ସମଲେଇଚୁଆ ଗାଁରେ ବିବାହ ସରିବା ପରେ ରାତିରେ ମୁଡୋଝରନ ପର୍ବ ଚାଲିଥିଲା। ଏଇ ସମୟରେ ଦୁର୍ଜନ ଭୁଏ (୩୫) ମାଂସ କାଟୁଥିବା ବେଳେ ସମାରୁ ଭୁଏ (୫୫)ଙ୍କ ଭିତରେ କୌଣସି କାରଣରୁ କଳି ଝଗଡ଼ା ହୋଇଥିଲା। ଦୁର୍ଜନ ରାଗିଯାଇ ମାଂସ କାଟୁଥିବା ଟାଙ୍ଗିଆ ଅସ୍ତ୍ରରେ କାକା ସମାରୁକୁ ମରଣାନ୍ତକ ଆକ୍ରମଣ କରିଥିଲା।
ଘଟଣା ସ୍ଥଳରେ ସମାରୁ ରକ୍ତାକ୍ତ ହୋଇ ତେଳେ ପଡ଼ଯାଇଥିଲା। ପରିବାର ଲୋକେ ସମାରୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏନେଇ ପରିବାର ଳୋକେ ଡୁଙ୍ଗୁରିପାଲି ଥାନାରେ ଲିଖତି ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଆକ୍ରମଣ କାରୀ ଦୁର୍ଜନକୁ ଗିରଫ କରିଛି।
ଲିଙ୍ଗରାଜ କୁମୁରାଙ୍କ ଘର ହେଉଛି ସଦର ଥାନା ଘେନୁପାଲି ଗାଁରେ। ତାଙ୍କ ପୁଅ ହେଉଛନ୍ତି ଆଦିତ୍ୟ କୁମୁରା। ଦୀର୍ଘ ଦିନ ଧରି ବାପ ଓ ପୁଅ ମଧ୍ୟରେ ପାରିବାରିକ ବିବାଦ ଲାଗି ରହିଥିଲା। ସୋମବାର ବିବାଦ ଉଗ୍ର ରୂପଧାରଣ କରିଥିଲା। ବିଳମ୍ୱିତ ରାତିରେ ଲିଙ୍ଗରାଜଙ୍କୁ ତାଙ୍କ ପୁଅ ଆଦିତ୍ୟା ପଥରରେ ଛେତି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ମୃତଦେହକୁ ଏକ ସିମେଣ୍ଟ ଅଖାରେ ପୂରାଇ ପୋତି ଦେଇଥିଲା।
ଆଜି ସକାଳେ ଲିଙ୍ଗରାଜଙ୍କ ଦେଖା ମିଳିନଥିଲା। ସାହି ଭାଇଙ୍କ ମଧ୍ୟରେ ସନ୍ଦେହ ବଢ଼ିଥିଲା। ଲିଙ୍ଗରାଜଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପଡ଼ୋଶୀ ଥାନାକୁ ଖବର ଦେଇଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ସଦର ଥାନା ପୁଲିସ୍ ଗାଁରେ ପହଞ୍ଚିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଥିଲେ। ପୁଲିସ୍ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।
ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ
ସମ୍ବଲପୁର ଜିଲ୍ଲା କତରବା ଥାନା ଲାଉବାହାଲ ଗାଁର ମନ୍ଦାକିନୀ ପଟନିଆଁଙ୍କୁ ପ୍ରେମ କରୁଥିଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଓବଲିପାଲି ଗାଁର ଲିଙ୍ଗରାଜ ଦେହୁରୀ। ମନ୍ଦାକିନୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଏ ପ୍ରେମ ସମ୍ପର୍କ ଦୀର୍ଘ ଦିନର। ବାହା ହେବା ପାଇଁ ଉଭୟ ପରସ୍ପରକୁ କଥା ଦେଇଥିଲେ। ହେଲେ ଉଭୟଙ୍କ ନିଚ୍ଛକ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ସନ୍ଦେହ। ପ୍ରେମିକା ମନ୍ଦାକିନୀ ଆଉ ଜଣେ ଯୁବକଙ୍କ ସହିତ କଥା ହେଉଥିବା ସନ୍ଦେହ କରୁଥିଲେ ଲିଙ୍ଗରାଜ। ଯେଉଁଥିପାଇଁ ତାଙ୍କ ମନରେ ମନ୍ଦାକିନୀଙ୍କ ପ୍ରତି ଘୃଣାଭାବ ଜାତ ହୋଇଥିଲା। ଆଉ ମନ୍ଦିକିନୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଲିଙ୍ଗରାଜ।
ଗତ ଶନିବାର ଯୋଜନା କରି ପ୍ରେମିକା ମନ୍ଦାକିନୀଙ୍କୁ ଡକାଇଥିଲେ ଲିଙ୍ଗରାଜ। ଆଉ ପ୍ରେମିକଙ୍କଠାରୁ ଡାକରା ପାଇ ଘର ଲୋକଙ୍କୁ କିଛି ନକହି ଚୁପ୍ଚାପ୍ ବସ୍ରେ ପଳାଇ ଆସିଥିଲେ ମନ୍ଦାକିନୀ। ସେ ପ୍ରେମିକଙ୍କ ଗାଁ ନିକଟସ୍ଥ ଲୁତୁରପଙ୍କ ଛକରେ ଓହ୍ଲାଇଥିଲେ। ସେତେବେଳକୁ ସଞ୍ଜ ନଇଁ ଆସିଥିଲା। ଝାପ୍ସା ଅନ୍ଧକାର ଭିତରେ ସାଇକେଲ୍ ଧରି ପହଞ୍ଚିଥିଲେ ପ୍ରେମିକ ପ୍ରବର ଲିଙ୍ଗରାଜ। ତାଙ୍କ ସାଇକେଲ୍ରେ ବସି ହୀରାପାଲି ଯାଇଥିଲେ ମନ୍ଦାକିନୀ। ସେଠାରୁ ପହଞ୍ଚିଲା ପରେ ଉଭୟଙ୍କ ଭିତରେ ପ୍ରଥମେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। କଥାବାର୍ତ୍ତା ଭିତରେ ‘ତୁ କାହିଁକି ଅନ୍ୟ ଜଣେ ଯୁବକ ସହିତ କଥା ହେଉଛୁ’ ବୋଲି ଲିଙ୍ଗରାଜ ପଚାରିଥିଲେ। ଥରେ କି ଦୁଇ ଥର ନୁହେଁ, ବାରମ୍ୱାର ପଚାରିଥିଲେ। ଯାହାକୁ ବିରୋଧ କରିଥିଲେ ମନ୍ଦାକିନୀ। ‘ମୁଁ କାହା ସହିତ କଥା ହେଉନି’ ବୋଲି ସଫେଇ ଦେଇଥିଲେ ମନ୍ଦାକିନୀ। ହେଲେ ବୁଝିବା ସ୍ଥିତିରେ ନଥିଲେ ଲିଙ୍ଗରାଜ।
ଯୁକ୍ତିତର୍କ ଭିତରେ ଅନ୍ଧକାର ରାତିରେ ରାସ୍ତା ପାର୍ଶ୍ୱରେ ମନ୍ଦାକିନୀଙ୍କୁ ତଳେ ପକାଇ ମାଡ଼ି ବସିଥିଲେ ଲିଙ୍ଗରାଜ। ତା’ପରେ ତାଙ୍କ ତଣ୍ଡି ଚିପି ମାରିଦେଇଥିବା ଅଭିଯୋଗ ହୋଇଥିଲା। ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ସେ ମୃତଦେହକୁ ଏକ ଗଛରେ ଟାଙ୍ଗି ଦେଇଥିଲେ। ତା’ପରେ ସେ ଘରକୁ ଫେରିଥିଲେ ଲିଙ୍ଗରାଜ। ନିଜ ହାତରେ ପ୍ରେମିକାକୁ ମାରିଥିବାରୁ ମନ ଭିତରେ ଭୟ ଘାରିଥିଲା। କୁଆଡ଼େ ଧରାପଡ଼ିଯିବ କି? ସେହି ଭୟରେ ପୁଣି ଥରେ ନିଜ ସାଇକେଲ୍ ଧରି ଘରୁ ବାହାରିଲେ ଲିଙ୍ଗରାଜ। ଆଉ ସାଥୀରେ ପେଟ୍ରୋଲ୍ ଧରି ଆସିଥିଲେ। ଗଛରୁ ମୃତଦେହ ଓହ୍ଲାଇ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ରବିବାର ସକାଳେ ହୀରାପାଲି ଗାଁ ଲୋକ ଦରପୋଡ଼ା ମୃତଦେହ ପଡ଼ିଥିବା ଦେଖି ବୀରମହାରାଜପୁର ଥାନାକୁ ଖବର ଦେଇଥିଲେ।
ପୁଲିସ୍ ଦରପୋଡ଼ା ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ମୃତଦେହଟି ମନ୍ଦାକିନୀଙ୍କର ବୋଲି ଜଣାପଡ଼ିଥିଲା। ଏହା ପରେ ପୁଲିସ୍ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲା। ପରିବାର ଲୋକଙ୍କ ତଥ୍ୟ ଆଧାରରେ ପୁଲିସ୍ ବଲିପାଲି ଗାଁର ଲିଙ୍ଗରାଜଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଜେରା ବେଳେ ହତ୍ୟା କରିଥିବା ଲିଙ୍ଗରାଜ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହା ପରେ ପୁଲିସ୍ ତାଙ୍କୁ ଗିରଫ କରିଛି।
ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା
ରାଜସ୍ଥାନ ପାଲି ଜିଲ୍ଲା ସିରିୟାରି ଥାନା ଅଞ୍ଚଳରେ ଥିବା କାନୁ ଗାଁ। ଏଠାକାର ଶିବଲାଲ ମେଘବାଲ ନାମକ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ଝିଅକୁ ହତ୍ୟା କରିଛି। ମୃତ ଝିଅର ନାଁ ନିରମା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗତ ୧୨ ବର୍ଷ ହେବ ପରିବାରଠାରୁ ଅଲଗା ହୋଇ ଅଭିଯୁକ୍ତ ଶିବଲାଲ୍ ପାଲିରେ ବାସ କରୁଥିଲା। କିନ୍ତୁ, ତାଙ୍କ ସ୍ତ୍ରୀ ଓ ପିଲାମାନେ ଗୁଜରାଟରେ ବାସ କରୁଥିଲେ। ତେବେ ବଡ଼ ଝିଅ ନିର୍ମା ହିଁ ପରିବାରରେ ବିବାଦର ମୁଖ୍ୟ କାରଣ ବୋଲି ଶିବଲାଲ ଭାବୁଥିଲେ।
ତେବେ ସୋମବାର ଦିନ ଏକ ବିବାହରେ ଯୋଗ ଦେବା ପାଇଁ ନିର୍ମା ପାଲିର ଇସାଲି ଗାଁକୁ ଆସିଥିଲେ। ଏହି ସମୟରେ ବାପା ଶିବଲାଲଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇଥିଲା। ସଠାରୁ ସେଠାରେ ଶିବଲାଲ୍ ବଡ଼ଝିଅ ନିର୍ମା ଓ ସାନଝିଅକୁ ସାଥିରେ ଗୋଟାଏ ଜାଗାକୁ ଯିବାକୁ ଡାକିଥିଲା।
ବାଇକ୍ ଯୋଗେ କିଛି ବାଟ ଯିବା ପରେ ସାନ ଝିଅକୁ ଅଧା ରାସ୍ତାରେ ଓହ୍ଲାଇ ଦେଇ ଅପେକ୍ଷା କରିବାକୁ କହି ବଡ଼ ଝିଅ ନିର୍ମାକୁ ନିର୍ଦ୍ଧାରିତ ସ୍ଥାନକୁ ନେଇଥିଲା ଶିବଲାଲ। ଏହାପରେ ସେଠାର ଅତି ନିର୍ମମ ଭାବେ ତା’ର ତଣ୍ଟି କାଟି ହତ୍ୟା କରିଥିଲା ଶିବଲାଲ। ଏହାପରେ ଶବରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲା। ଫେରିବା ପରେ ଶିବଲାଲ୍ଙ୍କ ହାତରେ ରକ୍ତ ଲାଗିଥିବା ଦେଖି ସାନ ଝିଅ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲେ। ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ନିର୍ମାଙ୍କ ଅର୍ଦ୍ଧ-ଦଗ୍ଧ ଶବ ଦେଖି ପୁଲିସକୁ ସୂଚନା ଦେଇଥିଲେ।
ସାନ ଝିଅର ଅଭିଯୋଗ ପରେ ପୁଲିସ ଆଇପିସି ଧାରା ୩୦୨ ଅନୁଯାୟୀ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସେପଟେ ଘଟଣାସ୍ଥଳରୁ ଶିବଲାଲ୍ ଫେରାର୍ ହୋଇଯାଇଥିବାରୁ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି।
ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଛି ଏଭଳି କିଛି ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳା ରାଗରେ ନିଜ ସ୍ୱାମୀଙ୍କ କାନ କାମୁଡି ଛିଡାଇ ଦେଇଛନ୍ତି। ଏହାପରେ ପୀଡିତ ସ୍ୱାମୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ଉକ୍ତ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଅଭିଯୋଗ ମୁତାବକ, ନଭେମ୍ବର ୨୦ ତାରିଖ ରାତି ୯ଟା ୨୦ ମିନିଟ୍। ଏହି ସମୟରେ ୪୫ ବର୍ଷୀୟ ସ୍ୱାମୀ ଆବର୍ଜନା ଫିଙ୍ଗିବା ପାଇଁ ଘର ବାହାରକୁ ଯାଇଥିଲେ। ସ୍ତ୍ରୀଙ୍କୁ ଘରର ସଫାସୁତୁରା କରିବା ପାଇଁ କହିଥିଲେ। ତେବେ ସ୍ୱାମୀ ଘରକୁ ଫେରିବା ପରେ ଅଯଥା କଥାରେ ଝଗଡ଼ା ଆରମ୍ଭ କରି ଦେଇଥିଲେ ସ୍ତ୍ରୀ।
କେବଳ ସେତିକି ନୁହେଁ ଘର ବିକ୍ରି କରି ଭାଗ ଟଙ୍କା ଦିଅ। ମୁଁ ପିଲା ଛୁଆଙ୍କୁ ନେଇ ଅଲଗା ରହିବି ବୋଲି ମଧ୍ୟ କହିଥିଲେ ସ୍ତ୍ରୀ। ଏହାଶୁଣି ସ୍ୱାମୀ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ କିଛି ବୁଝି ନଥିଲେ। ବଚସା ଜୋରଦାର ହୋଇଥିଲା। ଏହାପରେ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀ। ଘରୁ ବାହାରକୁ ଚାଲିଯାଉଥିବା ବେଳେ ପଛପଟୁ ଆସି ଡାହାଣ କାନକୁ କାମୁଡି ପକାଇ ଛିଣ୍ଡାଇ ଦେଇଥିବା ପୁଲିସ ଆଗରେ ପୀଡିତ ସ୍ୱାମୀ ଅଭିଯୋଗ କରିଛନ୍ତି। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ତାଙ୍କ ପୁଅ ମଙ୍ଗୋଲପୁରୀସ୍ଥିତ ସଞ୍ଜୟ ଗାନ୍ଧୀ ହସ୍ପିଟାଲ୍କୁ ନେଇଥିଲେ। ସେଠାରେ ତାଙ୍କର କାନର ଅସ୍ତ୍ରୋପଚାର କରାଯାଇଥିବା ସେ କହିଛନ୍ତି।
୨୦ ନେଭମ୍ବର ଦିନ ଏହି ସୂଚନା ମିଳିବା ପରେ ପୁଲିସର ଏକ ଟିମ୍ ହସ୍ପିଟାଲ ଯାଇ ଯାଞ୍ଚ କରିଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଆଇପିସି ଧାରା ୩୨୪ ଅନୁଯାୟୀ ଉକ୍ତ ମହିଳାଙ୍କ ନାଁରେ ଏଫ୍ଆଇଆର ରୁଜି କରିଛି। ଘଟଣାର ତଦନ୍ତ ଜାରି ରହିଛି।
ପୂରା ଘଟଣା ଏମିତି। ଗୁଣୁପୁର ଭୀମପୁର ଗାଁର ହେଉଛନ୍ତି ବିନୟ ପାଲ। ସେ ରାୟଗଡା ଟାଉନ୍ର ସାଇପ୍ରିୟା ନଗରରେ ଥିବା ଏକ ଢାବାରେ କାମ କରୁଥିଲେ। ତୁମ୍ବିଗୁଡା ସ୍ଥିତ ଭଡାଘରେ ରହୁଥିଲେ। ଢ଼ାବାରେ କାମ କରୁଥିବା ବେଳେ ସୁନେତି ପାଲଙ୍କ ପ୍ରେମରେ ପଡ଼ିଥିଲେ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ରୀତିନୀତି ଅନୁସାରେ ଉଭୟ ବିବାହ କରିଥିଲେ।
ବିବାହ ପରେ ସ୍ୱାମୀଙ୍କ ସହିତ ସୁନେତି ରାୟଗଡ଼ା ପଳାଇ ଆସିଥିଲେ। ବେଶ ହସ ଖୁସିରେ ଚାଲିଥିଲା ସଂସାର। ଇତି ମଧ୍ୟରେ ଛୁଆର ବାପା-ମାଆ ମଧ୍ୟ ହୋଇଥିଲେ। ପ୍ରତିଦିନ ବିନୟ ଢାବାକୁ କାମ କରିବା ପାଇଁ ଯାଉଥିଲେ। ଆଉ ସୁନେତି ଘରେ ପିଲା ସହ ରହୁଥିଲେ। ଏହାରି ଭିତରେ ସୁନେତି ପ୍ରେମରେ ପଡ଼ିଥିଲେ। ସୋଶାଲ୍ ମିଡ଼ିଆ ଇନ୍ଷ୍ଟାଗ୍ରାମରେ ତାଙ୍କ ସହିତ ଜି.କାର୍ତ୍ତିକଙ୍କ ସହିତ ଚିହ୍ନା ପରିଚୟ ହୋଇଥିଲା। ତାଙ୍କ ସହିତ ଚାଟିଂ କରିଥିଲେ। ଚାଟିଂରେ ଭାବ ଦିଆନିଆ ହୋଇଥିଲେ।
ଭାବ ଦିଆନିଆ ଭିତରେ ଉଭୟ ପ୍ରେମରେ ପଡ଼ିଥିଲେ। ସୁନେତିଙ୍କ ରୁପ ଯୌବନରେ ବାୟା ହୋଇଯାଇଥିଲେ ଜି.କାର୍ତ୍ତିକ। ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ। କାର୍ତ୍ତିକଙ୍କ ପ୍ରସ୍ତାବକୁ ସ୍ୱୀକୃତି ଦେଇଥିଲେ ସୁନେତି। ହେଲେ ପ୍ରେମର ପ୍ରତିବନ୍ଧକ ସାଜିଥିଲେ ବିନୟ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ସୁନେତି ଓ ଜି.କାର୍ତ୍ତିକ। ସେପରେ ପତ୍ନୀଙ୍କ ଚୋରା ପୀରତି ସମ୍ପର୍କରେ ସାମାନ୍ୟତମ ଖବର ପାଇନଥିଲେ ବିନୟ।
ଗତ ୧୬ ତାରିଖ ରାତି ପ୍ରାୟ ୧୦ଟା ବେଳେ ବିନୟ ଢାବାରୁ କାମ ସାରି ଏକାକୀ ଫେରିଥିଲେ। ସାଇପ୍ରିୟା ନଗର ୯ ନମ୍ୱର ଲାଇନ୍ ଦେଇ ରୁମ୍କୁ ଫେରୁଥିବା ବେଳେ ବିନୟଙ୍କ ମୁଣ୍ଡକୁ ପଛ ପାର୍ଶ୍ୱରୁ ଏକ ଲୁହା ରଡ୍ରେ ପିଟି ଦେଇଥିଲେ ଜି.କାର୍ତ୍ତିକ। ତା’ପରେ କିଛି ନିଜ ଘରକୁ ଫେରି ଯାଇଥିଲେ କାର୍ତ୍ତିକ। ଏନେଇ ପ୍ରେମିକା ସୁନେତିଙ୍କୁ ସୂଚନା ମଧ୍ୟ ଦେଇଥିଲେ।
