‘Pranab, My Father: A Daughter Remembers’ ନାଁରେ ଏକ ପୁସ୍ତକ ଲେଖିଥିବା ଶର୍ମିଷ୍ଠା କହିଛନ୍ତି, ଯେତେବେଳେ ମୋ ବାବା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସେତେବେଳେ ସେ ତାଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ସଂପର୍କରେ ପୂରା ସ୍ପଷ୍ଟ ଥିଲେ। ଜଣେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସଂପର୍କ କେବଳ ବ୍ୟକ୍ତିଗତ ସମ୍ମାନରେ ଗଢ଼ି ଉଠେ ନାହିଁ। ରାଷ୍ଟ୍ରପତି ଭାବେ ମୋ ବାବା ବିଶ୍ୱାସ କରୁଥିଲେ ଯେ ଏକ ନିର୍ବାଚିତ ସରକାରର କାର୍ଯ୍ୟକଳାପରେ ହସ୍ତକ୍ଷେପ ନ କରିବା ମଧ୍ୟ ତାଙ୍କର ଏକ ଦାୟିତ୍ୱ। ସେଥିପାଇଁ ପ୍ରଥମ ସାକ୍ଷାତରେ ସେ ଖୋଲାଖୋଲି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲେ, ଆମେ ଦୁଇଟି ଭିନ୍ନ ଭିନ୍ନ ଆଦର୍ଶରୁ ଆସିଛନ୍ତି। କିନ୍ତୁ ଲୋକେ ଆପଣଙ୍କୁ ଭୋଟ୍ ଦେଇଛନ୍ତି। ମୁଁ ସରକାରରେ ହସ୍ତକ୍ଷେପ କରିବି ନାହିଁ। ତାହା ଆପଣଙ୍କ କାମ। କିନ୍ତୁ ଯଦି ଆପଣ କେବେ କୌଣସି ସାମ୍ବିଧାନିକ ପ୍ରସଙ୍ଗରେ କୌଣସି ସାହାଯ୍ୟ ଆବଶ୍ୟକ କରିବେ, ତା’ହେଲେ ମୁଁ ନିହାତି ସହଯୋଗ କରିବି।
ଏ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ପଷ୍ଟ କରିଛନ୍ତି। ଶର୍ମିଷ୍ଠା କହିଛନ୍ତି, ମିଷ୍ଟର ମୋଦି ନିଜେ ମୋତେ ଏହା ବିଷୟରେ କହିଥିଲେ। ସେ କହିଥିଲେ, ଦାଦା ଏହି କଥା କହିବା ମୋ ପାଇଁ ବହୁତ ବଡ଼।
ଶର୍ମିଷ୍ଠା କହିଛନ୍ତି, ମୁଁ ଭାବୁଛି ଏହା ଭାରି ଅଦ୍ଭୁତ। କାରଣ ଦୁହେଁ ଭିନ୍ନ ଭିନ୍ନ ଆଦର୍ଶରୁ ଆସିଥିଲେ। ତେବେ ସେମାନଙ୍କ ସଂପର୍କ ପ୍ରକୃତରେ ବହୁତ ବର୍ଷ ତଳୁ ଗଢ଼ି ଉଠିଥିଲା। ସେତେବେଳେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇନଥିଲେ।
ସେ କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି) କହିଥିଲେ ଯେ ସେ ସେତେବେଳେ ଜଣେ ସାଧାରଣ ଦଳୀୟ କର୍ମୀ ଭାବେ ବିଭିନ୍ନ କାମ ପାଇଁ ଦିଲ୍ଲୀ ଆସୁଥିଲେ ଓ ମର୍ଣ୍ଣିଂ ୱାକ୍ ବେଳେ ବାବାଙ୍କୁ ଭେଟୁଥିଲେ। ସେ କହିଥିଲେ ଯେ ବାବା ସବୁବେଳେ ତାଙ୍କ ସହିତ ବହୁତ ଭଲରେ କଥା ହେଉଥିଲେ। ସେ ସବୁ ବେଳେ ବାବାଙ୍କୁ ଚରଣ ସ୍ପର୍ଶ କରି ପ୍ରଣାମ କରୁଥିଲେ। ଚରଣ ସ୍ପର୍ଶ କଥା ବାବା ତାଙ୍କ ଡାଏରୀରେ ମଧ୍ୟ ଉଲ୍ଲେଖ କରିଥିଲେ।
ଶର୍ମିଷ୍ଠା କହିଛନ୍ତି, ବାବା ଲେଖିଛନ୍ତି- ସେ କଂଗ୍ରେସ ସରକାର ଓ ଏହାର ନୀତିଗୁଡ଼ିକୁ କଡ଼ା ସମାଲୋଚନା କରୁଥିଲେ। କିନ୍ତୁ ଯେତେବେଳେ ବ୍ୟକ୍ତିଗତ ଭାବେ ଭେଟୁଥିଲେ, ସବୁବେଳେ ମୋ ଚରଣ ସ୍ପର୍ଶ କରି ପ୍ରଣାମ କରୁଥିଲେ। ସେ କହୁଥିଲେ ଏହା ତାଙ୍କୁ ବହୁତ ଆନନ୍ଦ ଦିଏ। ମୁଁ ବୁଝିପାରେନି କାହିଁକି...।
