ଜାତିସଙ୍ଘ ଅଧୀନରେ ଥିବା ଏକ ବିଶ୍ୱବିଦ୍ୟାଳୟ, ପରିବେଶ ଏବଂ ମାନବ ସୁରକ୍ଷା ଅନୁଷ୍ଠାନ (UNU-EHS) ଦ୍ୱାରା ‘ଇଣ୍ଟର-କନେକ୍ଟେଡ ଡିଜାଷ୍ଟର ରିସ୍କ ରିପୋର୍ଟ ୨୦୨୩’ ଶୀର୍ଷକରେ ପ୍ରକାଶ ପାଇଛି ଏହି ତଥ୍ୟ। ତେବେ ଏହି ରିପୋର୍ଟରେ ପ୍ରକାଶ ପାଇଛି ଯେ ବିଶ୍ୱ ଛଅଟି ଜଳବାୟୁ ପରିବର୍ତ୍ତନ ବିନ୍ଦୁ ବା ଟିପିଂ ପଏଣ୍ଟର ନିକଟତର ହେଉଛି। ସେଗୁଡ଼ିକ ହେଲା, ବିଲୁପ୍ତିକୁ ତ୍ୱରାନ୍ୱିତ କରିବା, ଭୂତଳ ଜଳ ହ୍ରାସ, ପାର୍ବତ୍ୟ ହିମଖଣ୍ଡ ତରଳିବା, ଅନ୍ତରୀକ୍ଷ ଭଗ୍ନାବଶେଷ, ଅସହ୍ୟ ଉତ୍ତାପ ଏବଂ ଏକ ବୀମା ବିହୀନ ଭବିଷ୍ୟତ।
ପୃଥିବୀ ପ୍ରଣାଳୀରେ ପରିବେଶ ପରିବର୍ତ୍ତନ ବିନ୍ଦୁ ବା ଟିପିଂ ପଏଣ୍ଟ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସୀମା। ଯଦି ଜଳବାୟୁ ପରିବର୍ତ୍ତନର ସୀମା, ଟିପିଂ ପଏଣ୍ଟ ଅତିକ୍ରମ କରେ ତେବେ ସେହି ଜଳବାୟୁ ପରିବର୍ତ୍ତନରୁ ପୃଥିବୀକୁ ରକ୍ଷା କରିବା ଅସମ୍ଭବ ହୋଇପାରେ। ତାହା ଆକସ୍ମିକ ଏବଂ ଅନେକ ସମୟରେ ଅପୂରଣୀୟ ପରିବର୍ତ୍ତନ ଘଟିପାରେ। ଯାହା ପୃଥିବୀକୁ ଅତ୍ୟନ୍ତ ବିପର୍ଯ୍ୟସ୍ତ ଜଳବାୟୁ ପରିବର୍ତ୍ତନ ଆଡ଼କୁ ନେଇଯାଇପାରେ।
ବିଶ୍ବରେ ପ୍ରାୟ ୭୦ ପ୍ରତିଶତ ଭୂତଳ ଜଳ କୃଷିକାର୍ଯ୍ୟ ପାଇଁ ବ୍ୟବହୃତ ହୋଇଥାଏ। ଗ୍ରୀଷ୍ମ ଋତୁରେ ଯେତେବେଳେ ଜଳଭଣ୍ଡାର ଗୁଡ଼ିକରେ ଜଳ ସ୍ତର କମିଯାଏ ସେତେବେଳେ ମରୁଡ଼ି ଯୋଗୁ ହେଉଥିବା କୃଷି କ୍ଷତିକୁ ହ୍ରାସ କରିବାରେ ଭୂତଳ ଜଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ଏହି ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ଆହୁରି ବିଗିଡ଼ିବାର ଆଶଙ୍କା ରହିଛି।
ତେବେ ଏହି ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଭୂତଳ ଜଳ ସ୍ତର ଟିପିଂ ପଏଣ୍ଟର ନିକଟତର ହେବାର ଲାଗିଛି। ବିଶ୍ୱର ଅଧାରୁ ଅଧିକ ପ୍ରମୁଖ ଭୂତଳ ଜଳର ଭୂଖଣ୍ତ ସ୍ଥଳ ପ୍ରାକୃତିକ ଭାବେ ଯେତିକି ଶୀଘ୍ର ଭରଣା ହେବାକଥା, ତା'ଠାରୁ ଅଧିକ ଗତିରେ କମିବାରେ ଲାଗିଛି। ଏହା ଭବିଷ୍ୟତରେ କୃଷିକାର୍ଯ୍ୟ ଉପରେ ଗୁରୁତର ପ୍ରବାହ ପକାଇବ ସହ ସମଗ୍ର ଖାଦ୍ୟ ଉତ୍ପାଦନ ପ୍ରଣାଳୀ ପାଇଁ ଏକ ବିପଦ ସୃଷ୍ଟି କରିପାରେ।
ସେହିଭଳି ସାଉଦି ଆରବ ପରି କେତେକ ଦେଶ ଭୂତଳ ଜଳର ବିପଦ ସଙ୍କେତର ଟିପିଂ ପଏଣ୍ଟ ଅତିକ୍ରମ କରିସାରିଥିବାବେଳେ ଭାରତ ସମେତ ଅନ୍ୟ ଦେଶ ଏହାଠାରୁ ବେଶି ଦୂରରେ ନାହାଁନ୍ତି। ସେହିଭଳି ୧୪୦ କୋଟି ଭାରତୀୟଙ୍କ ପାଇଁ ରୁଟି ବାସ୍କେଟ ଭାବରେ କାର୍ଯ୍ୟକରେ ଭାରତର ଉତ୍ତର-ପଶ୍ଚିମାଞ୍ଚଳ ରାଜ୍ୟ ଯେଭଳି ପଞ୍ଜାବ ଏବଂ ହରିୟାଣା। ଯାହା ଦେଶର ଚାଉଳ ଯୋଗାଣର ୫୦ ପ୍ରତିଶତ ଏବଂ ଗହମ ଯୋଗାଣର ୮୫ ପ୍ରତିଶତ ଉତ୍ପାଦନ କରିଥାଏ।
ତେବେ ଚିନ୍ତାର ବିଷୟ ଏହାକି ପଞ୍ଜାବରେ ୭୮ ପ୍ରତିଶତ ଭୂତଳ କୂଅରେ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ଯାହା ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ୨୦୨୫ ସୁଦ୍ଧା ଭୂତଳ ଜଳ ଗୁରୁତର ଭାବେ ହ୍ରାସ ପାଇବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।
ଜାତିସଙ୍ଘ ବିଶ୍ୱବିଦ୍ୟାଳୟ ଓ ପରିବେଶ ଏବଂ ମାନବ ସୁରକ୍ଷା ଅନୁଷ୍ଠାନର (UNU-EHS) ମୁଖ୍ୟ ଲେଖକ ତଥା ବରିଷ୍ଠ ବିଶେଷଜ୍ଞ ଜ୍ୟାକ୍ ଓ'କନର କହିଛନ୍ତି, ‘ଯେତେବେଳ ଆମେ ଏହି ଟିପିଂ ପଏଣ୍ଟର ନିକଟତର ହେବା, ସେତେବେଳ ଆମେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ଅନୁଭବ କରିପାରିବା। ଥରେ ଟିପିଂ ପଏଣ୍ଟ ଅତିକ୍ରମ କଲେ ପୃଥିବୀକୁ ପଛକୁ ଫେରାଇବା କଷ୍ଟକର ହୋଇପଡ଼ିବ। ତେବେ ଏହି ରିପୋର୍ଟ ଆମକୁ ଭବିଷ୍ୟତର ବିପଦ ଓ ଏହା ପଛରେ ଥିବା କାରଣ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ଜରୁରୀ ପଦକ୍ଷପ ନେବାରେ ସାହାଯ୍ୟ କରିବ।’
ସାଇନ୍ସ ଆଡଭାନ୍ସ ପତ୍ରିକାରେ ଏହି ଅନୁସନ୍ଧାନର ଫଳାଫଳ ପ୍ରକାଶ ପାଇଛି। ଜର୍ମାନୀର ପୋଟସଡାମ ଇନଷ୍ଟିଚ୍ୟୁଟ୍ ଫର କ୍ଲାଇମେଟ ଇମ୍ପାକ୍ଟ ରିସର୍ଚ୍ଚର ନିର୍ଦ୍ଦେଶକ ଜୋହାନ ରକଷ୍ଟ୍ରୋମଙ୍କ ନେତୃତ୍ୱରେ ଏକ ଅନ୍ତର୍ଜାତୀୟ ବୈଜ୍ଞାନିକ ଟିମ୍ ଏହି ଅନୁଧ୍ୟାନ କରିଛନ୍ତି। ଅନୁସନ୍ଧାନକାରୀ ଟିମ୍ ପୃଥିବୀର ସାମଗ୍ରିକ ସ୍ୱାସ୍ଥ୍ୟର ଆକଳନ କରିବାକୁ ନଅଟି ବ୍ୟାପକ କ୍ଷେତ୍ର ଚିହ୍ନଟ କରିଥିଲେ। ଯାହା ଉପରେ ସେମାନେ ଅନୁଧ୍ୟାନ କରିଛନ୍ତି।
ଏଥିମଧ୍ୟରେ ଜଳବାୟୁ, ଜୈବ ବିବିଧତା, ମୃତ୍ତିକା, ମଧୁର ଜଳ, ପୋଷକ ତତ୍ତ୍ୱ ପ୍ରଦୂଷଣ, ମାଇକ୍ରୋପ୍ଲାଷ୍ଟିକ୍ ଏବଂ ଆଣବିକ ବର୍ଜ୍ୟବସ୍ତୁ ପରି ମାନବ ନିର୍ମିତ ଯୌଗିକ ଭଳି ନୋବେଲ୍ ରାସାୟନିକ ପଦାର୍ଥ ଅନ୍ତର୍ଭୁକ୍ତ। ଅଧ୍ୟୟନ ଅନୁଯାୟୀ, ଏହି ସବୁ କାରକଗୁଡ଼ିକ ବର୍ତ୍ତମାନ ଅସନ୍ତୁଳିତ ହୋଇପଡ଼ିଛି। କେବଳ ମହାସାଗରର ଅମ୍ଳତା, ବାୟୁର ସ୍ୱାସ୍ଥ୍ୟ ଏବଂ ଓଜୋନ୍ ସ୍ତର ସୁରକ୍ଷିତ ସୀମା ମଧ୍ୟରେ ଅଛନ୍ତି। ତଥାପି, ଉଭୟ ମହାସାଗର ଏବଂ ବାୟୁ ପ୍ରଦୂଷଣ ଖରାପ ସ୍ଥିତିରେ ଅଛି।
