ଏଚଡିଆଇ ଜାରି କରିଥିବା ୧୯୩ ଦେଶର ତାଲିକାରେ ଭାରତର ସ୍ଥାନ ୧୩୪ ନମ୍ବରରେ ରହିଛି। ୨୦୨୨ରେ ଥିବା ତଥ୍ୟକୁ ଆଧାର କରି ରିପୋର୍ଟ ପ୍ରକାଶ କରାଯାଇଛି। ଭାରତର ମୋଟ ଏଚଡିଆ ସ୍କୋର ହେଉଛି ୦.୬୪୪। ଏହି ପଏଣ୍ଟ ଆଧାରରେ ଭାରତ ମଧ୍ୟମ ମାନବ ବିକାଶ ଅର୍ଥ ମଧ୍ୟମ ଗତିରେ ମାନବ ବିକାଶ କରୁଥିବା ଦେଶର ତାଲିକାରେ ରହିଛି।
ମିଳିତ ଜାତିସଂଘ ପକ୍ଷରୁ ୨୦୨୩/୨୪ ଜାରି ରିପୋର୍ଟର ନାଁ ‘Breaking the Gridlock: Reimagining Cooperation in a Polarised World' ରଖାଯାଇଛି।
୧୯୯୦ରେ ଭାରତର ଏଚଡିଆ ୦.୪୩୪ ପଏଣ୍ଟ ଥିଲା। ୨୦୨୨ ବେଳକୁ ଏଥିରେ ୪୮.୪% ସକାରାତ୍ମକ ପରିବର୍ତ୍ତନ ହୋଇଛି। ମାନବ ବିକାଶ, ଦୀର୍ଘ ଓ ସୁସ୍ଥ ଜୀବନ, ଶିକ୍ଷାଧିକାର ଓ ଜୀବନ ଶୈଳୀର ମାନ ଭଳି ତଥ୍ୟକୁ ଆଧାର କରି ଏଚଡିଆଇ ପ୍ରସ୍ତୁତ କରାଯାଏ।
ମିଳିତ ଜାତିସଂଘର ବିକାଶମୂଳକ କାର୍ଯ୍ୟକ୍ରମର ପ୍ରତିନିଧି କାଇଟ୍ଲିନ ୱାଇଜନ କହିଛନ୍ତି, “ବିଗତ ବର୍ଷ ଗୁଡ଼ିକରେ ଭାରତ ମାନବ ବିକାଶରେ ଅହେତୁକ ପରିବର୍ତ୍ତନ କରିଛି।
୧୯୯୦ରୁ ଇତି ମଧ୍ୟରେ ଜୀବନ ଧାରଣ କ୍ଷମତା ୯.୧ ବର୍ଷ ବଢ଼ିଛି। ସ୍କୁଲ ଶିକ୍ଷାର ଆଶାତୀତ ବର୍ଷ ୪.୬କୁ ବଢ଼ିଛି। ଏହାର ଅର୍ଥ ସ୍କୁଲ ଶିକ୍ଷାର ଅଭିବୃଦ୍ଧି ୩.୮ ବର୍ଷକୁ ବଢ଼ିଛି। ଭାରତର ମୁଣ୍ଡ ପିଛା ଆୟ ପ୍ରାୟ ୨୮୭% ଅଭିବୃଦ୍ଧି ହୋଇଛି।”
ଭାରତ ବେଶ ଭଲ ଭାବେ ଲିଙ୍ଗଗତ ଅସମାନତାକୁ ଦୂର କରିବାକୁ ଚେଷ୍ଟା ଜାରି ରଖିଛି। ଭାରତର ଲିଙ୍ଗଗତ ଅସମାନତା ସୂଚକାଙ୍କ ବା ଜିଆଇଆଇ ୦.୪୩୭ ରହିଛି। ଏହା ବିଶ୍ୱର ଜିଆଇଆଇ ହାର ଠାରୁ ଢେର ଭଲ। ଭାରତ ଏହି ତାଲିକାରେ ଥିବା ୧୬୬ ଦେଶ ମଧ୍ୟରୁ ୧୦୮ ନମ୍ବରରେ ରହିଛି।
ପାଖ ବେଞ୍ଚରେ ବସିଥିବା ଗୋଟେ ଛୋଟ ଝିଅ ଆଉ ତା ମା’ ବସି କଥାବାର୍ତ୍ତା ହେଉଥାନ୍ତି। ଝିଅଟିର ବୟସ ୫ କି ୬ ବର୍ଷ ହେବ।
ସଂଗୀତାଙ୍କ କାନରେ କିଛି କିଛି କଥା ବାଜୁଥାଏ। ସେ ଛୁଆ ସହ ତା ମା’ ଏବଂ ଆଉ ଜଣେ ମହିଳା ଉଭୟ ହିଂଲିଶ(ହିନ୍ଦୀ ଏବଂ ଇଂଲିଶ ମିଶ୍ରିତ) ଭାଷାରେ କଥା ହଉଥାନ୍ତି।
ହଠାତ ପିଲାଟି କହି ଉଠିଲା, ‘ମମ୍ମି ଦେଖ ଗୋଟେ କାଉ।’
ଅଚାନକ ମହିଳାଙ୍କ ଛୁଆ ପ୍ରତି ଥିବା କଥା ଶୁଣି ଚମକି ପଡ଼ିଲେ ସଂଗୀତା।
ମହିଳାଙ୍କ ଉକ୍ତିଟି ଥିଲା କିଛି ଏହିପରି- ‘ବେଟା ଇଟ୍ସ କ୍ରୋ, ଡୋଣ୍ଟ ସେ କାଉ!’
