ଭୁବନେଶ୍ୱରରେ ବିଶାଳ ପଦଯାତ୍ରା ଓ ପୁରୀରେ ଏକ ସାଧାରଣ ସଭା ମାଧ୍ୟମରେ କଂଗ୍ରେସ ଆଜି ରାଜ୍ୟର ବିଜେଡି ସରକାରକୁ କଡ଼ା ଭାଷାରେ ସମାଲୋଚନା କରିଛି। ପିସିସି ପ୍ରଭାରୀ ତଥା ସାଂସଦ ଏ ଚେଲାକୁମାରଙ୍କ ଉପସ୍ଥିତିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ତୁଳସୀ ଯାତ୍ରା ଆରମ୍ଭ ହୋଇଥିଲା ।
ସୂଚନା ଅନୁସାରେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଶହ ଶହ କଂଗ୍ରେସ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀଜଗନ୍ନାଥ ମନ୍ଦିରର ସମସ୍ତ ନୀତି ନିୟମକୁ ପାଳନ କରି ତୁଳସୀ ଧରି ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପହଂଚିବା ପରେ ସକାଳ ୯ଟାରୁ ପୁରୀ ଅଭିମୁଖେ ତୁଳସୀ ଯାତ୍ରା ଆରମ୍ଭ ହୋଇଥିଲା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ଗାଡ଼ିରେ ବସାଇ କଂଗ୍ରେସ ନେତୃବର୍ଗ ଓ କର୍ମୀମାନେ ଆଣିଥିବା ସତେଜ ତୁଳସୀକୁ ବିଭିନ୍ନ ଟୋକେଇରେ କଦଳୀ ପାଟୁକା ବାନ୍ଧି ରଖାଯାଇଥିଲା। ଏହି ତୁଳସୀକୁ ଭଜନ ଓ ସଂକୀର୍ତନ କରି ଶ୍ରୀକ୍ଷେତ୍ରକୁ ଶ୍ରୀ ଜଗନ୍ନାଥଙ୍କ ଚରଣ ଲାଗି ନିଆଯାଇଥିଲା।
କଂଗ୍ରେସ ଭବନରୁ ହଜାର ହଜାର ନେତା ଓ କର୍ମୀମାନେ ରାଜମହଲ ଛକ ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଯିବା ପରେ ସେଠାରୁ ଗାଡ଼ି ଯୋଗେ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ପ୍ରାୟ ୫ଶହ ରୁ ଅଧିକ ଗାଡ଼ିରେ ଏକ ପଟୁଆରରେ କଂଗ୍ରେସ କର୍ମୀ ଓ ନେତାମାନେ ପୁରୀ ଯାତ୍ରା କରିଥିଲେ। ରାସ୍ତାରେ ପିପିଲି, ସାକ୍ଷୀଗୋପାଳ, ବାଟମଙ୍ଗଳା ଏବଂ ଅଠରନଳା ପାଖରେ କଂଗ୍ରେସ ନେତୃବର୍ଗ ସଭାପତି ଶରତ ପଟ୍ଟନାୟକ ତଥା ଚେଲ୍ଲା କୁମାର ଓ ଅନ୍ୟ ନେତୃବର୍ଗଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତୁଳସୀ ଅର୍ପଣ କରିଥିଲେ।
ପୁରୀ ଶରଧାବାଲି ନାଟମଣ୍ଡପ ଠାରେ ଏକ ବିଶାଳ ସଭାକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଏ ଅଂହକାରୀ ସରକାରଙ୍କର ଶେଷ ସମୟ ଆସିଲାଣି। ପୁରୀ ଶ୍ରୀମନ୍ଦିର ହେଉଛି ଚାରିଧାମ ଭିତରୁ ଶ୍ରେଷ୍ଠ ଧାମ। ସବୁଦିନ ଲକ୍ଷଲକ୍ଷ ଭକ୍ତ ପୁରୀକୁ ଆସୁୂଛନ୍ତି କିନ୍ତୁ ଜଗନ୍ନାଥଙ୍କ ଦର୍ଶନ ନ ପାଇ ଫେରି ଯାଉଛନ୍ତି। ଏହାଦ୍ୱାରା ରାଜ୍ୟର ମାନସମ୍ମାନ କ୍ଷୁଣ୍ଣ ହେଉଛି। କୌଣସି କାରଣ ନଥାଇ କାହିଁକି ଚାରି ଦ୍ୱାର ବନ୍ଦ କରି ରଖାଯାଇଛି। କାହିଁକି ଏପର୍ଯ୍ୟନ୍ତ ରତ୍ନଭଣ୍ଡାରର ଗଣତି ମଣୋତି ଓ ମରାମତି ହେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ପିସିସି ପ୍ରଭାରୀ ଚେଲାକୁମାରଙ୍କ ସମେତ ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ କଡ଼ା ଭାଷାରେ ବିଜେଡି ସରକାରଙ୍କୁ ସମାଲୋଚନାକୁ କରିଥିଲେ। ରାଜ୍ୟତମାମ ଛାତ୍ର, ଯୁବକ, ମହିଳା, କଂଗ୍ରେସ ନେତୃବର୍ଗ, କର୍ମୀ ଓ ଶୁଭେଚ୍ଛୁମାନଙ୍କ ଦ୍ୱାରା ସଂଗୃହୀତ ତୁଳସୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣରେ ଆଜି ଲାଗି କରା ଯାଇଥିଲା।
ନବ ଦାସଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ପୁଲିସ୍ କେବଳ ଗୋପାଳ ଦାସଙ୍କୁ ଗିରଫ କରି ବସି ରହିଛି। ପୁଲିସ୍ ଏହା ପଛର କାରଣ ଜାଣିବାକୁ ତତ୍ପରତା ପ୍ରକାଶ କରୁନି ବୋଲି କହିଛି ଛାତ୍ର କଂଗ୍ରେସ ।
ଉଭୟ ନବ ଦାସ ଓ ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାର ବାହୁବଳୀ ନେତା। ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ଥିଲା। ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠି ସାରିଥିବା ବେଳେ ଗଣମାଧ୍ୟମରେ ବି ଚର୍ଚ୍ଚା ହେଉଛି। ଏହା ସତ୍ତ୍ୱେ ପୁଲିସ୍ କାହିଁକି ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରୁନି ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ପ୍ରଶ୍ନ କରାଯାଇଛି। ସୁଶାନ୍ତଙ୍କ ମୋବାଇଲ ଜବତ କରି ତଦନ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ।
ଆଜି ଛାତ୍ର କଂଗ୍ରେସ କର୍ମୀମାନେ ସୁଶାନ୍ତଙ୍କ ବାସଭବନ ଘେରାଉ କରିବା ସହିତ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ସେମାନେ ସୁଶାନ୍ତଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ପୁଲିସ୍ କର୍ମଚାରୀମାନେ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ମୁହାଁମୁହିଁ ସ୍ଥିତି ଉତ୍ପନ୍ନ ହୋଇଥିଲା। ପରେ କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଗାଡ଼ିରେ ଭର୍ତ୍ତି କରି ସେଠାରୁ ନେଇ ଯାଇଥିଲା।
https://youtu.be/G5gxp1d_6eg