ବର ଯେମିତି ବି ହେଉ ଚଳିବ। କେବଳ ଯାହା ଭଲ ରୋଜଗାର କରୁଥିବା ଦରକାର। ଏପରିକି ବିବାହ ଛାଡ଼ପତ୍ର ପାଇଥିଲେ ବି ଆପତ୍ତି ନାହିଁ। ଏତିକି ଜାଣିବା ପରେ ଯେ କୌଣସି ବ୍ୟକ୍ତି ତାଙ୍କ ହାତ ଧରିବାକୁ ଇଛୁକ ଥିବେ ନିଶ୍ଚୟ। ଯେମିତି ମାନସ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକଙ୍କ ଇଚ୍ଛା ଥିଲା। ହେଲେ ମାନସଙ୍କ ସହ ଯାହା ଘଟିଲା ଆଜି ସେ ଅଖା ଧୋଉଛନ୍ତି, ଗୁଣ ଗାଉଛନ୍ତି। ଦୀପାବଳି ପ୍ରଧାନ ନାଁରେ ଏହି ଅଜଣା ଯୁବତୀଙ୍କ ଫଟୋ ରଖି ମାନସଙ୍କୁ ଲୁଟେରା ଲୁଟିଛନ୍ତି ୩ ଲକ୍ଷ ୧୮ ହଜାର ଟଙ୍କା। ପୁରୀ ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳଙ୍କୁ ଲଗାଇଛି ଚୁନା। ଯାହାକୁ ଗିରଫ କରିଛି କମିଶନରେଟ୍ ପୁଲିସ।
ନୃସିଂହ ବିଶ୍ୱାଳ ପାଠପଢ଼ିଛି ମାତ୍ର ନବମ ଯାଏଁ। ନବମ ପଢୁଆ ନୃସିଂହ ହିଁ ମ୍ୟାଟ୍ରିମୋନି ସାଇଟରେ ଲଗାଇଥିଲା ଅଜଣା ଯୁବତୀଙ୍କ ଏହି ଫଟୋ। ଆଉ ତାକୁ ନାଁ ଦେଇଥିଲା ଦୀପାବଳି ପ୍ରଧାନ। ଫଟୋ ସହ ପ୍ରୋଫାଇଲ୍ ଦେଖି ଭଳିଯାଇଥିଲେ ମାନସ ରଞ୍ଜନ। ଏପରିକି ବାହାଘର ପାଇଁ ଡିଲ୍ ବି ଫାଇନାଲ୍ ହୋଇଗଲା। ତା’ପରେ ଚାଟିଂ ସହ ଜଣେ ମହିଳା ଦୀପା ନାଁରେ କଥା ହେଉଥିଲେ ଫୋନ କଲରେ। ଆଉ ବିଶ୍ୱାସ ଜନ୍ମିବା ପରେ ଆରମ୍ଭ ହୋଇଥିଲା ଚୁନାଲଗା ପର୍ବ। ବାପା ଅସୁସ୍ଥ ଦର୍ଶାଇ ଅନଲାଇନରେ ଆଦାୟ କରିଥିଲା ୩ ଲକ୍ଷ ୧୮ ହଜାର ଟଙ୍କା। ତେବେ ଟଙ୍କା ପାଇବା ପରେ ନା ଫୋନ୍ ଲାଗିଲା ନା ଆଉ ଯୋଗାଯୋଗ ସମ୍ଭବ ହେଲା।
ଶେଷରେ ସାଇବର ଥାନାରେ ଅଭିଯୋଗ ପରେ ତଦନ୍ତ କରି କମିଶନରେଟ୍ ପୁଲିସ ପୁରୀ ଭାତକୁଡି ଗାଁର ନୃସିଂହକୁ ଗିରଫ କରିଛି। ତା’ସହ ଲକ୍ଷେ ୬୧ ହଜାର ଟଙ୍କା, ୫ଟି ଏଟିଏମ କାର୍ଡ, ୨ଟି ସିମ୍ ଏବଂ ୩ଟି ମୋବାଇଲ୍ ଜବତ କରିଛି। ମାଟ୍ରିମୋନି ସାଇଟକୁ ଅସ୍ତ୍ର କରି ଏଭଳି ଠକେଇ କରିବା ନୂଆ ନୁହେଁ। ମାଲକାନଗିରିର ଜଣେ ମହିଳାଙ୍କୁ ବିବାହ ନାଁରେ ୬ ଲକ୍ଷରୁ ଅଧିକ ଟଙ୍କା ଠକିନେଇଥିଲା ଅନୁଗୁଳ ଜିଲ୍ଲାର ଲକ୍ଷ୍ମୀକାନ୍ତ ନାଥ। ସେହିପରି ସମ୍ବଲପୁରର ରାହୁଲ ଦୀକ୍ଷିତ ଜଣେ ବଙ୍ଗୀୟ ଯୁବତୀଙ୍କଠାରୁ ୬୪ ଲକ୍ଷ ଚୁନା ଲଗାଇଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ସାଇବର୍ ଲୁଟେରାଙ୍କ ଠାରୁ ବର୍ତ୍ତିବେ କେମିତି।
ସାଇବର ଏକ୍ସପର୍ଟ କହିଛନ୍ତି ମାଟ୍ରିମୋନି ସାଇଟରେ ପ୍ରୋଫାଇଲ୍ ମ୍ୟାଚ୍ ପରେ ସମ୍ପର୍କ ବଢ଼ାଇବା ପୂର୍ବରୁ ପ୍ରଥମେ ବ୍ୟକ୍ତିଗତ ଭାବେ ଘରକୁ ଯାଇ ସମସ୍ତଙ୍କ ସହ ସାମ୍ନାସାମ୍ନି କଥାବାର୍ତ୍ତା କରନ୍ତୁ। ସଠିକ୍ ତଥ୍ୟ ନ ମିଳିବା ଯାଏଁ କୌଣସି ବ୍ୟକ୍ତିଗତ ଚାଟ୍ କିମ୍ବା କଲ୍ କରନ୍ତୁନି। ଟଙ୍କା ଦେଣନେଣ କିମ୍ବା ବ୍ୟାଙ୍କ ଆକାଉଣ୍ଟ ସଂପର୍କିତ ତଥ୍ୟ ସେୟାର କରିବା ଅନୁଚିତ।
ସେ ୪ ଲିଟର ପେଟ୍ରୋଲ ପାଇଁ ଡେଭିଟ କାର୍ଡ ବ୍ୟବହାର କରିଥିଲେ। କିନ୍ତୁ ୪ ଲିଟର ପେଟ୍ରୋଲ ପାଇଁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ହଜାର ଟଙ୍କା କଟି ଯାଇଛି। ତେଲ ଟାଙ୍କିରେ ଏପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇ ଚାଷୀ ଜଣଙ୍କ ପୂରା ସ୍ତବ୍ଧ ହୋଇଯାଇଛନ୍ତି।
୩୪ ବର୍ଷୀୟ ଚାଷୀ ବିଶାଲ ହିରପାରା ସାଇବର ଠକେଇର ନୂଆ ପୀଡ଼ିତ ବନିଛନ୍ତି। ପିଓଏସ୍ ମେସିନ ଦ୍ୱାରା ତାଙ୍କ ଡେଭିଟ କାର୍ଡର ତଥ୍ୟକୁ ହ୍ୟାକ କରି ସାଇବର ଲୁଟେରାମାନେ ତାଙ୍କୁ ଚୂନ ଲଗାଇଛନ୍ତି।
ବିଶାଲ ୪ ଲିଟର ପେଟ୍ରୋଲ ପାଇଁ ପ୍ରାୟ ୪୦୦ ଟଙ୍କାର ନେଣଦେଣ କାର୍ଡ ଦ୍ୱାରା କରିଥିଲେ। ହେଲେ ସେ ଡେଭିଟ କାର୍ଡ ପିଓଏସ ପଏଣ୍ଟରେ ଲଗାଇବା କ୍ଷଣି ସାଇବର ଠକମାନେ ତାଙ୍କ ଆକାଉଣ୍ଟରେ ଥିବା ସମସ୍ତ ୧୬ ହଜାର ଟଙ୍କା ଲୁଟ କରି ନେଇଛନ୍ତି।
ଏକଥା ଜାଣିବା ପରେ ବିଶାଲ ତୁରନ୍ତ ସାଇବର କ୍ରାଇମ ହେଲପଲାଇନକୁ ଫୋନ କରି ଅଭିଯୋଗ ଦାଖଲ କରିଛନ୍ତି। ବିଶାଲଙ୍କ କହିବା କଥା ଯେ ସେ କେବେ ହେଲେ ତାଙ୍କ ଡେଭିଟ କାର୍ଡର ତଥ୍ୟ କାହାକୁ ଦେଇ ନାହାନ୍ତି। ଅନଲାଇନ ବ୍ୟାଙ୍କିଂ ତଥ୍ୟ ତାଙ୍କ ଛଡ଼ା ଆଉ କାହାକୁ ଜଣା ନଥିଲା। ତଥାପି ସେ ସାଇବର ଠକାମୀରେ ପଡ଼ିଥିବାରୁ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଯୁବକ ଜଣଙ୍କ ଗୋଟିଏ ବଡ଼ କମ୍ପାନୀରେ କାମ କରନ୍ତି। ହୋଟେଲ ରେଟିଂ କରି ଟଙ୍କା ଆୟ କରିବାକୁ ତାଙ୍କ ପାଖକୁ ଏକଦା ଗୋଟିଏ ହ୍ୱାଟସଆପ ମେସେଜ ଆସିଥିଲା। ଅଭିଯୁକ୍ତ ତାଙ୍କୁ କହିଥିଲା ଯେ ତା’ କମ୍ପାନୀ ହୋଟେଲ ଗୁଡ଼ିକର ପ୍ରମୋସନ ପାଇଁ ଟଙ୍କା ପାଇଛି। ତେଣୁ ପାର୍ଟ ଟାଇମ ଚାକିରି ପାଇଁ ଆଶାୟୀମାନଙ୍କୁ କମ୍ପାନୀ ଖୋଜୁଛି।
ଯୁବକ ଜଣଙ୍କ ଏକଥା ଶୁଣି କାମ କରିବାକୁ ରାଜି ହୋଇଥିଲେ। ଏହାପରେ ଅଭିଯୁକ୍ତ ଜଣକ ତାଙ୍କ ପାଖକୁ ଗୋଟିଏ ଲିଙ୍କ ପଠାଇଥିଲେ। ଏଥିରେ ଏକାଧିକ ହୋଟେଲର ବିସ୍ତୃତ ତଥ୍ୟ ଥିଲା ଓ ଅଭିଯୋଗକାରୀଙ୍କୁ ଏହା ଉପରେ ରେଟିଂ ଦେବାକୁ କୁହାଯାଇଥିଲା।
ହୋଟେଲଗୁଡ଼ିକୁ ରେଟିଂ କରିବା ପରେ ଯୁବକଙ୍କୁ ଏହାର ସ୍କ୍ରିନଶଟ ନେଇ ସମାନ ହ୍ୱାଟସଆପ ନମ୍ବରରେ ପଠାଇବାକୁ ସାଇବର ଠକ କହିଥିଲା। ଯୁବକ ଜଣଙ୍କ ମଧ୍ୟ ସମାନ କାମ କରିଥିଲେ। ଯୁବକ ଜଣଙ୍କ ମେସେଜ ପଠାଇ ସାଇବର ଠକର କହିବା ଅନୁଯାୟୀ ସବୁ କାମ କରିଥିଲେ। ପ୍ରଥମଥରରେ ତାଙ୍କୁ ୨୦୦ ଟଙ୍କା ମିଳିଥିଲା।
ଏହାପରେ ସେ ୬ଥର ସମାନ କାମ କରି ଆଉ ୧୩ ଶହ ଟଙ୍କା ପାଇଥିଲେ। ଚାକିରିରେ ସତ୍ୟତା ଥିବା ଭାବି ଯୁବକ ଜଣଙ୍କ ଅଧିକ ଆୟ କରିବା ପାଇଁ ଚେଷ୍ଟା କରିଥିଲେ।
ଏହାର ଫାଇଦା ଉଠାଇ ସାଇବର ଠକ ଜଣକ ତାଙ୍କୁ ଟେଲିଗ୍ରାମରେ ଆକାଉଣ୍ଟ ଖୋଲିବାକୁ କହିଥିଲା ଓ ସେମାନଙ୍କ ଗ୍ରୁପରେ ସାମିଲ ହେବାକୁ ପରାମର୍ଶ ଦେଇଥିଲା। ଗ୍ରୁପରେ ସାମିଲ ହେବା ପରେ ଯୁବକଙ୍କୁ ଦେୟ ଯୁକ୍ତ ଟାକ୍ସ ସ୍କିମ ବିଷୟରେ ଜାଣିବାକୁ ପାଇଥିଲେ। ଯଦି ସେ ଏଥିରେ ପୁଞ୍ଜିନିବେଶ କରୁଛନ୍ତି, ତା’ହେଲେ ତାଙ୍କୁ ଅଧିକ କାମ ଓ ଅଧିକ ଟଙ୍କା ମିଳିବ ବୋଲି ପ୍ରଲୋଭିତ କରାଯାଇଥିଲା।
