ଗତକାଲି କେନ୍ଦୁଝର ଜେଲରେ ଅଜୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପାଇଖାନା ବାହାରେ ଥିବା ପାଣି ପାଇପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।
ଅଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇ ବିଚାରଧୀନ ବନ୍ଦୀ ଭାବେ ଜୀବନ ବିତାଉଥିଲେ ଅଜୟ।
କେନ୍ଦୁଝର ଜେଲର ଜେଲ୍ ସୁପରିଟେଣ୍ଡେଣ୍ଟ କୁଅଁର ମାରାଣ୍ଡି କହିଛନ୍ତି, ଗତକାଲି କଏଦୀ ଜଣଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲା। ପରେ ପାଇଖାନା ଯାଇଥିଲା। ପାଇଖାନା ବାହାରେ ଥିବା ପାଣି ପାଇପରେ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ଏ ସଂପର୍କରେ କେନ୍ଦୁଝର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଗତକାଲି ଅଣା କେନାଲ ନିକଟରେ ଟ୍ରାକ୍ଟର ଡ୍ରାଇଭର ଗାଡ଼ିକୁ ପଛକୁ ସାଇଟ କରୁଥିଲା। ଏହି ସମୟରେ ଛେନାପଡି ପଟୁ ଘନଶ୍ୟାମ ବାଇକ୍ ନେଇ ଆସୁଥିଲେ। ଟ୍ରାକ୍ଟରଟି ଘନଶ୍ୟାମଙ୍କୁ ଧକ୍କା ଦେଇଥିଲା। ସେ ରାସ୍ତାକଡ଼କୁ ଛିଟିକି ପଡ଼ିଥିଲେ।
ସ୍ଥାନୀୟ ଲୋକେ ଘନଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଟ୍ରାକ୍ଟର ଓ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି।
ଗତକାଲି କାନପୁର ଗାଁକୁ ଧାନ ପେଶା ମେସିନ ଆସିଥିଲା। ଗାଁର ସମସ୍ତ ଲୋକ ନିଜ ନିଜର ଧାନ ଆଣି କୁଟୁଥିଲେ। ସଂଯୁକ୍ତା ମଧ୍ୟ ଧାନ ପେଶିବା ପାଇଁ ଆସିଥିଲେ। ମେସିନିରେ ଧାନ ଢାଳିବା ସମୟରେ ଅସାବଧାନତା ବସତ ପିନ୍ଧା ଲୁଗାଟି ମେସିନିରେ ଗୁଡ଼ାଇ ହୋଇଯାଇଥିଲା। ସଂଯୁକ୍ତା ଧାନ ପେଶା ମେସିନରେ ଚାପି ହୋଇଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଅଗ୍ନିଶମ ବାହିନୀ ପହଞ୍ଚି ମେସିନରୁ ସଂଯୁକ୍ତାଙ୍କୁ ମୃତଦେହକୁ ଉଦ୍ଧାର କରିଥିଲେ।
ସଂଯୁକ୍ତାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ଘରେ ଥିଲେ ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା। ରାତି ପ୍ରାୟ ସାଢ଼ ୧୦ଟା ବେଳେ ତାଙ୍କ ଘରେ ପହଞ୍ଚିଥିଲେ ଏକତାଳି ଗାଁର ଅଜିତ ପୃଷ୍ଟି, ସଞ୍ଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ। ବିଭିନ୍ନ ବାହାନା କରି ତାଙ୍କୁ ଘରୁ ଡାକି ଆଣିଥିଲେ। ପରେ ତାଙ୍କୁ ତାଙ୍କ ଘର ଆଗରେ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲେ।
ହତ୍ୟା କରିବା ପରେ ରାମଚନ୍ଦ୍ର ବେହେରାଙ୍କ ହାତ ଓ ଗୋଡ଼କୁ କାଟି ନେଇଥିଲେ। ୫ ଅଭିଯୁକ୍ତ ରାମଚନ୍ଦ୍ରଙ୍କ ହାତ ଓ ଗୋଡ଼କୁ ଧରି ବାଇକ୍ରେ ଗାଁରେ ଚକ୍କର କାଟିଥିଲେ। ଗାଁ ଲୋକଙ୍କୁ ଭୟଭୀତ କରାଇଥିଲେ। ପରେ ନିକଟସ୍ଥ ଜଙ୍ଗଲକୁ ଯାଇ ରାମଚନ୍ଦ୍ରଙ୍କ ଗୋଡ ଓ ହାତକୁ କାଟି ଭକ୍ଷଣ କରିବା ଅଭିଯୋଗ ହୋଇଥିଲା। ସେହି ରାତିରେ ରାମଚନ୍ଦ୍ରଙ୍କ ଝିଅ ଘଷିପୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜାଜ। ୫୩ ଜଣଙ୍କ ସାକ୍ଷୀଙ୍କ ବୟାନ୍, ୯୪ଟି ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ୫ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ଆସିବା ପରେ ମୃତ ରାମଚନ୍ଦ୍ରଙ୍କ ଝିଅ ଖୁସି ବ୍ୟକ୍ତ କରିଛନ୍ତି।
ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ
୨୦୨୧ ଅକ୍ଟୋବର ୨୬ ତାରିଖରେ ନାବାଳିକା ଜଣକ ବାଉଁଶପାଳ ମାର୍କେଟରୁ ଚାଲି ଚାଲି ଘରକୁ ଫେରୁଥିଲେ। ଠିକ୍ ସେହି ସମୟରେ ବୁବୁନ ସେଠୀ ଓ ତାଙ୍କର ସହଯୋଗୀମାନେ ଏକ ବୋଲେରୋରେ ଆସି ତାଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ। ଯାହାଫଳରେ ସେ ସଜ୍ଞା ହରାଇଥିଲେ। ଅପହରଣ ପରେ ନାବାଳିକାଙ୍କୁ ସେ ବିଲେଇପଦା ନେଇଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ରିମୁଳି ବାଇପାସ୍ ପାଖରେ ପୀଡ଼ିତାଙ୍କ ଚେତା ଫେରିଥିଲା। ତେଣୁ ସେ ଚିତ୍କାର ଶୁଣିଥିଲେ।
ନାବାଳିକାଙ୍କ ଚିତ୍କାର ଶୁଣି ସେହି ରାସ୍ତାରେ ଯାଉଥିବା କିଛି କିନ୍ନର ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ବୋଲେରୋକୁ ପିଛା କରି ଅଟକାଇଥିଲା। ଏପରିକି ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅପହରଣ ଗୋଟିଏ ଦିନ ପରେ ଅର୍ଥାତ ୨୮ ତାରିଖରେ ବୁବୁନ ସେଠୀଙ୍କ ମାଆ, ଭଉଣୀ, ଭିଣୋଇ ପ୍ରମୁଖ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଜବରଦସ୍ତି ନାବାଳିକାଙ୍କୁ ଉଠାଇ ଆଣିଥିଲେ। ତାଙ୍କୁ ବାଆଁଶପାଳ ନେଇ ଯାଇଥିଲେ। ସେଠାରେ ବୁବୁନ୍ ସେଠୀ ତାଙ୍କ ସହିତ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିଲେ। ତା’ପରେ ବୁବୁନ ସେଠୀ ତାଙ୍କୁ ନିଜ ଘରକୁ ନେଇଯାଇଥିଲା। ସେଠାରେ ୪ ମାସ ଧରି ରଖିଥିଲେ। ସେହି ସମୟରେ ତାଙ୍କ ସହିତ ଶାରୀରିକ ସମ୍ପର୍କର ଖିଥିଲେ ବୁବୁନ ସେଠୀ।
୪ ମାସ ପରେ ବୁବୁଲ ସେଠୀଙ୍କ ବାପା ଦୋଳଗୋବିନ୍ଦ ସେଠୀ ନାବାଳିକାଙ୍କୁ ନଗରିଆ ନେଇଯାଇଥିଲେ। ସେଠାରୁ ସେ ବାଆଁଶପାଳ ଫେରିବା ବେଳେ ରାକମ ଘାଟିରେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା। ବିଶ୍ରା ରୋଡ୍ ଚାଇଲ୍ଲାଇନ୍ କର୍ମକର୍ତ୍ତା ପୀଡ଼ିତାଙ୍କୁ ଉଦ୍ଧାର କରିଥିଲେ। ପୂରା ଘଟଣା ଜାଣିବା ପରେ ପୀଡ଼ିତାଙ୍କ ବାପାଙ୍କୁ ଖବର ଦେଇଥିଲେ। ଏହା ପରେ ଝିଅକୁ ଧରି ବାପା ଘରକୁ ଫେରିଥିଲେ। ସେ ଏନେଇ କେନ୍ଦୁଝର ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୁଲିସ୍ ମାମଲା ରୁଜୁ କରି ବୁବୁନ୍ ସେଠୀ ଓ ତାଙ୍କ ବାପା ଦୋଳଗୋବିନ୍ଦ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୧୮ ଜଣ ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ କାଗଜପତ୍ର ଆଧାରରେ କେନ୍ଦୁଝର ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବାପା ଦୋଳଗୋବିନ୍ଦଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଏବଂ ପୁଅକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଏଥିସହ ପୀଡିତାଙ୍କୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ଆଜି ଦିନ ପ୍ରାୟ ୧୦ଟା ସମୟରେ ବାଂଶପାଳ ବ୍ଲକ ଫୁଲଝରରୁ ‘ରାଧାମାଧବ’ ନାମକ ଯାତ୍ରୀବାହୀ ବସଟି ଯାତ୍ରୀମାନଙ୍କୁ ନେଇ ପାଲଲହଡ଼ା ଅଭିମୁଖେ ଯାଉଥିଲା। ତରମାକାନ୍ତ-ତେନ୍ତୁଳିଖୁଣ୍ଟି ରାସ୍ତାରେ ବସ୍ଟି ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।
ବସ୍ରେ ୩୫ ଜଣ ଯାତ୍ରୀ ଥିଲେ। ପୁଲିସ ବସ୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
କେନ୍ଦୁଝର ବରେଇଗୋଡ଼ା ଗାଁର ଦୁଃଖବନ୍ଧୁ ମହାନ୍ତି ଭୁବନେଶ୍ୱରରେ ଅଟୋ ଚଳାଇ ପତ୍ନୀ ବନିତା ଓ ଝିଅ ଦମୟନ୍ତୀଙ୍କ ସହ ରହୁଥିଲେ। ନବମ ଶ୍ରେଣୀରେ ଦମୟନ୍ତୀ ପଢ଼ନ୍ତି। ଆଜକୁ ୫ ମାସ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବେଳେ ତାଙ୍କର କିଡନୀ ସମସ୍ୟା ଥିବା ଜଣାପଡ଼ିଥିଲା। ଏହା ପରେ ଡାକ୍ତରଙ୍କ ପରାମର୍ଶରେ ସେଠାରେ ତାଙ୍କ ଡାଏଲିସିସ୍ ଚାଲିଥିଲା। ଗତ ୧୫ ତାରିଖରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। କ୍ୟାପିଟାଲ୍ ହସ୍ପିଟାଲ୍ ସ୍କାନିଂ କରିବା ବେଳେ ବ୍ରେନ୍ ଷ୍ଟୋକ୍ ହୋଇଥିବା ଜଣାପଡ଼ିଥିଲା।
ଦମୟନ୍ତୀଙ୍କୁ ବ୍ରେନ୍ ଷ୍ଟୋକ୍ ହୋଇଥିବାରୁ ଆଇସିୟୁର ଆବଶ୍ୟକତା ପଡ଼ିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଗତ ୧୫ ତାରିଖରୁ ତାଙ୍କୁ ଏମ୍ସ ଆଇସିୟୁରେ ଚିକିତ୍ସା ଚାଲିଥିଲା। ମାତ୍ର ଗତ ୪ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟୁନଥିଲା। ବ୍ରେନ୍କୁ ରକ୍ତ ସପ୍ଲାଏ ହେଉନଥିବାରୁ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିବ ନାହିଁ ବୋଲି ଜଣାପଡ଼ିଥିଲା। କହିବାକୁ ଗଲେ ଏକ ପ୍ରକାର ଡେଡ୍ ହୋଇଯାଇଥିଲା।
