କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଓ ଉଦ୍ଧବ ଠାକରେଙ୍କ ଶିବସେନା ଲୋକସଭାରେ ଏନଡିଏ ତୁଳନାରେ ଅଧିକ ଆସନ ଜିତିବେ। ଆଜି ଇଣ୍ଡିଆ ଟୁଡେ ପକ୍ଷରୁ ଜାରି ମୁଡ ଅଫ ନେଶନ ସର୍ଭେରେ ଏପରି ଆକଳନ କରାଯାଇଛି।
ସର୍ଭେରେ କୁହାଯାଇଛି ଯେ ଇଣ୍ଡିଆ ମେଣ୍ଟ ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ୨୬ଟି ଜିତିବ। ବିଜେପି ଓ ଏହାର ସହଯୋଗୀ ଦଳ ୨୨ଟି ଆସନରେ ସୀମିତ ରହିବେ।
ଦଳୱାରୀ ଦେଖିଲେ କଂଗ୍ରେସ ଏକାକୀ ମହାରାଷ୍ଟ୍ରର ୧୨ ଲୋକସଭା ଆସନରେ ବାଜିମାତ କରିବ। ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କ ଦଳ ମିଳିତ ଭାବେ ୧୪ ଆସନ ଜିତିବେ।
ଇଣ୍ଡିଆ ମେଣ୍ଟର ଭୋଟ ଭାଗ ୪୫% ଓ ଏନଡିଏର ଭୋଟ ଭାଗ ୪୦% ରହିବ ବୋଲି ମୁଡ ଅଫ ନେଶନ ସର୍ଭେରେ ଆକଳନ କରାଯାଇଛି।
୨୦୧୯ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ୪୮ ଆସନରୁ ୪୧ଟିରେ ଜିତିଥିଲା। ବିଜେପି ଏକାକୀ ୨୩ଟି ଆସନ ଜିତିଥିଲା। ଅଭିବାଜିତ ଶିବସେନା ୧୮ଟି, ଅଭିବାଜିତ ଏନସିପି ୪ଟି ଓ କଂଗ୍ରେସ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏହାର ଅର୍ଥ ଏଥର କଂଗ୍ରେସ ମହାରାଷ୍ଟ୍ରରେ ତା’ର ଦମ ଦେଖାଇବ ବୋଲି ସର୍ଭେରେ କୁହାଯାଇଛି।
ଏହି ରିପୋର୍ଟ ଅନୁସାରେ, ସବୁ ପ୍ରକାରର ପ୍ରଚେଷ୍ଟା ସତ୍ତ୍ୱେ ବିଜେପି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ଲୋକସଭା ନିର୍ବାଚନରେ ମାତ ଦେଇ ପାରିବ ନାହିଁ। ସେହିପରି ପଞ୍ଜାବରେ ବିଜେପି ୨ରୁ ଅଧିକ ଆସନ ଜିତି ପାରିବ ନାହିଁ। ସର୍ଭେରେ କୁହାଯାଇଛି ଯେ ପଶ୍ଚିମବଙ୍ଗର ମୋଟ ୪୨ ଲୋକସଭା ଆସନରୁ ଦିଦିଙ୍କ ଟିଏମସି ଏକାକୀ ୨୨ଟି ଆସନ ଜିତିବ। ବିଜେପି ୧୯ଟି ଆସନରେ ସୀମିତ ରହିବ।
୨୦୧୯ ଭଳି ୨୦୨୪ରେ ମଧ୍ୟ ବେଙ୍ଗଲରେ ବିଜେପିର ଭୋଟ ଭାଗ ୪୦% ରହିବ। ମମତା ବାନାର୍ଜୀଙ୍କ ଟିଏମସିର ଭୋଟ ଭାଗ ୨୦୧୯ ତୁଳନାରେ ୪% ହ୍ରାସ ପାଇ ୫୩%ରେ ପହଞ୍ଚି।
୨୦୧୯ ଭଳି ଏଥର ମଧ୍ୟ ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେବ। ୫ ବର୍ଷ ତଳେ ବିଜେପି ୧୮ଟି ଆସନ ଓ ଟିଏମସି ୨୨ଟି ଲୋକସଭା ଆସନ ଜିତିଥିଲା। ୨୦୧୯ ତୁଳନାରେ ବିଜେପି ୨୦୨୪ରେ ଅଧିକ ଗୋଟିଏ ଆସନ ପାଇବ।
ମୁଡ ଅଫ ନେଶନ ସର୍ଭେ ୨୦୨୩ ଡିସେମ୍ବର ୧୫ରୁ ୨୦୨୪ ଜାନୁଆରୀ ୨୮ ମଧ୍ୟରେ ହୋଇଥିଲା। ସର୍ଭେ ରିପୋର୍ଟ ହାସଲ କରିବା ପାଇଁ ଦେଶର ୧୪୦ କୋଟି ଲୋକଙ୍କ ମଧ୍ୟରୁ କେବଳ ୩୫,୮୦୧ ଜଣଙ୍କ ମତାମତ ନିଆଯାଇଥିଲା।
ଅନ୍ୟପକ୍ଷରେ ପଞ୍ଜାବରେ ମଧ୍ୟ ବିଜେପି ଅତି ବେଶୀରେ ୨ଟି ଆସନ ଜିତିବାର ସମ୍ଭାବନା ଥିବା ମୁଡ ଅଫ ନେଶନ ସର୍ଭେରେ କୁହାଯାଇଛି। ପଞ୍ଜାବର ୧୩ଟି ଲୋକସଭା ଆସନରୁ ଆପ୍ ଓ କଂଗ୍ରେସ ୫ଟି ଲେଖାଏ ଜିତିବେ। ସେହିପରି ବିଜେପି ୨ଟି ଓ ଅକାଳୀ ଦଳ ଗୋଟିଏ ଆସନ ଜିତିପାରେ।
ଆପ୍ର ଭୋଟ ଭାଗ ୨୭%, କଂଗ୍ରେସ ୩୮%, ବିଜେପି ୧୭%, ଅକାଳୀ ଦଳ ୧୪% ଓ ଅନ୍ୟାନ୍ୟ ଦଳର ଭୋଟ ଭାଗ ୪% ରହିବ। ୨୦୧୯ରେ ବିଜେପିର ଭୋଟ ଭାଗ ୧୦%, ଆପର ୭%, କଂଗ୍ରେସ ୪୦%, ଅକାଳୀ ଦଳ ୨୮% ଓ ଅନ୍ୟାନ୍ୟ ଦଳର ଭୋଟ ଭାଗ ୧୫% ରହିଥିଲା। ସେହିପରି ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୨ଟି, ଆପ ଗୋଟିଏ, କଂଗ୍ରେସ ୮ଟି ଓ ଅକାଳୀ ଦଳ ଗୋଟିଏ ଆସନ ଜିତିଥିଲା।
ବିହାରରେ ବିଜେପି ସହ ଜେଡିୟୁ ହାତ ମିଳାଇଛି। ନୀତୀଶ କୁମାରଙ୍କ ସହ ମିଶି ବିଜେପି ବିହାରର ସମସ୍ତ ୪୦ଟି ଆସନରେ ନିର୍ବାଚନ ଲଢ଼ିବ। କିନ୍ତୁ ୨୦୧୯ ତୁଳନାରେ ୨୦୨୪ରେ ଏନଡିଏର ଆସନ ସଂଖ୍ୟା ହ୍ରାସ ପାଇବ। ଏନଡିଏ ୩୨ଟି ଲୋକସଭା ଆସନରେ ଜିତିବ ବୋଲି ମୁଡ ଅଫ ନେଶନ ଓପିନିଅନ ପୁଲରେ ଦାବି କରାଯାଇଛି।
ବିଜେପି ଓ ଜେଡିୟୁର ଆସନ ସଂଖ୍ୟା କମିବାକୁ ଥିବା ବେଳେ ବିହାରରେ ଇଣ୍ଡିଆ ମେଣ୍ଟ ୨୦୧୯ ଅପେକ୍ଷା ଏଥର ଅଧିକ ଆସନ ଜିତିବ। କଂଗ୍ରେସ, ଲାଲୁ ପ୍ରସାଦ ଯାଦବ ଓ ବାମପନ୍ଥୀ ଦଳ ମିଳିତ ଭାବେ ୮ଟି ଆସନ ଜିତିବେ।
୨୦୧୯ରେ ବିଜେପି, ଜେଡିୟୁ ଓ ଅବିଭାଜିତ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ମିଳିତ ଭାବେ ବିହାରରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ୪୦ଟି ଆସନରୁ ଏନଡିଏ ଖାତାକୁ ୩୯ଟି ଆସନ ଯାଇଥିଲା। ବିଜେପି ୧୭, ଜେଡିୟୁ ୧୬ ଓ ଏଲଜେପି ୬ଟି ଆସନ ଜିତିଥିଲା। କଂଗ୍ରେସ ଗୋଟିଏ ଓ ଆରଜେଡି ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।
ଭୋଟ ଭାଗ ବିଚାରକୁ ନେଲେ ଏନଡିଏର ଭୋଟ ଭାଗ ୨୦୨୪ରେ ୫୨% ରହିବ। ୨୦୧୯ରେ ଏନଡିଏ ସପକ୍ଷରେ ୫୩% ଭୋଟ ଯାଇଥିଲା। ଇଣ୍ଡିଆ ମେଣ୍ଟର ଭୋଟ ଭାଗ ୭% ବୃଦ୍ଧି ପାଇ ୩୮%ରେ ପହଞ୍ଚିବ।
ଆଜି ଇଣ୍ଡିଆ ମେଣ୍ଟର ବୈଠକ ବସିଥିଲା। ମେଣ୍ଟର ଅଧ୍ୟକ୍ଷ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ହେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ତେବେ ବୈଠକ ପରେ ଶରଦ ପାୱାର କହିଛନ୍ତି, “କୌଣସି ଚେହେରାଙ୍କୁ ସାମ୍ନାକୁ ଆଣିବାର ଆବଶ୍ୟକ ଅଛି ବୋଲି ଆମେ ଭାବୁନୁ। ଆମେ ଇଣ୍ଡିଆ ମେଣ୍ଟ ନାଁରେ ହିଁ ଭୋଟ ମାଗିବୁ। ଆମର ବିଶ୍ୱାସ ଅଛି ଯେ ଆମେ ଦେଶକୁ ଗୋଟିଏ ବିକଳ୍ପ ଦେଇପାରିବୁ।”
ଶରଦ ପାୱାର ଏକଥା କହିବା ବେଳେ ପୂର୍ବରୁ ଘଟିଥିବା ଘଟଣାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟ ପାଇଁ ପ୍ରଧାନମନ୍ତ୍ରୀ ଚେହେରାର ଆବଶ୍ୟକ ନାହିଁ। ଏମିତି ଘଟଣା ୧୯୭୭ରେ ମଧ୍ୟ ଘଟିଥିଲା। ମୋରାଜି ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସ୍ରେ ନଥିଲେ ଓ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲେ। ସାଧାରଣ ନିର୍ବାଚନ ପରେ ଦେଶାଇ ଜନତା ପାର୍ଟି ଅଧୀନରେ ପ୍ରଧାନମନ୍ତ୍ରୀ ହୋଇଥିଲେ।”
ଖଡଗେଙ୍କୁ ଇଣ୍ତିଆ ମେଣ୍ଟର ଅଧ୍ୟକ୍ଷ ଚୟନ କରାଯିବା ସମ୍ପର୍କରେ ପାୱାର କହିଛନ୍ତି, “କିଛି ନେତା ପ୍ରସ୍ତାବ ଦେଇଥିଲେ ଯେ ଖଡଗେ ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ହୁଅନ୍ତୁ। ଅନେକ ଏଥିରେ ରାଜି ହୋଇଛନ୍ତି। ନୀତୀଶ କୁମାର ମେଣ୍ଟର ଆବାହକ ହୁଅନ୍ତୁ ବୋଲି ମଧ୍ୟ ଅନେକ ପ୍ରସ୍ତାବ ଦେଇଥିଲେ।
କିନ୍ତୁ ନୀତୀଶ କୁମାର ଏହାକୁ ମନା କରିଥିଲେ। ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ନଥିବା ସେ କହିଥିଲେ। ଇଣ୍ଡିଆ ମେଣ୍ଟରେ କୌଣସି ଅସନ୍ତୋଷ ନାହିଁ।” ସିଟ ଶେୟାରିଂ ସମ୍ପର୍କରେ ଖୁବଶୀଘ୍ର ଆଲୋଚନା ଆରମ୍ଭ ହେବ ବୋଲି ମଧ୍ୟ ଏନସିପି ଭେଟରାନ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ଡିସେମ୍ବର ୨୫ରେ ମଧ୍ୟ ଶରଦ ପାୱାର ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ ବୋଲି କହିଥିଲେ। ସେତେବେଳେ ମଧ୍ୟ ସେ ୧୯୭୭ ମସିହା ନିର୍ବାଚନର ଉଦାହରଣ ଦେଇଥିଲେ।
ଦୁଇ ସହଯୋଗୀ ଦଳ ୧୬ଟି ଲେଖାଏ ଆସନ ବଦଳରେ ୧୫ଟି ଲେଖାଏ ଆସନରେ ଲଢ଼ନ୍ତୁ ବୋଲି ବିହାର କଂଗ୍ରେସ ମୁଖ୍ୟ ଅଖିଲେଶ ସିଂହ କହିଛନ୍ତି। ସେହିପରି ସିପିଆଇଏମଏଲ ଗୋଟିଏ ଆସନ ଓ ବାକି ଆସନରେ କଂଗ୍ରେସ ଲଢ଼ିବ ବୋଲି ସେ ପ୍ରସ୍ତାବ ରଖିଛନ୍ତି।
ଶ୍ରୀ ସିଂହ କହିଛନ୍ତି, “ଇଣ୍ଡିଆ ମେଣ୍ଟରେ ଥିବା ସବୁ ରାଜନୀତିକ ଦଳ ବୁଝାମଣା କରିବା ଦରକାର। ଯଦି ସେମାନେ ଏକାଠି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି, ତା’ହେଲେ ବୁଝାମଣା କରିବାକୁ ହେବ। ୨୦୧୯ରେ ଜେଡିୟୁ ବିହାରରେ ବିଜେପି ସହ ମିଶି ନିର୍ବାଚନ ଲଢ଼ିଥିଲା। ଏବେ ଜେଡିୟୁ ଆମ ସହ ଥିବାରୁ ଏହା ଭଲ କଥା। ଏହା ମଧ୍ୟ ସତ୍ୟ ଯେ ସେମାନଙ୍କ ପାଖରେ ଅଧିକ ସଂଖ୍ୟକ ସାଂସଦ ରହିଛନ୍ତି।”
୨୦୧୯ରେ ବିହାରର ୪୦ ଲୋକସଭା ଆସନରୁ କଂଗ୍ରେସ ୯ଟିରେ ଲଢ଼ିଥିଲା। ଏଥର ମଧ୍ୟ ଦଳ ସମାନ ସଂଖ୍ୟକ ଆସନ ଚାହୁଁଛି। ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ବିହାରରେ ସିପିଆଇଏମଏଲକୁ ଗୋଟିଏ ଆସନ ଦେବାକୁ ଚାହୁଁଛନ୍ତି।
ଆରଜେଡି ୨୦୧୯ରେ ସବୁଠାରୁ ଅଧିକ ଆସନରେ ଲଢ଼ିଥିଲା। କିନ୍ତୁ ଗୋଟିଏ ହେଲେ ଆସନରେ ଦଳ ଜିତି ନଥିଲା। ଜେଡିୟୁ ୧୯ଟିରେ ଜିତିଥିବା ବେଳେ ବିଜେପି ୧୭ ଓ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି ୬ଟି ଆସନ ହାତେଇଥିଲା।
ଏଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଆସିଥିଲା। ଏହାକୁ କିଛି ସଦସ୍ୟ ସମର୍ଥନ କରିଥିବା ବେଳେ ନୀତୀଶ କୁମାର ଓ ଲାଲୁ ଯାଦବଙ୍କ ଭଳି ବରିଷ୍ଠ ନେତା ପରୋକ୍ଷରେ ବିରୋଧ କରିଥିଲେ। ଏପରି କି ନୀତୀଶ କୁମାର ଏପରି ପ୍ରସ୍ତାବ ପରେ ଅଭିମାନ କରିଥିଲେ।
ଏସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି। ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ। ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେକଥା ୨୦୨୪ ନିର୍ବାଚନ ପୂର୍ବରୁ ଘୋଷଣା କରିବାର କୌଣସି ଆବଶ୍ୟକ ନାହିଁ ବୋଲି ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି।
ପୁଣେରେ ଶରଦ ପାୱାର ଏକଥା କହିବା ବେଳେ ପୂର୍ବରୁ ଘଟିଥିବା ଘଟଣାର ଉଦାହରଣ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିବ। ଏମିତି ଘଟଣା ୧୯୭୭ରେ ମଧ୍ୟ ଘଟିଥିଲା। ମୋରାଜି ଦେଶାଇ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ରେସ୍ରେ ନଥିଲେ ଓ ବିରୋଧୀ ବିନା ପ୍ରଧାନମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢ଼ିଥିଲା।
ସାଧାରଣ ନିର୍ବାଚନ ପରେ ଗୋଟିଏ ନୂଆ ଦଳ ଗଠନ ହୋଇଥିଲା। ଏହାପରେ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେଣୁ ୨୦୨୪ରେ ବିରୋଧୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ କି ନାହିଁ, ତା’ର ନିଷ୍ପତ୍ତି ଲୋକେ ନେବେ। ଲୋକମାନେ ପରିବର୍ତ୍ତନ ଚାହୁଁଥିଲେ ନିଜର ପକ୍ଷ ରଖିପାରିବେ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାର ଆବଶ୍ୟକ ନାହିଁ।”
ନୀତୀଶ ରାଗି ଥିବାରୁ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଗୁରୁବାର ସନ୍ଧ୍ୟାରେ ରାହୁଲ ଗାନ୍ଧି ଫୋନ କରି ବେଶ କିଛି ସମୟ ନୀତୀଶ କୁମାରଙ୍କ ସହ କଥା ହୋଇଛନ୍ତି। ତେବେ ଉଭୟ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। କିନ୍ତୁ କୁହାଯାଉଛି ଯେ ବୁଧବାର ବୈଠକରେ ହୋଇଥିବା ତିକ୍ତତା ସମ୍ପର୍କରେ ଉଭୟ କଥାବାର୍ତ୍ତା ହୋଇଛନ୍ତି।
ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ଗଠନ ପଛରେ ଥିବା ବେଳେ ତାଙ୍କ ନାଁକୁ ଆବାହକ କିମ୍ବା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ବିଚାରକୁ ନିଆଯାଇ ନାହିଁ। ବୁଧବାର ବୈଠକରେ ମମତା ବାନାର୍ଜୀ ଓ ଅରବିନ୍ଦ କେଜ୍ରିୱାଲ ଖୋଲାଖୋଲି ଭାବେ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଂଗ୍ରେସ ବସ୍ ମଲ୍ଲିକାର୍ଜୁନ ଖଡଗେ ହେବା ଦରକାର ବୋଲି କହିଥିଲେ। ଅବଶ୍ୟ ଏହାକୁ ଖଡଗେ ବିନମ୍ରତାର ସହ ଅଗ୍ରାହ୍ୟ କରି ଦେଇଛନ୍ତି। ତଥାପି ବୈଠକରେ ଖଡଗେଙ୍କ ସପକ୍ଷରେ ଆସିଥିବା ପ୍ରସ୍ତାବ ନୀତୀଶଙ୍କୁ ବ୍ୟଥିତ କରିଛି।
ଏହାବାଦ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ବିଭିନ୍ନ କାରଣ ପାଇଁ ବୈଠକରେ ନୀତୀଶ କୁମାରଙ୍କ ତିକ୍ତତା ଦେଖିବାକୁ ମିଳିଥିଲା। ନୀତୀଶ କୁମାର ଇଣ୍ଡିଆ ମେଣ୍ଟର ନାଁ ଭାରତ କରିବାକୁ ଚାହୁଁଥିଲେ। କିନ୍ତୁ ଏହାକୁ ସୋନିଆ ଗାନ୍ଧି ଅଗ୍ରାହ୍ୟ କରି ଦେଇଥିଲେ। ଆରଜେଡି ନେତା ମନୋଜ ଝା ଓ ଡିଏମକେ ନେତାଙ୍କ ଉପରେ ମଧ୍ୟ ନୀତୀଶ କୁମାର ଖପ୍ପା ହୋଇଥିଲେ।
ନୀତୀଶ କୁମାର ହିନ୍ଦୀରେ କହୁଥିବା ବେଳେ ଏହାକୁ ତାମିଲ ଭାଷାରେ ଅନୁବାଦ କରି ଶ୍ରୀ ଝା ଡିଏମକେ ନେତାଙ୍କୁ ବୁଝାଉଥିଲେ। ଏହାକୁ ନୀତୀଶ କୁମାର ବିରୋଧ କରିବା ସହ ଡିଏମକେ ନେତାମାନଙ୍କୁ ହିନ୍ଦୀ ଶିଖିବା ପାଇଁ କହିଥିଲେ।
ନିକଟରେ ଶେଷ ହୋଇଥିବା ହିନ୍ଦୀ ହାର୍ଟଲ୍ୟାଣ୍ଡ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଓ ଇଣ୍ଡିଆ ମେଣ୍ଟର ସଦସ୍ୟଙ୍କ ସହ ତିକ୍ତତା ପାଇଁ ନୀତୀଶ କୁମାର ହାତ ଦଳ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସକୁ ହାରିବାକୁ ପଡ଼ିଥିଲା।
ହେଲେ ନୀତୀଶ କୁମାରଙ୍କ କହିବା କଥା ଯେ ଯଦି ସିଟ ଶେୟାରିଂ ଫର୍ମୁଲା ଠିକ ଭାବେ କାର୍ଯ୍ୟକାରୀ ହୋଇଥାଆନ୍ତା, ତା’ହେଲେ ବିଜେପି ହାରି ଥାଆନ୍ତା। କଂଗ୍ରେସ ପାଇଁ ସିଟ ଶେୟାରିଂ ଫର୍ମୁଲା କାର୍ଯ୍ୟକାରୀ ହୋଇ ନଥିଲା ବୋଲି ନୀତୀଶ କୁମାର ମତ ରଖିଥିଲେ।
ବୈଠକରେ ଜେଡିୟୁ, ଟିଏମସି ଓ ସମାଜବାଦୀ ପାର୍ଟି ମିଳିତ ଭାବେ କଂଗ୍ରେସକୁ ସିଟ ଶେୟାରିଂ ଫର୍ମୁଲା ଉପରେ କାମ କରିବାକୁ କହିଛନ୍ତି। ବିଶେଷ କରି ଆଞ୍ଚଳିକ ଦଳ ଗୁଡ଼ିକ ସହ ବୁଝାମଣା କରିବାକୁ କଂଗ୍ରେସକୁ କୁହାଯାଇଛି।
ଅନ୍ୟପକ୍ଷରେ ନୀତୀଶ କୁମାର ରାଗିଥିବା କୁହାଯାଉଥିଲେ ହେଁ ଏହାକୁ ଜେଡିୟୁ ଖଣ୍ଡନ କରିଥିଲା। କିନ୍ତୁ ଏବେ ରାହୁଲ ଗାନ୍ଧି ଫୋନ କରି ନୀତୀଶଙ୍କ ସହ କଥା ହୋଇଥିବାରୁ ବୈଠକରେ ସବୁ କିଛି ଠିକଠାକ ନଥିଲା ବୋଲି କୁହାଯାଉଛି।
ଏହାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ସମର୍ଥନ କରିଥିଲେ। ଖଡଗେ ଚର୍ଚ୍ଚିତ ଦଳିତ ଚେହେରା ହୋଇଥିବାରୁ ତାଙ୍କ ନେତୃତ୍ୱରେ ଇଣ୍ଡିଆ ମେଣ୍ଟ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛି। ବୈଠକରେ ସାମିଲ ହୋଇଥିବା ସବୁ ଦଳ ମଧ୍ୟ ଏହି ଯୋଜନାରେ ହଁ ଭରିଥିଲେ। ଏପରି କି ସବୁବେଳେ କଂଗ୍ରେସ ବିପକ୍ଷରେ ମତ ରଖୁଥିବା କେଜ୍ରିୱାଲ ବି ମମତାଙ୍କୁ ପ୍ରସ୍ତାବକୁ ସମର୍ଥନ କରିଥିଲେ। ସେ କହିଥିଲେ ଯେ “ଦେଶକୁ ପ୍ରଥମ ଦିଳିତ ପ୍ରଧାନମନ୍ତ୍ରୀ ଯୋଗାଇ ଦେବାରେ ଏହା ଭଲ ସୁଯୋଗ।”
ସବୁ ଦଳ ଓ ଦୁଇ ମୁଖ୍ୟମନ୍ତ୍ରୀ ଖୋଲାଖୋଲି ଭାବେ ଖଡଗେଙ୍କ ନାଁ ପ୍ରସ୍ତାବ ଦେଇଥିଲେ ହେଁ ସେ ଏହାକୁ ବେଶ ବିନମ୍ର ଭାବେ ଅଗ୍ରାହ୍ୟ କରିଦେଇଥିଲେ। ଖଡଗେ କହିଛନ୍ତି, “ଆମକୁ ପ୍ରଥମେ ଜିତିବାକୁ ପଡ଼ିବ। ଜିତିବା ପାଇଁ କ’ଣ କରିବା, ସେକଥା ଭାବନ୍ତୁ। ସାଂସଦମାନେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା କରିବାରେ ଲାଭ କ’ଣ। ଆମେ କେମିତି ମିଳିତ ଭାବେ ମ୍ୟାଜିକ ନମ୍ବର ହାସଲ କରିବା, ସେ ଦିଗରରେ ସମସ୍ତେ ଚିନ୍ତା କରିବା ଉଚିତ।”
ରାଷ୍ଟ୍ରପତି ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ରାମନାଥ କୋବିନ୍ଦ ଓ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିରୋଧୀ ପ୍ରାର୍ଥୀ ଦେଇଥିଲେ। ଏଥିପାଇଁ ବିଜେପି ବିରୋଧୀ ଦଳଗୁଡ଼ିକୁ ଦଳିତ ଓ ଆଦିବାସୀ ବିରୋଧୀ କହି ସମାଲୋଚନା କରିଥିଲା। ତେଣୁ ଏବେ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରି ବିରୋଧୀ ଦଳିତ ଭୋଟ ହାସଲ କରିବା ମୁଡରେ ଅଛନ୍ତି।
ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ ପରେ ଖଡଗେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବୈଠକରେ ସିଟ ଶେୟାରିଂ ସମ୍ପର୍କରେ କଥାବାର୍ତ୍ତା ହୋଇଛି। ରାଜ୍ୟସ୍ତରରେ ଏହାର ବିଚାର କରାଯିବ। ଯଦି ରାଜ୍ୟ ସ୍ତରରେ କିଛି ସମସ୍ୟା ରହିବ, ତା’ହେଲେ ପ୍ରସଙ୍ଗ କେନ୍ଦ୍ରୀୟ ସ୍ତରକୁ ଆସିବ ବୋଲି ସେ କହିଛନ୍ତି।
ଖଡଗେ କହିଛନ୍ତି, “ଇଣ୍ଡିଆ ମେଣ୍ଟର ଆଜିର ବୈଠକରେ ୨୮ଟି ଦଳ ଯୋଗ ଦେଇଥିଲେ। ଆଗକୁ ବିଭିନ୍ନ ସହରରେ ବୈଠକ ବସିବ।”
ଡିସେମ୍ବର ୩୧ ସୁଦ୍ଧା ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ କରିବାକୁ ଟିଏମସି ଓ ଅନ୍ୟ କିଛି ରାଜନୀତିକ ଦଳ ପ୍ରସ୍ତାବ ଦେଇଛନ୍ତି। ସେହିପରି ଜାନୁଆରୀ ୩୦ରୁ ବିରୋଧୀ ମେଣ୍ଟ ଏକାଠି ଶୋଭାଯାତ୍ରା ମଧ୍ୟ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।
ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଦିଦି ଆସିଛନ୍ତି। ସେ ଆସନ୍ତାକାଲି ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗଦେବେ।
ବିଜେପିକୁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ଚେକ ଦେବାକୁ ଏକାଧିକ ବିରୋଧୀ ଦଳର ନେତା ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। ୪ର୍ଥ ଥର ପାଇଁ ଏମାନେ ଆସନ୍ତାକାଲି ଏକାଠି ବସିବାକୁ ଯାଉଛନ୍ତି। ସିଟ ଶେୟାରିଂ ଓ ଆଗାମୀ ରଣନୀତି ଉକ୍ତ ବୈଠକରେ ମୂଳ ଏଜେଣ୍ଡା ବୋଲି ଜଣାପଡ଼ିଛି।
ନିକଟରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି। ତେଲଙ୍ଗାନାକୁ ଛାଡ଼ି ବାକି ସବୁ ରାଜ୍ୟରେ କଂଗ୍ରେସକୁ ହାରିବାକୁ ପଡ଼ିଛି। ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ବିଜୟ ବାନା ଉଡ଼ାଇଛି। ନିର୍ବାଚନ ରେଜଲ୍ଟ ବାହାରିବା ପରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ପ୍ରଥମ ବୈଠକ ବସିବାକୁ ଯାଉଛି।
ଏହି ସମୟରେ ସିଟ ଶେୟାରିଂ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ସେହିପରି ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଦେଖାଯାଇଥିବା ତିକ୍ତତାରେ ମଧ୍ୟ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ଏବେ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ପାଇଁ ବିଜେପି ସହ ଲଢ଼େଇ କରିବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ଡିସେମ୍ବର ୧୯ ତାରିଖରେ ଅନୁଷ୍ଠିତ ହେବ। ଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ଦଳର ବରିଷ୍ଠ ନେତାମାନେ ସାମିଲ ହେବେ। ବୈଠକର ସମୟ କିନ୍ତୁ ଏଯାଏ ଜଣାପଡ଼ିନି। ନେତାମାନଙ୍କ ସମୟକୁ ଦେଖି ବୈଠକ ଆୟୋଜନ କରାଯିବ ବୋଲି କୁହାଯାଉଛି।
ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଉକ୍ତ ବୈଠକ ନିର୍ଦ୍ଦିଷ୍ଟ ଭାବେ ସିଟ୍ ଶେୟାରିଂ ଫର୍ମୁଲା ଉପରେ ଫୋକସ କରିବ। କେଉଁ ଦଳ କେଉଁ ରାଜ୍ୟରେ କେତୋଟି ଆସନରେ ପ୍ରାର୍ଥୀ ଦେବେ, ତା’ର ନିଷ୍ପତ୍ତି ବୈଠକରେ ନିଆଯିବ। ନିକଟରେ ଶେଷ ହୋଇଥିବା ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ପରାସ୍ତ ହୋଇଛି। ତେଣୁ ଏଠାରେ କଂଗ୍ରେସକୁ ଅନ୍ୟ ଦଳଗୁଡ଼ିକ ସହ ବୁଝାମଣା କରିବାକୁ ପଡ଼ିପାରେ।
କଂଗ୍ରେସ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିଥିଲା। କିନ୍ତୁ ଦଳକୁ ସବୁଠାରେ ହାରିବାକୁ ପଡ଼ିଥିଲେ। ତେଣୁ କଂଗ୍ରେସକୁ ଏବେ ଅନ୍ୟ ଦଳଗୁଡ଼ିକ କିଛି ଲୋକସଭା ଆସନରେ ବୁଝାମଣା କରିବାକୁ କହିପାରନ୍ତି।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ସପା ଓ କଂଗ୍ରେସ ମଧ୍ୟରେ ସିଟ ଶେୟାରିଂ ଫର୍ମୁଲାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ଉକ୍ତ ବିବାଦ ସମାଧାନ ହୋଇସାରିଛି। ତେଣୁ ଇଣ୍ଡିଆ ବୈଠକରେ ସପା ମୁଖ୍ୟ ଅଖିଲେଶ ଯାଦବ ଯୋଗ ଦେଇପାରନ୍ତି।
ଏହାପୂର୍ବରୁ ଡିସେମ୍ବର ୬ରେ ଇଣ୍ଡିଆ ମେଣ୍ଟର ବୈଠକ ହେବାର ଥିଲା। କିନ୍ତୁ ଅଖିଲେଶ, ନୀତୀଶ କୁମାର ଓ ମମତା ବାନାର୍ଜୀଙ୍କ ଭଳି ବରିଷ୍ଠ ନେତାମାନେ ବୈଠକରେ ସାମିଲ ହୋଇପାରିବେ ନାହିଁ ବୋଲି ସୂଚନା ମିଳିଥିଲା।
ତେଣୁ କଂଗ୍ରେସ ଡାକିଥିବା ଇଣ୍ଡିଆ ମେଣ୍ଟର ବୈଠକକୁ ବାତିଲ କରାଯାଇଥିଲା। ଏବେ ପୁଣି ବୈଠକ ବସିବାକୁ ଯାଉଛି। ଏଥିସହ ବିରୋଧୀ ଦଳଗୁଡ଼ିକ ସିଟ ଶେୟାରିଂ ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି କୁହାଯାଉଛି।
ଏସବୁ ଭିତରେ କଂଗ୍ରେସ ଡିସେମ୍ବର ୬ ତାରିଖରେ ଇଣ୍ଡିଆ ମେଣ୍ଟର ବୈଠକ ଡାକିଛି। ହେଲେ ୬ ତାରିଖର ବୈଠକ ସମ୍ପର୍କରେ ମମତା ବାନାର୍ଜୀଙ୍କ ଟିଏମସି ପାଖରେ କୌଣସି ଖବର ନାହିଁ। ତେଣୁ ୬ ତାରିଖ ବୈଠକରେ ଟିଏମସି ସାମିଲ ହେବ କି ନାହିଁ, ତା’କୁ ନେଇ ସସପେନ୍ସ ସୃଷ୍ଟି ହୋଇଛି।
ଟିଏମସିର କହିବା କଥା ଯେ ଦଳ ଗଣମାଧ୍ୟମରୁ ବୈଠକ ସମ୍ପର୍କରେ ଖବର ପାଇଛି। ଇଣ୍ଡିଆ ମେଣ୍ଟର ବୈଠକ ବୁଧବାର ଅନୁଷ୍ଠିତ ହେବ ବୋଲି କେହି ବି ଟିଏମସିକୁ ଜଣାଇ ନଥିବା ଦଳ ଆଜି ସୂଚନା ଦେଇଛି।
ସୂତ୍ର ଅନୁସାରେ ମମତା ବାନାର୍ଜୀ ଇଣ୍ଡିଆ ମେଣ୍ଟର ବୈଠକରେ ଯୋଗ ଦେଇପାରିବେ ନାହିଁ। କାରଣ ବୁଧବାର ପାଇଁ ମମତାଙ୍କ କାର୍ଯ୍ୟ ସୂଚୀ ପ୍ରସ୍ତୁତ ହୋଇ ସାରିଛି। ତେଣୁ ସେ ଦିଲ୍ଲୀ ଆସିପାରିବେ ନାହିଁ। ସେହିପରି ଟିଏମସିକୁ ଏଯାଏ ବୈଠକ ସମ୍ପର୍କରେ ବିଧିବଦ୍ଧ ଡକରା ମିଳି ନଥିବାରୁ ଦଳର କୌଣସି ନେତା ମଧ୍ୟ ସାମିଲ ହେବାର ଆଶା କ୍ଷୀଣ ରହିଛି।
ରବିବାର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ କଂଗ୍ରେସ ଏକପ୍ରକାରର ହାରିବା ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟ ହୋଇଯାଇଥିଲା। ଏସବୁ ଭିତରେ ହିଁ କଂଗ୍ରେସ ପକ୍ଷରୁ ଆସନ୍ତା ୬ରେ ଇଣ୍ଡିଆ ମେଣ୍ଟର ବୈଠକ ବସିବ ବୋଲି ସୂଚନା ଦିଆଯାଇଥିଲା।
କଂଗ୍ରେସ ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଅତି ବ୍ୟବସ୍ଥା ଦେଖାଉଛି। ତେଣୁ କିଛି ମାସ ତଳେ ଇଣ୍ଡିଆ ମେଣ୍ଟ ଯେଉଁଭଳି ସକ୍ରିୟତା ଦେଖାଇଥିଲା, ଏବେ ସେମିତି କିଛି ଗତି ହାସଲ କରିପାରୁ ନଥିବା ନୀତୀଶ କହିଛନ୍ତି।
ସିପିଆଇ ପକ୍ଷରୁ ବିହାରର ପାଟନା ଠାରେ ‘ବିଜେପି ହଟାଅ, ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ନୀତୀଶ କୁମାର ଯୋଗ ଦେଇ କେନ୍ଦ୍ରର କ୍ଷମତାସୀନ ବିଜେପିକୁ ହଟାଇବା ପାଇଁ ସମସ୍ତେ ଏକାଠି ହୋଇଥିବା କହିଛନ୍ତି।
ସେ କହିଛନ୍ତି, “ବିରୋଧୀ ଏକାଠି ମେଣ୍ଟ କରିଛନ୍ତି। କିନ୍ତୁ ମେଣ୍ଟ ସେତେଟା ସକ୍ରିୟ ହୋଇପାରୁନି। କଂଗ୍ରେସ ପାର୍ଟି ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଅଧିକ ଫୋକସ କରୁଛି।
ଇଣ୍ଡିଆ ମେଣ୍ଟରେ ଥିବା ସବୁ ଦଳ କଂଗ୍ରେସକୁ ନେତୃତ୍ୱ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଏବେ ଲାଗୁଛି ସେମାନେ ମେଣ୍ଟ ପ୍ରତି ନିର୍ବାଚନ ପରେ ଧ୍ୟାନ ଦେବେ। ସେହିପରି ନିର୍ବାଚନ ପରେ ପରବର୍ତ୍ତୀ ମିଟିଂ ଡାକିବେ।”
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର କହିଛନ୍ତି, “ବର୍ତ୍ତମାନ ସମୟରେ ଇଣ୍ଡିଆ ମେଣ୍ଟର ସ୍ଥିତି ଆଦୌ ଶକ୍ତିଶାଳୀ ନୁହେଁ। ଏହା ଦୁର୍ଭାଗ୍ୟଜନକ। ବର୍ତ୍ତମାନ ମେଣ୍ଟରେ କିଛି ଅନ୍ତଃକନ୍ଦଳ ରହିଛି। ଯାହା ରହିବା କଥା ନୁହେଁ।
ବିଶେଷ କରି ୪ରୁ ୫ ରାଜ୍ୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପରି ଅନ୍ତଃକନ୍ଦଳ ଆଦୌ ଠିକ ନୁହେଁ। ସମାଜବାଦୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଯାହା ସବୁ ଘଟୁଛି, ସେକଥା ସମସ୍ତେ ଦେଖୁଛନ୍ତି। ଉଭୟ ଉତ୍ତର ପ୍ରଦେଶର ସବୁ ଆସନରେ ଲଢ଼ିବେ ବୋଲି କହୁଛନ୍ତି।
ଏହା ଇଣ୍ଡିଆ ମେଣ୍ଟ ପାଇଁ ଆଦୌ ଭଲ ସଙ୍କେତ ନୁହେଁ। ସମ୍ଭବତଃ ଆମେ ରାଜ୍ୟଗୁଡ଼ିକର ନିର୍ବାଚନ ପରେ ଆଉ ଥରେ ଏକାଠି ବସିବୁ। ଆମେ ଏକାଠି ବସିବୁ ଓ ଏକାଠି କାମ କରିବାକୁ ଚେଷ୍ଟା କରିବୁ।”
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ସିଟ ଶେୟାରିଂକୁ ନେଇ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଦୁଇ ଦଳ ପରସ୍ପରକୁ ଖୋଲାଖୋଲି ବିରୋଧ ମଧ୍ୟ କରିଛନ୍ତି। ଏହାକୁ ନେଇ ଇଣ୍ଡିଆ ମେଣ୍ଟରେ ତିକ୍ତତା ଦେଖିବାକୁ ମିଳିଛି।
ଏସବୁ ଭିତରେ ଆଜି ଇଣ୍ଡିଆ ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବନ୍ଦ କେଜ୍ରିୱାଲ। ସେ କହିଛନ୍ତି ଯେ ଆପ୍ ଇଣ୍ତିଆ ମେଣ୍ଟ ପ୍ରତି ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଆପ ଇଣ୍ଡିଆ ମେଣ୍ଟରୁ ଅଲଗା ହେବ ନାହିଁ ବୋଲି ସେ କହିଛନ୍ତି।
ତେବେ ତାଙ୍କ ଦଳ ଡ୍ରଗ୍ସ ବିରୋଧୀ ଲଢ଼େଇ ପାଇଁ ମଧ୍ୟ ପ୍ରତିବଦ୍ଧ ବୋଲି କେଜ୍ରିୱାଲ ମତ ରଖିଛନ୍ତ। ସେ କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ ପଞ୍ଜାବ ପୁଲିସ୍ ଗତକାଲି କଂଗ୍ରେସ ନେତାଙ୍କୁ ଗିରଫ କରିଛି। ମୋ ପାଖରେ ବିସ୍ତୃତ ତଥ୍ୟ ନାହିଁ। ଆପଣମାନେ ପୁଲିସ୍ ଠାରୁ ଏ ସମ୍ପର୍କରେ ସୂଚନା ପାଇ ପାରିବେ।
ଆମେ ଡ୍ରଗ୍ସ ବିରୋଧରେ ଲଢ଼େଇ ଆରମ୍ଭ କରିଛୁ। ମୁଁ କୌଣସି ଗୋଟିଏ ମାମଲାରେ ମତ ରଖିପାରିବି ନାହିଁ। କିନ୍ତୁ ଆମେ ନିଶା କାରବାରକୁ ବନ୍ଦ କରିବାକୁ ପ୍ରତିଶ୍ରୁତିବଦ୍ଧ।”
୨୦୧୫ ମସିହାରେ ରୁଜୁ ହୋଇଥିବା ଗୋଟିଏ ଡ୍ରଗ୍ସ ମାମଲାରେ ଖଇରାଙ୍କୁ ଗୁରୁବାର ପଞ୍ଜାବ ପୁଲିସ୍ ଗିରଫ କରିଥିଲା। ବିଧାୟକ ଓ ତାଙ୍କ ପରିବାରର ବିରୋଧ ସତ୍ତ୍ୱେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ସମୟରେ ପୁଲିସ ସାଦା ପୋଷାକରେ ଥିଲା। ସେହିପରି ପୁଲିସ୍ ଭ୍ୟାନରେ ବସିବା ବେଳେ ଖଇରା ହସୁଥିଲେ। ପଞ୍ଜାବର ଭୋଲାଥ ନିର୍ବାଚନମଣ୍ଡଳୀରୁ ନର୍ବାଚିତ ହୋଇଛନ୍ତି ସୁଖପାଲ ସିଂହ ଖଇରା। ଏଥିସହ ସେ ଅଲ୍ ଇଣ୍ଡିଆ କିସାନ କଂଗ୍ରେସର ମଧ୍ୟ ଅଧ୍ୟକ୍ଷ ଅଛନ୍ତି।
ଏହାକୁ ନେଇ ବିବାଦ ତେଜିବାରେ ଲାଗିଥିବା ବେଳେ ଲୋକସଭା ବାଚସ୍ପତି ଓମ ବିର୍ଲା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ତାଙ୍କର ଆପତ୍ତିଜନକ ବୟାନକୁ ସଂସଦର ରେକର୍ଡକୁ ମଧ୍ୟ ବାଦ ଦିଆଯାଇଛି।
ଲୋକସଭା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଜେପି ସାଂସଦ ରମେଶ ବିଧୁରୀଙ୍କ ଆପତ୍ତିଜନକ ଟିପ୍ପଣୀକୁ ବାଚସ୍ପତି ଗୁରୁତର ସହ ନେଇଛନ୍ତି। ସେ ବିଏସ୍ପିର ମୁସଲିମ ସାଂସଦ ଡାନିଶ ଅଲୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ।
ଚନ୍ଦ୍ରଯାନ -୩ର ସଫଳତା ସମ୍ପର୍କରେ ଗୁରୁବାର ସଂସଦରେ ଆଲୋଚନା ଚାଲିଥିଲା। ଏହି ସମୟରେ ସେ ନିଜର ଭାଷଣ ସମୟରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏଥିପାଇଁ ବାଚସ୍ପତି ସାଂସଦ ରମେଶଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ଯଦି ଆଗକୁ ସେ ଏପରି ଶବ୍ଦ ବା ଆଚରଣ ପ୍ରଦର୍ଶନ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସାମ୍ନାକୁ ଆସିଥିବା ଭିଡିଓରେ ସାଂସଦ ବିଧୁରୀ ବାରମ୍ବାର ସାଂସଦ ଅଲୀଙ୍କୁ ଖରାପ ବ୍ୟବହାର କରିବା ସହ ସାଂପ୍ରଦାୟିକ ଶବ୍ଦର ପ୍ରୟୋଗ କରୁଛନ୍ତି। ଘଟଣା ପରେ ଡାନିଶ ଅଲୀ ବାଚସ୍ପତିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ସେ କହିଥିଲେ ଯେ “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସଂସଦର ନୂଆ ବିଲଡିଂରେ ଏସବୁ ହେଉଛି। ମହାନ ଦେଶରେ ଜଣେ ସଂଖ୍ୟାଲଘୁ ସଦସ୍ୟ ଭାବେ ମୋ ସହ ଏପରି ହେବା ଅତ୍ୟନ୍ତ ଦୁଃଖଦାୟକ।’’
