ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ଯେ, ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇ କରୁଛି। ଏଣୁ ଏହାକୁ ରାଜ୍ୟ ବାହରକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ନାହିଁ। ବାକି ସମସ୍ତ ଦିଗ ଉପରେ ହାଇକୋର୍ଟ ଦୃଷ୍ଟି ରଖିବେ।
ସୁପ୍ରିମକୋର୍ଟ ମାମଲାର ଶୁଣାଣି ବେଳେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଦାଖଲ ସତ୍ୟପାଠକୁ ସ୍ୱୀକାର କରିଛନ୍ତି। ସତ୍ୟପାଠରେ ୟୁପି ସରକାର ଦୃଢ଼ୋକ୍ତି ଦେଇଥିଲେ ଯେ, ପୀଡ଼ିତାଙ୍କ ପରିବାର ତଥା ମାମଲାର ଅନ୍ୟ ସାକ୍ଷ୍ୟ ପ୍ରମାଣମାନଙ୍କୁ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରାଯାଇଛି। ଏହାସହ ମାମଲାର ସିବିଆଇ ତଦନ୍ତ କରିବାକୁ ମଧ୍ୟ ଯୋଗୀ ଆଦିତ୍ୟନାଥ ସରକାର ଦାବି କରିଥିଲେ।
ସେପ୍ଟେମ୍ବର 14ରେ ୟୁପିର ହାଥରସରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବା ସହ ନିର୍ମମ ଭାବେ ହତ୍ୟା ଉଦ୍ୟମ କରାଯାଇଥିଲା। ପରେ ସେପ୍ଟେମ୍ବର 29ରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା। ଏନେଇ ସାରା ଦେଶରେ ଉତ୍ତେଜନା ଓ ଆକ୍ରୋଶ ଦେଖିବାକୁ ମିଳିଥିଲା। ପରେ ମାମଲା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ପୀଡ଼ିତାଙ୍କ ପରିବାର ମାମଲାର ଟ୍ରାଏଲ ଦିଲ୍ଲୀରେ ହେବା ନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଅପିଲ କରିଥିଲେ।
ଏଫଆଇଆରରେ ସନ୍ଦୀପଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ଅନ୍ୟ 3 ଅଭିଯୁକ୍ତ ରାମକୁମାର, ରବି ଏବଂ ଲବକୁଶଙ୍କ ନାଁ ପୀଡ଼ିତାଙ୍କ ବୟାନରୁ ସାମ୍ନାକୁ ଆସିଥିଲା। ସେପ୍ଟେମ୍ୱର 22ରେ ସେ ବୟାନ ଦେଇଥିଲେ। ପୀଡ଼ିତାଙ୍କ ବୟାନ ସିବିଆଇ ହାତକୁ ଆସିସାରିଛି। ସିବିଆଇର ଗାଜିଆବାଦ ୟୁନିଟ୍ ଏହି ମାମଲାର ତଦନ୍ତ କରୁଛି। ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ସୂତ୍ର ଅନୁଯାୟୀ, ଫରେନ୍ସିକ ଟିମ୍ ସହ ସିବିଆଇ ସୋମବାର ହାଥରସ୍ ଯାଇପାରନ୍ତି।
ହାଥରସ୍ ଗଣଦୁଷ୍କର୍ମ ମାମଲା ତଦନ୍ତ ଏସଆଇଟି କରୁଥିଲା। ଏନେଇ ଏସଆଇଟି ଗାଁର 40ଜଣଙ୍କୁ ପଚରାଉଚରା କରିବାକୁ ନୋଟିସ୍ କରିଥିଲା। ଏମାନଙ୍କ ମଧ୍ୟ ଅନେକଙ୍କୁ ଏସଆଇଟି ପଚରାଉଚରା କରିସାରିଛି।