ପିଲାଟି କହିଲା,‘ମମ୍ମି ଆମ ଘର ପାଖ ଦାଦିମା’ ତ କହୁଥିଲେ ଏଇଟା କାଉ ବୋଲି!’
ମହିଳା ଜଣକ ଛୁଆକୁ କହିଲେ, ‘ପାଠ ନ ପଢ଼ିଥିବା ଲୋକ ଏମିତି କୁହନ୍ତି। ବଟ୍ ୟୁ ଆର୍ ମାଇଁ ଚାମ୍ପିଅନ, ରାଇଟ୍! ସୋ ଡୋଣ୍ଟ ସେ ଲାଇକ୍ ଅଦର୍ସ। ସ୍ପିକ୍ ଇନ୍ ଇଂଲିଶ ବେଟା।’
ବିଚାରି ପିଲାଟି ଏତିକି ଶୁଣି କଣ ଭାବିଲା କେଜାଣି ସଂଗୀତା ପଢୁଥିବା ବହିକୁ ଟିକେ କିଛି ସମୟ ଚାହିଁ ରହିଲା।
ଏହି କଥୋପକଥନ ଶୁଣି ସଂଗୀତା ଅବାକ ହୋଇ ସେମାନଙ୍କ ଆଡ଼କୁ ଚାହିଁ ରହିଥିଲେ କିଛି ସମୟ। ହଠାତ ସେ ମହିଳାଙ୍କ ଆଖି ସହ ଆଖି ମିଶିଲା ପରେ ସେ ମହିଳା କେବଳ ଆତ୍ମତୃପ୍ତିର ହସଟିଏ ହସିଦେଲେ।
ସଂଗୀତାଙ୍କୁ ବାରମ୍ବାର ଆସୁଥାଏ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ସେହି ପ୍ରସିଦ୍ଧ ପଦଟି- ‘ମାତୃଭୂମି ମାତୃଭାଷାରେ ମମତା ଯା’ ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?’
ଏ ଘଟଣା ମହିଳା, ତାଙ୍କ ଛୁଆର କଥା ନୁହେଁ। ଏ ଦୃଶ୍ୟଟି ହେଉଛି ଆଜିର ଦିନରେ ଆମ ଚାରି ପାଖରେ ଘଟୁଥିବା ଦୈନନ୍ଦିନ ଜୀବନର ଏକ ଅଂଶ। ଜ୍ଞାନୀ, ଭଦ୍ର, ମାର୍ଜିତ ଏବଂ ଆଧୁନିକତାର ଦୌଡ଼ରେ ସାମିଲ ହୋଇ ଆମେ ଧୀରେ ଧୀରେ ନିଜର ମୌଳିକତାକୁ ଯେ ହରେଇ ଦଉଚୁ, ସେଥିପ୍ରତି କାହାର ବି ତିଳେ ମାତ୍ର ଚିନ୍ତା ନାଇଁ। ମାତୃଭାଷା ଯେ ଆମ ଗର୍ବ ଆମ ସଂକୃତି ଏବଂ ଆମ ପରିଚୟ ଏହା ଆମେ ଭୁଲି ଗଲୁଣି।
- ସୌମ୍ୟା ମହାପାତ୍ର -
ତେବେ, ଏହି ଦୃଶ୍ୟ ବାସ୍ତବରେ ଯେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ, କୋରାପୁଟ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନଙ୍କ ଭୂମିକା ଓ ସେ ସଂକ୍ରାନ୍ତରେ ବିଜେଡିର ମୁଖପତ୍ର କୁହାଯାଉଥିବା ‘ସକାଳ’ ଖବରକାଗଜର ପ୍ରଥମ ପୃଷ୍ଠାରେ ଯେଉଁ ତିନୋଟି ଫଟୋ ପ୍ରକାଶିତ ହେଲା ତାହା ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କୁ ଓଡ଼ିଶାରେ ବିଜେଡି ଶାସନର ପ୍ରକୃତ ଉତରାଧିକାରୀ କିଏ ତାହା ଅଧିକ ସ୍ପଷ୍ଟ କରିଦେଇଛି। ଏହି ତିନୋଟି ଫଟୋ ମଧ୍ୟରୁ ଗୋଟିକରେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୋଟିଏ କାଗଜ ଧରି ଲୋକମାନଙ୍କୁ ଦେଖାଉଥିବା ସମୟରେ ପାର୍ଶ୍ୱରେ ତାଙ୍କର ସଚିବ ପାଣ୍ଡିଆନ୍ ମୁହଁରେ ମାଇକ୍ ଧରି ଛିଡ଼ା ହୋଇଥିବା ଦେଖାଯାଉଛି। ଦ୍ୱିତୀୟ ଫଟୋରେ ବିଧାୟକ ତାରା ପ୍ରସାଦ ବାହିନୀପତି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବା ସମୟରେ ୫-ଟି ସଚିବ କୁହାଯାଉଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦେଉଥିବାର ଫଟୋ ପ୍ରକାଶିତ ହୋଇଛି। ତୃତୀୟ ଫଟୋରେ କୋରାପୁଟର ପ୍ରାଚୀନ ଗୁପ୍ତେଶ୍ୱର ମନ୍ଦିରର କାୟାକଳ୍ପ ବଦଳାଇବା ପାଇଁ ମନ୍ଦିର ନବୀକରଣ ସାଙ୍ଗକୁ ଚତୁଃପାର୍ଶ୍ୱର ନବକଳେବର ନିମନ୍ତେ ମ୍ୟାପ୍ ଦେଖି କିପରି ପାଣ୍ଡିଆନ୍ ନିର୍ଦ୍ଦେଶ ଦେଉଛନ୍ତି, ତାହାର ଫଟୋ ମଧ୍ୟ ପ୍ରକାଶିତ ହୋଇଛି।