ଅନୁସନ୍ଧାନର ମୁଖ୍ୟ ରକଷ୍ଟ୍ରୋମ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି ଯେ, 'ଆମେ ବହୁତ ଖରାପ ସ୍ଥିତିରେ ଅଛୁ। ବର୍ତ୍ତମାନ ପୃଥିବୀର ସନ୍ତୁଳନ ହ୍ରାସ ପାଉଛି, ଲୋକେ ରୋଗାଗ୍ରସ୍ତ ହେଉଛନ୍ତି। ଏସବୁ କାରକଗୁଡିକ ଅସନ୍ତୁଳ ହେବା ପୃଥିବୀ ସ୍ୱାସ୍ଥ୍ୟ ବିଗୁଡ଼ିଥିବା ଇଙ୍ଗିତ କରୁଛି।'
କମ୍ପ୍ୟୁଟର ସିମ୍ୟୁଲେସନ୍ସ ବ୍ୟବହାର କରି ଅନୁସନ୍ଧାନକାରୀ ଜାଣିବାକୁ ପାଇଲେ ଯେ, ଜଳବାୟୁ କିମ୍ବା ଜୈବ ବିବିଧତା ହ୍ରାସ ଘଟିବା ଫଳରେ ଅନ୍ୟ ପରିବେଶ ସମସ୍ୟାଗୁଡ଼ିକ ସୃଷ୍ଟି ହେଉଛି। ତଥାପି କେତେକ କ୍ଷତ୍ର ଅଛି, ଯଦି ଆମେ ତା'ର ଯତ୍ନ ନେଇପାରିବା ତେବେ ଅନ୍ୟ କ୍ଷେତ୍ରଗୁଡିକ ପ୍ରତି ଭଲ ପ୍ରଭାବ ପଡିପାରେ। ଉଦାହରଣ ସ୍ୱରୂପ, ଜମି ସଫା କରିବା ଏବଂ ଜଙ୍ଗଲ ସଂରକ୍ଷଣ କରିବା ଦ୍ୱାରା ବାୟୁମଣ୍ଡଳକୁ ଯାଉଥିବା କାର୍ବନ ଡାଇଅକ୍ସାଇଡ୍ ନିୟନ୍ତ୍ରିତ ହୋଇପାରେ, ତେବେ ଜଳବାୟୁ ପରିବର୍ତ୍ତନକୁ ଯଥେଷ୍ଟ ମୁକାବିଲା କରାଯାଇପାରିବ। ତେଣୁ ପୃଥିବୀ ସ୍ୱାସ୍ଥ୍ୟର ଯତ୍ନ ପାଇଁ ସମଗ୍ର ବିଶ୍ୱକୁ ଆହ୍ୱାନ କରିଛନ୍ତି ବୈଜ୍ଞାନିକ।
ଭାରତରେ ଥିବା ବ୍ରିଟିଶ ହାଇ କମିଶନ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ ତଥା ଅନୁକୂଳ କରିବାରେ ବିଶ୍ୱର ଦୁର୍ବଳ ଦେଶମାନଙ୍କୁ ସାହାଯ୍ୟ କରିବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆର୍ଥିକ ଅବଦାନ ଘୋଷଣା କରିଛନ୍ତି। ଏହି ଅନୁଦାନ ପୂର୍ବରୁ ବ୍ରିଟେନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁଦାନ ତୁଳନାରେ 12.7 ପ୍ରତିଶତ ଅଧିକା। ବିଶ୍ୱର 194 ଦେଶକୁ ନେଇ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡ ପ୍ରତିଷ୍ଠା ହୋଇଛି। ଏହା ଏକ ସବୁଜ ଅର୍ଥାତ୍ ଅନୁକୂଳ ଜଳବାୟୁ ଦିଗରେ କାର୍ଯ୍ୟ କରେ। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବରେ ପ୍ରଭାବିତ ହେଉଥିବା ଦେଶମାନଙ୍କୁ ଏହି ପାଣ୍ଠି ସହାୟତା ଯୋଗାଇଦିଏ।
ଏହି ଅବସରରେ ଜି-20 ବିଶ୍ୱନେତାମାନଙ୍କୁ ସମ୍ବୋଧିତ କରି ବ୍ରିଟେନ ପ୍ରଧାନମନ୍ତ୍ରୀ କାର୍ବନ ନିର୍ଗମନକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥନ୍ତି। ଜଳବାୟୁ ପରିବର୍ତ୍ତନର ପ୍ରତିକୂଳ ପ୍ରଭାବର ସମ୍ମୁଖୀନ ହେଉଥିବା ଦେଶମାନଙ୍କୁ ସହାୟତା କରିବା ପାଇଁ ଏକଜୁଟ ହେବାକୁ ବିଶ୍ୱ ନେତାମାନଙ୍କୁ ଆହ୍ୱାନ ଦେଇଛନ୍ତି। ଜି -20 ଦେଶରୁ ବିଶ୍ୱ ଏହି ପ୍ରକାରର ନେତୃତ୍ୱ ଆଶା କରୁଛି। ବ୍ରିଟେନ ଏବଂ ବିଶ୍ୱକୁ ଅଧିକ ସମୃଦ୍ଧ ତଥା ନିରାପଦ କରିବାରେ ବର୍ତ୍ତମାନର ସରକାର ଆଗେଇ ଆସିବେ ବୋଲି ସେ କହିଛନ୍ତି।
ସେ ଆହୁରି କହୁରି କହିଛନ୍ତି ଯେ, ବ୍ରିଟେନ ଆଗକୁ ବଢୁଛି ଏବଂ ଏହାର ଅର୍ଥନୀତିକୁ ଡିକାର୍ବୋନାଇଜ୍ କରୁଛି। ବିଶ୍ୱର ଦେଶମାନଙ୍କୁ ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରୁଛି। ଆଜି ଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀର ଦ୍ୱିତୀୟ ବା ଅନ୍ତିମ ଦିନ। ଏହି ଅବସରରେ ପ୍ରଥମେ ଗାନ୍ଧିଜୀଙ୍କ ସମାଧି ପୀଠରେ ଶ୍ରଦ୍ଧା ସୁମନ ଜ୍ଞାପନ କରାଯିବା ପରେ ବିଶ୍ୱନେତାଙ୍କୁ ନେଇ ଆଲୋଚା କରାଯାଉଛି। ଆଜି 'ୱାନ୍ ଫ୍ୟୁଚର୍' ଦିଗରେ ଆଲୋଚନା କରିଛନ୍ତି ବିଶ୍ୱନେତା। ଏହି ସମୟରେ ଗ୍ରୀନ୍ କ୍ଲାଇମେଟ୍ ଫଣ୍ଡକୁ ବ୍ରିଟେନ 2 ବିଲିୟନ ଆମେରିକୀୟ ଡଲାର୍ ଦେବ ବୋଲି ପ୍ରଧାନମନ୍ତ୍ରୀ ସୁନକ ଘୋଷଣା କରିଛନ୍ତି।
ସେ ଆହୁରି କହିଛନ୍ତି, "ଜଳବାୟୁ ପରିବର୍ତ୍ତନ ଆସି ପହଞ୍ଚିଯାଇଛି, ଯାହା ଖୁବ୍ ଭୟଙ୍କର। ଏହା ଆରମ୍ଭ ମାତ୍ର।" ତଥାପି ବିଶ୍ୱର ତାପମାତ୍ରାକୁ ପୂର୍ବ ଶିଳ୍ପ ସ୍ତରରୁ ୧.୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ସୀମିତ ରଖିବା ସମ୍ଭବ, ଏଥିପାଇଁ ତୁରନ୍ତ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପଟେ ରେକର୍ଡ ଅନୁସାରେ, ଗତ ତିନି ସପ୍ତାହ ସବୁଠୁ ଉତ୍ତପ୍ତ ଥିଲା, ବିଶ୍ୱର ତାପମାତ୍ରା ପୂର୍ବ ରେକର୍ଡଗୁଡିକୁ ଭାଙ୍ଗି ଦେଇଛି। ୱାର୍ଲ୍ଡ ମେଟେରୋଲୋଜିକାଲ୍ ଅର୍ଗାନାଇଜେସନ୍ (WMO) ଏବଂ ୟୁଏଇର କପର୍ନିକସ୍ ଆର୍ଥ ଅବଜରଭେସନ୍ ପ୍ରୋଗ୍ରାମ କହିଛି ଯେ, ଏହି ଅସ୍ୱାଭାବିକ ଉତ୍ତାପ ପାଇଁ ଜୀବାଶ୍ମ ଇନ୍ଧନ ଦାୟୀ।
