ତେବେ କରୋନା କଟକଣା ଯୋଗୁ ପୁରୀକୁ ଯାଇ ଚର୍ମଚକ୍ଷୁରେ କାଳିଆ ସାଆନ୍ତଙ୍କ ଦର୍ଶନ କରିପାରିବେନି ଭକ୍ତ। କେବଳ ଟିଭି ମାଧ୍ୟମରେ ଦେଖିବେ ମହାବାହୁଙ୍କ ସୁନା ବେଶ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ସେପଟେ ପୁରୀରେ ଜାରି ହୋଇଥିବା କର୍ଫ୍ୟୁ କୋହଳ କରାଯାଇଛି । ଆଜି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ତେବେ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ତିନି ରଥରେ ଠାକୁର ଥିବାରୁ ଆଜି ଦିନତମାମ ସିଂହଦ୍ୱାର ସମ୍ମୁଖରେ କର୍ଫ୍ୟୁ ରହିବ । ମାର୍କେଟ୍ ଛକରୁ ସିଂହଦ୍ୱାର ଯାଏ କର୍ଫ୍ୟୁ ଲାଗୁ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଡ଼ ଦାଣ୍ଡକୁ ଆସି ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂରତି। ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଲାଗି ମୁତୟନ ହୋଇଥିଲେ ୭୦ ପ୍ଲାଟୁନ୍ ଫୋର୍ସ । ତା’ସହ ପୁରୀ ସମେତ ରାଜ୍ୟ ତଥା ରାଜ୍ୟ ବାହାରର କୌଣସି ଶ୍ରଦ୍ଧାଳୁ ଯେପରି ଶ୍ରୀକ୍ଷେତ୍ରକୁ ନଆସନ୍ତି, ସେଥିପାଇଁ କର୍ଫ୍ୟୁ ଜାରି କରିବା ସହ ତୁହାକୁ ତୁହା ପଇଁତରା ମାରିଥିଲା ପୁଲିସ। ଘୋଷଯାତ୍ରା ଭଳି ବାହୁଡ଼ା ପାଇଁ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ନୀତି ସହ ଜଡ଼ିତ ମାତ୍ର ୧୦ ଜଣ ଲେଖାଏଁ ସେବାୟତ ୩ ରଥରେ ବସିଥିବାବେଳେ ପ୍ରତି ରଥ ଟାଣିଥିଲେ ୫ ଶହ ସେବାୟତ। ବର୍ତ୍ତମାନ ସୁଦ୍ଧା କୋଭିଡ୍ କଟକଣା ଭିତରେ ସମସ୍ତ ନୀତିକାନ୍ତି ସହ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି।
କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରକୁ ବାହୁଡ଼ୁଛନ୍ତି କାଳିଆ ସାଆନ୍ତ। ସକାଳ ଭୋଗରେ ଖେଚୁଡ଼ି ଖାଇ ରଥ ଚଢ଼ିଲେ ମହାପ୍ରଭୁ। ସକାଳୁ ସକାଳୁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି ଶେଷ ହେବା ପରେ ରଥରେ ଠାକୁରଙ୍କ ବେଶ କରାଗଲା। ପରେ ଛେରା ପହଁରା କଲେ ଗଜପତି ମହାରାଜା।
ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ତିନି ରଥ ପ୍ରସ୍ତୁତ ଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ ଗତ ରାତିରୁ କର୍ଫ୍ୟୁ ଲାଗୁ କରାଯାଇଛି। ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ।
ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ମଧ୍ୟ ବଡଦାଣ୍ଡକୁ କାହାକୁ ଆସିବାକୁ ମିଳି ନାହିଁ। କେବଳ ସେବକମାନେ ରଥ ଟାଣିପାରିବେ। ବଡଦାଣ୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ୭୦ ପ୍ଲାଟୁନ ପୁଲିସ ଫୋର୍ସ ଓ ୪୦୦ ପୁଲିସ୍ ଅଫିସରଙ୍କୁ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ମଧ୍ୟ ସିଲ୍ କରାଯାଇଛି।
ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥରେ ପହଣ୍ଡି ବିଜେ କଲେ ଶ୍ରୀସୁଦର୍ଶନ। ଶ୍ରୀସୁଦର୍ଶନଙ୍କ ପରେ ପହଣ୍ଡି କରି ରଥକୁ ଆସିଲେ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା। ଶେଷରେ ରଥକୁ ଆସିଲେ ଜଗତର ନାଥ ଜଗନ୍ନାଥ । ଶରଧା ବାଲିରେ ଅପେକ୍ଷାରତ ତାଳଧ୍ୱଜ, ନନ୍ଦିଘୋଷ ଓ ଦେବୀ ଦଳନ ରଥରେ ବିରାଜମାନ ହେଲେ ୩ ଠାକୁର।
ସକାଳ ଭୋଗରେ ଖେଚୁଡ଼ି ଖାଇ ରଥ ଚଢ଼ିଲେ ମହାପ୍ରଭୁ। ରଥରେ ଠାକୁରଙ୍କ ବେଶ କରାଯିବା ପରେ ଛେରା ପହଁରା କରିବେ ଗଜପତି ମହାରାଜା। ଦିନ ୧୨ଟାରେ ଆରମ୍ଭ ହେବ ରଥ ଟଣା।
ରଥ ଯାତ୍ରା ପରି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା ସାହିଗୁଡ଼ିକର ପ୍ରବେଶ ପଥରେ ବ୍ୟାରିକେଡ଼ କରାଯାଇଛି। ସେବାୟତ ଓ ପୁଲିସ୍ କର୍ମଚାରୀ ରଥ ଟାଣିବେ । ତେବେ ଯେଉଁମାନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ସେଇମାନେ ହିଁ ରଥ ଟାଣିବେ ।
ଏଥିସହ ସେ ଆହୁରି କହିଛନ୍ତି, ରଥକୁ କେବଳ ସେବାୟତମାନେ ଟାଣିବେ । କୋଭିଡ ଟେଷ୍ଟ ନେଗେଟିଭ ଥିବା ସେବାୟତଙ୍କୁ ହିଁ ରଥ ଟାଣିବାକୁ ଅନୁମତି ମିଳିବ। ବଡ଼ ଦାଣ୍ଡକୁ କେହି ନ ଆସିବାକୁ ବା ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି ଏଡିଜି।
ସୂଚନାଯୋଗ୍ୟ ଯେ, ରଥଯାତ୍ରାରେ ସାମିଲ ହୋଇଥିବା ପୁଲିସ୍ କର୍ମଚାରୀ, ସେବାୟତଙ୍କ ସମେତ ପ୍ରାୟ ୫ ହଜାର ଜଣଙ୍କର କରୋନା ଟେଷ୍ଟ ହୋଇଥିଲା। ସେମାନଙ୍କ ମଧ୍ୟରୁ ସେବାୟତଙ୍କର ୨ ରାଉଣ୍ଟ କୋଭିଡ ଟେଷ୍ଟ ହୋଇଥିଲା। ଯେଉଁ ମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ ରଥ ଟାଣି ପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା।
ସକାଳ ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ବା ଖେଚୁଡ଼ି ଭୋଗ ଲାଗି ହେବ । ତା ପରେ ସେନାପଟା ଲାଗି ସକାଳ ୭ରୁ ୭ଟା ୩୦ ମଧ୍ୟରେ କରାଯିବ । ୭ଟା ୪୫ରେ ମଙ୍ଗଳାର୍ପଣ ପରେ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି । ସକାଳ ୧୦ଟା ଯାଏ ପହଣ୍ଡି ଚାଲିବା ସହ ବେଶ ଶେଷ ହେବ । ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଛେରା ପହଁରା କରାଯିବ । ୧୧ଟାରୁ ଚାରମାଳ ଫିଟିବା ସହ ଘୋଡ଼ା ଯୋଖାଯିବ । ଏହାପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି। ସେପଟେ ଆଜି ଗୁଣ୍ଡିଚାମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ । ଆଜି ସନ୍ଧ୍ୟା ଦର୍ଶନ ସହ ଶ୍ରଦ୍ଧାଳୁଙ୍କୁ ମିଳିବ ଶେଷ ଆଡ଼ପ ଅବଢ଼ା ।
ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ସେବାୟତ କର୍ପୂର ବନ୍ଦାପନା, ବଳିତା ବନ୍ଦାପନା ଓ ଚାଉଳ ବନ୍ଦାପନା କରିବେ। ଗୁଣ୍ଡିଚା ମନ୍ଦିରକୁ ଗଲାବେଳେ ମହାପ୍ରଭୁଙ୍କଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ।
ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ବନକଲାଗି ହୋଇଛନ୍ତି । ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା କସ୍ତୁରୀ, ହିଙ୍ଗୁଳ, ହରିତାଳ, ଶଙ୍ଖ, ଦୀପ କଳା ଆଦି ପ୍ରାକୃତିକ ରଙ୍ଗ ବ୍ୟବହାର କରାଯାଇ ଶୃଙ୍ଗାର କରାଯାଇଥିଲା। ଏଥିସହ ଆଜିଠାରୁ ଆରମ୍ଭ ହେବ ବାହୁଡା ଯାତ୍ରାର ପ୍ରସ୍ତୁତି। ତିନିରଥକୁ ଦକ୍ଷିଣମୋଡ କରାଯାଇ ନାକଚଣା ଦ୍ୱାରକୁ ନିଆଯିବ। ଏଥିପାଇଁ ଏକ ହଜାର ପୁଲିସ୍ କର୍ମଚାରୀ ନିୟୋଜିତ ହେବେ ।
ଅନ୍ୟପଟେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ରଥାରୁଢ଼ ତିନି ଠାକୁର । ବିଜେ କାହାଳୀ ବାଜିବା ପରେ ଗତକାଲି ପ୍ରଥମେ ମଦନମୋହନ, ରାମକୃଷ୍ଣ ଓ ପରେ ସୁଦର୍ଶନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ଏହାପରେ ବଳଭଦ୍ରଙ୍କୁ ସେବାୟତମାନେ ଆଡ଼ପ ମଣ୍ଡପରେ ଅବସ୍ଥାନ କରାଇ ସୁଭଦ୍ରାଙ୍କୁ ପହଣ୍ଡିରେ ନେଇଥିଲେ। ସବା ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ଏହା ପୂର୍ବରୁ ଗତକାଲି ରଥ ଉପରେ ଠାକୁରଙ୍କର ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା। ଆଡ଼ପ ମଣ୍ଡରେ ଠାକୁରମାନେ ଅବସ୍ଥାନ କରିବା ବେଳେ ଶ୍ରଦ୍ଧାଳଙ୍କୁ ଦର୍ଶନ ପାଇଁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
ଅନ୍ୟପକ୍ଷରେ ପୁରୀ ଜିଲ୍ଲାରେ କୋହଳ ହୋଇଛି କର୍ଫ୍ୟୁ। ସମଗ୍ର ପୁରୀ ଜିଲ୍ଲାରୁ କର୍ଫ୍ୟୁ ହଟାଇ ଦିଆଯାଇଥିବା ବେଳେ ପୁରୀ ସହରରେ କିନ୍ତୁ ଏହା ବଳବତ୍ତର ରହିବ। ବଡ଼ଶଙ୍ଖଠାରୁ ବସ୍ଷ୍ଟାଣ୍ଡ ଓ ମାଟିଆପଡ଼ା ଛକ ପର୍ଯ୍ୟନ୍ତ ଅର୍ଥାତ୍ ଗୁଣ୍ଡିଚା ମନ୍ଦିରକୁ ଲାଗି ରହିଥିବା ଅଞ୍ଚଳରେ କର୍ଫ୍ୟୁ ରହିବ। ଆଜି ରାତି ୧୦ଟା ପର୍ଯ୍ୟନ୍ତ ଏହି ଅଞ୍ଚଳରେ କଟକଣା ରହିବ। କେହି ଯେପରି ଏହି ଅଞ୍ଚଳରେ ପ୍ରବେଶ ନ କରିବେ, ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ପ୍ରଥମେ ଶ୍ରୀବଳଦେବଙ୍କ ତାଳଧ୍ୱଜ ଗଡ଼ିଥିବା ବେଳେ ପଛକୁ ପଛ ଗଡ଼ିବ ଦର୍ପଦଳନ ଓ ନନ୍ଦିଘୋଷ। ମାଉସୀ ଘର ଅଭିମୁଖେ ୩ ଠାକୁରଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏଥର କଟକଣାଯୁକ୍ତ ରଥଯାତ୍ରା ଆୟୋଜନ ନିମନ୍ତେ ମିଳିଛି ଅନୁମତି। କରୋନା ମହାମାରୀ ଯୋଗୁ ଭକ୍ତଙ୍କୁ ବଡ଼ ଦାଣ୍ଡ ମନା। ତେଣୁ ନିଜ ସ୍ୱଚକ୍ଷୁରେ ପ୍ରିୟ ଠାକୁରଙ୍କୁ ଦେଖିବାର ସୌଭାଗ୍ୟରୁ ବଞ୍ଚିତ ହୋଇଛନ୍ତି କୋଟି କୋଟି ଶ୍ରଦ୍ଧାଳୁ। ଏହାପରେ ବି ଶହ ଶହ ବର୍ଷର ପରମ୍ପରା ଅନୁଯାୟୀ ବଡ଼ ଦାଣ୍ଡରେ ରଥ ଗଡ଼ିବାକୁ ଅନୁମତି ମିଳିଥିବାରୁ ଭକ୍ତର ଖୁସି ବନ୍ଧବାଡ଼ ମାନୁନି।
ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସରିବା ପରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଛେରା ପହଁରା କରିଥିଲେ ଗଜପତି ମହାରାଜ। ପରମ୍ପରା ଅନୁଯାୟୀ,ଗଜପତି ମହାରାଜା ସୁନା ଖଡ଼ିକାରେ ୩ ରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ନିକଟରେ ଛେରାପହଁରା କରିବା ପରେ ବଡ଼ଦାଣ୍ଡରେ ଗଡ଼ିଲା ରଥ।
ବିଶ୍ୱ ପ୍ରସିଦ୍ଧ ଜଗତର ନାଥ ଜଗନ୍ନାଥଙ୍କ ଏହି ଯାତରା ନିମନ୍ତେ ରଥ, ପଥ ପ୍ରସ୍ତୁତ ଥିବା ବେଳେ ଏଥର କିନ୍ତୁ ବାଦ ପଡ଼ିଛନ୍ତି ଶ୍ରଦ୍ଧାଳୁ। କରୋନା ମହାମାରୀ ଯୋଗୁ ଶେଷ ପର୍ଯ୍ୟନ୍ତ ଚାଲିଥିବା ଲୁଚକାଳି ଖେଳରେ ଶେଷରେ ଯବନିକା ପଡ଼ିଛି। ଏଥର ବଡ଼ ଦାଣ୍ଡ ଖାଁ ଖାଁ ଥିବା ବେଳେ ବିନା ଭକ୍ତରେ ଆଗେଇ ଚାଲିଛି ଗୋଟିଏ ପରେ ଗୋଟିଏ ପରମ୍ପରା।
ଘୋଷଯାତ୍ରା ପାଇଁ ନିର୍ଦ୍ଧାରିତ ନୀତି ଅନୁଯାୟୀ, ଆଜି ଭୋର ୩ଟାରେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା ଶେଷ ହୋଇଛି । ଏହାପରେ ଶ୍ରୀଜିଉଙ୍କର ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ଶେଷ ହୋଇଛି । ସକାଳ ୬ଟା ୪୫ ମିନିଟ୍ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ କରାଯାଇ ୭ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ସାଢ଼େ ୧୧ଟାରୁ ୧୨ଟା ୧୫ ମିନିଟ୍ ମଧ୍ୟରେ ଛେରା ପହଁରା, ୧୧ଟା ୪୫ରୁ ସାଢ଼େ ୧୨ଟା ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥି ଲାଗିବ । ଏହାପରେ ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ ରଥଟଣା ।