ଏହି ଫଟୋଗୁଡ଼ିକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଯେ ଶ୍ରୀ ପାଣ୍ଡିଆନ୍ ଆଉ ଜଣେ ସାଧାରଣ ସଚିବ ହୋଇ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ପଛକୁ ସେହି ହିଁ ରାଜ୍ୟର ଶାସନ ଓ ରାଜନୀତିରେ ପ୍ରମୁଖ ବ୍ୟକ୍ତି ବୋଲି ସେହି ଫଟୋଚିତ୍ରଗୁଡ଼ିକୁ ଅନୁଧ୍ୟାନ କଲେ ସହଜରେ ଜାଣିହେଉଛି। ଯଦିଓ ବିଭିନ୍ନ ସମୟରେ ରାଜ୍ୟର ବିରୋଧୀ ଦଳମାନେ ଓ ସରକାରଙ୍କ ସମାଲୋଚକମାନେ ରାଜ୍ୟରେ ପାଣ୍ଡିଆନ୍ ହିଁ ପ୍ରକୃତ ଶାସକ ଓ ନବୀନ ପଟ୍ଟନାୟକଙ୍କ ନାମକୁ ମାତ୍ର ବ୍ୟବହାର କରାଯାଉଛି ବୋଲି ବରାବର ଉଲ୍ଲେଖ କରନ୍ତି। ଭାରତୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟମାନଙ୍କରେ ମୁଖ୍ୟମନ୍ତ୍ରୀମାନେ ପ୍ରକୃତ ଶାସକ ହେଲେ ମଧ୍ୟ ସେମାନଙ୍କର ସଚିବମାନେ ଶାସନର ଅସଲ କାମ କରନ୍ତି ବୋଲି କୁହାଯାଏ। ଅନେକ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଅତ୍ୟନ୍ତ କ୍ଷମତାଶାଳୀ ଅମଲାତନ୍ତ୍ରୀ ଭାବରେ ବିବେଚିତ ହୁଅନ୍ତି। ସେହି ଦୃଷ୍ଟିରେ ଦେଖିଲେ ଭି.କେ. ପାଣ୍ଡିଆନ୍ ରାଜ୍ୟରେ ସର୍ବାଧିକ କ୍ଷମତାଶାଳୀ ଅମଲାତନ୍ତ୍ରୀ ଭାବରେ ମାନ୍ୟତା ପାଇବାରେ କେହି ଆପତ୍ତି କରିପାରିବେ ନାହିଁ। କିନ୍ତୁ କୌଣସିଠାରେ ସଚିବମାନେ ସାଧାରଣରେ ରାଜନୈତିକ ବ୍ୟକ୍ତି ବା ନିର୍ଦ୍ଦେଶଶକ ଭାବରେ କାମ କରିବାର ପରମ୍ପରା ନାହିଁ। ମାତ୍ର ଓଡ଼ିଶାରେ ଏହି ପ୍ରକ୍ରିୟା ଗତ କିଛିବର୍ଷ ହେଲା ଯେପରି ଚାଲିଛି ସେଥିରେ ଭି.କେ. ପାଣ୍ଡିଆନଙ୍କୁ ଜଣେ ସାଧାରଣ ବା ଅସାଧାରଣ ଅମଲାତନ୍ତ୍ରୀ ଭାବରେ ବିଚାର ନକରି ମୁଖ୍ୟମନ୍ତ୍ରୀଙ୍କ ପରେ ଜଣେ ରାଜନୈତିକ ନିର୍ଦ୍ଦେଶକ ଭାବେ ବିଚାର କରିବାକୁ ପର୍ଯ୍ୟବେକ୍ଷକମାନେ ବାଧ୍ୟ ହେଉଛନ୍ତି। ଶ୍ରୀ ପାଣ୍ଡିଆନଙ୍କର ଏହି ଭୂମିକା ଓ ଗଣମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ସତ୍ତ୍ୱେ ତାଙ୍କର ଫଟୋଚିତ୍ରକୁ ଦେଖିଲେ ମନେ ହେଉଛି, ସେ ଅସାଧାରଣ କ୍ଷମତା ଓ ଶକ୍ତିର ଅଧିକାରୀ ହୋଇଛନ୍ତି।
