ବିଜେପି ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବହୁ ତୁମ୍ଭିତୋଫାନ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଜୁନ୍ ୧୬ ତାରିଖରୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତିି । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଦେଶ ସହିତ ୪୦ହଜାର ଟଙ୍କା ଦେଇଛନ୍ତିି ଏବଂ ଅବଶିଷ୍ଟ ରାଶି ଦୁଇଟି କିସ୍ତିରେ ଗୃହକାର୍ଯ୍ୟର ଅଗ୍ରଗତି ନେଇ ପ୍ରଦାନ କରାଯିବ ନିଷ୍ପତ୍ତି ନେଇଛନ୍ତିି । ଯେଉଁ ହିତାଧିକାରୀମାନେ ଜୁନ୍ ୧୬ରୁ ଅକ୍ଟୋବର ଅର୍ଥାତ୍ ୪ମାସ ସମୟ ସୀମା ଭିତରେ ଗୃହକାର୍ଯ୍ୟକୁ ସମାପ୍ତ କରିବେ ତାଙ୍କୁ ୨୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତିି । ରାଜ୍ୟ ସରକାର ବର୍ଷାଦିନେ ହିତାଧିକାରୀମାନଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ କିପରି ପ୍ରଦାନ କରିଛନ୍ତିି ବୋଲି ସେ ପ୍ରଶ୍ନ କରିଛନ୍ତିି । ବର୍ଷା ଦିନ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ କୋଠା, ପୋଲ ଏବଂ ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଶିଥିଳ ପଡ଼ିଯାଇଛି । ଏ କ୍ଷେତ୍ରରେ ବର୍ଷାଦିନେ ହିତାଧିକାରୀମାନେ ଗୃହକାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟଦାୟକ ବ୍ୟାପାର । ବର୍ଷାଦିନେ ଗାଁ ଗହଳିରେ ହିତାଧିକାରୀ ବା ସମସ୍ତ ଲୋକେ ଚାଷବାସରେ ବ୍ୟସ୍ତ ରୁହନ୍ତିି, ଫଳରେ ଗୃହ କାର୍ଯ୍ୟ କରିବା ପାଇଁ ଶ୍ରମିକଟିଏ ମିଳିବା କଷ୍ଟକର ।
ଯେଉଁ ଶ୍ରମିକ ମିଳନ୍ତି ସେମାନେ ଅଧିକ ଅର୍ଥ ଦାବି କରନ୍ତି । ଯେଉଁଥିପାଇଁ ଏସମୟରେ ହିତାଧିକାରୀମାନେ ଗୃହକାର୍ଯ୍ୟ ଆରମ୍ଭ ପାଇଁ ପଛଘୁଂଚା ଦେଉଛନ୍ତିି । ତା’ଛଡ଼ା ଓଡ଼ିଶାରେ ପରମ୍ପରା ଓ ବିଶ୍ୱାସ ରହିଛି ଯେ, ମଳମାସରେ କୌଣସି ଶୁଭକାମ କରାଯାଏ ନାହିଁ । ଯେଉଁଥିପାଇଁ ହିତାଧିକାରୀମାନେ ଗୃହକାର୍ଯ୍ୟ ଆରମ୍ଭ ନକରିବା ଅନ୍ୟ ଏକ କାରଣ । ଏହି ୪ମାସ ଅବଧି ମଧ୍ୟରେ ହିତାଧିକାରୀମାନେ ଗୃହକାର୍ଯ୍ୟ ସମାପ୍ତ କରିବା ଅସମ୍ଭବ । ରାଜ୍ୟ ସରକାର ହିତାଧିକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାରେ କେତେ ଆନ୍ତରିକତା ରହିଛି ଏଥିରୁ ସ୍ପଷ୍ଟ ପ୍ରମାଣିତ । ଲୋକସଭା ଭବନରେ ବଡ଼ ବଡ଼ ଅଫିସରମାନଙ୍କ ସର୍ବନିମ୍ନ ଜ୍ଞାନର ଅଭାବରୁ ଏହି ୪ମାସର ଅବଧି ନିଷ୍ପତ୍ତି ପାଇଁ ହିତାଧିକାରୀଟିଏ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ରାଶି ପାଇବାରୁ ବଂଚିତ ହେବାକୁ ଯାଉଛି । ରାଜ୍ୟ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଏହି ପ୍ରୋତ୍ସହନ ରାଶି ଘୋଷଣା କରିଛନ୍ତିି । ଏହି ଅବଧି ଭିତରେ ପ୍ରତ୍ସୋହନ ରାଶି ପ୍ରଦାନ ହିତାଧିକାରୀଙ୍କ ପାଇଁ ଧୂଆଁବାଣ ଓ ପ୍ରହସନ ସଦୃଶ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଯଦି ହିତାଧିକାରୀମାନଙ୍କୁ ପ୍ରକୃତରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବାରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି, ତା’ହେଲେ ୨୦୨୩ ଅକ୍ଟୋବର(୪ମାସର ଅବଧି) ପରିବର୍ତେ ୨୦୨୪ ଜାନୁୟାରୀ (୭ମାସ) ପର୍ଯ୍ୟନ୍ତ ସମୟ ଦିଅନ୍ତୁ, ଯାହାଫଳରେ ସେମାନେ ତ୍ସୋହନ ରାଶି ପାଇପାରିବେ ବୋଲି ବିଜେପି କହିଛି ।
ବହୁ ତୁମ୍ଭିତୋଫାନ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ଜୁନ୍ ୧୬ ତାରିଖରୁ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଦେଶ ସହିତ ୪୦ହଜାର ଟଙ୍କା ଦେଇଛନ୍ତି ଏବଂ ଅବଶିଷ୍ଟ ରାଶି ଦୁଇଟି କିସ୍ତିରେ ଗୃହକାର୍ଯ୍ୟର ଅଗ୍ରଗତି ନେଇ ପ୍ରଦାନ କରାଯିବ ନିଷ୍ପତି ନେଇଛନ୍ତି ।
— BJP Odisha (@BJP4Odisha) July 26, 2023
ଯେଉଁ ହିତାଧିକାରୀମାନେ ଜୁନ୍… pic.twitter.com/bDFU936tUY
ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମାଂଚଳ) ଯୋଜନାରେ ଗତ ୨୦୨୩ ଜାନୁୟାରୀ ମାସରେ ଚିହ୍ନଟ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଜାରି କରିବା ନିମନ୍ତେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ଓ ବିଡିଓଙ୍କୁ ଆଜି ଚିଠି ଲେଖି ପଂଚାୟତିରାଜ ବିଭାଗ ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ ନିର୍ଦ୍ଦେଶ ଦେଇଛନ୍ତି । ସତର୍କତାର ସହ ବିଚାରବିମର୍ଶ କରିବା ପରେ ରାଜ୍ୟ ସରକାର ଯୋଗ୍ୟ ପରିବାରକୁ ଏହି ଗୃହ ନିର୍ମାଣ କାର୍ଯ୍ୟାଦେଶ ଦେବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି କାର୍ଯ୍ୟାଦେଶ ଜାରି କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ(ଗ୍ରାମାଂଚଳ) ଗାଇଡଲାଇନ ଅନୁସାରେ ସମ୍ପୃକ୍ତ ହିତାଧିକାରୀ ଯୋଗ୍ୟ ବିବେଚିତ ହେଉଛନ୍ତି କି ନାହିଁ ତାହା ଯାଂଚ କରିବାକୁ କୁହାଯାଇଛି । ଯାହାଫଳରେ କୌଣସି ଅଯୋଗ୍ୟ ହିତାଧିକାରୀ ଏହି ଘର ପାଇବାରେ ସକ୍ଷମ ହେବେ ନାହିଁ । ଯୋଗ୍ୟ ହିତାଧିକାରୀଙ୍କୁ ଅନଲାଇନ୍ ମାଧ୍ୟମରେ ୱାର୍କ ଅର୍ଡର ଯୋଗାଇ ଦିଆଯିବ ।