ସୂଚନାଯୋଗ୍ୟ, ହାଥରସରେ 19 ବର୍ଷୀୟ ଯୁବତୀଙ୍କ ସହ ହୋଇଥିବା ଅମାନବୀୟ କାଣ୍ଡ ସାରା ଦେଶକୁ ବ୍ୟଥିତ କରିଛି। ଏନେଇ ସୁପ୍ରିମକୋର୍ଟଙ୍କ ନିକଟରେ ଗତ ମଙ୍ଗଳବାର ୟୁପି ସରକାର ସତ୍ୟପାଠ ଦାଖଲ କରିଥିଲେ। ଏଥିରେ ମୁଖ୍ୟତଃ ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସରକାର ଦାବି କରିଥିଲେ। ଏହାସହ ଅଧରାତ୍ରିରେ ତରବରିଆ ଭାବେ ପୀଡ଼ିତାଙ୍କ ଶବ ସଂସ୍କାର କରାଯିବା ନେଇ କୈଫିୟତ ମଧ୍ୟ ଦେଇଥିଲେ ଯୋଗୀ ସରକାର।
ଏହି ପରିପ୍ରେକ୍ଷୀରେ ଦିଲ୍ଲୀରୁ ହାଥରସ୍ ଯାଉଥିବା ୪ଜଣ ବ୍ୟକ୍ତିଙ୍କୁ ପୁଲିସ ମଥୁରାରୁ ଗିରଫ କରିଛି। ଏମାନେ ପପୁଲାର୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ ବା ପିଏଫଆଇ ସହ ସଂଶ୍ଲିଷ୍ଟ ଥିବା ଜଣାପଡ଼ିଛି। ସେମାନେ ହାଥରସରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିବା ପ୍ରାରମ୍ଭିକ ତଥ୍ୟରୁ ଜଣାପଡ଼ିଛି।
ଅନ୍ୟପଟେ ପୀଡ଼ିତାଙ୍କ ଗଣଦୁଷ୍କର୍ମ ମାମଲା ଏବଂ ହତ୍ୟା ଘଟଣାକୁ ନେଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶରେ ମଧ୍ୟ ସ୍ଥିତି ଗମ୍ଭୀର ରହିଛି। ୟୁପି ସରକାର ସାରା ରାଜ୍ୟରେ ୧୯ଟି ଜାତିଗତ ହିଂସାକାଣ୍ତ ସୃଷ୍ଟି କରିବାର ପ୍ରୟାସ ଏବଂ ଦେଶଦ୍ରୋହ ମାମଲା ରୁଜୁ କରିଛି।
Four persons who were on their way to Hathras from Delhi apprehended from Mathura yesterday. They were found to have links with Popular Front of India (PFI): UP Additional Director General of Police (Law and Order) Prashant Kumar pic.twitter.com/32Hnb4JTHA
— ANI UP (@ANINewsUP) October 6, 2020
ତେବେ ପୁଲିସ ଆଇଟି ଆକ୍ଟ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରିଛି। ଏନେଇ ୟୁପି ଡିଜିପି (ଆଇନଶୃଙ୍ଖଳା) ପ୍ରଶାନ୍ତ କୁମାର କହିଛନ୍ତି ଯେ, ହାଥରସ୍ ମାମଲାରେ ଦିଲ୍ଲୀରୁ ହାଥରସ୍ ଯାତ୍ରା କରୁଥିବା ଚାରି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁଜାଫରନଗରର ଆତିକ୍-ଉର୍-ରେହମାନ୍, ମାଲାପୁରମର ସିଦ୍ଦିକୀ, ବହାରୈଚର ମାସୁଦ୍ ଅହମ୍ମଦ ଏବଂ ରାମପୁରର ଆଲମ୍।