ସାଇବର ଠକ ଗୋଟିଏ ଲିଙ୍କ ପଠାଇ ଯୁବକଙ୍କୁ ଲଗଇନ ଓ ପାସୱାର୍ଡ ଦେଇଥିଲା। ଲଗଇନ ପରେ ଗୋଟିଏ ଭର୍ଚ୍ୟୁଆଲ ୱାଲେଟ ମଧ୍ୟ ସେ ଦେଖିବାକୁ ପାଇଥିଲେ। ଏହାକୁ ଦେଖି ଯୁବକ ଜଣଙ୍କ ନିବେଶ କରିବା ଆରମ୍ଭ କରିଥିଲେ। ଏଥିସହ ୱାଲେଟରେ ଲାଭ ଦେଖି ଖୁସି ହୋଇଯାଇଥିଲେ।
ସମୟକ୍ରମେ ସେ ମୋଟ ୧୮.୩୪ ଲକ୍ଷ ଟଙ୍କା ନିବେଶ କରିବା ପରେ ୱାଲେଟରେ ତା’ର ଦୁଇ ଗୁଣ ଟଙ୍କା ଦେଖିବାକୁ ପାଇଥିଲେ। ତେବେ ସେ ଏହାକୁ ଉଠାଇବାକୁ ଚେଷ୍ଟା କରିବାରୁ ଏହା ସମ୍ଭବ ହୋଇ ନଥିଲା। ଶେଷରେ ଯୁବକ ଜଣଙ୍କ ଡିସେମ୍ବର ୨ରେ ପୁଲିସ୍ରେ ଯୋଗାଯୋଗ କରିଥିଲେ। ଏବେ ପୁଲିସ୍ ସାଇବର ଠକାମୀର ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି।
ପ୍ରଥମଥର ପାଇଁ ସାଇବର ଠକମାନେ ଏପରି ଡିଜିଟାଲ ଗିରଫ ଦ୍ୱାରା ଠକେଇ କରିଛନ୍ତି। ମହିଳା ଜଣଙ୍କ ନୋଏଡାରେ ଥିବା ସାଇବର କ୍ରାଇମ ପୁଲିସ ଷ୍ଟେସନରେ ଠକେଇ ନେଇ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।
ଠକମାନେ ନିଜକୁ ପୁଲିସ୍ ଅଫିସରର ପରିଚୟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ସିବିଆଇ ଅଫିସର କହିଥିଲା। ୫୦ ବର୍ଷୀୟ ମହିଳାଙ୍କ ନାଁରେ ବିଭିନ୍ନ ପ୍ରକାରର ମାମଲା ରୁଜୁ ହୋଇଛି ଓ ସେ ଅନେକ ପ୍ରକାରର ଠକେଇରେ ସାମିଲ ଥିବା ଜଣାପଡ଼ିଥିବା କଥା କହି ଠକମାନେ ତାଙ୍କୁ ଚୁନ ଲଗାଇଛନ୍ତି।
ମହିଳା ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ତାଙ୍କୁ ଇଣ୍ଟର ଆକ୍ଟିଭ ଭୟସ ରେସପନ୍ସ ବା ଆଇଭିଆର ଜରିଆରେ ନଭେମ୍ବର ୧୩ରେ ଫୋନ ଆସିଥିଲା। ମୁମ୍ବାଇରେ ତାଙ୍କ ଆଧାର କାର୍ଡ ନମ୍ବରକୁ ବ୍ୟବହାର କରି ଗୋଟିଏ ସିମ କିଣାଯାଇଛି। ଉକ୍ତ ସିମ କାର୍ଡ ଜରିଆରେ ବେଆଇନ ବିଜ୍ଞାପନ ଦିଆଯାଇଛି ଓ ମହିଳାଙ୍କୁ ହଇରାଣ କରାଯାଉଛି ବୋଲି କଲ କରିଥିବା ବ୍ୟକ୍ତି କହିଥିଲା।
ଏହାପରେ ତାଙ୍କ କଲକୁ ଆଉ ଜଣେ ବ୍ୟକ୍ତି ପାଖକୁ ଟ୍ରାନ୍ସଫର କରାଯାଇଥିଲା। ସେ ନିଜକୁ ମୁମ୍ବାଇ ପୁଲିସ୍ ଅଫିସରର ପରିଚୟ ଦେଇଥିଲା। ଫୋନ କଲରେ ପ୍ରାଥମିକ ଜେରା ପରେ ମହିଳାଙ୍କୁ ସ୍କାଏପେ ଭିସିରେ ଆସିବାକୁ କୁହାଯାଇଥିଲା। ନିଜକୁ ପୁଲିସ୍ ଅଫିସରର ପରିଚୟ ଦେଇଥିବା ବ୍ୟକ୍ତି ଜଣକ ମହିଳାଙ୍କୁ ଭୟଭୀତ କରିଥିଲା।
ମହିଳାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରହିଛି ଓ ଏନେଇ ଏଫଆଇଆର ହୋଇଛି ଓ ସୁପ୍ରିମକୋର୍ଟ ମଧ୍ୟ ମହିଳାଙ୍କ ନାଁରେ ଗିରଫ ପରୱାନ ଜାରି କରିଥିବା ଠକ ଜଣକ କହିଥିଲା। ଏପରି କି ନକଲି ଗିରଫ ପରୱାନା ସ୍କାଏପେ ମାଧ୍ୟମରେ ପଠାଇଥିଲା।
ଜେରା ପରେ ଠକ ଜଣକ ମହିଳାଙ୍କୁ କହିଥିଲା ଯେ ସେ ନିରୀହ। କିନ୍ତୁ ଅଧିକ ଜେରା ପାଇଁ ସେ ମହିଳାଙ୍କୁ ଆଉ ଜଣକ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲା। ତୃତୀୟ ଠକ ଜଣକ ନିଜକୁ ଆଇପିଏସ ଅଫିସର ଭାବେ ପରିଚୟ ଦେଇ ମୁମ୍ବାଇରେ ସିବିଆଇ ପାଇଁ କାମ କରୁଥିବା କହିଥିଲା। ମହିଳା ଜଣଙ୍କ ଦ୍ୱିତୀୟ ଠକର କଥା ମାନି ତୃତୀୟ ଠକ ସହ ମଧ୍ୟ ସ୍କାଏପେରେ କଥା ହୋଥିଲେ।
ମହିଳା ଜଣଙ୍କୁ ସେ କହିଥିଲା ଯେ ଏୟାରଲାଇନ ଠକେଇ ମାମଲାରେ ତାଙ୍କର ସଂପୃକ୍ତି ରହିଛି। ଏୟାରଲାଇନ ଠକେଇର ତଦନ୍ତ ବେଳେ ତଥାକଥିତ ସିବିଆଇ ଅଧିକାରୀ ଜଣକ ଗୋଟିଏ ଘରେ ରେଡ କରିଥିଲା। ଏହି ସମୟରେ ୨୪୬ଟି ଡେବିଟ କାର୍ଡ ମିଳିଥିଲା। ଏହା ମଧ୍ୟରୁ ଗୋଟିଏ ମହିଳାଙ୍କ ନାଁ ରହିଛି। ମହିଳାଙ୍କ ଆଧାର କାର୍ଡ ଜରିଆରେ ବ୍ୟାଙ୍କ ଆକଉଣ୍ଟ ଖୋଲା ଯାଇଛି।
ମହିଳା ଜଣଙ୍କ କହିଛନ୍ତି, “ନକଲି ସିବିଆଇ ଅଧିକାରୀ ଜଣକ ମୋତେ କହିଥିଲା ଯେ ମୋ ଆକାଉଣ୍ଟ ଦ୍ୱାରା ୨ କୋଟି ଟଙ୍କାର ନେଣଦେଣ ହୋଇଛି। ଏହା ବଦଳରେ ମୋତେ ୨୦ ଲକ୍ଷ ଟଙ୍କା ମଧ୍ୟ ମିଳିଛି। କିନ୍ତୁ ସେ ମୋତେ କହିଥିଲେ ଯେ ମୋର ସଂପୃକ୍ତି ଥିବା ଭଳି ଲାଗୁନି। ତେଣୁ ତଦନ୍ତ ଶେଷ କରିବା ପାଇଁ ସେ ମୋତେ ମୋର ସମସ୍ତ ଆକାଉଣ୍ଟରେ ଥିବା ଟଙ୍କାକୁ ଆଇସିଆଇସିଆଇ ଆକାଉଣ୍ଟକୁ ପଠାଇବାକୁ କହିଥିଲା। ଏହାପରେ ସେଠାରୁ ପିଏଫସି ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ କହିଥିଲା। ସୁପ୍ରିମକୋର୍ଟ ଏପରି ନିର୍ଦ୍ଦେଶ ଦେଇଥିବା ଠକ ଜଣକ ମୋତେ ସୂଚନା ଦେଇଥିଲା।
ଏହା ଜାତୀୟ ସୁରକ୍ଷା ଜଡ଼ିତ ଥିବାରୁ ମୋତେ ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ କୁହାଯାଇଥିଲା। ତେଣୁ ମୁଁ ଚୁପ ରହିଥିଲି। ନିର୍ଦ୍ଦୋଷ ପ୍ରମାଣିତ ହେବା ପାଇଁ ସେ ମୋତେ ଆକାଉଣ୍ଟରେ ଆବଶ୍ୟକ ଟଙ୍କା ରଖିବାକୁ କହିଥିଲା। ଏଥିସହ ଆଇସିଆଇସିଆଇ ବ୍ୟାଙ୍କରୁ ୨୦ ଲକ୍ଷ ଟଙ୍କାର ପର୍ସନାଲ ଲୋନ କରିବାକୁ କହିଥିଲା।
କିନ୍ତୁ ମୁଁ ମନା କରିଥିଲି। ତଥାପି ସେ ଲୋନ ଦ୍ୱାରା ୩ ଲକ୍ଷ ଟଙ୍କା ଆଣିବାକୁ ଚାପ ପକାଇଥିଲା। ଇଚ୍ଛା ନଥିଲେ ମଧ୍ୟ ମୁଁ ଲୋନ ଆଣି ପିଏଫସି ଆକାଉଣ୍ଟକୁ ପଠାଇଥିଲି। ସେମାନେ ତଦନ୍ତ ନାଁରେ ମୋ ଦସ୍ତଖତ ମଧ୍ୟ ନେଇଛନ୍ତି।”
ସକାଳୁ ରାତି ଯାଏ ତାଙ୍କୁ ଗୋଟିଏ ସ୍ଥାନରେ ବସାଇ ଠକମାନେ ମୋଟ ୧୧.୧୧ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ପୁଲିସରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।
ପୁଲିସ ଏହି ଘଟଣାରେ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଠକମାନଙ୍କର ଏଯାଏ କୌଣସି ସୁରାକ ପାଇବାକୁ ସକ୍ଷମ ହୋଇନାହିଁ।
UBER କ୍ୟାବକୁ କଲ୍ କରି ସେ ଏହି ଠକାମିର ଶିକାର ହୋଇଛନ୍ତି। ପୂରା ଘଟଣା କ୍ରମ କଣ ଥିଲା, ନଜର ପକାନ୍ତୁ...
