କୌଣସି ଦଳକୁ ପାକିସ୍ତାନରେ ସରକାର ଗଠନ ପାଇଁ ଆବଶ୍ୟକ ୧୩୩ ଆସନ ମିଳିବାର ସମ୍ଭାବନା ନାହିଁ। ଏପରି ସ୍ଥିତିରେ ମେଣ୍ଟ ସରକାର ଗଠନ ହେବ। ଇମ୍ରାନ ଖାନଙ୍କ ପାର୍ଟି କାଳେ ବାଜି ମାରିନେବ, ସେଥିପାଇଁ ଚୂଡ଼ାନ୍ତ ରେଜଲ୍ଟ ବାହାରିବା ପୂର୍ବରୁ ନବଜା ଶରିଫ ଓ ବିଲାୱଲ ଭୁଟ୍ଟୋ ହାତ ମିଳାଇଛନ୍ତି।
ଉଭୟ ମିଳିତ ଭାବେ ପାକିସ୍ତାନରେ ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ଉଭୟ ଦଳକୁ କେତେ ଆସନ ମିଳୁଛି, ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।
ଏସବୁ ଭିତରେ ଇମ୍ରାନ ଖାନ ମଧ୍ୟ ନିର୍ବାଚନରେ ବିଜୟୀ ହୋଇଥିବା ଦାବି କରିଛନ୍ତି। ସେ ଏଆଇ ଭର୍ସନ ଦ୍ୱାରା ସୃଷ୍ଟି କରାଯାଇଥିବା ଭିଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରି ବିଜୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ଦୁଇ ପକ୍ଷ ବିଜୟୀ ନେଇ ଦାବି କରିବା ଓ ରେଜଲ୍ଟ ବାହାରିବାରେ ବିଳମ୍ବ ଯୋଗୁ ଦେଶରେ ଅସ୍ଥିରତା ଦେଖା ଯିବାର ଆଶଙ୍କା ପ୍ରକାଶ ପାଇଛି।
ସେପଟେ ପାକିସ୍ତାନ ରାଜନୀତି ଓ ସରକାରକୁ ନିୟନ୍ତ୍ରଣ କରୁଥିବା ସେନାର ବୟାନ ସାମ୍ନାକୁ ଆସିଛି। ଆଇଏସ୍ପିଆର ପକ୍ଷରୁ ସେନା ମୁଖ୍ୟଙ୍କ ବୟାନ ଜାରି କରାଯାଇଛି। ଏଥିରେ ସେନା ମୁଖ୍ୟ କହିଛନ୍ତି ଯେ ପାକିସ୍ତାନରୁ ଅରାଜକତା ଓ ତୁଷ୍ଟୀକରଣ ରାଜନୀତିରୁ ଉପରକୁ ଯିବାକୁ ପଡ଼ିବ।
ପାକିସ୍ତାନର ରାଜନୀତି ଉପରେ ସବୁବେଳେ ସେନାର ଦବଦବା ରହି ଆସିଛି। ୧୯୪୭ରେ ଭାରତ ଠାରୁ ଅଲଗା ହେବା ପରେ ପାକିସ୍ତାନକୁ ଅଧିକାଂଶ ସମୟ ଦେଶର ସେନା ମୁଖ୍ୟ ହିଁ ଚଳାଇ ଆସିଛନ୍ତି।
ଏବେ ସେନା ମୁଖ୍ୟ ଜେନେରାଲ ସୟିଦ ଅସୀମ ମୁନିର କହିଛନ୍ତି, “ଦେଶ ସ୍ଥିର ହାତରେ ରହିବା ଦରକାର। ଅରାଜକତା ଓ ତୁଷ୍ଟୀକରଣ ରାଜନୀତିରୁ ଉପରକୁ ଯିବା ପାଇଁ ଉପଯୁକ୍ତ ଉପଶମ ଆବଶ୍ୟ। କାରଣ ଅସ୍ଥିରତା ଓ ତୁଷ୍ଟୀକରଣ ରାଜନୀତି କେବେ ହେଲେ ୨୫୦ ମିଲିୟନ ଲୋକଙ୍କ ବିକାଶ ପାଇଁ ଠିକ ନୁହେଁ।