ଦମୟନ୍ତୀଙ୍କ ବ୍ରେନ୍ ଡେଡ୍ ହୋଇଥିବା ଜାଣିବା ପରେ ପରିବାର ଲୋକ ଅଙ୍ଗଦାନ କରିବା ପାଇଁ ରାଜି ହୋଇଥିଲେ। ପ୍ରୋଟୋକଲ୍ ଅନୁସାରେ ଦମୟନ୍ତୀଙ୍କ ଅପରେଶନ୍ କରାଯାଇଥିଲା। ଦମୟନ୍ତୀଙ୍କ ଲିଭର ବା ଯକୃତକୁ ରିଟ୍ରାଇଭ୍ କରାଯାଇଥିଲା। ଉକ୍ତ ଲିଭରକୁ ଗ୍ରୀନ୍ କରିଡରରେ ଭୁବନେଶ୍ୱର ବିମାନ ବନ୍ଦରକୁ ନିଆଯାଇଥିଲା। ସେଠାରୁ ନୂଆଦିଲ୍ଲୀର ଇନଷ୍ଟିଚ୍ୟୁଟ ଅଫ୍ ଲିଭର ଆଣ୍ଡ ବାଇଲଅରି ସାଇନ୍ସ (ILBS)କୁ ନିଆଯାଇଛି। ଆଜି ରାତିରେ ଜଣଙ୍କ ଦେହରେ ରୋପଣ କରାଯିବ। ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ୱର ପାଇଁ ଏହା ପ୍ରଥମ ଘଟଣା। ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ ବଞ୍ଚି ରହିବ। ଝିଅକୁ ହରାଇ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ତାଙ୍କ ଲିଭର ଅନ୍ୟ ଜଣଙ୍କୁ ନୂଆ ଜୀବନ ଦେବ ଜାଣି ସେମାନେ ଗର୍ବିତ ବୋଲି ଉଭୟ କହିଛନ୍ତି।
ଆଜି ସକାଳ ପ୍ରାୟ ୯ଟା ବେଳେ ଲକ୍ଷ୍ମଣ ବାପାଙ୍କ ସହ ସ୍କୁଟିରେ ବାଙ୍କପାଟୁଳୀ ସାପ୍ତାହିକ ହାଟକୁ ଆସୁଥିଲେ। ଏହି ସମୟରେ ପିପିଳିଆ ଛକ ନିକଟରେ କେନ୍ଦୁଝର ପଟକୁ ଆସୁଥିବା ଏକ ରଡ୍ ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବାପପୁଅଙ୍କର ମୃତ୍ୟୁ ଘଟିଥିଲା।
ଏହି ଖବର ଗାଁରେ ପହଞ୍ଚିବା ପରେ ଲକ୍ଷ୍ମଣଙ୍କ ଦାଦା ସମରା ଦୁଃଖରେ ଭାଙ୍ଗି ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ସମରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃହଘାତରେ ସମରାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ।
ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ NH-20କୁ ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ୩ଜଣଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। କାନ୍ଦବୋବାଳିରେ ଫାଟିପଡ଼ୁଛି ବାରିଗାଁ।
ମୃତକ ହେଲେ ପରମାନନ୍ଦ ପାତ୍ରଙ୍କ ସ୍ତ୍ରୀ ସୁବାସିନୀ ପାତ୍ର। ସୁବାସିନୀଙ୍କ ଦିଅରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୯ଟା ସମୟରେ ସେ ଓ ସୁବାସିନୀଙ୍କ ସ୍ୱାମୀ ଘର ବାହାରେ ବସିଥିଲେ।
ସୁବାସିନୀ ଘର ଭିତରେ ଥିଲେ। ସ୍ୱାମୀ ଓ ଦିଅର ବାହାରେ ଥିବା ବେଳେ ସୁବାସିନୀ ନିଜ ଦେହରେ ହଠାତ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏକଥା କିନ୍ତୁ ସ୍ୱାମୀ କିମ୍ବା ଦିଅର ଜାଣି ପାରି ନଥିଲେ। କିଛି ସମୟ ପରେ ଘର ଭିତରୁ ଧୂଆଁ ବାହାରିବାରୁ ସେମାନେ ଚକିତ ହୋଇ ଯାଇଥିଲେ।
ତୁରନ୍ତ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସୁବାସିନୀଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ଓ ଦିଅରଙ୍କୁ ପଚରା ଉଚୁରା ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ବିଭିନ୍ନ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ନଜିର ରହିଛି। ତେଣୁ ଏହି କାରଣ ପାଇଁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।
ରେଡ୍ ବେଳେ ପୁଲିସ ହାତରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୧୦ ଜଣଙ୍କୁ ପୁଲିସ୍ କାବୁ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି। ପୁଲିସ୍ ସମସ୍ତଙ୍କୁ ଧରିବା ପରେ ଜେରା ଆରମ୍ଭ କରିଥିଲା।
ଏମାନେ ଚମ୍ପୁଆ ଅଞ୍ଚଳରେ ବ୍ୟାଙ୍କ ଓ ଏଟିଏମ ଲୁଟ ପାଇଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ସେହପରି ଆଗରୁ ମଧ୍ୟ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ଡକାୟତି ମାମଲାରେ ସଂପୃକ୍ତ ଥିବା ପୁଲିସ୍ ଜାଣିବାକୁ ପାଇଛି।
ଚଢ଼ଉ ବେଳେ ଲୁଟ ପାଇଁ ଉଦ୍ୟମ କରୁଥିବା ଗ୍ୟାଙ୍ଗ ପାଖରୁ ପୁଲିସ୍ ଦୁଇଟି ଦେଶୀ ବନ୍ଦୁକ , ଦୁଇଟି ଜୀବନ୍ତ ଗୁଳି , ଦୁଇଟି ଖଣ୍ଡା , ଗୋଟିଏ ବୋଲେର ସହ ଅନେକ ମଦ ବୋତଲ ଜବତ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ସିପୁନ ବାରିକ ନାଁରେ ଏକାଧିକ ମାମଲା ରହିଥିବା ଚମ୍ପୁଆ SDPO ବିଜୟ କୁମାର ମଲିକ କହିଛନ୍ତି।
ସେ କହିଛନ୍ତି, “ଏସପି ସାର୍ଙ୍କ ନିର୍ଦ୍ଦେଶକ୍ରମେ ଆମର ଆଣ୍ଟି ଡକାୟତି ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖବର ମିଳିଥିଲା ଯେ ସ୍ଥାନୀୟ ଜଙ୍ଗଲରେ କିଛି ଲୋକ ଡକାୟତି ପାଇଁ ଯୋଜନା କରୁଛନ୍ତି। ଖବର ମିଳିବା ମାତ୍ରେ ପୁଲିସ୍ ଓ ପ୍ୟାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା।
ପୁଲିସ୍କୁ ଦେଖି ସେଠାରେ ଏକାଠି ହୋଇଥିବା ୧୦ ଜଣ ଲୋକ ନିଜର ବୋଲେର ଛାଡ଼ି ଦୌଡ଼ିବାକୁ ଲାଗିଥିଲେ। ପୁଲିସ୍ ସେମାନଙ୍କର ପିଛା କରି ୧୦ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି କଟୁରୀ, ୩ଟି କ୍ରିକେଟ ଷ୍ଟମ୍ପ, ୫ ପ୍ୟାକେଟ ଲଙ୍କା ଗୁଣ୍ଡ, ୪ଟି ଫେସ ମାସ୍କ, ଗୋଟିଏ ବୋଲେର, ୧୦ଟି ବିୟର ବୋତଲ ଓ ନଗଦ ୪ ହଜାର ୯୦୦ ଟଙ୍କା ଜବତ ହୋଇଛି।
ଏ ସଂକ୍ରାନ୍ତରେ ଗୋଟିଏ ମାମଲା ଚମ୍ପୁଆ ଥାନାରେ ରୁଜୁ କରାଯାଇଛି। ଗ୍ୟାଙ୍ଗର ସଦସ୍ୟ ସିପୁନ ବାରିକ ସମେତ ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।”
ଘଟଗାଁ ବଜାରରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନ ଆଇସିକ୍ରମ୍ ବିକ୍ରି କରନ୍ତି। ଆଜି ଶ୍ରୀ ପାତ୍ର ଓ ଶ୍ରୀ ଖାନ୍ଙ୍କ ସମେତ ୮ ଜଣ ମିଶି ଭୋଜି କରିବାକୁ କାଳିମାଟି ଡ୍ୟାମ୍କୁ ଏକ ଟାଟା ମ୍ୟାଜିକ୍ରେ ଯାଇଥିଲେ। ଭୋଜି ସାରି ଘରକୁ ଫେରୁଥିବା ବେଳେ ନାକଝରି ନିକଟରେ ଟାଟା ମ୍ୟାଜିକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇଯାଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଅଭିମନ୍ୟୁ ପାତ୍ର ଓ ଅହମଦ ଖାନଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଦ୍ଧାର କରିଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି
ଆଜି ସକାଳେ ତେଲକୋଇ ଥାନା ଛାମୁଣ୍ଡା ଗାଁର ମହୁଲି ମୁଣ୍ଡା ଓ ତାଙ୍କ ମାଆ ଉପାସୀ ମୁଣ୍ଡାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ମହୁଲି ଘରୁ ପଳାଇ ଯାଇଥିଲେ। କିଛି ସମୟରେ ଗାଁର କେତେକ ମହିଳା ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେଠାରେ ଏକ ମହୁଲ ଗଛରେ ମହୁଲି ଝୁଲିଥିବା ଦେଖିବାକୁ ପାଇଥିଲେ।
ମହିଳାମାନେ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏଥିସହ ଥାନାକୁ ସୂଚନା ଦେଇଥିଲେ। ପୁଲିସ ଜଙ୍ଗଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
ଆଜି ସନ୍ଧ୍ୟା ବେଳେ ଯୋଡ଼ା ଆଜାଦ ବସ୍ତିର ସଞ୍ଜୁ ମହାକୁଡ଼, ତାଙ୍କ ୫ ବର୍ଷର ଝିଅ ଅଙ୍କି ମହାକୁଡ଼ ଜଣେ ବାଇକ୍ଙ୍କ ବାଇକରେ ବଡ଼ବିଲ୍ ଅଭିମୁଖେ ଯାଉଥିଲେ। ତେବେ ସେମାନେ ୫୨୦ ନମ୍ୱର ଜାତୀୟ ରାଜପଥର ରୋଇଡା ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ର ପଛ ପାର୍ଶ୍ୱରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ବାଇକ୍ ଆରୋହୀ ଓ ୫ ବର୍ଷର ଶିଶୁ ଅଙ୍କିଙ୍କ ମୃତ୍ୟୁ ଘଟିଥିଲା।
ତେବେ ସଞ୍ଜୁ ମହାକୁଡ଼ ଗୁରୁତର ଅସୁସ୍ଥ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ ମୃତ ବାଇକ୍ ଚାଳକଙ୍କ ପରିଚୟ ମିଳିପାରିନି। ବଡ଼ବିଲ ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ହାଟଡ଼ିହି ବ୍ଲକ୍ ଇଞ୍ଚୋଳ ପଞ୍ଚାୟତ ଭୁତପଦା ଗାଁର ପୀତାମ୍ବର ଯେନାଙ୍କ ପୁଅ କିଛିଦିନ ତଳେ ବନ୍ତ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଯୁବତୀଙ୍କୁ ସାଥୀରେ ନେଇଯାଇଥିଲେ। ଝିଅଘର ଲୋକେ ଏ ନେଇ ବନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ପୀତାମ୍ବରଙ୍କ ପରିବାର ଲୋକଙ୍କୁ ଉଠାଇ ନେଇ ପଚରା ଉଚୁରା କରିଥିଲା। ଏପରିକି ଝିଅକୁ ଆଣି ଛାଡିବା ପାଇଁ କହିଥିଲା।
