ଶୁକ୍ରବାର ସନ୍ଧ୍ୟା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଜିଲ୍ଲାପାଳ ଜେ. ସୋନାଲ୍, ଏସ୍ପି ରାଜ ପ୍ରସାଦ ସମେତ ସବୁ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ହେଲେ ସିଡିପିଓ ଡାକ୍ତର ଜୟକୃଷ୍ଣ ମିଶ୍ର ଆସିନଥିଲେ। ସିଡିପିଓଙ୍କ ସ୍ଥାନରେ ଡିପିଏଚ୍ଓ ଡାକ୍ତର ମଦନ ମୋହନ ପ୍ରଧାନ ବୈଠକରେ ସାମିଲ୍ ହୋଇଥିଲେ। ବୈଠକରେ ଆଲୋଚନା ଚାଲିଥିବା ବେଳେ ଟ୍ରମା କେୟାର ସମ୍ପର୍କିତ ପ୍ରଶ୍ନରେ ଉତ୍ତର ଦେଉଥିଲେ ଡାକ୍ତର ପ୍ରଧାନ। ହେଲେ ଜିଲ୍ଲାପାଳ ଓ ଏସ୍ପି କିଛି ଶୁଣିବା ପରିବର୍ତ୍ତେ ତାଙ୍କୁ ସମସ୍ତଙ୍କ ସମ୍ମୁଖରେ ଦୁର୍ବ୍ୟହାର କରିଥିବା ଅଭିଯୋଗ ହୋଇଛି। ଖାଲି ଦୁର୍ବ୍ୟହାର ନୁହେଁ, ବୈଠକରୁ ବାହାରିଯିବା ପାଇଁ ଉଭୟେ କହିଥିବା ଅଭିଯୋଗ ହୋଇଛି।
ଅପମାନ ସହି ନପାରି ଡାକ୍ତର ପ୍ରଧାନ ବୈଠକରୁ ଉଠି ଆସିଥିଲେ। ଏଥିରେ ସେ ବ୍ୟଥିତ ହୋଇଥିଲେ। ବୈଠକରେ ହୋଇଥିବା ଦୁର୍ବ୍ୟହାର ନେଇ ଡାକ୍ତର ପ୍ରଧାନ ଜିଲ୍ଲା ଡାକ୍ତରୀ ସଂଘରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଜିଲ୍ଲାରେ କାର୍ଯ୍ୟରତ ଡାକ୍ତର ଓ ମେଡ଼ିକାଲ୍ କର୍ମଚାରୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। ଜିଲ୍ଲାପାଳ ଓ ଏସ୍ପିଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଥିଲେ। ଏହାର ପ୍ରତିବାଦରେ ଆଜି ସକାଳଠାରୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ମେଡିକାଲ୍ର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ କଳା ବ୍ୟାଜ ପରିଧାନ କରି ଆନ୍ଦୋଳନ କରିଛନ୍ତି। ମେଡ଼ିକାଲ୍ କର୍ମଚାରୀଙ୍କ ଏହି ଆନ୍ଦୋଳନରେ ସିଡିପିଓ ଓ ଏଡିଏମ୍ଓ ମଧ୍ୟ ସାମିଲ୍ ହୋଇଛନ୍ତି। ଜିଲ୍ଲାପାଳ ଓ ଏସ୍ପି ଭୁଲ୍ ମାଗନ୍ତୁ ବୋଲି ସଂଘ ଦାବି କରିଛନ୍ତି।
ଆଜି ଅପରାହ୍ନରେ ଡାକ୍ତର ପ୍ରଧାନ ଏନେଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଜିଲ୍ଲାପାଳ ଓ ଏସ୍ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତେବେ ଏନେଇ ଜିଲ୍ଲାପାଳ ଓ ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ସଦର ମହକୁମାରେ ରହିଛି ଚାରିଛକ ମୁଖ୍ୟ ବଜାର। ସେହି ବଜାର ଦେଇ ଯାଇଛି ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥ। ସେହି ରାସ୍ତା ପାର୍ଶ୍ୱରେ ରହିଛି ଗୋଟିଏ SBI ଏଟିଏମ୍। ଆଉ ତାହାରି ବାରଣ୍ଡାରେ ଆଜକୁ ପ୍ରାୟ ଦେଢ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଆଶ୍ରୟ ନେଇଛନ୍ତି ମାଆ ଓ ଝିଅ। ମହିଳାଙ୍କ ବୟସ ୨୦ ବର୍ଷରୁ ଅଧିକ ହେବ। ଝିଅର ବୟସ ୩ ବର୍ଷ ବୋଲି ଅନୁମାନ କରାଯାଉଛି। ଭୋକ ଉପବାସରେ ଜୀବନ କାଟୁଛନ୍ତି। ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଯିଏ ଯାହା ଦେଉଛନ୍ତି, ତାକୁ ଖାଇ ବଞ୍ଚୁଛନ୍ତି। ମଝିରେ ମଝିରେ ଛୋଟ ଝିଅଟି ସାଥୀରେ ଆଣିଥିବା ବହିର ପୃଷ୍ଟାକୁ ଓଲଟାଉଛି। ଆଉ କ’ଣ ସବୁ ଗୁଣୁଗୁଣୁ ହୋଇ କହୁଛି।
ଏଟିଏମ୍ ବାରଣ୍ଡାରେ ଦିନ କାଟୁଥିବା ମାଆ ଓ ଛୁଆଙ୍କ ପରିଚୟ କ’ଣ? ସେମାନେ କେଉଁଠାରୁ ଆସିଛନ୍ତି? କ’ଣ ପାଇଁ ସେଠାରେ ଡେରା ପକାଇଛନ୍ତି? ଏହାର ଉତ୍ତର କାହା ପାଖରେ ନାହିଁ। ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ହରଭଙ୍ଗା ବିଡିଓ ସ୍ଵପ୍ନିତା ନାୟକଙ୍କୁ ଅବଗତ କରାଇଥିଲେ। ଏହା ପରେ ବିଡ଼ିଓ ନିଜେ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ସେହି ସମୟରେ ମହିଳା ଜଣକ ନିଜର ଛୁଆ ସହ ଖେଳୁଥିବା ଦେଖିବାକୁ ପାଇଥିଲେ।
ମାଆ ଓ ଝିଅଙ୍କ ସହିତ କଥା ହେବାକୁ ଚାହିଁଥିଲେ ବିଡିଓ ମାଡ଼ାମ। ହେଲେ ସେ ଠିକ୍ରେ ଉତ୍ତର ଦେଇପାରୁନଥିଲେ। ତେଣୁ ଉଭୟଙ୍କ ପରିଚୟ ମିଳିପାରିନଥିଲା। ଶେଷରେ ଉଭୟଙ୍କୁ ଉଦ୍ଧାର କରାଯାଇ ସରସରା ସ୍ଥିତ ଜାଗୃତି ଗୃହରେ ଥଇଥାନ କରାଯାଇଛି। ମହିଳାଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ଡାକ୍ତରଙ୍କ ପରାମର୍ଶରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏହାଛଡ଼ା ଶିଶୁକନ୍ୟାର ରହଣୀ ଓ ପାଠ ପଢିବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଡିଓ କହିଛନ୍ତି।
ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର
ଆଜି ସକାଳେ OSRTC ବସଟି ଫୁଲବାଣୀରୁ ଅନୁଗୋଳ ଅଭିମୁଖେ ଯାଉଥିଲେ। ରାଣୀପଥର ଘାଟିରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ବସର କାଚକୁ ଭାଙ୍ଗି ଯାତ୍ରମୀମାନଙ୍କୁ ଉଦ୍ଧାର କରାଯାଇଛି। ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବସ୍ରେ ୪୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣା ପରେ ଗାଡ଼ି ଛାଡି ଡ୍ରାଇଭର ଫେରାର ହୋଇଯାଇଥିଲା। ସୀମା ବିବାଦ ଯୋଗୁ ପୁଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ।
ଗତକାଲି ପ୍ରଦୀପଙ୍କ ଅଫିସରେ ଭୋଜି ଥିଲା। ଭୋଜି ଖାଇ ସାରି ପ୍ରଦୀପ ଦିନ ପ୍ରାୟ ୨ଟା ସମୟରେ ନିଜ ସରକାରୀ କ୍ୱାର୍ଟର୍ସରୁ ଫେରିଥିଲେ। ପରେ ରୁମ୍ କବାଟ ଦେଇ ଭିତରେ ଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରଦୀପ କବାଟ ନ ଖୋଲିବାରୁ ସଯୋଗୀଙ୍କ ସନ୍ଦେହ ହୋଇଥିଲା। ସେମାନଙ୍କ ପ୍ରଦୀପଙ୍କ ରୁମ କବାଟକୁ ବାଡ଼େଇଥିଲେ ଓ ଫୋନ୍ ମଧ୍ୟ କରିଥିଲେ। ହେଲେ ରୁମ୍ ଭିତରୁ କିଛି ଉତ୍ତର ଆସିନଥିଲା। ପରେ ସହଯୋଗୀମାନେ ପଛ କବାଟ ଭାଙ୍ଗି ଭିତରେ ପଶିଥିଲେ। ରୁମ ଭିତରେ ପ୍ରଦୀପ ଆତ୍ମହତ୍ୟା କରିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।
ପ୍ରଦୀପଙ୍କ ଘର ଲୋକଙ୍କୁ ଘଟଣାସଂପର୍କରେ ଖବର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ କେହି ପହଞ୍ଚି ନାହାନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ବର୍ତ୍ତମାନ ସୁଦ୍ଧା ସରକାରୀ କ୍ୱାର୍ଟର୍ସରେ ପଡ଼ିରହିଛି।
କନିଷ୍ଠ ଯନ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।
ଦୁଇ ଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଏନଏସି ଘୋଷଣା ପରେ ମନମୁଣ୍ଡା ଏଥିରୁ ବାଦ ପଡ଼ିଥିଲା। ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମନମୁଣ୍ଡା ପାଳନ କରାଯାଇଛି।
କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆନ୍ଦୋଳକାରୀମାନେ ଗାଡ଼ିଚଳାଚଳକୁ ବନ୍ଦ କରିଛନ୍ତି। ଫଳରେ ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟାରେ ଯାନାବାହନ ଅଟକି ରହିଛି।
ଆଜି ସାଇକେଲ ଆରୋହୀଜଣକ ଧଳପୁର ପଟୁ ପୁରୁଣାକଟକ ଆଡ଼କୁ ଆସୁଥିଲା। ମାତ୍ର ଅପର ପାର୍ଶ୍ୱରୁ ଆସୁଥିବା ଗାଡ଼ିକୁ ସାଇଡ ଦେବାକୁ ଯାଇ ସାଇକେଲ ଆରୋହୀଜଣକ ମୁକୁଳା ଡ୍ରେନ୍ରେ ପଡ଼ି ଯାଇଥିଲେ।
ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ବେଳେ ତାଙ୍କ ଆଖିରେ ଲୁହା ଛଡ଼ ଗଳି ଯାଇଥିଲା। ଗୁରୁତର ଅବସ୍ଥାରେ ତୁରନ୍ତ ତାଙ୍କୁ ଆଠମଲ୍ଲିକ ମେଡିକାଲ ନିଆଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଧଳପୁର ପୂର୍ତ୍ତବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ ଦୀର୍ଘ ଦିନ ହେବ ମୁକୁଳା ପଡ଼ିଥିବା ବେଳେ ତାହା ଉପରେ ସ୍ଲାବ ପକା ଯାଉନାହିଁ। ଏହି ସ୍ଲାବରେ ପଡ଼ି ପୂର୍ବରୁ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଚାଲି ଯାଇଥିବା ବେଳେ ଜଣେ ଛାତ୍ର ଗୁରୁତର ହୋଇଥିଲେ।
ଏହାପରେ ବି ଠିକାଦାରଜଣକ ମନମୁଖି କାର୍ଯ୍ୟକଳାପ ଚଳାଇଥିବା ବେଳେ ପ୍ରଶାସନିକ ଅଧିକାରୀ ସବୁ ଦେଖି ଚୁପ୍ ରହୁଛନ୍ତି। ଅଧିକାରୀମାନେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।
ଗଞ୍ଜେଇ ଚାଲାଣ ନେଇ ଖବର ପାଇଥିଲେ ବୌଦ୍ଧ ଏସ୍ପି। ତେଣୁ ଆଜି ସକାଳେ ପୁଲିସ୍ ମହାନଦୀ ବ୍ରିଜ୍ ଛକରେ ଗାଡ଼ି ଯାଞ୍ଚ କରିଥିଲା। ଗାଡ଼ି ଯାଞ୍ଚ ବେଳେ ସୋନପୁର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍କୁ ଅଟକାଇଥିଲା ପୁଲିସ୍। ଯାଞ୍ଚ ବେଳେ କାଜୁ ଟ୍ରକ୍ ବୋଲି ଡ୍ରାଇଭର ଓ ହେଲ୍ପର କହିଥିଲେ। ଏପରିକି ପୁଲିସ୍ କର୍ମଚାରୀଙ୍କୁ କାଜୁ କାଢ଼ି ଦେଖାଇଥିଲେ। କିନ୍ତୁ ସେଥିରେ ପୁଲିସ୍ର ସନ୍ଦେହୀ ମନ ସନ୍ତୁଷ୍ଟ ହୋଇନଥିଲା।
