ଗ୍ରାମ ପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରେସନର ସଭାପତି, ସଂପାଦକ ଓ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କ ବୈଠକ ଦେୟ ପରିମାଣରେ ୫୦୦ ଟଙ୍କା ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ଦେୟ ୨୦୨୩ ଅକ୍ଟୋବର ମାସରୁ ପିଛିଲା ଭାବେ ଲାଗୁ ହେବ।
ବ୍ଲକସ୍ତରୀୟ ଫେଡେରସନର ସଭାପତି ଓ ସଂପାଦକମାନେ ବୈଠକ ପାଇଁ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ଏବେ ୪,୫୦୦ ଟଙ୍କା ପାଇବେ। ସେହିପରି ଏହାର ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବା ବେଳେ ଏବେ ୨,୫୦୦ ଟଙ୍କା ପାଇବେ।
ସେହିପରି ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରସନର ସଭାପତି ଓ ସମ୍ପାଦକମାନେ ବୈଠକ ପାଇଁ ପୂର୍ବରୁ ୨,୦୦୦ ଟଙ୍କା ପାଉଥିବାବେଳେ ଏବେ ୨,୫୦୦ ଟଙ୍କା ପାଇବେ ଏବଂ ଅନ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ପୂର୍ବରୁ ୧,୦୦୦ ଟଙ୍କା ପାଉଥିବା ବେଳେ ଏବେ ୧,୫୦୦ ଟଙ୍କା ପାଇବେ। ଏହା ଦ୍ୱାରା ବର୍ଷକୁ ୨୪୯.୨୧ କୋଟି ଟଙ୍କା ଖର୍ଚ୍ଚ ହେବ।
ସୂଚନାଯୋଗ୍ୟ,ରାଜ୍ୟରେ ସମୁଦାୟ ୬୭୬ ଜଣ ବ୍ଲକସ୍ତରୀୟ ଫେଡେରସନ ସଭାପତି ଓ ସଂପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୩୦୪୨ । ସେହିପରି ଗ୍ରାମପଞ୍ଚାୟତସ୍ତରୀୟ ଫେଡେରସନରେ ୧୩,୫୮୮ ଜଣ ସଭାପତି ଓ ସମ୍ପାଦକ ଥିବା ବେଳେ ଅନ୍ୟ ସଦସ୍ୟମାନଙ୍କ ସଂଖ୍ୟା ୧,୦୮,୭୦୪ । ଏହା ପରି ସମୁଦାୟ ୧,୨୬,୦୧୦ କର୍ମକର୍ତ୍ତା ଉପକୃତ ହେବେ।
ମିଶନ ଶକ୍ତିରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ମଧ୍ୟରେ ରହିଛନ୍ତି- MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା।MBK, ବ୍ୟାଙ୍କ ମିତ୍ର ଓ ଜୀବିକା ସହାୟିକା ମାନେ ମାସିକ ପ୍ରୋତ୍ସାହନ ରାଶି ବାବଦକୁ ୬୭୫୦ ଟଙ୍କା ପାଉଥିଲେ। ଏବେ ଏହାକୁ ୧୦,୭୫୦କୁ ବୃଦ୍ଧି କରାଯାଇଛି।
କୃଷି ମିତ୍ର ଓ ପ୍ରାଣୀ ମିତ୍ରମାନେ ମାସିକ ୩,୭୫୦ ଟଙ୍କା ପାଉଥିଲେ। ସରକାରଙ୍କ ନୂଆ ଘୋଷଣା ଅନୁଯାୟୀ ଏବେ ମାସିକ ୬,୨୫୦ ଟଙ୍କା ପାଇବେ। ସେହିପରି CRP-CM ମାନେ ମାସକୁ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ।
ସେମାନେ ଏହି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୨୩ ଅକ୍ଟୋବର ମାସରୁ ପାଇବେ। ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଟଙ୍କାର ଅତିରିକ୍ତ ଅର୍ଥ ରାଶି ବ୍ୟୟ ବରାଦ କରିଛନ୍ତି।
୨୩-୨୪ ବଜେଟ୍ରେ ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ ଓ ଗୋଷ୍ଠୀର ଇସି ସଦସ୍ୟଙ୍କୁ ବୈଦ୍ୟୁତିକ ସ୍କୁଟର ପାଇଁ ୫୦ କୋଟି ବ୍ୟୟବରାଦ କରିଥିଲେ ରାଜ୍ୟ ସରକାର। ହେଲେ କାର୍ଯ୍ୟକାରୀ ବେଳେ ହଠାତ ବଦଳିଗଲା ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣ୍ଟିଲେ ପେଟ୍ରୋଲ ସ୍କୁଟର। ଯଦିଓ ସୁଧ ସରକାର ଦେବେ, ହେଲେ ମାସିକିଆ ଋଣ କିସ୍ତିକୁ ପୁଣି ତେଲ ଖର୍ଚ୍ଚ। ମାତ୍ର ୩ରୁ ୭ ହଜାର ଟଙ୍କା ଦରମା ପାଉଥିବା CRP, MBK, ବ୍ୟାଙ୍କ ମିତ୍ର କେମିତି ଶୁଝିବେ? ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ପ୍ରଶ୍ନ କାହିଁକି ବଦଳିଲା ବଜେଟ ନିଷ୍ପତ୍ତି? ଥରେ ବିଧାନସଭାରେ ସରକାର ପାରିତ କରି ସାରିବା ପରେ କାହା ନିର୍ଦ୍ଦେଶରେ ବିଧାନସଭା ବାହାରେ ଏହାକୁ ପରିବର୍ତ୍ତନ କରାଗଲା?
