ଗତ ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ (ଲୋକ ଜନଶକ୍ତି ପାର୍ଟି) ନେତା ଚିରାଗ ପାଶୱାନ ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ସମୟରେ ହାଜିପୁର ସିଟ୍ରୁ ଛିଡ଼ା ହେବାକୁ ଘୋଷଣା କରିଛନ୍ତି। ହେଲେ ହାଜିପୁର ସିଟ୍ରୁ ଏବେ ଏମପି ଥିବା ପଶୁପତି ପାରସ ଏହାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି।
ହାଜିପୁର ସ୍ୱର୍ଗତ ରାମ ବିଳାସ ପାଶୱାନଙ୍କ ଗଡ଼ ହୋଇଥିବାରୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହିସାବରେ ସେଥିରୁ ସେ ହିଁ ଲଢ଼ିବେ ବୋଲି ଚିରାଗ ଘୋଷଣା କରିଛନ୍ତି। ମାତ୍ର ପାରସ ବି ଉକ୍ତ ଲୋକସଭା ସିଟ୍ରୁ ନିର୍ବାଚନ ଲଢ଼ିବେ ବୋଲି ଖୁଲମଖୁଲା ଘୋଷଣା କରିଛନ୍ତି।
ଚିରାଗଙ୍କ ଦାବିକୁ ଖଣ୍ଡନ କରି ପାରସ କହିଛନ୍ତି, ହାଜିପୁର ସିଟ୍ର ସେ ହିଁ ଉପଯୁକ୍ତ ଦାବିଦାର। ଏଥିନିମନ୍ତେ ତାଙ୍କୁ ଭାଜପାର ସମର୍ଥନ ମିଳିଛି। କାରଣ ଚିରାଗ ଏ ପର୍ଯ୍ୟନ୍ତ ଏନଡିଏର ଅଙ୍ଗ ନୁହନ୍ତି। କାରଣ କିଛି ଦିନ ପୂର୍ବେ ସଂସଦରେ ହୋଇଥିବା ଏନଡିଏ ସାଂସଦଙ୍କ ବୈଠକରେ ଚିରାଗଙ୍କୁ ସାମିଲ କରାଯାଇ ନ ଥିଲା।
ଏହାର ସଫେଇ ଦେଇ ଚିରାଗ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ମୋ ସମ୍ପର୍କ ଖୁବ୍ ମଧୁର। କିଛି ବର୍ଷ ଧରି ଉପନିର୍ବାଚନ ବେଳେ ଏନଡିଏରେ ନ ଥାଇ ବି ମୁଁ ଭାଜପା ପାଇଁ ପ୍ରଚାର କରିଛି।
ଚିରାଗ କହିଛନ୍ତି, ପିତାଙ୍କ ମୃତ୍ୟୁ ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋତେ ଆଶ୍ୱାସନା ଦେଇଥିଲେ। ତେଣୁ ଏନଡିଏରେ ସାମିଲ ହେବା ପୂର୍ବରୁ ବି ମୁଁ ତାଙ୍କ ବିରୋଧରେ କେବେ କିଛି ଅଭିଯୋଗ କରିନି ।
ହାଜିପୁର ଲୋକସଭା କ୍ଷେତ୍ରରୁ ଜିତି ପାରସ ଏବେ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ଏହି ଆସନ ନିମନ୍ତେ ମନ ବଳାଇଛନ୍ତି ଚିରାଗ । ହେଲେ ଏହା ଜାଣି ବିଳବିଳାଇଲେଣି ପାରସ। ଆଗକୁ ଏହା କେଉଁ ମୋଡ ନେଉଛି ଓ ହାଜିପୁର ସିଟ୍ରୁ କିଏ ମଇଦାନଙ୍କୁ ଓହ୍ଲାଉଛନ୍ତି ତାହା ସମୟ କହିବ ।
ସୂଚନାଟୋଗ୍ୟ, ଚିରାଗଙ୍କ ବାପା ରାମ ବିଲାଶ ପାଶ୍ୱାନ ଏନଡିଏରେ ରହିଥିଲେ। କିନ୍ତୁ ତାଙ୍କ ଦେହାନ୍ତ ପରେ ଏନଡିଏ ସହ ଚିରାଗଙ୍କ ତିକ୍ତତା ସୃଷ୍ଟି ହୋଇଥିଲା। ବିହାର ବିଧାନସଭା ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମତ ପାର୍ଥକ୍ୟ ଯୋଗୁ ଚିରାଗ ଏନଡିଏରୁ ଓହରି ଯାଇଥିଲେ।ଚିରାଗଙ୍କ ବିଦ୍ରୋହ ଯୋଗୁ ନୀତୀଶ କୁମାର କ୍ଷତି ସହିଥିଲେ ଓ ବିଜେପି ରାଜ୍ୟରେ ଫାଇଦା ହାସଲ କରିଥିଲା। କିନ୍ତୁ ଜୁନିୟର ପାଶ୍ୱାନ ଏକା ହୋଇଯାଇଥିଲା। ତାଙ୍କ ଦାଦା ପଶୁପତି ପାରସଙ୍କ ସପକ୍ଷରେ ଏଲଜେପିର ୪ ସାଂସଦ ରହିଥିବାରୁ ସେ ଏନଡିଏରେ ରହିଥିଲେ। କିନ୍ତୁ ଚିରାଗ ଅଲଗା ହୋଇଯାଇଥିଲେ।
