ରାୟଗଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୟା ମାଝୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ପଦାରେ ପଡ଼ିଛି ରାଜ୍ୟ ବିଜୁ ଜନତା ଦଳର ଉପ ସଭାପତି ଏନ୍. ଭାସ୍କର ରାଓ ଓ ଜିଲ୍ଲା ବିଜେଡି ସଭାପତି ସୁଧୀର ଦାସ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳ। ଏନ୍. ଭାସ୍କର ରାଓଙ୍କ ଗୋଷ୍ଠୀ ଅନନ୍ତରାମ ମାଝୀଙ୍କ ଝିଅଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛି। ଏହି କାରଣରୁ ଗତକାଲି ୧୦ରୁ ୧୨ ଜଣ କାଉନସିଲର ଓ ବିଜୁ ମହିଳା ଜନତା ଦଳର ରାଜ୍ୟ ଉପସଭାପତି ସୁଜତା ପାଳ ମଧ୍ୟ ଇସ୍ତଫା ଦେଇଛନ୍ତି।
ରାୟଗଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳ ଦଳ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି। ବିଜେଡି ସୁପ୍ରିମୋ ଏନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦ଟି ନିର୍ବାଚନ ମଣ୍ଡଳୀରୁ ତିନିଟିରେ ମହିଳା ପ୍ରାର୍ଥୀ ଘୋଷଣା କରିଥିବାବେଳେ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ପୁଣି କୌଶଲ୍ୟା ହିକକାଙ୍କୁ ରିପିଟ କରିଛି। ହେଲେ ଏଯାଏଁ ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗି ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିନି ଦଳ। ଏଠାରେ କିଏ ପ୍ରାର୍ଥୀ ହେବ ସେନେଇ ଲମ୍ବା କସରତ ଚାଲିଛି। ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ମଧ୍ୟ ଲମ୍ବା ରହିଛି।
ରମେଶ ମାଝୀ କହିଛନ୍ତି,ଏହି ଆସନରୁ ମୋ ଭାଇ ଗତ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏଥର ତାଙ୍କୁ ଟିକେଟ ଦିଆଯାଇ ନଥିବାରୁ ମୋତେ ଦୁଃଖ ଲାଗୁଛି। କିନ୍ତୁ ଦଳର ନିଷ୍ପତ୍ତିକୁ ମାନିବାକୁ ପଡ଼ିବ। ଦଳର ସଭାପତି ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ।
ରମେଶଙ୍କ ପାଇଁ ଝରିଗାଁରୁ ନିର୍ବାଚନ ଲଢ଼ିବା କିଛି ନୂଆ କଥା ନୁହେଁ। ୨୦୦୯ ଓ ୨୦୧୪ରେ ସେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ବିଜେଡି ତାଙ୍କୁ ନବରଙ୍ଗପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ତାଙ୍କ ଭାଇ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଝରିଗାଁ ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ଉଭୟ ବିଜୟ ହୋଇଥିଲେ।
ଏଥର ବିଜେଡି ନବରଙ୍ଗପୁର ଲୋକସଭା ଆସନରୁ ପ୍ରଦୀପ କୁମାର ମାଝୀଙ୍କୁ ପ୍ରାର୍ଥୀ କରିଛି। ପ୍ରଦୀପ କଂଗ୍ରେସରେ ଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ କଂଗ୍ରେସ ଟିକେଟ୍ରେ ପ୍ରାର୍ଥୀ ହୋଇଥିଲେ। ରମେଶ ମାଝୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। ୨୦୦୯ରେ ପ୍ରଦୀପ ମାଝୀ କଂଗ୍ରେସ ଟିକେଟରେ ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ରମେଶ ମାଝୀ ୨୦୦୪ରେ ପ୍ରଥମେ ବିଜେଡି ଟିକେଟରେ ଡାବୁଗାଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପର ଦୁଇଟି ବିଧାନସଭା ନିର୍ବାଚନ ସେ ଝରିଗାଁରୁ ଜିତିଥିଲେ। ଅନ୍ୟପକ୍ଷରେ ତାଙ୍କ ସାନ ଭାଇ ପ୍ରକାଶ ଚନ୍ଦ୍ର ମାଝୀ ମାତ୍ର ଗୋଟିଏ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସରକାରୀ ଚାକିରି ଛାଡ଼ି ସେ ୨୦୧୯ରେ ଝରିଗାଁରୁ ବିଜେଡି ଟିକେଟରେ ଲଢ଼ିଥିଲେ ଓ ବିଜୟୀ ହୋଇଥିଲେ।
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷିତ ୭୨ଟି ଆସନରେ ନୂଆ ମୁହଁ ଭାବେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବାକୁ ଥିବା ପ୍ରାର୍ଥୀମାନେ ହେଲେ ରାୟଗଡ଼ା-ଅନୁସୂୟା ମାଝୀ, ବସ୍ତାରୁ ସୁଭାସିନୀ ଜେନା, ଯାଜପୁରରୁ ସୁଜାତା ସାହୁ, ଧାମନଗରରୁ ସଞ୍ଜୟ ଦାସ, ଲୋଇସିଂହାରୁ ନିହାର ବେହେରା, ଉମରକୋଟରୁ ନବୀନା ନାୟକ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଲତିକା ନାୟକ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ସୋରଡ଼ାରୁ ସଂଘମିତ୍ରା ସ୍ୱାଇଁ, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଓ ପୁରୀରୁ ସୁନୀଲ ମହାନ୍ତି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ଧାମନଗରରୁ ଡାକ୍ତର ସଞ୍ଜୟ ଦାସଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ରାଜନୀତିକ ପରିବାର ସହ ଜଡ଼ିତ ବ୍ୟକ୍ତି। ପିତା,ମାତା ଓ ପତିଙ୍କ ରାଜନୀତିକ ଉତ୍ତରାଧିକାରୀ ସୂତ୍ରରେ ସେମାନଙ୍କୁ ଟିକେଟ୍ ମିଳିଛି।
ରାୟଗଡ଼ାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ହେଉଛନ୍ତି ପୂର୍ବତନ ବିଧାୟକ ଅନନ୍ତରାମ ମାଝୀଙ୍କ ଝିଅ ତଥା ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଓ ରାୟଗଡ଼ା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଅଛନ୍ତି। ସେହିପରି ବସ୍ତାରୁ ସୁଭାସିନୀ ହେଉଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ। ଯାଜପୁରରୁ ବିଜେଡି ପ୍ରାର୍ଥୀ ସୁଜାତା ସାହୁ ହେଉଛନ୍ତି ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଥିଲେ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ପ୍ରାର୍ଥୀ କରାଇଛନ୍ତି।
ସେହିପରି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ପାଟକୁରା ବିଧାୟକ ସାବିତ୍ର ଅଗ୍ରୱାଲ ଓ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କୁ ଦଳ ଟିକେଟ୍ ଦେଇନାହିଁ। ସେହିପରି ଉମରକୋଟ ବିଧାୟକ ସୁବାସ ଗଣ୍ଡଙ୍କ ବଦଳରେ ତାଙ୍କ ପତ୍ନୀ ନବୀନା ନାୟକ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା, ଚିକିଟି ବିଧାୟିକା ଉଷା ଦେବୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଚିନ୍ମୟାନନ୍ଦ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟାଙ୍କୁ ଦଳ ଟିକେଟ୍ ଦେଇଛି। ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି।
ଏହାବ୍ୟତୀତ ଦଳ କିଛି ଆସନରେ ନିଜର ପ୍ରାର୍ଥୀଙ୍କୁ ଅଦଳବଦଳ କରାଇଛି। ଦୁର୍ନୀତି ମାମଲାରେ ବିବାଦୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରୀପୋଖରୀରୁ ଆଣି ଭଦ୍ରକରେ ପ୍ରାର୍ଥୀ କରାଇଛି। ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ଭଣ୍ଣାରୀପୋଖରୀରୁ ପ୍ରାର୍ଥୀ କରିଛି। ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରିରୁ ପ୍ରାର୍ଥୀ କରାଇଛି। ଗତଥର ନିର୍ବାଚନ ହାରିଥିବା ସଞ୍ଜୟ ଦାସବର୍ମାଙ୍କୁ ବ୍ରହ୍ମଗିରି ପରିବର୍ତ୍ତେ ସତ୍ୟବାଦୀରୁ ପ୍ରାର୍ଥୀ କରାଇଛି।
ସେହିପରି ପ୍ରଥମ ପର୍ଯ୍ୟାୟରେ ମୋଟ ୭୨ଜଣଙ୍କ ମଧ୍ୟରୁ ମାତ୍ର ୧୨ଜଣ ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ କରିଛି ବିଜେଡି। ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି କେବଳ ଧର୍ମକୁ ଆଖିଠାର ମାରିବା ଭଳି ନିର୍ବାଚନ ଜିତିବା ନିମନ୍ତେ ମହିଳା କାର୍ଡ ଖେଳୁଛି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଲୋକସଭାରେ ବିଜେଡି ମୋଟ ୧୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ସେଥିରେ ମାତ୍ର ୩ଜଣ ସାଂସଦ ରାଜଶ୍ରୀ ମଲ୍ଲିକ, ଅଚ୍ୟୁତ ସାମନ୍ତ ଓ ଶର୍ମିଷ୍ଠା ସେଠୀଙ୍କୁ ପୁଣିଥରେ ସେମାନଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି। ଦଳ ୪ଜଣ ସାଂସଦ ପ୍ରମିଳା ବିଶୋୟୀ, ପିନାକୀ ମିଶ୍ର, ମହେଶ୍ୱର ସାହୁ ଓ ଭର୍ତ୍ତୃହରି ମହତାବଙ୍କୁ ଟିକେଟ୍ ଦେଇନାହିଁ। ଶ୍ରୀ ମହତାବ ଗତ ସପ୍ତାହରେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିନାକୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି,ତା’ ମଧ୍ୟରେ ପୁରୀ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, କଟକ ଓ ଯାଜପୁର ରହିଛି।
ପୁରୀ ଲୋକସଭା ଆସନ ପାଇଁ ବିଜେଡି ଅରୂପ ପଟ୍ଟନାୟକଙ୍କ ନାଁ ଘୋଷଣା କରିଥିବା ବେଳେ ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, କଟକରୁ ସଂତୃପ୍ତ ମିଶ୍ର ଓ ଯାଜପୁରରୁ ଶର୍ମିଷ୍ଠା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି।
ଏହି ପ୍ରାର୍ଥୀମାନଙ୍କ ମଧ୍ୟରୁ ଅବିନାଶ ସାମଲ ଓ ସଂତୃପ୍ତ ମିଶ୍ର ହେଉଛନ୍ତି ନୂଆ ମୁହଁ। ଅବିନାଶ ହେଉଛନ୍ତି ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା। ସେହିପରି ନିକଟରେ ବିର୍ଲା ଗ୍ରୁଫର ଉପସଭାପତି ପଦ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ସଂତୃପ୍ତ ମିଶ୍ର। ଅରୂପ ପଟ୍ଟନାୟକ ୨୦୧୯ରେ ଭୁବନେଶ୍ୱର ଲୋକସଭା ଆସନରୁ ବିଜେଡିର ପ୍ରାର୍ଥୀ ହୋଇଥିଲେ। ତେବେ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ସେ ପରାସ୍ତ ହୋଇଥିଲେ।
୨୦୧୯ରେ ବିଜେଡି ପୁରୀରୁ ପିନାକୀ ମିଶ୍ର, ଢେଙ୍କାନାଳରୁ ମହେଶ୍ୱର ସାହୁ ଓ କଟକରୁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେମାନେ ସମସ୍ତେ ବିଜୟୀ ହୋଇଥିଲେ। ପିନାକୀ ଓ ମହେଶ୍ୱରଙ୍କୁ ଟିକେଟ ମିଳି ନଥିବା ବେଳେ ଭର୍ତ୍ତୃହରି ମହତାବ ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ।
ପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ଦଳ। କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା ଓ ଆସିକାରୁ ରଞ୍ଜିତା ସାହୁଙ୍କ ନାଁ ଘୋଷଣା କରାଯାଇଥିଲା। ଏହି ପ୍ରାର୍ଥୀଙ୍କ ମଧ୍ୟରେ ନୂଆ ମୁହଁ ହେଉଛନ୍ତି ଆସିକାରୁ ପ୍ରାର୍ଥୀ ହୋଇଥିବା ରଞ୍ଜିତା ସାହୁ ଓ ଭୁବନେଶ୍ୱରର ପ୍ରାର୍ଥୀ ମନ୍ମଥ ରାଉତରାୟ।
ଦଳ ଏହି ବିବାଦୀୟ ନେତାମାନଙ୍କ ବିନା ଯେ ଚାଲିବା ସମ୍ଭବପର ନୁହେଁ ସେଭଳି ବାଧ୍ୟବାଧକତା ବିଜେଡି ନେତୃତ୍ୱଙ୍କ ପାଖରେ ରହିଥିବାର ସ୍ପଷ୍ଟ ସନ୍ଦେଶ ମିଳିଛି। ମମିତା ମେହେର ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ସଂଯୁକ୍ତା ମହଲ ଯୌନ ନିର୍ଯାତନା, ଗ୍ୟାଙ୍ଗଷ୍ଟାର ଧଳ ବ୍ରଦର୍ସଙ୍କ ସହ ସମ୍ପର୍କ, ସେକ୍ସ ର୍ୟାକେଟ୍ ଓ ଚିଟଫଣ୍ଡ ଦୁର୍ନୀତି ଆଦି ମାମଲାରେ ବିବାଦୀୟ ନେତାମାନଙ୍କୁ ବିଜେଡି ଆଜି ପୁଣିଥରେ ଟିକେଟ୍ ଦେଇଛି। ବିଶେଷକରି ଏହି ନେତାମାନଙ୍କୁ ଟିକେଟ୍ ଦେଇ ଦଳ ଉପରୋକ୍ତ ହୃଦୟ ବିଦାରକ ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଜଘଂନ୍ୟ ମାମଲାରେ ନ୍ୟାୟ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି।
୨୦୨୩ ମସିହାର ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବିବାଦୀୟ ସୁଶାନ୍ତ ସିଂ, ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ର, ସଂଯୁକ୍ତା ମହଲ ଯୌନନିର୍ଯାତନା ମାମଲାରେ ବିବାଦୀୟ ଶ୍ରୀକାନ୍ତ ସାହୁ, ଚିଟଫଣ୍ଡ ଦୁର୍ନୀତିରେ ପ୍ରଣବପ୍ରକାଶ ଦାସ ଓ ସଞ୍ଜୟ ଦାସବର୍ମା, ପରୀ ହତ୍ୟା ଘଟଣାରେ ଅରୁଣ ସାହୁ, ଧଳବ୍ରଦର୍ସ ମାମଲାରେ ବ୍ୟୋମକେଶ ରାୟ ଆଦି ବିବାଦୀୟ ଥିଲେ ମଧ୍ୟ ବିଜେଡି ସେମାନଙ୍କୁ ପୁଣିଥରେ ଟିକେଟ୍ ଦେଇଛି। ଦୁର୍ନୀତି ମାମଲାରେ ପ୍ରଫୁଲ୍ଲ ସାମଲଙ୍କ ନାଁ ରହିଛି। କେବଳ ସେତିକି ନୁହେଁ ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ପ୍ରଭାତ ତ୍ରିପାଠୀ ଓ ପ୍ରଭାତ ବିଶ୍ୱାଳଙ୍କ ପୁଅଙ୍କୁ ଦଳ ପୁଣିଥରେ ଟିକେଟ୍ ଦେଇଛି।
ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ନିଜର ବିଭିନ୍ନ କାର୍ଯ୍ୟକଳାପ ପାଇଁ ବିବାଦରେ ଥିବାବେଳେ ଦଳ ତାଙ୍କୁ ପୁଣିଥରେ ଟିକେଟ୍ ଦେଇଛି। କ୍ଷମତାର ଦୁରୂପଯୋଗ କରି ପୁଲିସ କର୍ମଚାରୀଙ୍କୁ ଧମକାଇ, ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଭଳି ଅନେକ ଘଟଣାରେ ସେ ବିବାଦୀୟ ଥିଲେ। ଏପରିକି ଧାମନଗର ଉପନିର୍ବାଚନରେ ବିଜେଡି ପରାଜିତ ହେବା ପଛରେ ବ୍ୟୋମକେଶଙ୍କ ଭୂମିକା ଅଧିକ ବୋଲି ଚର୍ଚ୍ଚା ହେଉଥିଲା। ଦଳର ଯୁବ ସଂଗଠନର ନେତୃତ୍ୱ ନେଇଥିଲେ ମଧ୍ୟ ନିଜର ଅପାରଗତା ଯୋଗୁ ସେ ଆଜି ପର୍ଯ୍ୟନ୍ତ ସଂଗଠନକୁ ଅଧିକ କ୍ରିୟାଶୀଳ କିମ୍ବା ଲୋକାଭିମୁଖୀ କରିପାରିନାହାନ୍ତି। ଏସବୁ ଅପାରଗତା ଓ ବିବାଦ ଥାଇ ମଧ୍ୟ ଦଳ ତାଙ୍କୁ ପୁଣିଥରେ ଟିକେଟ୍ ଦେଇଛି। ଯାହାକି ବିଜେଡିରେ ତୋଷାମଦକାରୀଙ୍କୁ ପ୍ରୋତ୍ସାହନ ମିଳୁଥିବାର ସନ୍ଦେଶ ଦେଇଛି।
ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଚିକିଟିରୁ ଉଷା ଦେବୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଦିଗପହଣ୍ଡିରୁ ଦିବଂଗତ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର, ପୁରୀରୁ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ପାଟକୁରାରୁ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର, ଲୋଇସିଂହାରୁ ଯୋଗେନ୍ଦ୍ର ବେହେରାଙ୍କ ପୁଅ ନିହାର ରଞ୍ଜନ ବେହେରାଙ୍କୁ ପ୍ରାର୍ଥୀ କରିଛି।
ଏମାନଙ୍କ ବ୍ୟତୀତ ପୂର୍ବରୁ ବିଧାୟକ ଥିବା ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀଙ୍କୁ ବାଙ୍କିରୁ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ ଚୌଦ୍ୱାରରୁ,ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପିପିଲିରୁ, ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ପୁଣିଥରେ ଦଳ ଟିକେଟ୍ ଦେଇଛି।
ସେହିପରି ସୋରୋଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା ସ୍ୱାଇଁ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ପତ୍ନୀ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଗତଥରର ପରାଜିତ ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାୟକଙ୍କ ପତ୍ନୀ ଲତିକା ନାୟକ, ବସ୍ତାରୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁଭାସିନୀ ଜେନା, ରାୟଗଡ଼ାରୁ ପୂର୍ବତନ ବିଧାୟକ ଅନନ୍ତରାମ ମାଝୀଙ୍କ ଝିଅ ଅନୁସୂୟା ମାଝୀଙ୍କୁ ବିଜେଡି ଟିକେଟ୍ ଦେଇଛି।