ଘଟଣାକୁ ନେଇ ବିଜେପି ସାଂସଦ ବିଧୁରୀଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବିବାଦ ବଢ଼ୁ ଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସଦସ୍ୟ ଜଣଙ୍କ ଦେଇଥିବା ବୟାନ ଯୋଗୁ ଯଦି ବିରୋଧୀ ଆଘାତ ପାଇଛନ୍ତି, ତା’ହେଲେ ମୁଁ ଦୁଃଖ ପ୍ରକାଶ କରୁଛି ବୋଲି ରାଜନାଥ କହିଛନ୍ତି।
ତେବେ ଏପରି କ୍ଷମା ମାଗିବା ଯଥେଷ୍ଟ ନୁହେଁ, ସାଂସଦ ବିଧୁରୀଙ୍କୁ ନିଲମ୍ବିତ କିମ୍ବା ଗିରଫ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି।
କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଏହା ଅତ୍ୟନ୍ତ ଲଜ୍ଜାଜନକ। ରାଜନାଥ ସିଂହଙ୍କ ଏପରି କ୍ଷମା ପ୍ରାର୍ଥନା ଯଥେଷ୍ଟ ନୁହେଁ। ଏହା ସଂସଦ ପ୍ରତି ଅପମାନ। ଏହା ନିଲମ୍ବନ କରିବା ଭଳି ମାମଲା ଓ ବିଧୁରୀଙ୍କ ବୟାନ ପ୍ରତଟି ଭାରତୀୟଙ୍କ ପ୍ରତି ଅପମାନ। ତେଣୁ ବିଜେପି ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”
କଂଗ୍ରେସର କହିବା କଥା ଯେ ଲୋକସଭାର ଗତ ଅଧିବେଶନ ବେଳେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ତଥାକଥିତ ମନ୍ତ୍ରୀଙ୍କୁ ଅପମାନିତ କରିବା ଅଭିଯୋଗରେ ନିଲମ୍ବନ କରାଯାଇଥିଲା। କିନ୍ତୁ ବିଜେପି ସାଂସଦ ଅତ୍ୟନ୍ତ ଅସଭ୍ୟ ଶବ୍ଦ ପ୍ରୟୋଗ କରିଥିଲେ ମଧ୍ୟ ତାଙ୍କ ବିରୋଧରେ ଏଯାଏ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କଂଗ୍ରେସ ବ୍ୟତୀତ ଆପ, ଆରଜେଡି ଓ ଏନସିପ ପ୍ରମୁଖ ମଧ୍ୟ ଘଟଣାକୁ ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏହି ଦୁଇ ରାଜ୍ୟରେ ସିପିଆଇ-ଏମର ସିଧାଲଢ଼େଇ ଯଥାକ୍ରମେ ମମତା ବାନାର୍ଜୀଙ୍କ ଟିଏମସି ଓ କଂଗ୍ରେସ ସହ ହେଉଛି। ଏହି ଦୁଇ ଦଳ ଇଣ୍ଡିଆ ମେଣ୍ଟରେ ଅଛନ୍ତି। ସିପିଆଇ-ଏମ ମଧ୍ୟ ମେଣ୍ଟର ସଦସ୍ୟ। ତଥାପି ସିପିଆଇ-ଏମ ବେଙ୍ଗଲ ଓ କେରଳରେ ଏକାକୀ ଲଢ଼ିବାକୁ ଯୋଜନା କରିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟିରେ ମଧ୍ୟ ସିପିଆଇ-ଏମ ନିଜକୁ ସାମିଲ କରିନାହିଁ। ବେଙ୍ଗଲରେ ସିପିଆଇ-ଏମ ଉଭୟ ଟିଏମସି ଓ ବିଜେପି ଠାରୁ ବେଙ୍ଗଲରେ ସମଦୂରତା ଅବଲମ୍ବନ କରିବ। ସେହିପରି କେରଳରେ ମଧ୍ୟ ବାମ ଦଳ କଂଗ୍ରେସ ବିରୋଧରେ ପ୍ରାର୍ଥୀ ଦେବ।
ବାମ ଦଳର ଏପରି ନିଷ୍ପତ୍ତି ବିରୋଧୀ ଏକତା ପ୍ରତି ଶକ୍ତ ଝଟକା। କାରଣ ଆସନ୍ତା ଲୋକସଭା ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ଏକ ଅଛନ୍ତି ବୋଲି ଦେଖାଇବାକୁ ଅଣ୍ଟା ଭିଡ଼ିଥିଲେ। କିନ୍ତୁ ବାମ ଦଳର ଏପରି ପଦକ୍ଷେପ ଇଣ୍ଡିଆ ମେଣ୍ଟକୁ ଅଡ଼ୁଆରେ ପକାଇଛି।
ନିକଟରେ ସିପିଆଇ-ଏମ ପକ୍ଷରୁ ଦିଲ୍ଲୀରେ ବୈଠକ ହୋଇଥିଲା। ଏହି ବୈଠକରେ ହିଁ ବେଙ୍ଗଲ ଓ କେରଳରେ ଦଳ କାହା ସହ ମେଣ୍ଟ କରିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଇଣ୍ଡିଆ ମେଣ୍ଟରେ ମତପାର୍ଥକ୍ୟ ରହିଛି ଓ ଏହା ପ୍ରକୃତ ସତ ବୋଲି ବୈଠକରେ ସାମିଲ ହୋଇଥିବା ଜଣେ ନେତା ମତ ରଖିଛନ୍ତି।
ସେ କହିଛନ୍ତି, “ଇଣ୍ଡିଆ ମେଣ୍ଟର ବେଙ୍ଗାଲୁରୁ ବୈଠକ ପୂର୍ବରୁ ସୀତାରାମ ୟେଚୁରୀ ସ୍ପଷ୍ଟ କରି ସାରିଥିଲେ ଯେ ପଶ୍ଚିମବଙ୍ଗରେ ଆମର ଲଢ଼େଇ ବିଜେପି ଓ ଟିଏମସି ସହ ହେବ। ସେହିପରି କେରଳରେ ୟୁଡିଏଫ ଓ ଏଲଡିଏଫ ମଧ୍ୟରେ ଟକ୍କର ହେବ। ଆମେ ଜାତୀୟ ସ୍ତରରେ କୌଣସି ପ୍ରକାରର ନିର୍ବାଚନୀ ବୁଝାମଣା କରିପାରିବୁ ନାହିଁ।”
ନିକଟରେ ଇଣ୍ଡିଆ ମେଣ୍ଟର ୧୪ ଜଣିଆ ସମନ୍ୱୟ କମିଟି ବୈଠକ ବସିଥିଲା। ଏଥିରେ ବାମଦଳର କେହି ବି ଯୋଗ ଦେଇ ନଥିଲେ।
ନିର୍ଦ୍ଦିଷ୍ଟ ଆଙ୍କରମାନେ ନିଜ ବିତର୍କ ଶୋ’ରେ ବିରୋଧୀ ଦଳର ନେତାମାନଙ୍କୁ ଡାକି ସେମାନଙ୍କୁ କହିବାକୁ ସୁଯୋଗ ଦେଉ ନାହାନ୍ତି। ସେମାନେ ସରକାରଙ୍କ ବଦଳରେ ବିରୋଧୀଙ୍କୁ ପ୍ରଶ୍ନ କରୁଛନ୍ତି। ସେହିପରି ଦେଶରେ ସାଂପ୍ରଦିୟକ ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଥିବା ବିରୋଧୀ ଅଭିଯୋଗ କରିଛନ୍ତି।
ତେଣୁ ଏପରି ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ପ୍ରତିନିଧି ଯିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ବୁଧବାର ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକରେ ହିଁ ଇଣ୍ଡିଆ ମେଣ୍ଟର ମିଡିଆ ସବ ଗ୍ରୁପକୁ ଆଙ୍କରମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।
ଇଣ୍ଡିଆ ମେଣ୍ଟର ମିଡିଆ କମିଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପରେ ୧୪ ଜଣ ଏମିତି ଆଙ୍କରଙ୍କୁ ଚିହ୍ନଟ କରିଛି, ଯେଉଁମାନଙ୍କ ଶୋ’କୁ ନେତାମାନେ ଆଦୌ ଯିବେ ନାହିଁ।
ଏହି ତାଲିକାରେ ମୁକେଶ ଅମ୍ବାନୀଙ୍କ ନ୍ୟୁଜ ଚ୍ୟାନେଲ ନ୍ୟୁଜ ୧୮ର ସର୍ବାଧିକ ଆଙ୍କର ରହିଛନ୍ତି। ସେହିପରି ରିପବ୍ଲିକ ନେଟୱର୍କର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଓ ଆଜତକର ସୁଧୀର ଚୌଧୁରୀଙ୍କ ନାଁ ମଧ୍ୟ ରହିଛି।
The following decision was taken by the INDIA media committee in a virtual meeting held this afternoon. #JudegaBharatJeetegaIndia #जुड़ेगा_भारत_जीतेगा_इण्डिया pic.twitter.com/561bteyyti
— Pawan Khera 🇮🇳 (@Pawankhera) September 14, 2023
କଂଗ୍ରେସର ବରିଷ୍ଠ ନେତା ପବନ ଖେରା ଉକ୍ତ ତାଲିକା ଜାରି କରି ଇଣ୍ଡିଆର ମିଡିଆ କମିଟି ୧୪ ଜଣ ଆଙ୍କରଙ୍କ ତାଲିକା ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି। ଆଉ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଇଣ୍ଡିଆ ମେଣ୍ଟ ଟାଇମ୍ସ ନାଓଁ, ରିପବ୍ଲିକ ଭାରତ, ସୁଦର୍ଶନ ନ୍ୟୁଜ ଓ ଦୂରଦର୍ଶନ ଭଳି ୪ଟି ଚ୍ୟାନେଲକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି। ହେଲେ ଏ ସମ୍ପର୍କରେ ଇଣ୍ଡିଆ ମେଣ୍ଟର କୌଣସି ନେତା ପ୍ରତିକ୍ରିୟା ଦେଇ ନାହାନ୍ତି।
କେଉଁ ସବୁ ଆଙ୍କରମାନଙ୍କ ବୟକଟ କରାଯିବ
୧- ଆଦିତି ତ୍ୟାଗୀ(ଭାରତ ଏକ୍ସପ୍ରେସ)
୨- ଅମନ ଚୋପ୍ରା(ନ୍ୟୁଜ ୧୮)
୩- ଅମିଶ ଦେବଗନ(ନ୍ୟୁଜ ୧୮)
୪- ଆନନ୍ଦ ନରସିମା(ନ୍ୟୁଜ ୧୮)
୫- ଅର୍ଣ୍ଣବ ଗୋସ୍ୱାମୀ(ରିପବ୍ଲିକ)
୬- ଅଶୋକ ଶ୍ରୀବାସ୍ତବ(ଡିଡି ନ୍ୟୁଜ)
୭- ଚିତ୍ରା ତ୍ରିପାଠୀ(ଆଜତକ)
୮- ଗୌରବ ସାୱନ୍ତ( ଇଣ୍ଡିଆ ଟୁଡେ)
୯- ନାବିକା କୁମାର(ଟାଇମ୍ସ ନାଓ)
୧୦- ପ୍ରାଚୀ ପାରାଶର(ଇଣ୍ତିଆ ଟିଭି)
୧୧- ରୁବିକା ଲିୟାକତ(ଭାରତ ୨୪)
୧୨- ଶିବ ଅରୁର(ଇଣ୍ତିଆ ଟୁଡେ)
୧୩- ସୁଧୀର ଚୌଧୁରୀ(ଆଜତକ)
୧୪- ସୁଶାନ୍ତ ସିହ୍ନା(ଟାଇମ୍ସ ନାଓ ନବଭାରତ)
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, “ସ୍ୱାମୀ ବିବେକାନନ୍ଦ ଓ ଲୋକମାନ୍ୟ ତିଲକଙ୍କୁ ଅନୁପ୍ରାଣିତ କରିଥିବା ସନାତନ ଧର୍ମକୁ ଏହି ଇଣ୍ଡିଆ ମେଣ୍ଟର ଲୋକମାନେ ସମାପ୍ତ କରିବା ପାଇଁ ଚାହୁଁଛନ୍ତି। ଏହି ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଆଜି ସେମାନେ ଖୋଲାଖୋଲି ଭାବେ ସନାତନ ଧର୍ମକୁ ଟାର୍ଗେଟ କରୁଛନ୍ତି। ଆସନ୍ତାକାଲି ସେମାନେ ଆମ ଉପରେ ଆକ୍ରମଣକୁ ଆହୁରି ଜୋରଦାର କରିବେ। ଦେଶରେ ଥିବା ସମସ୍ତ ସନାତନୀ ଓ ଆମ ଦେଶକୁ ଭଲ ପାଉଥିବା ଲୋକମାନେ ଏଥିପ୍ରତି ସତର୍କ ରହିବାର ଆବଶ୍ୟକ ରହିଛି। ଆମକୁ ଏପରି ଲୋକଙ୍କୁ ଅଟକାଇବାର ଅଛି।
ଘମଣ୍ଡିଆ(ଇଣ୍ଡିଆ) ମେଣ୍ଟର ନେତାମାନେ ନିକଟରେ ମୁମ୍ବାଇରେ ଭେଟଘାଟ କରିଥିଲେ। ସେମାନଙ୍କ ପାଖରେ କୌଣସି ନୀତି ଅଛି ନା ପ୍ରସଙ୍ଗ ଅଛି ନା ନେତା ଅଛନ୍ତି। ସେମାନେ କେବଳ ସନାତନ ଧର୍ମକୁ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।”
ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବିନା ରିଫାଇନେରୀରେ ୪୯ ହଜାର କୋଟି ଟଙ୍କାର ପେଟ୍ରୋଲ କେମିକାଲ୍ସ କମ୍ପ୍ଲେକ୍ସର ଶିଳାନ୍ୟାଶ କରିଛନ୍ତି। ଏଥିସହ ରାଜ୍ୟରେ ୧୦ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ବେଳେ ମୋଦି ବିରୋଧୀ ମେଣ୍ଟକୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।
ନିକଟରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମକ ସାମାଜିକ ନ୍ୟାୟ ବିରୋଧୀ ଓ ଏହାକୁ ବିଲୋପ କରାଯିବା ଦରକାର ବୋଲି କହିଥିଲେ। ସେହିପରି ଡିଏମକେର ଅନ୍ୟତମ ନେତା ଏ ରାଜା ମଧ୍ୟ ସନାତନ ଧର୍ମକୁ କୁଷ୍ଠ ଓ ଏଚଆଇଭି ସହ ମଧ୍ୟ ତୁଳନା କରିଥିଲା। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ମୋଦି ସନାତନ ଧର୍ମକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି।
ଆଜି ପ୍ରଥମଥର ପାଇଁ ଇଣ୍ଡିଆ ମେଣ୍ଟର ସମନ୍ୱୟ କମିଟି ବୈଠକ ବସିଥିଲା। ଏହି ବୈଠକ ପରେ ମେଣ୍ଟ ପକ୍ଷରୁ ଏପରି ଘୋଷଣା କରାଯାଇଛି। ସେହିପରି ମେଣ୍ଟ ପକ୍ଷରୁ ଜାତି ଭିତ୍ତିକ ଜନଗଣନାକୁ ଆଗକୁ ନିଆଯିବ। ଏହାବାଦ ଆଜିର ବୈଠକରେ ସିଟ୍ ଶେୟାରିଂ ଫର୍ମୁଲା ଉପରେ ମଧ୍ୟ ମାନସମନ୍ଥନ ହୋଇଛି।
ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଦିଲ୍ଲୀ ବାସଭବନରେ ବସିଥିବା ସମନ୍ୱୟ କମିଟିରେ ଟିଏମସିର ଅଭିଷେକ ବାନାର୍ଜୀଙ୍କୁ ଛାଡ଼ି ଆଉ ସବୁ ସଦସ୍ୟ ଯୋଗ ଦେଇଥିଲେ। ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଶ୍ରୀ ବାନାର୍ଜୀଙ୍କୁ ସମନ କରିଥିବାରୁ ସେ ସମନ୍ୱୟ ବୈଠକରେ ଯୋଗ ଦେଇ ପାରି ନଥିଲେ।
ବୈଠକ ପରେ ଜାରି ମିଳିତ ବିବୃତିରେ କୁହାଯାଇଛି ଯେ ବିରୋଧୀ ମେଣ୍ଟ ଇଣ୍ଡିଆ ଆୟୋଜନ କରିବାକୁ ଯାଉଥିବା ସାଧାରଣ ସଭାରେ ଦର ବୃଦ୍ଧ, ବେକାରୀ ଓ ବିଜେପି ସରକାରର ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଯିବ। ଭୋପାଲରେ ମେଣ୍ଟର ପ୍ରଥମ ବୈଠକ ଅକ୍ଟୋବର ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ।
ସମନ୍ୱୟ କମିଟିରେ ୨୦୨୪ ଲୋକସଭା ନିର୍ବାଚନର ସିଟ ଶେୟାରିଂ ଫର୍ମୁଲା ଉପରେ ମଧ୍ୟ ଆଲୋଚନା ହୋଇଛି। ଆସନ ଭାଗବଣ୍ଟା ସମ୍ପର୍କରେ କମିଟି ବିଭିନ୍ନ ରାଜନୀତିକ ଦଳଗୁଡ଼ିକ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛି।
ଗତ ନିର୍ବାଚନର ପ୍ରଦର୍ଶନ ଓ ରାଜ୍ୟରେ ଦଳର ଶକ୍ତି ଆଧାରରେ ସିଟ ଭାଗବଣ୍ଟା ହେବ। ବିରୋଧୀ ମେଣ୍ଟର ଦଳଗୁଡ଼ିକ ମିଳିତ ଭାବେ ଯେମିତି ବିଜେପି ବିରୋଧରେ ଜଣଙ୍କୁ ପ୍ରାର୍ଥୀ କରିବେ, ତା’କୁ ସମନ୍ୱୟ କମିଟି ନିଶ୍ଚିତ କରିବ।
ଏହାବାଦ ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗକୁ ମଧ୍ୟ ଇଣ୍ଡିଆ ମେଣ୍ଟ ଆଗକୁ ନେବ। ବିହାର ସରକାର ଏବେ ରାଜ୍ୟରେ ଜାତି ଭିତ୍ତିକ ଜନଗଣନା କରୁଛନ୍ତି। ଏହାକୁ ଆଗକୁ ନେବାକୁ ସମନ୍ୱୟ କମିଟି ନିଷ୍ପତ୍ତି ନେଇଛି।
ତାଲିକାରେ କେଉଁ ସବୁ ନ୍ୟୁଜ ଉପସ୍ଥାପକ ଓ ଉପସ୍ଥାପିକା ରହିବେ, ସେମାନଙ୍କ ନାଁ ଖୁବଶୀଘ୍ର ପ୍ରକାଶ ପାଇବ। ଇଣ୍ଡିଆ ମେଣ୍ଟର ମିଡିଆ ସବ କମିଟି ନିଷ୍ପତ୍ତି ଅନୁସାରେ ଇଣ୍ଡିଆ ମେଣ୍ଟର ନେତାମାନେ ଏଣିକି ବିଭିନ୍ନ ଚ୍ୟାନେଲ ଓ ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଯିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଇଣ୍ଡିଆ ମେଣ୍ଟର ସମ୍ବନୟ କମିଟି ବୈଠକ ବସିଥିଲା। ଏଥିରେ ଜାତି ଭିତ୍ତିକ ଜନଗଣନା ଠାରୁ ଆରମ୍ଭ କରି ଶିଟ ଶେୟାରିଂ ଆଦି ପ୍ରସଙ୍ଗ ଆଲୋଚନା ହୋଇଥିଲା। ଏଥିସହ ଗଣମାଧ୍ୟମର ଭୂମିକା ସମ୍ପର୍କରେ ମଧ୍ୟ ନେତାମାନେ କଥା ହୋଇଥିଲେ।
ବିଭିନ୍ନ ଟିଭି ଚ୍ୟାନେଲ ଓ ଏହାର ତଥାକଥିତ ବଡ଼ବଡ଼ ଆଙ୍କରମାନେ ବିରୋଧୀ ଦଳର ନେତାମାନଙ୍କୁ ଉପଯୁକ୍ତ ବ୍ୟବହାର କରୁ ନାହାନ୍ତି। ସେମାନେ ଏକପାଖିଆ ଖବର ପ୍ରସାରଣ କରିବା ସହ ବିତର୍କରେ କେବଳ ଘୃଣା ସୃଷ୍ଟି କରିବା ଭଳି କଥା କହୁଛନ୍ତି। ଏଥିପାଇଁ ସେଭଳି ଚ୍ୟାନେଲ ଓ ଆଙ୍କରମାନଙ୍କୁ ଇଣ୍ଡିଆ ମେଣ୍ଟର ନେତାମାନେ ବୟକଟ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
ସମନ୍ୱୟ କମିଟିରେ ଥିବା କଂଗ୍ରେସର ବରିଷ୍ଠ ନେତା କେସି ଭେନୁଗୋପାଲ ବୈଠକ ପରେ କହିଛନ୍ତି ଯେ “କେଉଁ ସବୁ ନ୍ୟୁଜ ଅର୍ଗାନାଇଜେସନକୁ ବୟକଟ କରାଯିବ, ତା’ର ନିଷ୍ପତ୍ତି ନେବାକୁ ଗୋଟିଏ ସବ କମିଟି ଗଠନ କରାଯାଇଛି। ମିଡିଆ ପାଇଁ ଗଠନ ହୋଇଥିବା ସବ ଗ୍ରୁପ୍ କେଉଁ ସବୁ ନ୍ୟୁଜ ଆଙ୍କରମାନଙ୍କ ଶୋ’କୁ ଇଣ୍ଡିଆ ମେଣ୍ଟର କୌଣସି ବି ନେତା ଯିବେ ନାହିଁ, ତା’ର ନିଷ୍ପତ୍ତି ନେବ। ଖୁବଶୀଘ୍ର ସେଭଳି ଆଙ୍କରମାନଙ୍କ ତାଲିକା ପ୍ରକାଶ କରାଯିବ।” ମିଡିଆ ସବ ଗ୍ରୁପ୍ରେ ୧୯ ଜଣ ସଦସ୍ୟ ରହିଛନ୍ତି।
The first meeting of the coordination committee was attended by 12 member parties.
