ଆଜି ଗଞ୍ଜାମ ଗସ୍ତରେ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ। ତାଙ୍କ ଗସ୍ତ ଅବସରରେ ଦକ୍ଷିଣ ଓଡ଼ିଶାରେ ଦବଦବା ଦେଖାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ରାଜନାଥଙ୍କ ସଭା ପୂର୍ବରୁ ଆମ୍ବପୁଆ କାଳୀ ମନ୍ଦିରଠାରୁ ବାହାରିଥିଲା ପ୍ରଦୀପଙ୍କ ବିଶାଳ ଶୋଭାଯାତ୍ରା। ବାଇକ୍ ଶୋଭାଯାତ୍ରା ସହ ବିଶାଳ ପଟୁଆରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଦୀପ। ଆଉ ପ୍ରଦୀପଙ୍କ ନେତୃତ୍ୱରେ ଆଜି ବିଜେପିରେ ସାମିଲ ହୋଇଥିଲେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ତଥା ବିଜେଡି ନଗର ଉପସଭାପତି କେ. ଅନିଲ କୁମାର, ବିଜେଡି ଜିଲ୍ଲା ମହିଳା ଉପସଭାନେତ୍ରୀ ମୀନତି ଦାସ, ପୂର୍ବତନ କର୍ପୋରେଟର ଗୋପାଳ ରେଡ୍ଡୀ, ଅଶୋକ ଶୁକ୍ଳା, ପୂର୍ବତନ କାଉନସିଲର ବଦ୍ରି ନାୟକ, ପୂର୍ବତନ ଜିଲ୍ଲା ଛାତ୍ର ବିଜେଡି ସଭାପତି ସଞ୍ଜୟ ଜେନାଙ୍କ ସହ ଶତାଧିକ ବିଜେଡି କର୍ମୀ ବିଜେପିରେ ଯୋଗଦେଇଛନ୍ତି। ଅନ୍ୟ ପଟେ ରାଜନାଥଙ୍କ ଉପସ୍ଥିତିରେ ସମାନ ଡାଇଲଗ୍ ରିପିଟ କରିଛନ୍ତି ପ୍ରଦୀପ। କହିଛନ୍ତି ମିଶନ ହିଞ୍ଜିଳିରୁ ଆରମ୍ଭ ହେବ। ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି ପ୍ରଦୀପ କହିଛନ୍ତି।
ପଦ୍ମ ଧରି ପାୱାର ଶୋ’ ଦେଖାଇବା ପରେ ଗଞ୍ଜାମ ରାଜନୀତିକୁ ନାନା ଚର୍ଚ୍ଚା। ଦକ୍ଷିଣ ଓଡ଼ିଶାରେ କ’ଣ ରହିବ ପ୍ରଦୀପଙ୍କ ଭୂମିକା? ଆଉ କ’ଣ ଫାଇଦା ପାଇବ ବିଜେପି? କୁହାଯାଉଛି ବିଜେଡି ଗଞ୍ଜାମ ଗଡରେ ଏବେ ଫାଟ ଜଳ ଜଳ। ଦିଗପହଣ୍ଡି ଆସନରେ ପ୍ରବଳ ଅନ୍ତଃକନ୍ଦଳ। ଏଠି ଦିବଙ୍ଗତ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ର ଆଉ ବହିଷ୍କୃତ ନେତା ବିପିନ ପ୍ରଧାନଙ୍କ ମଧ୍ୟରେ ବିବାଦ ତୀବ୍ର ରୂପ ନେଇଛି। ନିକଟରେ ବିପିନଙ୍କ ଗୋଷ୍ଠୀ ବ୍ଲକ୍ ଦଖଲ କରିଛନ୍ତି।
ସେହିପରି ଛତ୍ରପୁରରେ ସ୍ଥାନୀୟ ବିଧାୟକ ସୁବାସ ବେହେରା ବନାମ ବ୍ଲକ୍ ଅଧ୍ୟକ୍ଷାଙ୍କ ଗୋଷ୍ଠୀଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ଏମିତିକି 'ସୁବାସ ହଟାଅ, ବିଜେଡି ବଞ୍ଚାଅ' ସମାବେଶ କରିଥିଲେ ବିଜେଡି ନେତା ପୂର୍ବତନ ଉପନଗରପାଳ ଲକ୍ଷ୍ମୀ ପାଢୀ। ଆଉ ଆସ୍କାରେ ବିଧାୟିକା ମଞ୍ଜୁଳା ସ୍ୱାଇଁଙ୍କ ପୁଅ ନଚିକେତା ସ୍ୱାଇଁଙ୍କ ଗୋଷ୍ଠୀ ବିରୋଧରେ ଦଳ ଭିତରେ ତୀବ୍ର ଅସନ୍ତୋଷ। ମା-ପୁଅ ହଟାଅ ମଞ୍ଚ ଗଢ଼ିଛନ୍ତି ଖୋଦ ବିଜେଡି ନେତା। ସେହିପରି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସହ ବୁଗୁଡ଼ା ବ୍ଳକ୍ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବିବାଦ। ଏମତି ପ୍ରାୟ ସବୁ ନିର୍ବାଚନ ମଣ୍ଡଳୀରେ ସ୍ଥିତି ସଙ୍ଗୀନ। ଯେହେତୁ ପ୍ରଦୀପ ଦୀର୍ଘ ଦିନ ଧରି ବିଜେଡିର ଗଞ୍ଜାମ ଦାୟିତ୍ୱରେ ଥିଲେ, ତେଣୁ ନିଶ୍ଚିତ ଭାବେ ଫାଇଦା ବିଜେପିକୁ ଯାଇପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ମତବ୍ୟକ୍ତ କରିଛନ୍ତି।
ଆଜି ପ୍ରଦୀପଙ୍କ ସହ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହେବା ପରେ ଚର୍ଚ୍ଚା ହେଉଛି, ଆଗକୁ ଗଞ୍ଜାମରେ ବହୁ ହେଭିୱେଟ ଦଳ ପରିବର୍ତ୍ତନ କରିପାରନ୍ତି। ତାଙ୍କ ସହ ଅନେକ ବିଜେଡି ନେତା ଟଚ୍ରେ ଥିବା ନେଇ ପ୍ରଦୀପ ମଧ୍ୟ ଇଶାରା ଦେଇଛନ୍ତି। ତେଣୁ ଯଦି କନ୍ଦଳ ନଥମେ ତାହେଲେ, ପ୍ରଦୀପ ସମୀକରଣ ଶାସକ ଦଳ ପାଇଁ ଅଡୁଆ ହୋଇପାରେ।