ସେହିପରି ଲୋକସଭା ପ୍ରାର୍ଥୀ ଭାବେ ଆସିକାରୁ ବିଜେଡି ନେତା ତଥା କୋଦଳା ଏନଏସିର ପୂର୍ବତନ ଅଧ୍ୟକ୍ଷ ହରପ୍ରସାଦ ସାହୁ ଓ ସୁନୀତିପ୍ରଭା ସାହୁଙ୍କ ଝିଅ ରଞ୍ଜିତା ସାହୁ ଏବଂ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ତେବେ ଟିକେଟ୍ ପାଇଥିବା ନେତାଙ୍କ ପୁଅ-ଝିଅ ଓ ପତ୍ନୀଙ୍କ ନିଜସ୍ୱ ସାଂଗଠନିକ ଦକ୍ଷତା କିମ୍ବା ଭୋଟବ୍ୟାଙ୍କ ନାହିଁ। ସେମାନେ ନିଜ ନିଜ ପିତା ଓ ପତିଙ୍କ ଭରସାରେ ରାଜନୀତିକ କ୍ୟାରିୟର ଗଢ଼ିବାକୁ ଚାହିଁଛନ୍ତି ତଥା ବିଜେଡି ସେମାନଙ୍କୁ ଟିକେଟ୍ ଦେଇ ଦଳରେ ପରିବାରବାଦକୁ ପ୍ରୋତ୍ସାହିତ କରିବା ସହ ଅନ୍ୟ ସାଧାରଣ ବର୍ଗ(ରାଜନୀତିକ ପୃଷ୍ଠଭୂମି ନଥିବା ପରିବାର)ଙ୍କ ପାଇଁ ଦଳରେ ସୁଯୋଗ ନଥିବାର ସ୍ପଷ୍ଟ ସନ୍ଦେଶ ଦେଇଛି।
ସୂଚନା ଅନୁସାରେ, ସୁରଙ୍କ ପୁଅ ମନ୍ମଥ ଆଜି ଶଙ୍ଖ ଭବନ ଯାଇ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ସମେତ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ତାଙ୍କୁ ଦଳରେ ସ୍ୱାଗତ କରିଥିଲେ। ଶଙ୍ଖ ଭବନରେ ମିଶ୍ରଣପର୍ବ ହେଉଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରର ୩ ବିଧାୟକ ଅନୁପସ୍ଥିତ ରହିଥିଲେ। ଏପରିକି ଦଳର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରମୟୀ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା। ସୁରଙ୍କ ପୁଅ ମିଶିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଦଳ ସାଂସଦ ପ୍ରାର୍ଥୀ ଘୋଷଣା କରିବା ଏବେ ପରୋକ୍ଷରେ ବିଜେପିକୁ ସୁହାଇବା ଭଳି ହୋଇଛି। ମନ୍ମଥଙ୍କ ନିଜସ୍ୱ ସଂଗଠନ ନଥିବାବେଳେ ପିତା ସୁର ରାଉତରାୟଙ୍କ ସଂଗଠନକୁ ଆଧାର କରି ସେ ନିଜର ରାଜନୀତିକ କ୍ୟାରିୟର ଆଗକୁ ନେବାକୁ ପ୍ରୟାସ କରିଛନ୍ତି। ତେବେ ସୁର ତାଙ୍କ ସପକ୍ଷରେ ପ୍ରଚାର କରିବେ ନାହିଁ ଓ କଂଗ୍ରେସରେ ଶେଷପର୍ଯ୍ୟନ୍ତ ରହିବେ ବୋଲି କହିଛନ୍ତି। ସୁରଙ୍କ ଏଭଳି ସନ୍ଦେହଜନକ ଆଚରଣକୁ ଯଦିଓ ଉଭୟ ବିଜେଡି ଓ କଂଗ୍ରେସ ସହଜରେ ବିଶ୍ୱାସକୁ ନେବେନି ମାତ୍ର ମନ୍ମଥଙ୍କୁ ବିଜେଡି ଏବେ କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ କଲା ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଠିଛି।
ବିଜେଡି ନିଜର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଗତ ଅକ୍ଟୋବର-ନଭେମ୍ବର ମାସରୁ ଆଗକୁ ଆଣି ନିର୍ବାଚନମଣ୍ଡଳୀ ବୁଲାଉଥିଲା। ଦଳର ବିଧାୟକମାନେ ମଧ୍ୟ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ସାଧାରଣ ଭୋଟରଙ୍କ ପାଖରେ ଉପସ୍ଥାପିତ କରିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ବିଭୂତିଭୂଷଣ ବଳବନ୍ତରାୟ, ରାଜେନ୍ଦ୍ର ସାହୁ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ବିଜେଡିର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କରିବାକୁ ପଛାଇନଥିଲେ। ଦଳର ଆଗଧାଡ଼ିର କର୍ମୀ,ନେତା ଓ ବିଶେଷକରି ମହିଳା ଭୋଟରମାନଙ୍କ ମଧ୍ୟରେ ଶ୍ରୀମୟୀଙ୍କ ଗ୍ରହଣୀୟତା ବୃଦ୍ଧି ପାଇଥିବାବେଳେ ଅଚାନକ ମନ୍ମଥଙ୍କୁ ଦଳ ସାଂସଦ ପ୍ରାର୍ଥୀ ଭାବେ ଆଗକୁ ଆଣିଛି। ଏହାପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନି। ମାତ୍ର ଦଳରେ ଏଭଳି ପଦକ୍ଷେପ ନେଇ ନିଜର ଭାବମୂର୍ତ୍ତି ଉପରେ ଦାଗ ଲଗାଇଛି ତାହା ଜଳଜଳ ହୋଇ ପଦାରେ ପଡ଼ିଛି। ମହିଳା କାର୍ଡ ଖେଳୁଥିବା ବିଜେଡି ନିଜର ଜଣେ ନେତ୍ରୀଙ୍କୁ ଆଗକୁ ଆଣି ସାଂସଦ ପ୍ରାର୍ଥୀ ଭାବେ ପ୍ରାୟ ୪ମାସ ବୁଲାଇବା ପରେ ତାଙ୍କ ବଦଳରେ ଅନ୍ୟଜଣକୁ ଟିକେଟ୍ ଦେବାକୁ ବିଜେଡି କର୍ମୀ ଓ ନେତାମାନେ ସହଜରେ ଗ୍ରହଣ କରିପାରୁନଥିବା ଚର୍ଚ୍ଚା ହେଉଛି। ଶ୍ରୀମୟୀଙ୍କୁ ଟିକେଟ ନଦେବା ଦଳୀୟ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରି ଆଜିର ମିଶ୍ରଣପର୍ବକୁ ଦଳର ଭୁବନେଶ୍ୱର ତିନି ବିଧାୟକଙ୍କ ସମେତ ରବୀନ୍ଦ୍ର ଓ ଶ୍ରୀମୟୀ ବର୍ଜନ କରିଥିବା ଜଣାପଡ଼ିଛି।
ତେବେ ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କ ସମେତ ଦଳର ଆଗଧାଡ଼ିର କର୍ମୀ ଓ ନେତାମାନଙ୍କ ପାଖରେ ଶ୍ରୀମୟୀଙ୍କୁ ଦଳର ସାଂସଦ ପ୍ରାର୍ଥୀ ଭାବେ ପରିଚିତ କରାଇଥିବା ବିଧାୟକମାନେ ଏବେପୁଣି କିଭଳି ଆଉଜଣକ ସପକ୍ଷରେ ପ୍ରଚାର କରିବେ। ଶ୍ରୀମୟୀଙ୍କ ଭଳି ଦଳର ଜଣେ ଆଗଧାଡ଼ିର ମହିଳା ଚେହେରାଙ୍କୁ କାହିଁକି ଟିକେଟ୍ ରେସରୁ ବାଦ୍ ଦିଆଗଲା ସେ ନେଇ ତୃଣମୂଳସ୍ତରରେ କର୍ମୀଙ୍କୁ ଜବାବ ଦେବା ବିଜେଡି ନେତାମାନଙ୍କ ପକ୍ଷରେ ସମ୍ଭବପର ହୋଇନପାରେ। ଅବଶ୍ୟ ମନ୍ମଥଙ୍କ ମିଶ୍ରଣପରେ ଜଟଣୀରୁ ବିଭୂତିଙ୍କ ଜିତିବା ସମ୍ଭାବନା ବଢ଼ିଛି, କିନ୍ତୁ ସାଂସଦ ପ୍ରାର୍ଥୀ ଭାବେ ସେ ବିଜେଡିରେ ଗ୍ରହଣୀୟ ହେବାର ସମ୍ଭାବନା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି।
ବିଜେଡିରେ ମନ୍ମଥଙ୍କ ମିଶ୍ରଣ ଓ ସାଂସଦ ପ୍ରାର୍ଥୀ କରାଯିବା ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନାଟକୀୟ ଶୈଳୀରେ ବିଜେଡିକୁ କଟାକ୍ଷ କରିଛନ୍ତି। ‘ଜୋ ଡରଗୟା ୱୋ ମରଗୟା’ କହି ସେ ବିଜେଡିକୁ ତାଚ୍ଛଲ୍ୟ କରିବାକୁ ପଛାଇନାହାନ୍ତି। ଅପରାଜିତା କହିଛନ୍ତି ଯେ, ବିଗତ କିଛିଦିନ ହେବ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସମ୍ପୃକ୍ତା ମହିଳା ବି ସଂସଦୀୟ କ୍ଷେତ୍ରରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଜଣେ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀମୟୀଙ୍କ ପ୍ରତି ସହାନୁଭୂତି ଦେଖାଇବା ସହ ମହିଳାଙ୍କ ସମ୍ମାନ କଥା କହି ଅପରାଜିତା ନିଜ ସପକ୍ଷରେ ମହିଳା ଭୋଟବ୍ୟାଙ୍କକୁ ନେବାକୁ ମାଷ୍ଟରଷ୍ଟ୍ରୋକ ମାରିଥିବା ଚର୍ଚ୍ଚା ହେଉଛି।
ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ ଦଳ ୯୦ ପ୍ରତିଶତ ପ୍ରାର୍ଥୀଙ୍କୁ ରିପିଟ୍ କରିଛି ଦଳ। ବିଜେପିର ବଢ଼ୁଥିବା ଲୋକପ୍ରିୟତା ଓ ଦଳୀୟ କନ୍ଦଳକୁ ଦେଖି ପ୍ରାର୍ଥୀ ତାଲିକାରେ ବିଜେଡି ବିଶେଷ ପରିବର୍ତ୍ତନ କରିବାକୁ ସାହାସ କରିପାରିନି ।
ନବୀନ ଯେଉଁ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ସେଥିରେ ଗୁଣୁପୁର ବିଧାନସଭାରୁ ରଘୁନାଥ ଗମାଙ୍ଗ, ବିଷମ କଟକ- ଜଗନ୍ନାଥ ସାରକା, ରାୟଗଡ଼ାରୁ ଅନୁସୟା ମାଝୀ, ବରଗଡ଼ରୁ ଦେବେଶ ଆଚାର୍ଯ୍ୟ, ବିଜେପୁରରୁ ରୀତା ସାହୁ, ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲୀରୁ ସୁଶାନ୍ତ ସିଂ, ଜଳେଶ୍ୱରରୁ ଅଶ୍ୱିନୀ ପାତ୍ର, ବସ୍ତାରୁ ସୁବାସିନୀ ଜେନା, ଭଣ୍ଡାରୀପୋଖରୀରୁ ସଞ୍ଜିବ ମଲ୍ଲିକ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ, ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତ, ଧାମନଗରରୁ ସଞ୍ଜୟ ଦାସ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ, ଧର୍ମଶାଳାରୁ ପ୍ରଣବ ବଳବନ୍ତରାୟ, ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରୀତିରଞ୍ଜନ ଘଡ଼େଇ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଳ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ, ପାଲଲହଡ଼ାରୁ ମୁକେଶ ପାଲ, ଛେଣ୍ଡିପଦାରୁ ସୁଶାନ୍ତ ବେହେରା, ସୋନପୁରରୁ ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାରରଞ୍ଜନ ବେହେରା,ପାଟଣାଗଡ଼ରୁ ସରୋଜ ମେହେରଙ୍କୁ ପ୍ରାର୍ଥୀ କରିଛି ଦଳ।
ବଲାଙ୍ଗିରରୁ କଳିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ଼ରୁ ଟୁକୁନି ସାହୁ, ନୂଆପଡ଼ାରୁ ରାଜେନ୍ଦ୍ର ଢ଼ୋଲକିଆ, ଉମରକୋଟରୁ ମାମିନା ନାୟକ,ଝରିଗାଁରୁ ରମେଶଚନ୍ଦ୍ର ମାଝୀ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନୀପାଟଣାରୁ ଲତିକା ନାୟକ, ଜି.ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହୀଧର ରଣା, ବୌଦ୍ଧରୁ ପ୍ରଦୀପ ଅମାତ ବିଜେଡି ପ୍ରାର୍ଥୀ ହୋଇଛନ୍ତି।
ବଡ଼ମ୍ବାରୁ ଦେବୀପ୍ରସାଦ ମିଶ୍ର,ବାଙ୍କିରୁ ଦେବୀରଞ୍ଜନ ତ୍ରିପାଠୀ, ଆଠଗଡ଼ରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚୌଦ୍ୱାରରୁ ସୌଭିକ ବିଶ୍ୱାଳ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ନିଆଳିରୁ ପ୍ରମୋଦ ମଲ୍ଲିକ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ଆଳିରୁ ପ୍ରତାପ କେଶରୀ ଦେବ, ମହାକାଳପଡ଼ାରୁ ଅତନୁ ସବ୍ୟସାଚୀ ନାୟକ, ରାଜନଗରରୁ ଧ୍ରୁବ ସାହୁ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ରପ୍ରତାପ ମହାରଥୀ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବେ ।
ଜଟଣୀରୁ ବିଭୂତିଭୂଷଣ ବଳବନ୍ତରାୟ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶଚନ୍ଦ୍ର ବେହେରା, ନୟାଗଡ଼ରୁ ଅରୁଣ କୁମାର ସାହୁ, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖ, ପୋଲସରାରୁ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗରରୁ ଲତିକା ପ୍ରଧାନ, ଛତ୍ରପୁର-ସୁବାସଚନ୍ଦ୍ର ବେହେରା, ସୋରଡ଼ା-ସଂଘମିତ୍ରା ସ୍ୱାଇଁ, ହିଞ୍ଜିଳିରୁ ନବୀନ ପଟ୍ଟନାୟକ, ଗୋପାଳପୁରରୁ ବିକ୍ରମ କୁମାର ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଚିକିଟିରୁ ଚିନ୍ମୟସୁନ୍ଦର,କୋଟପାଡ଼ରୁ ଚନ୍ଦ୍ରଶେଖର ମାଝୀ, ମାଲକାନଗିରି-ମାନସ ମାଡ଼କାମୀ, କୋରାପୁଟରୁ ରଘୁରାମ ପୋଡ଼ାଲ, ଘସିପୁରାରୁ ବଦ୍ରିନାରାୟଣ ପାତ୍ର, ପାଟଣାରୁ ଜଗନ୍ନାଥ ନାଏକଙ୍କୁ ମିଶାଇ ମୋଟ ୭୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।
ସେହିପରି ଲୋକସଭା ପ୍ରାର୍ଥୀ ଭାବେ କଳାହାଣ୍ଡି-ଲମ୍ବୋଦର ନିଆଲ, ସମ୍ବଲପୁରରୁ ପ୍ରଣବପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ କୁମାର ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା, ଆସିକାରୁ ରଞ୍ଜିତା ସାହୁଙ୍କୁ ମିଶାଇ ମୋଟ ୯ଟି ଲୋକସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛି ।
ବିଜେଡିରେ ମିଶିବା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀମା ମନ୍ଦିର ଛକରୁ ନିଜ କର୍ମୀମାନଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା କରି ଶଙ୍ଖ ଭବନ ଅଭିମୁଖେ ଆସିଥିଲେ। ସୁର ନିଜ ପୁଅର ଏହି ବିରାଟ ଶୋଭାଯାତ୍ରାରେ ସାମିଲ ହୋଇ ନଥିଲେ। ହେଲେ ସେ ନିଜ ପୁଅ ମନ୍ମଥଙ୍କୁ ଜିତାଇବାକୁ ନିଜର କର୍ମୀମାନଙ୍କୁ ଆହ୍ୱାନ କରିଥିଲେ। ସେ କହିଥିଲେ, ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ ପୁଅ। ତାକୁ ଆମେ ଜିତାଇବା।
ଅନ୍ୟପକ୍ଷରେ ସୁରଙ୍କ ଆର୍ଶୀବାଦ ନେଇ ବିଜେଡିରେ ସାମିଲ ହୋଇଥିବା ମନ୍ମଥ କହିଥିଲେ, ମୋ ବାପା ସୁର ରାଉତରାୟ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଆଗକୁ ବଢ଼ିବି। ବିଜେଡିରେ ମିଶିବା ତାଙ୍କର ଏକା ନିଷ୍ପତ୍ତି ନୁହେଁ। ଏହା ତାଙ୍କ ପରିବାରର ନିଷ୍ପତ୍ତି ବୋଲି ମନ୍ମଥ କହିଥିଲେ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ମନ୍ମଥ କ୍ୟାପଟନ ଚାକିରି ଛାଡ଼ି ଭୁବନେଶ୍ୱରରେ ପହଞ୍ଚିଥିଲେ। ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସୁର ଶହ ଶହ ସମର୍ଥକଙ୍କୁ ନେଇ ସେଠାରେ ପହଞ୍ଚି ପୁଅକୁ ଭବ୍ୟ ସ୍ୱାଗତ କରି ପାଛୋଟି ଆଣିଥିଲେ। ପରେ ସୁର ମନ୍ମଥଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। ଏହାସହ ଜଟଣୀରୁ ବିଧାୟକ ପ୍ରାର୍ଥୀ ମନ୍ମଥ ରାଉତରାୟ ହେବେ ବୋଲି ସେ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ।
ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ଓ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ସାମିଲ ହେବା ପରେ ଗଞ୍ଜାମରେ ବିଜେଡିର ସଂଗଠନ ଦୁର୍ବଳ ହେବାରେ ଲାଗିଛି । ଦୀର୍ଘ ଦୁଇ ଦଶନ୍ଧି ଧରି ପ୍ରଦୀପ ଗଞ୍ଜାମର ସାଂଗଠନିକ କାର୍ଯ୍ୟ ସହ ଜଡ଼ିତ ଥିଲେ । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ଜିଲ୍ଲାର ଟିକେଟ୍ ଚୟନରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମାତ୍ର ଏବେ ପ୍ରଦୀପ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ବ୍ରହ୍ମପୁରରୁ ଲଢ଼ିବାକୁ ଯାଉଛନ୍ତି । ଗଞ୍ଜାମରେ କେବଳ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବାଦ୍ ଦେଲେ ବିଜେଡି ସଂଗଠନ ସହ ଜଡ଼ିତ ପୁରୁଣା ନେତା ନାହାନ୍ତି । ପ୍ରାୟତଃ ସମସ୍ତେ ଆମଦାନୀ ହୋଇଥିବା ନେତା । ବିକ୍ରମ ପଣ୍ଡା ଓ ଚନ୍ଦ୍ରଶେଖର ସାହୁଙ୍କ ଭଳି କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କ ଉପରେ ବିଜେଡି କର୍ମୀ ଓ ସଂଗଠକମାନେ ଭରସା କରିପାରୁନାହାନ୍ତି । ଯାହାର ଫାଇଦା ନେଇ ପ୍ରଦୀପ ନିଜର ସ୍ଥିତି ଜିଲ୍ଲାରେ ଦିନକୁ ଦିନ ଅଧିକ ସୁଦୃଢ଼ କରିବାରେ ସକ୍ଷମ ହେଉଛନ୍ତି । ଏପଟେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ଚନ୍ଦ୍ରଶେଖରଙ୍କୁ ପୁଣିଥରେ ବ୍ରହ୍ମପୁରରୁ ପ୍ରାର୍ଥୀ କରିବା ସପକ୍ଷରେ ବିଜେଡି ନଥିବା ଜଣାପଡ଼ିଛି । ଯେଉଁଥିପାଇଁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଥିବା ମାନସ ମଙ୍ଗରାଜଙ୍କୁ ଦଳ ପ୍ରଦୀପଙ୍କ ବିରୁଦ୍ଧରେ ପ୍ରାର୍ଥୀ କରିପାରେ ବୋଲି ଜଣାପଡ଼ିଛି ।
ଚର୍ଚ୍ଚା ହେଉଛି, ବିଜେଡିର ସାଂଗଠନିକ ସମୀକ୍ଷାରେ ଦଳୀୟ ନେତା ଓ କର୍ମୀମାନଙ୍କ ତୁଳନାରେ ଅଫିସରମାନଙ୍କ ଦ୍ୱାରା ପ୍ରସ୍ତୁତ ସର୍ଭେ ରିପୋର୍ଟ ଅଧିକ ଗୁରୁତ୍ୱ ବହନ କରୁଛି । ଅବଶ୍ୟ ଏହି ସର୍ଭେ ରିପୋର୍ଟର ବାସ୍ତବତାକୁ ନେଇ ମଧ୍ୟ ଅନେକ ନେତା ଓ କର୍ମୀ ସିଧାସଳଖ ପ୍ରଶ୍ନ ଉଠାଉଛନ୍ତି । ମାତ୍ର ବିଜେଡି ନେତୃତ୍ୱ ଏହି ସର୍ଭେ ରିପୋର୍ଟର ବାହାନା ଦେଖାଇ ଦଳୀୟ ନେତା ଓ କର୍ମୀଙ୍କୁ ହତାଦର କରୁଥିବାରୁ ତା’ର ଫଳ ଆଗାମୀ ନିର୍ବାଚନରେ ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ଜଣାପଡ଼ିଛି । ଦଳ କୌଣସି ଗୋଟିଏ ଜିଲ୍ଲା ଅବା ଆସନରେ ଅସନ୍ତୁଷ୍ଟ ନେତାମାନଙ୍କୁ ବୁଝାଇବାରେ ଏପର୍ଯ୍ୟନ୍ତ ସକ୍ଷମ ହୋଇନି । ତେଣୁ ବିଜେଡିରେ ବଢ଼ୁଥିବା ଗୋଷ୍ଠୀକନ୍ଦଳ ଓ ଛକାପଞ୍ଝାରୁ ସହଜରେ ବିଜେପି ଫାଇଦା ନେବ । ଗଞ୍ଜାମରେ ପ୍ରଦୀପ ଏବେ ବିଜେଡିକୁ ଅଧିକ କ୍ଷତି କରିବାରେ ଲାଗିଥିବାରୁ ତାଙ୍କୁ ଚେକ୍ ଦେବା ପାଇଁ ମାନସଙ୍କୁ ମଇଦାନକୁ ଓହ୍ଲାଇବାକୁ ବିଜେଡି ନେତୃତ୍ୱ ଚାହୁଁଥିବା ଜଣାପଡ଼ିଛି । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଗୋପାଳପୁର,ଦିଗପହଣ୍ଡି, ଚିକିଟି,ଛତ୍ରପୁର ଓ ବ୍ରହ୍ମପୁର ବିଧାନସଭା ମଣ୍ଡଳୀରେ ବିଜେଡିର ଗୋଷ୍ଠୀକନ୍ଦଳ ଉଗ୍ର ଅବସ୍ଥାରେ ରହିଛି। ତା’ଛଡ଼ା ଗଜପତି ଜିଲ୍ଲାର ଅନ୍ୟ ଦୁଇ ଆସନ ମୋହନା ଓ ପାରଳାଖେମୁଣ୍ଡିରେ ବିଜେଡି ଗତଥର ନିଜର ଖାତା ବି ଖୋଲିପାରିନଥିଲା । ବିଜେପି ମଧ୍ୟ ବେଶ୍ ଚତୁରତାର ସହ ନିଜର ପୁରୁଣା ନେତା ଭୃଗୁ ବକ୍ସିପାତ୍ରଙ୍କ ବଦଳରେ ପ୍ରଦୀପଙ୍କୁ ମଇଦାନକୁ ଓହ୍ଲାଇଛି ।