ବଡ଼ କଥା ହେଉଛି, ଯଦି ବୈଦ୍ୟୁତିକ ସ୍କୁଟର ପାଇଥାନ୍ତେ, ତା’ହେଲେ ତେଲ ଖର୍ଚ୍ଚ ବଞ୍ଚିବା ସହ ସବ୍ସିଡି ମଧ୍ୟ ହାତେଇଥାନ୍ତେ ମିଶନ ଶକ୍ତି ହିତାଧିକାରୀ। କାହିଁକି ନା ସବ୍ସିଡି ଘୋଷଣା କରି ବୈଦ୍ୟୁତିକ ସ୍କୁଟରକୁ ପ୍ରୋତ୍ସାହନ ଦେଉଛନ୍ତି ସରକାର। ତେଣୁ ସୁଧ ରିହାତି ସହ ସ୍କୁଟର ପିଛା ୨୦ ହଜାର ଟଙ୍କା ଲେଖାଁଏ ସବ୍ସିଡି ପାଇଥାନ୍ତେ ହିତାଧିକାରୀ। ଖାଲି ସେତିକି ନୁହେଁ, ମିଶନ୍ ଶକ୍ତି ମହିଳାଙ୍କ ପାଇଁ ବଡ଼ ଟେନ୍ସନ୍ ହେଉଛି ଡ୍ରାଇଭିଂ ଲାଇସେନ୍ସ କରିବା। ହୁଏତ ଇଭି ହୋଇଥିଲେ ସେ ଟେନ୍ସନ୍ ମଧ୍ୟ ନଥାନ୍ତା। ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ମିଶନ ଶକ୍ତି ସ୍କୁଟି ଯୋଜନାରେ ୨ ଲକ୍ଷ ସ୍କୁଟି ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। CRP, MBK, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ ମିତ୍ର, ଜୀବିକା ସହାୟିକା, ଉଦ୍ୟୋଗୀ ମିତ୍ରମାନେ ଏଥିରେ ସାମିଲ ଅଛନ୍ତି।
ସୂଚନା ଅନୁସାରେ, ଆଜି ବିଧାନସଭାରେ ମିଶନ ଶକ୍ତି ବିଭାଗୀୟ ମନ୍ତ୍ରୀଙ୍କୁ ବିଧାୟକ ନାଉରୀ ନାୟକ, ସୁରେଶ କୁମାର ରାଉତରାୟ, ମୋହନ ମାଝୀ, ତାରାପ୍ରସାଦ ବାହିନୀପତି, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ମୁକେଶ ମହାଲିଙ୍ଗ ପ୍ରମୁଖ ରାଜ୍ୟରେ ‘ମହିଳା ଏସଏଚଜି’ ସଂକ୍ରାନ୍ତରେ ବିଭିନ୍ନ ଲିଖିତ ପ୍ରଶ୍ନ କରିଥିଲେ । ଯାହାର ଲିଖିତ ଉତ୍ତର ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଗୃହରେ ରଖିଛନ୍ତି, କିନ୍ତୁ ପ୍ରଶ୍ନ ଓ ଉତ୍ତର ମଧ୍ୟରେ ସାମାନ୍ୟତମ ତାଳମେଳ ନାହିଁ। ଆଉ ସରକାରଙ୍କ ଉତ୍ତର ଦେଖିଲେ ବିଧାୟକମାନଙ୍କ ପ୍ରଶ୍ନ କରିବାର ଅଧିକାର ଯେଭଳି ଏକ ପ୍ରହସନ ସଦୃଶ ହୋଇଛି । ବିଭାଗୀୟ ମନ୍ତ୍ରୀ ଯେଭଳି ଢଙ୍ଗରେ ଲିଖିତ ଉତ୍ତର ରଖିଛନ୍ତି ସେଥିରୁ ନିର୍ବାଚିତ ଲୋକପ୍ରତିନିଧି(ବିଧାୟକ)ମାନଙ୍କର ଅଧିକାରକୁ ସଙ୍କୁଚିତ କରିବା ଓ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣିବାର ଅଧିକାରକୁ ଯୋଜନାବଦ୍ଧ ଭାବେ ହଡ଼ପ କରିବାକୁ ପ୍ରୟାସ ହୋଇଥିବା ଜଣାପଡ଼ିଛି ।
ଉଦାହରଣ ସ୍ୱରୂପ, ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟରେ ମିଶନ ଶକ୍ତିରେ କେତେ ମହିଳା ସାମିଲ ହୋଇଛନ୍ତି, କେତେ ସଂସ୍ଥା ଗଠିତ ହୋଇଛି ଓ ସେମାନଙ୍କ ମଧ୍ୟରୁ କେତେ ମହିଳା ଉଦ୍ୟୋଗୀ ଅଛନ୍ତି ବୋଲି ପ୍ରଶ୍ନ କରିଛନ୍ତି?
ଆଉ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଅଜବ ଲିଖିତ ଉତ୍ତର ରଖି କହିଛନ୍ତି ଯେ, ରାଜ୍ୟରେ ପଂଚାୟତ,ବ୍ଲକ ଓ ଜିଲ୍ଲାସ୍ତରୀୟ ମହାସଂଘ ଗଠନ ହୋଇଛି । ୭୦ଲକ୍ଷ ୧୦ଜଣ ମହିଳା ମିଶନ ଶକ୍ତିରେ ସାମିଲ ଅଛନ୍ତି । ମହିଳା ଏସଏଚଜିମାନେ ବିଭିନ୍ନ କୃଷିଭିତ୍ତିକ ଓ ଅଣକୃଷିଭିତ୍ତିକ କାର୍ଯ୍ୟ ମାଧ୍ୟମରେ ଲଘୁ ଉଦ୍ୟୋଗ ପ୍ରତିଷ୍ଠା କରି ଉପାର୍ଜନକ୍ଷମ ହୋଇପାରୁଛନ୍ତି ବୋଲି କହିଛନ୍ତି । ତେବେ କେତେ ମହିଳା ଏସଏଚଜିରୁ ଏସଏମଇ(ଉଦ୍ୟୋଗୀ) ହେଲେଣି ତା’ର ତଥ୍ୟ ଦେବାକୁ ଆଗ୍ରହ ଦେଖାଇନାହାନ୍ତି ।
ସେହିପରି ବିଧାୟକ ନାଉରୀ ନାୟକ ପ୍ରଶ୍ନ କରିଛନ୍ତି- ବିଗତ ୩ବର୍ଷ ମଧ୍ୟରେ ଏସଏଚଜିଙ୍କ ଦ୍ୱାରା କେଉଁ କେଉଁ ବିଭାଗରେ ଦ୍ରବ୍ୟ ଓ ସେବା ଯୋଗାଣ ବ୍ୟବସ୍ଥା ମାଧ୍ୟମରେ କେଉଁ ଜିଲ୍ଲାର କେତେ ସଂଖ୍ୟକ ଏସଏଚଜିଙ୍କ ଦ୍ୱାରା ଯୋଗାଣ ବ୍ୟବସ୍ଥା ହୋଇପାରିଛି,ତା’ର ବର୍ଷୱାରୀ ବିବରଣୀ ସହ ଏସଏଚିଜିଙ୍କୁ କେତେ ଟଙ୍କାର ବ୍ୟବସାୟ ନିମନ୍ତେ କେଉଁ ବର୍ଷରେ କେତେ ଅର୍ଥ ପ୍ରଦାନ କରାଯାଇଛି ତା’ର ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ?
ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଏହି ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଓ ଏହାର ମହାସଂଘଗୁଡ଼ିକୁ ୩ବର୍ଷରେ ୬୯୭୧.୬୩କୋଟି ଟଙ୍କାର ସରକାରୀ ବ୍ୟବସାୟ ଯୋଗାଇ ଦିଆଯାଇଛି । ପ୍ରଶ୍ନ ସହ ମନ୍ତ୍ରୀଙ୍କ ଉତ୍ତର କିଭଳି ତାଳମେଳ ଖାଉଛି ତାହା କେବଳ ମନ୍ତ୍ରୀ ହିଁ ଜାଣିଥିବେ ।
ସେହିପରି ବିଧାୟକ ସୁରେଶ ରାଉତରାୟ ପ୍ରଶ୍ନ କରିଥିଲେ- ୨୦୧୨ ନଭେମ୍ବର ମାସରୁ ତୃପ୍ତି ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ମାଧ୍ୟମରେ ବ୍ୟାଙ୍କରୁ ଋଣ ନେଲେ ୨%,୧% ଓ ୦% ସୁଧରେ ଫେରସ୍ତ କରିବାର ନିୟମ ଓଡ଼ିଶା ସରକାର ଘୋଷଣା କରିଥିଲେ ମଧ୍ୟ ପ୍ରକୃତପକ୍ଷେ ବ୍ୟାଙ୍କ ଅଧିକ ସୁଧ ନେଉଛି । ସରକାର ସୁଧ ପରିମାଣର ଭୁଲ୍ ତଥ୍ୟ ଦେଇ ମହିଳା ଏସଏଚଜିଙ୍କୁ ପ୍ରତାରଣା କରିବା ସତ୍ୟ କି?
ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ଲିଖିତ ଉତ୍ତରରେ କହିଛନ୍ତି ଯେ, ମିଶନ ଶକ୍ତି ଅଧୀନରେ ଏସଏଜଚିଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଉପରେ ସମସ୍ତ ସୁଧ ରାଜ୍ୟ ସରକାର ବହନ କରୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟର ଯୋଗ୍ୟ ଏସଏଚଜିଙ୍କୁ ମୋଟ ୨୧୬.୪୨କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । କିନ୍ତୁ ବ୍ୟାଙ୍କ ସୁଧ ଅଧିକ ନେବା କି ମହିଳା ଏସଏଚଜିଙ୍କୁ ପ୍ରତାରଣା କରିବା ଅଭିଯୋଗ ଉପରେ ମନ୍ତ୍ରୀ ନିରବ ରହିଛନ୍ତି ।
ବିଧାୟକ ମୋହନ ଚରଣ ମାଝୀ ପ୍ରଶ୍ନ କରିଥିଲେ ଯେ, ବିଗତ ୩ବର୍ଷ ମଧ୍ୟରେ ୫୦ଲକ୍ଷରୁ ୨କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥ ରୋଜଗାର କରିବାରେ କେତେ ଏସଏଚଜି ସକ୍ଷମ ହୋଇଛନ୍ତି ତା’ର ଜିଲ୍ଲାୱାରୀ ତାଲିକା ଓ କେତେ ଏସଏଚଜି ସଦସ୍ୟା ଆର୍ଥିକ ସ୍ୱାବଲମ୍ବୀ ହୋଇ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି ?
ଉତ୍ତରରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ, ମିଶନଶକ୍ତି ଅଧୀନରେ ୬.୦୨ଲକ୍ଷ ଏସଏଚଜି ଅଛି ଓ ସେଥିରେ ୭୦ଲକ୍ଷ ୧୦ଜଣ ମହିଳା ସାମିଲ ଅଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ୩ଲକ୍ଷ ୬୫ହଜାର ୫୪୨ଟି ଏସଏଚଜିକୁ ୧୧୦୦୫. ୧୦କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଇ ଦିଆଯାଇଛି । ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ମିଶନଶକ୍ତି ଏସଏଚଜି ଓ ସେମାନଙ୍କ ମହାସଂଘକୁ ବିଗତ ୩ବର୍ଷରେ ୬୯୭୧.୬୩କୋଟି ଟଙ୍କାର ସରକାରୀ ବ୍ୟବସାୟ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ଏସଏଚଜି ସହ ଜଡ଼ିତ କେତେଜଣ ମହିଳାଙ୍କ ବିଗତ ୩ବର୍ଷରେ ଆର୍ଥିକ ସୁଧାର ହୋଇଛି ସେ ତଥ୍ୟ ମନ୍ତ୍ରୀ ଦେଇନାହାନ୍ତି ।
ସେହିପରି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିଥିଲେ ଯେ, ରାଜ୍ୟ ସରକାର, ଏନଜିଓ ଓ ମାଇକ୍ରୋ ଫାଇନାନ୍ସଗୁଡ଼ିକ ଦ୍ୱାରା ପ୍ରମୋଟ୍ କରାଯାଇଥିବା ଏସଏଚଜି ସଂଖ୍ୟା କେତେ? ଏସବୁରେ କେତେ ସଂଖ୍ୟକ ସଭ୍ୟ ଅଛନ୍ତି, ତା’ର ଜିଲ୍ଲାୱାରୀ ତଥ୍ୟ ? କେତେ ଏସଏଚଜିଙ୍କୁ ଆର୍ଥିକ ସଂସ୍ଥା କେତେ ପରିମାଣର ଋଣ ଦେଇଛନ୍ତି ଓ କେତେ ଆଦାୟ କରିଛନ୍ତି? ଏସଏଚଜିଙ୍କୁ ଦିଆଯାଇଥିବା ଋଣ ଉପରେ କେତେ ଶତାଂଶ ଏନପିଏ ହୋଇଛି ତା’ର ତଥ୍ୟ ସହ ଏନପିଏ ପରିସରରେ ଥିବା ଏସଏଚଜିଗୁଡ଼ିକ ଭବିଷ୍ୟତରେ ୧୨% ସୁଧ ସହ ସ୍କୁଟି ଋଣ ଓ ଅନ୍ୟାନ୍ୟ ଋଣ ପାଇବାକୁ ଯୋଗ୍ୟ ହେବେ କି?
ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେତେକ ମହିଳା ଏସଏଚଜିଙ୍କୁ ଏପର୍ଯ୍ୟନ୍ତ ମୋଟ କେତେ ଟଙ୍କାର ଋଣ ସହାୟତା ମିଳିଛି । ସେଥିରେ ସରକାରଙ୍କ ସୁଧ ରିହାତି ବ୍ୟୟ କେତେ ଓ ଋଣ ଅର୍ଥରୁ କେତେ ପରିଶୋଧ ଏବଂ ଖିଲାପୀ ବାବଦରେ କେତେ ଟଙ୍କା ଅନାଦେୟ ରହିଛି ତା’ର ଜିଲ୍ଲାୱାରି ତଥ୍ୟ ଦେବେ କି?
ତେବେ ବିଧାୟକ ଶ୍ରୀ ମହାଲିଙ୍ଗ ଓ ଶ୍ରୀ ପଟ୍ଟନାୟକଙ୍କ ଦୁଇ ଅଲଗା ଅଲଗା ପ୍ରଶ୍ନର ଏକ ସମାନ ଲିଖିତ ଉତ୍ତର ଦେବାକୁ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ପଛାଇ ନାହାନ୍ତି । ଦୁଇ ବିଧାୟକଙ୍କୁ ସେମାନଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ସମାନ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ୩,୬୫,୫୪୨ଟି ଏସଏଚଜିଙ୍କୁ ୧୧୦୦୫.୧୦କୋଟି ଟଙ୍କାର ବ୍ୟାଙ୍କଋଣ ପ୍ରଦାନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ନିୟମିତ ଋଣ ପରିଶୋଧ କରିଥିବା ଯୋଗ୍ୟ ଏସଏଚଜିଙ୍କୁ ରାଜ୍ୟ ସରକାର ୨୧୬.୪୨କୋଟି ଟଙ୍କା ଫେରସ୍ତ କରିଛନ୍ତି । ଅବଶ୍ୟ ଦୁଇ ବିଧାୟକଙ୍କୁ ସମାନ ଉତ୍ତର ଦେଇଥିବା ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ ତାଙ୍କ ଉତ୍ତରରେ ଶ୍ରୀ ମହାଲିଙ୍ଗଙ୍କୁ ଅଧିକ ପଦେ ‘ ମିଶନ ଶକ୍ତି ଅଧୀନରେ ୬ଲକ୍ଷ ୨ହଜାର ୧୩ଟି ଏସଏଚଜି ଅଛନ୍ତି’ ବୋଲି ସୂଚନା ଦେଇଥିବା ଜଣାପଡ଼ିଛି ।
ଏଥିସହିତ ‘ଗୁହାରୀ’ ଶବ୍ଦଟିଏ ଯୋଡ଼ିବାର ଉଦ୍ଦେଶ୍ୟ ହେଲା, ଏହି ଶକ୍ତି ଲୋକ ପ୍ରତିନିଧି ନୁହଁନ୍ତି ଯାହାଙ୍କ ନିକଟରେ ଦାବି ଉଠାଯାଇଥାଏ। ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ଅଂଶବିଶେଷ ନହେଲେ ବି ସମସ୍ତ ଗଣତାନ୍ତ୍ରିକ ପ୍ରକ୍ରିୟାର ନିୟନ୍ତ୍ରଣକର୍ତ୍ତା। ସେ ଯେଉଁ ମୁଦ୍ରାରେ ‘ତଥାସ୍ତୁ’ କହି ଜନତାକୁ ଆଶ୍ୱାସନା ଦେଇଥାନ୍ତି ତାହା ନିଶ୍ଚୟ ମତେ ଏକା କାହିଁକି, ଅନେକଙ୍କୁ ଚମତ୍କୃତ କରିଥାଏ। ଏଣୁ ତାଙ୍କ ନିକଟରେ ‘ଗୁହାରୀ’ ଶବ୍ଦଟି ମୁଁ କୌଣସି ଐତିହାସିକ ତ୍ରୁଟି ବୋଲି କରିଥିବା ଭାବୁନାହିଁ। କେବଳ ଯାହା ‘ମଣିମା’ ଶବ୍ଦଟି ଯୋଡ଼ି ନାହିଁ।
ଓଡ଼ିଆ ଭାଷା ସାହିତ୍ୟ ହେଉ ବା ଇତିହାସ ହେଉ, ସବୁର ପୃଷ୍ଠା ଓଲଟାଇ ଦେଖିଲେ ଗୋଟିଏ କଥା ଆଦୌ ବୁଝାପଡ଼େ ନାହିଁ। ଏ କୁଆଡ଼େ ପ୍ରବଳ ପ୍ରତାପୀ ବୀର ଯୋଦ୍ଧା ଶ୍ରେଣୀର ଲୋକଙ୍କ ଭୂଖଣ୍ଡ ଥିଲା। ତେବେ ଅଧିକାଂଶ କାଳ କେବଳ ଏ ମାଟିର ସନ୍ତାନ-ଶାସକ ‘ସୂର୍ଯ୍ୟବଂଶୀ’ଙ୍କୁ ଛାଡ଼ିଦେଲେ ଆଉ ପ୍ରାୟ ସମସ୍ତ ଓଡ଼ିଶା ବାହାରର ଶାସକ ଦକ୍ଷିଣରୁ ଆସିଥିବା ଗଂଗବଂଶୀ ବା ଉତ୍ତରରୁ ଆସିଥିବା କେଶରୀ ବଂଶ ବା ଚେଦୀବଂଶର ଶାସନାଧୀନ ଥିଲା, ଅବା ମୋଗଲ, ମରହଟ୍ଟା, ଇଂରେଜଙ୍କ ଅଧୀନରେ ଥିଲା। ସେହିସବୁ ଦେଖି ଦେଖି ବର୍ତ୍ତମାନ ‘ଫାଇବ୍-ଟି’ଙ୍କ କାର୍ଯ୍ୟ ଦେଖିବାରେ ଅନ୍ତତଃ ମୋର କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ।
କେବଳ ଯାହା ଏଠାରେ ‘ଗୁହାରୀ’ ଶବ୍ଦ ବ୍ୟବହାର କରିବା ସମୟରେ ‘ମଣିମା’ ଶବ୍ଦଟି ଉହ୍ୟ ରଖିବାକୁ ବାଧ୍ୟ ହୋଇଛି। କାରଣ ଏହି ଶବ୍ଦଟି ଚତୁର ଓଡ଼ିଆଏ ନିଜର ଦୁର୍ବଳତାକୁ ହୁଏତ ଘୋଡ଼ାଇବାକୁ ଯାଇ ଜଗନ୍ନାଥଙ୍କୁ ସାମନ୍ତ ବା ରାଜା ଭାବେ ଛିଡ଼ା କରାଇ ତାଙ୍କ ପାଖରେ ହିଁ କେବଳ ‘ମଣିମା’ ଶବ୍ଦ ଯୋଡ଼ି ଦେଇଥିଲେ। ନିଜକୁ ଗରିବ କହି ‘ମଣିମା’ଙ୍କ ଆଗରେ ସକଳ ଦୁଃଖ ପସରା ଖୋଲି ଦେଇଥିଲେ। ଡାକୁଥିଲେ ମଣିମା ମଣିମା ହେଉ ଗରିବ ଡାକ। ହେଲେ ଏବେ ମୁଁ ଉଚିତ ମନେ କରେ ଯେ ‘ମଣିମା’ ଶବ୍ଦଟିକୁ ଉହ୍ୟ ରଖି ସମସ୍ତ ଗୁହାରୀ ‘ଫାଇବ୍-ଟି’ ପାଖରେ ଅଜାଡ଼ି ଦେବି।