ପୁଲିସ୍ କର୍ମଚାରୀମାନେ ଚଢ଼ି ଟ୍ରକ୍ ଡାଲା ଯାଞ୍ଚ କରିଥିଲେ। ସେହି ସମୟରେ କାଜୁ ବସ୍ତା ତଳେ ଗଞ୍ଜେଇ ବସ୍ତା ଥିବା ଦେଖିବାକୁ ପାଇଥିଲେ। ଉକ୍ତ ଗାଡିରୁ ୧୦ କ୍ୱିଣ୍ଟାଲ୍ ୨୫ କେଜି ଗଞ୍ଜେଇ ଜବତ କରିଥିଲା ପୁଲିସ୍। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ୨ ଲକ୍ଷ ଟଙ୍କା ହେବ। ଏହି ମାମଲାରେ ପୁଲିସ୍ ମହାରାଷ୍ଟ୍ର ପରଡ଼ି ଥାନା ଅଞ୍ଚଳର ଆଜାଦ ସରଫରାଜ୍ ଖାନ ଓ ମିଲନ୍ ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କଠାରୁ ନଗଦ ୧୮ ହଜାର ଟଙ୍କା ଓ ୨ଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ୍।
ଜବତ ହୋଇଥିବା ଗଞ୍ଜେଇ ମହାରାଷ୍ଟ୍ର ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ଏହି ଗଞ୍ଜେଇ କେଉଁଠି ଲୋଡ୍ ହୋଇଥିଲା ଓ କିଏ ନେଉଥିଲେ, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ପୁଲିସ୍ ତାହା ଉପରେ ତଦନ୍ତ ଚଳାଇଛି। ଏହା ପଛରେ ଏକ ରାକେଟ୍ କାମ କରୁଥିବା ଜଣାପଡ଼ିଛି।
ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କୁ ଗତକାଲି ଗିରଫ କରିଥିଲା ଭିଜିଲାନ୍ସ। ଆୟ ତୁଳନାରେ ବସନ୍ତ ୪୪୫ ପ୍ରତିଶତ ସମ୍ପତ୍ତି ରଖିଥିବା ଭିଜିଲାନ୍ସକୁ ପ୍ରମାଣ ମିଳିଥିଲା। ଆରଟିଓ, ତାଙ୍କ ପତ୍ନୀ ଓ ପରିବାରର ଅନ୍ୟ ସଦସ୍ୟଙ୍କ ନାଁରେ ମାମଲା ହୋଇଥିବା ବେଳେ, ଚଢ଼ାଉ ବେଳେ ୧୯ କୋଟିର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ। ଯେଉଁଥିରେ ୧୪ କୋଟି ୫୦ ଲକ୍ଷର ଫ୍ଲାଟ୍, ୪ କୋଟି ୫୦ ଲକ୍ଷର ସୁନାଗହଣା, ଗାଡି ଆସବାବପତ୍ର ରହିଥିଲା । ଚଢ଼ଉ ବେଳେ କେବଳ ଭୁବନେଶ୍ୱରରୁ ୫ଟି ଦାମୀ ଫ୍ଲାଟ୍ ସାଙ୍ଗକୁ ଗୋଟିଏ ସପିଂ କମ୍ପ୍ଲେକ୍ସ ଠାବ ହୋଇଥିଲା।
ଜଣେ ଡ୍ରାଇଭର କହିଛନ୍ତି, ଆରଟିଓ ହୋଇ ଆସିବା ଦିନଠୁ ଶୋଷଣ କରୁଥିଲେ। ମୋ ଗାଡ଼ିର ପରମିଟ୍ ପାଇଁ ସେ ମୋ ପାଖରୁ ଟଙ୍କା ନେଇଥିଲେ। ମୋତେ ଅଫିସରେ ଟଙ୍କା ଦେବାକୁ ମନା କରିଥିଲେ। ମୁଁ ତାଙ୍କୁ ଗାଡ଼ି ଭିତରେ ୨୦ ହଜାର ଟଙ୍କା ଦେଇଥିଲି। ହେଲେ ଏପର୍ଯ୍ୟନ୍ତ ମୋ ଗାଡ଼ିର ପରମିଟ୍ ହୋଇପାରି ନାହିଁ।
ଗତକାଲି ଭିଜିଲାନ୍ସ ବସନ୍ତଙ୍କ ପୈତୃକ ଘର ଗଞ୍ଜାମ ସମେତ ଭୁବନେଶ୍ୱର ଓ ବୌଦ୍ଧରେ ଚଢାଉ କରିଥିଲା। ରେଡ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଥିଲା ଯେ ରାଜାଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆଇଟି ସିଟି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସ୍ତଙ୍କର ଫ୍ଲାଟ ଓ ଘର ରହିଛି। ଭୁବନେଶ୍ୱରର ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ବସନ୍ତ ଏକାଧିକ ଫ୍ଲାଟ୍ କିଣିଛନ୍ତି କିମ୍ବା କିଣିବା ପାଇଁ ଆଡଭାନ୍ସ ଦେଇଛନ୍ତି।
ବସନ୍ତଙ୍କର ପାହାଳ ଅଞ୍ଚଳରେ ଥିବା ଉତ୍କଳ ସିଗ୍ ନେଚରରେ ୩ ହଜାର ବର୍ଗଫୁଟରେ ନିର୍ମିତ କୋଟିଏ ଟଙ୍କାର ଫ୍ଲାଟ୍ ଥିବା ବେଳେ ଗୌତମନଗର ଅଞ୍ଚଳରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ୨ କୋଟି ଟଙ୍କା ମୂଲ୍ୟର ୨୫୦୦ ବର୍ଗଫୁଟ୍ ର ସପିଂ କମ୍ପ୍ଲେକ୍ସ, କଳ୍ପନା ସ୍ଥିତି ଉତ୍କଳ ରୟାଲ୍ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଫ୍ଲାଟ,ଶୈଳଶ୍ରୀବିହାରରେ ଥିବା ୱେଷ୍ଟ ଏଣ୍ଡ୍ ଆପାର୍ଟମେଣ୍ଟରେ ଗୋଟିଏ ୨ BHK ଫ୍ଲାଟ ରହିଛି । କଳ୍ପନା ଛକରେ ଥିବା ଉତ୍କଳ ରୟାଲ୍ ରେସିଡେନ୍ସିରେ ପ୍ରାୟ କୋଟିଏ ଟଙ୍କାର ଗୋଟିଏ ୩ BHK ଫ୍ଲାଟ୍ ବି ତାଙ୍କର ରହିଛି।
ସେହିପରି କଳାରାହଙ୍ଗ ଅଞ୍ଚଳରେ Z-1 ଇଷ୍ଟେଟରେ ୫ BHK ଫ୍ଲାଟ୍ ପାଇଁ ବସନ୍ତ ଅଗ୍ରୀମ ୧.୩୫କୋଟି ଟଙ୍କା ଜମା ଦେଇଥିଲେ। ଼ବେଙ୍ଗାଲୁରୁରେ ମଧ୍ୟ ବସନ୍ତଙ୍କର ଫ୍ଲାଟ ରହିଛି। ସେ ଓଜୋନ୍ ଏଲିଗାଣ୍ଟରେ ଫ୍ଲାଟ ପାଇଁ ୮୮ଲକ୍ଷ ଟଙ୍କା ଅଗ୍ରୀମ ଦେଇଥିବା ଜଣାପଡ଼ିଛି। ତାଙ୍କର ବିଭିନ୍ନ ବ୍ୟାଙ୍କରେ ୩କୋଟିରୁ ଅଧିକ ଟଙ୍କା ଜମାଥିବା ଭିଜିଲାନ୍ସ ହାତରେ ତଥ୍ୟ ଲାଗିଛି।
ଭୁବନେଶ୍ୱର ଆକ୍ସିସ ବ୍ୟାଙ୍କରେ ସର୍ବାଧିକ ୨ କୋଟି ୧୧ଲକ୍ଷ ୭୯ ହଜାର ଟଙ୍କା ଥିବା ବେଳେ ICICI ବ୍ୟାଙ୍କରେ ୪୪ ଲକ୍ଷ ୩୫ ହଜାର ଟଙ୍କା ଓ SBIରେ ୩୯ ଲକ୍ଷ ୫୫ ହଜାର ଟଙ୍କା ରହିଛି। ଇନସ୍ୟୁରାନ୍ସ ଓ ବଣ୍ଡ୍ ଜମାକୁ ଠାବ କରାଯାଇଛି। ଏନଏଚଏଆଇ କ୍ୟାପିଟାଲ୍ ଗେନ୍ ବଣ୍ଡରେ ୪୮ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫରେ ୩୧ ଲକ୍ଷ ୯୦ ହଜାର ଟଙ୍କା ରହିଛି। ଘରୁ ନଗଦ ୧ଲକ୍ଷ ୧୬ହଜାର ୭୦୦ ଟଙ୍କା, ୬୦୦ ଗ୍ରାମର ସୁନା ଗହଣା ୩୧୮ ଗ୍ରାମର ରୁପା, ୯ ଲକ୍ଷଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ରେଡ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ରାଜାଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆଇଟି ସିଟି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସ୍ତଙ୍କର ଫ୍ଲାଟ ଓ ଘର ରହିଛି। ଭୁବନେଶ୍ୱରର ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ବସନ୍ତ ଏକାଧିକ ଫ୍ଲାଟ୍ କିଣିଛନ୍ତି କିମ୍ବା କିଣିବା ପାଇଁ ଆଡଭାନ୍ସ ଦେଇଛନ୍ତି।
ପାହାଳରେ ଥିବା ଉତ୍କଳ ସିଗ୍ନେଚରରେ ତାଙ୍କର ୩ ହଜାର ବର୍ଗ ଫୁଟର ଗୋଟିଏ ଫ୍ଲାଟ ରହିଛି। ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ସେହିଭଳି କଳାରାହାଙ୍ଗରେ ଥିବା ନାମୀଦାମୀ Z-1 ଇଷ୍ଟେଟରେ ୧୭୭୬ ବର୍ଗଫୁଟର ଏକ ୫ BHK ଫ୍ଲାଟ ପାଇଁ ଦିଆଯାଇଛି କୋଟିଏ ୩୫ ଲକ୍ଷ ଟଙ୍କାର ଆଡଭାନ୍ସ।
ଶୈଳଶ୍ରୀବିହାରରେ ଥିବା ୱେଷ୍ଟ ଏଣ୍ଡ୍ ଆର୍ପାର୍ଟମେଣ୍ଟରେ ରହିଛି ଗୋଟିଏ ୨ BHK ଫ୍ଲାଟ୍। କଳ୍ପନା ଛକରେ ଥିବା ଉତ୍କଳ ରୟାଲ୍ ରେସିଡେନ୍ସିରେ ପ୍ରାୟ କୋଟିଏ ଟଙ୍କାର ଗୋଟିଏ ୩ BHK ଫ୍ଲାଟ୍ ବି ତାଙ୍କର ରହିଛି।
ଭୁବନେଶ୍ୱରରେ ଥିବା ସଂପତ୍ତିର ତାଲିକା ଏତିକିରେ ସରୁନି। କଳ୍ପନାରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ରହିଛି ୨ କୋଟି ଟଙ୍କାର ୨ଟି ଶପିଂ ଆଉଟଲେଟ୍ ବି ରହଛି। ବେଙ୍ଗାଲୁରୁରେ ମଧ୍ୟ ଏକ ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ କିଣିବା ଲାଗି ସେ ୮୮ ଲକ୍ଷ ଆଡଭାନ୍ସ ଦେଇଥିବା ଜଣାପଡ଼ିଛି।
ବାବୁ ବସନ୍ତ ମହାପାତ୍ରଙ୍କ ସଂପତ୍ତି ତାଲିକା ଆହୁରି ଲମ୍ବା। ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କା। ତା’ଛଡ଼ା ଭିଜିଲାନ୍ସ ଚଢ଼ଉ ବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର। ଏବେ ବି ଚଢ଼ଉ ଜାରି ରହିଥିବାରୁ ଆହୁରି ଅଧିକ ପରିମାଣର ସୁନା ଅଳଙ୍କାର ମିଳିବାର ସମ୍ଭାବନା ରହିଛି।
ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ଏକାଧିକ ଅଭିଯୋଗ ମିଳିବା ପରେ ବୌଦ୍ଧ ଅଫିସ୍ ସମେତ ଗଞ୍ଜାମ ଭଞ୍ଜନଗର ସ୍ଥିତ ତାଙ୍କ ପୈତୃକ ଘର, ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ସଂପର୍କୀୟଙ୍କ ବାସଭବନ ଆଦି ୧୦ଟି ସ୍ଥାନରେ ଏକାକାଳୀନ ଚଢଉ କରିଛି ଭିଜିଲାନ୍ସ।
ବସନ୍ତଙ୍କ ଏଭଳି ଆଖି ଖୋସି ହେବା ଭଳି ସଂପତ୍ତି ପଦାକୁ ଆସିବା ପରେ ପରିବହନ ବିଭାଗରେ ଆଉ ଏଭଳି କେତେ କୁବେର ଅଫିସର ଅଛନ୍ତି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।
ଆଜି ସକାଳେ ଯବାନ ମାନେ ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ନକ୍ସଲମାନେ ଯବାନଙ୍କ ଗାଡ଼ିକୁ ଓଡ଼ାଇ ଦେବାକୁ ଲ୍ୟାଣ୍ଡମାଇନ ଖଞ୍ଜି ରଖିଥିଲେ। ଯବାନ ସେହି ରାସ୍ତାଦେଇ ଯିବା ବେଳେ ବିସ୍ଫୋରଣ ହୋଇଥିଲା।
ଏଥିରେ ୨ଜଣ SOG ଯବାନ ଗୁରୁତର ଆହତ ହୋଇଥିଲେ।ଆହତ ଯବାନଙ୍କୁ ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଯବାନମାନେ କମ୍ବିଂ ଅପରେସନ କରୁଥିବା ବେଳେ ହଠାତ ଆଇଇଡି ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି। ନଳୀକୁମ୍ପା ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି।
ଏପରି ଏକ ହୃଦୟ ବିଦାରକ ଘଟଣା ବୌଦ୍ଧ ଜିଲ୍ଲା ସରସରା ଗ୍ରାମରେ ଘଟିଛି । ଏହି ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାରିକ ବୁଧବାର ରାତିରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନାର୍ଥୀ ଭାବେ ରାଜ୍ୟ ସରକାରଙ୍କ ତରଫରୁ ଚାଲୁ ହୋଇଥିବା ବସ୍ରେ ଯାତ୍ରୀ ଭାବେ ଉଠିଥିଲେ। ବସ୍ଟି ଜଟଣୀ ଅତିକ୍ରମ କରୁଥିବା ବେଳେ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ।