ସେହିପରି ନବରଙ୍ଗପୁର ଆସନରେ ବିଜେଡି ଏଥର କଂଗ୍ରେସରୁ ଆଗତ ପ୍ରଦୀପ ମାଝୀଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ସାଂସଦ ରମେଶ ମାଝୀଙ୍କ ସାନଭାଇ ବିଧାୟକ ପ୍ରକାଶ ମାଝୀଙ୍କ ସ୍ଥିତି ଭଲ ନଥିବାରୁ ରମେଶଙ୍କୁ ବିଧାନସଭାରୁ ପ୍ରାର୍ଥୀ କରି ପ୍ରଦୀପଙ୍କୁ ମଇଦାନକୁ ଓହ୍ଲାଇପାରେ । ଅବଶ୍ୟ ପ୍ରଦୀପଙ୍କୁ ହଁ-ନା ମଧ୍ୟରେ ଦଳ ଏବେବି ଝୁଲାଇ ରଖିଛି । ତେଣୁ ନବରଙ୍ଗପୁରରେ ବିଜେପିର ବଢ଼ୁଥିବା ପ୍ରଭାବ ଯୋଗୁ ଜିଲ୍ଲାରେ ବିଜେଡି ନେତାମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ବିଜେଡି ଏହି ଲୋକସଭା ଓ ଏହା ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ହରଡ଼ଘଣାରେ ପଡ଼ିଛି । ପୁରୁଣା ବିଜେଡି ଓ ନୂଆ ବିଜେଡିକୁ ନେଇ ଜିଲ୍ଲାରେ ବିଜେଡି ଭୋଟ୍ ଭାଗଭାଗ ଅବସ୍ଥାରେ ରହିଛି । ବିଜେପିର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ ପୂର୍ବରୁ ବିଜେଡି ଟିକେଟରେ ସେଠାରୁ ସାଂସଦ ହୋଇସାରିଛନ୍ତି । ତେଣୁ ସେ ନିଜସ୍ୱ ଭୋଟବ୍ୟାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରୟତାକୁ ଆଧାର କରି ବିଜେଡିକୁ ବାଜିମାତ୍ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସେହିପରି କଳାହାଣ୍ଡି ଜିଲ୍ଲାରେ ବିଜେପି ନିଜର ପ୍ରାର୍ଥୀ ବଦଳାଇ ରାଜପରିବାରର ସଦସ୍ୟଙ୍କୁ ପ୍ରାର୍ଥୀ କରିଛି । ବିଜେପିର ପ୍ରାର୍ଥୀ ମାଳବିକା କେଶରୀ ଦେବୀଙ୍କ ପ୍ରତି ଜନସମର୍ଥନ ରହିଛି । କଳାହାଣ୍ଡିରେ ବିବାଦୀୟ ଦିବ୍ୟଶଙ୍କର ମିଶ୍ରଙ୍କୁ ବିଜେଡି ଆଗରେ ରଖି ସାଂଗଠନିକ କାର୍ଯ୍ୟକ୍ରମ କରୁଛି । ବିଜେଡି ନେତୃତ୍ୱ ସେଠାରେ ମମିତା ମେହେର ହତ୍ୟା ପାଇଁ ବିବାଦୀୟ ଦିବ୍ୟଶଙ୍କରଙ୍କୁ ଆଗରେ ରଖିଥିôବାରୁ ଜିଲ୍ଲାର ଅନ୍ୟ ନେତାମାନେ କ୍ଷୁବ୍ଧ । ଯାହାର ଫଳ ମଧ୍ୟ ଦଳକୁ ଭୋଗିବାକୁ ପଡ଼ିବ । ଦଳ ସେଠାରେ କିଛି ନେତାଙ୍କ ଟିକେଟ୍ କାଟିବାକୁ ଲକ୍ଷ୍ୟ ରଖିଛି ।
ସେହିପରି କୋରାପୁଟ ସଂସଦୀୟ କ୍ଷେତ୍ରରେ ବିଜେଡିର ଅବସ୍ଥା ତଳକୁ ତଳ ଯିବାରେ ଲାଗିଛି । ସେଠାରେ କଂଗ୍ରେସ ଅପେକ୍ଷାକୃତ ନିଜସ୍ୱ ସ୍ଥିତିରେ ସୁଧାର ଆଣିଛି । ବିଜେଡି ଚଳିତଥର ନିଜର ପରାଜିତ ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପୁଣିଥରେ ମଇଦାନକୁ ଓହ୍ଲାଇବାର ସମ୍ଭାବନା ଅଛି । ମାତ୍ର ମାଲକାନଗିରିରେ ଦଳର ସଂଗଠନ ଏବେ ହାତଛଡ଼ା ହେଉଥିବାରୁ ବିଜେଡି ଚିନ୍ତାରେ ପଡ଼ିଛି ।
ତେଣୁ ବ୍ରହ୍ମପୁର,କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକରେ କିଭଳି ଦଳୀୟ ଅସନ୍ତୋଷକୁ ଏଡ଼ାଇ ପ୍ରାର୍ଥୀ ଦେବ ସେ ନେଇ ବିଜେଡି କସରତ କରୁଥିଲେ ମଧ୍ୟ ସବୁ ଅଙ୍କ ଫେଲମାରିବାରେ ଲାଗିଛି ।
ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏହି ଉପରୋକ୍ତ ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ପାଇଁ ଆସନ୍ତା ମେ’ ୧୩ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ନାମାଙ୍କନ ପତ୍ର ଦାଖଲ ଏପ୍ରିଲ ୧୮ରୁ ଆରମ୍ଭ ହେବ । ବିଜେଡି ନେତୃତ୍ୱ ଧର୍ମକୁ ଆଖିଠାର ମାରିବା ଭଳି ୧୭ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନର ସମୀକ୍ଷା କରିଥିବା ବେଳେ ଆସନ୍ତାକାଲି ବାକିଥିବା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ଏହି ସମୀକ୍ଷାରେ ସଂଗଠନ ସହ ଜଡ଼ିତ ନେତାମାନଙ୍କୁ ଗୁରୁତ୍ୱ ମିଳୁନଥିବା ଓ ଆଶାୟୀ ପ୍ରାର୍ଥୀଙ୍କୁ ଅଣଦେଖା କରାଯାଉଥିବାରୁ ବିଜେଡିକୁ ଟିକେଟ୍ କସରତ ଭବିଷ୍ୟତରେ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ରହିଛି ।
ଚର୍ଚ୍ଚା ହେଉଛି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଏଥର ଗୋପାଳପୁରରୁ ପ୍ରାର୍ଥୀ ହୋଇପାରନ୍ତି। ଏପଟେ ବ୍ରହ୍ମପୁରରୁ ଆଶାୟୀ ଅଛନ୍ତି ଜିଲ୍ଲା ସଭାପତି ରମେଶ ଚ୍ୟାଉପଟ୍ଟନାୟକ। ସେହିପରି ଲୋକସଭା ଲାଗି ଦଳ ଚନ୍ଦ୍ରଶେଖର ସାହୁଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଭିତରେ ଆଶାୟୀ ଅଛନ୍ତି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଆଉ ଛତ୍ରପୁରରେ ବିଧାୟକ ସୁବାସ ବେହେରାଙ୍କୁ ବିରୋଧ କରି ଆସୁଛନ୍ତି ବିଜେଡିର ପୂର୍ବତନ ବିଧାୟକ ପ୍ରିୟାଂଶୁ ପ୍ରଧାନ। ସେପଟେ ଆସିକାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ପୁଣି ଥରେ ଟିକେଟ୍ ଆଶାୟୀ ଥିବା ବେଳେ ବ୍ଲକ୍ ଅଧ୍ୟକ୍ଷ ନାରାୟଣ ସ୍ୱାଇଁ ମଧ୍ୟ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ କବିସୂର୍ଯ୍ୟନଗର ବିଜେଡି ନେତା ହର ସାହୁ ମଧ୍ୟ ଟିକେଟ ଲବିରେ ଅଛନ୍ତି।
ପୋଲସରାରେ ବିବାଦୀୟ ବିଧାୟକ ଶ୍ରୀକାନ୍ତ ସାହୁ ଟିକେଟ ଦାବି କରୁଛନ୍ତି। ହେଲେ ଆରତୀ ଦେବୀ ଓ ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ ମଧ୍ୟ ଟିକଟ ଆଶା ରଖିଛନ୍ତି। ଏମିତି ସ୍ଥିତିରେ ଯାହାର ଟିକେଟ କଟିବ, ସେମାନେ ବିଦ୍ରୋହୀ ହେବା ଏକ ପ୍ରକାର ଥୟ। ପ୍ରଦୀପ ପାଣିଗ୍ରାହୀ ଦାବି କରୁଛନ୍ତି, ଅନେକ ନେତା ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଏପଟେ କିନ୍ତୁ ବିଜେଡି କହୁଛି କିଛି ଟେନସନ ନାହଁ।
ବ୍ରହ୍ମପୁର ଲୋକସଭା ଅନ୍ତର୍ଗତ ୭ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ୪ ଆସନ ବ୍ରହ୍ମପୁର, ଛତ୍ରପୁର, ଦିଗପହଣ୍ଡି ଓ ଚିକିଟି ବିଜେଡି ପାଖରେ ରହିଛି। ମୋହନା କଂଗ୍ରେସ ପାଖରେ ଥିବା ବେଳେ ପାରଳାଖେମୁଣ୍ଡିରେ ଜିତିଥିଲା ବିଜେପି। ଆଉ ପ୍ରଦୀପ ବିଜେପିରେ ଯୋଗଦେବା ପରେ ଗୋପାଳପୁର ଆସନ ବିଜେଡି ପାଇଁ ମୁଣ୍ଡବିନ୍ଧା ପାଲଟିଛି। ପ୍ରଦୀପ ଯଦିଓ ବ୍ରହ୍ମପୁରରୁ ବିଜେପିର ସାଂସଦ ପ୍ରାର୍ଥୀ ହୋଇଛନ୍ତି, କିନ୍ତୁ ପୂରା ଜିଲ୍ଲାରେ ରହିଛି ତାଙ୍କର ଦବଦବା। ତେଣୁ ଗଞ୍ଜାମ ଗଡ଼ ବଜାୟ ରଖିବା ଏବେ ବିଜେଡି ପାଇଁ ସବୁଠୁ ବଡ଼ ଟେନ୍ସନ।
ଭର୍ତ୍ତୃହରି ଲେଖିଛନ୍ତି, ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା। ପଲିଟିକାଲ୍ ଏଫାୟର୍ସ କମିଟି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା। ବିବାଦ ଉପୁଜିବାରୁ ସଭାପତି ଓ ପିଏସିର ଅଧ୍ୟକ୍ଷ ଜଣେ ହେଉ ବୋଲି ନିଷ୍ପତ୍ତି ନିଆଗଲା। ହେଲେ ୨୦୦୪ ପରଠୁ ମୋ ଜାଣିବାରେ ଏହାର ଅସ୍ତିତ୍ୱ ଆଉ ଦେଖିବାକୁ ମିଳିଲା ନାହିଁ। ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ଦୁଇ ଜଣଙ୍କ ପାଖରେ କେନ୍ଦ୍ରୀଭୂତ ହେଲା।
ସେହିପରି ଯେଉଁ ଉଦ୍ଦେଶ୍ୟରେ ଦଳ ଗଢ଼ା ଯାଇଥିଲା ଓ ଦୁର୍ନୀତିର ଛାଇ ପଡ଼ିଲେ ଯେଉଁଠି ମନ୍ତ୍ରିପଦ ନିମିଷକେ ଚାଲି ଯାଉଥିଲା, ସେ ଦଳ ଆଜି କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ଭର୍ତ୍ତୃହରି। ଏଥିସହ ଅନ୍ୟାୟ, ଅନୀତି ଓ ଦୁର୍ନୀତି ଭିତରେ ଓଡ଼ିଶାରୂପୀ ଜନକ ନନ୍ଦିନୀ ସୀତା ଆଜି ବନ୍ଦିନୀ। ଲଙ୍କାଧିପତିର ଅଧର୍ମକୁ ନାଶ କରିବା ପାଇଁ ଧର୍ମରେ ଥିବା ଶ୍ରୀରାମ ଯେଉଁ ପଦକ୍ଷେପ ନେଇଥିଲେ, ସେ ପଦକ୍ଷେପ ନେବାର ସମୟ ଏବେ ଉପନୀତ ବୋଲି ସେ ଉଲ୍ଲେଖ କରିଛନ୍ତି।
ସେ ଆହୁରି ଲେଖିଛନ୍ତି, ମାତା ସୀତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ମିଳନ ନିଶ୍ଚୟ ହେବ। କାରଣ ଦାନବ ରାବଣର ନିଧନ ଅନିର୍ବାଯ୍ୟ। ଅନ୍ୟପକ୍ଷରେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିନାହିଁ।
ବିଜେପି ସହ ନିର୍ବାଚନୀ ମେଂଟ କରି ବିଜେଡି ନିଜର ଏହି ସାଂଗଠନିକ ଅସନ୍ତୋଷ ଓ ଛକାପଞ୍ଝାକୁ ଚାପି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଥିଲା,ମାତ୍ର ଶେଷମୁହୂର୍ତ୍ତରେ ମେଂଟ ଫେଲ୍ ମାରିବାରୁ ବିଜେଡି ରଣନୀତିକାରଙ୍କ ସବୁ ଅଙ୍କ ଏପଟସେପଟ ହୋଇଯାଇଛି। କଟକରୁ କୋରାପୁଟ, ମୟୂରଭଞ୍ଜରୁ ମାଲକାନଗିରି, ପୁରୀରୁ ସମ୍ବଲପୁର ସବୁଠି ବିଜେଡି ସଂଗଠନର ପୁଞ୍ଜିଭୂତ ଅସନ୍ତୋଷ ଏବେ ବାରୁଦଗଦା ଭଳି ହୋଇଛି। ଖାସ୍ ଏହି କାରଣରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ପିତା ବିଜୁ ପଟ୍ଟନାୟକଙ୍କ ୧୯୯୫ ମସିହା ନିର୍ବାଚନୀ ଫଳାଫଳ ଦଶା ଭୋଗିବାକୁ ପଡ଼ିପାରେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ମେଂଟ ଆଲୋଚନା ଫେଲ୍ ମାରିବା ପରେ ବିଜେଡି ରଣନୀତିକାରଙ୍କୁ ଶକ୍ତ ଧକ୍କା ଲାଗିଛି। ଆଉ ସେମାନଙ୍କର ସବୁ ଅଙ୍କ ଏପଟସେପଟ ହୋଇଯାଇଛି। ଆଗୁଆ ନିର୍ବାଚନ କଥା କହି ୨୦୨୩ ରଥଯାତ୍ରା ବେଳଠୁ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିଥିବା ବିଜେଡି ଏବେ ବିକଟାଳ ସାଂଗଠନିକ ସ୍ଥିତି ଓ ଦଳୀୟ ଅନ୍ତଃକନ୍ଦଳକୁ ନେଇ ବ୍ୟାକଫୁଟରେ। ଦୀର୍ଘଦିନ ଧରି ସଂଗଠନରେ ଅସନ୍ତୋଷ ଲାଗି ରହିଥିଲେ ମଧ୍ୟ ଏହାକୁ ପ୍ରଶମିତ କରିବା ପାଇଁ କିମ୍ବା ଅସନ୍ତୁଷ୍ଟ ନେତା-କର୍ମୀଙ୍କୁ ବୁଝାଇବା ଦିଗରେ ଦଳ କୌଣସି ଆଖିଦୃଶିଆ କାର୍ଯ୍ୟ କରିନି। ଯେଉଁଥିପାଇଁ ଏବେ ଦଳର ସାଂଗଠନିକ ଅସନ୍ତୋଷ ଏକ ବାରୁଦଗଦା ଭଳି ହୋଇଛି। ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ସମାନ୍ତରାଳ ସଂଗଠନ ଓ ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଯୋଗୁ ବିଜେଡି ଏବେ ଭାଗଭାଗ ହୋଇ ରହିଛି।
ବିଜେପି କାନ୍ଧରେ ଲାଉ ହୋଇ ବିଜେଡି ଚଳିତ ସାଧାରଣ ନିର୍ବାଚନ ବୈତରଣୀ ପାର ହେବାକୁ ଆଶା ବାନ୍ଧିଥିଲା। ଗତ ଅକ୍ଟୋବର ମାସରୁ ବିଜେଡି ନେତୃତ୍ୱ ରାଜ୍ୟରେ ବିଜେପି ସହ ମେଂଟକୁ ନେଇ ଆଶାବାଦୀ ଥିଲେ। ମାତ୍ର ତାହା ଶେଷମୁହୂର୍ତ୍ତରେ ଫେଲ୍ ମାରିଲା। ଯେଉଁଥିପାଇଁ ଏବେ ବିଜେଡି ନିଜର ଏହି ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଥିବା ଉଗ୍ର କନ୍ଦଳ ଓ ଅସନ୍ତୋଷକୁ ଦୂର କରିବାର କିଛି ବି ଫର୍ମୂଲା ପାଉନଥିବା ଜଣାପଡ଼ିଛି। ଯଦିଓ ଇତିମଧ୍ୟରେ ବିଜେଡି ୧୭ଟି ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନଗୁଡ଼ିକର ନେତାମାନଙ୍କୁ ନବୀନ ନିବାସ ଡାକି ସମୀକ୍ଷା କରିଛି। ମାତ୍ର ତାହା କେବଳ ଧର୍ମକୁ ଆଖିଠାର ସଦୃଶ।
ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଡକାଯାଉଥିବାରୁ କିଏ ଟିକେଟ୍ ପାଇବ ଓ କାହାର ଟିକେଟ୍ କଟିବ ସେ ନେଇ ମଧ୍ୟ ନେତାମାନେ ଆଶଙ୍କାରେ ରହିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାଗୁଡ଼ିକର ସାଂଗଠନିକ ସ୍ଥିତି କିମ୍ବା ସମାନ୍ତରାଳ ସଂଗଠନ କରୁଥିବା ନେତାମାନଙ୍କ ସମ୍ପର୍କରେ ବି ପଦୁଟିଏ ଆଲୋଚନା ହେଉନି। ତେଣୁ ବିଜେଡି ନେତୃତ୍ୱଙ୍କ ଏଭଳି ଆଚରଣ ଏବେ ଦଳର ପୁରୁଖା ଓ ଟିକେଟ୍ ଆଶାୟୀ ନେତାମାନଙ୍କୁ କ୍ଷୁବ୍ଧ କରିଛି।
ଏପଟେ ବିଜେପି ଯେଉଁ ରଣନୀତି ସହ ରାଜ୍ୟରେ ଏକ ବଡ଼ ଲଢ଼େଇ ପାଇଁ ସଜବାଜ ହେଉଛି ତାକୁ ଟକ୍କର ଦେବା ଭଳି ବିଜେଡି ଏବେ ପ୍ରାୟତଃ ସକ୍ଷମ ସ୍ଥିତିରେ ନାହିଁ। ଦଳର ଭୋଟବ୍ୟାଙ୍କ ଥିବା ମହିଳା ଏସଏଚଜିକୁ ହାତେଇ ଆଗାମୀ ନିର୍ବାଚନରେ ଭୋଟ୍ ନେବା ମଧ୍ୟ ବିଜେଡି ପାଇଁ କଷ୍ଟକର ହେବ। ଦଳୀୟ କନ୍ଦଳ ଯୋଗୁ ବିଜେଡିର ଅସନ୍ତୋଷ ଭୋଟଗୁଡ଼ିକ ବିଜେପି ସପକ୍ଷରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ‘ଘରପଛେ ପୋଡ଼ୁ ମୂଷା ମରୁ’ ନ୍ୟାୟରେ ବିଜେଡି ନେତାମାନେ ଏବେ ନିଜ ଦଳର ଶତ୍ରୁମାନଙ୍କୁ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛନ୍ତି। ସେମାନଙ୍କର ଅଭିଯୋଗ-ଆପତ୍ତି ଶୁଣିବା କିମ୍ବା ସେସବୁର ସମାଧାନ ଦିଗରେ ଦଳ ଆନ୍ତରିକତା ଦେଖାଉନଥିବାରୁ ନିର୍ବାଚନରେ ବିଜେଡି ନେତୃତ୍ୱଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଦଳର ଅସନ୍ତୁଷ୍ଟ ନେତାମାନେ ଚାହିଁ ରହିଛନ୍ତି।
ଏପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନୀ ଋତୁରେ ବି ଲୋକଲୋଚନରୁ ବି ଦୂରେଇ ରହିଛନ୍ତି। ଦଳୀୟ ନେତାମାନଙ୍କର ସହ ନବୀନ କରୁଥିବା ସମୀକ୍ଷା ବୈଠକର ଫଟୋଚିତ୍ର ମଧ୍ୟ ଗଣମାଧ୍ୟମକୁ ଆସୁନି। ନବୀନଙ୍କ ଅନୁପସ୍ଥିତି ବି ଏବେ ବିଜେପି ପାଇଁ ପାୱାରପ୍ଲସ୍ ପାଲଟିଛି। ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ହାୱା ଥାଇ ମଧ୍ୟ ଦଳୀୟ କନ୍ଦଳ ଓ କିଛି ନିର୍ଦ୍ଦିଷ୍ଟ ନେତାମାନଙ୍କ ଅର୍ନ୍ତଘାତୀ କାର୍ଯ୍ୟଯୋଗୁ ଜନତା ଦଳ ପୁଣିଥରେ ସରକାରକୁ ଫେରି ପାରିନଥିଲା। ଏବେ ଅନୁରୂପ ସ୍ଥିତି ଓଡ଼ିଶାରେ ଦେଖାଦେବାର ଆଶଙ୍କା ଉପୁଜିଛି। ଦଳରେ ମାଳମାଳ ନେତା ନିଜର ଗୁରୁତ୍ୱ ବୃଦ୍ଧି ଓ ନିଜ ଦଳୀୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଉଚିତ୍ ଶିକ୍ଷା ଦେବାକୁ ଅର୍ନ୍ତଘାତୀ କାର୍ଯ୍ୟ କରିବା ଚକ୍କରରେ ରହିଛନ୍ତି।
ବିଜେଡିରେ ରାଜ୍ୟତମାମ ସାଂଗଠନିକ ପୁଞ୍ଜିଭୂତ ଅସନ୍ତୋଷ ଯେକୌଣସି ମୁହୂର୍ତ୍ତରେ ବିସ୍ଫୋରକ ରୂପ ନେଇପାରେ। ଏସବୁ ଖବର ବିଜେଡି ନେତୃତ୍ୱ ଓ ଦଳୀୟ ରଣନୀତିକାରଙ୍କ ପାଖରେ ଥିଲେ ମଧ୍ୟ ଦଳ କାହିଁକି ସାଂଗଠନିକ ସ୍ଥିତିକୁ ସଜାଡ଼ିବାକୁ ଉଦ୍ୟମ କରୁନି ତାହା ବି ଅସ୍ପଷ୍ଟ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ଏପଟେ ବିଜେପି ରାଜ୍ୟରେ ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୧୮ଟି ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଛି। କଟକ, ଯାଜପୁର ଓ କନ୍ଧମାଳକୁ ବାଦ୍ ଦେଇ ଦଳ ନିଜର ହେଭିୱେଟ୍ ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ରଙ୍କ ସମେତ ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ଅନନ୍ତ ନାୟକ, ଅପରାଜିତା ଷଡ଼ଙ୍ଗୀ, ସଙ୍ଗୀତା ସିଂହଦେଓ ଆଦି ନେତାଙ୍କୁ ଲୋକସଭା ମଇଦାନରେ ପ୍ରାର୍ଥୀ କରିଛି।
୨୦୧୯ ସାଧାରଣ ନିର୍ବାଚନରେ ବିଜେପି ୮ଟି ଲୋକସଭା ଆସନ ଜିତିଥିବାବେଳେ ଗତଥର ତୁଳନାରେ ଏହି ସଂଖ୍ୟା ୨ଗୁଣରୁ ଅଧିକ ହେବ ବୋଲି ଦଳ ଆଶା ରଖିଛି। ବିଜେପିର ଏହି ନେତାମାନଙ୍କୁ ଟକ୍କର ଦେବା ପାଇଁ ବିଜେଡି ଏପର୍ଯ୍ୟନ୍ତ ଜିତିବା ସମ୍ଭାବନା ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ ମଧ୍ୟ କରିପାରିନି। ବିଜେଡିରେ ଉଗ୍ର ସାଂଗଠନିକ କନ୍ଦଳ ଦେଖି ବିଜେପିର ଏହି ହେଭିୱେଟ୍ ନେତାମାନଙ୍କ ବିରୁଦ୍ଧରେ ପ୍ରାର୍ଥୀ ହେବାକୁ ମଧ୍ୟ ବିଜେଡିର ସମ୍ଭାବ୍ୟ ପ୍ରାର୍ଥୀମାନେ ଅନିଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି।
ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ମତାଇ ମୋ’ ପୁଅକୁ ବିଜେଡିରୁ ଏମଲଏ କି ଏମପି ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଶେଷ ପର୍ଯ୍ୟନ୍ତ ତାକୁ ବୁଝାଉଛି ଓ କଂଗ୍ରେସରୁ ସେ ପ୍ରାର୍ଥୀ ହେଉ ବୋଲି ଚାହୁଁଛି ବୋଲି ସୁର କହିଛନ୍ତି । ଏପଟେ ଯିଏ ନିଜ ବୃଦ୍ଧ ପିତାଙ୍କ ସମ୍ମାନକୁ ରଖୁନାହାନ୍ତି ଓ ତାଙ୍କ ଇଚ୍ଛା ବିରୁଦ୍ଧରେ ରାଜନୀତି କରିବାକୁ ଅଣ୍ଟା ଭିଡ଼ିଛନ୍ତି ସେ କିପରି ସାଧାରଣ ଜନତାଙ୍କ ସମ୍ମାନ ରଖିବେ ଏବଂ ଲୋକେ ତାଙ୍କୁ କିଭଳି ନିଜର ପ୍ରତିନିଧି ବାଛିବେ ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୁରଙ୍କ ସାନପୁଅ ମନ୍ମଥ ଆସନ୍ତା ୨୭ ତାରିଖରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଜି ଏହା ଉପରେ ପ୍ରତିକ୍ରିୟା ରଖି ମନ୍ମଥଙ୍କ ପିତା ସୁର ରାଉତରାୟ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ପୁଅ ଯଦି କଂଗ୍ରେସ ଛାଡ଼ି ଅନ୍ୟ କୌଣସି ଦଳରୁ ପ୍ରାର୍ଥୀ ହୁଏ ସେ ତାକୁ ନିଜର ଭୋଟ୍ ଖଣ୍ଡେ ଦେବେନି କିମ୍ବା ତାଙ୍କ ସପକ୍ଷରେ ପ୍ରଚାର ବି କରିବେ ନାହିଁ । କଂଗ୍ରେସ ହେଉଛି ତାଙ୍କ ପାଇଁ ମନ୍ଦିର । ସେ ହାତକୁ ପୂଜା କରନ୍ତି । କଂଗ୍ରେସ ତାଙ୍କୁ ସମ୍ମାନ ଦେଇଛି । ତେଣୁ ମଲାପର୍ଯ୍ୟନ୍ତ ସେ କଂଗ୍ରେସରେ ହିଁ ରହିବେ । ମଲାବେଳେ ତାଙ୍କ ଦେହରେ କଂଗ୍ରେସ ପତାକାଟିଏ ପଡ଼ୁ ବୋଲି ସେ ଚାହାଁନ୍ତି । ସୁର ଭାବପ୍ରବଣ ହୋଇ ଏଭଳି ପ୍ରତିକ୍ରିୟା ଦେବା ସହ ତାଙ୍କ ପୁଅକୁ ପ୍ରାର୍ଥୀ କରିବାକୁ ବିଜେଡି ଓ ବିଜେପି ଉଭୟ ଦଳ ଚାହୁଁଥିବା କହିଛନ୍ତି । ବିଜେଡି ତାଙ୍କପୁଅକୁ ଏମଏଲଏ ଓ ଏମପି ପ୍ରାର୍ଥୀ କରିବାର ଅଫର ଦେଇଛି ।
ବିଜେପି ମଧ୍ୟ ଜଟଣୀରୁ ଏମଏଲଏ ପ୍ରାର୍ଥୀ କରିବ ବୋଲି ଅଫର ଦେଇଛି । ନବୀନ ପଟ୍ଟନାୟକ, ପାଣ୍ଡିଆନ ଓ ବବି ନବୀନ ନିବାସକୁ ମୋ’ପୁଅକୁ ଡାକି ତାକୁ ଟିକେଟ୍ ଅଫର ଦେଇଛନ୍ତି । ତାକୁ ଏତେ ଉତ୍ସାହିତ କରିଦେଇଛନ୍ତି ଯେ ସେ ଏବେ ବିଜେଡି ଆଡ଼େ ମୁହାଁଇଛି । ସେ ବିଜେଡିରେ ୭-୮ଦିନ ତଳୁ ମିଶି ସାରନ୍ତାଣି । ମୁଁ ତାକୁ ବୁଝାସୁଝା କରି ରଖିଛି । ସେ ଅନ୍ୟ କେଉଁ ଦଳରେ ମିଶୁ ବୋଲି ମୁଁ ଚାହେଁନି । କଂଗ୍ରେସ ମୋତେ ସମ୍ମାନ ଦେଇଛି । ମୁଁ ଚାହେଁ ସେ କଂଗ୍ରେସରୁ ପ୍ରାର୍ଥୀପତ୍ର ଦାଖଲ କରୁ । ନିଶ୍ଚୟ ଜିତିବ । ମୋ’ର ତା’ଉପରେ ଭରସା ଅଛି । ସେ ମୋ’ କଥା ମାନିବ । ଯଦି ମୋ କଥା ନଶୁଣି ବିଜେଡିରେ ମିଶେ, ତା’ହେଲେ ମୁଁ ତାକୁ ନିଜ ଭୋଟ୍ ତ ଦେବିନି କିମ୍ବା ତା’ସପକ୍ଷରେ ପ୍ରଚାର ବି କରିବି ନାହିଁ । ମୁଁ ନୀତିବାନ ଲୋକ । ତେଣୁ ସେ ଅବୁଝାପୁଅ ମୋ’କଥା ବୁଝିଯିବ ବୋଲି ଆଶା ଥିବା ସୁର କହିଛନ୍ତି ।
ଅନ୍ୟପକ୍ଷରେ ଗଣମାଧ୍ୟମରେ ସୁରଙ୍କ ଏଭଳି ବୟାନ ପରେ ତାଙ୍କ ପୁଅ ମନ୍ମଥଙ୍କୁ ସୋସିଆଲ ମିଡିଆରେ କଡ଼ା ସମାଲୋଚନା ହେଉଛି । ସୁରଙ୍କ ଭଳି ସ୍ପଷ୍ଟବାଦୀ ନେତା ତଥା ନିଜ ପିତାଙ୍କ କଥାକୁ ଏଡ଼ାଇ ବିଜେଡିରେ ମିଶିବାକୁ ଚାହୁଁଥିବାରୁ ମନ୍ମଥ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଥିବା ଚର୍ଚ୍ଚା ହେଉଛି। ନିଜ ପିତାଙ୍କ ସମ୍ମାନ ରଖୁନଥିବା ବ୍ୟକ୍ତି କିଭଳି ସାଧାରଣ ଲୋକଙ୍କ ସମ୍ମାନ ରଖିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।
ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଭର୍ତ୍ତୃହରି ମହତାବ କହିଛନ୍ତି, ଚୌଦ୍ୱାର-କଟକରେ ତ ସୌଭିକ ବିଶ୍ୱାଳ ଜିତିଲେ। ସେଠାରେ ସିଏ ଜିତିଲେ, ଏଠାରେ ଇଏ କାହିଁକି ହାରିଗଲେ? ତାଙ୍କର ଯଦି ଏତେ ଲୋକପ୍ରିୟତା ଅଛି, ତାହାହେଲେ ଏଥର ଲୋକସଭା ଲଢ଼ନ୍ତୁ। ମୁଁ ତ ଆଉ ଏଥର ବିଜେଡିରୁ ପ୍ରାର୍ଥୀ ହେଉନି। ସେ ଲଢ଼ନ୍ତୁ ଏଥର। ମୁଁ ଲଢ଼ିବି କି ନଲଢ଼ିବି, ଯେଉଁ ଦଳରେ ଜଏନ୍ କରିବି ତା ଉପରେ ନିର୍ଭର କରେ ବୋଲି ଭର୍ତ୍ତୃହରି କହିଛନ୍ତି।
ସେପଟେ ପ୍ରତାପ ଜେନାଙ୍କ ମନ୍ତବ୍ୟ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଯିଏ ଯେଭଳି ଦେଖିବ। ତାକୁ ସେଭଳି ଦିଶିବ ବୋଲି ସେ କହିଛନ୍ତି।
ସୂଚନାରୁ ପ୍ରକାଶ, କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ପରେ କଡ଼ା ପ୍ରତିକ୍ରିୟା ରଖିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ଭର୍ତ୍ତୃହରିଙ୍କ ପାଇଁ ସେ ହାରିଯାଇଥିବା ଦେବାଶିଷ କହିଥିଲେ। ଏହାକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି।
ସେ ଆହୁରି କହିଛନ୍ତି, ୨୦୦୯ ଓ ୨୦୧୪ରେ ମୁଁ ଭଲ ଭୋଟରେ ଜିତି ଥିଲି। କିଛି କାରଣ ବଶଃତ ମୋତେ ୨୦୧୯ରେ ବିଜେଡି ପକ୍ଷରୁ ଟିକେଟ ମିଳିନଥିଲା। ହେଲେ ଦଳ ଟିକେଟ ଦେଇଥିବା ପ୍ରାର୍ଥୀପାଇଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ମୁଁ ପ୍ରଚାର ମଧ୍ୟ କରିଥିଲି। ତା’ପରେ ବି ମୋତେ ଦଳ ଭିତରେ ଅଣଦେଖା କରାଗଲା। ଏଥିପାଇଁ ମୁଁ ଦଳରୁ ଇସ୍ତଫା ଦେଇଦେଲି।
ପୂର୍ଣ୍ଣ ସେଠୀ ଦଳ ଛାଡ଼ିବା ପରେ ସେ କେଉଁ ଦଳରେ ମିଶିବେ ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ପୂର୍ଣ୍ଣ ସେଠୀ ୨୦୦୯ ଓ ୨୦୧୪ ମସିହାରେ ଖଲ୍ଲିକୋଟରୁ ବିଧାୟକ ଭାବେ ଜିତିଥିଲେ।
ବିଜେଡି ଆପଣାଇଛି ନୂଆ ରଣନୀତି। ନୂଆ ଭୋଟରଙ୍କ ନିକଟରେ ପହଞ୍ଚିବାକୁ ଛାତ୍ର ନେତାଙ୍କୁ ଦେଇଛି ଗୁରୁ ଦାୟିତ୍ୱ। ଯେଉଁଥି ପାଇଁ ଆଜି ଶଙ୍ଖ ଭବନରେ ଛାତ୍ର ନେତାମାନଙ୍କୁ ତାଲିମ ଦେଇଛି ଦଳ। ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଯୁବ ସଭାପତି ବ୍ୟୋମକେଶ ରାୟ ପ୍ରମୁଖ ଦେଇଛନ୍ତି ନିର୍ବାଚନୀ ମନ୍ତ୍ର। ସୋଶାଲ୍ ମିଡିଆରେ ଅପପ୍ରଚାର ରୋକିବା, ନବୀନ ସରକାରର ସଫଳତା, ନିର୍ବାଚନ ମଣ୍ଡଳୀ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା ସହ ୨୪ ଘଣ୍ଟିଆ ମୋଡ୍ରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବିଜେପି ଓ କଂଗ୍ରେସର ଯୁକ୍ତି ଯୁବ ଭୋଟରଙ୍କୁ ଆପଣାଇବାକୁ ଶାସକ ଦଳର ଏ ରଣନୀତି କାମ ଦେବନି।
ନୂଆ ଓ' ଏବଂ କଲେଜ ରୁପାନ୍ତୀକରଣ ମାଧ୍ୟମରେ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ଲକ୍ଷାଧିକ ଟଙ୍କାର ଅନୁଦାନ ଦେଇଛନ୍ତି। ସେହିପରି ନୂଆ ଓ ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ମଧ୍ୟ ପ୍ରଦାନ କରିଛନ୍ତି। ତେବେ କାହିଁକି ବିଜେଡି ଯୁବ ଭୋଟରଙ୍କୁ ଏତେ ଗୁରୁତ୍ୱ ଦେଉଛି? ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ବିଭିନ୍ନ ଯୋଜନା ସତ୍ତ୍ୱେ ଯୁବ ଭୋଟର ବିଜେଡିଠାରୁ ମୁହଁ ଫେରାଉଛନ୍ତି। ଯୁବ ବର୍ଗ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରେଜ ରହିଥିବାରୁ BJD ଏବେ ବ୍ୟାକ ଅପ୍ ପ୍ଲାନ୍ କରୁଛି।
BJP ଗତ ମାସରେ ସବୁ ନିର୍ବାଚନ ମଣ୍ଡଳୀରେ ନୂତନ ମତଦାତା ସମ୍ମିଳନୀ କରିଥିଲା। ନୂଆ ଭୋଟରଙ୍କ ସହ ସିଧା ସଳଖ ଯୋଡ଼ି ହୋଇଥିଲେ ମୋଦି। ବିଜେପି ଯୁବ ଭୋଟରଙ୍କୁ ଆକର୍ଷିତ କରୁଥିବା ବେଳେ ବିଜେଡିର କାଉଣ୍ଟର ଷ୍ଟ୍ରାଟେଜି କେତେ ଫଳ ପ୍ରଦ ହେଉଛି ତା ଉପରେ ନଜର।
ଆଜି ସମ୍ୱଲପୁର ନବୀନ ନିବାସରେ ତିଆରି ଚାଲିଛି ଗେମ୍ ପ୍ଲାନ୍। ଯେଉଁଠି ଥିଲେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ସହ ରେଢାଖୋଲ ଓ ଛେଣ୍ଡିପଦା ବିଧାୟକ ଏବଂ ଅନ୍ୟ ନେତାମାନେ। କିନ୍ତୁ ନଥିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। କାରଣ ୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରେ ବିଜେପି ବାଜିମାତ କରିଥିଲା। ଏହାଛଡ଼ା ସମ୍ୱଲପୁର ସଂସଦୀୟ କ୍ଷେତ୍ର ୭ ବିଧାନସଭା ମଧ୍ୟରୁ ସମ୍ବଲପୁର, ରେଙ୍ଗାଲି, ଓ ଦେବଗଡକୁ ବିଜେପି ଅକ୍ତିଆର କରିଥିଲା। ତେଣୁ ଏଥର ଜଣେ ଟାଣୁଆ ଯୋଦ୍ଧାଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇବାକୁ ଅଙ୍କ କଷୁଛି ବିଜେଡି। ତେବେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।
ଗତ ଥର ଜୋରଦାର ଲଢ଼େଇ କରି ପରାସ୍ତ ହୋଇଥିଲେ ଇଞ୍ଜିନିୟରରୁ ନେତା ହୋଇଥିଲେ ନଳିନୀ ପ୍ରଧାନ। ତାଙ୍କୁ ଏଥର ଦଳ ଆଠମଲ୍ଲିକ ବିଧାନସଭାରୁ ପ୍ରାର୍ଥୀ କରିବାକୁ ଯୋଜନା କରୁଛି। ତା’ସହ ରେଢାଖୋଲରେ ରୋହିତ ପୂଜାରୀଙ୍କ ପରିବର୍ତ୍ତେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ଦେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ତେଣେ ସମ୍ବଲପୁର ଲୋକସଭା ପାଇଁ ଏଥର ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଦ୍ଧା ଭାବେ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଥିବାରୁ ବିଜେଡି ହଡ଼ବଡ଼େଇଛି। ସମ୍ବଲପୁର ଲୋକସଭାରୁ କିଏ ହେବେ ବିଜେଡି ପ୍ରାର୍ଥୀ ସେ ନିଷ୍ପତ୍ତି କେବଳ ନବୀନ ନେବେ ବୋଲି କହିଛନ୍ତି ରୋହିତ ପୂଜାରୀ। ଏଣେ ବିଜେପିର ଦମ୍ଭୋକ୍ତି ସମ୍ବଲପୁର ସଂସଦୀୟ କ୍ଷେତ୍ର ସହ ସବୁ ବିଧାନସଭା ଆସନରେ ଦଳ ଏଥର ଖୁବ ଭଲ କରିବ।
ସେହିପରି ବିଜେପିର ଅଭେଦ୍ୟ ଗଡ଼ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରକୁ ନେଇ ମଧ୍ୟ ବିଜେଡି ଚିନ୍ତାରେ ପଡ଼ି ଯାଇଛି। ସେଠିକାର ବରିଷ୍ଠ ନେତା ମଙ୍ଗଳା କିସାନ, ସାରଦା ନାୟକ ଓ ଦିଲୀପ ତୀର୍କିଙ୍କୁ ନେଇ ଆଜି ନବୀନ ନିବାସରେ ହୋଇଛି କସରତ। ସାଂସଦ ଜୁଏଲ ଓରାମଙ୍କୁ ଏଥର ଚେକ ଦେବାକୁ ଦଳ କରିଛି ବଡ଼ ରଣନୀତି। କାରଣ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରକୁ ମଧ୍ୟ ଗତଥର ବିଜେପି ହାତେଇବା ସହ ୭ ବିଧାନସଭା କ୍ଷେତ୍ର ସୁନ୍ଦରଗଡ଼ ସଦର, ତଳସରା ଓ ବୀରମିତ୍ରପୁରରେ ପଦ୍ମ ଫୁଟିଥିଲା। ବଣାଇରେ ସିପିଏମ୍, ରାଜଗାଙ୍ଗପୁରରେ କଂଗ୍ରେସ ବାଜିମାତ୍ କରିଥିଲା। କେବଳ ରାଉରକେଲା ଓ ରଘୁନାଥପାଲ୍ଲୀରେ ଶଙ୍ଖ ବଜାଇ ପାରିଥିଲା ବିଜେଡି। ବିଜେପିରୁ ଜୁଏଲ ଓରାମ ରିପିଟ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିଜେଡି ଖୋଜୁଛି ଟାଣୁଆ ମୁହଁ। ଗତ ଥର ପ୍ରାୟ ୨ ଲକ୍ଷରୁ ଅଧିକ ଭୋଟ୍ରେ ହାରିଥିବା ସୁନୀତା ବିଶ୍ୱାଳଙ୍କୁ ଆଉ ରିପିଟ ନକରି ସେଠି ଦିଲୀପ ତିର୍କୀଙ୍କୁ ଯୋଦ୍ଧା କରିବାକୁ ବ୍ଲୁ ପ୍ରିଣ୍ଟ କରୁଥିବା ଚର୍ଚ୍ଚା ହେଉଛି।
ସେ କହିଛନ୍ତି, ୨୫ ବର୍ଷର ଶାସନ ପରେ ମଧ୍ୟ ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ୭୨୭୬ ଡ଼ାକ୍ତର, ୧୭୩୫୮ ନର୍ସ, ୯୯୮ ଫାର୍ମାସିଷ୍ଟ ଓ ୧୨ଟି ସରକାରୀ ସରକାରୀ ମେଡ଼ିକାଲରେ ୭୪ ପ୍ରଫେସର ପଦବୀ ଖାଲି ପଡ଼ିଛି। ରାଜ୍ୟର ୩ଟି ମେଡିକାଲକୁ ବିଶ୍ଵ ସ୍ତରୀୟ କରାଯିବ ବୋଲି ୨୦୧୯ ସାଧାରଣ ନିର୍ବାଚନ ଇସ୍ତାହାରରେ ବିଜେଡି କହିଥିଲା। ହେଲେ ସେଇଟା ପାଣିର ଗାର ହୋଇ ରହିଯାଇଛି। କଟକ ଏସ୍ସିବିରେ ପାଣି ପାଇଁ ହାହାକାର ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଆୟୁଷ୍ମାନ ଯୋଜନାରେ ୭୨୫୧ ୱେଲନେସ୍ ସେଣ୍ଟର ରହିଛି। କିନ୍ତୁ ସେହି ଯୋଜନାକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରାଥମିକତା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କୋଭିଡ୍ ଭଳି ମହାମାରୀର ମୁକାବିଲା ହୋଇପାରିଲା। ଏଠି କିନ୍ତୁ ରାଜ୍ୟ ସରକାରଙ୍କ କଥା ପ୍ରବଳ, କାମ ଦୁର୍ବଳ। ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ଦାମ ରାଉତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଚିକିତ୍ସା ମିଳିଲାନି। ଘରୋଇ ହସ୍ପିଟାଲକୁ ଗଲେ। ସେହିଭଳି ଆଉ ଜଣେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଦୁର୍ଘଟଣାରେ ଆହତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମିତିକି ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ବେଳେ ନବ ଦାସ ମଧ୍ୟ ଗୁଳି ଖାଇ ଘରୋଇ ହସ୍ପିଟାଲ ଗଲେ। ଯଦି ରାଜ୍ୟ ସରକାର କହୁଛନ୍ତି ଆମ ସ୍ୱାସ୍ଥ୍ୟ ସେବା ବିଶ୍ୱସ୍ତରୀୟ, ତା’ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍ସିବି ବଦଳରେ କାହିଁକି ମେଦାନ୍ତକୁ ଯାଉଛନ୍ତି ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।
ଦୀର୍ଘ ୧୬ ଦିନ ଧରି ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଥିବା ମେଣ୍ଟ ଚର୍ଚ୍ଚା ଉପରେ ଗତକାଲି ଦୁଇ ଦଳ ନାଟକୀୟ ଢଙ୍ଗରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ମଧ୍ୟ ଏବେବି ବିଜେଡିର ଏକ ବୃହତ୍ ଗୋଷ୍ଠୀ ସମ୍ଭାବ୍ୟ ମେଣ୍ଟକୁ ନେଇ ଆଶାବାଦୀ ଥିବା ଜଣାପଡ଼ିଛି। ଶୁକ୍ରବାର ପ୍ରଥମେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଓଡ଼ିଶାର ସମସ୍ତ ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ଘୋଷଣା କରିଥିଲେ। ଆଉ ତାଙ୍କ ଘୋଷଣାର ୪ ଘଣ୍ଟା ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ବିଜେଡି ଓଡ଼ିଶାରେ ଏକାକୀ ସମସ୍ତ ଆସନରେ ଲଢ଼ି ତିନି ଚତୁର୍ଥାଂଶ ଆସନରେ ଜିତିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି। ତେବେ ଏହି ଦୁଇ ଦଳ ନିଜ ନିଜ ଏକ୍ସ ହ୍ୟାଣ୍ଡଲରେ ମେଂଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ମଧ୍ୟ ପରସ୍ପରକୁ ସୁହାଇବା ଭଳି ଦୁଇପଦ ସେଥିରେ ଲେଖିବାକୁ ପଛାଇ ନାହାନ୍ତି।
ବିଗତ ୧୦ ବର୍ଷ ଧରି ନରେନ୍ଦ୍ର ମୋଦି ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ୱ ଥିବା ଅନେକ ପ୍ରସଙ୍ଗରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜେଡି ସମର୍ଥନ କରିଆସୁଛି। ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ବିଜେପି କହିଥିଲା। ଯାହାର ଜବାବରେ ବିଜେଡି ମଧ୍ୟ ଅନୁରୂପ ଏକାକୀ ଲଢ଼ିବ ବୋଲି ଘୋଷଣା କରିବା ସହ ରାଷ୍ଟ୍ର ଗଠନ ପାଇଁ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତି ମନୋଭାବ ସହିତ ଓଡ଼ିଶାବାସୀଙ୍କୁ ସବୁବେଳେ ଆଗଧାଡ଼ିରେ ରଖି ସେମାନଙ୍କ କଲ୍ୟାଣ ପାଇଁ ବିଜେଡି ନିଷ୍ପତ୍ତି ନେବ ବୋଲି ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ। ଅବଶ୍ୟ ଶୁକ୍ରବାର ଦୁଇ ଦଳର ଏଭଳି ଘୋଷଣା ପରେପରେ ବିଜେଡି ଦ୍ୱିତୀୟ କ୍ଷମତା କେନ୍ଦ୍ର ଭିକେ ପାଣ୍ଡିଆନ ଅଚାନକ ଦିଲ୍ଳୀ ଗସ୍ତ କରିଛନ୍ତି। ଯାହାକୁ ନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
ଏବେ ପ୍ରଶ୍ନ ଉଠୁଛି, ଯଦି ଦୁଇ ଦଳ ମଧ୍ୟରେ ପରସ୍ପରକୁ ସହଯୋଗ କରିବାର ଏଭଳି ମାନସିକତା ରହିଛି ତା’ହେଲେ ମେଂଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା କାହିଁକି?