ସବୁ ଜାଣି କିଛି ନଜାଣିଲା ପରି ରାତି ପ୍ରାୟ ୩ଟା ବେଳେ କାର୍ତ୍ତିକ ଚାନ୍ଦିଲି ଥାନାକୁ ଫୋନ୍ କରିଥିଲେ। ଆଉ କହିଥିଲେ, ସାଇପ୍ରିୟା ନଗର ନବମ ନମ୍ୱର ଲାଇନ୍ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକ ପଡ଼ିଛନ୍ତି। ଖବର ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ମେଡ଼ିକାଲ୍ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ଦିଗରୁ ତଦନ୍ତ କରୁଥିବା ବେଳେ ପୁଲିସର ସନ୍ଦେହୀ ଆଖି ଜି.କାର୍ତ୍ତିକଙ୍କ ଉପରକୁ ଯାଇଥିଲା। ତା’ପରେ ପୁଲିସ୍ ତାକୁ ଜେରା କରିଥିଲା। ଘନଘନ ଜେରା ବେଳେ ସତକୁ ବେଶୀ ସମୟ ରଖି ପାରିନଥିଲେ କାର୍ତ୍ତିକ। ପରେ ସବୁ ସତ କଥା କହି ପକାଇଥିଲା। ଏହା ପରେ ପୁଲିସ୍ ଜି.କାର୍ତ୍ତିକ ଓ ତାଙ୍କ ପ୍ରେମିକା ସୁନେତି ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ
ଶନିବାର ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ପରେ ସହର ଟିକେ ଶାନ୍ତ ପଡ଼ିଥାଏ। ଭୋଅର ୪ଟା ବାଜିଥାଏ, ପୁଲିସ କର୍ମଚାରୀମାନେ ମ୍ୟାଚ୍ ଦାୟିତ୍ୱ ତୁଲାଇ ଥାନାରେ ପହଞ୍ଚିଥାନ୍ତି। ଏହି ସମୟରେ ହଠାତ୍ ଜଣେ ୧୮ ବର୍ଷ ବୟସ୍କ ଯୁବକ ଯାଇ ଥାନାରେ ପହଞ୍ଚନ୍ତି। ଆଉ କୁହନ୍ତି, ‘ମୋ କାର୍ ପାର୍କିଂ କରିଦେଇଛି, ଏଥିରେ ଏକ ଡେଡ୍ ବଡି ଅଛି।’ ଉକ୍ତ ଯୁବକଙ୍କ ରକ୍ତଭିଜା ଶରୀରକୁ ଦେଖି ଆଚମ୍ବିତ ହୋଇଯାଆନ୍ତି ପୁଲିସ। କାର୍ ପାଖରେ ଯାଇ ଦେଖନ୍ତି ତ, ଏଥିରେ ଏକ ମୃତଦେହ ପଡ଼ିଛି।
ପୁଲିସର କହିବା ଅନୁସାରେ, ମୃତଦେହ ଥାନାକୁ ନେଇ ଆସିଥିବା ଯୁବକ ବେଦାନ୍ତ (୧୮) ହେଉଛନ୍ତି ଅଭିଯୁକ୍ତ। ସେ ତାଙ୍କ ସାଙ୍ଗ ସ୍ୱପ୍ନିଳ (୨୨)ଙ୍କୁ ହତ୍ୟା କରିଛନ୍ତି। ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି।
ପୁଲିସ କହିଛି ଯେ, ବେଦାନ୍ତ ଏବଂ ସ୍ୱପ୍ନିଳ ଗୋଟିଏ ଝିଅକୁ ଭଲ ପାଉଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଗତକାଲି ବେଦାନ୍ତ, ସ୍ୱପ୍ନିଳକୁ ବୁଲିଯିବାକୁ ବିଶ୍ୱକର୍ମା ବ୍ରିଜ୍ ନିକଟକୁ ଡାକିଥିଲା। ସ୍ୱପ୍ନିଳ ଓ ବେଦାନ୍ତ ମିଶି କାର୍ ଯୋଗେ ସେଠାକୁ ଯାଇଥିଲେ। ପୋଲ ଉପରେ ଗାଡ଼ି ଛିଡ଼ା କରି ଉଭୟ ଯୁକ୍ତିତର୍କ ଲାଗିଥିଲେ। ସ୍ୱପ୍ନିଳ ବେଦାନ୍ତଙ୍କୁ ଉକ୍ତ ଝିଅ ସହ କଥା ନହେବାକୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସ୍ୱପ୍ନିଳଙ୍କୁ ଛୁରୀରେ ଆକ୍ରମଣ କରିଥିଲା ବେଦାନ୍ତ। ବାରମ୍ବାର ଛୁରୀ ମାଡ଼ କରି ହତ୍ୟା କରିବା ପରେ କାରରେ ମୃତଦେହ ରଖିଥିଲା।
ଏହାପରେ ଭୋଅର ସମୟରେ ସୋଲା ପୁଲିସ ଷ୍ଟେସନରେ ପହଞ୍ଚିଥିଲା। ପୁଲିସ ବେଦାନ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ସ୍ୱପ୍ନିଳଙ୍କ ବାପାମାଆଙ୍କୁ ଖବର ଦେଇ ମୃତଦେହର ପରିଚୟ ସ୍ପଷ୍ଟ କରିଛି।
ବେଦାନ୍ତ ଦେଇଥିବା ବୟାନ ସତ କି ମିଛ ଜାଣିବା ପାଇଁ ସେମାନଙ୍କ ଅନ୍ୟ ସାଙ୍ଗଙ୍କୁ ପଚରା ଉଚରା କରୁଛି ପୁଲିସ। ପୁଲିସ କହିଛି ଯେ, ବେଦାନ୍ତର ବାପା ନ୍ୟୁଜିଲାଣ୍ଡର ଜଣେ ବ୍ୟବସାୟୀ। ସେ ଅହମ୍ମଦାବାଦର ସିଟି ୟୁନିଭରସିଟିରେ ଯୁକ୍ତ ଦୁଇ କମର୍ସ ଛାତ୍ର।
ବିହାରର ଗୟାର ବାଲ୍ମିକି ଜଙ୍ଗିଦ ନାମକ ଜଣେ ୧୮ ବର୍ଷୀୟ ଛାତ୍ର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ଆଡମିଶନ ପାଇଁ ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ୍ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏଥିପାଇଁ କୋଟାର ମହାବୀର ନଗର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ରହି ପ୍ରସ୍ତୁତି କରୁଥିଲେ। କିନ୍ତୁ ଗତକାଲି ସେ ଆତ୍ମହତ୍ୟା କରି ଦେଇଛନ୍ତି। ଆତ୍ମହତ୍ୟାର କୌଣସି କାରଣ ସ୍ପଷ୍ଟ ହୋଇନଥିବା ବେଳେ ବାରମ୍ୱାର କାହିଁକି ଛାତ୍ରମାନେ ଏପରି ଚରମ ନିଷ୍ପତ୍ତି ନେଉଛନ୍ତି ତାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚଳିତ ବର୍ଷ ଏଠାରେ କୋଚିଂ ନେଉଥିବା ୨୨ ଜଣ ଛାତ୍ର ଆତ୍ମହତ୍ୟା କରି ସାରିଲେଣି। ଜୁଲାଇରୁ ଅଗଷ୍ଟ ମଧ୍ୟରେ ୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଏଥିପାଇଁ ମାନସିକ ସ୍ୱାସ୍ଥ୍ୟ ଦୁର୍ବଳ ଥିବା ଦର୍ଶାଇ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପ ଲାଇନ୍ ନଂ ଜାରି କରାଯାଇଛି। ତଥାପି ଆତ୍ମହତ୍ୟାରେ ରୋକ୍ ନ ଲାଗିବା ଏକ ଚିନ୍ତାର ବିଷୟ।
ଗିରଫ ପରେ ଅଭିଯୁକ୍ତ ଯୁବତୀ ନିଜର ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି। ପୁଲିସର କହିବା ଅନୁସାରେ, ପଶ୍ଚିମ ଦିଲ୍ଲୀରେ ପୂଜା ନାମକ ଜଣେ ଯୁବତୀ ଜିତେନ୍ଦରଙ୍କ ସହ ଲିଭ-ଇନ୍ ରିଲୋସନସିପରେ ରହୁଥିଲେ। ତାଙ୍କର ପୁଅ ଥିବାରୁ ପ୍ରଥମ ସ୍ତ୍ରୀ ସହ ଛାଡପତ୍ର ହୋଇପାରିବ ନାହିଁ ବୋଲି ଜିତେନ୍ଦର ସିଧା ସିଧା ମନା କରିଦେଇ ଥିଲେ। ଏହିକାରଣରୁ ଜିତେନ୍ଦର ପୂଜାଙ୍କ ସହ ନ ରହି ପୁନର୍ବାର 2022ରୁ ପ୍ରଥମ ପତ୍ନୀ ଓ ପୁଅ ସହ ରହିବାକୁ ଲାଗିଲେ। ଏଥିସହ ସେ ଦ୍ୱିତୀୟ ବିବାହ କରିପାରିବେ ନାହିଁ ବୋଲି ପୂଜାକୁ ମନା କରି ଦେଇଥିଲେ।
ଏଥିରେ କ୍ରୋଧିତ ହୋଇ ଜିତେନ୍ଦରଙ୍କ ନାବାଳକ ପୁଅକୁ ରାସ୍ତାରୁ ହଟାଇବାକୁ ସୁଯୋଗ ଖୋଜୁଥିଲା ପୂଜା। ଜିତେନ୍ଦରଙ୍କ ଘରକୁ ଯାଇ ତାଙ୍କ ନାବାଳକ ପୁଅ ଶୋଇଥିବା ସମୟରେ ଗଳା କାଟି ହତ୍ୟା କରିଥିଲା ପୂଜା। ଏଥିସହ ମୃତଦେହକୁ ମଧ୍ୟ ଏକ ବାକ୍ସରେ ଲୁଚାଇ ଫେରାର୍ ହୋଇ ଯାଇଥିଲା। ବହୁ ଖୋଜା ଖୋଜି କରିବା ପରେ ଅଭିଯୁକ୍ତକୁ ପାଇଥିଲା ପୁଲିସ। 300ଟି ସିସିଟିଭ୍ ଫୁଟେଜ୍ ଆଧାରରେ ପୁଲିସର ସନ୍ଦେହ ଘେରକୁ ଆସିଥିଲା ପୂଜା।ଆଉ ଶେଷରେ ପୂଜାକୁ ଗିରଫ କରିଥିଲା। ପଚରା ଉଚରା ସମୟରେ ସବୁ ସତ ମାନିଥିବା ପୁଲିସ କହିଛି।
ସୋମବାର ସଂଧ୍ୟାରେ ବୌଦ୍ଧ ମନମୁଣ୍ଡାରୁ ସୋନପୁର ଅଭିମୁଖେ ଯାଉଥିଲା ଏକ ହୁଣ୍ଡାଇ କାର। ସେହି କାର୍କୁ ପାଟ୍ରୋଲିଂ ଟିମ୍ କରୁଥିବା ପୁଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲା। ମାତ୍ର କାର୍ଟି ଦ୍ରୁତ ଗତିରେ ପଳାଉଥିଲା। ଏହା ପରେ ପୁଲିସ୍ ଉକ୍ତ କାର୍କୁ ପିଛା କରି ମହାନଦୀ ବ୍ରିଜ୍ ନିକଟରେ ଅଟକାଇଥିଲା। କାର୍ ଭିତରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ କରିଥିବା ଅଭିଯୁକ୍ତମାନେ ଉତ୍ତରପ୍ରଦେଶ ବରେଲି ଅଞ୍ଚଳର ଅଙ୍କୁର ଦିବାକର, ମୋହିତ କୁମାର ଓ ଅବଦେଶ କୁମାର ଯାଦବ। ପୁଲିସ୍ ଗାଡିରୁ ୨ ଦେଶୀ ପିସ୍ତଲ, ୫ଟି ମୋବାଇଲ୍, ୧୭ ଜୀବନ୍ତ ଗୁଳି ଓ ଗୋଟିଏ ମେଗାଜିନ ଜବତ କରିଥିଲା।
ପୁଲିସ୍ ଜବତ କରିଥିବା କାର ଆଗ ଓ ପଛରେ ଭାରତୀୟ ସେନା ବାହିନୀର ଲୋଗୋ ଲାଗିଥିବା ଦେଖିବାକୁ ମିଳିଛି। ତେଣୁ ଗାଡ଼ିଟି କୌଣସି ସେନା ଅଧିକାରୀଙ୍କ ଗାଡ଼ି ହୋଇଥିବା ପୁଲିସ ସନ୍ଦେହ କରୁଛି। ଏହି ଗାଡିଟିକୁ କାହିଁକି ଓ କେଉଁ ପରିସ୍ଥିତିରେ ଅପରାଧୀମାନେ ବ୍ୟବହାର କରୁଥିଲେ, ତାହା ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ରିପୋର୍ଟ- ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତା
ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରବିବାର(ଅଗଷ୍ଟ 6) ସକାଳେ କୀରଥାନାଙ୍କ ମାଆଙ୍କ ଲିଭ୍-ଇନ୍ ପାର୍ଟନର୍ ଉଲଭା ସୁରେଶ ତାଙ୍କ ମାଆ ଏବଂ ଭଉଣୀ ଜେର୍ସି(1)ଙ୍କୁ କେଉଁଆଡେ ବୁଲାଇବାକୁ ନେଉଥିଲା। ଏହି ସମୟରେ ଗୋଦାବରୀ ନଦୀ ପୋଲ ଉପରେ ଗାଡି ରଖି ସେଲ୍ଫି ନେବା ବାହାନାରେ 3 ଜଣଙ୍କୁ ପୋଲ ତଳକୁ ଠେଲି ଦେଇଥିଲେ। ମାଆ ପୁପ୍ପଲା ଏବଂ ଭଉଣୀ ଜେର୍ସି ନଦୀକୁ ଖସିପଡି ଥିବାବେଳେ ସୌଭାଗ୍ୟବଶତଃ ସେ ଏକ ପ୍ଲାଷ୍ଟିକ ପାଇପକୁ ଧରି ପକାଇଥିଲେ।
ଏହାପରେ ସେ କୌଶଳକ୍ରମେ ପକେଟରୁ ମୋବାଇଲ୍ ବାହାର କରି ପୁଲିସକୁ କଲ୍ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜମାର୍ଗ ମୋବାଇଲ୍ କର୍ମୀଙ୍କ ସହାୟତାରେ କୀରଥାନାଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହେବା ପରେ ସେ ପୁଲିସକୁ ପୂରା ଘଟଣା ବାବଦରେ କହିଛନ୍ତି। ଅନ୍ୟପଟେ ପୁଲିସ୍ ଦୁଇଟି ଟିମ୍ ଗଠନ କରି ନିଖୋଜ ମାଆ ଓ ଝିଅକୁ ଉଦ୍ଧାର କରିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତକୁ ଖୋଜାଖୋଜି କରୁଛି।
ଖୁଣ୍ଟା ତହସିଲ ସୁବର୍ଣ୍ଣମଞ୍ଜରୀ ଗାଁ ପାଖରେ ପଥର ଖାଦାନ ଚାଲିଥିଲା। ସେଠାରେ ଖନନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ୧୪୪ ଧାରା ଜାରି ହୋଇଥିଲା। ଏହା ସତ୍ତ୍ୱେ କେତେକ ମାଫିଆ ବେଆଇନ୍ ଭାବେ ପଥର ଖନନ କରୁଥିଲେ। ବେଆଇନ୍ ପଥର ଖନନ ସମ୍ପର୍କରେ ଖବର ପାଇ ଆଜି ସକାଳେ ବଡ଼ପଥରା ରାଜସ୍ୱ ନୀରିକ୍ଷକ (ଆର୍ଆଇ) ଦୟାନିଧି ରାଉତ ସୁବର୍ଣ୍ଣପୁର ଗାଁରେ ପହଞ୍ଚିଥିଲେ।
ଖାଦାନରୁ ପଥର ଲୋଡ୍ ହୋଇ ଆସୁଥିବା ଗାଡ଼ି ଗୁଡ଼ିକୁ ଶ୍ରୀ ରାଉତ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ପଥର ମାଫିଆମାନେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡୁକୁରା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଶ୍ରୀ ରାଉତ ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛନ୍ତି। ପରେ ସେ ଏନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିପାରି ନାହିଁ।
ରିପୋର୍ଟ- ଉଦଳାରୁ ମାନସ ପାଣି
ଜୁନ୍ ୧୧ ତାରିଖରେ ଅଡବା ଥାନା ରାଇଜୁକା ଗାଁର ଅନାମ ବାସ୍ତରାୟଙ୍କ ପତ୍ନୀ ସୁପ୍ରିୟା ବସ୍ତରାୟ ଇଟା ଭାଟିରେ କାମ କରୁଥିବା ବେଳେ ପୋଡି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ଼ମେଡ଼ିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କିଛି ଦିନ ଧରି ଚିକିତ୍ସା ପରେ ପରିବାର ଲୋକେ ସୁପ୍ରିୟାଙ୍କୁ ଘରକୁ ନେଇ ଆସିଥିଲେ। ଜୁଲାଇ ୨୭ ତାରିଖରେ ଘରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଗାଁ ଶ୍ମଶାନରେ ମୃତଦେହକୁ ପୋତି ଦିଆଯାଇଥିଲା।
ସୁପ୍ରିୟାଙ୍କ ମୃତଦେହ ସତ୍କାର ୮ ଦିନ ପରେ ଅର୍ଥାତ ଗୁରୁବାର ରାତିରେ ବାପଘର ଲୋକେ ଆଣିଲେ ଗୁରୁତର ଅଭିଯୋଗ। ଝିଅକୁ ଶ୍ୱଶୁର ଘର ଲୋକ ନିର୍ଯାତନା ଦେଇ ପୋଡ଼ି ମାରିଦେଇଥିବା ଅଭିଯୋଗ କରିଥିଲେ। ସୁପ୍ରିୟାଙ୍କ ବାପା ଏନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ଆଜି ରାଇଜୁକା ଗାଁକୁ ଯାଇ ଶ୍ମଶାନରେ ମାଟି ଖୋଳି ସୁପ୍ରିୟାଙ୍କ ଗଳିତ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ପଠାଯାଇ ଦେଇଛି। ଏଥିସହ ଅନାମ ବସ୍ତରାୟଙ୍କୁ ପୁଲିସ୍ ଅଟକ ରଖି ଘଟଣାର ତଦନ୍ତ ଚାଲିଇଛି।
ରିପୋର୍ଟ- ମୋହନାରୁ ମିହିର ଜତି
ତେଲକୋଇ ଥାନା ଶିବନାରାୟଣପୁର ଗୋଡା ଗାଁରୁ ତାଳପଦାକୁ ସଂଯୋଗ କରୁଥିବା ଜଙ୍ଗଲ ବିଭାଗ ରାସ୍ତାର ପଥୁରିଆ ନାଳ ଘୁସୁରା ପୋଲରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଛେଳି ଓ ଗୋରୁ ଚରାଇବାକୁ ଯାଉଥିବା ଲୋକମାନେ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ। ହାପ୍ ପ୍ୟାଣ୍ଟ ଓ ହାପ୍ ସାର୍ଟ ପିନ୍ଧିଛନ୍ତି। ସେ ବାମ ହାତରେ ଚପଲ ଧରିଥିବା ବେଳେ ଗୋଡ଼ ପାଖରେ ଗୋଟିଏ ଛତା ପଡ଼ିଛି। ବ୍ୟକ୍ତି ଜଣକ ବନ୍ୟା ପାଣି ଭାସି ଯିବାରୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।
