ଦଶପଲ୍ଲା ସ୍ଥିତ ପୋଖରୀଗୋଛା ଅଞ୍ଚଳରୁ ଦୁଇ ଟ୍ରକ୍ ଓ ଚଢ଼େୟାପଲ୍ଲୀ ଅଞ୍ଚଳରୁ ଗୋଟିଏ ଟ୍ରକ୍ ଭର୍ତ୍ତି କାଠ ଆସିଛି। ଧଉରା ଓ ଅସନକୁ ମିଶାଇ ୧୦୨ ଖଣ୍ଡ କାଠ ଅଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ୩ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଦରକାର ହେଉଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ୫୩ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ବର୍ଷ ଆଉ ୮୧୨ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ରୁ ୧୦୨ ଖଣ୍ଡ କାଠ ପୁରୀରେ ପହଞ୍ଚିଛି।
ଆଜି ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ପୁରୀ ଅଭିମୁଖେ ଆସିଥିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ଏହି ଅବସରରେ ନୟାଗଡ଼ DFO କ୍ଷମା ଷଡ଼ଙ୍ଗୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।
ଗତ ରଥଯାତ୍ରା ପରଠାରୁ ସୋସିଆଲ୍ ମିଡିଆରେ ଏମିତି ଅପଲୋଡ୍ ହୋଇଚାଲିଛି ମାଳ ମାଳ ଫଟୋ। ତେଣୁ ଏଠି ପ୍ରଶ୍ନ ଏମାନେ ରଥ ଉପରକୁ ଚଢ଼ିଲେ କେମିତି ? ରଥ ସୁରକ୍ଷା ଦାୟିତ୍ୱରେ ଥିବା ଜେଟିପି କରୁଥିଲେ କଣ ? ସ୍ୱୀକୃତିପ୍ରାପ୍ତ ସେବାୟତ ବି ଏମାନଙ୍କୁ ବାରଣ କଲେନି କାହିଁକି ? ଏସବୁ ଘଟଣାକୁ ଭକ୍ତ ମହଲରେ ଘୋର ନିନ୍ଦା କରାଯାଇଛି।
ଏମିତିକି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରକୁ ମୋବାଇଲ୍ ଫୋନ୍ ସମ୍ପୂର୍ଣ୍ଣ ବାରଣ ଥିବାବେଳେ ରଥ ଉପରକୁ ସେବାୟତ ମୋବାଇଲ୍ ଫୋନ୍ ନେବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରିଛନ୍ତି। ତେଣେ ବରିଷ୍ଠ ଖୁଣ୍ଟିଆ ସେବକଙ୍କ ଦାବି ରଥ ଉପରକୁ ଚଢ଼ିଥିବା ଅଣସେବାୟତ ଓ ସେମାନଙ୍କୁ ଚଢ଼ାଇଥିବା ସେବାୟତଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋେଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ।
ଭକ୍ତଙ୍କ କହିବା କଥା ଯାହା ହେଲା ଠିକ୍ ହେଲାନି। ଭକ୍ତଙ୍କୁ ଠାକୁରଙ୍କ ପାଖକୁ ଯିବାର ସୁଯୋଗ ନଦେଇ ସେବାୟତ, ପ୍ରଶାସନ ଏଭଳି ମନମାନି କରିବା ଆଦୌ ଠିକ୍ ହେଲାନି। ରଥଯାତ୍ରାରେ ବିଶୃଙ୍ଖଳା ସରକାରୀ ଅବହେଳା ଯୋଗୁ ହିଁ ହେଉଛି।
