ପ୍ରସ୍ତାବରେ ରାଜି ହୋଇନଥିଲା। କାରଣ ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ। ବିହାର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହି ସାରିଛନ୍ତି। ନୀତୀଶଙ୍କ ନେତୃତ୍ୱରେ ଏନଡିଏ ପ୍ରତିଶ୍ରୁତି ପୂରଣ କରିବ ବୋଲି ମୋଦି କହିଥିଲେ। ଆମେ ସମସ୍ତେ ନୀତୀଶଙ୍କ ନେତୃତ୍ୱକୁ ସମର୍ଥନ କରୁଛୁ ବୋଲି ସେ କହିଥିଲେ।
ନୀତୀଶଙ୍କ ଏହି ମନ୍ତବ୍ୟ ବିରୋଧୀଙ୍କ ଆକ୍ଷେପକୁ ଆଧାର କରି ସେ କହିଥିବା ଆକଳନ କରାଯାଉଛି। କାରଣ ବିରୋଧୀ ନୀତୀଶଙ୍କୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଜେଡିୟୁକୁ ଜନାଦେଶ ମିଳିନି। ମାତ୍ର ୪୦ଟି ଆସନରେ ବିଜୟୀ ହୋଇ ସେ କେମିତି ମୁଖ୍ୟମନ୍ତ୍ରୀ ଆସନରେ ବସୁଛନ୍ତି। ତେଣୁ ବୈଠକରେ ବୋଧହୁଏ ଏହି କାରଣ ପାଇଁ ନୀତୀଶ କହିଥିଲେ ବିଜେପି ମୁଖ୍ୟମନ୍ତ୍ରୀ ଚେହେରା ଦେଉ।
ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନରୁ ଏନଡିଏକୁ ୧୨୫ ଆସନ ଯାଇଥିବା ବେଳେ ମହାମେଣ୍ଟକୁ ୧୧୦ ଆସନ ମିଳିଛି। ଆରଜେଡିକୁ ୭୫, ବିଜେପିକୁ ୭୪, ଜେଡିୟୁ ୪୩, କଂଗ୍ରେସ ୧୯ଟି ଆସନରେ ବିଜୟୀ ହୋଇଥିବା ବେଳେ ବାକି ଆସନ ଅନ୍ୟାନ୍ୟ ଦଳ ବିଜୟୀ ହୋଇଛନ୍ତି। ମହାମେଣ୍ଟରେ ଆରଜେଡି, କଂଗ୍ରେସ ସମେତ ୧୦ଟି ଦଳ ରହିଛନ୍ତି।
ଆଗକୁ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀ ରେସରୁ ବାଦ ପଡ଼ିବା ପରେ ସୁଶୀଲ୍ ମୋଦି କୁଆଡ଼େ ଯିବେ?
ହେଲେ ୨୦୨୦ ବିଧାନସଭା ନିର୍ବାଚନରେ ଜେଡିୟୁକୁ ଶକ୍ତ ଝଟକା ଲାଗିଛି। ଦଳ ମାତ୍ର ୪୩ଟି ଆସନ ଜିତିଥିବା ବେଳେ ବିଜେପି ଏକାକୀ ୭୪ଟି ଆସନ ଜିତିଛି। ତେଣୁ ବଡ଼ ଭାଇ ରହିଥିବା ଜେଡିୟୁ ଏବେ ସାନ ଭାଇ ହୋଇଯାଇଛି। ଏବେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଏନଡିଏ ମେଣ୍ଟରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବେ ନା ବିଜେପିର କେଉଁ ନେତା ଏହି ପଦ ସମ୍ଭାଳିବେ, ତା’କୁ ନେଇ ରାଜନୀତି ସରଗରମ ହୋଇଛି।
ଏସବୁ ଭିତରେ ନୀତୀଶ କୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ ମୁଖ୍ୟମନ୍ତ୍ରୀ ହେବାକୁ କୌଣସି ଦାବି କରି ନାହିଁ। ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ, ତା’ର ନିଷ୍ପତ୍ତି ଏନଡିଏ ନେବ। ଆମେ ବର୍ତ୍ତମାନ ନିର୍ବାଚନର ଫଳାଫଳକୁ ସମୀକ୍ଷା କରୁଛୁ।
ଆସନ୍ତାକାଲି ଏନଡିଏ ବୈଠକ ବସିବ। ଏଥିରେ ସମସ୍ତ ୪ ଦଳର ସଦସ୍ୟ ଯୋଗଦେବେ। ସେହିପରି ଶପଥ ପାଠ ଉତ୍ସବ କେବେ ଆୟୋଜନ କରାଯିବ, ସେ ସମ୍ପର୍କରେ ଏଯାଏ ନିଷ୍ପତ୍ତି ହୋଇନାହିଁ। ଶପଥ ପାଠ କାର୍ଯ୍ୟକ୍ରମ ଛଟ ପୂଜା ପରେ କିମ୍ବା ଦୀପାବଳି ପରେ ଆୟୋଜନ କରାଯିବ, ତା’ ଉପରେ କୌଣସି ଆଲୋଚନା ହୋଇନି। ଆଜି ଜେଡିୟୁର ନବ ନିର୍ବାଚିତ ବିଧାୟକଙ୍କ ସହ ବୈଠକ ହୋଇଛି। ଏନଡିଏ ହିଁ ରାଜ୍ୟରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି।
ପଢ଼ନ୍ତୁ: ବିହାରରେ ୬୮% ବିଧାୟକଙ୍କ ବିରୋଧରେ ରହିଛି ଅପରାଧିକ ମାମଲା
ଚିରାଗ ପାଶ୍ୱାନ କ୍ରମାଗତ ଭାବେ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ଏହାକୁ ନେଇ ବିଜେପିର ଚିନ୍ତା ମଧ୍ୟ ବଢ଼ିଛି।
ଏସବୁ ଭିତରେ ଆଜି ଏବିପି-ସି-ଭୋଟର ପକ୍ଷରୁ ଗୋଟିଏ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ସର୍ଭେ ରିପୋର୍ଟରେ ଚମକାଇ ଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।
ବିଜେପି ଓ ଚିରାଗ ପାଶ୍ୱାନଙ୍କ ଏଲଜେପି ଅଲଗା ହୋଇ ଯାଇଥିଲେ ହେଁ ଉଭୟ ଦଳ ମଧ୍ୟରେ ଭିତିରି ସମ୍ପର୍କ ରହିଛି। ଉଭୟ ମିଳିତ ଭାବେ ନୀତୀଶ କୁମାର ଓ ଜେଡିୟୁ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ମଧ୍ୟ ମତ ପ୍ରକାଶ ପାଇଛି। ସର୍ଭେରୁ ଜଣାପଡ଼ିଛି ଯେ ୬୧% ବିହାରବାସୀଙ୍କ ମତରେ ବିଜେପି ଓ ଏଲଜେପି ପୂର୍ବଭଳି ବିହାରରେ ଏକାଠି କାମ କରୁଛନ୍ତି।
ରାଜ୍ୟ ନିର୍ବାଚନରେ ଚିରାଗ ପାଶ୍ୱାନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପିକୁ ସମର୍ଥନ କରୁଛନ୍ତି। ଏଭଳି ଜନମତ ଏବେ ନୀତୀଶ କୁମାର ଓ ଜେଡିୟୁକୁ ଚିନ୍ତାରେ ପକାଇଛି। କାରଣ ବିଜେପି ଭରସାରେ ପୁଣିଥରେ ବିହାରରେ କ୍ଷମତା ଦଖଲ କରିବାକୁ ଜେଡିୟୁ ଆଶା ରଖିଛି। ଯଦି ଜନମତ ସର୍ଭେ ସତ ହୋଇଥାଏ, ତା’ହେଲେ ନୀତୀଶ କୁମାରଙ୍କ ପାଇଁ ଶାସନ ଗାଦି ଦଖଲ କରିବା ସହଜ ହେବନାହିଁ।
ଅନ୍ୟପକ୍ଷରେ ସର୍ଭେ ବେଳେ ଲୋକଙ୍କୁ ଏଲଜେପି ଓ ଆରଜେଡି ମଧ୍ୟରେ ମେଣ୍ଟ ହେବ କି ନାହିଁ ପ୍ରଶ୍ନ କରାଯାଇଥିଲା। ୫୩.୩% ଲୋକଙ୍କ ମତ ହେଉଛି ନିର୍ବାଚନ ପରେ ଚିରାଗ ପାଶ୍ୱାନ ଓ ତେଜସ୍ୱୀ ଯାଦବ ହାତ ମିଳାଇବେ। ସେହିପରି ୪୬.୭% ଲୋକ ଏହା ଅସମ୍ଭବ ବୋଲି କହିଛନ୍ତି।
ଅଧିକାଂଶ ଲୋକ କହିଛନ୍ତି, ବିଜେପି ମେଣ୍ଟରୁ ଏଲଜେପି ଓହରି ଯାଇଥିବାରୁ ଏହା ବଡ଼ ବିପର୍ଯ୍ୟୟ। ଏହା ମେଣ୍ଟ ହାରିବାର ପ୍ରମୁଖ କାରଣ ମଧ୍ୟ ହୋଇପାରେ। ୫୯.୩% ଲୋକ କହିଛନ୍ତି ଯେ ଏଲଜେପି ମେଣ୍ଟରୁ ଓହରି ଯିବା ବିଜେପି ଓ ଜେଡିୟୁ ପାଇଁ ଶକ୍ତ ଝଟକା। ହେଲେ ୪୦.୭% ଲୋକ ଏଥିରେ ଏକମତ ହୋଇନାହାନ୍ତି।
ପ୍ରକୃତରେ କିଏ ବିଜେପି ନେତୃତ୍ୱାଧୀନ ଏନଡିଏର ଅଂଶ ବିଶେଷ, ତା’କୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ୪୨.୭% ଲୋକଙ୍କ ମତରେ ବିଜେପି ଓ ଏଲଜେପି ହେଉଛନ୍ତି ପ୍ରକୃତ ଏନଡିଏ। ସେହିପରି ୫୭.୩% ଲୋକଙ୍କ ମତରେ ବିଜେପି-ଜେଡିୟୁ ହେଉଛନ୍ତି ପ୍ରକୃତ ଏନଡିଏ।
ଚିରାଗ ପାଶ୍ୱାନ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରୁଛନ୍ତି। ଏହା ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି କି ବୋଲି ପ୍ରଶ୍ନ କରାଯାଇଥିଲା। ୫୭.୭% ଲୋକ ଏହାକୁ ନେଇ ଦ୍ୱନ୍ଦ୍ୱରେ ଥିବା ବେଳେ ୪୨.୩% ଲୋକ କୌଣସି ଦ୍ୱନ୍ଦ୍ୱ ନଥିବା କଥା କହିଛନ୍ତି।
ଆସନ୍ତା ୨୮ରୁ ନଭେମ୍ବର ୭ ମଧ୍ୟରେ ୩ଟି ପର୍ଯ୍ୟାୟରେ ଲୋକମାନେ ବିହାରରେ କିଏ ସରକାର ଗଠନ କରିବ, ତା’ର ନିଷ୍ପତ୍ତି ନେବେ। ନଭେମ୍ବର ୧୦ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ଜନମତ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି।
ଲୋକନୀତି-ସିଏସଡିଏସର ଆକଳନ ଅନୁଯାୟୀ, ନୀତୀଶ କୁମାର ଓ ବିଜେପି ଯୋଡ଼ି ବିହାରରେ ପୁଣି ସରକାର ଗଠନ କରିବେ। ଏହାର ଅର୍ଥ ଏନଡିଏକୁ ବିହାରରେ ସରକାର ଗଠନ ପାଇଁ ଅନୁମତି ମିଳିବ। ସର୍ଭେ ସଂସ୍ଥାର ଆକଳନ କହୁଛି ଯେ ଏନଡିଏ ମେଣ୍ଟ ୧୩୩ରୁ ୧୪୩ଟି ଆସନ ପାଇବ। ସେହିପରି କଂଗ୍ରେସ-ଆରଜେଡି ଗଠନ କରିଥିବା ମହାମେଣ୍ଟ ସପକ୍ଷରେ ୮୮ରୁ ୯୮ଟି ଆସନ ପଡ଼ିବ। ଯଦି ଆକଳନ ସତ ହୁଏ, ଏନଡିଏ ଓ ମହାମେଣ୍ଟ ମଧ୍ୟରେ ଆସନ ବ୍ୟବଧାନ ବହୁତ କମ ରହିବ। ବିହାରରେ ସରକାର ଗଠନ କରିବାକୁ ୨୪୩ଟି ଆସନରୁ ୧୨୨ଟିରେ ଜିତିବାକୁ ପଡ଼ିବ।