ଦୀର୍ଘ ଦିନ ପରେ ଚିରାଗ ପାଶ୍ୱାନ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଥିବା ବେଳେ ଉଭୟ ଦାଦା- ପୁତୁରା ଏନଡିଏ ବୈଠକରେ କୋଳାକୋଳି ହୋଇଥିଲେ। କିନ୍ତୁ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଥିବା ତିକ୍ତତା ପୁଣି ଥରେ ପଦାରେ ପଡ଼ିଛି।
ଗତ ୨୫ ତାରିଖରୁ ନିଜ ଜନ ସମ୍ପର୍କ ଯାତ୍ରାରେ ବ୍ୟସ୍ତ ଥିବା ଅଭିଷେକ ସିବିଆଇକୁ ଟାର୍ଗେଟ କରି ଯଦି ପ୍ରମାଣ ଅଛି ତାକୁ ଗିରଫ କରିବାକୁ ଆହ୍ୱାନ ଦେଇଥିଲେ। ଏଥିସହ ନିଜ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ସତ୍ତ୍ୱେ ସିବିଆଇ କାର୍ଯ୍ୟାଳୟରେ ଠିକ୍ ସମୟରେ ହାଜର ହେବେ ବୋଲି ଘୋଷଣା କରିଥିଲେ। ଏହାପରେ ଆସନ୍ତା ୨୨ ତାରିଖରୁ ଯେଉଁଠୁ ଜନ ସମ୍ପର୍କ ଯାତ୍ରା ଛାଡ଼ିଥିବେ ସେଠୁ ପୁଣି ଆରମ୍ଭ କରିବେ ବୋଲି ନିଜ ସମର୍ଥକଙ୍କୁ କହିଛନ୍ତି ଅଭିଷେକ । ବିଗତ କିଛି ବର୍ଷ ଧରି ସିବିଆଇ ପଶ୍ଚିମବଙ୍ଗର ବିଭିନ୍ନ ମାମଲାର ଯାଞ୍ଚ କରି ଅଯଥାରେ ତାଙ୍କୁ ଓ ତାଙ୍କ ପରିବାରକୁ ହଇରାଣ କରୁଥିବା କହିଛନ୍ତି ଅଭିଷେକ ।
ଏହି ମାମଲାରେ ସିବିଆଇ ଯାଞ୍ଚରୁ ବର୍ତ୍ତିବାକୁ ଗତ ୧୮ ତାରିଖରେ ଅଭିଷେକ କୋଲକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମାତ୍ର ସେଠାରୁ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା। ଶିକ୍ଷକ ନିଯୁକ୍ତି ଘୋଟାଲାରେ ସିବିଆଇ, ଇଡି ପରି ଏଜେନ୍ସି ତାଙ୍କୁ ପଚରାଉଚରା କରି ପାରିବେ ବୋଲି ଅନୁମତି ଦେଇଥିଲେ ହାଇକୋର୍ଟ । ଏହାପରେ ଆଜି ତାଙ୍କୁ ହାଜର ହେବାକୁ ନୋଟିସ ଜାରି କରାଯାଇଥିଲା। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ କୁନ୍ତଲ ଘୋଷ କହିଥିଲେ, ଶିକ୍ଷକ ନିଯୁକ୍ତି ଘୋଟାଲାରେ ଅଭିଷେକଙ୍କ ନାଁ ନେବାକୁ ସିବିଆଇ ତାଙ୍କ ଉପରେ ଚାପ ପକାଉଛି। ଏହା ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା।
ଅପରପକ୍ଷେ, ସିବିଆଇର ଏପରି ଘନ ଘନ ଜେରାକୁ ନାପସନ୍ଦ କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ବିଜେପି ନିଜ ଯାଞ୍ଚ ଏଜେନ୍ସିର ଦୁରପଯୋଗୀ କରି ତାଙ୍କ ଦଳ ତଥା ପରିବାର ସଦସ୍ୟଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି ମମତା । ଅଭିଷେକ ନିଜ ଜନ ସମ୍ପର୍କ ଯାତ୍ରାରେ ବ୍ୟସ୍ତ ରହୁଥିବାରୁ ତାଙ୍କୁ ଆଉ କିଛି ଅଧିକ ସମୟ ଦେବାର ଆବଶ୍ୟକତା ଥିଲା। ହେଲେ ସିବିଆଇ ନିଜ ମନମୁଖୀ କାମ କରୁଛି। କେନ୍ଦ୍ରରୁ ବିଜେପି ନ ହଟିବା ଯାଏ ଆମର ଲଢ଼େଇ ଜାରି ରହିବ ବୋଲି ଶୁଣାଇ ଦେଇଛନ୍ତି ମମତା ।
ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ମାମଲା ୨୦୧୪ ମସିହାର ବୋଲି ଜଣାଯାଇଛି। ଉକ୍ତ ବିଜ୍ଞାପନ ଅନୁଯାୟୀ, ସରକାରୀ ସ୍କୁଲରେ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନିଯୁକ୍ତି ପ୍ରକ୍ରିୟା ୨୦୧୬ରେ ପାର୍ଥ ଚାଟାର୍ଜୀ ଶିକ୍ଷା ମନ୍ତ୍ରୀ ଥିବା ବେଳେ ଆରମ୍ଭ ହୋଇଥିବା ବେଳେ ସେଥିରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଥିଲା। କମ୍ ନମ୍ବର ରଖିଥିବା ପ୍ରାର୍ଥି ନିଯୁକ୍ତି ପାଇଥିବା ବେଳେ ଅଧିକ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳି ନ ଥିଲା। ଏହି ଘଟଣାର ଏବେ ସିବିଆଇ ଘନ ଘନ ଜେରା କରୁଛି।