ଉକ୍ତ ଚାରିଜଣ ବ୍ୟକ୍ତି ପିଏଫଆଇ ସହ ଲିଙ୍କରେ ଥିବା ଜଣାପଡ଼ିଛି। ୟୁପି ପୁଲିସ ଏମାନଙ୍କୁ ଗିରଫ କରି ସେମାନଙ୍କଠାରୁ ଫୋନ୍, ଲାପଟପ୍ ଏବଂ ହିଂସା ପାଇଁ ଉସକାଉଥିବା କେତେକ ବହି ଜବତ କରିଛି। ଗିରଫ ଯୁବକମାନଙ୍କୁ ପୁଲିସ ଜେରା କରୁଛି।
ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ମଧ୍ୟ ୟୁପି ସରକାରକୁ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ପ୍ରଶ୍ନର ଜବାବ ଦେଇ ସରକାର କହିଛନ୍ତି ଯେ, ପୀଡ଼ିତାଙ୍କ ଶବ ସଂସ୍କାର ଲାଗି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବିରାଟ ଧରଣର ହିଂସାକାଣ୍ଡ ହେବାର ଗୁପ୍ତ ସୂଚନା ମିଳିଥିଲା। ଏଭଳି ପରିସ୍ଥିତିକୁ ରୋକିବାକୁ ରାତିରେ ହିଁ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ କରାଯାଇଛି ବୋଲି ୟୁପି ସରକାର ସୁପ୍ରିମକୋର୍ଟଙ୍କୁ ଜବାବ ଦେଇଛନ୍ତି।
ଯୋଗୀ ସରକାର ହାଥରସ ମାମଲାରେ ସୁପ୍ରିମକୋର୍ଟଙ୍କ ନିକଟରେ ସତ୍ୟପାଠ ଦାଖଲ କରି ସିବିଆଇ ତଦନ୍ତ ଲାଗି ଦାବି କରିଛି। ବର୍ତ୍ତମାନ ସୁଦ୍ଧା ଗଣଦୁଷ୍କର୍ମ ମାମଲାର ବିସ୍ତୃତ ତଦନ୍ତ ରିପୋର୍ଟ ମଧ୍ୟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିବା ସହ କିଛି ବ୍ୟକ୍ତିଗତ ସ୍ୱାର୍ଥ ରଖି ନିରପେକ୍ଷ ତଦନ୍ତ କରାଯିବାକୁ ଦିଆଯାଉ ନ ଥିବା ଯୋଗୀ ସରକାର ଦୃଢ଼ୋକ୍ତି ଦେଇଛି।
ଏହା ପୂର୍ବରୁ ୟୁପି ପୁଲିସ ମହାନିର୍ଦ୍ଦେଶକ ଏଚ.ସି. ଅଓ୍ୱସ୍ଥି ମଧ୍ୟ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ। ସେ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଘଟଣା ଦିନ ରାତିରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ, ଶବର ଅନ୍ତିମ ସଂସ୍କାର ତରବରିଆ ଭାବେ କରିବାକୁ ବାଧ୍ୟ ହୋଉଥିଲୁ।
ହାଥରସ୍ ଗଣଦୁଷ୍କର୍ମ ଘଟଣାକୁ ନେଇ ବିରୋଧୀଙ୍କ ସ୍ୱର ଶାଣିତ ହୋଇଛି। ଏପଟେ ସ୍ମୃତି ଇରାନୀ ମଧ୍ୟ ଜୋରଦାର ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧି ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ ବରଂ ରାଜନୀତି କରିବାକୁ ହାଥରସ ଯାଇଛନ୍ତି। ଲୋକେ କଂଗ୍ରେସର ରଣନୀତି ସହ ପୂର୍ବରୁ ପରିଚିତ। ଏଥିପାଇଁ ସେ ୨୦୧୯ରେ ବିଜେପିକୁ ବାଛିଥିଲେ। ଲୋକେ ବୁଝୁଛନ୍ତି ଯେ, ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ନୁହେଁ ବରଂ କେବଳ ରାଜନୈତିକ ଉଦ୍ଦେଶ୍ୟ ପାଇଁ ରାହୁଲ ହାଥରସ ଗସ୍ତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଇରାନୀ କହିଛନ୍ତି।
ଗତ ତିନି ମଧ୍ୟରେ ଆଜି ଦ୍ୱିତୀୟ ଥର ରାହୁଲ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଚେଷ୍ଟା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ-ନୋଏଡା ନିର୍ଦ୍ଦେଶକ ଫ୍ଲାଏ-ଓଭର ଉପରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରିଦିଆଯାଇଛି।
ଗୁରୁତର ପୀଡ଼ିତାଙ୍କର ଚିକିତ୍ସରତ ଅବସ୍ଥାରେ ହିଁ ମୃତ୍ୟୁ ଘଟିଛି। ଗୋଟିଏ ପଟେ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ତଥା ଫରେନ୍ସିକ୍ ରିପୋର୍ଟରେ ଗଣଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଥିବା ବେଳେ ଅନ୍ୟପଟେ ୟୁପି ପୁଲିସର ଜଣେ ଅଧିକାରୀଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି। ଗୁରୁବାର ଅଧିକାରୀ ଜଣକ କହିଛନ୍ତି ଯେ, ପୀଡ଼ିତା ଜଣକ ଘଟଣାର ଏକ ସପ୍ତାହ ପୂର୍ବରୁ ଦୁଷ୍କର୍ମ ହୋଇଥିବା କଥା କହିଥିଲେ।
ବରିଷ୍ଠ ପୁଲିସ ଅଧିକାରୀ ପ୍ରଶାନ୍ତ କୁମାର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡ଼ିତାଙ୍କ ଅଭିଯୋଗ କ୍ରମେ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ସମାପ୍ତ ହେବା ପର୍ଯ୍ୟନ୍ତ କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ଥିବାବେଳେ ଫରେନ୍ସିକ ରିପୋର୍ଟରେ କିନ୍ତୁ ସ୍ପର୍ମ ମିଳିନାହିଁ ଅର୍ଥାତ୍ ଦୁଷ୍କର୍ମ ହୋଇ ନ ଥିବା ଜଣାପଡ଼ିଛି।
ସେ କହିଛନ୍ତି, ଅଭିଯୋଗ ରୁଜୁ ହେବା ଦିନଠାରୁ ପୀଡ଼ିତାଙ୍କ ବୟାନକୁ ବିଶ୍ୱାସ କରି ପୁଲିସ କାର୍ଯ୍ୟାନୁଷ୍ଠାନ କରୁଥିଲା। ସେପ୍ଟେମ୍ବର ୧୪ ଘଟଣାର ଏକ ଘଣ୍ଚା ପରେ ପୀଡ଼ିତା ନିଜ ଭାଇ ଏବଂ ମାଆଙ୍କ ସହ ଥାନାକୁ ଆସିଥିଲେ। ତାଙ୍କ ଅଭିଯୋଗ କ୍ରମେ ଉଚିତ୍ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା ଏବଂ ପୀଡ଼ିତାଙ୍କୁ ହସ୍ପିଟାଲ ପଠାଯାଇଥିଲା।