ଖବର ମୁତାବକ, ହରିଆଣାର ପ୍ରଦୀପ ଚୌଧରୀ ଗୁରୁଗ୍ରାମକୁ ଯିବା ପାଇଁ ୨୦୫ ଟଙ୍କାରେ ଏକ କ୍ୟାବ ବୁକ୍ କରିଥିଲେ। କିନ୍ତୁ ଉବର ଡ୍ରାଇଭର ତାଙ୍କଠାରୁ ୩୧୮ ଟଙ୍କା ଚାର୍ଜ କରିଥିଲେ। ଏତେ ଟଙ୍କା କାହିଁକି ନେଲେ ପଚାରିବାରୁ ଡ୍ରାଇଭର ତାଙ୍କୁ କଷ୍ଟମର କେୟାରଙ୍କ ସହ କଥା ହେବାକୁ କହିଥିଲେ। କଷ୍ଟମର କେୟାର ପାଖରୁ ବାକି ଟଙ୍କା ଫେରି ପାଇବେ ବୋଲି କହିଥିଲେ ଡ୍ରାଇଭର।
ପ୍ରଦୀପ କହିଛନ୍ତି, କଷ୍ଟମର କେୟାର୍ ନଂ ପାଇଁ ସେ ଗୁଗୁଲ୍ ସର୍ଚ୍ଚ କରିଥିଲେ। ଗୁଗୁଲରୁ ରାକେଶ ମିଶ୍ରାଙ୍କ ନାମକ ଜଣେ ଉବେର କଷ୍ଟମର କେୟାରଙ୍କ ନଂ ପାଇଥିଲେ। ରାକେଶ, ପ୍ରଦୀପଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ 'Rust Desk App' ଡାଉନଲୋଡ୍ କରିବାକୁ କହିଥିଲେ। ଏହା ପରେ ସେ ପେ'ଟିଏମ୍ ଓପନ୍ କରି ଫେରସ୍ତ ରାଶି ପାଇଁ 'rfnd 112' ମେସେଜ୍ ପଠାଇବାକୁ କହିଥିଲେ।
ପ୍ରଦୀପ, ରାକେଶଙ୍କ କହିବା ମୁତାବକ ଆପ୍ ଇନଷ୍ଟଲ୍ କରି ପେ'ଟିଏମରେ ମେସେଜ୍ ପଠାଇଥିଲେ। ଏପରି କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଡେବିଟ୍ ହୋଇଯାଇଛି। ଟଙ୍କା ଉଠାଣ ନେଇ ମେସେଜ୍ ଆସିବା ପରେ ଥାନାରେ ଏତଲା ଦେଇଛନ୍ତି ପ୍ରଦୀପ। ପୁଲିସ ଏନେଇ ଧାରା ୪୨୦ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬ଡି ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।
ବର୍ତ୍ତମାନ ସମୟରେ ଯେଉଁପରି ଭାବେ ସାଇବର ଅପରାଧ ବୃଦ୍ଧି ପାଉଛି, ସେଥିପାଇଁ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡିବ। UBER ହେଉ କିମ୍ବା ଅନ୍ୟାନ୍ୟ ଅନଲାଇଲ୍ ସେବା ଯୋଗାଉଥିବା କଷ୍ଟମର କେୟାରଙ୍କ ନଂ କେବଳ ସେମାନଙ୍କର ଅଫିସିଆଲ୍ ୱେବସାଇଟରୁ ଆଣନ୍ତୁ। ଏହା ବ୍ୟତୀତ ଗୁଗୁଲ୍ କିମ୍ବା ଅନ୍ୟ କୌଣସି ୱେବସାଇଟରୁ ଆଣନ୍ତୁ ନାହିଁ କି ସର୍ଚ୍ଚ ମଧ୍ୟ କରନ୍ତୁ ନାହିଁ। ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପକ୍ଷରୁ ମଧ୍ୟ ଅନେକଗୁଡିଏ ଆପ୍ ବ୍ୟାନ କରାଯାଉଛି। ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଜାଣିନଥିବା କୌଣସି ଆପକୁ ଇନଷ୍ଟଲ୍ କରନ୍ତୁ ନାହିଁ କି ଅନ୍ୟ କାହାକୁ ବ୍ୟାଙ୍କ ଡାଟା ଦିଅନ୍ତୁ ନାହିଁ।
ତେବେ ଲିକ୍ର କେନ୍ଦ୍ରସ୍ଥଳ କେଉଁଠି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ହ୍ୟାକରଙ୍କ ଦ୍ୱାରା ଶେଆର୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଚୋରି ହୋଇଥିବା ତଥ୍ୟରେ ଲୋକଙ୍କର ଆଧାର ଏବଂ ପାସପୋର୍ଟର ବିବରଣୀ ସହିତ ଲକ୍ଷ ଲକ୍ଷ ଭାରତୀୟଙ୍କ ନାମ, ଫୋନ୍ ନମ୍ବର ସହ ଅସ୍ଥାୟୀ ଓ ସ୍ଥାୟୀ ଠିକଣା ରହିଛି। କୋଭିଡ ପରୀକ୍ଷଣ ସମୟରେ ICMR ଦ୍ୱାରା ସଂଗୃହୀତ ତଥ୍ୟରୁ ଏହି ଲିକ୍ କରାଯାଇଥିବା ହ୍ୟାକର ଦାବି କରିଛି।
⚠️ India Biggest Data Breach
— Shivam Kumar Singh (@MrRajputHacker) October 30, 2023
Unknown hackers have leaked the personal data of over 800 million Indians Of COVID 19.
The leaked data includes:
* Name
* Father's name
* Phone number
* Other number
* Passport number
* Aadhaar number
* Age#DataBreach #dataleak #CyberSecurity pic.twitter.com/lUaJS9ZPDr
ଡାଟା ଉଲ୍ଲଙ୍ଘନ କରାଯାଇଥିବା ନେଇ ଆମେରିକୀୟ ଏଜେନ୍ସି ରେସକ୍ୟୁରିଟି ପ୍ରଥମେ ଜାଣିବାକୁ ପାଇଥିଲା। ଅକ୍ଟୋବର ୯ରେ 'pwn0001' ବ୍ରେକ୍ ଫୋରମରେ ଉଲ୍ଲଂଘନ ବିଷୟରେ ସବିଶେଷ ତଥ୍ୟ ପ୍ରକାଶ କରି ରେକର୍ଡ ସଂଖ୍ୟାରେ ୮୧୫ ନିୟୁତ ଲୋକଙ୍କ ଡାଟା ଲିକ୍ ହୋଇଥିବା କହିଥିଲା। ଏଥିରେ ଭାରତୀୟ ନାଗରିକଙ୍କ ଆଧାର ଏବଂ ପାସପୋର୍ଟ ମଧ୍ୟ ରହିଥିବା ଉଲ୍ଲେଖ କରିଥିଲା।
Resecurity ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ, ଲିକ୍ ହୋଇଥିବା ତଥ୍ୟ ମଧ୍ୟରେ ଭାରତୀୟ ନାଗରିକଙ୍କ ବ୍ୟକ୍ତିଗତ ବିବରଣୀ ସହିତ ୧,୦୦,୦୦୦ ଫାଇଲ୍ ଅଛି। ଡାର୍କ ୱେବରେ ପ୍ରକାଶ ପାଇଥିବା ଏହିସବୁ ବ୍ୟକ୍ତିଗତ ତଥ୍ୟ ସଠିକ୍ କି ନୁହେଁ ଜାଣିବା ପାଇଁ ରିସିକ୍ୟୁରିଟି ଅନୁସନ୍ଧାନକାରୀମାନେ କେତେକ ସରକାରୀ ପୋର୍ଟାଲ୍ ସହାୟତାରେ ଆଧାର ଯାଞ୍ଚ ଫିଚର୍ସ ବ୍ୟବହାର କରିଥିଲେ। ଏସବୁ ଅରିଜିନାଲ୍ ଡାଟା ବୋଲି ପ୍ରମାଣ ମିଳିଛି।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ଅଫ୍ ଇଣ୍ଡିଆ(CERT-In) ମଧ୍ୟ ଡାଟା ଉଲ୍ଲଙ୍ଘନ ବିଷୟରେ ଆଇସିଏମ୍ଆରକୁ ସତର୍କ କରାଇଛି। କୋଭିଡ ପରୀକ୍ଷା ସୂଚନା ଜାତୀୟ ସୂଚନା କେନ୍ଦ୍ର (NIC), ICMR ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରି ବିଭିନ୍ନ ସରକାରୀ ସଂସ୍ଥାରେ ଉପଲବ୍ଧ ରହିଛି। ତେଣୁ ଏହି ଉଲ୍ଲଂଘନ କେଉଁଠାରୁ କରାଯାଇଛି ତାହା ଚିହ୍ନଟ କରିବା ଏକ ପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଖବର ଲେଖା ହେବା ସୁଦ୍ଧା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ କିମ୍ବା ଅନ୍ୟାନ୍ୟ ସଂପୃକ୍ତ ଏଜେନ୍ସିଗୁଡ଼ିକ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସି ନଥିଲା।
ତେବେ ବଡ଼ ବଡ଼ ଅନୁଷ୍ଠାନରୁ ଡାଟା ଲିକ୍ ହେବା ଏହା ପ୍ରଥମ ନୁହେଁ। ସାଇବର ଅପରାଧୀମାନେ AIIMS ଉପରେ ଆଟାକ୍ କରିଥିଲେ। ଫଳରେ ହସ୍ପିଟାଲ ୧୫ ଦିନ ପାଇଁ ମାନୁଆଲ ରେକର୍ଡକୁ ବଦଳାଇବାକୁ ବାଧ୍ୟ ହୋଇଥିଲା। ଡିସେମ୍ବର ୨୦୨୨ରେ ଏହାର କିଛି ମାସ ପୂର୍ବରୁ, AIIMS ଦିଲ୍ଲୀର ତଥ୍ୟ ଚୀନ୍ ହ୍ୟାକର୍ ହ୍ୟାକ୍ କରିଥିଲା ଏବଂ ସେ କ୍ରିପ୍ଟୋକରେନ୍ସି ମାଧ୍ୟମରେ ୨୦୦ କୋଟି ଟଙ୍କା ଡିମାଣ୍ଡ କରିଥିଲା।
