ଏହାପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଓ ଆନ୍ଦୋଳନରତ ଚାଷୀଙ୍କ ମଧ୍ୟରେ ୧୧ ରାଉଣ୍ଡ ବୈଠକ ହୋଇଥିଲା। ଶେଷଥର ପାଇଁ ଉଭୟ ଜାନୁଆରୀ ୧୧ରେ ଆଲୋଚନା କରିଥିଲେ। ହେଲେ ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରୁଥିବାରୁ ଆଲୋଚନା ବେଳେ କୌଣସି ସୁଫଳ ମିଳି ନଥିଲା।
ଦିଲ୍ଲୀ ସୀମାରେ ଦୀର୍ଘ ୬ ମାସରୁ ଅଧିକ ଦିନ ହେବ ପଞ୍ଜାବ, ଉତ୍ତର ପ୍ରଦେଶ ଓ ହରିଆଣା ସମେତ ଏକାଧିକ ରାଜ୍ୟର ଶତାଧିକ ଚାଷୀ ବିକ୍ଷୋଭ କରୁଛନ୍ତି। ଖରା, ବର୍ଷା ଓ କରୋନା ସଂକ୍ରମଣ ସମୟରେ ମଧ୍ୟ ସେମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ଏହାକୁ ନେଇ ସରକାର ଚାପରେ ରହିଥିବା ବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଚାଷୀଙ୍କ ସହ ଆଲୋଚନା କରିବାକୁ ରାଜି ଥିବା କହିଛନ୍ତି।
ଶୁକ୍ରବାର ସେ ଟ୍ୱିଟରରେ ଗୋଟିଏ ଭିଡିଓ ଜାରି କରି କହିଛନ୍ତି, “ଭାରତ ସରକାର ଚାଷୀମାନଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ରାଜି ଅଛନ୍ତି। କିନ୍ତୁ ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ଛାଡ଼ି ଆଉ ସବୁ ପ୍ରସଙ୍ଗରେ ଆଲୋଚନା କରାଯିବ। ଯଦି କୌଣସି ଚାଷୀ ସଂଗଠନ ଆଇନରେ ଥିବା ବ୍ୟବସ୍ଥା ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, ତା’ହେଲେ ଏହାକୁ ସରକାର ସ୍ୱାଗତ କରିବେ। ଏପରି କି ମଧ୍ୟରାତ୍ରରେ ବି ଆଲୋଚନା କରିବାକୁ ସରକାର ପ୍ରସ୍ତୁତ।”
ଅନ୍ୟପକ୍ଷରେ ସରକାର ଆଲୋଚନା ସମ୍ପର୍କରେ ଏପରି ବୟାନ ଦେଇଥିବା ବେଳେ ଚାଷୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଜାନୁଆରୀ ୧୧ରେ ହୋଇଥିବା ଶେଷ ଆଲୋଚନାରେ କୌଣସି ସୁଫଳ ମିଳି ନଥିବାରୁ ଜାନୁଆରୀ ୨୬ରେ ଚାଷୀମାନେ ଆନ୍ଦୋଳନ ଡାକରା ଦେଇଥିଲେ। ଦିଲ୍ଲୀରେ ଚାଷୀଙ୍କ ତରଫରୁ ଆୟୋଜନ କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା।