ଅନ୍ୟପକ୍ଷରେ ଯୁବତୀଙ୍କ ପରିବାର ଲୋକେ ବାରମ୍ୱାର ଭୁତପଡ଼ା ଆସି ପୀତାମ୍ବରଙ୍କ ପରିବାରକୁ ଧମକ ଚମକ ଦେଇଯାଉଥିଲେ। ଯେଉଁଥିପାଇଁ ପୀତାମ୍ବରଙ୍କ ପରିବାର ଲୋକେ ଘର ଛାଡ଼ି ବାହାରେ ରହୁଥିଲେ। ଶନିବାର ରାତିରେ ପୀତାମ୍ବରଙ୍କ ସ୍ତ୍ରୀ ମନୋରମା ଘରେ ଏକୁଟିଆ ଥିଲେ। ତେବେ ବିଳମ୍ୱିତ ରାତିରେ ଝିଅଘର ଲୋକେ ଆସି କବାଟ ଭାଙ୍ଗି ମନୋରମାଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି। ଏଥିସହ ଘରୁ ସୁନାରୁପା ଲୁଟି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଗାଁ ଲୋକେ ନିଆଁକୁ ଆୟତ୍ତ କରିଥିଲେ। ମନୋରମା ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ନିଆଁ ଲଗାଇଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ନନ୍ଦିପଦା ଥାନା ପୁଲିସ୍ ନଂ ୮୬/୨୦୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ- ଆନନ୍ଦପୁରରୁ ମୁନ୍ନା ସିଂ
ସୁଆକାଟି ଫାଣ୍ଡି ଉପର କାଇପୁର ଗାଁର ଶୁକ୍ରା ଜୁଆଙ୍ଗ ଓ ଚେମା ଜୁଆଙ୍ଗ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସଉଦା କରିବା ପାଇଁ ଠାକୁରଡ଼ିହି ଛକକୁ ଯାଇଥିଲେ। ସେଠାରୁ କିଣାକିଣି କରି ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱ କଲଭର୍ଟ ବାଡ଼ରେ ବସି ବିଶ୍ରାମ ନେଉଥିଲେ। ଠିକ୍ ସେହି ସମୟରେ ଏକ ପାଉଁଶ ବୋଝେଇ ଟ୍ରକ୍ ଭରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇ ଓଲଟି ପଡିଥିଲା। ଘଟଣା ସ୍ଥଳରେ ଶୁକ୍ରା ଓ ଚେମାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛି।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଛି। ପୁଲିସ୍ ଟ୍ରକ୍କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ଗଡ଼ାଣିଆ ରାସ୍ତା ହୋଇଥିବାରୁ ଟ୍ରକ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
ରବିବାର ରାତିରେ ଗୋଟିଏ ହାତୀ ପଲ ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଘୂରି ବୁଲୁଥିଲା। ସେହି ପଲରେ ଥିବା ଗୋଟିଏ ମାଈ ହାତୀ ଅଣ୍ଡିରା ଛୁଆ ଜନ୍ମ ଦେଇଥିଲା। ଜନ୍ମ ନେବାର କିଛି ସମୟ ପରେ ହାତୀ ଛୁଆର ମୃତ୍ୟୁ ଘଟିଥିଲା। ଛୁଆ ମୃତ୍ୟୁ ପରେ ମାଆ ହାତୀ ଓ ତାଙ୍କ ସାଥୀମାନେ ସେହି ସ୍ଥାନ ଛାଡ଼ି ଯାଇନଥିଲେ। ରାତି ସାରା ଜଗି ରହିଥିଲେ। ମଝିରେ ମଝିରେ କାନ୍ଦୁଥିଲା ମାଆ ହାତୀ! ଆଉ ଚିତ୍କାର କରୁଥିଲା।
ହାତୀ ଛୁଆର ମୃତ୍ୟୁ ସମ୍ପର୍କରେ ଜାଣିପାରି ସ୍ଥାନୀୟ ଲୋକେ ଆଜି ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଏସିଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ରେଞ୍ଜର ଅକ୍ଷୟ ଛତ୍ରିଆ ଓ ଅନ୍ୟ ବନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ମାଆ ହାତୀ ଥିବା ଦେଖିବାକୁ ପାଇଥିଲେ। ପରେ କୌଶଳ କରି ମାଆ ହାତୀ ଓ ତାଙ୍କ ସାଥୀଙ୍କୁ ଘଉଡାଇ ଥିଲେ। ହାତୀ ପଲ ନିକଟସ୍ଥ ଡଡୁଆଁ ଜଙ୍ଗଲକୁ ଗଲା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି। କିନ୍ତୁ କେଉଁ କାରଣରୁ ହାତୀ ଛୁଆର ମୃତ୍ୟୁ ହେଲା, ତାହା ଜଣାପଡ଼ି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ଆଜି ସକାଳେ ଲୁହାପଥର ବୋଝେଇ ଟ୍ରକଟି ଦ୍ରୁତଗତିରେ ଆସି ପ୍ରଥମେ ୩ଟି ଟ୍ରକକୁ ଧକ୍କା ଦେଇଥିଲା। ପରେ ୪ ଜଣ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା।
ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବ୍ରେକ୍ ଫେଲ୍ ହେବା ଯୋଗୁ ଟ୍ରକଟି ଅନ୍ୟ ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଇଥିବା କୁହାଯାଉଛି। ଲୁହାପଥର ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି।
ତେଲକୋଇ ବ୍ଲକ୍ କାଳିଆହତା ଫାଣ୍ଡି ଅଞ୍ଚଳରେ ରହିଛି କାଳିଆହତା ପଞ୍ଚାୟତ। ସୋମବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରେ ପଶିଥିଲେ। ପରେ ଫାଇଲ୍ ପତ୍ର ରଖାଯାଇଥିବା ଆଲମିରା ଭାଙ୍ଗି କିଛି ସରକାରୀ ଫାଇଲ, ଗ୍ରାମସଭା ଖାତା, ଦରମା ରେଜିଷ୍ଟର ସହିତ ପଞ୍ଚାୟତରେ ଥିବା ୩୦ଟି ଚେୟାର, ଦୁଇଟି ଏଲସିଡି ଟିଭି, ପ୍ରୋଜେକଟର, ଇନଭର୍ଟର, ବ୍ୟଟେରୀ ଆଦି ଚୋରି କରି ନେଇଛନ୍ତି।
ଆଜି ସକାଳେ ପଞ୍ଚାୟତ କାର୍ଯ୍ୟାଳୟ ଗେଟ୍ରେ ପଡ଼ିଥିବା ତାଲା ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଲୋକ ଜିଆର୍ଏସ୍ଙ୍କୁ ଖବର ଦେଇଥିଲେ। ଖବର ପାଇ ଜିଆରଏସ୍ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ସେ ଏନେଇ ସରପଞ୍ଚ ସୀତା ସୋରେନଙ୍କୁ ସୂଚନା ଦେଇଥିଲେ। ପରେ ଉଭୟ ଏନେଇ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ଘଟଣାର ତଦନ୍ତ ଚଳାଇଛି।
ସେପଟେ ପଞ୍ଚାୟତ ଅଫିସ୍ର ରାତ୍ର ଜଗୁଆଳୀ ସେଦିନ ଆସିଥିବା ଜଣାପଡ଼ିଛି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଅଫିସ୍ରେ କଳା କନା ବୁଲାଇ ଦେଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ୍ ଚୋରଙ୍କ ପାଖରେ ପହଞ୍ଚି ପାରିନାହିଁ।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ଝାଡଖଣ୍ଡ, ବିହାର, ରାଜସ୍ଥାନ ଆଦି ରାଜ୍ୟର ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ ସିମ୍। ଅଭିଯୁକ୍ତଙ୍କଠାରୁ ୫୩୮ଟି ସିମ୍, ୧୮ଟି ମୋବାଇଲ, ୫ଟି ବାୟୋମେଟ୍ରିକ ସ୍କାନର, ୨୫ଟି ଏଟିଏମ୍ କାର୍ଡ଼, ୨୫ଟି ଆଇଡି କାର୍ଡ, ଗୋଟିଏ ଲାପଟପ, ୭ଟି ପାସବୁକ୍ , ୧୮୫ଟି ଫଟୋ , ୫ ହଜାର ଟଙ୍କା ଜବତ ହୋଇଛି। ଧରାପଡ଼ିଥିବା ଅଭିଯୁକ୍ତ ମଧ୍ୟରେ ମୁଖ୍ୟ ରାଜକିଶୋର ଜେନା ନାଁରେ ବିଭିନ୍ନ ରାଜ୍ୟରେ ୩ ଶହରୁ ଅଧିକ ମାମଲା ରହିଛି ।
ଏମାନେ ବିଭିନ୍ନ ସିମ୍ କାର୍ଡ କମ୍ପାନୀରେ ଚାକିରି କରୁଥିବା ବେଳେ ନିରୀହ ଲୋକଙ୍କୁ ଠକି ସେମାନଙ୍କ ଅଜାଣତରେ ସିମ୍ ବାହାର କରି ସାଇବର ଠକମାନଙ୍କୁ ବିକ୍ରି କରୁଥିଲେ। ସମସ୍ତ ଅପରାଧୀ ଘସିପୁରା ଥାନା ଅଞ୍ଚଳର। ଅଭିଯୁକ୍ତ ହେଲେ ରାଜକିଶୋର ଜେନା, ତପନ କୁମାର ଜେନା , ସୁବ୍ରତ କୁମାର ଜେନା ଓ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ପ୍ରଦୀପ କୁମାର ମିଶ୍ର। ପ୍ରତି ସିମ୍ କାର୍ଡ଼କୁ ୪ରୁ ୫ ହଜାର ଟଙ୍କାରେ ସେମାନେ ବାହାର ରାଜ୍ୟ ସାଇବର୍ ଠକଙ୍କୁ ବିକ୍ରି କରୁଥିଲେ। ଏମାନଙ୍କ ନାଁରେ ସାଇବର ଥାନା କେସ୍ ନମ୍ବର ୫/୨୦୨୪ରେ ମାମଲା ରୁଜୁ ହୋଇଛି ବୋଲି ଏସପି ସୂଚନା ଦେଇଛନ୍ତି।
ଧରାପଡିଥିବା ଅଭିଯୁକ୍ତ ଜାମତରା ଗ୍ୟାଙ୍ଗ ଲିଙ୍କରେ ବିହାର, ରାଜସ୍ଥାନ ସାଇବର ଅପରାଧୀଙ୍କୁ ଯୋଗାଉଥିଲେ ଆକ୍ଟିଭେଟେଡ ସିମ୍। ୪ ହଜାରରୁ ଅଧିକ ନକଲି ସିମ୍ ଏମାନେ ବିକ୍ରି କରିଥିବା ସୂଚନା ମିଳିଛି ବୋଲି କେନ୍ଦୁଘର ଏସପି ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ କେନ୍ଦୁଝର ପୁଲିସରେ ଟ୍ରେନିଂ ଭାବେ ଯୋଗ ଦେଇଥିବା ଯୁବ ଆଇପିଏସ ରାମେନ୍ଦ୍ର ପ୍ରସାଦକୁ ତଦନ୍ତ ଭାର ଦେଇଥିଲେ କେନ୍ଦୁଝର ଏସପି।
ଜନଶ୍ରୁତି ଅଛି- କୁଆଡ଼େ ମାତା ସୀତା ଏଠି ସ୍ନାନ କରୁଥିବା ଦେଖି ହସି ଦେଇଥିଲେ କିଛି ସ୍ଥାନୀୟ ମହିଳା। ଆଉ କ୍ଷୁବ୍ଧ ହୋଇ ମାଆ ଜାନକୀ ସେମାନଙ୍କୁ ଆଜୀବନ ବସ୍ତ୍ରହୀନ ହେବାର ଅଭିଶାପ ଦେଇଥିଲେ। ସେଇଥି ପାଇଁ ବୋଧହୁଏ ସେବେଠୁ ଏମିତି ଜୀବନ ବିତାଉଛନ୍ତି ଆଦିମ ବଣ୍ଡା ଜନଜାତିକ ମହିଳାମାନେ। ଯୁଗ ଯୁଗ ଧରି ଚାଲି ଆସିଛି ବିଶ୍ୱାସର ସେ ଅଦେଖା ଛାପ। ସେଠାରେ ଥିବା ସୀତାକୁଣ୍ଡରୁ ସଂଗୃହୀତ ପବିତ୍ର ଜଳ ଯାଇଛି ଅଯୋଧ୍ୟା ରାମ ମନ୍ଦିରକୁ। କେବେ ଭକ୍ତଟିଏ ଏଠାକୁ ବୁଲି ଆସିଲେ ଶ୍ରଦ୍ଧାରେ ମୁଣ୍ଡିଆଟିଏ ନମାରି ଆଦୌ ରହି ପାରେନି।
