ଆଜି ଶେଷଦିନରେ ଗୃହରେ ବିରୋଧୀ ଦଳର ହଟ୍ଟଗୋଳ ଯୋଗୁ ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ, ଶୂନ୍ୟକାଳ କିମ୍ବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ସମ୍ଭବପର ହୋଇନଥିଲା । ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ ଗୃହରେ ଅଚଳାବସ୍ଥା ଜାରି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ତେବେ ବିରୋଧୀ ଦଳର ହଟ୍ଟଗୋଳ ମଧ୍ୟରେ ଗୃହରେ ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟକୁ ପାରିତ କରିବା ପାଇଁ ବ୍ୟୟମଞ୍ଜୁରୀ ବିଲକୁ ସରକାର ପାରିତ କରାଇନେଇଥିଲେ । ଆଉ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ । ଶ୍ରଦ୍ଧା ଜଣେ ଫିଜିଓଥେରାପିଷ୍ଟ ଓ ତାଙ୍କର ଯତ୍ନ ନେବା ପାଇଁ ଭଉଣୀ ଗୀତା ମେହେଟ୍ଟା ପଠାଇଥିଲେ । ତାଙ୍କୁ କୌଣସି ସରକାରୀ କ୍ୱାର୍ଟର ଆବଂଟନ ହୋଇନି କିମ୍ବା ତାଙ୍କର ଗସ୍ତ ଖର୍ଚ୍ଚ ଓଡ଼ିଶା ସରକାର ଦେଉନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଧାନସଭା ସଚିବାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ୨୨ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ଗୃହ ମୋଟ ୭ଦିନ ବସିଛି । ଏହି ଅଧିବେଶନରେ ମୋଟ ୧୩ଟି ବିଲ୍ ପାରିତ ହୋଇଛି । ଆପାର୍ଟମେଂଟ ମାଲିକାନା ବିଲଠୁ ଆରମ୍ଭ କରି ଜମି ଅଧିଗ୍ରହଣ ବିଲ୍ ପର୍ଯ୍ୟନ୍ତ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଚଳିତ ଅଧିବେଶନରେ ପାରିତ ହୋଇଛି । ୪ଟି ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇଛି । ତେବେ ଗୃହରେ କୌଣସି ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇପାରିନି କି ଶୂନ୍ୟକାଳ ସମ୍ପୂର୍ଣ୍ଣ ଚାଲିପାରିନି । ଚଳିତ ଅଧିବେଶନ ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବାଚସ୍ପତିଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା । ପ୍ରମିଳା ମଲ୍ଲିକ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗିବା ଅଭିଯୋଗରେ ଦୁଇଜଣ ବିଜେପି ବିଧାୟକ ମୋହନ ଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବନ ହେବାକୁ ପଡ଼ିଥିଲା । ଗୃହ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ କାର୍ଯ୍ୟସୂଚୀ ଥିଲା । ତେବେ ଦିନକ ପୂର୍ବରୁ ଗୃହକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।
ବିଧାନସଭାର ମୌସୁମୀ ଅଧିବେଶନକୁ ଶାସକ ଦଳ ସମ୍ପୂର୍ଣ୍ଣ ଭାବେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲା । ନିଜ ବ୍ୟକ୍ତିଗତ ସଚିବଙ୍କ ସପକ୍ଷରେ ସ୍ପଷ୍ଟୀକରଣ ରଖିବା ଓ ବିରୋଧୀଙ୍କୁ ସମାଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଧାନସଭାକୁ ବାଛିଥିଲେ । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିରୋଧୀଙ୍କୁ ଶାଣିତ ସମାଲୋଚନା କରିଥିବାବେଳେ ଶାସକ ଦଳର ସଭ୍ୟମାନେ ମଧ୍ୟ ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିବାକୁ ପଛାଇ ନଥିଲା । ବିରୋଧୀ ଦଳ ସଭ୍ୟମାନେ ନିଜର କଥା ରଖିବାକୁ ସୁଯୋଗ ମଧ୍ୟ ପାଉନଥିବା ଅଭିଯୋଗ କରିଥିଲେ । ଯେଉଁଥିପାଇଁ ବିରୋଧୀ ସଦସ୍ୟ ବିଧାନସଭାରେ ଶକ୍ତିହୀନ ହୋଇପଡ଼ିଥିଲେ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସରକାର ନିଜର ବିଲ୍ ପାରିତ କରିବା ସହ ବିଭିନ୍ନ କମିଟି ରିପୋର୍ଟ ଉପସ୍ଥାପନ କରିବାରେ ସକ୍ଷମ ହୋଇଥିଲେ ।
ଅନ୍ୟପକ୍ଷରେ ଗୃହକୁ ଆଜି ବନ୍ଦ କରିଦିଆଯିବାକୁ ନେଇ ବିରୋଧୀ ଦଳ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି ଯେ, ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟରେ ଗୃହକୁ ବନ୍ଦ କରିଦେଇଛନ୍ତି । ଏହି ବିଧାନସଭାରେ ଯାହା ସବୁ ଆଲୋଚନା ହେବା କଥା ତାହା ହେଲାନି । ବିରୋଧୀ ଦଳ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲା, କିନ୍ତୁ ସେସବୁ ଶୁଣିଲେ ନାହିଁ । ଅଗଣତାନ୍ତ୍ରିକ ଭାବେ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବନ କରାଗଲା । ଗୃହରେ କିଛି ଆଲୋଚନା କରିବାର ସୁଯୋଗ ଦିଆଗଲାନି । ହଜାର ହଜାର ଶିକ୍ଷକ, ଡାକ୍ତର, ସରପଂଚ, ଆଶାକର୍ମୀ, ଗାଁ ସାଥୀ, ଅଙ୍ଗନୱାଡ଼ି ଓ ପାଚିକା ଆଦିଙ୍କ ସମ୍ପର୍କରେ ଆଲୋଚନା ହୋଇପାରିଲାନି । ଗଣତନ୍ତ୍ରକୁ ଆଖିଠାର ମାରି ବିଧାନସଭାକୁ ବନ୍ଦ କରିଦିଆଗଲା । ସର୍ବଦଳୀୟ ବୈଠକରେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ନିଷ୍ପତ୍ତି ନିଆଯିବା ସତ୍ତ୍ୱେ ଶାସକ ଦଳ ଗୃହକୁ ଅଚଳ କରିଦେଲା । ଏଭଳି ଅଗଣତାନ୍ତ୍ରିକ କାର୍ଯ୍ୟରେ ବିଜେଡି ସମ୍ପୃକ୍ତ ଥିବାରୁ ଏହାକୁ ନିନ୍ଦା କରୁଛୁ । ଏ ଦଳକୁ କିଏ, ସରକାରକୁ କିଏ ବିଧାନସଭାକୁ କିଏ ଚଳାଉଛି ତାହା ସବୁଠୁ ବଡ଼ ପ୍ରଶ୍ନ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଆଜି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଅନୁରୂପ ଅଚଳାବସ୍ଥା ଲାଗି ରହିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତି ପ୍ରମିଳା ମଲ୍ଲିକ ଗତ ୨୮ତାରିଖ ଦିନରେ ଶାସକ ଦଳ ବିଧାୟକ ଅରୁଣ ସାହୁଙ୍କ ଦ୍ୱାରା ବିରୋଧୀ ଦଳର ଦୁଇ ବରିଷ୍ଠ ନେତାଙ୍କୁ ଆକ୍ଷେପ କରି କହିଥିବା ‘ମେଂଟାଲ ଡିସଅର୍ଡର’ ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବାଚସ୍ପତିଙ୍କ ଏହି ନିର୍ଦ୍ଦେଶ ପରେ ବି ଗୃହ ସ୍ୱାଭାବିକ ହୋଇନଥିଲା । ବିଜେପି ସଦସ୍ୟମାନେ ନିଜର ବିରୋଧ ଜାରି ରଖିଥିଲେ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବାଚସ୍ପତିଙ୍କୁ ଅନୁରୋଧ କରି କହିଥିଲେ ଯେ, ନିଲମ୍ବିତ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଃସର୍ତ୍ତ ଭାବେ ନିଲମ୍ବନ ପ୍ରତ୍ୟାହାର କରାଯାଉ । ସେମାନେ ଗୃହରେ କ’ଣ କହିବେ, ତାଙ୍କ ବିବେକ ଉପରେ ଛାଡ଼ି ଦିଆଯାଉ । ଗୃହକୁ ସୁରୁଖୁରୁରେ ବାଚସ୍ପତି ଚଳାନ୍ତୁ, ସହଯୋଗ କରିବାକୁ ବିରୋଧୀ ଦଳ ପ୍ରସ୍ତୁତ ଅଛି ବୋଲି ଶ୍ରୀ ମିଶ୍ର କହିଥିଲେ । ବାଚସ୍ପତି ଶ୍ରୀମତୀ ମଲ୍ଲିକ ଏହି ପ୍ରସ୍ତାବକୁ ବିଚାର କରିବେ ବୋଲି କହିଥିଲେ । ତେବେ ଗୃହ ଠିକରେ ଚାଲୁନଥିବା ଅଭିଯୋଗ କରି କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ବିଜେପି ବିଧାୟକମାନଙ୍କ ହଟ୍ଟଗୋଳ ଓ କଂଗ୍ରେସର କକ୍ଷତ୍ୟାଗ ଯୋଗୁ ଗୃହକୁ ବାଚସ୍ପତି ପୁଣିଥରେ ୨୦ମିନିଟ୍ ପାଇଁ ମୁଲତବୀ ଘୋଷଣା କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଗୃହ ୪ଟା ୯ରୁ ଏକଘଣ୍ଟା ଓ ପରେ ୧୫ମିନିଟ୍ ମୁଲତବୀ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ବିରୋଧୀ ଦଳ ନେତାଙ୍କ ପ୍ରତି ଶାସକ ବିଧାୟକ ଶ୍ରୀ ସାହୁ ‘ମାନସିକ ସ୍ୱାସ୍ଥ୍ୟ’ ଠିକ୍ ନାହିଁ ବୋଲି କହିବାକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଏପରିକି ବିଜେପି ଏହି ଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ଜିଦ୍ କରିଥିଲେ ମଧ୍ୟ ବାଚସ୍ପତି ସେଥିପ୍ରତି କର୍ଣ୍ଣପାତ ନକରିବାରୁ ବିଜେପି ସଦସ୍ୟମାନେ ଭିନ୍ନ ଢଙ୍ଗରେ ପ୍ରତିବାଦ କରି ବାଚସ୍ପତିଙ୍କ ପୋଡ଼ିୟମକୁ ଡାଲି ଫିଙ୍ଗିଥିଲେ । ଯେଉଁଥିପାଇଁ ୨୮ତାରିଖରେ ବିଜେପିର ଦୁଇ ବିଧାୟକ ମୋହନଚରଣ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ବାଚସ୍ପତି ଚଳିତ ଅଧିବେଶନର ବାକି କାର୍ଯ୍ୟଦିବସ ନିମନ୍ତେ ନିଲମ୍ବନ ଘୋଷଣା କରିଥିଲେ । ଉକ୍ତ ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବି କରି ବିଜେପି ସଦସ୍ୟମାନେ ଆଜି ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ଗୃହ ବାହାରେ ଶାସକ ଦଳ ବିଧାୟକ ଅରୁଣ ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ‘ମେଂଟାଲ ଡିସଅର୍ଡର’ ରହିଛି ବୋଲି ସିଧାସଳଖ ଆକ୍ଷେପ କରିଥିଲେ । ଯାହାକୁ ବିରୋଧ କରି ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରାଯାଇଥିଲା।
ଆଜି ବିଧାନସଭାରେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ଯେ, ରାଜ୍ୟରେ ନୂଆ ଜିଲ୍ଲା ଗଠନ ପାଇଁ ବିଭିନ୍ନ ଭାଗରୁ ଏକାଧିକ ଦାବି ପତ୍ରଗୁଡ଼ିକ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ମିଳିଛି । ଚଳିତ ୨୦୨୩-୨୪ ବର୍ଷରେ ରାଜ୍ୟରେ ନୂଆ ରାଜସ୍ୱ ଜିଲ୍ଲା ଘୋଷଣା ପାଇଁ ବିଭିନ୍ନ ଦାବିପତ୍ରଗୁଡ଼ିକ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି । ପଦ୍ମପୁର ସମେତ ମୋଟ ୨୬ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବିପତ୍ର ମିଳିଛି ସେଥିରେ ସର୍ବାଧିକ ୪ଟି ଗଞ୍ଜାମ ଜିଲ୍ଲାରୁ ଆସିଥିବାବେଳେ ମୟୂରଭଞ୍ଜ ଓ ଅନୁଗୁଳ ଜିଲ୍ଲାରୁ ୩ଟି ଲେଖାଏଁ, ସୁନ୍ଦରଗଡ଼, ବଲାଙ୍ଗିର, କଳାହାଣ୍ଡି, ବାଲେଶ୍ୱର ଓ କଟକରେ ୨ଟି ଲେଖାଏଁ ନୂଆ ଜିଲ୍ଲା ଗଠନ ପାଇଁ ଦାବି ହୋଇଛି ।
ମନ୍ତ୍ରୀ ଶ୍ରୀ ମାର୍ଣ୍ଡିର୍ ଏହି ନୂଆ ଜିଲ୍ଲା ଗଠନ ପାଇଁ ଆସିଥିବା ଦାବିଗୁଡ଼ିକ ମଧ୍ୟରେ ବରଗଡ଼ ଜିଲ୍ଲାର ପଦ୍ମପୁର, ଗଞ୍ଜାମ ଜିଲ୍ଲାର ଘୁମୁସର, ଋଷିକୁଲ୍ୟା(ଆସିକା), ବ୍ରହ୍ମପୁର ଓ ଭଞ୍ଜନଗର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼, ମୟୂରଭଞ୍ଜ ଜିଲ୍ଲାର ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର ଓ ଖିଚିଂ, ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଓ ରାଉରକେଲା, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ଓ କଣ୍ଟାବାଞ୍ଜି, ଅନୁଗୁଳ ଜିଲ୍ଲାର ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, କଟକ ଜିଲ୍ଲାରୁ ଆଠଗଡ଼ ଓ ଚଣ୍ଡିଖୋଲ, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ସୋରୋ ଏବଂ ରାୟଗଡ଼ା ଜିଲ୍ଲାର ଗୁଣୁପୁରକୁ ନୂଆ ଜିଲ୍ଲାର ମାନ୍ୟତା ଦେବା ପାଇଁ ଦାବିପତ୍ର ରାଜସ୍ୱ ବିଭାଗକୁ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡିର୍ ସୂଚନା ଦେଇଛନ୍ତି । ଓଡ଼ିଶା ରାଜସ୍ୱ ପ୍ରଶାସନ(ୟୁନିଟ) ଆକ୍ଟ-୧୯୬୩ ଓ ସମସ୍ତ ମାନଦଣ୍ଡକୁ ବିଚାରକୁ ନେଇ ତଥା ପ୍ରଚଳିତ ନୀତିନିୟମ ଆଧାରରେ ଉପଯୁକ୍ତ ସମୟରେ ନୂଆ ଜିଲ୍ଲା ଗଠନ କରିବା ପାଇଁ ଆସିଥିବା ଦାବି ଉପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି ।
ତେବେ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କଳାହାଣ୍ଡି ଜିଲ୍ଲାରୁ କେବଳ ଧର୍ମଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଥିବା କହିଥିବାବେଳେ ଶ୍ରୀ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ରୁ ଜିଲ୍ଲା ଗଠନ ଦାବିପତ୍ର ମିଳିଥିବା ଦର୍ଶାଇଛନ୍ତି । ସେହିପରି ରାଉରକେଲାକୁ ନୂଆ ଜିଲ୍ଲା ଗଠନ ଦାବି ସପକ୍ଷ ଓ ବିରୋଧରେ ମିଳିଛି ବୋଲି ସେ କହିଛନ୍ତି ।
ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ରାଜ୍ୟରେ ଜିଲ୍ଲା ପୁନର୍ଗଠନ କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି । ଯଦିଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନବେଳେ ପଦ୍ମପୁରକୁ ରାଜ୍ୟର ୩୧ତମ ଜିଲ୍ଲା ମାନ୍ୟତା ୨୦୨୩ ଡିସେମ୍ବର ସୁଦ୍ଧା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ସହ କ୍ୟାବିନେଟରେ ମଧ୍ୟ ପ୍ରସ୍ତାବ ପାରିତ କରାଇଥିଲେ ।
ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସର୍ବାଧିକ ୪ଟି ନୂତନ ଜିଲ୍ଲା ଦାବି ଗଂଜାମ ଜିଲ୍ଲାରୁ ଆସିଛି। ମୟୂରଭଞ୍ଜରୁ ୩, ସୁନ୍ଦରଗଡ଼, ବାଲେଶ୍ୱର ଓ କଟକରୁ ୨ଟି ଲେଖାଏଁ ଜିଲ୍ଲା ଗଠନ ପାଇଁ ଦାବି ଆସିଛି।
ଘୁମୁସର, ଋଷିକୂଲ୍ୟା, ବ୍ରହ୍ମପୁର ଓ ଭଂଜନଗର ଜିଲ୍ଲା ଗଠନ କରିବାକୁ ଗଞ୍ଜାମ ଜିଲ୍ଲାରୁ ଦାବିପତ୍ର ପାଇଛନ୍ତି ସରକାର। ସେହିଭଳି ପଶ୍ଚିମ ମୟୂରଭଂଜ, ରାଇରଙ୍ଗପୁର ଓ ଖିଚିଂ ଜିଲ୍ଲା ଗଠନ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଦାବିପତ୍ର।
ବଣାଇ, ରାଉରକେଲା, ଚଣ୍ଡିଖୋଲ, ଆଠଗଡ଼, ପଦ୍ମପୁର, ଧର୍ମଗଡ଼, ଟିଟିଲାଗଡ଼, କଣ୍ଟାବାଞ୍ଜି, ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଭୁବନେଶ୍ୱର, କୁଚିଣ୍ଡା, ବାଲିଗୁଡ଼ା, ଆନନ୍ଦପୁର, ନୀଳଗିରି, ସୋର ଓ ଗୁଣପୁରକୁ ଜିଲ୍ଲା କରିବା ପାଇଁ ଦାବି ହୋଇଛି। ପାଇଁ ଦାବି
ମୋଟ ୧୪ ଜିଲ୍ଲାରୁ ୨୫ଟି ନୂଆ ଜିଲ୍ଲା ଗଠନ ଲାଗି ଦାବିପତ୍ର ଆସିଥିବା ବେଳେ ରାଜ୍ୟ ସରକାର ଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି।
ଗୃହ ମଧ୍ୟଭାଗରେ ପ୍ରଥମେ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ। ତା’ପରେ ପଲିଥିନରେ ଆଣିଥିବା ଡାଲି ଦେଖାଇ ପୋଡିୟମକୁ ଫିଙ୍ଗିଥିଲେ।
ଦୁଇ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଉଭୟଙ୍କ ଆଚରଣରେ କ୍ଷୁବ୍ଧ ହୋଇ ଗୃହ ଏଭଳି ନିଷ୍ପତ୍ତି ନେଇଛି। ସମ୍ବିଧାନ ବିଧି ଅନୁସାରେ ଓ ଗୃହର ମତ ନେଇ ସସ୍ପେଣ୍ଡ କରାଯାଇଛି।
ସେପଟେ ମୋହନ ମାଝୀ କହିଛନ୍ତି, ବିନା ଦୋଷରେ ସସ୍ପେଣ୍ଡ କରାଯାଇଛି। ମୁଁ ଡାଲି ଫୋପାଡ଼ିନି କି ଉପହାର ମଧ୍ୟ ଦେଇନି। ଏ ନିଷ୍ପତ୍ତି ନିନ୍ଦନୀୟ। ଏହାର ଘୋର ପ୍ରତିବାଦ କରିବୁ।
ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ଡାଲି ଏକ ସିମ୍ବଲ। ବିରୋଧୀ ଦଳ ନେତାଙ୍କୁ ମନ୍ତବ୍ୟ ଦେବାକୁ ସୁଯୋଗ ଦିଆଯାଉନି। ତେଣୁ ଆମେ ଏହାର ପ୍ରତିବାଦ କରିଥିଲୁ। ସେ ଡାଲି ଭଲ ପାଉଥିବାରୁ ତାଙ୍କୁ ଡାଲି ଉପହାର ଦେଉଥିଲୁ। ବାଚସ୍ପତି ନିର୍ଦ୍ଦଳୀୟ ନିଷ୍ପତ୍ତି ନେବା କଥା। କିନ୍ତୁ ସେ ସେମିତି କରୁନାହାନ୍ତି। ସେ ନିରପେକ୍ଷ ହେଉ ନଥିବାରୁ ପ୍ରତିବାଦରେ ଡାଲି ଉପହାର ଦେଉଥିଲୁ। ତାଙ୍କ ପ୍ରତି ଆମର ଅସମ୍ମାନ ନାହିଁ। ତାଙ୍କୁ ଡାଲି ଉପହାର ଦେଉଥିଲୁ।
ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତାଙ୍କୁ ସେମାନେ ମେଣ୍ଟାଲ ଡିଜ୍ଅର୍ଡର କହିଲେ। ଏହାକୁ ବିବରଣୀରୁ ବାଦ୍ ଦେବାକୁ କହିଲୁ, କିନ୍ତୁ ବାଚସ୍ପତି ଗ୍ରହଣ କଲେନି। ବାଚସ୍ପତି ନିରପେକ୍ଷ ନୁହନ୍ତି। ତାଙ୍କ ନିରପେକ୍ଷତା ଆମେ ଦେଖିପାରୁନୁ। ବାଚସ୍ପତି ଦଳର କର୍ମକର୍ତ୍ତା ଭଳି ଆଚରଣ କରୁଛନ୍ତି। ବାଚସ୍ପତି ନିଜେ ସସ୍ପେଣ୍ଡ ହେବା କଥା, ସେ କ’ଣ ସସ୍ପେଣ୍ଡ କରୁଛନ୍ତି। ଏ ସସ୍ପେଣ୍ଡକୁ ଆମେ ଭ୍ରୁକ୍ଷେପ କରୁନୁ। ଆମ ପ୍ରତିବାଦ ଜାରି ରହିବ।