WMO ଏବଂ କୋପର୍ନିକସ୍ ଜଳବାୟୁ ପରିବର୍ତ୍ତନ ସେବା ଘୋଷଣା କରିଛି, "ପୃଥିବୀର ତାପମାତ୍ରା ସାମୟିକ ଭାବେ ବିଶ୍ୱ ତାପମାତ୍ରାକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ଲକ୍ଷ୍ୟକୁ ଅତିକ୍ରମ କରିଯାଇଛି। ଯଦିଓ ଏହି ସୀମା ପୂର୍ବରୁ ଉଲ୍ଲଂଘନ ହୋଇ ସାରିଥିଲା, ତଥାପି ପୂର୍ବରୁ କେବେ ଜୁଲାଇ ମାସରେ ଏପରି ଉତ୍ତାପ ଅନୁଭୂତ ହୋଇନଥିଲା।" ବୃଦ୍ଧି ପାଉଥିବା ଏହି ସଙ୍କଟକୁ ମୁକାବିଲା କରିବା ପାଇଁ ଖୁବ୍ ଶୀଘ୍ର ରାଜନୈତିକ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଥିବା ଗୁଟେରସ୍ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, "ମାନବ ଏବେ ହଟ୍ ସିଟ୍ରେ ଅଛି। ଉତ୍ତର ଆମେରିକା, ଏସିଆ, ଆଫ୍ରିକା ଏବଂ ୟୁରୋପର ବିସ୍ତୃତ ଅଞ୍ଚଳ ପାଇଁ ଚଳିତ ବର୍ଷର ଗ୍ରୀଷ୍ମ ଋତୁ ଖୁବ୍ ଯନ୍ତ୍ରଣାଦାୟକ। ସମଗ୍ର ଗ୍ରହ ପାଇଁ ମଧ୍ୟ ଏହା ଏକ ବିପଦ। ବୈଜ୍ଞାନିକମାନଙ୍କ ପାଇଁ ଏହା ଏକ ଅବିସ୍ମରଣୀୟ। ଆଉ ଏସବୁ ପାଇଁ ମାନବ ସମ୍ପୂର୍ଣ୍ଣ ଭାବେ ଦାୟୀ।"
ଜୀବାଶ୍ମ ଇନ୍ଧନ ଲାଭ ଏବଂ ଜଳବାୟୁ ନିଷ୍କ୍ରିୟତାର ଗ୍ରହଣୀୟ ନୁହେଁ ବୋଲି ସେ ଆହ୍ୱାନ କରି ରାଜନେତାମାନଙ୍କୁ ବିଳମ୍ବ ନକରି ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଏଥିସହ ନେତାମାନଙ୍କୁ ଏଥିପାଇଁ ନେତୃତ୍ୱ ନେବାକୁ ପଡିବ ବୋଲି କହିଛନ୍ତି। କୌଣସି ବାହାନା କିମ୍ବା ଅନ୍ୟମାନଙ୍କୁ ଦାୟିକା ନ ଦେଇ ଅନ୍ୟ କାହାକୁ ଅପେକ୍ଷା ନକରି ପ୍ରଥମେ ଗୋଡ଼ ଆଗକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ତେବେ ଗୁଟେରସଙ୍କ ଚେତାବନୀ ପରେ ମଧ୍ୟ ଯଦି କୌଣସି ପଦକ୍ଷେପ ନିଆନଯାଏ, ତେବେ ଆଗକୁ ଜଲବାୟୁ କିପ୍ରକାର ରୂପ ନେବ ତାହା ଅନୁମେୟ।
ପ୍ରଶାନ୍ତ ମହାସାଗରରେ ଏଲ ନିନୋ ଅବସ୍ଥା ଆରମ୍ଭ ହୋଇ ସାରିଛି ବୋଲି ବିଶ୍ୱ ପାଣିପାଗ ସଂଗଠନ ଘୋଷଣା କରିଛି। ବିଶ୍ୱର ବାୟୁମଣ୍ଡଳୀୟ ତଥା ମହାସାଗରୀୟ ତାପମାତ୍ରା ବୃଦ୍ଧି ସହିତ ଉତ୍ତାପ ବୃଦ୍ଧି ଓ ମରୁଡ଼ି ପରିସ୍ଥିତି ଭଳି ତିରୋଟ ପାଣିପାଗ ସମ୍ପର୍କିତ ଘଟଣାକୁ ନଜରରେ ରଖି ବିଶ୍ୱବାସୀଙ୍କୁ ସତର୍କ ରହିବାକୁ ସଙ୍ଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ମତରେ ଏଲ ନିନୋ ଓ ଲା ନିନା ହେଉଛି ବୈଶ୍ଵିକ ଜଳବାୟୁର ଦୁଇ ଭିନ୍ନ ସାମୟିକ ଅବସ୍ଥା। ଏହି ଦୁଇଟିର ମଧ୍ୟବର୍ତ୍ତୀ ଅବସ୍ଥାକୁ ନିରପେକ୍ଷ ଅବସ୍ଥା (ନିଉଟ୍ରାଲ) କୁହାଯାଏ। ଯେତେବେଳେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରରେ ରହିଥିବା ଜଳରାଶିର ତାପମାତ୍ରା ସ୍ୱାଭାବିକ ତାପମାନଠାରୁ ମାତ୍ର ୦.୫୦ ଡିଗ୍ରୀ ସେଲସିଅସରୁ ଅଧିକ ବଢ଼ିଯାଏ ଏହାକୁ ଏଲ ନିନୋ ଓ କମିଗଲେ ଲା ନିନା ଅବସ୍ଥା କୁହାଯାଏ। ଗତ ଏକମାସରୁ ଅଧିକ ସମୟ ଧରି ପ୍ରଶାନ୍ତ ମହାସାଗର ଜଳରାଶିର କିଛି ଅଂଶରେ ଏଭଳି ଉତ୍ତାପ ବୃଦ୍ଧି ପରିସ୍ଥିତି ଉପୁଜିଥିଲା। ମାତ୍ର ବର୍ତ୍ତମାନ ସାମଗ୍ରିକ ଭାବେ ପ୍ରଶାନ୍ତ ମହାସାଗରର ପ୍ରାୟ ସମସ୍ତ ଅଞ୍ଚଳରେ ସ୍ୱାଭାବିକ ତାପମାନଠାରୁ ୦.୫୦ ଡିଗ୍ରୀ ସେଲସିଅସରୁ ଅଧିକ ଉତ୍ତାପ ବଢ଼ିଥିବାର ରେକର୍ଡ କରାଯାଇଛି। ଏପରିକି, କିଛି ସ୍ଥାନରେ ସ୍ୱାଭାବିକଠାରୁ ୧.୦୦ ଡିଗ୍ରୀ ସେଲସିଅସରୁ ଅଧିକ ଉତ୍ତାପ ବଢ଼ିଛି; ଯାହା ଏଲ ନିନୋ ପ୍ରଭାବକୁ ଶକ୍ତିଶାଳୀ କରିଛି।
ପାଣିପାଗ ବିଶେଷଜ୍ଞମାନଙ୍କ କହିବାନୁଯାୟୀ ଉତ୍ତର ଗୋଲାର୍ଦ୍ଧରେ ଏବେ ଗ୍ରୀଷ୍ମ ଋତୁ ଚାଲିଛି। ଦକ୍ଷିଣ ଗୋଲାର୍ଦ୍ଧରେ ସହଜେ ଅଧିକ ଗରମ। ଏଣୁ, ବିଶ୍ୱର ହାରାହାରି ତାପମାତ୍ରା ଅଧିକ ରହୁଛି। ଓଡ଼ିଶାରେ ଏବେ ତାପମାତ୍ରା ହ୍ରାସ ପାଉଥିଲେ ବି ହ୍ରାସହାର ଓ ଗତି ଦୁର୍ବଳ। ତାହା ସହ ବାୟୁମଣ୍ଡଳରେ ଅତ୍ୟଧିକ ଜଳୀୟ ବାଷ୍ପ ରହୁଥିବାରୁ ତାପମାତ୍ରାର ପ୍ରଭାବ ଅଧିକ ଥିଲା ଭଳି ଅନୁଭୂତ ହେଉଛି। ବାୟୁମଣ୍ଡଳରେ ସାଧାରଣତଃ ଯେତିକି ଜଳୀୟବାଷ୍ପ ବା ଆର୍ଦ୍ରତା ରହିବା କଥା ତାହାଠାରୁ ଯଥେଷ୍ଟ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି, ଯାହା ଗରମ ବାମ୍ଫ ଭର୍ତ୍ତି କୋଠରୀ ଭିତରେ ରହିବା ଭଳି ଏକ ପରିସ୍ଥିତି। ଚଳିତ ବର୍ଷ ମୌସୁମୀ ସ୍ୱାଭାବିକ ରହିବ ବୋଲି ଯଦିଓ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି, ଏବେ ଚାଲିଥିବା ଏଲ ନିନୋର ପ୍ରଭାବ ଆସନ୍ତା ୨୦୨୪ ଗ୍ରୀଷ୍ମ ଋତୁ ଯାଏଁ ପଡ଼ିବା ନିଶ୍ଚିତ। ସ୍ମରଣ ଥାଇପାରେ ଯେ, ୨୦୧୫ ବର୍ଷ ଏହିଭଳି ଏଲ ନିନୋ ସୃଷ୍ଟି ହୋଇଥିଲା, ଯାହାର ପ୍ରଭାବ ପରବର୍ଷ ୨୦୧୬ରେ ଅନୁଭୂତ ହୋଇଥିଲା। ସେହି ସମାନ ନିୟମ ଓ ଅଭିଜ୍ଞତା ଆଧାରରେ ଏଥର ବି ସେହିଭଳି ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଇପାରେ।