ଚାଷୀ ଆନ୍ଦୋଳନର ଆଳନରେ କିଛି ଅସାମାଜିକ ବ୍ୟକ୍ତି ଲାଲକିଲ୍ଲାରେ ପ୍ରବେଶ କରି ଶିଖ ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପୁଲିସ୍ ଏହି ଘଟଣାରେ ଅନେକ ଲୋକଙ୍କୁ ଗିରଫ କରିଛି।
ଭାରତରେ ଲୁଧିଆନାସ୍ଥିତ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ହାର୍ଭେଷ୍ଟ ଇଞ୍ଜିନିୟରି ଆଣ୍ଡ ଟେକ୍ନୋଲୋଜି ଏନେଇ ଦୁଇଟି ଗବେଷଣା କରିଛି। ପ୍ରଥମଟି ୨୦୦୫ରୁ ଫେବୃୟାରୀ ୨୦୦୭ ମଧ୍ୟରେ କୃଷି ମନ୍ତ୍ରାଳୟର ସଂସଦୀୟ ଷ୍ଟାଣ୍ଡିଂ କମିଟିର ସୁପାରିଶ କ୍ରମେ କରାଯାଇଥିଲା। ଯାହାର ରିପୋର୍ଟ ୨୦୧୦ରେ ଦାଖଲ କରାଗଲା ଏବଂ ଅଗଷ୍ଟ ୨୦୧୨ରେ ପ୍ରକାଶ ପାଇଲା। ସେହିପରି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ପକ୍ଷରୁ ପ୍ରାୟୋଜିତ ଦ୍ୱିତୀୟ ସର୍ଭେଟି ୪୩ଟି ଶସ୍ୟ, ୨୦୧୨-୧୨ର ପଶୁପାଳନ ଉତ୍ପାଦନ ଏବଂ ୨୦୧୪ର ହୋଲସେଲ ମୂଲ୍ୟ ଉପରେ ଆଧାରିତ ଥିଲା। ୧୪ଟି ଏଗ୍ରୋ-କ୍ଲାଇମେଟ୍- ଜୋନରେ ଥିବା ୧୨୦ଟି ଜିଲ୍ଲାରେ ଏହି ସର୍ବେକ୍ଷଣ କରାଯାଇଥିବା ବେଳେ ଏହାର ରିପୋର୍ଟ ୨୦୧୫ ମାର୍ଚ୍ଚରେ ପ୍ରକାଶ କରାଯାଇଥିଲା। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତରେ ପ୍ରତିବର୍ଷ ସର୍ବମୋଟ ପ୍ରାୟ ୯୨,୬୫୧ କୋଟି ଟଙ୍କାର କୃଷିଜାତ ଦ୍ରବ୍ୟ ନଷ୍ଟ ହୋଇଥିବା ସର୍ଭେରୁ ଜଣାପଡ଼ିଛି।
ଶସ୍ୟ, ଡାଲି, ତୈଳବୀଜ, ମଞ୍ଜି, ପନିପରିବା, ଫଳ, କ୍ଷୀର, ମତ୍ସ୍ୟଚାଷ, କୁକୁଡ଼ା ଏବଂ ମାଂସ ତଥା ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟରେ ହେଉଥିବା ଖାଦ୍ୟଦ୍ରବ୍ୟ ନଷ୍ଟକୁ ନେଇ ଏହି ସର୍ଭେ ହୋଇଥିଲା। ଏହାସହ କ୍ଷେତ ସ୍ତରରେ, ଗୋଦାମ ବା ଶୀତଳଭଣ୍ଡାର, ହୋଲସେଲର୍, ରିଟେଲର୍ ଏବଂ ପ୍ରକ୍ରିୟାକରଣ ବେଳେ ହେଉଥିବା ନଷ୍ଟକୁ ମଧ୍ୟ ସାମିଲ କରାଯାଇଥିଲା।
ତେବେ କ୍ଷେତ ସ୍ତରରେ ସର୍ବାଧିକ କୃଷି ଉତ୍ପାଦନ ନଷ୍ଟ ହେଉଥିବା ରିପୋର୍ଟ କହୁଛି। ଧାନ ୪.୬୭ ପ୍ରତିଶତ ଏବଂ ଗହମ ୪.୦୭ ପ୍ରତିଶତ ନଷ୍ଟ ହେଉଥିବା ବେଳେ ଗୋଦାମରେ ମାତ୍ର ୦.୮୬ ପ୍ରତିଶତ ଧାନ ଓ ଗହମ ନଷ୍ଟ ହେଉଥିବା ଜଣାପଡ଼ିଥିଲା।