— Congress (@INCIndia) September 13, 2023
The committee decided to hold joint public meetings in different parts of the country. The first public meeting will be held in Bhopal in the first week of October. We will raise the issue of… pic.twitter.com/KuEQZUUqme
ବିରୋଧୀ ଦଳଗୁଡ଼ିକ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ଯେ ବିଭିନ୍ନ ଗଣମାଧ୍ୟମ କେବଳ ସରକାରଙ୍କ ପ୍ରଚାର କରୁଛନ୍ତି। ସେମାନେ ଦିନ ରାତି ହିନ୍ଦୁ ମୁସଲିମ ଶୋ’ କରି ଦେଶରେ ଘୃଣାର ପରିବେଶ ସୃଷ୍ଟି କରୁଛନ୍ତି। ବିରୋଧୀଙ୍କୁ ମଧ୍ୟ ସେମାନେ ଠିକ ଭାବେ ନିଜ ଚ୍ୟାନେଲରେ ସ୍ଥାନ ଦେଉ ନାହାନ୍ତି। ତେଣୁ ସେମାନେ ଏବେ ବୟକଟ କରିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।
ଇଣ୍ଡିଆ ମେଣ୍ଟର ଅନ୍ୟତମ ପ୍ରମୁଖ ସଦସ୍ୟ ଟିଏମସି ସୋମବାର ଉଦୟନିଧିଙ୍କ ବୟାନକୁ ନିନ୍ଦା କାରିଛି। ଏପରି ବୟାନ ସହ ଇଣ୍ଡିଆ ମେଣ୍ଟର କୌଣସି ସମ୍ପର୍କ ନଥିବା ମଧ୍ୟ ଦଳ କହିଛି।
ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି, “ଆମେ ଏପରି ବୟାନକୁ ନିନ୍ଦା କରୁଛୁ। ସଦଭାବ ହେଉଛି ଆମ ସଂସ୍କୃତି। ଆମକୁ ଅନ୍ୟ ସବୁ ଧର୍ମକୁ ସମ୍ମାନ କରିବାକୁ ପଡ଼ିବ। ଇଣ୍ଡିଆ ମେଣ୍ଟର ସମ୍ପର୍କ ଏପରି ବୟାନ ସହ ନାହିଁ। ଯିଏ ବି ଏପରି ମନ୍ତବ୍ୟ ଦେଉଛନ୍ତି, ଆମେ ସମସ୍ତେ ଏହାକୁ ନିନ୍ଦା କରିବା ଦରକାର।”
ଉଦୟନିଧି କହିଥିଲେ ଯେ ସନାତନ ଧର୍ମ ଏକତା ଓ ସାମାଜିକ ନ୍ୟାୟ ବିରୋଧୀ। ଏହାର ବିଲୋପ ହେବା ଉଚିତ। ସେ ସନାତନ ଧର୍ମକୁ କରୋନା ଭାଇରସ, ମାଲାରିଆ ଓ ଡେଙ୍ଗୁ ସହ ଯୋଡ଼ିଥିଲେ। ଏହାକୁ ବିରୋଧ ନୁହେଁ, ବରଂ ଧ୍ୱଂସ କରାଯିବା ଦରକାର ବୋଲି ସେ କହିବା ପରେ ବିବାଦ ଆରମ୍ଭ ହୋଇଥିଲା।
ତାଙ୍କର ଏହି ବୟାନକୁ ନେଇ ରାଜନୀତିକ ହଟଚମଟ ଦେଖିବାକୁ ମିଳିଛି। ବିଜେପି ଏହି ବୟାନ ପାଇଁ ଇଣ୍ଡିଆ ମେଣ୍ଟକୁ ଦାୟୀ କରିବା ସହ ଉଦୟନିଧି କ୍ଷମା ମାଗନ୍ତୁ ବୋଲି ଦାବି କରିଛି।
ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଜି-୨୦ ବୈଠକ ପୁର୍ବରୁ ଏ ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ।” ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି ଯେ ମୋଦି ସରକାର ଗରିବ ଲୋକଙ୍କ ଠାରୁ ଟଙ୍କା ନେଉଛନ୍ତି ଓ ଏହାକୁ ଧନୀମାନଙ୍କୁ ଦେଉଛନ୍ତି। ମୋଦି ସରକାର ଚାଇନା ଠାରୁ ଜମି ହାରି ଯାଇଛି ବୋଲି ମଧ୍ୟ ସେ ଦୋହରାଇଛନ୍ତି।
ସେ କହିଛନ୍ତି, “ଲଦାଖର ଲୋକମାନେ ମୋତେ ନିର୍ଦ୍ଦିଷ୍ଟ ଭାବେ କହିଛନ୍ତି ଯେ ଚାଇନା ଭାରତୀୟ ଜମିକୁ କବଜା କରିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହୁଥିବା ସେମାନେ କହିଛନ୍ତି। ଲଦାଖର ପ୍ରତିଟି ଲୋକ ଜାଣିଛନ୍ତି ଯେ ଭାରତ ସରକାର ଭାରତର ଲୋକ ଓ ଲଦାଖବାସୀଙ୍କ ସହ ଧୋକା କରିଛନ୍ତି।
ସୀମାରେ ଏବେ ପରିବର୍ତ୍ତନ ହୋଇଥିବା ସ୍ପଷ୍ଟ ଭାବେ ଦେଖାଯାଉଛି। ପୂର୍ବରୁ ଆମ ଲୋକମାନେ ଯେଉଁ ସବୁ ସ୍ଥାନକୁ ଯାଇ ପାରୁଥିଲେ, ଏବେ ସେମାନଙ୍କୁ ସେଠାକୁ ଯିବାକୁ ଅନୁମତି ମିଳୁନି। ଲଦାଖରେ ଯାହା ଘଟିଛି, ସେସବୁ ଲଜ୍ଜାଜନକ।”
ଇଣ୍ଡିଆ ମେଣ୍ଟ ନିଶ୍ଚିତ ଭାବେ ଏକାଠି ହେଲେ ସଫଳତା ହାସଲ କରିବ ବୋଲି ମଧ୍ୟ ରାହୁଲ ଗାନ୍ଧି ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଏହି ଷ୍ଟେଜରେ ଏକାଠି ହୋଇଥିବା ଦଳଗୁଡ଼ିକ ଦେଶର ୬୦% ଲୋକଙ୍କ ପ୍ରତିନିଧିତ୍ୱ କରୁଛନ୍ତି। ଯଦି ସବୁ ବିରୋଧୀ ଦଳ ଏକାଠି ହୋଇଯିବେ, ତା’ହେଲେ ବିଜେପି ପାଇଁ ନିର୍ବାଚନ ଜିତିବା ଅସମ୍ଭବ ହୋଇପଡ଼ିବ।
ମୁଁ ନିଶ୍ଚିତ ଯେ ଇଣ୍ଡିଆ ମେଣ୍ଟ ବିଜେପିକୁ ହରାଇ ପାରିବ। ଆମ ମଧ୍ୟରେ ମତପାର୍ଥକ୍ୟ ରହିପାରେ, କିନ୍ତୁ ଆମେ ସମସ୍ତେ ଏକାଠି କାମ କରୁଛୁ। ଆମେ ବିକାଶକୁ ଫୋକସ କରିବା ଓ ଏହା ଦେଶକୁ ମଧ୍ୟ ଆଗକୁ ନେବ।”
ମୁମ୍ବାଇ ବୈଠକରେ ନିର୍ବାଚନୀ ସଂକଳ୍ପ ପାରିତ ହୋଇଥିବା ବେଳେ ମତ ପାର୍ଥକ୍ୟ ଯୋଗୁ ଗୋଟିଏ ରାଜନୀତିକ ସଂକଳ୍ପକୁ ବାଦ ଦିଆଯାଇଛି। ଏହି ରାଜନୀତିକ ସଂକଳ୍ପରେ ଜାତିଭିତ୍ତିକ ଜନଗଣନା ଉପରେ ଫୋକସ କରାଯାଇଥିଲା। କିନ୍ତୁ ଇଣ୍ଡିଆ ମେଣ୍ଟ ଏହା ଉପରେ ଏକମତ ହୋଇପାରିନି।
ନୀତୀଶ କୁମାରଙ୍କ ଜେଡିୟୁ, ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଓ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡି ଜାତିଭିତ୍ତିକ ଜନଗଣନା ସପକ୍ଷରେ ଦାବି ରଖିଥିଲେ। ତେବେ ଏହା ବିରୋଧରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମତ ଦେଇଥିବା ଜଣାପଡ଼ିଛି। ତେଣୁ ଏହି ପ୍ରସଙ୍ଗରେ ସବୁ ବିରୋଧୀ ଦଳର ନେତା ଏକାଠି ହୋଇ ପାରି ନାହାନ୍ତି।
ସବୁଠାରୁ କୌତହଳର ବିଷୟ ହେଉଛି ଯେ ଜୁଲାଇରେ ଇଣ୍ଡିଆ ମେଣ୍ଟର ବୈଠକ ବେଳେ ଯୁଗ୍ମ ସଂକଳ୍ପ ପାରିତ ହୋଇଥିଲା। ଏଥିରେ ନିର୍ଦ୍ଦିଷ୍ଟ ଭାବେ ଜାତି ଭିତ୍ତିକ ଜନଗଣନାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଥିଲା।
ସେତେବେଳେ କୁହାଯାଇଥିଲା ଯେ “ସଂଖ୍ୟାଲଘୁଙ୍କ ବିରୋଧରେ ସୃଷ୍ଟି କରାଯାଉଥିବା ଘୃଣା ଓ ହିଂସାକୁ ରୋକିବା, ମହିଳା, ଦଳିତ, ଆଦିବାସୀ ଓ କଶ୍ମୀର ପଣ୍ଡିତଙ୍କ ବିରୋଧରେ ହେଉଥିବା ଅପରାଧକୁ ବନ୍ଦ କରିବା, ସମସ୍ତ ସାମଜିକ, ଶିକ୍ଷାଗତ ଓ ଆର୍ଥିକ ପଛୁଆ ବର୍ଗର ଦାବିକୁ ନିରପେକ୍ଷ ଭାବେ ଶୁଣିବା ଓ ଜାତିଗତ ଜନଗଣନାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ଏକାଠି ହୋଇଛୁ।” ହେଲେ ଏବେ ଜାତିଗତ ଜନଗଣନାକୁ ନେଇ ଇଣ୍ଡିଆ ମେଣ୍ଟ ଏକ ହୋଇ ପାରି ନାହାନ୍ତି।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। କିଛି ଦିନ ପାଇଁ ଏହା ଉପରେ ରୋକ ଲାଗିଥିଲା। କିନ୍ତୁ ଗତମାସରେ ପାଟନା ହାଇକୋର୍ଟ ଏହାକୁ କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଥିଲେ।
ତେଣୁ ଆଜି ବିରୋଧୀ ବୈଠକରେ ତାଙ୍କ ଉପସ୍ଥିତିକୁ କଂଗ୍ରେସ ଜୋରଦାର ବିରୋଧ କରିଥିଲା। ସେ କୌଣସି ପାର୍ଟିର ଲୋଗକୁ ନିଜ ବେକରେ ପକାଇ ବୁଲିବାକୁ ଚାହୁଁ ନଥିବାରୁ ଗତବର୍ଷ କଂଗ୍ରେସ ଛାଡ଼ିଥିଲେ। ତେଣୁ ତାଙ୍କୁ ଇଣ୍ଡିଆ ବୈଠକକୁ ଡକା ଯାଇ ନଥିଲା। ତଥାପି ସେ ବୈଠକରେ ପହଞ୍ଚିବାରୁ କଂଗ୍ରେସର ବରିଷ୍ଠ ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ।
ବରିଷ୍ଠ କଂଗ୍ରେସ ନେତା କେସି ଭେନୁଗୋପାଲ ସିଧାସଳଖ କପିଲ ଶିବଲଙ୍କ ଉପସ୍ଥିତି ବିରୋଧରେ ଅଭିଯୋଗ କରିଥିଲେ। ମୁମ୍ବାଇରେ ବିରୋଧୀଙ୍କ ମେଣ୍ଟର ଆୟୋଜନ କରୁଥିବା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟରେ ସେ ଫେରାଦ ହୋଇଥିଲେ। ବିରୋଧୀ ମେଣ୍ଟର ଫଟୋରେ ଯେମିତି କପିଲ ଶିବଲ ନ ରହିବେ, ତା’ର ବ୍ୟବସ୍ଥା କରିବାକୁ ଭେନୁଗୋପାଲ କହିଥିଲେ।
ତେବେ ଫାରୁକ ଅବଦୁଲ୍ଲା ଓ ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ ତାଙ୍କୁ ବୁଝାଇବା ସହ ଭେନୁଗୋପାଲ ସବୁ କିଛି ଭୁଲି ଶିବଲଙ୍କ ଉପସ୍ଥିତିକୁ ଗ୍ରହଣ କରନ୍ତୁ ବୋଲି କହିଥିଲେ। ତଥାପି ସେ କିଛି ଶୁଣି ନଥିଲେ। କିନ୍ତୁ ରାହୁଲ ଗାନ୍ଧି ବୈଠକରେ ଶିବଲଙ୍କ ଉପସ୍ଥିତିରେ କୌଣସି ଅସୁବିଧା ନାହିଁ ବୋଲି କହିବାରୁ ସବୁ କିଛି ଶାନ୍ତ ପଡ଼ିଥିଲା। ଶିବଲ ମଧ୍ୟ ବିରୋଧୀ ମେଣ୍ଟର ଫଟୋ ଶୁଟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସାମ୍ନାକୁ ଆସିଥିବା ଭିଡିଓରେ ଏନସିପିର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ବେଶ ଉତ୍ସାହର ସହ କପିଲ ଶିବଲଙ୍କୁ ସ୍ୱାଗତ କରିଥିଲେ। କିଛି ଦୂରତାରେ ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ ମିଳିତ ଭାବେ ଭେନୁଗୋପାଲଙ୍କ ଭଳି ଲାଗୁଥିବା ଜଣେ ନେତାଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି।
ସଞ୍ଜୟ ରାଉତ ବେଶ କିଛି ସମୟ ବୁଝାସୁଝା କରିବା ସହ ଶିବଲଙ୍କ ଆଡ଼କୁ ଅଙ୍ଗୁଳି ଦେଖାଇ କିଛି କହୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଆଉ ଗୋଟିଏ ଭିଡିଓରେ ଶିବଲ ପଞ୍ଜାବ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଭଗୱନ୍ତ ମାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।
୧୩ ଜଣିଆ ସମନ୍ୱୟ କମିଟିରେ କଂଗ୍ରେସର କେସି ଭେନୁଗୋପାଲ, ଏନସିପିର ଶରଦ ପାୱାର, ଡିଏମକେର ଏମକେ ଷ୍ଟାଲିନ, ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସଞ୍ଜୟ ରାଉତ, ଜେଡିୟୁର ଲଲନ ସିଂହ, ଆରଜେଡିର ତେଜସ୍ୱୀ ଯାଦବ, ଟିଏମସିର ଅଭିଷେକ ବାନାର୍ଜୀ, ଆପ୍ର ରାଘବ ଚଡ୍ଡା, ସପାର ଜାଭେଦ ଅଲୀ ଖାନ, ଜେଏମଏମର ହେମନ୍ତ ସୋରେନ, ସିପିଆଇର ଡି ରାଜା, ଏନସିର ଓମାର ଅବଦୁଲ୍ଲା ଓ ପିଡିପିର ମେହବୁବା ମୁଫତି ରହିଛନ୍ତି। ଏହି ସମନ୍ୱୟ କମିଟିର ଦଳର ଯୋଗାଯୋଗ ଓ ପ୍ରଚାର ରଣନୀତି ପ୍ରସ୍ତୁତ କରିବ। ଏଥିସହ ବିଭିନ୍ନ ପ୍ରକାରର ବୈଠକ ଓ ରାଲି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନେବ।
ଅନ୍ୟପକ୍ଷରେ ମୁମ୍ବାଇରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକରେ ଏକାଧିକ ସଂକଳ୍ପ ମଧ୍ୟ ଇଣ୍ଡିଆ ମେଣ୍ଟ ପାରିତ କରିଛି। ସଂକଳ୍ପରେ ସବୁ ଦଳ ଯଥା ସମ୍ଭବ ଏକାଠି ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ। ମେଣ୍ଟର ଥିମ ବା ନାରା ରହିବ ‘ଜୁଡେଗା ଭାରତ, ଜିତେଗା ଇଣ୍ଡିଆ।’ ଏହାକୁ ବିଭିନ୍ନ ଭାଷାରେ ପ୍ରଚାର ଅଂଶ ବିଶେଷ କରାଯିବ।
ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ଦେଶର ବିଭିନ୍ନ ପ୍ରାନ୍ତରେ ଏକାଠି ରାଲି କରିବେ। ଲୋକଙ୍କ ସହ ଜଡ଼ିତ ପ୍ରସଙ୍ଗ ଓ ଗୁରୁତ୍ୱ ବହନ କରୁଥିବା ବିଷୟବସ୍ତୁ ହିଁ ଫୋକସରେ ରହିବ ବୋଲି ପାରିତ ହୋଇଥିବା ସଂକଳ୍ପରେ କୁହାଯାଇଛି।
ତେବେ ଇଣ୍ଡିଆ ମେଣ୍ଟ ପକ୍ଷରୁ ମୁମ୍ବାଇରେ ଆୟୋଜିତ ବୈଠକରେ ମଧ୍ୟ ସିଟ୍ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇପାରନି। ଖୁବଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ ଓ ସମସ୍ତଙ୍କୁ ସାଙ୍ଗରେ ନେଇ ସବୁ କଥା କରାଯିବ ବୋଲି ମେଣ୍ଟ ପକ୍ଷରୁ କୁହାଯାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ବିରୋଧୀ ମେଣ୍ଟ ଇଣ୍ଡିଆ ଗୋଟିଏ ନୂଆ ପ୍ୟାନେଲ ଗଠନ କରିବ। ଏହି ପ୍ୟାନେଲ ହିଁ ମେଣ୍ଟର ସିଟ୍ ଶେୟାରିଂ ଫର୍ମୁଲା କଥା ବୁଝିବ।
ଆଜି କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଯାଏ ଚାଲିବ ବୋଲି କହିଛନ୍ତି। ଏହି ସମୟରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍, ସମାନ ନାଗରିକ ସଂହିତା ବିଲ ଓ ମହିଳା ସଂରକ୍ଷଣ ବିଲ୍ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ତେବେ ବିରୋଧୀ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବିରୋଧ କରିଛନ୍ତି। ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି, “କେନ୍ଦ୍ର ସରକାର କେମିତି ନିର୍ବାଚନ କମିଶନ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁରକ୍ଷାକର୍ମୀ ଓ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା ନ କରି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ଆଗତ କରିବେ?
ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବୁ ଅଂଶିଦାରଙ୍କ ସହ କଥା ହେବା ଉଚିତ। ଲାଗୁଛି ସରକାର ଏବେ ଭୟଭୀତ ଓ ବ୍ୟସ୍ତ। ଶେଷ ସମୟରେ କ୍ଷମତାକୁ ଜାବୁଡ଼ି ଧରିବାକୁ ପ୍ରୟାସ ହେଉଛି। ଯଦି ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍କୁ ସ୍ୱତନ୍ତ୍ର ଅଧିବେଶନ ସମୟରେ ଆଣିବେ, ତା’ହେଲେ ଏହାକୁ ବିରୋଧୀ ଜୋରଦାର ବିରୋଧ କରିବେ।”
ବିରୋଧୀ ମେଣ୍ଟ ଇଣ୍ଡିଆକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଡରୁଛନ୍ତି। ଏଥିପାଇଁ ସମ୍ଭବତଃ କେନ୍ଦ୍ର ପକ୍ଷରୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି।
ସେ କହିଛନ୍ତି, “ଏବେ ଏହା ସ୍ପଷ୍ଟ ହେଉଛି ଯେ ବିଜେପି ଭୟଭୀତ। ସେମାନେ ୩ଟି ଯାକ ରାଜ୍ୟର ବିଧାନସଭା ନିର୍ବାଚନ ହାରିବାକୁ ଯାଉଥିବା ଆଗୁଆ ଜାଣି ସାରିଲେଣି। ଇଣ୍ଡିଆ ମେଣ୍ଟ ଗୋଟିଏ ଚ୍ୟାଲେଞ୍ଜ ସୃଷ୍ଟି କରିପାରିଛି। ତେଣୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ଆସୁଛି।”
ସେ କହିଛନ୍ତି, “ନିର୍ବାଚନ ଯେକୌଣସି ସମୟରେ ହୋଇପାରେ। ସେମାନେ ଧାର୍ଯ୍ୟ ସମୟରେ ନିର୍ବାଚନ କରାଇବେ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ।” ନୀତୀଶ କୁମାର ଦ୍ୱିତୀୟ ଥର ପାଇଁ ଦେଶରେ ଆଗୁଆ ନିର୍ବାଚନ ହେବ ବୋଲି ମତ ରଖିଛନ୍ତି।
ଜୁନ ମାସରେ ବିରୋଧର ମେଣ୍ଟର ବୈଠକ ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ “କିଏ ଜାଣେ କେତେବେଳେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ? ଆସନ୍ତା ବର୍ଷ ଯେ ନିର୍ବାଚନ ହେବ, ତା’ହା ଭାବିବା ମୁସ୍କିଲ। ଏହାର କିଛି ଠିକଣା ଅଛି?”