ଗତ ରବିବାର ଅଫତାବଙ୍କ ନିକଟକୁ ଏକ ଅଜଣା ନମ୍ବରରୁ ମେସେଜ ଆସିଥିଲା। ଯେଉଁଥିରେ ତାଙ୍କୁ ନିଜ KYC ଅପଡେଟ୍ କରିବାକୁ କୁହାଯାଇଥିଲା। ଏହାପରେ ଅଫତାବ ଉକ୍ତ ମେସେଜ ଉପରେ କ୍ଲିକ୍ କରିବାରୁ ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟି ଯାଇଥିଲା।
ଏନେଇ ସେ ବ୍ୟାଙ୍କକୁ ଅବଗତ କରିବା ପରେ ଥାନାରେ ଏକ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଫତାବ ବଲିଉଡର ସୁପରହିଟ୍ ଫିଲ୍ମ ମସ୍ତ, ମସ୍ତି, ହଙ୍ଗାମା ଆଦି ଫିଲ୍ମରେ ଅଭିନୟ କରିଛନ୍ତି।
ଅଫତାବଙ୍କ ପୂର୍ବରୁ ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କ ଆକାଉଣ୍ଟରୁ ୫୮ ଲକ୍ଷ ଟଙ୍କା ଲୁଟ୍ ହୋଇ ଯାଇଥିବା ଅଭିଯୋଗ ହୋଇଥିଲା। ଏହା ପୂର୍ବରୁ ବଲିଉଡ ଅଭିନେତା ଅନୁ କପୁରଙ୍କ ଆକାଉଣ୍ଟରୁ ୪ ଲକ୍ଷ ଟଙ୍କା ଠକେଇ ହେବା ଅଭିଯୋଗରେ ପୁଲିସ୍ ଜଣଙ୍କୁ ବାନ୍ଧିଥିଲା।
ଗତ ଦୁଇମାସ ତଳେ ଏପରି ଠକାମୀର ଶିକାର ହୋଇ ଆକାଉଣ୍ଟରୁ ୪ ଲକ୍ଷ ଗାଏବ ହୋଇ ଯାଇଥିବା ନିଜେ ବିଧାୟକ ବଖାଣିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସାଇବର ଥାନାରେ ମାମଲା କରିବା ପରେ ଠକ୍ମାନେ ବିହାରରୁ ଗିରଫ ହୋଇ ଜେଲରେ ଥିବା ଏକ ସାଧାରଣ ସଭାରେ କହିଛନ୍ତି ବିଧାୟକ ବାହିନୀପତି ।
ସାରା ରାଜ୍ୟରେ ଏବେ ସାଇବର କ୍ରାଇମ୍ ଓ ଫ୍ରଡ୍କୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ପରିପ୍ରେକ୍ଷୀରେ କୋରାପୁଟ ଜିଲ୍ଲା ପୁଲିସ ପକ୍ଷରୁ ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟରେ ଆୟୋଜିତ ସଚେତନତା ସଭାରେ ବିଧାୟକ ଉପସ୍ଥିତ ଦର୍ଶକଙ୍କୁ ନିଜର ଅଭିଜ୍ଞତା ଶୁଣାଇଛନ୍ତି ।
ଏହି ସଭାରେ ବିଧାୟକ ବାହିନୀପତି କହିଛନ୍ତି, ଘର କାମ ପାଇଁ ସିମେଣ୍ଟ ଆଣିବାକୁ ବୁଝାବୁଝି କରୁଥିଲି। କିଛି ଦିନ ପରେ ଜଣେ ବ୍ୟକ୍ତି ଫୋନ୍ କରି ଶସ୍ତାରେ ସିମେଣ୍ଟ ଦେବ ବୋଲି କହିଥିଲା। ଏହାପରେ ମୋ’ ଭାଇ ସହ କଥା ହୋଇ ଆକାଉଣ୍ଟ ନମ୍ବର ନେଇଥିବା ବେଳେ ମୋର ୪ ଲକ୍ଷ ପଳାଇଲା। ତା’ ପର ଦିନ ଟଙ୍କା ଉଠାଇବାକୁ ଯିବା ବେଳକୁ ଆକାଉଣ୍ଟ ଖାଲି। ଏନେଇ ମୋ’ ଭାଇ ଥାନାରେ ଅଭିଯୋଗ କଲା। ଏହାପରେ ପୁଲିସ୍ ବିହାର ଯାଇ ଉକ୍ତ ଠକମାନଙ୍କୁ ଧରିଲା। ଏହି ଘଟଣାକୁ ଯୋଗୁ ନିଜକୁ ଲଜ୍ଜିତ ଅନୁଭବ କରୁଥିବାରୁ ଏଯାଏ ଚୁପ୍ ରହିଥିଲି। କିନ୍ତୁ ଏହାଦ୍ୱାରା ଯେପରି ଭାବେ ସମସ୍ତେ ସଚେତନ ଓ ସତର୍କ ହେବେ, ସେଥିପାଇଁ ଏହି କଥା ବଖାଣୁଛି ବୋଲି ସେ କହିଛନ୍ତି।
ଏହି ସଭାରେ ବହୁ ସଂଖ୍ୟାରେ ଛାତ୍ରୀ ଯୋଗ ଦେଇଥିବା ବେଳେ କାହାକୁ ଓଟିପି ନଦେବା, ଅଜଣା କଲ ରିସିଭ ନ କରିବା ଆଦି ଉପରେ ସଚେତନ କରିଥିଲେ । ନିଜେ ସଚେତନ ହେବାସହ ନିଜ ଘର ଆଖ ପାଖର ଲୋକଙ୍କୁ ସଚେତନ କରିବାକୁ ବିଧାୟକ ବାହିନିପତି ଓ ସାଇବ ସେଲ୍ ଅଧିକାରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।
ଏସବୁ ମଧ୍ୟରେ ଜଣେ ସଫ୍ଟୱେୟାର୍ ଇଞ୍ଜିନିୟର ହରାଇଛନ୍ତି ଏକ କୋଟି ଟଙ୍କା। ମାଟ୍ରିମୋନିଆଲ୍ ସାଇଟ୍ ମାଧ୍ୟମରେ ଭେଟିଥିବା ଜଣେ ଯୁବତୀ ତାଙ୍କର ଏକ କୋଟି ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଅନୁସାରେ, ଗାନ୍ଧୀନଗରର କୁଳଦୀପ ପଟେଲ ମାଟ୍ରିମୋନିଆଲ୍ ସାଇଟରେ ଅଦିତି ନାମକ ଜଣେ ଯୁବତୀଙ୍କୁ ଭେଟିଥିଲେ। ଉଭୟ ବିବାହ କରିବା ପାଇଁ ମଧ୍ୟ ଯୋଜନା କରିଥିଲେ। ଅଦିତି ତାଙ୍କୁ କହିଥିଲେ ଯେ, ତାଙ୍କର ବ୍ରିଟେନରେ ଆମଦାନୀ ଏବଂ ରପ୍ତାନି ବ୍ୟବସାୟ ରହିଛି ଏବଂ ଭଲ ଫଳାଫଳ ପାଇବା ପାଇଁ ତାଙ୍କୁ 'ବାନୋକୋଏନ୍'ରେ କିଛି ଅର୍ଥ ବିନିଯୋଗ କରିବାର ଅଛି। ଆଦିତିଙ୍କ କଥାରେ ବିଶ୍ୱାସ କରି କୁଳଦୀପ ରାଜି ହୋଇଥିଲେ ଏବଂ 'ବାନୋକୋଏନର କଷ୍ଟମର୍ କେୟାର୍' ସହ କଥା ହୋଇଥିଲେ।
ଏହାପରେ ସେ ୱେବସାଇଟରେ ନିଜ ନାମ ପଞ୍ଜୀକୃତ କରି ଭଲ ରିଟର୍ଣ୍ଣ ପାଇବା ଆଶାରେ ଟଙ୍କା ବିନିଯୋଗ କରିବା ଆରମ୍ଭ କରିଥିଲେ। କୁଳଦୀପ ପ୍ରଥମ ୧ ଲକ୍ଷ ଟଙ୍କା ବିନିଯୋଗ କରିବା ପରେ କ୍ରିପ୍ଟୋ ଆକାଉଣ୍ଟରେ ୭୮ ଆମେରିକୀୟ ଡଲାର୍ ଲାଭ ପାଇଥିଲେ। ପରେ ସେ ଅଧିକ ପରିମାଣର ଟଙ୍କା ବିନିଯୋଗ କଲେ ଏବଂ ମୋଟାମୋଟି ଭାବେ ପଟେଲ ୧୮ ଥର ଟ୍ରାଞ୍ଜାକ୍ସନ କରି ୧.୩୪ କୋଟି ଟଙ୍କା ବିନିଯୋଗ କରିଥିଲେ। ଜୁଲାଇ ୨୦ରୁ ଅଗଷ୍ଟ ୩୧ ମଧ୍ୟରେ ଏ ସମସ୍ତ କାରବାର କରିଥିଲେ କୁଳଦୀପ।
କିନ୍ତୁ ସେପ୍ଟେମ୍ବର ୩ରେ ଯେତେବେଳେ ସେ ଆକାଉଣ୍ଟରୁ ୨.୫୯ ଲକ୍ଷ ଟଙ୍କା ଉଠାଣ ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ଆକାଉଣ୍ଟ ଫ୍ରିଜ୍ ହୋଇଯାଇଥିବା ଦେଖାଇଥିଲା। କଷ୍ଟମର କେୟାର୍ ସହ କଥା ହେବାରୁ ସେମାନେ ଡି-ଫ୍ରିଜ୍ କରିବା ପାଇଁ ଆହୁରି ୩୫ ଲକ୍ଷ ବିନିଯୋଗ କରିବାକୁ କହିଥିଲେ। ଏନେଇ ସେ ଅଦିତିଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଅଦିତି ତାଙ୍କୁ ଧରାଛୁଆଁ ଦେଇନଥିଲେ। ପରେ ଅଦିତି ତାଙ୍କୁ ଠକିଥିବା ଜାଣିବାକୁ ପାଇଥିଲେ କୁଳଦୀପ। ଏନେଇ ସେ ସାଇବର କ୍ରାଇମ ପୁଲିସରେ ଅଭିଯୋଗ କରିଛନ୍ତି।
୨୭ ବର୍ଷୀୟ ଜଣେ ଡାକ୍ତର ନିଜ ସାଙ୍ଗଙ୍କ ସହ ପିକ୍ନିକ୍ରେ ଯିବା ପୂର୍ବରୁ କିଛି ସ୍ନାକ୍ସ ସାଙ୍ଗରେ ନେଇଯିବାକୁ ଚିନ୍ତା କଲେ। ଏଥିନିମନ୍ତେ ସେ ଏକ ରେଷ୍ଟୁରାଣ୍ଟକୁ ଫୋନ୍ କରି ୧୫ ପ୍ଲେଟ ସିଙ୍ଗଡ଼ା ପଠାଇବାକୁ ଅର୍ଡର କଲେ। ଏଥିନିମନ୍ତେ ପ୍ରଥମେ ସେ ୧୫୦୦ ଟଙ୍କା ପେମେଣ୍ଟ ମଧ୍ୟ କଲେ।
ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ନିକଟକୁ ଏକ କଲ୍ ଆସିଥିଲା। ଟଙ୍କା ପହଞ୍ଚି ନ ଥିବା ବେଳେ ଅନ୍ୟ ଏକ ଫୋନ୍ ନମ୍ବରରେ ରିକୁଏଷ୍ଟ ପଠାଯାଇଥିଲା। ଏହାପରେ ଡାକ୍ତରଜଣକ ପୁଣି ଥରେ ୧୫ ଶହ ଟଙ୍କା ପେମେଣ୍ଟ କରିଥିଲେ।