ସେ କହିଛନ୍ତି, ମିଷ୍ଟର ମୋଦି ଓ ବାବାଙ୍କ ଭିତରେ ପ୍ରାରମ୍ଭରୁ ଏକ ଭଲ ସଂପର୍କ ରହି ଆସିଥିଲା। ତେବେ ଏହାର ଅର୍ଥ ନଥିଲା ଯେ ରାଷ୍ଟ୍ରପତି ଭାବେ ମୋ ବାବା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେବେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରି ନଥିଲେ।
ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତକର ‘ଦ ପିଏମ୍ ଇଣ୍ଡିଆ ନେଭର ହର୍ଡ’ ଅଧ୍ୟାୟରେ ଶର୍ମିଷ୍ଠା ଲେଖିଛନ୍ତି, ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ରେସ୍ରୁ ଓହରିଯିବା ପରେ କିଏ ସେହି ପଦରେ ବସିବେ, ତାକୁ ନେଇ ଗଣମାଧ୍ୟମ ଓ ରାଜନୀତି ମହଲରେ ନାନା ପ୍ରକାର କଳ୍ପନାଜଳ୍ପନା ଚାଲିଥିଲା। ଡ଼. ମନମୋହନ ସିଂହ ଓ ପ୍ରଣବ ମୂଖାର୍ଜୀଙ୍କ ନାଁ ସର୍ବାଗ୍ରେ ଥିଲା। ସେତେବେଳେ କିଛି ଦିନ ଧରି ମୁଁ ବାପାଙ୍କୁ ଭେଟିବାକୁ ସୁଯୋଗ ପାଇନଥିଲି। କାରଣ ସେ ବହୁତ ବ୍ୟସ୍ତ ରହୁଥିଲେ। ତେବେ ମୁଁ ତାଙ୍କ ସହିତ ଫୋନ୍ରେ କଥା ହୋଇଥିଲି। ସେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି କି ବୋଲି ମୁଁ ଉତ୍ସାହିତ ହୋଇ ତାଙ୍କୁ ପଚାରିଥିଲି। ସେ ପୂରା ସିଧା ଉତ୍ତର ଦେଇଥିଲେ। ସେ କହିଥିଲେ, ‘ନାଁ, ସେ ମୋତେ ପ୍ରଧାନମନ୍ତ୍ରୀ କରିବେ ନାହିଁ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବେ। ତେବେ ଏ କଥା ସେ (ସୋନିଆ ଗାନ୍ଧୀ) ଯେତେ ଶୀଘ୍ର ପାରିବେ ଘୋଷଣା କରି ଦେବା ଉଚିତ। ଏହି ଅନିଶ୍ଚିତତା ଦେଶ ପାଇଁ ଭଲ ନୁହେଁ।
ଶର୍ମିଷ୍ଠା ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ହୋଇନପାରିବାରୁ ପ୍ରଣବ ମୂଖାର୍ଜୀ ଦୁଃଖିତ ଥିଲେ କି ନାହିଁ, ତାହା ଜଣାପଡ଼ିନି। କାରଣ ସେ ତାଙ୍କ ଡାଏରୀରେ କୌଣସି ଠାରେ ଏ ବିଷୟରେ କିଛି ଉଲ୍ଲେଖ କରି ନଥିଲେ। ତେବେ ସେ ଜଣେ ସାମ୍ବାଦିକଙ୍କୁ କହିଥିଲେ ଯେ ସୋନିଆ ଗାନ୍ଧୀ ତାଙ୍କୁ ପ୍ରଧାନମନ୍ତ୍ରୀ କରିବେ ବୋଲି ସେ କୌଣସି ଆଶା ରଖି ନଥିଲେ। ଶର୍ମିଷ୍ଠା ତାଙ୍କ ପୁସ୍ତକରେ ଲେଖିଛନ୍ତି, ଯଦି ଆଶା ନଥିଲା, ତା’ହେଲେ ଦୁଃଖ ମଧ୍ୟ ନଥିଲା।
ସେ ଆହୁରି ଲେଖିଛନ୍ତି, ସାଧାରଣରେ ଏହା ବିଶ୍ୱାସ କରାଯାଉଥିଲା ଯେ କେବଳ ୨୦୦୪ ନୁହେଁ, ୧୯୮୪ ମସିହାରେ ମଧ୍ୟ ପ୍ରଣବ ମୂଖାର୍ଜୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଥିଲା। ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ ତାଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି ହୋଇଥିଲା।
ଶର୍ମିଷ୍ଠା ଲେଖିଛନ୍ତି ଯେ ତାଙ୍କୁ ଅନେକ ଲୋକ ପ୍ରଶ୍ନ କରିଥିଲେ ଯେ ତାଙ୍କ ବାପାଙ୍କର କ’ଣ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନଥିଲା। ଉପା-୧ ସରକାର ବେଳେ ସେ ନିଜେ ଏ ପ୍ରଶ୍ନ ତାଙ୍କ ବାପାଙ୍କୁ ପଚାରିଥିଲେ।
ଏହାର ଉତ୍ତରରେ ପ୍ରଣବ ମୂଖାର୍ଜୀ କହିଥିଲେ, ନିଶ୍ଚୟ। ମୋର ବି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ଅଛି। ଯେକୌଣସି ଯୋଗ୍ୟ ରାଜନେତାଙ୍କର ଏହି ସ୍ୱପ୍ନ ଥାଏ। କିନ୍ତୁ ମୁଁ ଚାହୁଁଛି ବୋଲି ଯେ ସବୁ ଜିନିଷ ହୋଇଯିବ, ତାହା ଭାବିବା ଭୁଲ।