ସେହିପରି କେନ୍ଦୁଝରରେ ରହିଛି ସୀତାବିଞ୍ଜ। ଘଞ୍ଚ ଜଙ୍ଗଲ ଭିତରେ ଅବସ୍ଥିତ ଏହି ସ୍ଥାନ। ବିଶ୍ୱାସ ରହିଛି, ଏହାର ମଧ୍ୟ ସିଧାସଳଖ ସଂପର୍କ ରହିଛି ମାତା ସୀତାଙ୍କ ସହ। ବାଲ୍ମିକୀ ଆଶ୍ରମରେ ଲବ ଓ କୁଶଙ୍କୁ ଜନ୍ମଦେବା ପରେ ମାତା ସୀତା ଏଇଠି ଦୁଇ ରାଜକୁମାରଙ୍କର କଟିଥିଲା ଶୈଶବ। ଯାହା ବିଶ୍ୱାସରେ ଆଜି ଜୀବନ୍ତ। ଘଟଗାଁ ବ୍ଳକରୁ ୬ କିଲୋମିଟର ଯିବା ପରେ ପଡେ ଡାଙ୍ଗୁଆପଶି ଗାଁ। ବିଶାଳ ପାହାଡ଼ ଓ ଘଞ୍ଚ ବନାଅଞ୍ଚଳ ମହର୍ଷି ବାଲ୍ମିକୀଙ୍କ ଆଶ୍ରମ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗୁମ୍ଫା ଚାରି ପଟେ ଥିବା ଭଗ୍ନାବଶେଷ ଓ ପାହାଡ଼ ଉପରେ ଥିବା ଯଜ୍ଞ କୁଣ୍ଡ ଯେମିତି କିମ୍ବଦନ୍ତୀକୁ ଆହୁରି ରୁଦ୍ଧିମନ୍ତ କରୁଛି। ଯେହେତୁ ବାଲ୍ମିକୀଙ୍କ ଆଶ୍ରମରେ ଲବ ଓ କୁଶଙ୍କ ବାଲ୍ୟଶିକ୍ଷା ସଂପନ୍ନ ହୋଇଥିଲା- ତେଣୁ ସେ ସ୍ମୃତିରେ ଏଠିକାର ସ୍କୁଲର ନାଁ ମଧ୍ୟ ଲବ-କୁଶଙ୍କ ନାମରେ ହୋଇଛି ନାମିତ। ଏଠାକୁ ଆସୁଥିବା ପ୍ରତିଟି ରାମ ଭକ୍ତ ଏବଂ ପର୍ଯ୍ୟଟକ, ସମସ୍ତଙ୍କୁ ମିଳିଯାଏ ପୌରାଣିକ ସହ ଆଧାତ୍ମିକ ଭାବନାର ନିଆରା ଅନୁଭବ।
ମାଲକାନଗିରିରୁ ଜିତେନ୍ଦ୍ର ବେଉରା/ କେନ୍ଦୁଝରରୁ ପ୍ରଣୟ ପାଣି
ବାପାମା’ ଛେଉଣ୍ଡ ୧୫ ବର୍ଷୀୟ ଶୁକଦେବ ଟାଟା କମ୍ପାନୀ ଅଧିନ ଆସପାୟାର ଆବାସିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ମକର ସଂକ୍ରାନ୍ତି ହେତୁ ଗତ ଶନିବାର ସେ ନିଜ ଗାଁକୁ ଆସିଥିଲେ। ଗତକାଲି ସନ୍ଧ୍ୟାରେ ଶୁକଦେବ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇନଥିଲେ। ଆଜି ସକାଳେ ପୋଲ ତଳୁ ଶୁକଦେବକୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
ଶୁକଦେବଙ୍କୁ ପଥରରେ ଛେଚି କିଏ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ କିଏ ଓ କାହିଁକି ନାବାଳକଙ୍କୁ ଅମାନୁଷିକ ଭାବରେ ହତ୍ୟାକଲା ପୁଲିସ ତାର ତଦନ୍ତ କରୁଛି।
ଚମ୍ପୁଆ ବସ ଷ୍ଟାଣ୍ଡରେ ଛିଡା ହୋଇରହିଥିବା ଧବଳେଶ୍ୱର ନାମକ ଏକ ଘରୋଇ ବସର ଚକ ପାଖରେ ଶିଶୁକନ୍ୟାଟିକୁ କିଏ ଛାଡ଼ି ପଳାଇ ଯାଇଥିଲା। ଗତ ରାତି ପ୍ରାୟ ୯ଟା ସମୟରେ ବସର ହେଲପର ଗାଡିର ଚକ ଗୁଡିକୁ ଯାଞ୍ଚ କରୁଥିବା ସମୟରେ ଚକ ତଳେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଶିଶୁ କନ୍ୟାଟି ଥିବା ଦେଖିଥିଲେ।
ଏନେଇ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଶିଶୁକନ୍ୟାଟିକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏବେ ଶିଶୁକନ୍ୟାଟି ସୁସ୍ଥ ଥିବା ଚିକିତ୍ସାଧୀନ ଡାକ୍ତର କରିଛନ୍ତି। କିଏ ଓ କାହିଁକି ଏପରି ଅମାନବୀୟ କାର୍ଯ୍ୟ କଲା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।
ଏକ କାର୍ରେ ଦୁଇ ଜଣ ବ୍ୟକ୍ତି ପାରାଦୀପରୁ ଘଟଗାଁ ଫେରୁଥିଲେ। ଏହି ସମୟରେ ହସନପୁର ଟୋଲ୍ ଗେଟ୍ ନିକଟରେ କାର୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା।
ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ କାର୍କୁ ଜବତ କରି ଘଟଣାର ତଦନ୍ତ କରୁଛି।
ସଲେଇକେନା ପ୍ରାଥମିକ ବିଦ୍ୟାଳୟର ଦୁଇ ଶିକ୍ଷକ ହେଉଛନ୍ତି ଚନ୍ଦନ କୁମାର ଜେନା ଓ ଦେବରାଜ ଦାସ। ଆଜି ସକାଳେ ଦୁଇ ଶିକ୍ଷକ ବାଇକ୍ରେ ବିଦ୍ୟାଳୟ ଯାଉଥିଲେ। ଠିକ୍ ସେହି ସମୟରେ ୫ଟି ବାର୍ହା ଲୋକନାଥପୁର-ସଲେଇକେନା ରାସ୍ତା ଅତିକ୍ରମ କରୁଥିଲେ। ରାସ୍ତା ମଝିରେ ହଠାତ୍ ବାଇକ୍କୁ ଦେଖି ହଡ୍ବଡ଼ାଇ ଯାଇଥିଲେ ବାର୍ହା। ଆଉ ବାଇକ୍ରେ ପିଟି ହୋଇଯାଇଥିଲେ। ଯେଉଁଥିପାଇଁ ଶିକ୍ଷକ ଦ୍ୱୟ ପଡ଼ି ଯାଇଥିଲେ। ସୌଭାଗ୍ୟକୁ ବାରହାମାନେ ଆକ୍ରମଣ କରିନାହାନ୍ତି। ଭୟଭୀତ ହୋଇ ପଳାଇ ଯାଇଥିଲେ।
ଦୁର୍ଘଟଣାରେ ଆହତ ହୋଇଥିଲେ ଶିକ୍ଷକ ଚନ୍ଦନ କୁମାର ଜେନା ଓ ଦେବରାଜ ଦାସ। ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। କହିବାକୁ ଗଲେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିକ୍ଷକ। ତେଲକୋଇ ବନାଞ୍ଚଳରେ ହାତୀଙ୍କ ପରେ ଜଙ୍ଗଲୀ ବାର୍ହାଙ୍କ ଉପଦ୍ରବ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
ମଙ୍ଗଳବାର ରାତିରେ ମଙ୍ଗଳପୁର ଗାଁର ଲୋକମାନେ ଖାଇପିଇ ଶୋଇଥିଲେ। ଶୀତୁଆ ରାତି। ନିଘୋଡ଼ ନିଦ। ତାହାରି ଭିତରେ ହାତୀ ପଲ ଗାଁରେ ପଶିଥିଲା। ଖାଦ୍ୟ ଉଦ୍ଦେଶ୍ୟରେ ଜଣଙ୍କ ଘର ଭିତରେ ଶୁଣ୍ଢ ପୁରାଇ ଦେଇଥିଲେ। କାନ୍ଥ ଭୁଶୁଡିବା ଶବ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଚିତ୍କାର କରିଥିଲେ। ତା’ପରେ ଗାଁ ଲୋକେ ଘରୁ ବାହାରି ଆସି ହୋହଲ୍ଲା କରିଥିଲେ। ମଙ୍ଗଳପୁର ଗାଁରେ ହାତୀ ପଲ ୫ଟି ଘର ଭାଙ୍ଗିଥିଲେ।
ଲୋକଙ୍କ ହୋହଲ୍ଲା ଯୋଗୁ ହାତୀ ପଲ ତାଟିହୁଡ଼ି ସାହିକୁ ପଳାଇ ଯାଇଥିଲେ। ସେଠାରେ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଥିଲେ। ଭୟରେ ଘର ଛାଡି ପଳାଇ ଯାଇଥିଲେ ପରିବାର ଲୋକେ। ଗାଁ ଭିତରେ ହାତୀପଲ ପଶିଥିବାରୁ ଲୋକେ ଆତଙ୍କିତ ହୋଇଯାଇ ଥିଲେ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମିଳିଥିବା ସୂଚନା ଅନୁସାରେ, ହାତୀ ପଲ ଧାନବେଣୀରେ ୪ ଘର, ଡିଆନାଳୀ ଓ ସାଧୁପଡ଼ାରେ ଗୋଟିଏ ଘର ଭାଙ୍ଗିଛନ୍ତି। ଏଥିସହ ଚାଷ ହୋଇ ପନିପରିବା ଖାଇ ଯାଇଛନ୍ତି।
୨୨ଟିକିଆ ହାତୀ ପଲ ଉତ୍ପାତ୍ତ କରି କପୁଣ୍ଡି ଗାଁରେ ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀମାନେ ଏ ସମ୍ପର୍କରେ ଜାଣିପାରି ଆଜି ଭୋରୁ ଭୋରୁ କପୁଣ୍ଡି ଗାଁରେ ପହଞ୍ଚିଥିଲେ। ବନ କର୍ମଚାରୀଙ୍କୁ ଦେଖି ଗାଁ ଲୋକେ ତାତି ଯାଇଥିଲେ। ବନ ବିଭାଗ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ ଗାଁ ଲୋକ। ଉତ୍ତ୍ୟକ୍ତ ଗାଁ ଲୋକେ ବନ ବିଭାଗ କର୍ମଚାରୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ। ବହୁ ବୁଝାସୁଝା ପରେ ଗାଁ ଲୋକେ ବନ କର୍ମଚାରୀଙ୍କୁ ଛାଡ଼ି ଥିଲେ।
ମିଳିଥିବା ସୂଚନା ଅନୁସାରେ ହାତୀ ପଲ ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ ଅଛନ୍ତି। ବନ କର୍ମଚାରୀମାନେ ସେମାନଙ୍କ ଗତିପଥକୁ ନଜର ରଖିଛନ୍ତି। ପ୍ରଭାବିତ ଗାଁରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ସୁରକ୍ଷାରେ ଅବହେଳା କାରଣରୁ ଆଗରୁ ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଧନଜୀବନ ହାନି ଘଟିଛି। କାରଣ ଏ ସବୁକୁ ଜଗାରଖା କରିବାକୁ ଜଣେ ମାତ୍ର ଫେକ୍ଟରୀ ଓ ବ୍ରଏଲର ଅଧିକାରୀ ଅଛନ୍ତି। ଯିଏ କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲା ଦାୟିତ୍ଵରେ ଅଛନ୍ତି। ଦୁର୍ଭାଗ୍ୟକୁ ସେ ଆଜି ବାଲେଶ୍ଵର ଗସ୍ତରେ ଥିବା ସୂଚନା ମିଳିଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ପାଟଣା ବ୍ଲକ୍ କେନ୍ଦେଇପଶି ପଞ୍ଚାୟତ ସିଲିଦା ଗାଁର ଭରତ ନାଏକ। ପରିବାର କହିଲେ ଏକମାତ୍ର ପୁଅ ଓ ପତ୍ନୀ ଅହଲ୍ୟା ନାଏକ। ନିଜର ଜମିବାଡ଼ି ବୋଲି କିଛି ନଥିବାରୁ କାମଦାମ କରି ଯାହା ରୋଜଗାର କରନ୍ତି, ସେଥିରେ ଦୁଃଖ କଷ୍ଟରେ ଚଳୁଥିଲା ପୂରା ପରିବାର। ସମୟ ଚକରେ ସଂସାର ରଥଗଡ଼ି ଚାଲୁଥିଲା। ଯେଉଁ ପୁଅ ବାପାର ହାତ ଧରି ଚାଲୁଥିଲେ, ସିଏ ବଡ଼ ହେଲେ। ବାହା ହେଲେ। ଘର ସଂସାର ଗଢ଼ିଲେ। ପୁଅ, ବୋହୂଙ୍କୁ ନେଇ ହସ ଖୁସିର ଚଳୁଥିଲେ ଭରତ ଓ ଅହଲ୍ୟା।
ଆଜକୁ ୫ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ଅହଲ୍ୟା। ଚାଲିବୁଲି ପାରିଲେ ନାହିଁ। ପକ୍ଷାଘାତରେ ଆକ୍ରାନ୍ତ ହେଲେ। ମାଆଙ୍କ ଏ ଦୁଃଖଦ ସମୟରେ ହାତ ଛାଡ଼ିଦେଲା ଏକମାତ୍ର ପୁଅ। ଯେଉଁ ବାପା ଓ ମାଆଙ୍କ ଆଶୀର୍ବାଦରେ ଦୁନିଆ ଦେଖିଥିଲେ, ସେମାନଙ୍କୁ ପାଖରୁ ଦୂରେଇ ଦେଲେ। ରୋଗୀଣା ମାଆର ଚିକିତ୍ସା କରିପାରିବେ ନାହିଁ ବୋଲି ପୁଅ ଓ ବୋହୂ କହିଥିଲେ। ଘରୁ ବାହାର କରିଦେଲେ। ତେଣୁ ନିଜ ଜୀବନ ସାଥୀକୁ ସାଙ୍ଗରେ ଧରି ଘରୁ ବାହାରି ଆସିଲେ ଭରତ। ଅନ୍ୟ ଏକ ସ୍ଥାନରେ କୁଡ଼ିଆଟିଏ କରି ରହିଲେ। ହେଲେ ଚଳିବେ କେମିତି?