ତାଙ୍କୁ ପ୍ରଥମେ ଜଟଣୀ ଚିକିତ୍ସାଳୟ ଓ ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେଠାରୁ ଭୁବନେଶ୍ୱରସ୍ଥିତ ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ଖବର ଜଣାପଡିବା ପରେ ସମଗ୍ର ବୌଦ୍ଧ ଜିଲ୍ଲାରେ ଶୋକର ଛାୟା ଖେଳାଇ ଯାଇଥିଲା।
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ପ୍ରଶାସନିକ ଚୟନ ତାଲିକାରେ ସ୍ଥାନ ପାଇଥିଲେ ଅଭାବୀ ପୂର୍ଣ୍ଣଚନ୍ଦ୍ର। ଜୀବନରେ ପ୍ରଥମ ଥର ଲାଗି ସ୍ୱଚକ୍ଷୁରେ ଜଗାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିବାରୁ ଖୁସିରେ ଅଧିର ହୋଇପଡିଥିଲେ। ଯାତ୍ରା ପାଇଁ ଗତ ସପ୍ତାହେ ହେଲା ସେ ଆମିଷ ଖାବା ଛାଡି ଦେଇଥିଲେ।
ପୁରୀ ଯିବା ଦିନ ସେ ଖୁବ୍ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ଗାଁରେ ଘରକୁ ଘର ବୁଲି କାଳିଆ ଦର୍ଶନ କରିବାକୁ ଯାଉଛି ବୋଲି କହିଥିଲେ। ହେଲେ ଉକ୍ତ ଯାତ୍ରା ଯେ ତାଙ୍କ ଜୀବନର ଅନ୍ତିମ ଯାତ୍ରା ହେବ ତାହା ସେ କିମ୍ବା କେହି ବି ଜାଣି ନ ଥିଲେ। ତାଙ୍କର ଏପରି ଅସ୍ୱାବାଭିବ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି।
ପୂର୍ଣ୍ଣଚନ୍ଦ୍ରଙ୍କ ମୃତଦେହ ଗାଁକୁ ଅଣାଯାଇ ଶବ ସତ୍କାର କରାଯାଇଛି। ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ସରକାରୀ କାର୍ଯ୍ୟକ୍ରମରେ ଯାଇ ମୃତ୍ୟୁବରଣ କରିଥିବା ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଅସହାୟ ପରିବାରକୁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
ରିପୋର୍ଟ- ବୌଦ୍ଧରୁ ଦୀପକ ଅଦାର
କିଆକଟା ଥାନା ହେଲେଇ ଗାଁର ସନ୍ଧ୍ୟାସିନୀ ପ୍ରଧାନ ବାମଣ୍ଡା ମଡେଲ ଡିଗ୍ରୀ କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ। ସବୁଦିନ ପରି ସନ୍ଧ୍ୟାସିନୀ ସାଇକେଲ୍ରେ କଲେଜ ଆସିଥିଲେ। କଲେଜରେ କ୍ଲାସ୍ ମଧ୍ୟ କରିଥିଲେ। କ୍ଲାସ୍ ସରିବା ପରେ ଘରକୁ ଫେରିବା ବେଳେ ବୌଦ୍ଧ-କିଆକଟାର ମହାନଦୀ ସେତୁ ଉପରେ ସାଇକେଲ୍ ଓ ବ୍ୟାଗ୍ ରଖି ନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ। ନଦୀର ଅକାତକାତ ପାଣିରେ ସନ୍ଧ୍ୟାସିନୀ ଆକ୍ତାମାକ୍ତା ହୋଇଯାଇଥିଲେ।
ନଦୀର ସ୍ରୋତରେ ଭାସି ଯାଉଥିବା ବେଳେ ଚିତ୍କାର କରୁଥିଲେ। ସେହି ସମୟରେ ଇରିଗେସନ କଲୋନୀ ପଛପାର୍ଶ୍ଵ ଘାଟରେ କେତେକ ଯୁବକ ଗାଧୋଉଥିଲେ। ସନ୍ଧ୍ୟାସିନୀଙ୍କୁ ପାଣିରୁ ଛାଣି ଆଣିଥିଲେ। ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଛାତ୍ରୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ଜଣାପଡ଼ିଛି।
ସନ୍ଧ୍ୟାସିନୀ କଲେଜ ଯାଇଥିଲେ। ଘରକୁ ଫେରିଲା ବେଳେ ସେ କ’ଣ ପାଇଁ ନଦୀକୁ ଡେଇଁ ପଡ଼ିଲେ? ତାହା ଜଣାପଡ଼ି ନାହିଁ। ଆଦର୍ଶ ଥାନା ପୁଲିସ ଛାତ୍ରୀଙ୍କ ସାଇକେଲ, ବ୍ୟାଗ ଓ ଚପଲ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ନଳୀକୁମ୍ପା ଜଙ୍ଗଲରେ କୁଲବେଡ଼ା ଜଙ୍ଗଲରେ ମାଓ ଶିବିର ଚାଲିଥିବା ନେଇ ସୂଚନା ପାଇବା ପରେ ଆଜି ସକାଳେ ପୁଲିସ୍ ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ନକ୍ସଲଙ୍କ ସହିତ ପୁଲିସର ମୁହାଁମୁହିଁ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ କିଛି ଘଣ୍ଟା ଧରି ଗୁଳିବିନିୟମ ହୋଇଥିଲା। ପ୍ରାୟ କିଛି ଘଣ୍ଟା ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହା ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।
ପୁଲିସ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଥିବା ସୂଚନା ରହିଛି। ଏହି କ୍ୟାମ୍ପରେ ୨୫ରୁ ୩୦ ନକ୍ସଲ ଥିଲେ ବୋଲି ସୂଚନା ରହିଛି। ଘଟଣାସ୍ଥଳରୁ ଲ୍ୟାଣ୍ଡମାଇନ୍, ବନ୍ଧୁକ ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।
ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଏସଓଜି ଯବାନମାନେ ଖବର ପାଇଥିଲେ। ପରେ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ମାଡ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ମାଡ଼ କରିଥିଲେ। ଯବାନଙ୍କ ପାଲଟା ଗୁଳି ବିନିମୟରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।
ଘଟଣାସ୍ଥଳରୁ ।ED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଥିଲେ ଯବାନ। ଏବେବି ଜଙ୍ଗଲ ଭିତରେ କୁମ୍ବିଂ ଜାରି ରଖିଛନ୍ତି ଯବାନ।
ସେ କହିଛନ୍ତି, ସାରା ଦେଶରେ ଜନସାଧାରଣ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଉତ୍ସାହିତ ଅଛନ୍ତି। ଏହା ଆମ ପାଇଁ ଗର୍ବ ଓ ଗୌରବର ଅବସର। ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଆହୁରି ଭବ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଜାନୁଆରୀ ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ମନ୍ଦିର ଓ ତୀର୍ଥ ସ୍ଥାନକୁ ସ୍ୱଚ୍ଛ ରଖିବାକୁ ଶ୍ରମଦାନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବାବା ଚନ୍ଦ୍ରଚୁଡ଼ ମନ୍ଦିରେ ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହେବା ମୋର ସୌଭାଗ୍ୟ। ସେହିପରି ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ ଦୀପ ଜାଳି ଦିନଟିକୁ ଦୀପାବଳି ଉତ୍ସବ ଭାବରେ ପାଳନ କରିବା ପାଇଁ ଶ୍ରୀ ପଣ୍ଡା ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
ଶ୍ରୀ ପଣ୍ଡାଙ୍କ ସହିତ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି, ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପୂର୍ବତନ ବିରୋଧୀ ଦଳ ନେତା ସଚିଦାନନ୍ଦ ଦଲାଲ ପ୍ରମୁଖ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରମ ଦାନ କରିଛନ୍ତି।
ଗତ ରାତିରେ ସତ୍ୟ ନାରାୟର ସ୍ୱାଇଁ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ଦୁଇ ଯୁବକଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ଏହାପରେ ଉତ୍ତ୍ୟକ୍ତ ହୋଇ ଦୁଇ ଯୁବକ ସତ୍ୟ ନାରାୟରଙ୍କୁ ପିଟି ପିଟି ରକ୍ତାକ୍ତ କରି ଦେଇଥିଲେ।
ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୌଦ୍ଧ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏଥିସହ ଆଜି ସକାଳେ ସାଇଣ୍ଟିଫିକ୍ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ସେମାନଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି।
ଏହି ହତ୍ୟାକାଣ୍ଡର କାରଣ ଜଣା ପଡ଼ି ନ ଥିଲେ ବି ବକେୟା ଟଙ୍କା ମାଗିବାକୁ ନେଇ ଏପରି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ରାମଚନ୍ଦ୍ର ନିଜ ବାଇକ ଯୋଗେ ପୁରୁଣା କଟକରୁ ଚାରିଛକ ଆଡ଼କୁ କୌଣସି କାମରେ ଯାଉଥିଲେ। ଆଗରେ ଯାଉଥିବା ଏକ ଗାଡ଼ିକୁ ଓଭରଟେକ କରି ଯିବାବେଳେ ସାମ୍ନାରୁ ଆସୁଥିବା ଏକ ଟ୍ରକ ସହ ମୁଁହାମୁହିଁ ଧକ୍କା ହୋଇଥିଲା।
ଟ୍ରକ ଧକ୍କାରେ ବାଇକଟି ଚୁରମାର ହେବା ସହ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିଲେ। ଖବାର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାମଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି। ପୁରୁଣାକଟକ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ବଲାଙ୍ଗିର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ। ଯାହାକୁ ଦେଖି ତାଜୁବ ହୋଇଛି ଆୟକର ଟିମ୍। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ମଦ ବ୍ୟବସାୟୀଙ୍କ ଆୟକର ଫାଙ୍କି ଧରିବାକୁ ଆସିଥିବା ଅଧିକାରୀ ବିପୁଳ ପରିମାଣର ଟଙ୍କାର ସନ୍ଧାନ ପାଇଛନ୍ତି। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, କୋଟି କୋଟି ଟଙ୍କା ପାଇଛି। ତେଣୁ ଟଙ୍କା ନେବାକୁ କର୍ମଚାରୀଙ୍କୁ ଡକାଯାଇଥିଲେ। ୧୫୬ଟି ବ୍ୟାଗ ଓ ଅଖାରେ ଟଙ୍କା ଭର୍ତ୍ତି କରି ବ୍ୟାଙ୍କକୁ ନେଲେ। ରାତି ପାହିବା ପରେ ଆରମ୍ଭ ହୋଇଥିଲା ଟଙ୍କା ଗଣତି। ୬ଟି ମେସିନରେ ୮ ଜଣ କର୍ମଚାରୀ ଲାଗି ପଡିଥିଲେ ଟଙ୍କା ଗଣିବାରେ। ଟଙ୍କା ଗଣି ଗଣି କର୍ମଚାରୀ ବେଦମ ହୋଇପଡିଥିଲେ ମଧ୍ୟ ସରିନଥିଲା ଗଣତି। ସୂଚନା ଅନୁସାରେ, ଦୁଇଟି ଆଲମିରାରୁ ମିଳିଥିବା ଟଙ୍କା ଦେଢଶହ କୋଟିରୁ ଅଧିକ ହେବ। ପରେ ମଦଭାଟି ଦାୟିତ୍ୱରେ ଥିବା ରାଜେଶ ସାହୁଙ୍କୁ ଉଠାଇ ଆଣି ପଚରା ଉଚରା କରୁଛନ୍ତି ଆଇଟି ଅଧିକାରୀ।