ହିତାଧିକାରୀଙ୍କ ପଞ୍ଜିକୃତ ସ୍ମାର୍ଟ ମୋବାଇଲ ଫୋନକୁ ଏକ ଲିଙ୍କ୍ ପଠାଯିବ ଯେଉଁଥିରେ ତାଙ୍କର ୱାର୍କ ଅର୍ଡର ମିଳିପାରିବ । ସେହିପରି ହିତାଧିକାରୀ ଚାହିଁଲେ ରାଜ୍ୟ ସରକାରଙ୍କ ଗ୍ର୍ରାମାଂଚଳ ଗୃହନିର୍ମାଣ ପୋର୍ଟାଲକୁ ଯାଇ ନିଜର ପଞ୍ଜିକୃତ ମୋବାଇଲ ନମ୍ବର ଓ ଆଧାର ନମ୍ବର ମାଧ୍ୟମରେ ଏହି ୱାର୍କ ଅର୍ଡରକୁ ଡାଉନଲୋଡ୍ କରିପାରିବେ । ମୋ’ ସେବା କେନ୍ଦ୍ରରେ ମଧ୍ୟ ଏହି ୱାର୍କ ଅର୍ଡରକୁ ହିତାଧିକାରୀ ଡାଉନଲୋଡ୍ କରିବାର ସୁବିଧା ପାଇବେ । ୱାର୍କ ଅର୍ଡର ପାଇବା ପରେ ହିତାଧିକାରୀ କିଭଳି ତ୍ୱରିତ୍ ଘର ନିର୍ମାଣ କାର୍ଯ୍ୟ ଶେଷ କରିବେ ତାହା ସେହି ଗୃହ ନିର୍ମାଣ ଦାୟିତ୍ୱରେ ଥିବା ତୃଣମୂଳସ୍ତରର ଅଧିକାରୀ ସୁନିଶ୍ଚିତ କରାଇବେ । କୌଣସି ଯୋଗ୍ୟ ହିତାଧିକାରୀ ଗୃହ ନିର୍ମାଣ ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ହଇରାଣ ହେବେ ନାହିଁ ଓ ସରକାର ଦୁର୍ନୀତିକୁ ନେଇ ଜିରୋ ଟଲେରାନ୍ସ ନୀତି ଆପଣାଉଥିବାରୁ କୌଣସି ତୃଣମୂଳସ୍ତରର ଅଫିସର ଯେପରି ଏସବୁରେ ଲିପ୍ତ ନହେବେ ସେ ନେଇ ସରକାରୀ ଅଫିସରମାନଙ୍କୁ ସଚେତନ କରାଇବାକୁ କୁହାଯାଇଛି ।
ରାଜ୍ୟ ସରକାର ଗ୍ରାମାଂଚଳ ଗୃହ ନିର୍ମାଣ ପାଇଁ ଯୋଗାଉଥିବା ପ୍ରୋତ୍ସାହନ ରାଶିକୁ ଜାରି ôରଖବେ । ଯେଉଁ ହିତାଧିକାରୀ କାର୍ଯ୍ୟାଦେଶ ପାଇବାର ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ ତାଙ୍କୁ ଅତିରିକ୍ତ ୨୦ହଜାର ଟଙ୍କା ଓ ୬ମାସ ମଧ୍ୟରେ ନିର୍ମାଣ ଶେଷ କଲେ ଅତିରିକ୍ତ ୧୦ହଜାର ଟଙ୍କା ରାଜ୍ୟ ସରକାର ନିଜସ୍ୱ ବଜେଟରୁ ଯୋଗାଇ ଦେବେ । ଏହାସହିତ ଗୃହ ନିର୍ମାଣର ତଦାରଖ ଦାୟିତ୍ୱରେ ଥିବା ଅଫିସରମାନଙ୍କୁ ପୂର୍ବଭଳି ପ୍ରୋତ୍ସାହନ ରାଶି ମିଳିବ ବୋଲି ଶ୍ରୀ ଲୋହାନୀ ସ୍ପଷ୍ଟ କରିଛନ୍ତି । ହିତାଧିକାରୀ ଚୟନ ନିମନ୍ତେ ଉଦ୍ଦିଷ୍ଟ ଗାଇଡଲାଇନକୁ ପୁଣିଥରେ ପଠାଇ ଯୋଗ୍ୟ ହିତାଧିକାରୀ ଚୟନ ଉପରେ ଗୁରୁତ୍ୱ ଦେଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଂଚଳ)ରେ ମୋଟ ୧୩ଲକ୍ଷ ୭୮ହଜାର ୨୪୯ଜଣ ହିତାଧିକାରୀ ଘର ପାଇବା ନିମନ୍ତେ ଆବେଦନ କରିଥିଲେ । ମାତ୍ର ଯାଂଚ ପରେ ସରକାର ୩ଲକ୍ଷ ୨୧ହଜାର ୬୧୦ଜଣଙ୍କ ଅଯୋଗ୍ୟ ଆବେଦନକାରୀଙ୍କୁ ବାଦ୍ ଦେଇଥିଲେ । ପରେ ସେଥିରୁ ୯ଲକ୍ଷ ୫୯ହଜାର ୫୧୮ଜଣଙ୍କୁ ଚିହ୍ନଟ କରି ସେମାନଙ୍କୁ ଘର ନିର୍ମାଣ ପାଇଁ ୱାର୍କ ଅର୍ଡର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମାଂଚଳ)ରେ ମୋଦି ସରକାର ଓଡ଼ିଶାକୁ ୨୬.୫୧ଲକ୍ଷ ଘର ମଞ୍ଜୁର କରିସାରିଥିବାବେଳେ ୧୭.୧୪ଲକ୍ଷ ଗୃହ ନିର୍ମାଣ ଶେଷ ହୋଇସାରିଛି । ପ୍ରାୟ ବର୍ଷେ ପୂର୍ବରୁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ଲକ୍ଷ ୫୯ହଜାର ୫୧୮ଟି ଘର ନିମନ୍ତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବାରେ ରାଜ୍ୟ ସରକାର ଟାଳଟୂଳ ନୀତି ଅବଲମ୍ବନ କରିବା ଓ କାର୍ଯ୍ୟାଦେଶ ବଂଟନରେ ବିଳମ୍ବ କରୁଥିବାରୁୁ କେନ୍ଦ୍ର ସରକାର ୩ଥର ତାଗିଦ୍ ମଧ୍ୟ କରିସାରିଛନ୍ତି । ଏହାସହିତ ଜୁନ୍ ମାସ ସୁଦ୍ଧା ନିଶ୍ଚିତ ଭାବେ ଯୋଗ୍ୟ ହିତାଧିକାରୀଙ୍କୁ ୱାର୍କ ଅର୍ଡର ଦେବାକୁ କଡ଼ା ତାଗିଦ୍ କରିବା ପରେ ରାଜ୍ୟ ସରକାର ଆଜି ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ମାସରେ ଏହି ୱାର୍କ ଅର୍ଡର ରାଜ୍ୟବ୍ୟାପୀ ବଂଟନ କରାଯିବ ବୋଲି ଜଣାପଡ଼ିଛି । ଗତ କିଛିମାସ ଧରି ରାଜ୍ୟ ବିଜେପି ‘ଆବାସ’ଘର କାହିଁକି ବଂଟନ କରାଯାଉନି ବୋଲି କହି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ଆସୁଛି ।
ବିଜେଡି ପକ୍ଷରୁ ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ସୁଲତା ଦେଓ ପ୍ରମୁଖ ରାଜଭବନ ଆଗରେ ଧାରଣା ଦେଇଛନ୍ତି। ସାଂସଦ ସୁଲତା ଦେଓ କହିଛନ୍ତି, କିଛିଦିନ ତଳେ ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ଆବାସ ବନ୍ଦ କରିବାକୁ ନିବେଦନ କରିଥିଲେ। ଗରିବଙ୍କ ହକ୍ ମାରୁଥିବାରୁ ଏହା ପ୍ରତିବାଦରେ ଧାରଣା ଦିଆଯାଉଛି। ୧୫ ଲକ୍ଷ ଘର ଆମ ହକ୍, ବିଜେପି ଏହି ହକ୍ ମାରିଛି। ଏହି ହକ୍ ଦିଆଯାଉ।