ମାତ୍ର ଏହାପରେ ହଠାତ୍ ତାଙ୍କ ଆକାଉଣ୍ଟରୁ ଥରକୁ ଥର ଟଙ୍କା କଟିବାକୁ ଲାଗିଲା। ଏଥିସହ ଦେଖୁ ଦେଖୁ ତାଙ୍କ ଆକାଉଣ୍ଟରୁ ସମୁଦାୟ ୧ ଲକ୍ଷ ୪୦ ହଜାର ଟଙ୍କା କଟିଗଲା। ଏହାଦେଖି ତୁରନ୍ତ ଡାକ୍ତରଜଣକ ନିଜ ଆକାଉଣ୍ଟ ବ୍ଲକ୍ କରିଦେଲେ। ମାତ୍ର ସେତେବେଳକୁ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ସାରିଥିଲେ।
ଏନେଇ ଡାକ୍ତରଜଣକ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଜଣେ ଯୁବ ଇଞ୍ଜିନିୟରଙ୍କ ଆକାଉଣ୍ଟରୁ ୨୦ ଲକ୍ଷ ଅନ୍ୟ ଜଣଙ୍କ ଆକାଉଣ୍ଟରୁ ୨୩ ଲକ୍ଷରୁ ଅଧିକ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏକ ନକଲି ୱେବସାଇଟରେ ଟଙ୍କା ଲଗାଇ ଏମାନେ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଏ ନେଇ କଟକ ସାଇବର ଥାନାରେ ଏତଲା ଦେଇଛନ୍ତି ଉଭୟ ଯୁବକ।
ଉଭୟ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ସେମାନଙ୍କ ଫୋନ୍କୁ ହ୍ୱାଟସ୍ ଆପ୍ ମେସେଜ ଆସିଥିଲା । ଏହାକୁ କ୍ଲିକ୍ କରିବା ପରେ ସେମାନଙ୍କୁ ଏକ ଗ୍ରୁପରେ ଆଡ କରି ଭିନ୍ନ ଭିନ୍ନ ଟାସ୍କ ଦିଆଯାଉଥିଲା। ଟାସ୍କ ପୂରଣ କଲେ ସଙ୍ଗେ ସଙ୍ଗେ ଟଙ୍କା ମିଳି ଯାଉଥିଲା। ଘରେ ବସି ଆକାଉଣ୍ଟକୁ ଟଙ୍କା ଆସି ଯାଉଥିବାରୁ ଉକ୍ତ ଦୁଇ ଯୁବ ଇଞ୍ଜିନିୟର ଏହି ମାୟା ଜାଲରେ ଧୀରେ ଧରେ ଫସିବାକୁ ଲାଗିଲେ।
ଏହାପରେ ସାଇବର ଠକ ସେମାନଙ୍କୁ କ୍ରିପ୍ଟୋ କରେନ୍ସି ଖେଳିବାକୁ ଉସକାଉଥିଲେ। ଲୋଭର ବଶବର୍ତ୍ତୀ ହୋଇ ସେମାନେ ଗୋଟିଏ ପରେ ଗୋଟିଏ ଟାସ୍କ ଖେଳି ଚାଲିଲେ। ପ୍ରତି ଟାସ୍କ ପିଛା ୩୦% ଟଙ୍କା ମିଳିବ ବୋଲି ମିଳୁଥିଲା ଅଫର। ସେଥିପାଇଁ ପ୍ରଥମେ ଟଙ୍କା ଡିପୋଜିଟ କରୁଥିଲେ ଉଭୟ ଯୁବକ। ଏମିତି କରି ଉଭୟଙ୍କଠାରୁ ସାଇବର ଲୁଟେରା ୪୩ ଲକ୍ଷ ଟଙ୍କା ଠକି ନେଇଥିବା କୁହାଯାଉଛି। ଏନେଇ ଉଭୟ ଯୁବକ ସାଇବର ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ସାଇବର ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସାଇବର ଠକଙ୍କ କବଳରୁ ବର୍ତ୍ତିବାକୁ ସବୁବେଳେ ପୁଲିସ୍ ଲୋକଙ୍କୁ ସଚେତନ କରଉଛି। ଅଜଣା ଲିଙ୍କ୍ କ୍ଲିକ୍ ନ କରିବା ସହ ଅଜଣା ଲୋକଙ୍କ ସହ ଓଟିପି ଶେଆର ନ କରିବାକୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ସାଇବର ଠକଙ୍କ ଜାଲରେ ପଡ଼ି ସର୍ବସ୍ୱ ହରାଉଛନ୍ତି ଲୋକେ। ମୁଖ୍ୟତଃ ସାଇବର ଠକଙ୍କ କବଳରେ ମୁର୍ଖ ଲୋକଙ୍କଠୁ ଅଧିକ ଶିକ୍ଷିତ ଲୋକ ପଡ଼ୁଥିବା ଜଣାଯାଇଛି।
ଭାପୁର ବ୍ଲକର ପ୍ରାୟ ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ସାଇବର ଲୁଟେରା ଟାର୍ଗେଟ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଫସି ଯାଇଛନ୍ତି। ସାଇବର ଲୁଟେରା ୨ ଜଣଙ୍କ ଠାରୁ ୨୦ ହଜାର ଟଙ୍କା ଲେଖାଏ (୪୦ ହଜାର) ଓ ଅନ୍ୟ ଜଣଙ୍କ ଠାରୁ ୩ ହଜାର ଟଙ୍କା ଲୁଟି ନେଇଛନ୍ତି।
ସାଇବର ଲୁଟେରା ପ୍ରଥମେ ଏହି ପ୍ରଧାନ ଶିକ୍ଷକମାନଙ୍କୁ ଫୋନ କରି ଭାପୁର ବିଡିଓ ବୋଲି ପରିଚୟ ଦେଇଥିଲେ ଓ ଟଙ୍କା ପଠାଇବାକୁ କହିଥିଲେ। ଟଙ୍କା ପଠାଇବା ପାଇଁ YONO ବ୍ୟବହାର କରିବାକୁ କହିଥିଲେ। ସାଇବର ଲୁଟେରା ଏହି ଶିକ୍ଷକମାନଙ୍କ ଠାରୁ OTP ନମ୍ବର ମାଗି ନେଇଥିଲେ ଓ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରି ଦେଇଥିଲେ।
ସାଇବର ଲୁଟେରାଙ୍କ ଶିକାର ହୋଇଥିବା ଏହି ଶିକ୍ଷକମାନେ ଅନ୍ଲାଇନରେ ସାଇବର ଥାନାରେ ଅଭିଯୋଗ କରିବା ସହ ଫତେଗଡ଼ ଥାନାରେ ଏତଲା ମଧ୍ୟ ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ପ୍ରଧାନ ଶିକ୍ଷକ ମାନଙ୍କ ବୈଠକ ଡକାଯାଇ ସେମାନଙ୍କୁ ସାଇବର ଲୁଟ୍ ସଂପର୍କରେ ସଚେତନ କରାଯିବ ବୋଲି କହିଛନ୍ତି ଭାପୁର ବ୍ଲକ ଶିକ୍ଷାଧିକାରୀ (ବିଇଓ)।
ଅଧିକ ଟଙ୍କା ରୋଜଗାର କରିବାର ଲୋଭ ଦେଖାଇ ସାଇବର ଠକମାନେ କର୍ଣ୍ଣେଲଙ୍କ ଠାରୁ ୨.୫ କୋଟି ଟଙ୍କା ଠକି ନେଇଛନ୍ତି। ଏପ୍ରିଲରୁ ମେ’ ମାସ ମଧ୍ୟରେ ସାଇବର ଠକମାନେ ଏତେ ପରିମାଣର ଠକେଇ କରିଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି। ପୀଡ଼ିତ ଜଣଙ୍କ ପୁଣେ ସାଇବର ପୁଲିସ୍ ନିକଟରେ ଏନେଇ ଅଭିଯୋଗ କରିବା ସହ ଟଙ୍କା ଫେରାଇ ଆଣିବାକୁ ନିବେଦନ କରିଛନ୍ତି।
ଅଭିଯୋଗ ପରେ ସାଇବର ପୁଲିସ୍ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଯାଞ୍ଚ ପରେ ପୁଲିସ୍ ଏଫଆଇଆର ରୁଜୁ କରିବ। ବରିଷ୍ଠ ପୁଲିସ୍ ଇନସପେକ୍ଟର ମୀନାଲ ପାଟିଲ କହିଛନ୍ତି, “କର୍ଣ୍ଣେଲ(ଅବସରପ୍ରାପ୍ତ) ଜଣଙ୍କ ବୁଣ୍ଡ ଗାର୍ଡେନ ଅଞ୍ଚଳରେ ରୁହନ୍ତି। ସେ ଆମକୁ କହିଛନ୍ତି ଯେ ତାଙ୍କ ପାଖକୁ ହ୍ୱାଟସଆପ୍ରେ ଗୋଟିଏ ମେସେଜ ଆସିଥିଲା।
ଏଥିରେ ତାଙ୍କୁ ଅନଲାଇନରେ ସୀମକ୍ଷା ରିପୋର୍ଟ ଓ ଭିଡିଓ ଲାଇକ କଲେ ଭଲ ଟଙ୍କା ମିଳିବ ବୋଲି କୁହାଯାଇଥିଲା। ମେସେଜରେ କୁହାଯାଇଥିଲା ଯେ କର୍ଣ୍ଣେଲ ଯେତେବେଳେ ବି ଫ୍ରି ରହିବେ, ଘରେ ବସି କାମ କରିପାରିବେ। ଏଥିପାଇଁ ତାଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିବ ବୋଲି ପ୍ରସ୍ତାବ ଦିଆଯାଥିଲା।
ଟଙ୍କା କଥା ଶୁଣିବା ପରେ ସେ ମେସେଜକୁ ଖୋଲିଥିଲା। ସେ ଲିଙ୍କରେ କ୍ଲିକ କରିବା ମାତ୍ରେ ସାଇବର ଠକମାନେ ତାଙ୍କୁ ଠକିବା ଆରମ୍ଭ କରି ଦେଇଥିଲେ। କିନ୍ତୁ ତାଙ୍କୁ ଆଉ ଫୋନ କରି ନଥିଲେ। ପ୍ରାଥମିକ ଅବସ୍ଥାରେ କର୍ଣ୍ଣେଲଙ୍କ ବିଶ୍ୱାସ ଜିତିବା ପାଇଁ ସାଇବର ଠକମାନେ ତାଙ୍କୁ କିଛି ଟଙ୍କା ଟ୍ୟାକ୍ସ ପାଇଁ ଦେଇଥିଲା।