ଗତକାଲି ଗୃହରେ ଆଗତ ହୋଇଥିବା ଏହି ଆପାର୍ଟମେଂଟ ମାଲିକାନା ଓ ପରିଚାଳନା ବିଲ ଆଜି ବିଧାନସଭାରେ ପାରିତ କରାଯାଇଛି । ଏକ ବ୍ୟକ୍ତିଗତ ଆପାର୍ଟମେଂଟର ମାଲିକାନା ପାଇଁ ବ୍ୟବସ୍ଥା କରିବା ଉଦ୍ଦେଶ୍ୟରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨ର ପ୍ରଣୟନ କରାଯାଇଥିଲା । ଏହା ୧୯୮୪ ମେ’ ୧ରୁ ଲାଗୁ ହୋଇଥିଲା ଓ ତଦନୁସାରେ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ-୧୯୯୨ ବିଜ୍ଞାପିତ ହୋଇଥିଲା । କିନ୍ତୁ ଓଡ଼ିଶା ରିଏଲ ଇଷ୍ଟେଟ୍ ଆଇନ-୨୦୧୬ କାର୍ଯ୍ୟକାରୀ ହେବାପରେ କିଛି ବ୍ୟବସ୍ଥାଗତ ତ୍ରୁଟି ପରେ ଏଥିରେ ସଂଶୋଧନ କରାଯାଇଛି । ଆଜି ପାରିତ ହୋଇଥିବା ଆପାର୍ଟମେଣ୍ଟ ବିଲରେ ମାଲିକମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ରୂପେ ରକ୍ଷା କରିବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।
ଆପାର୍ଟମେଂଟର ।ଧାରଣ ବ୍ୟୟ ନିମନ୍ତେ ଆବଂଟନଗ୍ରାହୀଙ୍କ ଏକ ସଂଘ ପାଣ୍ଠି ସୃଷ୍ଟି କରିବା, ଆପାର୍ଟମେଂଟର ସାଧାରଣ କ୍ଷେତ୍ର ବ୍ୟବହାରକୁ ନିୟନ୍ତ୍ରଣ କରିବା, ଆବଣ୍ଟନଗ୍ରାହୀଙ୍କ ସଂଘ ନାଁରେ ସାଧାରଣ କ୍ଷେତ୍ରର ପଞ୍ଜିକରଣ ସମ୍ବନ୍ଧୀୟ ଆବଶକୀୟ ବ୍ୟବସ୍ଥା ସୃଷ୍ଟି କରିବା ସହ ପ୍ରତ୍ୟେକ ଆପାର୍ଟମେଂଟ ମାଲିକଙ୍କର ଆପାର୍ଟମେଂଟ ମାଲିକ ସଂଘ ସହିତ ସମ୍ପର୍କ, ଅଧିକାର ଓ ଦାୟିତ୍ୱକୁ ନିର୍ଦ୍ଧାରଣ କରିବା । ଆପର୍ଟମେଂଟ ମାଳିକମାନଙ୍କର ସଂଘ ଗଠନ କରିବା ପାଇଁ ବ୍ୟବସ୍ଥା ସହ ଆପାର୍ଟମେଂଟର ବୀମା ଓ ଏହାର ନିର୍ମାଣଜନିତ ସ୍ଥିରତା ସୁନିଶ୍ଚିତ କରିବାକୁ ବ୍ୟବସ୍ଥା ରହିବ । ଆପାର୍ଟମେଂଟ ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ମଧ୍ୟରେ ପରସ୍ପର ବୁଝାମଣା ଓ ସ୍ୱଚ୍ଛ ବାତାବରଣ ସ୍ଥାପନ କରିବାରେ ଏହା ସହାୟକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଆଜି ବିଧାନସଭାରେ ବିଧାୟକ ଶଙ୍କର ଓରାମ ଓ ନବଚରଣ ମାଝୀଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ୍ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଜନହିତରେ ସୂଚନା, ବିଭିନ୍ନ ଯୋଜନାର ପ୍ରଚାରପ୍ରସାର ବାବଦରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରୁ ବିଗତ ୧୦ବର୍ଷ ମଧ୍ୟରେ ମୋଟ ୨୪୨କୋଟି ୬୭ଲକ୍ଷ ୬୪ହଜାର ୩୭୩ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ସର୍ବାଧିକ ୧୬୫.୦୪କୋଟି ଟଙ୍କା ବିଜ୍ଞାପନ ଆକାରରେ ରାଜ୍ୟ ସରକାରଙ୍କ ଯୋଜନା ଓ ସୂଚନାର ପ୍ରଚାର ପ୍ରସାରବାବଦରେ ବିଭିନ୍ନ ଖବରକାଗଜ ସଂସ୍ଥାକୁ ଦିଆଯାଇଛି । ସେହିପରି ବୈଦ୍ୟୁତିକ ଗଣମାଧ୍ୟମକୁ ୪୦.୬୪କୋଟି ଟଙ୍କାର ବିଜ୍ଞାପନ ବଂଟନ କରାଯାଇଛି । ସରକାରଙ୍କ ନିଜସ୍ୱ ପ୍ରଚାର ପୁସ୍ତିକ ‘ଆଇନା’ ଛାପିବା ଓ ବଂଟନ ପାଇଁ ୨୬.୬୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ସରକାରଙ୍କ ସଫଳତାର ସନ୍ଦେଶ ଥିବା ହୋର୍ଡିଂ ଲଗାଇବାରେ ୩.୨୫କୋଟି ଟଙ୍କା ଏବଂ ଲୋକକଳା ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ପ୍ରଚାରପ୍ରସାରରେ ୭.୦୯କୋଟି ଟଙ୍କା ଖର୍ଚ୍ଚ କେବଳ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ହୋଇଛି ।
ଏହି ଖର୍ଚ୍ଚକୁ ବାଦ୍ ଦେଲେ ଅନ୍ୟ ବିଭାଗଗୁଡ଼ିକ ନିଜସ୍ୱ ଯୋଜନାର ସଫଳତା ସଂକ୍ରାନ୍ତ ବିଜ୍ଞାପନ ସିଧାସଳଖ ଗଣମାଧ୍ୟମ ସଂସ୍ଥାକୁ ଦେଇଛନ୍ତି । ଯଦିଓ ୨୦୧୯ ମସିହା ପରେ ନବୀନ ପଟ୍ଟନାୟକ ସରକାର ପଂଚମଥର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ସମସ୍ତ ବିଜ୍ଞାପନକୁ ସୂଚନା ଓ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ବଂଟନ କରିଥିଲେ, କିନ୍ତୁ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ବିଭାଗଗୁଡ଼ିକ ନିଜସ୍ୱସ୍ତରରେ ବିଜ୍ଞାପନ ଓ ପ୍ରଚାରପ୍ରସାର ପାଇଁ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିବା ଜଣାପଡ଼ିଛି । ସେସବୁର ତଥ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଅମାତ୍ ଦେଇନାହାନ୍ତି କିମ୍ବା ସେ ସମ୍ପର୍କରେ କିଛି କହିନାହାନ୍ତି ।
ତେବେ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ବିଜ୍ଞାପନ ଦେବାରେ ଦଳୀୟ ଭିତ୍ତିରେ ପାତରଅନ୍ତର ନୀତି ଅନୁସରଣ କରାଯାଉଥିବା ଅଭିଯୋଗ ସତ ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି । ଆଉ ଏବେ ରାଜ୍ୟର ଯେଉଁ ଦୁଇଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ସରକାର ଦୀର୍ଘଦିନ ଧରି ବିଜ୍ଞାପନ ବନ୍ଦ କରିଛନ୍ତି ସେସମ୍ପର୍କରେ ନିରବ ରହିଛନ୍ତି । ମନ୍ତ୍ରୀ ଶ୍ରୀ ଅମାତ୍ କହିଛନ୍ତି ଯେ, ସମ୍ବାଦପତ୍ରଗୁଡ଼ିକରେ ବିଜ୍ଞାପନର ଗୁରୁତ୍ୱ, ଆବଶ୍ୟକତା ଓ ଖବରକାଗଜର ପ୍ରସାରଣକୁ ଦୃଷ୍ଟିରେ ରଖି ବିଜ୍ଞାପନ ଦିଆଯାଇଥାଏ । ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାପନ ନୀତି-୧୯୯୮ ପ୍ରଣୟନ କରାଯାଇଛି । ବିଜ୍ଞାପନ ଦେବା ପାଇଁ ନୂଆ ନୀତି ପ୍ରଣୟନ କରିବାର କୌଣସି ଯୋଜନା ସରକାରଙ୍କ ନାହିଁ ବୋଲି କହିବା ସହ ୨୦୧୯ରୁ ଏପର୍ଯ୍ୟନ୍ତ ସର୍ବାଧିକ ବିଜ୍ଞାପନ ‘ସମାଜ’ ଓ ‘ଦୂରଦର୍ଶନ’ ଏବଂ ‘କଟକ ଆକାଶବାଣୀ’କୁ ଦିଆଯାଇଥିବା କହିଛନ୍ତି ।
ତେବେ ଦୀର୍ଘଦିନ ଧରି ରାଜ୍ୟର ୨ଟି ପ୍ରମୁଖ ଗଣମାଧ୍ୟମ ସଂସ୍ଥାକୁ ରାଜ୍ୟ ସରକାର କେଉଁ ନୀତି ଅବଲମ୍ବନ କରି ବିଜ୍ଞାପନ ବନ୍ଦ କରିଛନ୍ତି ତାହା ଜଣାପଡ଼ିନି ।
ରାଜ୍ୟର ଅର୍ଥନୀତି ବେଶ୍ ସୁଦୃଢ଼ ଥିବା ନେଇ ଗୋଲାପୀ ଚିତ୍ର ଦେଉଥିବା ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟବାବଦରେ ମାତ୍ର ୬୦,୫୧୭ କୋଟି ଟଙ୍କା (୨୬.୩୧%) ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି । ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ୨୦୨୪ ଫେବୃୟାରୀ ଶେଷ ସୁଦ୍ଧା ରାଜ୍ୟରେ ନିର୍ବାଚନୀ ଆଚରଣ ବିଧି ଲାଗିବ, ଯାହାଫଳରେ ମାର୍ଚ୍ଚ ମାସରେ ବିକାଶମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ସମ୍ଭବପର ହେବନି ବୋଲି ଜାଣିସୁଦ୍ଧା କେବଳ ସାଧାରଣ ଲୋକଙ୍କୁ ଭେଳିକି ଦେଖାଇବା ପାଇଁ ସରକାର ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ବ୍ୟୟବରାଦ କରିଥିବା ଚର୍ଚ୍ଚା ହେଉଛି । ୨୦୨୩-୨୪ ଆର୍ଥିକ ବର୍ଷର ମୂଳବଜେଟରେ ୨.୩୦ଲକ୍ଷ କୋଟି ଟଙ୍କାର ବ୍ୟୟବରାଦରୁ ମାତ୍ର ୬୦୫୧୭କୋଟି ଟଙ୍କା ଖର୍ଚ୍ଚ କରିଥିବା ସରକାର ଆଉ ମାତ୍ର ୫ମାସ ମଧ୍ୟରେ ଆଉ ପ୍ରାୟ ୨ଲକ୍ଷ କୋଟି ଟଙ୍କା(ଅତିରିକ୍ତ ବଜେଟ ବ୍ୟୟବରାଦକୁ ମିଶାଇ)କୁ କିଭଳି ଖର୍ଚ୍ଚ କରିବେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ‘ପିପୁଲ୍ସ ଗାଇଡ୍ ସପ୍ଲିମେଣ୍ଟାରୀ ବଜେଟ୍ ୨୦୨୩-୨୪’ର ତଥ୍ୟ ଅନୁସାରେ, ୨୦୨୩ ଅଗଷ୍ଟ ମାସ ଶେଷ ସୁଦ୍ଧା ଉଭୟ ପ୍ରଶାସନିକ ଓ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ମୋଟ ୬୦୫୧୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯାହାକି ଗତ ଆର୍ଥିକ ବର୍ଷ ତୁଳନାରେ ଅଧିକ । ଅଗଷ୍ଟ ଶେଷ ସୁଦ୍ଧା କାର୍ଯ୍ୟକ୍ରମ ଖର୍ଚ୍ଚବାବଦରେ ୩୪୩୦୩କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯଦିଓ ସରକାର ମୂଳ ବଜେଟରେ ଆକଳନ କରିଥିବା ଟିକସ ସଂଗ୍ରହ କରିବାରେ ସରକାର ସକ୍ଷମ ହୋଇଛନ୍ତି, କିନ୍ତୁ ବଜେଟ ଅର୍ଥକୁ ଖର୍ଚ୍ଚ କରିବାରେ ଆଖିଦୃଶିଆ ସଫଳତା ପାଇନାହାନ୍ତି । ଚଳିତ ବର୍ଷ ବଜେଟରେ ନିଜସ୍ୱ ଟିକସ ରାଜସ୍ୱ ବାବଦରେ ୫୩ହଜାର କୋଟି ଟଙ୍କା ଆକଳନ କରିଥିବା ସରକାର ସେଥିରୁ ୩୮ ପ୍ରତିଶତ ଅର୍ଥାତ୍ ୨୦୧୩୧କୋଟି ଟଙ୍କା ସଂଗ୍ରହ କରିଛନ୍ତି । ସେହିପରି ଅଣଟିକସ ରାଜସ୍ୱରେ ୫୨୫୦୦କୋଟି ଟଙ୍କା ଆକଳନ କରିଥିବା ସରକାର ୨୧୧୦୦କୋଟି (୪୦.୨%) ସଂଗ୍ରହ କରିଛନ୍ତି । ଅର୍ଥାତ୍ ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱବାବଦରେ ମୋଟ ୧୦୫୫୦୦କୋଟି ଟଙ୍କା ମଧ୍ୟରୁ ଅଗଷ୍ଟ ଶେଷସୁଦ୍ଧା ୪୧୨୩୧କୋଟି(୩୯%) ଟିକସ ସଂଗ୍ରହ ହୋଇପାରିଛି । ଏହାବାଦ୍ କେନ୍ଦ୍ର ସରକାରରୁ ଅନୁଦାନ,ଅଂଶଧନ ଓ ଟିକସରେ ଭାଗିଦାର ବାବଦରେ ମୋଟ ଆକଳନର ୨୯.୮% ଅର୍ଥାତ୍ ୨୩୫୩୫କୋଟି ଟଙ୍କା ମିଳିଛି ।
