୨୦୧୪ରେ ସେ ଏନ୍ଡିଏରେ ଯୋଗଦେଇଥିଲେ। କିନ୍ତୁ ଇଣ୍ଡିଆନ୍ ନାଭିରେ ଟ୍ରେନିଂ ଚାଲିଥିବା ବେଳେ ଅର୍ଥାତ୍ ଟ୍ରେନିଂରେ ଯୋଗଦେବାର ଠିକ୍ ୨ ବର୍ଷ ପରେ ଦୁର୍ଘଟଣାରେ ତାଙ୍କ ଆଣ୍ଠୁ ଖସିଗଲା। ଦୀର୍ଘଦିନ ଧରି ମେଡିକାଲରେ ଆଡମିଟ ହେଲେ। ଶାରୀରିକ ଫିଟନେସ୍ ନଥିବାରୁ ପରେ ତାଙ୍କୁ ଏନ୍ଡିଏରୁ କାଢ଼ି ଦିଆଯାଇଥିଲା। ଫଳରେ ତାଙ୍କର ୩ ବର୍ଷ ବରବାଦ ହୋଇଯାଇଥିଲା। ତେଣୁ ମନ ଦୁଃଖରେ ସେ ଓଡ଼ିଶା ଫେରିଥିଲେ।
ଓଡ଼ିଶା ଆସି ପୁଣି ଥରେ ଡିଷ୍ଟାନ୍ସରେ ଯୁକ୍ତ ୩ ପରୀକ୍ଷା ଦେଇଥିଲେ। ସଫଳତାର ସହ ଡିଗ୍ରୀ ହାସଲ କରିଥିଲେ। ୨୦୨୦ରେ ଓଏଏସ୍ ପରୀକ୍ଷା ପାଇଁ ପ୍ରଥମ ଉଦ୍ୟମ କରିଥିଲେ। ହେଲେ ଏଥିରେ ବିଫଳ ହୋଇଥିଲେ। ମାତ୍ର ଦ୍ୱିତୀୟ ଉଦ୍ୟମ ଫେଲ ମାରି ନ ଥିଲା, ୨୦୨୧ରେ ଦେଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୧୫ ରାଙ୍କରେ ପାସ୍ କରିଛନ୍ତି। ଆଜି ପ୍ରକାଶ ପାଇଥିବା ପରୀକ୍ଷା ଫଳକୁ ଶୁଣିବା ପରେ ସେ ବହୁତ ଖୁସୀ।
ସେ କହିଛନ୍ତି, ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ନିମନ୍ତେ ତାଙ୍କୁ କୋଚିଂ ଦେଉଥିବା ଶିକ୍ଷକମାନଙ୍କ ଭୂମିକା ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରତିଦିନ ଏଥିନିମନ୍ତେ ୧୨ ଘଣ୍ଟା ପଢ଼ାପଢ଼ିରେ ଦେବାକୁ ପଡ଼ୁଥିଲା। ଏବେ ସେ ୟୁପିଏସ୍ସି ମେନ୍ ପରୀକ୍ଷା ଦେବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ତେବେ ଓପିଏସ୍ସିରେ କୃତକାର୍ଯ୍ୟ ହୋଇଥିବାରୁ ଖୁବ୍ ଖୁସୀ ଲାଗୁଛି। ଯେକେହି ଦୃଢ଼ ଲକ୍ଷ୍ୟ ରଖି ପଢ଼ାପଢ଼ି କରିବ ସଫଳତା ପାଇପାରିବ।
ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଥିବା ବେଳେ ପ୍ରଥମ ୧୦ଟି ସ୍ଥାନରେ ୫ ପୁଅ ଓ ୫ ଝିଅ ଅଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ତାଲିକାର ଦ୍ୱିତୀୟ ସୋଥାନରେ ଥିବା ବେଳେ ପ୍ରଣବ ରଂଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ୪ର୍ଥ, ଶ୍ୱେତଲିନା ମାହାନା ୫ମ, ଅଗ୍ନିଜା ଶିବଦତ୍ତା ୬ଷ୍ଠ, ସନ୍ତୋଷ କୁମାର ପାତ୍ର ୭ମ, ମୀମାଂସା ସାହୁ ୮ମ, ବିନ୍ଦୁ ବଳୟ ରାଉତରାୟ ୯ମ ଓ ସୌମ୍ୟରଂଜନ ମହାପାତ୍ର ୧୦ମ ସ୍ଥାନରେ ରହିଛନ୍ତି।
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୧ ନିମନ୍ତେ ଚଳିତ ବର୍ଷ ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୧୮ ତାରିଖ ମଧ୍ୟରେ ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହା ପରେ ଚଳିତ ଜୁଲାଇ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ପର୍ସନାଲିଟି ଟେଷ୍ଟ ଅନୁଷ୍ଠିତ ହୋଇଥିଲା। ପରୀକ୍ଷାର୍ଥୀମାନେ htpp://opsc.gov.in କୁ ଯାଇ ସେମାନଙ୍କ ରେଜଲ୍ଟ ଜାଣିପାରିବେ।