ଭରତଙ୍କୁ ବର୍ତ୍ତମାନ ୬୯ ବର୍ଷ ହେଲାଣି। କାମ କରିବା ପାଇଁ ନା ଅଣ୍ଟାରେ ବଳ ଅଛି ନା ପାଦରେ ଶକ୍ତି ରହିଛି। ହେଲେ କ’ଣ କରିବେ? କେମିତି ଚଳିବେ? ରୋଗୀଣା ପତ୍ନୀଙ୍କ ମୁହଁରେ କେମିତି ଦାନା ଦେବେ? ସେହି ଚିନ୍ତାରେ ପଡ଼ିଗଲେ ଭରତ। କିଛି ଉପାୟ ନପାଇ ମହାଜନଙ୍କ ପାଖରେ ପହଞ୍ଚିଲେ। ଆଉ ତାଙ୍କ ଗୋରୁ ଚରାଇଲେ। ସେଥିରୁ ଯାହା ମିଳିଲା, ସେଥିରେ ଦୁଃଖେ କଷ୍ଟରେ ଚଳି ଯାଉଛନ୍ତି। ନିଜେ ଖାଇବା ସହିତ ପତ୍ନୀ ଅହଲ୍ୟାଙ୍କ ମୁହଁରେ ଦାନା ଦେଉଛନ୍ତି।
ଗରିବଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି। ପିଡିଏସ ଚାଉଳକୁ ଛାଡ଼ିଦେଲା ଭରତ ଓ ତାଙ୍କ ପତ୍ନୀ ଅହଲ୍ୟାଙ୍କୁ ଅନ୍ୟ କୌଣସି ସରକାରୀ ଯୋଜନା ମିଳୁନି। ନା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି ନା ଆବାସ ଯୋଜନାରେ ଘର। ତେଣୁ ଦୟନୀୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ସ୍ୱାମୀ ଓ ସ୍ତ୍ରୀ ରହୁଛନ୍ତି। ସବୁଠାରୁ ଦୁଃଖର ବିଷୟ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କରେ କୌଣସି ସୂଚନା ନାହିଁ। ଏପରିକି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ନାହିଁ। ଆଜି ଯଦି ତାଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥାଆନ୍ତା, ତାହାହେଲେ ସେ ତାଙ୍କୁ ଭଲ ମେଡ଼ିକାଲ୍ରେ ଚିକିତ୍ସା କରାଇ ପାରିଥାଆନ୍ତେ। ଆଉ ରୋଗୀଣା ପତ୍ନୀଙ୍କ ମୁହଁରେ ହସ ଫୁଟାଇ ପାରିଥାଆନ୍ତେ। ହେଲେ ସେ ସେଥିରୁ ମଧ୍ୟ ବଞ୍ଚିତ ହୋଇଥିବା ଆଲୋଚନା ହେଉଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ତେଲକୋଇ ବ୍ଲକ୍ ଗୋଡିନର୍ଦ୍ଦା ଗାଁ। ଏହି ଗାଁରେ ୫୦୦ରୁ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାର ଲୋକ ବସବାସ କରନ୍ତି। ସମସ୍ତେ ଜଙ୍ଗଲ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ପରେ ମଧ୍ୟ ଗାଁକୁ ଭଲ ରାସ୍ତା ଖଣ୍ଡିଏ ହୋଇପାରିଲାନି। ଯେଉଁଥିପାଇଁ ଗାଁ ଲୋକଙ୍କୁ ନାନା ଦହଗଞ୍ଜ ହେବାକୁ ପଡ଼ୁଛି। ଗାଁକୁ ୧୦୨ କିମ୍ବା ୧୦୮ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ଏଥିରେ ଗୁରୁତର ରୋଗୀ, ଗର୍ଭବତୀ ଓ ବୃଦ୍ଧବୃଦ୍ଧିମାନେ ବେଶୀ ଅସୁବିଧାରେ ପଡ଼ୁଛନ୍ତି। ରୋଗୀଙ୍କୁ ୫ କିମି ରାସ୍ତା ପଙ୍ଗା ଗାଁ ମୁଣ୍ଡ ପର୍ଯ୍ୟନ୍ତ ଭାର କରି ନେବାକୁ ପଡୁଛି। ଭାରରେ ବୋହିବା ବେଳେ ଅନେକ ସମୟରେ ମହିଳାମାନେ ପ୍ରସବ କରିଦେଉଥିବା ଦେଖିବାକୁ ମିଳିଛି।
ଗାଁକୁ ପିଡ଼ିଏସ୍ ଚାଉଳ ଯାଇପାରୁ ନାହିଁ। ପିଡିଏସ ଚାଉଳ ଆଣିବାକୁ ଗାଁ ଲୋକଙ୍କୁ ଘାଟି ଓ ପଥୁରିଆ ରାସ୍ତାରେ ଅନେକ ପଥ ଚାଲି ଚାଲି ଯିବାକୁ ପଡୁଛି। ଏଭଳି ସ୍ଥିତିରେ ବିଜୁଳି କଥା ପଚାରେ କିଏ? ଆଜି ପର୍ଯ୍ୟନ୍ତ ଗାଁକୁ ବିଜୁଳି ଯାଇପାରି ନାହିଁ। ଏ ନେଇ ଗାଁ ଲୋକେ ଅନେକ ବାର ତେଲକୋଇ ବିଡିଓଙ୍କ ନିକଟରେ ଗୁହାରୀ କରିଛନ୍ତି। ରାସ୍ତା ଓ ଅନ୍ୟ ସମସ୍ୟାର ସମାଧାନ ପାଇଁ ଗାଁ ଲୋକେ କେତେ ନେହୁରା ହୋଇଛନ୍ତି। ହେଲେ ଗାଁ ଲୋକେ ନିରାଶ ହୋଇଛନ୍ତି। ପୂର୍ବ ପରି ଆଜି ମଧ୍ୟ ଗାଁ ଲୋକ ଯନ୍ତ୍ରଣା ଦାୟକ ଜୀବନ ବିତାଉଛନ୍ତି।
ବ୍ଲକ ପ୍ରଶାସନଠାରୁ ବାରମ୍ୱାର ନିରାଶ ହୋଇ ଆସି ଗାଁ ଲୋକେ ଅଭିନବ ଉପାୟରେ ପ୍ରତିବାଦ କରୁଛନ୍ତି। ଚାଙ୍ଗୁ ବଜାଇ ଜୁଆଙ୍ଗ ଭାଷାରେ ଗୀତା ଗାଇ ଦାବି ଉପସ୍ଥାପନ କରିଛନ୍ତି। ଏଥିସହ ଗାଁ ମହିଳାମାନେ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳିଛି। ଦୀର୍ଘ ସମୟ ପରେ ଗାଁ ଲୋକେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଭାଗ ନେଇଥିଲେ। ଆଉ ଜିଲ୍ଲାପାଳଙ୍କୁ ଗାଁରେ ଥିବା ସମସ୍ୟା ସମ୍ପର୍କରେ ବଖାଣିଥିଲେ। ଗାଁରେ ଥିବା ସମସ୍ୟା ସମାଧାନ କରାଯିବ ବୋଲି ଗାଁ ଲୋକଙ୍କୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
ଗାଁ ଲୋକଙ୍କ ଅଭିଯୋଗ ନେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି, ଗାଁକୁ ରାସ୍ତା ଓ ବିଜୁଳି ସଂଯୋଗ ଆତି ଶୀଘ୍ର କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ଖାଲି ସେତିକି ନୁହେଁ, ସ୍ଥାନୀୟ ଅଞ୍ଚଳରେ ଥିବା ଘରକୁ ମଧ୍ୟ ହାତୀ ପଲ ଭାଙ୍ଗି ଦେଇଛନ୍ତି। ଏବେ ୨୨ଟି ଯାକ ହାତ ଝାଟିପଡ଼ା ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଜଙ୍ଗଲରେ ରହିଛନ୍ତି। ଗାଁ ନିକଟରେ ହାତୀ ପଲ ବୁଲୁ ଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀପଲଙ୍କ ଗତିବିଧି ଉପରେ ନଜର ରଖିଛି। କିନ୍ତୁ ସେମାନଙ୍କ ଗତିପଥକୁ ନିୟନ୍ତ୍ରଣ କରିପାରି ନାହିଁ।
ଗ୍ରାମବାସୀମାନେ ହାତୀ ପଲଙ୍କୁ ଘଉଡ଼ାଇବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ ଗତକାଲି ରାତିରେ ସେମାନେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। କିଛି ଘର ସେମାନେ ଭାଙ୍ଗି ଦେଇଛନ୍ତି। ଏବେ ସ୍ଥାୟୀ ଜଙ୍ଗଲରେ ହାତୀପଲ ରହିଛନ୍ତି।
ସ୍ୱାମ ଗାଁରେ ପଶିବା ସହ କାଲି ରାତିରେ ହାତୀପଲ ସ୍କୁଲରେ ଥିବା ଚାଉଳ ସବୁ ଖାଇ ନଷ୍ଟ କରି ଦେଇଛନ୍ତି। ସ୍ୱାମ ଜଙ୍ଗଲରୁ କେମିତି ହାତୀଗୁଡ଼ିକ ଯିବେ, ସେଥିପାଇଁ ଅଧିକାରୀମାନେ ବ୍ୟବସ୍ଥା କରନ୍ତୁ। କାରଣ ରାତି ହେଲେ ସେମାନେ ଜଙ୍ଗଲରୁ ଗାଁ ମୁହାଁ ହେଉଛନ୍ତି। ଏଥିପ୍ରତି ଅଧିକାରୀମାନେ ତୁରନ୍ତ ଧ୍ୟାନ ଦିଅନ୍ତୁ ବୋଲି ଗ୍ରାମବାସୀମାନେ କହିଛନ୍ତି।
କେନ୍ଦୁଝର ବନଖଣ୍ଡ ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥରେ ଏକ ଆଇରନ୍ ବୋଝେଇ ୧୨ ଚକିଆ ଟ୍ରକ୍ ଅନୁଗୋଳ ଜିଲ୍ଲା ପାଲଲହଡା ଅଭିମୁଖେ ଯାଉଥିଲା। ଠିକ୍ ସେହି ସମୟରେ କଣ୍ଟାବାହାଳ ଛକ ପାଖରେ ଏକ ଦନ୍ତା ହାତୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରକ୍ ଧକ୍କା ଦେଇଥିଲା। ଯାହାଫଳରେ ହାତୀଟି ରାଜପଥ ପାର୍ଶ୍ୱ ଚାଷ ଜମିରେ ପଡ଼ିଥିଲା। ଦୁର୍ଘଟଣା ପରେ ହାତୀଟି କିଛି ସମୟଧରି ଛଟପଟ୍ ହୋଇଥିଲା। ତା’ପରେ ମୃତ୍ୟୁ ହୋଇଥିଲା।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଟ୍ରକ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ଟ୍ରକ୍ ଡ୍ରାଇଭର କହିଛନ୍ତି, ବନ ବିଭାଗ ଘଉଡ଼ାଇବାରୁ ହାତୀ ଟ୍ରକ୍ ଦେହରେ ପିଟି ଯାଇଥିଲା। ଯେଉଁଥିପାଇଁ ଦୁର୍ଘଟଣା ଘଟିଥିଲା ବୋଲି ଡ୍ରାଇଭର କହିଛି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ
ଟ୍ରକ୍ଟି ନାଗପୁରଠାରୁ କଲିକତା ଯାଉଥିବା ବେଳେ ଜଗମୋହନପୁର ଛକରେ ଡ଼ିଭାଇଡରରେ ବାଡେଇ ହୋଇ ବିପରୀତ ଦିଗରେ ଥିବା ରାସ୍ତା ଉପରେ ଓଲଟି ପଡ଼ିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଆନୁସାରେ ଟ୍ରକର ବେଗ ବହୁତ ଥିଲା। ତେଣୁ ହମ୍ସରେ ଚଢି ଡିଭାଇଡ଼ରରେ ବାଡେଇ ହୋଇ ଓଲଟି ପଡିଥିଲା। ଅନ୍ୟପକ୍ଷରେ ଟ୍ରକ୍ ଓଲଟିବା ସ୍ଥାନରେ ପରିବା ବିକ୍ରି ହୋଇଥାଏ। ସନ୍ଧ୍ୟା ସମୟରେ ଦୁର୍ଘଟଣା ହୋଇଥିବାରୁ ଲୋକଙ୍କ ଭିଡ଼ ନଥିଲା। ତେଣୁ ଏକ ବଡ଼ ଧରଣର ଅଘଟଣରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଟ୍ରକ୍ ଓଲଟି ପଡିବା ପରେ କମଳା ପେଟି ଲୋକେ ବୋହି ନେଇଯାଇଥିଲେ। ଦୁର୍ଘଟଣା ପରେ ପୁଲିସ ପହଞ୍ଚି ଗାଡିକୁ ଜବତ କରିଛି।
ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ
ଶତ୍ରୁଘ୍ନ ନିଜ ବାଡ଼ିରେ କୋବି ଚାଷ କରିଛନ୍ତି। କିଛିଦିନ ତଳେ ତାଙ୍କ ବାଡ଼ିରରୁ କିଏ ଗୋଟିଏ କୋବି ଚୋରି କରି ନେଇଥିଲା। ଏନେଇ ଶତ୍ରୁଘ୍ନ ନିଜ ମା’ଙ୍କୁ ସନ୍ଦେହ କରିଥିଲେ। ଏନେଇ ନିଜ ମା’ ଉପରେ ପାଟିତୁଣ୍ଡ କରିଥିଲେ। ବୁଧବାର ଓ ଗୁରୁବାର ୨ଦିନ ଧରି ନିଜ ମା’ଙ୍କୁ ମାରଧର କରିଥିଲେ। ତେବେ ଏତିକିରେ ନିଷ୍ଠୁର ପୁଅର ମନ ଶାନ୍ତି ହୋଇନଥିଲା। ଗତ ଶୁକ୍ରବାର ମା' ଙ୍କୁ ଘରୁ ଘୋଷାଡି ଆଣି ତାଙ୍କ ହାତ ଗୋଡ ବାନ୍ଧି ବାହାରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପକାଇ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲା ନିଷ୍ଠୁର ପୁଅ। ଏହି ଅମାନବୀୟ ଦୃଶ୍ୟ ଦେଖି ଗ୍ରାମବାସୀ ଏହାର ପ୍ରତିବାଦ କରିଥିଲେ। ସେମାନଙ୍କୁ ମଧ୍ୟ ଛାଡ଼ି ନଥିଲା ଶତ୍ରୁଘ୍ନ। ଗ୍ରାମବାସୀ ଗାଳିଗୁଲଜ କରିଥିଲା। ଏନେଇ ଗ୍ରାମବାସୀ ପୁଲିସକୁ ଫୋନ୍ କରିଥିଲେ। ପୁଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ନିଜ ଆଡୁ ମାମଲା ରୁଜୁ ଥିଲା। ଗତକାଲି ପୁଲିସ ଶତ୍ରୁଘ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୁଭଦ୍ରାଙ୍କ ସ୍ୱାମୀ ବୁଟୁରାମ ମହାନ୍ତ ୧୦ ବର୍ଷ ତଳେ ତାଙ୍କୁର ମୃତ୍ୟୁ ଘଟିଥିଲା। ୨ପୁଅ ଓ ବୋହୂଙ୍କ ସହ ରହିଆସୁଥିଲେ ସୁଭଦ୍ରା। ବଡପୁଅ କରୁଣା ମଧ୍ୟ କୌଣସି ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିବା ପରେ ବଡ ବୋହୂଙ୍କ ସହ ରହି ଆସୁଛନ୍ତି ସୁଭଦ୍ରା । ସାନ ପୁଅ ଶତ୍ରୁଘ୍ନ ନିଜ ପରିବାର ସହ ଅଲଗା ହୋଇଯାଇଥିଲା।
ଅନୁଗୋଳ ଜିଲ୍ଲା ପାଲଲହଡା ଥାନା ଜେନାପଶି ଗାଁର ବିଷ୍ଣୁ ବୋଇତାଙ୍କ ମାଇଁଙ୍କ ମୃତ୍ୟୁ ଘଟିଥିଲା। ତେଣୁ ମାଇଁଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିଲେ ବିଷ୍ଣୁ। ଶୁଦ୍ଧି କାମ ସରିବା ପରେ ଆଜି ସେ ତାଙ୍କର ଜଣେ ବନ୍ଧୁଙ୍କ ସହିତ ବଇକ୍ରେ ମାମୁ ଘର ପଟାଟାଙ୍ଗର ଗାଁରୁ ଘରକୁ ଫେରୁଥିଲେ। ଅପରାହ୍ନ ପ୍ରାୟ ୪ଟା ବେଳେ ୪୯ ନମ୍ୱର ଜାତୀୟ ରାଜପଥରେ ଏକ ୧୦ ଚକିଆ ଟ୍ରକ୍ ତାଙ୍କୁ ପଛରୁ ଧକ୍କା ଦେଇଥିଲା। ବିଷ୍ଣୁ ତଳେ ପଡ଼ି ଯାଇଥିଲେ। ଟ୍ରକଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ବିଷ୍ଣୁଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଟ୍ରକ୍ ଛାଡି ମାରିଛି। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ମରାମତି ପାଇଁ ଗୋଟିଏ ପାର୍ଶ୍ୱ ରାସ୍ତା ଅବରୋଧ ହୋଇଥିବାରୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି ଅଭିଯୋଗ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।
ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୁଲିସ୍। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ମାତ୍ର ଉତ୍ତ୍ୟକ୍ତ ଲୋକମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି। କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି। ଏବେ ମଧ୍ୟ ରାସ୍ତାରୋକ ଆନ୍ଦୋଳନ ଚାଲିଛି। ଯେଉଁଥିପାଇଁ ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।
ରିପୋର୍ଟ-ତେଲକୋଇରୁ ଚିନ୍ମୟ କୁମାର ସାହୁ
ଆଜି ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତରେ ‘ବିକଶିତ ଭାରତ ସଂକଳ୍ପ’ ଯାତ୍ରା ହୋଇଛି। ବାଙ୍କିଆ ସରକାରୀ ବିଦ୍ୟାଳୟ ନିକଟସ୍ଥ ପଡ଼ିଆରେ ହୋଇଥିବା ସମାବେଶରେ କେନ୍ଦ୍ର ଆଦିବାସୀ ବ୍ୟାପାର ତଥା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ସାମିଲ୍ ହୋଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ଓ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।
ଲୋକଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୁଣ୍ଡା କହିଥିଲେ, ଦେଶର ଅଧିକାଂଶ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜରିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗରିବ କଲ୍ୟାଣ ତଥା ବିଭିନ୍ନ ଜନହିତକର ଯୋଜନା ଗୁଡ଼ିକ ପହଞ୍ଚି ପାରୁଛି। ହିତାଧିକାରୀମାନେ ଯେଉଁସବୁ ଯୋଜନାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କର ପଞ୍ଜୀକରଣ କରାଯାଉଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ, ସେମାନଙ୍କୁ ମୋଦିଙ୍କ ଯୋଜନାର ଲାଭ ନିଶ୍ଚିତ ଭାବେ ମିଳିବ। ସମସ୍ତ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କର ବିଶେଷ ଭୂମିକା ରହିଛି ସେ କହିଥିଲେ।
ସେ ଆହୁରି କହିଥିଲେ, ପିଏମ୍ ଉଜ୍ଜଳା, ସ୍ଵଚ୍ଛ ଭାରତ, ଡାକ ଘର ଜୀବନ ଜ୍ୟୋତି ବୀମା, ଜନ ଧନ ଯୋଜନା, କୃଷକ ନିଧି ସମ୍ମାନ, ଆଦିବାସୀ କଲ୍ୟାଣ ଯୋଜନା, ବିଶ୍ୱକର୍ମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଆଦିରେ କୋଟି କୋଟି ହିତାଧିକାରୀ ଉପକୃତ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଶପଥ ପାଠ କରାଇଥିଲେ କେନ୍ଦ୍ରମନ୍ତ୍ରୀ।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ଆନନ୍ଦପୁର ବ୍ଲକ୍ ହରିଡାପାଳ ପଞ୍ଚାୟତ ମଙ୍ଗଳପୁର ଗାଁରେ ନଟ ବେହେରା ଓ ରଙ୍କିଆ ବେହେରାଙ୍କ ଘର। ସମ୍ପର୍କରେ ଏ ଦୁଇ ଜଣ ଭାଇ। ନଟ ବେହେରା ବଡ଼। ତାଙ୍କ ପରିବାର କହିଲେ ପତ୍ନୀ ଅପୂର୍ବ ଓ ପୁଅବୋହୂ। ରଙ୍କିଆଙ୍କ ପରିବାର କହିଲେ ପତ୍ନୀ ଝୁମୁରୀ। ତାଙ୍କ ପରିବାରରେ ଆଉ କେହି ନାହାନ୍ତି। ଦୁଇ ଭାଇ ଅଲଗା ଅଲଗା ରହୁଛନ୍ତି। କାମଦାମ କରି କଳୁଛନ୍ତି। ଆଉ ଯେତେବେଳେ ଗାଁରେ କାମ ମିଳୁନି, ସେତେବେଳେ ବାଉଁଶରୁ ବିଭିନ୍ନ ସରଞ୍ଜାମ ତିଆରି କରି ପରିବାର ଭରଷ ପୋଷଣ କରୁଛନ୍ତି।
ଦୁଇ ଭାଇଙ୍କର ଜମିବାଡ଼ି ବୋଲି କିଛି ନାହିଁ। କୁଶେଇ ନଦୀ ବନ୍ଧ ପାଲଟିଛି ଆଶ୍ରୟ ସ୍ଥଳ। ସେହି ନଦୀ ବନ୍ଧ ପାର୍ଶ୍ୱରେ ଛିଡ଼ା ହୋଇଛି ବିରାଟକାୟ ଆମ୍ୱଗଛ। ଆଉ ତାହାରି ମୂଳରେ ଥିବା ଝୁମ୍ପୁଡ଼ି ଘରେ ଦୟନୀୟ ଅବସ୍ଥାରେ ରହୁଛନ୍ତି ନଟ ବେହେରା ଓ ତାଙ୍କ ପତ୍ନୀ। ଗାଁରେ କାମ ନମିଳିବାରୁ ବୃଦ୍ଧ ବାପାମାଆଙ୍କୁ ଛାଡ଼ି କେନ୍ଦୁଝର ପଳାଇଗଲେ ପୁଅ ଓ ବୋହୂ। ସେମାନେ ଆଉ ଘରକୁ ଆସୁନାହାନ୍ତି। ସେପଟେ ଦିନ ଗଡ଼ିବା ସହିତ ବଢ଼ିଛି ବୟସ। ବାର୍ଦ୍ଧକ୍ୟରେ ପଦାର୍ପଣ କରିଛନ୍ତି ନଟବର ଓ ତାଙ୍କ ପତ୍ନୀ। ଚାଲିବୁଲି ପାରୁନାହାନ୍ତି। କାମ କରିବା ଦୂରର କଥା। ପେଟର ଭୋକ ମାଣ୍ଟାଇବା ପାଇଁ ନଟଙ୍କ ପତ୍ନୀ ଅପୂର୍ବ ଗାଁକୁ ଗାଁ ବୁଲି ଭିକ୍ଷା ମାଗୁଛନ୍ତି। ଯାହା ମିଳୁଛି, ସେଥିରେ ଦୁଃଖେ କଷ୍ଟେ ଚଳୁଛନ୍ତି।
ସବୁଠାରୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନଟ ବେହେରା ଓ ତାଙ୍କ ପତ୍ନୀ ଅପୂର୍ବଙ୍କୁ ମିଳିପାରିଲା ନାହିଁ ବାର୍ଦ୍ଧକ୍ୟ ଭତ୍ତା। ଆବାସ ଯୋଜନାରେ ଏଠି ଥିଲାବାଲା ଘର ହାତେଇ ନେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଏହି ଅସହାୟ ପରିବାରକୁ ଘର ଖଣ୍ଡିଏ ମିଳିପାରିଲା ନାହିଁ। ଯେଉଁଥିପାଇଁ ଦୟନୀୟ ଅବସ୍ଥାରେ ଯନ୍ତ୍ରଣାଦାୟକ ଜୀବନ ଅତିବାହିତ କରୁଛନ୍ତି ନଟ ଓ ତାଙ୍କ ପତ୍ନୀ। ସେମାନଙ୍କ ପ୍ରତି ପ୍ରଶାସନର ତିଳେ ମାତ୍ର ନଜର ପଡ଼ିନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନଟ ବେହେରା।