ଏଲ ନିନୋ ପ୍ରଭାବରେ ସମୁଦ୍ର ଜଳର ଉତ୍ତାପ ବୃଦ୍ଧି ହେଲେ ସମୁଦ୍ର ପତ୍ତନ ଉପରିଭାଗ ବାୟୁମଣ୍ଡଳ ମଧ୍ୟ ଉତ୍ତପ୍ତ ହୋଇଯାଏ ଏବଂ ବାୟୁ ପ୍ରବାହ ଦିଗ ପ୍ରଭାବିତ ହୁଏ। ଏହି ବାୟୁ ପ୍ରବାହରେ ଅନିୟମିତତା ଓ ଦିଗ ପରିବର୍ତ୍ତନ ହିଁ ମୌସୁମୀ ବାୟୁ ବାହିତ ମୌସୁମୀ ବର୍ଷାକୁ ଦିଗହରା, ଅନିୟମିତ ତଥା ବିଳମ୍ବିତ କରିଦିଏ। ସାମଗ୍ରିକ ଭାବେ, ଅନେକ ସ୍ଥାନରେ ବର୍ଷା ପରିମାଣ କମ ରହେ ଓ ନିୟମିତ ଏବଂ ପର୍ଯ୍ୟାପ୍ତ ହୋଇପାରେନା। ଦେଖାଯାଇଛି ଯେ ପ୍ରାୟ ୬୦ ପ୍ରତିଶତ ଏଲ ନିନୋ ବର୍ଷରେ ପାଣିପାଗ ପ୍ରତିକୂଳ ରହେ। ଏହାର ପ୍ରଭାବରେ ଭାରତୀୟ ଉପମହାଦେଶ ସମେତ, ଆଫ୍ରିକା, ଅଷ୍ଟ୍ରେଲିଆ, ୟୁରୋପ, ଉତ୍ତର ଓ ଦକ୍ଷିଣ ଆମେରିକା ମହାଦେଶ ଅନ୍ତର୍ଗତ ଦେଶମାନେ ଅସ୍ୱାଭାବିକ ଓ ପ୍ରତିକୂଳ ପାଣିପାଗକୁ ସାମନା କରନ୍ତି। ଏଲ ନିନୋ ବର୍ଷମାନଙ୍କରେ ବାୟୁ ପ୍ରବାହ ଦିଗ ଅସ୍ୱାଭାବିକ ଭାବେ ଓଲଟିଯାଏ। ବିଷୁବ ରେଖାର ନିମ୍ନ ଭାଗରେ ଥିବା ଦକ୍ଷିଣ ଗୋଲାର୍ଦ୍ଧରେ ସୃଷ୍ଟ ମୌସୁମୀ ବାୟୁ ବିଷୁବ ରେଖା ଅତିକ୍ରମ କରିପାରେନା। ଫଳରେ, ଆକାଶରେ ମେଘ ତିଆରି ହୋଇପାରେନା, ମୌସୁମୀ ବାୟୁ ପ୍ରବାହ ବିଳମ୍ୱିତ, ଅନିୟମିତ ଓ ବିନା ବୃଷ୍ଟିରେ ବିଲୀନ ହୁଏ। ସ୍ୱାଭାବିକ ବର୍ଷମାନଙ୍କରେ ପୂର୍ବ ପ୍ରଶାନ୍ତ ମହାସାଗର ଅଞ୍ଚଳରୁ ବାୟୁ ପ୍ରବାହ ଭାରତ ମହାସାଗର ଉପର ଦେଇ ପଶ୍ଚିମ ଦିଗକୁ ଗତି କରୁଥିବା ବେଳେ ଓ ନିୟମିତ ବୃଷ୍ଟିପାତ କରାଉଥିଲାବେଳେ ଏହି ଏଲ ନିନୋ ପ୍ରକ୍ରିୟା କାରଣରୁ ହିଁ ଆସନ୍ତା ବର୍ଷ ସମଗ୍ର ବିଶ୍ଵ ପାଇଁ ଅନିୟମିତ ଓ ସ୍ୱଳ୍ପ ବର୍ଷାର କାରଣ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ସମଗ୍ର ଭାରତ ମୁଖ୍ୟତଃ ଏକ କୃଷି ପ୍ରଧାନ ଦେଶ ଓ ଏହାର ଜନସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଲୋକ କୃଷି ଉପରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ। ଆମ ରାଜ୍ୟ ଓଡ଼ିଶାରେ ଏହି ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ହୋଇଥିଲେ ହେଁ ମାତ୍ର ୩୦-୩୫ ପ୍ରତିଶତ ଚାଷଜମି ଜଳସେଚିତ। ବାକି ୬୫ ପ୍ରତିଶତ ଚାଷୋପଯୋଗୀ ଜମି ବର୍ଷା ଉପରେ ନିର୍ଭରଶୀଳ। ଏଲ ନିନୋ ପ୍ରଭାବରେ ମୌସୁମୀ ବର୍ଷା ପରିମାଣ କମିଗଲେ କିମ୍ବା ଅନିୟମିତ ହୋଇଗଲେ ଅଣ ଜଳସେଚିତ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରଭାବିତ ହୁଏ। ବୁଣାଧାନରେ ଗଜାମରୁଡ଼ି ହେବା ସଙ୍ଗେ ସଙ୍ଗେ ସଠିକ ସମୟରେ ତଳିଧାନ ରୁଆ, ବଛା ଓ ଖେଳୁଆ ପଡ଼ି ପାରେନା। ଆମର ସମସ୍ତ ଜଳଭଣ୍ଡାର ମଧ୍ୟ ବର୍ଷାଜଳପୁଷ୍ଟ। ସମସ୍ତ ଜଳଭଣ୍ଡାର, ପୋଖରୀ, କଟାମାନଙ୍କରେ ସଞ୍ଚିତ ଜଳ ପରିମାଣ କମିଯାଇ ଥିବାରୁ ଜଳସେଚିତ ଜମିରେ ମଧ୍ୟ ଦରକାର ହେଉଥିବା ଜଳ ଯୋଗାଣ ସମ୍ଭବ ହୋଇପାରେନା। ବର୍ଷା ଋତୁରେ (ଖରିଫ) ଫସଲ ଚାଷ କେବଳ ଜଳ କ୍ଳିଷ୍ଟତା କାରଣରୁ ସମ୍ଭବ ହୋଇପାରୁ ନଥିବା ବେଳେ ଶୀତଦିନିଆ ରବି ଫସଲ ଅବସ୍ଥା ସହଜରେ ଅନୁମାନ କରାଯାଇପାରେ। ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ବେଳକୁ ଏଲ ନିନୋ ସର୍ବାଧିକ ଶକ୍ତିଶାଳୀ ରହିବ ବୋଲି ଜଳବାୟୁ ବିଜ୍ଞାନୀ କହୁଛନ୍ତି। ତେଣୁ, ସେତେବେଳକୁ ଅମଳ ହୋଇ ନଥିବା ଖରିଫ ଫସଲ ଓ ଆରମ୍ଭ ହେବାକୁ ଯାଉଥିବା ରବିଚାଷ ପ୍ରଭାବିତ ହେବା ନିଶ୍ଚିତ। ଅନ୍ୟ ଭାଷାରେ କହିଲେ, ମୌସୁମୀ ପ୍ରବାହ ଶୀଘ୍ର ଫେରିଯିବ ଓ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେବ।
ଧାନ ଓଡ଼ିଶାର ମୁଖ୍ୟ ଫସଲ। ଏବେ ସୁଦ୍ଧା ତଳିଘରାରେ ଧାନତଳି କିଛି ସ୍ଥାନରେ ପ୍ରସ୍ତୁତ ହୋଇ ଯାଇଛି। ଚାଷୀ ମେଘକୁ ଚାହିଁ ବସିଛନ୍ତି। ଯେଉଁ ଅଞ୍ଚଳରେ ତଳି ରୋଇବା ପାଇଁ ପ୍ରାୟ ପ୍ରସ୍ତୁତ ହୋଇ ଗଲାଣି ଚାଷୀମାନେ ସେଠାରେ ଜମି କାଦୁଅ କରି ରୋଇବା ପାଇଁ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ବର୍ଷା ବିଳମ୍ବିତ ହେଲେ ତଳି ବୁଢ଼ା ହୋଇଯିବ କିମ୍ବା ରୁଆଯାଇଥିବା ଧାନଗଛ ଜଳବିନା ମରିଯିବାର ଆଶଙ୍କା କରୁଛନ୍ତି ଚାଷୀ। ଶ୍ରାବଣ ମାସ ଆରମ୍ଭ ହୋଇସାରିଥିଲେ ବି ଅନେକ ଜମିକୁ ହଳ ଯାଇନି, ପଡ଼ିଆ ପଡ଼ିଛି। ଏବେ ଯଦି ଲଗାଣ ବର୍ଷା ହୁଏ ଓ ତଳି ପକାଯାଏ ଧାନ ପାଚିବା ବେଳକୁ ଅକ୍ଟୋବର-ନଭେମ୍ବର ହୋଇଯିବ। କିନ୍ତୁ ଏଲ ନିନୋ ପ୍ରଭାବରେ ଅକ୍ଟୋବର ମାସଠାରୁ ମୌସୁମୀ ବର୍ଷା ପ୍ରତ୍ୟାବର୍ତ୍ତନ କରିଗଲେ କ୍ଷୀର ଢୋକିଥିବା ଧାନକେଣ୍ଡା ଅଗାଡ଼ି ହୋଇଯାଇପାରେ କିମ୍ବା ଅମଳ ବହୁମାତ୍ରାରେ ପ୍ରଭାବିତ ହେବା ନିଶ୍ଚିତ। କେବଳ କେନାଲ ଜଳସେଚିତ ଅଞ୍ଚଳରେ ଧାନ ଫସଲ ମରୁଡ଼ିରୁ ରକ୍ଷା ପାଇଯାଇପାରେ, କିନ୍ତୁ ସମଗ୍ର ରାଜ୍ୟର ଧାନ ଉତ୍ପାଦନ ନୈରାଶ୍ୟଜନକ ହେବା ନିଶ୍ଚିତ।