ସୂଚନାରୁ ପ୍ରକାଶ, ବୁଧବାର ଦିନ ତମାମ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ବର୍ଷା ଯୋଗୁ ଅନେକ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଉଗ୍ରରୂପ ଧାରଣ କରିଥିଲା ବୈତରଣୀ। ସେହି ବନ୍ୟା ପାଣିରେ ବ୍ୟକ୍ତି ଜଣକ ଭାସି ଯାଇଥିବା ଅନୁମାନ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ ସାହୁ
ପାଟପୁର ଥାନା ଜୟନଗର ଗାଁର ବର୍ଷା ରାଣୀ ପୁରୋହିତ ପଳାସପୁର ଗ୍ରାମରେ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ଔରଷରୁ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଏହା ପରେ ହଠାତ୍ କଣ ହେଲା କେଜାଣି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଯାଇଥିଲା। ଯେଉଁଥିପାଇଁ କଥା ଛାଡପତ୍ର ପର୍ଯ୍ୟନ୍ତ ଯାଇଥିଲା। ଏପରିକି କୋର୍ଟରେ ଛାଡ଼ପତ୍ର ପାଇଁ ଅପିଲ ମଧ୍ୟ କରାଯାଇଥିଲା। ଏହା ପରେ ବର୍ଷା ଓ ତାଙ୍କ ସ୍ୱାମୀ ଅଲଗା ଅଲଗା ରହୁଥିଲେ। ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ବର୍ଷା ଶେରଗଡ଼ଠାରେ ହୋଟେଲ ମେନେଜମେଣ୍ଟ ସ୍କୁଲରେ ପାଠ ପଢ଼ିଥିଲେ। ପାଠ ପଢ଼ା ସରିବା ପରେ ସେ ହାଇଦ୍ରାବାଦ ପଳାଇଯାଇଥିଲେ। ସେଠାରେ ସେ ଏକ ହୋଟେଲ୍ରେ ଚାକିରି କରୁଥିଲେ।
ଚାକିରି କରୁଥିବା ବେଳେ ନିଜ ଅଞ୍ଚଳର ପ୍ରଶାନ୍ତ ବେହେରାଙ୍କ ସହ ବର୍ଷାଙ୍କର ଦେଖା ହୋଇଥିଲା। ତା’ପରେ ଉଭୟ ନିକଟତର ହୋଇଥିଲେ। ଏପରିକି ବାହା ହେବା ପାଇଁ ନିଷ୍ପତ୍ତି ନେଇ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। ଘଟଣା ସମ୍ପର୍କରେ ବର୍ଷା ନିଜ ଭାଇ ବିକାଶଙ୍କୁ ଓ ପରିବାର ଲୋକଙ୍କୁ ଜଣାଇଥିଲେ। କିଛି ଦିନ ଧରି ରିଲେସନ୍ସିପ୍ରେ ରହିବା ପରେ ବିବାହ ପାଇଁ କହିଥିଲେ ବର୍ଷା। ଏଥିସରେ ପ୍ରଶାନ୍ତ ରାଜି ହୋଇଥିଲେ। ହେଲେ ପ୍ରଶାନ୍ତଙ୍କ ଘର ଲୋକେ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ଦୀର୍ଘ ଦିନର ରିଲେସନ୍ସିପ୍ ଭାଙ୍ଗିବାକୁ ବସିଥିଲା। କିନ୍ତୁ ବର୍ଷା ଥିଲେ ନଛୋଡ୍ବନ୍ଧା। ସେ ଏନେଇ ନିମଖଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଉଭୟ ପକ୍ଷଙ୍କୁ ଡାକି ଘଟଣାର ସମାଧାନ ପାଇଁ ଉଦ୍ୟମ କରିଥିଲା। ବହୁ ବୁଝାବୁଝି ପରେ ବିବାହ କରିବା ସର୍ତ୍ତରେ ଦୁଇ ପରିବାର ରାଜି ହୋଇଥିଲେ। ଏହା ପରେ ଥାନାକୁ ଆସିଥିଲେ ବର୍ଷା ଓ ପ୍ରଶାନ୍ତ। ମିଳାମିଶା ପରେ ପ୍ରଶାନ୍ତଙ୍କ ସହ ବର୍ଷା ଯାଇଥିଲେ। ତା’ପରଠାରୁ ବର୍ଷାଙ୍କ ଖୋଜଖବର ନଥିଲା। ପରିବାର ଲୋକ ବର୍ଷାଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ। ମାତ୍ର ତାଙ୍କ ମୋବାଇଲ୍ ବନ୍ଦ ଥିବା ଜାଣିବାକୁ ପାଇଥିଲେ। ପରେ ବର୍ଷା ଚାକିରି କରୁଥିବା ସଂସ୍ଥା ସହିତ ଯୋଗାଯୋଗ କରାଯାଇଥିଲା। ସେଠାରୁ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ସବୁଆଡୁ ନିରାଶ ହେବା ପରେ ଚୁପ୍ ବସିଥିଲେ ପରିବାର ଲୋକ। ଦିନେ ସୋଶାଲ ମିଡ଼ିଆରେ ବର୍ଷାଙ୍କ ଫଟୋ ଦେଖିବାକୁ ପାଇଥିଲେ ବିକାଶ। ସେ ହେଉଛନ୍ତି ବର୍ଷାଙ୍କ ଭାଇ। ତା’ପରେ ସେ ପୁଲିସ ସହ ଯୋଗାଯୋଗ କରିଥିଲେ।
ସେପଟେ ହିଂଜିଳି ଥାନା ବୋରିଗାଁ ପଞ୍ଚାୟତର ମହୁଲପଲ୍ଲୀର ଏକ ଘରୋଇ ଶ୍ମଶାନରେ ମାଟି ତଳୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା ପୁଲିସ୍। ହତ୍ୟା ମାମଲା ରୁଜୁ ପୁଲିସ୍ ଖୋଳତାଡ କରୁଥିବା ବେଳେ ବିକାଶ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୁଲିସ ତଥ୍ୟକୁ ଆଧାର କରି କିଛି ଲୋକଙ୍କୁ ହେପାଜତକୁ ନେଇଥିଲା। ସେମାନଙ୍କୁ ଘନଘନ ଜେରା ବେଳେ ବର୍ଷା ମର୍ଡର ମିଷ୍ଟ୍ରୀର ସୁରାଗ ପାଇଥିଲା। ବର୍ଷାଙ୍କୁ ହତ୍ୟା ପରେ ଶ୍ମଶାନରେ ପୋତି ଦିଆଯାଇଥିବା ଜାଣିବାକୁ ପାଇଥିଲା ପୁଲିସ୍। ଏହାପରେ ପୁଲିସ୍ ସନ୍ତୋଷ ବେହେରା ଓ ସୁଶାନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ପାସେଞ୍ଜର ଅଟୋ, କଳା ରଙ୍ଗର ଏକ ବାଇକ, ହାତୁଡି ଓ ପାଣିରେ ପଡିଥିବା ମୋବାଇଲ ପ୍ରମୁଖ ଜବତ କରିଛି।
ବର୍ଷା ହତ୍ୟା ମାମଲାରେ ଆଉ ଯେଉଁମାନଙ୍କର ସମ୍ପୃକ୍ତି ରହିଥିବା, ସେମାନଙ୍କୁ ଗିରଫ କରାଯିବ ବୋଲି ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ଉମା ଶଙ୍କର ସିଂହ କହିଛନ୍ତି।
ରିପୋର୍ଟ- ଆସିକାରୁ ମନୋଜ ମୁନୀ
ଅସ୍ତରଙ୍ଗ ଅଞ୍ଚଳର ମୁନ୍ନା ବିଶ୍ୱାଳ ଏକ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲା। ଜେଲ୍ରେ ତାଙ୍କ ସହ ଶ୍ରୀମନ୍ତ କୁମାର ମାଝି, ସଂଗ୍ରାମ କେଶରୀ ପରିଡ଼ା, ଅନୀଲ କୁମାର ଭଟ୍ଟ ଓ ଚିତ୍ତରଞ୍ଜନ ସ୍ୱାଇଁଙ୍କ ଦେଖା ହୋଇଥିଲା। ଖାଲି ଦେଖା ହୋଇନଥିଲା, ଭାବ ଦିଆନିଆ ମଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ ବେଲ୍ରେ ଆସିଥିଲା। ହେଲେ ମୁନ୍ନା ଜେଲରୁ ବାହାରି ପାରିନଥିଲା।
ବୁଧବାର ମୁନ୍ନ ଜେଲରୁ ବାହାରିଥିଲା। ଜେଲ୍ ବାହାରେ ତାଙ୍କୁ ସ୍ୱାଗତ କରିଥିଲେ ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ। ପରେ ଏକ କାରରେ ମୁନ୍ନାଙ୍କୁ ତାଙ୍କ ଘର ଅସ୍ତରଙ୍ଗରେ ଛାଡ଼ିବାକୁ ଯାଉଥିଲେ ୪ ଅଭିଯୁକ୍ତ। ସେତେବେଳକୁ ରାତି ହୋଇ ଆସୁଥିଲା। ଅପରାଧୀକ ମନୋବୃତ୍ତି ନେଇ ଜୀଉଁଥିବାରୁ ନିଶାରେ ଝୁମିବାକୁ ମନ ହୋଇଥିଲା। ତେଣୁ ମୁନ୍ନାଙ୍କ ସମେତ ୪ ଅଭିଯୁକ୍ତ ଅସ୍ତରଙ୍ଗ ବଜାରରେ ଥିବା ଏକ ମଦ ଦୋକାନରେ ଜବରଦସ୍ତି ପଶି ଯାଇଥିଲେ।
ମଦ ଦୋକାନ ସେଲ୍ସମ୍ୟାନ୍ଙ୍କୁ ଧମକ ଚମକ ଦେଇ ପେଟିଏ ମଦ ଉଠାଇ ଆଣିଥିଲେ ମୁନ୍ନା, ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନ। ମଦ ପାଇବା ପରେ ସମସ୍ତେ ଚାଲି ଯାଇଥିଲେ ଝାଡଲିଙ୍ଗ ନଦୀ ବନ୍ଧକୁ। ରାତିର ଅନ୍ଧକାରରେ ମଦ ପିଇ ଝୁମିଲେ। ଆଉ ଡ଼କାୟତି ପାଇଁ ଯୋଜନା କରୁଥିଲେ।
ଲୁଟ୍ ନେଇ ମଦ ଦୋକାନ ମାଲିକ ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିଲା। ପରେ ନଦୀ ବନ୍ଧରେ ଚଢ଼ଉ କରି ଶ୍ରୀମନ୍ତ, ସଂଗ୍ରାମ, ଅନୀଲ ଓ ଚିତ୍ତରଞ୍ଜନଙ୍କୁ ଗିରଫ କରିଥିଲା। ମାତ୍ର ମୁନ୍ନା ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ତାକୁ ଗିରଫ କରିବା ପାଇଁ ପୁଲିସ୍ ଉଦ୍ୟମ ଆରମ୍ଭ କରିଛି। ପୁଲିସ୍ ୪ ଅଭିଯୁକ୍ତଙ୍କଠାରୁ ୩ ଖଣ୍ଡା, ମୋବାଇଲ, ମଦ ଓ ଟଙ୍କା ଜବତ କରିଛି। ତଦନ୍ତ ପରେ ଏହି ଯୁବକମାନେ ଅଭ୍ୟାସଗତ ଜେଲ ଫେରନ୍ତା ଆପରାଧୀ ବୋଲି ପୁଲିସ ଜଣିବାକୁ ପାଇଛି।
ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି
ଜି.ଉଦୟଗିରି ଥାନା ବାଡେନାଜୁ ସ୍ଥିତ ହାପି ଭ୍ୟାଲି ଚିଲଡ୍ରେନ୍ସରେ ଜଗୁଆଳୀ ଭାବେ କାମ କରୁଥିଲା ପୁଷ୍ପକ ପ୍ରଧାନ। ସେ ନିଜ ମାଲିକ ତଥା ହାପି ଭ୍ୟାଲି ଚିଲଡ୍ରେନ୍ସ ସଭାପତି ବନବାସିନୀ ରାଉତଙ୍କ ଘରୁ ଲୁଟ୍ କରିବା ପାଇଁ ଯୋଜନା କରିଥିଲା। ସେଥିପାଇଁ ସେ ରମେଶ ଚନ୍ଦ୍ର ପ୍ରଧାନ, ସୁନିବ ପ୍ରଧାନ ଓ ବାମଦେବ ପ୍ରଧାନଙ୍କ ସହଯୋଗ ନେଇଥିଲା।
ଡିଲ୍ ଫାଇନାଲ୍ ହେବା ପରେ ଗତ ୨ ତାରିଖ ରାତିରେ ପୁଷ୍ପକଙ୍କ ସମେତ ୪ ଅଭିଯୁକ୍ତ ମୁଖା ପିନ୍ଧି ବନବାସିନୀ ରାଉତଙ୍କ ଘରେ ପଶିଥିଲେ। ସେମାନେ ବିଭିନ୍ନ ମାରଣାସ୍ତ୍ର ଦେଖାଇ ପରିବାର ଲୋକଙ୍କୁ ଧମକଚମକ ଦେଇ ୩ ଭରି ଓଜନର ଏକ ସୁନା ଚେନ ଓ ୨ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ସବୁଠାରୁ ମଜାକଥା ହେଉଛି, ଧମକ ଚମକ ବେଳେ ପୁଷ୍ପକଙ୍କ ମୁହଁରେ ଲାଗିଥିବା ମୁଖାଟି ଖସି ପଡ଼ିଥିଲା। ଆଉ ତାଙ୍କୁ ଶ୍ରୀ ରାଉତଙ୍କ ପରିବାର ଲୋକେ ଚିହ୍ନି ପକାଇ ଥିଲେ।
ତା’ପର ଦିନ ଅର୍ଥାତ ୩ ତାରିଖରେ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଥିଲା। ଶ୍ରୀ ରାଉତଙ୍କ ପରିବାର ଲୋକଙ୍କୁ ପଚରାଉଚରା ବେଳେ ଜଗୁଆଳୀ ପୁଷ୍ପକ ପ୍ରଧାନଙ୍କ ଉପରେ ସନ୍ଦେହ ହେଉଥିବା ପୁଲିସ୍କୁ କହିଥିଲେ। ଏହା ପରେ ପୁଲିସ୍ ପୁଷ୍ପକ ପ୍ରଧାନଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ପ୍ରଥମେ ଗିରଫ କରିଥିଲା। ପରେ ତାଙ୍କ ବୟାନ ଆଧାରରେ ପୁଲିସ ରମେଶ ଚନ୍ଦ୍ର ପ୍ରଧାନ, ସୁନିବ ପ୍ରଧାନ ଓ ବାମଦେବ ପ୍ରଧାନକୁ ଗିରଫ କରିଛି। ସମସ୍ତଙ୍କ ଘର ଦାରିଙ୍ଗବାଡ଼ି ଥାନା ଅଞ୍ଚଳର।
ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍ ଚୋରି ହୋଇଥିବା ୩ ଭରି ଓଜନର ସୁନା ଚେନ ଉଦ୍ଧାର କରିଛି। ଏଥିସହ ୨ଟି ବାଇକ ଓ ୪ଟି ମୋବାଇଲ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି ଜି.ଉଦୟଗିରି ଥାନା ଅଧିକାରୀ ଅଜୟ କୁମାର ସ୍ୱାଇଁ।
ରିପୋର୍ଟ- ବାଲିଗୁଡ଼ାରୁ ଅଜିତ ନାୟକ
ରବିବାର ବାରିପଦା ବନ ବିଭାଗ ୪ଟି ବାଘ ଛାଲ ଜବତ କରିବା ସହିତ ବାଙ୍ଗିରିପୋଷି ଗାଁର ରୂପାୟା ମାରାଣ୍ଡି, ବହଳଦା ଅଞ୍ଚଳର ବୁଦ୍ଧୁରାମ ସିଂ ଓ ମଙ୍ଗଲୁ ସିଂକୁ ଗିରଫ କରିଥିଲା। ସନ୍ଧ୍ୟା ବେଳେ ରୂପାୟା ଅସୁସ୍ଥ ହୋଇପଡ଼ିଥିଲା। ତା’ପରେ ତାକୁ ବାରିପଦା ମେଟିକାଲରେ ଭର୍ତ୍ତି କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ବନ ବିଭାଗ ଦୁଇ ଜଣ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ(ପିଏ)ଙ୍କୁ ମୁତୟନ କରାଯାଇଥିଲା। ରାତି ପ୍ରାୟ ସାଢ଼େ ୩ଟା ବେଳେ ବନ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା ରୂପାୟା।
ଆଜି ସକାଳେ ବନ ବିଭାଗ ପକ୍ଷରୁ ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରୁଛି। ଅନ୍ୟପକ୍ଷରେ ବନ ବିଭାଗ ମଧ୍ୟ ରୂପାୟା ଓ ତାଙ୍କ ସମ୍ପର୍କୀୟଙ୍କ ଗାଁକୁ ଯାଇଥିଲା। ମାତ୍ର ଖାଲି ହାତରେ ଫେରିଛି। ବର୍ତ୍ତମାନ ସୁଦ୍ଧା ପୁଲିସ ବା ବନ ବିଭାଗ କେହି ରୂପାୟାଙ୍କ ପତ୍ତା ପାଇନାହିଁ। ବନ ବିଭାଗର ଖାମ୍ଖିଆଲ ନୀତି ପାଇଁ ରୂପାୟା ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି।
ରିପୋର୍ଟ-ବାରିପଦାରୁ ମାଣିକଲାଲ୍ ପାଣି
ଭୋଳାନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ(କ )ରେ ପଢ଼ୁଥିବା ଜଣେ ଛାତ୍ରୀ ପ୍ରେମ କରୁଥିଲେ। ଆଉ ସେହି ପ୍ରେମରେ ତାଙ୍କ ସହପାଠିନୀ ପଦ୍ମା (ଛଦ୍ମନାମ) ସାଜୁଥିଲେ ମଧ୍ୟସ୍ଥି। ଧୀରେଧୀରେ ଏହି ଘଟଣା ପ୍ରଘଟ ହୋଇଥିଲା। କଥା ଯାଇ ପ୍ରଧାନଶିକ୍ଷକ ଅଞ୍ଜନ କୁମାର ଜେନା ଓ ଅନ୍ୟ ଶିକ୍ଷକଙ୍କ କାନରେ ପଡ଼ିଥିଲା। ଏହା ପରେ ପ୍ରଧାନଶିକ୍ଷକ ପଦ୍ମାକୁ ଡାକି ବୁଝାଇଥିଲେ।
ଗତ ସୋମବାର ଉଭୟ ଛାତ୍ରୀଙ୍କ ଅଭିଭାବକଙ୍କୁ ଡାକି ପ୍ରଧାନଶିକ୍ଷକ ଶ୍ରୀଜେନା ଅନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ବୁଝାସୁଝା କରିଥିଲେ। ପାଠ ପଢ଼ିବା ବୟସରେ ଏପରି କାମ ନକରିବା ପାଇଁ ଦୁଇ ଛାତ୍ରୀଙ୍କୁ ତାଗିଦ କରିଥିଲେ। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଧାନଶିକ୍ଷକ ମଙ୍ଗଳବାର ପରିଚାଳନା କମିଟିର ଏକ ବୈଠକ ଡାକିଥିଲେ।
ମଙ୍ଗଳବାର ସକାଳ ପ୍ରାୟ ୯.୫୦ମିନିଟ୍ରେ ବୈଠକ ବସିଥିଲା। ଠିକ୍ ସେହି ସମୟ ପ୍ରେମରେ ମଧ୍ୟସ୍ଥି ସାଜିଥିବା ଛାତ୍ରୀ ପଦ୍ମାଙ୍କ ବାପା ଓ ମାଆ କିଛି ଲୋକଙ୍କୁ ଧରି ବିଦ୍ୟାଳୟରେ ପହଞ୍ଚିଥିଲେ। ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରିଥିଲେ। ସ୍କୁଲ ପରିଚାଳନା କମିଟି କର୍ମକର୍ତ୍ତାମାନେ ଅଟକାଇବାକୁ ଚେଷ୍ଟା କରିନଥିଲେ। ମାତ୍ର ସେମାନେ ପ୍ରଧାନଶିକ୍ଷକଙ୍କୁ ଆକ୍ରମଣ କରି ମୁଣ୍ଡ ଫାଟାଇ ଦେଇଥିଲେ। ଏନେଇ ତାଳସାରୀ ମେରାଇନ୍ ଥାନାରେ ପ୍ରଧାନଶିକ୍ଷକ ଓ ଆକ୍ରମଣ କରିବା(ଛାତ୍ରୀଙ୍କ ପରିବାର) ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା।
ସେପଟେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଷ୍ଟା ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ବିକାଶ ପାତ୍ର, ଦକ୍ଷିଣ ଭୋଗରାଇ ସଭାପତି ଶ୍ରୀନିବାସ ଚନ୍ଦ୍ର ପ୍ରଧାନ, ସମ୍ପାଦକ ନଟରଞ୍ଜନ ଘଡ଼ାଇ ପ୍ରମୁଖ ଦାବି କରିଥିଲେ। ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆନ୍ଦୋଳାତ୍ମକ ରାସ୍ତାକୁ ସଂଘ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲା। ଏନେଇ ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଯାଇଥିଲା।
୫ ଦିନ ପରେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏହାର ପ୍ରତିବାଦରେ ସ୍କୁଲର ଛାତ୍ରଛାତ୍ରୀ, ଅଭାଭବକ, ପରିଚାଳନା କମିଟି କର୍ମକର୍ତ୍ତା ଓ ଶିକ୍ଷକମାନେ ୫୭ ନମ୍ୱାର ରାଜ୍ୟ ରାଜପଥରେ ଧାରଣା ଦେଇଥିଲେ। ଖବର ପାଇ ଜଳେଶ୍ୱର ଏସ୍ଡିପିଓ ଶିକ୍ଷକ ଓ ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିଥିଲେ। ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷକମାନେ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବେନାହିଁ ବୋଲି ରୋକ୍ଠୋକ୍ ଶୁଣାଇ ଦେଇଥିଲେ।
ଶେଷରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପଶ୍ଚିମବଙ୍ଗରେ ଆତ୍ମଗୋପନ କରିଥିବା ଛାତ୍ରୀଙ୍କ ବାପା ଓ ମାଆଙ୍କୁ ଆଣିଥିଲା। ସେମାନେ ଶିକ୍ଷକଙ୍କୁ ଭୁଲ୍ କ୍ଷମା ମାଗିଥିଲେ। ଏଥିସହ ଆକ୍ରମଣ କରିଥିବା ୩ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଥିଲା। ଏହା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ
ହରିଚନ୍ଦନପୁର ଥାନା ସିଂହବିଲା ଗାଁ ବାଇପାସ୍ ଦେଇ ବୋହି ଯାଇଛି ମୂଷଳ ନଦୀ। ସେହି ନଦୀର କୂଳରେ ଥିବା ଏକ ବୁଦା ମୂଳେ ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲ୍ଲଗ୍ନ ମୃତଦେହ ପଡ଼ିଥିଲା। ପାଟିରୁ ରକ୍ତ ବୋହିବାର ଚିହ୍ନ ଥିଲା। ଯୁବତୀଙ୍କ ରଙ୍ଗ ଶ୍ୟାମଳ। ସେ ଧଳା ପୋଷାକ ପିନ୍ଧିଛନ୍ତି। ତାଙ୍କ ଡାହାଣ ହାତରେ ନାଲି ଫିତା ବନ୍ଧା ହୋଇଥିବା ବେଳେ ବାମ ମଣିବନ୍ଧରେ କଳା ରଙ୍ଗର ମାଳିର ପିନ୍ଧିଛନ୍ତି।
ସ୍ଥାନୀୟ ଲୋକେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଦେଖି ଥାନାକୁ ଖବର ଦେଇଥିଲେ। ସାଇଣ୍ଟିକ୍ ଟିମ୍ ସହ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଯୁବତୀଙ୍କ ପରିଚୟ ମିଳିପାରି ନାହିଁ। ପାରିପାର୍ଶିକ ପରିସ୍ଥିତିକୁ ଦେଖିଲେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି
ଶଗଡ଼ାଶୂଳ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଛନ୍ତି ଅଞ୍ଜଳି ମହାନ୍ତି। ସୋମବାର ଅପରାହ୍ନରେ ସେ ଶ୍ରେଣୀଗୃହରେ ବସି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଠିକ୍ ସେହି ସମୟରେ ଟିକିରାପଡ଼ା ଗାଁର ଜୟନ୍ତ ମହାନ୍ତି ସ୍କୁଲ କ୍ୟାମ୍ପସରେ ପଶି ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତିଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏପରିକି ତାଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଶିକ୍ଷୟିତ୍ରୀ ଜଣକ ବିଦ୍ୟାଳୟ ବାହାରକୁ ଦୌଡି ପଳାଇ ଆସିଥିଲେ।
ସ୍କୁଲ ଗେଟ୍ ବାହାରେ ଛିଡ଼ା ହୋଇଥିବା ଜୟନ୍ତଙ୍କ ସ୍ତ୍ରୀ ଓ ପୁଅ ଚପଲରେ ଶିକ୍ଷୟିତ୍ରୀଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କଠାରୁ ମୋବାଇଲ ଛଡାଇ ନେଇଥିଲେ। ଶିକ୍ଷୟିତ୍ରୀଙ୍କ ଚିତ୍କାର ଶୁଣି ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ପାଟି କରିବାରୁ ସେମାନେ ଚମ୍ପଟ ମାରିଥିଲେ। ଶିକ୍ଷୟିତ୍ରୀଙ୍କୁ ଆକ୍ରମଣର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ମୋବାଇଲ୍ରୁ ମୋବାଇଲ ଘୂରି ବୁଲୁଛି।
ଶିକ୍ଷୟିତ୍ରୀ ଶ୍ରୀମତୀ ମହାନ୍ତିଙ୍କ ସ୍ୱାମୀ ଆଜି ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ରିପୋର୍ଟ-ଜଳେଶ୍ୱରରୁ ଅଜିତ କୁମାର ଦାସ
ବଡ଼ଖଣି ଗାଁର ଶିବାନୀ ନାୟକଙ୍କୁ ବିରିକୋଟ ଗାଁର ଜୀବନ ପାଣି ପ୍ରେମ ବିବାହ କରିଥିଲେ। ଗତ ମେ’ ମାସରେ ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ବିବାହ ପରେ ଜୀବନଙ୍କ ଘରେ ରହୁଥିଲେ ଶିବାନୀ। ବାହାଘରକୁ ମାସେ ପୂରିନି ଶିବାନୀଙ୍କ ଉପରେ ଆରମ୍ଭ ହୋଇଥିଲା ଯୌତୁକ ନିର୍ଯାତନା। ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା। ଜୀବନ ତାଙ୍କୁ ଜୀବନ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।
ନିର୍ଯାତନା ଅସହ୍ୟ ହେବାରୁ ଶିବାନୀ ବାପ ଘରକୁ ପଳାଇ ଯାଇଥିଲେ। ଯେଉଁଥିପାଇଁ ଶ୍ୱଶୁର ଘର ଲୋକଙ୍କ ସହିତ ଜୀବନଙ୍କର ତିକ୍ତତା ଲାଗି ରହିଥିଲା। ଜୁନ୍ ମାସରେ ଜୀବନ ଶ୍ୱଶୁର ଘରକୁ ଆସି ବଡ଼ ଶଳା କିଶୋର ନାୟକଙ୍କୁ ଆକ୍ରମଣ କରିଥିଲା। ଫଳରେ କିଶୋର ଗୋଡ଼ ଭାଙ୍ଗି ଯାଇଥିଲା। ଏନେଇ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରିଥିଲା।
ମାମଲା ରୁଜୁ ହେବା ପରେ ଜୀବନ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲା। ଶ୍ୱଶୁର ଘର ଲୋକଙ୍କୁ ଆକ୍ରମଣ କରିବା ପାଇଁ ସୁଯୋଗ ଉଣ୍ଡୁଥିଲା। ଆଜି ଶିବାନୀଙ୍କ ସାନ ଭାଇ ଅମିତ ନାୟକ ଘରକୁ ଫେରୁଥିଲେ। ପୂର୍ବରୁ ସେହି ରାସ୍ତାରେ ଜଗି ରହିଥିବା ଜୀବନ ତାଙ୍କୁ ଆକ୍ରମଣ କରିଥିଲା। ପରେ ତାଙ୍କୁ ଡ୍ରେନକୁ ଫିଙ୍ଗି ଦେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଅମିତଙ୍କୁ ଡ୍ରେନ୍ରୁ ଉଦ୍ଧାର କରି ମୋହନା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।
ଅମିତଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ୍ ମାମଲା ରୁଜୁ କରି ଅଭଯୁକ୍ତ ଜୀବନକୁ ଅଟକ ରଖି ପଚରା ଉଚରା କରୁଛି।
ରିପୋର୍ଟ-ମୋହନାରୁ ମିହିର ଜତି
ଦେବାନନ୍ଦ ଗ୍ୟାରେଜ ମିସ୍ତ୍ରି ଭାବେ କାମ କରନ୍ତି। ଆଜି ସକାଳେ ସେ ମୋବାଇଲରେ କଥା ହୋଇ ଚାଲି ଚାଲି ରାମେଶ୍ୱର ମନ୍ଦିର ରାସ୍ତାରେ ଗ୍ୟାରେଜକୁ ଯାଉଥିଲେ। ଠିକ୍ ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ତାଙ୍କଠାରୁ ମୋବାଇଲ ଝାମ୍ପି ନେଇ ଚମ୍ପଟ ମାରୁଥିଲେ। ତେବେ ଦେବାନନ୍ଦ ଚିତ୍କାର କରିବାରୁ ସେହି ରାସ୍ତାରେ ବାଇକ୍ରେ ଯାଉଥିବା ସନ୍ଦୀପ ମିଶ୍ର ଦୁଇ ମୋବାଇଲ୍ ଲୁଟେରାଙ୍କୁ ପିଛା କରିଥିଲେ।
ଦୁଇ ଲୁଟେରା ଚମ୍ପଟ ମାରୁଥିବା ବେଳେ ରେମୁଣା ଗୋଲେଇରେ ସନ୍ଦୀପଙ୍କ ବାଇକ୍ ସେମାନଙ୍କ ସ୍କୁଟିକୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲେ। ଯେଉଁଥିପାଇଁ ଦୁଇ ଲୁଟେରା ସେଠାରେ ପଡ଼ି ଯାଇଥିଲେ। ଏହାପରେ ସନ୍ଦୀପ ଦୁଇ ଲୁଟେରାଙ୍କ ଭିତରୁ ଜଣକୁ କାବୁ କରି ଚୋର ଚୋର ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ତାଙ୍କୁ(ଲୁଟେରା) କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ତେବେ ଅନ୍ୟତମ ଲୁଟେରା ସ୍କୁଟି ଧରି ଚମ୍ପଟ ମାରିଥିଲା।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୋବାଇଲ ଲୁଟେରାକୁ ଉଦ୍ଧାର କରିଥିଲେ। ପୁଲିସ ତାକୁ ଅଟକ ରଖି ଜେରା କରୁଛି। ହେଲେ ଲୁଟେରା ସମ୍ପର୍କରେ ପୁଲିସ୍ କୌଣସି ସୂଚନା ଦେଇନି। ଅନ୍ୟପକ୍ଷରେ ଫେରାର ଥିବା ଲୁଟେରାକୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଆରମ୍ଭ କରିଛି।
ରିପୋର୍ଟ- ବାଲେଶ୍ୱରରୁ ରଞ୍ଜିତ ପାକଳ
ଆଜି ଅପରାହ୍ନରେ ବଲାଙ୍ଗିର ସଦର ଥାନା ସଦେଇପାଲି-ମାଧିଆପାଲି ବାଇପାସ୍ ରାସ୍ତା ମାଝିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ଟୁକୁ। ସ୍ଥାନୀୟ ଲୋକେ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।
ପୁଲିସ୍ର ପ୍ରାଥମିକ ତଦନ୍ତରୁ ଟୁକୁଙ୍କୁ ସଙ୍ଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡ଼ିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଛି। ପ୍ରଚୁର ପରିମାଣର ରକ୍ତ ଶ୍ରାବ ହୋଇଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କର ଚେତା ଫେରିନାହିଁ। ତେବେ ତାଙ୍କୁ କିଏ ଓ କାହିଁକି ଆକ୍ରମଣ କଲା, ତାହା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।
ପରିବାର ଲୋକଙ୍କ କହିବା ଅନୁସାରେ ୨୩ ବର୍ଷୀୟ ଯୁବକ ଟୁକୁ ଡାଙ୍ଗ ଆଜି ସକାଳୁ କୌଣସି କାମରେ ଘରୁ ବାହାରି ଥିଲେ। ହେଲେ ଘରକୁ ଫେରିନଥିଲେ। ସେ ଗୁରୁତର ଆହତ ହୋଇଥିବା ଅପରାହ୍ନରେ ଘରକୁ ଖବର ଯାଇଥିଲା। ତାଙ୍କୁ ଆକ୍ରମଣ କରି ରାସ୍ତାକୁ ଫିଙ୍ଗି ଦେଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
ବାଣପୁର ବଜାରରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ମାଗି ଜାଚି ଖାଆନ୍ତି। ବୁଧବାର ରାତି ପ୍ରାୟ ୧ଟା ବେଳେ ମହିଳା ଜଣକ ଗାଲୁଆ ଛକ ନିକଟସ୍ଥ ଅଳିଆ ଗଦାରେ ବସି ଖାଉଥିଲେ। ଠିକ୍ ସେହି ସମୟରେ ଜଣେ ଯୁବକ ହାତରେ ଖଣ୍ଡା ଧରି ସେଠାରେ ପହଞ୍ଚି ଥିଲା। କିଛି କହିବା ପୂର୍ବରୁ ତାଙ୍କୁ ଖଣ୍ଡାରେ ଚୋଟ ପରେ ଚୋଟ ପକାଇଥିଲା। ତା’ପରେ ସେଠାରୁ ଖଣ୍ଡା ଧରି ଚମ୍ପଟ ମାରିଥିଲା ଦୁର୍ବୃତ୍ତ। ଯାହାର ପୂରା ଘଟଣା ସିସିଟିଭିରେ କଏଦ ହୋଇଥିଲା। ତେବେ ହତ୍ୟା କରିଥିବା ଯୁବକ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା? ତାହା ଜଣାପଡ଼ି ନାହିଁ।
ସୂଚନାରୁ ପ୍ରକାଶ, ଆଜି ସକାଳେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଅଳିଆରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ମୃତ ବ୍ୟକ୍ତି ଜଣେ ମାନସିକ ବିକାର ଗ୍ରସ୍ତ ଓ ଅପରିଚିତ ହୋଇଥିବାରୁ ପୁଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଥିଲା। ତେବେ ହତ୍ୟାର ଭିଡିଓ ସାମ୍ନାକୁ ଆସିବା ପରେ ହତ୍ୟାକାରୀ ପାଖରେ ପୁଲିସ୍ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି।
ତେବେ ହତ୍ୟା ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ
ନିଖିଳନଗର ପଡା ମକର୍ଧ୍ଵଜ ନାଗ, ତାଙ୍କ ସ୍ତ୍ରୀ ଓ ପୁଅ ସବୁଦିନ ପରି ଆଜି ସକାଳେ ଭାତ ଖାଇ କାମକୁ ଯାଇଥିଲେ। ଆଉ ଗଲା ବେଳେ ଯୁକ୍ତ ଦୁଇରେ ପଢ଼ୁଥିବା ଝିଅ ଶେଷାଦ୍ରିଙ୍କୁ ମକର୍ଧ୍ଵଜ କହିଯାଇଥିଲେ, ମଧ୍ୟାହ୍ନରେ ଭାତ ରାନ୍ଧି ଦେଇଆସିବା ପାଇଁ। ବାପାଙ୍କ କଥାକୁ ରକ୍ଷା କରି ଶେଷାଦ୍ରି ରୋଷେଇ କରିଥିଲେ।
ସକାଳ ଯାଇ ମଧ୍ୟାହ୍ନ ହେଲା। ହେଲେ ଝିଅ ଖାଇବା ନେଇ ଆସିଲେ ନାହିଁ। ଯେଉଁଥିପାଇଁ ମକର୍ଧ୍ଵଜ, ତାଙ୍କ ପତ୍ନୀ ଓ ପୁଅ ଚିନ୍ତାରେ ପଡ଼ିଗଲେ। କ’ଣ ପାଇଁ ଶେଷାଦ୍ରି ଖାଇବା ନେଇ ଆସିଲେ ନାହିଁ? ଘରେ କିଛି ଅଘଟଣ ଘଟିନି ତ? ଏମିତି ନାନା ସନ୍ଦେହ ତାଙ୍କ ମନକୁ ଆସିଥିଲା। ତେଣୁ କାଳ ବିଳମ୍ୱ ନକରି ପତ୍ନୀଙ୍କ ସହ ମକର୍ଧ୍ଵଜ ଘରକୁ ଧାଇଁ ଆସିଥିଲେ। ସେତେବେଳେ ଘର ଚଟାଣରେ ଲହଡି ମାରୁଥିଲା ରକ୍ତ।