ନିର୍ବାଚନ ଓ ଗଣତନ୍ତ୍ର ପାକିସ୍ତାନର ଲୋକଙ୍କ ସେବା ପାଇଁ। ନିର୍ବାଚନର ଅର୍ଥ କେବଳ ହାରିବା କିମ୍ବା ଜିତିବା ନୁହେଁ। ଏହା ଲୋକଙ୍କ ଜନାଦେଶକୁ ଜାଣିବା ପାଇଁ ଗୋଟିଏ ବ୍ୟବସ୍ଥା। ରାଜନୀତିକ ଦଳର ନେତୃବୃନ୍ଦ ଓ ସେମାନଙ୍କ କର୍ମୀମାନେ ନିଜ ସ୍ୱାର୍ଥରୁ ଉପରକୁ ଉଠି ଲୋକଙ୍କ ସେବା ଓ ଉତ୍ତମ ନୀତି ପ୍ରଣୟନ କରନ୍ତୁ। ଗଣତନ୍ତ୍ରକୁ ଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମ୍ଭବତଃ ଏହା ହିଁ ଉପଯୁକ୍ତ ମାଧ୍ୟମ।
ପାକିସ୍ତାନର ଲୋକମାନେ ମିଳିତ ଭାବେ ସେମାନଙ୍କ ବିଶ୍ୱାସ ପାକିସ୍ତାନର ସମ୍ବିଧାନ ଉପରେ ଦେଖାଇଛନ୍ତି। ଏବେ ସବୁ ରାଜନୀତିକ ଦଳ ସମାନ କାମ ରାଜୀତିକ ଶାଳୀନତା ଓ ଏକତା ସହ ପ୍ରଦାନ କରନ୍ତୁ।”
ପାକିସ୍ତାନର ରାଜନୀତି ଓ ରାଜନୀତିକ ଦଳଗୁଡ଼ିକ ସେନାର ସମର୍ଥନରେ ଉପରକୁ ଉଠନ୍ତି କିମ୍ବା ତଳକୁ ଖସନ୍ତୁ। ଏଥର ମଧ୍ୟ ସେନାର ବେଶ ଦବଦବା ରହିବ। ସେନା ଏଥର ପୂର୍ବତନ ପ୍ରଧାନମନ୍ତ୍ରୀ ନବାଜ ଶରିଫଙ୍କୁ ସମର୍ଥନ କରିବାର ସମ୍ଭାବନା ରହିଛି।
ଅଧିକାଂଶ ଆସନରେ ଗଣତି ବର୍ତ୍ତମାନ ଚାଲିଛି। କିନ୍ତୁ ଶରିଫ ଆଜି ସନ୍ଧ୍ୟାରେ ନିଜ ସମର୍ଥକ ଓ ପାକିସ୍ତାନବାସୀଙ୍କୁ ସମ୍ବୋଧନ କରି ତାଙ୍କ ଦଳ ସରକାର ଗଠନ କରିବାକୁ ଯାଉଥିବା କହିଛନ୍ତି।
ତାଙ୍କ କହିବା କଥା ଯେ ପିଏମଏଲ-ଏନ ଦେଶର ସର୍ବବୃହତ୍ତ ଦଳ ଭାବେ ଉଭା ହୋଇଛି। ତାଙ୍କ ଦଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମଧ୍ୟ ହାସଲ କରି ନେଇଛି। ଏଥିସହ ତାଙ୍କ ସରକାର ଦାୟିତ୍ୱ ନେବା ମାତ୍ର ସବୁ ଦେଶ ସହ ସୁସମ୍ପର୍କ ପ୍ରତିଷ୍ଠା କରି ଦେଶକୁ ବିକାଶରେ ରାସ୍ତାରେ ନେବ ବୋଲି ମଧ୍ୟ ଶରିଫ ଦମ୍ଭୋକ୍ତି କରିଛନ୍ତି।
ତେବେ ତାଙ୍କ ଦଳ ପ୍ରକୃତରେ କେତେ ଆସନ ଜିତିଛି, ସେକଥା ସେ ସାର୍ବଜନୀନ କରି ନାହାନ୍ତି। କାରଣ ଏବେ ବି ୨୬୫ଟି ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ଗଣତି ଜାରି ରହିଛି। ଭୋଟ ଗଣତି ଶେଷ ହୋଇ ନଥିବା ବେଳେ ଶରିଫଙ୍କ ଏପରି ବିଜୟ ଦାବି ସମସ୍ତଙ୍କୁ ଚକିତ କରିଛି। ସମ୍ଭବତଃ ସେ ମେଣ୍ଟ ସରକାର ଗଠନ କରିବା ମୁଡରେ ରହିଛନ୍ତି।