ଗତ ଜୁଲାଇ ୩ ତାରିଖର ତାପମାତ୍ରା ବଜାଇ ସାରିଛି ଆମ ସମସ୍ତଙ୍କ ପାଇଁ ଏକ ସତର୍କ ଘଣ୍ଟି। ଏହା ଆଗକୁ ଏଭଳି ଅନିୟମିତ ପାଣିପାଗ, ଏପରିକି ସ୍ଥାନେ ସ୍ଥାନେ ଅତ୍ୟଧିକ କିମ୍ବା ସ୍ୱଳ୍ପ ବୃଷ୍ଟିପାତ ସମ୍ଭାବନା ରହିବାର ଆଶଙ୍କା ବ୍ୟକ୍ତ କରିଛି। ଏହାର ପ୍ରଭାବ ଓଡ଼ିଶା ସମେତ ସମଗ୍ର ବିଶ୍ୱର ପ୍ରାଣୀ ଜଗତ ଉପରେ ପଡ଼ିବI ନିଶ୍ଚିତ। ଜୁଲାଇ ମାସ ୩ ତାରିଖ ବିଶ୍ୱର ସବୁଠୁ ଉତ୍ତପ୍ତ ଦିବସ ଭାବେ ପରିଗଣିତ ହୋଇ ଆମର ସ୍ଥିତିପ୍ରତି ଆହ୍ୱାନ ସୃଷ୍ଟି କରିଛି। ହାରାହାରି ହିସାବରେ ଜୁଲାଇ ମାସରେ ବିଶ୍ୱର ସର୍ବାଧିକ ତାପମାତ୍ରା ସବୁ ରେକର୍ଡକୁ ପଛରେ ପକାଇ ଦେଇଛି। ଅତୀତରେ ୨୦୧୬ ଅଗଷ୍ଟ ମାସରେ ବିଶ୍ୱର ହାରାହାରି ତାପମାତ୍ରା ୧୬.୯୨ ଡିଗ୍ରୀ ସେଲସିଅସ ରହିଥିଲା ଯାହାକି ଚଳିତ ୨୦୨୩ ମସିହା ଜୁଲାଇ ମାସ ୩ ତାରିଖ ଦିନ ୧୭.୦୧ ଡିଗ୍ରୀ ସେଲସିଅସ ଛୁଇଁବା କାରଣରୁ ଭାଙ୍ଗିଯାଇଛି।
ବ୍ରହ୍ମାଣ୍ଡ ଏବଂ ସୌର ମଣ୍ଡଳର କିଛି ଗ୍ରହ ଓ ଉପଗ୍ରହରେ କେବେ ଜୀବସତ୍ତା ଥିଲେବି ଆଜି ନାହିଁ। ପୃଥିବୀ ଭଳି ଗ୍ରହରେ ଜୀବସତ୍ତା ବିପଦରେ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ମିଥେନ ବାଷ୍ପ ପରିମାଣ ବଢ଼ିଯାଉଥିବାରୁ ସୂର୍ଯ୍ୟଙ୍କ ପ୍ରଭାବ ଅଧିକରୁ ଅଧିକ ଅନୁଭୂତ ହେଉଛି। ଯେଭଳି କିଛି ପ୍ରାଣୀ ଓ ଉଦ୍ଭିଦ ଏବେ ନିଶ୍ଚିହ୍ନ ହୋଇଯାଇଛନ୍ତି ସେଭଳି ଆଗକୁ ମଧ୍ୟ ଘଟି ଚାଲିବ। କେବଳ ଯେଉଁ ପ୍ରାଣୀ ଓ ଉଦ୍ଭିଦମାନେ ପ୍ରତିକୂଳ ଜଳବାୟୁ ପରିବେଶ ମଧ୍ୟରେ ବଞ୍ଚିରହିବାର ଉପାୟ ଅଭ୍ୟାସ କରିନେବେ ପୃଥିବୀ ପୃଷ୍ଠରେ ସେମାନଙ୍କ ପ୍ରଜାତି ହୁଏତ ଅଧିକ କାଳ ବଞ୍ଚି ରହିବେ। ଏବେ ଆମେରିକାର ବୈଜ୍ଞାନିକମାନେ ପୃଥିବୀର ବାୟୁମଣ୍ଡଳ ଉପରି ଭାଗରେ ଏଭଳି ଏକ ଆସ୍ତରଣ ଦେବାକୁ ପ୍ରଚେଷ୍ଟା କରୁଛନ୍ତି ଯାହା ସୂର୍ଯ୍ୟଙ୍କ ପ୍ରଖରତାକୁ କମାଇଦେଇ ପାରିବ। ଆମକୁ କିନ୍ତୁ ନିଜ ନିଜ ପରିଧିରେ କିଛି ନୂତନ ଜୀବନଚର୍ଯ୍ୟା ପାଳନ କରିବାକୁ ହେବ ଯାହା ଫଳରେ ଜୀବ ଜଗତ ନିଶ୍ଚିହ୍ନ ହେବାକୁ ଆମେ ବିଳମ୍ବିତ କରିଦେଇ ପାରିବା। ସେଗୁଡ଼ିକ ହେଲା:
୧. ଜୀବମାନଙ୍କର ଦେହାବଶେଷ ଓ ମଳମୂତ୍ରରୁ ସୃଷ୍ଟ ମିଥେନ ଗ୍ୟାସକୁ ଜାଳେଣୀ ରୂପେ ବ୍ୟବହାର କରି ବାୟୁମଣ୍ଡଳରୁ ସବୁଜ ଗ୍ୟାସ କମାଇବା।
୨. ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରୁ ଯଥାସମ୍ଭବ କମାଇବା ପାଇଁ କୋଇଲା ଓ ପେଟ୍ରୋଲିୟମ ଇନ୍ଧନ ବ୍ୟବହାର କମାଇ ବିକଳ୍ପ ଉର୍ଜ୍ଜାଉତ୍ସ ଯଥା ସୂର୍ଯ୍ୟାଲୋକ, ପବନ ଓ ଜଳବିଦ୍ୟୁତ ଇତ୍ୟାଦିର ବ୍ୟବହାର ବଢାଇବା।
୩. ଅବିଚାରିତ ଭାବେ ବୃକ୍ଷ ଚ୍ଛେଦନ ନକରି ବୃକ୍ଷରୋପଣ, ନୂତନ ଜଙ୍ଗଲ ସୃଷ୍ଟି ଓ ପୁରୁଣା ଜଙ୍ଗଲଗୁଡ଼ିକୁ ସୁରକ୍ଷିତ ରଖିବାକୁ ହେବ। ଅଧିକ ଅଙ୍ଗାରକାମ୍ଳ ଶୋଷି ନେବାକୁ ସକ୍ଷମ ବାଉଁଶ ଜାତୀୟ ବୃକ୍ଷ, ଅଧିକ ଛାୟା ପ୍ରଦାନକାରୀ ତଥା ଔଷଧୀୟ ବୃକ୍ଷରୋପଣ ମଧ୍ୟ କରିବାକୁ ହେବ।
୫. ଭୂତଳ ଜଳ ବ୍ୟବହାର ବଦଳରେ ଭୂପୃଷ୍ଠ ଜଳ ଯଥା, ନଦୀ, ନାଳ, ପୋଖରୀ, କଟା ଏବଂ ଅମଳ କରାଯାଉଥିବା ବର୍ଷାଜଳ ବ୍ୟବହାର ହେବା ଦରକାର। ବାୟୁମଣ୍ଡଳରେ ଥିବା ଆର୍ଦ୍ରତା ବା ଜଳୀୟ ବାଷ୍ପରୁ ମଧ୍ୟ ଜଳ ଅମଳ କରିବା ପାଇଁ ପ୍ରଚେଷ୍ଟା ଗୁରୁତ୍ୱପୂର୍ଣ୍ଣ। ଆମେ ନଳକୂପ, ଏପରିକି କୂଅ ବ୍ୟବହାର ନକମାଇଲେ ମାଟିରୁ ଜଳୀୟ ଅଂଶ କମିଯିବ। ବୃକ୍ଷରାଜି ସବୁ ଶୁଖି ମରିଯିବେ, ଜଙ୍ଗଲରେ ଅଧିକ ନିଆଁ ଲାଗିବାର ଦେଖିବାକୁ ମିଳିବ।
୫. ଅନିୟମିତ ବର୍ଷା ଓ କମ ବର୍ଷା ହେଉଥିବା ଅଣ ଜଳସେଚିତ ଅଞ୍ଚଳରେ ଆମେ ଫସଲ ଖସଡ଼ା ଓ ପର୍ଯ୍ୟାୟ ବଦଳାଇବାକୁ ପଡ଼ିବ। କୃଷି ବୈଜ୍ଞାନିକଙ୍କ ପାଇଁ ଏହା ଏକ ଆହ୍ୱାନ। ସେମାନଙ୍କୁ ଅଳ୍ପଦିନରେ ଅଧିକ ଅମଳ ହୋଇ ପାରୁଥିବା ଫସଲ କିସମ ସୃଷ୍ଟିକରିବାକୁ ପଡ଼ିବ। ଆମକୁ ଖାଦ୍ୟାଭ୍ୟାସ ବଦଳେଇବାକୁ ପଡ଼ିବ। ଆମକୁ ଶାକାହାରୀ ହେବା ସହ ମାଣ୍ଡିଆ ଭଳି ନିପାଣିଆ ଫସଲ ଖାଇକରି ବଞ୍ଚିଶିଖିବାକୁ ହେବ।
୬. ଉତ୍ତପ୍ତ ଜଳବାୟୁରେ ଆମକୁ ଚଳିବାକୁ ପଡ଼ିବା ସହ କର୍ମଠ ଓ କଷ୍ଟ ସହିଷ୍ଣୁ ହେବାକୁ ପଡ଼ିବ। ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବ୍ୟବହାର ନକରି ବଞ୍ଚିବାର କୌଶଳ ଶିଖିବାକୁ ଓ ଅଭ୍ୟାସ କରିବାକୁ ପଡ଼ିବ।
୭. ପ୍ରତ୍ୟେକ ଫଳ ଫୁଲ ଓ ଖାଦ୍ୟୋପଯୋଗୀ ଉଦ୍ଭିଦ ପାଇଁ ନିର୍ଦିଷ୍ଟ ଉତ୍ତାପ ଅତ୍ୟାବଶ୍ୟକ। ତାହା ନମିଳିଲେ ଫୁଲ ଧରିବନି, ପରାଗସଙ୍ଗମ ହେବନି କି ଗର୍ଭାଧାନ ସମ୍ଭବ ହେବନାହିଁ। ଏଣୁ, ଆମକୁ ପଲିଥିନ ଘର ତିଆରି କରି କୄତ୍ରିମ ପରିବେଶରେ ଚାଷବାସ କରିବାକୁ ପଡ଼ିବ। ଜଳସେଚନ ବ୍ୟବସ୍ଥାକୁ ଅଧିକ ଉନ୍ନତ ତଥା କାର୍ଯ୍ୟଦକ୍ଷ କରିବାକୁ ହେବ।
ପ୍ରକୃତିକୁ ସିନା ଆମେ ବଦଳେଇ ଦେଇପାରିବାନି ଓ ବନ୍ୟା-ବାତ୍ୟା-ବର୍ଷା ଚକ୍ରକୁ ନିୟନ୍ତ୍ରିତ କରି ପାରିବାନି, କିନ୍ତୁ ପ୍ରତିକୂଳ ପରିସ୍ଥିତିରେ ‘ମୁଁ ନୁହେଁ, ଆମକୁ’ ବଞ୍ଚିବାକୁ ହେବ। ଭାରତୀୟ ସଂସ୍କୃତି ତାହାହିଁ ଘୋଷଣା କରେ।
ଜାନକୀଶ ବଡ଼ପଣ୍ଡା
ଫୋ- ୯୪୩୮୨୯୯୦୩୭