ଆଉ ରକ୍ତ ଜୁଡୁବୁଡୁ ହୋଇ ଚଟାଣରେ ଲୋଟିପଡ଼ିଥିଲେ ଶେଷାଦ୍ରି। ତାଙ୍କ ବେକକୁ ପଛ ପାର୍ଶ୍ୱରୁ ଅତି ବୀଭତ୍ସ ଭାବେ କିଏ କାଟି ଦେଇଥିବା ଦେଖିବାକୁ ପାଇଥିଲେ। ଝିଅର ଏ ଅବସ୍ଥା ଦେଖି ଧର୍ଯ୍ୟ ଧରି ଛିଡା ହୋଇପାରିଲେ ନାହିଁ ମକରଧ୍ୱଜଙ୍କ ପତ୍ନୀ। ଚିତ୍କାର କରି କାନ୍ଦି ପକାଇଲେ। ମକର୍ଧ୍ଵଜଙ୍କ ପତ୍ନୀଙ୍କ ଏ କାନ୍ଦ ଶୁଣି ସେଠାକୁ ଧାଇଁ ଆସିଥିଲେ ସାହିଭାଇ। ଘର ଭିତରେ ମୃତଦେହ ପଡ଼ିଥିବା ଦେଖି ବିସ୍ମିତ ହୋଇଥିଲେ। ଏନେଇ ଟାଉନ୍ ଥାନାକୁ ଖବର ଦେଇଥିଲେ। ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷରେ ବଲାଙ୍ଗିର ଏସ୍ପି ଋଷିକେଶ ଖିଲାରୀ ଘଟନସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। କିଏ ଓ କେଉଁଥିପାଇଁ ଶେଷାଦ୍ରିଙ୍କୁ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ପରିବାର ଲୋକେ ଶେଷଦ୍ରିଙ୍କ ଦୁଇଜଣ ଝିଅ ସାଙ୍ଗଙ୍କୁ ସନ୍ଦେହ କରିଛନ୍ତି। ପ୍ରେମ ସମ୍ପର୍କ ପାଇଁ ହତ୍ୟାକାଣ୍ଡ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି।
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
ଜଗତସିଂହପୁର ଜିଲ୍ଲାର ବିଜୟିନୀ ସାହୁ ଭୁବନେଶ୍ୱର ଜିଜିପି କଲୋନୀରେ ରୁହନ୍ତି। ସେ ଏକ ସଂସ୍ଥାରେ ରିସେପନିଷ୍ଟ୍ ଭାବେ ଚାକିରି କରନ୍ତି। ସବୁଦିନ ପରି ଗୁରୁବାର ଅଫିସ୍ ଆସିଥିଲେ ବିଜୟିନୀ। ଅପରାହ୍ନରେ ସେହି ସଂସ୍ଥାରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ ଦରମା ପାଇନଥିବାରୁ ଉତ୍କ୍ଷିପ୍ତ ହୋଇ ଅଫିସ୍ ଆସିଥିଲେ। ସଂସ୍ଥାର ମାଲିକଙ୍କୁ ଦେଖା କରିବା ପାଇଁ ଚାହୁଁଥିଲେ। ମାତ୍ର ବିଜୟିନୀ ତାଙ୍କୁ ଅଟକାଇ ଥିଲେ। ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ବିଜୟିନୀଙ୍କ ପେଟରେ ଛୁରୀ ଭୁଶି ଦେଇଥିଲେ ସିକ୍ୟୁରିଟି ଗାର୍ଡ଼।
ସଂସ୍ଥାର ଅନ୍ୟ କର୍ମଚାରୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟିନୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟିନୀଙ୍କ ମୃତ୍ୟୁ ଘଟିଛି।
ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ୍ ଏବେ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରୁଛି। କ’ଣ ପାଇଁ ତାଙ୍କ ଦରମା ବନ୍ଦ କରାଯାଇଥିଲା, ତାହା ଉପରେ ପୁଲିସ୍ ତଦନ୍ତ କରୁଛି।
କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଭେଜା ଗାଁର କିଛି ପିଲା ତୋଟାକୁ ଆମ୍ୱ ତୋଳିବାକୁ ଯାଇଥିଲେ। ସେହି ସମୟରେ ଆମ୍ୱ ଗଛରେ ଜଣେ ଯୁବକ ରକ୍ତ ଜୁଡ଼ୁବୁଡୁ ହୋଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ମୃତ ଯୁବକଙ୍କ ଜୋତା ଗଛ ମୂଳରେ ପଡ଼ିଥିବା ବେଳେ ହାତ ବନ୍ଧା ଯାଇଛି। ବେକରୁ ରକ୍ତ ସ୍ରାବ ହେଉଛି। ଏହା ଦେଖି ପିଲାମାନେ ଗାଁ ଲୋକଙ୍କୁ ଜଣାଇଥିଲେ।
ଗାଁ ଲୋକେ ଏନେଇ କଲ୍ୟାଣସିଂହପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଯୁବକଙ୍କ ପକେଟରୁ ମିଳିଛି ଗୋଟିଏ ଆଧାରକାର୍ଡ। ଯେଉଁଥିରେ ତାଙ୍କର ନାଁ କେଶବ ନାୟକ ଓ ଘର କାଶୀପୁର ବ୍ଲକ ସୁରିଶବାଡ଼ି ଗାଁର ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ସନ୍ଦେହ କରୁଛି। ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ରିପୋର୍ଟ-ରାୟଗଡ଼ାରୁ ମାଉଡି ବାରିକ
ପାରାଦୀପ ବଡ଼ପଡ଼ିଆରେ ଏକ ହୋଟେଲ୍ରେ କେନ୍ଦ୍ରାପଡ଼ା ଜିଲ୍ଲା ଲୋକନାଥପୁର ଗାଁ ରମେଶ ଜେନା କାମ କରୁଥିଲେ। ତାଙ୍କ ଗାଁ ଟୁବୁଲି ଜେନା ମଧ୍ୟ ସେହି ହୋଟେଲରେ କାମ କରୁଥିଲେ। ଉଭୟ ଗୋଟିଏ ଗାଁରେ ହୋଇଥିବାରୁ ବେଶ୍ ପରିଚିତ ଥିଲେ। ଏହାରି ଭିତରେ ରମେଶର ଶାଳୀଙ୍କୁ ଟୁବୁଲି ଜେନା ଭଲ ପାଉଥିଲେ। କୌଣସି ସୂତ୍ରରୁ ଏ ସମ୍ପର୍କରେ ଜାଣିପାରିଥିଲେ ରମେଶ। ଟୁବୁଲି ଜେନାଙ୍କୁ ବାରଣ କରିଥିଲେ। ଏହା ସତ୍ତ୍ୱେ ଟୁବୁଲି ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ରମେଶ ନିଜ ଶାଳୀକୁ ଟୁବୁଲିଙ୍କ ଚିତ୍ର ସମ୍ପର୍କରେ କହିଥିଲେ। ଏହା ପରେ ଟୁବୁଲି ଓ ରମେଶ ଶାଳୀଙ୍କ ମଧ୍ୟରେ ମତାନ୍ତର ଦେଖାଦେଇଥିଲେ। ଗତ ୧୫ ଦିନ ହେଲା ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ଟୁବୁଲି ଓ ରମେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଏପରିକି ମାରପିଟ୍ ହୋଇଥିଲା।
ପ୍ରେମକୁ ନେଇ ରମେଶ ଓ ଟୁବୁଲିଙ୍କ ମଧ୍ୟରେ ଗୁରୁବାର ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ପରେ ଟୁବୁଲି ଫୋନ୍ କରି ଏ ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏହି ମାସ ଦରମା ମିଳିଲେ ହୋଟେଲ୍ ଛାଡ଼ି ରାଜ୍ୟ ବାହାରକୁ ପଳାଇଯିବେ ବୋଲି ପରିବାର ଲୋକଙ୍କୁ କହିଥିଲେ ଟୁବୁଲି।
ସବୁଦିନ ପରି ଗୁରୁବାର ରାତିରେ ସବୁ କର୍ମଚାରୀ ହୋଟେଲ୍ ପଛ ପାର୍ଶ୍ୱରେ ଥିବା ମଣ୍ଡପରେ ଶୋଇଥିଲେ। ବିଳମ୍ୱିତ ରାତିରେ ଅନ୍ୟ କର୍ମଚାରୀମାନେ ଉଠି ପଳାଇ ଯାଇଥିଲେ। ହେଲେ ରାତିରେ ଏକା ମଣ୍ଡପରେ ଶୋଇଥିଲେ ଟୁବୁଲି ଜେନା। ଏହାର ସୁଯୋଗ ନେଇ ଭୋର ପ୍ରାୟ ୪ଟାରେ ରମେଶ ଏକ କୋଦାଳରେ ଟୁବୁଲି ଜେନାଙ୍କ ମୁହଁକୁ ହାଣି ଦେଇଥିଲା। ପରେ ତା’ ଛାତି ଉପରେ ବସି ବେକକୁ ଛୁରୀରେ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ହତ୍ୟାକାଣ୍ଡ ଘଟାଇବା ପରେ କୋଦାଳ ଓ ଛୁରୀକୁ ହୋଟେଲ୍ ପାର୍ଶ୍ୱରେ ଲୁଚାଇ ଦେଇଥିଲା।
ଆଜି ସକାଳେ ମଣ୍ଡପ ଉପରେ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖି ହୋଟେଲ୍ କର୍ମଚାରୀମାନେ ଅବାକ୍ ହୋଇଯାଇଥିଲେ। ଏନେଇ ପାରାଦୀପ ଆଦର୍ଶ ଥାନାକୁ ଖବର ଦେଇଥିଲେ। ପୁଲିସ୍ ମୃତଦେହ ଜବତ କରି ହୋଟେଲ୍ କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଏଥିସହ ପରିବାର ଲୋକଙ୍କୁ ଖବର ଦେଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ରମେଶକୁ କବ୍ଜାକୁ ନେଇଥିଲା। ଘନ ଘନ ଜେରା ପରେ ମୁହଁ ଖୋଲିଥିଲା ରମେଶ। କାହିଁକି ଓ କେମିତି ଟୁବୁଲିଙ୍କୁ ହତ୍ୟା କରିଥିଲା ରମେଶ, ପୂରା ଡେମୋ ଦେଖାଇଥିଲା। ପୁଲିସ ରମେଶକୁ ଅଟକ ରଖିଥିବା ବେଳେ ହତ୍ୟାରେ ବ୍ୟବହୃତ କୋଦାଳ ଓ ଛୁରୀ ଜବତ କରିଛି।
ରିପୋର୍ଟ-ପାରାଦୀପରୁ ରମାକାନ୍ତ ନାୟକ
STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ। ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ। ଆଉ ତା’ ବଦଳରେ ବିପୁଳ ଟଙ୍କା ରୋଜଗାର କରୁଥିଲେ। ଏହି ଓଟିପି ବ୍ୟବହାର କରି ଅପରାଧିକ ସଂସ୍ଥାଗୁଡିକ ହ୍ୱାଟସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ୍ ମିଡିଆ ଆକାଉଣ୍ଟ୍ ଚଲାଇବା ସହିତ ଅନଲାଇନ୍ ସପିଂ ମଧ୍ୟ କରୁଥିଲେ। ଖାଲି ସେତିକି ନୁହେଁ, ଦେଶ ବିରୋଧୀ ଷଡ଼ଯନ୍ତ୍ର ସାଙ୍ଗକୁ ହନିଟ୍ରାପ୍, ସେକ୍ସଟୋରେସନ ଭଳି କାମ ପାଇଁ ମଧ୍ୟ ଉସକାଉଥିଲେ। ଗିରଫ ଅଭିଯୁକ୍ତଙ୍କ ଠାରୁ ୧୯ଟି ଦାମୀ ମୋବାଇଲ, ୪୭ଟି ସିମ କାର୍ଡ, ୬୧ ଏଟିଏମ କାର୍ଡ଼ ଏବଂ ୨୩ଟି ସିମ କଭର ସହ ଲାପଟପ ଜବତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଏସ୍ଟିଏଫ୍ ଆଇଜି ଜୟ ନାରାୟଣ ପଙ୍କଜ।
ଆଶ୍ଚର୍ଯ୍ୟର କଥା ହେଲା ଫେକ୍ ସିମ୍ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଟେଲିକମ୍ ଡିପାର୍ଟମେଣ୍ଟ୍ ନିକଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି 'ଅସ୍ତ୍ର' ବ୍ୟବହାର କରି ସାରା ଦେଶରୁ ମୋଟ୍ ୩୦ ଲକ୍ଷ ସିମ୍ ରଦ୍ଦ କରିଥିଲା। ତା’ ଭିତରେ ଓଡିଶାରୁ ପ୍ରାୟ ୫୨ ହଜାର ସିମ୍ ରଦ୍ଦ ହୋଇଥିବା ବେଳେ ୨୪୧୭ ସିମ୍ ବିକ୍ରେତାଙ୍କୁ ବ୍ଲାକ୍ ଲିଷ୍ଟେଡ୍ ମଧ୍ୟ କରାଯାଥିଲା। ତା’ ସତ୍ତ୍ୱେ ମଧ୍ୟ ଅତି ସହଜରେ ଏମାନେ କେମିତି ପଠାଉଥିଲେ ଓଟିପି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଦୁଇଦିନ ତଳେ ଗଞ୍ଜାମ ଜିଲ୍ଲା କୈରାଶି ଗାଁରେ ଥିବା ଏକ ସ୍କୁଲ ଗ୍ରାଉଣ୍ଡରେ କ୍ରିକେଟ୍ ଖେଳ ହେଉଥିଲା। ସମସ୍ତଙ୍କ ବୟସ ପ୍ରାୟତଃ ୧୫ରୁ ୧୮ ବର୍ଷ ଭିତରେ ହେବ। କିଏ ମାଟ୍ରିକ୍ ପରୀକ୍ଷା ଦେଇଛି ତ ଆଉ କିଏ ଯୁକ୍ତ ଦୁଇ ପଢ଼ୁଛି। କ୍ରିକେଟ୍ ଖେଳ ଚାଲିଥିବା ବେଳେ ଏହି ବୟସ୍ରେ ଏମାନେ ହଠାତ୍ ରକ୍ତ ମୁଖା ହୋଇପଡ଼ିଥିଲେ। ଗୋଟିଏ ଗୋଷ୍ଠୀର ଜଣେ ନାବାଳକକୁ ବିପକ୍ଷ ଗୋଷ୍ଠୀର ୪ ପିଲା ପ୍ରବଳ ମାଡ଼ ମାରିଥିଲେ। କିଏ ହକି ଷ୍ଟିକ୍ରେ ପିଟୁଥିଲା ତ ଆଉ କିଏ ଷ୍ଟମ୍ଭରେ ପିଟୁଥିଲା। ଯାହା ଥିଲା ଅତି ବୀଭତ୍ସ। ପିଲାଟି ଚିତ୍କାର କରୁଥିଲେ ମଧ୍ୟ ସେମାନେ ଶୁଣୁନଥିଲେ। ମନଇଚ୍ଛା ପିଟୁଥିଲେ। ଯାହାର ଭିଡିଓ ସୋଶାଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା। ଭିଡିଓଟି ଏବେ ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି।
ମାଡ଼ ମରା ଭିଡିଓ ଭାଇରାଲ୍ ପରେ ମାମଲା ଥାନାକୁ ଯାଇଥିଲା। ଖଲ୍ଲିକୋଟ ଥାନା ପୁଲିସ ମାମଲା ରୁଜୁ କରି ମାଡ଼ ମାରୁଥିବା ୪ ନାବାଳକଙ୍କୁ ଧରି ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇଛିl
ରିପୋର୍ଟ-ଖଲ୍ଲିକୋଟରୁ ଶିଲୁ ବିଶ୍ୱାଳ
ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ଝିଅକୁ ୧୪ ବର୍ଷ ହୋଇଥିଲା। ସେବେଠାରୁ ସେ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନଥିଲେ। ଏହାରି ଭିତରେ ୨୩ ବର୍ଷ ବିତିଥିଲା। ତା’ର ଫେରିବା ବାଟକୁ ଅନାଇ ବସିଛନ୍ତି ବୁଢ଼ା ବାପା-ମାଆ। ସେହି ସରଜଂଘା ଗାଁର ବ୍ଲାସିଉସ ଲାକାଡ଼ାଙ୍କ ବଡ଼ ଝିଅ ମଧ୍ୟ ଆଜିକୁ ୨୦ ବର୍ଷ ଧରି ନିଖୋଜ ଅଛନ୍ତି। ସମ୍ପର୍କୀୟଙ୍କ କଥାରେ ପଡ଼ି ମାତ୍ର ୧୪ ବର୍ଷ ବୟସରେ ଝିଅକୁ ଚାକିରି ପାଇଁ ମୁମ୍ବାଇରେ ଛାଡ଼ି ଥିଲେ। ହେଲେ ତା’ପରେ ତାଙ୍କର ଆଉ ପତ୍ତା ମିଳିନଥିଲା।
ଏମାନଙ୍କ ଭଳି କେତେ ଯେ ବାପା-ମାଆ ଆଜି ମଧ୍ୟ ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି। ତା’ର ହିସାବ କାହା ପାଖରେ ନାହିଁ। ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (NCRB) ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ। ଯାହା ରାଜ୍ୟର ବୁଦ୍ଧିଜୀବୀ ଓ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କ ଚିନ୍ତା ବଢାଇ ଦେଇଛି।
NCRBର ରିପୋର୍ଟ କହୁଛି, ଓଡ଼ିଶାରେ ୨୦୨୧ ସୁଦ୍ଧା ମୋଟ୍ ୩୫ ହଜାର ୯୮୧ ମହିଳା ନିଖୋଜ ନେଇ ରିପୋର୍ଟ ହୋଇଛି। ତା’ ଭିତରୁ ୧୬ ହଜାର ୬୦୮ ଜଣ ଉଦ୍ଧାର ବା ଚିହ୍ନଟ ହୋଇଥିବା ବେଳେ ଏବେ ମଧ୍ୟ ନିଖୋଜ ଅଛନ୍ତି ୧୯ ହଜାର ୧୭୫ ମହିଳା। ସେହିଭଳି ସର୍ବଭାରତୀୟ ସ୍ତରରେ ନିଖୋଜ ମହିଳା ଉଦ୍ଧାର ହାର ୫୬.୨ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏ ହାର ମାତ୍ର ୪୬. ୭ ପ୍ରତିଶତ। ଯାହାକି ରାଜ୍ୟରେ ନିଖୋଜ ମହିଳାଙ୍କୁ ଉଦ୍ଧାର କ୍ଷେତ୍ରରେ ପୁଲିସ୍ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ଲଗାଇଛି। ସେହିଭଳି ୧୮ ବର୍ଷରୁ କମ୍ ବୟସର ଯୁବତୀ ଚାଲାଣ କ୍ଷେତ୍ରରେ ମଧ୍ୟରେ ଢେର ଆଗରେ ରହିଛି ଓଡ଼ିଶା। ଏପରିକି ଏହି ବର୍ଗର ଝିଅଙ୍କୁ ଉଦ୍ଧାର ହାର ୬୫.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟରେ ଏ ହାର ୬୧.୬ ପ୍ରତିଶତ। ଏ ପ୍ରସଙ୍ଗ ରାଜ୍ୟବାସୀଙ୍କ ଉଦବେଗ ବଢାଉଥିବା ବେଳେ ଏବେ ଗତ ବିଧାନସଭାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ମଧ୍ୟ ବଚଳିତ କଲା ଭଳି ଥିଲା। ଗତ ମାର୍ଚ୍ଚ ୨୦ ତାରିଖରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଗତ ୫ ବର୍ଷର ତଥ୍ୟ ଦେଇ ରାଜ୍ୟରେ ଏବେ ବି ୨୬ ହଜାର ୨୪୭ ମହିଳା ଓ ୩ ହଜାର ୭୯୧ ଝିଅଙ୍କୁ ଉଦ୍ଧାର କରାଯାଇ ପାରିନଥିବା ସ୍ୱୀକାର କରିଥିଲେ।