ସେପଟେ ସମ୍ବଲପୁର ଧନୁପାଲି ଅଂଚଳରେ ଥିବା ଦେଶୀ ମଦଭାଟି ଓ ବଡ ବଜାର ଅଂଚଳରେ ଥିବା ବଳଦେବ ସାହୁ ଆଣ୍ଡ ସନ୍ସର ଅଫିସରେ ଚଢଉ କରିଛି ଆୟକର ବିଭାଗ। ସେଠାରୁ ମଧ୍ୟ ମିଳିଛି ପୂଳା ପୂଳା ଟଙ୍କା। ଅଫିସରୁ ଟଙ୍କା ଭର୍ତ୍ତି ବ୍ୟାଗ ଗୁଡିକୁ ୨ଟି ଭ୍ୟାନରେ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ନିଆଯାଇ ଗଣା ଚାଲିଛି। ଶାଖା ପରିଚାଳକ କହିଛନ୍ତି, ଏତେ ପରିମାଣର ଟଙ୍କା ମିଳିଛି ଯେ, ଆଜି ଗଣତି ସରିବନି।
ସେହିପରି ଷ୍ଟିଲ ସିଟି ରାଉରକେଲାରେ ପଶିଛି ଆୟକର ଟିମ୍। ସିଭିଲ ଟାଉନ୍ ସିପ୍ ଅଂଚଳର ମଦ ବ୍ୟବସାୟୀ କାମେଶ୍ୱର ତିୱାରୀଙ୍କ ଘର, ଅଫିସ ଓ ଦୋକାନରେ ରେଡ୍ ହୋଇଥିବା ବେଳେ ଆୟକର ଫାଙ୍କିବା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଅନ୍ୟପକ୍ଷରେ ମଦ ବ୍ୟବସାୟୀ ରାଜେଶ କୁମାର ସାହୁଙ୍କ ବୀରମିତ୍ରପୁର ସ୍ଥିତ ଦେଶୀ ମଦ ଭାଟିରେ ପଶି ଯାଞ୍ଚ କରିଛି ଆୟକର ଟିମ୍। ରାୟଗଡା ସହରର ଗାନ୍ଧୀ ନଗରରେ ଥିବା ମଦ ବ୍ୟବସାୟୀ ଅରବିନ୍ଦ ସାହୁଙ୍କ ଘର ଓ ଅଫିସରେ ଆୟକର ଟିମ୍ ଚଢଉ କରିଥିବା ବେଳେ ଆୟକର ଫାଙ୍କି ଅଭିଯୋଗରେ ତାଙ୍କୁ ଉଠାଇ ନେଇଛି।
ସେପଟେ ବୌଦ୍ଧ ଡିଷ୍ଟିଲାରୀ କମ୍ପାନୀରେ ଦୁଇ ଦିନ ହେଲା ଆୟକର ବିଭାଗ ଚଢଉ ଜାରି ରଖିଛି। ସେଠାରୁ କିଛି ନଗଦ ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ଏହି ସଂସ୍ଥା ସହ ଜଡିତ ବୌଦ୍ଧ ପୁରୁଣା କଟକସ୍ଥିତ ବ୍ୟବସାୟୀ ଅଶୋକ ଅଗ୍ରୱାଲଙ୍କ ରାଣୀ ସତୀ ରାଇସ ମିଲରେ ମଧ୍ୟ ଚଢଉ କରିଛି ଆୟକର ଟିମ୍।
ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ବୌଦ୍ଧ ଡିଷ୍ଟିଲାରୀର କର୍ପୋରେଟ୍ ଅଫିସ ସମେତ ଦୁଇଟି ସ୍ଥାନରେ ଦୁଇ ଦିନ ହେଲା ଆଇଟି ରେଡ୍ ଜାରି ରହିଛି।
ଆୟକର ବିଭାଗ ସ୍କାନରରେ ସୁନ୍ଦରଗଡ଼ର ମଦ ବ୍ୟବସାୟୀ ରାଜକିଶୋର ଜୟସ୍ୱାଲ। ଗତକାଲିଠାରୁ ରାଜକିଶୋରଙ୍କ ରାଣୀବଗିଚା ସ୍ଥିତ ଘର, ଅଫିସ ଓ ସର୍ଗିପାଲିରେ ଥିବା ମଦଭାଟି ଉପରେ ରେଡ୍ କରୁଛି ଆଇଟି ଟିମ୍। ରାଜକିଶୋର କେତେ ଆୟକର ଫାଙ୍କିଛନ୍ତି? ତାଙ୍କଠାରୁ କେତେ ଟଙ୍କା ଜବତ ହୋଇଛି? ସେନେଇ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
ଆଜି ସକାଳେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ୍ ଉପରେ ଆଇଟି ରେଡ୍ କରିଥିଲା। କମ୍ପାନୀର ପଳାସପଲ୍ଲୀ ସ୍ଥିତ କର୍ପୋରେଟ୍ ଅଫିସ ଓ କିଛି ଅଧିକାରୀଙ୍କ ଘରେ ଚଢଉ କରିଥିଲା ଆୟକର ଟିମ୍। ଉତ୍ପାଦନ ଓ ବ୍ୟବସାୟ ସହ ଆୟକର ଯାଞ୍ଚ କରାଯାଇଛି। ସେପଟେ ବୌଦ୍ଧ ରାମ୍ଭିକଟା ସ୍ଥିତ କମ୍ପାନୀର ଫ୍ୟାକ୍ଟ୍ରୀ ଓ ଅଫିସରେ ମଧ୍ୟ ଚଢଉ ହୋଇଛି। ଆୟକର ବିଭାଗର ୨୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ।
ସେହିପରି କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ଚଢଉ କରିଛନ୍ତି ଆୟକର ଟିମ୍। ସେପଟେ ବଲାଙ୍ଗିର ଓ ଟିଟିଲାଗଡରେ ମଧ୍ୟ ଏକାଧିକ ମଦ ବ୍ୟବସାୟୀଙ୍କ ଉପରେ ଚଢଉ ହୋଇଛି। ମଦ ବ୍ୟବସାୟୀ ସଞ୍ଜୟ ସାହୁ ଓ ଦୀପକ ସାହୁଙ୍କ ଘର ଏବଂ ମଦଭାଟିରେ ଆୟକର ବିଭାଗର ୩୦ ଜଣିଆ ଟିମ ଚଢଉ କରିଛି। ଏହି ଲିଙ୍କରେ ଆୟକର ଟିମ୍ କୋଲକାତା ଓ ରାଞ୍ଚିରେ ମଧ୍ୟ ଚଢ଼ଉ କରିଥିବା ସୂଚନା ମିଳିଛି। ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମଡିଙ୍କ ଘରେ ରେଡ ହୋଇଛି।
ତେବେ ଆୟକର ଚଢଉ ନେଇ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡର ପ୍ରତିକ୍ରିୟା ମିଳିପାରିନାହିଁ।
୨୯ ଡିସେମ୍ବର ୨୦୦୮ରେ କୋଲକତାରେ ପଞ୍ଜିକୃତ ହୋଇଥିବା ଏହି କମ୍ପାନୀର ଓଡ଼ିଶାର ବିଭିନ୍ନ ଶାଖାରେ ବହୁ ବିଜନେସ୍ ରହିଛି। ଏହା ମୁଖ୍ୟତଃ ଏକ ମଦ ତିଆରି କାରଖାନା ବୋଲି ଜଣାଯାଇଛି। ଆୟଙ୍କର ଫାଙ୍କି ଅଭିଯୋଗରେ ଆଜି ସକାଳୁ ଏହି ଚଢ଼ାଉ ଆରମ୍ଭ କରାଯାଇଛି।
ଭୁବନେଶ୍ୱର ପଳାସପଲ୍ଲୀରେ ଥିବା କମ୍ପାନୀର କର୍ପୋରେଟ ଅଫିସ, ପୁରୁଣା ବିଏମସି ପଛ ପଟେ ଥିବା ଏକ ଘର, ଖୋର୍ଦ୍ଧାରେ ଥିବା ଫ୍ୟାକ୍ଟ୍ରିରେ ଚଢ଼ାଉ ଜାରି ରହିଛି।
ଏହି ଲିଙ୍କ୍ରେ ସମ୍ବଲପୁର, ବୌଦ୍ଧ, ବଲାଙ୍ଗିର ଓ ରାୟଗଡ଼ାରେ ମଧ୍ୟ ରେଡ୍ କରାଯାଇଛି। ବଲାଙ୍ଗିରର ସୁତପଡ଼ାରେ ଥିବା ଲାଇସେନ୍ସପ୍ରାପ୍ତ ମଦ ଭାଟି ଉପରେ ଆଜି ସକାଳୁ ଚଢ଼ାଉ ହୋଇଛି। ଆୟକର ବିଭାଗ ଟିମ୍ ଚଢ଼ାଉ କରିଥିବା ବେଳେ ସ୍ଥାନୀୟ ପୁଲିସ୍, ସିଆରପିଏଫ ଯବାନ ସେଠାରେ ମୁତୟନ ଅଛନ୍ତି। ସେଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।
ଟିଟିଲାଗଡ଼ର ଦୁଇ ମଦ ବ୍ୟବସାୟୀ ଦୀପକ ସାହୁ ଓ ସଞ୍ଜୟ ସାହୁଙ୍କ ଘର ଉପରେ ବି ଚଢ଼ାଉ ଜାରି ରହିଛି। ପ୍ରଥମେ ସଞ୍ଜୟ ସାହୁଙ୍କ ଘରକୁ ଆୟକର ଟିମ୍ ଯାଇଥିବା ବେଳେ ସେ ଘରେ ନ ଥିବା ଜଣାଯାଇଛି। ମାତ୍ର ତାଙ୍କ ଘରେ ଅନ୍ୟ ସଦସ୍ୟ ଥିବାରୁ ସେଠାରେ ଚଢ଼ାଉ ଚାଲିଥିବା ଜଣାଯାଇଛି। ଏହାବାଦ ଦୀପକ ସାହୁଙ୍କ ଘର ଉପରେ ଚଢ଼ାଉ ହୋଇଛି। ଦୀପକ ସାହୁଙ୍କ ମଦ ଭାଟି ବନ୍ଦ ରହିଛି। ତେଣୁ ଆୟକର ଚଢ଼ାଉ ନେଇ ସେମାନେ ଆଗୁଆ ସୂଚନା ପାଇଥିବା ନେଇ ଚର୍ଚ୍ଚା ହେଉଛି।
କମ୍ପାନୀ ସହ ଲିଙ୍କ ଅଭିଯୋଗରେ ବୌଦ୍ଧ ପୁରୁଣା କଟକର ବ୍ୟବସାୟୀ ଅଶୋକ କୁମାର ଅଗ୍ରୱାଲଙ୍କ ରାଣୀସତୀ ରାଇସ ମିଲ, ବାସଭବନ ଓ ଅନ୍ୟ ସ୍ଥାନରେ ବି ଆୟକର ବିଭାଗର ଚଢଉ ହେଉଛି ।
ଓଡ଼ିଶା ବାହାରେ କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ ହୋଇଥିବା ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍ଡିଙ୍କ ଘରେ ରେଡ୍ ଚାଲିଛି।
ଏକକାଳୀନ ଆୟକର ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ବେଳେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ସହ ସେମାନଙ୍କର କ’ଣ ଲିଙ୍କ ରହିଛି ତାହା ସ୍ପଷ୍ଟ ହୋଇନି।
ଗତ ୨୪ ତାରିଖରେ ରାଇଠାଣି ଗାଁର ରୀତା କୁମ୍ଭାରଙ୍କ ଘରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ରୀତା ଘର ଛାଡ଼ି କେଉଁଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ରୀତାଙ୍କ ପତ୍ତା ପାଇନଥିଲେ। ଆଜି ସକାଳେ ରୀତାଙ୍କ ମୃତଦେହ ମହାନଦୀ ଇରୀକେସନ୍ କଲୋନୀ ଘାଟରେ ଭାସୁଥିଲେ। ଗାଧୋଇବାକୁ ଆସିଥିବା ଗାଁ ଲୋକେ ଏନେଇ ପୁଲିସ୍କୁ ଖବର ଦେଇଥିଲେ।
ବୌଦ୍ଧ ପୁଲିସ୍ ମହାନଦୀ କୂଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକେ ତାଙ୍କୁ ଚିହ୍ନି ଥିଲେ। ରୀତା ନଦୀକୁ ଡେଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ସେପଟେ ପୁଲିସ୍ କହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ଗତକାଲି ବିଳମ୍ବିତ ରାତି ପ୍ରାୟ ୨ ଟା ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ଗୋଦାମ ଗୃହରୁ ହଠାତ୍ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁ ଲାଗିଥିବା ଦେଖି ସିକ୍ୟୁରିଟି ଗାର୍ଡ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଉପରିସ୍ଥ ଅଧିକାରୀ ସେଠାରେ ପହଞ୍ଚି ବୌଦ୍ଧ ଦମକଳ ବାହିନୀକୁ ଖବର ଦେବା ପରେ ସେମାନେ ଆସି ପ୍ରାୟ ୨ ଘଣ୍ଟା ପରେ ନିଆଁ କୁ ଆୟତ୍ତ କରିଥିଲେ।
ତେବେ ଏହି ଅଗ୍ନିକାଣ୍ଡରେ ବହୁ ମୂଲ୍ୟବାନ ଇଞ୍ଜେକସନ, ଔଷଧ ପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ବହୁ ଇଲେକ୍ଟ୍ରିକାଲ ଉପକରଣ ତଥା ଡିପ ଫ୍ରିଜର, ଏସି ଆଦି ମଧ୍ୟ ପୋଡ଼ି ନଷ୍ଟ ହୋଇ ଯାଇଛି । ତେବେ ନଷ୍ଟ ହୋଇଥିବା ଔଷଧ ର ମୂଲ୍ୟ ଲକ୍ଷାଧୀକ ଟଙ୍କା ହେବ ବୋଲି ସୂଚନା ମିଳିଛି।
ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣା ପଡିଛି। ତଦନ୍ତ ପରେ ହିଁ ପ୍ରକୃତ ସତ୍ୟା ସତ୍ୟ ସାମ୍ନା କୁ ଆସିବ ବୋଲି ସୂଚନା ମିଳିଛି।
ବୌଦ୍ଧ ଏସ୍ପିଙ୍କ ସ୍ପେଶାଲ୍ ସ୍କ୍ୱାର୍ଡରେ ନିୟୋଜିତ ହୋଇଥିଲେ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁ। ଗଞ୍ଜେଇ ଚାଷ ହେଉଥିବା ବିଭିନ୍ନ ଗାଁକୁ ସେ ଯାଉଥିଲା। ଆଉ ଏସ୍ପିଙ୍କ ନାଁ କହି ଗାଁରେ ବୈଠକ କରୁଥିଲା। ପରେ ଟଙ୍କା ମାଗୁଥିଲା। କେଉଁ ଗାଁରୁ ୧୦ ଲକ୍ଷ ଆଣୁଥିଲା ତ ଆଉ କେଉଁ ଗାଁରୁ ୭ ଲକ୍ଷ ଟଙ୍କା ଆଣୁଥିଲା। ଆଉ କେଉଁ ଗାଁରୁ ୬ ଲକ୍ଷ ଟଙ୍କା ଆଣୁଥିଲା। ଗାଁ ଲୋକ ଟଙ୍କା ଦେବାକୁ ମନା କଲେ, ଚାଷ ହୋଇଥିବା ଗଞ୍ଜେଇ ନଷ୍ଟ କରିଦିଆଯିବ ବୋଲି ଧମକ ଦେଉଥିଲା। କିଛି ଉପାୟ ନପାଇ ଗାଁ ଲୋକେ ଟଙ୍କା ଦେଉଥିଲେ।
