ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଜାରି କରିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ରେ ଭାରତରେ କେବଳ୨୨% ସ୍କୁଲରେ ଇଣ୍ଟରନେଟ୍ ସୁବିଧା ରହିଥିଲା। ୨୦୧୯-୨୦ରେ ୨୨% ସରକାରୀ ସ୍କୁଲରେ ଇଣ୍ଟରନେଟ୍ ସୁବିଧା ଥିବାବେଳେ ୩୯% ସ୍କୁଲରେ କମ୍ପ୍ୟୁଟର ବ୍ୟବସ୍ଥା ଥିଲା।
ଯଦି ସ୍କୁଲ ଗୁଡ଼ିକରେ ଇଣ୍ଟରନେଟ ସୁବିଧା ଏଭଳି ଦୁର୍ବଳ, ତା’ହେଲେ କିଭଳି ପିଲାଙ୍କୁ ପାଠ ପଢ଼ାଉଥିବେ ଏବେ ଚିନ୍ତା କରିବାର ସମୟ ଆସିଛି। ଯଦିଓ ସରକାର ଅନ୍ ଲାଇନ ଜରିଆରେ ପିଲାଙ୍କୁ ପାଠ ପଢ଼ାଯାଉଥିବା କଥା କହୁଛନ୍ତି, କିନ୍ତୁ ଖୋଦ୍ ଶିକ୍ଷା ମନ୍ତ୍ରାଳୟର ରିପୋର୍ଟ ବଖାଣିଛି କେତେ ସଫଳ ହୋଇଥିବ ୨୦୨୦-୨୧ରେ ଅନ୍ ଲାଇନ୍ ପାଠପଢ଼ା।
ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନଫରମେସନ ସିଷ୍ଟମ ଫର୍ ଏଜୁକେସନ୍ ପ୍ଲସ (UDISE +) ରିପୋର୍ଟ ଅନୁଯାୟୀ ଦେଶର ୧୫ ଲକ୍ଷରୁ ଅଧିକ ସ୍କୁଲକୁ ନେଇ ଏହି ସର୍ଭେ କରାଯାଇଥିଲା। ଦେଶର ୨୬ କୋଟି ସ୍କୁଲର ଅଧିକାଂଶ ପିଲା ବର୍ଷେ ଦୁଇ ମାସ ହେବ ସ୍କୁଲ୍ ଯାଇ ନାହାନ୍ତି।
ପିଲାମାନେ ଡିଜିଟାଲ୍ ମୋଡରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଜୁମ୍ ଭଳି ଆପ୍ ଶିକ୍ଷା ଦାନରେ ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଶିକ୍ଷକ ମାନେ ବ୍ଲାକବୋର୍ଡ ଏବଂ ଲାବୋରେଟୋରୀରେ କୌଣସି ପାଠ ପଢ଼ାଇ ଏହାକୁ ଲାଇଭ୍ କରୁଛନ୍ତି ନଚେତ ରେକର୍ଡିଂ କରି ପିଲାଙ୍କ ଅଭିଭାବକଙ୍କ ଇ-ମେଲ ଓ ହ୍ୱାଟସଆପ ଆଦିରେ ରେକର୍ଡିଂ ଭିଡିଓ ପଠାଉଥିବାର ନଜିର ରହିଛି।
UDISE +ର ସର୍ଭେ ରିପୋର୍ଟରୁ ଜଣାପଡ଼ିଛି, କେରଳରେ ୯୦% ରୁ ଅଧିକ ବିଦ୍ୟାଳୟରେ (ଉଭୟ ସରକାରୀ ଏବଂ ବେସରକାରୀ ସ୍କୁଲରେ) କମ୍ପ୍ୟୁଟର କାମ କରୁଛି, ଯାହାକି ଦେଶରେ ସର୍ବାଧିକ। ଏହାପରେ ଛତିଶଗଡ (୮୩%), ଝାଡଖଣ୍ଡ (୭୩%), ତାମିଲନାଡୁ (୭୭%), ଗୁଜୁରାଟ (୭୪%) ଏବଂ ମହାରାଷ୍ଟ୍ର (୭୧%) ରହିଛି। ତେବେ ସରକାରୀ ସ୍କୁଲ ଅପେକ୍ଷା ଘରୋଇ ସ୍କୁଲରେ କମ୍ପ୍ୟୁଟର ଅଧିକ ଥିଲା। ସେହିପରି ଆସାମରେ ୧୩%, ମଧ୍ୟପ୍ରଦେଶରେ ୧୩%, ବିହାରରେ ୧୪%, ପଶ୍ଚିମବଙ୍ଗରେ ୧୪%, ତ୍ରିପୁରାରେ ୧୫% ଓ ଉତ୍ତରପ୍ରଦେଶରେ ୧୮% ସ୍କୁଲ୍ (ଉଭୟ ସରକାରୀ ଓ ବେସରକାରୀ)ରେ କମ୍ପ୍ୟୁଟର ଅଛି। ତେବେ ୟୁପିରେ ଥିବା ମୋଟ୍ ସରକାରୀ ସ୍କୁଲରୁ ୫ ପ୍ରତିଶତରୁ କମ୍ ସ୍କୁଲରେ କମ୍ପ୍ୟୁଟର ଥିବା ଜଣାପଡ଼ିଛି।