ସେପଟେ ଦଳୀୟ କାର୍ଯ୍ୟାଳୟ ଠାରେ ପ୍ରାସ୍ ମିଟ୍ କରି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ରାଜ୍ୟରେ ଭୁଶୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି। ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି। କିନ୍ତୁ ଓଡ଼ିଶା ସରକାରଙ୍କ ଅପରାଗତା ଯୋଗୁଁ ଏଯାଏଁ ରାଜ୍ୟର ବହୁ ଗରିବଙ୍କ ମୁଣ୍ଡ ଉପରେ ଛାତ ନାହିଁ। ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଏହାର କାରଣ ହୋଇଛି।
ଅନ୍ୟପଟେ ଆଜି ବିଧାନସଭାରେ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଜଣାଇଛନ୍ତି ଯେ, ୨୦୧୯-୨୦ରୁ ୨୦୨୨-୨୩ ଭିତରେ କେନ୍ଦ୍ର ସରକାର ପ୍ରର୍ଯ୍ୟାୟ କ୍ରମେ ୧୮ ଲକ୍ଷ ୪୫ ହଜାର ୨୮୪ଟି ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି।
ଯେତେବେଳେ କି ୨୦୧୬-୧୭ ରୁ ୨୦୨୦-୨୧ ମଧ୍ୟରେ କେନ୍ଦ୍ରରୁ ଓଡିଶାକୁ ମିଳିଛି ୧୮ ଲକ୍ଷ ୭୮ ହଜାର ୩୨୪ ପକ୍କା ଘର(ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ)। ସେଥି ମଧ୍ୟରୁ ୧୭ ଲକ୍ଷ ୧୦ ହଜାର ୨୧୮ ପକ୍କା ଘରର ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିଛି। ବାକି ୧ ଲକ୍ଷ ୬୮ ହଜାର ୧୦୬ ଘର ଏ ପର୍ଯ୍ୟନ୍ତ ନିର୍ମାଣ ସରିନାହିଁ।
୨୦୨୧-୨୨ ରୁ ୨୦୨୨-୨୩ ମଧ୍ୟରେ କେନ୍ଦ୍ରରୁ ମିଳିଥିବା ପକ୍କା ଘରର ସମ୍ଭାବ୍ୟ ହିତାଧିକାରୀ ତାଲିକାରୁ ଚୂଡାନ୍ତି କରଣ ପ୍ରକ୍ରିୟା ଜାରି ରହିଛି ବୋଲି ଉତ୍ତରରୁ ଜଣାପଡ଼ିଛି।
ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ ଜଣାଇଛନ୍ତି ଯେ, ଗତ ୨୨ ବର୍ଷ ଭିତରେ ରାଜ୍ୟର ୪୪ ଲକ୍ଷ ୯୯ ହଜାର ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି।
ଉକ୍ତ ଗ୍ରାମସଭାରେ ସତ୍ୟବାଦୀ ବର୍ତ୍ତମାନର ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିକ୍ରମ ଜେନାଙ୍କ ସମେତ ପ୍ରଶାସନିକ ଅଧିକାରୀ ଓ ବହୁ ସଂଖ୍ୟାରେ ସାଧାରଣ ଲୋକେ ଉପସ୍ଥିତ ଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍କାମ ହେଉଥିବା କିଛି ଲୋକ ଅଭିଯୋଗ କରିଥିଲେ। ଏହାକୁ ନେଇ ହଠାତ କଥା କଟା କାଟି ଯୁକ୍ତିତର୍କ ହେବା ଆରମ୍ଭ ହେଲା ଓ ପରେ ତାହା ଉଗ୍ର ରୂପ ନେଲା ।
ଉପଯୁକ୍ତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଉଛନ୍ତି । ଏପରିକି ଏହି ତ୍ରୁଟିରେ ସୁଧାର ଆଣିଲେ ବି ପ୍ରଶାସନିକ ଅଧିକାରୀ ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ।
ପୁଞ୍ଜୀଭୂତ ଅସନ୍ତୋଷକୁ ନେଇ ଲୋକେ ତାତିଲେ ଓ ଗୋଡ଼ାଇ ଗୋଡ଼ାଇ ନେତାଙ୍କୁ ପିଟିଲେ । ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ବିଜେଡି ନେତା ବିକ୍ରମ ଜେନା ଗୁରୁତର ହୋଇ ପଡ଼ିଥିଲେ। ଖବର ପାଇ ସତ୍ୟବାଦୀ ପୁଲିସ୍ ପହଞ୍ଚିଥିଲା। ମାତ୍ର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍କୁ ନାକେଦମ ହେବାକୁ ପଡ଼ିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ପୁଲିସ୍ ବିକ୍ରମ ଜେନାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲ ଓ ପରେ ପୁରୀ ସ୍ଥାନାନ୍ତର କରାଯାଇଛି।
ବିକ୍ରମ ଜେନାଙ୍କ ଅଭିଯୋଗ ଆଧାରରେ ସତ୍ୟବାଦୀ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ୍ କାହାକୁ ଗିରଫ କରିନି।
ପିଠାହତା ପଞ୍ଚାୟତ ଦରଖୋଳି ଗାଁର କୁଶ ନାୟକ। ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଘର ଡିହ ଖଣ୍ଡକୁ ଛାଡ଼ିଦେଲେ ଜମିବାଡ଼ି କିଛି ନାହିଁ। ଝାଟିମାଟିର କୁଡ଼ିଆରେ ଛୋଟ ପରିବାରକୁ ନେଇ ରହୁଥିଲେ କୁଶ। କାମଦାମ କରି ପରିବାର ଚଳାନ୍ତି। ନିଜର ସ୍ୱଳ୍ପ ରୋଜଗାରରେ ଦୁଃଖେ କଷ୍ଟେ ବଡ଼ ଝିଅକୁ ବାହା କରାଇଦେଲେ। ସାନ ଝିଅ ସତ୍ୟଭାମା ଘରେ ରହୁଥିଲେ। ମଝିରେ ମଝିରେ ସେ ମଧ୍ୟ କାମ କରିବାକୁ ଯାଉଥିଲା।
ସତ୍ୟଭାମା କାମରୁ ଆସିଲେ ମାଆ ସବୁ କଥା ବୁଝୁଥିଲେ। ରାନ୍ଧି ରଖିଥିବା ଭାତ ଓ ତରକାରୀ ଖାଇବାକୁ ଦେଉଥିଲା। ହେଲେ ସତ୍ୟଭାମାଙ୍କ କ୍ଷଣିକ ଶୁଖ ଦେଖିପାରିଲା ନାହିଁ ଦୈବ। ଆଗ ପଛ କରି ବାପା ଓ ମାଆଙ୍କୁ ନେଇଗଲା। ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ଉଠିଯିବା ପରେ ବଡ଼ ଭଉଣୀଙ୍କ ଆଶ୍ରାରେ ଜୀବନ ବିତାଇବେ ବୋଲି ଭାବିଥିଲେ ସତ୍ୟଭାମା। ହେଲେ ସେ ମଧ୍ୟ ଧରାଛୁଆଁ ଦେଲେ ନାହିଁ। ସେ ବା କ’ଣ କରିବ? ତାଙ୍କର ମଧ୍ୟ ତେଲ ଓ ଲୁଣର ଦୁଃଖି ସଂସାରଟିଏ ରହିଛି। ଯିଏ ନିଜ ପରିବାର ପେଟକୁ ଦାନା ମୁଠାଏ ଦେଇପାରୁନି, ସେ ସାନ ଭଉଣୀକୁ କିପରି ପୋଷିବ?