ବିରୋଧୀ ମେଣ୍ଟରେ ଥିବା ନୀତୀଶ କୁମାର ଏକମାତ୍ର ନେତା ଭାବେ ଏପରି ମତ ରଖି ନାହାନ୍ତି। ସୋମବାର ମମତା ବାନାର୍ଜୀ ମଧ୍ୟ ସମାନ ମତ ରଖିଥିଲେ। ସେ କହିଥିଲେ, “ମୁଁ ଆଶଙ୍କା କରୁଛି ଯେ ବିଜେପି ସମ୍ଭବତଃ ଡିସେମ୍ବର ମାସରେ ସାଧାରଣ ନିର୍ବାଚନ ଆୟୋଜନ କରିବ। ନଚେତ ଜାନୁଆରୀ ମାସରେ ନିର୍ବାଚନ ହୋଇପାରେ।
ନିର୍ବାଚନ ପାଇଁ ବିଜେପି ସବୁ ହେଲିକପ୍ଟର ବୁକ କରି ଦେଇଛି। ହେଲିକପ୍ଟର ଯେମିତି ଅନ୍ୟ ଦଳର ନେତା ପାଇବେ ନାହିଁ, ସେଥିପାଇଁ ବିଜେପି ଆଗୁଆ ସବୁ କିଛି ବୁକ କରିଛି। ସେମାନେ ଭାବୁଛନ୍ତି ଟଙ୍କା ବଳରେ ସେମାନେ ସବୁ କିଛି କିଣି ପାରିବେ।”
ଲୋକଙ୍କ ମନରେ ଉଠୁଥିବା ପ୍ରଶ୍ନର ସମାଧାନ ପାଇଁ ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ମୁଡ ଅଫ ନେଶନ ସର୍ଭେ କରାଯାଇଛି। ଏହି ସର୍ଭେରେ ସାମିଲ ହୋଇ ଲୋକମାନେ ଦେଇଥିବା ମତ ଇଣ୍ଡିଆ ମେଣ୍ଟ ପାଇଁ ଆଦୌ ଭଲ ନୁହେଁ। କାରଣ ସର୍ଭେରେ ସାମିଲ ହୋଇଥିବା ୫୩% ଲୋକ କହିଛନ୍ତି ଯେ ୨୦୨୪ରେ ବିରୋଧୀ ମେଣ୍ଟ ଇଣ୍ଡିଆ କୌଣସି ବି ପରିସ୍ଥିତିରେ ବିଜେପିକୁ ହରାଇ ପାରିବ ନାହିଁ। କେବଳ ୩୩% ଲୋକ ଇଣ୍ତିଆ ମେଣ୍ଟ ସପକ୍ଷରେ ମତ ରଖିଥିବା ମୁଡ ଅଫ ନେଶନ ସର୍ଭେରେ ଦାବି କରାଯାଇଛି।
ପ୍ରାୟ ମାସକ ତଳେ ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ବୈଠକ କରିଥିଲେ। ଏହାପରେ ସେମାନେ ମିଳିତ ଭାବେ ମେଣ୍ଟର ନାଁ ଇଣ୍ଡିଆ ରଖାଯାଇଥିବା ଘୋଷଣା କରିଥିଲେ। ଏହି ଇଣ୍ଡିଆ ମେଣ୍ଟ ୨୦୨୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ବିରୋଧରେ ଲଢ଼ିବାକୁ ପାଗ ଭିଡ଼ିଛି।
ସର୍ଭେ ବେଳେ ସଂସ୍ଥା ପକ୍ଷରୁ ଲୋକଙ୍କୁ ପଚରା ଯାଇଥିଲା ଯେ ବିରୋଧୀ ଦଳଗୁଡ଼ିକ ସେମାନଙ୍କ ନାଁ ଇଣ୍ଡିଆକୁ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଯୋଗୁ ଭୋଟ ବଢ଼ିବ କି ? ଏହାର ଜବାବରେ ୩୯% ଲୋକ ସକାରାତ୍ମ ଉତ୍ତର ଦେଇଥିବା ବେଳେ ୩୦% ଲୋକ ଏଥିରେ ଏକମତ ହୋଇ ନାହାନ୍ତି। ୧୮% ଲୋକଙ୍କ ମତ ହେଲା ଇଣ୍ଡିଆ ନାଁ ଭୋଟ ବଢ଼ାଇ ପାରିବ ନାହିଁ କିମ୍ବା ଏହା ଗୋଟିଏ କ୍ୟାଚି ନାଁ ନୁହେଁ।
ଇଣ୍ଡିଆ ମେଣ୍ଟର ନେତୃତ୍ୱ କିଏ ନେବା ଦରକାର ବୋଲି ପ୍ରଶ୍ନ କରାଯିବାରୁ ୨୪% ଲୋକ ରାହୁଲ ଗାନ୍ଧିଙ୍କ ସପକ୍ଷରେ ମତ ରଖିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାଙ୍କ ଦିଲ୍ଲୀ ପ୍ରତିପକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ୧୫% ଲୋକ ରହିଛନ୍ତି।
ସର୍ଭେ ଅନୁସାରେ, ଜାନୁଆରୀ ମାସ ଠାରୁ ରାହୁଲ ଗାନ୍ଧିଙ୍କ ସପକ୍ଷରେ ଲୋକଙ୍କ ବିଶ୍ୱାସ ବଢ଼ୁଛି। ସେତେବେଳେ ରାହୁଲ ଗାନ୍ଧି ବିରୋଧୀ ମେଣ୍ଟର ଚେହେରା ହେବା ଦରକାର ବୋଲି ୧୩% ଲୋକ ମତ ରଖିଥିଲେ। ଏହି ସମୟରେ କେଜ୍ରିୱାଲଙ୍କ ସପକ୍ଷରେ ୨୭% ଲୋକ ଥିଲେ। ହେଲେ ଏବେ କେଜ୍ରିୱାଲଙ୍କ ସମର୍ଥନ କମୁଛି ଓ ରାହୁଲଙ୍କ ସପକ୍ଷରେ ମତ ବଢ଼ୁଛି।
ବୈଠକ ପୂର୍ବରୁ ଅର୍ଥାତ ଆଜି ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପାୱାର ଓ ମହା ବିକାଶ ଅଘାଡିରେ ଥିବା ଦଳର ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁ ହୋଟେଲରେ ଇଣ୍ଡିଆ ବୈଠକ ଅନୁଷ୍ଠିତ ହେବ, ସେଠାରେ ହିଁ ମହା ବିକାଶ ଅଘାଡ଼ିର ନେତାମାନେ ଆଜି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଏବେ ବି ବୈଠକ ଜାରି ରହିଛନ୍ତି। ଇଣ୍ଡିଆ ବୈଠକର ବିସ୍ତୃତ ଖସଡ଼ା ଏଠାରେ ପ୍ରସ୍ତୁତ କରାଯାଉଛି। ସେହିପରି ମୁମ୍ବାଇରେ ହେବାକୁ ଥିବା ଇଣ୍ଡିଆ ବୈଠକରେ ମେଣ୍ଟର ଲୋଗୋ ମଧ୍ୟ ଉନ୍ମୋଚନ କରାଯାଇ ପାରେ। ଏହାବାଦ ଇଣ୍ଡିଆ ମେଣ୍ଟର ଆବାହକ ଓ କମିଟି ସମ୍ପର୍କରେ ମଧ୍ୟ ଚଳିତ ମାସ ଶେଷ ତାରିଖରେ ହେବାକୁ ଥିବା ବୈଠକରେ ସାର୍ବଜନୀନ କରାଯିବାର କାର୍ଯ୍ୟକ୍ରମ ରହିଛି।
ବେଙ୍ଗାଲୁରୁରେ ହୋଇଥିବା ବୈଠକରେ ୨୬ଟି ଯାକ ଦଳ ଏକାଠି ନିଜ ମେଣ୍ଟର ନାଁ ଇଣ୍ଡିଆ ରଖିଥିଲେ। ମେଣ୍ଟର ନାଁ ଇଣ୍ଡିଆ ରଖିବାକୁ ରାହୁଲ ଗାନ୍ଧି ହିଁ ପ୍ରସ୍ତାବ ଦେଇଥିଲେ। ଏବେ ଇଣ୍ଡିଆ ପକ୍ଷରୁ ତୃତୀୟ ବୈଠକ ମୁମ୍ବାଇରେ ହେବାକୁ ଯାଉଛି।
ବୈଠକର ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ପାଇଁ ମଙ୍ଗଳବାର ଏନସିପି, ଶିବସେନା ଓ କଂଗ୍ରେସର ବରିଷ୍ଠ ନେତାମାନେ ପୁଲିସ୍ କମିଶନରଙ୍କୁ ଭେଟିଥିଲେ। ସେହିପରି ମୁମ୍ବାଇ ଆସିବାକୁ ଥିବା ଭିଆଇପିମାନଙ୍କୁ ଉପଯୁକ୍ତ ପ୍ରୋଟକଲ ଯୋଗାଇ ଦେବାକୁ ମହା ବିକାଶ ଅଘାଡ଼ି ପକ୍ଷରୁ ଗୋଟିଏ ଚିଠି ମୁଖ୍ୟ ଶାସନ ସଚିବ ବିବେକ ଫାନସାଲକରଙ୍କୁ ଦିଆଯାଇଛି।
ପ୍ରଥମେ କଂଗ୍ରେସ ନେତ୍ରୀ ଅଳକା ଲାମ୍ବା କହିଥିଲେ ଯେ ଦଳ ଦିଲ୍ଲୀର ସମସ୍ତ ୭ ଲୋକସଭା ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଆରମ୍ଭ କରିବ। କଂଗ୍ରେସ ଏକତରଫା ଭାବେ ଏକାକୀ ସମସ୍ତ ୭ ଆସନରେ ଲଢ଼ିବାକୁ ବୟାନ ଦେଇଥିବାରୁ ଏହାକୁ ଆପ୍ ସହଜରେ ଗ୍ରହଣ କରିପାରି ନାହିଁ। କଂଗ୍ରେସ ମେଣ୍ଟ କରିବା ମୁଡରେ ନଥିବାରୁ ଆଉ ବିରୋଧୀ ମେଣ୍ଟ ଇଣ୍ଡିଆରେ ଯୋଗଦେବାର ମୂଲ୍ୟ ନଥିବା ଆପ୍ କହିଛି।
୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସର ଦିଲ୍ଲୀ ୟୁନିଟ ପକ୍ଷରୁ ଆଜି ଗୋଟିଏ ବୈଠକ ବସିଥିଲା। ଦଳର ବରିଷ୍ଠ ନେତାମାନଙ୍କ ସହ ଦିଲ୍ଲୀ ୟୁନିଟର ନେତାମାନେ ନିଜର ପ୍ରସ୍ତୁତି ସମ୍ପର୍କରେ କଥା ହୋଇଥିଲେ। ଏହାପରେ ଅଳକା ଲାମ୍ବା କହିଛନ୍ତି ଯେ “ଦୀର୍ଘ ୩ ଘଣ୍ଟା ଧରି ଚାଲିଥିବା ବୈଠକରେ ରାହୁଲ ଗାନ୍ଧି, ମଲ୍ଲିକାର୍ଜୁନ ଖଡଗେ, କେସି ଭେନୁଗୋପାଲ ଓ ଦୀପକ ବାବାରିଆ ଉପସ୍ଥିତ ଥିଲେ।
ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମକୁ ପ୍ରସ୍ତୁତ ହେବାକୁ କୁହାଯାଇଛି। ବୈଠକରେ ଏହା ନିଷ୍ପତ୍ତି ହୋଇଛି ଯେ ଆମକୁ ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଲଢ଼ିବାକୁ ପ୍ରସ୍ତୁତ ହେବାକୁ ପଡ଼ିବ। ନିର୍ବାଚନକୁ ଆଉ ୭ ମାସ ବାକି ଅଛି। ତେଣୁ ଦଳର ସବୁ କର୍ମକର୍ତ୍ତାଙ୍କୁ ଦିଲ୍ଲୀର ୭ଟି ଯାକ ଆସନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି।”
ବାସ ଅଳକା ଲାମ୍ବାଙ୍କ ଏପରି ବୟାନ ଉପରେ ଆପ୍ କଡ଼ା ପ୍ରତିକ୍ରିୟା ରଖିଛି। ଆପ୍ର ପ୍ରିୟଙ୍କା କାକର କହିଛନ୍ତି, “ଯଦି କଂଗ୍ରେସ ନିଷ୍ପତ୍ତି ନେଇ ସାରିଛି ଯେ ସେମାନେ ଆମ ସହ ମେଣ୍ଟ କରିବେ ନାହିଁ, ତା’ହେଲେ ଇଣ୍ଡିଆର ପରବର୍ତ୍ତୀ ବୈଠକରେ ଆମ ଯୋଗଦାନର ଆଉ କୌଣସି ମୂଲ୍ୟ ନାହିଁ। ଆମେ ବୈଠକରେ ଯୋଗ ଦେବକୁ କି ନାହିଁ, ତା’ର ନିଷ୍ପତ୍ତି ବରିଷ୍ଠ ନେତାମାନେ ନେବେ।”
ମୁମ୍ବାଇରେ ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହାର ତାରିଖ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ପକ୍ଷରୁ ମିଳିତ ଭାବେ ଆଜି ଘୋଷଣା କରାଯାଇଛି।
ମୋଦି ସରନେମ ବିବାଦକୁ ନେଇ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ଚାଲି ଯାଇଥିଲା। କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ମିଳିଥିବା ୨ ବର୍ଷର ଜେଲଦଣ୍ଡ ଉପରେ ରୋକ ଲଗାଇ ଦେଇଥିଲେ। ଏହାର ଅର୍ଥ ରାହୁଲ ଗାନ୍ଧି ପୁଣି ସାଂସଦ ମାନ୍ୟତା ପାଇବେ। ଏହି ବଡ଼ ଆଶ୍ୱସ୍ତି ପରେ ଇଣ୍ଡିଆ ପକ୍ଷରୁ ତୃତୀୟ ବୈଠକର ତାରିଖ ଘୋଷଣା ହୋଇଛି।
ମୁମ୍ବାଇରେ ଆଜି ମହା ବିକାଶ ଅଘାଡି(ଏମଭିଏ)ର ବୈଠକ ବସିଥିଲା। ବୈଠକ ପରେ ଶିବସେନା(ୟୁବିଟି)ର ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ବୈଠକରେ ୫ ଜଣ ମୁଖ୍ୟମନ୍ତ୍ରୀ ସାମିଲ ହେବ। ବୈଠକ ଗ୍ରାଣ୍ଡ ହାୟାତରେ ହେବ। ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ରହିବେ। ବୈଠକ ଅଗଷ୍ଟ ୩୧ରେ ଆରମ୍ଭ ହେବ ଓ ସନ୍ଧ୍ୟାରେ ଡିନର କାର୍ଯ୍ୟକ୍ରମ ରହିଛି। ଏହାକୁ ଉଦ୍ଧବ ଠାକରେ ଆୟୋଜନ କରିବେ।”
କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ନାନା ପାଟୋଲେ କହିଛନ୍ତି, “ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବିଚାର କରାଯିବ। ସୁପ୍ରିମକୋର୍ଟ ରାହୁଲ ଗାନ୍ଧିଙ୍କ ମାନହାନୀ କେସ୍ରେ ବଡ଼ ଆଦେଶ ଦେଇଛନ୍ତି। ସତ୍ୟର ଜୟ ହୋଇଛି। ଏଥିପାଇଁ ବୈଠକର ଗୁରୁତ୍ୱ ଅଧିକ ବଢ଼ି ଯାଇଛି।”
ପ୍ରଥମେ ୧୬ଟି ବିରୋଧ ଦଳ ଜୁନ ୨୩ରେ ପାଟନାରେ ଏକାଠି ହୋଇଥିଲେ। ଏହାପରେ ୨୬ଟି ଦଳର ନେତା ଜୁଲାଇ ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବୈଠକ କରିଥିଲେ। ଏହି ବୈଠକରେ ହିଁ ବିରୋଧୀ ମେଣ୍ଟଗୁଡ଼ିକ ମିଳିତ ଭାବେ ନିଜର ନାଁ ଇଣ୍ଡିଆ ଘୋଷଣା କରିଥିଲେ।
ବେଙ୍ଗାଲୁରୁ ବୈଠକ ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ଆସନ୍ତା ବୈଠକରେ ୧୧ ଜଣିଆ ସଂଯୋଜକ କମିଟି ଗଠନ କରାଯିବା ସହ ଆବାହକ ମଧ୍ୟ ଚୟନ ହେବେ। ତେଣୁ ମୁମ୍ବାଇ ବୈଠକରେ ଏହି ସବୁ ପ୍ରସ୍ତାବ ଉପରେ ମୋହର ଲାଗି ପାରେ ବୋଲି ଆଶା କରାଯାଉଛି।
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସା କ୍ଷତିଗ୍ରସ୍ତ ମଣିପୁର ଗସ୍ତ କରି ଶାନ୍ତି ପ୍ରତିଷ୍ଠା ପାଇଁ ଚେଷ୍ଟା କରନ୍ତୁ ବୋଲି ବିରୋଧୀ ସାଂସଦମାନେ ରାଷ୍ଟ୍ରପତି ମୁର୍ମୁଙ୍କ ଆଗରେ ଦାବି ଉପସ୍ଥାପନ କରିଛନ୍ତି।
ରାଷ୍ଟ୍ରପତି ମୁର୍ମୁଙ୍କ ପାଖରେ ସ୍ମାରକପତ୍ର ଦାଖଲ କରି ବିରୋଧୀ ମେଣ୍ଟର ୩୧ ଜଣ ସାଂସଦ ହରିଆଣାର ନୁହ୍ରେ ସୃଷ୍ଟି ହୋଇଥିବା ସାଂପ୍ରଦାୟିକ ହିଂସା କଥା ମଧ୍ୟ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଫିସ ନିକଟରୁ ମାତ୍ର ୧୦୦ କିମି ଦୂରରେ ଏତେ ବଡ଼ ଘଟଣା ଘଟିଥିଲେ ହେଁ କେନ୍ଦ୍ର ସରକାର ଏହାକୁ ନେଇ ଆଦୌ ଚିନ୍ତିତ ନୁହନ୍ତି ବୋଲି ସେମାନେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି।
ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବା ପରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଏହି ପ୍ରତିନିଧି ମଣ୍ଡଳରେ ଥିବା ସାଂସଦମାନଙ୍କ ମଧ୍ୟରୁ ଅନେକ ମଣିପୁର ଗସ୍ତ କରିଥିଲେ। ସେମାନେ ପୂରା ସ୍ଥିତି ସମ୍ପର୍କରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସୂଚନା ଦେଇଛନ୍ତି। ଏଥିସହ ଘଟଣାକୁ ନେଇ ସେମାନେ ନିଜ ଚିନ୍ତା ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିବା ସେ କହିଛନ୍ତି ।
ସ୍ମାରକପତ୍ରରେ ବିରୋଧୀ ଦଳର ସାଂସଦମାନେ କହିଛନ୍ତି, “ଆପଣ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ପ୍ରସଙ୍ଗରେ ସଂସଦରେ ବିବୃତି ରଖିବାକୁ କୁହନ୍ତୁ ବୋଲି ଆମେ ଆପଣଙ୍କୁ ଅନୁରୋଧ କରୁଛୁ। ଏହାପରେ ଗୋଟିଏ ବିସ୍ତୃତ ଓ ଗଠନମୂଳକ ବିତର୍କ ଏହି ପ୍ରସଙ୍ଗରେ ହେବ। ଏଥିସହ ଶାନ୍ତି ପ୍ରତିଷ୍ଠା ପାଇଁ ଆପଣ ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ଗସ୍ତ କରିବାକୁ ମଧ୍ୟ କୁହନ୍ତୁ।”
ଜୁଲାଇ ୨୦ରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀ ଉଭୟ ଲୋକସଭା ଓ ରାଜ୍ୟସଭାରେ ନାରାବାଜୀ କରୁଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଛନ୍ତି।
ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ସେଠାରେ ହିଂସା ଯୋଗୁ ଅନେକ ଲୋକଙ୍କ ଜୀବନ ଗଲାଣି। ତେଣୁ ଏହାର ସମାଧାନ ପାଇଁ ସେମାନେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ନିକଟରେ ବିରୋଧୀ ଦଳର ୨୧ ଜଣ ସାଂସଦ ମଣିପୁର ଗସ୍ତ କରି ସେଠାକାର ସ୍ଥିତି ତର୍ଜମା କରିଥିଲେ। ତେଣୁ ତୃଣମୂଳସ୍ତରରେ ଘଟୁଥିବା ଘଟଣା ସମ୍ପର୍କରେ ସେମାନେ ରାଷ୍ଟ୍ରପତି ମୁର୍ମୁଙ୍କୁ ଅବଗତ କରାଇବାର ଯୋଜନା ରହିଛି।
୩ ଦିନ ଧରି ବିଭିନ୍ନ ଦଳର ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ମତ ରଖିବେ। ସେହିପରି ଅଗଷ୍ଟ ୧୦ ଅର୍ଥାତ ଆଲୋଚନାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି ନିଜର ପକ୍ଷ ରଖିବା ସହ ବିରୋଧୀ ଉଠାଇବାକୁ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବେ। ମୋଦି ପକ୍ଷ ରଖି ସାରିବା ପରେ ଅନାସ୍ଥା ପ୍ରସ୍ତାବ ଉପରେ ଗୃହରେ ଭୋଟ ହେବ।
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ମତ ରଖନ୍ତୁ ବୋଲି ଦାବି କରି ଏଯାଏ ନିରାଶ ହୋଇଥିବା ବିରୋଧୀ ଜୁଲାଇ ୨୬ରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ପାଇଁ ନୋଟିସ ଦେଇଥିଲେ। ମୋଦି ବିରୋଧୀଙ୍କ ଦାବି ଅନୁସାରେ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲୁ ନଥିବାରୁ ସେମାନେ ଏପରି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।
ତେବେ ସଂଖ୍ୟା ଉପରେ ଯଦି ନଜର ପକାଇବା, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବେଶ ସହଜରେ ଏହି ଅନାସ୍ଥା ପ୍ରସ୍ତାବକୁ ମାତ ଦେଇପାରିବେ। ସେହିପରି ଏନଡିଏରେ ନଥିବା ଓଡ଼ିଶାର କ୍ଷମତାସୀନ ବିଜେଡି ମଧ୍ୟ ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି କହିଛି।
ତେଣୁ ବିଜେପି ସରକାର ପ୍ରତି ଅନାସ୍ଥାର କୌଣସି ଭୟ ନାହିଁ। ତଥାପି ମଣିପୁର ପ୍ରସଙ୍ଗରେ ବିରୋଧୀ କରୁଥିବା ଦାବି ଏହି ଅନାସ୍ଥା ପ୍ରସ୍ତାବ ଦ୍ୱାରା ପୂରଣ ହେବ। କାରଣ ପ୍ରଧାନମନ୍ତ୍ରୀ ମୋଦି ଏବେ ଯେମିତି ହେଲେ ବି ଗୃହରେ ମଣିପୁର ପ୍ରସଙ୍ଗରେ ପକ୍ଷ ରହିବାକୁ ବାଧ୍ୟ ହେବେ।
ତୃଣମୂଳସ୍ତରରେ ସ୍ଥିତି ପରଖିବା ପରେ ସେମାନେ ରାଜ୍ୟପାଳ ଅନୁସୂୟା ଉଇକିଙ୍କୁ ବିସ୍ତୃତ ତଥ୍ୟ ଦେଇଛନ୍ତି। ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଏହାକୁ ରୋକିବାକୁ ସରକାର କୌଣସି ପ୍ରକାରର ଉପଯୁକ୍ତ ପଦକ୍ଷେପ ନେଇ ନାହାନ୍ତି।
୩ ମାସ ହେଲା ଅଶାନ୍ତ ହୋଇ ରହିଥିବା ମଣିପୁରରେ ଯଦି ଶୀଘ୍ର ଶାନ୍ତି ନ ଫେରିବ, ତା’ହେଲେ ଏହା ଦେଶର ସୁରକ୍ଷାକୁ ମଧ୍ୟ ବିପଦରେ ପକାଇବ ବୋଲି ବିରୋଧୀ ମେଣ୍ଟର ସାଂସଦମାନେ ଆଶଙ୍କା କରିଛନ୍ତି।
ମଣିପୁର ଗସ୍ତରେ ଯାଇଥିବା କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ସେଠାକୁ ଫେରିବା ପରେ କହିଛନ୍ତି ଯେ “ମଣିପୁରର ଲୋକଙ୍କ ମନରେ ଭୟ ଓ ଅନିଶ୍ଚିତତା ରହିଛି। ମଣିପୁର ସ୍ଥିତି ଅତ୍ୟନ୍ତ ଗମ୍ଭୀର। ମଣିପୁର ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି। ହଜାର ହଜାର ଲୋକ ହିଂସା ଯୋଗୁ ବେଘର ହୋଇଯାଇଛନ୍ତି।
ସେମାନେ ନଜ ଘରକୁ ଫେରିପାରିବେ କି ନାହିଁ, ସେହି ଆଶଙ୍କାରେ ରହିଛନ୍ତି। ସ୍ଥିତି ବହୁତ ଖରାପ। କୁକି ଓ ମୈତୈ ସଂପ୍ରଦାୟ ମଧ୍ୟରେ ଥିବା ମତପାର୍ଥକ୍ୟକୁ କେମିତି ସମାଧାନ କରାଯିବ? କେନ୍ଦ୍ର କିମ୍ବା ରାଜ୍ୟ ସରକାର କେହି ବି ବିବାଦର ସମାଧାନ କରିବାକୁ ଉପଯୁକ୍ତ ପଦକ୍ଷେପ ନେଇ ନାହାନ୍ତି।
ରୋମ ଜଳିବା ବେଳେ ନିରୋ ବଂଶୀ ବଜାଉଥିଲେ। ଏବେ ମଣିପୁର ଜଳୁଥିବା ବେଳେ ପ୍ରଧାନମନ୍ତ୍ରୀ ବଂଶୀ ବଜାଉଛନ୍ତି। ସେ ଚୁପ ରହି ସ୍ଥିତିକୁ ଆହୁରି ଜଟିଳ କରି ଦେଇଛନ୍ତି।”
ଟିଏମସିର ସାଂସଦ ସୁସ୍ମିତା ଦେବ କହିଛନ୍ତି, “ମୋତେ ଲାଗୁଛି ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ସଂପୂର୍ଣ୍ଣ ଭାବେ ଶେଷ ହୋଇଗଲାଣି। ମଣିପୁରବାସୀ ଆଉ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନରେ ନାହାନ୍ତି।”
ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତକୁ ଭେଟିବେ। ଏହାପରେ ରାଜ୍ୟପାଳ ଅନୁସୂୟା ଉଇକିଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ମଣିପୁର ପ୍ରାୟ ୩ ମାସ ହେଲା ଜଳୁ ଥିବା ବେଳେ ସରକାର ଏଠାରେ ଶାନ୍ତି ଫେରାଇବାକୁ ସକ୍ଷମ ହୋଇ ନାହାନ୍ତି।
ଏହାକୁ ଦୃଷ୍ଟିରେ ରଖି ତଥା ସଂସଦରେ ଉପଯୁକ୍ତ ତଥ୍ୟ ପ୍ରଦାନର ଉଦ୍ଦେଶ୍ୟ ରଖି ବିରୋଧୀ ଦଳର ସାଂସଦମାନେ ମଣିପୁର ଯାଇଥିବା କହିଛନ୍ତି। ବିଶେଷ କରି ମହିଳାମାନଙ୍କ ପ୍ରତି ମଣିପୁରରେ ହେଉଥିବା ଅତ୍ୟାଚାରର ପ୍ରକୃତ ସତ୍ୟ ଦେଶ ସାମ୍ନାକୁ ଆଣିବା ପାଇଁ ମଧ୍ୟ ବିରୋଧୀ ଲକ୍ଷ୍ୟ ରଖିଛନ୍ତି।
ତେବେ ଇଣ୍ଡିଆ ସାଂସଦମାନଙ୍କ ଏପରି ମଣିପୁର ଗସ୍ତକୁ ସହଜରେ ହଜମ କରିପାରିନି ବିଜେପି। ବିରୋଧୀ ମଣିପୁର ଯାଇଥିବା ବେଳେ ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ରାଜ୍ୟକୁ ଯିବାକୁ ସାହାସ ଦେଖିପାରିବେ କି ବୋଲି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଚ୍ୟାଲେଞ୍ଜ ଦେଇଛନ୍ତି।
ସେ କହିଛନ୍ତି, “ସେମାନେ ମଣିପୁର ଯାଇ ଡ୍ରାମା କରୁଛନ୍ତି। ସେମାନେ ମଣିପୁର ଯାଉଥିବା ବେଳେ କାହିଁକ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଦେଖାଯାଇଥିବା ହିଂସା ଘଟଣାରେ ଚୁପ ରହିଛନ୍ତି? ଏଠାରେ ମହିଳା ବିରୋଧୀ ଅତ୍ୟାଚାର ହେଉଥିଲେ ହେଁ ସେମାନେ କାହିଁକି ମୁହଁ ଖୋଲୁ ନାହାନ୍ତି?
କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପଶ୍ଚିମବଙ୍ଗ ଆସିବେ କି? କଂଗ୍ରେସର ଲୋକସଭା ସଦସ୍ୟ ତଥା ପଶ୍ଚିମବଙ୍ଗର ସାଂସଦ(ଅଧୀର ରଞ୍ଜର ଚୌଧୁରୀ) ଅନ୍ୟ ବିରୋଧୀ ଦଳଗୁଡ଼ିକୁ ପଶ୍ଚିମବଙ୍ଗର ସ୍ଥିତି ପରଖିବାକୁ ଡାକିବେ କି? କ’ଣ ଅଧୀର ରଞ୍ଜୟ ଚୌଧୁରୀ ତାଙ୍କ ରାଜ୍ୟ ପଶ୍ଚିମବଙ୍ଗରେ ଘଟୁଥିବା ମହିଳା ବିରୋଧୀ ଅପରାଧକୁ ସମର୍ଥନ କରୁଛନ୍ତି?
ଯେତେବେଳେ ବିରୋଧୀ ମେଣ୍ଟ ଇ.ଣ୍ଡି.ଆର ସାଂସଦମାନେ ମଣିପୁରରୁ ଫେରିବେ ସେମାନେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଯିବେ କି? କ’ଣ ଏହି ୨୦ ଜଣ ସାଂସଦ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଉପରେ ରିପୋର୍ଟ ଦେବେ? ରାଜସ୍ଥାନରେ ହତ୍ୟା ଓ ମହିଳା ବିରୋଧୀ ଅପରାଧ ଘଟୁଥିବା ବେଳେ ବିରୋଧୀ ଦଳଗୁଡ଼ିକ ସେଠାକୁ ଯାଉ ନାହାନ୍ତି।
କ’ଣ ଇଣ୍ଡିଆ ମେଣ୍ଟ ମଧ୍ୟ ରାଜସ୍ଥାନ ଯିବ? ବିରୋଧୀ ଓ ସେମାନଙ୍କ ମେଣ୍ଟରେ ଥିବା ଦଳଗୁଡ଼ିକ କେବେ ହେଲେ ସେମାନଙ୍କ ସମୟରେ ମଣିପୁର ଜଳୁଥିବା କଥା କହୁ ନାହାନ୍ତି। ସେମାନେ ମଣିପୁର ଗସ୍ତ କରି କେବଳ ଡ୍ରାମା କରୁଛନ୍ତି।”
ଜୁଲାଇ ୧୭ ଓ ୧୮ ତାରିଖରେ ଦୁଇ ଦିନ ଧରି ୨୬ଟି ବିରୋଧୀ ଦଳର ନେତା ବେଙ୍ଗାଲୁରୁରେ ମାନସମନ୍ଥନ କରିଥିଲେ। ଏହି ସମୟରେ ଏହି ବିରୋଧୀ ମେଣ୍ଟର ନାଁ ଇଣ୍ଡିଆନ ନ୍ୟାଶନାଲ ଡେଭଲପମେଣ୍ଟାଲ ଇନକ୍ଲ୍ୟୁସିଭ ଆଲିଆନ୍ସ ବା ଇଣ୍ଡିଆ ରହିବ ବୋଲି ନିଷ୍ପତ୍ତି ହୋଇଥିଲା। ବେଙ୍ଗାଲୁରୁ ପରେ ମୁମ୍ବାଇରେ ଇଣ୍ଡିଆର ତୃତୀୟ ବୈଠକ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ତାରିଖ ସମ୍ପର୍କରେ କୁହାଯାଇ ନଥିଲା।
ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ କଂଗ୍ରେସର ମହାରାଷ୍ଟ୍ର ମୁଖ୍ୟ ଶ୍ରୀ ପାଟୋଲେ ଭେଟିଥିଲେ। ଏହାପରେ ସେ କହିଛନ୍ତି, କଂଗ୍ରେସ ମହାମେଣ୍ଟର ବୈଠକ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ଏଯାଏ ନିର୍ଦ୍ଦିଷ୍ଟ ଭାବେ ତାରିଖ ସ୍ଥିର ହୋଇ ନଥିବା ସେ କହିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ବିରୋଧୀ ଦଳଗୁଡ଼ିକ କ୍ଷମତାରେ ନଥିବା କୌଣସି ରାଜ୍ୟରେ ଇଣ୍ଡିଆର ବୈଠକ ହେବାକୁ ଯାଉଛି। ମୁମ୍ବାଇରେ ବୈଠକ ହେବାକୁ ଯାଉଥିବା ବେଳେ ମହାରାଷ୍ଟ୍ରରେ ଏବେ ବିଜେପି, ଶିବସେନା(ଏକନାଥ ସିନ୍ଦେ ଗ୍ରୁପ) ଓ ଏନସିପି(ଅଜିତ ପାୱାର ଗ୍ରୁପ) ସରକାରରେ ରହିଛି।
ବିହାରାରେ ବିରୋଧୀ ମେଣ୍ଟର ପ୍ରଥମ ବୈଠକ ହୋଇଥିବା ବେଳେ ଦ୍ୱିତୀୟ ବୈଠକ କର୍ଣ୍ଣାଟକାରେ ଅନୁଷ୍ଠିତ ହୋଇଥିଲା। ଏବେ ମୁମ୍ବାଇରେ ହେବାକୁ ଥିବା ବୈଠକର ଆୟୋଜନ ଶିବସେନା(ଉଦ୍ଧବ ବାଲାସାହେବ ଠାକରେ), ଏନସିପି(ଶରଦ ପାୱାର) ଓ କଂଗ୍ରେସ ମିଳିତ ଭାବେ କରିବେ।
ବିଜେପି ନେତୃତ୍ୱାଧୀନ ଏନଡିଏ କ୍ଷମତାକୁ ଆସିବା ପରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ସ୍ଥାନରେ ପହଞ୍ଚି ବୋଲି ମଧ୍ୟ ମୋଦି କହିଛନ୍ତି। ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଭାରତ ମଣ୍ଡପମ୍ ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏପରି ଦମ୍ଭୋକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ସେ ପ୍ରଗତି ମୈଦାନରେ ଉପସ୍ଥିତି ଥିବା ଲୋକମାନଙ୍କୁ ସମ୍ବୋଧନ କରି କହିଛନ୍ତି, “୨୦୨୪ ପରେ ଯେବେ ଆମ ତୃତୀୟ ପାଳି ସରକାର ଆସିବ, ଭାରତ ବିଶ୍ୱ ଅର୍ଥନୀତିର ଟପ୍-୩ ତାଲିକାରେ ସାମିଲ ହେବ। ଭାରତ ସହ ଆଉ ଦୁଇ ଦେଶ ରହିବ। ଏହା ଦେଶବାସୀଙ୍କୁ ମୋଦିର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି।
ଆମ ପ୍ରଥମ ପାଳିରେ ଭାରତର ଅର୍ଥନୀତି ବିଶ୍ୱର ଦଶମ ସ୍ଥାନରେ ଥିଲା। ଦ୍ୱିତୀୟ ପାଳିରେ ଏହା ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥନୀତି ବନିଛି। ଟ୍ରାକ୍ ରେକର୍ଡ ଅନୁସାରେ ମୁଁ ଦେଶକୁ ଭରସା ଦେଉଛି ଯେ ମୋର ତୃତୀୟ ପାଳିରେ ଭାରତର ଅର୍ଥନୀତି ଟପ୍-ଥ୍ରୀରେ ରହିବ। ଦେଶର ବିକାଶ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ। ଆପଣ ଆପଣଙ୍କ ସ୍ୱପ୍ନ ପୂରଣ ହେଉଥିବା ଦେଖିବେ ବୋଲି ମୋଦି ଦୃଢ଼ୋକ୍ତି କରିଛନ୍ତି।
#WATCH | In my third term, India will be among the top three economies in the world...Yeh Modi ki guarantee hai, says PM Modi. pic.twitter.com/drLFWZKgS6
— ANI (@ANI) July 26, 2023
ନିଜର ଭାଷଣରେ ମୋଦି ବିରୋଧୀଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଭଲ କାମକୁ ଅଟକାଇବା ଓ ଏହା ଉପରେ ନାକାରାତ୍ମକ କମେଣ୍ଟ ଦେବା କିଛି ଲୋକଙ୍କର ଅଭ୍ୟାସ ବୋଲି ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ଯେତେବେ କର୍ତ୍ତବ୍ୟ ପଥ ତିଆରି ହେଉଥିଲା ସେତେବେଳେ ଅନେକ କଥା ଖବରକାଗଜର ପ୍ରଥମ ପୃଷ୍ଠାରେ ବ୍ରେକିଂ ନ୍ୟୁଜ ହୋଇ ଚାଲୁଥିଲା। ଏହା କୋର୍ଟରେ ମଧ୍ୟ ପହଞ୍ଚିଥିଲା। କିନ୍ତୁ ଯେତେବେଳେ ଏହା ତିଆରି ହୋଇଗଲା ସେହି ଲୋକମାନେ ଏହାକୁ ଭଲ କାମ ବୋଲି କହିଲେ। ମୁଁ ନିଶ୍ଚିତ ଯେ ଟୋଲି ନିଶ୍ଚିତ ଭାବେ ଭାରତ ମଣ୍ଡପମ୍କୁ ଗ୍ରହଣ କରିବେ। ଏଥିସହ ସେମାନେ ଏଠାକୁ ଆସି କିଛି ସେମିନାରରେ ଭାଷଣ ମଧ୍ୟ ଦେଇ ପାରନ୍ତି।”
ଏହି ଭାଷଣ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରଗତି ମୈଦାନରେ 'ଭାରତ ମଣ୍ଡପମ୍'ର ଉଦଘାଟନ କରିଥିଲେ। ପୁନଃବିକଶିତ ହୋଇଥିବା ଇଣ୍ଡିଆ ଟ୍ରେଡ୍ ପ୍ରମୋସନ ଅର୍ଗାନାଇଜେସନ ବା ITPO କମ୍ପ୍ଲେକ୍ସକୁ ଡ୍ରୋନ୍ ଦ୍ୱାରା ସେ ଲୋକାର୍ପିତ କରିଥିଲେ। ଏହାକୁ ଇଣ୍ଟରନ୍ୟାସନାଲ ଏକଜିବିସନ୍ କମ୍ କନଭେନ୍ସନ ସେଣ୍ଟର ବା IECC କଂପ୍ଲେକ୍ସ କୁହାଯାଉଛି। ଏହାର ନାଁ ଭାରତ ମଣ୍ଡପମ୍ ରଖାଯାଇଛି।
ଏହି କମ୍ପ୍ଲେକ୍ସରେ ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଜି-୨୦ ନେତାମାନଙ୍କ ବୈଠକ ଆୟୋଜନ କରାଯିବ। ଆଜି ସକାଳେ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ପୂଜାର୍ଚ୍ଚନା କରିଥିଲେ। ୧୨୩ ଏକର ପରିମିତ ସ୍ଥାନରେ ନିର୍ମିତ ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସରେ ୭ ହଜାର ଲୋକ ଏକାଠି ବସି ପାରିବେ। ସିଡ୍ନୀ ହାଉସ ଠାରୁ ଏହା ବଡ଼।
ଏଠାରେ ୩ ହଜାର କ୍ଷମତା ବିଶିଷ୍ଟ ବିଶାଳ ଆମ୍ପିଥିଏଟର ଓ ୫ ହଜାରରୁ ଅଧିକ ଗାଡ଼ି ପାର୍କିଂ ବ୍ୟବସ୍ଥା ରଖାଯାଇଛି। ଏହି କଂପ୍ଲେକ୍ସକୁ ଭାରତର ନୂଆ ଉର୍ଜାର ପ୍ରତୀକ ବୋଲି କହିଛନ୍ତି ମୋଦି।
ଦିନକୁ ଦିନ ବିରୋଧୀଙ୍କ ସ୍ୱର ଶାଣିତ ହେଉଥିବାରୁ ସରକାର ଏହାକୁ କାଉଣ୍ଟର କରିବା ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବଡ଼ବଡ଼ ବିଲ୍ ଆଣିବାକୁ ଯୋଜନା କରିଛନ୍ତି।
କିନ୍ତୁ ବିରୋଧୀ ଦଳ ଗୁଡ଼ିକର ମିଳିତ ମଞ୍ଚ I.N.D.I.A ବା ଇଣ୍ଡିଆ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ସରକାରଙ୍କୁ ଘେରିବା ପାଇଁ I.N.D.I.A ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ଜଣାପଡ଼ିଛି। ବାଚସ୍ପତିଙ୍କୁ ଏ ସଂକ୍ରାନ୍ତରେ ନୋଟିସ ଦିଆଯିବା ପ୍ରସ୍ତାବ ଉପରେ ଆଜି I.N.D.I.A ପକ୍ଷରୁ ହୋଇଥିବା ବୈଠକରେ ଆଲୋଚନା ହୋଇଛି।
ମଣିପୁର ପ୍ରସଙ୍ଗରେ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତି ଦାବି କରୁଥିବା ବେଳେ ସେ ମୁହଁ ଖୋଲୁ ନାହାନ୍ତି। ଏହି ଜିଦ୍ରେ ବିରୋଧୀ ଗୃହରେ ହଟ୍ଟଗୋଳ କରୁଥିବା ବେଳେ ସରକାର ମଧ୍ୟ ନିଜ ଜିଦରେ ଅଟଳ ରହିଛନ୍ତି। ଏବେ ପ୍ରଧାନମନ୍ତ୍ରୀ କେମିତି ମଣିପୁର ହିଂସା ସମ୍ପର୍କରେ ବିବୃତି ରଖିବେ, ସେନେଇ ରହିଥିବା ବିକଳ୍ପଗୁଡ଼ିକ ଉପରେ ଆଜି I.N.D.I.A ପକ୍ଷରୁ ହୋଇଥିବା ବୈଠକରେ ଆଲୋଚନା ହୋଇଥିଲା।
ଶେଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତି ପାଇଁ ଅନାସ୍ଥା ପ୍ରସ୍ତାବ ଏକ ପ୍ରକାର ମାଧ୍ୟମ ବୋଲି ବିରୋଧୀ ଦଳଗୁଡ଼ିକ ଚିନ୍ତା କରିଛନ୍ତି। ତେଣୁ ସେମାନେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ବିରୋଧୀ ଭଲ ଭାବେ ଜାଣିଛନ୍ତି ଯେ ଅନାସ୍ଥା ପ୍ରସ୍ତାବକୁ ମାତ ଦେବାକୁ ସରକାରଙ୍କ ପାଖରେ ଆବଶ୍ୟକ ସାଂସଦ ରହିଛନ୍ତି। ହେଲେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହେବା ପୂର୍ବରୁ ଏହା ଉପରେ ବିତର୍କ ହେବ। ସବୁ ସାଂସଦ ଏପରି କି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦେଶରେ ଚାଲିଥିବା ଘଟଣା ଉପରେ ବିବୃତି ରଖିବେ। ସେହି ଆଶାରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି।
ଅନ୍ୟପକ୍ଷରେ ରାଜ୍ୟସଭାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ କରିଥିବା ରଣନୀତି ପୂର୍ବଭଳି ଜାରି ରହିବ। ରାଜ୍ୟସଭାରେ ଆଜି ବି ମଣିପୁର ତାତି ଦେଖିବାକୁ ମିଳିଥିଲା। ତେଣୁ ଅଧ୍ୟକ୍ଷ ଜଗଦୀପ ଧନକର ଗୃହକୁ ବାରମ୍ବାର ମୁଲତବୀ କରିଛନ୍ତି। ଲୋକସଭାରେ ମଧ୍ୟ ସମାନ ସ୍ଥିତି ଦେଖବାକୁ ମିଳିଛି।
କିନ୍ତୁ ଏବେ ବିରୋଧୀ ମେଣ୍ଟ ଇଣ୍ତିଆ ଶବ୍ଦର ବ୍ୟବହାର କରିବାରୁ ସେ ଏହାକୁ ହଟାଇ ଭାରତ ଉଲ୍ଲେଖ କରିଛନ୍ତି। ଏଥିସହ ଇଣ୍ଡିଆ ବନାମ ଭାରତର ବାର୍ତ୍ତା ଦେଇ ବିରୋଧୀଙ୍କୁ କଟାକ୍ଷ କରିଛନ୍ତି।
ବିରୋଧୀ ମେଣ୍ଟ ରଖିଥିବା ନାଁକୁ ତୀବ୍ର ସମାଲୋଚନା କରି ବିଶ୍ୱଶର୍ମା ଦାବି କରିଛନ୍ତି ଯେ ବ୍ରିଟିଶରମାନେ ଦେଶର ନାଁ ଇଣ୍ଡିଆ ରଖିଥିଲେ। ଦେଶକୁ ଉପନିବେଶବାଦରୁ ବାହାର କରିବା ପାଇଁ ସଂଘର୍ଷ କରିବା ଦରକାର ବୋଲି ସେ କହିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି, “ଆମର ସଭ୍ୟତାଗତ ସଂଘର୍ଷ ଇଣ୍ଡିଆ ଓ ଭାରତ ଚାରିପାଖରେ ହିଁ ବୁଲିବାରେ ଲାଗିଛି। ବ୍ରିଟିଶରମାନେ ଆମ ଦେଶର ନାଁ ଇଣ୍ଡିଆ ରଖିଥିଲେ। ଆମକୁ ଏହି ଉପନିବେଶବାଦରୁ ବାହାରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ଆପ ପୂର୍ବ ପୁରୁଷମାନେ ଭାରତ ପାଇଁ ଲଢ଼େଇ କରିଥିଲେ। ଆମେ ଭାରତ ପାଇଁ କାମ କରି ଚାଲିଥିବୁ। ଭାରତ ପାଇଁ ବିଜେପି।”
Our civilisational conflict is pivoted around India and Bharat.The British named our country as India. We must strive to free ourselves from colonial legacies. Our forefathers fought for Bharat, and we will continue to work for Bharat .
— Himanta Biswa Sarma (@himantabiswa) July 18, 2023
BJP for BHARAT
ତେବେ ବିଶ୍ୱଶର୍ମାଙ୍କ ଏପରି ବୟାନକୁ କଂଗ୍ରେସ କାଉଣ୍ଟର କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “କ’ଣ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କ ପାଟିରେ ଅଧିକ ମାତ୍ରାରେ ଖଠା ଅଙ୍ଗୁର ଭର୍ତ୍ତି କରି ଦେଇଛନ୍ତି?