ସେପଟେ ନିର୍ବାଚନ କମିଶନଙ୍କ ଟ୍ରେଣ୍ଡ ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଆଗୁଆ ରହିଛି। ଜେଲରେ ଥିବା ଇମ୍ରାନ ଖାନଙ୍କ ଦଳ ପିଟିଆଇକୁ ଅବୈଧ ଘୋଷଣା କରାଯିବା ପରେ ସମସ୍ତ ପ୍ରାର୍ଥୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି। ତଥାପି ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ଆଗେଇ ଚାଲିଥିବା ପାକିସ୍ତାନର ଟିଭି ଚ୍ୟାନେଲରେ ରିପୋର୍ଟ ପ୍ରକାଶ ପାଇଛି। ସନ୍ଧ୍ୟା ଯାଏ ଏପରି ଟ୍ରେଣ୍ଡ ଜାରି ରହିଥିବା ବେଳେ ଏବେ ଏଥିରେ ଓଲଟ ପାଲଟ ହଠାତ୍ ଦେଖିବାକୁ ମିଳିଛି।
ଶରିଫ ବିଜୟୀ ନେଇ ଦାବି କରିବା ପରେ ବିଭିନ୍ନ ସ୍ଥାନରେ ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ପଛୁଆ ହୋଇଯାଇଛନ୍ତି। ଏଥିପାଇଁ ପିଟିଆଇର କର୍ମୀମାନେ ବାହାବଲପୁରରେ ଥିବା ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏହାକୁ ନେଇ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି।
ପାକିସ୍ତାନର ୨୬୫ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୩୩। ବର୍ତ୍ତମାନର ସୁଦ୍ଧା ଶେଷ ହୋଇଥିବା ଗଣତି ପରେ ପିଟିଆଇ ସମର୍ଥିତ ପ୍ରାର୍ଥୀ ୮୮ଟି, ଶରିଫଙ୍କ ଦଳ ୬୧, ପିପିପି ୫୦, ଅନ୍ୟ ଦଳ ୧୮ଟି ଆସନରେ ଜିତିଛନ୍ତି। ୨୧୭ଟି ଆସନର ରେଜଲ୍ଟ ଘୋଷଣା ହୋଇଥିବା ବେଳେ ଗୋଟିଏ ଆସନର ରେଜଲ୍ଟ ସ୍ଥଗିତ ରଖାଯାଇଛି। ସେହିପରି ଆହୁରି ୪୮ଟି ଆସନର ରେଜଲ୍ଟ ପ୍ରକାଶ ପାଇବାର ବାକି ରହିଛି।
ସେ ନ୍ୟାଶନାଲ ଆସେମ୍ବ୍ଲି ୧୫ ମାନଶେହରା ଆସନରୁ ହାରି ଯାଇଛନ୍ତି। ଶରିଫ ପାକିସ୍ତାନ ତେହରିକ ଇ ଇନସାଫ(ପିଟିଆଇ)ର ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଘଜନାଫର ଖାନଙ୍କ ଠାରୁ ପ୍ରାୟ ୨୪ ହଜାର ଭୋଟ ବ୍ୟବଧାନରେ ପରାସ୍ତ ହୋଇଛନ୍ତି।
ପାକିସ୍ତାନର ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ଶରିଫଙ୍କୁ ମାତ୍ର ୮୦,୩୮୨ ଖଣ୍ଡ ଭୋଟ ମିଳିଛି। କିନ୍ତୁ ଖାନ ୧,୦୫,୨୪୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।