ବଡ଼ଭାଇ ନଟଙ୍କ ପରି ସାନ ଭାଇ ରଙ୍କିଆଙ୍କ ଅବସ୍ଥା ମଧ୍ୟ ସମାନ। କିଛିଦିନ ତଳେ ତାଙ୍କ ଝୁମ୍ପୁଡିରେ ଲାଗି ଯାଇଥିଲା ନିଆଁ। ଘରେ ଥିବା ସର୍ବସ୍ୱ ପୋଡ଼ି ପାଉଁଶ ହୋଇଯାଇଥିଲା। ପାଖରେ ସମ୍ୱଳ ନଥିବାରୁ ଝୁମ୍ପୁଡି ଖଣ୍ଡିଏ ତିଆରି କରିପାରିଲେ ନାହିଁ। ତେଣୁ ଗଛ ମୂଳରେ ପଲିଥିନ୍ ଟାଙ୍ଗି ସ୍ୱାମୀ ଓ ସ୍ତ୍ରୀ କାଟୁଛନ୍ତି ସମୟ। ଯେଉଁଠି ରାତିର ପାରଦ ୧୨ ଡିଗ୍ରୀ ତଳେ ରହୁଛି, ସେଠି କେମିତି ବିତୁଥିବ ରାତି? ଏଥିପ୍ରତି କାହାର ନିଘା ନାହିଁ। ରଙ୍କିଆଙ୍କୁ ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିଲା ନାହିଁ। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରଙ୍କିଆ ବେହେରା।
ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂହ
ଗିରଫ ଦୁଇ ଜଣ ହେଲେ ଭଡ଼ାଘର ମାଲିକ ପୁନୀ ସ୍ୱାଇଁ ଓ କଫ୍ ସିରପ ବେପାରୀ ମହମ୍ମଦ ଇସ୍ପାକ ଗିରଫ । ଜବତ କଫ୍ ସିରପ Winserex, Phensegrip, Onerex ହୋଇଥିବା ସୂଚନା ରହିଛି।
ମହମ୍ମଦ ଇସ୍ପାକ ଝାଡ଼ଖଣ୍ଡରୁ କଫ୍ ସିରପ ଚୋରାରେ ଆଣି ଯୋଡ଼ା ଅଞ୍ଚଳର ଏକ ଭଡ଼ା ଘରେ ବେପାର କରୁଥିଲେ। ଏନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଆଜି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଢ଼ାଉ କରି ୧୨୩୦ ବୋତଲ କଫ୍ ସିରପ ଜବତ କରିଛନ୍ତି। ଏହି ଚେର କେଉଁଠିକି ଲମ୍ବିଛି, ପୁଲିସ କଫ୍ ସିରପ ବେପାରୀ ମହମ୍ମଦ ଇସ୍ପାକ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।
ପୂର୍ବ ଶତ୍ରୁତାକୁ ନେଇ ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ଠେଙ୍ଗା ଓ ପଥର ମାଡ଼ କରାଯାଇଥିଲା। ଏଥିରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୨ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ସାଇଁକୁଳ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଉଭୟପକ୍ଷରୁ ରାମଚନ୍ଦ୍ରପୁର ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। ବର୍ଷକ ତଳେ ଆଗର୍ଦା ଗାଁରେ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା।
ହରିଚନ୍ଦନପୁର ବ୍ଲକ୍ର ତେନ୍ତଳାପଶି, ହୁଣ୍ଡା ଓ ଜୁଙ୍ଗାର ପଞ୍ଚାୟତର ଶହଶହ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇବା ଉଦ୍ଦେଶ୍ୟରେ ୧୯୯୮ ମସିହାରେ ଖେଡିଆଡିହା ନାଳରେ ‘ବଡକାଣିଝର’ ଡ୍ୟାମ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଦୁର୍ଭାଗ୍ୟର ବିଷୟ ଆଜି ପର୍ଯ୍ୟନ୍ତ ଡ୍ୟାମ୍ ନିର୍ମାଣ ହୋଇପାରିଲା ନାହିଁ।
ଯେଉଁଥିପାଇଁ ୩ ପଞ୍ଚାୟତର ଖୁଣ୍ଟବନ୍ଧ, ଗୋପିନାଥପୁର, ମିଶ୍ରମାଳ, ହାତୀନୋଟା, ଦଧିବାମନପୁର, ଧନୁର୍ଯୟପୁର, ବଡକମଣ୍ଡରା, ସାନକମଣ୍ଡରା, ହୁଣ୍ଡା ପଞ୍ଚାୟତର ବ୍ରାହ୍ମଣପଙ୍ଗା, ଝୁମୁକାପଶି, ଡୁମୁରିଆଡିହ, ଜୁଙ୍ଗା ଓ କାଳିମାଟି ଗାଁର ଲୋକମାନେ ଚାଷୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଚାଷ କରିବାରୁ ବଞ୍ଚିତ ହେଉଛନ୍ତି। ବର୍ଷା ପାଣି ଉପରେ ନିର୍ଭର କରିବାକୁ ପଡ଼ୁଛି।
‘ବଡକାଣିଝର’ ଡ୍ୟାମ ନିର୍ମାଣ ହେଉନଥିବାରୁ ୨୦୦୦ ମସିହାରେ ଭୋଟ ବର୍ଜନ କରିଥିଲେ ୩ ପଞ୍ଚାୟତର ଲୋକେ। ସେତେବେଳେ ତାଙ୍କୁ ତତ୍କାଳୀନ ଜିଲ୍ଲାପାଳ ବୁଝାଇଦେଇଥିଲେ। ଖୁବ୍ଶୀଘ୍ର ଡ୍ୟାମ୍ ନିର୍ମାଣ ହେବ ବୋଲି ସେତେବେଳେ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି, ପ୍ରତିଶ୍ରୁତିରେ ରହିଗଲା। ଇତି ମଧ୍ୟରେ ୨୩ ବର୍ଷ ବିତିଗଲାଣି। ଡ୍ୟାମ୍ ନିର୍ମାଣ ହୋଇପାରିଲା ନାହିଁ। ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।
ଭି.କେ ପାଣ୍ଡିଆନ୍ 5-T ସଚିବ ଥିବା ବେଳେ କେନ୍ଦୁଝର ଗସ୍ତରେ ଯାଇଥିଲେ। ସେହି ସମୟରେ ସ୍ଥାନୀୟ ଲୋକ ଡ୍ୟାମ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ତାହା ମଧ୍ୟ ହେଲାନି। ଇତି ମଧ୍ୟରେ ଅନ୍ୟ ଜିଲ୍ଲାରେ ପ୍ରକଳ୍ପ ଆରମ୍ଭ ହୋଇଥିଲେ ସୁଦ୍ଧା ‘ବଡକାଣିଝର’ ଡ୍ୟାମ କାମ ଆଗେଇଲାନି। ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି।
ଆଜି ୩ଟି ପଞ୍ଚାୟତର ଲୋକେ ଜିଲ୍ଲା ସଦରମହକୁମାରେ ଗର୍ଜିଛନ୍ତି। ଡ୍ୟାମ୍ ନିର୍ମାଣ ନହେଲେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟ ଦେବୁନାହିଁ ବୋଲି ରୋକ୍ଠୋକ୍ ଭାବେ ଶୁଣାଇଦେଇଛନ୍ତି। ଆଜି ଶହଶହ ପୁରୁଷ ଓ ମହିଳା ଚାଷୀମାନେ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ମୃତାହତଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ୩ଜଣ ମହିଳା, ୪ଜଣ ପୁରୁଷ ଓ ଗୋଟିଏ ଛୋଟ ଛୁଆ ଥିବା ଜଣାଯାଇଛି।
ଏକ ଭ୍ୟାନ୍ରେ ଦିଗପହଣ୍ଡିରୁ ଦୁଇ ପରିବାରରର ଡ୍ରାଇଭର ସମେତ ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ NH ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍ଟି ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ୪ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ୨୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ୬ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ପରେ ପୋଡ଼ାମାରୀ ଗାଁରେ ଶୋକର ଛାୟା ଖେଳିଯାଇଛି। କାନ୍ଦବୋବାଳିରେ ଫାଟିପଡୁଛି ଘରଅଗଣା। ସଂପର୍କୀୟ ଓ ପ୍ରିୟଜନଙ୍କୁ ହରାଇ ସମସ୍ତେ ମ୍ରିୟମାଣ ହୋଇପଡିଛନ୍ତି ।
ଦୁର୍ଘଟଣାରେ ଭ୍ୟାନ୍ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।୩ ମୃତକ ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ ଥିବା ଜଣାଯାଇଛି। ଅନ୍ୟପକ୍ଷରେ ଘଟଗାଁ ଥାନାରେ ଭ୍ୟାନ ଡ୍ରାଇଭର ଆତ୍ମସର୍ମପଣ କରିଛି।
ଘଟଗାଁ ନିକଟରେ ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଲେଖାଏଁ
ଅନୁକମ୍ପା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆହତ ମାନଙ୍କୁ ମଗଣାରେ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଘଟଗାଁ ନିକଟରେ ଘଟିଥିବା ସଡକ ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ମା' ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
କେନ୍ଦୁଝର ଜିଲ୍ଲା ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତାହତ ହେବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ ।
— Baijayant Jay Panda (@PandaJay) December 1, 2023
ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ମା' ତାରିଣୀଙ୍କ ନିକଟରେ ପ୍ରାର୍ଥନା କରୁଛି ।
ଓଁ ଶାନ୍ତି 🙏🙏
ବାଂଶପାଳ ବ୍ଳକ ବାୟାକୁମୁଟିଆ ପଞ୍ଚାୟତ ମୁଣ୍ଡୁଳା ଗାଁରେ ୧୫ରୁ ୨୦ ପରିବାର କାହିଁ କେଉଁ କାଳରୁ ବସବାସ କରୁଛନ୍ତି। ଏମାନେ ସମସ୍ତେ ଆଦିବାସୀ ଶ୍ରେଣୀର। ଚାଷ ବାସ ଓ ଜଙ୍ଗଲ ଉପରେ ନିର୍ଭର କରି ପରିବାର ଭରଣ ପୋଷଣ କରୁଛନ୍ତି। ଜଙ୍ଗଲର ପାଦ ଦେଶରେ ଅବସ୍ଥିତ ଏହି ଗାଁର ମୁଖ୍ୟ ସମସ୍ୟା ହେଉଛି ପାନୀୟ ଜଳ। ଦେଶ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଗାଁ ଲୋକେ ପାନୀୟ ଜଳ ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି। ପାଣି ପାଇଁ ଜଙ୍ଗଲ ପାର୍ଶ୍ୱ ଛୁଆକୁ ଯାଉଛନ୍ତି। ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ପରିବାର ପାଇଁ ଘରର ମହିଳାମାନେ ଏପରି କରିବାକୁ ବାଧ୍ୟ ହେଉଛନ୍ତି। ଆଉ କ’ଣ ବା ଉପାୟ ଅଛି?