ଏହାପରେ ତାଙ୍କୁ ଅଧିକ ଟଙ୍କାର ଟ୍ୟାକ୍ସ ପାଇଁ ପୁଞ୍ଜି ନିବେଶ ପାଇଁ କହିଥିଲେ। କର୍ଣ୍ଣେଲ ମଧ୍ୟ ସେମାନଙ୍କ କଥାରେ ବିଶ୍ୱାସ କରି ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ମାସକ ମଧ୍ୟରେ ସେ ମୋଟ ୪୮ଟି ଆକାଉଣ୍ଟକୁ ମୋଟ ୨.୫ କୋଟି ଟଙ୍କା ପଠାଇଥିଲେ ମଧ୍ୟ ଏହା ବଦଳରେ କିଛି ବି ପାଇ ନଥିଲେ। ଶେଷରେ ସେ ଠକାମୀରେ ପଡ଼ିଥିବା ଅନୁଭବ କରି ସାଇବର ପୁଲିସ୍ରେ ଅଭିଯୋଗ କରିଛନ୍ତି।
ସେ ଠକାମୀରେ ପଡ଼ିଥିଲେ ମଧ୍ୟ ନିଜର ପରିବାର ଲୋକଙ୍କୁ କିଛି ବି କହିଥିଲେ। କର୍ଣ୍ଣେଲଙ୍କ ଅଭିଯୋଗ ଆଧାରରେ ପୁଣେ ସାଇବର ପୁଲିସ୍ ତଦନ୍ତ ଆରମ୍ଭ କରିଛି। ସେହିପରି ସେ ଯେଉଁ ୪୮ଟି ଆକାଉଣ୍ଟକୁ ଟଙ୍କା ପଠାଇଥିଲେ, ସେଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ପୁଲିଦସ ବ୍ୟାଙ୍କକୁ କହିଛି।
ବିଗତ କିଛି ମାସ ହେଲାଣି WFH ସ୍କାମ ଭାରତରେ ବାରମ୍ବାର ଘଟିବାରେ ଲାଗିଛି। ସାଇବର ଠକଙ୍କ ଜାଲରେ ଫସି ଶତାଧିକ ଲୋକ କୋଟି କୋଟି ଟଙ୍କା ହରାଇଛନ୍ତି। ଏବେ ପୁଣି ଜଣେ ବ୍ୟକ୍ତି ସାଇବର ଠକଙ୍କ ଜାଲରେ ଫସିଛନ୍ତି। ତାଙ୍କ ଠାରୁ ୭୦ ଲକ୍ଷ ଟଙ୍କାର ଠକେଇ କରାଯାଇଛି।
ଅଭିଯୋଗକାରୀ କହିଛନ୍ତି ଯେ ଜଣେ ମହିଳା ପ୍ରଥମେ ତାଙ୍କୁ ହ୍ୱାଟସଆପ୍ରେ ଫୋନ କରିଥିଲେ। ଫେବୃଆରୀ ୨୭ରେ ମହିଳା ଜଣଙ୍କ କଲ କରି ତାଙ୍କୁ ଅନଲାଇନ ଚାକିରିର ଅଫର ଦେଇଥିଲେ। ବ୍ୟକ୍ତି ଜଣଙ୍କୁ ଟେଲିଗ୍ରାମ ଗ୍ରୁପକୁ ଆସିବାକୁ କୁହାଯାଇଥିଲା ଓ କିଛି ଛୋଟିଆ କାମ କରିବାକୁ କୁହାଯାଇଥିଲା।
ସେ ଦିଆଯାଇଥିବା କାମକୁ କରିବା ପରେ ଟଙ୍କା ମଧ୍ୟ ପାଇଥିଲେ। ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି, “ଆକାଂକ୍ଷା ନାମକ ଜଣେ ମହିଳା ମୋତେ ଫୋନ କରିଥିଲେ। ସେ ମୋତେ ୱାର୍କ ଫର୍ମ ହୋମ ଚାକିରି ଅଫର କରିଥିଲେ। ଆକାଂକ୍ଷା ମୋତେ ଆଉ ଜଣେ ମହିଳା ରବୀନା କୌରଙ୍କ ସହ ମଧ୍ୟ ପରିଚିତ କରାଇଥିଲେ।
କୌର ଗୋଟିଏ ଘରୋ ଟ୍ରାଭେଲ କମ୍ପାନୀରେ କାମ କରୁଥିବା କହିଥିଲେ। ସେ ମୋତେ ପୁଞ୍ଜି ନିବେଶ କରିବାକୁ ପ୍ରବର୍ତ୍ତାଇ ଥିଲେ ଓ ବଦଳରେ ମୋଟ ଅଙ୍କର ଟଙ୍କା ମିଳିବ ବୋଲି ସୂଚନା ଦେଇଥିଲେ।”
ବ୍ୟକ୍ତି ଜଣଙ୍କ ଚାକିରି ପାଇଁ ଗୋଟିଏ ପୋର୍ଟାଲରେ ପଞ୍ଜୀକରଣ କରିବା ପରେ ୧୨ଶହ ଟଙ୍କା ପାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିଭିନ୍ନ କାମ ମିଳିଥିଲା ଓ ଏହାକୁ ଶେଷ କରି ସେ ବେଶ ଆରାମରେ ୧୦ ହଜାର ଟଙ୍କା ଆୟ କରିଥିଲେ।
କିଛି ମାସ ଧରି ବ୍ୟକ୍ତି ଜଣଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ସାଇବର ଠକ ତାଙ୍କ ସହ ଯୋଡ଼ି ହୋଇ ରହିଥିଲେ ଓ ମୋଟା ଅଙ୍କର ଅର୍ଥ ପାଇଁ ନିବେଶ କରିବାକୁ ଉସକାଇଥିଲେ। ଶେଷରେ ବ୍ୟକ୍ତି ଜଣଙ୍କ ସେମାନଙ୍କ ଜାଲରେ ଫସି ଯାଇଥିଲେ।
ସେ କହିଛନ୍ତି, “ଫେବୃଆରୀରୁ ମେ’ ମାସ ମଧ୍ୟରେ ମୁଁ ୨୦ଟି ଟ୍ରାଞ୍ଜାକସନ ଦ୍ୱାରା ମୋଟ ୬୯.୯ ଲକ୍ଷ ଟଙ୍କା ନିବେଶ କରିଛି। କିନ୍ତୁ ମୋତେ ଏହାକୁ ଉଠାଇବା ପାଇଁ ସୁଯୋଗ ମିଳୁନି। ସେମାନେ ମୋ ଟଙ୍କା ମୋତେ ଦେଉ ନାହାନ୍ତି।” ଏନେଇ ବ୍ୟକ୍ତି ଜଣଙ୍କ ଗୁରୁବାର ପୁଲିସ୍ର ଦ୍ୱାରସ୍ଥ ହେବା ପରେ ପୁଲିସ୍ ଏଫଆଇଆର ରୁଜୁ କରିଛି।
୪୧୯ ଓ ୪୨୦ରେ ମାମଲା ହୋଇଥିଲେ ହେଁ ଅଭିଯୁକ୍ତଙ୍କ ସମ୍ପର୍କରେ ପୁଲିସ୍ କୌଣସି ସୂଚନା ପାଇନାହିଁ। ତଦନ୍ତକାରୀ ଅଧିକାରୀ କହିଛନ୍ତି, “ପ୍ରାଥମିକ ତଦନ୍ତ ପରେ ଏଫଆଇଆର ରୁଜୁ କରାଯାଇଛି। ଘଟଣାର ତଦନ୍ତ ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ।”
ଇନଷ୍ଟା ମେସେଜିଂ ପ୍ଲାଟଫର୍ମ ହ୍ୱାଟସଆପ୍ ସ୍କାମ କଲ ରୋକିବାକୁ ପ୍ରାୟ ୩୬ ଲକ୍ଷ ଆକାଉଣ୍ଟକୁ ବ୍ୟାନ କରିଥିଲା। କୃତ୍ରିମ ବୃଦ୍ଧି(ଏଆଇ) ଓ ମେସିନ ଲର୍ଣ୍ଣିଂ (ଏମଏଲ) ବ୍ୟବସ୍ଥା ଦ୍ୱାରା ଠକେଇ କଲକୁ ହ୍ରାସ କରିବାକୁ ଯୋଜନା କରାଯାଉଥିବା କମ୍ପାନୀ କହିଛି।
ନିକଟରେ ହରିଆଣା ପୁଲିସ୍ର ସାଇବର ୱିଙ୍ଗ ନକଲି ଦସ୍ତାବିଜ୍ ଦେଇ ସିମ କାର୍ଡ ହାତେଇ ଥିବା ୨୦,୫୪୫ ମୋବାଇଲ ନମ୍ବରକୁ ବ୍ଲକ କରିଥିଲା। ଅଧିକାଂଶ ସିମ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଓ ଦିଲ୍ଲୀରୁ ଇସ୍ୟୁ ହୋଇଥିଲା। ସେହିପରି ସାଇବର ଠକେଇରେ ସାମିଲ ଥିବା ୩୪ ହଜାର ମୋବାଇଲ ନମ୍ବର ସମ୍ପର୍କରେ ମଧ୍ୟ ପୁଲିସ୍ ତଥ୍ୟ ହାସଲ କରିବାକୁ ସକ୍ଷମ ହୋଇଥିଲା।
ହରିଆଣା କ୍ରାଇମବ୍ରାଞ୍ଚରେ ମୋଟ ୨୫,୬୫୯ ସାଇବର ଠକେଇର ଅଭିଯୋଗ ପଞ୍ଜୀକୃତ ହୋଇଛି। ଚଳିତ ବର୍ଷ ଜାନୁଆରୀ ୧ରୁ ମାର୍ଚ୍ଚ ୩୦ ମଧ୍ୟରେ ଏତେ ସଂଖ୍ୟକ ସାଇବର ଠକେଇର ଅଭିଯୋଗ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପୁଲିସ କହିବା ମୁତାବକ, ଅନେକ ଶିକ୍ଷିତ ଲୋକଙ୍କୁ ୱାର୍କ ଫମ୍ ହୋମ୍ ବା ଘରୁ କାମ କରି ରୋଜଗାର କରିବାର ଲୋଭ ଦେଖାଇ ଠକୁଛନ୍ତି ଲୁଟେରା।
ଅଧିକ ରିଟର୍ଣ୍ଣ ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଠକ୍। ପ୍ରଥମ ଜମା ଉପରେ ଆକର୍ଷଣୀୟ ସୁଧା ଦେଉଛନ୍ତି। ଏହା ପରେ ମିଳୁଥିବା ଜମା ସମୂଳ ହଡ଼ପ କରୁଛନ୍ତି। ଏହି ଧରଣର ସର୍ବାଧିକ ୧୪ଟି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକରେ ୧ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି।
ସାଇବର ଥାନା ଗଠନର ଦେଢ଼ ବର୍ଷ ଭିତରେ ଗତ ଅଗଷ୍ଟ ମାସରେ ସର୍ବାଧିକ ଠକେଇ ମାମଲା ରେକର୍ଡ କରାଯାଇଛି। ଏହି ସମୟ ଭିତରେ ମୋଟ ଠକେଇ ଫୋନ୍ କଲ ୪୦୫ଟି, ଓଟିପି ଠକେଇ ୨୧୭ଟି, ସାମାଜିକ ଗଣମାଧ୍ୟମ ଜରିଆରେ ୧୦୫ଟି ଠକେଇ ହୋଇଛି। ଚଳିତବର୍ଷ ଜାନୁଆରୀରେ ୧ କୋଟି ୮୭ ହଜାର ଟଙ୍କା, ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା।