ବିଜେଡିକୁ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଚାଉଳ କାହାର? ପ୍ରଚାର କାହାର? ସତ କୁହ ହେ। ଲୋକଙ୍କୁ ଫେସ୍ କର। କାମ କରିଛ, ଭୋଟ୍ ଦିଅ ବୋଲି କୁହ। ଖାଲି ଡାବାମାରି ଭୋଟ୍ ମାଗୁଛ କାହିଁକି? ଲେଖା ପାକ୍କା ଛିଡ଼ିଯିବ। ମିଶନ୍ ହିଞ୍ଜିଳି ଟୁ ଭୁବନେଶ୍ୱର ୧୦୦, ଦିଲ୍ଲୀ ୪୦୦। କମଳେ କମଳା। ଏକ ମନ, ଏକ ପ୍ରାଣ ଓ ଏକ ଲକ୍ଷ୍ୟରେ ମିଶି କାମ କଲେ କମଳ ନିଶ୍ଚିତ ଆସିବ। କର୍ମୀମାନେ ହେଉଛନ୍ତି ଆର୍ମି। ଆର୍ମି ଓ ସାଧାରଣ ଲୋକ ମିଶିଗଲେ ଲେଖା ଛିଡ଼ିଯିବ। କମଳ ନିଶ୍ଚିତ ଆସିବ। ଏମାନେ ଯେତେ ଶକ୍ତି ଲଗାଉଛନ୍ତି ଲଗାନ୍ତୁ ପଛେ, କିଛି ଲାଭ ହେବନି ବୋଲି ପାଣିଗ୍ରାହୀ କହିଛନ୍ତି।
ସେ ଆହୁରି କହିଛନ୍ତି, ସେମାନେ(ବିଜେଡି) ମୋ ବିରୋଧରେ ଖାଲି ବାଇଟ୍ ଦେଉଛନ୍ତି। ମୁଁ ସେମାନଙ୍କୁ କହୁଛି, କେତେ ବାଇଟ୍ ଦେଉଛ ଦିଅ, ସବୁ ଶକ୍ତିକୁ ଲଗାଇ ଦିଅ, ଯେତିକି ପଇସା ଲୋକଙ୍କଠାରୁ ଆଦାୟ କରିଛ, ତାକୁ ସବୁ ଦେଇଦିଅ, ହେଲେ ମଧ୍ୟ କିଛି ହୋଇପାରିବ ନାହିଁ। ମାଟି ପୂରା ଖାଲି। ଶଙ୍ଖ ଆଉଟ୍, ଫୁଲ ଇନ୍। କମଳେ କମଳା। ଲକ୍ଷ୍ମୀ ବସ୍ରେ ମାଆ ଲକ୍ଷ୍ମୀ ଆସିବେନି। ଲକ୍ଷ୍ମବସ୍ରେ ମାଆ ଲକ୍ଷ୍ମୀ ୫ ଟଙ୍କାରେ ଆସିବେ ନାହିଁ। କମଳ ଆସିଲେ ମାଆ ଲକ୍ଷ୍ମୀ ଆସିବେ। କମଳା ଆସିଲେ ଶାନ୍ତି, ଐଶ୍ୱର୍ଯ୍ୟ, ସୌଭାଗ୍ୟ ଆସିବ। ଲୋକଙ୍କର ଉନ୍ନତି ଘଟିବ। ଓଡ଼ିଶାରେ ନ୍ୟାୟ ଆସିବ। ଲୋକଙ୍କ ଭିତରେ ହସଖୁସି ଆସିବ। ସେଥିପାଇଁ ଏଥର କମଳେ କମଳା ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି।
ଆଉ ଦିନ ୧୧ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଦୀପ। ସେଠାରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ତାଙ୍କୁ ପଦ୍ମ ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସାମିଲ ହେବା କ୍ଷଣି ହିଁ ରାଜ୍ୟ ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ ପ୍ରଦୀପ। କହିଥିଲେ, ମିଶନ, ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରୁ ଆରମ୍ଭ ହୋଇ ଭୁବନେଶ୍ୱରରେ ଶେଷ ହେବ। ରାଜ୍ୟ ସରକାରକୁ ଅନ୍ଧ, ମୂକ, ବଧିର ସରକାର କହିବା ସହ ୨୦୧୪ରୁ ବିଜେଡି, ବିଜେପି ପାଖରେ ଅଘୋଷିତ ଆତ୍ମସମର୍ପଣ କରିଆସିଛି ବୋଲି ମଧ୍ୟ କହିଥିଲେ। ରାଜ୍ୟରେ ଅଫିସର ଶାସନକୁ ଟାର୍ଗେଟ କରି କହିଥିଲେ, ସଚିବାଳୟ ମନ୍ତ୍ରାଳୟ ହେବ।
ଏପଟେ ପ୍ରଦୀପ ପଦ୍ମ ପୋଖରୀକୁ ଡେଇଁବା ପରେ ଆରମ୍ଭ ହୋଇଯାଇଛି ଅଙ୍କ କଷା। ଗଞ୍ଜାମ ତଥା ଦକ୍ଷିଣ ଓଡିଶା ରାଜନୀତି ଉପରେ କ’ଣ ରହିବ ପ୍ରଭାବ ? କାହିଁକି ନା ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱରେ ଥିଲେ ପ୍ରଦୀପ। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ହିଞ୍ଜିଳି କଥା ମଧ୍ୟ ବୁଝୁଥିଲେ। ଟିକେଟ ଦେବାଠୁ ଆରମ୍ଭ କରି ନିର୍ବାଚନ ପରିଚାଳନା ଫଣ୍ଡ ମ୍ୟାନେଜମେଣ୍ଟ ଯାଏଁ, ସବୁ କିଛି ଥିଲା ପ୍ରଦୀପଙ୍କ ହାତରେ।
କିଛି ଦିନ ତଳେ କେବଳ ପ୍ରଦୀପ ବିଜେପିରେ ଯୋଗ ଦେବା ଚର୍ଚ୍ଚାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଆଟାକ୍ କରିଥିଲେ ବିଜେଡି ନେତା। ଏହା ସହ ଗଞ୍ଜାମରେ 5-T ଅଧ୍ୟକ୍ଷଙ୍କ କାର୍ଯ୍ୟକ୍ରମ ଦିନ ପ୍ରଦୀପ ପାଣିଗ୍ରାହୀଙ୍କ ଉପରକୁ ଆକ୍ରମଣ ସହ ବିରୋଧ କରିଥିଲେ ବିଜେଡି କର୍ମୀ। ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଦଳକୁ ପ୍ରଦୀପଙ୍କ ଭୟ। ଅନ୍ୟ ପଟେ ବିଜେଡି ଗଞ୍ଜାମ ଗଡ଼ ଦୁର୍ବଳ ହେବାରେ ଲାଗିଛି। କିଛି ଦିନ ହେବ ଜୋର ଧରିଲାଣି ଗୋଷ୍ଠୀ କନ୍ଦଳ। ଆଉ ଏସବୁ ମ୍ୟାନେଜ୍ କରିବାକୁ ସୂର୍ଯ୍ୟ ପାତ୍ରଙ୍କ ଦେହାନ୍ତ ପରେ ସାଂଗଠନିକ ଦକ୍ଷତା ଥିବା ବଳିଷ୍ଠ ନେତା ଜିଲ୍ଲାରେ ନାହାନ୍ତି। ତେବେ ବିଜେପିରେ ପ୍ରଦୀପ ସାମିଲ୍ ହେବାର କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ବିଜେଡି ନେତା।