ଶୀଘ୍ର ନଷ୍ଟ ହେଉଥିବା ଫଳ ଭଳି ଉତ୍ପାଦନ କ୍ଷେତ୍ରରେ ଆମ୍ବ ମୋଟ ୯.୧୬ ପ୍ରତିଶତ ନଷ୍ଟ ହେଉଛି। ଏଠାରେ ବି ସର୍ବାଧିକ ନଷ୍ଟ କ୍ଷେତରେ ହୋଇଥିବା ବେଳେ ଗୋଦାମରେ ୨.୨୪ ପ୍ରତିଶତ ଆମ୍ବ ନଷ୍ଟ ହେଉଥିବା ଜଣାପଡ଼ିଥିଲା। ସେହିପରି ୧୫.୮୮ ପ୍ରତିଶତ ପିଜୁଳି ଏବଂ ୧୦.୩୯ ପ୍ରତିଶତ ସେଓ ନଷ୍ଟ ହୋଇଥିବା ରିପୋର୍ଟ କହୁଛି।
ସେହିପରି ଏହି ସର୍ଭେରେ ପନିପରିବା କ୍ଷେତ୍ରରେ, ୭.୩୨ ଆଳୁ ପ୍ରତିଶତ ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ଏଠାରେ ମଧ୍ୟ ଚାଷ କାର୍ଯ୍ୟ ସ୍ତରରେ ୬.୫୪ ପ୍ରତିଶତ ଏବଂ ଭଣ୍ଡାରରେ ମାତ୍ର ୦.୭୮ ପ୍ରତିଶତ ଆଳୁ ନଷ୍ଟ ହୋଇଥିଲା। ଅନ୍ୟପଟେ ୧୨.୪୪ ପ୍ରତିଶତ ଟମାଟୋ କ୍ଷତିରୁ ୯.୪୧ ପ୍ରତିଶତ କ୍ଷେତ ସ୍ତରରେ ଏବଂ ୩.୦୩ ପ୍ରତିଶତ ହୋଲସେଲ୍ ଷ୍ଟୋରେଜ୍, ରିଟେଲ୍ ଏବଂ ପ୍ରକ୍ରିୟାକରଣ ବେଳେ ନଷ୍ଟ ହୋଇଛି।
ମଧୁରଜଳ ମତ୍ସ୍ୟ ଉତ୍ପାଦରେ ସର୍ବମୋଟ ୫.୨୩ ପ୍ରତିଶତ ନଷ୍ଟ ହୋଇଛି। ଏଥିରୁ ୧.୦୫ ପ୍ରତିଶତ ଭଣ୍ଡାର ସ୍ତରରେ ନଷ୍ଟ ହୋଇଛି। ସେହିପରି କୁକୁଡ଼ା ମାଂସରେ ମୋଟ ୬.୭୪ ପ୍ରତିଶତ ନଷ୍ଟ ହୋଇଥିଲା। ତେବେ ଏଥିରେ କିନ୍ତୁ ପ୍ରାୟ ୪ ପ୍ରତିଶତ ଷ୍ଟୋରେଜ୍ ଚ୍ୟାନେଲରେ ନଷ୍ଟ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।
ଅନ୍ୟପଟେ କ୍ଷୀର ଉତ୍ପାଦନ କ୍ଷେତ୍ରରେ ମୋଟ ୦.୯୨ କ୍ଷତିରୁ ମାତ୍ର ୦.୨୧ ପ୍ରତିଶତ ଭଣ୍ଡାରରେ କ୍ଷତି ହୋଇଥିବା ଜଣାପଡ଼ିଛି। ଏହି ଅଧ୍ୟୟନ କହୁଛି, ସର୍ବମୋଟ ପ୍ରାୟ ୯୨,୬୫୧ କୋଟି ଟଙ୍କାର ଖାଦ୍ୟ ଦ୍ରବ୍ୟ ନଷ୍ଟ ହୋଇଛି। ତେଣୁ କୃଷି ଉତ୍ପାଦର କ୍ଷତିକୁ ହ୍ରାସ କରିବା ଲାଗି ଶୀତଳିକରଣ ପ୍ରକ୍ରିୟା ସହ ସଂରକ୍ଷଣ ବ୍ୟବସ୍ଥା ଏବଂ କୃଷିକ୍ଷେତ୍ର ସ୍ତରରେ ମଧ୍ୟ ଉନ୍ନତି ଆବଶ୍ୟକ।
୨୦୧୪ ପରଠାରୁ ଅନେକ ରାଜ୍ୟ ଏପିଏମସି ଆକ୍ଟ ବାହାରେ ଫଳ ଏବଂ ପନିପରିବା ବିକ୍ରି କରିବା ପାଇଁ ଅନୁମତି ଦେଇଛନ୍ତି। ଏହାର ଅର୍ଥ କୌଣସି ମାର୍କେଟ ଫି ଏବଂ ଅନ୍ୟାନ୍ୟ ଦେୟ ନ ଦେଇ ଏପିଏମସି ବାହାରେ ଫଳ ଏବଂ ପନି ପରିବା ବିକ୍ରି କରିହେବ। ହେଲେ ଅନେକ ଷ୍ଟାର୍ଟଅପ୍ ଏବଂ ଇ-କମର୍ସ କମ୍ପାନୀ ଏବେ ଫଳ ଏବଂ ପନି ପରିବା କିଣୁଛନ୍ତି। କିନ୍ତୁ ଏହା ଚାଷୀଙ୍କୁ ଲାଭ ଦେଉନି। ଏବେ ବି ବଡ଼ ସହରରେ ଏପିଏମସି ଜରିଆରେ ଫଳ ଏବଂ ପନି ପରିବା ବିକ୍ରି କରୁଛନ୍ତି ଚାଷୀ।
ଗାନ୍ଧୀ ଜୟନ୍ତୀଙ୍କ ଅବସରରେ ନୂତନ କୃଷି ବିଲ୍ ପ୍ରସଙ୍ଗ ଉଠାଇ ସୋନିଆ କହିଛନ୍ତି ଯେ, ଆଜି ଦେଶର କୃଷକ ଏବଂ ଶ୍ରମିକମାନେ କୃଷି ବିରୋଧୀ ତିନୋଟି କଳା ଆଇନ ବିରୋଧରେ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ନିଜର ରକ୍ତ, ଝାଳ ବୁହାଇ ଦେଶ ପାଇଁ ଶସ୍ଯ ଉତ୍ପାଦନ କରୁଥିବା ଅନ୍ନଦାତା କୃଷକମାନଙ୍କୁ ମୋଦି ସରକାର କନ୍ଦାଉଛନ୍ତି। କରୋନା ମହାମାରୀ କାଳରେ ସମସ୍ତେ ସରକାରଙ୍କୁ ଦାବି କରିଥିଲେ ଯେ, ଗରିବମାନଙ୍କୁ ମାଗଣା ଶସ୍ୟ ଯୋଗାଇଦିଆଯାଉ। ତେବେ କୋଟି କୋଟି ଲୋକଙ୍କୁ ଦୁଇ ବେଳା ଖାଦ୍ୟ ପାଇଁ ଶସ୍ୟ ଯୋଗାଇବା ଆମ କୃଷକ ଭାଇମାନଙ୍କ ବିନା ଏହା କଣ ସମ୍ଭବ ହୋଇପାରିଥାନ୍ତା ବୋଲି ସୋନିଆ କହିଛନ୍ତି।
ସେ ପୁଣି କହିଛନ୍ତି, ଆଜି ଦେଶର ପ୍ରଧାନମନ୍ତ୍ରୀ ଆମ ଅନ୍ନଦାତାଙ୍କ ଉପରେ ଘୋର ଅନ୍ୟାୟ କରୁଛନ୍ତି। ତାଙ୍କ ସହ ପକ୍ଷପାତିତା କରୁଛନ୍ତି। କୃଷକଙ୍କ ପରାମର୍ଶ, ମତ ନ ନେଇ ତାଙ୍କ ପାଇଁ ଆଇନ ଆଣିଲେ। ସେମାନଙ୍କ ସହ କଥା ମଧ୍ୟ ହେଲେନାହିଁ। କୃଷକଙ୍କ ହିତକୁ ଅଣଦେଖା କରି କେବଳ ହାତଗଣତି ବନ୍ଧୁଙ୍କ ସହ ଆଲୋଚନା କରି ତିନୋଟି କଳା ଆଇନ୍ ବନେଇଦେଲେ। ଯେତେବେଳେ ସଂସଦରେ ମଧ୍ୟ ଆଇନ୍ ଆଣିବା ବେଳେ କୃଷକଙ୍କ ସ୍ୱର ଶୁଣାଗଲା ନାହିଁ। ଶେଷରେ ନିଜ ପକ୍ଷ ରଖିବାକୁ ଶାନ୍ତିପୂର୍ଣ୍ଣ ଭାବରେ ରଖିବାକୁ ଗାନ୍ଧିଜୀଙ୍କ ପଥକୁ ଆପଣାଇ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଲେ। ଗଣତନ୍ତ୍ର ବିରୋଧୀ, ଜନ ବିରୋଧୀ ସରକାର କୃଷକଙ୍କ କଥା ଶୁଣିବା ତ ଦୂର କଥା ଓଲଟା ସେମାନଙ୍କୁ ଲାଠିଚାର୍ଜ କରିଛି ବୋଲି ସୋନିଆ ଗାନ୍ଧି କହିଛନ୍ତି।
खेत-खलिहान और किसान के हितैषी, रखवाले और बुलंद आवाज राष्ट्रपिता पूज्य बापू और पूर्व प्रधानमंत्री श्री लाल बहादुर शास्त्री जी की जयंती पर कांग्रेस अध्यक्षा श्रीमती सोनिया गांधी जी का संदेश।#GandhiJayanti pic.twitter.com/2wg4FLVYbN
— Congress (@INCIndia) October 2, 2020
ତିନୋଟି କଳା ଆଇନ୍ ବିରୁଦ୍ଧରେ କଂଗ୍ରେସ ପାର୍ଟି ବିରୋଧ ପ୍ରଦର୍ଶନ କରୁଛି ଏବଂ ଆଗକୁ ମଧ୍ୟ କରିବ ବୋଲି ସେ କହିଛନ୍ତି। ଏହି କ୍ରମରେ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ଏବଂ ଜିଲ୍ଲାରେ କୃଷକଙ୍କ ସପକ୍ଷରେ ବିରୋଧ ପ୍ରଦର୍ଶନ କରୁଛନ୍ତି ବୋଲି ସୋନିଆ କହିଛନ୍ତି। କୃଷକ ଓ କଂଗ୍ରେସର ଏହି ଆନ୍ଦୋଳନ ସଫଳ ହେବ ଏବଂ କୃଷକ ନିଶ୍ଚୟ ବିଜୟୀ ହେବେ ବୋଲି ସେ ଦୃଢ଼ୋକ୍ତି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ କରୋନା ଭୂତାଣୁ ସଂକ୍ରମଣଠାରୁ ନିଜକୁ ରକ୍ଷା କରିବାକୁ ଅପିଲ କରିଛନ୍ତି। ଏନେଇ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଔଷଧ ନ ବାହାରିବା ପର୍ଯ୍ୟନ୍ତ ବେପରୁଆ ହେବା ଆଦୌ ଉଚିତ୍ ନୁହେଁ ବୋଲି ମୋଦି କହିଛନ୍ତି।
ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଆଜିର ସମୟରେ ବାପୁଜୀଙ୍କ ବିଚାରଧାରର ଅଧିକ ପ୍ରାସଙ୍ଗିକତା ରହିଛି। ଅକ୍ଟୋବର 2 ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ତଥା ପବିତ୍ର ଦିବସ ଅଟେ। ସେହିପରି ଶହିଦ ଭଗତ ସିଂହଙ୍କୁ ମନେପକାଇ ମୋଦି କହିଛନ୍ତି ଯେ, ଜଣେ 23 ବର୍ଷୀୟ ଯୁବକଙ୍କୁ ଦେଖି ଇଂରେଜ ଶାସକ ଡରିଯାଇଥିଲା। ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର 28ରେ ଆମେ ଶହିଦ ବୀର ଭଗତ ସିଂହଙ୍କ ଜୟନ୍ତୀ ପାଳନ କରିବା। ଏଣୁ ସମସ୍ତ ଦେଶବାସୀଙ୍କ ସମେତ ସାହସ ଓ ବୀରତାଙ୍କ ପ୍ରତିମୂର୍ତ୍ତି ବୀର ଭଗତ ସିଂହଙ୍କୁ ମୁଁ ପ୍ରଣାମ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ହରିୟାଣାର ଜଣେ କୃଷକ ଭାଇ ମୋତେ କହିଲେ ଯେ ଏକଦା ମଣ୍ଡି ବାହାରେ ତାଙ୍କୁ ଫଳ ଓ ପନପରିବା ବିକ୍ରି କରିବା ଲାଗି ସମସ୍ୟା ହେଉଥିଲା। ହେଲେ 2014ରେ ଫଳ ଓ ପନିପରିବାକୁ ଏପିଏମସି ଆଇନରୁ ବାଦ୍ ଦିଆଯିବା ଦ୍ୱାରା ତାଙ୍କୁ ଏବଂ ତାଙ୍କ ଆଖପାଖ କୃଷକଙ୍କୁ ଖୁବ୍ ଲାଭ ମିଳିଛି। ସେମାନେ ନିଜ ଫଳ ଓ ପନିପରିବାକୁ ଯେଉଁଠି ଇଚ୍ଛା ସେଠାରେ ବିକ୍ରି କରିପାରୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସଙ୍କଟ କାଳରେ କୃଷି କ୍ଷେତ୍ର ନିଜର ଶକ୍ତି ପ୍ରଦର୍ଶନ କରିଛି। ଦେଶର କୃଷକ ତଥା ଗ୍ରାମ ଯେତିକି ମଜବୁତ ହେବ ଦେଶ ସେତିକି ଆତ୍ମନିର୍ଭର ହୋଇପାରିବ। କୃଷକ ସଶକ୍ତ ହେଲେ ହିଁ ଆତ୍ମନିର୍ଭର ଭାରତର ମୂଳଦୁଆ ମଜବୁତ ହେବ। ଏବେ କୃଷକମାନଙ୍କୁ ନିଜ ଇଚ୍ଛା ମୁତାବକ ନିଜ ଅମଳ ବିକ୍ରି କରିବାର ସ୍ୱାଧୀନତା ମିଳିଛି ବୋଲି ମୋଦି କହିଛନ୍ତି।
ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି, ମୁଁ ମୋ ଜୀବନର ଦୀର୍ଘ ସମୟ ଜଣେ ଭ୍ରମଣକାରୀ ହିସାବରେ ରହିଛି। ଭ୍ରମଣ ହିଁ ମୋ ଜୀବନ ଥିଲା। ପ୍ରତିଦିନ ନୂଆ ନୂଆ ଗାଁ, ନୂଆ ଲୋକ, ନୂଆ ପରିବାର ସହ ଯୋଡ଼ିହେବା ହିଁ ମୋ ଜୀବନ ଥିଲା। ଭାରତରେ କଥା କାହାଣୀ କହିବାର ପ୍ରାଚୀନ ଓ ସମୃଦ୍ଧ ପରମ୍ପରା ରହିଛି। ଆମ ଦେଶରେ ଧାର୍ମିକ କାହାଣୀ ବର୍ଣ୍ଣନା କରିବାର ପ୍ରାଚୀନ ପଦ୍ଧତି ରହିଛି। ପ୍ରତ୍ୟେକ ପରିବାରରେ କେହି ନା କେହିଁ ବୟସ୍କ, ବୟୋଜ୍ୟେଷ୍ଠ କାହାଣୀ କହୁଥିଲେ। ଏହାଦ୍ୱାରା ଘର ପରିବାରରେ ନୂତନ ଉର୍ଜା ଏବଂ ପ୍ରେରଣା ଭରିଯାଉଥିଲା। ଲୋକମାନେ ରଚନାତ୍ମକ ଏବଂ ସମ୍ବେନ୍ଦଶୀଳ ପକ୍ଷକୁ ସାମ୍ନାକୁ ଆଣୁଥିଲେ, ଉପସ୍ଥାପନ କରୁଥିଲେ।
ଏହାସହ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ କରୋନା ସଙ୍କଟ କାଳରେ ସାମାଜିକ ଦୀରତ୍ୱ ବଜାୟ ରଖିବାକୁ ଅପିଲ କରିଛନ୍ତି। ସାରା ଦୁନିଆ ଏବେ ଅନେକ ପରିବର୍ତ୍ତନ ଦେଇ ଗତି କରୁଛି। ଆଜିର ସମୟରେ ଦୁଇ ଗଜ ଦୂରତା ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍ୟପଟେ ପରିବାର ସଦସ୍ୟଙ୍କୁ ପରସ୍ପର ସହ ନିବିଡ଼ତା ବଢ଼ାଇବାର ସୁଯୋଗ ମଧ୍ୟ ଆଣିଦେଇଛି ବୋଲି ମୋଦି କହିଛନ୍ତି।
ଉର୍ମିଲା ନିଜ ଟ୍ୱିଟରେ ଲେଖିଛନ୍ତି, "ଜାଗ୍ରତ ହୁଅ, ସଚେତ ହୁଅ ଭାରତ। ଆଜି ସେପ୍ଟେମ୍ୱର ୨୫ ତାରିଖ। ଆମ କୃଷକମାନଙ୍କୁ ସମର୍ଥନ କର। ଏବେ ମଧ୍ୟ ମିଡିଆ ସର୍କସ ଚାଲିଛି, ଆମେ କେଉଁ ପ୍ରକାର ଦେଶ ଚାହୁଁଛୁ ଏହା ଭିତରେ ନିଷ୍ପତ୍ତି ନେବାକୁ ହେବ।"
ଉର୍ମିଲା ସାଧାରଣତଃ ସୋଶାଲ ମିଡିଆରେ ଖୋଲାଖୋଲି ଭାବେ ନିଜ ମତ ରଖିଥାନ୍ତି। ତେବେ ଆଜିର ଏହି ଟ୍ୱିଟରେ ମଧ୍ୟ ୟୁଜର୍ସ ଖୁବ୍ ପ୍ରତିକ୍ରିୟା ରଖୁଛନ୍ତି।
Wake up n Rise India!!
It’s 25th September..stand by our farmers. Most certainly Not with the media circus we will be subjected to. We have to decide what kind of a country we are going to be 🙏🏼#FarmersProtest #किसान_बचाओ_देश_बचाओ #JaiJawanJaiKisan 🇮🇳 pic.twitter.com/CTwKVSsAcE— Urmila Matondkar (@UrmilaMatondkar) September 25, 2020
ସୂଚନାଯୋଗ୍ୟ, କୃଷି ବିଲ୍-୨୦୨୦ ବିରୁଦ୍ଧରେ ଦେଶର ବିଭିନ୍ନ କୋଣରୁ କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ପଞ୍ଜାବ, ହରିୟାଣାରେ ମଧ୍ୟ କୃଷକମାନେ ଗତ କିଛିଦିନ ହେଲା କୃଷି ବିଲ୍ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି। ଭାରତୀୟ କୃଷକ ୟୁନିୟନ ସମେତ ବିଭିନ୍ନ କୃଷକ ସଂଗଠନ ମଧ୍ୟ ଆଜିର ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। କୃଷକ ସଂଗଠନଗୁଡ଼ିକୁ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି, ଅକାଳୀ ଦଳ, ଆପ୍, ଟିଏମସି ସମେତ ଅନ୍ୟ ବହୁ ରାଜନୈତିକ ଦଳ ସମର୍ଥନ କରୁଛନ୍ତି।
ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଠକରେ କୃଷି ବିଲ୍ ୨୦୨୦ ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରାଯାଇଛି। ସେହିଭଳି ଏନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ଏଣୁ ଗୁଲାମ ନବୀ ଆଜାଦ୍ ଆଜି ସନ୍ଧ୍ୟା ୫ଟା ବେଳେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିବେ ବୋଲି ଜଣାପଡ଼ିଛି।
ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରି କୃଷି ବିଲ୍ ୨୦୨୦କୁ ସ୍ୱୀକୃତି ନ ଦେବା ଲାଗି ବିରୋଧୀ ଦଳ ଅପିଲ କରିବେ ବୋଲି ଜଣାପଡ଼ିଛି। ଏହା ପୂର୍ବରୁ ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ୍ ନବୀ ଆଜାଦ୍ କୃଷି ବିଲ୍ ବାବଦରେ ରାଷ୍ଟ୍ରପତିଙ୍କୁ ଚିଠି ମଧ୍ୟ ଲେଖିସାରିଛନ୍ତି। ରାଜ୍ୟସଭାରେ ଯେଉଁ ବିଲ୍ ପାରିତ ହୋଇଛି ସେଥିରେ ପ୍ରକ୍ରିୟାଗୁଡ଼ିକୁ ପାଳନ କରାଯାଇ ନାହିଁ। ଏଣୁ ଏହି ବିଲକୁ ସ୍ୱୀକୃତି ନ ଦେବାକୁ ରାଷ୍ଟ୍ରପତିଙ୍କୁ ଗୁଲାମ ଚିଠି ମାଧ୍ୟମରେ ଅପିଲ୍ କରିସାରିଛନ୍ତି ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗତ ରବିବାର ରାଜ୍ୟସଭାରେ କୃଷି ବିଲ୍ ପାରିତ ହେବା ବେଳେ ଉପାଧ୍ୟକ୍ଷଙ୍କ ଆସନ ପାଖକୁ ଆସି ବିରୋଧୀ ହଙ୍ଗାମା କରିଥିଲେ। ଯାହାକୁ ନେଇ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ କ୍ଷୁବ୍ଧ ହୋଇ ନିୟମ ଅନୁଯାୟୀ ଆଠ ସାଂସଦଙ୍କୁ ସପ୍ତାହେ ପାଇଁ ନିଲମ୍ୱନ କରିଥିଲେ। ଏହାପରେ ନିଲମ୍ବିତ ସାଂସଦମାନେ ଧାରାଣାରେ ବସିଥିଲେ। ତେବେ ସରକାରଙ୍କ ଆଗରେ ବିରୋଧୀ ତିନି ଦାବି ରଖିଛନ୍ତି। ଯଦି ସରକାର ରାଜି ନହେବେ ତା'ହେଲେ ଚଳିତ ଅଧିବେଶନରେ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି କହିଛନ୍ତି। ତେଣୁ ନିଲମ୍ୱିତ ଆଠ ସାଂସଦ ମଧ୍ୟ ଧାରଣା ଶେଷ କରି ଅନ୍ୟ ବିରୋଧୀଙ୍କ କଥାରେ ଏକ ହୋଇଛନ୍ତି।
ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ୍ ଗୃହରେ ତିନି ଦାବି କରିଛନ୍ତି। ସେ କହିଛନ୍ତି ସରକାର ଏକ ବିଲ୍ ଆଣି ସୁନିଶ୍ଚିତ କରିବା ଦରକାର କି ଘରୋଇ କମ୍ପାନୀମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଠାରୁ କମ୍ ମୂଲ୍ୟରେ ଚାଷୀଙ୍କଠୁ ଶସ୍ୟ କିଣି ପାରିବେ ନାହିଁ। ଏଥିସହ ସରକାର ସ୍ନାମୀନାଥନ ଫର୍ମୁଲାରେ ସମୟ ସମୟରେ ଏମଏସପି ସ୍ଥିର କରିବା ଦରକାର ଏବଂ ଆଠ ସାଂସଦଙ୍କ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରାଯିବା ଦରକାର।