ଏନେଇ ଆଜି ଇଓଡବ୍ଲୁ ଏସ୍ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ଅଭିଯୁକ୍ତର ଗୋଟିଏ ଆକାଉଣ୍ଟରୁ ୯ କୋଟି ଟଙ୍କା ମିଳିଛି। ସାରା ଦେଶରୁ ୧୪୪ କୋଟି ଟଙ୍କାର ଠକେଇ ହୋଇଥିବା ଅନୁମାନ କରୁଛି ଇଓଡବ୍ଲୁ। ଯେତେବେଳେ କି ଓଡିଶାର ୧୦୦ରୁ ଅଧିକ ଲୋକ ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି। ୱାଟ୍ସ ଆପ ଗ୍ରୁପ ଜରିଆରେ ଲୋକଙ୍କୁ ଗେଟ ସୋ ଆପ ଡାଉନଲୋଡ଼ କରି ୟୁପିଆଇ ଲିଙ୍କ ଜରିଆରେ କିମ୍ବା ଅନ୍ୟ ସଦସ୍ୟଙ୍କ ରେଫରାଲ ଲିଙ୍କ ଜରିଆରେ ଟଙ୍କା ଲଗାଇବା ପାଇଁ ପ୍ରବର୍ତ୍ତାଉଥିଲେ।
କ୍ରିପଟୋ ମାଇନିଙ୍ଗରେ ଟଙ୍କା ଲଗାଇବା ସହ ପ୍ରତିଦିନ ୬ ପ୍ରତିଶତ ସୁଧରେ ଟଙ୍କା ମିଳିବାର ପ୍ରଲୋଭନ ଦିଆଯାଉଥିଲା। ଏଥିସହ ଯେକୌଣସି ସମୟରେ ଡିପୋଜିଟ୍ ଟଙ୍କା ଉଠାଣ କରିପାରିବାର ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଥିଲା। ଗେଟ ସୋ ଆପ ବନ୍ଦ ହୋଇଗଲା ପରେ ସତ ସାମ୍ନାକୁ ଆସିଛି। ଅଭିଯୁକ୍ତର ଗୋଟିଏ ଆକାଉଣ୍ଟକୁ ସବୁ ଠକେଇ ଟଙ୍କା ଯାଇଥିବା ଜଣା ପଡିଛି।
ପଞ୍ଜାବ ଓ ଛତିଶଗଡରେ ଅଭିଯୁକ୍ତ ନାମରେ ମାମଲା ରହିଛି। ମାମଲାରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ ଚାଲିଛି ବୋଲି ଇଓଡବ୍ଲୁ ଏସ୍ପି କହିଛନ୍ତି।
ଉତ୍ତର ମୁତାବକ, ରାଜ୍ୟରେ ୨୦୧୮ରେ ୮୬୭ ସାଇବର ଅପରାଧ ମାମଲା ରୁଜୁ ହୋଇଥିବା ବେଳେ ୮ କୋଟି ୯୭ ଲକ୍ଷ ୮୦ ହଜାର ୬୬୬ ଟଙ୍କା ଲୁଟ୍ ଅଭିଯୋଗ ହୋଇଥିଲା। ୨୦୧୯ରେ ୧୪୭୫ ମାମଲାରେ ୧୬ କୋଟି ୧୮ ଲକ୍ଷ ୯୫ ହଜାର ୭୧୦ ଟଙ୍କା, ୨୦୨୦ରେ ୧୯୩୧ ମାମଲାରେ ୩୫ କୋଟି ୭ ଲକ୍ଷ ୨୦ ହଜାର ୧୩୫ ଟଙ୍କା, ୨୦୨୧ରେ ୨୦୩୭ ମାମଲାରେ ୪୦ କୋଟି ୩୯ ଲକ୍ଷ ୭୦ ହଜାର ୫୧୪ ଟଙ୍କା ଏବଂ ୨୦୨୨ର ପ୍ରାରମ୍ଭିକ ଦୁଇମାସ ଭିତରେ ୨୫୭ ମାମଲାରେ ୩ କୋଟି ୯୧ ଲକ୍ଷ ୮୬ ହଜାର ୯୩୩ ଟଙ୍କା ଲୁଟ୍ ହୋଇଛି।
ଅନ୍ୟପଟେ ସାଇବର ଅର୍ଥ ଲୁଟ୍ ମାମଲାରେ ପୁଲିସ ୨୦୧୮ରେ ୧୦ ଲକ୍ଷ ୭୪ ହଜାର ୧୨୭ ଟଙ୍କା, ୨୦୧୯ରେ ୬୮ ଲକ୍ଷ ୪୭ ହଜାର ୧୫୩ ଟଙ୍କା, ୨୦୨୦ରେ ୪୮ ଲକ୍ଷ ୨ ହଜାର ୬୨ ଟଙ୍କା, ୨୦୨୧ରେ ୬୬ ଲକ୍ଷ ୯୫ ହଜାର ୪୭୬ ଟଙ୍କା, ୨୦୨୨ରେ ଫେବୃଆରୀ ପର୍ଯ୍ୟନ୍ତ ୧୪ ଲକ୍ଷ ୯୭ ହଜାର ୧୨୧ ଟଙ୍କା ଉଦ୍ଧାର କରିବାରେ ସମର୍ଥ ହୋଇପାରିଛି।
କ୍ରାଇମ୍ ଇନ୍ ଇଣ୍ଡିଆ ୨୦୨୧ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟ ଅନୁପାତ ଦୃଷ୍ଟିରୁ ଓଡ଼ିଶାରେ ଏହି ଅପରାଧ ହାତ ବଢ଼ି ଚାଲିଛି। ୨୦୨୧ରେ ଓଡ଼ିଶାରେ ସଂଗଠିତ ଅପରାଧର ୪.୪ ପ୍ରତିଶତ ସାଇବର ମାମଲା ହୋଇଥିବା ବେଳେ ଦେଶରେ ଘଟୁଥିବା ସାଇବର ମାମଲାର ୩.୯ ପ୍ରତିଶତ ଓଡ଼ିଶାରେ ସଂଗଠିତ ହେଉଛି।
ସାଇବର ମାମଲା ରୋକିବାକୁ ରାଜ୍ୟରେ ୧୪ଟି ସାଇବର ଥାନା କାମ କରୁଛି। କମ୍ପ୍ୟୁଟର ଓ ଇଣ୍ଟରନେଟ୍ ବ୍ୟବହାରର ଦୃତ ଅଭିବୃଦ୍ଧି, ସୋସିଆଲ ମିଡିଆରେ ଯୋଗାଯୋଗ ବ୍ୟବସ୍ଥାରେ ଅଗ୍ରଗତି ଓ ବାଣିଜ୍ୟ କାରବାର ବ୍ୟାପକତା ଯୋଗୁ ପ୍ରତ୍ୟେକ ଜିଲ୍ଲା ଏସ୍ପି ଅଫିସ୍ରେ ୨୦୧୩ ଏପ୍ରିଲ ପହିଲାରୁ ସାଇବର କ୍ରାଇମ୍ ସେଲ କାମ କରୁଛି।
ପ୍ରତ୍ୟେକ ଜିଲ୍ଲାରେ ସାଇବର ଅପରାଧ ଓ ଅର୍ଥନୈତିକ ଅବରାଧ ଥାନା ଖୋଲିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ଥାନାକୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର କମ୍ପେଡିୟମ୍ ବିତରଣ କରାଯାଇଛି।
୨୦୧୭ରୁ ସାଇବର ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ଭୁବନେଶ୍ୱରର ରସୁଲଗଡ଼ ସ୍ଥିତି ରାଜ୍ୟ ଅପରାଧ ଅନୁସନ୍ଧାନ ବିଜ୍ଞାନଗାର ଠାରେ କାମ କରୁଛି। ଅନୁସନ୍ଧାନ ନିମନ୍ତେ ଆବଶ୍ୟକ ତାଲିମ ପୁଲିସ ଅଫିସ୍ର, ସରକାରୀ ଓକିଲ, ନ୍ୟାୟିକ ଅଧିକାରୀମାନଙ୍କୁ ଦିଆଯାଉଛି। ଏହାଛଡ଼ା ବିଭିନ୍ନ ସମୟରେ ବହୁ ପୁଲିସ ଅଫିସ୍ରଙ୍କୁ ସାଇବର ମାମଲାର ତଦନ୍ତ ନିମନ୍ତେ ସ୍ୱତନ୍ତ୍ର ତାଲିମ ଦିଆଯାଇଛି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି।
ଏସବୁ ସତ୍ତ୍ୱେ ସାଇବର ଠକ ଚାଲାକି କରି ଲୋକଙ୍କ ଟଙ୍କା ଇଣ୍ଟରନେଟ୍ ଜରିଆରେ ଉଡ଼ାଇ ନେବାରେ ସମାର୍ଥ ହେଉଛନ୍ତି। ଯାହା ଉଦ୍ବେଗର ବିଷୟ ହୋଇଛି।
ମହିଳାଙ୍କୁ ବିଭିନ୍ନ ପ୍ରକାରର ଇନଷ୍ଟାଗ୍ରାମ ରିଲ୍ସ, ୟୁଟ୍ୟୁବ ଭିଡିଓ ଓ ଚ୍ୟାନେଲକୁ ଲାଇକ ଏବଂ ସବସ୍କ୍ରାଇବ କଲେ ଟଙ୍କା ମିଳିବାର ଲୋଭ ଦେଖାଇ ସାଇବର ଠକମାନେ ତାଙ୍କୁ ଜାଲରେ ଫସାଇଥିଲେ। ଏହାପରେ କୌଶଳକ୍ରମେ ତାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ କରି ନେଇଛନ୍ତି।
୩୮ ବର୍ଷୀୟ ମହିଳା ଜଣଙ୍କ ହେଲେ ରଚନା ଭାବସର। ସେ ଘୁମାରେ ଥିବା ବିଭୂଷଣ ବଙ୍ଗଳା ନିକଟ ନନ୍ଦବିହାର ଆବାସିକ ଅଞ୍ଚଳରେ ରୁହନ୍ତି। ସେ ଗୋଟିଏ ଟେଲିକମ କମ୍ପାନୀରେ କାମ କରନ୍ତି। ଡିସେମ୍ବର ୮ ତାରିଖରେ ଜାରା ନାମ୍ନୀ ଜଣେ ମହିଳା ରଚନାଙ୍କ ହ୍ୱାଟସଆପ୍କୁ ଗୋଟିଏ ମେସେଜ କରିଥିଲେ। ତାଙ୍କୁ ଏହି ମେସେଜ ଜରିଆରେ ପାର୍ଟ ଟାଇମ କାମ କରିବାକୁ ଚାହୁଁଛନ୍ତି କି ପ୍ରଶ୍ନ କରିଥିଲେ। ରଚନା ଟଙ୍କା ରୋଜଗାର କରିବା ଲୋଭରେ ଏହି ପ୍ରସ୍ତାବରେ ରାଜି ହୋଇଯାଇଥିଲେ।
ଏହାପରେ ସେ ରଚନାଙ୍କୁ ଅଧିକ ତଥ୍ୟ ମାଗିଥିଲେ ଓ ଏହାକୁ ଚାକିରି ଦେଉଥିବା ଲୋକଙ୍କ ପାଖକୁ ପଠାଇବେ ବୋଲି କହିଥିଲେ। କିଛି ଦିନ ପରେ ଆଉ ଗୋଟିଏ ନମ୍ବରରୁ ରଚନାଙ୍କୁ ମେସେଜ ଆସିଥିଲା। ଏହି ମେସେଜରେ କୁହାଯାଇଥିଲା ଯେ ଆପଣ ବିଭିନ୍ନ ପ୍ରକାରର ଭିଡିଓ ଓ ଚ୍ୟାନେଲକୁ ସବସ୍କ୍ରାଇବ କରି ଟଙ୍କା ରୋଜଗାର କରିପାରିବେ।
ଏକଥା ଶୁଣି ରଚନା ଖୁସି ହୋଇଯାଇଥିଲେ ଓ ଗୋଟିଏ ଟେଲିଗ୍ରାମ ଗ୍ରୁପରେ ଯୋଗ ଦେଇଥିଲେ। ଏହି ଗ୍ରୁପରେ ତାଙ୍କ ପାଖକୁ ବିଭିନ୍ନ ପ୍ରକାରର ଭିଡିଓ ଓ ଚ୍ୟାନେଲଗୁଡ଼ିକର ଲିଙ୍କ ଆସିବା ଆରମ୍ଭ ହୋଇଥିଲା।