ଅଧିକାରୀ ଜଣକ ପୁଣି କହିଛନ୍ତି, ପରବର୍ତ୍ତୀ ସମୟରେ ତାଙ୍କୁ ଆଲୀଗଡ଼ ମୁସଲିମ୍ ୟୁନିଭର୍ସିଟିର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେପ୍ଟେମ୍ବର ୨୨ରେ ପ୍ରଥମ ଥର ସେ ନିଜ ସହ ହୋଇଥିବା ଦୁଷ୍କର୍ମ ବାବଦରେ କହିଥିଲେ। ଏହାପରେ ପୁଲିସ ତୁରନ୍ତ ମାମଲାରେ ଆବଶ୍ୟକ ଧାରା ଯୋଡ଼ି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ସେପ୍ଟେମ୍ବର ୨୫ରେ ଡାକ୍ତରୀ ମାଇନା ପାଇଁ ନମୁନା ପଠାଯାଇଥିଲା। ସେତେବେଳେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା। ଦୁର୍ଭାଗ୍ୟ ବଶତଃ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ ଅଧିକାରୀ ଜଣକ କହିଛନ୍ତି।
ତେବେ ଫରୋନ୍ସିକ୍ ରିପୋର୍ଟରେ ପୀଡ଼ିତାଙ୍କ ନମୁନାରେ କୌଣସି ସ୍ପର୍ମ କିମ୍ବା ଚିହ୍ନ ମିଳିଲା ନାହିଁ। ଏଣୁ ତଦନ୍ତକାରୀ ଅଫିସର ଏହି ସାକ୍ଷ ପ୍ରମାଣ ଆଧାରରେ ତଦନ୍ତ କରିବାକୁ ବାଧ୍ୟ ବୋଲି ସେ କହିଛନ୍ତି।
ପ୍ରିୟଙ୍କା ଏହି ଭିଡିଓ ଶେୟାର କରି ଟ୍ୱିଟ୍ କରିଛନ୍ତି ଯେ, ହାଥରସ ପୀଡ଼ିତାଙ୍କ ବାପାଙ୍କ ବୟାନ ଶୁଣନ୍ତୁ। ତାଙ୍କୁ ଜବରଦସ୍ତି ନିଆଯାଇଥିଲା। ଏହାସହ ପୀଡ଼ିତାଙ୍କ ପରିବାର ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ନୁହନ୍ତି ବୋଲି ମଧ୍ୟ ପ୍ରିୟଙ୍କା କହିଛନ୍ତି। ଏପରି କି ବର୍ତ୍ତମାନ ପୂରା ପରିବାରକୁ ନଜରବନ୍ଦୀ କରି ରଖାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପ୍ରିୟାଙ୍କା ପୁଣି କହିଛନ୍ତି ଯେ, ପୀଡ଼ିତାଙ୍କ ପରିବାର ଲୋକଙ୍କୁ କାହା ସହ କଥା ହେବାକୁ ମଧ୍ୟ ଦିଆଯାଉନାହିଁ। ଅନ୍ୟାୟ ପରେ ଅନ୍ୟାୟ ହୋଇଚାଲିଛି। ଡରାଇ, ଧମକାଇ ସେମାନଙ୍କ ପାଟି ଚୁପ୍ କରିବାକୁ ସରକାର ଚାହୁଁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି।
हाथरस की बेटी के पिता का बयान सुनिए।
उन्हें जबरदस्ती ले जाया गया। सीएम से वीसी के नाम पर बस दबाव डाला गया। वो जांच की कार्रवाई से संतुष्ट नहीं हैं।
अभी पूरे परिवार को नजरबंद रखा है। बात करने पर मना है।
क्या धमकाकर उन्हें चुप कराना चाहती है सरकार?
अन्याय पर अन्याय हो रहा है। pic.twitter.com/6lIW1hdvDc
— Priyanka Gandhi Vadra (@priyankagandhi) October 1, 2020
ସୂଚନାଯୋଗ୍ୟ, ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପାଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ, "ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହି କେତେଜଣ ଅଧିକାରୀ ତାଙ୍କୁ ସେଠାକୁ ନେଇଥିଲେ। ଆମ ଉପରେ ଚାପ ଥିଲା। ଘରେ ଆମକୁ ବନ୍ଦ କରିଦିଆଗଲା। ମିଡିଆକୁ ମଧ୍ୟ ଆସିବାକୁ ଦିଆଯାଇ ନଥିଲା।"
ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ରିପୋର୍ଟ ଅନୁଯାୟୀ, ପୀଡ଼ିତାଙ୍କ ଗଳରେ ଏକ ଆଘାତର ଚିହ୍ନ ରହିଛି ଏବଂ ହାଡ଼ ମଧ୍ୟ ଭାଙ୍ଗିଯାଇଛି। ପୀଡ଼ିତାଙ୍କ ସହ ଅମାନବୀୟ କାଣ୍ଡ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।
ସଫଦରଗଞ୍ଜ ହସ୍ପିଟାଲ ପକ୍ଷରୁ ଜାରି କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଭିସେରା ରିପୋର୍ଟ ଆସିବା ପରେ ହିଁ ପୀଡ଼ିତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ବ୍ୟବଚ୍ଛେଦ ରିପୋର୍ଟରେ ଗଳାରେ ଚିହ୍ନ ଥିବା ନେଇ ସ୍ପଷ୍ଟ କରାଯାଇଛି।
ଏହାସହ ପୀଡ଼ିତାଙ୍କ ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ମଧ୍ୟ କୁହାଯାଉଛି। ତେବେ ପୀଡ଼ିତାଙ୍କୁ ଏକାଧିକ ଥର ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିବା ଜଣାପଡ଼ିଛି।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ, ଘଟଣାଟି ସେପ୍ଟେମ୍ବର ୧୪ ସକାଳ ପ୍ରାୟ ୯ଟା ସମୟରେ। ତେବେ ଅପରାହ୍ନ ୪ଟା ସମୟରେ ପୀଡ଼ିତାଙ୍କୁ ଆଲିଗଡ଼ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ୨୮ ତାରିଖ ଦିଲ୍ଲୀ ସଫଦରଗଞ୍ଜ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା। ଚିକିତ୍ସା ଚାଲିଥିବା ବେଳେ ହିଁ ୨୯ ତାରିଖ ସକାଳ ୬.୫୫ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗ୍ରାମରେ ୧୯ ବର୍ଷୀୟା ଜଣେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯିବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଏହାପରେ ଗମ୍ଭୀର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେପଟେ ୟୁପି ସରକାର ସମ୍ପୂର୍ଣ୍ଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ତିନି ଜଣିଆ ଏସଆଇଟି ଟିମ୍ ଗଠନ କରିଛନ୍ତି। ଏହି ସ୍ୱତନ୍ତ୍ର ଟିମ୍ ହାଥରସ୍ ପହଞ୍ଚିସାରିଛନ୍ତି। ଏସଆଇଟି ଟିମ୍ ୭ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶ ହାଥରସସ୍ଥିତ ଏକ ଗ୍ରାମରେ ୪ ଜଣ ଯୁବକ ୧୯ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଜଣକ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ଆଖି ବୁଜି ଦେଇଛନ୍ତି। ପୀଡ଼ିତାଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶ ପୁଲିସ ଅଧ ରାତିରେ ତାଙ୍କ ଅନ୍ତିମ ସଂସ୍କାର କରାଯିବା ଘଟଣାକୁ ନେଇ ଏବେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଛି।
ଏନେଇ ବିରୋଧୀ କଂଗ୍ରେସ ଯୋଗୀ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ବୁଧବାର ରାହୁଲ କହିଥିଲେ ଯେ, ଦଳିତଙ୍କ ଉପରେ ଚାପ ପକାଇବା ଏବଂ ସେମାନଙ୍କୁ ତାଙ୍କ ସ୍ତର ଦେଖାଇବାକୁ ପୁଲିସ ଏଭଳି ଲଜ୍ଜାଜନକ କାଣ୍ଡ କରିଛି। ଆଉ ଏଭଳି ଚିନ୍ତାଧାରା ବିରୁଦ୍ଧରେ ଆମେ ଲଢ଼ିବୁ।
ଅନ୍ୟପଟେ ପ୍ରିୟଙ୍କା ଗାନ୍ଧି ଯୋଗୀ ସରକାରଙ୍କ ଇସ୍ତଫା ଦାବି କରିଛନ୍ତି। ଲଗାତର ଟ୍ୱିଟ୍ କରି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ୍ କରୁଛନ୍ତି।