ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟାର ନାଁ ଟପ୍ ବିଡର ଭାବେ ଚର୍ଚ୍ଚା ହୋଇଥିଲା। ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ କେନ୍ଦ୍ର ସରକାର ଯେଉଁ ନିଲାମ ଡାକିଥିଲେ, ସେଥିରେ ଟାଟା ଗ୍ରୁପ୍ ବାଜିମାତ କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏହି ରିପୋର୍ଟ ଭୁଲ ବୋଲି କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଲାମ ପ୍ରକ୍ରିୟାକୁ ଯାଞ୍ଚ କରାଯାଉଛି ଓ ଏଯାଏ ବିଡ୍ ବିଜେତାଙ୍କ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି। ଡିଆଇଏପିଏଏମ ସେକ୍ରେଟାରୀ ପକ୍ଷରୁ କୁହାଯାଇଛି ଯେ “ମିଡିଆରେ ପ୍ରକାଶିତ ରିପୋର୍ଟରେ ଏପରି ସଙ୍କେତ ଦିଆଯାଇଛି ଯେ ଭାରତ ସରକାର ଏୟାର ଇଣ୍ଡିଆର ଡିସଇନଭେଷ୍ଟମେଣ୍ଟ ପାଇଁ ଡକା ଯାଇଥିବା ନିଲାମକୁ ମଞ୍ଜୁରୀ ଦେଇଛନ୍ତି।
ତେବେ ଏଯାଏ କୌଣସି ବିଡ୍କୁ ସରକାର ମଞ୍ଜୁରୀ ଦେଇ ନାହାନ୍ତି। ରିପୋର୍ଟ ଭୁଲ। ସରକାର ନିଷ୍ପତ୍ତି ନେବା ପରେ ସରକାର ମିଡିଆକୁ ଏ ସମ୍ପର୍କରେ ଅବଗତ କରାଇବେ।“ ସୂଚନାଯୋଗ୍ୟ, ୧୯୩୨ ମସିହାରେ ଟାଟା ପକ୍ଷରୁ ଟାଟା ଏୟାରଲାଇନ ସ୍ଥାପନ କରାଯାଇଥିଲା। ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ଜେଆରଡି ଟାଟା ନିଜେ ଜଣେ ଦକ୍ଷ ପାଇଲଟ ଥିବା ବେଳେ ସେ ଏହାର ଆରମ୍ଭ କରିଥିଲେ। ୧୯୪୬ରେ ଏହାର ନାମ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୫୩ ମସିହାରେ ଏୟାର ଇଣ୍ଡିଆର ମାଲିକାନା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଥିଲା। ଏବେ ପ୍ରାୟ ୬୮ ବର୍ଷ ପରେ ଟାଟା ପୁଣି ଏୟାର ଇଣ୍ଡିଆର ମାଲିକାନା ହାସଲ କରିବା ନେଇ ଚର୍ଚ୍ଚା ହୋଇଥିଲା।