ଢୋଲପୁରରେ ଏକ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଗେହଲଟ ଗତକାଲି ୩ ବିଜେପି ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୂର୍ବତନ ବାଚସ୍ପତି କୈଳାସ ମେଘୱାଲ ଓ ବିଧାୟକ ଶୋଭାରାଣୀ କୁଶୱାହଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ୩ ବିଜେପି ନେତାଙ୍କ ନିମନ୍ତେ ୨୦୨୦ ମସିହାରେ ତାଙ୍କ ସରକାର ପତନ ମୁହଁରୁ ବର୍ତ୍ତି ଯାଇଥିବା କହିଥିଲେ।
ଗେହଲଟଙ୍କ କହିବାନୁଯାୟୀ, ୨୦୨୦ ଜୁଲାଇରେ ରାଜସ୍ଥାନର ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ କଂଗ୍ରେସର ୧୮ ବିଧାୟକଙ୍କୁ ନେଇ ବିଦ୍ରୋହ କରିଥିଲେ। ସେ ସମୟରେ ବସୁନ୍ଧରାଙ୍କ ସମେତ ଅନ୍ୟ ୨ ନେତା କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଗେହଲଟଙ୍କୁ ସାହାଯ୍ୟ କରିଥିଲେ। ରବିବାର ଗେହଲଟ ଏହା ପ୍ରକାଶ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ନିଜ ଦଳର ଲୋକ କଂଗ୍ରେସ ଆଡ଼କୁ ଢଳୁଥିବା ଜାଣି ଏହାକୁ ବାରଣ କରିଥିଲେ ବସୁନ୍ଧରା ରାଜେ। ଏପରିକି ଲୋକଙ୍କ ଦ୍ୱାରା ନିର୍ବାଚିତ ସରକାର ଭାଙ୍ଗିବା ଆମ ପରମ୍ପରା ନୁହେଁ ବୋଲି ସେ କହିଥିଲେ। ତେଣୁ ଆମ ସରକାର ବଞ୍ଚି ଯାଇଥିଲା ବୋଲି କହିଥିଲେ ଗେହଲଟ ।
କିନ୍ତୁ ବସୁନ୍ଧରା ରାଜେ ଏହାକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରି ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ଚଳିତ ବର୍ଷ ବିଧାନସଭା ନିର୍ବାଚନ ଅଛି। ହାରିବା ଡରରେ ଗେହଲଟ ଏପରି ବୟାନବାଜି କରୁଛନ୍ତି। ଗେହଲଟ ନିଜ ପାର୍ଟିରେ ବିରୋଧର ସମ୍ମୁଖୀନ ହେଉଥିବାରୁ ଏପରି ମନ୍ତବ୍ୟ ଦେଉଛନ୍ତି। ଏଥିରେ ସେ ସମ୍ପୂର୍ଣ୍ଣ ଭାବେ ବିଳିବିଳାଉଛନ୍ତି। ମୋର ସବୁଠୁ ଅଧିକ ଅପମାନ ଗେହଲଟ ହିଁ କରିଛନ୍ତି, ତେଣୁ ତାଙ୍କ ମୁହଁରୁ ମୋ ପ୍ରଶଂସାକୁ ହଜମ କରିପାରୁନି ବୋଲି କହିଛନ୍ତି ବସୁନ୍ଧରା।
ଏହି ଭାଷଣ ବେଳେ ଗେହଲଟ କହିଥିଲେ, କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଅମିତ ଶାହ, ଗଜେନ୍ଦ୍ର ସିଂ ଶେଖାୱତ ଓ ଧର୍ମେନ୍ଦ୍ର ପ୍ରଧାନ ରାଜସ୍ଥାନରେ ଟଙ୍କା ବାଣ୍ଟିଥିଲେ। ଏବେ ସେମାନେ ସେହି ଟଙ୍କାକୁ ଫେରାଇ ନେଉଛନ୍ତି। ତେଣୁ ବିଜେପିରୁ ଟଙ୍କା ନେଇଥିବା କଂଗ୍ରେସ ବିଧାୟକ ଟଙ୍କା ଫେରସ୍ତ କରିଦେବା ଉଚିତ । ଫଳରେ ସେମାନେ ବିନା କୌଣସି ଚାପରେ ନିଜ ଦାୟିତ୍ୱ ତୁଲାଇ ପାରିବେ।