ଆଜି କାଲି କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କ ବେଳା ଭଲନାହିଁ। କିଛି ତଳେ ସେ ବଘିଆପଡ଼ା ଫାଣ୍ଡି ତେଞ୍ଜାବାଲି ଗାଁକୁ ଯାଇଥିଲା। ଗାଁ ଲୋକଙ୍କ ସହିତ ବୈଠକ କରିଥିଲା। ଗଞ୍ଜେଇ ଚାଷ କରୁଥିବାରୁ ୬ ଲକ୍ଷ ଟଙ୍କା ଦେବାକୁ କହିଥିଲା। କିନ୍ତୁ ଗାଁ ଲୋକେ ଅସହାୟତା ପ୍ରକାଶ କରିଥିଲେ। ହେଲେ ସେ ଗାଁ ଲୋକଙ୍କୁ ଧମକଚମକ ଦେଇଥିଲା। ଟଙ୍କା ନଦେଲେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଦେବୁ ବୋଲି କହିଥିଲା। ଏହା ପରେ ଗାଁ ଲୋକେ ରାଜି ହୋଇଥିଲେ।
କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାଁ ଲୋକେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ହରୀଶ ସାହୁଙ୍କ ପୂରା କଳା ଚିଠା ସମ୍ପର୍କରେ ସୂଚନା ଦେଇଥିଲେ। ଯୋଜନା ମୁତାବକ କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁଙ୍କୁ ଟଙ୍କା ନେବା ପାଇଁ ଗାଁ ଲୋକେ ଆଜି ଡାକିଥିଲେ। ଡାକରା ପାଇଁ ଟଙ୍କା ଆଣିବା ପାଇଁ ଯାଇଥିଲା ହରୀଶ। ଗାଁ ଲୋକଙ୍କଠାରୁ ୬ ଲକ୍ଷ ଟଙ୍କାଧରି ଫେରୁଥିଲା। ବଘିଆପଡ଼ା ଫାଣ୍ଡିଠାରୁ ଅଳ୍ପ ଦୂରରେ ସାଦା ପୋଷାକରେ ଛପି ରହିଥିବା ଭିଜିଲାନ୍ସ ଟିମ୍ ଧରିଥିଲା। ତା’ଠାରୁ ୬ ଲକ୍ଷ ଟଙ୍କା ଜବତ କରିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତା’କୁ ଧରିଛି।
ଅଭିଯୋଗରୁ ପ୍ରକାଶ, କନଷ୍ଟେବଲ୍ ହରୀଶ ଚନ୍ଦ୍ର ସାହୁ ପେଶାଦାର ଲାଞ୍ଚୁଆ। ପୂର୍ବତନ ଏସ୍ପିଙ୍କ ନାଁରେ ଟଙ୍କା ଆଦାୟ କରୁଥିଲା। ଏହି ମାମଲାରେ ଧରାପଡ଼ି ସସ୍ପେଣ୍ଡ ହୋଇଥିଲା। ପରବର୍ତ୍ତୀ ସମୟରେ ତାଙ୍କୁ ପୁଣି ଥରେ ଚାକିରିରେ ଅବସ୍ଥାପିତ କରାଯାଇଥିଲା। ଏଥର ତାଙ୍କ ଏସ୍ପିଙ୍କ ସ୍ପେଶାଲ୍ ସେଲ୍ରେ ନିୟୋଜିତ କରାଯାଇଥିଲା। ଏହାର ସୁଯୋଗ ନେଇ ସେ ଏସ୍ପିଙ୍କ ନାଁରେ ଚାନ୍ଦା ଆଦାୟ କରୁଥିଲା।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
କନକପୁର ଗ୍ରାମର ଅବଧୁତ ତରିଆ ଓ ବିରେନ ବିଶିଙ୍କ ପରିବାର ମଧ୍ୟରେ ଚାଷ ଜମିରେ ପାଣିମଡାଇବାକୁ ନେଇ ଦୀର୍ଘ ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ଅବଧୁତ ତରିଆ କୌଣସି କାମରେ ଯାଉଥିବା ବେଳେ ବିରେନ ବିଶିଙ୍କ ପରିବାର ପକ୍ଷରୁ ଗାଁ ଦାଣ୍ଡରେ ତାଙ୍କୁ ଅଟକା ଯାଇଥିଲା।
ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ହେବାରୁ ବିଶିଙ୍କ ପରିବାର ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଠେଙ୍ଗାରେ ପିଟିବା ସହ ଅବଧୁତଙ୍କୁ ପଥରରେ ଛେଚିଥିଲେ।
ଗୁରୁତର ଆହତ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବାଉଁଶୁଣି ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଏନେଇ ବାଉଁଶୁଣି ପୁଲିସ ଥାନାରେ ଅଭିଯୋଗ ହୋଇଥିବା ବେଳେ ବିଶିଙ୍କ ପରିବାର ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି କରୁଛି ବାଉଁଶୁଣି ଥାନା ପୁଲିସ।
ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୋଡାସିଙ୍ଗା ଗ୍ରାମରେ ଏକ ପାଗଳ କୁକୁର ହଠାତ୍ ଗାଆଁ ଦାଣ୍ଡରେ ଲୋକଙ୍କୁ ଦେଖି ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା । କିଛି ଲୋକ କୁକୁର କାମୁଡ଼ାରୁ ବର୍ତ୍ତି ଯାଇଥିବା ବେଳେ ଗ୍ରାମର ଭାଗବତ ଅମାତ, ଲମ୍ବୋଦର ବେହେରା ଓ ସୁଷମା ବେହେରା କୁକୁର କାମୁଡ଼ାର ଶିକାର ହୋଇଛନ୍ତି l
ସମସ୍ତ ଆହତଙ୍କ ହାତକୁ କୁକୁର କାମୁଡ଼ିଥିବା ବେଳେ ଗ୍ରାମବାସୀ ଠେଙ୍ଗା ବାଡି ଧରି ପାଗଳ କୁକୁରକୁ ଘଉଡାଇ ଦେଇଛନ୍ତି । ସେପଟେ ପାଗଳ କୁକୁର ଭୟରେ ଗ୍ରାମବାସୀ ସମସ୍ତଙ୍କ ଘରେ କବାଟ ବନ୍ଦ କରି ରହିଥିବା ବେଳେ ବାହାରକୁ କେହି ବାହାରୁ ନଥିବା ଜଣା ପଡିଛି l ଆହତ ସମସ୍ତେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି ।
ବଲାକିରା ଗାଁର ବାପୁନ୍ ସାହୁ, କରନ୍ ମହକୁଲ ଓ ଜଡାପାଲ୍ ଗ୍ରାମର ସୁମନ୍ତ ସାହୁ ବିଲ କାମ କରିବା ପାଇଁ ଯାଇଥିଲେ। କାମ ସାରି ଅପରାହ୍ନରେ ଘରକୁ ଫେରୁଥିଲେ। ଠିକ୍ ସେହି ସମୟରେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ବର୍ତ୍ତିବା ପାଇଁ ବାପୁନ୍, କରନ ଓ ସୁମନ୍ତ ରାସ୍ତା ପାର୍ଶ୍ୱରେ ଥିବା ବଡ ଗଛ ମୂଳରେ ଆଶ୍ରୟ ନେଇଥିଲେ।
ଗଛ ମୂଳରେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଥିଲା। ଘଟଣା ସ୍ଥାନରେ କରନ ମହକୁଲଙ୍କ ମୃତ୍ୟୁ ଘଟିଥିଲା। ତେବେ ବାପୁନ୍ ଓ ସୁମନ୍ତ ଚେତା ହରାଇ ସେଠାରେ ପଡ଼ିଥିଲେ। ପଥଚାରୀମାନେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି।
ରିପୋର୍ଟ- ବୌଦ୍ଧରୁ ଦୀପକ କୁମାର ଅଦର
ସୂଚନା ଅନୁଯାୟୀ, ଆଜି ସକାଳେ ଗାଁ ଦାଣ୍ଡରେ ରମେଶଙ୍କ ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏ ନେଇ ବୌଦ୍ଧ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ। ଏହାସହ ରମେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବାକୁ ଗଲେ ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ପଳାଇଥିବା ସନ୍ଦେହ କରାଯାଉଛି।
ରମେଶଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ରମେଶଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାଙ୍କର କାହା ସହିତ ପୂର୍ବ ଶତ୍ରୁତା ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ଘରୋଇ କଳିକୁ ନେଇ ଆଜି ଅପରାହ୍ନ ସମୟରେ ବାଉଁଶୁଣି ଥାନା ଜମଘାଟି ଗାଁର ଚକ୍ର ପ୍ରଧାନଙ୍କ ସହିତ ତାଙ୍କ ସାନ ଭାଇ ମକର ପ୍ରଧାନ ସାମାନ୍ୟ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଏଥିସରେ ଉତ୍କ୍ଷିପ୍ତ ହୋଇ ମକର ପ୍ରଧାନ କୋଦାଳରେ ବଡ଼ ଭାଇ ଚକ୍ରଙ୍କୁ ପିଟିପିଟି ହତ୍ୟା କରିଥିଲା।
ସାହିଭାଇ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମକର ପ୍ରଧାନକୁ ଗିରଫ କରିଛି। ଅନ୍ୟପକ୍ଷରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କୋଦାଳକୁ ମଧ୍ୟ ପୁଲିସ୍ ଜବତ କରିଛି। ପାରିବାରିକ ଗଣ୍ଡଗୋଳରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ମନମୁଣ୍ଡା ଥାନା କୁମାର କାନି ଗ୍ରାମର କଳସୀବୁଡ଼ା ଘାଟରେ ଏକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। ବାହାର ରାଜ୍ୟରେ ଶ୍ରମିକମାନେ ଆସି ଏହି ପାଣି ଟାଙ୍କିର ନିର୍ମାଣଧୀନ କାର୍ଯ୍ୟ କରୁଛନ୍ତି। ନିକଟରେ ଶ୍ରମିକମାନେ ଟେଣ୍ଟ ପକାଇ ରହି କାମ କରୁଛନ୍ତି। ମୃତ ଶ୍ରମିକ ଜଣଙ୍କ ମଧ୍ୟ ସେଠାରେ ରହୁଥିଲେ। ଗତକାଲି ରାତିରେ ଶ୍ରମିକମାନେ ଭୋଜିଭାତ କରିଥିଲେ। ଭୋଜି ଭାତରେ କୌଣସି କଥାକୁ ନେଇ ଶ୍ରମିକମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଶ୍ରମିକମାନେ ଜଣେ ଶ୍ରମିକଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପରେ ମୃତଦେହ ଉପରେ ଅଖା ବସ୍ତା ଘୋଡ଼ାଇ ଦେଇ ସବୁ ଶ୍ରମିକ ପଳାଇଛନ୍ତି। ଆଜି ସକାଳେ ସ୍ଥାନୀୟ ଲୋକେ ଶ୍ରମିକଙ୍କ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ମୃତ ଶ୍ରମିକଙ୍କ ମୃତଦେହ ନିକଟରେ କାଠ ଫାଳିଆ, ମଦ ବୋତଲ ଓ ରୋଷେଇ ସାମଗ୍ରୀ ପଡ଼ିଛି।
ସୂଚନା ଅନୁଯାୟୀ. ଯୋଗୀଭଗୋରା ଗ୍ରାମରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ଯ୍ୟକୁ ସୁରକ୍ଷା ଦେବା ପାଇଁ ସିକ୍ୟୁରିଟି ଗାର୍ଡ ନିଯୁକ୍ତ କରାଯାଇଥିଲା। ରାତିରେ ଜଣେ ସିକ୍ୟୁରିଟି ଗାଡ ଜଗୁଥିବା ବେଳେ ଦିନରେ ଜଣେ ସିକ୍ୟୁରିଟି ଜଗୁଥିଲେ। ରାତିରେ ରଞ୍ଜନ ଦାୟିତ୍ୱରେ ରହୁଥିବା ବେଳେ ଦିନରେ ପ୍ରକାଶ ରହୁଥିଲେ। ଗତକାଲି ରାତିରେ ରଞ୍ଜନ ଦାୟିତ୍ୱ ଥିବା ବେଳେ ପ୍ରକାଶ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି କଥାକୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ପ୍ରକାଶ ଏକ ଟାଙ୍ଗିଆ ଆଣି ରଞ୍ଜନ ହାଣି ହତ୍ୟା କରିଥିଲେ। ଘଟଣାସ୍ଥଳରେ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା।