ସେ ଏହାକୁ ଲାଇକ ଓ ସବସ୍କ୍ରାଇବ କରୁଥିଲେ ଏବଂ ନିର୍ଦ୍ଦେଶ ଅନୁସାରେ ସ୍କ୍ରିନଶଟ୍ ଗ୍ରୁପରେ ପଠାଉଇଥିଲେ। ୩ରୁ ୪ଟି ଲାଇକ ଓ ସବସ୍କ୍ରାଇବ ପାଇଁ ପ୍ରାଥମିକ ଅବସ୍ଥାରେ ତାଙ୍କୁ ୧୫୦ ଟଙ୍କା ମିଳିଥିଲା।
ଡିସେମ୍ବର ୧୨ ତାଙ୍କୁ ଆଉ ଗୋଟିଏ ମେସେଜ ଆସିଥିଲେ। ଏଥିରେ ଅଧିକ ପରିମାଣର ଲାଇକ ଓ ସବସ୍କ୍ରାଇବ ଟ୍ୟାକ୍ସ ପାଇବା ପାଇଁ ୧୦ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ରଚନା ତୁରନ୍ତ ଅନଲାଇନ ଜରିଆରେ ଟଙ୍କା ଜମା କରିଥିଲେ। ହେଲେ ତାଙ୍କୁ କୌଣସି ପ୍ରକାରର ରିଟର୍ଣ୍ଣ ମିଳି ନଥିଲା।
ଏହା ସତ୍ତ୍ୱେ ତାଙ୍କ ଲୋଭ କମି ନଥିଲା। ସେ ସାଇବର ଠକମାନଙ୍କ କଥାରେ ବାରମ୍ବାର ଟଙ୍କା ପଠାଇ ଚାଲିଥିଲେ। ଏପରି ଭାବେ ସେ ୨ ଲକ୍ଷ ଟଙ୍କା ଜମା କରିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାରର ଟଙ୍କା ଫେରସ୍ତରେ ମିଳି ନଥିଲା। ଶେଷରେ ସେ ଠକାମୀରେ ପଡ଼ିଥିବା ଜାଣିପାରି ପୁଲିସ୍ର ଦ୍ୱାରସ୍ଥ ହୋଇଛନ୍ତି। ପୁଲିସ ତାଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସେ ଲିଖିତ ଅଭିଯୋଗ କରିଛନ୍ତି ଯେ, ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଯାହାକି ଏକ ଓଟିପି ନମ୍ବର ଥିଲା। ସେ କିନ୍ତୁ ଏହି ଓଟିପିକୁ କାହା ସହ ସେୟାର କରିନାହାନ୍ତି। ପରେ କିନ୍ତୁ ଦୁଇଟି ଟ୍ରାଞ୍ଜାକସନରେ ପ୍ରଥମେ ଲକ୍ଷେ ପରେ ୫୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଛି। ଟଙ୍କା କଟିବା ପରେ ତାଙ୍କ ମୋବାଇଲକୁ ମେସେଜ ଆସିଥିଲା। ଏହା ଦେଖି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ପରେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟ ଦେଖିବା ପରେ ଥାନାରେ ଏତଲା ଦେଇଛନ୍ତି। ଯେଉଁଥିରେ ସେ ବ୍ୟାଙ୍କ ଆକାଉଣ୍ଟର ନେଣଦେଣ ରିପୋର୍ଟକୁ ମଧ୍ୟ ଦେଇଛନ୍ତି। ପୁଲିସ ଦୀପାଳିଙ୍କ ଏତଲାକୁ ଗ୍ରହଣ କରି ଘଟଣାର ତଦନ୍ତ କରୁଛି ।
ସମ୍ବଲପୁର ମୋଦୀପଡା ହେଉଛି ଦୀପାଳିଙ୍କ ପୈତୃକ ଘର। ଅଇଁଠାପାଲିରେ ତାଙ୍କର ଆଇସିଆଇସିଆଇ ବ୍ୟାଙ୍କର ଆକାଉଣ୍ଟ ଥିଲା। ସେହି ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା କଟିଯାଇଥିଲା।
ଚାକିରି ପାଇବା ପାଇଁ ଜଣେ ମହିଳା ନୌକରୀ ଡଟ୍ କମ୍ରେ ଆବେଦନ କରିଥିଲେ। କିନ୍ତୁ କୌଣସି କଲ୍ ଆସିନଥିଲା। ତେଣୁ ମହିଳା ଜଣକ ଗୁଗଲ୍ରୁ ନୌକରୀ ଡଟ୍ କମ୍ର ହେଲ୍ପ ଲାଇନ୍ ନମ୍ୱର ଖୋଜି ପାଇଥିଲେ। ପରେ ସେ ସେହି ନମ୍ୱରରେ ଫୋନ୍ କରିଥିଲେ। କଲ୍ ରିସିଭ କରିଥିବା ବ୍ୟକ୍ତି ନିଜକୁ ନୌକରୀ ଡଟ୍ କମ୍ର କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ପରେ ସେ ଆଉ ଜଣଙ୍କ ମୋବାଇଲ୍ ନମ୍ୱର ଦେଇଥିଲେ।
ମହିଳା ଜଣକ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରିଥିଲେ। ବ୍ୟକ୍ତି ଜଣକ ଫୋନ୍ ଉଠାଇ ନିଜକୁ ଆମାଜନ୍ରେ କାମ କରୁଥିବାର ପରିଚୟ ଦେଇଥିଲେ। କଥାବାର୍ତ୍ତା ଛଳରେ ବ୍ୟକ୍ତି ଜଣଙ୍କ ମହିଳାଙ୍କୁ ବିଜ୍ନେସ୍ ଆଇଡିଆ ଦେଇଥିଲେ। ଘରେ ବସି ଅନ୍ଲାଇନ୍ରେ ମାର୍କେଟିଂ କଲେ ଭଲ ରୋଜଗାର ହେବ ବୋଲି ବ୍ୟକ୍ତି ଜଣକ କହିଥିଲେ। ତାଙ୍କ ପରାମର୍ଶ କ୍ରମେ ମହିଳା ଜଣକ ଅନ୍ଲାଇନ୍ ମାର୍କେଟିଂ କରିବା ପାଇଁ ରାଜି ହୋଇଥିଲେ। ତା’ପରେ ସେ ପଠାଇଥିବା ଲିଙ୍କରେ ରେଜିଷ୍ଟ୍ରେସନ୍ କରିଥିଲେ। ଆଉ ତା’ପରେ ମହିଳା ଜଣକ ମାର୍କେଟିଂ ଆରମ୍ଭ କରିଥିଲେ। ବିଜନେସ୍ରେ ଭଲ ଲାଭ ମଧ୍ୟ ମିଳୁଥିଲା। ସେଥିପାଇଁ ଅଧିକ ଟଙ୍କା ଇନ୍ଭେଷ୍ଟମେଣ୍ଟ କରିଥିଲେ। ମାର୍କେଟିଂରୁ ମିଳିଥିଲା ଟଙ୍କା ଓ ବୋନ୍ସକୁ ମିଶାଇ ୧୪ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ସେହି ଟଙ୍କା ଇ-ୱାଲେଟ୍ରେ ରହିଥିଲା।
ଦୁଇ ମାସ ତଳେ ମହିଳା ଜଣଙ୍କ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଯାଇଥିଲେ। ମାତ୍ର ଟଙ୍କା ଉଠାଇ ପାରିନଥିଲେ। ପରେ ସେ ସମ୍ପୃକ୍ତ ବ୍ୟକ୍ତି(ଯିଏ ନିଜକୁ ଆମାଜନର କର୍ମଚାରୀ)ଙ୍କୁ ଫୋନ୍ କରିଥିଲେ। ସେ କହିଥିଲେ ୬.୫ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କଲେ ଟଙ୍କା ଉଠାଇ ପାରିବେ। ଏହା ପରେ ମହିଳା ଜଣକ ୬.୫ ଲକ୍ଷ ଟଙ୍କା ଜମା କରିଥିଲେ। ଏହା ସତ୍ତ୍ୱେ ସେ ଟଙ୍କା ଉଠାଇ ପାରିନଥିଲେ। ପରେ ଆଉ ଥରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ମହିଳା ଜଣକ ଫୋନ୍ କରିଥିଲେ। ସେ ଫୋନ୍ ରିସିଭ କରି ଜିଏସ୍ଟି ବାବଦକୁ ଆଉ ୬.୫ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲେ।
ଇ-ୱାଲେଟ୍ରେ ଥିବା ୧୪ ଲକ୍ଷ ଟଙ୍କା ପାଇବା ପାଇଁ ମହିଳା ଜଣକ ବାଧ୍ୟହୋଇ ଆଉ ୬.୫ ଲକ୍ଷ ଟଙ୍କା ଜମା କରିଥିଲେ। ଏହା ପରେ ମହିଳାଙ୍କ ମୋବାଇଲ୍ରୁ ହ୍ୱାଟ୍ସଆପ୍ ନମ୍ୱର ଡିଲିଟ୍ ହୋଇଯାଇଥିଲା। ଏପରି କଥା ହେଉଥିବା ମୋବାଇଲ୍ ନମ୍ୱରଟି ବ୍ଲକ ହୋଇଯାଇଥିଲା। ଏହା ପରେ ସେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ କୋଲକାତାରୁ ଲିଙ୍କ ମିଳିଥିଲା। ଏହା ପରେ ସାଇବର ଥାନା ପୁଲିସ କୋଲକାତା ଯାଇଥିଲା। ସେଠାରେ ଆନନ୍ଦ ରୋହିଦାସ ଓ ସୌକତ ପାଲଙ୍କୁ ଗିରଫ କରିଥିଲା। ସେମାନଙ୍କ ୪ଟି ଆକାଉଣ୍ଟରେ ଥିବା ୪ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ରାଜୁ ଦତ୍ତା ଫେରାର ହୋଇଯାଇଛି। ତାକୁ ଗିରଫ କରିବା ପାଇଁ କୋଲକାତା ପୁଲିସ୍ ସହାୟତାରେ ଓଡ଼ିଶା ସାଇବର ଥାନା ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ବୋଲି ଭୁବନେଶ୍ୱର ଜୋନ୍-୫ ଏସିପି ସଞ୍ଜୀବ ଶନତପଥୀ କହିଛନ୍ତି।
https://youtu.be/sabnwhcwoXE
https://youtu.be/QetCqa87zio