ଏହାର ପ୍ରଥମ ଅର୍ଘ୍ୟ ହେଉଛି ‘ଛତାଟିଏ ମାଗୁଣି’। ଅସହ୍ୟ ତାତି, ସୂର୍ଯ୍ୟ ଉତ୍ତାପରେ ସାରା ରାଜ୍ୟର ଲୋକେ ବର୍ଷକରେ ପାଞ୍ଚମାସ ହନ୍ତସନ୍ତ ହେଉଛନ୍ତି। ଗଛ ଜଙ୍ଗଲ ଘେରା ବାରିପଦା ହେଉ ଅବା ଫୁଲବାଣୀ ବୌଦ୍ଧ ହେଉ ଅଥବା କୋଠାବାଡ଼ି ଘେରା କଟକ, ଭୁବନେଶ୍ୱର ହେଉ, ସର୍ବତ୍ର ତାପମାତ୍ରା ୪୦ ଡିଗ୍ରୀରୁ ଟପି ମୂଲିଆର ମୂଲ ବନ୍ଦ କରିଦେଇଛି। ପିଲାଙ୍କର ପାଠପଢ଼ା ବନ୍ଦ ହେଉଛି, ସବୁଥିରେ ବାଧା ସୃଷ୍ଟି ହେଉଛି। ବର୍ଷକରେ ଆହୁରି ତିନିମାସ ବର୍ଷାର ପ୍ରାଦୁର୍ଭାବ।
ଇତିହାସ କହେ ଆଗେ ବର୍ଷା ଏକାଧାରରେ ମୌସୁମୀ ଓ ଅଣମୌସୁମୀ ଭାବେ ଆସୁଥିଲା। ଖରାର ତାତି ଏତେ ନଥିଲା। ଏବେ କିନ୍ତୁ ସବୁ ବିପରୀତ। ଏ ସମସ୍ତ ‘ମୟୂର ଚନ୍ଦ୍ରିକା’ର କାରଣ ହେଉଛି ବର୍ଷତମାମ ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ମୁଣ୍ଡ ଢାଙ୍କିବା ଅବା ଦେହ ଢାଙ୍କିବାର ଜରୁରୀ ଆବଶ୍ୟକତା ଦେଖାଦେଇଛି। ପୂର୍ବେ ଏଇ ଆବଶ୍ୟକତା ତାଳପତ୍ରରେ ତିଆରି ପଖିଆ, ଝାଙ୍କି, ମୂମି(ମୁଣ୍ଡର ଟୋପି) ଗାଁରେ ତିଆରି ହୋଇ ବ୍ୟବହୃତ ହେଉଥିଲା ଗାଁ ଲୋକଙ୍କୁ ରକ୍ଷା ଦେବାକୁ। ଅଧିକନ୍ତୁ ଯୋଗୀ, ଚକୁଳିଆ ପଣ୍ଡା ଖରାରେ ବୁଲିବାବେଳେ ଏହି ଛତା ଧାରଣ କରୁଥିଲେ। ‘ଛତା’ର ଇତିହାସ ସଂସ୍କୃତି ସହିତ ସଂପର୍କ ବହୁ ପ୍ରାଚୀନ। ପିପିଲିର ‘ଛତ୍ର’ ଛତ୍ରୀ ରୂପାନ୍ତରିତ ଗୋଟିଏ ଗୋଟିଏ ବ୍ୟବହାର୍ଯ୍ୟ ବସ୍ତୁ। ଅବଶ୍ୟ ଏହା ଦେବକାର୍ଯ୍ୟରେ ଲାଗିଥାଏ।
ପରେ ତାଳପତ୍ର ତିଆରି ଛତା, ପଖିଆ ଆସ୍ତେ ଆସ୍ତେ ଲୋପ ପାଇ ତା’ ସ୍ଥାନରେ ‘ଛତା’ ଓ ବର୍ଷାତି ଆବଶ୍ୟକତା ପୂରଣ କଲା। ବର୍ଷା ଦିନେ ବର୍ଷାତି ଦେହକୁ ରକ୍ଷା କରିବ ସିନା, ଖରାଦିନେ ତାତିରେ ମଣିଷକୁ ସିଝାଇ ଦେବ। ଏଣୁ ସବୁ ସୂତ୍ରରୁ ଆବଶ୍ୟକତା ‘ଛତା’। ବର୍ଷା ଓ ଖରା ଉଭୟରୁ ରକ୍ଷା କବଚ ବା ଢାଲ ପରି କାମ ଦେଇଥାଏ।
ଏ ରାଜ୍ୟର ଦୁର୍ଭାଗ୍ୟ ହେଉଛି ‘ଛତା’ ତିଆରି ବ୍ୟବସ୍ଥା। ଏଠି ଆଦୌ ନାହିଁ କହିଲେ ଚଳେ। ବଜାରରେ ମିଳୁଥିବା କଳାକନା ବା ରଙ୍ଗ ବେରଙ୍ଗୀର ସମସ୍ତ ଛତା, ଓଡ଼ିଶା ବାହାରୁ ଆସି ବିକ୍ରି ହୋଇଯାଏ। ଏସବୁ ଭିତରେ ବଙ୍ଗଳା ବା କଲିକତାର ‘ପାଲ’ ‘ଛତା’ର ଆଦର ବେଶୀ। ଆଗେ ବାଉଁଶ ବା ବେତ ବେଣ୍ଟ ବଦଳରେ ଏବେ ‘କାରଖାନା ପ୍ରସ୍ତୁତ ଷ୍ଟିଲ ବେଣ୍ଟରେ ଛତା ତିଆରି ହେଉଛି।
ରାଜ୍ୟବାସୀଙ୍କର ଏହି ଚରମ ଆବଶ୍ୟକତା ‘ଛତା’ ଏକ ଗ୍ରାମୀଣ ଶିଳ୍ପ କହିଲେ ଅତ୍ୟୁକ୍ତି ହେବନାହିଁ। ଅର୍ଥାତ୍ ଗାଁରେ ବେଣ୍ଟ, କନା ଯୋଗାଇଦେଲେ ଗାଁର ମହିଳାମାନେ ମଧ୍ୟ ଖୁବ୍ ଭଲ ଛତା ଅଳ୍ପ ପ୍ରଶିକ୍ଷଣରେ ତିଆରି କରି ଯୋଗାଇ ଦେଇପାରିବେ। ଦି ପଇସା ରୋଜଗାର କରିବେ। ଆମ ରାଜ୍ୟର ପଇସା ଆମ ରାଜ୍ୟରେ ରହିବ। ଲୋକଙ୍କୁ ରୋଜଗାର ମିଳିବ।