ଶରିଫ ଏନଏ ୧୫ ମାନଶେହରା ଆସନରୁ ହାରିଥିଲେ ମଧ୍ୟ ଲାହୋରର ଏନଏ ୧୩୦ରେ ବିଜୟୀ ହୋଇଛନ୍ତି। ତାଙ୍କୁ ଏଠାରେ ୧,୭୨,୦୦୦ ଭୋଟ ମିଳିଛି। ତାଙ୍କ ବିରୋଧରେ ଏଠାରେ ପ୍ରାର୍ଥୀ ହୋଇଥିବା ପିଟିଆଇ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ୧,୧୩,୦୦୦ ଭୋଟ ପାଇଛନ୍ତି।
ସେହିପରି ଲାହୋର ଏନଏ ୧୧୯ରୁ ଶରିଫଙ୍କ ଝିଅ ମରୟମ ଶରିଫ, ଏନଏ ୧୧୮ରୁ ଶରିଫଙ୍କ ପୁତୁରା ହାମଜା ଓ ଏନଏ ୧୨୩ରୁ ଶରିଫଙ୍କ ସାନ ଭାଇ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିଜୟୀ ହୋଇଛନ୍ତି।
ପୁଣିଥରେ କ୍ଷମତାକୁ ଆସିବା ପାଇଁ ନିକଟରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ ନବାଜ ଶରିଫ। ପଞ୍ଜାବର ନନକାନା ସାହିବରେ ତାଙ୍କ ପାର୍ଟି ପିଏମଏଲଏନର ଏକ ରାଲିରେ ସେ ଯୋଗ ଦେଇଥିଲେ। ଏହି ସମୟରେ ତାଙ୍କ ମୁଣ୍ଡରେ ଥିଲା ଲକ୍ଷେ ଟଙ୍କିଆ ଟୋପି। ସେ ଦାମି ଟୋପି ପିନ୍ଧି ପ୍ରଚାର କରିଥିଲେ। କିନ୍ତୁ ଏଭଳି କରିବା ଏବେ ତାଙ୍କୁ ମହଙ୍ଗା ପଡିଛି। ଏହି ରାଲିର ଫଟୋ ଏବଂ ଭିଡିଓ ପାକିସ୍ତାନରେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ଲୋକେ ତାଙ୍କୁ ଟାହିଟାପରା କରିଛନ୍ତି। ପାକିସ୍ତାନବାସୀଙ୍କୁ ନବାଜ ଶରିଫଙ୍କ ଏଭଳି ଦାମୀ ଟୋପି ପିନ୍ଧି ପ୍ରଚାର କରିବା ପସନ୍ଦ ଆସି ନାହିଁ।
ବାସ୍ତବରେ ନୱାଜ ସରିଫ ରାଲିରେ ଯୋଗ ଦେବା ସମୟରେ ଯେଉଁ କ୍ୟାପ୍ ବା ଟୋପି ପିନ୍ଧିଥିଲେ ତାହା ହେଉଛି ଗୁଚି କମ୍ପାନୀର। ଯାହାର ମୂଲ୍ୟ ହଜାରେ କି ୧୦ ଜହାର ନୁହେଁ ଏକ ଲକ୍ଷରୁ ଅଧିକ। ଏହି କ୍ୟାପ୍ରେ ତିଆରି ହୋଇଥିବା ଲାଇନ୍ଗୁଡିକ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କ୍ୟାପର ଡିଜାଇନରେ ଏପରି ଷ୍ଟ୍ରାଇପ ଥିଲା, ଯାହା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ସଦୃଶ। ଏହାକୁ ନେଇ ମଧ୍ୟ ଲୋକ ତାଙ୍କ ଉପରକୁ ପ୍ରଶ୍ନ ଉଠାଇଛନ୍ତି। ତାଙ୍କୁ ତାତ୍ସଲ୍ୟ କରିଛନ୍ତି।
Dear @gucci
— Cruel but Fair (@methigundarian) January 25, 2024
Nawaz Sharif isa corrupt Pakistani politicianHe has amassed great wealth by siphoning public money of a poor nation.