କେରଳରେ ୮୮% ସ୍କୁଲ୍ରେ ଇଣ୍ଟରନେଟ୍ ସୁବିଧା ଥିବା ବେଳେ ଦିଲ୍ଲୀରେ ୮୬% ଏବଂ ଗୁଜୁରାଟରେ ୭୧% ସ୍କୁଲରେ ଇଣ୍ଟରନେଟ୍ ସବୁଧା ରହିଛି।
ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏ ଅଧ ଘଣ୍ଟାଏ ଲେଖା କ୍ଲାସ ହେବ। ସେହିପରି ଚତୁର୍ଥରୁ ଅଷ୍ଟମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ ଟା ୩୦ ଯାଏ କ୍ଲାସ ହେବ। ପ୍ରତି କ୍ଲାସ ଅଧଘଣ୍ଟା ଲେଖାଏଁ ଚାଲିବ। You tube class ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକମାନଙ୍କୁ You Tube live class ପାଇଁ ଚୟନ କରିବେ। କେତେ ସଂଖ୍ୟକ ପିଲା Live Class ରେ ଉପସ୍ଥିତ ରହୁଛନ୍ତି, ତାର ମଧ୍ୟ ଡାଟା ରଖିବାକୁ ନିର୍ଦେଶ ରହିଛି।
ସେପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ଅନୁଷ୍ଠିତ ହେବ। ରାତି ୯ରୁ ୧୦ଟା ଯାଏ ଭିଡ଼ିଓ କ୍ଲାସ ର ପ୍ରସାରଣ ହେବ।
ସୂଚନାରୁ ପ୍ରକାଶ, ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍ଲାଇନ୍ରେ ପାଠ ପଢ଼ାଉଥିଲେ। ଏଥିପାଇଁ ନେଟ୍ୱର୍କ ପ୍ରତିବନ୍ଧକ ସାଜିଥିଲା। ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଠିକ୍ ଭାବେ ନେଟ୍ୱର୍କ ପାଉନଥିବାରୁ ପିଲାମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ପିଲାମାନେ କେଉଁ ଗଛରେ ମଞ୍ଚା ବାନ୍ଧି ବସି ପାଠ ପଢ଼ୁଥିଲେ ତ ଆଉ କେଉଁ ବହୁ ଗାଁ ମୁଣ୍ଡ ମୁଣ୍ଡିଆକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଡିଜିଟାଲ୍ ସେବା ପଦାରେ ପଡ଼ିଥିଲା। ରାଜ୍ୟ ସରକାର ଏହି ଅପବାଦରୁ ମୁକୁଳି ନଥିବା ବେଳେ ପୁଣି ୟୁଟ୍ୟୁବ୍ରେ ପାଠ ପଢ଼ାଇବାର ବ୍ୟବସ୍ଥା କରୁଛନ୍ତି। ଭବିଷ୍ୟତରେ ସମୟ କହିବ, ସରକାରଙ୍କ ଏହି ସେବା କେତେଦୂର ଫଳପ୍ରଦ ହେଉଛି।