ବଡ଼ ଭଉଣୀର ଅଭାବ ଦେଖି ସାନ ଭଉଣୀ ସତ୍ୟଭାମା ତା’ ଘରକୁ ଗଲା ନାହିଁ। ବାପା-ମାଆଙ୍କ ଶେଷ ସନ୍ତକ ଭଙ୍ଗା ମାଟି କୁଡ଼ିଆରେ ଜୀବନ କାଟିଲେ। ଆ’ ଘରୁ ତା’ ଘରୁ ମାଗି ଯାଚି ଚଳି ଯାଉଥିଲେ। ହେଲେ ଦଇବକୁ ସେହି ମାଟି କୁଡିଆଟି ମଧ୍ୟ ମାଟିରେ ମିଶିଗଲା। ତାହାହେଲେ ସତ୍ୟଭାମା ରହିବେ କେଉଁଠି? ତାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ସତ୍ୟଭାମା। ଶେଷରେ କିଛି ଉପାୟ ନପାଇ ବାପା ବଞ୍ଚିଥିବା ବେଳେ ତିଆରି କରିଥିବା (ସ୍ୱଚ୍ଛ ଭାରତ ମିଶନ୍) ପାଇଖାନାକୁ କଲେ ନିଜ ଠିକଣା।
ବାସ୍ ଏବେ ସେହି ଠିକଣାରେ ବଞ୍ଚୁଛନ୍ତି ସତ୍ୟଭାମା। ପଦାରେ ଶୌଚ କରୁଛନ୍ତି ଓ ଶୌଚାଳୟକୁ ବିଶ୍ରାମାଗାର କରିଛନ୍ତି। ବାହାରେ ରୋଷେଇ କରି ପାଇଖାନା ଭିତରେ ଖାଉଛନ୍ତି ଓ ଶୋଉଛନ୍ତି। ସତ୍ୟଭାମାଙ୍କ ପାଇଖାନା ଘରଟି ଶେରଗଡ଼-ଝରଣାଘାଟି ରାଜ୍ୟ ରାଜପଥ ପାର୍ଶ୍ୱରେ ରହିଛି। ତେଣୁ ରାତି ହେଲେ ସତ୍ୟଭାମା ନିଜକୁ ଅସୁରକ୍ଷିତ ମଣି ପାଇଖାନା ଘର ଛାଡ଼ି ସାହି ପଡ଼ିଶାଙ୍କ ପିଣ୍ଡାକୁ ଚାଲି ଯାଉଛନ୍ତି। ସେଠାରେ ରାତି କାଟୁଛନ୍ତି। ପୁଣି ସକାଳ ହେଲେ ଫେରି ଆସନ୍ତି ନିଜ ଶୌଚାଳୟ ଘରକୁ। ସେଠାରେ ପୂରା ଦିନ କାଟନ୍ତି।
ସତ୍ୟଭାମାଙ୍କ ଏ ଦୁଃଖ ଦେଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ପୂର୍ବତନ ସରପଞ୍ଚ ଓ ୱାର୍ଡ ମେମ୍ୱର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ୨ରୁ ୩ ଥରେ ଆବେଦନ ମଧ୍ୟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁ ତାଲିକାରୁ କାଟି ଦିଆଯାଉଛି। କ’ଣ ପାଇଁ ସତ୍ୟଭାମାଙ୍କ ନାଁ କାଟି ଦିଆଯାଉଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।
ସତ୍ୟଭାମାଙ୍କ ଏ ଯନ୍ତ୍ରଣା ସମ୍ପର୍କରେ ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳଙ୍କୁ ଅବଗତ କରାଯାଇଥିଲା। ସେ ଘଟଣାକୁ ଗୁରୁତର ସହ ନେଇ ୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରୟାସ କରିବେ ବୋଲି ପ୍ରତୁଶ୍ରୁତି ଦେଇଛନ୍ତି।
ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ
ବିପଦସଙ୍କୁଳ ଘରେ ବାସବାସ କରୁଥିବା ଗ୍ରାମବାସୀ ପଲାସ କହିଛନ୍ତି, ବାରମ୍ବାର ଅଭିଯୋଗ ସତ୍ତ୍ୱେ ସରକାର ପକ୍କାଘର ଗୋଟିଏ ଯୋଗାଇ ଦେଉନାହାନ୍ତି। ତେଣୁ ଭଙ୍ଗା ଦଦରା ଘରେ ପୁଅ, ବୋହୂ, ନାତି, ନାତୁଣୀ ସହିତ ୭ ପ୍ରାଣୀ ରହିବାକୁ ପଡ଼ୁଛି। ଆବାସ ଯୋଜନା ପାଇଁ ସେ ସଂପୂର୍ଣ୍ଣ ଯୋଗ୍ୟ ହୋଇଥିଲେ ବି ତାଙ୍କୁ ଏହାର ସୁଫଳ ମିଳୁନାହିଁ। କାରଣ ଗତ ୨୦୧୭ ମସିହାରୁ ଆବାସ ଯୋଜନାରେ କାହାରି ନାଁକୁ ସରକାରୀ ଅଧିକାରୀମାନେ ସାମିଲ କରୁନାହାନ୍ତି। ଗତ ୭ ବର୍ଷ ହେବ ଏ ବାବଦରେ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲେ ବି କିଛି ଫଳ ମିଳୁନି। ତେଣୁ ଭଙ୍ଗା ଘରେ ଦିନବେଳେ ସୂର୍ଯ୍ୟ ଓ ରାତିରେ ତାରା ଦେଖାଯାଉଛି। ମାଟି କାନ୍ଥଗୁଡ଼ିକ ଦୋହଲା ମାରୁଛି। କେତେବେଳେ କିଛି ବି ଅଘଟଣ ଘଟିପାରେ। ମୂଲମଜୁରୀ କରି ପରିବାର ଚଳୁଥିବାରୁ ପକ୍କା ଘର ତୋଳିବା ନିମନ୍ତେ ଲକ୍ଷାଧିକ ଟଙ୍କା ଏକାଠି କରି ହେଉନାହିଁ।
ଏହି ଗାଁରେ ପଲାସଙ୍କ ସମେତ ଶତାଧିକ ପରିବାରର ମଧ୍ୟ ସମାନ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି।
ସାନକେନ୍ଦୁଗୁଡା ବାସିନ୍ଦା ନିଳେଦ୍ରୀ ନାଗ ଓ ରାଏଧର ଗୋପାଳ କହିଛନ୍ତି, ପକ୍କାଘର ଖଣ୍ଡିଏ ଯୋଗାଇ ଦେବାକୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ବହୁବାର ଅଭିଯୋଗ ଦାଖଲ ହୋଇଛି। ହେଲେ ସେମାନଙ୍କ ଅଭିଯୋଗକୁ କେହି ଦୃଷ୍ଟି ଦେଉନାହାନ୍ତି। ସରକାର ପକ୍କାଘର ଯୋଗାଇ ଦେଲେ ସେମାନେ ଖରା, ବର୍ଷା, ଶୀତ ଦିନେ ସୁରକ୍ଷିତ ଭାବେ ମୁଣ୍ଡ ଗୁଞ୍ଜି ପାରନ୍ତେ।
ସେପଟେ ଏବେ ପଞ୍ଚାୟତ ଅଫିସ କାନ୍ଥରେ ସାମ୍ଭାବ୍ୟ ନୂଆ ହିତାଧିକାରୀ ତାଲିକା ମରାଯାଇଛି। ଏଥିରେ ୧୫୯ ଜଣ ହିତାଧିକାରୀଙ୍କ ନାଁ ରହିଛି। ତାଲିକାରେ ଏହି ପଂଚାୟତର ସାଗବାହାଲି ଓ ତେଣ୍ଡାପାଲି ଗାଁର ଅନେକ ଲୋକଙ୍କ ନାଁ ରହିଛି। ହେଲେ ସାନକେନ୍ଦୁଗୁଡା ଗାଁର କୌଣସି ଯୋଗ୍ୟ ହିତାଧିକାରୀ ନାମ ନାହିଁ।