ସେପଟେ ମାନବ ଚାଲାଣ ବା ହ୍ୟୁମାନ୍ ଟ୍ରାଫିକିଂରେ ମଧ୍ୟ ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଏନସିଆରବି ରିପୋର୍ଟ ଦର୍ଶାଇଛି। ମାନବଚାଲାଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଚାର୍ଜସିଟ ହାର ୮୪.୭ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାରେ ଏହା ମାତ୍ର ୭୦.୪ ପ୍ରତିଶତ ରହିଛି।
ଦେଓଗାଁ ଥାନା ଜୁମେରପିଟା ଗାଁର ରଞ୍ଜୁ ଦଣ୍ଡସେନା ପାଟଣାଗଡ଼ରେ ରହି ଜବାହର ଲାଲ କଲେଜର ଯୁକ୍ତ ତିନିର ଶେଷ ବର୍ଷରେ ପଢ଼ୁଥିଲେ। ହେଲେ ଗତ ୩୦ ତାରିଖରେ ଗଙ୍ଗାସାଗର ଗାଁରେ ଏକ ଗଛରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଝିଅକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ ଆଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ପୁଲିସ୍ ମୃତ୍ୟୁର କାରଣ ଜାଣିପାରି ନାହିଁ। ଯାହାକୁ ନେଇ ପରିବାର ଲୋକ ଓ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି କଲେଜର ଛାତ୍ରଛାତ୍ରୀମାନେ ଉପଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିବା ସହିତ ୪ ଦଫା ସମ୍ୱଳିତ ଦାବିପତ୍ର ପ୍ରଦାନ କରିଥିଲେ।
ରିପୋର୍ଟ-ପାଟଣାଗଡ଼ରୁ କରୁଣାକର ବୁଡେକ୍
ମୌଲାନା କୈଫ ଖାନ୍କୁ ଜେରା କରିବା ପାଇଁ ଏସିପିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ତାକୁ ମାରାଥନ ଜେରା କରିବ। ପଚରାଉଚରା ସମୟରେ ମୁଖ୍ୟତଃ ପୁଲିସ ଫୋକସ୍ରେ ରହିବ ଟଙ୍କା ପଇସା କାରବାର। କେତେ ଦିନ ଧରି ଏହି କଳା କାରନାମା ଚଲାଇଥିଲା ମୌଲାନା? ଏଥିରେ ଆଉ ସଂପୃକ୍ତି ଅଛି କି? ଏ ପର୍ଯ୍ୟନ୍ତ କୋଟିଏ ୫୦ ଲକ୍ଷ ପାଖାପାଖି ଟଙ୍କା ଠକିଥିବା ଜଣାପଡିଥିବା ବେଳେ ଆଉ କାହାକୁ ଠକିଛି ଭଣ୍ଡ ମୌଲାନା? ଏ ପର୍ଯ୍ୟନ୍ତ ତା’ର ୧୧ଟି ଆକାଉଣ୍ଟ ଥିବା ଜଣାପଡିଥିବା ବେଳେ କୋଲକାତାରେ ସେୟାର ମାର୍କେଟରେ ଲକ୍ଷାଧିକ ଟଙ୍କା ଇନଭେଷ୍ଟମେଣ୍ଟ କରିଥିବା ଜଣାପଡିଛି। ଏହାବାଦ ଆଉ କେଉଁଠି ଟଙ୍କା ଲଗେଇଛି କି ନାହିଁ ତାହା ପଚରାଉଚରା କରିବ ପୁଲିସ୍। ମୌଲାନର ଆଉ କିଛି ଗାଡି ଓ ଜମି ବାବଦରେ ସୁରାଗ ପାଇଛି ପୁଲିସ। ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରିବ।
ମୌଲାନା କୈଫ ଖାନ୍ ନାଁରେ ୬ଟି ମାମଲା ରୁଜୁ ହୋଇଛି। କଟକ ରାଣୀହାଟ ର ଶର୍ମିଲା ସେନଙ୍କ ଘରୁ ଗୁପ୍ତଧନ ଓ ଭୁତ ଛଡାଇବା କହି ୬୨ ଲକ୍ଷ ଠକେଇ, ଭଦ୍ରକର ଜେହେରୁଲ ଇସଲାମଙ୍କ ଘରୁ ଗୁପ୍ତ ଧନ ଓ ଭୂତ ଛଡାଇବା କହି ୫ ଲକ୍ଷ, କଟକ କିଶନନଗର ସୋନପୁର ଅଞ୍ଚଳର ସବନମ ଆରା ବେଗମଙ୍କୁ ଚାକିରି ଓ ହୀରା ବ୍ୟବସାୟ ରାଇଦେବ କହି ୧୫ ଲକ୍ଷ, ତିର୍ତ୍ତୋଲ ଅଞ୍ଚଳର ଦେବବ୍ରତ ମହାନ୍ତିଙ୍କ ଘରୁ ଭୁତ ପ୍ରେତ ଛଡାଇବା କହି ୨୨ଲକ୍ଷ, କେଶରପୁର ଅଞ୍ଚଳର ଶେଖ ଆଦିଲଙ୍କ ସମ୍ପର୍କୀୟଙ୍କ ଛୁଆପିଲା ହେବା ପାଇଁ ୫ ଲକ୍ଷ, ସଦର ଥାନା ଅଞ୍ଚଳରେ ଶର୍ମିଲା ବିବିଙ୍କୁ ଚାକିରି ଦେବାକୁ କହି ୫ ଲକ୍ଷ ଟଙ୍କା ମୌଲାନା କୈଫ ଖାନ୍ ଠକିଥିବା ଅଭିଯୋଗ ହୋଇଛି। ଏହା ଉପରେ ପୁଲିସ୍ ତାକୁ ପଚରାଉଚରା କରିବ ବୋଲି ଜଣାପଡ଼ିଛି।
ପୁଲିସ୍ର କହିବା ଅନୁସାରେ ତାନ୍ତ୍ରିକ ମୌଲାନା କୈଫି ଖାନ୍ ଜଣେ ପେସାଦାର ଠକ। ଗୁଣିଗାରେଡି କରି ଘରୁ ଗୁପ୍ତଧନ ବାହାର କରିଦେବ ବୋଲି କହି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା। ଆଉ ତାର ସେହି ଚାଲରେ ଫସି ଯାଇଥିଲେ ମଙ୍ଗଳବାଗ ଥାନା ଅଞ୍ଚଳର ନୀତୁ(ଛଦ୍ମନାମ)। କଥାବାର୍ତ୍ତା ପରେ ମୌଲାନା ତାଙ୍କ ଘରକୁ ଯାଇଥିଲା। ଅନ୍ଧାର ଘର ଭିତରେ ପୂଜାର୍ଚ୍ଚନା କରୁଥିଲା। ଆଉ ପୂଜାର୍ଚ୍ଚନା ଭିତରେ ନୀତୁଙ୍କ ଅନୁପସ୍ଥିତିରେ ସେ ଘର ଭିତରେ ଗାତ ଖୋଳି ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ପୋତି ଦେଉଥିଲା। ତା’ପରେ ପୋତିଥିବା ସ୍ଥାନରେ ନିୟମିତ ଭାବେ ପୂଜା କରୁଥିଲା। ସେହି ଘର ଭିତରକୁ କାହାକୁ ଛାଡ଼ୁ ନଥିଲା।
ପରବର୍ତ୍ତୀ ସମୟରେ ପୂଜା କରି ନୀତୁ ଓ ତାଙ୍କ ପରିବାର ଲୋକଙ୍କ ସମ୍ମୁଖରେ ଘର ଭିତରେ ଖୋଳି ପୋତିଥିବା ହୀରା ଓ ବ୍ରୋଞ୍ଜ ପରି ଦେଖାଯାଉଥିବା ପଦାର୍ଥକୁ ବାହାର କରୁଥିଲା। କିନ୍ତୁ ନୀତୁଙ୍କୁ ସେ ସବୁ ସାମଗ୍ରୀ ଦେଉନଥିଲା। ହାତ ମାରିଲେ ସେହି ପଦାର୍ଥର ହୀରା ଓ ବ୍ରୋଜ ଗୁଣ ନଷ୍ଟ ହୋଇଯିବ ବୋଲି କୈଫି କହୁଥିଲା। ତେଣୁ ଉକ୍ତ ପଦାର୍ଥକୁ ସୁଦ୍ଧି କରିବାକୁ ପଡ଼ିବ। ସେଥିପାଇଁ କୈଫି ପୂଜା କରୁଥିଲା। ଏମିତି ୮ରୁ ୯ ମାସ ଧରି ନୀତୁଙ୍କ ଘରେ କୈଫି ନିୟମିତ ଯାଇ ପୂଜା କରୁଥିଲା। ସେଥିପାଇଁ ପର୍ଯ୍ୟାୟ କ୍ରମେ ସେ ୬୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ଆଉ ଗୁପ୍ତ ଧନ ପାଇବା ଆଶାରେ ହାତ ଖୋଲି ଟଙ୍କା ଦେଉଥିଲେ।
ମୌଲାନା କୈଫି ଖାନ୍ ବାରମ୍ୱାର ଟଙ୍କା ମାଗୁଥିଲା କିନ୍ତୁ ଗୁପ୍ତ ଧନ ଦେଉନଥିଲା। ଯାହାକୁ ନେଇ ଅତିଷ୍ଠ ହୋଇପଡ଼ିଥିଲେ ନୀତୁ। ତେଣୁ ମୌଲାନାଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ କରିଥିଲେ। ପରେ ସେ ଏନେଇ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି କମିଶନରେଟ୍ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍ ପ୍ରଥମେ ମୌଲାନାକୁ ହେପାଜତକୁ ନେଇ ଘନଘନ ପଚରାଉଚରା କରିଥିଲା। ପଚରାଉଚରା ପରେ ପୁଲିସ୍ ତାକୁ ଗିରଫ କରିଛି।
ପୁଲିସ ମୌଲାନାଠାରୁ ନଗଦ ୨୭୬୦୦୦ ଟଙ୍କା, ଗୋଟିଏ ବୁଲେଟ୍, ଦୁଇଟି ଲକ୍ଜୁରିୟସ୍ କାର୍, ୭୦ଟି ନୂଆ ମୋବାଇଲ୍, ୨୦ଟି ଦାମି ଘଣ୍ଟା, ବ୍ୟାଙ୍କ ପାସ୍ବୁକ୍, ଚେକ୍ବୁକ୍, ୧୩ଟି ବୀମା ପଲିସି, ହୀରା ଓ ବ୍ରୋଞ୍ଜ ପରି ଦେଖା ଯାଉଥିବା ପଦାର୍ଥ ଏବଂ ଅନ୍ୟାନ୍ୟ ପଦାର୍ଥ ଜବତ କରିଛି।
କଟକ ଡିସିପି ପିନାକୀ ମିଶ୍ରଙ୍କ କହିବା ଅନୁସାରେ ଅଭିଯୁକ୍ତ ଜଣେ ପେଶାଦାର ଠକ। ସେ ମଧୁର କଥା କହି ଲୋକଙ୍କ ମନ କିଣୁଥିଲା। ତା’ପରେ ମନ୍ତ୍ରତନ୍ତ୍ର ବଳରେ ଘରେ ଥିବା ଗୁପ୍ତ ଧନ ବାହାର କରିଦେବ ବୋଲି କହୁଥିଲା। ଠକରେ ସେହି ଚାଲ୍ରେ ଲୋକମାନେ ଫସି ଯାଉଥିଲେ। ଠକୁଥିବା ଟଙ୍କାରେ ଗୋଟିଏ ମୋବାଇଲ୍ ଦୋକାନ କରିଥିଲା ସେ ଏମିତି ଅନେକ ଲୋକଙ୍କଠାରୁ ଠକିଥିବା ଜଣାପଡ଼ିଛି। କିଛି ଲୋକ ଅଭିଯୋଗ ମଧ୍ୟ କଲେଣି। ଏପରି ବ୍ୟକ୍ତିଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଛନ୍ତି।
ଅଭିଯୋଗ ନେଇ ମୌଲାନା କୈଫି ଖାନ୍ଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କହିଛନ୍ତି, ଗଲତ ହେ କି ସେହି ହେ, ଇସ୍କା ଫୈସଲା ଆଲ୍ଲା କରେଗା।
ନକଲି ଔଷଧ କାରବାର ରୋକିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗଠନ କରିଥିଲା ସ୍ପେଶାଲ୍ ଟାସ୍କ ଫୋର୍ସ(ଏସ୍ଟିଏଫ୍)। ମାମଲାର ତଦନ୍ତ କରି ଜାନୁଆରୀ ୧୯ ତାରିଖରେ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ଏସ୍ଟିଏଫ୍। ଏହା ପରେ ପୁଲିସ୍ ମାମଲା ରୁଜୁ କରି ବରଗଡ଼ ଜିଲ୍ଲାର ଔଷଧ ବ୍ୟବସାୟୀ ସୁନୀଲ ଅଗ୍ରୱାଲକୁ ଗିରଫ କରିଥିଲା। ମାତ୍ର ଅନ୍ୟତମ ଅଭିଯୁକ୍ତ ଝାରସୁଗୁଡା ଜିଲ୍ଲାର ଅମିତ କୁମାର ଷଡ଼ଙ୍ଗୀକୁ ଧରିପାରିନଥିଲା। ଏବେ ମଧ୍ୟ ସେ ଫେରାର ଅଛି।
ବରଗଡ଼ ପୁଲିସ୍ ଓ ଏସ୍ଟିଏଫ୍ ନକଲି ଔଷଧର ଚେର ଖୋଜି ଖୋଜି ଉତ୍ତରପ୍ରଦେଶର ବାରଣାସୀରେ ପହଞ୍ଚିଥିଲା। ଏହା ପରେ ପୁଲିସ୍ ଓ ଏସ୍ଟିଏଫ୍ ଟିମ୍ ବାରଣାସୀ ଯାଇଥିଲା। ଉତ୍ତରପ୍ରଦେଶ ଏସ୍ଟିଏଫ୍ ସହାୟତାରେ ମାମଲାର ଖୋଳତାଡ କରିଥିଲା। ତଦନ୍ତ ବେଳେ ବାରଣାସୀର M/s ବେବି ଏଣ୍ଟରପ୍ରାଇଜେସ୍, M/s ଜେପି ମେଡିକାଲ୍ସ ଓ M/s ଗୁରୁକୃପା ମେଡିକାଲ୍ସ ନକଲି ଔଷଧ ଓଡ଼ିଶାକୁ ଯୋଗାଇଥିବା ଜଣାପଡ଼ିଥିଲା। ଏହି ପରେ ପୁଲିସ୍ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ର ଶେଖର ସିଂ, ଗୌରବ ଶର୍ମା, ରିତେଶ କୁମାର ଜୈଶ୍ୱାଲ, ସୁଭମ ଜୈଶ୍ୱାଲ ଓ ଅଭିଷେକ ସିଂଙ୍କୁ ଗିରଫ କରି ବାରଣାସୀ କୋର୍ଟରେ ହାଜର କରାଇଥିଲା। ପରେ ସେମାନଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ବରଗଡ଼ ଟାଉନ୍ ଥାନା ପୁଲିସ ଓ ଏସ୍ଟିଏଫ୍।
ପୁଲିସ୍ ଗିରଫ ଅଭିଯୁକ୍ତଙ୍କଠାରୁ ପ୍ରାୟ ୨୫ ଲକ୍ଷ ଟଙ୍କାର ନକଲି ଔଷଧ, କମ୍ପ୍ୟୁଟର, କମ୍ପ୍ୟୁଟର ହାର୍ଡଡିସ୍କ ଓ କୋଟିଏ ଟଙ୍କାର ନକଲି ଔଷଧ କାରବାର ଦସ୍ତାବେଜ କରିଛି। ଆଜି ଉକ୍ତ ୫ ଅଭିଯୁକ୍ତଙ୍କୁ ଓଡ଼ିଶାରେ କୋର୍ଟରେ ହାଜର କରାଯାଇଥିଲା। ପରେ ପୁଲିସ୍ ସେମାନଙ୍କୁ ରିମାଣ୍ଡରେ ନେଇ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ-ବରଗଡ଼ରୁ ଦୀପକ ଶର୍ମା
ବିଞ୍ଝବାହାଳ ଗାଁର ସନ୍ଦୀପ ସାହୁ ଜଗମୋହନପୁର ଛକରେ ଏକ ଗ୍ରାହକ ସେବାକେନ୍ଦ୍ର ଖୋଲିଛନ୍ତି। ଆଜି ସେ ଘରୁ ନିଜ ଗ୍ରାହକ ସେବା କେନ୍ଦ୍ରକୁ ଏକ ସ୍କୁଟିରେ ଯାଉଥିଲେ। ତେବେ ଜାତୀୟ ରାଜପଥର ଜଗମୋହନପୁର ହନୁମାନ ବାଟିକା ପାଖରେ ଦୁଇଟି ବାଇକ୍ରେ ୪ ଜଣ ଯୁବକ ଆସି ତାଙ୍କୁ ଅଟକାଇ ଥିଲେ। ସେମାନଙ୍କ ଭିତରୁ ଜଣେ ସନ୍ଦୀପଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲା। ଅନ୍ୟ ଜଣେ ତାଙ୍କ ବେକରେ ଭୁଜାଲି ଲଗାଇ ଦେଇଥିଲା। ପରେ ସନ୍ଦିଗ୍ଧମାନେ ସନ୍ଦୀପଙ୍କଠାରୁ ଲାପଟପ, ନଗଦ ୭୦ ହଜାର ଟଙ୍କା, ମୋବାଇଲ ଓ ସେ ପିନ୍ଧି ଥିବା ସୁନା ଚେନ ଛଡାଇ ନେଇଯାଇଥିଲେ। କିଛି ଦୂର ଯିବା ପରେ ମୋବାଇଲକୁ ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ।
ସନ୍ଦୀପ ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ଅଭଯୁକ୍ତଙ୍କ ପତ୍ତା ପାଇନାହିଁ।
ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ
ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁ ଭାରତ ଫାଇନାନ୍ସର ବୁର୍ଲା ବ୍ରାଞ୍ଚରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ତାଙ୍କୁ ରେଙ୍ଗାଲି ଥାନା ପଣ୍ଡଲୋଇ ଗାଁର ଅଶ୍ୱିନୀ ରାଜ ଶଣ୍ଢ ପ୍ରେମ କରୁଥିଲେ। ରୀତା ମଧ୍ୟ ଅଶ୍ୱିନୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ ଭିତରେ ପ୍ରେମ ୩ରୁ ୪ ବର୍ଷ ଧରି ଚାଲିଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଅଶ୍ୱିନୀଙ୍କଠାରୁ ଦୂରେଇ ଯାଇଥିଲେ ରୀତା। ଆଉ ଅଶ୍ୱିନୀଙ୍କୁ ଧରାଛୁଆଁ ଦେଇନଥିଲେ। ଅଶ୍ୱିନୀଙ୍କ ଫୋନ୍ ଉଠାଉ ନଥିଲେ। ହେଲେ ଦୀର୍ଘ ଦିନର ପ୍ରେମ ସମ୍ପର୍କକୁ ଭୁଲି ପାରୁନଥିଲେ ଅଶ୍ୱିନୀ। ସେପଟେ ବ୍ରେକ୍ଅପ୍ ପରେ ରୀତା ବୁର୍ଲାରୁ ଦେବଗଡ଼କୁ ବଦଳି ହୋଇ ପଳାଇ ଆସିଲେ। ଏଠାରେ ଘର ଭଡ଼ା ନେଇ ରହୁଥିଲେ।
ପ୍ରେମରେ ଧୋକା ଖାଇବା ପରେ ଅଶ୍ୱିନୀ ନିଜ ପ୍ରେମିକାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ସେଥିପାଇଁ ସୁପାରୀକିଲର ଶ୍ୟାମ ଖାଡ଼ିଆଙ୍କ ସହ ଯୋଗାଯୋଗ କରିଥିଲା। ସେ ଦିନ ରାତିରେ ରୀତା ସ୍କୁଟିରେ ଅଫିସ୍ରୁ ବାହାରିଲା ବେଳେ ଅଶ୍ୱିନୀ ଓ ଶ୍ୟାମ ଉଭୟ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ପରେ ରୀତାଙ୍କ ମୁଣ୍ଡରେ ପଥର ଛେଚି ଦେଇଥିଲେ। ତା’ପରେ ସେଠାରୁ ଚମ୍ପଟ ମାରିଥିଲେ। ଭାରତ ଫାଇନାନ୍ସର ଅନ୍ୟ କର୍ମଚାରୀମାନେ ରକ୍ତାକ୍ତ ଅବସ୍ଥାରେ ରୀତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରୀତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରୀତାଙ୍କ ଲଭ୍ ଷ୍ଟୋରୀ ଅଣ୍ଡାଳି ଅଶ୍ୱିନୀଙ୍କ ପାଖରେ ପହଞ୍ଚିଥିଲା ପୁଲିସ୍। ପ୍ରଥମେ ପୁଲିସ ଅଶ୍ୱିନୀକୁ ଧରିଥିଲା। ତାକୁ ଜେରା ବେଳେ ଶ୍ୟାମକୁ ଧରିଥିଲା ପୁଲିସ୍। ଉଭୟଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଦେବଗଡ଼ ଏସ୍ପିଙ୍କ କହିବା ଅନୁସାରେ ଶ୍ୟାମ ନାଁରେ ସମ୍ୱଲପୁର ଜିଲ୍ଲାର ବିଭିନ୍ନ ଥାନାରେ ବହୁ ଅପରାଧୀକ ମାମଲା ରହିଛି। ବର୍ତ୍ତମାନ ସୁଦ୍ଧା ୧୯ଟି ମାମଲା ଥିବା ଜଣାପଡ଼ିଛି। ଏବେ ମଧ୍ୟ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ପ୍ରେମିକ ପ୍ରବର ଅଶ୍ୱିନୀ ନାଁରେ ଗୋଟିଏ ମାମଲା ରହିଥିବା ଦେବଗଡ଼ ଏସ୍ପି କହିଛନ୍ତି।