ବିଜୁ ଜନତା ଦଳ ଗତ ୨୩ ବର୍ଷ ହେଲା ରାଜ୍ୟରେ କ୍ଷମତାରେ ରହିଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ପାଞ୍ଚଟି ନିର୍ବାଚନ ଜିଣି ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଆସନକୁ ଅତି ଦୃଢ଼ କରିଦେଇଛନ୍ତି। ବାସ୍ତବରେ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ ସାରା ଦେଶରେ ଆଂଚଳିକ ଦଳମାନଙ୍କ ଭିତରେ ସବୁଠାରୁ ଶକ୍ତିଶାଳୀ ଓ ସଂଗଠିତ ଦଳ ଭାବରେ ବିଚାର କରାଯାଉଛି। ବାସ୍ତବରେ ବିଜୁ ଜନତା ଦଳକୁ ନେଇ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ଓ ଗବେଷକମାନେ ବିଭିନ୍ନ ସମୟରେ ବିଚାର ଆଲୋଚନା କରୁଛନ୍ତି। ୨୦୧୫ରେ ରାଜନୈତିକ ବିଶେଷଜ୍ଞ ଜେମ୍ସ ମ୍ୟାନର୍ ବିଜୁ ଜନତା ଦଳର ଶକ୍ତି ବିଷୟରେ ଏକ ଅଧ୍ୟୟନ କରିଥିଲେ। ବାସ୍ତବରେ ଭାରତର ଅନ୍ୟ କୌଣସି ଆଂଚଳିକ ଦଳ ବା ଆଂଚଳିକ ନେତା ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସଫଳତା ପାଇନାହାନ୍ତି। ଏହାର ବହୁତଗୁଡ଼ିଏ କାରଣ ଅଛି। ଏବେ ନିକଟରେ ଜଣେ ରାଜନୈତିକ ଗବେଷକ ଅସିମ୍ ଅଲ୍ଲୀ ଧୃବୀକରଣ ରାଜନୀତିର ପରବର୍ତ୍ତୀ ଅଧ୍ୟାୟରେ ଆମ୍ ଆଦମୀ ପାର୍ଟି ଓ ବିଜେଡି ସଂକ୍ରାନ୍ତରେ ଏକ ଆଲେଖ୍ୟ ଦେଶର ଏକ ପ୍ରମୁଖ ଦୈନିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
ସେହି ପରିପ୍ରେକ୍ଷୀରେ ଦେଖିଲେ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା ଓ ବୟସ ଦୃଷ୍ଟିରୁ ତାଙ୍କର କିଏ ଉତ୍ତରାଧିକାରୀ ହେବ, ତାହା ନେଇ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଯେହେତୁ ନବୀନ ପଟ୍ଟନାୟକ ବରାବର କହୁଛନ୍ତି ଯେ ତାଙ୍କର ଉତ୍ତରାଧିକାରୀ ଓଡ଼ିଶାର ଜନସାଧାରଣ ସ୍ଥିର କରିବେ। ନବୀନ ପଟ୍ଟନାୟକଙ୍କ ପରିବାରରୁ କେହି ଏହି ଦାୟିତ୍ୱ ନେବାର ସମ୍ଭାବନା ଦିନକୁ ଦିନ କ୍ଷୀଣ ହୋଇ ଚାଲିଛି। ବିଜୁ ଜନତା ଦଳର ସାଂଗଠନିକ ଢାଂଚା ଯାହା, ସେଥିରେ ଦଳ ଭିତରୁ ନେତୃତ୍ୱ ପ୍ରତିଷ୍ଠା ନିମନ୍ତେ କେହି ଉଦ୍ୟମ କରିବାର ସମ୍ଭାବନା ନାହିଁ। ବାସ୍ତବରେ ଦଳ ଭିତରେ ଏପରି କୌଣସି ବ୍ୟକ୍ତି ନାହାନ୍ତି ଯାହାଙ୍କ ପଛରେ ଅଧିକାଂଶ ଦଳୀୟ ନେତା, ବିଧାୟକ ବା ଜନସାଧାରଣ ସଂଗଠିତ ହୋଇପାରିବେ। ଦଳର ସବୁ ପୁରୁଖାନେତା ଆଉ ଦଳ ଭିତରେ ନାହାନ୍ତି କିମ୍ବା ଯେଉଁ କେତେଜଣ ଅଛନ୍ତି, ସେମାନେ ନେତା ବୋଲି ନିଜକୁ ଦାବି କରିପାରୁ ନାହାନ୍ତି। ଅଧିକାଂଶ ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ଅନୁଗତ କର୍ମୀ ଭାବରେ ହିଁ କାମ କରୁଛନ୍ତି। ଦଳ ଭିତରେ ଭିନ୍ନମତ ପ୍ରକାଶ କରିବାର ବା ଆଲୋଚନା କରିବା ପାଇଁ କୌଣସି ଅବକାଶ ନାହିଁ। ଏପରିକି କ୍ୟାବିନେଟ୍ ବୈଠକ ମଧ୍ୟ ମାତ୍ର କେତେ ମିନିଟ୍ ଭିତରେ ଶେଷ ହୋଇଯାଉଛି।