ଏପଟେ ଚର୍ଚ୍ଚା ହେଉଛି ପ୍ରଦୀପଙ୍କ ପରେ ଅନେକ ବିଜେଡି ବିଧାୟକ ବିଜେପି ମୁହାଁ ହୋଇପାରନ୍ତି। ବିଜେଡିରୁ ଇସ୍ତଫା ଦେଇଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ, ବହିଷ୍କୃତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ମଧ୍ୟ ବିଜେପି ଯିବା ନେଇ ଚର୍ଚ୍ଚା ହେଉଛି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପାଣିଗ୍ରାହୀ କହିଛନ୍ତି, ଆଗରୁ ପତି ପତ୍ନୀ_ଓ ଥିଲା। ଏବେ ବିଜେଡି ନବୀନ_ଓ ହେଉଛି। ମୋ ନିର୍ବାଚନମଣ୍ଡଳୀର ଗୋପାଳପୁର ବିବେକ ବିହାରରେ ଆୟୋଜିତ ହୋଇଥିଲେ ନବୀନ_ଓ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୧୩ ହଜାରରୁ ଅଧିକ ପିଲାଙ୍କୁ ଅଣାଯାଇଥିଲା। ସଭା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛାତ୍ରମାନେ ଖାଲି ଜୟ ଶ୍ରୀରାମ ନାରା ପକାଇଥିଲେ। ଆମ ସାନ ଭାଇଟା ପୂରା ବାୟା ହୋଇଗଲା। ଏମିତି ସେ କେବେ ଭାବି ନଥିଲା। ଏତେ ପୁଲିସ୍ ଓ ଆଣ୍ଟ ଶାସନ ବ୍ୟବସ୍ଥା ଭିତରେ ଛାତ୍ରମାନେ ଜୟ ଶ୍ରୀରାମ ପକାଇବେ ବୋଲି। ମୋ ସାନ ଭାଇଟା ଦେଖିଲା ଆଉ କିଛି ହେବନି। ତେଣୁ ବାଧ୍ୟ ହୋଇ ଜୟ ଶ୍ରୀରାମ କହି ସଭା ଶେଷ କରିଥିଲେ। ସଭାରେ ସେ ବେଶୀ କିଛି କହିପାରିଲେ ନାହିଁ। ଏଥିରେ ସେ ବିଚଳିତ ହୋଇ ତା’ପର ଦିନ ତାଙ୍କ ଦ୍ୱାରା ପରିଚାଳିତ ଗଣମାଧ୍ୟମରେ ମୋ ନାଁରେ ବିଚାର ଚାଲିଥିବା ଭିଜିଲାନ୍ସ ମାମଲାର ପ୍ରେସ୍ ରିଲିଜ୍ ଜାରି କରିଥିଲେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ବିଜେଡି ସୋଶାଲ୍ ମିଡ଼ିଆରେ ଅପପ୍ରଚାର କରୁଥିବା ବିଜେପି ଓ କଂଗ୍ରେସ ଅଭିଯୋଗ କରୁଥିଲେ। ଆଜି ଏ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ସୋଶାଲ ମିଡ଼ିଆ ପରିଚାଳନା ପାଇଁ ପ୍ରତି ମାସରେ ବିଜେଡି ୬ କୋଟି ଟଙ୍କା ଖର୍ଚ୍ଚ କରୁଛି। ପ୍ରତି ନିର୍ବାଚନମଣ୍ଡଳୀରୁ ୧୮ରୁ ୨୪ ବର୍ଷର ପିଲାଙ୍କୁ ଶଙ୍ଖ ଭବନକୁ ଡାକି ସେମାନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲା ଯାଉଛି। ସେହି ଆକାଉଣ୍ଟ ମାଧ୍ୟମରେ ବିଜେଡି ସପକ୍ଷରେ ଓ ଅନ୍ୟମାନଙ୍କ ବିରୋଧରେ ଅପପ୍ରଚାର କରୁଛନ୍ତି। ଏଥିରେ ମାସକୁ ୬ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାର ହିସାବ ସେମାନେ ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପାଣିଗ୍ରାହୀ।
ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ଏବେ ପୁଣି ରାଜ୍ୟ ବୁଲା କାର୍ଯ୍ୟ ଚାଲିଛି। ବ୍ରହ୍ମପୁର ସର୍କିଟ ହାଉସ୍ରେ ଗଞ୍ଜାମ ଜିଲ୍ଲାରେ ପ୍ରତି ବିଧାୟକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ବିଜେଡିର ତଥାକଥିତ ପାୱାରଫୁଲ୍ ନେତା ଓ ତାଙ୍କ ଟିମ୍ ଡିସେମ୍ୱର ୧୩ ବା ୧୪ ତାରିଖରେ ଦେଇଛନ୍ତି। ଏହା ସତ ନା ମିଛ? ଏହାଛଡ଼ା ସବୁ ନିର୍ବାଚନମଣ୍ଡଳୀରେ ହେଉଥିବା ପତି ପତ୍ନୀ_ଓ କାର୍ଯ୍ୟକ୍ରମରେ ପିଲାମାନେ ଯୋଗଦେଉଛନ୍ତି। ହେଲେ ସେଥିରେ କୃଷକ ଓ ଶ୍ରମିକମାନେ କାହିଁକି ସାମିଲ୍ ହେଉନାହାନ୍ତି? ସେମାନେ କଣ କାମ କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ପ୍ରତିଦିନ ୧୦ ହଜାର ଲୋକଙ୍କୁ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଉଛନ୍ତି। ସେମାନେ ସେଠାରେ କ’ଣ ଶପଥ ନେଉଛନ୍ତି? କ’ଣ ବିଜେଡି