ପରେ ପ୍ରକାଶ ଥାନାରେ ଯାଇ ଆତ୍ମସର୍ମପଣ କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଗୀରାସୀଙ୍ଗା ଗାଁର କିଛି ଲୋକ ସାଳୁଙ୍କି ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ନଦୀ ପଠାରେ ଥିବା ଏକ ଗଛରେ ଦିନେଶଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ \ ଆଦର୍ଶ ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଦିନେଶ ବାପାମା’ଙ୍କ ଦେହାନ୍ତ ହେବା ପରେ ଗୀରାସୀଙ୍ଗା ଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରହୁଥିଲେ। ପ୍ରେମ ଜନିତ କାରଣରୁ ଦିନେଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଦିନେଶଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।
ହରଭଙ୍ଗା ବ୍ଲକ ସାମ୍ପୋଚ ଗାଁର ଭୋଲାନାଥ ସ୍ୱାଇଁଙ୍କ ପତ୍ନୀ କସ୍ତୁରୀ ଆଜି ଜମି ସକାଳେ ବିଲକୁ ତଳି ରୋଇବାକୁ ଯାଇଥିଲେ। ସେହି ସମୟରେ ସେ ଅନ୍ୟ ଜଣେ ପୁରୁଷଙ୍କ ସହିତ କଥା ହେଉଥିଲେ। ଏପରି କଥାବାତ୍ତା ଦେଖି ନେଇଥିଲେ ତାଙ୍କ ସ୍ୱାମୀ ଭୋଳାନାଥ। ଯାହାକୁ ନେଇ ଉତ୍ତ୍ୟକ୍ତ ହୋଇଯାଇଥିଲେ। ପରେ ଘରକୁ ଫେରି ଟାଙ୍ଗିଆ ଧରି ସ୍ତ୍ରୀଙ୍କ ଫେରିବା ବାଟକୁ ଅନାଇ ବସିଥିଲେ।
କାମ ସରିବା ପରେ କସ୍ତୁତି ଘରକୁ ଫେରୁଥିଲେ। ରାଗରେ ଜର୍ଜରିତ ଥିବା ଭୋଳାନାଥ କିଛି ପଚରାଉଚରା କରିବା ପରିବର୍ତ୍ତେ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ରକ୍ତାକ୍ତ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ କସ୍ତୁରୀ। ରକ୍ତ ମୁଖା ହୋଇଥିବା ଭୋଳାନାଥ ଟାଙ୍ଗିଆ ଧରି ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଛି ଉପାୟ ନପାଇ କସ୍ତୁରୀ ଘରେ ପଶି କବାଟ କିଳିବା ବେଳେ ଭୋଳାନାଥ ତାଙ୍କ ବେକରେ ଚୋଟଟିଏ ପକାଇଥିଲେ। ଆଉ ତା’ପରେ ସେଇଠାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଯାଇଥିଲେ କସ୍ତୁରୀ। ସେଇଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ପତ୍ନୀଙ୍କୁ ହତ୍ୟା କରିବା ପରେ ଭୋଳାନାଥ ପୁଲିସ୍କୁ ଫୋନ୍ କରି ଏନେଇ ଖବର ଦେଇଥିଲା। ବୌଦ୍ଧ ଆଦର୍ଶ ଥାନା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଭୋଲାନାଥ ଆତ୍ମସମର୍ପଣ କରିଥିଲା। ପୁଲିସ୍ ମୃତଦେହ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ସେପଟେ ପୁଲିସ୍ ଭୋଲାନାଥକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ରିପୋର୍ଟ- ବୌଦ୍ଧରୁ ଦୀପକ ଅଦଳର
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ କ୍ଲାସରୁମରେ ହିଁ ମଦ ପିଉଥିବା ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଜାବର୍ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସ୍କୁଲ ଭଳି ପବିତ୍ର ସ୍ଥାନରେ ଖୋଦ ପ୍ରଧାନ ଶିକ୍ଷକ ମଦ ପିଇ ମାତାଲ ହେବା ସମସ୍ତଙ୍କୁ ଚକିତ କରିଛି। ପ୍ରଧାନ ଶିକ୍ଷକ ସୁନୀଲ କୁମାର ନିଜ ସହକର୍ମୀଙ୍କ ସହିତ ମିଶି ଏପରି କାଣ୍ଡ ଘଟାଇଛନ୍ତି।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ମହାଲିକପଡ଼ା ପଞ୍ଚାୟତ ଅନ୍ତର୍ଗତ ଜାବର ପ୍ରାଥମିକ ବିଦ୍ୟାଳୟରେ ଗତ ଶୁକ୍ରବାର ପୂରା ଘଟଣା ଘଟିଥିଲା। ପ୍ରଧାନ ଶିକ୍ଷକ ସୁନୀଲ କୁମାର ଦାସ ସ୍କୁଲର ଶ୍ରେଣୀ ଗୃହ ଭିତରେ ନିଜ ସହକର୍ମୀଙ୍କ ସହିତ ମଦ୍ୟପାନ କରୁଥିବା ଖବର ମିଳିଥିଲା। ଏହାପରେ କେହି ଜଣେ ଗୁପ୍ତ ଭାବେ ସୁନୀଲ କୁମାରଙ୍କ ଏପରି କାରନାମାର ଭିଡିଓ ଶୁଟିଂ କରି ଦେଇଥିଲା। ଏହା ଭାଇରାଲ ହେବା ପରେ ସମସ୍ତେ ଘଟଣା ବିଷୟରେ ଜାଣିବାକୁ ପାଇଛନ୍ତି।
ସ୍କୁଲର ମଧ୍ୟାହ୍ନ ଭୋଜନ ସମୟରେ ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ ଦେବା ବଦଳରେ ପ୍ରଧାନ ଶିକ୍ଷକ ସୁନୀଲ ମାଲ୍ ପିଇଥିଲେ। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇବାକୁ ଅପେକ୍ଷା କରିଥିବା ବେଳେ ସୁନୀଲ କିନ୍ତୁ ମଦ ପିଇବାରେ ବ୍ୟସ୍ତ ଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ଜିଲ୍ଲାର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଥିବା ବିଦ୍ୟାଳୟରେ ଦୈନିକ ଏଭଳି କାମ ଚାଲିଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ଶିକ୍ଷାର ମନ୍ଦିରରେ ଏପରି ମଦର ଆସର ଜମୁଥିବା ଚର୍ଚ୍ଚା ହେଉଛି।
ଏବେ ଜାବର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଏଭଳି ଘଟଣାକୁ ଜିଲ୍ଲା ଶିକ୍ଷା ବିଭାଗ ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ପାଇଁ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ମିଳିଥିବା ସୂଚନା ମିଳିଛି।
ରିପୋର୍ଟ : ଦୀପକ ଅଧର
ଗତକାଲି ପ୍ରିନ୍ସପାଲ ସ୍କୁଲରେ ବୈଠକ ଡାକିଥିଲେ। ଏହି ବୈଠକରେ ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଥିଲା। ୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ। ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କୁ ଫୋନ୍ କରିବାକୁ କହିଥିଲେ। ପିଲାମାନେ ବାହାରେ ବର୍ଷାରେ ଭିଜି ନିଜର ବାପାମା’ଙ୍କୁ ଜଣାଇଥିଲେ। ଅଭିଭାବକମାନେ ଆସିବା ପର୍ଯ୍ୟନ୍ତ ପିଲାମାନେ ବାହାରେ ବର୍ଷାରେ ଭିଜୁଥିଲେ।
ଅଭିଭାବକ ସ୍କୁଲରେ ପହଞ୍ଚି ପ୍ରିନ୍ସପାଲଙ୍କର ଏପରି କାମକୁ ନିନ୍ଦା କରିଥିଲେ। ଏହା ସହ ପ୍ରିନ୍ସପାଲଙ୍କ ସହ ଆଲୋଚନା କରିଥିଲେ। ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବେ ବୋଲି ଅଭିଭାବକମାନେ କହିଥିଲେ।
ଜଣେ ଅଭିଭାବକ କହିଛନ୍ତି, ଗତକାଲି ପ୍ରିନ୍ସପାଲ ବୈଠକ ଡାକିଥିଲେ। କୌଣସି କାମ ପାଇଁ ବୈଠକକୁ ଆସିପାରିଲୁ ନାହିଁ। ଏଥିପାଇଁ ପ୍ରିନ୍ସପାଲ ଆମ ପିଲାଙ୍କୁ ଶ୍ରେଣୀ ଗୃହର ବାହାରକୁ କାଢ଼ି ଦେଇଥିଲେ। ଆମ ପିଲାମାନେ ବର୍ଷାରେ ଭିଜି ବାହାରା ଠିଆ ହୋଇଥିଲେ। ଯଦି ଆମେ ବୈଠକକୁ ନ ଆସିନପାରିଲୁ ତାହାହେଲେ ପିନ୍ସପାଲ ଆମକୁ ସମୟ ଦେବାର ଥିଲା। ଏପରି କରିବା ଠିକ୍ ନଥିଲା। ଏହାକୁ ଆମେ ନିନ୍ଦା କରୁଛି।
ଅନ୍ୟପକ୍ଷରେ ପ୍ରିନ୍ସପାଲ କହିଛନ୍ତି, ଗତକାଲି ବୈଠକ ଡକାଯାଇଥିଲା। ଏହି ବୈଠକରେ ଯୁକ୍ତ ଦୁଇ ଓ ଦଶମ ଶ୍ରେଣୀର ଅଭିଭାବକ ମାନେ ଉପସ୍ଥିତ ରହିବାକୁ କୁହାଯାଇଥିଲା। ହେଲେ କିଛି ପିଲାଙ୍କ ଅଭିଭାବକ ଆସିନଥିଲେ। ଆମେ ବାରମ୍ବାର ବୈଠକକୁ ଡାକିବା ସତ୍ତ୍ୱେ ସେମାନେ ଆସୁ ନାହାନ୍ତି। ଏଥିପାଇଁ ପିଲାମାନଙ୍କୁ ବାହାରକୁ ଯାଇ ସେମାନଙ୍କ ବାପାମା’ଙ୍କ ଫୋନ୍ କରିବାକୁ ମୁଁ କହିଥିଲି। ପିଲାଙ୍କ ପାଠପଢ଼ା ବିଷୟରେ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନା କରିବାକୁ ବୈଠକ ଡକାଯାଇଥିଲା। ହେଲେ ସେମାନେ ଏହାର ଅଲଗା ଅର୍ଥ ବାହାର କରୁଛନ୍ତି।
ଗିରଫ ବାପଝିଅଦ୍ୱୟ ହେଲେ ଉତ୍ତମ ପ୍ରଧାନ ଓ ତାଙ୍କ ଝିଅ ସାବିତ୍ରୀ ମାଝୀ । ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବିଭାଗର ସର୍ଚ୍ଚ ଅପରେସନ ବେଳେ ଏହି ୨ ଜଣ ଗିରଫ ହୋଇଛନ୍ତି।
ଗତକାଲି କୁସଙ୍ଗ ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନ କରାଯାଇ ପଦ୍ମତୋଲା ବିଟ୍ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା । ତେବେ ସେହି ସମୟରେ ସେଠାରେ ରହୁଥିବା ଉତ୍ତମ ପ୍ରଧାନଙ୍କ ଘରେ ବନ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ତାଙ୍କ ଘରୁ ଦୁଇଟି ଦେଶୀ ବନ୍ଧୁକ ସହିତ ଗୋଟିଏ ଟାଙ୍ଗିଆ ଜବତ ହୋଇଥିବା ବେଳେ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ତାର, ବିଷାକ୍ତ ଗୋଳା ଫାସ ସମେତ ବହୁ ବଜ୍ରକାପ୍ତା କାତି ମଧ୍ୟ ଜବତ ହୋଇଥିଲା ।
ଏନେଇ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ସେମାନଙ୍କୁ ଗୁଡ଼ାଇତୁଡ଼ାଇ ପଚାରିଥିଲେ। ବାପ ଝିଅ ଦୁହେଁ ଏହି ଶିକାର କାର୍ଯ୍ୟରେ ସାମିଲ ଥିବାରୁ ଦୁଇ ଜଣକୁ ଗିରଫ କରାଯାଇ ଚରିଛକ କୋର୍ଟଚାଲାଣ କରାଯାଇଥିବା ସୂଚନା ମିଳିଛି।
ନିଖୋଜ ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ଧଉରାଗୋଠ ଗ୍ରାମର ରବି ଧଳଙ୍କ ମଝିଆ ଝିଅ ସସ୍ମିତା ଧଳ ବୋଲି ଜଣାଯାଇଛି। ୨୦୧୮ମସିହା ସେପ୍ଟେମ୍ବର ୧୭ ତାରିଖରେ ସସ୍ମିତା ନିଜ ଭାଉଜଙ୍କ ସହ ଟୁସର ଗ୍ରାମରେ ଥିବା ମା’ ମଙ୍ଗଳାଙ୍କ କୋଠିକୁ ଯାଇଥିଲେ। ସେଠାରେ ପୂଜା ସରିବା ପରେ ନଣନ୍ଦ, ଭାଉଜ ଘରକୁ ବାହାରିଥିଲେ।
ସେତେବେଳେ ମା’ ମଙ୍ଗଳାଙ୍କ ବେଶ ଧରିଥିବା ରୀତାଞ୍ଜଳି ସସ୍ମିତା ଧଳଙ୍କୁ ଅଟକାଇ ଦେଇଥିଲେ। ଏପରିକି ଘରେ କାମ ଅଛି ବୋଲି ସସ୍ମିତା କହିଥିବା ବେଳେ ରୀତାଞ୍ଜଳି ରାଗିଯାଇ ମା’ଙ୍କ ସେବା କର ଘର କାମ ଭୁଲିଯା’ ବୋଲି କହିଥିଲେ । ତା’ ପରେ ସାଙ୍ଗରେ ଯାଇଥବା ତାଙ୍କ ଭାଉଜ ଏକା ଗାଁକୁ ଫେରିଥିଲେ।