He is wearng ur signature cap a brand which is held in high esteem.Nawaz Sharif wearing it has brought Gucci a bad name. note n action accordingly pic.twitter.com/L9zuyVJxGp
ପାକିସ୍ତାନର ସୋସିଆଲ ମିଡିଆ ୟୁଜରମାନେ ନୱାଜ ଶରିଫ ଏବଂ ତାଙ୍କ ଦଳର ନେତାମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଦେଶରେ ଲୋକେ ଖାଇବାକୁ ପାଉ ନ ଥିବାବେଳେ ନବାଜ ଲକ୍ଷେ ଟଙ୍କାର କ୍ୟାପ ପିନ୍ଧିବା କେତେଦୂର ଯୁକ୍ତିଯୁକ୍ତ। ଜଣେ ୟୁଜର ତାଙ୍କ କ୍ୟାପର ଡିଜାଇନ ଏବଂ ପିଟିଆଇ ପତାକା ମଧ୍ୟରେ ସମାନତା ଦର୍ଶାଇ ନବାଜ ଶରିଫ କ୍ୟାପ ପିନ୍ଧି ଇମ୍ରାନ ଖାନଙ୍କୁ ସମର୍ଥନ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି।
آج کا منظر قابل دید ہے میں آپکے جذبے کو داد دیتا ہوں اتنی سردی میں اتنے زیادہ لوگ یہاں موجود ہیں آپ پر پیار آرہا ہے دل کرتا ہے آپ سب کا ماتھا چوم لوں
— PMLN (@pmln_org) January 24, 2024
قائد مسلم لیگ (ن) محمد نوازشریف#ننکانہ_نوازشریف_کا pic.twitter.com/zD5b7LOklY
ପାକିସ୍ତାନ ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତି ଖାଦ୍ୟ ପେୟ ଜିନିଷ, ପେଟ୍ରୋଲ ଡିଜେଲ, ବିଦ୍ୟୁତ ଓ ଇନ୍ଧନ ଗ୍ୟାସର ଦାମ୍ ଆକାଶଛୁଆଁ ରହିଛି। ଏହାକୁ ନେଇ ଲୋକେ ନାନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦେଶରେ ଲଗାତର ଗରିବ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶ୍ୱ ବ୍ୟାଙ୍କର ରିପୋର୍ଟ ଅନୁସାରେ କରୋନା ମହାମାରୀ ପରେ ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦାମୀ ଟୋପି ପ୍ରଚାର କରିବାକୁ ପାକିସ୍ତାନବାସୀ ହଜମ କରିପାରୁ ନାହାନ୍ତି।
ବୁଧବାର ଇସଲମାବାଦରେ ପିଏମଏଲ-ଏନ କ୍ୟାଡରମାନଙ୍କୁ ସମ୍ବୋଧନ କରିଥିଲେ ଶରିଫ। ଦେଶରେ ଦୁର୍ବଳ ଅର୍ଥନୀତିକ ବ୍ୟବସ୍ଥା କଥା ସେ ଉଠାଇବା ସହ ଏପରି ବିପର୍ଯ୍ୟୟ ପାଇଁ ପାକିସ୍ତାନ ନିଜେ ହିଁ ଦାୟୀ ବୋଲି ଶରିଫ କହିଛନ୍ତି।
ସେ କହିଛନ୍ତି, “ଆମ ପଡ଼ୋଶୀମାନେ ଚନ୍ଦ୍ରରେ ପହଞ୍ଚି ଗଲେଣି। କିନ୍ତୁ ଆମେ ଭୂପୃଷ୍ଠରୁ ଏଯାଏ ଉଠି ପାରିନେ। ଏପରି ଭାବେ ସବୁ କିଛି ଆଉ ଚାଲି ପାରିବ ନାହିଁ। ଆମର ଅବନୀତି ପାଇଁ ଆମେ ନିଜେ ଦାୟୀ। ନଚେତ ଆମ ଦେଶ ଆଉ ଗୋଟିଏ ଭିନ୍ନ ସ୍ଥାନରେ ପହଞ୍ଚି ସାରନ୍ତାଣି। ନିଜର ବିପର୍ଯ୍ୟୟ ପାଇଁ ଆମେ କାହାକୁ ଦାୟୀ କାହିଁକି କରିବା?