ଅନ୍ତର୍ଜାତୀୟ ସ୍ତରର ପ୍ରାକୃତି ଓ ସାମଜିକ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଆର୍ଥ କମିଶିନ ତା’ ରିପୋର୍ଟରେ କହିଛି ଯେ ମାନବ ସମାଜ ଏବେ ବିଶାଳ ଓ ବଡ଼ ବଡ଼ ରିସ୍କ ନେବାରେ ଲାଗିଛି। ବିକାଶ ନାଁରେ ପୃଥିବୀକୁ କ୍ଷତି ପହଞ୍ଚାଇବାରେ ଲାଗିଛି। ମଣିଷମାନଙ୍କର ଏପରି ଆଭିମୁଖ୍ୟ ଭିବଷ୍ୟତ ପିଢ଼ି ଓ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବସତ୍ତା ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି।
ଜର୍ଣ୍ଣାଲ ନେଚରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମଣିଷ ସମାଜ ଏବେ ମହାପ୍ରଳୟ ଆଡ଼କୁ ଟାଣି ହୋଇଗଲାଣି। ମଣିଷର ଚାପ ଯୋଗୁ ପୃଥିବୀର ସ୍ଥିର ବ୍ୟବସ୍ଥା ଅସ୍ଥିର ବାତାବରଣ ମଧ୍ୟକୁ ଠେଲି ହୋଇଯାଉଛି।
ପରିବେଶ, ବାୟୁ ପ୍ରଦୂଷଣ, ଫସଫରସ ଓ କୀଟନାଶକର ବହୁଳ ବ୍ୟବହାର ଯୋଗୁ ପାଣିରେ ବଢ଼ୁଥିବା ନାଇଟ୍ରୋଜେନର ଭାଗ, ଗ୍ରାଉଣ୍ଡ ୱାଟର ସପ୍ଲାଏ, ନୂଆ ଭୂତଳ ଜଳ, ପ୍ରାକୃତି ପରିବେଶ ଗଠନ ନ ହେବା ଓ ସର୍ବୋପରି ପ୍ରାକୃତି ଓ ମାନବ ନିର୍ମିତ ପରିବେଶ ଆଦିକୁ ବିଚାରକୁ ନେଇ ଗବେଷକମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେବଳ ବାୟୁ ପ୍ରଦୂଷଣ ପୂରା ପୃଥିବୀ ପ୍ରତି ବିପଦ ସୃଷ୍ଟି କରୁ ନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।
କେବଳ ଗୋଟିଏ ଓ ସମାନ ଆଭିମୁଖ୍ୟ ହିଁ ପୃଥିବୀର ସ୍ଥିରତା ପାଇଁ ଆବଶ୍ୟକ। ଆମେ କେବେ ହେଲେ ଉପଯୁକ୍ତ ପଦକ୍ଷେପ ବିନା ଗୋଟିଏ ମଣିଷ ପାଇଁ ଆବଶ୍ୟକ ତଥା ସୁରକ୍ଷିତ ପୃଥିବୀ ଗଠନ କରିପାରିବା ନାହିଁ।
ଲୋକଙ୍କ ସମ୍ପଦକୁ କ୍ଷତି ପହଞ୍ଚାଉଥିବା ଉପାଦାନକୁ ଅଟକାଇବା ହିଁ ଆମର ଏକ ମାତ୍ର ଟାର୍ଗେଟ ହେବା ଦରକାର। ଏହି ଟାର୍ଗେଟକୁ ହାସଲ କରିବା ପାଇଁ ଆମକୁ ନିଜକୁ ଓ ନିଜର ଆଖପାଖ ଅଞ୍ଚଳକୁ ପରିବର୍ତ୍ତନ ରାସ୍ତାରେ ନେବାକୁ ପଡ଼ିବ ବୋଲି ରିପୋର୍ଟର ସହ ଲେଖକ ପ୍ରଫେସର ଜ୍ୟୋତା ଗୁପ୍ତା କହିଛନ୍ତି।
ଇଷ୍ଟର୍ଣ୍ଣ ୟୁରୋପ, ଦକ୍ଷିଣ ଏସିଆ, ମଧ୍ୟପ୍ରାଚ୍ୟ, ଆଫ୍ରିକାର କିଛି ଅଂଶ, ବ୍ରାଜିଲର ଅଧିକାଂଶ ସ୍ଥାନ, ମେକ୍ସିକୋ, ଚାଇନା ଓ ପଶ୍ଚିମ ଆମେରିକାର କିଛି ଅଂଶ ସମସ୍ୟାର ହଟସ୍ପଟରେ ପରିଣତ ହୋଇଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏହି ସବୁ ଅଞ୍ଚଳରେ ପରିବେଶ ଜନିତ ସମସ୍ୟା ଦେଖାଦେଇଛି। କେତେ ବେଳେ ପ୍ରବଳ ଖରା ତ ଆଉ କେତେ ବନ୍ୟା ବନ୍ଧ ବାଡ଼ ଭାଙ୍ଗୁଛି।
ଗବେଷକ ଟିମ କହିଛନ୍ତି ଯେ ଏସିଆ ହାଇ ମାଉଣ୍ଟେନ କ୍ରାୟୋସ୍ଫର(ଏଏଚଏମସି) ଦ୍ରୁତଗତିରେ ବଦଳୁଛି। ଏବେ ଏହା ବିପଦର ନୂଆ ଉପାଦନ ପାଲଟିବାର ଅତି ନିକଟରେ ପହଞ୍ଚି ଯାଇଛି। ଏହି ପରିବର୍ତ୍ତନ ଆଞ୍ଚିଳିକ ସାମାଜିକ ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ।
ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ରହିଥିବା ଅଧିକାଂଶ ବ୍ୟବସ୍ଥା ଏବେ ବିପଦ ଜୋନ ମଧ୍ୟରେ ରହିଛନ୍ତି। ଯେଉଁ ଭଳି ଜଣେ ବ୍ୟକ୍ତିଙ୍କର ବାର୍ଷିକ ମେଡିକାଲ ଚେକଅପ କରାଯାଏ ସେଭଳି ଚେକଅପ ଯଦି ପୃଥିବୀର କରାଯିବ, ତା’ହେଲେ ଡାକ୍ତରମାନେ ନିଶ୍ଚିତ କହିବେ ଯେ ପୃଥିବୀ ଏବେ ଋଗଣ ଅବସ୍ଥାରେ ରହିଛି। ପୃଥିବୀର ବିଭିନ୍ନ ପ୍ରାନ୍ତରେ ଏହି ରୋଗ ସବୁ ଦେଖାଦେଇଛି ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି।
ବିଜ୍ଞାନ ସ୍ପଷ୍ଟ ଭାବେ ଦେଖାଉଛି ଯେ ପୃଥିବୀରେ ଥିବା ସମସ୍ତ ପ୍ରକାରର ଅନ୍ୟ ବାୟୋଫିଜିକାଲ ବ୍ୟବସ୍ଥା ଓ ପ୍ରକ୍ରିୟା ଆମକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ପୃଥିବୀରେ ଥିବା ଜୀବସତ୍ତାକୁ ଆମକୁ ନିଶ୍ଚିତ କରିବାକୁ ହେବ। ପୃଥିବୀ ବର୍ତ୍ତମାନ ସୁଦ୍ଧା ସୁରକ୍ଷା ସୀମାକୁ ଅତିକ୍ରମ କରି ସାରିଲାଣି। ସ୍ୱାଭାବିକ ଠାରୁ ତାପାମାତ୍ରା ୧ ଡିଗ୍ରୀ ଅଧିକ ହୋଇସାରିଲେଣି। ଜଳବାୟୁ ପରିବର୍ତ୍ତନ ଯୋଗୁ କୋଟି କୋଟି ଲୋକ ପ୍ରଭାବିତ ମଧ୍ୟ ହୋଇଛନ୍ତି।
କୋଇଲା, ତେଲ ଓ ଅନ୍ୟ ପ୍ରାକୃତିକ ଗ୍ୟାସର ବ୍ୟବହାରରେ ପରିବର୍ତ୍ତନ ସହ ଜମି ଓ ପାଣିର ବ୍ୟବହାରକୁ ଠିକ ଭାବେ କରିପାରିଲେ ପୃଥିବୀ ପୁଣି ସୁସ୍ଥ ହୋଇପାରିବ। କିନ୍ତୁ ଆମେ ଏବେ ଭୁଲ ଦିଗରେ ଯାଉଛେ। ଆମେ କେମିତି ଏହାକୁ ବଦଳାଇବା, ସେ ବିଷୟରେ ମଧ୍ୟ ଚିନ୍ତା କରିବାକୁ ହେବ ବୋଲି ଗବେଷକମାନେ କହିଛନ୍ତି।
ରିପୋର୍ଟରେ ଦର୍ଶାଯାଇଛି ଯେ ଉତ୍ତାପ ସୃଷ୍ଟି କରୁଥିବା ଗ୍ରୀନ୍ ହାଉସ୍ ଗ୍ୟାସର ରେକର୍ଡ ସ୍ତର ସମଗ୍ର ବିଶ୍ୱରେ ମରୁଡ଼ି, ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ବା ହିଟ୍ୱେଭ ସ୍ଥିତିକୁ ବୃଦ୍ଧି କରିଛି। ୨୦୨୨ ବର୍ଷରେ ହିଟୱେଭ ଯୋଗୁ ୟୁରୋପରେ ପ୍ରାୟ ୧୫,୭୦୦ ଲୋକଙ୍କ ମୃତ୍ୟୁ ଘଟିଛି।