ଅନ୍ୟପକ୍ଷରେ ଏନଡିଏରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢ଼ୁଥିବା ଚିରାଗ ପାଶ୍ୱାନଙ୍କ ଏଲଜେପି ୨ରୁ ୬ ଓ ଅନ୍ୟାନ୍ୟ ଦଳ ୬ରୁ ୧୦ଟି ଆସନରେ ଜିତିବେ। ଭୋଟ ଶେୟାର କଥା ବିଚାରକୁ ନେଲେ ଏନଡିଏ ୩୮%, ମହାମେଣ୍ଟ ୩୨%, ଜିଡିଏସ୍ଏଫ ୭%, ଏଲଜେପି ୬% ଓ ଅନ୍ୟାନ୍ୟ ଦଳ ୧୭% ଭୋଟ ପାଇବେ।
ଜନମତ ସର୍ଭେ ଅନୁଯାୟୀ, ୨୦୧୫ ତୁଳନାରେ ୨୦୨୦ରେ ଏନଡିଏର ଭୋଟ ଭାଗ ପ୍ରାୟ ୫% ହ୍ରାସ ପାଇବ। ସେହିପରି ମହାମେଣ୍ଟର ଭୋଟ ପ୍ରତିଶତ ୩.୫% ବୃଦ୍ଧି ପାଇବ। ୨୦୧୫ରେ ଏନଡିଏର ଭୋଟ ଶେୟାର ୪୩% ରହିଥିବା ବେଳେ ମହାମେଣ୍ଟ ସପକ୍ଷରେ ୨୮.୫% ଭୋଟ ପଡ଼ିଥିଲା।
ପଢନ୍ତୁ- ଓପିନିଅନ ପୋଲ: ବିହାରରେ ପୁଣି ବାଜିମାତ କରିବ ଏନଡିଏ, କିନ୍ତୁ…
ବିହାର ପ୍ରଦେଶ କାର୍ଯ୍ୟକାରିଣୀ ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି ଯେ, ଯେତେଥର ବିଜେପି, ନୀତିଶ କୁମାର ଏବଂ ଲୋକ ଜନଶକ୍ତି ପାର୍ଟି (ଏଲଜେପି) ଏକାଠି ହୋଇଛନ୍ତି, ଆମର ବିଜୟ ହୋଇଛି। ଆମେ ତିନି ଦଳ ଏକାଠି ହୋଇ ନିର୍ବାଚନ ଲଢ଼ିବୁ। ବିଜେପି ସମେତ ଏନଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍ ଏବଂ ଲୋଜ ଜନଶକ୍ତି ପାର୍ଟି ମଧ୍ୟ ନିର୍ବାଚନରେ ବିଜୟୀ ହେଉ ବୋଲି କହିବା ସହ ନୀତିଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ାଯିବ ବୋଲି ନଡ୍ଡା କହିଛନ୍ତି।
ବିରୋଧୀଙ୍କୁ କଟାକ୍ଷ କରି ନଡ଼୍ଡା କହିଛନ୍ତି ଯେ, ବିହାର ତଥା ସାରା ଦେଶରେ ବିରୋଧୀ ଦଳ ସମ୍ପୂର୍ଣ୍ଣ ସମାପ୍ତ ହୋଇସାରିଛି। ବିରୋଧୀ କେବଳ ସୁଖିଲା ରାଜନୀତି କରୁଛି ବୋଲି ସେ କହିଛନ୍ତି। ଏହାସହ ଛୋଟ ଛୋଟ ମିଟିଂ କରି ଡୋର୍-ଟୁ-ଡୋର୍ ନିର୍ବାଚନୀ ପ୍ରଚାର କରିବାକୁ ଦଳୀୟ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ନଡ୍ଡା। ସେ କହିଛନ୍ତି, ବିଜେପି ଏବଂ ନୀତିଶ କୁମାରଙ୍କ ଦ୍ୱାରା ନିଆଯାଇଥିବା ଜନହିତକାରୀ ପଦକ୍ଷେପଗୁଡ଼ିକ ଜନତା ଜନାର୍ଦ୍ଦନଙ୍କ ନିକଟରେ ପହଞ୍ଚିବା ଉଦ୍ଦେଶ୍ୟ ରହିଛି।
ନଡ୍ଡା ପୁଣି କହିଛନ୍ତି, ବିହାରରେ ଏବେ ଲକଡାଉନ ଲାଗୁ ରହିଛି। ଏଣୁ ସେପ୍ଟେମ୍ୱର 6 ପରେ ସେ ବିହାର ଗସ୍ତ କରିବେ। ସେ ଗୁରୁତ୍ୱାରୋପ କରି କହିଛନ୍ତି, ବିଜେପିକୁ ସମସ୍ତ ଶକ୍ତି ଖଟାଇ ନିଜ ସହଯୋଗୀ ଦଳକୁ ଜିତେଇବାକୁ ହେବ।