ଚର୍ଚ୍ଚା ହେଉଛି ଗୋଟିଏ ଅବା ଦୁଇଟି କାରଣ ନୁହେଁ ଏକାଧିକ କାରଣ ପାଇଁ ପ୍ରାକ୍ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ରାଜନୀତିକ ମହଲରେ ଯେଉଁ ସବୁ ସମ୍ଭାବ୍ୟ କାରଣକୁ ନେଇ ଚର୍ଚ୍ଚା ଚାଲିଛି ସେଗୁଡ଼ିକ ହେଲା-
୧- ବିଜେଡି ଓ ବିଜେପି ମଧ୍ୟରେ ସମ୍ଭାବ୍ୟ ମେଂଟକୁ ନେଇ ଆଲୋଚନା ଓ ଚୂଡ଼ାନ୍ତ ସିଟ୍ ବୁଝାମଣା ଫୂର୍ମଲାବେଳେ ରାଜ୍ୟର ରାଜନୀତିକ ସ୍ଥିତି ଭିନ୍ନ ଥିଲା। ଗତବର୍ଷ ଅକ୍ଟୋବର ମାସରେ ମୂଳଦୁଆ ପଡ଼ିଥିବା ଏହି ମେଂଟ ଚର୍ଚ୍ଚା ଉପରେ ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା-ପର୍ଯ୍ୟାଲୋଚନା ପରେ ଗତ ମାର୍ଚ୍ଚ ୩-୪ତାରିଖରେ ନୂଆଦିଲ୍ଲୀରେ ଚୂଡ଼ାନ୍ତ ହୋଇଥିଲା । କିନ୍ତୁ ଗତ ଅକ୍ଟୋବରରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟର ରାଜନୀତିକ ପରିସ୍ଥିତିରେ ଦ୍ରୁତ ପରିବର୍ତ୍ତନ ଓ ସରକାରୀବିରୋଧୀ ଆକ୍ରୋଶ ବଢ଼ିଥିଲେ ମଧ୍ୟ ସମ୍ଭାବ୍ୟ ମେଂଟ ଓ ଆସନ ବୁଝାମଣାର ଫର୍ମୂଲାରେ ପରିବର୍ତ୍ତନ ହୋଇନଥିଲା । ଯାହାକି ଦୁଇ ଦଳର ମେଂଟ ଚର୍ଚ୍ଚାକୁ ବାସ୍ତବ ରୂପ ଦେଇପାରିନଥିଲା ।
୨- ମେଂଟ ଚର୍ଚ୍ଚାକୁ ଜାରି ରଖି ରାଜ୍ୟ ବିଜେପି ନେତାମାନଙ୍କ ବାରମ୍ବାର ଦାବି ଓ ଅନୁରୋଧ ଆଧାରରେ କେନ୍ଦ୍ରୀୟ ବିଜେପି ପକ୍ଷରୁ ଓଡ଼ିଶାରେ ନିରପେକ୍ଷ ସର୍ଭେ କରାଯାଇଥିଲା । ଯାହାକି ରାଜ୍ୟରେ ବିଜେଡିର ଆସନ ସଂଖ୍ୟା ହ୍ରାସ ପାଇବା ଓ ବିଜେପିର ଆସନ ବଢ଼ିବାର ସ୍ପଷ୍ଟ ସଙ୍କେତ ଦେଇଥିଲା । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ରହିଥିବା ଓ ବିଜେଡି ସରକାରର ଦୁର୍ନୀତି ଆଦିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆକ୍ରୋଶ ଥିବା ଜଣାପଡ଼ିଥିଲା । ଏହି ସର୍ଭେ ରିପୋର୍ଟ ଓ ରାଜ୍ୟ ବିଜେପି ନେତାମାନଙ୍କୁ ଭରସା କରି ବିଜେପି ଶୀର୍ଷ ନେତୃତ୍ୱ ଓଡ଼ିଶାରେ ବିଜେଡି ସହ ସମ୍ଭାବ୍ୟ ମେଂଟ ଉପରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
୩- ଦୁଇ ଦଳ ପରସ୍ପରର ବିରୋଧୀ ଭାବେ ୧୫ ବର୍ଷ ଧରି ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ତୃଣମୂଳସ୍ତରରେ ଦୁଇ ଦଳର କର୍ମୀମାନେ ପରସ୍ପର ସହ ଲଢ଼ୁଛନ୍ତି । ତେଣୁ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଲେ ତା’ର ପ୍ରତିକୂଳ ପ୍ରଭାବ ଦଳୀୟ କର୍ମୀ ଓ କ୍ୟାଡ଼ର ଉପରେ ପଡ଼ିବ । ଯାହାକି ଦଳର ସାଂଗଠନିକ ସ୍ଥିତିରେ ଉପରେ ଦୂରଗାମୀ ପ୍ରଭାବ ପକାଇବ ବୋଲି ବିଜେପି ଅନୁଭବ କରିଛନ୍ତି । ବିଜେଡିରେ ରାଜ୍ୟବ୍ୟାପୀ ଏବେ ଗୋଷ୍ଠୀକନ୍ଦଳ ତୀବ୍ରତର ରହିଛି । ଯାହାର ଫାଇଦା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ମିଳିବ ବୋଲି ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଅନୁଭବ କରିଛନ୍ତି । ତେଣୁ ସମ୍ଭାବ୍ୟ ମେଂଟ ପାଇଁ ରାଜ୍ୟ ବିଜେପି ରାଜି ହୋଇନଥିବା ଚର୍ଚ୍ଚା ହେଉଛି ।
୪- ଆସନ ବୁଝାମଣାକୁ ନେଇ ଦୁଇ ଦଳ ଏକ ସମ୍ମାନଜନକ ସଂଖ୍ୟା ଓ ଫର୍ମୂଲା ଚାହୁଁଥିଲେ । ଯଦିଓ ବିଜେପିକୁ ଅଧିକ ସଂଖ୍ୟକ ଲୋକସଭା ଆସନ ଛାଡ଼ିବାକୁ ବିଜେଡି ପ୍ରସ୍ତୁତ ଥିଲା, କିନ୍ତୁ ରାଜ୍ୟରେ ବିଧାନସଭା ନିର୍ବାଚନରେ ଦଳ ଅତିକମରେ ୧୦୦ ଆସନରେ ଲଢ଼ିବ ବୋଲି ଜଣାଇ ଦେଇଥିଲା । ମାତ୍ର ରାଜ୍ୟ ବିଜେପି ପୁରୁଣା ଫର୍ମୂଲା(ବିଜେଡିକୁ ୮୪ ଓ ନିଜ ପାଇଁ ୬୩ ଆସନ) ଆଧାରରେ ଲଢ଼ିବାର ପ୍ରସ୍ତାବ ଦେଇଥିଲା । ଏପରିକି ୫୦ରୁ କମ୍ ଆସନରେ ଲଢ଼ିବା ଉଚିତ୍ ନୁହେଁ ବୋଲି ରାଜ୍ୟ ବିଜେପି ନିଜର କେନ୍ଦ୍ରୀୟ ନେତୃତ୍ୱଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲା । ୨୦୦୯ରେ ବିଜେଡି ଯେଉଁଭଳି ଢଙ୍ଗରେ ୧୧ବର୍ଷର ମେଂଟ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରି ଯାଇଥିଲା, ସେଭଳି ଦଳ ଉପରେ ବେଶୀ ଭରସା କରିବା ଅନୁଚିତ୍ ବୋଲି ବିଜେପି ନେତୃତ୍ୱଙ୍କୁ ବୁଝାଇବାରେ ରାଜ୍ୟ ନେତାମାନେ ସଫଳ ହୋଇଥିବା କୁହାଯାଉଛି ।
୫- ଉଭୟ ୟୁପିଏ ଓ ଏନଡିଏଠୁ ସମଦୂରତ୍ୱ ବଜାୟ ରଖିବା କଥା କହି ବିଜେଡି ଯେଉଁଭଳି ଭାବେ ବିଗତ ୧୦ବର୍ଷ ଧରି ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦି ସରକାରଙ୍କୁ ଉପରେ ପଡ଼ି ସମର୍ଥନ ଦେଇଆସୁଛି ସେଥିରୁ ସ୍ପଷ୍ଟ ହେଉଛି ଯେ, ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଛି। ବିଗତ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିଥିଲେ ମଧ୍ୟ ନବୀନ କିମ୍ବା ତାଙ୍କ ସରକାରକୁ ଟାର୍ଗେଟ୍ କରି ପଦୁଟିଏ କହିନଥିଲେ । ସେହିପରି ଏକାକୀ ଲଢ଼ିବାକୁ ନେଇ ଗତକାଲି ଦୁଇ ଦଳର ବୟାନ ମଧ୍ୟ ପରୋକ୍ଷରେ ଦୁଇ ଦଳ ମଧ୍ୟରେ ଭଲ ସମ୍ପର୍କର ଆଭାସ ଦେଇଛି । ଯେଉଁଥିପାଇଁ ପ୍ରାକ୍ ନିର୍ବାଚନୀ ନହେଲେ ବି ଆବଶ୍ୟକ ପଡ଼ିଲେ ଦୁଇ ଦଳ ନିର୍ବାଚନ ପରବର୍ତ୍ତୀ ମେଂଟ ସମ୍ଭାବନାକୁ ଅନ୍ୱେଷଣ କରିପାରନ୍ତି।
୬- ବିଗତ ୫ବର୍ଷ ମଧ୍ୟରେ ବିଜେଡି ସରକାରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି, ଯେଉଁଥିରେ କୋଟିକୋଟି ଟଙ୍କାର ଦୁର୍ନୀତି ଓ କିକବ୍ୟାକ୍ ହୋଇଥିବା ସନ୍ଦେହ କରାଯାଉଛି। ଆଉ ବିଜେପିକୁ ସରକାରରେ ସାମିଲ କରି ବିଜେଡି ଏସବୁ ଦୁର୍ନୀତି ଓ ଅନୀତି ଉପରେ ବିଜେପିର କ୍ଲିନ୍ ସାର୍ଟିଫିକେଟ୍ ମୋହର ବଜାଇବାର ଚକ୍କରରେ ରହିଛି। ଆଉ ନିଜର ସଂଗଠନରେ ବଢ଼ୁଥିବା ଅସନ୍ତୋଷ ଓ ତୀବ୍ର ଗୋଷ୍ଠୀକନ୍ଦଳକୁ ପ୍ରଶମିତ କରିବାକୁ ବିଜେଡି ପ୍ରାକ୍ ନିର୍ବାଚନୀ ମେଂଟ ମାଧ୍ୟମରେ ବିଜେପି ବେକରେ ଓହଳି ନିର୍ବାଚନୀ ବୈତରଣୀ ପାର ହେବାକୁ ଯୋଜନା କରିଛି।
୭- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରେ ନିଜର ଉତ୍ତରାଧିକାରୀ ଚୟନ କରିନଥିଲେ ମଧ୍ୟ ଭିକେ ପାଣ୍ଡିଆନ ଏବେ ଦଳରେ ଦ୍ୱିତୀୟ ପ୍ରଭାବଶାଳୀ ନେତା। ନବୀନଙ୍କ ପରେ ସେ ହିଁ ଦଳର ସର୍ବେସର୍ବା ବୋଲି ବିଜେଡିର ନେତାମାନେ ସ୍ୱୀକାର କରିସାରିଲେଣି। ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ସାମିଲ ହୋଇଥିବା ପାଣ୍ଡିଆନଙ୍କର ଚଳିତ ସାଧାରଣ ନିର୍ବାଚନ ହେଉଛି ତାଙ୍କର ରାଜନୀତିକ ଡେବ୍ୟୁ। ପୂର୍ବରୁ ପରଦା ପଛରେ ରହି ନିର୍ବାଚନୀ ରାଜନୀତି ପରିଚାଳନା କରିଥିବା ପାଣ୍ଡିଆନ ଏବେ ସିଧାସଳଖ ନିର୍ବାଚନ ମଇଦାନରେ ବିଜେଡିର ସେନାପତି ହୋଇ ରହିବେ। ଯଦିଓ ସେ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ଏହି ନିର୍ବାଚନ ଓ ନିର୍ବାଚନୀ ମେଂଟ ମାଧ୍ୟମରେ ଆଗାମୀ ୫ ବର୍ଷ ପାଇଁ ନିଜର ରାଜନୀତିକ କ୍ୟାରିୟର ଗ୍ରାଫକୁ ଶୀର୍ଷକୁ ନେବା ସହ ସେଥିରେ ସ୍ଥାୟିତ୍ୱ ଆଣିବାକୁ ଚାହୁଁଛନ୍ତି । ବିଜେପି ନେତୃତ୍ୱଙ୍କୁ ଅସନ୍ତୁଷ୍ଟ କରି ନିଜର ରାଜନୀତିକ କ୍ୟାରିୟରକୁ ସଫଳ କରାଇବା ସହଜ ହେବନି । ତେଣୁ ବିଜେପି ସହ ମେଣ୍ଟ ପାଇଁ ପାଣ୍ଡିଆନ ଚାହିଁବା ସ୍ୱାଭାବିକ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି ।
ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ଭିତରେ ହଠାତ ଦିନେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା। ସେଥିରେ ଚରିତ୍ର ଥିଲେ ମାତ୍ର ଦୁଇ ଜଣ। ଜଣେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆର ଜଣକ ତାଙ୍କର ପାଳିତ ତଥା ଘୋଷିତ ଉତ୍ତରାଧିକାରୀ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ।
ଭିଡିଓରେ ପାଣ୍ଡିଆନ ନବୀନଙ୍କୁ ପ୍ରଶ୍ନ କରୁଛନ୍ତି, ସାର୍ ରାଜନୀତିରେ ସବୁଠୁ ଖରାପ କଥା କ’ଣ? ନବୀନଙ୍କ ଉତ୍ତର ଥିଲା, ଗୁଜବ ଏବଂ ମିଛ କଥା। ତା’ପରେ ପାଣ୍ଡିଆନ୍ ପାଳି ଧରୁଛନ୍ତି, ଗୁଜବ ଏକ ମିଛ କଥା, ଥ୍ୟାଙ୍କ ୟୁ ସାର୍!