ଏଠାରେ ପ୍ରଶ୍ନ ଉଠୁଛି ଗତ ୨୦୧୧ ସର୍ଭେ ଅନୁଯାୟୀ ଏସ୍ସିସିସି ତାଲିକ ପ୍ରସ୍ତୁତ କରାଯାଇଥିଲା। ପରେ ୨୦୧୭ରେ ଛାଡି ହୋଇଯାଇଥିବା ଯୋଗ୍ୟ ହିତାଧିକାରୀମାନଙ୍କ ନାଁକୁ ତାଲିକାରେ ଯୋଡିବା ପାଇଁ ସରକାର ବ୍ୟବସ୍ଥା କଲେ। ଏହା ସତ୍ତ୍ୱେ ଏସସିସିସି ତାଲିକାରୁ କଚ୍ଚା ଘରେ ରହୁଥିବା ସାନକେନ୍ଦୁଗୁଡ଼ାବାସୀ ଯୋଗ୍ୟ ହିତାଧିକାରୀଙ୍କ ନାମ ଗାୟବ ହେବା ସରକାରୀ ଅଧିକାରୀଙ୍କ ଚଞ୍ଚକତାକୁ ପଦାରେ ପକାଇଛି।
ତେଣ୍ଡାପାଲି ସରପଞ୍ଚ ବୈଲୋଚନ ଗୋପାଳ କହିଛନ୍ତି, ୨୦୧୭ରୁ ଏହି ଗାଁରେ କେହିବି ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପାଇନାହାନ୍ତି। ୨୦୨୨ ମାର୍ଚ୍ଚରେ ସରପଞ୍ଚ ଦାୟିତ୍ୱ ନେବା ପରେ ସରକାରୀ କାଜଗପତ୍ର ଯାଞ୍ଚ କରିବା ବେଳେ ଏହି ଗାଁର କୌଣସି ସାମ୍ଭାବ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନଥିବା ଦେଖିବାକୁ ପାଇଥିଲି। ପରେ ଗ୍ରାମବାସୀମାନଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସେମାନେ ବିଡିଓଙ୍କୁ ଯାଇ ଅଭିଯୋଗ କରିଥିଲେ। ବିଡିଓ କିଛି କରିପାରିବେନି ବୋଲି ଗ୍ରାମବାସୀଙ୍କୁ କହିଥିଲେ। ବିଭାଗୀୟ ୱେବ୍ସାଇଟ୍ ଖୋଲିବା ପରେ ଯାହା ହେବ ବୋଲି ଆଶ୍ୱାସନା ଦେଇଥିଲେ। ପରେ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଏ ବାବଦରେ ଜଣାଇଥିଲେ। ଜିଲ୍ଲାପାଳ ଏ ବାବଦରେ କିଛି ପାରିବେନି ବୋଲି କହିବା ସହ ସରକାରଙ୍କୁ ଜଣାଇବେ ବୋଲି ଆଶ୍ୱାସନା ଦେଇଥିଲେ। ଏହି ଗାଁରେ ଶତାଧିକ ଗରିବ ଲୋକ ବିପଦସଙ୍କୁଳ କଚ୍ଚା ଘରେ ବସବାସ କରୁଥିବା ବେଳେ ସେମାନଙ୍କୁ ପକ୍କାଘର ଯୋଜନାର ସୁଫଳ ନ ମିଳିବା ଖୁବ୍ ଦୁଃଖର ବିଷୟ। ସେମାନେ ମୂଲ ମଜୁରୀ କରି ଚଳୁଥିବାରୁ ପକ୍କାଘର ତୋଳିବାରେ ଅସମର୍ଥ। ଘର ମିଳିବ କି ନାହିଁ ବୋଲି ସେମାନେ ସରପଞ୍ଚ ପାଖକୁ ବାରମ୍ବାର ଦୌଡ଼ି ଆସୁଛନ୍ତି। ମାତ୍ର ତାଙ୍କର ଦୁଃଖ ଦୂର କରି ନ ପାରିବାରୁ ମୋତେ କାନ୍ଦ ଲାଗୁଛି ବୋଲି ବୈଲୋଚନ କହିଛନ୍ତି।
ଧର୍ମଗଡ ବିଡିଓ ଶରତ ସେଠୀ କହିଛନ୍ତି, ସାମ୍ଭାବ୍ୟ ତାଲିକାରେ ଏହି ଗାଁର ଜଣେ ପରିବାରର ନାଁ ଥିବା ମୋତେ ଖବର ମିଳିଛି। ବାକି ଆଶାୟୀ ହିତାଧିକାରୀଙ୍କ ନାଁ ନ ଥିବା ଅଭିଯୋଗ ମିଳିଛି। ତେବେ ଏବେ ନୂଆ ହିତାଧିକାରୀଙ୍କୁ ଚିହ୍ନଟ କରି ପକ୍କାଘର ଦେବାକୁ ସରକାରୀ କୌଣସି ନିର୍ଦ୍ଦେଶ ଆସିନି। ଆଗକୁ ନିର୍ଦ୍ଦେଶ ଆସିଲେ ଅଭିଯୋଗର ଯାଞ୍ଚ କରାଯାଇ ହିତାଧିକାରୀଙ୍କୁ ପକ୍କାଘର ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ।
ତେବେ ଦେଶର ସବୁ କଚା ଘରକୁ ପକ୍କା କରିବା ଲକ୍ଷ୍ୟରେ ସମଗ୍ର ଭାରତବର୍ଷରେ ଯୋର ସୋରରେ ଚାଲିଛି ଆବାସ ଯୋଜନା। ହେଲେ ସରକାରୀକଳର ଦାୟିତ୍ୱହୀନତା ଓ କୁତ୍ସିତ ରାଜନୀତି ଯୋଗୁ ଅନେକ ଅଯୋଗ୍ୟହିତାଧିକାରୀ ଯୋଜନା ହାତେଇ ନେଉଛନ୍ତି। ମାତ୍ର ଗରିବ ତଥା ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ମିଳୁନି। ପକ୍କା ଘର ଯୋଜନାର ସୁବିଧା ଦେବାକୁ ବ୍ଲକ ଓ ଜିଲ୍ଲାସ୍ତରୀୟ ଅଫିସ୍ରଙ୍କ ପାଖରେ ବାରମ୍ବାର ଗୁହାରି କରୁଥିଲେ ହେଁ ସେମାନଙ୍କ କଥା ଶୁଣାଯାଉନାହିଁ। ଯାହାକୁ ନେଇ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଆବାସ ଯୋଜନାର ହିତାଧିକାରୀମାନଙ୍କ ଅନ୍ତରୀଣ ତାଲିକାରେ ହୋଇଥିବା ତୃଟୀକୁ ସୁଧାରିବା ନାଁରେ ରାଜ୍ୟ ସରକାର ଇତିମଧ୍ୟରେ ଅଭିଯୋଗ ଦାଖଲର ବ୍ୟବସ୍ଥା କରିଛନ୍ତି। ଗତ ଜାନୁୟାରୀ ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଦାଖଲ ପ୍ରକ୍ରୀୟାର ଅନ୍ତିମ ଦିବସଟି ଜାନୁୟାରୀ ୨୪ ତାରିଖ ଥିଲା। ଏହି ଅବଧି ସମୟରେ ରାଜ୍ୟର ଅନେକ ସ୍ଥାନରେ ହଜାର ହଜାର ସଂଖ୍ୟାରେ ଅଭିଯୋଗ ମଧ୍ୟ ଦାଖଲ ହୋଇଛି। ତେବେ ଏହି ଅଭିଯୋଗ ଦାଖଲର ଯେଉଁ ପ୍ରକ୍ରୀୟାଟି ସରକାର ଆପଣେଇଛନ୍ତି ତାହା ଏକଦମ୍ ତୃଟୀପୂର୍ଣ୍ଣ ଥିଲା। ଅଭିଯୋଗକାରୀ ନିଜର ନାଁ, ଠିକଣା ଓ ଫୋନ ନମ୍ବର ସହ ଏକ ଫର୍ମରେ ପୂରଣ କରି ସମ୍ପୃକ୍ତ ପଞ୍ଚାୟତରେ ଅଭିଯୋଗକୁ ଦାଖଲ କରିବାକୁ କୁହାଯାଇଥିଲା। ଏଭଳି ଖୋଲାଖୋଲି ଭାବେ ନିଜର ପରିଚୟ ଦେଇ ଅଭିଯୋଗ ଦାଖଲ କରିବାର ପ୍ରକ୍ରୀୟାଟି ସହଜ ନୁହେଁ। କାରଣ ଆବାସ ଯୋଜନାରେ ହିତାଧିକାରୀ ତାଲିକାରେ ଭୁଲକ୍ରମେ ସ୍ଥାନ ପାଇଥିବା ନିଜ ଗାଁ ବା ସାହିର ବ୍ୟକ୍ତିଟି ବିରୁଦ୍ଧରେ ଏପରି ଖୋଲାଖୋଲି ଭାବେ ଅଭିଯୋଗ କରିବା ସହଜ ନୁହେଁ। ଯଦି ସରକାର ନିଜର ଚୟନ ପ୍ରକ୍ରୀୟାରେ ହୋଇଥିବା ତୃଟୀକୁ ସଜାଡ଼ିବାକୁ ସତରେ ଗମ୍ଭୀର ଅଟନ୍ତି, ତାହେଲେ ଅଭିଯୋଗକାରୀ ନିଜର ପରିଚୟକୁ ଗୁପ୍ତ ରଖି ଅଭିଯୋଗ ଦାଖଲ କରିବାକୁ କହିଥାନ୍ତେ। କିନ୍ତୁ ସରକାର ସେପରି ନକରି ନିଜ ଦ୍ୱାରା ପ୍ରସ୍ତୁତ ତାଲିକାଟିକୁ ବସ୍ତୁତଃ ସୁରକ୍ଷିତ ରଖିବାକୁ ଯେ ଚାହିୁଁଛନ୍ତି, ତାହା ସ୍ପଷ୍ଟ ମନେହେଉଛି।