ଆଜି ବିଧାନସଭାରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଥିବା ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟର ୭୧ ପ୍ରତିଶତ ଅର୍ଥ (୨୦୧୦୦କୋଟି ଟଙ୍କା) କେବଳ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ବ୍ୟୟବରାଦ ହୋଇଛି । ଏଥିରେ ୧୦୬୮୪କୋଟି ଟଙ୍କା(୫୩%) ସାମାଜିକ କ୍ଷେତ୍ର, ୮୪୭୩କୋଟି ଟଙ୍କା(୪୨%) ଆର୍ଥିକ କ୍ଷେତ୍ର ଓ ବାକି ୯୪୩କୋଟି ଟଙ୍କା(୫%) ସାଧାରଣ ସେବା କ୍ଷେତ୍ରରେ ବ୍ୟୟବରାଦ ହୋଇଛି । ତେଣୁ କାର୍ଯ୍ୟକ୍ରମ ଖର୍ଚ୍ଚବାବଦ ବ୍ୟୟବରାଦରୁ ୯୫ ପ୍ରତିଶତ ଅର୍ଥ(୧୯୧୫୭କୋଟି ଟଙ୍କା)କୁ ସରକାର ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ତେବେ ପ୍ରଶ୍ନ ଉଠୁଛି, ଚଳିତ ଆର୍ଥିକ ବର୍ଷ ପାଇଁ ୨.୩୦ଲକ୍ଷ କୋଟି ଟଙ୍କାର ମୂଳ ବଜେଟରୁ ମାତ୍ର ୬୦୫୧୭କୋଟି ଟଙ୍କାକୁ ୫ମାସ ମଧ୍ୟରେ ଖର୍ଚ୍ଚ କରି ପାରିଥିବା ସରକାର ପୁଣିଥରେ ୨୮୨୦୦କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଆଣିବାର ଆବଶ୍ୟକତା କ’ଣ ଥିଲା । ଯଦିଓ ସରକାର ସଫେଇ ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଅଧୀନରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା, ପ୍ରଚଳିତ କେନ୍ଦ୍ର ଯୋଜନା ଓ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ପାଇଁ ଅତିରିକ୍ତ ବ୍ୟୟବରାଦ ଏବଂ ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ଅର୍ଥର ଭରଣା ନିମନ୍ତେ ଏହି ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି । ତେବେ ଏଫଆରବିଏମ୍ ଆକ୍ଟ ଲାଗୁ ଥିବା ସତ୍ତ୍ୱେ ବଜେଟ୍ ଅର୍ଥ ୫ମାସ ପରେ ବି ୩୦ ପ୍ରତିଶତ ଖର୍ଚ୍ଚ ହୋଇ ନପାରିବା ସରକାରଙ୍କ ଦୁର୍ବଳ ଆର୍ଥିକ ନୀତିକୁ ପଦାରେ ପକାଇଛି । ଅବଶ୍ୟ ଓଡ଼ିଶା ଅର୍ଥନୀତିର ଗୋଲାପୀ ଚିତ୍ରକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପିତ କରି ସରକାର ଏସବୁ ତ୍ରୁଟି ଓ ଦୁର୍ବଳତାକୁ ଲୁଚାଇବାରେ ସକ୍ଷମ ହେଉଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।
ଆଜି ବିଜେପି ବିଧାୟକ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସରକାରୀ ବାସଭବନରେ ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ବିଧାୟକମାନଙ୍କ ବୈଠକ ସମ୍ପର୍କରେ ସୂଚନା ଦେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ରାଜ୍ୟ ସରକାର ଜାଣିଶୁଣି ବିଳମ୍ବ କରି ସେପ୍ଟେମ୍ବର ମାସ ଶେଷରେ ମୌସୁମୀ ଅଧିବେଶନ ଡାକିଛନ୍ତି । ସମସ୍ୟା ଘେରରେ ଥିବା ରାଜ୍ୟ ସରକାର ବିରୋଧୀଙ୍କୁ ସାମ୍ନା କରିବାର ନୈତିକ ସାହସ ହରାଇଛନ୍ତିି ଏବଂ ଚଂଚକତା କରି ବହୁ ବିଳମ୍ବରେ ସ୍ୱଳ୍ପକାଳୀନ ଅଧିବେଶନ ଅନୁଷ୍ଠିତ କରୁଛନ୍ତି । ସରକାରୀ ଟଙ୍କାରେ ଫାଇଭ-ଟି ସଚିବ ଜିଲ୍ଲା ଗସ୍ତ କରି ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ବିଜେଡି ସରକାର ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିସାରିଲେଣି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ । ରାଜ୍ୟ ସରକାର ଶିକ୍ଷା, ବେକାରୀ ଓ ବେରୋଜଗାର, କୃଷି, ଜଳସେଚନ, ଦାଦନ ଓ ସ୍ୱାସ୍ଥ୍ୟ ସମେତ ସମସ୍ତ କ୍ଷେତ୍ରରେ ବିଫଳ ହୋଇଛନ୍ତିିା ଦାରିଦ୍ର୍ୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ନମ୍ବରରେ ରହିଛି । କିନ୍ତୁ ୨୩ବର୍ଷ ଶାସନରେ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ମିଥ୍ୟା ସ୍ୱପ୍ନ ଦେଖାଇ ଭଣ୍ଡାଉଛନ୍ତିି ।
ସରକାରୀ ଅର୍ଥକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ନିଜ ସଉକ ପାଇଁ ରାଜ୍ୟବ୍ୟାପୀ ହେଲିକପ୍ଟରରେ ବୁଲିବା, ବିଜେଡିର ଦଳୀୟ କାର୍ଯ୍ୟରେ ବିନିଯୋଗ କରିବା ପ୍ରସଙ୍ଗକୁ ନେଇ ବିଜେପି ବିଧାନସଭାରେ ପ୍ରଶ୍ନ କରିବ । ରାଜ୍ୟରେ ଦୀର୍ଘ ୧୫ଦିନ ହେବ ଶିକ୍ଷକ, ଶିକ୍ଷୟିତ୍ରୀ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଭିତ୍ତିଭୂମି ନାହିଁ, ଶିକ୍ଷକ ନାହାନ୍ତିି ଏବଂ ଶିକ୍ଷକମାନେ ବିଭିନ୍ନ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓଡ଼ିଶାରେ ସରକାର ଅଛନ୍ତି ବୋଲି ରାଜ୍ୟବାସୀ ହୃଦବୋଧ କରୁନାହାନ୍ତିି । ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡରେ ଦାଖଲ ଚାର୍ଜସିଟକୁ ଅଗ୍ରାହ୍ୟ, ଭୁବନେଶ୍ୱର ଉପକଣ୍ଠରେ ଜମି ଦୁର୍ନୀତି, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଜରିଆରେ ପଂଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରିବା, ପଲ୍ଲୀସଭା ଓ ଗ୍ରାମସଭା ନକରାଇବା, କୃଷି-ଘରୋଇ ମାଇକ୍ରୋ ଫାଇନାନ୍ସ ସମେତ ସ୍ମାର୍ଟସିଟି ଭୁବନେଶ୍ୱର ସହରର ବିପର୍ଯ୍ୟସ୍ତ ରାସ୍ତା, ଡ୍ରେନେଜ ଓ ଡେଙ୍ଗୁ ଭଳି ସ୍ୱାସ୍ଥ୍ୟ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ବିଜେପି ନିଶ୍ଚିତ ଭାବେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବୋଲି ଶ୍ରୀ ମାଝୀ କହିଛନ୍ତି । ଆଜି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳର ସବୁ ବିଧାୟକମାନେ ଏହି ବୈଠକରେ ସାମିଲ ହୋଇ ରଣନୀତି ପ୍ରସ୍ତୁତ କରିଥିଲେ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଧାୟକ ସନ୍ତୋଷସିଂ ସାଲୁଜା କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଗୃହରେ ଉତଥାପନ କରାଯିବ । ଶିକ୍ଷକମାନେ ଏବେ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଅଙ୍ଗନବାଡ଼ି ଓ ସରପଂଚଙ୍କ ଦାବି ପ୍ରସଙ୍ଗକୁ ମଧ୍ୟ ଗୃହରେ କଂଗ୍ରେସ ଉଠାଇବ । ଡାକ୍ତରଖାନାରେ ଡାକ୍ତର ନାହାନ୍ତି ଓ ଡାକ୍ତରଖାନା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଇନଶୃଙ୍ଖଳା ରାଜ୍ୟରେ ବିପର୍ଯ୍ୟସ୍ତ ଓ ଦୈନିକ ୭ଟି ଦୁଷ୍କର୍ମ ହେଉଛି । ରାଜ୍ୟରେ ଖଣି ଓ ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗ ସମେତ ଗଣମାଧ୍ୟମକୁ କଣ୍ଠରୋଧ ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସମ୍ପର୍କରେ କଂଗ୍ରେସ ଗୃହରେ ସ୍ୱର ଉତ୍ତୋଳନ କରିବ ବୋଲି ଶ୍ରୀ ସାଲୁଜା କହିଛନ୍ତି । ଏହି ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକ ଉପସ୍ଥିତ ଥିଲେ । ତେବେ କଂଗ୍ରେସରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ ଅନୁପସ୍ଥିତ ରହିଥିଲେ ।