ରିପୋର୍ଟ-ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ
ମନମୁଣ୍ଡା ଥାନା ଲଏଡା ଗାଁର ଶ୍ରୀକାନ୍ତ ସେଠୀ ଓ ତାଙ୍କ ମାଆ ଆଜି ସକାଳେ ନିଜ ଭଉଣୀଙ୍କ ଘରକୁ ଯାଇଥିଲେ। ଭଉଣୀଙ୍କ ଦେହ ଖରାପ ଥିବା ଦେଖି ଭିଣୋଇଙ୍କ ଉପରେ ବିରକ୍ତ ହୋଇଥିଲେ। ଏହାକୁ ନେଇ ଶଳା ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିଲା। ଉଭୟ ହାତାହାତି ହୋଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଶ୍ରୀକାନ୍ତଙ୍କ ବେକରେ ଟାଙ୍ଗିଆରେ ଗୋଟିଏ ଚୋଟ ପକାଇଥିଲେ ତାଙ୍କ ଭିଣୋଇ। ସେହିଠାରେ ତଳେ ପଡ଼ିଯାଇଥିଲେ ଶ୍ରୀକାନ୍ତ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ମନ ମୁଣ୍ଡା ଥାନା ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ ଘଟଣା ଘଟାଇ ଥିବା ଭିଣୋଇ ଓ ତାଙ୍କ ପରିବାର ଲୋକେ ଗାଁରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଆଖପାଖ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ରୀତା ସାହୁଙ୍କୁ ପଣ୍ଡଲୋଇ ଗାଁର ଅଶ୍ୱିନୀ ଷଣ୍ଢ ପ୍ରେମ କରୁଥିଲେ। ରୀତା ମଧ୍ୟ ଅଶ୍ୱିନୀଙ୍କୁ ଭଲ ପାଉଥିଲେ। ତେବେ ହଠାତ୍ ଉଭୟଙ୍କ ଭିତରେ ଏମିତି କ’ଣ ଘଟିଲା ଯେ ପ୍ରେମରେ ପଡ଼ିଲା ଭଟ୍ଟା। ଅଶ୍ୱିନୀଙ୍କଠାରୁ ଦୂରେଇ ଗଲେ ରୀତା। ହେଲେ ଅଶ୍ୱିନୀ ନିଜ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ଶୟନେ ସପନେ ତାଙ୍କୁ ଝୁରି ହେଉଥିଲେ। ଏହା ଭିତରେ ଭାରତ ଫାଇନାନ୍ସରେ କାମ କରୁଥିବା ରୀତାଙ୍କର ଦେବଗଡ଼କୁ ବଦଳି ହୋଇଥିଲା। ସେ ଦେବଗଡ଼ରେ ଘର ଭଡ଼ା ନେଇ ରହୁଥିଲେ। ପ୍ରତିଦିନ ଅଫିସ୍ରୁ ନିଜ ସ୍କୁଟିରେ ଘରକୁ ଫେରୁଥିଲେ।
ମଙ୍ଗଳବାର ରାତି ପ୍ରାୟ ୧୧ ଟା ହେବ। ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟିରେ ଘରକୁ ଯିବା ପାଇଁ ବାହାରୁଥିଲେ ରୀତା ସାହୁ। ଠିକ୍ ସେହି ସମୟରେ ଅଫିସ ସମ୍ମୁଖରେ ଅଶ୍ୱିନୀ ଓ ତାଙ୍କ ସହଯୋଗୀ ମିଶି କାଠ ଫାଳିଆ ଓ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥର ଛେଚି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ। ଚିତ୍କାର ଶୁଣିରେ ଅଫିସ୍ରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍ ଅଶ୍ୱିନୀ ଓ ତାଙ୍କ ସହଯୋଗୀଙ୍କୁ ରବିବାର ଉଠାଇ ଆଣିଥିଲା। ଘନ ଘନ ପଚରା ଉଚରା ପରେ ପ୍ରେମରେ ବ୍ରେକ୍ଅପ୍ ଯୋଗୁ ହତ୍ୟା କରିଥିବା ଅଶ୍ୱିନୀ ସ୍ୱୀକାର କରିଥିଲା। ଏହା ପରେ ପୁଲିସ୍ ଉଭୟଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ରିପୋର୍ଟ- ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ
ଚାରିସମ୍ଭୁ ଗାଁରୁ ଦଣ୍ଡନାଚ କରିବା ପାଇଁ ପଲସପାଟ ଗ୍ରାମକୁ ଯାଇଥିଲେ ଦଣ୍ଡୁଆ ଦଳ। ସେଥିରେ ଥିଲେ ଉଗ୍ରସେନ ସେଠୀ। ଆଜି ଅପରାହ୍ନରେ ଦଣ୍ଡ ନାଚ ସରିବା ପରେ ଉଗ୍ରସେନ୍ ଗାଁରେ ବୁଲୁଥିଲେ। ତେବେ ସନ୍ଧ୍ୟା ବେଳେ ସେ ଗାଁର ସୁନୀତା(ଛଦ୍ମନାମ)ଙ୍କ ଘରେ ପଶି ଯାଇଥିଲା। ସେ ପ୍ରଥମେ ଭିତର ପାର୍ଶ୍ୱରୁ କବାଟ ବନ୍ଦ କରିଦେଇ ଥିଲା। ତା’ପରେ ସୁନୀତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା। ମାତ୍ର ଧରାଛୁଆଁ ଦେଇନଥିଲା ସୁନୀତା। ଏଥିରେ ଉତ୍କ୍ଷିପ୍ତ ହୋଇ ଉଗ୍ରସେନ୍ ପନିକରେ ସୁନୀତାଙ୍କୁ ଚୋଟ ପରେ ଚୋଟ ପକାଇଥିଲା।
ଜୀବନ ବିକଳରେ ଚିତ୍କାର କରୁଥିଲେ ସୁନୀତା। ହେଲେ ଗାଁର ସାହି ଭାଇ ସୁନୀତାଙ୍କ ଚିତ୍କାର ଶୁଣୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। କାରଣ ଘରକୁ ଦଣ୍ଡୁଆ ଯାଇଥିବାରୁ ସୁନୀତାଙ୍କ ଦେହରେ ମାଆ ସବାର ହୋଇଥିବା ସନ୍ଦେହ କରୁଥିଲେ। ଧୀରେ ଧୀରେ ଚିତ୍କାର ବଢ଼ିଲା। ଆଉ ମାଆର ରକ୍ତାକ୍ତ ଅବସ୍ଥା ଦେଖି ଘର ଭିତରେ ଥିବା ସୁନୀତାଙ୍କ ୬ ବର୍ଷ ପୁଅ ପଛ ପାର୍ଶ୍ୱ କବାଟ ଖୋଲି ବାହାରକୁ ଚାଲି ଆସିଥିଲା।
ସେପଟେ ଗାଁ ଲୋକେ ଝରକାରେ ସୁନୀତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ତା’ପରେ ଗାଁ ଲୋକେ ଘରେ ପଶି ଉଗ୍ରସେନକୁ କାବୁ କରି ବହେ ଛେଚିଥିଲେ। ଯିଏ ଯେମିତି ପାରିଲା, କାଇଦା କରି ସେମିତି ଛେଚିଲା। ଗାଁ ଲୋକେ ତାକୁ ପ୍ରବଳ ପିଟିଥିଲେ। ଫଳରେ ରକ୍ତାକ୍ତ ହୋଇଥିଲେ ଉଗ୍ରସେନ୍। ବାଉଁଶୁଣୀ ପୁଲିସ ଗାଁରେ ପହଞ୍ଚି ଉଗ୍ରସେନକୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ସୁନୀତାଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ମହନିଲହ ଗାଁର ଲୋଚନ ଗଡ଼ତିଆ ବେଲବାଞ୍ଜି ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିଲେ। ଛେଳି ଚରାଉଥିବା ବେଳେ ସେଠାରେ ଭୟଙ୍କର ଦୁର୍ଗନ୍ଧ ହେଉଥିଲା। ଏହା ପରେ ସେ ଚାରିଆଡ଼େ ଖୋଜାଖୋଜି କରିଥିଲେ। ସେହି ସମୟରେ ଜଙ୍ଗଲ ଭିତରେ ଗୋଟିଏ ଅର୍ଦ୍ଧ ଦଗ୍ଧ ମୃତଦେହ ପଚି ଦୁର୍ଗନ୍ଧ କରୁଥିବା ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ଥାନାକୁ ଫୋନ୍ କରି କହିଥିଲେ। ଏହା ପରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଜଙ୍ଗଲରେ ପହଞ୍ଚି ଥିଲେ।
ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ ପରେ ମୃତ ବ୍ୟକ୍ତି ଜଣକ ପୁରୁଷ ଓ ତାଙ୍କ ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ଅନୁମାନ କରିଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ମୃତବ୍ୟକ୍ତି ଜଣକ କିଏ? ତାଙ୍କୁ କାଏ ଓ କାହିଁ ଜଙ୍ଗଲ ଭିତରେ ଅର୍ଦ୍ଧ ଦଗ୍ଧ କରି ପଳାଇ ଗଲା। ଏହା ହତ୍ୟା ନୁହେଁ ତ? ମୃତଦେହ ମିଳିବା ପରେ ସାଧାରଣରେ ଏମିତି ନାନା ପ୍ରଶ୍ନ ଉଙ୍କି ମାରୁଛି। ପୁଲିସ୍ ଦର ପୋଡ଼ା ହାଡ଼ ଓ କଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ବେଲବାଞ୍ଜି ଜଙ୍ଗଲ ଭିତରୁ ମୃତଦେହ ମିଳିବା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଅନେକ ମୃତଦେହ ଏହି ଜଙ୍ଗଲରୁ ଉଦ୍ଧାର କରିଛି ପୁଲିସ୍। ମିଳିଥିବା ସୂଚନା ଅନୁସାରେ କିଛି ବର୍ଷ ତଳେ ଝାରଖଣ୍ଡର ରାଞ୍ଚି ଜିଲ୍ଲା ସାକ୍ରା ଗାଁରୁ ୭ ଜଣ ଯୁବକ କାମ କରିବା ପାଇଁ କଣ୍ଟାବାଞ୍ଜି ଆସିଥିଲେ। ଏଠାରେ ରହି କାମ କରୁଥିବା ବେଳେ କୌଣସି କଥାକୁ ନେଇ ନିଜ ନିଜ ଭିତରେ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଲତିଫୁଲ ଅଂଶରୀଙ୍କୁ ହତ୍ୟା କରି ବେଲ୍ବାଞ୍ଜି ଜଙ୍ଗଲରେ ମାଟି ତଳେ ପୋତି ଦେଇଥିଲେ। ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ପୁଲିସ୍ ମାଟି ତଳୁ ମଣିଷ କଙ୍କାଳ ଉଦ୍ଧାର କରି ତିନି ଜଣଙ୍କୁ ଗିରଫ କରିଥିଲା।
ସେହିପରି ୨୦୨୨ ମସିହା ନଭେମ୍ବର ୨୪ ତାରିଖରେ ତୁରେକେଲା-ଲାଠୋର ରାସ୍ତାର ଜଙ୍ଗଲରୁ ଛତିଶଗଡ଼ ଜିଲ୍ଲାର ପଣ୍ଡରୀ ଥାନାର ଜଣେ ଯୁବତୀ ତନୁ କୁରେଙ୍କ ଅର୍ଦ୍ଧ ପୋଡା ମୃତଦେହ ଉଦ୍ଧାର କରିଥିଲା ତୁରେକେଲା ଥାନା ପୁଲିସ୍। ତଦନ୍ତ ବେଳେ ପୁଲିସ୍ ମିଳିଥିବା ସୂଚନା ଅନୁସାରେ ତନୁ କୁରେଙ୍କୁ କଣ୍ଟାବାଞ୍ଜିର ସଚିନ ଅଗ୍ରୱାଲ ପ୍ରେମ କରିଥିଲେ। ପରବର୍ତ୍ତୀ ସମୟରେ ତନୁଙ୍କୁ ବନ୍ଧୁକରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ମୁହଁରେ ଏସିଡ୍ ଢାଳି ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ। ଏହି ମାମଲରେ ମୁଖ୍ୟ ଅଭିଯୁକ୍ତ ସଚିନ ଓ ତା’ ସହଯୋଗୀଙ୍କୁ ମିଶାଇ ୩ ଜଣଙ୍କୁ ଗିରଫ କରିଥିଲା ତୁରେକେଲା ପୁଲିସ୍।
ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ତୁରେଇକେଲାରେ ରହିଛି ବିସ୍ତିର୍ଣ୍ଣ ଘଞ୍ଚ ଜଙ୍ଗଲ। ଲୋକଙ୍କ ଗତାଗତ ବହୁ କମ୍ ଥାଏ। ତେଣୁ ଏହାର ସୁଯୋଗ ନେଇ ଅସାମାଜିକ ବ୍ୟକ୍ତି ସେମାନଙ୍କ କାୟା ବିସ୍ତାର କରିବାରେ ଲାଗୁଛନ୍ତି। ହତ୍ୟାକାଣ୍ଡ ଭିଆଇବା ପରେ ମୃତଦେହକୁ ଜଙ୍ଗଲ ପିତରେ ଜାଳି ଦେଉଛନ୍ତି ତ ଆଉ କେତେବେଳେ ଗାତ ଖୋଳି ପୋତି ଦେଉଛନ୍ତି। ଉକ୍ତ ଜଙ୍ଗଲ ଭିତରୁ ବାରମ୍ୱାର ମୃତଦେହ ମିଳିବାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳି ଯାଇଛି। ଏ ଦିଗ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ
ମଙ୍ଗଳବାର ରାତି ପ୍ରାୟ ୧୧ ଟା ହେବ। ଦେବଗଡ଼ ଭାରତ ଫାଇନାନ୍ସ ଅଫିସରୁ କାମ ସାରି ନିଜ ସ୍କୁଟିରେ ଘରକୁ ଯିବା ପାଇଁ ବାହାରୁଥିଲେ ରୀତା ସାହୁ। ଠିକ୍ ସେହି ସମୟରେ ଅଫିସ ସମ୍ମୁଖରେ ଦୁଇ ଜଣ ଯୁବକ କାଠ ଫାଳିଆ ଓ ଛୁରିରେ ତାଙ୍କୁ ଆକ୍ରମଣ କରିଥିଲେ। ପରେ ପଥର ଛେଚି ତାଙ୍କୁ ରକ୍ତାକ୍ତ କରିଦେଇଥିଲେ। ଚିତ୍କାର ଶୁଣିରେ ଅଫିସ୍ରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ୨୬ ବର୍ଷୀୟା ରୀତା ସାହୁ ଭାରତ ଫାଇନାନ୍ସରେ ଦୀର୍ଘ ଦିନ ଧରି କାମ କରୁଥିଲେ। ଦୁଇ ମାସ ତଳେ ତାଙ୍କର ବୁର୍ଲାରୁ ଦେବଗଡ଼କୁ ବଦଳି ହୋଇଥିଲା। ତା’ପରଠାରେ ସେ ଦେବଗଡରେ ଘର ଭଡ଼ା ନେଇ ରହୁଥିଲେ। ଅଭିଯୋଗରୁ ପ୍ରକାଶ, ରୀତା ସାହୁଙ୍କ ନାଁରେ କିଏ ଜଣେ ଏକ ଫେକ୍ ଫେସ୍ବୁକ୍ ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ରୀତା ଓ ତାଙ୍କ ପୂର୍ବତନ ପ୍ରେମିକଙ୍କ ଫଟୋ ଗୁଡ଼ିକ ଅପ୍ଲୋଡ୍ କରାଯାଇଥିଲା। ତେବେ ଏଠି ପ୍ରଶ୍ନ ଉଠୁଛି, ଫେସ୍ବୁକ୍ରେ ଖୋଲା ଯାଇଥିବା ଫେକ୍ ଆକାଉଣ୍ଟଟି କାହାର? ରୀତା ଓ ତାଙ୍କ ପୂର୍ବତନ ପ୍ରେମିକଙ୍କ ଫଟୋ ଅପ୍ଲୋଡ୍ କରୁଥିବା ବ୍ୟକ୍ତି କିଏ? ଏଥିରେ ତାଙ୍କ ପର୍ବତନ ପ୍ରେମିକଙ୍କ କିଛି ହାତ ନାହିଁ ତ? ପ୍ରେମକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିନି ତ? ରୀତା ହତ୍ୟାକାଣ୍ଡ ପରେ ଏପରି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ହତ୍ୟାକାଣ୍ଡର କାରଣ ଖୋଜୁଛି। ଦେବଗଡ଼ ଏସ୍ପି ପ୍ରମୋଦ ରଥ କହିଛନ୍ତି, ସବୁଦିଗରୁ ତଦନ୍ତ କରାଯାଉଛି। ତଦନ୍ତ ଠିକ୍ ଭାବେ ଚାଲିଛି। ବହୁ ଶୀଘ୍ର ଅଭିଯୁକ୍ତକୁ ଧରିନେବୁ ବୋଲି କହିଛନ୍ତି।
ରିପୋର୍ଟ-ଦେବଗଡ଼ରୁ ସିଦ୍ଧାର୍ଥ ଗୁରୁ
ବୀରମିତ୍ରାପୁର ଥାନା ବାରାବାଶ ଗୌଡ଼ଟୋଲି ବସ୍ତି ଶିବାଜୀ ମାଝି ଓ ତାଙ୍କ ସାନ ଭାଇ ମଙ୍ଗଳବାର ବିଳମ୍ୱିତ ରାତିରେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ଏହା ପରେ ମଦ ନିଶାରେ ଉଭୟଙ୍କ ଭିତରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଧୀରେ ଧୀରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ବଡ଼ଭାଇ ଶିବାଜୀ ଘରେ ଥିବା ଶାବଳରେ ସାନ ଭାଇ ବୁଧରାମଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ସେ ତଳେ ପଡ଼ିଯାଇଥିଲେ।
ଚିତ୍କାର ଶୁଣି ସାହି ପଡ଼ିଶା ସେଠାକୁ ଚାଲି ଆସିଥିଲେ। ସେତେବେଳେ ବୁଧରାମ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଥିଲେ। ତାଙ୍କର ମୃତ୍ୟୁ ହୋଇସାରିଥିଲା। ପରିବାର ଲୋକ ଏନେଇ ବୀରମିତ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ବୁଧରାମଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହତ୍ୟା ଅଭିଯୋଗରେ ପୁଲିସ୍ ବଡ଼ଭାଇ ଶିବାଜୀକୁ ବାରାବାଶ ଗୌଡ଼ଟୋଲି ବସ୍ତି ନିକଟରୁ ଗିରଫକରି କୋର୍ଟ ଚାଲାଣ କରିଛି।
ରିପୋର୍ଟ-ବୀରମିତ୍ରପୁରରୁ ରାକେଶ ସାହୁ
ଗତ କିଛି ଦିନ ଧରି କୋରାପୁଟ ଟାଉନ୍ର ପରଜା ସାହି ଓ ଇନ୍ଦିରା କଲୋନୀର ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ଗତ ରବିବାର ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଥିଲା। ପରଜା ସାହିର କେତେକ ଯୁବକ ଶବ ସତ୍କାର କରି ଫେରୁଥିବା ବେଳେ ଇନ୍ଦିରା କଲୋନୀର କିଛି ଯୁବକ ଅଟକାଇ ଧମକ ଚମକ ଦେବା ସହିତ ଅସଦାଚରଣ କରିଥିଲେ। ପରଜା ସାହିର ଯୁବକମାନେ ଚୁପ୍ଚାପ ଘରକୁ ଫେରି ଆସିଥିଲେ।
ପରବର୍ତ୍ତୀ ସମୟରେ ପରଜା ସାହିର ଯୁବକମାନେ ବିଭିନ୍ନ ମାରଣାସ୍ତ୍ର ଧରି ଇନ୍ଦିରା କଲୋନୀରେ ପଶିଥିଲେ। ପରେ ସମସ୍ତଙ୍କୁ ଗୋଡ଼ାଇ ଥିଲେ। ଏହି ଘଟଣାରେ କେହି ଆହତ ହୋଇନଥିବା କୁହାଯାଇଛି। କିଛି ସମୟ ପରେ ଇନ୍ଦିରା କଲୋନୀ ଓ ଟିକିରା ସାହିର ଯୁବକମାନେ ବିଭିନ୍ନ ମାରଣାସ୍ତ୍ର ଧରି ପାଲଟା ଆକ୍ରମଣ କରିବା ପାଇଁ ପରଜା ସାହିକୁ ଆସିଥିଲେ। ସେଠାରେ ଉଭୟ ମୁହାଁମହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଥିଲେ।
ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ଦୁଇ ସାହି ଭିତରେ ଲାଗିଥିବା ଉତ୍ତେଜନା ପରିସ୍ଥିତି ଶାନ୍ତ ପଡ଼ିଛି। ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତିନିଟି ପୃଥକ୍ ମାମଲାରେ ଟାଉନ୍ ଥାନା ପୁଲିସ୍ ୨୦ ଜଣଙ୍କୁ ଉଠାଇ ଆଣିଥିଲା। ସେମାନଙ୍କ ଭିତରୁ ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୫ ଜଣ ନାବାଳକଙ୍କୁ ଜୁଭେନାଇ ଜଷ୍ଟିସ ବୋର୍ଡ ସମ୍ମୁଖରେ ହାଜର କରିଛି। ଏଥିସହ ମୋବାଇଲ ଫୋନ, ଠେଙ୍ଗା, ଲାଠି, ଲୁହା ରଡ, ଟାଙ୍ଗିଆ ଓ କଟୁରି ଭଳି ମାରଣାସ୍ତ୍ର ଜବତ କରିଛି ପୁଲିସ୍। ତେବେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ଏସ୍ଡିପିଓ ମନୋଜ ପୂଜାହାରୀ ଓ ଟାଉନ୍ ଥାନା ଅଧିକାରୀ ଧିରେନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା
ଖାତିଗୁଡା ଥାନା ଗୌଡ଼ଦେଓପାଲି ଗାଁରେ ବାସ କରନ୍ତି ଚନ୍ଦ୍ର ଗଉଡ଼। ତାଙ୍କ ପାଖରେ ଗୋଟିଏ କଂସା ଥାଳି ଓ ୪ଟି ତାମ୍ୱା ମୁଦ୍ରା ରହିଥିଲା। ଯାହାକି ତାଙ୍କ ପୂର୍ବ ପୁରୁଷଙ୍କ ପ୍ରଦତ୍ତ। ସେଗୁଡ଼ିକୁ ସେମାନେ ପୂଜାର୍ଚ୍ଚନା କରି ଆସୁଥିଲେ। ତେବେ ଚନ୍ଦ୍ରଙ୍କ ସେହି କଂସା ଥାଳିର ମୂଲ୍ୟ ପ୍ରାୟ ୩୪ କୋଟି ଟଙ୍କା ବୋଲି ସ୍ଥାନୀୟ ଅଞ୍ଚଳରେ ଗୁଜବ ପ୍ରଚାର କରାଯାଇଥିଲା। ଏହା ପରେ କେତେକ ଗୋଷ୍ଠୀ ସେହି ଥାଳିକୁ ହାତେଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ତେବେ ସବୁଠାରୁ ଆଗରେ ଥିଲେ ଚନ୍ଦ୍ରଙ୍କ ଭାଉଜ ଆଇନାଲ ଗୌଡ଼। କଂସା ଥାଳି ଲୁଟ୍ କରିବା ପାଇଁ ସେ ସଞ୍ଜୀବ ନାୟକଙ୍କ ସହଯୋଗ ଲୋଡ଼ିଥିଲା। ସେ ରାଜେନ୍ଦ୍ର ହରିଜନ(ଚିଣ୍ଟୁ)ଙ୍କ ସହିତ ଯୋଗାଯୋଗ ନେଇଥିଲା।
ଯୋଜନା ମୁତାବକ ସଞ୍ଜୀବ, ରାଜେନ୍ଦ୍ରଙ୍କ ସମେତ ୧୦ ଅଭିଯୁକ୍ତ ମାର୍ଚ୍ଚ ୫ ତାରିଖ ବିଳମ୍ବିତ ରାତିରେ ଚନ୍ଦ୍ରଙ୍କ ଘରେ ପଶିଥିଲେ। ସେମାନେ ଖଣ୍ଡା, କାତି ଦେଖାଇ ଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ଘରେ ଥିବା ନଗଦ ୮୦ ହଜାର ଟଙ୍କା, ଗୋଟିଏ ସୁନା ଚେନ, ପୂଜା ପାଉଥିବା କଂସା ଥାଳି, ୪ଟି ପୁରୁଣା କଏନ ଓ ଗୋଟିଏ ମୋବାଇଲ ଫୋନ ଲୁଟି ନେଇଥିଲେ। ଚନ୍ଦ୍ର ଗୌଡ଼ ଏନେଇ ଖାତିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।
ଖାତିଗୁଡା ଥାନା ଅଧିକାରୀ ଦୀପକ କୁମାର ଲେଙ୍କା ଘଟଣାର ତଦନ୍ତ କରୁଥିଲେ। ତେବେ ତାଙ୍କ ସନ୍ଦେହୀ ଆଖି ଯାଇଥିଲା ଚନ୍ଦ୍ରଙ୍କ ଭାଉଜ ଆଇନାଲ୍ଙ୍କ ଉପରକୁ। ପରେ ପୁଲିସ୍ ତାଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା। ଘନଘନ ଜେରା ପରେ ସେ ସତ ମାନିଥିଲା। ଆଉ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପୁଲିସ୍ ଜଣିବାକୁ ପାଇଥିଲା। ତା’ ବୟାନ୍ ଆଧାରରେ ପୁଲିସ ରାଜେନ୍ଦ୍ର ହରିଜନ ଓରଫ ଚିଣ୍ଟୁ, ସାମସନ ହରିଜନ ଓରଫ ବୁଡୁ, ଲକ୍ଷ୍ମଣ ହରିଜନ, ସଂଜୀବ ନାୟକ, ପରମଜିତ ସୋଗାରିଆ ଓରଫ ଲିପୁନ ଓ ଅଇଁଳା ଗୌଡ଼କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ସେହିପରି ଅଭିଯୁକ୍ତଙ୍କଠାରୁ କଂସା ଥାଳି ଓ ପୁରାତନ ତମ୍ୱା ମୁଦ୍ରା ପୁଲିସ ଜବତ କରିଛି। ତେବେ ଏହି ଡକାୟତି ମାମଲାରେ ସମ୍ପୃକ୍ତ ଅନ୍ୟ ପାଞ୍ଚ ଜଣ ଦୁର୍ବୃତ୍ତ ଫେରାର ଅଛନ୍ତି। ସେମାନଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ରିପୋର୍ଟ-ନବରଙ୍ଗପୁରରୁ ନବଘନ ବିଷୋୟୀ
ଅଭିଯୋଗ ଅନୁଯାୟୀ, ମାର୍ଚ୍ଚ ୨୯ ତାରିଖ ରାତିରେ ବୌଦ୍ଧ ବନବିଭାଗ ପକ୍ଷରୁ ବଘିଆପଡ଼ା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଠିକ୍ ସେହି ସମୟରେ ଖଲିଆପାଲି ଛକ ନିକଟରେ ଦୁଇଟି ବାଇକରେ ୪ ଜଣ ପୁଲିସ୍ କର୍ମଚାରୀ ଆସି ବନ ବିଭାଗର ପାଟ୍ରୋଲିଂ ଗାଡ଼ିକୁ ଅଟକାଇ ଥିଲେ। ପରେ ଅତର୍କିତ ଭାବେ ବନ ବିଭାଗ ଗାଡ଼ି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ଚାଲାଇ ଥିଲେ। ସେଥିରୁ ଦୁଇଟି ଗୁଳି ଗାଡ଼ିରେ ବାଜିଥିଲା। ସେହିପରି ନବ କିଶୋର ସାହୁଙ୍କ ପିଠିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ବନ କର୍ମଚାରୀ ନୀଳାଚଳ ପ୍ରଧାନଙ୍କ ହାତରେ ଗୁଳି ବାଜିଥିଲା। ଏହାପରେ ଜୀବନ ବିକଳରେ ବନ କର୍ମଚାରୀମାନେ ଗାଡ଼ି ଧରି ପଳାଇ ଯାଇଥିଲେ।
ନବ କିଶୋର ସାହୁ ଓ ନୀଳାଚଳ ପ୍ରଧାନଙ୍କୁ ବୌଦ୍ଧ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ନୀଳାଚଳଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ଓ ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ, ସେଦିନ ବନବିଭାଗର ପାଟ୍ରୋଲିଂ ଗାଡ଼ିରେ ଜଣେ ଏସିଏଫ୍, ୩ ଜଣ ଫରେଷ୍ଟର ଓ ୩ ଜଣ ୱାଚର ମଧ୍ୟ ଥିଲେ।
ରିପୋର୍ଟ-ବୌଦ୍ଧରୁ ଦୀପକ ଅଦର
ପୁରୁଣା ମାମଲାରେ ଛନ୍ଦି ହୋଇପଡ଼ିଥିଲା ନୀଳଗିରି ଥାନା ପୁଲିସ୍ ଜାମ୍ବୁଡ଼ି ସାହିର ପଦ୍ମଲୋଚନ ପାତ୍ର। କୋର୍ଟରେ ହାଜର ପାଇଁ ଆଜି ତାଙ୍କୁ ନୋଟିସ୍ ହୋଇଥିଲା। ଗ୍ରାମରକ୍ଷୀ କୋର୍ଟ ନୋଟିସ୍ ନେଇ ପଦ୍ମଲୋଚନଙ୍କ ଘରକୁ ଯାଇଥିଲେ। କୋର୍ଟଙ୍କ ନୋଟିସ୍ ଦେଖି ରାଗି ଯାଇଥିଲେ ପଦ୍ମଲୋଚନ। ସେ ନୋଟିସ୍ ଗ୍ରହଣ କରିବା ପରିବର୍ତ୍ତେ ଗ୍ରାମରକ୍ଷୀଙ୍କୁ ଗାଳି ଗୁଲଜ କରିଥିଲା। ଏପରିକି ଆକ୍ରମଣ କରିବା ପାଇଁ ଗୋଡ଼ାଇ ଥିଲା।
ଜୀବନ ବିକାଳରେ ଗ୍ରାମରକ୍ଷୀ ଦୌଡ଼ି ପଳାଇ ଯାଇଥିଲେ। ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଗାଁକୁ ଆସିଥିଲା। ଜଣେ ଏସ୍ଆଇ ଓ ୨ ଜଣେ ଏଏସ୍ଆଇଙ୍କ ସମେତ ୬ରୁ ଅଧିକ ପୁଲିସ୍ କର୍ମଚାରୀ ଯାଇଥିଲେ। ପୁଲିସ୍କୁ ଦେଖି ତାତି ଯାଇଥିଲା ପଦ୍ମଲୋଚନ। ହାତରେ କଟୁରି ଧରି ଆକ୍ରମଣ କରିବା ପାଇଁ ପୁଲିସ୍ କର୍ମଚାରୀଙ୍କୁ ଗୋଡ଼ାଇଥିଲା। ହାବୁଡ଼ରେ ଯାହାକୁ ପାଇଲା, କାହାକୁ ହାଣିଲା ତ ଆଉ କାହାକୁ କାମୁଡ଼ି ପକାଇଲା। ଫଳରେ ୫ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ସେମାନେ ଡିସ୍ଚାର୍ଜ ହୋଇଛନ୍ତି। ପୁଲିସ୍ ବହୁ କଷ୍ଟରେ ଅଭିଯୁକ୍ତକୁ କାବୁ କରି ଥାନାକୁ ଆଣିଛି।
ପୂର୍ବରୁ ମଧ୍ୟ ପଦ୍ମଲୋଚନ ଏମିତି ପୁଲିସ୍କୁ ଆକ୍ରମଣ କରିଥିଲା। ୨୦୨୧ ମସିହାରେ ସେ ପୁଲିସ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରି ଜଣେ ପେଶାଦାର ଅଭିଯୁକ୍ତ ବିରୋଧରେ ପୁଲିସ୍ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ
ଗତ ୯ ତାରିଖରେ ଉଠିଥିଲା ସବାରୀ। ନୂଆ ସଂସାର ଗଢ଼ିବା ପାଇଁ ବଧୂବେଶରେ ଶାଶୁ ଘର ଯାଇଥିଲେ ଜୟଶ୍ରୀ। ହେଲେ ସଂସାର ଗଢ଼ିବା ଆଗରୁ ଅର୍ଥାତ ୨୮ ତାରିଖରେ ଶାଶୁ ଘରୁ ତାଙ୍କର କୋକେଇ ଉଠିଛି। ଶାଶୁ ଘର ଲୋକେ ତାଙ୍କୁ ହତ୍ୟା କରିଥିବା ଜୟଶ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଦେବଗଡ଼ ଜିଲ୍ଲାରୁ ଆସିଛି।
କୁଣ୍ଢେଇଗୋଳା ଥାନା ହାତୀପଥର ଗାଁର ଭୁବନ ବେହେରାଙ୍କ ଝିଅ ଜୟଶ୍ରୀ ବେହେରା ବାରକୋଟ ଥାନା ମଧ୍ୟପୁର ଗ୍ରାମର ଫକୀର ବେହେରାଙ୍କ ପୁଅ ତପନ ବେହେରାଙ୍କୁ ଗତ ୯ ତାରିଖ ବୈଦିକ ରୀତିନୀତିରେ ବିବାହ କରିଥିଲେ। ଝିଅର ପରିବାର ଲୋକ ନିଜ ସମ୍ବଳ ମୁତାବକ ଯୌତୁକ ମଧ୍ୟ ପ୍ରଦାନ କରିଥିଲେ। ବିବାହ ପରେ ଜୟଶ୍ରୀଙ୍କ ପାରିବାରିକ ସଂସାର ଠିକ୍ଠାକ୍ ଚାଲିଥିଲା। ତେବେ ହଠାତ୍ ଜୟଶ୍ରୀଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା।
ଯୌତୁକ ଦାବି କରି ଜୟଶ୍ରୀଙ୍କୁ ତାଙ୍କ ସ୍ୱାମୀ ତପନ, ଶ୍ୱଶୁର, ଶାଶୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଜୟଶ୍ରୀଙ୍କ ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ଶାଶୁ ଘର ଆସି ବୁଝାସୁଝା କରି ଯାଇଥିଲେ। ଏହା ପରେ ମଧ୍ୟ ନିର୍ଯାତନା କମିନଥିଲା। ବରଂ ନିର୍ଯାତନା ବଢ଼ି ଯାଇଥିଲା। ତେବେ ୨୭ ତାରିଖରେ ଜୟଶ୍ରୀଙ୍କୁ ତାଙ୍କ ସ୍ୱାମୀ ମାଡ ମାରିବା ସହ ବିଷ ଦେଇ ଜୀବନରୁ ମାରିଦେବାର ଧମକ ଦେଇଥିଲା। ଏ ସମ୍ପର୍କରେ ଜୟଶ୍ରୀ ଫୋନ କରି କହିଥିବା ତାଙ୍କ ମାଆ କହିଛନ୍ତି।
୨୮ ତାରିଖରେ ଜୟଶ୍ରୀଙ୍କ ମୃତ୍ୟୁ ଘଟିଥିବା ନେଇ ତାଙ୍କ ସ୍ୱାମୀ ଫୋନ କରି ଶ୍ୱଶୁର ଘର ଲୋଙ୍କୁ ଜଣାଇଥିଲେ। ହତ୍ୟା ଅଭିଯୋଗ ଆଣି ଜୟଶ୍ରୀଙ୍କ ଭାଇ ପୂର୍ଣ୍ଣ ବେହେରା ବାରକୋଟ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।
ଚୂନପଲି ଗାଁର ଅରବିନ୍ଦ ଦଳବେହେରା। ବର୍ଷେ ତଳେ ତାଙ୍କର ବାହାଘର ହୋଇଥିଲା। ପେଶାରେ ସେ ଜଣେ ଦିନ ମଜୁରିଆ। କାମଦାମ କରି ଯାହା ଉପାର୍ଜନ କରନ୍ତି, ସେଥିରେ ଚଳୁଥିଲା ପୂରା ପରିବାର। ଅଭାବୀ ତେଲ ଲୁଣ ସଂସାର ହସଖୁସି ଭିତରେ ବିତୁଥିଲା। ଗତକାଲି ଥିଲା ରବିବାର। ନୂଆଖାଇ ପୂଜା ସାରିବା ପରେ ଖାଇ ଅପରାହ୍ନ ପ୍ରାୟ ୪ଟା ବେଳେ ଘରୁ ବାହାରିଥିଲେ ଅରବିନ୍ଦ।
ସଞ୍ଜ ଯାଇ ରାତି ହେଲା। ହେଲେ ଘରକୁ ଫେରିଲେନି ଅରବିନ୍ଦ। ଘରର ଏକ ମାତ୍ର ରୋଜଗାରିଆ ପୁଅ ଘରକୁ ନଫେରୁଥିବାରୁ ବ୍ୟସ୍ତ ଓ ବିବ୍ରତ ହୋଇପଡ଼ିଥିଲେ ମାଆ ରାଜକୁମାରୀ ଦଳ ବେହେରା ଓ ପତ୍ନୀ। ପଡ଼ିଶାରେ ଆକୁ ତାକୁ ମଧ୍ୟ ପଚାରିଥିଲେ। ମାତ୍ର ଅରବିନ୍ଦଙ୍କ ସମ୍ପର୍କରେ କୌଣସି ସୂଚନା ପାଇଲେନି। ଏମିତି ଭୟ ଓ ଅନିଶ୍ଚିତତାରେ ପାହିଗଲା ରାତି। ସକାଳେ ଶୁଣିବାକୁ ମିଳିଲା ଦୁଃଖ ଖବର। କିଏ ଜଣେ କହିଲେ ଗଛରେ ଝୁଲିଛି ଅରବିନ୍ଦଙ୍କ ମୃତଦେହ।
ସକାଳେ ସକାଳେ ଏପରି ଖବର ପାଇ ବିଲ ଆଡକୁ ଧାଇଁଥିଲେ ଅରବିନ୍ଦଙ୍କ ମାଆ। ଆଉ ଗଛରେ ପୁଅର ଝୁଲନ୍ତା ମୃତଦେହ ଦେଖି ହତବାକ ହୋଇପଡ଼ିଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ରାଇକିଆ ଥାନା ପୁଲିସ ଓ ଜି.ଉଦୟଗିରି ଏସ୍ଡିପିଓ ଡି. ତିରୁପତି ରାଓ ପଟ୍ଟନାୟକ ସାଇଣ୍ଟିଫିକ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି, ଏହା ଆତ୍ମହତ୍ୟା ନା ହତ୍ୟା। ମାଆ ଓ ପତ୍ନୀଙ୍କ କହିବା ଅନୁସାରେ ଅରବିନ୍ଦଙ୍କୁ ହତ୍ୟା କରାଯାଇଛି। ତାହାହେଲେ ତାଙ୍କୁ କିଏ ଓ କାହିଁକି ହତ୍ୟା? ଏମିତି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ପୁଲିସ୍। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