ଏହି ପୁସ୍ତକରେ ପ୍ରଣବ ମୂଖାର୍ଜୀଙ୍କ ଜୀବନ ସହିତ ଜଡ଼ିତ ଅନେକ କଥା ଉଲ୍ଲେଖ କରିଛନ୍ତି ଶର୍ମିଷ୍ଠା। ପ୍ରଣବଙ୍କ ଡାଏରୀରୁ ଘଟଣାଗୁଡ଼ିକୁ ନେଇଛନ୍ତି। ଅନେକ ପ୍ରସଙ୍ଗରେ ନିଜେ ଗବେଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ହୋଇନପାରିବାରୁ ସୋନିଆ ଗାନ୍ଧୀ ଅବା ମନମୋହନ ସିଂହଙ୍କ ଉପରେ ସେ କେବେ ରାଗି ନଥିଲେ ବୋଲି ଶର୍ମିଷ୍ଠା ଏଥିରେ ଉଲ୍ଲେଖ କରିଛନ୍ତି। ବହିଟି ଆସନ୍ତା ମାସ ୧୧ ତାରିଖରେ ଉନ୍ମୋଚିତ ହେବ।
ରାଜନୈତିକ କାର୍ଯ୍ୟକ୍ରମରେ ସେ ଓଡ଼ିଶାକୁ ଅନେକ ଥର ଆସିଛନ୍ତି । ତେବେ ରାଷ୍ଟ୍ରପତି ଥିବା ବେଳେ ସେ ୪ ଥର ଓଡ଼ିଶା ଗସ୍ତରେ ଆସିଛନ୍ତି ଓ ପ୍ରତ୍ୟେକ ଥର ପୁରୀ ଯାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି। ରାଷ୍ଟ୍ରପତି ପଦ ଛାଡ଼ିବା ପରେ ମଧ୍ୟ ପ୍ରଣବ ମୁଖାର୍ଜୀ ଓଡ଼ିଶା ଆସିଛନ୍ତି। ୨୦୧୮ ଜାନୁଆରୀ ୨୭ ତାରିଖରେ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଓଡ଼ିଶା ଆସିଥିଲେ।
୧୯୯୯ ମହାବାତ୍ୟା ସମୟରେ ବିପନ୍ନଙ୍କ ଦୁଃଖ ବୁଝିବାକୁ ଓଡ଼ିଶା ଆସିଥିଲେ ପ୍ରଣବ ମୁଖାର୍ଜୀ। ସେତେବେଳେ ସେ ସାଂସଦ ଥିଲେ ଓ ସୋନିଆ ଗାନ୍ଧିଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିଥିଲେ। ସ୍ୱର୍ଗତ ମୁଖାର୍ଜୀ ସେତେବେଳେ ମହାକାଳପଡ଼ା ବ୍ଲକ୍ ରାମନଗରର ତରୁଣକାନ୍ତି କାଞ୍ଜିଲାଲଙ୍କ ସହ ମୋଟର ସାଇକେଲ୍ରେ ବସି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ ଓ ଲୋକଙ୍କୁ ଭେଟିଥିଲେ। ତରୁଣକାନ୍ତି କାଞ୍ଜିଲାଲ ସେତେବେଳେ କଂଗ୍ରେସର ପଞ୍ଚାୟତସ୍ତରୀୟ ଯୁବ ସଭାପତି ଥିଲେ। ଏବେ ସେ ଦଳର ଜଣେ କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି।
ଏହାର ୧୪ ବର୍ଷ ପରେ ୨୦୧୩ ଏପ୍ରିଲ ୨୫ରେ ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି ଭାବେ ଓଡ଼ିଶାକୁ ପ୍ରଥମ ଗସ୍ତ ଗରିଥିଲେ। ଆଉ ସେତେବେଳେ ବି ସେ ୧୯୯୯ ମହାବାତ୍ୟା ସମୟର ସ୍ମୃତିକୁ ଭୁଲି ନଥିଲେ। ସେ ରାଜଭବନକୁ ତରୁଣକାନ୍ତି କାଞ୍ଜିଲାଲଙ୍କୁ ନିମନ୍ତ୍ରଣ କରିଥିଲେ।
ପ୍ରଣବ ମୁଖାର୍ଜୀଙ୍କ ଅବର୍ତ୍ତମାନରେ ତାଙ୍କ ସହିତ କାଟି ଥିବା କିଛି ସମୟର ସ୍ମୃତିକୁ ମନେ ପକାଇଛନ୍ତି ତରୁଣକାନ୍ତି କାଞ୍ଜିଲାଲ ଏବଂ ଆମ ନିକଟକୁ ନିମ୍ନରେ ଦିଆଯାଇଥିବା ଫଟୋଗୁଡ଼ିକୁ ପଠାଇଛନ୍ତି।