ନବୀନ_ଓ ଙ୍କୁ ଭୋଟ୍ ଦେବା ପାଇଁ? ଆଗରୁ ପଞ୍ଚାୟତ ଓ ୱାର୍ଡ ନିର୍ବାଚନରେ କେତେକ ନେତା ଭୋଟ ପାଇବା ପାଇଁ ଠାକୁରଙ୍କ ଫଟୋ ଧରାଇ ଶପଥ ପାଠ କରାଉଥିଲେ। ଭାଇ ଆମର ଦେଖିଲେ ବ୍ୟକ୍ତିଗତ ଭାବେ କ’ଣ କରିବା? ଓଡ଼ିଶା ସରକାରଙ୍କ ଟଙ୍କା ହେଉଛି ବିଜେଡି ଟଙ୍କା। ସେହି ଟଙ୍କାରେ ପ୍ରତିଦିନ ୧୦ ହଜାର ଲୋକଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ପାଇଁ ନେଇ ବିଜେଡିକୁ ଭୋଟ ଦେବାକୁ ଶପଥ ପାଠ କରାଉଛନ୍ତି। ତା’ଛଡ଼ା ଆଉ କିଛି କରୁନାହାନ୍ତି। ଗରିବ ଲୋକମାନେ କ’ଣ କରିବେ? ପ୍ରସାଦ ଖାଇ ଫେରୁଛନ୍ତି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ଶ୍ରୀ ପାଣିଗ୍ରାହୀ କହିଛନ୍ତି, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ଅକ୍ଟୋବର ୧୨ ତାରିଖରେ ନିଜର ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଥିଲେ। ହେଲେ ସେହି କଥାକୁ ଆଜି ପର୍ଯ୍ୟନ୍ତ କାହିଁକି ଚପାଇ ରଖାଯାଇଛି? ତେଲକୋଇ ବ୍ଲକର ୨୨ ଜଣ ସରପଞ୍ଚ ସାମୂହିକ ଇସ୍ତଫା ଦେବା ପଛର କ’ଣ କାରଣ? ଗୁରୁବାର ଜଗନ୍ନାଥ ପ୍ରସାଦ ବ୍ଲକରେ ୧୦ ଜଣ ସରପଞ୍ଚ ରାଜ୍ୟପାଳଙ୍କୁ ଦେଖାକରିଥିଲେ। ବ୍ୟବସ୍ଥା ଭିତରେ ଜନପ୍ରତିନିଧିମାନଙ୍କୁ କାମ କରିବା ପାଇଁ କାହିଁକି ଦିଆଯାଉ ନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ। ଏହା ଘଟଣା ସତ ନା ମିଛ ବୋଲି ଶ୍ରୀ ପାଣିଗ୍ରାହୀ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, ଗତ ୨୪ ବର୍ଷ ଭିତରେ ଆମ ସାର ଭଲରେ ଓଡ଼ିଆରେ କହିପାରିଲେ ନାହିଁ। ସମୟ ପଳାଇଗଲା। ୨୪ ବର୍ଷ ପରେ ଖାଲି ପୁରସ୍କାର ଦେଉଛନ୍ତି। ଦୁଇ ଦିନ ତଳେ ଶିକ୍ଷକମାନଙ୍କୁ ୭୫୧୯ ପୁରସ୍କାର ଦେଇଛନ୍ତି। ସ୍କୁଲରେ ଶିକ୍ଷକ ନାହାନ୍ତି, ପାଠ ପଢ଼ା ହେଉନି। ପିଲାମାନେ ମାଟି ହୋଇଗଲେଣି। ମାତ୍ର ଶିକ୍ଷକମାନଙ୍କୁ ପୁରସ୍କାର ଦେଉଛନ୍ତି। ଆଉ ସାରମାନେ ଖୁସି ହୋଇଯାଉଛନ୍ତି। ପୁରସ୍କାର ପାଇଥିବାରୁ ଶିକ୍ଷକମାନେ ଆଗାମୀ ବିଧାନସଭା ଅଧିବେଶନ ବେଳେ ଆଉ ଧର୍ମଘଟ କରିବେ ନାହିଁ ବୋଲି ମୋତେ ଲାଗୁଛି ବୋଲି ସେ କହିଛନ୍ତି।
୨୦୨୨ ଜୁନ୍ ୯ତାରିଖରେ ଭିଜିଲାନ୍ସ ପକ୍ଷରୁ ଏହି ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ଦାଖଲ କରାଯାଇଥିଲା । ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଶ୍ରୀ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ଭିଜିଲାନ୍ସ ତଥ୍ୟ ଦସ୍ତାବିଜ ସହ ୩ହଜାର ପୃଷ୍ଠାର ଚାର୍ଜସିଟ୍ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦାଖଲ କରିଥିବା ସୂଚନା ଦେଇଛି । ୨୦୨୩ ଏପ୍ରିଲ ୨୨ତାରିଖରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହାକୁ ବିଚାରକୁ ନେଇ ବିଧାୟକ ଓ ତାଙ୍କ ପତ୍ନୀଙ୍କ ବିରୁଦ୍ଧରେ ଟ୍ରାଏଲ ଆରମ୍ଭ କରିବା ପାଇଁ ଆଜି ଚାର୍ଜଫ୍ରେମ କରିଛନ୍ତି ।
ଅନ୍ୟପକ୍ଷରେ ରାଜନୀତିକ ମହଲରେ ହେଉଥିବା ଚର୍ଚ୍ଚା ଅନୁସାରେ ଶ୍ରୀ ପାଣିଗ୍ରାହୀ ଏବେ ଗଞ୍ଜାମ ଜିଲ୍ଲାରେ ଶାସକ ବିଜେଡି ବିରୁଦ୍ଧରେ ଜନମତ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ଚାପଗ୍ରସ୍ତ କରିବା ପାଇଁ ଏଭଳି କରାଯାଇଛି । ଶ୍ରୀ ପାଣିଗ୍ରାହୀ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଛି ।
ସ୍ପେଶାଲ କୋର୍ଟ ଶ୍ରୀ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକ(ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ନାଁରେ ଚାର୍ଜଫ୍ରେମ୍ କରିଛନ୍ତି ।