ଅନ୍ୟପକ୍ଷରେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ କହିଛନ୍ତି ଯେ, ବିରୋଧୀ ଦଳ ଯେଉଁ ସବୁ ପ୍ରସଙ୍ଗ ଗୃହରେ ଆଣିବ ସରକାର ତା’ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
ଲୋକସଭାରେ ପ୍ରବଳ ହଙ୍ଗାମା ଓ ନାରାବାଜୀ ଭିତରେ ଦିଲ୍ଲୀ ବିଲ୍କୁ ସରକାର ପାରିତ କରିବାରେ ସକ୍ଷମ ହୋଇଥିଲେ। ଆଜି ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପନ କରାଯାଇଥିଲେ ହେଁ ଏହାକୁ କଂଗ୍ରେସ ଓ ଆପ୍ ପକ୍ଷରୁ ପ୍ରବଳ ବିରୋଧ କରାଯାଇଛି। କଂଗ୍ରେସ ସାଂସଦ ଅଭିଷେକ ମନୁସିଙ୍ଘଭୀ କହିଛନ୍ତି, “ନିୟନ୍ତ୍ରଣ କରିବା ପାଇଁ ବିଜେପି ସବୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛି। ଏହି ବିଲ୍ ଅସାମ୍ବିଧାନିକ। ଏହା ମୂଳତଃ ଅଗଣତାନ୍ତ୍ରିକ ଓ ଆଞ୍ଚଳିକ ସ୍ୱରକୁ ଚାପି ଦେବା ପାଇଁ ଏହି ବିଲ୍ ଅଣାଯାଇଛି।
ଦିଲ୍ଲୀବାସୀଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଏହା ସଙ୍ଘୀୟ ବ୍ୟବସ୍ଥାର ସବୁ ନିୟମକୁ ଉଲ୍ଲଙ୍ଘନ କରୁଛି। ସାଧାରଣ ପ୍ରଶାସନିକ ନିୟମର ସବୁ ଉତ୍ତରାଦାୟିତ୍ୱକୁ ବେଖାତିର କରୁଛି। ବିଧାନସଭା ଭିତ୍ତିକ ଗଣତନ୍ତ୍ରକୁ ମଧ୍ୟ ଏହି ବିଲ୍ ଦ୍ୱାରା ଚାପି ଦିଆଉଛି।”
ପ୍ରଶାସନିକ ସେବାର ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେଇଥିଲେ। ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ୍ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ଆଣିଛନ୍ତି। ଲୋକସଭାରେ ବିଜେପିର ସଂଖ୍ୟା ଥିବାରୁ ବିଲ୍ ସହଜରେ ପାରିତ ହୋଇଥିଲା।
କିନ୍ତୁ ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ବିଲ୍ ପାରିତ କରିବାକୁ ଆବଶ୍ୟକ ସଂଖ୍ୟା ନଥିଲା। କିନ୍ତୁ ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି ଅଣ ଏନଡିଏ ଦଳ ବିଲ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ତେଣୁ ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ଏହି ବିଲ୍ ପାରିତ ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।
ତାଙ୍କୁ ଲୋକସଭା ସଦସ୍ୟ ଭାବେ ମାନ୍ୟତା ମିଳିବା ପରେ ରାହୁଲ ଗାନ୍ଧି ନିଜର ଟ୍ୱିଟର ବାୟୋ(ଏବେ ଏକ୍ସ)କୁ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ସେ ନିଜ ଟ୍ୱିଟର ବାୟୋରେ ଅଯୋଗ୍ୟ ଘୋଷିତ ସାଂସଦ ବୋଲି ଲେଖିଥିଲେ। ହେଲେ ଆଜି ସେ ନିଜକୁ ସଂସଦର ସଦସ୍ୟ ବୋଲି ଉଲ୍ଲେଖ କରିଛନ୍ତି।
ରାହୁଲ ଗାନ୍ଧିଙ୍କ ରିଟର୍ଣ୍ଣସକୁ ନେଇ ବିରୋଧୀ ମେଣ୍ଟ ଇଣ୍ଡିଆରେ ବେଶ ଉତ୍ସାହ ପ୍ରକାଶ ପାଇଛି। ୧୩୫ ଦିନ ତଳେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିଲା। ମୋଦି ସରନେମ ମାମଲାରେ ରାହୁଲଙ୍କୁ ଗୁଜରାଟର ଗୋଟିଏ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।
ଏଥିଯୋଗୁ ତାଙ୍କ ଲୋକସଭା ସଦସ୍ୟତା ପଦକୁ ରଦ୍ଦ କରାଯାଇଥିଲା। ହେଲେ ଶୁକ୍ରବାର ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ଉପର ସୁପ୍ରିମକୋର୍ଟ ରୋକ ଲଗାଇଥିଲେ। ଏହାରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ରାହୁଲ ଗାନ୍ଧିଙ୍କୁ ଲୋକସଭା ସଦସ୍ୟ ପଦ ମିଳିଥିବା ଘୋଷଣା କରାଯାଇଥିଲା।
ଏହି ଘୋଷଣା ପରେ ରାହୁଲ ଠିକ ଦିନ ୧୨ଟାରେ ସଂସଦରେ ପହଞ୍ଚିଥିଲେ। ଏହାପରେ ଲୋକସଭା କାର୍ଯ୍ୟରେ ସେ ଯୋଗ ଦେଇଥିଲେ। କଂଗ୍ରେସ ଓ ବିରୋଧୀ ଦଳଗୁଡ଼ିକ ରାହୁଲଙ୍କ ରିଟର୍ଣ୍ଣସକୁ ନେଇ ମିଠା ବାଣ୍ଟି ଖୁସି ମନାଇଛନ୍ତି। କିନ୍ତୁ ଶାସନ ଗାଦିରେ ବସିଥିବା ବିଜେପି ରାହୁଲଙ୍କ କମବ୍ୟାକ୍କୁ କଟାକ୍ଷ କରିଛି।
ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, “ମନୋରଞ୍ଜନ ଏବେ ପୁଣି ଲୋକସଭାକୁ ଆସି ଯାଇଛି। ଆପଣ ଓ ଆମେ ଏହାର ମଜା ନେବା।” ଲୋକସଭାରେ ମଧ୍ୟ ସାଂସଦ ଦୁବେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଗୋଟିଏ ରିପୋର୍ଟକୁ ଆଧାର କରି ଭାରତରେ ଚାଇନାର ପ୍ରଚାର ପ୍ରସଙ୍ଗ କଥା ଉଠାଇଥିଲେ।
ଏହି ସମୟରେ ସେ ରାହୁଲ ଗାନ୍ଧି ଓ କଂଗ୍ରେସକୁ ଟାର୍ଗେଟ କରିବାକୁ ପଛାଇ ନଥିଲେ। ସେ କହିଥିଲେ, “ଚାଇନିଜ ସାମଗ୍ରୀ ଗୁଡ଼ିକ ରାହୁଲ ଗାନ୍ଧିଙ୍କ ଘୃଣାର ଦୋକାନରେ ବିକ୍ରି କରାଯାଛଛି। ନ୍ୟୁୟର୍କ ଟାଇମ୍ସ ଗୋଟି ଚମତ୍କାର ରିପୋର୍ଟ ପ୍ରକାଶ କରିଛି। ନ୍ୟୁଜକ୍ଲିକ ଭଳି ସଂଗଠନ ପ୍ରାୟ ୩୮ କୋଟି ଟଙ୍କା ପାଇଛନ୍ତି। ଚାଇନାର ସମ୍ପର୍କ କଂଗ୍ରେସ ସହ ରହିଛି। ୨୦୦୫ରୁ ୨୦୧୪ ଯାଏ ଭାରତ ଉପରେ ଯେତେବେଳେ ସଙ୍କଟ ଆସୁଥିଲା ସେତେବେଳେ ଚାଇନା ହିଁ କଂଗ୍ରେସକୁ ଟଙ୍କା ଦେଇଥିଲା।”
ଏହି ବିଲ୍ ଉପରେ ୪ ଘଣ୍ଟା କାଳ ବିତର୍କ ହୋଇଥିଲା। ଶେଷରେ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଦେଇଥିଲେ। ସେ ବିରୋଧୀ ବିଶେଷ କରି ଦିଲ୍ଲୀର କ୍ଷମତାସୀନ ଆପ୍କୁ ସମାଲୋଚନା କରିଥିଲେ। ଏହାପରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଛି। ଏହାକୁ ବିରୋଧ କରି ବିରୋଧୀ ଦଳର ସାଂସଦମାନେ କକ୍ଷ ତ୍ୟାଗ କରିଥିଲେ।
ପ୍ରଶାସନିକ ସେବାର ଅଧିକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହାପରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅଧ୍ୟାଦେଶ ଆଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାତ ଦେଇଥିଲେ। ଏବେ ଉକ୍ତ ଅଧ୍ୟାଦେଶ ବଦଳରେ କେନ୍ଦ୍ର ସରକାର ନ୍ୟାଶନାଲ କ୍ୟାପିଟାଲ୍ ଟେରିଟୋରୀ ଅଫ ଦିଲ୍ଲୀ (ସଂଶୋଧନ) ବିଲ୍ ୨୦୨୩ ଆଣିଥିଲେ।
ଏହି ବିଲ୍ ଗୃହରେ ଉପସ୍ଥାପନ ହେବା ଦିନ ଠାରୁ ବିରୋଧୀ ଏହାକୁ ଅସାମ୍ବିଧାନିକ କହିଥିଲେ। ଗୋଟିଏ ନିର୍ବାଚିତ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏହି ବିଲ୍ ଅଣାଯାଇଥିବା ସେମାନେ ମତ ରଖିଥିଲେ।
ହେଲେ ସରକାର ଏହାର ଓକିଲାତି କରିବା ସହ ଆଜି ଏହାକୁ ଲୋକସଭାରେ ପାରିତ କରିବାର ସକ୍ଷମ ହୋଇଛନ୍ତି। ଏବେ ଏହା ରାଜ୍ୟସଭାରେ ଆଗତ ହେବ। ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ବିଲ୍ ପାରିତ କରିବାକୁ ଆବଶ୍ୟକ ସଂଖ୍ୟା ନଥିଲା।
କିନ୍ତୁ ୱାଇଏସଆର କଂଗ୍ରେସ ଓ ବିଜେଡି ଭଳି ଅଣ ଏନଡିଏ ଦଳ ବିଲ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ତେଣୁ ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ଏହି ବିଲ୍ ପାରିତ ହେବା ଏକ ପ୍ରକାରର ନିଶ୍ଚିତ।
ଆଜି ଲୋକସଭାରେ ଦିଲ୍ଲୀ ବିଲ୍ ପାରିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଜେପି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା ଯେ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦେବ। ହେଲେ ଆଜି ବିଜେପି ଦିଲ୍ଲୀବାସୀଙ୍କୁ ପଛପଟୁ ଛୁରା ମାରିଛି। ଏବେ ଠାରୁ ମୋଦିଜୀ କହୁଥିବା କଥାକୁ କେହି ବି ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅନୁରୋଧ କରିଛନ୍ତି।
ମଣିପୁର ହିଂସାକୁ ନେଇ ସଂସଦରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଏପରି ପ୍ରସ୍ତାବ ଆଣିଛନ୍ତି। ତେବେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇ ପାରିବ କି? ସରକାର ଏହାକୁ ନେଇ ଚିନ୍ତା କରିବା ଦରକାର କି?