ଏହାକୁ ସୋସିଆଲ ମିଡିଆରେ ଛାଡ଼ିବା ଲୋକ କିଏ ହୋଇଥିବେ? ନବୀନ, ନହେଲେ ପାଣ୍ଡିଆନ। କାରଣ ସେଇ ଭିଡିଓରେ ଆଉ ତୃତୀୟ ଲୋକ କେହି ନଥିଲେ। ତାହା ନବୀନ ନିବାସରେ ହିଁ ଶୁଟ୍ କରାଯାଇଥିଲା। ସେଠା କର୍ମଚାରୀ ଯେ ଏମାନଙ୍କ ଅଗୋଚରରେ ଭିଡିଓ ଭାଇରାଲ କରିଥିବେ ତାହା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ।
ଏହି ଭିଡିଓକୁ ନେଇ ରାଜ୍ୟର ବିଭିନ୍ନ ଗଣମାଧ୍ୟମ ଆକଳନ କଲେ ଯେ ମେଣ୍ଟ ଚର୍ଚ୍ଚାକୁ ନବୀନ ପଟ୍ଟନାୟକ ଗୁଜବ ଓ ମିଛ କଥା କହି ବାଁରେଇ ଦେଇଛନ୍ତି। ଏହି ଭିଡିଓ ଆସିବା ପୂର୍ବରୁ ଗଣମାଧ୍ୟମରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବହୁ ଲୋକଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ବିଜେପି ଏକାକୀ ନିର୍ବାଚନ ଲଢ଼ିବ, ମେଣ୍ଟ କରିବ ନାହିଁ।
ମନମୋହନଙ୍କ ମନ୍ତବ୍ୟ ପରେ ଏକ ଧାରଣା ସୃଷ୍ଟି ହୋଇଥିଲା ଯେ ବିଜେପି ମେଣ୍ଟ ଚାହୁଁନାହିଁ, ବିଜେଡି ଚାହୁଁଛି। ଏହି ଧାରଣାକୁ ବଦଳାଇବାକୁ ବୋଧହୁଏ ଏପରି ଏକ ଭିଡିଓ ଛଡ଼ାଯାଇଥିଲା।
ଏହା ପରେ ମନମୋହନ ପୁଣି ଥରେ କହିଲେ ଯେ ରାଜ୍ୟ ବିଜେପି ଏକାକୀ ଲଢ଼ିବ, ସରକାର ଗଠନ କରିବ। ତେବେ, ମଝିରେ ସେ ତାଙ୍କର ଗୋଟିଏ ଟୁଇଟ୍ ଡିଲିଟ୍ କରିବାରୁ ରାଜ୍ୟରେ ମେଣ୍ଟ ଚର୍ଚ୍ଚା ପୁଣି ଜୋର୍ ଧରିଥିଲା। ଗଣମାଧ୍ୟମରେ ଏନେଇ ଯେପରି ଚର୍ଚ୍ଚା ହେଲା ସେଥିରୁ ଗୋଟେ ଧାରଣା ହେଲା ଯେ ସମ୍ଭବତଃ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ସହିତ ବିଜେଡିର ମେଣ୍ଟ ଆଲୋଚନା ଚାଲିଛି, ରାଜ୍ୟ ନେତାମାନେ କିଛି ଜାଣି ନାହାନ୍ତି।
ଏହା ପରେ ଦିଲ୍ଲୀର ଏକ ଗଣମାଧ୍ୟମ ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୈରବ ପାଣ୍ଡିଆନ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରସ୍ପରର ଭଲ ବନ୍ଧୁ। ସେ ପ୍ରଧାନମନ୍ତ୍ରୀ ହେବାକୁ ବିଜେଡିର ସମର୍ଥନ ଲୋଡ଼ନ୍ତି ନାହିଁ କି ଇଏ ମୁଖ୍ୟମନ୍ତ୍ରୀ ହେବାକୁ ବିଜେପିର ସହଯୋଗ ଦରକାର କରନ୍ତି ନାହିଁ। ମାତ୍ର, ଉଭୟ ବନ୍ଧୁ ବୃହତ୍ତର ସ୍ୱାର୍ଥରେ ଏକାଠି ହେବାକୁ ଚାହାନ୍ତି, ଏହା ରାଷ୍ଟ୍ରନୀତିର କଥା। ଉଭୟ ନେତା ଜଣେ ଜଣେ ରାଷ୍ଟ୍ରନୀତିଜ୍ଞ।
ପାଣ୍ଡିଆନଙ୍କର ଏଇ ପରି ମନ୍ତବ୍ୟରୁ ସ୍ପଷ୍ଟ ହେଲା ଯେ ଉଭୟ ଦଳ ମଧ୍ୟରେ ମେଣ୍ଟ ଚର୍ଚ୍ଚା ଆଦୌ ଏକ ଗୁଜବ ନୁହେଁ, ସ୍ୱାଭାବିକ ଭାବେ ମିଛକଥା ମଧ୍ୟ ନୁହେଁ। ଅର୍ଥାତ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହାକୁ ‘ଗୁଜବ ଓ ମିଛକଥା’ କହି ବାଁରେଇ ଦେଇଛନ୍ତି, ପାଣ୍ଡିଆନ ତାହାକୁ ‘ସତ’ ବୋଲି ସ୍ୱୀକାର କରିଛନ୍ତି!
ରାଜ୍ୟ ଗଣମାଧ୍ୟମରେ ଏ ଖବର ବି ପ୍ରକାଶ ପାଇଲା। କିନ୍ତୁ ‘ଗୁଜବ ଓ ମିଛକଥା’ ନେଇ ଆଲୋଚନା ହେଲା ନାହିଁ।
ଏହାର କେଇ ଦିନ ପରେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀରୁ ଫେରି ଆକାଶ ସଫା ହେଉଛି ବୋଲି ଗଣମାଧ୍ୟମକୁ ମନ୍ତବ୍ୟ ଦେଲେ ଓ ତାହାର କେଇ ଘଣ୍ଟା ମଧ୍ୟରେ ବିଜେପି ରାଜ୍ୟରେ ଓଡ଼ିଶାର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତାକୁ ନେଇ ଏକାକୀ ଲଢ଼ିବ ବୋଲି ସ୍ପଷ୍ଟ ଭାବରେ ଟୁଇଟ୍ କଲେ। ଉଭୟ ହିନ୍ଦୀ ଓ ଓଡ଼ିଆରେ ପ୍ରକାଶ ପାଇଥିବା ଏଇ ଟୁଇଟ୍ରୁ ସ୍ପଷ୍ଟ ହେଲା ଯେ ବିଜେପି ମେଣ୍ଟ ଚାହୁଁନାହିଁ, ବିଜେଡି ବା କେବଳ ପାଣ୍ଡିଆନ୍ ହିଁ ମେଣ୍ଟ ଚାହୁଁଛନ୍ତି।
ସୋସିଆଲ୍ ମିଡିଆରେ ଏଭଳି ଆଲୋଚନା ବଢ଼ିବା ପରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ସମାନ ଢଙ୍ଗରେ ଏକ ଟୁଇଟ୍ କଲେ। ସେ ମଧ୍ୟ ସ୍ପଷ୍ଟ କଲେ ଯେ ବିଜେଡି ରାଜ୍ୟର ସମସ୍ତ ଆସନରେ ପ୍ରାର୍ଥୀ ଦେବ ଓ ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ। ଲକ୍ଷ୍ୟ କରିବାର କଥା ଯେ ପାଣ୍ଡିଆନ ମେଣ୍ଟ ସଂକେତ ଦେଲେ, ପ୍ରଣବ ମେଣ୍ଟ ହେବ ନାହିଁ ବୋଲି କହିଲେ।
ଏହା ପରେ ନବୀନ ପଟ୍ଟନାୟକ ଆଉ ‘ଗୁଜବ ଏବଂ ମିଛକଥା’ କଥା କହିନାହାନ୍ତି।
ତେବେ, ସତରେ କିଏ ଓ କାହିଁକି ଗଣମାଧ୍ୟମ ଜରିଆରେ ଏପରି ମେଣ୍ଟ ‘ଗୁଜବ ଏବଂ ମିଛକଥା’ ଚଳାଇଥିଲେ?
ଏହାର ଉତ୍ତର ଖୋଜିବା ନିଶ୍ଚୟ ରକେଟ୍ ସାଇନ୍ସ ନୁହେଁ। ମନମୋହନ ସାମଲଙ୍କ ‘ବିଜେପି ଏକାକୀ ଲଢ଼ିବ’ ଦୀର୍ଘ ଟୁଇଟ୍କୁ ରାଜ୍ୟ ବିଜେପିର ପ୍ରମୁଖ ନେତାମାନେ ରି-ଟୁଇଟ୍ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଥିପାଇଁ ଦଳୀୟ କର୍ମୀମାନେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି। ଏହାର ଅର୍ଥ ଏହି ନେତା ଓ କର୍ମୀମାନେ ମଧ୍ୟ ମେଣ୍ଟ ସପକ୍ଷରେ ନଥିଲେ, ବିଜେପି ଏକଲା ଲଢ଼ୁ ବୋଲି ଚାହୁଁଥିଲେ।
ଏମାନଙ୍କ ପରି ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମାର ଗଣମାଧ୍ୟମକୁ କହିଲେ ଯେ, ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ବିରୋଧରେ ଜନ ଆକ୍ରୋଶ ବଢ଼ିଛି। ବିଜେପି ଓଡ଼ିଆ ଅସ୍ମିତାକୁ ନେଇ ଏକାକୀ ନିର୍ବାଚନ ଲଢ଼ିବ ଓ ବିଜୟୀ ହେବ।
ତାଙ୍କ କଥାରୁ ସଂକେତ ମିଳିଲା ଯେ ପାଣ୍ଡିଆନଙ୍କ ଯୋଗୁଁ ହିଁ ବିଜେଡି ଏବେ ଅଡ଼ୁଆରେ ଅଛି ଓ ବିଜେପି ସେଥିରୁ ରାଜନୀତିକ ଫାଇଦା ନେବାକୁ ଚାହୁଁଛି। ଏକଥା ବୋଧହୁଏ ପାଣ୍ଡିଆନ ଆଗରୁ ଜାଣିପାରିଥିଲେ ଓ ସେଥିପାଇଁ ବିଜେଡି ପାଦତଳୁ ଖସିଯାଉଥିବା ମାଟିକୁ ଅଟକାଇବାକୁ ମେଣ୍ଟ କଥା ଉଠାଇଥିଲେ। ବିଜେପି ରାଜି ହୋଇଥିଲେ ବିଜେଡିର କମ୍ ଆସନ ପାଇଁ ଆଉ କେହି ପାଣ୍ଡିଆନଙ୍କୁ ଦୋଷ ଦେଇ ନଥାନ୍ତେ, ମେଣ୍ଟ ହେଲାରୁ ଆସନ କମିଲା ବୋଲି ବିଶ୍ୱାସ କରିଥାନ୍ତେ।
ପାଣ୍ଡିଆନଙ୍କ ଯୋଗୁଁ ହେଉ ବା ଅନ୍ୟ କୌଣସି କାରଣରୁ, ବିଜେଡି ବିରୋଧରେ ସମଗ୍ର ରାଜ୍ୟରେ ଏକ ଆବହାୱା ସୃଷ୍ଟି ହୋଇଥିବା ସୋସିଆଲ୍ ମିଡିଆରେ ଗତ କେଇ ମାସ ଧରି ହେଉଥିବା ଚର୍ଚ୍ଚା ଓ ଆଲୋଚନାରୁ ସ୍ପଷ୍ଟ ସଂକେତ ମିଳୁଛି। ବିଶେଷକରି ନବୀନ ପଟ୍ଟନାୟକ ଯେବେଠାରୁ ଭୈରବ ପାଣ୍ଡିଆନଙ୍କୁ ବିଜେଡିରେ ମିଶାଇଲେ ସେବେଠାରୁ ଏପରି ଚର୍ଚ୍ଚା ଜୋର ଧରିଛି। ଏହାର କାରଣ ହୁଏତ ଓଡ଼ିଶା ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତାର ଜାଗରଣ।
ଭୈରବ କାର୍ତ୍ତିକେୟ ପାଣ୍ଡିଆନ ମୂଳତଃ ଓଡ଼ିଆ ନୁହନ୍ତି। ସେ ଜଣେ ତାମିଲ। ଓଡ଼ିଶାର ୪.୫ କୋଟି ଲୋକଙ୍କ ମଧ୍ୟରେ ନବୀନବାବୁ କାହାକୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ବା ତାଙ୍କର ଉତ୍ତରାଧିକାରୀ ବିବେଚିତ ନକରି ପାଣ୍ଡିଆନଙ୍କୁ ତତ୍ତୁଲ୍ୟ ଗୁରୁତ୍ୱ ଦେବା ଘଟଣାକୁ ହୁଏତ ଓଡ଼ିଶାର ସ୍ୱାଭିମାନୀ ଜନତା ଠିକରେ ଗ୍ରହଣ କରିନାହାନ୍ତି। ସାମାଜିକ ଗଣମାଧ୍ୟମରେ ଲୋକେ କହୁଛନ୍ତି, ବିଜୁପୁଅକୁ ଭୋଟ୍ ଦେଉଥିଲୁ ବୋଲି କ’ଣ ତାମିଲ ପୁଅକୁ ଦେବୁ?
ନବୀନ ପଟ୍ଟନାୟକଙ୍କ ବାର୍ଦ୍ଧକ୍ୟ ଓ କେତେକ ସ୍ୱାସ୍ଥ୍ୟ ସମସ୍ୟାରୁ ଫାଇଦା ଉଠାଇ ତାଙ୍କର ବ୍ୟକ୍ତିଗତ ସଚିବ ପାଣ୍ଡିଆନ ତାଙ୍କୁ କବ୍ଜା କରିଯାଇଛନ୍ତି ବୋଲି ଗୋଟେ ଧାରଣା ସୃଷ୍ଟି ହୋଇଛି। ରାଜ୍ୟ ବିଜେପିର ଅନେକ ପ୍ରବକ୍ତା ଏକଥା ବାରମ୍ବାର କହିସାରିଛନ୍ତି।
ଏହା ବ୍ୟତିତ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ବିଜେଡି ବିରୋଧରେ ଯିବାର ସମ୍ଭାବନା ଅଛି। ୧. ପଚିଶ ବର୍ଷ ହେଲା ଗୋଟିଏ ଦଳକୁ ଭୋଟ୍ ଦେଇଦେଇ ଲୋକେ ବୋର୍ ହୋଇଗଲେଣି। ୨. ପାଞ୍ଚ ଥରର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସତ୍ତା ବିରୋଧୀ ପବନ ବହିବା ଆରମ୍ଭ କରିଛି। ୩. ଛଅ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୩୦ ହଜାର କୋଟି ଟଙ୍କାର ଚିଟ୍ ଫଣ୍ଡ ଦୁର୍ନୀତି, ସହସ୍ରାଧିକ କୋଟି ଟଙ୍କାର ଏମଜିଏନଆରଇଜିଏସ ଦୁର୍ନୀତି ଆଦି ଦୁଇ ଡଜନ ଦୁର୍ନୀତି ଅଭିଯୋଗକୁ ଲୋକେ ବୁଝିବା ଆରମ୍ଭ କଲେଣି। ୪. ଓଡ଼ିଶାରେ ଅଣଓଡ଼ିଆ ଅଫିସର, ଠିକାଦାର, ଶିଳ୍ପପତି ଓ ବ୍ୟବସାୟୀଙ୍କ ରାଜ୍ ଓ ଶୋଷଣ ମଧ୍ୟ ଲୋକଙ୍କ ମଧ୍ୟରେ ଭେଦିଲାଣି। ୫. ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ମଧ୍ୟ ପଦବୀଧାରୀ କର୍ମକର୍ତ୍ତାଙ୍କୁ ସଂପୂର୍ଣ୍ଣ ଆଡ଼େଇ ଦେଇ ପାଣ୍ଡିଆନଙ୍କ ଏକନାୟକତ୍ୱକୁ ଲୋକେ ଘୋର ନାପସନ୍ଦ କରୁଛନ୍ତି।
ଏଭଳି ଅନେକ କାରଣରୁ ବିଜେଡିର ଆସନସଂଖ୍ୟା ଯଥେଷ୍ଟ ତଳକୁ ଖସିବ ବୋଲି ଆକଳନ କରାଯାଉଛି। ଏନେଇ ଅନ୍ୟ ଏକ ରୋଚକ କଥା ମଧ୍ୟ ରାଜନୀତିକ ମହଲରେ ଘୂରି ବୁଲୁଛି। ତାହା ହେଉଛି ବିଜେଡିର ଦଳୀୟ ସର୍ବେକ୍ଷଣ। ଆଗାମୀ ନିର୍ବାଚନରେ ଫଳାଫଳ ନେଇ ବିଜେଡି ତରଫରୁ ଇତିମଧ୍ୟରେ ଚାରି ଚାରିଟି ଜନମତ ସର୍ବେକ୍ଷଣ ହୋଇସାରିଛି। ପ୍ରତ୍ୟେକ ସର୍ବେକ୍ଷଣରେ ଦଳର ଭୋଟଭାଗ ଓ ଆସନସଂଖ୍ୟା କମିଛି ବୋଲି ଗୋଟେ ଚର୍ଚ୍ଚା ଚାଲିଛି। ଦଳ ପ୍ରାୟ ୩୦ଟି ବିଧାନସଭା ଆସନ ହରାଇବ ବୋଲି ସର୍ଭେ ରିପୋର୍ଟରେ ସୂଚନା ଥିବା ଶୁଣାଯାଉଛି। ଯଦି ସତରେ ତାହା ଘଟେ, ତେବେ ବିଜେଡି ନେତାମାନେ ଏଥିପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବାର ସମ୍ଭାବନା ଅଧିକ। କାରଣ ସେ ନବୀନବାବୁଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗଦେବା ପରଠାରୁ ନବୀନଙ୍କ ସହ ପ୍ରତ୍ୟକ୍ଷ ସଂପର୍କରେ ଥିବା ପ୍ୟାରୀମୋହନ ମହାପାତ୍ର, ପ୍ରଫୁଲ୍ଲ ଘଡ଼ାଇ, ଦାମୋଦର ରାଉତ, ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂହଦେଓ, ଭର୍ତ୍ତୃହରି ମହତାବ ଓ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବହୁ ନେତାଙ୍କୁ ନବୀନ ପଟ୍ଟନାୟକଙ୍କଠାରୁ ଦୂରେଇ ଦିଆଯାଇଛି ଏବଂ ୨୦୧୨ ପରଠାରୁ ଓଡ଼ିଶାରେ ଅଣଓଡ଼ିଆ ଅଫିସର ଓ ଠିକାଦାରଙ୍କ ସଂଖ୍ୟା ବଢ଼ି ଚାଲିଛି।
ଏସବୁ ପ୍ରସଙ୍ଗ ଉଠାଇ ବିଜେପି ଓ କଂଗ୍ରେସ ଇତିମଧ୍ୟରେ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାରର ଅନେକ ଦୁର୍ବଳତା ପଦାରେ ପକାଇଛନ୍ତି। ତେଣୁ ଯଦି ସତରେ ବିଜେଡି ଜନାକ୍ରୋଶର ସମ୍ମୁଖୀନ ହୋଇ ଭୋଟ୍ଭିତ୍ତି ହରାଏ ତେବେ ସେଥିପାଇଁ ସେହି ଦଳର ନେତାମାନେ ପାଣ୍ଡିଆନଙ୍କୁ ହିଁ ଦାୟୀ କରିବେ। ଏହା ଜାଣିପାରି ଚତୁର ପାଣ୍ଡିଆନ ସମ୍ଭବତଃ ଆଗରୁ ମେଣ୍ଟ ଯୋଜନା କରି ନିଜ ଦୋଷକୁ ବିଜେପି ମୁଣ୍ଡରେ ବୋଳି ଦେବାକୁ ଚାହୁଁଥିଲେ।
ସେ ଯାହା ହେଉ, ଏସବୁ ଗୁଜବ ହୋଇପାରେ ବା ମିଛକଥା। ମାତ୍ର, ସତ ହେଲା, ଓଡ଼ିଶାର ଆଗାମୀ ନିର୍ବାଚନ ପାଇଁ ପାଣ୍ଡିଆନ ଏକ ପ୍ରସଙ୍ଗ ହୋଇଯାଇଛନ୍ତି ଏବଂ ଓଡ଼ିଆ ସ୍ୱାଭିମାନ ଓ ଅସ୍ମିତାର ଉତ୍ତରଣ ଘଟୁଛି।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଓ ଅନ୍ୟମାନଙ୍କୁ ଦଳୀୟ ଉତ୍ତରୀୟ ପକାଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ପ୍ରକଟ କରି ସେମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି।
ସେହିପରି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଏବଂ ବିଜେପି ପ୍ରତି ଦେଶ ଓ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି। ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଆବଶ୍ୟକ। ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ। ବିଜେପି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ। ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ। ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ସମସ୍ତ ବର୍ଗର ଲୋକେ ବିଜେପିକୁ ଆପଣାଉଛନ୍ତି।
ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ବିଜେପି ନେତା ଯତୀନ ମହାନ୍ତି, ବିନୋଦ ଦାସ, କିଶୋର ପଣ୍ଡା, ତେଜେଶ୍ୱର ପରିଡ଼ା ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହେବାପରେ ତାଙ୍କୁ ପାଟକୁରା ବିଧାନସଭା ଆସନରୁ ଟିକେଟ୍ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତାଙ୍କୁ ବିଜେଡି ଗୁରୁତ୍ୱ ଦେଉଥିବାରୁ ବର୍ତ୍ତମାନର ବିଧାୟକ ସାବିତ୍ରୀ ଅଗ୍ରୱାଲ ଓ ତାଙ୍କ ସମର୍ଥକମାନେ ଏବେ ବିଜେଡିଠୁ ଦୂରେଇବାରେ ଲାଗିଛନ୍ତି। ଆଜି ଡେରାବିଶ ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ମଲ୍ଲିକ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ଏହାର ପ୍ରମାଣ ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ପାଟକୁରା ବିଜେଡିର ଏକ ବୃହତ୍ ଗୋଷ୍ଠୀ ଦଳ ଛାଡ଼ିବେ ବୋଲି ଜଣାପଡ଼ିଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିଛନ୍ତି। ସମ୍ଭବତଃ ସେ ବିଜେପି ତାଙ୍କୁ ପ୍ରାର୍ଥୀ କରିପାରନ୍ତି। ଏପରି ସ୍ଥିତି ଚିଲିକା ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ଏହି ଚର୍ଚ୍ଚା ଭିତରେ ସାମ୍ନାକୁ ଆସିଥିଲେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଆଉ ଗଣମାଧ୍ୟମକୁ କହିଥିଲେ, ତାଙ୍କୁ ଚିଲିକାରୁ ପ୍ରାର୍ଥୀ କରିବା ପାଇଁ ସୁପ୍ରିମୋ ସଙ୍କେତ ଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ଆଜି ରଘୁନାଥ ସାହୁଙ୍କ ହଜାର ହଜାର କର୍ମୀ ଓ ସମର୍ଥକ ଚିଲିକାରୁ ଭୁବନେଶ୍ୱର ଆସିଥିଲେ। ଶଙ୍ଖ ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରସନ୍ନ ପାଟ୍ଟଶାଣୀ ମାଟିର ପୁଅ ନୁହେଁ, ତାଙ୍କୁ ଟିକେଟ ନଦେବା ପାଇଁ ସୁପ୍ରିମୋଙ୍କ ପାଖରେ ଅନୁରୋଧ କରିଛନ୍ତି ରଘୁଙ୍କ ସମର୍ଥକ। ପ୍ରସନ୍ନଙ୍କ ବଦଳରେ ରଘୁଙ୍କୁ ଟିକେଟ ଦିଆଯାଉ ବୋଲି ସମର୍ଥକମାନେ ଦାବି କରିଛନ୍ତି। ସେପଟେ ପାଟ୍ଟଶାଣୀ କହିଛନ୍ତି, କୌଣସି ପ୍ରଭାବ ପଡିବନି।
ଗୋଟିଏ ପଟେ ନବୀନ ନିବାସରେ ପ୍ରତି ସଂସଦୀୟ କ୍ଷେତ୍ରର ସମୀକ୍ଷା ଆରମ୍ଭ ହୋଇଛି। ଆଉ ଅନ୍ୟପଟେ ଟିକେଟକୁ ନେଇ ଘନଉଛି ପ୍ରବଳ କନ୍ଦଳ। ଆଜି ନବୀନ ନିବାସରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରର ସମୀକ୍ଷା କରାଯାଇଛି। କିନ୍ତୁ କଳାହାଣ୍ଡିରେ ସ୍ଥିତି ଅସମ୍ଭାଳ। ନର୍ଲା ଆସନ ପାଇଁ ବିଧାୟକ ଭୂପିନ୍ଦର ସିଂ ଓ ବର୍ତ୍ତମାନର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓଙ୍କ ମଧ୍ୟରେ ଟଣା ଓଟରା ଲାଗିଛି। ଧର୍ମଗଡରେ ବିଧାୟକ ମହୌଷଧି ବାଗ ଦାବିଦାର ଥିବାବେଳେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ ମଧ୍ୟ ଆଶାୟୀ ଅଛନ୍ତି।
ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ବିବାଦ ଘେରରେ ଥିବାରୁ ଯୁବ ନେତା ଅନିଲ ସିଂଦେଓ ଓ ଆନ୍ତର୍ଜାତିକ ଫେଶନ ଡିଜାଇନର ସୁଜିତ ମେହେର ଆଶାୟୀ ଅଛନ୍ତି। ସେହିପରି ଭବାନୀପାଟଣା ପାଇଁ ଏକାଧିକ ଆଶାୟୀ ଥିବାରୁ ଟିକେଟ ଅଙ୍କ ଛିଡି ପାରୁନି କିନ୍ତୁ ଲବି ଜୋରଦାର ହେଉଛି। ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ ହଟାଅ ଦାବିରେ ବିରୋଧୀ ଗୋଷ୍ଠୀ କିଛି ଦିନ ତଳେ ସଦର ମହକୁମାରେ ବନ୍ଦ ପାଳନ କରିଥିଲେ। ଆଉ ଆଜି ବିଦ୍ରୋହୀଙ୍କୁ କାଉଣ୍ଟର କରି ଜନ ସମର୍ଥନ ଶୋଭାଯାତ୍ରା କରିଛନ୍ତି।
ବିଜେଡି ଡଙ୍ଗା ଯେ ଆଶାୟୀଙ୍କୁ ନେଇ ଭାରାକ୍ରାନ୍ତ, ସେଥିରେ ସନ୍ଦେହ ନାହିଁ। ଯେଉଁଥିପାଇଁ ନିର୍ବାଚନ ଯେତିକି ପାଖଉଛି ବିଦ୍ରୋହ ଓ ବିଶୃଙ୍ଖଳା ସେତିକି ବଢୁଛି। ତେବେ ଦେଖିବାର କଥା ଦଳପତି ବିଦ୍ରୋହୀଙ୍କୁ କିପରି ମ୍ୟାନେଜ କରି ଟିକେଟ ବାଣ୍ଟୁଛନ୍ତି।
ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଏକ୍ସ ହ୍ୟାଣ୍ଡଲରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଆସ୍ଥାରେ ବିଜେଡି ରାଜ୍ୟର ସେବା କରି ଆସୁଛି ଓ ଏବେ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି ଯାହା କେବେ ଆଗରୁ ହୋଇନଥିଲା। ଓଡ଼ିଶାବାର ଲୋକମାନଙ୍କ ସହାୟତାରେ ବିଜେଡି ସମସ୍ତ ୧୪୭ଟି ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ଲଢ଼ିବ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃତୀୟ ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ।
ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ବାସ୍ତବ ଭାବନା ଆଧାରରେ ବିଜେଡି ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଜାରି ରଖିବ।
ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ହେଉଛି ଆମର ଲକ୍ଷ୍ୟ ଓ ଆମର ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ମାର୍ଗରେ ରହିଛୁ ବୋଲି ଶ୍ରୀ ଦାସ କହିଛନ୍ତି।
ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ଏହି ସ୍ପଷ୍ଟୀକରଣ ପରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଂଟ ହେଉନଥିବା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆଜି ଅପରାହ୍ନରେ ବିଜେପି ରାଜ୍ୟରେ ଏକାକୀ ସମସ୍ତ ଆସନରେ ଲଢ଼ିବ ବୋଲି ଘୋଷଣା କରିଥିଲେ। ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇବାକୁ ଭୁଲି ନଥିଲେ।
ଠିକ୍ ସମାନ ଢଙ୍ଗରେ ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସ ମଧ୍ୟ ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ଭାବନା ଆଧାରରେ ନିଷ୍ପତ୍ତି ନେବା ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି।
ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ସେ କହିଛନ୍ତି, ୧୭ତମ ଲୋକସଭାର କାର୍ଯ୍ୟକାଳ ସରିଯାଇଛି। ସାଂସଦ ଭାବେ ଓ ବିଜେଡି ପ୍ରତିନିଧି ଭାବେ ନିଜର କର୍ତ୍ତବ୍ୟ ଠିକ୍ ଭାବେ କରିଛି ବୋଲି ଭାବୁଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ଯେତେ ପ୍ରକାର କାର୍ଯ୍ୟରେ ସାମିଲ ହେବା କଥା ହୋଇଛି। ଅନ୍ତିମ ପର୍ଯ୍ୟାୟରେ ଯେତେବେଳେ ନିର୍ବାଚନ ଘୋଷଣା ହୋଇଗଲାଣି, ସେତେବେଳେ ବିଜେଡିଠାରୁ ନିଜକୁ ଦୂରେଇ ନେଉଛି। ତେବେ ଏଠି ପ୍ରଶ୍ନ ହେଉଛି କାହିଁକି? ଏହାର ସଂକ୍ଷିପ୍ତ ଉତ୍ତର ହେଉଛି, ବିଜେଡିରେ ବହୁ ପରିବର୍ତ୍ତନ ହୋଇଯାଇଛି। ଦୁର୍ନୀତି ଓ ବ୍ୟକ୍ତିଗତ ସମ୍ପତି ଆହରଣ ବିରୋଧରେ ଲଢ଼ିବା ପାଇଁ ବିଜେଡି ତିଆରି ହୋଇଥିଲା। ଓଡ଼ିଶାବାସୀ ମଧ୍ୟ ବିଜେଡିକୁ ବାରମ୍ୱାର ସମର୍ଥନ ଦେଇଛନ୍ତି। ଗତ କିଛି ବର୍ଷ ହେଲା ଦଳ ଯେଉଁଭଳି ପରିଚାଳିତ ହେଉଛି, ତାହାର ସଂଶୋଧନ ପାଇଁ ବହୁବାର ଉଦ୍ୟମ କରିଛି ଓ କହିଛି। କିନ୍ତୁ ସେଥିରେ କିଛି ସୁଫଳ ମିଳିଲା ନାହିଁ। ତେଣୁ ପୁନର୍ବାର ଯେତେବେଳେ ନିର୍ବାଚନ ଆସିବାକୁ ଯାଉଛି, ମୁଁ ଭାବୁଛି ଦଳଠାରୁ ଦୂରେଇ ଗଲେ ଅଧିକ ପ୍ରଖର ଭାବେ କାର୍ଯ୍ୟ କରିପାରିବି। ମୁଁ ଯେତେବେଳେ ବନ୍ଧନରେ ରହିଯାଉଥିଲି, ସେତେବେଳେ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ବାଧା ଦିଆଯାଉଥିଲା। ଯଦି କିଛି କହିଲି, ତାକୁ କଦର୍ଥ କରି ସମାଲୋଚନା କରାଯାଉଥିଲା। ଭଲ ହେବ ଯଦି ମୁଁ ଦଳଠାରୁ ଦୂରେଇ ଯିବି। ସେଥିପାଇଁ ବିଜେଡିରୁ ଇସ୍ତଫା ଦେଲି ବୋଲି ଶ୍ରୀ ମହତାବ କହିଛନ୍ତି।
ନିଜ ନାଁରେ ଚାର୍ଜଫ୍ରେମ୍ ନେଇ ଶ୍ରୀ ମହତାବ କହିଛନ୍ତି, ରାଜ୍ୟରେ ବିଜେଡି ଶାସନ ଚାଲିଛି। ମୋକଦ୍ଦମା କରିଛି ବିଜେଡି ସରକାର। ତାହା ପୁଣି ବିଜେଡି ସାଂସଦ ବିରୋଧରେ ଓ ୧୩ ବର୍ଷ ପରେ। ଏତେ ପରେ କ’ଣ ସବୁ କଥା ବୁଝାଇବାକୁ ପଡ଼ିବ ବୋଲି ସେ କହିଛନ୍ତି।
ବିଜେପିରେ ମିଶିବା ପ୍ରଶ୍ନରେ ଭର୍ତ୍ତୃହରି ମହତାବ କହିଛନ୍ତି, ଜଣେ ବନ୍ଧୁ ହିସାବରେ ପଚାରୁଛି ମୋତେ କ’ଣ କରିବା ଦରକାର? ବିଜେପିରେ ମିଶିବା କଥା ବର୍ତ୍ତମାନ ସୁଦ୍ଧା ଚିନ୍ତା କରିନାହିଁ। ଆଜି ବିଜେଡିରୁ ଇସ୍ତଫା ଦେଇଛି। ଆଗକୁ କ’ଣ କରିବି ସମୟ କହିବ ବୋଲି ଭର୍ତ୍ତୃହରି କହିଛନ୍ତି।
ଇସ୍ତଫାପତ୍ରରେ କ’ଣ ଲେଖିଛନ୍ତି?
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଓଡ଼ିଆରେ ଲେଖିଥିବା ଇସ୍ତଫାପତ୍ରରେ ଭର୍ତ୍ତୃହରି ଲେଖିଛନ୍ତି- ପ୍ରିୟ ନବୀନ ବାବୁ, ଯେଉଁ ବିଜୁ ଜନତା ଦଳ ଗଠନର ଆରମ୍ଭରୁ ମୁଁ ସଂପୃକ୍ତ, ଯାହାର ସମୃଦ୍ଧିରେ ମୋର ମଧ୍ୟ କିଛି ଅବଦାନ ରହିଛି, ଆଜି ସେ ଦଳରୁ ମୁଁ ଭଗ୍ନହୃଦୟରେ ସମ୍ପର୍କ ଛିନ୍ନ କରିବାକୁ ବାଧ୍ୟ ହେଉଛି। ଏହି ପତ୍ର ଜରିଆରେ ମୁଁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି।
କାହିଁକି ଦେଲେ ଇସ୍ତଫା?
ଭର୍ତ୍ତୃହରି ମହତାବ କହିଛନ୍ତି, ଧୈର୍ଯ୍ୟର ଗୋଟିଏ ସୀମା ଥାଏ। ଧୈର୍ଯ୍ୟ ସୀମା ଟପିଗଲା। ଦଳର ସଂଚାଳନ ଓ ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଥିଲି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ। ବହୁତ ସହିଛି। ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି। ନିଷ୍ପତ୍ତି କଠୋର ହୋଇପାରେ। କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି।
କଲେକ୍ଟିଭ୍ ରେସ୍ପନ୍ସିବିଲିଟି ନାହିଁ
ସେ କହିଛନ୍ତି, ରାଜ୍ୟରେ ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି। କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲି ତାହା ଜାଣିବା ପାଇଁ ଡାଏରି ଦେଖିବାକୁ ପଡ଼ିବ। ବିଜେଡି ତିଆରି ବେଳେ ଏକ କଲେକ୍ଟିଭ୍ ରେସ୍ପନ୍ସିବିଲିଟି ଥିଲା। ତାହା ଆମେ ଅନେକ ଦିନରୁ ହଜାଇ ଦେଲୁଣି।
ଅନୈତିକ ମେଣ୍ଟ ହେବାକୁ ଯାଉଥିଲା
ବେଶ୍ କିଛି ଦିନ ଧରି ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ହୋଇଥିବା ବେଳେ ଏହା ଅନ୍ ଏଥିକାଲ ହୋଇଥା’ନ୍ତା ବୋଲି କହିଛନ୍ତି ଭର୍ତ୍ତୃହରି। ସେ କହିଛନ୍ତି, ଏକ ଅନ୍ ଏଥିକାଲ ବା ଅନୈତିକ ମେଣ୍ଟ ହେବାକୁ ଯାଉଥିଲା। ମେଣ୍ଟ ହେଲାନାହିଁ। ଏହା ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ।
କେଉଁ ଦଳକୁ ଯିବେ?
ବିଜେଡି ଛାଡ଼ିବା ପରେ ବିଜେପିକୁ ଯିବେ କି ଭର୍ତ୍ତୃହରି ମହତାବ? ଗଣମାଧ୍ୟମ ପ୍ରତିନିଧିଙ୍କ ଏହି ପ୍ରଶ୍ନର ଜବାବରେ ସେ କହିଛନ୍ତି- ଏକଥା ସମୟ କହିବ।ପୁଣି ଏକ ବନ୍ଧନ ଭିତରକୁ ଯିବି କି ନାହିଁ ସମୟ କହିବ। ବନ୍ଧୁ, ଶୁଭେଚ୍ଛୁ ଏବଂ ମୋ ଲୋକମାନଙ୍କ ମତାମତ ନେବି।
୧୩ ବର୍ଷ ପରେ ଚର୍ଜଫ୍ରେମ
ଜଣେ ପୁଲିସ୍ ଏସ୍ଆଇଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ୧୩ ବର୍ଷ ପରେ ଭର୍ତ୍ତୃହରି ମହତାବଙ୍କ ନାଁରେ ଚାର୍ଜଫ୍ରେମ୍ ହୋଇଛି। ଏହା ଉପରେ ପ୍ରତିକ୍ରିୟା ରଖି ଭର୍ତ୍ତୃହରି କହିଛନ୍ତି, ନିଜ ସାଂସଦଙ୍କ ନାଁରେ ନିଜ ସରକାର ଚାର୍ଜଫ୍ରେମ୍ କରିଛନ୍ତି। ଏନେଇ ଆଉ ବେଶୀ କିଛି କହିବିନି।
ମନମୋହନ ସାମଲ ‘X’ରେ ଲେଖିଛନ୍ତି, ‘ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ।
ସମଗ୍ର ଦେଶରେ ଯେଉଁ ସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ୱିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦି ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡ଼ିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାନ୍ତି।
ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହମତ ହୋଇପାରୁନାହୁଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।’
विगत 10 वर्षों से, श्री नवीन पटनायक जी के नेतृत्व में ओडिशा की बीजू जनता दल (बीजेडी) पार्टी केंद्र की माननीय प्रधानमंत्री श्री नरेंद्र मोदी जी की सरकार के अनेक राष्ट्रीय महत्व के प्रसंगों में समर्थन देती आई है, इसके लिए हम उनका आभार व्यक्त करते हैं।
— Manmohan Samal (Modi Ka Parivar) (@SamalManmohan7) March 22, 2024
अनुभव में आया है कि देशभर…
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉଭୟ ଓଡ଼ିଆ ଓ ହିନ୍ଦୀ ଟ୍ୱିଟ୍କୁ ରିପୋଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ମନମୋହନଙ୍କ ପୋଷ୍ଟକୁ ରିପୋଷ୍ଟ କରି ‘ଏକ୍ସଲେଣ୍ଟ’ ଓ ଇମେନ୍ସଲୀ ଗ୍ରେଟ୍ଫୁଲ ବୋଲି ଲେଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି।
Excellent.
— Aparajita Sarangi ( Modi Ka Parivar) (@AprajitaSarangi) March 22, 2024
ImmenselyGrateful. . https://t.co/VjHrR16NBP
ସେ ଆହୁରି କହିଛନ୍ତି, ବହୁତ ଦିନ ହେଲା ବାପାଙ୍କ ଦେହ ଖରାପ ରହୁଥିଲା। ପରେ ଭଲ ହୋଇଯାଉଥିଲା। ଆଜି ହଠାତ୍ ଏପରି ହୋଇଗଲା। ଆଜି ଦିନଟି ଆମ ପାଇଁ କଷ୍ଟର ଦିନ। ମୋ ବାପା ଜଣେ ଭଲ ଓ ଦରଦୀ ମଣିଷ ଥିଲେ।
ପ୍ରିତିନନ୍ଦା କହିଛନ୍ତି, ଦାମ ରାଉତ ମୋ ବାପା ବୋଲି ଗର୍ବ ଅନୁଭବ କରୁଛୁ। ସମାଜରେ ଯେଉଁ ସମ୍ମାନ ଟିକିଏ ମିଳୁଛି ମୋ ବାପା ପାଇଁ । ତାଙ୍କ ଝିଅ ହିସାବରେ ମୁଁ ବହୁତ ଗର୍ବ ଅନୁଭବ କରୁଛି।
ଦାମ ରାଉତଙ୍କ ପୁଅ ସମ୍ୱିତ ରାଉତରାୟ କହିଛନ୍ତି, ବାପା ଚାଲିଗଲେ। ଭଗବାନଙ୍କ ଇଚ୍ଛା, ଆମେ କ’ଣ କରିପାରିବା? ତାଙ୍କ ଶରୀରକୁ ଡାକ୍ତରଖାନାରୁ ଘରକୁ ନିଆଯିବ। ପରେ ପାର୍ଟି ଅଫିସ, ବିଧାନସଭା ଓ ତା’ପରେ ତାଙ୍କ ନିର୍ବାଚନ ମଣ୍ଡଳୀ କୁଜଙ୍ଗ ଓ ପାରାଦୀପ ନିଆଯିବ। ଯଦି ସମୟ ହୁଏ ଏରସମା ଯିବ। ପରେ ସ୍ୱର୍ଗ ଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହେବ।
ଆଜି ଭୋର ୫ଟା ୨୩ ମିନିଟରେ ଦାମ ରାଉତଙ୍କ ପରଲୋକ ଘଟିଥିଲା। ଦୀର୍ଘ ଦିନ ଧରି କିଡନୀଜନିତ ସମସ୍ୟା ସହ ଜୁଝୁଥିବା ଦାମୋଦର ରାଉତ ଗତ ୧୮ ତାରିଖ ବିଳମ୍ବିତ ରାତିରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଅକ୍ସିଜେନ୍ ସାଚୁରେସନ କମିବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ଏବଂ ସେଠାରେ ସେ ହୃଦଘାତର ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା ।
ଘରୋଇ ହସ୍ପିଟାଲକୁ ନେବା ଭିତରେ ବ୍ରେନକୁ ବ୍ଲଡ ଓ ଅକ୍ସିଜେନ୍ ସପ୍ଲାଇ କମିଯାଇଥିଲା ବୋଲି କହିଛନ୍ତି ଦାମ ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ। ଘରୋଇ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ସିପିଆର୍ ଦିଆଯାଇଥିଲା ଏବଂ ହାର୍ଟ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ମସ୍ତିଷ୍କରେ ଗୁରୁତର କ୍ଷତି ହୋଇଥିବାରୁ ସେ ପ୍ରାୟତଃ ବ୍ରେନଡେଡ୍ ସ୍ଥିତିରେ ବୋଲି କହିଥିଲେ ପୁଅ ସମ୍ବିତ ।
ଦାମଙ୍କ ଚିକିତ୍ସା ନିମନ୍ତେ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲେ। ମାତ୍ର ଶତଚେଷ୍ଟା ସତ୍ତ୍ୱେ ସେ ଆଜି ଭୋରରୁ ଆଖି ବୁଜିଥିବା ଜଣାଯାଇଛି।
ଦାମୋଦର ରାଉତଙ୍କ ଦେହାନ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକପ୍ରକାଶ କରିଛନ୍ତି। ସୋଶାଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏବଂ ଦେଶର ଉନ୍ନତି ପାଇଁ ତାଙ୍କ ଅବଦାନ ସ୍ମରଣୀୟ। ପରିବାର ବର୍ଗଙ୍କ ସହ ଅନୁଗାମୀଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି।
ଦାମ ରାଉତଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି ବୋଲି ସୋଶାଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି ସହ ଶୋକସନ୍ତପ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ।
ସେହିପରି ଡାକ୍ତର ଦାମୋଦର ରାଉତଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକବ୍ୟକ୍ତ କରିଛନ୍ତି। ସେ ସୋଶାଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଜଣେ ସ୍ପଷ୍ଟବାଦୀ ଓ ଅନୁଭବୀ ରାଜନେତାଙ୍କୁ ହରାଇଲା। ଦୀର୍ଘ ବର୍ଷ ଧରି ରାଜନୀତିରେ ରହି ଲୋକକଲ୍ୟାଣ କାର୍ଯ୍ୟରେ ସେ
ନିଜୟକୁ ନିୟୋଜିତ କରିଥିଲେ ଦାମୋଦର ରାଉତ।
ଡାକ୍ତର ଦାମୋଦର ରାଉତଙ୍କ ପରଲୋକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକପ୍ରକାଶ କରିଛନ୍ତି। ବରିଷ୍ଠ ରାଜନେତା, ଓଡ଼ିଶା ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୀର୍ଘବର୍ଷର ବିଧାୟକ,ବିଜୁ ବାବୁଙ୍କ ଅନୁଗତ, ମୋର ବନ୍ଧୁ ଏବଂ ବହୁ ବର୍ଷର ପୂର୍ବତନ ସହଯୋଗୀ ଡ଼ଃ ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବେ ମର୍ମାହତ। ଓଡ଼ିଶା ରାଜନୀତିର ଏକ ଲମ୍ବା ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ ଘଟିଛି ବୋଲି ସୋଶାଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି ବୈଜୟନ୍ତ।
ଓଡ଼ିଶା ରାଜନୀତିର ଏକ ଲମ୍ବା ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ!