ସୂଚନା ଅନୁସାରେ ଭୁବନେଶ୍ୱରର ଜେଏମଏଫସି କୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀ, ଆକାଶ ପାଠକ ଓ ସର୍ବେଶ୍ୱର ରାଓଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୧୯,୪୨୦,୪୬୭,୪୬୮,୪୬୯,୪୭୧ ଓ ୧୨୦-ଖ ସମେତ ଆଇଟି ଆକ୍ଟର ଧାରା ୬୬-ଗ ଓ ଘରେ ଚାର୍ଜଫ୍ରେମ୍ ହୋଇଛି । କ୍ରାଇମବ୍ରାଂଚର କେସ୍ ନମ୍ବର ୨୬/୨୦୨୦ ମାମଲାରେ କୋର୍ଟ ଏହି ଚାର୍ଜଫ୍ରେମ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କ୍ରାଇମବ୍ରାଂଚ ଅଭିଯୋଗ ଅନୁସାରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର ସହଯୋଗୀ ଶ୍ରୀ ରାଓ ଓ ଶ୍ରୀ ପାଠକ ମିଳିତ ଭାବେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ତୋଷାରପାତ କରିଛନ୍ତି । ପୁଲିସ ଏହି ମାମଲାରେ ସେମାନଙ୍କୁ ଗିରଫ କରିଥିଲା।
ଲୋକାୟୁକଙ୍କ ନିର୍ଦ୍ଦେଶ ଆଧାରରେ ପ୍ରଦୀପଙ୍କ ବିରୋଧରେ ଭିଜିଲାନ୍ସ ୨୦୨୧ ଅକ୍ଟୋବର ୪ ତାରିଖରେ ମାମଲା କରି ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ପ୍ରଦୀପଙ୍କ ଘରେ ଖୋଳତାଡ଼ ହୋଇଥିଲା। ତାଙ୍କ ରୋଜଗାର ଓ ଖର୍ଚ୍ଚର ସମସ୍ତ ଉତ୍ସକୁ ବାହାର କରିଥିଲା। ତଦନ୍ତ ବେଳେ ସେ ଓ ତାଙ୍କ ପତ୍ନୀ ପ୍ରାୟ ୯ କୋଟି ୧୮ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତିର ଠିକ୍ ଭାବେ ହିସାବ ଦେଇପାରି ନ ଥିବା ଭିଜିଲାନ୍ସ ରିପୋର୍ଟ ଦେଇଛି। ତେବେ ଲୋକାୟୁକ୍ତଙ୍କ ନିକଟରେ ୨୦୨୨ ଜୁନ୍ ୯ ତାରିଖରେ ଏହି ରିପୋର୍ଟ ଦେବାରେ ଭିଜିଲାନ୍ସ ଫେଲ୍ ମାରିଥିଲା।
ପରେ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରି ଚଳିତ ମାସ ୨୦ ତାରିଖରେ ପ୍ରଦୀପ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଚାର୍ଜସିଟ୍କୁ ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏକଦା ବିଜେଡିର କ୍ଷମତାଶାଳୀ ମନ୍ତ୍ରୀ ଥିବା ପ୍ରଦୀପ। ଶାସନକଳ ବିରୋଧରେ ତୁଣ୍ଡ ଉଠାଇବା ତାଙ୍କୁ ପରେ ଭାରି ପଡ଼ିଛି।
ଦୀର୍ଘ ଦିନର ନୀରବତା ପରେ ପୁଣି ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ। ସତ୍ୟସାଇ ଭଜନମଣ୍ଡଳୀରେ ଯୋଗଦେଇ ସେ କହିଛନ୍ତି, ୨୩ ବର୍ଷ ପରେ ଗଞ୍ଜାମ ଜିଲ୍ଲାକୁ ଏକ ନମ୍ବର କରିବାକୁ ସ୍ୱପ୍ନ ଦେଖାଉଛନ୍ତି। ହେଲେ ୨୩ ବର୍ଷ ପୂର୍ବରୁ କୁଆଡେ ଯାଇଥିଲେ? ଶଙ୍ଖକୁ ଗର୍ବ କହିବାର କାରଣ କ’ଣ? ନବୀନ ବାବୁ ଗର୍ବ ବା ଜଗନ୍ନାଥ ଆମର ଗର୍ବ ବୋଲି କହିଲେ ଭଲ ଲାଗିଥାନ୍ତା। ୨୩ ବର୍ଷ ପରେ ଲୋକ କ’ଣ ଶଙ୍ଖ ଚିହ୍ନକୁ ଭୁଲିଗଲେଣି କି? ସେଥିପାଇଁ ଶଙ୍ଖ ମୋର ଗର୍ବ ବୋଲି କହୁଛନ୍ତି। ଗୋପାଳପୁର ଏୟାପୋର୍ଟ କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, ଜିଲ୍ଲାର ବରିଷ୍ଠ ନେତାମାନଙ୍କୁ ସାଇଡ଼ଲାଇନ୍ କରିଦିଆଯାଇଛି। ୨୦୨୩ରେ କବିସୂର୍ଯ୍ୟ ବଳଦେବ ରଥ ଓ ଉପେନ୍ଦ୍ର ଭଞ୍ଜଙ୍କ କଥା ମନେ ପଡ଼ିଗଲା। କବିସୂର୍ଯ୍ୟ ବଳଦେବ ରଥ ଓ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଉପରେ ସେମାନଙ୍କର ଧାରଣା ଅଛି ତ? ଚକରା ବିଷୋୟୀ କୁଆଡ଼େ ଗଲେ? ଗଞ୍ଜାମ ପାଇଁ ଚକରା ବିଷୋୟୀଙ୍କର କ’ଣ କିଛି ଅବଦାନ ନାହିଁ? ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ, ବିନାୟକ ଆଚାର୍ଯ୍ୟଙ୍କ ପରି ବହୁ ବରପୁତ୍ରଙ୍କର କ’ଣ କିଛି ଅବଦାନ ନାହିଁ ବୋଲି ପ୍ରଶ୍ନ ପଚାରିଛନ୍ତି ପ୍ରଦୀପ।