ବର୍ତ୍ତମାନ ସରକାର ଆବାସ ଯୋଜନାରେ ରାଜ୍ୟର ପାହାଡ଼ିଆ ଅଂଚଳର ଲୋକଙ୍କୁ ୧.୩୦ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ଅନ୍ୟ ଅଂଚଳର ବାସିନ୍ଦାଙ୍କୁ ମୋଟ ୧.୨ ଲକ୍ଷ ଟଙ୍କା ଦେଉଛନ୍ତି। କାର୍ଯ୍ୟାଦେଶ ମିଳିବାର ଚାରି ମାସ ଓ ଛଅ ମାସ ମଧ୍ୟରେ ଯଦି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଯାଏ ତାହେଲେ ଅତିରିକ୍ତ ୨୦ ହଜାର ଟଙ୍କା ଓ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ଏହାବାଦ ସ୍ୱଚ୍ଛ ଭାରତ ମିଶନ୍ ଅର୍ନ୍ତଗତ ପାଇଖାନା ନିର୍ମାଣ ପାଇଁ ହିତାଧିକାରୀଙ୍କୁ ଅତିରିକ୍ତ ୧୨ ହଜାର ଟଙ୍କା ସହିତ ମନରେଗା ଯୋଜନାରେ ଯଥାକ୍ରମେ ୯୦ ଦିନ (ସମତଳ ଅଂଚଳ) ଓ ୯୫ ଦିନ (ପାର୍ବତୀୟ ଅଂଚଳ)ର ମଜୁରୀ ଦେବାର ବ୍ୟବସ୍ଥା ରହିଛି। ଅତଏବ କାର୍ଯ୍ୟାଦେଶ ପାଇବାର ଚାରି ମାସ ମଧ୍ୟରେ ଯଦି ସମ୍ପୃକ୍ତ ହିତାଧିକାରୀ ଘର ନିର୍ମାଣ ଶେଷ କରି ଦିଅନ୍ତି ତାହେଲେ ତାଙ୍କୁ ଯଥାକ୍ରମେ ୧.୭୨ ଲକ୍ଷ (ସମତଳ ଅଂଚଳ) ଓ ୧.୮୨ ଲକ୍ଷ (ପାର୍ବତୀୟ ଅଂଚଳ)ର ବ୍ୟବସ୍ଥା ରହିଛି। ଏଭଳି ପରିସ୍ଥିତିରେ ଆବାସ ଯୋଜନାର ହିତାଧିକାରୀ ହେବାକୁ ସାଧାରଣ ଲୋକଙ୍କ ମଧ୍ୟରେ ଆଗ୍ରହ ରହିବା ସ୍ୱାଭାବିକ।
ଆବାସ ଯୋଜନାର ହିତାଧିକାରୀ ଚିହ୍ନଟ ପାଇଁ କେନ୍ଦ୍ର ସରକାର ଯେଉଁ ସର୍ତ୍ତ ରଖିଛନ୍ତି, ତାହା ଅତାର୍କିକ ମନେହୁଏ। କେନ୍ଦ୍ରର ଏହି ସର୍ତ୍ତକୁ ରାଜ୍ୟ ସରକାର ବି ବିନା ଦ୍ୱିଧାରେ ଗ୍ରହଣ କରିଥିବା ଜଣାପଡ଼ିଛି। ଅସଲ କଥାଟି ହେଉଛି କେନ୍ଦ୍ର ସରକାରଙ୍କ ହିତିାଧିକାରୀ ଚୟନ ପାଇଁ ଯେଉଁସବୁ ସର୍ତ୍ତ ରଖିଛନ୍ତି, ତାହା କଦାପି ସମାବେଶୀ ନୁହେଁ । ଏହାର ଅର୍ଥ ହେଲା, ସରକାରଙ୍କ ଉଦ୍ଦେଶ୍ୟଟି ଏହି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ନୁହେଁ। ବରଂ ଅଧିକରୁ ଅଧିକ ଲୋକଙ୍କୁ କିପରି ବାଦ ଦିଆଯିବ, ସେଥିପାଇଁ ଉଦ୍ଦିଷ୍ଟ। ସେହି କାରଣରୁ ହିଁ ହିତାଧିକାରୀ ତାଲିକାରେ ଅଧିକ ଲୋକ ଯେପରି ସାମିଲ ହୋଇ ପାରିବେନି ସେଥିପାଇଁ ଅନେକ ଗୁଡ଼ିଏ ଅନାବଶ୍ୟକ ସର୍ତ୍ତ ରଖାଯାଇଛି। ଉଦାହରଣ ସ୍ୱରୂପ ଜଣେ ବ୍ୟକ୍ତିର ଚାଳଘର କିମ୍ବା ପଲିଥିନ ଘେରା କୁଡ଼ିଆ ଥିଲେ ବି ଯଦି ତା’ର ବାଇକ୍/ସ୍କୁଟି କିମ୍ବା ମାଛଧରା ଡଙ୍ଗାଟିଏ ରହିଛି ତାହେଲେ ସେ ହିତାଧିକାରୀ ପାଇଁ ଯୋଗ୍ୟ ନୁହେଁ। ଆଜିକାଲି ମାତ୍ର ୧୦/୧୫ ହଜାରରେ ପୁରୁଣା ବାଇକ୍ ବଜାରରେ ଉପଲବ୍ଧ ହେଉଛି, ଯାହାକୁ ଅନେକ ଲୋକ ରଖିବା ଏକ ସାଧାରଣ କଥା ହୋଇଯାଇଛି। କିନ୍ତୁ ସର୍ତ୍ତ ଅନୁସାରେ ଦଶ ବାର ହଜାର ଟଙ୍କାର ବାଇକ୍ ବା ସ୍କୁଟି ରଖିଥିବା ଗରିବ ଲୋକଟିର ଚାଳଘର ଥିବା ସତ୍ତ୍ୱେ ସେ ଆବାସ ଯୋଜନାରେ ଘର ପାଇବ ନାହିଁ। ସେହିପରି ସରକାର ଏବେ ମହିଳା ସଶକ୍ତିକରଣ ନାଁରେ ରାଜ୍ୟରେ ମହିଳାମାନଙ୍କୁ ଉଦ୍ୟୋଗୀ କରିବାକୁ ଆହ୍ୱାନ ଦେଉଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବିନା ସୁଧରେ ଋଣ ଉପଲବ୍ଧ କରାଉଛନ୍ତି। ଅଥଚ ଯଦି ଜଣେ ମହିଳା ନିଜର ବ୍ୟବସାୟକୁ ବଢ଼ାଇବାକୁ ବ୍ୟାଙ୍କ୍ ଋଣ ଜରିଆରେ ଯଦି ସ୍କୁଟିଟିଏ କିଣିଥାଏ, ତାହେଲେ ସେ ଘର ପାଇବାରୁ ବଂଚିତ ହେବ। ସେହିପରି ଘରେ ଟିଭି କିମ୍ବା ୱାସିଙ୍ଗ୍ ମେସିନ୍ ଥିଲେ ସେ ଯୋଗ୍ୟ ହେଉଥିବା ବେଳେ ଫ୍ରିଜ୍ ଥିଲେ ସେ ପାଇବାକୁ ଅଯୋଗ୍ୟ। ସେହିପରି ଜଣେ ବ୍ୟକ୍ତି ମାସିକ ଦଶ ହଜାର ଟଙ୍କା ରୋଜଗାର କରୁଥିଲେ ବି ସେ ପାଇବାକୁ ଅଯୋଗ୍ୟ। ଏଠାରେ ପ୍ରଶ୍ନ ଉଠେ ଯେ ଆଜିର ଦିନରେ ମାସିକ ଦଶ ହଜାର ଟଙ୍କା ରୋଜଗାର କରି ନିଜର ପରିବାର ଚଳାଉଥିବା ବ୍ୟକ୍ତିଟି ତା’ର ସେତିକି ଦରମାରେ ଜୀବନ କାଳ ମଧ୍ୟରେ ବି କ’ଣ ନିଜ ଖର୍ଚ୍ଚରେ ଘରଟିଏ ନିର୍ମାଣ କରିପାରିବ?