ଏବେତ ରାଜ୍ୟରେ ମହିଳା ସଶକ୍ତିକରଣ ନାମରେ ଅନେକ ବ୍ୟୟବରାଦ ହେଉଛି। ସେହି ଅର୍ଥରୁ ଗୋଟିଏ କ୍ଷୁଦ୍ରଅଂଶ ଏହି ଛତା ତିଆରି ପ୍ରକଳ୍ପରେ ଲାଗିଲେ କେତେ ଉପକାର ହୁଅନ୍ତା। ଏହାର ଗୋଟିଏ ବ୍ରାଣ୍ଡ ନାମ ମଧ୍ୟ ରଖୁଛି। ‘ମା’ ରଖାଯାଇପାରେ। ମା’ ଯେପରି ସମସ୍ତଙ୍କ ମୁଣ୍ଡକୁ ପଣତକାନିରେ ଘୋଡ଼ାଇ ରଖେ, ସେହିଭଳି ଏହି ଛତା ଘୋଡ଼େଇ ରଖିଥାଏ। ଆଉ ଅନ୍ୟ କିଛି ବିକଳ୍ପ ବ୍ରାଣ୍ଡ ନାମ ‘ବିଜୟାନନ୍ଦ’ ବା ନବୀନ (ନୂତନ) ଦେଲେ ଅନ୍ତତଃ ବଜାରରେ ହଠାତ୍ ଦାବୀ ବଢ଼ିଯାଆନ୍ତା। ବଜାରରେ ଚଳିଲାଭଳି ଗୋଟିଏ ଭଲ ବ୍ରାଣ୍ଡ ନାମ ଓ ନିଜ ରାଜ୍ୟର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଏହି ଛତା ଅବା ଉନ୍ନତମାନର ପଖିଆ (ଆଧୁନିକ ଜ୍ଞାନ କୌଶଳରେ ପ୍ରସ୍ତୁତ) ଯେତେଶୀଘ୍ର ଚାଲିବ ରୋଜଗାର ଗୋଟିଏ ବଡ଼ ମାଧ୍ୟମ ସୃଷ୍ଟି ହୁଅନ୍ତା। ଆମ ରାଜ୍ୟର ଅର୍ଥ ମାନ୍ଦ୍ରାଜ ବା କଲିକତା ଯା’ନ୍ତା ନାହିଁ। ଏହିସବୁ ପ୍ରସ୍ତୁତ କାରୀ ବ୍ୟବସ୍ଥା ଯେକୌଣସି ବଡ଼ ଷ୍ଟିଲ୍ ପ୍ଲାଣ୍ଟର ପ୍ରଦତ୍ତ ଉପକାରଠାରୁ ଯଥେଷ୍ଟ ଲାଭପ୍ରଦ ଓ ଜନତାର ସଂପୃକ୍ତି ସ୍ୱୀକାର କରେ। ଷ୍ଟିଲ୍ପ୍ଲାଣ୍ଟ କେବଳ ସେହିମାନଙ୍କର ଲାଭ କରିଥାଏ ଯେଉଁମାନେ ଏ ରାଜ୍ୟର ସଂପତ୍ତିକୁ ନେଇ ବିଦେଶରେ ବେପାର ଚଳାଇଛନ୍ତି। ସାଧାରଣ ଜନତାର ନୁହେଁ, ଆଦୌ ନୁହେଁ ବୋଲି କହୁନାହିଁ। ମାତ୍ର କାଣିଚାଏ ତାଙ୍କ ନିକଟରେ ପହଂଚିଥାଏ।
ପ୍ରତି ଗାଁରେ ନ ହେଲେ ହାଟପାଳିରେ ଛତା ମରାମତି ବାଲାଙ୍କର ଦି ପଇସା ରୋଜଗାର ବି ହୁଅନ୍ତା। ‘ଗୁହାରୀ ଶୁଣିମା ହେଉ’ ରାଜ୍ୟର ଆବଶ୍ୟକତା ପୂରଣ ପାଇଁ ଗାଁ ମହିଳାଙ୍କ ଦ୍ୱାରା ଛତା ପ୍ରସ୍ତୁତ ହୋଇ ରାଜ୍ୟରେ ଚାଲୁ। ଉନ୍ନତମାନର ହେଲେ ଦେଶରେ, ବିଦେଶରେ ବି ଚାଲିବ।
ପଞ୍ଚାନନ କାନୁନଗୋ
ଫୋ- ୯୪୩୮୩୬୦୮୪୯
ଏମିତି ପ୍ରଶ୍ନରେ ଦ୍ରୌପଦୀ କ୍ଷୁବ୍ଧ ହୋଇ କହିଲେ, ମୁଁ ସେମାନଙ୍କୁ ବଶ ବା ନିୟନ୍ତ୍ରଣ କରି ନାହଁ। ବରଂ ମୁଁ ମୋ ଦାୟିତ୍ୱ କର୍ତ୍ତବ୍ୟ ଓ ଦକ୍ଷତା ପ୍ରମାଣିତ କରି ସେମାନଙ୍କ ହୃଦୟରେ ସମ୍ମାନର ଅଧିକାରୀ ହୋଇ ପାରିଛି। ଆପଣ ଜାଣନ୍ତି, ଇନ୍ଦ୍ରପ୍ରସ୍ଥ ରାଜଭବନରେ ମୁଁ ହିଁ ପ୍ରଥମ ବ୍ୟକ୍ତି ଯିଏ ପ୍ରଥମେ ଶଯ୍ୟା ତ୍ୟାଗ କରେ ଏବଂ ସର୍ବ ଶେଷରେ ଶଯ୍ୟାକୁ ଯାଏ। ମୁଁ ରାଜ ଭବନର ପ୍ରତ୍ୟେକ କର୍ମଚାରୀଙ୍କ ନାମ ଜାଣେ। ଇନ୍ଦ୍ରପ୍ରସ୍ଥର ପ୍ରତ୍ୟେକ ଆୟ ଏବଂ ବ୍ୟୟର ହିସାବ ରଖେ। ମହାରାଜ ଯୁଧିଷ୍ଠିରଙ୍କ ଦ୍ୱାରା ନିଯୁକ୍ତ କୋଡ଼ିଏ ହଜାରରୁ ଊର୍ଦ୍ଧ୍ୱ ଗବେଷଣାତ୍ମକ ଓ ରଚନାତ୍ମକ କାର୍ଯ୍ୟରେ ନିଯୁକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ରହି କାର୍ଯ୍ୟ ତଦାରଖ ମଧ୍ୟ କରେ। ଇନ୍ଦ୍ରପ୍ରସ୍ଥର ପ୍ରତ୍ୟେକ କାର୍ଯ୍ୟରେ ମୁଁ ଜଡ଼ିତ ରୁହେ। ମୁଁ ମୋର ଦାୟିତ୍ୱ ଓ କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କରି ସେମାନଙ୍କ ହୃଦୟରେ ସମ୍ମାନର ଅଧିକାରୀ ହୋଇ ପାରିଛି।
ଏହି ଘଟଣାଟି ଏଠାରେ ଉଲ୍ଲେଖ କରିବାର ଅର୍ଥ ହେଲା ଯେ ଆଜି ମହିଳା ସଶକ୍ତିକରଣର ବାସ୍ତବ ଅର୍ଥ ଦିଗଭ୍ରଷ୍ଟ ହୋଇଛି।
ମହିଳାଟିଏ ଶକ୍ତିର ଭଣ୍ଡାର। ତାଙ୍କୁ ସଶକ୍ତ କରିବ କିଏ? ପୁରୁଷ ହେଉ ବା ସମାଜ ହେଉ କିମ୍ବା ସରକାର, କୌଣସି ବାହ୍ୟ ଶକ୍ତି ତାଙ୍କୁ ସଶକ୍ତ କରି ପାରିବେ ନାହିଁ ଯେ ପର୍ଯ୍ୟନ୍ତ ମହିଳାଟିଏ ନିଜ ଅନ୍ତର୍ନିହିତ ଶକ୍ତିକୁ ନିଜେ ଆବିଷ୍କାର କରି ତାହାକୁ ସଠିକ ମାର୍ଗରେ ପରିଚାଳିତ ନ କରି ପାରିଛି।