ସେ ଆହୁରି କହିଛନ୍ତି, ସିଏମ୍ ସାର୍ ଏକାମ୍ର କ୍ଷେତ୍ରରେ ରହୁଛନ୍ତି। ଶ୍ରୀକ୍ଷେତ୍ର ଯାଉଛନ୍ତି। ବେଳେ ବେଳେ ଅର୍କକ୍ଷେତ୍ର ପରିଦର୍ଶନ କରୁଛନ୍ତି। ସେହି ସବୁ କ୍ଷେତ୍ରରେ ୫ଟି ପୁଷ୍କରିଣୀ ରହିଛି। ଲକ୍ଷ ଲକ୍ଷ ବର୍ଷ ହେଲା ସେହି ପୋଖରୀ ରହିଛି। ସେଠାରୁ ପାଣିନେବା ପାଇଁ ହଜାର ହଜାର ଲୋକ ଆସୁଛନ୍ତି। ୨୩ ବର୍ଷ ହେଲା ସେହି ପବିତ୍ର ପୁଷ୍କରିଣୀ ଉଦ୍ଧାର ହୋଇପାରିଲା ନାହିଁ। ତା’ପରେ ସାର୍ ଆମର କହୁଛନ୍ତି ୱାର୍ଲଡର ଏକ ନମ୍ୱର। ଯିଏ ୫ଟା ପୋଖରୀ ଉଦ୍ଧାର କରିପାରିଲେ ନାହିଁ, ସିଏ କି ନମ୍ୱର ୱାନ୍ ବୋଲି କହିଛନ୍ତି ପ୍ରଦୀପ।
ସେ କହିଛନ୍ତି, ଗୋପଳପୁର ନିର୍ବାଚନମଣ୍ଡଳୀ ମୋ ହାର୍ଟ। ବହୁତ କଥା କହିବାର ଅଛି। ସମୟ ଆସିଲେ କହିବି। ଯାହା କହିବି ଲୋକଙ୍କ ଉପରେ ପ୍ରଭାବ ପଡିବ। ଗଞ୍ଜାମ ରାଜନୀତିରେ ଲୋକ ଚାହୁଁଛନ୍ତି ପରିବର୍ତ୍ତନ କରିବାକୁ। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଛତ୍ରପୁରରେ ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି। ସିଏମ୍ ଅଫିସ୍ ହେଉଛି କରପ୍ସନ, କଲେକ୍ସନ ଓ କନ୍ସପିରେସିର ପେଣ୍ଠସ୍ଥଳ। ସେଇଠାରୁ ଏସବୁ ଯୋଜନା ହେଉଛି ଶ୍ରୀ ପାଣିଗ୍ରାହୀ କହିଛନ୍ତି।
ପ୍ରଦୀପଙ୍କ ଅଭିଯୋଗ ନେଇ ଗଞ୍ଜାମ ବିଜେଡି ଜିଲ୍ଲା ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି, ପ୍ରଦୀପଙ୍କ ମୁଣ୍ଡ ଖରାପ ହୋଇଗଲାଣି। ଦୁର୍ନୀତି ଅଭିଯୋଗରେ ବିଜେଡି ପ୍ରଦୀପଙ୍କୁ ବହିଷ୍କୃତ ହୋଇଛନ୍ତି। ଦଳରୁ ବାହାରିବା ପରେ ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ କଡ଼ା ସମାଲୋଚନା କରିଛନ୍ତି ବୋଲି ସେ କହିଛନ୍ତି।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କ ବିବାହ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ହେବା ନିମନ୍ତ ସବୁ ସ୍ଥିର ହୋଇ ସାରିଥିଲା। ହେଲେ ଏହା ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଓ ଠକେଇ ମାମଲାରେ ପ୍ରଥମେ ଉଭୟ ପାଠକ ବାପ, ପୁଅ ଓ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ଖୋଳତାଡ଼ ବେଳେ ବିଧାୟକ ପାଣିଗ୍ରାହୀଙ୍କ ଝିଅ ଆକାଉଣ୍ଟକୁ ଖୋଳତାଡ଼ କରାଯାଇଥିଲା। ଉକ୍ତ ସମୟରେ ତାଙ୍କ ଆକାଉଣ୍ଟରେ ବହୁ କାରବାର ହୋଇଥିବା ଜଣାପଡ଼ିଥିଲା। ଏହି ମାମଲାର ତଦନ୍ତ ନିମନ୍ତେ ଶ୍ରୁତିଙ୍କୁ ପଚରାଉଚରା ପାଇଁ ଡାକିଥିଲା ଇଡି। ହେଲେ ଦୀର୍ଘ ଦିନ ହେଲା ବିଭିନ୍ନ ଆଳ ଦେଖାଇ ଏହାକୁ ଏଡ଼ାଇ ଯାଉଥିବା ଶ୍ରୁତି ଆଜି ଇଡିରେ ହାଜର ହୋଇଛନ୍ତି।
ସୂଚନାଯୋଗ୍ୟ, ୯.୩ କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଅଭୟ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଥିଲା । ଗତ ଜୁନ୍ ମାସରେ ଅଭୟକାନ୍ତ ଜାମିନରେ ମୁକୁଳିଥିଲେ । ଏହାପରେ ଅକ୍ଟୋବର ୫ ଓ ପରେ ଗତ ୨୫ ତାରିଖରେ ଅଭୟକାନ୍ତଙ୍କୁ ଇଡି ପକ୍ଷରୁ ଜେରା କରାସରିଛି। ଏହା ପୂର୍ବରୁ ତାଙ୍କ ପୁଅ ଆକାଶ ପାଠକକଙ୍କୁ ମଧ୍ୟ ଇଡି ଜେରା କରିସାରିଛି ।
ଏହି ଘଟଣାରେ ରାଜ୍ୟ ସରକାରଙ୍କ ସୁପାରିଶ ଆଧାରରେ ଦୁର୍ନୀତି, ଭ୍ରଷ୍ଟାଚାର ଓ କ୍ଷମତାର ଅପବ୍ୟବହାର ଅଭିଯୋଗରେ ଗତ ମେ’ ମାସରେ କେନ୍ଦ୍ର ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ । ହେଲେ ଆକାଶା ପାଠକ ଏଯାଏ ଜେଲ୍ରୁ ମୁକୁଳି ପାରି ନାହାନ୍ତି।
ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲୋକାୟୁକ୍ତ ଦେଇଥିବା ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ଦେଇଥିଲେ। ତା’ ସହିତ ନିଜ ଏଜେନ୍ସି ଦ୍ୱାରା ତଦନ୍ତ କରିବାକୁ ଲୋକାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଲୋକାୟୁକ୍ତ ସୁପ୍ରିମକୋର୍ଟ ଯାଇଥିଲେ। ଏଥିପାଇଁ ସୁପ୍ରିମକୋର୍ଟରେ ଲୋକାୟୁକ୍ତ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବା ଅଭିଯୋଗ କରିଛନ୍ତି ବିଧାୟକ ଶ୍ରୀ ପାଣିଗ୍ରାହୀ। ତାଙ୍କ ପକ୍ଷରୁ ମାମଲା ଲଢୁଛନ୍ତି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।
ସୂଚନାଯୋଗ୍ୟ, ଗତ ଜୁନ୍ ମାସରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଜାମିନ୍ ପାଇ ଜେଲ୍ରୁ ମୁକୁଳିଥିଲେ। ତାଙ୍କ ନାଁରେ ମୋଟ ୬ଟି ମାମଲା ରହିଛି। ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ସେ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମର ଭିନ୍ନ ଭିନ୍ନ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ଆକାଶ ପାଠକ ଏବେ ବି ଜେଲ୍ରେ ଅଛନ୍ତି। ତାଙ୍କ ବାପା ଅଭୟକାନ୍ତ ପାଠକ ଜାମିନ୍ରେ ଜେଲ୍ରୁ ମୁକୁଳିଛନ୍ତି।
୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତା’ସହିତ ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଣମାଧ୍ୟମରେ କୌଣସି ବିବୃତ୍ତି ନଦେବାକୁ ତଥା ସାକ୍ଷୀମାନଙ୍କୁ ଧମକଚମକ ନଦେବାକୁ ସର୍ତ୍ତ ରଖାଯାଇଛି।
ପ୍ରଦୀପଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ୫ଟିରେ ତାଙ୍କୁ ଜାମିନ ମିଳି ସାରିଥିଲା। ଆଜି ଷଷ୍ଠ ମାମଲାରେ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତେବେ ସେ ଜେଲ୍ରୁ ମୁକ୍ତ ହେବେ କି ନାହିଁ, ତାହା ସ୍ପଷ୍ଟ ହୋଇପାରି ନାହିଁ।
ହାଇକୋର୍ଟରେ ତାଙ୍କର ଆଉ କୌଣସି ମାମଲା ନାହିଁ। କିନ୍ତୁ ଜେଲ୍ରେ ମୋବାଇଲ୍ ବ୍ୟବହାର କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ଯଦି ସେଥିରେ ତାଙ୍କୁ ନିମ୍ନକୋର୍ଟରୁ ଜାମିନ୍ ମିଳିସାରିଥିବ, ତା’ହେଲେ ସେ ଜେଲ୍ରୁ ମୁକ୍ତ ହୋଇପାରନ୍ତି। ତେବେ ଏନେଇ ତାଙ୍କ ଆଡ୍ଭୋକେଟ୍ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଜରିଆରେ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଲୋକଙ୍କ ଠାରୁ ଟଙ୍କା ଆଦାୟ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ଗଞ୍ଜାମର ଭିନ୍ନ ଭିନ୍ନ ଥାନାରେ ତାଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଥିଲା।
ସୂଚନାଯୋଗ୍ୟ, ଦୁଇ ଦିନ ପୂର୍ବରୁ ଆକାଶ ପାଠକ ଓ ତାଙ୍କ ବାପା ତଥା ପୂର୍ବତନ ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଥିଲା। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଗୋଳନ୍ଥରା ଥାନାରେ ହୋଇଥିବା ମାମଲାରେ ସେମାନଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଉଭୟଙ୍କ ନାଁରେ ଅନ୍ୟାନ୍ୟ ମାମଲା ଥିବାରୁ ସେମାନେ ଜେଲ୍ରୁ ବାହାରି ପାରି ନାହାନ୍ତି।
ନିଜକୁ ଟାଟା ମୋଟର୍ସର ଏମ୍ଡି ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।
ଗତକାଲି ଝାରପଡ଼ା ଜେଲ୍ରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ସମସ୍ତଙ୍କୁ ଆଇସୋଲେସନ୍ କରି ରଖାଯାଇଛି। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ଓ ପାଠକ ଅଛନ୍ତି। ସେମାନଙ୍କୁ ଏବେ ଆଇସୋଲେସନ୍ କରି ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି।
