ମଧ୍ୟପ୍ରଦେଶ ଉଜ୍ଜୈନ ସହରରେ ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ଏ ନେଇ ଉଜ୍ଜୈନର ଜିଲ୍ଲାପାଳ ଆଶିଷ ସିଂହ ଏହି ସୂଚନା ଦେଇଛନ୍ତି। ମେ ୨୩ରେ ଏହି ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ କହିଛନ୍ତି। ମହିଳା ଜଣଙ୍କ କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କ ନମୁନାକୁ ପରୀକ୍ଷାଗାରକୁ ପଠାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ମହିଳା ଜଣଙ୍କ ଡେଲଟା ପ୍ଲସରେ ସଂକ୍ରମିତ ହୋଇଛନ୍ତି। ତେବେ ମହିଳା ଜଣଙ୍କ କୌଣସି ପ୍ରକାର ଟିକା ନେଇନଥିଲେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ଉଜ୍ଜୈନରେ ଥିବା କୋଭିଡ ହସ୍ପିଟାଲର ଡାକ୍ତର ରୋନକ କହିଛନ୍ତି, ମହିଳା ଜଣଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହାପରେ ତାଙ୍କର ନମୁନାକୁ ସଂଗ୍ରହ କରାଯାଇ ଭୋପାଳ ସ୍ଥିତ ପରୀକ୍ଷାଗାରକୁ ପଠାଯାଇଥିଲା। ପୂର୍ବରୁ ମଧ୍ୟ ଅନ୍ୟ ଆଡୁ ନମୁନା ଏହି ପରୀକ୍ଷାଗାରକୁ ଆସିଥିଲା। ଏହାପରେ ଏଯାବତ ଦୁଇ ମହିଳାଙ୍କ ପାଖରେ ଡେଲଟା ପ୍ଲସ ଭେରିଆଣ୍ଟ ଥିବା ଦେଖିବାକୁ ମିଳିଛି। ଏହି ଦୁଇ ମହିଳା ଯେଉଁମାନଙ୍କ ସହ ଯୋଗାଯୋଗରେ ଆସିଥିଲେ ସମସ୍ତଙ୍କର କୋଭିଡ ପରୀକ୍ଷା ହୋଇଥିଲା। ସେମାନଙ୍କର କିନ୍ତୁ ରିପୋର୍ଟ ନେଗେଟିଭ ଆସିଛି।
ସୂଚନାଯୋଗ୍ୟ, ଦେଶରେ ଏବେ ମୋଟ୍ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୪୦ରୁ ଅଧିକ ଏବେ ଡେଲଟା ପ୍ଲସରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟରୁ ଜଣାପଡ଼ିଛି। ଏହି ଭେରିଆଣ୍ଟ ଅଧିକ ମାରାତ୍ମକ ବୋଲି ଗବେଷକ କହିଛନ୍ତି। ତେଣୁ ସମ୍ଭାବ୍ୟ ତୃତୀୟ ଲହରକୁ ଏହି ଭେରିଆଣ୍ଟ ବଳ ଯୋଗାଇପାରେ ବୋଲି ବିଶେଷଜ୍ଞ ଚିନ୍ତା କରୁଛନ୍ତି। ତେଣୁ ଯେଉଁସବୁ ରାଜ୍ୟରୁ ଏହି ଭେରିଆଣ୍ଟ ଚିହ୍ନଟ ହୋଇଛି ସେହି ସମସ୍ତ ପ୍ରଶାସନକୁ ସତର୍କ ରହିବାକୁ କହିଛନ୍ତି କେନ୍ଦ୍ର ସରକାର।
ଆଇଏନଏସଏସିଓଜି ଇତିମଧ୍ୟରେ ଡେଲଟା ପ୍ଲସ୍ ଭେରିଆଣ୍ଟ ସବୁଠାରୁ ଚିନ୍ତାଜନକ ଭେରିଆଣ୍ଟ (ଭିଓସି) ପାଲଟିଛି ବୋଲି ଦର୍ଶାଇଛି। ଏହି ଭେରିଆଣ୍ଟରେ ଅଧିକ ମାତ୍ରାରେ ସଂକ୍ରମଣ କ୍ଷମତା ରହିବା ସହିତ ସଂକ୍ରମଣ ଆହରଣ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍ ସେଲକୁ ଦୃଢ଼ଭାବେ ଆକ୍ରାନ୍ତ କରି ଧରିବା ଏବଂ ଏହି ଭେରିଆଣ୍ଟର ମୋନୋକ୍ଳୋନାଲ୍ ଆଣ୍ଟିବଡ଼ି ରେସପନ୍ସ ହ୍ରାସ ଘଟାଇବାର ସାମର୍ଥ୍ୟ ରହିଛି।
ଏଥିସହ ଦେଶରେ ଆରୋଗ୍ୟ ହାର ୯୬.୫୬%କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ୨.୬୭ ପ୍ରତିଶତକୁ ଖସିଛି। ବିଗତ ୧୬ ଦିନ ହେବ ଦୈନିକ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି। ଗତକାଲିର ରିପୋର୍ଟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୩.୩୨ ପ୍ରତିଶତକୁ ଖସିଥିଲା।