୨୦୧୩ରେ ଆମେ ଏକାଧିକ ବିଜୁଳି ବିଭ୍ରାଟର ସମ୍ମୁଖୀନ ହେଉଥିଲେ। ଆମେ ଆସିଲୁ ଓ ଏହାକୁ ଶେଷ କଲୁ। ପୂରା ଦେଶରେ ଆତଙ୍କବାଦର ମୂଳପୋଛ କରି ଶାନ୍ତି ପ୍ରତିଷ୍ଠା କରିଥିଲୁ। ଜାତୀୟ ରାଜପଥ ତିଆରି ହୋଇଥିଲା।
ସିପିଇସି ଆସିଥିଲା। ନୂଆ ଯୁଗର ବିକାଶ ଓ ସୌହାର୍ଦ୍ଦ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ପାକିସ୍ତାନର ବର୍ତ୍ତମାନ ଅବସ୍ଥା ପାଇଁ ଆମେ କାହାକୁ ଦାୟୀ କରିବା? ଆମେ ନିଜ ଗୋଡ଼ରେ ନିଜେ ଗୁଳି ମାରିଛେ।”
ପିଏମଏଲ-ଏନ ସୁପ୍ରିମୋ ଶରିଫଙ୍କ କହିବା କଥା ଯେ ୨୦୧୪ରେ ତାଙ୍କ ସରକାର କ୍ଷମତାରେ ଥିବା ବେଳେ ମୁଦ୍ରାସ୍ଫୀତି ହ୍ରାସ ପାଇଥିଲା। ଗୋଟିଏ ରୁଟି ପାକିସ୍ତାନ ମୁଦ୍ରା ୨ ଟଙ୍କାରେ ମିଳୁଥିଲା। କିନ୍ତୁ ଏବେ ରୁଟି ପିକେଆର ୩୦ରେ ପହଞ୍ଚି ଯାଇଛି। ଏହାବାଦ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଫସାଇବା ପାଇଁ କେମିତି ମିଛି କେସ୍ କରାଯାଇଥିଲା, ସେକଥା ମଧ୍ୟ ଶରିଫ ସମସ୍ତଙ୍କୁ କହିଛନ୍ତି।
ନଓ୍ୱାଜ ସରିଫ ପ୍ରଥମେ ଇସ୍ଲାମାବାଦ ଆସିବେ। ସେଠାରେ ୨ ଘଣ୍ଟା ରହିବା ପରେ ଲାହୋର ଯିବେ। ଏଥିପାଇଁ ଲାହୋରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଦୁଇ ଦିନ ପୂର୍ବେ ନୱାଜ ସରିଫଙ୍କ ପାକିସ୍ତାନକୁ ଫେରିବା ପାଇଁ ଇସଲାମାବାଦ ହାଇକୋର୍ଟ ରାସ୍ତା ସଫା କରିଦେଇଛନ୍ତି। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଯାଇଛି। ଦୁଇଟି ଦୁର୍ନୀତି ମାମଲାରେ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ସେହିପରି ଅନ୍ୟ ଏକ ମାମଲାରେ ଜାରି କରାଯାଇଥିବା ୱାରେଣ୍ଟକୁ କୋର୍ଟ ବାତିଲ କରି ଦେଇଛନ୍ତି।
ନଓ୍ୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସ୍ଲିମ ଲିଗ-ନଓ୍ୱାଜର ବରିଷ୍ଠ ନେତା ଖ୍ୟାଜା ମହମ୍ମଦ ଆସିଫ କହିଛନ୍ତି, ଏହା ଉତ୍ସାହର ସମୟ। ନଓ୍ୱାଜ ସରିଫଙ୍କ ଘର ବାହୁଡା ପାକିସ୍ତାନର ଅର୍ଥବ୍ୟବସ୍ଥା ଓ ସେଠାକାର ଲୋକଙ୍କ ପାଇଁ ଭଲ ସଙ୍କେତ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦଳ ଜାରି କରିଥିବା ବୟାନ ମୁତାବକ, ନଓ୍ୱାଜ ସରିଫ ବହୁ ଦିନ ଧରି ଦୁବାଇରେ ଥିଲେ। ସେଠାରୁ ସେ ଲଣ୍ଡନ ଯାଇଥିଲେ। ଏବେ ସେଠାରୁ ସେ ରାଜଧାନୀ ଇସଲାମାବାଦ ପାଇଁ ଉଡାଣ ଭରିବେ।
୨୦୧୯ରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ ଜାମିନରେ ଜେଲରୁ ଫେରିଥିଲେ। ଏହାପରେ ସେ ପାକିସ୍ତାନ ଛାଡି ବ୍ରିଟେନ ଚାଲିଯାଇଥିଲେ। ତେବେ ସେ ପାକିସ୍ତାନ ଫେରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୂର୍ବରୁ କୁହାଯାଉଥିଲା। କିନ୍ତୁ ତାଙ୍କୁ ଏଥିରେ ଏବେ ମୁକ୍ତି ମିଳିଛି। ତାଙ୍କ ଗିରଫଦାରୀ ଉପରେ ୨୪ ଅକ୍ଟୋବର ଯାଏ କୋର୍ଟ ରୋକ ଲଗାଇ ଦେଇଛନ୍ତି।