୧୫ଟି ପ୍ରସଙ୍ଗ ଉପରେ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଉଚ୍ଚ ଶିକ୍ଷା ବିଭାଗର ଜଣେ ନୋଡାଲ ଅଧିକାରୀ ସାଧାରଣ ପ୍ରଶାସନ ବିଭାଗକୁ ଫିଡ୍ ବ୍ୟାକ୍ ଦେବେ ବୋଲି ନିର୍ଦ୍ଦେଶ ଦିଆଗଲା। ଏଥିପାଇଁ ଦାୟିତ୍ବରେ ଥିବା ନୋଡାଲ ଅଧିକାରୀ ରାଜ୍ୟର କିଛି କଲେଜ ପରିଦର୍ଶନରେ ଯାଇ ଯାଞ୍ଚ କରିବା ସହ ଫୋନରେ ଫିଡ୍ ବ୍ୟାକ୍ ନେବା କଥା। ମାତ୍ର ଗତ ମାର୍ଚ୍ଚ ମାସର ଫିଡ ବ୍ୟାକ୍ ଫର୍ମାଟ୍ ଦେଖିଲେ ଜଣାପଡ଼ୁଛି କୌଣସି ଗୋଟିଏ କଲେଜକୁ ଯାଇ ଭେରିଫିକେସନ୍ ବା ଯାଂଚ୍ କରିନାହାନ୍ତି ସ୍ୱତନ୍ତ୍ର ବା ଯୁଗ୍ମ ସଚିବ ପାହ୍ୟାର ନୋଡାଲ୍ ଅଧିକାରୀ। କେବଳ ଚଳିତ ବର୍ଷର ମାର୍ଚ୍ଚ ମାସ ନୁହେଁ, ୨୦୨୨ ଏପ୍ରିଲ ମାସ, ୨୦୨୨ ଜୁନ୍ ମାସର ଫର୍ମାଟରେ ବି ସମାନ କଥା ରହିଛି। କୌଣସି ଗୋଟିଏ କଲେଜ ପରିଦର୍ଶନରେ ଯାଇନାହାନ୍ତି କୌଣସି ନୋଡାଲ ଅଧିକାରୀ। ସକାରାତ୍ମକ ବା ନକାରାତ୍ମକ ମତାମତ ନେବା ତ ଦୂରର କଥା, ଲାପଟପ୍ ବଣ୍ଟନ, କର୍ମଚାରୀଙ୍କ ସମସ୍ୟା ଓ ନାମଲେଖା ଭଳି ଅନ୍ୟ ପ୍ରସଙ୍ଗରେ ବି ଯାହାତାହା ବା କାମଚଳା ସଂଖ୍ୟା ଲେଖି ଛାଡ଼ିଦେଲା ଭଳି ଲାଗୁଛି।
ବିଜେବି କଲେଜ ଅଧ୍ୟକ୍ଷ ପ୍ର. ଗୁଲାମ ମୋଇନୁଦ୍ଦିନ ଖାନ୍ କହିଛନ୍ତି, ନୋଡାଲ ଅଫିସର ନ ଆସିଲେ ବି ଉଚ୍ଚ ଶିକ୍ଷା ବିଭାଗର ଅନ୍ୟ ଅଧିକାରୀମାନଙ୍କ ସହ ଆମେ ନିୟମିତ ଯୋଗାଯୋଗରେ ରହି କଲେଜ ସମସ୍ୟା ଦୂର କରୁଛୁ।
ରାଜ୍ୟରେ ପ୍ରାୟ ୭୫୦ ଉଚ୍ଚ ଶିକ୍ଷାନୁଷ୍ଠାନ- କଲେଜ ଓ ବିଶ୍ୱବିଦ୍ୟାଳୟ ରହିଥିବାବେଳେ ବିଭିନ୍ନ ସମସ୍ୟା ଲାଗି ରହିଛି। ବିଜେବି କଲେଜର ଛାତ୍ରୀ ରୁଚିକା ରାଗିଂ ଓ ଆତ୍ମହତ୍ୟା ଘଟଣା ହେଉ କିମ୍ବା ବଲାଙ୍ଗୀର ମେଡିକାଲ କଲେଜର ରାଗିଂ ଘଟଣା- ଏହି ସବୁ କଲେଜରେ ଆଣ୍ଟିଂ ରାଗିଂ ସେଲ ଠିକ ଭାବେ କାମ କରୁଛି କି ନାହିଁ କେହି ନୋଡାଲ ଅଧିକାରୀ ଯାଂଚ୍ କରିବାକୁ ଉଚିତ ମଣିନାହାନ୍ତି। ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସହଯୋଗ ଭିତ୍ତିରେ ୨୦୨୧ରେ ଆରମ୍ଭ ହୋଇଥିବା ‘ମୋ କଲେଜ’ ଅଭିଯାନରେ ବି ମାଲକାନଗିରି ଡିଗ୍ରୀ କଲେଜ ଭଳି ଅନେକ କଲେଜରେ ଭିତ୍ତିଭୂମିର ବିକାଶ କାମ ହୋଇପାରିନି। ମାଲକାନଗିରି ଡିଗ୍ରୀ କଲେଜ ଏକ ପୁରୁଣା କଲେଜ ହୋଇଥିବା ସତ୍ତ୍ୱେ ଏଠାରେ କ୍ଲାସ୍ ରୁମ୍, ଲାଇବ୍ରେରୀ ଓ ଖେଳ ପଡିଆର ଅଭାବ ରହିଛି ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ଅଶୋକ ଷଡ଼ଙ୍ଗୀ।
ସେମିତି କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଇତିମଧ୍ୟରେ ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଆସିଥିଲେ। ହେଲେ ୫୦ରୁ ଅଧିକ ପୁରୁଣା ଛାତ୍ର ବା ଆଲୁମିନିଙ୍କୁ ନେଇ ଗଠିତ କମିଟି ଅର୍ଥ ସଂଗ୍ରହ କାର୍ଯ୍ୟ ସାରିନଥିବାରୁ ସରକାରୀ ସହାୟତା ବି ମିଳିପାରିନାହିଁ। ଭିତ୍ତିଭୂମି ସମସ୍ୟା ଲାଗି ରହିଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ଦୀପକ କୁମାର ପଟ୍ଟନାୟକ।
କେବଳ ଫଳକରେ ସୀମିତ ରହିଛି ମୋ ସରକାର। କେବଳ ପ୍ରଚାର କରି ରାଜନୀତି କରାଯାଇପାରେ, ମାତ୍ର ବିକାଶ ନୁହେଁ ବୋଲି ସ୍ପଷ୍ଟ ହୋଇଛି।