ଏବେ ଦେଶ ପାଇଁ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡ଼ିଛି। ଏବେ ମୋଟ୍ ସଂକ୍ରମିତଙ୍କ ମଧ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ ସଂକ୍ରମିତ ୪୦ରୁ ଅଧିକ ରହିଥିବା ସୂଚନା ରହିଛି। କେରଳ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଏହି ଡେଲଟା ପ୍ଲସ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ୨୧, ମଧ୍ୟପ୍ରଦେଶ ୬, କେରଳ ଓ ତାମିଲନାଡୁରୁ ୩ ଜଣ ଲେଖାଏଁ ଏବଂ ପଞ୍ଜାବ, ଆନ୍ଧ୍ରପ୍ରଦେଶ ଜମ୍ମୁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବା ସୂଚନା ରହିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ଦୈନିକ ଟିକାକରଣ ପୂର୍ବ ଅପେକ୍ଷା ଅଧିକ ରହିଛି। ଏଯାବତ ୨୯ କୋଟି ଲୋକ ଟିକା ନେଇଛନ୍ତି। ଯେଉଁଥିରେ ପ୍ରଥମ ଡୋଜ ସଂଖ୍ୟା ଅଧିକ ରହିଛି। ମଙ୍ଗଳବାର ୫୪ ଲକ୍ଷ ଲୋକ ଟିକା ନେଇଛନ୍ତି। ଯାହାକି ସୋମବାର ଅପେକ୍ଷା ଢ଼େର କମ୍ ରହିଛି। ସୋମବାର ଏହି ସଂଖ୍ୟା ୮୫ ଲକ୍ଷ ଥିଲା।
ଆଇଏନଏସଏସିଓଜିର ସୂଚନା ଅନୁଯାୟୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ଼ ୧୯ର ନୂତନ ଡେଲଟା ପ୍ଲସ୍ ଭେରିଆଣ୍ଟ ସଂପର୍କରେ ମହାରାଷ୍ଟ୍ର, କେରଳ ଏବଂ ମଧ୍ୟ ପ୍ରଦେଶ ସରକାରଙ୍କୁ ସତର୍କ କରାଇଛନ୍ତି। ଏହିସବୁ ରାଜ୍ୟର କେତେକ ଜିଲ୍ଲାରେ ଏଭଳି ଭାଇରସର ନମୁନା ମିଳିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏହି ତିନୋଟି ରାଜ୍ୟଙ୍କୁ ଏ ସଂପର୍କରେ ଏକ ଚିଠି ଲେଖି ଅବଗତ କରାଇଛନ୍ତି । ସଂଗୃହୀତ ନମୁନା ଜେନୋମ୍ ସେକ୍ୱେନ୍ସିଂରୁ ଜଣାପଡ଼ିଛି ଯେ ମହାରାଷ୍ଟ୍ରର ରତ୍ନଗିରି ଓ ଜଲଗାଓଁ ଜିଲ୍ଳାରୁ, କେରଳର ପାଲାକ୍କାଡ଼ ଓ ପଥାନାମଥିଟ୍ଟା ଜିଲ୍ଲାରୁ ଏବଂ ମଧ୍ୟ ପ୍ରଦେଶର ଭୋପାଳ ଓ ଶିବପୁରୀ ଜିଲ୍ଲାରୁ ଏହି ଡେଲଟା ପ୍ଲସ୍ ଭାଇରସ ଭେରିଆଣ୍ଟ୍ ମିଳିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ବାୟୋଟେକ୍ନୋଲୋଜି ବିଭାଗ, ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମଆର) ଏବଂ ଭାରତୀୟ ବୈଜ୍ଞାନିକ ଓ ଶିଳ୍ପ ଅନୁସନ୍ଧାନ ପରିଷଦ (ସିଏସଆଇଆର)ର ମୋଟ ୨୮ଟି ପରୀକ୍ଷାଗାରକୁ ନେଇ ଆଇଏନଏସଏସିଓଜି ସଂଗଠନ ଗଠନ କରାଯାଇଛି। ଯେଉଁଠାରେ କୋଭିଡ଼ ୧୯ ମହାମାରୀ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ଜେନୋମ୍ ସେକ୍ୱେନ୍ସିଂ କରାଯାଉଛି। ଆଇଏନଏସଏସିଓଜିକୁ କେବଳ ସଂପୂର୍ଣ୍ଣ ଜେନୋମ୍ ସେକ୍ୱେନ୍ସିଂ କାର୍ଯ୍ୟ ସମର୍ପଣ କରାଯାଇନାହିଁ ଅପରନ୍ତୁ ଏହାର ମୁକାବିଲା କରିବା ନିମନ୍ତେ କି ପ୍ରକାର ଜନସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନେ ଗ୍ରହଣ କରିବା ଆବଶ୍ୟକ ସେ ସମ୍ପର୍କରେ ମଧ୍ୟ ସେମାନେ ଉପଯୁକ୍ତ ସମୟରେ ସୂଚନା ପ୍ରଦାନ କରନ୍ତି।