ପ୍ରଥମେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତିନି ସେନାମୁଖ୍ୟ ଓ ଉଚ୍ଚପଦସ୍ତ ଅଧିକାରୀ ପ୍ରଣବଙ୍କ ଶେଷ ଦର୍ଶନ କରିଛନ୍ତି । ପରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି। ପ୍ରଣବଙ୍କ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରଥମେ ଗାର୍ଡ ଅଫ ଅନର୍, ଅନ୍ତିମ ଦର୍ଶନ ଏବଂ ପରେ ଶେଷକୃତ୍ୟ ନେଇ କଡ଼ା ସୁରକ୍ଷା ହୋଇଛି। ପ୍ରଣବଙ୍କ ବିୟୋଗରେ ଦେଶରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ରାଷ୍ଟ୍ରପତି ଭବନ, ସଂସଦ, ପାର୍ଲାମେଣ୍ଟ ଭବନ ସମେତ ଅନ୍ୟ ସରକାରୀ କାଯର୍ୟାଳୟେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି।
ସୂଚନାଯୋଗ୍ୟ, ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ଗତକାଲି ଇହଧାମ ତ୍ୟାଗ କରିଛନ୍ତି । ପ୍ରଣବ ଦା’ ଗତ ୧୦ ତାରିଖରୁ ଦିଲ୍ଲୀ ଆର୍ମି ରିସର୍ଚ୍ଚ ଏଣ୍ଡ ରିଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦିନ ଧରି ସେ ଗଭୀର କୋମାରେ ଥିଲେ । କିଛି ଦିନ ତଳେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରକ୍ତ ଜମାଟ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପୂର୍ବରୁ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ଫୁସ୍ଫୁସ୍ ସଂକ୍ରମିତ ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଲା। ଶେଷରେ ଗତକାଲି ଚିର ନିଦ୍ରାରେ ଚାଲିଗଲେ ପ୍ରଣବ ଦା’।
ଅଗଷ୍ଟ ୧୦ରେ ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା। ଏହାପରଠାରୁ ସେ ଭେଣ୍ଟିଲେଟରରେ ରହିଥିଲେ। ଏହି ସମୟରେ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିଲା। ଏହି କାରଣରୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହେବାରେ ଲାଗିଥିଲା। ଗତକାଲି ଠାରୁ ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା।
With a Heavy Heart , this is to inform you that my father Shri #PranabMukherjee has just passed away inspite of the best efforts of Doctors of RR Hospital & prayers ,duas & prarthanas from people throughout India !
I thank all of You 🙏— Abhijit Mukherjee (@ABHIJIT_LS) August 31, 2020
ଫୁସଫୁସ ସଂକ୍ରମଣ ଯୋଗୁ ସେ ସେପ୍ଟିକ ଶକ୍ରେ ରହିଥିଲେ। ତାଙ୍କ ଉପରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ର ନଜର ରଖିଥିଲେ ହେଁ ଏବେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରଣବ ମୁଖାର୍ଜୀ ଅଗଷ୍ଟ ୧୦ରେ ହସ୍ପିଟାଲରେ ଆଡମିଟ ହେବା ପରେ ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ଥିବା ମଧ୍ୟ ଜଣାପଡ଼ିଥିଲା।
ଭାରତର ରାଷ୍ଟ୍ରପତି ବ୍ୟତୀତ ପ୍ରଣବ ଦା’ ଦେଶର ଅର୍ଥମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୨ରୁ ୨୦୧୭ ଯାଏ ସେ ଦେଶର ୧୩ତମ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।