ସଂଖ୍ୟା ଖେଳରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଫେଲ ମାରିବା ଏକ ପ୍ରକାରର ସୁନିଶ୍ଚିତ। ତେବେ ବିରୋଧୀ ମଣିପୁର ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ଯେଉଁ ଯୋଜନା କରିଥିଲେ, ସେଥିରେ ସଫଳ ହୋଇଥିବା ଦାବି କରିଛନ୍ତି। ସଂସଦରେ ପ୍ରଧାନମନ୍ତ୍ରୀ ମୋଦି ମଣିପୁର ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଚାହୁଁଥିଲେ।
ଏବେ ଅନାସ୍ଥା ପ୍ରସ୍ତାବ ବେଳେ ଉଭୟ ବିରୋଧୀ ଓ ସରକାରୀ ଦଳର ସାଂସଦ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖିବେ। ଶେଷରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଲୋକସଭାକୁ ସ୍ଥିତି ସମ୍ପର୍କରେ ଅବଗତ କରାଇବେ। ଏହାପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବ।
କାହା ପାଖରେ କେତେ ସାଂସଦ
ଲୋକସଭାର ମ୍ୟାଜିକ ନମ୍ବର ହେଲା ୨୭୨। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏନଡିଏ ସରକାର ପାଖରେ ୩୩୧ ଜଣ ସାଂସଦ ରହିଛନ୍ତି। ଏକାକୀ ବିଜେପି ପାଖରେ ୩୦୩ ଜଣ ସଦସ୍ୟ ଅଛନ୍ତି। ବିରୋଧୀ ଇ.ଣ୍ଡି.ଆର ସାଂସଦଙ୍କ ସଂଖ୍ୟା ୧୪୪। ସେହିପରି କେସିଆର, ବିଜେଡି ଓ ୱାଇଏସ୍ଆର କଂଗ୍ରେସ ପାଖରେ ୭୦ ଜଣ ସାଂସଦ ରହିଛନ୍ତି। ତେଣୁ ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେବାକୁ ମୋଦି ସରକାର ସକ୍ଷମ। ତଥାପି ଏହା ଉପରେ ଆଲୋଚନା ହେବ। ସବୁ ଦଳର ସାଂସଦ ନିଜ ନିଜ ପକ୍ଷ ରଖିବେ।
ସରକାର ଯେତେବେଳେ ନିଜ ଉତ୍ତରଦାୟିତ୍ୱରୁ ଓହରି ଯାଆନ୍ତି ସେତେବେଳେ ବିରୋଧୀ ଅନାସ୍ଥା ପ୍ରସ୍ତାବକୁ ଏହା ବିରୋଧରେ ବ୍ୟବହାର କରନ୍ତି। ମେଣ୍ଟ ସରକାରକୁ ସାଧାରଣତଃ ଗାଦିଚ୍ୟୁତ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରଙ୍କୁ ଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦିଙ୍କ ଯାଏ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି।
ମୋରାଜୀ ଦେଶାଇ, ଚରଣ ସିଂହ, ଭିପି ସିଂହ ଓ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅନାସ୍ଥା ଭୋଟରେ ଫେଲ ମାରିବାର ନଜିର ରହିଛି। ଶେଷଥର ପାଇଁ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ୨୦୧୮ରେ ମୋଦି ସରକାର ବିରୋଧରେ ଆସିଥିଲା। ହେଲେ ଏଥିରେ ମୋଦି ସରକାର ବେଶ ସଫଳତାର ସହ ପାସ କରିଥିଲେ। ଏହାର ପରବର୍ତ୍ତୀ ବର୍ଷରେ ହୋଇଥିବା ନିର୍ବାଚନରେ ଏନଡିଏକୁ ୩୩୧ ଆସନ ମିଳିଥିଲା।
VIDEO: PM Sh @narendramodi had made a prediction 5 years back about the opposition bringing a No confidence motion! pic.twitter.com/dz8McicQ40
— Dr Jitendra Singh (@DrJitendraSingh) July 26, 2023
ଏଥିସହ ପ୍ରଧାନମନ୍ତ୍ରୀ ସେତେବେଳେ ବିରୋଧୀଙ୍କୁ ଅନାସ୍ଥା ପ୍ରସ୍ତାବ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। କହିଥିଲେ ଯେ, ମୋର ବିରୋଧୀଙ୍କୁ ଶୁଭେଚ୍ଛା ରହିବ, ଆପଣମାନେ ଏପରି ପ୍ରସ୍ତୁତି କରନ୍ତୁ, ଯେପରି ୨୦୨୩ରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆଣିବାରେ ସଫଳ ହୋଇପାରିବେ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀଙ୍କ 5 ବର୍ଷ ତଳର ଏହି ଭିଡିଓ ପୋଷ୍ଟ କରିଛନ୍ତି, ଯାହା ଏବେ ଭାଇରାଲ୍ ହେଉଛି।
ସମ୍ପ୍ରତି ଗୃହରେ ମଧ୍ୟ ଅନାସ୍ଥା ପ୍ରସ୍ତାବ ପାଇଁ ଏକଜୁଟ ହେଉଛନ୍ତି ବିରୋଧୀ। ମଣିପୁର ହିଂସା ନେଇ ଚାଲି ପାରୁନି ସଂସଦ ମୌସୁମୀ ଅଧିବେଶନ। ମାମଲାରେ ପ୍ରଧାନମନ୍ତ୍ରୀ ବିବୃତ୍ତି ରଖନ୍ତୁ ବୋଲି ଅଡ଼ି ବସିଛନ୍ତି ବିରୋଧୀ। ଏନେଇ ଆଜି(ଜୁଲାଇ ୨୬)ରେ ବିଆରଏସ୍ ଏବଂ କଂଗ୍ରେସ ଅଲଗା ଅଲଗା ଦୁଇଟି ଅନାସ୍ଥା ପ୍ରସ୍ତାବ ନୋଟିସ୍ ମଧ୍ୟ ଦେଇଛନ୍ତି।
ଦେଶର ସମସ୍ତ ଘରୋଇ ଓ ସରକାରୀ ବ୍ୟାଙ୍କଗୁଡ଼ିକ ଋଣ ଆଦାୟ ବେଳେ କୌଣସି ପ୍ରକାରର କଠୋର କିମ୍ବା ବଡ଼ ପଦକ୍ଷେପ ନ ନେବାକୁ କୁହାଯାଇଛି। ବ୍ୟାଙ୍କଗୁଡ଼ିକ ଲୋକଙ୍କ ପାଖକୁ ଯାଇ ପୂରା ପ୍ରସଙ୍ଗକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ମାନବୀୟ ଢଙ୍ଗରେ ସମାଧାନ କରନ୍ତୁ।” ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତରର ଜବାବ ରଖିବା ବେଳେ ସୀତାରମଣ ଏପରି କହିଛନ୍ତି।
ଆରବିଆଇ ମଧ୍ୟ ଋଣ ଆଦାୟ ବେଳେ ବ୍ୟାଙ୍କ ଗୁଡ଼ିକ ନେଉଥିବା କଠୋର ପଦକ୍ଷେପ ବିରୋଧରେ ମତ ରଖିଥିଲା। ଏଥିସହ ଲୋକଙ୍କ ଠାରୁ ବଳପୂର୍ବକ ଋଣ ଆଦାୟ କରୁଥିବା ବ୍ୟାଙ୍କ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦେଇଥିଲା।
ଗତବର୍ଷ ଅଗଷ୍ଟରେ ଋଣ ଆଦାୟ ପାଇଁ ବ୍ୟାଙ୍କଗୁଡ଼ିକ କ’ଣ ସବୁ ନିୟମ ପାଳନ କରିବ, ସେନେଇ ଗୋଟିଏ ଗାଇଡଲାଇନ ଆରବିଆଇ ଜାରି କରିଥିଲା। ଗାଇଡଲାଇନରେ ଋଣ ସଂଗ୍ରହ କରୁଥିବା ଏଜେଣ୍ଟମାନେ ଲୋକଙ୍କୁ ସକାଳ ୮ଟା ପୂର୍ବରୁ କିମ୍ବା ସନ୍ଧ୍ୟା ୭ଟା ପରେ ଟଙ୍କା ଫେରସ୍ତ ପାଇଁ ଫୋନ କରିପାରିବେ ନାହିଁ ବୋଲି କୁହାଯାଇଛି।
ସରକାରଙ୍କ ଉପରେ ଚାପ ବଢ଼ୁଥିବାରୁ ଆଜି ଲୋକସଭାରେ ନିଜେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଏଥିସହ ବିରୋଧୀ କାହିଁକି ଗୃହ କାର୍ଯ୍ୟକୁ ଚଳାଇବାରେ ସହାୟତା କରୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମଣିପୁର ପ୍ରସଙ୍ଗର ସରକାର ବିବୃତି ରଖିବାକୁ ପ୍ରସ୍ତୁତ ହେଉଥିବା କହିଥିଲେ।
ଆଜି ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ଶ୍ରୀ ଶାହ ନିଜର ସଂକ୍ଷେପ ଭାଷଣରେ ବିରୋଧୀ ଦଳଗୁଡ଼ିକୁ ମଣିପୁର ଉପରେ ବିତର୍କ ପାଇଁ ଅନୁମତି ଦେବାକୁ କହିଥିଲେ। ମଣିପୁରର ସତ ସାମ୍ନାକୁ ଆସିବା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ସେ କହିଛନ୍ତି।
ମଣିପୁର ସ୍ଥିତିକୁ ନେଇ ଆଜି ଗୃହ କାର୍ଯ୍ୟ ଦୁଇ ଥର ମୁଲତବୀ ହେବାରୁ ଶାହ ଏପରି କହିଛନ୍ତି। ଦୁଇ ଥର ମୁଲତବୀ ପରେ ଗୃହ କାର୍ଯ୍ୟ ୨.୩୦ରେ ଆରମ୍ଭ ହୋଇଥିଲା। ଏହି ସମୟରେ ଶାହ କହିଥିଲେ ଉଭୟ ବିରୋଧୀ ଓ ସରକାରୀ ଦଳର ସାଂସଦମାନେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଛନ୍ତି। ଏବେ ବିରୋଧୀ ଆଲୋଚନା ପାଇଁ ଆସନ୍ତୁ ବୋଲି ସେ କହିଥିଲେ।
ତେବେ ଶାହଙ୍କ ଏପରି ବିବୃତି ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ନାରାବାଜୀ ଜାରି ରଖିଥିଲେ। ଏଥିପାଇଁ ବାଚସ୍ପତି ଓମ ବିର୍ଲା ଲୋକସଭାର କାର୍ଯ୍ୟକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରିଛନ୍ତି।
ଶ୍ରୀ ସିଂହ ଗୃହର ମଧ୍ୟ ଭାଗକୁ ଆସିବା ସହ ବିଭିନ୍ନ ପ୍ରକାରର ନାରା ଦେଇଥିଲେ। ତାଙ୍କୁ ଗୃହର ଅଧ୍ୟକ୍ଷ ନିଜ ଆସନକୁ ଫେରି ଯିବାକୁ ବାରମ୍ବାର କହିଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ। ଏଥିପାଇଁ ତାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଛି।
କେନ୍ଦ୍ର ସରକାର ଆଗକୁ ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶକୁ ରିପ୍ଲେସ କରିବାକୁ ରାଜ୍ୟସଭାରେ ବିଲ୍ ଆଣିବେ। ଏହାକୁ ରାଜ୍ୟସଭାରେ ମାତ୍ ଦେବାକୁ ଆପ୍ ସବୁ ବିରୋଧ ଦଳଗୁଡ଼ିକୁ ଏକାଠି କରୁଥିବା ବେଳେ ସଞ୍ଜୟ ସିଂହଙ୍କ ନିଲମ୍ବନ ଶକ୍ତ ଝଟକା ସଦୃଶ ହୋଇଛି। ଏହାକୁ ନେଇ ଆପ୍ ଆଟାକିଂ ମୋଡକୁ ଚାଲି ଆସିଛି। ବିରୋଧୀ ମଧ୍ୟ ସଞ୍ଜୟ ସିଂହଙ୍କ ନିଲମ୍ବନକୁ ନିନ୍ଦା କରିଛନ୍ତି।
ନିଲମ୍ବନ ପ୍ରସଙ୍ଗରେ ଆପ ପକ୍ଷରୁ କୁହାଯାଇଛି ରାଜ୍ୟସଭାରେ ସଞ୍ଜୟ ସିଂହ ହେଉଛନ୍ତି ବିରୋଧୀଙ୍କ ସ୍ୱର। ବିଜେପି ତାଙ୍କୁ ଦରକାର ପଡ଼ିଲେ ଜେଲରେ ପୂରାଇବାକୁ ମଧ୍ୟ ପଛାଇବ ନାହିଁ। ମଣିପୁର ପ୍ରସଙ୍ଗରେ ଶ୍ରୀ ସିଂହ ସ୍ୱର ଉଠାଇଥିଲେ ଓ ବିରୋଧୀ ଏକାଠି ହୋଇଥିଲେ। ସେ ସରକାରୀ ପକ୍ଷଙ୍କୁ ଅଡ଼ୁଆରେ ପକାଇଥିଲେ।
ତେଣୁ ସେମାନେ ତାଙ୍କର ସ୍ୱରକୁ ଚାପି ଦେବାକୁ ସବୁ ପ୍ରକାରର ଚେଷ୍ଟା କରିଛନ୍ତି। କିନ୍ତୁ ସେମାନେ ଯାହା ବି କଲେ କିଛି ଫରକ ପଡ଼ିବ ନାହିଁ। ସେମାନେ ନୂଆ ଭେଳିକି ଦେଖାନ୍ତୁ କିମ୍ବା ସିବିଆ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥାକୁ ଲଗାନ୍ତୁ, ବିଜେପି ସରକାର ଫେରିବା ବେଶ କଷ୍ଟକର ବୋଲି ଦଳ କହିଛି।
ଶ୍ରୀ ସିଂହଙ୍କ ନିଲମ୍ବନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅଧ୍ୟକ୍ଷ ଜଗଦୀପ ଧନକର ରାଜ୍ୟସଭାରେ ବିରୋଧୀ ଦଳର ନେତାମାନଙ୍କୁ ଡାକିଥିଲେ। ଆପ ପକ୍ଷରୁ ରାଘବ ଚଡ୍ଡା ଓ ଟିଏମସି ପକ୍ଷରୁ ଶାନ୍ତନୁ ସେନ ବୈଠକରେ ଯୋଗ ଦେବାରୁ ଏହାକୁ ଅଧ୍ୟକ୍ଷ ଧନକର ବିରୋଧ କରିଥିଲେ। ତେଣୁ ବିରୋଧୀ ଦଳର ନେତାମାନେ ଉକ୍ତ ବୈଠକରୁ ବିନା ଆଲୋଚନାରେ ବାହାରି ଯାଇଥିଲେ।
ଆଜି ରାଜ୍ୟସଭାର କାର୍ଯ୍ୟ ଗୋଟିଏ ଘଣ୍ଟାର ମୁଲତବୀ ପରେ ଆରମ୍ଭ ହୋଇଥିଲା। ଅଧ୍ୟକ୍ଷ ଧନକର ପ୍ରଶ୍ନକାଳ ଆରମ୍ଭ କରିବାକୁ କହିଥିଲେ। ହେଲେ ବିରୋଧୀ ଦଳଗୁଡ଼ିକ ରୁଲ ୨୬୭ ଅନୁସାରେ ମଣିପୁର ହିଂସା ଉପରେ ମୁଲତବୀ ନୋଟିସ ଦେଇଥିବାରୁ ଆଲୋଚନା ପାଇଁ ଜିଦ କରିଥିଲେ। ତଥାପି ଧନକର କିଛି ବି ଶୁଣି ନଥିଲେ।
ସେ ପ୍ରଶ୍ନକାଳ ଜାରି ରଖିଥିଲେ। ଏହାକୁ ବିରୋଧ କରି ସଞ୍ଜୟ ସିଂହ ଗୃହର ମଧ୍ୟଭାଗକୁ ଆସି ବିଭିନ୍ନ ପ୍ରକାରର ସ୍ଲୋଗାନ ଦେଇଥିଲେ। ସେ ପ୍ରଶ୍ନକାଳକୁ ବାତିଲ କରି ମଣିପୁର ହିଂସା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ।
ତାଙ୍କୁ ଧନକର ବାରମ୍ବାର ନିଜ ଆସନକୁ ଯିବା ପାଇଁ କହିଥିଲେ ମଧ୍ୟ ସେ କିଛି ବି ଶୁଣି ନଥିଲେ। ତେଣୁ ତାଙ୍କୁ ନିୟମ ଉଲ୍ଲଙ୍ଘନ ଓ ବିଶୃଙ୍ଖଳା ଆଚରଣ ପାଇଁ ନିଲମ୍ବନ କରାଯାଇଥିଲା। ଭୟସ ଭୋଟ ଦ୍ୱାରା ପୀୟୁଷ ଗୋଏଲ ଆଣିଥିବା ପ୍ରସ୍ତାବ ବଳରେ ତାଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଛି।
ଏଥିରେ ରହିଛି ୟୁନିଫର୍ମ ସିଭିଲ କୋଡ, ଡିଜିଟାଲ ଡାଟା ପ୍ରୋଟେକସନ ବିଲ ଓ ମେଡିଏସନ ବିଲ୍ ପରି ଗୁରୁତ୍ୱପୂର୍ଣ୍ଣ ବିଧେୟକ । ଅଧିବେଶନ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ ସରକାର। ବୈଠକରେ ଗୃହକୁ ସବୁ ଦଳଙ୍କ ସହଯୋଗ ଲୋଡ଼ିଥିଲେ। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ମୌସୁମୀ ଅଧିବେଶନ ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ପୁରୁଣା ପାର୍ଲାମେଣ୍ଟ ବିଲଡିଂରେ ଚାଲିବ। ଏହାପରେ ସଂସଦର ପରବର୍ତ୍ତୀ ଅଧା ଅଧିବେଶନକୁ ନୂଆ ବିଲଡିଂକୁ ସ୍ଥାନାନ୍ତର କରାଯିବ ବୋଲି ଜଣାଯାଇଛି।
ଦୀର୍ଘ ୨ ମାସରୁ ଊର୍ଦ୍ଧ୍ୱ ସମୟ ଧରି ମଣିପୁରରେ ହିଂସାକାଣ୍ଡ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହୋଇଛି। ଗତକାଲି ମଣିପୁରର ଏକ ଭିଡିଓ ଭାଇରାଲ ହୋଇଥିବା ବେଳେ ସେଥିରେ ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ବହୁ ଲୋକ ଟଣାଓଟରା କରୁଥିବା ଦେଖିବାକୁ ମିଳିଛି। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ସ୍ପର୍ଶକାତର ଘଟଣାରେ ଗୋଟିଏ ବି ବିବୃତି ଏ ଯାବତ ଦେଇ ନାହାନ୍ତି। ତେଣୁ ମଣିପୁର ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଗୃହରେ ବିବୃତି ରଖିବାକୁ ବିରୋଧୀ ଦଳ ଦାବି କରିଛନ୍ତି। ନଚେତ ଗୃହରେ ସୃଷ୍ଟି ହେବାକୁ ଥିବା ବିଶୃଙ୍ଖଳା ଓ ହଙ୍ଗାମା ନିମନ୍ତେ ଖୋଦ ପ୍ରଧାନମନ୍ତ୍ରୀ ଦାୟୀ ରହିବେ ବୋଲି ସୂଚାଇ ଦିଆଯାଇଛି।
ଅପରପକ୍ଷେ, ମଣିପୁର ପ୍ରସଙ୍ଗରେ ଆଲୋଚନା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ଥିବା ପାର୍ଲାମେଣ୍ଟ ଆଫେୟାର୍ସ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “ସଂସଦର ମୌସୁମୀ ଅଧିବେଶ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ଯାଏ ଚାଲିବ। ସମସ୍ତ ଦଳଗୁଡ଼ିକୁ ଅନୁରୋଧ ଯେ ସେମାନେ ଏହି ଅଧିବେଶନରେ ଗଠନମୂଳକ ଆଲୋଚନା କରିବେ। ବିଭିନ୍ନ ବିଲ୍ ଉପରେ ମଧ୍ୟ ସେମାନେ ଆଲୋଚନା କରନ୍ତୁ।” ୨୩ ଦିନ ଧରି ଚାଲିବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ ୧୭ଟି କାର୍ଯୟ ଦିବସ ରହିବ।
ଏଥର ସଂସଦର ମୌସୁମୀ ଅଧିବେଶ ବେଶ ସରଗରମ ରହିବ। କାରଣ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଉଦ୍ୟମ କରୁଛନ୍ତି। ତେଣୁ ସେମାନେ ଏକାଠି ହୋଇ ସରକାରଙ୍କୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ଘେରିବାକୁ ଚେଷ୍ଟା କରିବେ। ସେହିପରି ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋଡ୍ ବିଲ୍ ଆଣି ପାରନ୍ତି। ଏହାକୁ ନେଇ ମଧ୍ୟ ବଡ଼ ବିତର୍କ ହେବାର ସମ୍ଭାବନା ରହିଛି।
संसद का मानसून सत्र, 2023 आगामी 20 जुलाई से शुरू होकर 11 अगस्त तक चलेगा। 23 दिन तक चलने वाले इस सत्र में कुल 17 बैठकें होंगी। मैं सभी पार्टियों से सत्र के दौरान संसद के विधायी और अन्य काम-काज में रचनात्मक योगदान देने की अपील करता हूं।
— Pralhad Joshi (@JoshiPralhad) July 1, 2023
ମୌସୁମୀ ଅଧିବେଶନର କାର୍ଯ୍ୟ ପ୍ରଥମେ ପୁରୁଣା ସଂସଦ ଭବନରେ ଆରମ୍ଭ ହେବ। ଏହାପରେ ସାଂସଦମାନେ ମେ’ ୨୮ ତାରିଖରେ ଉଦଘାଟିତ ହୋଇଥିବା ସଂସଦର ନୂଆ ବିଲଡିଂକୁ ଯିବେ।
ସରକାର ଦିଲ୍ଲୀର ପ୍ରଶାସନିକ ବ୍ୟବସ୍ଥା ଉପରେ ନିୟନ୍ତ୍ରଣ ରଖିବା ପାଇଁ ଲାଗୁ କରିଥିବା ଅଧ୍ୟାଦେଶକୁ ମଧ୍ୟ ବିଲ୍ ଆକାରରେ ଗୃହରେ ଉପସ୍ଥାପନ କରିବେ।
ଲଗାଣ ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଆଦି ସାଧାରଣ ଜୀବନକୁ ହସ୍ତବ୍ୟସ୍ତ କରି ପକାଇଛି। ମୌସୁମୀ ପ୍ରବେଶ ପରେ ସୃଷ୍ଟି ହୋଇଥିବା ସ୍ଥିତି ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି।
ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମ ଉତ୍ତର ପ୍ରଦେଶ ମୌସୁମୀ ଯୋଗୁ ହେଉଥିବା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି। ପୂର୍ବ ପ୍ରାନ୍ତରେ ଥିବା ଆସାମରେ ମଧ୍ୟ ଭୟଙ୍କର ବନ୍ୟା ଦେଖାଯାଇଛି। ଦିଲ୍ଲୀ ଓ ଏହାର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ରାଜରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି। ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି।
ତେବେ ପୂର୍ବ ଓ ପଶ୍ଚିମ ପ୍ରାନ୍ତ ଅପେକ୍ଷା ଉତ୍ତର ଭାରତରେ ସ୍ଥିତି ଅଧିକ ଗମ୍ଭୀର ରହିଛି। ହିମାଚଳ ପ୍ରଦେଶରେ ଅବିଶ୍ରାନ୍ତ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଅଚାନକ ବନ୍ୟାରେ ୧୨ରୁ ଅଧିକ ଗାଡ଼ି ଭାସି ଯାଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଚାମେରା ଡ୍ୟାମରେ ଭାରସାମ୍ୟ ହରାଇ ଗୋଟିଏ କାର ଖସି ପଡ଼ିବାରୁ ୨ ଜଣ ଓ ଶିମଲାରେ ଜଣଙ୍କ ମୃତ୍ୟୁ ଘଟିଛି।
ବର୍ଷା ପାଣି ଜମି ରହିବାରୁ ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି କୁଲ୍ଲୁ ପ୍ରଶାସନ ବିଭିନ୍ନ ନଦୀରେ କରାଯାଉଥିବା ନୌଚାଳନା ଉପରେ ରୋକ ଲଗାଇଛି। ଅଚାନକ ବନ୍ୟା ଯୋଗୁ ହିମାଚଳ ପ୍ରଦେଶର ଅନେକ ସ୍ଥାନରେ ବିଜୁଳି ଓ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଆସନ୍ତା ୨୪ ଘଣ୍ଟା ଯାଏ ପ୍ରବଳ ବର୍ଷାର ଆଶଙ୍କା ଥିବା ଭାରତୀୟ ପାଣିପାଗ ବିଭାଗ କହିଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।
ଉତ୍ତରାଖଣ୍ଡରେ ବିଜୁଳି ମାରିବାରୁ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୩ ଜଣ ଆହତ ହୋଇଛି। ଗୌରୀକୁଣ୍ଡ ଓ ସୋନପ୍ରୟାଗ ମଧ୍ୟରେ ସେବା ଯୋଗାଉଥିବା ଗୋଟିଏ ଟ୍ୟାକ୍ସିର ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି। ଘଡ଼ଘଡ଼ି ବାଗେଶ୍ୱର ଅଞ୍ଚଳରେ ପ୍ରାୟ ୪୦୦ ଛେଳିଙ୍କ ଜୀବନ ନେଇଛି।
ଭୂସ୍ଖଳନ ଯୋଗୁ ଗରୱାଲ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଜାତୀୟ ରାଜପଥରେ ଯାତାୟାତ ଏକପ୍ରକାରର ବନ୍ଦ ହୋଇଯାଇଛି। ଡେରାଡୁନରେ ପ୍ରବଳ ବର୍ଷା ଯୋଗୁ ଦୁଇଟି ବିମାନକୁ ଏୟାରପୋର୍ଟରୁ ଡାଇର୍ଭଟ କରାଯାଇଛି।
ପଶ୍ଚିମ ଉତ୍ତର ପ୍ରଦେଶର ମୁଜାଫରନଗରରେ ମଧ୍ୟ ୨ ଜଣ କିଶୋରଙ୍କ ମୃତ୍ୟୁ ଘଟିଛି। ଏହି ଦୁଇ ଜଣ ନାସିପୁର ଗାଁରେ ଥିବା ସେମାନଙ୍କ କୁଡ଼ିଆରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁ ଏହା ଭୁଶୁଡ଼ି ପଡ଼ିଥିଲା। ଫଳରେ ଏହା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି, ହାତୀ ମୃତ୍ୟୁ, ଚାଷୀ ସମସ୍ୟା, ସବୁ ସ୍ତରରେ ଦୁର୍ନୀତି ହେଉଥିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେପି । ଧାନର ଅଭାବି ବିକ୍ରି , ଅଗ୍ନିବୀର ଯୋଜନା, ବେକାରୀ ସମସ୍ୟା, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଅନ୍ତରୀଣ ବେଲ୍ ଆଦି ପ୍ରସଙ୍ଗ ଗୃହରେ ଉଠାଇବ କଂଗ୍ରେସ । ଅନ୍ୟପଟେ ସବୁ ପ୍ରସଙ୍ଗରେ ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କହିଛି ବିଜେଡି ।
ଏହି ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜୁଲାଇ ୭ ତାରିଖ ଯାଏଁ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୩ରୁ ଆରମ୍ଭ ହୋଇ ଅଗଷ୍ଟ ୪ରେ ଶେଷ ହେବ ।
ଚଳିତ ବଜେଟ୍ ଅଧିବେଶନରେ ସମୁଦାୟ ୨୪ଟି କାର୍ଯ୍ୟଦିବସ ରହିଛି । ମୌସୁମୀ ଅଧିବେଶନରେ ଗୃହ ପ୍ରତ୍ୟେକ ଦିନ ୬ ଘଣ୍ଟା ଚାଲିବ । ଅପରାହ୍ନରେ ଅଧିବେଶନ ୪ଟାରୁ ସନ୍ଧ୍ୟା ୭ଟା ଯାଏ କରିବାକୁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।
ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ, ପୀୟୁଷ ଗୋଏଲ, ଅନୁରାଗ ଠାକୁରଙ୍କ ସମେତ ମୋଟ୍ ୭ ମନ୍ତ୍ରୀ ଗୁରୁବାର ବିରୋଧୀଙ୍କ ସାଂସଦଙ୍କ ଉଚାରଣ ଏବଂ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ସାଂସଦ ସଂସଦର ମୌସୁମୀ ଅଧିବେଶନ ବେଳେ ଯାହା କରିଛନ୍ତି ତାହା ସଂସଦର ଗାରିମାକୁ କ୍ଷତି ପହଞ୍ଚାଇଛି। ଏଥିପାଇଁ ବିରୋଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର। ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ଉଦ୍ଦେଶ୍ୟ ଥିଲା ସଂସଦକୁ କିଭଳି ଅଚଳ କରିବେ।
କେନ୍ଦ୍ର ସଂସଦୀୟ ମନ୍ତ୍ରୀ କହିଛନ୍ତି, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ଗୃହ ଅଚଳ କରିବା ମୁଡରେ ଥିଲେ। ଟିଏମସି ଏବଂ କଂଗ୍ରେସ ସାଂସଦ ଅଧିବେଶନ ଚଳାଇନଦେବା ମୁଡରେ ଥିଲେ। ନୂଆ କେନ୍ଦ୍ରମନ୍ତ୍ରୀଙ୍କ ପରିଚୟ ମଧ୍ୟ କରାଇ ଦେବାକୁ ଦେଇନଥିଲେ ବିରୋଧୀ। ଟିଏମସି ଏବଂ କଂଗ୍ରେସ ସାଂସଦଙ୍କ ପାଇଁ ମୌସୁମୀ ଅଧିବେଶନ ଧୋଇ ହୋଇ ଯାଇଛି। ଯାହା ଏହି ଦଳର ସାଂସଦଙ୍କ ଉଦ୍ଦେଶ୍ୟ ଥିଲା। ମନ୍ତ୍ରୀ ପୀୟୁଷ ଗୋୟଲ ବିରୋଧୀଙ୍କ ସହ ଅନେକ ଥର ଏ ବାବଦରେ କଥା ହୋଇଥିଲେ। ନୂଆ ମନ୍ତ୍ରୀଙ୍କ ପରିଚୟ କରାଇବାକୁ ଅନୁମତି ଦେବାକୁ ସେ ବିରୋଧୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ବିରୋଧୀ ଏଥିରେ ସହମତ ହୋଇନଥିଲେ।
ଅଗଷ୍ଟ ୪ରେ ବିରୋଧୀ ସାଂସଦ ସଂସଦର କାଚ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଜଣେ ମହିଳା ସାଂସଦ ଏହି କାରଣ ପାଇଁ ଆହତ ହୋଇଛନ୍ତି। ଏହାକୁ ନେଇ ମହିଳା ସାଂସଦ ଅଭିଯୋଗ ମଧ୍ୟ କରିଛନ୍ତି।
ବୀମା ବିଲ୍ ଏବଂ ଓବିସି ବିଲ୍ ପାସ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। ଯଦି ସରକାର ଏପରି କରିବେ ତାହେଲେ ମଙ୍ଗଳବାର (ଅଗଷ୍ଟ ୧୨) ହଙ୍ଗାମା ହେବ। ବିରୋଧୀ ଏପରି ଧମକ ଦେଇଥିଲେ ବୋଲି ମନ୍ତ୍ରୀ ପ୍ରହ୍ଲାଦ ଜୋଶୀ କହିଥିଲେ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିରୋଧୀ ନୂଆ ମନ୍ତ୍ରୀଙ୍କୁ ପରିଚୟ କରିବାକୁ ଦେଇନାହାନ୍ତି। ଯେତେବେଳେ ମନ୍ତ୍ରୀ ବିବୃତ୍ତି ରଖୁଥିଲେ ସେତେବେଳେ ସେ ତାଙ୍କ ହାତରୁ କାଗଜ ଛଡ଼ାଇ ନେଇ ଚିରି ଦେଲେ। ସଂସଦରେ ଟେବଲ କଣ ନାଚିବା ପାଇଁ ହୋଇଛି? ଲୋକମାନେ ସଂସଦରେ ଆଲୋଚନା ହେବାକୁ ଅପେକ୍ଷା କରନ୍ତି କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ଲୋକଙ୍କ ଟିକସରୁ ଆସୁଥିବା ଟଙ୍କାକୁ ନେଇ ବିରୋଧୀ ଚିନ୍ତିତ ନୁହଁନ୍ତି।
ପୀୟୁଷ ଗୋଏଲ କହିଛନ୍ତି, 'ଉଭୟ ସଦନକୁ ଚଳାଇ ନଦେବାକୁ ବିରୋଧୀ ପ୍ରୟାସ କରିଛନ୍ତି। ବିଶେଷ କରି ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ଯୋଗୁଁ ପୂରା ଗୃହର ସମ୍ମାନକୁ କ୍ଷତି ପହଞ୍ଚାଇଛି। କୌଣସି ଯୁକ୍ତିଯୁକ୍ତ ପ୍ରସଙ୍ଗରେ ଆଲୋଚନା ନକରି ସେ ଗୃହର ଅଧ୍ୟକ୍ଷଙ୍କୁ ଆଘାତ ଦେଇଥିଲେ। ମୋବାଇଲ୍ ଫୋନ୍ ସହିତ କାଚ ଭାଙ୍ଗିବା ଏବଂ ଚାମ୍ବରରେ ପ୍ରବେଶ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ।
ମିଳିଥିବା ସୂଚନା ଅନୁସାରେ, ମନସୁନ୍ ଅଧିବେଶରେ ସାଂସଦଙ୍କ ବସିବାକୁ ନେଇ ଗତ ୭ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଓ ଉଭୟ ସଦନର ମହାସିଚିବଙ୍କ ମଧ୍ୟରେ ବୈଠକ ହୋଇଥିଲା। ଏଥିରେ ଗତ ଅଧିବେଶନ ଭଳି ଚଳିତ ଅଧିବେଶନ ମଧ୍ୟ କରୋନା ପ୍ରଟୋକଲ ମଧ୍ୟରେ ଚାଲିବ।
ଇଣ୍ଡିଆ ଟିଭି ଦେଇଥିବା ସୂଚନା ମୁତାବକ ସକାଳ ୧୧ଟାରୁ ସନ୍ଧ୍ୟା ୬ ଯାଏ ଅଧିବେଶନ ଚାଲିବ। ସାମାଜିକ ଦୂରତାକୁ ଧ୍ୟାନରେ ରଖି ସାଂସଦଙ୍କ ବସିବାକୁ ନେଇ ଗୁରୁତ୍ୱ ଦିଆଯିବ। ଲୋକସଭାର ସାଂସଦମାନେ ଲୋକସଭା ଗ୍ୟାଲେରୀ ଏବଂ ରାଜ୍ୟସଭାର ସାଂସଦମାନେ ରାଜ୍ୟସଭାର ଗ୍ୟାଲେରୀରେ ବସିବେ। ଗତଥର ଭଳି ଚଳିତଥର ମଧ୍ୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ୍ ଏକାଠି ଚାଲିବା ନେଇ ସମ୍ଭାବନା ରହିଛି।
ମନସୁନ୍ ଅଧିବେଶନ ପାଇଁ ସମସ୍ତ ସାଂସଦଙ୍କ ଦୁଇଟି ଡୋଜ୍ ଟିକାକୁ ଗୁରୁତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୨୦୫ଜଣ ରାଜ୍ୟସଭା ସାଂସଦ ଦୁଇଟି ଟିକା ନେଇ ସାରି ଥିବାବେଳେ ୧୬ ଜଣ ସାଂସଦ ପ୍ରଥମ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ୬ ଜଣ ସାଂସଦ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇପାରି ନାହାଁନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପରେ ଏହା ପ୍ରଥମ ସଂସଦ ଅଧିବେଶନ ହେବାକୁ ଯାଉଛି । ସଂସଦ ଅଧିବେଶନରେ ସରକାରଙ୍କ ପକ୍ଷକୁ ଦୃଢ଼ କରି ରଖିବା ପାଇଁ ନୂତନ ମନ୍ତ୍ରୀମାନଙ୍କ ଲାଗି ଏହା ଏକ ଚ୍ୟାଲେଞ୍ଜ ହେବ ।