ମିଳିତ ଜାତିସଂଘର ଏଜେନ୍ସି WMO ଏହାର ରିପୋର୍ଟରେ କହିଛି ଯେ ନିର୍ଦ୍ଦିଷ୍ଟ ସ୍ଥାନରୁ ମିଳିଥିବା ରିଅଲ୍ ଟାଇମ୍ ଡାଟାରୁ ଜଣାପଡ଼ିଛି ଯେ ତିନୋଟି ଗ୍ରୀନ୍ ହାଉସ୍ ଗ୍ୟାସ୍- କାର୍ବନ ଡାଇଅକ୍ସାଇଡ୍, ମିଥେନ ଓ ନାଇଟ୍ରସ୍ ଅକ୍ସାଇଡସ୍ତରର ବୃଦ୍ଧି ୨୦୨୨ରେ ଅଧିକ ଦେଖିବାକୁ ମିଳିଥିଲା।
ଜଳବାୟୁ ପରିବର୍ତ୍ତନ ଯୋଗୁ ମରୁଡ଼ି, ବନ୍ୟା ଓ ହିଟୱେଭ ଭାରତ ସମେତ ସବୁ ମହାଦେଶରେ ରହୁଥିବା ଲୋକଙ୍କୁ ପ୍ରଭାବିତ କରିଛି। ଏଥିରୁ ମୁକୁଳିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ କରାଯାଇଛି। ଆଣ୍ଟାର୍କଟିକ୍ ସମୁଦ୍ରରେ ଥିବା ବରଫ ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଛି। କେତେକ ୟୁରୋପୀୟ ଗ୍ଲେସିୟର ତରଳିବା ମଧ୍ୟ ଆରମ୍ଭ ହୋଇଛି। ଗତ ୮ ବର୍ଷ ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ସବୁଠାରୁ ଅଧିକ ରହିଛି। ୨୦୨୨ରେ ଏହା ସ୍ୱାଭାବିକ ଠାରୁ ୧.୧୫ ଡିଗ୍ରୀ ଅଧିକ ରହିଥିଲା।
WMO ସେକ୍ରେଟେରୀ ଜେନେରାଲ ପେଟେରୀ ତାଲାସ ଗୋଟିଏ ବିବୃତିରେ କହିଛନ୍ତି ଯେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ବଢ଼ିବାରେ ଲାଗିଛି ଓ ଜଳବାୟୁ ପରିବର୍ତ୍ତନ ଜାରି ରହିଥିବାରୁ ବିଶ୍ୱର ଲୋକମାନେ ପାଣିପାଗର ଭୟଙ୍କର ରୂପରେ ପ୍ରଭାବିତ ହେଉଛନ୍ତି। ୨୦୨୨ରେ ପୂର୍ବ ଆଫ୍ରିକାରେ ଲଗାତାର ମରୁଡ଼ି, ପାକିସ୍ତାନରେ ରେକର୍ଡ ଭାଙ୍ଗିଥିବା ବର୍ଷା ଓ ଚାଇନା ଏବଂ ୟୁରୋପରେ ରେକର୍ଡ ଭାଙ୍ଗିଥିବା ଗ୍ରୀଷ୍ମ ପ୍ରବାହ ଏହାର ଉଦାହରଣ। ଏହାଦ୍ୱାରା ଖାଦ୍ୟ ନିରାପତ୍ତା ବଢ଼ିଛି, ବହୁ ଲୋକ ପଳାୟନ କରିଛନ୍ତି ଓ କ୍ଷୟକ୍ଷତି ଯୋଗୁ କୋଟି କୋଟି ଟଙ୍କା ନଷ୍ଟ ହୋଇଛି ବୋଲି ସେ କହିଛନ୍ତି।
ଭାରତରେ ମୌସୁମୀର ଆଗମନ ଆଗୁଆ ହୋଇଥିଲା ଓ ପ୍ରତ୍ୟାବର୍ତ୍ତନ ବିଳମ୍ବ ହୋଇଥିଲା। ଭାରତ ଓ ପଡ଼ୋଶୀ ପାକିସ୍ତାନରେ ମୌସୁମୀ ପୂର୍ବରୁ ପ୍ରବଳ ଗରମ ଅନୁଭତ ହେଉଥିଲା। ଅତ୍ୟଧିକ ଉତ୍ତାପ ଶସ୍ୟ ଅମଳର ପରିମାଣକୁ ହ୍ରାସ କରିଛି। ଅନେକ ଜଙ୍ଗଲରେ ଅଗ୍ନିକାଣ୍ଡ ଘଟାଇଥିଲା। ବିଶେଷ କରି ପାହାଡ଼ ରାଜ୍ୟ ଉତ୍ତରାଖଣ୍ଡ ଅନେକ ଜଙ୍ଗଲରେ ନିଆଁ ଲାଗିଥିଲା।
WMO ରିପୋର୍ଟରେ କୁହାଯାଇଛି ଯେ ୨୦୨୨ରେ ଭାରତ ଓ ପାକିସ୍ତାନରେ ମୌସୁମୀ ପୂର୍ବରୁ ଦେଖାଯାଇଥିବା ହିଟୱେଭ୍ ଯୋଗୁ ଫସଲ ଅମଳରେ କମ ହୋଇଥିଲା। ଏଥିପାଇଁ ଗହମ ରପ୍ତାନୀ ଉପରେ ରୋକ ଲାଗିଥିଲା। ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଭାରତର ଚାଉଳ ରପ୍ତାନୀ ଉପରେ ମଧ୍ୟ ରୋକ ଲାଗିଥିଲା। ଫଳରେ ଅନ୍ତର୍ଜାତୀୟ ଖାଦ୍ୟ ବଜାରରେ ଖାଦ୍ୟ ଉପଲବ୍ଧତା ବିପଦରେ ପଡ଼ିଥିଲା।
ଭାରତରେ ମୌସୁମୀ ବେଳେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଶେଷ କରି ୨୦୨୨ ଜୁନରେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୭୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ସେହିପରି ବଜ୍ରପାତ ଯୋଗୁ ମଧ୍ୟ ୯୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି।
ଚାଇନାରେ ଗ୍ରୀଷ୍ମ ପ୍ରବାହ ରେକର୍ଡ କରିବା ସହ ଦୀର୍ଘ ସମୟ ଧରି ଗରମ ଅନୁଭୂତ ହୋଇଥିଲା। ଜୁନ ମଧ୍ୟଭାଗରୁ ଅଗଷ୍ଟ ଶେଷ ଯାଏ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ୟୁରୋପ ମଧ୍ୟ ଅନେକ ଉତ୍ତାପର ସମ୍ମୁଖୀନ ହୋଇଥିଲା। ପ୍ରବଳ ଗରମ ଯୋଗୁ ସ୍ପେନରେ ପ୍ରାୟ ୪,୬୦୦, ଜର୍ମାନୀରେ ୪,୫୦୦, ବ୍ରିଟେନରେ ୨,୮୦୦ ଓ ପର୍ତ୍ତୁଗାଲରେ ପ୍ରାୟ ୧୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା।
ଗତ ଶହେବର୍ଷ ମଧ୍ୟରେ ୧୯୨୧ ରୁ ୨୦୨୨ ମଧ୍ୟରେ ତାପମାତ୍ରା ୧ ଡି.ଗ୍ରି. ବୃଦ୍ଧି ପାଇଥିବା ଜଳବାୟୁ ବିଜ୍ଞାନୀମାନେ ହିସାବକୁ ନେଇଛନ୍ତି। ଏହି ସମୟ ମଧ୍ୟରେ ଅର୍ଥାତ୍ ୧୯୧୧ ମସିହାରୁ ୨୦୨୧ ମଧ୍ୟରେ ସମୁଦ୍ର ଜଳପତ୍ତନ ହାରାହାରି ଅଧ ଫୁଟ୍ ବଢ଼ିଛି। ସଦ୍ୟତମ ଆକଳନ ଅନୁଯାୟୀ ହିମବାହ (ଗ୍ଲସିଅର) ନିରନ୍ତର ତରଳିବା ହେତୁ ସମୁଦ୍ର ଜଳପତନ ୬୮ ମିଲିମିଟର ଓ ଗ୍ରୀନ୍ ଲ୍ୟାଣ୍ଡର ବରଫ ତରଳିବା ହେତୁ ୪୦ ମି.ମିଟର ବଢ଼ିଛି। ଏସବୁର ପ୍ରଭାବରେ ଉପକୁଳର ସମୁଦ୍ର ତଳପତନ ବାର୍ଷିକ ୩.୩ ମିଲିମିଟର ହାରରେ ବୃଦ୍ଧି ପାଉଛି। ଏଥିପାଇଁ ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳର କ୍ଷୀପ୍ର ଅବକ୍ଷୟ ଘଟିଚାଲିଛି। ଓଡ଼ିଶାର ଏକ ମାଳିକା କଥା ଅଛି, “ବାଇଶି ପାହାଚେ ଖେଳିବ ମୀନ”। ଅର୍ଥାତ୍ ସମୁଦ୍ର ପତନଠାରୁ ଉଚ୍ଚରେ ଥିବା ଜଗନ୍ନାଥ ମନ୍ଦିରର ବାଇଶି ପାହାଚ ଟପି ସମୁଦ୍ରଜଳ ମନ୍ଦିରକୁ ପ୍ରବେଶ କରିବ ବୋଲି ଆଶଙ୍କା ଅଛି।
ବରଫ କ୍ଷୀପ୍ରଗତିରେ ତରଳିବାରେ ଲାଗିଛି। ଯାହାର ପ୍ରଭାବରେ ହିମାଳୟ ପର୍ବତମାଳା ଅଞ୍ଚଳରେ ଅନେକ ସମୟରେ ବିତ୍ପାତ ଘଟି ଅନେକ ସଂପତ୍ତି ଓ ଜୀବନହାନୀ ବାରମ୍ବାର ଘଟାଉଥିବା ଦେଖାଯାଉଛି। ତାପମାତ୍ରା ବୃଦ୍ଧି ହେତୁ ସବୁଠାରୁ ବଡ଼ ହ୍ରାସ ଲୋକଙ୍କର ଶ୍ରମଦାନ ସମୟରେ ଘଟୁଛି। ଅତ୍ୟଧିକ ଖରାହେତୁ ସବୁବର୍ଗର ଖଟିଖିଆମାନେ ଖଟଣୀରୁ ଦୂରେଇ ରହିବାକୁ ବାଧ୍ୟ ହେଉଛନ୍ତି। ଅନିୟମିତ ବର୍ଷା ଓ ଟାଣ ଖରା ହେତୁ ବିଶାଳ ଜଙ୍ଗଲ ସଂପଦର ଲଗାତର କ୍ଷତି ଘଟୁଛି। ଏଥିରୁ ଦେଶ ବା ରାଜ୍ୟର ଆୟ କମ୍ ହେଉଛି। ଜଙ୍ଗଲରୁ ପ୍ରତିବର୍ଷର ଆୟରୁ ଆକଳନ ଅନୁସାରେ କମ୍ ପ୍ରାପ୍ତୀ ଘଟୁଛି। ଜଳବାୟୁର ବ୍ୟତିକ୍ରମ ହେତୁ ଓ ଅଧିକ ଉତ୍ତାପ ହେତୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ଜଙ୍ଗଲ ଓ ସେଥିରେ ରହୁଥିବା ଜୀବଜନ୍ତୁଙ୍କର ଜୀବନହାନୀ ଘଟୁଛି। କ୍ଷତିକାର ଅଙ୍ଗାରକାମ୍ଳର ବାୟୁମଣ୍ଡଳରେ ଉପସ୍ଥିତି ମାତ୍ରା ୨୫% ଅଧିକ ବୃଦ୍ଧି ପାଉଥିବାବେଳେ ଶିଳ୍ପାଞ୍ଚଳ ଓ ସହରାଞ୍ଚଳରେ ଖୁବ୍ ଅଧିକ ଅନୁଭୁତ ହେଉଛି। ଜୀବନ ଜିବୀକା ନିର୍ବାହରେ ପ୍ରତିବନ୍ଧକ ସୃଷ୍ଟି କରୁଛି ଓ ଅନେକ ରୋଗବୃଦ୍ଧିର କାରଣ ହୋଇଛି। ଜଳବାୟୁ ପରିବର୍ତ୍ତନ ହେତୁ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହଠାତ ବନ୍ୟା, ମରୁଡ଼ି, ବାତ୍ୟା ଜନିତ କ୍ଷୟକ୍ଷତି ବଢ଼ିଚାଲିଛି। ଅଧିକନ୍ତୁ ଦେଶର ଯୋଜନାକାରୀମାନେ ଯେତେ ଉଦ୍ୟମ କଲେ ‘ବିକାଶ’ରେ ଏହି ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହେଲାଣି।
ଏଥିରୁ ମୁକ୍ତିପାଇଁ ଅନେକ କଥା ଓ ଚିନ୍ତା ସାମନାକୁ ଆସୁଛି। ବଜେଟ୍ ପ୍ରସ୍ତୁତିବେଳେ ଖୁବ୍ ବଡ଼ ଚର୍ଚ୍ଚା ସହିତ ଜଳବାୟୁ ପରିବର୍ତ୍ତନ ଜନିତ କ୍ଷତି ରୋକିବା ପାଇଁ “ଗ୍ରୀନ୍ ବିଶ୍ୱ” - “ଗ୍ରୀନ୍ ଭାରତ” କଥା କୁହାଯାଉଛି। ପ୍ରସ୍ତୁତ ୨୦୨୩-୨୪ ବର୍ଷ ପାଇଁ ବଜେଟ୍ରେ ବିତ୍ତମନ୍ତ୍ରୀ ଗୋଟିଏ ଘୋଷଣା କରି ଅନେକ କାର୍ଯ୍ୟକ୍ରମ ରଖିଛନ୍ତି ଏବଂ ଦେଶରେ ସଂପୂର୍ଣ୍ଣ ଅଙ୍ଗାରକାମ୍ଳ ନିୟନ୍ତ୍ରଣ କରିବା ଅବ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ନିମନ୍ତେ ୨୦୭୦ ମସିହା ସମୟ ଧାର୍ଯ୍ୟ କରିଛନ୍ତି। ବଡ଼ ହାସ୍ୟାସ୍ପଦ କଥା। ଅରବପତି ଓ ଶିଳ୍ପପତିଙ୍କ ଇଚ୍ଛାନୁସାରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଓ ସେଥିପାଇଁ ବ୍ୟୟବରାଦ ସହିତ ବିକାଶ ନାମରେ କଂକ୍ରିଟ୍ ଜଙ୍ଗଲ ବୃଦ୍ଧି, ସବୁଜ ଜଙ୍ଗଲ କାଟି ଖଣିଖାଦାନ କାର୍ଯ୍ୟ ବଢ଼ାଇବା ଆଦି କାର୍ଯ୍ୟରେ ଲିପ୍ତ ଅଛନ୍ତି। କହିବା ଗୋଟିଏ କଥା କରିବା ସଂପୂର୍ଣ୍ଣ ଭିନ୍ନ। ଯାହାକି ଏହି ଜଳବାୟୁ ପରିବର୍ତ୍ତନ କ୍ଷୀପ୍ର କରିବ। ସେଥିରେ ଅଧିକ ମନନିବେଶ କରିବା ଦେଖାଯାଉଛି। ଏପରି ବିଚାର କେବଳ ଜଳବାୟୁ ପରିବର୍ତ୍ତନକୁ ଅଧିକ କ୍ଷୀପ୍ର କରିବ ନାହିଁ ଦେଶର ଧନ ଜୀବନ ହାନୀ କରିବାରେ ସହାୟକ ହେବ। ନିଜକୁ ଠକିବା ଦେଶର ଲୋକଙ୍କୁ ଠକିବା ସହିତ ବିକାଶ ପରିବର୍ତ୍ତେ ବିନାଶ ପଥ ପ୍ରଶସ୍ତ କରିବାରେ ଲାଗିବ।
ବାସ୍ତବରେ ଯଦି ଆମେ ପ୍ରକୃତିର ବିପରୀତ ଧର୍ମୀ ନହୋଇ ତାର ସାଥ ଦେବା ଜଳବାୟୁ ପରିବର୍ତ୍ତନ ରୋକଯାଇ ପାରିବ। ଲୋକଙ୍କ ପାଖରେ ବିକଳ୍ପ ଉପସ୍ଥାପନ ପାଇଁ ଦେଶ ଓ ରାଜ୍ୟର ବଜେଟ୍ ପ୍ରସ୍ତୁତ ହେବା ଦରକାର। ବିକାଶ ନାମରେ ଜଂଗଲ କାଟି କୋଇଲା ଉତ୍ପାଦନ ବଢ଼ାଇବାର ଇଚ୍ଛା ପ୍ରତ୍ୟାହାର କରି ଅଳ୍ପ ଉତ୍ପାଦନ ଖର୍ଚ୍ଚକରି ବିଦ୍ୟୁତ୍ ଉତ୍ପାଦନ ପାଇଁ ସୌରରଶ୍ମୀ, ପବନ ଶକ୍ତି ଉପରେ ଅଧିକ ଧ୍ୟାନ ଦେବାର ସମୟ ଆସିଛି। ବଡ଼ ଜଳଭଣ୍ଡାର ନିର୍ମାଣ ନକରି କ୍ଷୁଦ୍ର କ୍ଷୁଦ୍ର ଜଳଭଣ୍ଡାର କଟା, ବନ୍ଧ, ସାଗର, ପୋଖରି, ଚେକ୍ଡ୍ୟାମ୍ ଆଦି ପ୍ରସ୍ତୁତିରେ ଅଧିକ ବ୍ୟୟ ବରାଦ କରିବା ଦରକାର। ଉପକୁଳବର୍ତ୍ତୀ ବା ତଟବର୍ତ୍ତୀ ରାଜପଥ ନିର୍ମାଣରେ ପ୍ରମୁଖ ଅର୍ଥ ଖର୍ଚ୍ଚ ନକରି ତଟବର୍ତ୍ତୀ ଜଳାଧାର ନିର୍ମାଣ ଓ ତଟବର୍ତ୍ତୀ ସବୁଜ ପ୍ରାଚୀର ପ୍ରସ୍ତୁତରେ ଅର୍ଥବ୍ୟୟ କରିବା ଦରକାର। ପେଟ୍ରୋଲ, ଡିଜେଲ୍ର ବ୍ୟବହାର କମାଇ ଯାତାୟତର ଯାନ ବ୍ୟବହାର କମାଇବାର ହେବ। ଅନେକ ବିକଳ୍ପ ଅଛି ଖୋଜି ବାହାର କରିବା ସହିତ ସେଥିପାଇଁ ବଜେଟ୍ ସଜାଡ଼ିବାରେ ଗୁରୁତ୍ୱ ଦେବା ଦରକାର। ଅନନ୍ତକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଓ ଆତ୍ମଘାତୀ କାର୍ଯ୍ୟ। କେନ୍ଦ୍ରୀୟ ବଜେଟ୍ରେ ବିକାଶ ନିମନ୍ତେ ପଥ ପ୍ରସ୍ତୁତ ବେଳେ ବିଭିନ୍ନ ବିକଳ୍ପ ବ୍ୟବସ୍ଥା ଉପରେ ଅଧିକ ଅର୍ଥବ୍ୟୟ କରିବା ସହିତ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ପଦକ୍ଷେପ ନେବା ଦରକାର ଥିଲା। ଅଥଚ ୨୦୨୩-୨୪ ବଜେଟ୍ରେ ରଖାଯାଇଥିବା କାର୍ଯ୍ୟକ୍ରମକୁ ଲକ୍ଷ୍ୟ କଲେ ଏ ସମ୍ପର୍କରେ ବିଶେଷ କିଛି ଗୁରୁତ୍ୱ ଦେବା ଦେଖାଯାଉନାହିଁ।
ପଞ୍ଚାନନ କାନୁନ୍ଗୋ
ମୋ- ୯୪୩୮୩୬୦୮୪୯