ଦଳର ଜଣେ ବରିଷ୍ଠ ମନ୍ତ୍ରୀ ନବକିଶୋର ଦାସ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ ରାଜ୍ୟ କ୍ୟାବିନେଟର ଏକ ବୈଠକ ବସି ତାଙ୍କ ପ୍ରତି ସମ୍ମାନ ବା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇନାହିଁ। ଦଳର ଏହି ଅବସ୍ଥା ଥିଲେ ମଧ୍ୟ ଦଳ ପକ୍ଷରୁ ଏକ ସ୍ଥାୟୀ ଅଫିସ୍ କୋଠା ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି। ଏହି କୋଠାର ଆକାର ଓ ଅବସ୍ଥାକୁ ଦେଖିଲେ ଗୋଟିଏ କଥା ନିଶ୍ଚିତ ଯେ ବିଜୁ ଜନତା ଦଳ ଏକ ସ୍ଥାୟୀ ଭବିଷ୍ୟତ ପାଇଁ କାର୍ଯ୍ୟ କରୁଛି। କିନ୍ତୁ ଯେଉଁଭଳି ଭାବରେ ଦଳ ଓ ସଂଗଠନ ପରିଚାଳିତ ହେଉଛି, ସେଥିରେ ଦଳର ଉତ୍ତରାଧିକାରୀ ବା ଭବିଷ୍ୟତର ନେତାମାନେ କିଏ ତାହା କେହି ବି ହିସାବ କରିପାରୁ ନାହାନ୍ତି। ଏପରି ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ବା ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କର ସାଧାରଣରେ ଫଟୋ ସବୁ ଦେଖିଲେ ତାଙ୍କୁ ଜଣେ ଅମଲାତନ୍ତ୍ରୀ ଭାବରେ ବିଚାର ନକରି ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ବୋଲି ଯଦି ବିଚାର କରାଯାଏ, ତେବେ ସେଥିରେ କିଛି ଭୁଲ ହେବ ନାହିଁ।
ଏହା ସତ୍ୟ, ମୁଖ୍ୟମନ୍ତ୍ରୀଙ୍କର ସ୍ୱାସ୍ଥ୍ୟାବସ୍ଥା ଓ ବୟସ ଯାହା ସେଥିରେ ତାଙ୍କର ବ୍ୟକ୍ତିଗତ ଦେଖାଶୁଣା ପାଇଁ ଆତ୍ମୀୟ ଲୋକଙ୍କର ପ୍ରୟୋଜନ ରହିଛି। ବିଜୁ ଜନତା ଦଳ ଓ ନବୀନ ନିବାସରୁ ମିଳିଥିବା ସୂଚନାନୁସାରେ ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ସମସ୍ତ ଦାୟିତ୍ୱ ଏବେ ପାଣ୍ଡିଆନ୍ ନିଜ ହାତକୁ ନେଇଛନ୍ତି। ଦଳର କୌଣସି ନେତା, ବିଧାୟକ ବା ଅମଲାତନ୍ତ୍ରୀ ଶ୍ରୀ ପାଣ୍ଡିଆନ୍ ନଚାହିଁଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିପାରୁ ନାହାନ୍ତି। ସେହି ଦୃଷ୍ଟିରୁ ନବୀନ ପଟ୍ଟନାୟକଙ୍କର ଉତ୍ତରାଧିକାରୀ ଭାବରେ ଭବିଷ୍ୟତରେ ପାଣ୍ଡିଆନ୍ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଯଦିଓ ବିଭିନ୍ନ ସମୟରେ ତାଙ୍କର ଆଇଏଏସ୍ ପତ୍ନୀ ଯିଏକି ଜଣେ ଓଡ଼ିଆ ତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। କିନ୍ତୁ ନବୀନ ପଟ୍ଟନାୟକଙ୍କର ସଂପୃକ୍ତ ଜ୍ଞାତସାରରେ ପାଣ୍ଡିଆନ୍ ବସ୍ତୁତଃ ରାଜ୍ୟ ଶାସନର ଉତ୍ତରାଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। କୋରାପୁଟ ଗସ୍ତର ଫଟୋଗୁଡ଼ିକୁ ଦେଖିଲେ ସହଜରେ ଏହି ଭାବନା ଜାଗ୍ରତ ହେବ। ୨୦୨୪ ନିର୍ବାଚନ ପାଇଁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନବୀନ ପଟ୍ଟନାୟକ ଯେଉଁ ଧରଣର ରାଜନୀତି ଚଳାଇଛନ୍ତି, ତାହାକୁ ବଦଳାଇଦେବାର କୌଣସି ଆଦର୍ଶଗତ ଲଢ଼େଇ କୌଣସି ସଂଗଠନ ବା ଦଳ କରିପାରୁ ନାହାନ୍ତି। ଓଡ଼ିଶା ରାଜନୀତିରେ ଉଚ୍ଚଜାତିର ଲବି ସହିତ ଖଣି ସ୍ୱାର୍ଥଜନିତ ବ୍ୟବସ୍ଥାରେ ୪୦ ଭାଗ ଦଳିତ ଆଦିବାସୀ ଓ ଅନଗ୍ରସର ଲୋକମାନଙ୍କୁ ସରକାରୀ ରାଜସ୍ୱରେ ହିତାଧିକାରୀ ଭାବରେ ଯେପରି ରଖାଯାଇଛି, ସେଥିରେ ଉଚ୍ଚବର୍ଗର ଅମଲାତନ୍ତ୍ରୀ ଓ ଖଣିସ୍ୱାର୍ଥ ସୁରକ୍ଷିତ ରହୁଛି। ସମ୍ଭବତଃ ପାଣ୍ଡିଆନ୍ ଏହି ବିଦ୍ୟାକୁ ଭଲ ଭାବରେ ବୁଝି ସାରିଲେଣି।
ରବି ଦାସ, ବରିଷ୍ଠ ସାମ୍ବାଦିକ
ଫୋ-୮୦୧୮୦୯୪୪୫୫
https://youtu.be/iKD2wWaJMyE
https://youtu.be/-JVqXQTfbCw
https://youtu.be/2LCMnD7h7aM
https://youtu.be/yeRu8XHKcHg
https://youtu.be/j8eQP75vJWI
https://youtu.be/8_sBt9YeVmo
https://youtu.be/EOcFua_Sp04
https://youtu.be/YfZWflEWwNg
https://youtu.be/WgtNuwdMpRE
https://youtu.be/6yFLZDeSJQs
https://youtu.be/9UHCpv9Wb2M
https://youtu.be/s8Mc33Ugv0E
https://youtu.be/fYesvgiF-E8
https://youtu.be/zxQ9_RX7qsc
https://youtu.be/g_dccQ6fQE4
https://youtu.be/35Aywchvumg
https://youtu.be/kwC7-LNZrmU
https://youtu.be/DV0zgoImpKg
https://youtu.be/D7c6GVoEkng
https://youtu.be/kWIwloosVgg
https://youtu.be/1GY0Lhq3E9c
https://youtu.be/TDTvrK7rzEM
https://youtu.be/KBlFRNNJR78
https://youtu.be/o7qFJudJoe0
https://youtu.be/UbvJjRZRJhY
https://youtu.be/e9F47IfdJHM
https://youtu.be/8Z3QZM-YzUg
https://youtu.be/pnuqR43Ikzc
ବୟାନର ଦେଶ ଭାରତ। ଏଠି ପ୍ରତିଦିନ ଖବରକାଗଜ ଓଲଟାଇଲା ମାତ୍ରେ ନେତାଙ୍କର କିଛିନା କିଛି ବୟାନ ପଢ଼ିବାକୁ ମିଳେ। ଜଣେ ବୟାନ ଦେବା ଆରମ୍ଭ କରିବା ମାତ୍ରେ ଦେଶରେ ହଲଚଲ ବଢ଼ିଯାଏ। ବିପକ୍ଷ ଦଳରୁ କେହି ଜଣେ ସେ ବୟାନକୁ ପ୍ରତିହତ କରିବାକୁ ଆଗେଇ ଆସେ। ଏମିତି ବୟାନ ପରେ ବୟାନ ଆସିଥାଏ। କିଛି ବୟାନର ଚର୍ଚ୍ଚାର ତ ଦିନରାତି ଚାଲିଥାଏ। ଏ ଚର୍ଚ୍ଚାର ଅନ୍ତ ନଥାଏ। ଲୋକ ବୟାନବାଜି ଆରମ୍ଭ କରିଦେବା ମାତ୍ରେ କିଏ କଣ କହିଲା, ସେ ଏମିତି କାହିଁକି କହିଲା, ସେ ଠିକ୍ କହିଲା କି ଭୁଲ କହିଲା, ତାକୁ ନେଇ ଦିନସାରା ଆଲୋଚନା ପର୍ଯ୍ୟାଲୋଚନାରେ ବୁଦ୍ଧିଜୀବୀମାନେ ଲାଗିପଡ଼ନ୍ତି। ଦେଶର ବହୁ ଲୋକଙ୍କର ବହୁ ସମୟ ଏହି ଆଲୋଚନାରେ କଟିଯାଏ। ଗୋଟିଏ ଲୋକର ବୟାନର ଆଲୋଚନା ସରୁ ନସୁରୁଣୁ ଆଉ ଗୋଟିଏ ଲୋକ ତା ବୟାନର ପେଡ଼ିପୁଟୁଳା ଖୋଲି ସାରିଥାଏ।