ସ୍ୱାମୀ ବିବେକାନନ୍ଦଙ୍କୁ ଥରେ ପଚରା ଯାଇଥିଲା ବିଧବା ବିବାହ ସମ୍ପର୍କରେ ଆପଣଙ୍କ ମତ କଣ? ସେ କହିଥିଲେ ମୁଁ ସେ କଥା ସ୍ଥିର କରିବାକୁ କିଏ? ବିଧବାର ଜୀବନ ବଞ୍ଚିଥିବା ସେହି ମହିଳାଙ୍କୁ ପଚାର ସେ କଣ ଚାହାନ୍ତି। ତାଙ୍କର ମତ କଣ? ମହିଳାଙ୍କୁ ଉପଯୁକ୍ତ ଶିକ୍ଷା, ବୌଦ୍ଧିକ ବିକାଶ ଓ ସମ୍ମାନ ମିଳିଲେ ସେମାନେ ନିଜର ଭବିଷ୍ୟତ ନିଜେ ସ୍ଥିର କରି ପାରିବେ।
ସରକାରୀ ଓ ବେସରକାରୀ ସ୍ତରରେ ଅନେକ ମହିଳା କଲ୍ୟାଣକାରୀ ଯୋଜନା, ଶିକ୍ଷା, ସ୍ଵାସ୍ଥ୍ୟ,ଜନ୍ମଠାରୁ ମୃତ୍ୟୁ ଯାଏ ଅନେକ ସୁବିଧା ସୁଯୋଗ ଦିଆ ଯାଉଥିଲେ ମଧ୍ୟ ଏବେ ମଧ୍ୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ମହିଳା ବର୍ଗ ଅନେକ ପଛୁଆ ରହିଛନ୍ତି। ଏହାର କାରଣ ହେଲା ଆଜି ପର୍ଯ୍ୟନ୍ତ ଆମର ପୁରୁଷ କୈନ୍ଦ୍ରିକ ସମାଜରେ ମହିଳାଙ୍କ ବୌଦ୍ଧିକ ବିକାଶ ସହିତ ସେମାନଙ୍କ ପାଇଁ ସମ୍ମାନର ଏକ ଅନୁକୂଳ ପରିବେଶ ସୃଷ୍ଟି ହୋଇ ପାରିନାହିଁ। କିଛି ବ୍ୟକ୍ତିଙ୍କ ନିମ୍ନ ମାନସିକତା, ନୈତିକ ମୂଲ୍ୟବୋଧର ଅଭାବ ସହିତ ମହିଳାମାନଙ୍କ ଅଜ୍ଞତା ଏଥିପାଇଁ ଅନେକାଂଶରେ ଦାୟୀ।
୧୯୬୩ ମସିହାରେ ଆମେରିକୀୟ ଲେଖକ ଫ୍ରିଡା ବିଟ୍ଟିଙ୍କ ଦ୍ଵାରା ରଚିତ ପୁସ୍ତକ "ଫେମିନାଇନ ମିଷ୍ଟିକ୍" ପାଶ୍ଚାତ୍ୟ ମହିଳାଙ୍କ ପାଇଁ ନାରୀ ସ୍ୱାଧୀନତାର ଏକ ମାର୍ଗଦର୍ଶକ ରୂପେ ବହୁଳ ଭାବରେ ଆଦୃତ ହୋଇଥିଲା। ସେ ପୁସ୍ତକ ଅନୁସାରେ ନାରୀ ସ୍ୱାଧୀନତାର ସଂଜ୍ଞାରେ ପାଶ୍ଚାତ୍ୟ ମହିଳାମାନେ ଏତେ ମାତ୍ରାରେ ପ୍ରଭାବିତ ହେଲେ ଯେ ନିଜର ଅଧିକାର ବିଷୟରେ ସଚେତନ ହେଲେ, ସ୍ୱାବଲମ୍ବୀ ହେଲେ ଏବଂ ସ୍ୱାର୍ଥପର ହୋଇ ଧୀରେ ଧୀରେ ଉତ୍ସୃଙ୍ଖଳ ହେବାକୁ ଲାଗିଲେ। ଫଳତଃ ପରିବାରିକ ଅଶାନ୍ତିର ହାର ବୃଦ୍ଧି ହେବାରେ ଲାଗିଲା। ଘରୋଇ ହିଂସା ଓ ଛାଡ଼ପତ୍ର ଇତ୍ୟାଦି ଏତେ ମାତ୍ରାରେ ବଢ଼ିବାକୁ ଲାଗିଲା ଯେ, ଫ୍ରିଡା ବିଟ୍ଟି ବାଧ୍ୟ ହୋଇ ଏହାର ସଂଶୋଧିତ ପୁସ୍ତକ ପୁନର୍ବାର ପ୍ରକାଶିତ କଲେ। ଏବଂ ସେଥିରେ ସେ ଲେଖିଲେ ଯେ ସ୍ୱାଧୀନତା କେବେହେଲେ ମାନବିକତାଠାରୁ ଅଲଗା ହୋଇ ପାରିବନି।
ତେଣୁ ବାସ୍ତବ ଅର୍ଥରେ ସଶକ୍ତ ଅର୍ଥ ନୁହେଁ ସ୍ୱାଧୀନତା ବା ସ୍ୱାଧୀନତାର ଅର୍ଥ ନୁହେଁ ଉତ୍ସୃଙ୍ଖଳତା। ପରିବାରଠାରୁ ଦୂରେଇ ଯିବା ସ୍ୱାଧୀନତା ନୁହେଁ। ବରଂ ନିଜ ଭିତରର କୁସଂସ୍କାର ଅପରିପକ୍ୱ ମାନସିକତା ରୂପକ ଅନ୍ଧକାରକୁ ଜ୍ଞାନ ବା ଶିକ୍ଷା ରୂପକ ଆଲୋକରେ ଦୂରୀଭୂତ କରି ଏକ ଶୃଙ୍ଖଳିତ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରି ନିଜ ପରିବାର,ସମାଜ, ଜାତି ରାଜ୍ୟ ତଥା ଦେଶର ଗଠନମୂଳକ କାର୍ଯ୍ୟରେ ନିୟୋଜିତ କରିବା ହେଲା ବାସ୍ତବ ସଶକ୍ତିକରଣ।
ଆମ ଚାରି ପାର୍ଶ୍ୱରେ ପ୍ରତି ମୁହୂର୍ତ୍ତରେ ସମସ୍ତ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ପରିବର୍ତ୍ତନ ସଂପର୍କରେ ସଚେତନ ରହିଲେ କୁସଂସ୍କାର ଜନିତ ଅନ୍ଧକାର ଦୂର ହେବ ଏବଂ ଆତ୍ମ ସ୍ୱାଭିମାନର ସହିତ ଏକ ନିର୍ଦ୍ଧଷ୍ଟ ଲକ୍ଷ୍ୟ ପୂରଣ ଦିଗରେ ଏକ ସୁନ୍ଦର ରାସ୍ତା ଦେଖାଯିବ।