ତାଙ୍କର ନୂଆ ମେଣ୍ଟୋର ଶ୍ରୀ ମୋଦି ଆମକୁ ସ୍କିଲ ଇଣ୍ଡିଆ, ଷ୍ଟାର୍ଟଅପ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଦେଇଛନ୍ତି। ସେ(ପିଏମ ମୋଦି) ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଏକାଠି ଟିମ ଇଣ୍ଡିଆ ଭଳି କାମ କରିବାକୁ ମଧ୍ୟ କହିଛନ୍ତି। ଏପରି କି ସେ ଇଣ୍ଡିଆ ପାଇଁ ଭୋଟ କରିବାକୁ ମଧ୍ୟ ନିବେଦନ କରିଛନ୍ତି।
କିନ୍ତୁ ଯେତେବେଳେ ୨୬ଟି ରାଜନୀତିକ ଦଳ ଇଣ୍ଡିଆ ଗଠନ କରିଛନ୍ତି ସେତେବେଳେ ସେ(ବିଶ୍ୱଶର୍ମା) ଇଣ୍ଡିଆ ଶବ୍ଦକୁ ବିରୋଧ କରୁଛନ୍ତି। ସେ କହୁଛନ୍ତି ଇଣ୍ଡିଆ ହେଉଛି ଉପନିବେଶବାଦର ମାନସିକତା। ସେ ପ୍ରଥମେ ନିଜ ବସ୍ଙ୍କ ପାଖକୁ ଯାଇ ଏକଥା କୁହନ୍ତୁ।”
ତେବେ ବୈଠକ ବେଳେ ଇ.ଣ୍ଡି.ଆ ନାଁକୁ କିଏ ପ୍ରଥମେ ଉପସ୍ଥାପନ କରିଥିଲେ? କିଛି ନେତା ରାହୁଲ ଗାନ୍ଧି ଇ.ଣ୍ଡି.ଆ ନାଁ ପଛରେ ଥିବା କହୁଥିବା ବେଳେ ଆଉ କିଛି ନେତା ମମତା ବାନାର୍ଜୀଙ୍କ ନାଁ ନେଇଛନ୍ତି।
ତାମିଲନାଡୁରେ ଦଳିତଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ବିଦୁତଲାଇ ଚିରୁଥାଇଗଲ କଚ୍ଚିର ମୁଖ୍ୟ ଥୋଲ ତିରୁମାବଲବନ୍ ବିରୋଧୀଙ୍କ ମହାବୈଠକରେ ଯୋଗ ଦେଇଥିଲେ। ତାଙ୍କ କହିବା କଥା ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇ.ଣ୍ଡି.ଆ ନାଁର ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତିଳ “ବିରୋଧୀ ମେଣ୍ଟର ନାଁ INDIA ରହିବା ଦରକାର ବୋଲି ମମତା ବାନାର୍ଜୀ ପ୍ରଥମେ ପ୍ରସ୍ତାବ ଦେଇଥିଲେ।
ଏହାକୁ ନେଇ ଦୀର୍ଘ ଘଣ୍ଟାର ଆଲୋଚନା ହୋଇଥିଲା। ଶେଷରେ ବିରୋଧୀ ମେଣ୍ଟ INDIA ବା Indian National Developmental Inclusive Alliance ନାଁରେ ପରିଚୟ ହାସଲ କରିବା ଉପରେ ସମସ୍ତେ ରାଜି ହୋଇଥିଲେ।”
ଅନ୍ୟପକ୍ଷରେ ଏନସିପି ନେତା ଜିତେନ୍ଦ୍ର ଅୱାଦ କରିଥିବା ଟ୍ୱିଟରେ ଇ.ଣ୍ଡି.ଆ ନାଁ ପଛରେ ରାହୁଲ ଗାନ୍ଧି ରହିଥିବା କହିଛନ୍ତି। ସେ କହିଛନ୍ତି, “ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମେଣ୍ଟରେ ରାହୁଲ ଗାନ୍ଧି ମେଣ୍ଟର ନାଁ ଇ.ଣ୍ଡି.ଆ ରଖିବାକୁ ପ୍ରସ୍ତାବ ଦେଇଥିଲେ। ତାଙ୍କ ଚିନ୍ତାଧାରା ଅତ୍ୟନ୍ତ ଗ୍ରହଣୀୟ। ସମସ୍ତ ରାଜନୀତିକ ଦଳ ଏହି ନାଁକୁ ଗ୍ରହଣ କରିଛନ୍ତି। ଏଥିସହ ୨୦୨୪ରେ ସମସ୍ତେ ଇ.ଣ୍ଡି.ଆ ନାଁରେ ଲଢ଼େଇ କରିବାକୁ ରାଜି ହୋଇଛନ୍ତି।”
ତେବେ ବିରୋଧୀଙ୍କ ବୈଠକରେ ଯୋଗଦେଇଥିବା ଜଣେ ନେତା କହିଛନ୍ତି, ରାହୁଲ ଗାନ୍ଧି ପ୍ରଥମେ ଇ.ଣ୍ଡି.ଆ ନାଁ କଥା କହିଥିଲେ। କିନ୍ତୁ ମମତା ବାନାର୍ଜୀ ବିଧିବଦ୍ଧ ଭାବେ ଏହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନ କରିଥିଲେ। ତେଣୁ ଉଭୟ ମିଳିତ ଭାବେ ଇ.ଣ୍ଡି.ଆ ନାଁ ପଛରେ ରହିଛନ୍ତି।
ବିରୋଧୀଙ୍କ ମହାବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ ଘୋଷଣା କରିଥିଲେ ଯେ ବିରୋଧୀ ଦଳଗୁଡ଼ିକ ୨୦୨୪ରେ ମିଳିତ ଭାବେ ବିଜେପି ବିରୋଧରେ ଲଢ଼ିବାକୁ ରାଜି ହୋଇଛନ୍ତି। ଏହି ବିରୋଧୀ ମେଣ୍ଟ ଇ.ଣ୍ଡି.ଆ ବା ଭାରତୀୟ ରାଷ୍ଟ୍ରୀୟ ବିକାଶ ସମାବେଶୀ ମେଣ୍ଟ ନାଁରେ ପରିଚୟ ହାସଲ କରିବ।
ତେବେ ନାଁ ଉପରେ ଯେତେବେଳେ ବୈଠକରେ ଆଲୋଚନା ଚାଲିଥିଲା ସେତେବେଳେ ନୀତୀଶ କୁମାର ବିରୋଧୀ ମେଣ୍ଟର ନାଁ କେମିତି ଇ.ଣ୍ଡି.ଆ ରହିବ ବୋଲି ପ୍ରଶ୍ନ କରିଥିଲେ। ଏଥିସହ ବିଜେପି କରିଥିବା ଏନଡିଏ ମେଣ୍ଟ ଭଳି ଏହା ଶୁଣା ଯାଉଛି ବୋଲି ନୀତୀଶ ମତ ରଖିଥିଲେ।
INDIA ଭଳି NDAରେ ସମାନ ଅକ୍ଷର ଥିବା ସେ କହିଥିଲେ। କିନ୍ତୁ ଏହି ସମୟରେ କେହି ଜଣେ ତାଙ୍କୁ ବୁଝାଇଥିଲେ ଯେ ଇ.ଣ୍ଡି.ଆରେ I ଅକ୍ଷର ରହିଛି। ତଥାପି ନୀତୀଶ କୁମାର ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ମେ ଫ୍ରଣ୍ଟ ଓ ଇଣ୍ଡିଆ ମେ ଆଲିଆନ୍ସ ଭଳି ନାଁ ପ୍ରସ୍ତାବ ଦେଇଥିଲେ।
କେବଳ ନୀତୀଶ କୁମାର ନୁହନ୍ତି, ବାମଦଳ ପକ୍ଷରୁ ମଧ୍ୟ ମେଣ୍ଟର ନାଁ ସେଭ ଇଣ୍ଡିଆ ଆଲିଆନ୍ସ ଓ ୱି ଫର ଇଣ୍ଡିଆ ଭଳି ନାଁକୁ ବୈଠକରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଅଧିକାଂଶ ଦଳ ଏହାକୁ ଗ୍ରହଣ କରି ନଥିଲେ।
ସେମାନେ ଇ.ଣ୍ଡି.ଆ ନାଁକୁ ଅଧିକ ଗ୍ରହଣ କରିଥିଲେ। ଅଧିକାଂଶ ଦଳ ଏହାକୁ ଗ୍ରହଣ କରିବାରୁ ନୀତୀଶ କୁମାର ମଧ୍ୟ ସେମାନଙ୍କ ହଁରେ ହଁ ଭରିଥିଲେ। ସେ କହିଥିଲେ, “ଠିକ ଅଛି। ଆପଣମାନେ ସମସ୍ତେ ଯଦି ଏହି ନାଁ(ଇ.ଣ୍ଡି.ଆ)ରେ ରାଜି, ତା’ହେଲେ ମୋର କିଛି ବି ଅସୁବିଧା ନାହିଁ।”
ବୈଠକରେ ଡେମୋକ୍ରାଟିକ ଶବ୍ଦର ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ NDAରେ ଡେମୋକ୍ରାଟିକ ଶବ୍ଦ ଥିବାରୁ ଏହାଠାରୁ କିଛି ଭିନ୍ନ କରିବାକୁ ସମସ୍ତେ ମତ ରଖିଥିଲେ। ଏହି ସମୟରେ କଂଗ୍ରେସ ଇ.ଣ୍ଡି.ଆରେ ଥିବା D ଅକ୍ଷର ପାଇଁ "Developmental" ଶବ୍ଦ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲା। ଶେଷରେ ଇ.ଣ୍ଡି.ଆରେ ଏହାକୁ ଯୋଡ଼ା ଯାଇଥିଲା।
ମେଣ୍ଟର ନାଁ ଇ.ଣ୍ଡି.ଆ ଓ ଏହାର ଟ୍ୟାଗ ଲାଇନ ହେଉଛି ‘ଜିତିବ ଭାରତ’(ଇ.ଣ୍ଡି.ଆ ୱିଲ ୱିନ) ରଖାଯାଇଛି। ଏହି ନାଁ ଓ ଟ୍ୟାଗ ଲାଇନକୁ ପାଥେୟ କରି ବିରୋଧୀ ଦଳ ଗୁଡ଼ିକ ୨୦୨୪ରେ ବିଜେପି ନେତୃତ୍ୱାଧୀନ ଏନଡିଏ ସହ ଲଢ଼େଇ କରିବେ।
ବିରୋଧୀ ମେଣ୍ଟର ନାଁ ଇ.ଣ୍ଡି.ଆ ରହିବା ପରେ ଏହାର ଟ୍ୟାଗ ଲାଇନ କ’ଣ ରହିବ, ସେନେଇ ବିଳମ୍ବିତ ରାତିରେ କିଛି ବରିଷ୍ଠ ନେତା ଆଲୋଚନା କରିଥିଲେ। ଏହି ସମୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ମୁଖ୍ୟ ଉଦ୍ଧବ ଠାକରେ ବିରୋଧୀ ମେଣ୍ଟ ଗୋଟିଏ ହିନ୍ଦୀ ଟ୍ୟାଗ୍ ଲାଇନ ବ୍ୟବହାର କରିବା ସପକ୍ଷରେ ମତ ରଖିଥିଲେ।
ଏହାପରେ ବରିଷ୍ଠ ନେତାମାନେ ଭାରତ ଜିତବ ବୋଲି ଟ୍ୟାଗ ଲାଇନ ଉପରେ ସହମତି ପ୍ରକାଶ କରିଥିଲେ। ଏବେ ବିରୋଧୀ ମେଣ୍ଟ ଇ.ଣ୍ଡି.ଆ ଓ ଭାରତ ଜିତବ ଟ୍ୟାଗ ଲାଇନ ସହ ନିଜର ସମସ୍ତ କାର୍ଯ୍ୟକ୍ରମ କରିବେ।
ବେଙ୍ଗାଲୁରୁରେ ବିରୋଧୀ ଦଳ ଗୁଡ଼ିକ ୧୭ ଓ ୧୮ ତାରିଖ ଦୁଇ ଦିନ ବୈଠକ କରିବା ପରେ ବିଜେପ ବିରୋଧରେ ଏକାଠି ଲଢ଼ିବାକୁ ରାଜି ହୋଇଛନ୍ତି। ଏଥିପାଇଁ ମେଣ୍ଟର ନାଁକୁ ଇ.ଣ୍ଡି.ଆ ବା Indian National Developmental Inclusive Alliance ରଖାଯାଇଛି। ଏହି ମେଣ୍ଟକୁ ଇ.ଣ୍ଡି.ଆ କୁହାଯାଉଥିବା ବେଳେ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଣ୍ଡିଆ ମଧ୍ୟରେ ଲଢ଼େଇ ହେବ ବୋଲି ରାହୁଲ ଗାନ୍ଧି କହିଛନ୍ତି।
ଅନ୍ୟପକ୍ଷରେ ବିରୋଧୀଙ୍କ ମହାବୈଠକକୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ଦିଲ୍ଲୀରେ ସମାନ୍ତରଳ ଭାବେ ଏନଡିଏର ବୈଠକ କରିଥିଲା। ଏଥିରେ ୩୮ଟି ରାଜନୀତିକ ଦଳ ସାମିଲ ହୋଇଥିଲା। ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି ବିରୋଧୀଙ୍କ ମହାମେଣ୍ଟକୁ ତୀବ୍ର ସମାଲୋଚନା କରିଥିଲେ।
ତେବେ ବିରୋଧୀଙ୍କ ଏହି INDIAକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NDA ବୈଠକରେ କାଉଣ୍ଟର କରିଛନ୍ତି। ୩୮ଟି ଦଳକୁ ନେଇ ଗଠିତ ଏନଡିଏ ଦେଶରେ ସ୍ଥିରତା ଆଣିବ। ଏହା ଇନ୍ଦ୍ରଧନୁ ଭଳି ଅତି ସୁନ୍ଦର ବୋଲି ମୋଦି କହିଛନ୍ତି। NDAର ନୂଆ ସାଥୀମାନଙ୍କୁ ଅଭିନନ୍ଦନ ବି ସେ ଜଣାଇଛନ୍ତି।
ସେ କହିଛନ୍ତି, “୨୫ ବର୍ଷ ଧରି NDA ଦେଶହିତ ଲାଗି ସମର୍ପିତ। ଆଗାମୀ ସମୟ ଲାଗି NDAର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ମୁଖ୍ୟ ଲକ୍ଷ୍ୟ। ଦେଶର ସବୁ ବର୍ଗଙ୍କର ବିଶ୍ୱାସ NDA ଉପରେ ରହିଛି।
NDAର ବିଚାରଧାରା ସକାରାତ୍ମକ। ସରକାର ବହୁମତରେ ଚାଲେ। ଦେଶ ସମସ୍ତଙ୍କ ପ୍ରଚେଷ୍ଟାରେ ଆଗକୁ ବଢ଼େ। NDA କାହା ବିରୋଧରେ ସୃଷ୍ଟି ହୋଇନାହିଁ। ଯେଉଁ ମେଣ୍ଟ ନକାରାତ୍ମକରୁ ସୃଷ୍ଟି ହୋଇଥାଏ, ତାହା କେବେ ହେଲେ ସଫଳ ହୁଏନି। NDAର ବିଚାରଧାରା ହେଉଛି, ଦେଶର ସୁରକ୍ଷା ପ୍ରଥମ।
NDA ଗରିବଙ୍କୁ ସଶକ୍ତ କରିବା ଉପରେ ଜୋର୍ ଦିଏ। NDA ସରକାରରେ ସାମାଜିକ ନ୍ୟାୟ ଲାଗି ଯୋଜନାବଦ୍ଧ କାର୍ଯ୍ୟ କରିଥାଏ। NDA ସରକାରରେ ମହିଳାଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶକୁ ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଦେଇଛି NDA। NDA ହେଉଛି ଏକ ଅତି ସୁନ୍ଦର ଇନ୍ଦ୍ରଧନୁ।
NDAର ଅର୍ଥ ହେଉଛି ନ୍ୟୁ ଇଣ୍ଡିଆ, ଡେଭଲପମେଣ୍ଟ ଓ ଲୋକଙ୍କ ଆସ୍ପିରେସନ। ବିକାଶବାଦୀ ସକାରାତ୍ମକ ରାଜନୀତିକୁ ବଳ ଦେଇଛି NDA। ଆଜିକା ଦିନରେ ଯୁବଗୋଷ୍ଠୀ, ମହିଳା, ଦଳିତ ଓ ଅନ୍ୟ ସମସ୍ତ ଅବହେଳିତ ଲୋକ ଏନଡିଏ ଉପରେ ବିଶ୍ୱାସ ରଖିଛନ୍ତି। ଏନଡିଏ ସବୁବେଳେ ଲୋକଙ୍କ ପାଇଁ ପ୍ରତିବଦ୍ଧ। ଲୋକଙ୍କୁ ସଶକ୍ତୀକରଣ କରିବା ହିଁ ଏନଡିଏର ଏକମାତ୍ର ଲକ୍ଷ୍ୟ।‘”
ଏନଡିଏ ବୈଠକରେ ମୋଦି ଆହୁରି କହିଛନ୍ତି, ଏନଡିଏ ସବୁବେଳେ ସକାରାତ୍ମକ ରାଜନୀତି କରିଛି। ଏପରି କି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମୟରେ ଦଳ ବିରୋଧୀ ଗୋଷ୍ଠୀରେ ଥିଲା ବେଳେ ମଧ୍ୟ ନିଜର କର୍ତ୍ତବ୍ୟକୁ ଭୁଲି ନଥିଲା।
ସେ କହିଛନ୍ତି, “ଆମେ ସବୁବେଳେ ଏପରି କି ବିରୋଧୀ ଭାବେ କାର୍ଯ୍ୟ କରୁଥିବା ବେଳେ ସକାରାତ୍ମକ ରାଜନୀତି କରିଛୁ। ଆମେ କେବେ ହେଲେ ଜନାଦେଶକୁ ଅସମ୍ମାନ କରିନୁ। ଆମେ ସରକାରଙ୍କୁ ବିରୋଧ କରିବା ପାଇଁ କେବେ ହେଲେ ବିଦେଶରୁ ସହାୟତା ଲୋଡ଼ିନୁ। ଆମେ ବିରୋଧୀ ଭାବେ ଥିବା ବେଳେ କେବେ ହେଲେ ବିକାଶମୂଳକ କାର୍ଯ୍ୟ କିମ୍ବା ଦେଶର ପ୍ରଗତିରେ କଣ୍ଟା ହୋଇ ଛିଡ଼ା ହୋଇ ନଥିଲୁ।”
ବେଙ୍ଗାଲୁରୁରେ ୨୬ଟି ଦଳ କରିଥିବା ବୈଠକକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଦୁର୍ନୀତି କରିବା ଲକ୍ଷ୍ୟ ନେଇ କୌଣସି ମେଣ୍ଟ ହୋଇଥାଏ ସେତେବେଳେ ଦେଶର ବହୁତ ବଡ଼ କ୍ଷତି ହୁଏ। ଏଥିପ୍ରତି ସମସ୍ତେ ସତର୍କ ରହିବା ଦରକାର ବୋଲି ମୋଦି କହିଛନ୍ତି।
ଆଗାମୀ ଦିନରେ ମହାରାଷ୍ଟ୍ରର ମୁମ୍ବାଇରେ ପୁଣି ବିରୋଧୀ ଦଳଗୁଡ଼ିକ ଏକାଠି ହେବେ। ଉକ୍ତ ବୈଠକରେ ୧୧ ଜଣିଆ ସଂଯୋଜକ କମିଟି ଗଠନ କରାଯିବ। ସେହିପରି INDIAର ନେତୃତ୍ୱ କିଏ ନେବେ, ତାଙ୍କ ନାଁ ମଧ୍ୟ ବିରୋଧୀ ଦଳଗୁଡ଼ିକ ଘୋଷଣା କରିବେ।
ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି,“ପରବର୍ତ୍ତୀ ସମୟରେ ମୁମ୍ବାଇରେ ପୁଣି ବୈଠକ ବସିବ। ସେଠାରେ ୧୧ ଜଣିଆ ସଂଯୋଜକ କମିଟି ଗଠନ କରାଯିବ। ଏଥିସହ ପରବର୍ତ୍ତୀ ରଣନୀତି ମଧ୍ୟ ପ୍ରସ୍ତୁତ କରାଯିବ।”
ମହାମେଣ୍ଟର ନେତୃତ୍ୱ କିଏ ନେବେ ବୋଲି ପ୍ରଶ୍ନର ଉତ୍ତରରେ ଖଡଗେ କହିଛନ୍ତି, “ମୁମ୍ବାଇ ବୈଠକରେ ମେଣ୍ଟର ଆବାହକଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ବାଜିବ। ଏହା ଆଦୌ କୌଣସି ବଡ଼ କଥା ନୁହେଁ।
ଆମେ ସମସ୍ତେ ଏକାଠି ରହିଛୁ। ପ୍ରଚାର ପରିଚାଳନା ପାଇଁ ଗୋଟିଏ ସେକ୍ରେଟେରିଏଟ ଓ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ କମିଟି ଦିଲ୍ଲୀରେ ଗଠନ କରାଯିବ। କାରଣ ଦିଲ୍ଲୀ ହେଉଛି ଦେଶର ରାଜଧାନୀ ଓ ସମସ୍ତଙ୍କ ପାଇଁ ଉକ୍ତ ସ୍ଥାନକୁ ଆସିବା ସୁବିଧା ହେବ।”
ସେ ଆହୁରି କହିଛନ୍ତି, ବୈଠକରେ ୨୬ଟି ବିରୋଧୀ ଦଳର ନେତାଙ୍କ ଆମର ନେତ୍ରୀ ସୋନିଆ ଗାନ୍ଧି ଉପସ୍ଥିତ ରହିଥିଲେ। ଗଣତନ୍ତ୍ରର ସୁରକ୍ଷା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ।
ଲୋକଙ୍କ ସ୍ୱାର୍ଥ ପାଇଁ ଆମେ ଏକାଠି ହେବା ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛୁ। ପୂର୍ବରୁ ଆମେ ୟୁପିଏରେ ଥିଲୁ। ଏବେ ଆମେ ୨୬ ଦଳ ମିଳିତ ଭାବେ INDIA ନାଁରେ ଏକାଠି ହେବାକୁ ରାଜି ହୋଇଛୁ ବୋଲି ସେ କହିଛନ୍ତି।
ତେବେ ପରବର୍ତ୍ତୀ ଅବସ୍ଥାରେ ଏଥିରେ ସଂଶୋଧନ କରାଯାଇ Indian National Developmental Inclusive Alliance ରଖାଯାଇଛି। ପ୍ରାଥମିକ ଘୋଷଣା ପରେ ବିରୋଧୀ ଦଳର କିଛି ନେତା ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ INDIAର ଫୁଲଫର୍ମକୁ ନେଇ ସେମାନେ ଦେଇଥିବା ବୟାନ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ “ଆମେ ଏକାଠି ବସିଛୁ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛୁ। ଗୋଟିଏ ସ୍ୱରରେ ସମସ୍ତେ ଆଗତ ସଂକଳ୍ପକୁ ଗ୍ରହଣ କରିଛନ୍ତି। ଆମ ମେଣ୍ଟ Indian National Developmental Inclusive Alliance(INDIA) ନାଁରେ ପରିଚିତ ହେବ।”
ଏହା ଶୁଣି INDIA ନାଁକୁ ନେଇ ଖଡଗେ ସମ୍ଭବତଃ ଭୁଲ ଫୁଲ ଫର୍ମ କହିଲେ ବୋଲି ସମସ୍ତେ ଭାବିଥିଲେ। ତେବେ କଂଗ୍ରେସ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଡେମୋକ୍ରାଟିକ ବଦଳରେ INDIAରେ ଥିବା Dର ଅର୍ଥ ଡେଭଲପମେଣ୍ଟାଲ ବୋଲି କୁହାଯାଇଥିଲା।