ଜେଲ୍ରେ କରୋନା ଅକ୍ରାନ୍ତ ବଢ଼ୁଥିବା ଦେଖି ଜେଲ୍ ବିଭାଗ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଥିଲେ। ସବୁ ଜେଲ୍ରେ କୋଭିଡ୍ ଗାଇଡ୍ଲାଇନ୍ ପାଳନ କରିବାକୁ ପରାମର୍ଶ ଦିଆଯାଇଥିଲା।
୫ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ଶ୍ରୀ ପାଣିଗ୍ରାହୀଙ୍କୁ ଜାମିନ ମିଳିଛି। ତା’ସହିତ ୨୪ ଲକ୍ଷ ଟଙ୍କା ନଗଦ ଜମା କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଦୀପଙ୍କୁ ଗତବର୍ଷ ଡିସେମ୍ବର ୪ ତାରିଖରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି, IT ଆକ୍ଟ ୨୦୦୦ର ଦଫା ୬୬C ଓ Dରେ ମାମଲା ରୁଜୁ ହୋଇଛି।
ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ସେ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ରହିଛି। ଏହା ସହିତ ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧରେ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।
ଡିସେମ୍ବର ୩ ସଞ୍ଜ ବେଳେ ପ୍ରଦୀପ ପାଣିଗ୍ରାହୀଙ୍କୁ ତାଙ୍କ ସରକାରୀ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲେ। ଏଥିପାଇଁ ନୋଟିସ୍ କରି ନଥିଲା। ଏହା କିଛି ସମୟ ପରେ କ୍ରାଇମବ୍ରାଞ୍ଚ ଟ୍ୱିଟ୍ କରିଥିଲା। ପ୍ରଦୀପଙ୍କୁ ଗିରଫ କରାଯାଇଥିବା କହିଥିଲା।
ଗିରଫ ହେବା ପୂର୍ବରୁ ଗତବର୍ଷ ନଭେମ୍ବର ମାସ ୨୯ ତାରିଖରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଥିଲା।
‘ଜନ ବିରୋଧୀ’ କାର୍ଯ୍ୟ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା ଦଳୀୟ ପ୍ରେସ୍ ରିଲିଜ୍ରେ କୁହାଯାଇଥିଲା।
ସୁଜାତା କହିଛନ୍ତି-“ଆମ ପରିବାରକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ଚାଲିଛି। ଅଭୟକାନ୍ତ ପାଠକଙ୍କ ଆକାଉଣ୍ଟକୁ ପ୍ରଦୀପଙ୍କ ଆକାଉଣ୍ଟରୁ ଜମାରୁ ଟଙ୍କା ଯାଇନି। ବାହାଘର ଠିକ୍ ହୋଇଥିବାରୁ କେବଳ ଆକାଶଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି।”
ସେ ଆହୁରି କହିଛନ୍ତି-“ଜନବିରୋଧୀ କାର୍ଯ୍ୟ କଣ ଆଜି ପର୍ଯ୍ୟନ୍ତ ତା’ର ପ୍ରମାଣ ଦେଇପାରିଲେନି। ଗଞ୍ଜାମରେ ଯେତେ ଉନ୍ନୟନ ମୂଳକ କାମ ହୋଇଛି, ସେସବୁ କଣ ଜନ ବିରୋଧୀ? ୨୦ ବର୍ଷ ଧରି ଅକ୍ଳାନ୍ତ ପରିଶ୍ରମ କରିଥିବାରୁ ପ୍ରଦୀପଙ୍କୁ ଏହା ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର।”
IFS ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କୁ ରିମାଣ୍ଡରେ ନେବ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୁଲିସ। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନକ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି SDJM କୋର୍ଟ। ଅଭୟ ଗୋଟିଏ ଓ ଆକାଶ ୨ଟି ମାମଲାରେ ରିମାଣ୍ଡରେ ଯିବେ। ପୂର୍ବରୁ ଗୋଳନ୍ଥରା ଥାନାରେ ହୋଇଥିବା ୩ଟି ଠକେଇ ମାମଲାରେ ୨ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିଥିଲା। ହେଲେ ବ୍ରହ୍ମପୁର ଏସ୍ଡିଜେଏମ୍ କୋର୍ଟ ଦିନକ ପାଇଁ ଅନୁମତି ଦେଇଛନ୍ତି।
ଆଜି ପାଠକ ବାପ-ପୁଅଙ୍କୁ ୨ଟି ସ୍ୱତନ୍ତ୍ର ଏସ୍କର୍ଟ ଗାଡିରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରୁ ବାହାରିବା ବେଳେ ପାଠକ ବାପ-ପୁଅ, ତାଙ୍କ ବିରୋଧରେ ହୋଇଥିବା ମାମଲାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଆଜି କୋର୍ଟରେ ପ୍ରଦୀପ ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଆକାଶଙ୍କ ପାଇଁ କୋର୍ଟରେ ୱାକଲତନାମା ଦାଏର କରିଥିଲେ।