ଏ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି. ଅଧିକାରୀ କ୍ଷେତ୍ର ଉପରକୁ ଯାଇ ଯାଂଚ କରୁଛନ୍ତି କି ନାହିଁ ତୁରନ୍ତ କହିପାରିବି ନାହିଁ, ମାତ୍ର ନିୟମିତ ଫୋନ୍ କଲ ଜରିଆରେ ଫିଡବ୍ୟାକ୍ ନିଆଯାଉଛି।
(ରିପୋର୍ଟ: ମାଲକାନଗିରିରୁ ରତ୍ନାକର ପ୍ରଧାନ, କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା ଓ ଭୁବନେଶ୍ୱରରୁ ଲକ୍ଷ୍ମୀନାରାୟଣ କାନୁନ୍ଗୋ)
ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିନିମନ୍ତେ ଏବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ପରିପ୍ରେକ୍ଷୀରେ ୟାଦଗିରି ବିଧାନସଭା କ୍ଷେତ୍ରରେ ନାମାଙ୍କନ ଦାଖଲ କରିବାକୁ ଗତକାଲି ଜଣେ ଯୁବକ ପହଞ୍ଚିଥିଲେ। ଯୁବକଜଣକ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ବୈତରଣୀ ପାର୍ ହେବାକୁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି ।
ଏହି ସମୟରେ ଅମାନତ ରାଶି ୧୦ ହଜାର ଟଙ୍କା ଦେବା ନିମନ୍ତେ ଯୁବକଜଣକ ଟଙ୍କିକିଆ କଏନ ଆଣିଥିଲେ। ଏହି କଏନ ପୁଣି ରାଜ୍ୟ ସାରା ପଦଯାତ୍ରା କରି ସେ ସଂଗ୍ରହ କରିଥିଲେ। ଏହା ଦେଖି ଅଧିକାରୀଙ୍କ ହୋସ ଉଡ଼ି ଯାଇଥିବା ବେଳେ ଏହାକୁ ଗଣିବାକୁ ସେମାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ଟଙ୍କାଏ ଲେଖା ସଂଗ୍ରହ ଅଭିଯାନ ବେଳେ ଯୁବକଜଣକ ଏକ ପ୍ଲାକାର୍ଡ ଧରିଥିବା ବେଳେ ସେଥିରେ ଲେଖାଥିଲା, କେବଳ ଟଙ୍କାଟେ ନୁହେଁ, ଆପଣଙ୍କ ଏକ ମୂଲ୍ୟବାନ ଭୋଟ ବି ଦିଅନ୍ତୁ। ଦିନେ ମୋତେ ଗୋଟିଏ ଭୋଟ ଦେଲେ ମୁଁ ଆପଣଙ୍କୁ ଦାରିଦ୍ର୍ୟତାରୁ ମୁକ୍ତି ଦେବି ।
ପ୍ରାର୍ଥୀଜଣକ କଳାରେ ସ୍ନାତକ ଡିଗ୍ରୀଧାରୀ ହୋଇଥିବା ବେଳେ ତାଙ୍କ ପାଖରେ ସମୁଦାୟ ୬୦ ହଜାର ଟଙ୍କାର ସମ୍ପତ୍ତି ରହିଛି। ତାଙ୍କ ବାପା ଜଣେ ଚାଷୀ ହୋଇଥିବା ବେଳେ ତାଙ୍କ ପାଖରେ ଏକ ଏକରରୁ ଅଧିକ ଜମି ରହିଛି।
୨୦୧୪ ମସିହାରେ ଭାଜପା ଆମ ପିଠିରେ ଛୁରୀ ଭୁଶିଥିଲା। ଏହାସତ୍ତ୍ୱେ ଭାଜପା ସହ ଆମର କିଛି ବ୍ୟକ୍ତିଗତ ଶତ୍ରୁତା ନାହିଁ। ହାଇଦ୍ରାବାଦର ଗୀତମ ବିଶ୍ୱବିଦ୍ୟାଳୟର ଏକ ଗୋଷ୍ଠୀ ଛାତ୍ରଙ୍କୁ ସମ୍ବୋଧନ କରି ହିନ୍ଦୁତ୍ୱ ପ୍ରସଙ୍ଗରେ ଏପରି କହିଛନ୍ତି ଆଦିତ୍ୟ ଠାକରେ ।
ସେ କହିଛନ୍ତି, "ଆମର ହିନ୍ଦୁତ୍ୱ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରାଯାଇଛି ଏବଂ ଏହା ଲୋକାଦୃତ। କିଛି ଲୋକ କଣ ଖାଉଛନ୍ତି ସେଥିପ୍ରତି ଆମର ଧ୍ୟାନ ନାହିଁ, କିନ୍ତୁ ଭାଜପା ଏଥିପାଇଁ ଲୋକଙ୍କୁ ଜାଳିବାକୁ ପଛାଉ ନାହିଁ। ଯଦି ଏହା ଭାଜପାର ହିନ୍ଦୁତ୍ୱ ଅଟେ, ତେବେ ଏହା ମୋ’ ବାପା, ମୋ’ ଜେଜେବାପା ଏବଂ ଆମ ଲୋକଙ୍କ ପାଇଁ ଏହା ଗ୍ରହଣୀୟ ନୁହେଁ । ଏହା ସମ୍ପୂର୍ଣ୍ଣ ମହାରାଷ୍ଟ୍ର ପାଇଁ ମଧ୍ୟ କେବେ ବି ଗ୍ରହଣୀୟ ହେବ ନାହିଁ।
ଏଥିସହ ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ କାରଣରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେଉଥିବା ଭାବନା ଭୁଲ । କାରଣ ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ କେନ୍ଦ୍ର ସରକାର ନୁହେଁ ସୁପ୍ରିମକୋର୍ଟ ଦେଇଛନ୍ତି।
ଏହି ସମୟରେ ଆଦିତ୍ୟ ଠାକରେ ମଧ୍ୟ ୨୦୧୪ ଭାଜପା ଶିବସେନାକୁ ପିଠି ପଛରେ ଛୁରୀ ଭୁଶିଥିବା ଅଭିଯୋଗ କରିଥିଲେ। ରେ ସେ କହିଛନ୍ତି, "ମୁଁ ଜଣେ ହିନ୍ଦୁ ଏବଂ ୨୦୧୪ ରେ ଯେତେବେଳେ ଶିବସେନା ସହିତ ଭାଜପା ମେଣ୍ଟ ଭାଙ୍ଗିଗଲା ସେତେବେଳେ ମଧ୍ୟ ମୁଁ ହିନ୍ଦୁ ଥିଲି। ଆଉ ଏବେ ବି ଆମେ ହିନ୍ଦୁ ହିଁ ଅଛୁ।
ଭାଜପାକୁ ଟାର୍ଗେଟ କରି ଆଦିତ୍ୟ ଠାକରେ କହିଛନ୍ତି, ନିଜ ହିନ୍ଦୁତ୍ୱ ପାଇଁ ଡେଙ୍ଗୁରା ପିଟୁଥିବା ଏହି ଦଳ କାହିଁକି କଶ୍ମୀର ପଣ୍ଡିତମାନଙ୍କ ବିଷୟରେ ପାଟି ଫିଟାଉ ନାହିଁ। କାହିଁକି ସେମେନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉନି। କଶ୍ମୀର ପଣ୍ଡିତଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଥିବା ବେଳେ ଭାଜପା କାହିଁକି ଚୁପ୍ ରହୁଛି।
ଏଥିସହ ସେ କହିଛନ୍ତି, ଯଦି ମୋ ଜେଜେବାପାଙ୍କ ଆଦର୍ଶ ପ୍ରତି ଭାଜପାର ଆନ୍ତରିକତା ଥାଆନ୍ତା, ତେବେ ସେମାନେ ମୋ’ ଜେଜେବାପା ନିର୍ମାଣ କରିଥିବା ଦଳକୁ ନଷ୍ଟ କରିବାକୁ ଚେଷ୍ଟା କରି ନଥାନ୍ତେ।
ଏକନାଥ ସିନ୍ଦେ ଏବଂ ଭାଜପା ମଧ୍ୟରୁ କିଏ ତାଙ୍କ ଦଳ ପାଇଁ ବଡ଼ ବିପଦ ବୋଲି ପଚରାଯିବାରୁ ଏକନାଥ ସିନ୍ଦେଙ୍କୁ ଆଦୌ ବିପଦ ବୋଲି ଭାବନ୍ତି ନାହିଁ ବୋଲି କହିଛନ୍ତି ମହାରାଷ୍ଟ୍ରର ଏହି ପୂର୍ବତନ ମନ୍ତ୍ରୀ । ଏଥିସହ ସେ କହିଛନ୍ତି, ଭାଜପା ସହ ମଧ୍ୟ ଆମର କୌଣସି ବ୍ୟକ୍ତିଗତ ବିବାଦ ନାହିଁ ।
ଗତକାଲି ରାତିରେ ବନ୍ଦୀ ସଞ୍ଜୟ କୁମାର କରିମନଗରସ୍ଥିତ ନିଜ ବାସଭବନରେ ଥିବା ବେଳେ ପୁଲିସ୍ ଫୋର୍ସ ସେଠାରେ ପହଞ୍ଚିଥିଲା। ପୁଲିସ୍ ଜୋରଜବରଦସ୍ତ ସଞ୍ଜୟଙ୍କୁ ଉଠାଇ ନେବାକୁ ଚେଷ୍ଟା କରିଥିଲା। ମାତ୍ର ଶତାଧିକ ଭାଜପା କାର୍ଯ୍ୟକର୍ତ୍ତା ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ପୁଲିସ୍ ସହ ଭାଜପା କର୍ମୀଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ବହୁ ସଂଖ୍ୟକ ପୁଲିସ୍ କର୍ମୀଙ୍କ ଉପସ୍ଥିତିରେ ସଞ୍ଜୟ କୁମାରଙ୍କୁ ଟେକି ଟେକି ଭ୍ୟାନ ଭିତରକୁ ନିଆଯାଇଥିଲା।
ଭାଜପା ଏହାକୁ ତୀବ୍ର ବିରୋଧ କରିବା ସହ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ଦଳର ତେଲେଙ୍ଗାନା ମହାସଚିବ ପ୍ରେମେନ୍ଦ୍ର ରେଡ୍ଡୀ କହିଛନ୍ତି, ପୁଲିସ ବେଆଇନ ଭାବେ ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟ କୁମାରଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି। ରାଜ୍ୟ ସରକାରଙ୍କ ଏହି ବେଆଇନ ଗିରଫଦାରୀକୁ ସମଗ୍ର ରାଜ୍ୟରେ ତୀବ୍ର ବିରୋଧ କରାଯିବ ।