ଏନସିପି ନେତା ଶରଦ ପାୱାର ପ୍ରଥମେ କରିଥିବା ଟ୍ୱିଟରେ ମଧ୍ୟ INDIAର ଫୁଲ ଫର୍ମକୁ ନେଇ ଦ୍ୱନ୍ଦ୍ୱ ରହିଥିବା ସ୍ପଷ୍ଟ ହୋଇଥିଲା। ପ୍ରଥମେ ଶରଦ ପାୱାର କହିଥିଲେ ଯେ “ଆମେ ଏକାଠି I -Indian N - National D - Democratic I - Inclusive A – Alliance ସହ ରହିଛୁ। ଏଥିସହ ସେ ସେଭ ଡେମୋକ୍ରାସିର ହାଶଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ।
କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଏହାକୁ ଡିଲିଟ କରିଥିଲେ। ସେ ପୁଣି ଟ୍ୱିଟ କରି କହିଥିଲେ ଯେ ଆମେ I - Indian N - National D - Developmental I - Inclusive A – Alliance ସହ ରହିଛୁ ବୋଲି କହିଥିଲେ।
ଏହାପରେ ସବୁ ବିରୋଧୀ ଦଳର ନେତା INDIAର ଫୁଲ ଫର୍ମ ସମ୍ପର୍କରେ ଟ୍ୱିଟ କରି Dର ଅର୍ଥ ଡେମୋକ୍ରାଟିକ ନୁହେଁ ବରଂ ଡେଭଲପମେଣ୍ଟାଲ ବୋଲି ସ୍ପଷ୍ଟ କରିଛନ୍ତି।
ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ଏବେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନାହାନ୍ତି। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି। ବିରୋଧୀଙ୍କ ମହାମେଣ୍ଟର ନାଁ INDIA ରହିବା ପରେ ରାହୁଲ ଗାନ୍ଧି ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।
ରାହୁଲ ଗାନ୍ଧି କହିଛନ୍ତି, “ଏହି ବୈଠକରେ ଉପସ୍ଥିତ ରହିବା ମୋ ପାଇଁ ସମ୍ମାନ ଓ ଗର୍ବର ବିଷୟ। ଭାରତର ବିଚାରଧାରା ଉପରେ ଆକ୍ରମଣ ହେଉଛି। ଲକ୍ଷାଧିକ ଭାରତୀୟଙ୍କ ସ୍ୱରକୁ ଚାପି ଦିଆଯାଉଛି। ଭାରତର ଅଧିକାରକୁ ଛଡ଼ାଇ ନିଆଯାଇଛି। ଏହା ଭାରତର ସ୍ୱର ପାଇଁ ଲଢ଼େଇ। ଏଥିପାଇଁ ଆମେ ମହାମେଣ୍ଟର ନାଁ INDIA ରଖିଛୁ।
ଏବେ INDIA ସହ NDAର ଲଢ଼େଇ ହେବ। ନରେନ୍ଦ୍ର ମୋଦି ଓ ଭାରତ ଓ ସେମାନଙ୍କ ବିଚାରଧାରା ଓ ଭାରତ ମଧ୍ୟରେ ଲଢ଼େଇ ହେବ। ଆମେ ଭାରତର ସମ୍ବିଧାନ, ଆମ ଲୋକମାନଙ୍କ ସ୍ୱର, ମହାନ ଦେଶର ବିଚାରଧାରା ଓ ଭାରତର ବିଚାରଧାରା ପାଇଁ ଲଢ଼େଇ କରିବୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯେତେବେଳେ ଭାରତ ସାମ୍ନାରେ ଯିଏ ଛିଡ଼ା ହୁଏ, ତା’ର ଅବସ୍ଥା କ’ଣ ହୁଏ।
ତା’ର ଉତ୍ତର କହିବାର ଆବଶ୍ୟକ ନାହିଁ। ଆମେ ସମସ୍ତେ ମିଳିତ ଭାବେ ନିର୍ଣ୍ଣୟ ନେଇଛୁ ଯେ ଆମେ ଗୋଟିଏ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବୁ। ଏହାପରେ ଏକାଠି ହୋଇ ଆମର ବିଚାରଧାରା ଓ ଆମେ ଯାହା କରିବାକୁ ଯାଉଛୁ, ସେ ବିଷୟରେ କହିବୁ। ଏହା ଦ୍ୱିତୀୟ ବୈଠକ ଥିଲା। ମହାରାଷ୍ଟ୍ରରେ ଆମର ପରବର୍ତ୍ତୀ ବୈଠକ ହେବ।”
ମମତା ବାନାର୍ଜୀ ମଧ୍ୟ ବିଜେପିକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି ଯେ “ବିଜେପି, କ’ଣ ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? NDA ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? ଆମେ ଆମ ମାତୃଭୂମିକୁ ବହୁତ ଭଲ ପାଉ। ଆମେ ହିଁ ଦେଶର ଦେଶଭକ୍ତ। ଆମେ ଦେଶ ପାଇଁ, ବିଶ୍ୱ ପାଇଁ, ଚାଷୀଙ୍କ ପାଇଁ ଓ ସମସ୍ତଙ୍କ ପାଇଁ ଏକାଠି ହୋଇଛୁ।
ହିନ୍ଦୁ, ଦଳିତ, ସଂଖ୍ୟାଲଘୁ, ଚାଷୀମାନେ ବେଙ୍ଗଲ ଠାରୁ ଆରମ୍ଭ କରି ମଣିପୁର ଯାଏ ବିଜେପି ଚାପରେ ଭୟଭୀତ ହୋଇ ରହିଛନ୍ତି। ବିଜେପିର ଗୋଟିଏ କାମ ହେଲା ସରକାର କିଣିବା ଓ ବିକ୍ରି କରିବା। ଆଜିର ବୈଠକ ବେଶ ସକାରାତ୍ମକ ରହିଛି। ଆମେ ଆମର ମେଣ୍ଟର ନାଁ INDIA ରଖିଛୁ। ଇଂରାଜୀରେ ଏହା ଇଣ୍ଡିଆ ଓ ହିନ୍ଦୀରେ ଏହାର ଭାରତ।
ଆମେ ଗୋଟିଏ ବଡ଼ ଚ୍ୟାଲେଞ୍ଜ ନେଇଛୁ। NDA କ’ଣ ତୁମେମାନେ INDIAକୁ ଚ୍ୟାଲେଞ୍ଜ କରିପାରିବ? ଆମେ ସବୁ କିଛି INDIA ବ୍ୟାନର ତଳେ କରିବୁ। ଯଦି କେହି ଆମକୁ ଅଟକାଇବାକୁ ସାହାସ କରୁଛନ୍ତି, ତା’ହେଲେ ଚ୍ୟାଲେଞ୍ଜ କରି ଦେଖାନ୍ତୁ। ବିଜେପି ଦେଶକୁ ବିକ୍ରି କରିବାକୁ ଓ ଗଣତନ୍ତ୍ରକୁ କିଣିବାକୁ ଡିଲ କରିଛି।
ଖାସ ଏହି କାରଣ ପାଇଁ ବିଭିନ୍ନ ନିରପେକ୍ଷ ସଂସ୍ଥା କାମ କରିବାକୁ ସକ୍ଷମ ହେଉନାହାନ୍ତି। INDIA ଜିତବ, ବିଜେପି ହାରିବ। ଭାରତ ଜିତିବ, ବିଜେପି ହାରିବ। INDIA ଜିତିବ, ଏହି ଦେଶ ଜିତବ।”
ବିରୋଧୀ ଦଳ ଗୁଡ଼ିକ ଦେଶର କଲ୍ୟାଣ ଅପେକ୍ଷା ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ବିରୋଧୀ ଦଳଗୁଡ଼ିକ ବଂଶବାଦ ରାଜନୀତିର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, “ଏହି ସବୁ(ବିରୋଧୀ ମେଣ୍ଟ) ଦଳଗୁଡ଼ିକର ଗୋଟିଏ ଲକ୍ଷ୍ୟ ହେଲା, ପରିବାର ଦ୍ୱାରା ଓ ପରିବାର ପାଇଁ।”
ପୋର୍ଟ ବ୍ଲେୟାର ଏୟାରପୋର୍ଟର ନୂଆ ଇଣ୍ଟିଗ୍ରେଟେଡ ଟର୍ମିନାଲ ବିଲଡିଂ ଉଦଘାଟନ କରି ମୋଦି ଆହୁରି କହିଛନ୍ତି, “ ଗଣତନ୍ତ୍ରରେ ସବୁ କିଛି ଲୋକ ମାନଙ୍କ ପାଇଁ, ଲୋକଙ୍କ ମାନଙ୍କ ଦ୍ୱାରା ହୋଇଥାଏ। କିନ୍ତୁ ବଂଶବାଦକୁ ପ୍ରୋତ୍ସାହିତ କରୁଥିବା ଦଳଗୁଡ଼ିକ ପାଇଁ ସବୁ କିଛି ପରିବାର ଦ୍ୱାରା ଓ ପରିବାର ପାଇଁ। ସେମାନଙ୍କ ପାଇଁ ପରିବାର ଆଗ, ଦେଶ କିଛି ନୁହଁ। ଏହା ହିଁ ସେମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।
ଲୋକମାନେ କହୁଛନ୍ତି ଏହି ବୈଠକ(ବିରୋଧୀଙ୍କ ବୈଠକ) ଦୁର୍ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଆୟୋଜନ କରାଯାଇଛି। ଏହି ନେତାମାନେ ୨୦ ଲକ୍ଷ କୋଟି ଟଙ୍କା ଦୁର୍ନୀତିର ଗ୍ୟାରେଣ୍ଟି ଦେଇପାରିବେ। ଆଜିଠାରୁ ହିଁ ଦେଶର ଲୋକମାନେ ଆମକୁ ୨୦୨୪ରେ ପୁଣି ଆଣିବେ ବୋଲି ନିଷ୍ପତ୍ତି ନେଇ ସାରିଛନ୍ତି। ତେଣୁ ଭାରତର ଦୁର୍ଦ୍ଦଶା ପାଇଁ ଦାୟୀ ଲୋକମାନେ ଏବେ ସେମାନଙ୍କ ଦୋକାନ ଖୋଲିବା ଆରମ୍ଭ କରିଛନ୍ତି।
୨୪ ପାଇଁ ୨୬ ହୋଇଥିବା ରାଜନୀତିକ ଦଳଗୁଡ଼ିକ ପାଇଁ ଏହା ଉପଯୁକ୍ତ। ସେମାନେ ଏବେ ଅଲଗା ଗୀତ ଗାଉଛନ୍ତି। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ। କିଛି ଅଲଗା ଲେବଲ ସେମାନେ ଲଗାଇ ପାରନ୍ତି। କିନ୍ତୁ ଉତ୍ପାଦ ଆଉ କାହାର। ସେମାନଙ୍କ ଦୋକନରେ ଜାତିବାଦର ବିଷ ଓ ବ୍ୟାପକ ଦୁର୍ନୀତିର ଗ୍ୟାରେଣ୍ଟ ରହିଛି। ଏବେ ସେମାନେ ବେଙ୍ଗାଲୁରୁରେ ଅଛନ୍ତି।
ଦେଶର ଲୋକମାନେ କହୁଛନ୍ତି ଏହା ଏକ କଟର ଭ୍ରଷ୍ଟାଚାର ସମ୍ମିଳନୀ। ଉକ୍ତ ବୈଠକର ଆଉ ଏକ ସ୍ୱତନ୍ତ୍ରତା ହେଲା କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଲୋକଙ୍କୁ ବଡ଼ ସମ୍ମାନ ଦିଆଯାଉଛି। ଯଦି ପୂରା ପରିବାର ଜାମିନରେ ମୁକୁଳିଥାଆନ୍ତେ, ତା’ହେଲେ ସେମାନଙ୍କୁ ଆହୁରି ସମ୍ମାନ କରାଯିବ। ଯଦି କେହି ଗୋଟିଏ ସଂପ୍ରଦାୟକୁ ଅପମାନିତ କରିବେ ଓ କୋର୍ଟ ଦ୍ୱାରା ଦଣ୍ଡ ପାଇବେ, ତାଙ୍କୁ ମଧ୍ୟ ସମ୍ମାନ କରାଯିବ।”
ସର୍ବସମ୍ମତିକ୍ରମେ ବିରୋଧୀ ମେଣ୍ଟ INDIAରେ ପରିଚୟ ହାସଲ କରିବ ବୋଲି ଜଣାପଡ଼ିଛି। INDIA ପୂରା ନାଁ ହେଲା Indian National Democratic Inclusive Alliance। ବାମ ଦଳ ପକ୍ଷରୁ ଆଲିଆନ୍ସ ଶବ୍ଦକୁ ବିରୋଧ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ବିରୋଧୀ ମେଣ୍ଟର ନାଁ INDIA ରହିବ ବୋଲି ସ୍ଥିର କରାଯାଇଛି।
ପୂର୍ବରୁ କଂଗ୍ରେସ ନେତୃତ୍ୱରେ ୟୁପିଏ ଗଠନ ହୋଇଥିଲା। କିନ୍ତୁ ମହାବୈଠକରେ ୟୁପିଏ ନାଁକୁ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରି ନଥିଲେ। ତେଣୁ ସର୍ବସମ୍ମତିକ୍ରମେ ବିରୋଧୀ ମହାମେଣ୍ଟର ନାଁ INDIA ରଖାଯାଇଛି।
ଏହାର ଅଧ୍ୟକ୍ଷ କିଏ ହେବେ, ସେକଥା ସ୍ପଷ୍ଟ ହୋଇନି। କିନ୍ତୁ ବୈଠକର ପ୍ରଥମ ଦିନରେ ସୋନିଆ ଗାନ୍ଧିଙ୍କ ନାଁ ଏହି ପଦ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏବେ ଦ୍ୱିତୀୟ ଦିନରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ବୈଠକରେ ଉପସ୍ଥିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, “ଏଠାରେ ସକାରାତ୍ମକ ଆଲୋଚନା ହୋଇଛି। ଆଜି ବୈଠକରେ ଯେଉଁ ସବୁ ନିଷ୍ପତ୍ତି ଓ ଆଲୋଚନା ହୋଇଛି, ସେଗୁଡ଼ିକ ପରବର୍ତ୍ତୀ ସମୟରେ ଦେଶ ତଥା ଦେଶବାସୀଙ୍କ ପାଇଁ ଲାଭଦାୟକ ହେବ।”
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ୧୦ ବର୍ଷର ଶାସନ ଭିତରେ ମୋଦି ସବୁ କ୍ଷେତ୍ରକୁ ପ୍ରାୟତଃ ବରବାଦ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି।
କଂଗ୍ରେସ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନାହିଁ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବିରୋଧୀଙ୍କ ମହାବୈଠକରେ ସ୍ପଷ୍ଟ କରିଛନ୍ତି। ଏହାର ଅର୍ଥ ଯଦି ବି ବିରୋଧୀ ମେଣ୍ଟ ୨୦୨୪ରେ କ୍ଷମତା ଦଖଲ କରନ୍ତି, ତା’ହେଲେ କଂଗ୍ରେସରୁ କେହି ବି ପ୍ରଧାନମନ୍ତ୍ରୀ ପଦରେ ବସିବେ ନାହିଁ।
ଖଡଗେ କହିଛନ୍ତି, “କଂଗ୍ରେସ ଆଦୌ କ୍ଷମତା କିମ୍ବା ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛା ରଖିନାହିଁ। ନିଜ ପାଇଁ କ୍ଷମତା ଦଖଲ କରିବା ଉଦ୍ଦେଶ୍ୟରେ ଆମର ଏହି ବୈଠକ ନୁହେଁ। ସମ୍ବିଧାନ,ଗଣତନ୍ତ୍ର, ଧର୍ମନିରପେକ୍ଷ ଓ ସାମାଜିକ ନ୍ୟାୟର ସୁରକ୍ଷା ପାଇଁ ଏହି ବୈଠକ କରାଯାଉଛି। ମୁଁ ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନରେ ମଧ୍ୟ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଇଚ୍ଛା ରଖି ନଥିବା କହିଥିଲି।”
At the joint Opposition meeting in Bengaluru, Congress President Mallikarjun Kharge said - I had already said in Chennai, on MK Stalin’s birthday, that Congress is not interested in power or the post of Prime Minister. Our intention in this meeting is not to gain power for…
— ANI (@ANI) July 18, 2023
ବିଜେପିକୁ ଟାର୍ଗେଟ କରି ଖଡଗେ କହିଛନ୍ତି, “ଆମେ ୨୬ଟି ଦଳ। ୧୧ଟି ରାଜ୍ୟରେ ଆମମାନଙ୍କର ସରକାର ରହିଛି। ବିଜେପି ଏକାକୀ ୩୦୩ ସନ ଆଉ ଜିତି ପାରିବ ନାହିଁ। ବିଜେପି ସହଯୋଗୀମାନଙ୍କ ଭୋଟକୁ ବ୍ୟବହାର କରିବ। ଏହାପରେ ସେମାନଙ୍କ ଠାରୁ ସମ୍ପର୍କ ତୁଟାଇ ଦେବ। ଆମେ ଭଲ ଭାବେ ଜାଣିଛୁ ଯେ ରାଜ୍ୟସ୍ତରରେ ଆମମାନଙ୍କ ମଧ୍ୟରୁ କିଛି ଜଣଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି।
ଏହି ମତପାର୍ଥକ୍ୟ ବିଚାରଧାରାଗତ ନୁହେଁ। ମତପାର୍ଥକ୍ୟ ଏତେ ବଡ଼ ନୁହେଁ ଯେ ଆମେ ସାଧାରଣ ଲୋକ, ମଧ୍ୟବିତ୍ତ, ଯୁବପିଢ଼ି, ଗିରବ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା ପାଇଁ ଏହାକୁ ଭୁଲି ପାରିବୁ ନାହିଁ। ଆମେ ନିଶ୍ଚିତ ମତପାର୍ଥକ୍ୟର ସମାଧାନ କରିବୁ।”
ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀଙ୍କ ମହାବୈଠକରେ ଖଡେଗଙ୍କ ବ୍ୟତୀତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଷ୍ଟାଲିନ, ନୀତୀଶ କୁମାର, ଅରବିନ୍ଦ କେଜ୍ରିୱାଲ, ହେମନ୍ତ ସୋରେନ, ମମତା ବାନାର୍ଜୀ ଓ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଭଳି ହେଭିୱେଟ ଯୋଗ ଦେଇଛନ୍ତି।
ପ୍ରଥମ ଦିନ ଅର୍ଥାତ ସୋମବାର ଅନୁପସ୍ଥିତ ଥିବା ଏନସିପି ମୁଖ୍ୟ ଶରଦ ପାୱାର ଆଜି ବେଙ୍ଗାଲୁରୁରେ ପହଞ୍ଚି ବୈଠକରେ ସାମିଲ ହୋଇଛନ୍ତି।
ନିମନ୍ତ୍ରଣ ପତ୍ରରେ ଖଡଗେ ଉଲ୍ଲେଖ କରିଛନ୍ତି ଯେ , ହୋଇଥିବା ବୈଠକରେ ଗଣତାନ୍ତ୍ରିକ ରାତନୀତିରେ ଥିବା ବିପଦ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା। ଏଥିସହ ମିଳିମିଶି ଆସନ୍ତା ସାଧାରଣ ନିର୍ବାଚନରେ ଲଢ଼ିବାକୁ ଚୁକ୍ତି ହୋଇଥିଲା। ଏହି ବୈଠକରେ ଆସନ୍ତା ଜୁଲାଇରେ ଆଉଥରେ ଭେଟିବାକୁ ମଧ୍ୟ ସହମତି ହୋଇଥିଲା। ତେଣୁ ଏହି ବିଷୟରେ ପୁଣି ଆଲୋଚନା କରାଯାଇ ନେଇଥିବା ନିର୍ଣ୍ଣୟକୁ ଗତିଶୀଳ କରାଇବା ବୋଲି ବିଶ୍ୱାସ ରହିଛି।
ଆସନ୍ତା ଜୁଲାଇ ୧୭ ଅପରାହ୍ନ ୬ଟାରେ ବାଙ୍ଗାଲୁରୁ ଠାରେ ବୈଠକ ଓ ରାତ୍ରୀ ଭୋଜନରେ ସାମିଲ ହେବା ସହିତ ପରଦିନ ପୂର୍ବାହ୍ନ ୧୧ରୁ ହେଉଥିବା ବୈଠକରେ ମଧ୍ୟ ଯୋଗ ଦେବାକୁ ଖଡଗେ ଆହ୍ୱାନ ଦେଇଛନ୍ତି।
ସୂଚନା ଥାଉକି, ଆସନ୍ତା ଲୋକସଭା ନିର୍ବାଚନକୁ ଲକ୍ଷ୍ୟରେ ରଖି ବିହାରର ପାଟଣା ଠାରେ ପ୍ରଥମ ବିରୋଧୀ ଦଳମାନଙ୍କ ବୈଠକରେ ୧୫ଟି ଦଳ ଯୋଗଦେଇଥିଲେ। ଯେଉଁଥିରେ ଖଡର୍ଗେ, ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏନ୍ସିପି ମୁଖ୍ୟ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଟାଲିନ୍ ପ୍ରମୁଖ ଯୋଗଦେଇଥିଲେ।
ବିଜେପିକୁ ଆସନ୍ତା ସାଧାରଣ ନିର୍ବାଚନରେ ହରାଇବା ପାଇଁ କଂଗ୍ରେସ ନେତୃତ୍ୱରେ ବିରୋଧୀ ଦଳମାନେ ଏହି ଚକ୍ରବ୍ୟୁହ ରଚନା କରୁଛନ୍ତି।