ଗାଁର ପାନୀୟ ଜଳ ସମସ୍ୟା ନେଇ ଲୋକେ ବହୁବାର ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କ ପାଖରେ ଗୁହାରୀ କରିଛନ୍ତି। ହେଲେ କେହି ସେମାନଙ୍କ ଅଭିଯୋଗକୁ ଶୁଣିଲେ ନାହିଁ। ପ୍ରଶାସନଠାରୁ ନିରାଶ ହୋଇ ଗାଁ ଲୋକେ ନିଜସ୍ୱ ଉଦ୍ୟମରେ ବିଛାଇଲେ ପାଇପ୍। ପାହାଡ଼ ପାଦଦେଶରେ ପ୍ଲାଣ୍ଟେସନ୍ ପାଇଁ ଖୋଳା ଯାଇଥିବା ବୋଲୱେଲ୍ରୁ ପାଣି ଆଣିବା ପାଇଁ ଗାଁ ଲୋକେ ଚାନ୍ଦା ଆଦାୟ କରି ପାଇପ୍ କିଣିଲେ। ତା’ପରେ ଶ୍ରମ ଦେଇ ଗାତ ଖୋଳି ପାଇପ୍ ବିଛାଉଛନ୍ତି। ପାଇପ୍ ବିଛା ସରିଲେ ଗାଁରେ ପାଣି ପହଞ୍ଚିବ। ଆଉ ଦୂର ହେବ ଗାଁ ଲୋକଙ୍କ ଦୀର୍ଘ ଦିନର ଦୁଃଖ।
ଗାଁର ଶୈଳ ବାରିକ କହିଛନ୍ତି, ଆମ ଗାଁରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ଆମକଥା କେହି ଶୁଣିଲେନାହିଁ। ତେଣୁ ଘର ପିଛା ଚାନ୍ଦା ଆଦାୟ କରି ୫୦୦୦ ଟଙ୍କା ସଂଗ୍ରହ କରି ପାଇପ୍ ବିଛାଇ ପାଣି ଆସୁଛୁ ବୋଲି ଶ୍ରୀ ବାରିକ କହିଛନ୍ତି।
ଗାଁର ସଞ୍ଜୁ ବାରିକ କହିଛନ୍ତି, ଗାଁକୁ ପାନୀୟ ଜଳ ଯୋଗାଇଦେବା ପାଇଁ ବହୁବାର ଗୁହାରୀ କରିଛୁ। ହେଲେ ଆମ କଥା କେହି ଶୁଣିଲେ ନାହିଁ। ପାନୀୟ ଜଳର ବ୍ୟବସ୍ଥା କଲେନାହିଁ। ତେଣୁ ନାଳକୁ ପାଣି ନେବା ପାଇଁ ଆସୁଛୁ। ୨୦ରୁ ୨୨ ବର୍ଷ ହେଲା ଏମିତି ଦୟନୀୟ ଅବସ୍ଥାରେ ଚଳୁଛୁ ବୋଲି ସଞ୍ଜୁ କହିଛନ୍ତି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ତଳ ଗୁଣ୍ଡୁଳା ଗ୍ରାମର କେନ୍ଦୁ ଦେହୁରୀଙ୍କ ଘରକୁ ବିଦ୍ୟୁତ ଆସୁନଥିଲା। ବିଦ୍ୟୁତ ଖୁଣ୍ଟରେ ସଂଯୋଗ ହୋଇଥିବା ତାର ଖସି ଯାଇଥିଲା। ଏହାର ମରାମତି ପାଇଁ କେନ୍ଦୁ ପର୍ଶୁକୁ ଡାକିଥିଲେ। ଆଜି ସକାଳେ ପର୍ଶୁ ବିଦ୍ୟୁତ ଖୁଣ୍ଟରେ ଚଢ଼ି ଛାଡ଼ି ଯାଇଥିବା ତାରକୁ ସଂଯୋଗ କରୁଥିଲେ।
ଏହି ସମୟରେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ ଖୁଣ୍ଟରେ ଦୀର୍ଘସମୟ ଲାଗି ରହିଥିଲେ। ଗ୍ରାମବାସୀ ଏନେଇ ବିଦ୍ୟୁତ କର୍ମଚାରୀଙ୍କୁ ଖବର ଦେଇଥିଲେ। ବିଦ୍ୟୁତ କର୍ମଚାରୀ ପହଞ୍ଚି ଲାଇନ କାଟି ପର୍ଶୁଙ୍କୁ ଉଦ୍ଧାର କରିଥିଲେ। ପର୍ଶୁ ଗାଁରେ କାହାର କିଛି ବିଦ୍ୟୁତ ଜିନିଷ ଖରାପ ହେଲେ ମରାମତି କରିଥାନ୍ତି।
ଗୁଣି ଗାରେଡି ସନ୍ଦେହରେ ୨୦୧୯ ମସିହା ଏପ୍ରିଲ୍ ୧୪ ତାରିଖରେ କେନ୍ଦୁଝର ସଦର ଥାନା ସେଣ୍ଡକାପ ଗାଁର ଦୀନବନ୍ଧୁ ମୁଣ୍ଡାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦୀନବନ୍ଧୁଙ୍କୁ ଗାଁର ରବୀନ୍ଦ୍ର ମୁଣ୍ଡା, ନରହରୀ ମୁଣ୍ଡା, ବଳଭଦ୍ର ମୁଣ୍ଡା, ବୌଶାଖୁ ମୁଣ୍ଡା, ଚେମା ମୁଣ୍ଡା, ଟୁରା ମୁଣ୍ଡା ଓ ଟିମା ମୁଣ୍ଡା ଅଙ୍ଗନବାଡ଼ି କେନ୍ଦ୍ରକୁ ଡାକିଥିଲେ। ଦୀନବନ୍ଧୁ ଆସିବା ପରେ ତାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ମାମଲାକୁ ବିଚାରକରି ୭ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୩ ଜଣ ସାକ୍ଷୀଙ୍କ ବୟାନ୍ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଲେଖାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ନାବାଳିକା ଜଣକ ତାଙ୍କ ବଡ଼ ଭଉଣୀଙ୍କ ଘରେ ରହୁଥିଲେ। ୨୦୨୧ ମସିହା ଜାନୁଆରୀ ୧ ତାରିଖରେ ଭୋର ସମୟରେ ନାବାଳିକା ଶୌଚ ପାଇଁ ଘର ବାହାରକୁ ଯାଇଥିଲେ। ସେହି ସମୟରେ ଚତୁର୍ଭୂଜ ପାତ୍ର ତାଙ୍କୁ ବଳପୂର୍ବକ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘର ଲୋକ ଝିଅକୁ ସବୁଆଡେ ଖୋଜାଖୋଜି କରିଥିଲେ। ମାତ୍ର ନାବାଳିକାଙ୍କ ପତ୍ତା ପାଇନଥିଲେ।
ସବୁଆଡୁ ନିରାଶ ହେବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ କରି ନାବାଳିକାଙ୍କୁ ଚତୁର୍ଭୂଜଙ୍କ ଘରୁ ଉଦ୍ଧାର କରିଥିଲା। ଏହି ମାମଲାରେ ଚତୁର୍ଭୂଜ ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟ ମାମଲାକୁ ବିଚାର କରି ୧୫ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଦେବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି
ଗାଁଠାରୁ ୧୫ କିଲୋମିଟର ଦୂରରେ ଗୋନାସିକା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଥିବା ବେଳେ ୪୦ କିଲୋମିଟର ଦୂରରେ ବଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ଲୋକେ ଏତେ ଦୂର ଆସିପାରୁନାହାଁନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ଏବେ ବି ଏଠାରେ ୧୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ଅଛନ୍ତି। ଏଠାକୁ ସ୍ୱାସ୍ଥ୍ୟ କର୍ମୀମାନେ କେବେ ଯାଆନ୍ତି ନାହିଁ।
ହାଇକୋର୍ଟ ଆଇନଜୀବୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଏଭଳି ଅଭିଯୋଗ ଆଣି ଏକ ପିଟିସନ ଦାଖଲ କରିଥିଲେ। ଏହାକୁ ବିଚାର କରି ଆଠ ସପ୍ତାହ ମଧ୍ୟରେ ଏହି ଘଟଣାର ତଦନ୍ତ କରିବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ କମିଶନ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ବିଭାଗୀୟ ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏନେଇ ରାଜ୍ୟ ସରକାର କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
ଦେବଗଡ଼ ଜିଲ୍ଲାର ନାବାଳିକା ବର୍ଷା ବେହେରା ମାମୁ ଘର ଖୁଣ୍ଟାପଡ଼ା ଗାଁକୁ ଆସିଥିଲେ। ଆଜି ସକାଳେ ପ୍ରାୟ ୮ରୁ ସାଢ଼େ ୮ଟା ବେଳେ ସେ ଗାଁ ପାଖ ନାଳକୁ ଗାଧୋଇବା ପାଇଁ ଯାଉଥିଲେ। ଠିକ୍ ସେହି ସମୟରେ ନାଳର ଗାଧୁଆ ତୁଠରେ ଗୋଟିଏ ଦନ୍ତା ହାତୀ ପାଣି ପିଇବା ପାଇଁ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ ବର୍ଷା।
ଦନ୍ତା ହାତୀକୁ ଦେଖି ଜୀବନ ବିକଳରେ ଦୌଡ଼ିବା ଆରମ୍ଭ କରିଥିଲେ। ଦୌଡ଼ିବା ବେଳେ ସେ ଆବୁଡ଼ା ଖାବୁଡା ରାସ୍ତାରେ ପଡ଼ିଯାଇଥିଲେ। ଯାହା ଫଳରେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ତେଲକୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ଜନକ ରହିଛି।
ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