ଆଇଏନଏସଏସିଓଜି ଇତିମଧ୍ୟରେ ଡେଲଟା ପ୍ଲସ୍ ଭେରିଆଣ୍ଟ ସବୁଠାରୁ ଚିନ୍ତାଜନକ ଭେରିଆଣ୍ଟ (ଭିଓସି) ପାଲଟିଛି ବୋଲି ଦର୍ଶାଇଛି। ଏହି ଭେରିଆଣ୍ଟରେ ଅଧିକ ମାତ୍ରାରେ ସଂକ୍ରମଣ କ୍ଷମତା ରହିବା ସହିତ ସଂକ୍ରମଣ ଆହରଣ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍ ସେଲକୁ ଦୃଢ଼ଭାବେ ଆକ୍ରାନ୍ତ କରି ଧରିବା ଏବଂ ଏହି ଭେରିଆଣ୍ଟର ମୋନୋକ୍ଳୋନାଲ୍ ଆଣ୍ଟିବଡ଼ି ରେସପନ୍ସ ହ୍ରାସ ଘଟାଇବାର ସାମର୍ଥ୍ୟ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସଂପର୍କରେ ତିନି ରାଜ୍ୟକୁ ପରାମର୍ଶ ଦେଇଛି ଯେ ସେମାନେ ଏ ଦିଗରେ ଆବଶ୍ୟକ ଜନସ୍ୱାସ୍ଥ୍ୟ କାର୍ଯ୍ୟପନ୍ଥା ଗ୍ରହଣ କରିବା ଦରକାର। ପୂର୍ବରୁ କୋଭିଡ଼ ୧୯ ନିୟନ୍ତ୍ରଣ ସକାଶେ ଯେଉଁଭଳି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଆସୁଛି ମୁଖ୍ୟତଃ ସେହିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ ସମେତ ଏହା ଉପରେ ଅଧିକ ଦୃଷ୍ଟି ନିବଦ୍ଧ କରିବା ଓ ସକ୍ରିୟତାର ସହ ତାହାକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଆରୋପ କରିବା ଦରକାର ବୋଲି କେନ୍ଦ୍ର କହିଛି। ସଂପୃକ୍ତ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବମାନଙ୍କୁ ଏ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି ଯେ ସେମାନେ ଆଇଏନଏସଏସିଓଜି ପକ୍ଷରୁ ଚିହ୍ନିତ ଜିଲ୍ଲା ଓ କ୍ଲଷ୍ଟରମାନଙ୍କରେ ତୁରନ୍ତ କଣ୍ଟେନମେଣ୍ଟ ବ୍ୟବସ୍ଥା ଗ୍ରହଣ କରିବା ସହିତ ଲୋକମାନଙ୍କୁ ରୁଣ୍ଡ ହେବା ଏବଂ ପରସ୍ପର ସହିତ ମିଳାମିଶା ହେବାରୁ ରୋକିବା, ଟେଷ୍ଟିଂକୁ ବ୍ୟାପକ କରିବା, ତୁରନ୍ତ ଆକ୍ରାନ୍ତଙ୍କୁ ଠାବ କରିବା ତଥା ଟିକାକରଣ କାର୍ଯ୍ୟକୁ ଗୁରୁତ୍ୱର ସହିତ କାର୍ଯ୍ୟକାରୀ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ।
ସେହିସବୁ ରାଜ୍ୟମାନଙ୍କୁ ଆହୁରି ପରାମର୍ଶ ଦିଆଯାଇଛି ଯେ ପଜିଟିଭ୍ ଚିହ୍ନଟ ବ୍ୟକ୍ତିମାନଙ୍କ ପର୍ଯ୍ୟପ୍ତ ନମୁନାକୁ ତୁରନ୍ତ ଆଇଏନଏସଏସିଓଜି ଦ୍ୱାରା ଅଧିସ୍ୱୀକୃତ ପରୀକ୍ଷାଗାରକୁ ପଠାଯିବା ଆବଶ୍ୟକ ଯଦ୍ୱାରା ସେଠାରେ ସେଗୁଡ଼ିକର କ୍ଲନିକାଲ୍ ଏପିଡେମିଓଲୋଜିକାଲ୍ କୋରିଲେସନ କରାଯାଇ ଗ୍ରହଣ କରାଯିବାକୁ ଥିବା ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ରାଜ୍ୟମାନଙ୍କୁ ତୁରନ୍ତ ଅବଗତ କରାଯାଇପାରିବ।