ନୱାଜ ସରିଫଙ୍କୁ ୨୦୧୮ରେ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷିତ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଏହା ପରେ, ୨୦୧୯ରେ ତାଙ୍କୁ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ କୋର୍ଟ ଅନୁମତି ଦେଇଥିଲେ। ଏହାପରେ ନୱାଜ ସରିଫ ପାକିସ୍ତାନ ବାହାରେ ଅଛନ୍ତି।
ନୱାଜ ସରିଫ ରାଜନୀତିରେ ପ୍ରବେଶ କରିବା ପରଠାରୁ କ୍ରମାଗତ ଭାବରେ ଅନେକ ବିବାଦରେ ଘେରି ରହିଛନ୍ତି। ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କ ବିରୋଧରେ ଅନେକ ପ୍ରକାରର ଅଭିଯୋଗ ଆସିଛି। ଅନେକ ଥର ଜେଲରେ ରହି ନିର୍ବାସନର ସମ୍ମୁଖୀନ ହୋଇଥିବା ୭୩ ବର୍ଷିୟ ନୱାଜ ସରିଫଙ୍କ ବିରୋଧରେ ଏବେ ମଧ୍ୟ ଅନେକ ମାମଲା କୋର୍ଟରେ ବିଚାରାଧିନ ରହିଛି।
ବିଗତ କିଛି ବର୍ଷ ହେଲାଣି ପାକିସ୍ତାନ ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ପଡ଼ିଛି। ଦେଶର ମୁଦ୍ରାସ୍ଫୀତି ଦୁଇ ସଂଖ୍ୟାରେ ପହଞ୍ଚିଥିବା ବେଳେ ଗରିବ ଲୋକମାନେ ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଛନ୍ତି।
ଏହାକୁ ଦୃଷ୍ଟିରେ ରଖି ଶରିଫ ଦଳୀୟ ବୈଠକରେ କହିଛନ୍ତି, “ଆଜିକା ଦିନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଣ୍ଠି ପାଇଁ ଦେଶ ଦେଶ ବୁଲୁଛନ୍ତି। କିନ୍ତୁ ଭାରତ ଜହ୍ନରେ ପହଞ୍ଚି ଥିବା ବେଳେ ଜି-୨୦ ସମ୍ମିଳନୀ ଆୟୋଜନ କରିଛି।
ଭାରତ ଭଳି କାହିଁକି ପାକିସ୍ତାନ ବିକାଶ କରିପାରି ନାହିଁ? ଏଥିପାଇଁ କିଏ ଦାୟୀ?” ଶରିଫ ଲଣ୍ଡନରେ ଥିବା ବେଳେ ଭିଡିଓ କନଫରେନ୍ସିଂ ଜରିଆରେ ପାର୍ଟିର ନେତାଙ୍କୁ ସମ୍ବୋଧନ କରିବା ବେଳେ ଏପରି କହିଛନ୍ତି।
ଶରିଫ ଆହୁରି କହିଛନ୍ତି, “ଯେତେବେଳେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ଭାରତ ପାଖରେ ଗୋଟିଏ ବିଲୟନ ଡଲାରର ପାଣ୍ଠି ଥିଲା। କିନ୍ତୁ ଏବେ ଭାରତର ବିଦେଶ ପାଣ୍ଠି ୬୦୦ ବିଲିୟନ ଡଲାରରେ ପହଞ୍ଚି ଗଲାଣି। ଭାରତ ଆଜି କେଉଁଠି ପହଞ୍ଚିଥିବା ବେଳେ ପାକିସ୍ତାନ ପଛରେ ପଡ଼ି କେବଳ ଭିକ ମାଗିବାରେ ଲାଗିଛି।”
ଜୁଲାଇ ମାସରେ ଆଇଏମଏଫ ପାକିସ୍ତାନକୁ ୧.୨ ବିଲିୟନ ଡଲାରର ସହାୟତା କରିଥିଲା। ଏହାକୁ ଆଧାର କରି ଶରିଫ ଏପରି କଥା କହିଛନ୍ତି। ଏଥିସହ ପାକିସ୍ତାନର ଆର୍ଥିକ ସ୍ଥିତି ପାଇଁ ସେ ପାକିସ୍ତାନର ଏକାଧିକ ପୂର୍ବତନ ଜେନେରାଲ ଓ ବିଚାରପତିମାନଙ୍କୁ ମଧ୍ୟ ଦାୟୀ କରିଛନ୍ତି।