ତେବେ ଅଧିକରୁ ଅଧିକ ଲୋକଙ୍କୁ ଅଯୋଗ୍ୟ ଘୋଷଣା କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଘରରୁ ବଂଚିତ କରିବାକୁ ଯେଉଁ ଅବାଂଛିତ ସର୍ତ୍ତ ରଖୁଛନ୍ତି, ତାହା ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମର ପରିପନ୍ଥୀ। କାରଣ କେନ୍ଦ୍ର ସରକାର ୨୦୧୫ ମସିହାରେ ବଜେଟ୍ ଉପସ୍ଥାପନ କଲାବେଳେ ପ୍ରଥମେ ୨୦୨୨ ସୁଦ୍ଧା କାହାରିକୁ ଗୃହହୀନ ନରଖିବାକୁ ତଥା ସମସ୍ତଙ୍କୁ ପକ୍କା ଘର ଦେବାକୁ ଘୋଷଣା କରିଥିଲେ। ଏପରିକି ଖୋଦ୍ ପ୍ରଧାନମନ୍ତ୍ରୀ ମଧ୍ୟ ବିଭିନ୍ନ ସ୍ଥାନରେ ନିଜର ବକ୍ତବ୍ୟ ଦେଇ ୨୦୨୨ ସୁଦ୍ଧା ସମସ୍ତଙ୍କୁ ନାଳ, ଜଳ, ବିଦ୍ୟୁତ୍ ଓ ପାଇଖାନା ଆଦି ସମସ୍ତ ମୌଳିକ ସୁବିଧା ଥିବା ପକ୍କାଘର ଯୋଗାଇ ଦେବାର ଘୋଷଣାକୁ ଦୋହରାଇବା ଦେଖାଯାଇଥିଲା। ଅବଶ୍ୟ ପରେ ତାର ମିଆଦକୁ ସରକାର ୨୦୨୨ରୁ ୨୦୨୪କୁ ବୃଦ୍ଧି କରିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ, ଯଦି ସରକାର ସତରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଗୃହହୀନ ଲୋକଙ୍କୁ ଗୃହ ଯୋଗାଇବାକୁ ଚାହୁଁଛନ୍ତି, ତାହେଲେ ହିତାଧିକାରୀ ଚୟନରେ ଏପରି କଠୋର ମାପକାଠି କରି ଅଧିକ ହିତାଧିକାରୀଙ୍କୁ ବାଦ ଦେବାକୁ ଉଦ୍ୟମ କରୁଛନ୍ତି କାହିଁକି? ଅସଲ କଥାଟି ହେଉଛି, କେନ୍ଦ୍ର ସରକାର ସମସ୍ତଙ୍କୁ ଗୃହ ଦେବାକୁ ଚାହୁଁ ନାହାଁନ୍ତି। ଯେମିତି ଦାରିଦ୍ର୍ୟ ରେଖାକୁ ଉପରକୁ ନେଇ ଅଧିକ ଲୋକଙ୍କୁ ଗରିବ ନୁହଁନ୍ତି ବୋଲି କୁହାଯାଇଥାଏ, ସେହିପରି ଆବାସ ଯୋଜନାରେ ମଧ୍ୟ ହିତାଧକାରୀ ଚୟନର ମାପକାଠିକୁ ଅଧିକ କଠୋର ଓ କଡ଼ା କରି ସରକାର ଅଧିକ ଲୋକଙ୍କୁ ଗୃହହୀନ ନୁହଁନ୍ତି ବୋଲି କହିବାକୁ ଚାହାଁନ୍ତି। ଏହାଦ୍ୱାରା ସରକାର ସବୁଲୋକଙ୍କୁ ଘର ଯୋଗାଇବାର ବାହାବା ନେବା ସହ ଏ ବାବଦରେ ଖଚ୍ଚଚୁ ବି କମାଇ ପାରିବେ।
ଏହା ନିଃସନ୍ଦେହ ଯେ ଆଜି ରାଜ୍ୟରେ ଆବାସ ଯୋଜନାକୁ ନେଇ ଚାଲିଥିବା ବିବାଦ ପଛରେ ରହିଛି, ୨୦୨୪ର ନିର୍ବାଚନ। ବର୍ତ୍ତମାନ ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ଦଳ ବିଶେଷ କରି ରାଜ୍ୟରେ ଶାସକ ବିଜେଡ଼ି ଓ ମୁଖ୍ୟ ବିରୋଧି ଦଳ ବିଜେପି ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇସାରିଛି। ଯେହେତୁ ନିର୍ବାଚନ ପୂର୍ବରୁ ସାଧାରଣ ଭୋଟରଙ୍କୁ ଆକୃଷ୍ଟ କଲା ଭଳି ଚଳିତ ବର୍ଷର ଆବାସ ଯୋଜନାଟି ସବୁଠାରୁ ବୃହତ୍ତ ଯୋଜନା ହେବାକୁ ଯାଉଛି, ତେଣୁ ତା’ର ଶ୍ରେୟ ନେବାକୁ ପ୍ରତିଦ୍ୱନ୍ଦିତା ହେବା ସ୍ୱାଭାବିକ। ଯଦିଓ ଆବାସ ଯୋଜନାଟି ସମ୍ପୂର୍ଣ୍ଣ ଭାବେ କେନ୍ଦ୍ର ସରକାରଙ୍କ ନୁହେଁ ଏବଂ ଏଥିରେ କେନ୍ଦ୍ର ଓ ରାଜ୍ୟର ଭାଗିଦାରୀ ୬୦:୪୦ ଆକାରରେ ରହିଛି, ଉଭୟ ଏହାର ଏକୁଟିଆ ଶ୍ରେୟ ନେବାକୁ ଚାହାନ୍ତି। ରାଜ୍ୟ ସରକାର ଏହି ଯୋଜନାର କାର୍ଯ୍ୟକାରୀ ଦାୟିତ୍ୱରେ ଥିବାରୁ ଶାସକ ବିଜେଡ଼ି ଏହାର ସର୍ବାଧିକ ଲାଭ ନେବା ଅବସ୍ଥାରେ ରହିଛି। ସଦ୍ୟ ପ୍ରସ୍ତୁତ ତାଲିକାରେ ସର୍ବାଧିକ ବିଜେଡ଼ି ସମର୍ଥକ ରହିବା ଏହାକୁ ପ୍ରମାଣିତ ମଧ୍ୟ କରୁଛି।
ରାଜ୍ୟ ବିଧାନସଭାର ଗତ ଅଧିବେଶନ ସମୟରେ ଖୋଦ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପକ୍ଷରୁ ଦିଆଯାଇଥିବା ଉତ୍ତର ଅନୁଯାୟୀ ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାରର ଛାତ ଘର ନାହିଁ। ସେମାନଙ୍କ ମଧ୍ୟରୁ ସିଂହଭାଗଟି ହେଉଛନ୍ତି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଗରିବ ଆଦିବାସୀ ପରିବାର। ଅବଶ୍ୟ ଏହି ଏହି ତଥ୍ୟଟି ୨୦୧୧ର ସାମାଜିକ ଅର୍ଥନୈତିକ ସର୍ଭେର ତଥ୍ୟ ଉପରେ ଆଧାରିତ। କିନ୍ତୁ ରାଜ୍ୟରେ ପ୍ରକୃତରେ କେତେ ଲୋକ ପକ୍କା ଘରେ ଓ କେତେ ଲୋକ କଚ୍ଚା ବା ଚାଳ ଘରେ ରହୁଛନ୍ତି, ତା’ର କୌଣସି ସଠିକ୍ ତଥ୍ୟ ସରକାରଙ୍କ ପାଖରେ ନାହିଁ। ଏପରିକି ଗତ ୧୨ ବର୍ଷ ମଧ୍ୟରେ ବି ତା’ର କୌଣସି ନିଦ୍ଧିଷ୍ଟ ସର୍ଭେ ହୋଇନାହିଁ। ତେଣୁ ବର୍ତ୍ତମାନ ଯଦି ସର୍ଭେ କରାଯାଏ ତାହେଲେ ଆହୁରି କିଛି ଲକ୍ଷ ପରିବାର ଗୃହହୀନ ବୋଲି ବାହାରିବେ। ଅତଏବ ସରକାରଙ୍କ ଦ୍ୱାରା ବର୍ତ୍ତମାନ ପ୍ରସ୍ତୁତ ତାଲିକା ବାହାରେ ଆହୁରି ଯେ ଅନେକ ଗୃହହୀନ ଲୋକ ଯେ ରହିଯାଉଛନ୍ତି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।