ରେଡ୍ଡୀ କହିଛନ୍ତି ଯେ ସଞ୍ଜୟ କୁମାରଙ୍କୁ କେଉଁ ମାମଲାରେ ଗିରଫ କରାଯାଇଛି ଏ ନେଇ କିଛି ସୂଚନା ଦିଆଯାଇନି। ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଥିବାରୁ ବିଚଳିତ ହୋଇ ରାଜ୍ୟ ସରକାର ନିଜ ବଳ ପ୍ରୟୋଗ କରି ତାଙ୍କୁ ଅତି ଅମାନବୀୟ ଭାବେ ଉଠାଇ ନେଇଛନ୍ତି। କେସିଆର ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ତେଲେଙ୍ଗାନା ଗସ୍ତରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଏହା ବିରୋଧରେ ଆମେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବୁ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୮ ତାରିଖରେ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ସେ ସିକନ୍ଦରାବାଦରୁ ତିରୁପତି ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଉଦଘାଟନ କରିବେ ଏବଂ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ। ହେଲେ ତେଲେଙ୍ଗାନାର କେସିଆର ସରକାର ମୋଦିଙ୍କ ଗସ୍ତକୁ ତୀବ୍ର ବିରୋଧ କରୁଛି ।
ସମର୍ଥଙ୍କୁ ୫୦ ଲକ୍ଷ ଟଙ୍କା ପାଇଁ ଗତକାଲି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ପୁଲିସ୍ ଏହି ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଛି।
ଅନ୍ୟପକ୍ଷରେ ୨୯ ତାରିଖଟି ଝାରସୁଗୁଡ଼ା ପାଇଁ କଳା ଦିବସ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା। କାରଣ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଏହାର ୨ ମାସ ପରେ ଅର୍ଥାତ ମାର୍ଚ୍ଚ ୨୯ରେ ସମର୍ଥଙ୍କୁ ହତ୍ୟା କରାଯାଇଛି। ବିଜେଡି ଶାସନରେ ହତ୍ୟା, ଅପହରଣ ଓ ନାରୀ ନିର୍ଯାତନା ଭଳି ଘଟଣା ବଢ଼ି ଚାଲିଛି। ଉତ୍ତର ପ୍ରଦେଶ ଠାରୁ ଓଡ଼ିଶାର ସ୍ଥିତି ଅଧିକ ଖରାପ ବୋଲି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ସାଲୁଜା।
ସେ ଆହୁରି କହିଛନ୍ତି, ଆଗକୁ ଝାରସୁଗୁଡ଼ା ଉପ-ନିର୍ବାଚନ ଥିବା ବେଳେ ଲୋକେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଡରିବେ। ରାଜ୍ୟ ସରକାର ତୁରନ୍ତ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀଙ୍କୁ ସାମ୍ନାକୁ ଆଣନ୍ତୁ।
ସେହିପରି ଏହି ମାମଲାରେ ଟ୍ୱିଟ କରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ଦୀର୍ଘ ସମୟ ଧରି କ୍ଷମତାରେ ରହିବା ସତ୍ତ୍ୱେ ଆଇନ ଶୃଙ୍ଖଳା ରକ୍ଷା କରିବାରେ ରାଜ୍ୟ ସରକାର ଫେଲ୍ ମାରିଛନ୍ତି । ନବ ଦାସ ହତ୍ୟାକୁ ୨ ମାସ ନ ହେଉଣୁ ନାବାଳକ ସମର୍ଥଙ୍କ ହତ୍ୟା ଘଟଣା ସମଗ୍ର ରାଜ୍ୟକୁ ଦୋହଲାଇ ଦେଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତି ଅତି ଶୋଚନୀୟ ହୋଇପଡିଛି।