ଯେ ପର୍ଯ୍ୟନ୍ତ ଗ୍ରାମୀଣ ସ୍ତରରେ ମହିଳାମାନେ ଏ ବିଷୟରେ ସଚେତନ ନ ହୋଇଛନ୍ତି, ଯେ ପର୍ଯ୍ୟନ୍ତ ଆମ ଅର୍ଥନୈତିକ ବଜେଟର ଏକ ଟଙ୍କାର ବ୍ୟୟ ବରାଦ ବିଷୟରେ ସବିଶେଷ ବିବରଣୀ ବିଷୟରେ ଅବଗତ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ମହିଳାମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କେବଳ ସ୍ଵପ୍ନ ହୋଇ ରହିବ।
ଅର୍ଥନୈତିକ ଅଭିବୃଦ୍ଧି ଦ୍ୱାରା ସ୍ୱାବଲମ୍ବୀ ମହିଳାମାନଙ୍କ ଆତ୍ମବଳ ବୃଦ୍ଧି ପାଏ। ଆତ୍ମ ସ୍ୱାଭିମାନର ସହିତ ଯେତେବଳେ ମହିଳାଟିଏ ନିଜ ପରିବାରର ନିଷ୍ପତ୍ତି ନେବାରେ ଭାଗିଦାରୀ ହୋଇପାରେ ସେତେବେଳେ ତାକୁ ତାର ସମ୍ମାନ ମିଳେ। ସମ୍ମାନର ସହିତ ବଞ୍ଚିବା ଶିଖିଲେ ମାନସିକ ସ୍ତରରେ ଦୃଢ଼ ହୁଏ। ଆଉ ଆମେ ସମସ୍ତେ ଜାଣୁ ଯେ ମାନସିକ ସ୍ତରରେ ଦୃଢ଼ ଜଣେ ମହିଳା ସବୁ ଅସମ୍ଭବକୁ ସମ୍ଭବ କରିପାରେ।
ଏକଥା ମଧ୍ୟ ମନେ ରଖିବାକୁ ପଡିବ ଯେ ସମ୍ମାନ ପାଇବାକୁ ହେଲେ ସମ୍ମାନ ଦେବାକୁ ପଡ଼େ।
ଗାନ୍ଧିଜୀଙ୍କ ମତରେ ଦୃଢ଼ ଅଥଚ ନମ୍ର ଭାବରେ ନିଜର ଅଧିକାରକୁ ସାବ୍ୟସ୍ତ କରିବା ହିଁ ବାସ୍ତବ ସଶକ୍ତିକରଣ।
ଘର ପରିବାରରୁ ଛୋଟ ଶିଶୁରୁ ବୟସ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ମୁହୂର୍ତ୍ତର ସଦ ଉପଯୋଗ କରି ବାହ୍ୟ ଓ ଅନ୍ତଃ ଶୁଦ୍ଧିକରଣ ସହିତ ସଚେତନ ରହି ନିଜର ପ୍ରତିଟି କାର୍ଯ୍ୟ ତଥା ବାକ୍ୟକୁ ରୁଦ୍ଧିମନ୍ତ କରି ଶିଖିଲେ ବ୍ୟକ୍ତିତ୍ଵ ବିକଶିତ ହୁଏ। ଉଜ୍ଜ୍ୱଳ ବ୍ୟକ୍ତିତ୍ଵ ସବୁବେଳେ ନମସ୍ୟ, ସେଠି ନାରୀ ପୁରୁଷର ଭେଦଭାବ ନ ଥାଏ।
ଏହି ପ୍ରସଙ୍ଗରେ ମହିଳାଙ୍କୁ ସମ୍ମାନର ସର୍ବୋଚ୍ଚ ଶିଖରରେ ରଖି ଗାନ୍ଧୀ ମତରେ ମହିଳାମାନେ କେବେହେଲେ ଦୁର୍ବଳ ଶ୍ରେଣୀଭୁକ୍ତ ନୁହନ୍ତି। ସେ କୁହନ୍ତି "ନାରୀଟିଏ ଅଭୂତପୂର୍ବ ସହନଶୀଳତା, ତ୍ୟାଗ, ନମ୍ରତା, ବିଶ୍ୱାସ ଓ ବୃହତ୍ତର ଜ୍ଞାନର ମୂର୍ତ୍ତିମନ୍ତ ପ୍ରତୀକ ଏବଂ ନୈତିକବଳକୁ ଯଦି ମନୁଷ୍ୟର ଶକ୍ତି ଭାବେ ଗ୍ରହଣ କରାଯାଏ ତେବେ ଜଣେ ମହିଳା ପୁରୁଷଠାରୁ ବହୁ ଗୁଣ ଊର୍ଦ୍ଧ୍ୱରେ ଥାଏ, କାରଣ ଜଣେ ମହିଳା ତାର ଚରିତ୍ରକୁ ହିଁ ତାର ଅଳଙ୍କାର ବୋଲି ବିବେଚନା କରିଥାଏ"।
ପୁରାଣ ଯୁଗରୁ ଆଜିର ସମୟକୁ ଅନୁଧ୍ୟାନ କଲେ ଜଣାଯାଏ, ଯେଉଁ ମହିୟସୀ ମହିଳାମାନେ ନିଜକୁ ପ୍ରମାଣିତ କରି ପାରିଛନ୍ତି ସେହିମାନଙ୍କୁ ଆମର ପୁରୁଷ ପ୍ରଧାନ ସମାଜ ମଥାନତ ସମ୍ମାନ ଦେଇଛନ୍ତି।
ତେଣୁ ଆଜି ସମୟ ଆସିଛି, ଦାବି କରିବା ନାହିଁ, ନିଜକୁ ପ୍ରମାଣିତ କରିବା। ପ୍ରକୃତ ସଶକ୍ତିକରଣର ଅର୍ଥ ବୁଝିବା। ଅନ୍ଧବିଶ୍ୱାସ, କୁସଂସ୍କାର ଓ ଅପରିପକ୍ୱ ମାନସିକତାରୁ ନିଜକୁ ମୁକ୍ତ କରି ସ୍ୱାଧୀନତାର ପ୍ରକୃତ ଅର୍ଥକୁ ହୃଦୟଙ୍ଗମ କରିବା। ନିଜର ମାତୃଭାଷା, ସଂସ୍କୃତି ଓ କଳା ପରମ୍ପରାକୁ ସମ୍ମାନ ଦେବା ସହିତ ନିଜ ପରିବାର, ସମାଜ, ଜାତି, ରାଜ୍ୟ ତଥା ଦେଶର ସମ୍ମାନକୁ ଅକ୍ଷତ ରଖିବା ଦିଗରେ ବ୍ରତୀ ହେବା।
ନିଜର ଅଧିକାରକୁ ସ୍ୱାଭିମାନର ସହିତ ହାସଲ କରି ନିଜର ଜ୍ଞାନ ଓ ଦକ୍ଷତା ବଳରେ ନିଜ ପରିବାର ତଥା ଦେଶର ଗଠନମୂଳକ କାର୍ଯ୍ୟରେ ପୁରୁଷର ସହଭାଗୀ ହେବା।
ଡଃ ରୀନା ରାଉତରାୟ
ଫୋ- ୯୪୩୮୨୭୨୧୫୨
https://youtu.be/e0Rl_a3UFkA
https://youtu.be/rY4tu856ncY