ଚତୁର୍ଥ ସ୍ଥାନ ହାସଲ କରିଥିବା କଟକର ବୈଶାଖୀ ଲେଙ୍କା କହିଛନ୍ତି, ଏଇଟା ମୋର ଦ୍ୱିତୀୟ ପ୍ରୟାସ ଥିଲା। ପ୍ରଥମ ଥର ସାକ୍ଷାତକାର ପର୍ଯ୍ୟନ୍ତ ଯାଇଥିଲି। କିନ୍ତୁ ପାଇ ନଥିଲି। କିନ୍ତୁ ତା’ ପରେ ପୁଣି ପରିଶ୍ରମ କଲି। ଏଥର ପାଇବି ବୋଲି ବିଶ୍ୱାସ ଥିଲା। କିନ୍ତୁ ଚତୁର୍ଥ ସ୍ଥାନରେ ରହିବି ବୋଲି ଭାବି ନଥିଲି।
2021-22 ବର୍ଷ ପାଇଁ ଅନୁଷ୍ଠିତ ଓସିଏସ୍ ପ୍ରିଲିମ୍ ପାଇଁ ପ୍ରାୟ ୭୦ ହଜାର ପିଲା ପରୀକ୍ଷା ଦେଇଥିଲେ। ସେଭିତରୁ ମେନ୍ ପାଇଁ ୫ ହଜାର ସିଲେକ୍ଟ ହୋଇଥିଲା ବେଳେ, ଶେଷ ପର୍ଯ୍ୟାୟ ସାକ୍ଷାତକାର ପରୀକ୍ଷା ମନୋନୀତ ହୋଇଥିଲେ ପ୍ରାୟ 8 ଶହ ପ୍ରାର୍ଥୀ।
ରାଜ୍ୟ ବିହନ ନିଗମ ପରିଚାଳନା ନିର୍ଦ୍ଦେଶକ ବରିଷ୍ଠ ଓଏଏସ୍ ଭବେଶ କୁମାର ନାୟକ ଅତିରିକ୍ତ ଭାବେ ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ତୁଲାଇବେ । ସେହିପରି ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ତନ୍ମୟ କୁମାର ଦରୱାନଙ୍କୁ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଆରତୀ ସାହୁଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛି ।
ସେହିପରି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଭାବେ ଓଏଏସ୍ ଦୀନକୃଷ୍ଣ କରଙ୍କୁ ନିଯୁକ୍ତି ମିଳିଛି । ଶ୍ରୀ ଆରୁଖ ବାଚସ୍ପତି ଥିବାବେଳେ ଶ୍ରୀ କର ତାଙ୍କର ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିଲେ । କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ନାରାୟଣ ଚନ୍ଦ୍ର ନାୟକଙ୍କୁ କାମାକ୍ଷାନଗର ଉପଜିଲ୍ଲାପାଳ, ନରେନ୍ଦ୍ର ନାୟକଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଖାଲ ଚନ୍ଦ୍ର ପରିଡ଼ାଙ୍କୁ ବାରିପଦା ଅତିରିକ୍ତ ଉପଜିଲ୍ଲାପାଳ, ରାଜକିଶୋର ଜେନାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଉପକମିଶନର ଓ ଆଲୋକ କୁମାର ଦେହୁରୀଙ୍କୁ ଆଠଗଡ଼ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।
ଦାନଗଦୀ ବ୍ଲକ ଚିତ୍ରୀ ଗାଁର ରବୀନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁଅ ବିଶ୍ୱଜିତ ସାହୁ। ପରିବାର କହିଲେ ପତ୍ନୀ, ପୁଅ ଓ ଦୁଇ ଝିଅ। ଗାଡ଼ି ଚଳାଇ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ରବୀନ୍ଦ୍ରଙ୍କ ପରିବାର। ପିଲା ବେଳୁ କିନ୍ତୁ ବିଶ୍ୱଜିତ ମେଧାବୀ ଥିଲେ। ପ୍ରଥମିକ ଶିକ୍ଷା ଶେଷ ହେବା ପରେ ସେ ଗାଁ ପାଖ ଟୋଲକାନୀ ହାଇସ୍କୁଲରେ ମାଟ୍ରିକ ପଢ଼ୁଥିଲେ। ୨୦୦୭ ମସିହାରେ ସେ ମାଟ୍ରିକ୍ ପାସ କରିଥିଲେ। ମାଟ୍ରିକ୍ ପାସ କରିବା ପରେ ସେ କଟକରେ ଏକ ପ୍ରାଇଭେଟ୍ କଲେଜରେ ବିଜ୍ଞାନରେ ନାମ ଲେଖାଇଥିଲେ।
ଯୁକ୍ତ ଦୁଇ ପାସ୍ କରିବା ପରେ ସେ କଳାହାଣ୍ଡି ସ୍ଥିତ ସରକାରୀ ବୈଷୟିକ ମହାବିଦ୍ୟାଳୟରେ ମେକାନିକାଲ୍ ଡିଗ୍ରୀ ହାସଲ କରିଥିଲେ। ପରେ ସେ ଗେଟ୍ ପରୀକ୍ଷାରେ ସଫଳତା ପାଇଥିଲେ। ମାତ୍ର ଅର୍ଥ ଅଭାବରୁ ସ୍ନାତକୋତ୍ତର ଶିକ୍ଷାରୁ ବଞ୍ଚିତ ହୋଇଥିଲେ। ବାପା ଗାଡ଼ି ଚଳାଇ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପରିବାର। ତେଣୁ ବିଶ୍ୱଜିତଙ୍କ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଯୋଗାଡ଼ କରିପାରିନଥିଲା। ଯେଉଁଥିପାଇଁ ବିଶ୍ୱଜିତ କିଛି ମାସ ଧରି ଘରୋଇ ବୈଷୟିକ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।
ତେବେ ୨୦୧୮ ସେପ୍ଟେମ୍ବର ୩୦ ତାରିଖରେ ଚଢ଼େଇଧରାଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଏଥିରେ ବିଶ୍ୱଜିତଙ୍କ ବାପା ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ପରିବାରର ସବୁ ବୋଝ ବିଶ୍ୱଜିତଙ୍କ ଉପରେ ପଡ଼ିଥିଲା। ପୂର୍ବରୁ ମସ୍ତିଷ୍କ ମ୍ୟାଲେରିଆରେ ଜଣେ ସାନ ଭଉଣୀର ମୃତ୍ୟୁ ଓ ପରେ ବାପାଙ୍କ ମୃତ୍ୟୁ ତାଙ୍କୁ ମାନସିକ ଆଘାତ ଦେଇଥିଲା। ଘରେ ବିଧବା ମାଆ ଓ ଅନ୍ୟଜଣେ ସାନ ଭଉଣୀର ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା। ପାଠ ପଢ଼ୁଥିବା ବେଳେ ହଠାତ୍ ପରିବାରର ବୋଝ ମୁଣ୍ଡାଇବା ତାଙ୍କ ପାଇଁ କଷ୍ଟକର ହେଉଥିଲା। ଏପରି ସ୍ଥିତି କଣ କରିବେ ବିଶ୍ୱଜିତ? କିନ୍ତୁ ସମୟ ଆଗରେ ହାର ମାନିନଥିଲେ। ଚଟ୍ଟାଣ ପରି ସମୟ ଓ ପରିସ୍ଥିତିକୁ ସାମ୍ନା କରିଥିଲେ।
ପରିବାର ଚଳାଇବା ପାଇଁ ରୋଜଗାରର ପନ୍ଥା ଖୋଜିଥିଲେ। ଆଇଏଏସ୍ ହେବାର ଲକ୍ଷ୍ୟ ରଖିଥିବା ବିଶ୍ୱଜିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ପାଇଁ ଇଣ୍ଟରଭ୍ୟୁ ଦେଲେ। ଆଉ ସଫଳ ମଧ୍ୟ ହେଲେ। ୨୦୧୮ ନଭେମ୍ବରରେ ପାରାଦୀପ ଗୁଡ୍ସ ଟ୍ରେନ୍ର ଗାର୍ଡ଼ ଭାବେ ଚାକିରି ପାଇଥିଲେ। ଗତ ୩ ବର୍ଷ ଧରି ସେ ଏବେ ପୂର୍ବତଟ ରେଳବାଇର ଗୁଡ୍ସ ଟ୍ରେନ୍ର ଗାର୍ଡ ଭାବେ କାମ କରୁଛନ୍ତି। ଆଉ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ସମ୍ପାଦନ କରୁଛନ୍ତି। ଚାକିରି ଭିତରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଆଶା କିନ୍ତୁ ଛାଡ଼ି ନାହାନ୍ତି ବିଶ୍ୱଜିତ। ଚାକିରି ଭିତରେ ସମୟ ମିଳିଲେ ବହି ଧରି ବସି ଯାଉଥିଲେ। ଆଉ ମନ ଦେଇ ପାଠ ପଢ଼ିବାରେ ଲାଗି ଯାଉଥିଲେ। ଯାହା ତାଙ୍କୁ ସଫଳତା ଦେଇଛି। ଆଉ ଓଏଏସ୍ ଅଫିସର ବନିଛନ୍ତି।