ଶ୍ରୀମନ୍ଦିର ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଯେଉଁମାନେ ନିୟମ ଭାଙ୍ଗିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ରଥ ଉପରକୁ ଅଣସେବାୟତମାନେ ଯିବା ଓ ଠାକୁରଙ୍କ ଶ୍ରୀଅଙ୍ଗକୁ ସ୍ପର୍ଶ କରିବା ନିନ୍ଦାଜନକ। ଯେପରି ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ଖୁଣ୍ଟିଆ ସେବାୟତମାନେ ଠାକୁରମାନଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାନ୍ତି, ଠିକ୍ ସେହିପରି ବାଡଗ୍ରାହୀମାନେ ରଥ ଉପରେ ମୁତୟନ ଥାଆନ୍ତି। ତେଣୁ ଅଣସେବାୟମାନେ ଶ୍ରୀଅଙ୍ଗ ପାଖରେ ପହଞ୍ଚିବା ଠିକ୍ ହୋଇନି। ଦାୟିତ୍ୱରେ ଖିଲାପ କରିଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରାଯାଉ।
ଏବର୍ଷ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୫ସୂତ୍ରୀ କଡ଼ା ନିୟମାବଳୀ ପ୍ରସ୍ତୁତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଇଏ ସେହି ନିୟମାବଳୀ ଯାହାକୁ ସବୁ ସେବାୟତ ନିଯୋଗ ପାଖକୁ ବି ପଠାଇଥିଲା। ଯେଉଁଥିରେ ୪ ଓ ୫ ନମ୍ବର ନିୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲା ଯେ, ରଥ ଉପରେ ସେବାୟତ ମୋବାଇଲ୍ ଫୋନ୍ ବ୍ୟବହାର କରିବେ ନାହିଁ କି କୌଣସି ଅଣସେବକ ରଥ ଉପରେ ରହିବେ ନାହିଁ। ହେଲେ ସୋସିଆଲ୍ ମିଡିଆରେ ମାଳ ମାଳ ହୋଇ ବୁଲୁଥିବା ଅଣସେବକଙ୍କ ଏସବୁ ଫଟୋ ଯେମିତି ଶ୍ରୀମନ୍ଦିର ପ୍ରଶାସନର ନିୟମକୁ ଫୁ କଲା ଭଳି ମନେ ହେଉଛି।
ଏଥିପାଇଁ ମହାପ୍ରଭୁଙ୍କ ବାଡ଼ଗ୍ରାହୀ, ଦଇତାପତି ସେବାୟତ ଓ ଜେଟିପିଙ୍କୁ ସିଧାସଳଖ ଅନ୍ୟ ସେବକମାନେ ଦାୟୀ କରିଛନ୍ତି। ଏମିତିକି ଏଭଳି ବିଶୃଙ୍ଖଳା ପ୍ରସଙ୍ଗ ଆଗାମୀ ବୈଠକରେ ଉଠାଇବେ ବୋଲି କହିଛନ୍ତି। ସେପଟେ ଜବାବରେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି, ଯେଉଁମାନେ ରଥରେ ଚଢିଥିଲେ-ସେମାନେ ଦଇତାପତିଙ୍କ ସହାୟକ। କିନ୍ତୁ ରଥ ଉପରକୁ ମୋବାଇଲ୍ ଫୋନ୍ ନେଇଯିବା ଆଦୌ ଠିକ୍ ହୋଇନି।
ସେପଟେ ପୁରା ଘଟଣାରେ କିନ୍ତୁ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିନାହିଁ।
ଖୁଣ୍ଟିଆ ସେବକ ରାଧାଗୋବିନ୍ଦ ଖୁଣ୍ଟିଆ କହିଛନ୍ତି, କିଛି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନିକ ବିଶୃଙ୍ଖଳା ଯୋଗୁ ଏପରି ଘଟିଛି। ଏନେଇ ଆସନ୍ତା ବୈଠକରେ ଏବାବଦରେ ଆଲୋଚନା କରାଯିବ।