— Baijayant Jay Panda (Modi Ka Parivar) (@PandaJay) March 22, 2024
ବରିଷ୍ଠ ରାଜନେତା, ଓଡ଼ିଶା ସରକାରର ପୂର୍ବତନ ମନ୍ତ୍ରୀ ତଥା ଦୀର୍ଘବର୍ଷର ବିଧାୟକ,ବିଜୁ ବାବୁଙ୍କ ଅନୁଗତ, ମୋର ବନ୍ଧୁ ଏବଂ ବହୁ ବର୍ଷର ପୂର୍ବତନ ସହଯୋଗୀ, ଡ଼ଃ ଦାମୋଦର ରାଉତଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ଗଭୀର ଭାବରେ ମର୍ମାହତ।
ଦିବଙ୍ଗତ ଆତ୍ମାର ସଦଗତି… pic.twitter.com/GCekqZVedu
ଡାକ୍ତର ଦାମୋଦର ରାଉତଙ୍କ ପରଲୋକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଓ ବରିଷ୍ଠ ବିଜେଡି ନେତା ଚ୍ୟାଉ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କ୍ଷମତାସୀନ ବିଜେଡିକୁ ୯୪୪.୫୦କୋଟି ଟଙ୍କାର ଚାନ୍ଦା ନିର୍ବାଚନୀ ବଣ୍ଡ ଆକାରରେ ମିଳିଛି। ୨୦୧୯ ଜୁଲାଇ ୮ ତାରିଖରୁ ୨୦୨୩ ନଭେମ୍ବର ୨୦ ତାରିଖ ମଧ୍ୟରେ ବିଜେଡି ୭୩୧ କୋଟି ଟଙ୍କା ପାଇଛି। ନିର୍ବାଚନୀ ବଣ୍ଡ କିଣିଥିବା ଫାର୍ମ,କମ୍ପାନୀ ଓ ବ୍ୟକ୍ତିଙ୍କ ସିରିଏଲ୍ ନମ୍ବର ସହ ବଣ୍ଡକୁ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏନକ୍ୟାସ୍ କରିଥିବା ରାଜନୀତିକ ଦଳଗୁଡ଼ିକର ତଥ୍ୟକୁ ମେଳ ପରେ ବିଜେଡିକୁ ଏହି ଅବଧି ମଧ୍ୟରେ ଚାନ୍ଦା ଆକାରରେ ସର୍ବାଧିକ ଏସେଲ ମାଇନିଂ ଠାରୁୁ ୧୭୪.୫୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ମିଳିଛି।
ଏସେଲ ମାଇନିଂ ୨୦୨୦ ଅକ୍ଟୋବର ୨୦ତାରିଖରେ ୨୦କୋଟି ଟଙ୍କା ୨୦ଟି ନିର୍ବାଚନୀ ବଣ୍ଡ କିଣିଛି ଯାହାକୁ ବିଜେଡି ସେହି ମାସ ୨୩ତାରିଖରେ ନିଜ ଆକାଉଣ୍ଟରେ ଜମା କରିଛି। ସେହିପରି ୨୦୨୧ ଏପ୍ରିଲ ୫ରେ ୫୪.୫୦କୋଟି ଟଙ୍କା(୫୯ଟି ବଣ୍ଡ) କିଣିଛି, ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏପ୍ରିଲ ୭ତାରିଖରେ ଏନକ୍ୟାସ୍ କରିଛି।
୨୦୨୧ ଅକ୍ଟୋବର ୪ତାରିଖରେ ୫୦କୋଟି ଟଙ୍କାର(୫୦ଟି ବଣ୍ଡ) କିଣିଛି ଯାହାକୁ ବିଜେଡି ଅକ୍ଟୋବର ୭ତାରିଖରେ ନିଜ ଆକାଉଣ୍ଟରେ ଜମା କରିଛି। ସେହିପରି ୨୦୨୨ ଜୁଲାଇ ୧ରେ ୫୦କୋଟି ଟଙ୍କା(୫୦ଟି ବଣ୍ଡ) କିଣିଛି ଓ ବିଜେଡି ଏହାକୁ ଜୁଲାଇ ୪ତାରିଖରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।
ସେହିପରି ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୨୦୨୧ ଏପ୍ରିଲ ୫ତାରିଖରେ ୫୦କୋଟି ଟଙ୍କା(୫୦ଟି ବଣ୍ଡ) କିଣିଛି, ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏପ୍ରିଲ ୧୨ତାରିଖରେ ଏନକ୍ୟାସ୍ କରିଛି।
ସେହିପରି ଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ କମ୍ପାନୀ ମୋଟ ୧୪କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ଆକାରରେ ବିଜେଡିକୁ ଦେଇଛି। ୨୦୨୨ ଜାନୁୟାରୀ ୧୦ରେ ୩କୋଟି ଟଙ୍କା,୨୦୨୧ ଅକ୍ଟୋବର ୮ରେ ୪କୋଟି ଟଙ୍କା ଓ ୨୦୨୧ ଏପ୍ରିଲ ୬ରେ ୭କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି, ଯାହାକୁ ବିଜେଡି ନିଜର ଆକାଉଣ୍ଟରେ ଏନକ୍ୟାସ୍ କରିଛି।
ସେହିପରି ପେଙ୍ଗୁଇନ୍ ଟ୍ରେଡିଂ କମ୍ପାନୀ ୨୦୨୦ ଜାନୁୟାରୀ ୨୧ରେ ୩କୋଟି, ଅକ୍ଟୋବର ୨୭ରେ ୫କୋଟି ଟଙ୍କା, ୨୦୨୧ ଏପ୍ରିଲରେ ୧କୋଟି ଓ ଅକ୍ଟୋବର ୮ରେ ୧୫କୋଟି ଟଙ୍କା ଓ ୨୦୨୨ ଜାନୁୟାରୀ ୭ରେ ୩କୋଟି ଟଙ୍କା ନିର୍ବାଚନୀ ବଣ୍ଡ କିଣିଛି, ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଥିବା ଜଣାପଡ଼ିଛି।
ସେହିପରି ରଶ୍ମୀ ସିମେଣ୍ଟସ୍ କମ୍ପାନୀ ୨୦୨୩ ନଭେମ୍ବର ୧୭ରେ ୫କୋଟି, ଅକ୍ଟୋବର ୧୨ରେ ୧୦କୋଟି, ଜୁଲାଇ ୧୨ରେ ୫କୋଟି, ଜୁଲାଇ ୧୦ରେ ୧୦କୋଟି ଟଙ୍କା, ୨୦୨୨ ଅକ୍ଟୋବର ୭ରେ ୫କୋଟି, ଓ ଜାନୁୟାରୀ ୭ରେ ୫କୋଟି ଟଙ୍କା, ୨୦୨୧ ଅକ୍ଟୋବର ୮ରେ ୫କୋଟି ଟଙ୍କା ନିର୍ବାଚନୀ ବଣ୍ଡ ଆକାରରେ କିଣିଛି। ଏହି ମୋଟ ୪୫କୋଟି ଟଙ୍କାକୁ ବିଜେଡି ଭିନ୍ନ ଭିନ୍ନ ଦିନରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।
ସେହିପରି ବେଦାନ୍ତ ଲିମିଟେଡ୍ ୨୦୨୩ ଜୁଲାଇ ୧୨ତାରିଖରେ ୧୫କୋଟି, ୨୦୨୨ ଜୁଲାଇ ୨ତାରିଖରେ ୨୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଏହି ମୋଟ ୪୦କୋଟି ଟଙ୍କାକୁ ବିଜେଡି ନିଜ ଆକାଉଣ୍ଟରେ ଜମା କରିଛି।
ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍ ୨୦୨୦ ଅକ୍ଟୋବର ୨୧ରେ ୧୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି,ଯାହାକୁ ବିଜେଡି ଅକ୍ଟୋବର ୨୩ତାରିଖରେ ନିଜ ଆକାଉଣ୍ଟରେ ଜମା କରିଛି।
ସେହିପରି ତ୍ରିବେଣୀ ଆର୍ଥ ମୁଭର୍ସ ୨୦୨୩ ଅକ୍ଟୋବର ୧୩ତାରିଖରେ ୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି ଓ ବିଜେଡି ଏହାକୁ ଅକ୍ଟୋବର ୧୮ତାରିଖରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।
ସେହିପରି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ୨୦୨୩ ଅକ୍ଟୋବର ୧୫ରେ ୨୫କୋଟି ଟଙ୍କା, ୨୦୨୩ ଜୁଲାଇ ୪ରେ ୫୦କୋଟି ଟଙ୍କା ଓ ୨୦୨୨ ଅକ୍ଟୋବର ୭ରେ ୨୫କୋଟି ଟଙ୍କା ଏଭଳି ମୋଟ ୧୦୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଯାହାକୁ ବିଜେଡି ଭିନ୍ନ ଭିନ୍ନ ଦିନରେ ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।
ସେହିପରି ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ୍ ୨୦୨୩ ଅକ୍ଟୋବର ୧୨ରେ ୨୫କୋଟି ଟଙ୍କା ଓ ଜୁଲାଇ ୧୧ରେ ୩୫କୋଟି ଟଙ୍କା, ୨୦୨୦ ଅକ୍ଟୋବର ୨୧ରେ ୧୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ମୋଟ ୭୦କୋଟି ଟଙ୍କାକୁ ବିଜେଡି ନିଜ ଆକାଉଣ୍ଟରେ ଜମା କରିଛି।
ଜିନ୍ଦଲ ଷ୍ଟେନଲେସ୍ ଲିଃ ୨୦୨୩ ଜୁଲାଇରେ ୧୦କୋଟି ଓ ୨୦୨୨ ଜୁଲାଇ ୧ରେ ୨୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ ବିଜେଡିକୁ ଦେଇଛି।
ରଶ୍ମୀ ମେଟାଲିକସ ୨୦୨୨ ଜୁଲାଇରେ ୫କୋଟି ଟଙ୍କା,୨୦୨୨ ଜାନୁୟାରୀ ୭ରେ ୧୨କୋଟି ଟଙ୍କା ଓ ୨୦୨୧ ଅକ୍ଟୋବର ୮ରେ ୧୦କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛି। ଯାହାକୁ ବିଜେଡି ନିଜ ଆକାଉଣ୍ଟରେ ଏନକ୍ୟାସ୍ କରିଛି।
ସେହିପରି ଅଲଟ୍ରାଟେକ୍ ସିମେଂଟ ୨୦୨୦ ଅକ୍ଟୋବର ୨୦ରେ ୧୦କୋଟି ଟଙ୍କା, ଆଇଏଫବି ଆଗ୍ରୋ ୨୦୨୩ ଜାନୁୟାରୀରେ ୩.୩୦କୋଟି ଟଙ୍କା ଓ ୨୦୨୨ ଜୁଲାଇ ୮ରେ ୩କୋଟି ଟଙ୍କାର ଚାନ୍ଦା ବିଜେଡିକୁ ନିର୍ବାଚନୀ ବଣ୍ଡ ଆକାରରେ ଦେଇଥିବା ଜଣାପଡ଼ିଛି।
ବିଜେପି ରାଜ୍ୟ ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ସରକାରୀ ଦଳ ଖୋଲାଖୋଲି ଉଲ୍ଲଘଂନ କରୁଛି ବୋଲି ଲିଖିତ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିବା ମାତ୍ରେ ଓଡ଼ିଶା ସମେତ ସମଗ୍ର ଦେଶରେ ନିର୍ବାଚନ ଆଚରଣବିଧି ଲାଗୁ ହୋଇସାରିଲାଣି। କିନ୍ତୁ ଏଯାଏଁ ବିଜୁ ଜନତା ଦଳର ହୋର୍ଡିଂ, ପୋଷ୍ଟର, ଦଳୀୟ ଚିହ୍ନ ତଥା ବିଜେଡି ସଭାପତିଙ୍କ ଫଟୋଚିତ୍ର ଥିବା ବଡ଼ ବଡ଼ ହୋର୍ଡିଂ ଓ ବିଜ୍ଞାପନ ସାଧାରଣ ସ୍ଥାନରୁ ହଟାଯାଉ ନାହିଁ। ଭୁବନେଶ୍ୱର ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଏବେ ସୁଦ୍ଧା ରହିଛି।
ଜାଗା ମିଶନ ଓ ମୁକ୍ତା ଯୋଜନାର ହୋର୍ଡିଂ ମଧ୍ୟ ଲାଗିଛି। "ଆମ ଓଡ଼ିଶା ନବୀନ ଓଡ଼ିଶା" ଆମ ଓଡ଼ିଶା ନୂଆ ଓଡ଼ିଶା ଲେଖା ଥିବା ବହୁ କଟ୍ ଆଉଟ୍ ଏବଂ ହୋର୍ଡିଂ ବିଭିନ୍ନ ଜାଗାରେ ପୂର୍ବଭଳି ରହିଛି। ବହୁ ଜାଗାରେ ଶାସକ ଦଳର ହୋର୍ଡିଂ ଲାଗିଥିବାବେଳେ ବାଛି ବାଛି ପ୍ରଧାନମନ୍ତ୍ରୀଙ୍କ ଫଟୋ ଏବଂ ବିଜେପି ହୋର୍ଡିଂଗୁଡ଼ିକୁ କଢ଼ାଯାଇଥିବା ସେ ଅଭିଯୋଗ କରିଛନ୍ତି। ସାଧାରଣ ସ୍ଥାନ, ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟ ଆଦି ସ୍ଥାନରୁ ଶାସକ ବିଜେଡିର ନିର୍ବାଚନୀ ପୋଷ୍ଟର ଓ ବ୍ୟାନର ହଟାନଯିବା ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରିଛି। ଏହି ହଟାଇବା ଦାୟିତ୍ୱରେ ଅବହେଳା କରିଥିବା ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି।
ଏହି ପ୍ରତିନିଧି ଦଳରେ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ଓ ରାଜେନ୍ଦ୍ର ପଣ୍ଡାଙ୍କ ସମେତ ସୁରଥ ବିଶ୍ୱାଳ, ସୁଜିତ୍ କୁମାର ଦାସ ଓ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଗତ ୧୬ ତାରିଖରେ ନୂଆପଡ଼ା ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ରଙ୍କ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇଥିଲେ ଶତାଧିକ ବିଜେଡି କର୍ମୀ। ଖରିଆର ରୋଡ୍ରୁ ବାହାରିଥିବା ବିଶାଳ ବାଇକ୍ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମନ୍ତ୍ରୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ। ତାଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ‘ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ହଟାଅ, ନୂଆପଡ଼ା ବଞ୍ଚାଅ’ ନାରା ଦେଇଥିଲେ। ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ବିରୋଧରେ ଥିବା ଦୁର୍ନୀତିର ତଦନ୍ତ ସିବିଆଇ, ଭିଜିଲାନ୍ସ ଓ ଇଡି ଦ୍ୱାରା କରାଯାଉ ବୋଲି ମନୋଜ କୁମାର ମିଶ୍ରଙ୍କ ସମର୍ଥକମାନେ ଦାବି କରିଥିଲେ।
ସେଦିନ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ପରେ ମନୋଜ କୁମାର ମିଶ୍ର ଗଣମାଧ୍ୟମକୁ କହିଥିଲେ, ମନ୍ତ୍ରୀ ବହୁ ଦୁର୍ନୀତି କରିଛନ୍ତି। ତା’ର ତଦନ୍ତ କରାଯାଉ। ବିଜେଡି ଓ ଆମ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଛବି ବଞ୍ଚାଇବା ପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇଛୁ। ଏଥିରେ ସମସ୍ତେ ସାମିଲ୍ ହୋଇଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଶ୍ରୀ ମିଶ୍ର କହିଥିଲେ।
ଜିଲ୍ଲା ବିଜେଡି ସଭାପତି ମନୋଜ କୁମାର ମିଶ୍ର ରଣହୁଙ୍କାର ଦେବାର ୩ ଦିନ ପରେ ମୁହଁ ଖୋଲିଥିଲେ ମନ୍ତ୍ରୀ ଢୋଲକିଆ ଗୋଷ୍ଠୀ। ସାମ୍ୱାଦିକ ସମ୍ମିଳନୀ କରି ଜିଲ୍ଲା ସଭାପତି, ଜିଲ୍ଲା ଉପସଭାପତି, ରାଜ୍ୟ ସଂପାଦକ ଓ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ବିରୋଧୀଙ୍କୁ ଦମ୍ ଦେଖାଇବା ପାଇଁ ଅସନ୍ତାକାଲି(ଶୁକ୍ରବାର) ବିଶାଳ ଶୋଭାଯାତ୍ରା କରିବେ ଢୋଲକିଆଙ୍କ ସମର୍ଥକ।
ନୂଆପଡ଼ାରେ ଦେଖାଦେଇଥିବା ଗୋଷ୍ଠୀ କନ୍ଦଳ ନେଇ ମୁହଁ ଖୋଲିଛନ୍ତି ରାଜେନ୍ଦ୍ର ପ୍ରସାଦ ଢୋଲକିଆ। ସେ କହିଛନ୍ତି, ବିଦ୍ରୋହୀ ବିଜେଡି ପଦାଧିକାରୀମାନେ ଟିକେଟ ଆଶାୟୀ ଥିଲେ। ଏବେ ସେମାନେ ବିଜେପି ଓ କଂଗ୍ରେସ ଦ୍ୱାରା ପରିଚାଳିତ ହେଉଛନ୍ତି। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ପଦାଧିକାରୀକୁ ଜଣାଇ ଦିଆଯାଇଛି ବୋଲି ଢୋଲକିଆ କହିଛନ୍ତି।
ରିପୋର୍ଟ- ନୂଆପଡ଼ାରୁ ମାୟାଧର ସରାଫ
ଆଜି ସକାଳେ ବିଜୁ ଜନତା ଦଳର ପୁରୀ ସଂସଦୀୟ କ୍ଷେତ୍ରର ବରିଷ୍ଠ ନେତାମାନେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ର ପ୍ରସାଦ ମହାରଥୀ, ପୂର୍ବତନ ବ୍ରହ୍ମଗିରି ବିଧାୟକ ସଞ୍ଜୟ ଦାସବର୍ମା, ବରିଷ୍ଠ ବିଜେଡି ନେତା ଅରୂପ ପଟ୍ଟନାୟକ, ଯୁବନେତା ତଥା ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର, ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତ୍ତା ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲେ।
ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଉମା ସାମନ୍ତରାୟ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲୁ। ତାଙ୍କ ଶରଣାପନ୍ନ ହେଲୁ।
ପୁରୀ ଲୋକସଭା ଓ ବିଧାନସଭା ଅଙ୍କ ଛିଣ୍ଡୁନି। ବୈଠକ ପରେ ବୈଠକ ବସୁଛି। ହେଲେ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ବିଶେଷ କହି ବ୍ରହ୍ମଗିରି ଓ ସତ୍ୟବାଦୀଙ୍କୁ ନେଇ ବ୍ୟାକ୍ଫୁଟ୍ରେ ବିଜେଡି। କାରଣ ଏହି ଦୁଇ ସିଟ୍କୁ ନେଇ ଜିଲ୍ଲାର ଦୁଇ ବରିଷ୍ଠ ନେତା ମୁହାଁମୁହିଁ ହୋଇଛନ୍ତି। ଏପରିକି କଥା ଯାଇ ପହଞ୍ଚିଥିଲା ନବୀନ ନିବାସରେ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଦୁଇ ଦିନ ତଳେ ପୁରୀରେ ଏକ ହୋଟେଲ୍ରେ ଗୁପ୍ତ ବୈଠକ ବସିଥିଲା। ସେହି ବୈଠକରେ ଜିଲ୍ଲାର ବରିଷ୍ଠ ନେତାମାନେ ଯୋଗଦେଇଥିଲେ। ବହୁ ତର୍କ ବିତର୍କ ପରେ ବ୍ରହ୍ମଗିରି ଓ ସତ୍ୟବାଦୀରୁ କିଏ ପ୍ରାର୍ଥୀ ହେବେ, ତାହା ନିଷ୍ପତ୍ତି ହୋଇଥିବା ଚର୍ଚ୍ଚା ହେଉଛି। ତଥାପି ନେତାଙ୍କ ଛାତିରେ ଛନକା ଯାଇନି। ସେଥିପାଇଁ ନେତାମାନେ ଆଜି ମହାପ୍ରଭୁଙ୍କ ଶରଣ ପଶିଛନ୍ତି।