ଯଦି ସତ୍ୟ, ତଥ୍ୟପୂର୍ଣ୍ଣ ବୟାନକୁ ନେଇ ଆଲୋଚନା ହେଉଥାଆନ୍ତା ତେବେ ତା ପାଇଁ ହୁଏତ ଚିନ୍ତା ନଥାନ୍ତା। ଲୋକଙ୍କର ବୁଦ୍ଧିମତାର ବିକାଶ ହେବା ସହ ସହ ସେମାନଙ୍କୁ ନୂଆ ନୂଆ ବିଷୟରେ ଜାଣିବାକୁ ସୁଯୋଗ ମିଳନ୍ତା। ମାତ୍ର ପ୍ରକୃତ କଥା ଏହାଠାରୁ ଢେର ଭିନ୍ନ। ଆମ ନେତାମାନେ ଯେଉଁ କଥା କହନ୍ତି ତାହା ମଧ୍ୟରେ ଯେ ଅଧାରୁ ଅଧିକ ମିଛ ଥାଏ ତାହା ଆମେ ସମସ୍ତେ ଅଳ୍ପ ବହୁତେ ହୃଦୟଙ୍ଗମ କରିସାରିଛନ୍ତି। ତେବେ ଆଗରୁ କେବଳ ନିର୍ବାଚନ ସମୟରେ ନେତାମାନେ ମିଛ କହୁଥିଲେ। କେଉଁଠି ଭୋଟରଙ୍କୁ ନିର୍ବାଚନ ପରେ ଘିଅ ମହୁରେ ଭସାଇ ଦେବୁର ଆଶ୍ୱାସନା ତ ଆଉ କେଉଁଠି ରାସ୍ତାକୁ ହେମାମାଳିନୀର ଗାଲ ପରି କରିଦେବାକୁ ନିର୍ଭର ପ୍ରତିଶ୍ରୁତି। ଏ ସବୁ ଆଗରୁ ଆମେ ଅନେକ ଶୁଣିଛେ। ଆମେ ଦୃଢ଼ ନିଶ୍ଚିତ ଯେ ଏ ମିଛ ସବୁ କେବେ ସତରେ ସାକାର ହେବ ନାହିଁ। ତେବେ ଏବେ ପରିସ୍ଥିତି ବଦଳିଯାଇଛି।
ଆଗରୁ ଆଶା କରାଯାଉଥିଲା ଯେ ଏକ ଆଦର୍ଶ ସରକାର ସବୁବେଳେ ସତ କହିବ। ଦେଖାଯାଉଥିଲା ଯେ ବିରୋଧୀମାନେ ସରକାର ବିପକ୍ଷରେ ମିଛ ସତର ଆରୋପ ଆଣୁଥିଲେ। ଲୋକ ବିରୋଧୀଙ୍କ କାମ ସରକାରଙ୍କୁ ଘେରିବା ବୋଲି ବିଚାର କରୁଥିଲେ। ଏବେ କିନ୍ତୁ ସରକାର ମିଛ କହୁଥିବାର ଅଭିଯୋଗ ଆସୁଛି। ସରକାରୀ ନେତା, ପ୍ରବକ୍ତାମାନଙ୍କର ମିଛ ବୟାନର ସଂଖ୍ୟା ବଢୁଛି। ତଥ୍ୟ ବଦଳାଯାଉଛି। ବିରୋଧୀ ମିଛ ଧରିଲାବେଳକୁ ଆଉ ଗୋଟିଏ ମିଛ ତା ସ୍ଥାନ ନେଇଯାଉଛି। ଜଣେ ସତ ଖୋଜି ଖୋଜି ହାଲିଆ ହେଲାବେଳକୁ ମିଛ ତାହାର ସାମ୍ରାଜ୍ୟ ବଢ଼ାଇ ଚାଲିଛି। ସରକାରୀ ତନ୍ତ୍ର ସବୁ ସରକାରୀ ମିଛର ପ୍ରଚାର ପ୍ରସାର ପାଇଁ ସବୁ ବ୍ୟବସ୍ଥା କରିଦେଇଛନ୍ତି। ବିରୋଧୀ ସରକାରଙ୍କୁ ସତରେ ଘେରିବା ପୂର୍ବରୁ ସରକାର ମିଛର ମାୟାଜାଲରେ ବିରୋଧୀଙ୍କୁ ଘେରି ଦେଉଛନ୍ତି। ମିଛକୁ ସତ ବୋଲି ସରକାର ପ୍ରମାଣିତ କରିବାକୁ ଲାଗିଲାବେଳେ ବିରୋଧୀ ସତ କେଉଁଟା ଆଉ କେଉଁଟା ମିଛ ତାହା ଖୋଜିବାରେ ସମୟ ଦେଇଦେଉଛି। ସାଧାରଣ ଲୋକ ଏହି ମିଛସତ ଖେଳରେ ଦର୍ଶକ ହୋଇ ବସିବା ଛଡ଼ା ଅନ୍ୟ ବାଟ ପାଉନାହିଁ।
ଆମେ ନେତାମାନେ କାହିଁକି ମିଛ କହନ୍ତି? ତାହାର ଅନେକ କାରଣ ଥିଲେ ବି ପ୍ରମୁଖ କାରଣ ହେଉଛୁ ଆମେ ଭାରତୀୟ। ଅନେକ ସମୟରେ କଟୁ ସତ୍ୟ ଶୁଣିବା ଆମକୁ ଅପ୍ରୀତିକର ଲାଗେ। ଅପ୍ରିୟ ସତକଥା ଶୁଣିବାକୁ ଆମର ସାହସ କିମ୍ବା ଧୈର୍ଯ୍ୟ ନଥାଏ। ଆମେ ବରଂ କାନକୁ ଆରାମ ଦେଉଥିବା ପରି ରଂଗବୋଳା ମିଛ କଥା ଶୁଣିବାକୁ ଭଲପାଉ। ଅନେକ ସମୟରେ ଆମେ ଜାଣିଥାଉ ଯେ ସାମ୍ନାରେ ଥିବା ମଣିଷଟା ମିଛ କଥା କହୁଛି ଅଥଚ ଆମେ ଜାଣିବି ନ ଜାଣିବାର ଅଭିନୟ କରୁ। ଏପରି ସ୍ଥିତିରେ ଆମ ଆଗରେ କେହି ଜଣେ ମିଛ କଥା କହିଲେ ଆମକୁ କୃତ୍ୟକୃତ୍ୟ ଲାଗେ। ନିଜର ମିଛ ପ୍ରଶଂସା କେବଳ ମୂଢ଼ମାନେ ଶୁଣିବାକୁ ଭଲ ପାଇଥାନ୍ତି। ଏଣୁ ନେତାମାନେ ସବୁବେଳେ ଆମକୁ ତତାଇ ମତାଇ ରଖିବାକୁ ମିଛ ପରେ ମିଛ କହିଚାଲନ୍ତି।
ଆମ ଭାରତୀୟ ନେତାମାନେ ମିଛ କହିବାକୁ ବେଶ୍ ପସନ୍ଦ କରନ୍ତି। ଏହାର କାରଣ ସେମାନେ ଭଲଭାବେ ଜାଣିଛନ୍ତି ଯେ ଲୋକଙ୍କର ସ୍ମରଣ ଶକ୍ତି ହିଁ କମ୍। ଆଉ ଲୋକମାନେ ବି ନିଜଠାରୁ ଅଧିକ ବଡ଼ ନେତା ଖୋଜନ୍ତି। ଲୋକ ଭାବନ୍ତି ଯେ ବଡ଼ ପାଟିରେ ବଡ଼ ବଡ଼ ମିଛ କହିପାରୁଥିବା ଲୋକ ହିଁ ରାଜନୈତିକ ଆକାଶରେ ବ ବଡ଼ ଗୁଡ଼ ଉଡ଼ାଇବାରେ ସକ୍ଷମ। ଦେଶ ଦୁର୍ନୀତି, ପ୍ରିୟାପ୍ରୀତି ତୋଷଣ, ଜାତିବାଦ ଏବଂ କୁପୋଷଣର ଶିକାର ହୋଇ ନିଜର ବିକାଶର ନିଜେ ଅନ୍ତରାୟ ସାଜିଥିଲାବେଳେ ଏହି ବଡ଼ ପାଟିଆ ମିଛୁଆ ନେତାଙ୍କ ସଭାରେ କିନ୍ତୁ ବେଶ୍ ଲୋକ ଭିଡ଼ ହୁଅନ୍ତି, ଭାଷଣ ଭିତରେ ଜୟଜୟକାର ବେଶୀ ଶୁଣିବାକୁ ମିଳେ। ଏମିତି ମିଛ କହି କହି ଲୋକଙ୍କୁ ନିୟମିତ ଭକୁଆ ବନା ଯାଉଥିଲେ ବି ଲୋକଙ୍କ ପାଖରେ କିଛି କରିବାର ମୌକା ହିଁ ନଥାଏ। କାରଣ, ଲୋକ ହିଁ ନିଜର ତାଳିମାଡ଼ ଏବଂ ଜୟଧ୍ୱନି ମଧ୍ୟରେ ସାଧାରଣ ମିଛୁଆ ନେତାକୁ ବଳି କରିଦେଇଥାଅନ୍ତି। ମିଛୁଆ ନେତାର କଥା ଶୁଣି କପାଳରେ କରମାରିବା ଛଡ଼ା କରିବାକୁ ଅନ୍ୟ କିଛି ବାକି ନଥାଏ।
ଆମ ନେତାମାନେ ଭାଷଣ ଛଳରେ ଆଳୁରୁ ସୁନା ବାହାର କରି ଦିଅନ୍ତି, ଇତିହାସର ଦଶା ଏବଂ ଦିଶା ବଦଳାଇବାକ ଅପଚେଷ୍ଟା କରିପାରନ୍ତି। ତଥ୍ୟକୁ ମୋଡ଼ି ଦେଇ ସତକୁ ମିଛ ଏବଂ ମିଛକୁ ସତ କରି ଦେଇ ପାରନ୍ତି। ତଥାପି ଆମପାଖରେ ସେମାନଙ୍କର ଗ୍ରହଣୀୟତା କମେ ନାହିଁ।
ମିଛ କହୁଥିବା ନେତାଙ୍କୁ ସଚେତନ ସମାଜ ସର୍ବସମ୍ମୁଖରେ ଧରା ନ ପକେଇଦେବାଯାଏ ଏ ମିଛକୁହା ନାଟକର ଯବନିକା ପଡ଼ିବାର ଆଶା କମ୍। ନିୟମିତ ମିଛ କହୁଥିବା ନେତାଙ୍କୁ ସାମାଜିକ ବାସନ୍ଦ କରି ନିର୍ବାଚନୀ ରାଜନୀତିରେ ବାରବାର ହରାଇଲେ ହିଁ ଏ ମିଛୁଆ ନେତାଙ୍କର ଜ୍ଞାନ ଉଦୟ ହେବ ବୋଲି ଆଶା କରାଯିବା କଥା।
ଧବଳଗିରି, ଯାଜପୁର ରୋଡ
ଫୋ-୭୯୭୮୬୭୧୭୭୬
https://youtu.be/C5Jv3EueAiY
https://youtu.be/7h34vDIko7I
https://youtu.be/Jolr4UdIHHc
https://youtu.be/I-PB20oladM
https://youtu.be/3_N0q9pfwvw
https://youtu.be/us2xFuikfAA