ଏହାର ୨ ଦିନ ପରେ ଯେତେବେଳେ ସସ୍ମିତାଙ୍କ ବାପା ରବି ଧଳ ଝିଅକୁ ଆଣିବାକୁ ଯାଇ ଥିଲେ ସେ ସମୟରେ ଝିଅ ମଙ୍ଗଳା କୋଠିରେ ନ ଥିଲା। ଝିଅ କୁଆଡ଼େ ଗଲା ବୋଲି ସସ୍ମିତାଙ୍କ ବାପା ରୀତାଞ୍ଜଳିଙ୍କୁ ପଚାରିବାରୁ ତୁମ ଝିଅ ଭୋରରୁ କୁଆଡ଼େ ଚାଲି ଯାଇଛି ଆମେ ଜାଣିନୁ ବୋଲି କହିଥିଲେ।
ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ଝିଅ ସସ୍ମିତାର ଟେର୍ ପାଇ ପାରି ନ ଥିଲେ । ଏହାପରେ ଏନେଇ ସେମାନେ ଅନୁଗୋଳ ଜିଲ୍ଲାର କିଶୋରନଗର ଥାନାରେ ଏକ ମିସିଂ କେସ୍ ଦେଇଥିଲେ।
ଏହି ଘଟଣାକୁ ୫ ବର୍ଷ ବିତିବା ପରେ ବି ପରିବାର ଲୋକେ ଝିଅର ବାଟକୁ ଅନାଇ ଆଖିରୁ ଲୁହ ଗଡ଼ାଉଛନ୍ତି। ଏବେ ସଞ୍ଜୀବ ବିଶ୍ୱାଳ ଘଟଣା ସାମ୍ନାକୁ ଆସିବା ପରେ ଖୋଲିବାକୁ ଲାଗୁଛି ଗୋଟେ ପରେ ଗୋଟେ ଗୁମର । ତେଣୁ ରୀତାଞ୍ଜଳି ସସ୍ମିତାଙ୍କର ବି ସଞ୍ଜୀବଙ୍କ ପରି ଅବସ୍ଥା କରି ନାହାନ୍ତି ତ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ସସ୍ମିତା ନିଖୋଜ ହେବା ପଛର ରହସ୍ୟ କ’ଣ ଜାଣିବାକୁ ଅନାଇ ବସିଛନ୍ତି ତାଙ୍କ ପରିବାର ଲୋକେ।
ଏନେଇ ସସ୍ମିତାଙ୍କ ମା’ କହିଛନ୍ତି, ମୋ ଝିଅ ମା’ ପାଖକୁ ଯାଇ ଆଉ ଘରକୁ ଫେରିଲାନି। ୨ ଦିନ ପରେ ଯିବାରୁ କହିଲେ ତମ ଝିଅ ଆମ ପାଖରେ ନାହିଁ। ଭାବିଲି ବିକିଦେଲେ। ହେଲେ ଏବେ ଭାବୁଛୁ ଆମ ଝିଅକୁ ବି ସେ ବଳି ଦେଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ସୁବର୍ଣ୍ଣପୁର ଗାଁର ସଞ୍ଜୀବ ବିଶ୍ୱାଳ ନିଜ ମାଆ ବାସନ୍ତୀ ବିଶ୍ୱାଳଙ୍କ ସହ ଟୁସର ଗାଁରେ ଥିବା ମଙ୍ଗଳା କୋଠିକୁ ଯାଇଥିଲେ। ସେହିଦିନ ରାତିରେ ମଙ୍ଗଳା କୋଠି ଚଳାଉଥିବା ରୀତାଞ୍ଜଳି ବାଘଙ୍କ ପରାମର୍ଶରେ ସଞ୍ଜୀବ ଅଧିଆ ପଡ଼ିଥିବା ବେଳେ ତାଙ୍କ ମା’ ଅନ୍ୟ ଏକ କୋଠରୀରେ ଶୋଇଥିଲେ। ତା’ପର ଦିନ ଅର୍ଥାତ ୨୩ ତାରିଖ ସକାଳ ପ୍ରାୟ ୫ଟା ସମୟରେ ପୁଅ ନଥିବା ଦେଖି ମାଆ ବାସନ୍ତୀ ବିଶ୍ୱାଳ ବ୍ୟସ୍ତ ହୋଇପଡ଼ିଥିଲେ। ପୁଅକୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ସଞ୍ଜୀବଙ୍କର କୌଣସି ପତ୍ତା ପାଇନଥିଲେ। ଗତ ୨୮ ତାରିଖରେ ନିଖୋଜ ନାବାଳକଙ୍କ ଗଳିତ ଝୁଲନ୍ତା ମୃତଦେହ ବାରେଣୀ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା।
ଏହି ଖବର ପ୍ରଚାର ହେବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଞ୍ଜୀବଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ଆଣି ଗାଁ ଲୋକେ ଗତ ଶୁକ୍ରବାର ବାରେଣୀ ଛକରେ ରାସ୍ତାରୋକ କରିଥିଲେ। ଉତ୍ତ୍ୟକ୍ତ ଲୋକେ ବୁଝାସୁଝା କରିବାକୁ ଯାଇଥିବା ପୁଲିସ୍ର ଗାଡ଼ିକୁ ଜାଳି ଦେଇଥିଲେ।
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସବଡିଭିଜନ ଅନ୍ତର୍ଗତ ବେଲାଡୋଲା ଗ୍ରାମର ପଞ୍ଚାନନ ମେହେର ନାମକ ଜଣେ ବୁଣାକାର ସୋନପୁର ଜିଲ୍ଲା ସୁବଳୟା ଅଞ୍ଚଳର ଡୋଳାମଣୀ ମେହେର ନାମକ ମହାଜନଙ୍କ ଅଧୀନରେ କାମ କରୁଥିଲେ। ମାତ୍ର ସ୍ୱଳ୍ପ ପାରିଶ୍ରମିକ ମିଳୁଥିବା ଅଭିଯୋଗ କରି ସେ ତାଙ୍କ ଅଧୀନରେ କାମ କରିବାକୁ ମନା କରି ଦେଇଥିଲେ। ତେବେ ଏଥିରେ ଉତ୍କ୍ଷିପ୍ତ ହୋଇ ମହାଜନ ଡୋଳାମଣୀ ପଞ୍ଚାନନଙ୍କ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ପ୍ରାୟ ଏକ ସପ୍ତାହ ହେଲା ପଞ୍ଚାନନ ଏବଂ ତାଙ୍କ ପରିବାର ଜୀବନ ଭୟରେ ଘରଦ୍ୱାର ଛାଡି ବରଗଡ଼ ପଳାଇ ଆସି ରହିଥିଲେ। ସେଠାରେ କିଛି ଦିନ ରହିବା ପରେ ପଞ୍ଚାନନ ନିଜ ପରିବାର ନେଇ ବୌଦ୍ଧରେ ଥିବା ସମ୍ପର୍କୀୟଙ୍କ ଘରକୁ ପଳାଇଯାଇଥିଲେ। ସେଠାରେ ପଞ୍ଚାନନ ଅନୁଗୋଳ ଏସପିଙ୍କୁ ଭେଟି ଘଟଣାସମ୍ପର୍କରେ ଜଣାଇବା ସହ ସୁରକ୍ଷା ଓ ନ୍ୟାୟଭିକ୍ଷା କରିଥିଲେ। ହେଲେ ଏସ୍ପି କିଛି ବୁଝିନଥିଲେ। ଏନେଇ ପଞ୍ଚାନନ ନିରାଶ ହୋଇଯାଇଥିଲେ।
ପରେ ସେ କିଆକଟା ASI ନବୀନ ଶତପଥୀଙ୍କୁ ଭେଟି ଘଟଣା ସମ୍ପର୍କରେ କହିଥିଲେ। ASI ଏହି ଘଟଣାର ସମାଧାନ କରିଦେବେ ବୋଲି କହିଥିଲେ।ଏଥିପାଇଁ ପଞ୍ଚାନନଙ୍କୁ ୨୦ହଜାର ଟଙ୍କା ମାଗିଥିଲେ। ହେଲେ ପଞ୍ଚାନନ ୨୦ ହଜାର ଟଙ୍କା ଦେଇ ପାରିବେନି ବୋଲି କହିଥିଲେ। ୧୫ହଜାର ଟଙ୍କା ଦେବେ ବୋଲି କଥା ଛିଣ୍ଡିଥିଲା।
ଅଗ୍ରୀମ ବାବଦକୁ ନବୀନ ୨ହଜାର ଟଙ୍କା ନେଇଥିଲେ। ବକେୟା ଟଙ୍କା ପରେ ଦେବାକୁ ପଞ୍ଚାନନଙ୍କୁ ନବୀନ କହିଥିଲେ। ଏନେଇ ପଞ୍ଚାନନ ବ୍ରହ୍ମପୁର ଭିଜିଲାନ୍ସ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଅଧିକାରୀମାନେ ନିର୍ଦ୍ଦିଷ୍ଟ ସ୍ଥାନରେ ଛକି ରହିଥିଲେ। ଆଜି ସକାଳେ ନବୀନ ଏକ ଲସି ଦୋକାନରେ ବକେୟା ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ନବୀନଙ୍କ ପାଖରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ବାସଭବନରେ ଚଢାଉ କରିଛି।
ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ନିମନ୍ତେ ଗେଟ୍ ଖୋଲିବା ସଂଖ୍ୟା ବଢ଼ୁଥିବାରୁ ମହାନଦୀ ଫୁଲିବାରେ ଲାଗିଥିଲା। ମହାନଦୀ କୁଳରେ ଗୋରୁ ଚରୁଥିବା ବେଳେ ପାଣି ପିଇବାକୁ ଯାଇଥିବା ବେଳେ ହଠାତ୍ ନଦୀ ଭିତର ଜଳସ୍ତର ବଢ଼ି ଯାଇଥିଲା। ଫଳରେ ଗୋରୁ ପଲ ପାଣିରେ ଭାସି ଯାଇଥିଲେ। ଲୋକଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ସଠିକ୍ ସଚେତନକା ବାର୍ତ୍ତା ପହଞ୍ଚି ପାରୁ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି।
ସେପଟେ ମୁଣ୍ଡଳୀ ବ୍ୟାରେଜ ପହଞ୍ଚିଛି ହୀରାକୁଦର ପ୍ରଥମ ବନ୍ୟାଜଳ। ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ମହାନଦୀ ତଳମୁଣ୍ଡକୁ ସେକେଣ୍ଡ ପ୍ରତି ୯୦ ହଜାର କ୍ୟୁସେକ ପାଣି ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରରେ ଏବେ ୧୨ଟି ଗେଟ୍ ଖୋଲିଥିବା ବେଳେ, ଆଗକୁ ମୁଣ୍ଡଳୀ ଦେଇ ଅଧିକ ପାଣି ପ୍ରବାହିତ ହେବ ବୋଲି ସୂଚନା ମିଳିଛି।
ଅଭିଯୋଗ ମୁତାବକ ଗତକାଲି ଅର୍ଥାତ୍ ଶନିବାର କିରମାଖୋଲ ଗ୍ରାମର ବନବାସୀ କହଁରଙ୍କ ଦେହ ଅସୁସ୍ଥ ହୋଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ପାଇଁ ପୂର୍ବାହ୍ନ ୧୦ଟା ୩୦ ମିନିଟ ସମୟରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ସୂଚନାକୁ ଆଧାର କରି ତାଙ୍କୁ ଆଣିବା ପାଇଁ ୧୦୮ ଆମ୍ବୁଲାନ୍ସ ଯାଇଥିଲା। ମାତ୍ର ବର୍ଷା ଯୋଗୁଁ ଗୁନ୍ଦୁଲିଆ ପଞ୍ଚାୟତର ଗନସରଗୁଡି-କିରମାଖୋଲ ୬ କିମି ମାଟି ରାସ୍ତା ପଙ୍କୁଆ ହୋଇଯାଇଥିବାରୁ ଆମ୍ୱାଲାନ୍ସ ରୋଗୀ ପାଖରେ ପହଞ୍ଚିବାକୁ ପ୍ରାୟ ୪ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଏହି ପଙ୍କ ରାସ୍ତା ଦେଇ ପୁନଶ୍ଚ ଆସିବାକୁ ପଡ଼ିଥିଲା। ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଆମ୍ୱୁଲାନ୍ସ ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ବନବାସୀଙ୍କର ମୃତ୍ୟୁ ଘଟିଛି।
ମୃତକ ସ୍ୱାମୀ ସୁଦେ କହଁର ଓ ଭଣଜା ସହଦେବ କହଁର ବନବାସୀଙ୍କ ଜୀବନ ହାନୀ ପାଇଁ ଖରାପ ରାସ୍ତା ଓ ପ୍ରଶାସନିକ ଅବହେଳାକୁ ଦୋଷ ଦେଇଛନ୍ତି।
ସରକାର ସମସ୍ତ ଗ୍ରାମକୁ ସଂଯୋଗୀକରଣ ପାଇଁ ପକ୍କା ରାସ୍ତା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଅନୁଦାନ ଯୋଗାଇ ଦେଉଥିବା ଡିମଡିମ ପିଟୁଛନ୍ତି। ହେଲେ ବୌଦ୍ଧର ବହୁ ଆଦିବାସୀ ଅଧ୍ୟୁଷତ ଗ୍ରାମ ନିମନ୍ତେ ଏହି ଯୋଜନା ଲାଗୁ ହେବା ଫେଲ ମାରିଛି। ତେଣୁ ଅକାଳରେ ଜଣେ ମହିଳାଙ୍କ ଜୀବନ ଚାଲିଗଲା ବୋଲି ଅଭିଯୋଗ ହୋଇଛି।
ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କୁ ଦୁଇଜଣ ଛାତ୍ରଛାତ୍ରୀ ପିଟିଥିଲେ। ଏ ବିଷୟରେ ଛାତ୍ର ଜଣକ ନିଜ ଘରକୁ ଯାଇ ପରିବାର ଲୋକଙ୍କୁ ଜଣାଇଥିଲେ।
ତେବେ ପରିବାର ଲୋକ ଆଜି ସକାଳୁ ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ। ଫଳରେ ସ୍କୁଲ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀ ଘଣ୍ଟା ଘଣ୍ଟା ବାହାରେ ଖରାରେ ଛିଡ଼ା ହୋଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା ଚାଲିବା ପରେ ଏହି ଘଟଣାର ଆପୋଷ ସମାଧାନ ହୋଇଥିଲା।
ହେଲେ ଇତି ମଧ୍ୟରେ ବିଦ୍ୟାଳୟ ବାହାରେ ଛିଡ଼ା ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଠ ଜଣ ଅଚେତ୍ ହୋଇ ପଡ଼ି ଯାଇଥିଲେ। ବିଦ୍ୟାଳୟର ଶିକ୍ଷକ ଉକ୍ତ ଆଠ ଜଣଙ୍କୁ ତୁରନ୍ତ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରିଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି ।