୨୦୧୧ର ଜନଗଣନା ଅନୁଯାୟୀ ରାଜ୍ୟରେ ୧୧,୮୪,୭୮୫ ପରିବାର ରହିଛନ୍ତି। ସେଥିରୁ ୪୨ ଲକ୍ଷ ପରିବାର ଚାଳଘରେ ରହୁଥିବା ବେଳେ ଅନ୍ୟ ୫୦ ହଜାର ପରିବାର ବସ୍ତିରେ ପଲିଥିନ୍ ଜରି ତଳେ ରହୁଥିବା ଜଣାପଡ଼ିଥିଲା। ଏମାନଙ୍କ ବ୍ୟତିତ ବାକି ପରିବାର ସବୁ କୋଠାଘର, ଟାଇଲ ଘର କିମ୍ବା ଆଜବେଷ୍ଟସ୍ ଘରେ ରହୁଥିବା ଜଣାଯାଇଥିଲା। କିନ୍ତୁ ଗତ ୧୨ ବର୍ଷ ମଧ୍ୟରେ ରାଜ୍ୟରେ ପରିବାର ସଂଖ୍ୟାରେ ବୃଦ୍ଧି ପାଇ ୯୫ ଲକ୍ଷରେ ପହଂଚିଥିବା ଜଣାପଡ଼ିଛି। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୧୧ରୁ ୨୦୨୧ ମଧ୍ୟରେ ରାଜ୍ୟର ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ବାସଗୃହ ଯୋଗାଇ ଦିଆଯାଇଛି। ସେଥିମଧ୍ୟରୁ ୨୬.୪ ଲକ୍ଷ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିବା ବେଳେ ୩.୪ ଲକ୍ଷ ପରିବାର ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ସାମିଲ ହୋଇ ଘର ପାଇଛନ୍ତି। ଅତଏବ ଚାଳଘରେ ରହୁଥିବା ୪୨ ଲକ୍ଷ ଓ ପଲିଥିନ୍ କୁଡ଼ିଆରେ ରହୁଥିବା ୫୦ ହଜାର ପରିବାର ମଧ୍ୟରୁ ପ୍ରାୟ ୩୦ ଲକ୍ଷ ଲୋକ ଘର ପାଇଥିବା ବେଳେ ବଳକା ପ୍ରାୟ ୧୨.୫ ଲକ୍ଷ ଲୋକ ଘର ପାଇବା ଅପେକ୍ଷାରେ ରହିଛନ୍ତି।
ଭାରତ ପରି ଏକ କଲ୍ୟାଣକାରୀ ରାଷ୍ଟ୍ରରେ ସରକାର ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ ବାଧ୍ୟ ଅଟନ୍ତି। ଅତଏବ ଆବାସ ଯୋଜନାରେ ଗରିବ ଲୋକଟିକୁ ଘର ଖଣ୍ଡିଏ ଦେଇ ସରକାର କୌଣସି ଦୟା ବା ଅନୁକମ୍ପା ଦେଖାଉ ନାହାନ୍ତି। କାରଣ ଏ ବାବଦରେ ଲୋକଙ୍କୁ ମିଳୁଥିବା ଅନୁଦାନଟି ଲୋକଙ୍କ ଟିକସ ପଇସାରୁ ହିଁ ବିନିଯୋଗ ହେଉଛି। ଅତଏବ ରାଜ୍ୟରେ ଆବାସ ଯୋଜନାର ଶ୍ରେୟ ନେବାକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଯେଉଁଭଳି ଅସ୍ୱାସ୍ଥ୍ୟକର ପ୍ରତିଦ୍ୱନ୍ଦିତା ଚାଲିଛି, ତାହା ଦୁଃର୍ଭାଗ୍ୟଜନକ। ସରକାର ସଂକୀର୍ଣ୍ଣ ଦଳୀୟ ରାଜନୀତିର ଆଧାରରେ ହିତାଧିକାରୀଙ୍କୁ ଚୟନ କରିବା ପରିବର୍ତ୍ତେ ପ୍ରକୃତ ଗରିବ ଓ ଗୃହହୀନ ଯେପରି ତା’ର ଲାଭ ପାଇବା ତାକୁ ନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ।
ଭାଲଚନ୍ଦ୍ର ଷଡ଼ଙ୍ଗୀ
ଫୋନ ନଂ - ୯୪୩୭୧୬୬୩୯୧
https://youtu.be/5yyTzJQbekA
ନୂଆଦିଲ୍ଲୀ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ବଡ଼ ଧରଣର ଦୁର୍ନୀତି । ମୋଟ୍ ହିତାଧିକାରୀଙ୍କ ମଧ୍ୟରୁ ୮୫ ପ୍ରତିଶତ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ। ଓଡ଼ିଶାରେ ଏହି ଯୋଜନାକୁ ବ୍ୟକ୍ତିଗତ ଲାଭ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି। ସଂସଦରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଏପରି ମତ ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସାଧ୍ୱୀ ନିରଞ୍ଜନ ଜ୍ୟୋତି । ମୁଖ୍ୟତଃ କେନ୍ଦ୍ର ସରକାରଙ୍କ ଏକ ଟିମ୍ ତଦନ୍ତ କରି ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେହି ଆଧାରରେ ମନ୍ତ୍ରୀ ଏପରି ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୯ ଜଣ ସାଂସଦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଏକ ଯୁଗ୍ମ ପ୍ରତିନିଧି ଦଳ ଗତ ଫେବୃଆରୀରେ ଓଡ଼ିଶା ଯାଇ ତଦନ୍ତ କରିଥିଲା। ଯେଉଁଥିରେ ଅନିୟମିତତା ହୋଇଥିବାର ମିଳିଛି ପ୍ରମାଣ । ଓଡ଼ିଶାରେ ୧୨.୯୫ ଲକ୍ଷ ଲୋକ ଏହି ଯୋଜନାରେ ସାମିଲ୍ ହୋଇଛନ୍ତି। ଯେଉଁଥିରୁ ୮୫ ପ୍ରତିଶତ ହେଉଛନ୍ତି ସମ୍ପୂର୍ଣ୍ଣ ଅଯୋଗ୍ୟ। ବ୍ୟକ୍ତିଗତ ଲାଭ ପାଇଁ ଏହି ପାଣ୍ଠିର ଅପବ୍ୟବହାର ହୋଇଛି। ଯୋଜନାର ଲାଭ ଗୋଟିଏ ପରିବାରର ବିଭିନ୍ନ ସଦସ୍ୟ ପାଇଛନ୍ତି।
୨୦୧୮-୧୯ରେ ଯେଉଁ ହିତାଧିତାକାରୀଙ୍କ ଆବେଦନ ଖାରଜ ହୋଇଥିଲା ୨୦୧୯-୨୦ରେ ସେହି ଲୋକଙ୍କୁ ଏହି ଯୋଜନାରେ ଲାଭ ମିଳିଛି। ସେହିପରି ଏହି ଯୋଜନା କେନ୍ଦ୍ର ସରକାରଙ୍କର। ହେଲେ ତୃଣମୂଳ ସ୍ତରରେ ଏହା କେନ୍ଦ୍ରର ଯୋଜନା ବୋଲି ଉଲ୍ଲେଖ କରାଯାଇ ନାହିଁ। ତିନି ବର୍ଷ ହେବ ଓଡ଼ିଶା ସରକାର ଏହି ଯୋଜନା ପାଇଁ କୌଣସି ବ୍ୟୟବରାଦ କରି ନାହାନ୍ତି।
ଫନି ବେଳେ ଅନେକ ଘର ନଷ୍ଟ ହୋଇଯାଇଥିଲା। ଏଥିପାଇଁ କେନ୍ଦ୍ର ସରକାର ୩.୮୯ ଲକ୍ଷ ଘର ପାଇଁ ସହାୟତା ରାଶି ମଞ୍ଜୁର କରିଥିଲେ। ହେଲେ ଏହି ସମୟରେ ହିତାଧିକାରୀ ଚୟନରେ ବ୍ୟାପକ ଅନିୟମିତତା ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ଯୋଜନାର ଲୋଗୋ ଲଗାଯାଇଛି। ତା ପୁଣି କେନ୍ଦ୍ର ଯୋଜନାର ଲୋଗୋ ଅପେକ୍ଷା ବଡ଼ ରହିଛି।
ଏବେ ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାଇଛି। କେନ୍ଦ୍ର ସରକାର ଏହା ଉପରେ ଅନୁଧ୍ୟାନ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଏଫଆଇଆର ରୁଜୁ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଯେଉଁ ପ୍ରଶାସନିକ ଅଧିକାରୀଙ୍କ ନାକ ତଳେ ଏହି ଦୁର୍ନୀତି ହୋଇଛି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବିରୋଧୀ ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ତଥା ଶାସକ ଦଳ ବିରୋଧରେ ଗର୍ଜିଥିଲା। ଏପରିକି ବିଭିନ୍ନ ପ୍ରମାଣ ଦେଖାଇ ଏହାର ତଦନ୍ତ ଦାବି ମଧ୍ୟ କରିଥିଲେ।