ରାଜ୍ୟରେ ସାଧାରଣ ନାଗରିକ ଆଦୌ ସୁରକ୍ଷିତ ନୁହନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ କହିଛନ୍ତି, ସାଧାରଣ ନାଗରିକ କିମ୍ବା ଜନପ୍ରତିନିଧି ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଝାରସୁଗୁଡ଼ା ଘଟଣା ରାଜ୍ୟବାସୀଙ୍କ ବିଶ୍ୱାସକୁ ଦୁର୍ବଳ କରି ଦେଇଛି। ସମର୍ଥଙ୍କ ପରିବାରକୁ ଯେତେ ସହାନୁଭୂତି ଜଣାଇଲେ ବି କମ୍ ପଡ଼ିବ। ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ ସରକାର।
ବିଜେପି ରାଜ୍ୟ ସଂପାଦକ ଟଙ୍କଧର ତ୍ରିପାଠୀ ଏହି ମାମଲାକୁ ସମାଲୋଚନା କରି କହିଛନ୍ତି, ନାବାଳକ ସମର୍ଥ ହତ୍ୟାକାଣ୍ଡ ପରେ ପୁଲିସ ପ୍ରଶାସନର ଅପାରଗତା ସହ ନିଷ୍କ୍ରିୟତା ସ୍ପଷ୍ଟ ଜଣାପଡୁଛି । ହତ୍ୟାକାରୀଙ୍କୁ ଦଣ୍ଡ ଦିଆଯାଉ, ନଚେତ୍ ରାଜରାସ୍ତାକୁ ଓହ୍ଲାଇବୁ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ର ଜବାବ ରଖିଛି ବିଜେଡି। ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର। ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇବା ଘଟଣା କେଉଁ ଆଇନରେ ଯାଉଛି। ତେଣୁ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଟିପ୍ପଣୀ ନ ଦେଇ କିଛି ଗଠନମୂଳକ ପ୍ରସ୍ତାବ ଦେବା ଉଚିତ ବୋଲି ସେ କହିଛନ୍ତି।
ଏନେଇ ଅତାବିରା ଥାନାରେ ବି ସେମାନେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଦେବା ସମୟରେ ଥାନା ଅଧିକାରୀ ଅଭିଯୋଗ ରଖିବାକୁ ମନା କରିବାରୁ ଥାନା ଅଧିକାରୀ ଙ୍କ ସହ ଉଭୟ ବିଜେପି ଓ କଂଗ୍ରେସର କର୍ମୀ ମାନଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଜୋର ଧରିଛି ରାଜନୀତି ।
ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସଂରକ୍ଷିତ ସିଟ୍ ଅଟେ। ମାତ୍ର ଅନୁସୂଚିତ ଜାତିର ନ ହୋଇ ବି ରାଜୀବ କହଁର ମିଥ୍ୟା ଜାତି ପ୍ରମାଣ ପତ୍ର ଦେଇ ନାମାଙ୍କନ ଭରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ଓ କଂଗ୍ରେସ। ରାଜୀବ କହାରା ଜାଲ ପ୍ରମାଣ ପତ୍ର ଦେଇ ଥିବାର ପ୍ରମାଣ ଦେବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବଜାୟ ରଖିଛନ୍ତି ବୋଲି ବିରୋଧୀ ଅଭିଯୋଗ ହୋଇଛି।
ଏନେଇ ଅଭିଯୋଗ କରିବାକୁ ସେମାନେ ଅତାବିରା ଥାନା ଯାଇଥିବା ବେଳେ ସେଠାରେ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା କହିଛନ୍ତି। ଏପରିକି ଅଭିଯୋଗ ରଖିବାକୁ ଥାନା ଅଧିକାରୀ ସଫା ସଫା ମନା କରି ଦେଇଥିବା କହିଛନ୍ତି ବିଜେପି ଓ କଂଗ୍ରେସ। ମାତ୍ର ବହୁ ଯୁକ୍ତିତର୍କ ପରେ ପୁଲିସ୍ ଏକ ଅଭିଯୋଗପତ୍ର ରେଜିଷ୍ଟ୍ରି କରିଥିବା ଜଣାଯାଇଛି।
ମାତ୍ର ବିରୋଧୀଙ୍କ ଅଭିଯୋଗକୁ ରାଜୀବ କହାରା ଖଣ୍ଡନ କରିଛନ୍ତି। ମୋ ପରିବାର ମୁଢ଼ି ବିକେ, ମାଛ ଧରି କି ବିକ୍ରି କରେ । ତେଣୁ ଆମେ ଅନୁସୂଚିତ ଜାତିର ବୋଲି ସେ କହିଛନ୍ତି। ଏଥିସହ ମୁଁ ଦେଇଥିବା ଜାତି ପ୍ରମାଣପତ୍ର ଭୁଲ ନୁହେଁ ବୋଲି ବି ସେ ସଫେଇ ଦେଇଛନ୍ତି।
ଏନେଇ ନିର୍ବାଚନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।