ମଙ୍ଗଳବାର 5T ସଚିବ ଭି.କେ ପାଣ୍ଡିଆନ୍ ସୁବର୍ଣ୍ଣପୁର ଗସ୍ତରେ ଯାଇଥିଲେ। ସେହି ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ତତ୍ପର ହୋଇଥିଲା। ସୁବର୍ଣ୍ଣପୁର ପରି ସ୍ଥିତି ଯେପରି ବୌଦ୍ଧରେ ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲା। 5T ସଚିବ ଭି.କେ ପାଣ୍ଡିଆନ୍ଙ୍କ ଗସ୍ତର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରୁ ଅଣ୍ଡା ବିକ୍ରି ଉପରେ କଟକଣା ଲଗାଯାଇଥିଲା।
ମିଳିଥିବା ସୂଚନା ଅନୁସାରେ ସ୍ୱାସ୍ଥ୍ୟ ଓ ପୁଲିସ୍ ବିଭାଗର କର୍ମଚାରୀମାନେ ବୌଦ୍ଧ ସହର ଦୋକାନରୁ ଦୋକାନ ବୁଲିଥିଲେ। ବୁଧବାର ସନ୍ଧ୍ୟା ୭ଟା ଯାଏ ଅଣ୍ଡା ବିକ୍ରି ନକରିବାକୁ କହିଥିଲେ। କେବଳ ସେତିକି ନୁହେଁ, ପ୍ରତି ଦୋକାନରେ କେତୋଟି ଅଣ୍ଡା ଅଛି ତାକୁ ଗଣତି କରିଥିଲେ। ଯଦି କୌଣସି ବ୍ୟବସାୟୀ ଏହି ଅଘୋଷିତ ନୀତି ନିୟମର ଉଲ୍ଲଂଘନ କରି ଅଣ୍ଡା ବିକ୍ରି କରନ୍ତି, ତା’ହେଲେ ସମ୍ପୃକ୍ତ ଦୋକାନକୁ ସବୁଦିନ ପାଇଁ ସିଲ୍ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ଆଜି ବୌଦ୍ଧ ଟାଉନ୍ରେ ଅଣ୍ଡା ମିଳୁନି। ଲୋକମାନେ ଅଣ୍ଡା କିଣିବାକୁ ଯାଇ ଖାଲି ହାତରେ ଫେରିଛନ୍ତି। ଏତେ ସବୁ ସତର୍କତାମୂଳକ ବ୍ୟବସ୍ଥା ସତ୍ତ୍ୱେ ପାଣ୍ଡିଆନ୍ଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି।
ସେପଟେ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନ୍ ସ୍ୱତନ୍ତ୍ର ହେଲିକପ୍ଟରରେ ବୌଦ୍ଧ କଚେରୀ ପଡ଼ିଆରେ ଓହ୍ଲାଇଥିଲେ। ସେଠାରେ ସେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ମହାନଦୀର ଆରତୀ ଘାଟ ଓ ବୁଣାକାର ବଜାର ବୁଲିଥିଲେ। ତା’ପରେ ସେ ମ୍ୟୁଜିୟମକୁ ଯାଉଥିଲେ। ସେହି ସମୟରେ କଂଗ୍ରେସ କର୍ମୀମାନେ ତାଙ୍କୁ କଳା ପତାକୁ ଦେଖାଇଥିଲେ। କିଛି ସମୟରେ ମ୍ୟୁଜିୟମ୍ ପଛ ପାର୍ଶ୍ୱ ଗେଟ୍ ଦେଇ ଭି.କେ ପାଣ୍ଡିଆନ୍ ବାହାରି ହରଭଙ୍ଗା ବ୍ଲକ ଅଭିମୁଖେ ଯାଇଥିଲେ। ଠିକ୍ ସେହି ସମୟରେ ତାଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ଗୋଟିଏ ଅଣ୍ଡା ତାଙ୍କ କାରରେ ବାଜିଥିବା ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀ ଅଣ୍ଡା ମାଡ଼ କରିଥିବା ଆଲୋଚନା ହେଉଛି।
ବୌଦ୍ଧ ଟାଉନ୍ର ଜଣେ ଅଣ୍ଡା ବ୍ୟବସାୟୀ ବେଣୁଧର ମେହେର କହିଛନ୍ତି, ଗତକାଲି ସନ୍ଧ୍ୟା ସାଢ଼େ ୬ଟା ବେଳେ ଜିଲ୍ଲା ପ୍ରଶାସନର କର୍ମକର୍ତ୍ତାମାନେ ଦୋକାନରେ ପହଞ୍ଚିଥିଲେ। ଆଉ କହିଲେ 5T ସଚିବ ଆସୁଥିବାରୁ ବୁଧବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବ। ତାଙ୍କ କଥାକୁ ମାନି ଅଣ୍ଡା ଦୋକାନ ବନ୍ଦ କରିବାକୁ ପଡ଼ିଲା। ଏହାଦ୍ୱାରା ସ୍କୁଲକୁ ଅଣ୍ଡା ଯାଇ ପାରିଲା ନାହିଁ। ଖାଉଟି ହନ୍ତସନ୍ତ ହେଲେ। ଏହା ଆମ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ୁଛି। କୌଣସି ପର୍ବପର୍ବାଣୀ ଅଣ୍ଡା ଦୋକାନ ବନ୍ଦ ହେଉନାହିଁ। କିନ୍ତୁ ପ୍ରଥମ ଥର ପାଇଁ 5T ସଚିବଙ୍କ ପାଇଁ ଅଣ୍ଡା ଦୋକାନ ବନ୍ଦ କଲୁ ବୋଲି ଶ୍ରୀ ମେହେର କହିଛନ୍ତି।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ସୂଚନାଯୋଗ୍ୟ, ଗତକାଲି ସୁବର୍ଣ୍ଣପୁରରେ 5T ସଚିବଙ୍କ କାର୍କେଡ୍କୁ ଅଣ୍ଡାମାଡ଼ କରାଯାଇଥିଲା। କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଅଣ୍ଡାମାଡ଼ କରାଯାଇଥିଲା। ପ୍ରଥମେ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରିଥିଲେ। ପରେ ତାଙ୍କ କାର୍କେଡ୍ ଉପରକୁ ଅଣ୍ଡାମାଡ଼ କରିଥିଲେ। ସେହି ପରି କିଛି ଦିନ ତଳେ ଜଗତସିଂହପୁରରେ 5T ସଚିବଙ୍କ ଗସ୍ତକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିରୋଧ କରାଯାଇଥିଲା।
ଆଜି ଭୋର ସମୟରେ ବାଉଁଶୁଣୀ ଥାନାର ଏକ ଟିମ୍ କଟକ ଜିଲ୍ଲାରୁ ଏକ ରେସ୍କ୍ୟୁ ଅପରେସନ ସାରି ବ୍ୟକ୍ତିଗତ ବୋଲେରୋରେ ଥାନାକୁ ଫେରୁଥିଲେ। ଏହି ସମୟରେ ଜନାପଙ୍କ ଫାଣ୍ଡି ଅନ୍ତର୍ଗତ କମଳପୁର ଛକ ନିକଟରେ ସୋନପୁର ଆଡୁ ଆସୁଥିବା ଏକ ଟ୍ରକ ସହିତ ବୋଲେରୋର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାପରେ ବୋଲେରୋଟି ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ପୁଲିସ୍ ହୋମଗାର୍ଡ ଓ ବୋଲେରୋ ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲା। ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
ଦୁର୍ଘଟଣାରେ ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡି ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଗତକାଲି ରାତିରେ ଏହି ଆଜବେଷ୍ଟସ ବୋଝେଇ ଟ୍ରକ ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ମାଧପୁର ନିକଟରେ ୩ ଟି ମଇଁଷିଙ୍କୁ ଟ୍ରକଟି ଧକ୍କା ଦେଇଥିଲା। ପରେ ସାମ୍ନା ପଟରୁ ଆସୁଥିବା ଏକ ଇନୋଭା କାର୍ ଉପରେ ମାଡ଼ି ଯାଇଥିଲା। ଏହା ପରେ ଟ୍ରକ୍ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।
ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଥିବା ବେଳେ କାରରେ ଥିବା ୪ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଟ୍ରକ୍ ଡ୍ରାଇଭର ଓ ହେଲପରର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ତେବେ କାରରେ ଥିବା ୪ଜଣ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ କାରକୁ ଜବତ କରି ଘଟଣାର ତଦନ୍ତ କରୁଛି।
ବୌଦ୍ଧ ଆଦର୍ଶ ଥାନା ଅଞ୍ଚଳର ପ୍ରତିମା(ଛଦ୍ମନାମ)ଙ୍କ ସ୍ୱାମୀ ଭୁବନେଶ୍ୱରରେ ହୋଇଥିବା ରାଲିରେ ଯୋଗଦେବା ପାଇଁ ଯାଇଥିଲେ। ଘରେ ଏକାକୀ ଥିଲେ ପ୍ରତିମା। ଘଟଣା ଦିନ ବିଳମ୍ୱିତ ରାତିରେ ହଠାତ୍ ପ୍ରତିମାଙ୍କ ଘରର କବାଟ ଠକ୍ ଠକ୍ କରିଥିଲା ଶିକ୍ଷକ ଭାବେ ଚାକିରି କରୁଥିବା ଗୋବର୍ଦ୍ଧନ ଜେନା। ସ୍ୱାମୀ ଘରକୁ ଫେରିଲେ ବୋଲି ଭାବି କବାଟ ଖୋଲିଥିଲେ ପ୍ରତିମା।
ହେଲେ ଖୋଲିବା ମାତ୍ରେ ଗୋବର୍ଦ୍ଧନ ଧମକ ଚମକ ଦେଇ ପ୍ରତିମାଙ୍କୁ ଜବରଦସ୍ତି ଉଠାଇ ନେଇଥିଲେ। ସେଠାରୁ ପ୍ରତିମାଙ୍କୁ ଗୋଟିଏ କାର୍ରେ କଟକ ଜିଲ୍ଲା ରାହାମାକୁ ଗୋବର୍ଦ୍ଧନ ଆଣିଥିଲେ। ସେଠାରେ ତାଙ୍କୁ ୧୮ ଦିନ କାଳ ଗୋଟିଏ ଭଡ଼ା ଘରେ ରଖିଥିଲା। ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲା। ପରେ ତାଙ୍କ ସହିତ ଗୋବର୍ଦ୍ଧନ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ କହିବା ଅନୁସାରେ ତାଙ୍କ ସହିତ ଗୋବର୍ଦ୍ଧନ ବାରମ୍ୱାର ଶାରୀରିକ ସମ୍ପର୍କ ରଖିଥିଲା।
ପ୍ରତିମାଙ୍କୁ ୧୮ ଦିନ କାଳ ଉକ୍ତ ଘରେ ଗୋବର୍ଦ୍ଧନ ଚାବି ପକାଇ ରଖିଥିଲା। ଘରୁ ବାହାରିବାକୁ ଦେଉନଥିଲା। ଦିନେ କୌଶଳକ୍ରମେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ଘରୁ ଖସିବାକୁ ସକ୍ଷମ ହୋଇଥିଲେ ପ୍ରତିମା। ଏହାପରେ ଫୋନ୍ କରି ପୂରା ଘଟଣା ସ୍ୱାମୀଙ୍କୁ କହିଥିଲେ। ଗତ ୭ ତାରିଖରେ ଘରେ ପହଞ୍ଚି ଏନେଇ ବୌଦ୍ଧ ଆଦର୍ଶନ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ମାତ୍ର ପୁଲିସ୍ ଏତଲା ଗ୍ରହଣ କରିନଥିଲା। ପରେ ପ୍ରତିମା ବୌଦ୍ଧ ଏସ୍ପିଙ୍କ ଅଫିସ୍ ଦ୍ୱାରସ୍ଥ ହୋଇଥିଲେ। ଏସ୍ପିଙ୍କ ନିର୍ଦ୍ଦେଶରେ ଗତ ୯ ତାରିଖରେ ବୌଦ୍ଧ ଥାନା ପୁଲିସ୍ ଅଭିଯୁକ୍ତ ଶିକ୍ଷକ ଗୋବର୍ଦ୍ଧନ ବିରୋଧରେ ମାମଲା ରୁଜୁ କରିଥିଲା। ଏପରି କି ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହିତ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବୟାନ୍ ରେକର୍ଡ କରାଯାଇଥିଲା।
ପୀଡ଼ିତାଙ୍କ କହିବା ଅନୁସାରେ ଆଜି ପର୍ଯ୍ୟନ୍ତ ଗୋବର୍ଦ୍ଧନ ବିରୋଧରେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସେ ଖୁଲାମଖୁଲା ବୁଲୁଛି। ଏଥିସହ ତାଙ୍କୁ ଧମକଚମକ ଦେଉଥିବା ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି। ତେଣୁ ନ୍ୟାୟ ପାଇଁ ବୁଧବାର ପୀଡ଼ିତା ଆଉ ଥରେ ଏସ୍ପି ଅଫିସ୍ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏସ୍ପି ନଥିବାରୁ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପୀଡ଼ିତାଙ୍କ ଅଭିଯୋଗ ନେଇ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର