ସେ କହିଛନ୍ତି, ବାଲି ବେପାରୀ, ଠିକାଦାରୀ, ମାଲ ପରିବହନ ବ୍ୟବସାୟୀଙ୍କ ସମେତ ଛୋଟବଡ଼ ଅପରାଧରେ ସକ୍ରିୟ ଥିବା ଅସମାଜିକମାନଙ୍କୁ ଏହି ଅଭିଯୁକ୍ତମାନେ ବେଆଇନ ବନ୍ଧୁକ ଓ ଗୁଳି ଯୋଗାଇ ଦେଉଥିଲେ। ସମସ୍ତ ଗିରଫ ଅଭିଯୁକ୍ତଙ୍କ ନାଁ’ରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ଏକାଧିକ ଧଳ ସାମନ୍ତ ଗୋଷ୍ଠୀର ସଦସ୍ୟ। ଘଟଣାର ଅଧିକ ଖୋଳତାଡ଼ ପାଇଁ ଏମାନଙ୍କୁ ରିମାଣ୍ଡରେ ଅଣାଯିବ।
ଧରାପଡ଼ିଥିବା ୫ ଅଭିଯୁକ୍ତ ହେଲେ ସତ୍ୟଜିତ ଜେନା ଓରଫ କାଳିଆ, ଦୁର୍ଗା ଦାସ, ଏମଡି ରହିମ, ଏସ.କେ ୱାସୀମ, ଆସିଫ ସାମଲ। ଏମାନେ କଟକରେ ରହି ଏହି ବେଆଇନ ବନ୍ଧୁକ ଓ ଗୁଳି କାରବାର ଚଳାଇଥିଲେ। ଏମାନେ କଟକ ଜିଲ୍ଲା ତଥା ଅବିଭକ୍ତ କଟକ ଜିଲ୍ଲାରେ ବିଭିନ୍ନ ଅପରାଧରେ ଜଡ଼ିତ। ଏମ.ଡି. ରହିମ, ଏସ.କେ. ୱାସିମ୍ ଧଳ ସାମନ୍ତ ଗୋଷ୍ଠୀର ସକ୍ରିୟ ସଦସ୍ୟ। ଅଭିଯୁକ୍ତଙ୍କ ଭିତରୁ ଅନେକଙ୍କ ଘର କଟକ ଓ ଜଗତସିଂହପୁର ଜିଲ୍ଲାରେ। ସମସ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି।
ଏହି କାରବାରରେ ସମ୍ପୂର୍ଣ୍ଣ ବ୍ରେକ ଲଗାଇବା ପାଇଁ ପୁଲିସ ତାହାର ସ୍ୱତନ୍ତ୍ର ଡ୍ରାଇଭ ଜାରି ରଖିଛି। ଆଗାମୀ ଦିନରେ ଏହାକୁ ଜୋରଦାର କରାଯିବ ବୋଲି ଡିସିପି ସ୍ପଷ୍ଟ କରିଦେଇଛନ୍ତି।
ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମହମ୍ମଦ ସମଶେର ଓରଫ ପାଗଳା (୩୯), ମହମ୍ମଦ ମୌସିମ (୪୧), ମୁନୁ ପାଣ୍ଡେ (୨୩), ମୋହିତ ପାଶ୍ୱାନ (୨୦), ସନ୍ତୋଷ ମହାରଣା (୩୮) ଓ ମହମ୍ମଦ ଅହମ୍ମଦ (୪୨)।
ମହମ୍ମଦ ସମଶେର ଓ ମହମ୍ମଦ ମୌସିମଙ୍କୁ ଧନୁପାଲି ଥାନା ପୁଲିସ୍ ଗିରଫ କରିଛି। ସମଶେର ନାଁରେ ଭିନ୍ନ ଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ତା’ଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ସୁନାପାଲିର ମହମ୍ମଦ ମୌସିମ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ କରାଯାଇଛି। ତା’ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ।
ମୁନୁ ପାଣ୍ଡେ ଓ ମୋହିତ ପାଶ୍ୱାନଙ୍କୁ ଗିରଫ କରିଛି ଠେଲକୋଲୋଇ ଥାନା ପୁଲିସ। ମୁନୁ ପାଣ୍ଡେ ଉତ୍ତର ପ୍ରଦେଶର ଲୋକ ହୋଇଥିବା ବେଳେ ଏବେ ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ରହୁଥିଲା। ତା’ ନାଁରେ ଭିନ୍ନ ଭିନ୍ନ ଥାନାରେ ୩ଟି ମାମଲା ରହିଥିବା ବେଳେ ତା’ଠାରୁ ଗୋଟିଏ ଦେଶୀ ରିଭଲଭର ଓ ଗୋଟିଏ ଗୁଳି ଜବତ କରାଯାଇଛି। ମୋହିତ ଶର୍ମା ନାଁରେ ପୂର୍ବରୁ କୌଣସି ମାମଲା ନଥିବା ବେଳେ ତା’ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ମୋହିତର ଘର ବିହାରରେ। ଏବେ ସେ ଝାରସୁଗୁଡ଼ାରେ ରହୁଥିଲା।
ସନ୍ତୋଷ ମହାରଣାକୁ ଅଇଁଠାପାଲି ପୁଲିସ ଗିରଫ କରିଛି। ତା’ ଘର ଅଇଁଠାପାଲିର ଜଗନ୍ନାଥ କଲୋନୀରେ। ତା’ ଠାରୁ ୨ଟି ବନ୍ଧୁକ (ଗୋଟିଏ ଦେଶୀ ପିସ୍ତଲ ଓ ଗୋଟିଏ ଅଟୋମେଟିକ ପିସ୍ତଲ) ଓ ୭ଟି ଗୁଳି ଜବତ କରାଯାଇଛି। ତା’ ବୁଲେଟକୁ ମଧ୍ୟ ପୁଲିସ ଜବତ କରିଛି। ତା’ ନାଁରେ ପୂର୍ବରୁ କୌଣସି ମାମଲା ନାହିଁ।
ଗିରଫ ମହମ୍ମଦ ଅହମ୍ମଦର ଘର ବରଗଡ଼ ଜିଲ୍ଲାର ଅତାବିରାର ଗୋଡ଼ଭଗାରେ। ତାକୁ ବୁର୍ଲା ଥାନା ପୁଲିସ ଗିରଫ କରିଛି। ତା’ଠାରୁ ଗୋଟିଏ ପିସ୍ତଲ, ୬ଟି ଗୁଳି, ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଓ ଗୋଟିଏ ପିକ୍ ଅପ୍ ଭ୍ୟାନ ଜବତ କରାଯାଇଛି। ତା’ ନାଁରେ ମଧ୍ୟ ପୂର୍ବରୁ କୌଣସି ମାମଲା ନାହିଁ।
ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ କହିଛନ୍ତି ଯେ ଏହି ଅଭିଯୁକ୍ତମାନଙ୍କଠାରୁ ଜବତ ହୋଇଥିବା ବନ୍ଧୁକ ଗୁଡ଼ିକ ଅପରାଧ ସଂଘଟିତ କରିବା ବା ବିକ୍ରି ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ଥିଲା। କାରଣ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଦୁଇ ଜଣଙ୍କର ଅପରାଧିକ ପୃଷ୍ଠଭୂମି ରହିଛି। ସେମାନେ କେଉଁଠାରୁ ଏହି ବନ୍ଧୁକ ଗୁଡ଼ିକ ଆଣିଥିଲେ, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି।
ଗିରଫ ୬ ଜଣଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।
ଗିରଫ ଅଭିଯୁକ୍ତମାନେ ହେଲେ ଟୁକୁନା ସ୍ୱାଇଁ, ସନ୍ତୋଷ ରାଉତ, ଜ୍ୟୋତିରଞ୍ଜନ ବାରିକ ଓ ପ୍ରଶାନ୍ତ ରାଉତ। ସେମାନଙ୍କ ମଧ୍ୟରୁ ଟୁକୁନା ସ୍ୱାଇଁକୁ କମିଶନରେଟ୍ ପୁଲିସ୍ ରିମାଣ୍ଡରେ ଆଣିଛି।
ପୁଲିସ୍ କମିଶନର କହିଛନ୍ତି, ବହୁ ଚର୍ଚ୍ଚିତ ଧଳସାମନ୍ତ ବ୍ରଦର୍ସ ଗିରଫ ହେବା ପରେ ତଦନ୍ତ ବେଳେ ବହୁ ପରିମାଣରେ ଚୋରା ବନ୍ଧୁକ ଜବତ କରାଯାଇଥିଲା। ଏହା ପରେ ଯେଉଁ ତଦନ୍ତ ଚାଲିଥିଲା ସେତେବେଳେ ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳର ଟୁକୁନା ସ୍ୱାଇଁ ସାମ୍ନାକୁ ଆସିଥିଲା। ସେ ଚୋରା ବନ୍ଧୁକ କାରବାରର ମୁଖ୍ୟ ଡିଲର ଭାବେ କାର୍ଯ୍ୟ କରୁଥିଲା। ବିହାରର ମୁଙ୍ଗେରରୁ ସେ ବନ୍ଧୁକ ଆଣି ଏଠାରେ ବିକ୍ରି କରୁଥିଲା।
ଟୁକୁନାକୁ ଏସ୍ଟିଏଫ୍ ଗିରଫ କରିଥିଲା। ତାକୁ କଟକ ଅର୍ବାନ ପୁଲିସ୍ ଡିଷ୍ଟ୍ରିକ୍ଟ ରିମାଣ୍ଡରେ ଆଣିଥିଲା। ତାକୁ ପଚରାଉଚରା ବେଳେ ସେ ବିଭିନ୍ନ ଜାଗାରେ ବନ୍ଧୁକ ଆଣି ରଖିଥିବା ଜଣାପଡ଼ିଥିଲା। ତା’ପରେ ତା’ଠାରୁ ୮ଟି ବନ୍ଧୁକ ଜବତ କରାଯାଇଛି। ସେହିପରି ଟୁକୁନା ସ୍ୱାଇଁ ଦେଇଥିବା ସୂଚନା ଭିତ୍ତିରେ ଆଉ ତିନି ଜଣ ଅପରାଧୀ (ସନ୍ତୋଷ ରାଉତ, ଜ୍ୟୋତିରଞ୍ଜନ ବାରିକ ଓ ପ୍ରଶାନ୍ତ ରାଉତ)ଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଆଉ ଏହି ଅଭିଯାନରେ ମୋଟ ୧୧ଟି ବନ୍ଧୁକ ଜବତ କରାଯାଇଥିବା ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ସିପି କହିଛନ୍ତି, ଏହି ୪ ଅପରାଧୀଙ୍କ ମଧ୍ୟରୁ ଟୁକୁନା ନାଁରେ ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାରେ ମୋଟ ୧୮ଟି ମାମଲା ରହିଛି। ସନ୍ତୋଷ ରାଉତ ନାଁରେ କଟକ ଓ ଭୁବନେଶ୍ୱରରେ ମିଶି ୫ଟି ମାମଲା ରହିଥିବା ବେଳେ ଜ୍ୟୋତିରଞ୍ଜନ ବାରିକ ନାଁରେ କଟକରେ ୫ଟି ଓ ପ୍ରଶାନ୍ତ ରାଉତଙ୍କ ନାଁରେ ୯ଟି ମାମଲା ରହିଛି।
ସିପି ଆହୁରି କହିଛନ୍ତି, କମିଶନରେଟ ପୁଲିସ୍ ପକ୍ଷରୁ ଚୋରା ବନ୍ଧୁକ କାରବାର ବିରୋଧରେ ଯେଉଁ ଅଭିଯାନ ଚାଲିଛି ସେଥିରେ କଟକ ଅର୍ବାନ୍ ପୁଲିସ୍ ଡିଷ୍ଟ୍ରିକ୍ଟକୁ ଗତ ୩ ମାସରେ ବିଶେଷ ସଫଳତା ମିଳିଛି। ଏହି ସମୟ ମଧ୍ୟରେ କେବଳ କଟକ ଅର୍ବାନ୍ ପୁଲିସ୍ ଡିଷ୍ଟ୍ରିକ୍ଟ ଅଞ୍ଚଳରୁ ୪୩ଟି ଚୋରା ବନ୍ଧୁକ ଓ ୨୨୫ ଗୁଳି ଜବତ କରାଯାଇଛି।