ଏବେ ଅପେକ୍ଷା ରଥରେ ଚଢି ଫଟୋ ଉଠାଇ ଓ ରିଲ୍ କରିଥିବା ଅଣସେବାୟତଙ୍କୁ ଚିହ୍ନଟ କରାଯାଇ ଆକ୍ସନ ହେଉଛି କି ନାହିଁ।
ମଣିଷ ରହିବା ଭଳି କୌଣସି ପରିବେଶ ନଥାଇ ମଧ୍ୟ ଶହଶହ ଯବାନଙ୍କୁ ଏଠାରେ ରହିବାକୁ କୁହାଯାଇଛି। କିଏ ତଳେ ଶୋଇଛି ତ, କିଏ କୋଠା ତିଆରିରେ ବ୍ୟବହାର ହୋଇଥିବା ମଇଳା ପ୍ଲାଇ ଉପରେ ଶୋଇଛି। ଚାରିପଟେ ପାଣି ଜମିଛି, ଅଳିଆ ପଡ଼ିଛି। ମଶା, ମାଛି ହାଉଯାଉ ହେଉଛନ୍ତି। ଯାହାକୁ ନେଇ ସେମାନେ ଉପର ଅଫିସ୍ରଙ୍କ ନାଲି ଆଖିକୁ ଡରି ମୁହଁ ସିନା ଖୋଲି କହିପାରୁନାହାନ୍ତି, ହେଲେ ଭିଡିଓ ପଠାଇ ଏହାର ଅସନ୍ତୋଷ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି।
ଗୁଣ୍ଡିଚା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଖରାତରାରେ ଅକ୍ଳାନ୍ତ ପରିଶ୍ରମ କରିଥିବା ଏହି ଯବାନମାନଙ୍କୁ କେବଳ ଅସ୍ୱାସ୍ଥ୍ୟକର ପରିବେଶରେ ରଖାଯାଇନି ବରଂ ନୀଳାଦ୍ରି ବିଜେ ପରେ ମଧ୍ୟ ଅଟକାଇ ରଖି ହିନସ୍ତା କରାଯାଉଛି। ଯବାନ ରହିଥିଲେ ହେଁ ସେମାନଙ୍କ ରହିବା ନିମନ୍ତେ ହୋଇଥିବା ଅସ୍ଥାୟୀ ଶୌଚାଳୟକୁ ହଟାଇ ଦିଆଗଲାଣି। ଫଳରେ ଯବାନମାନଙ୍କୁ ଶୌଚ ଯିବାକୁ ନାକେଦମ ହେବାକୁ ପଡ଼ୁଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାରେ ସାରିବା ପାଇଁ ପୁଲିସ ଯବାନମାନଙ୍କୁ ନିୟୋଜିତ କରାଯାଇଥିଲା। ହେଲେ ତାଙ୍କର ଏହି ଅବସ୍ଥା ସାଧାରଣରେ ଉଦ୍ବେଗ ବିଷୟ ମଧ୍ୟ ହୋଇଛି। ତେବେ ଏନେଇ ପୁଲିସ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ମତାମତ ମିଳିପାରିନି।
ରଥ ଉପରେ ଆଜି ଶ୍ରୀଜିଉଙ୍କ ଶେଷ ଦର୍ଶନ ହୋଇଥିବାରୁ ରଥାରୁଢ଼ ଠାକୁରଙ୍କୁ ଦେଖିବାକୁ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବା ସମ୍ଭାବନା ରହିଛି। ଭିଡ଼କୁ ଦୃଷ୍ଟରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜିର ଦିନକୁ ରସଗୋଲା ଦିବସ ଭାବେ ମଧ୍ୟ ପାଳନ କରାଯାଉଛି। ଏହି ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା କରିଛନ୍ତି। ବାଲୁକା କଳା ମାଧ୍ୟମରେ ନୀଳାଦ୍ରି ବିଜେ ଓ ରସଗୋଲା ଦିବସର ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ।
ବାଲିରେ ମାଆ ଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ଗଢ଼ିବା ସହ ଶ୍ରୀଜଗନ୍ନାଥ କିଭଳି ମାଆ ଲକ୍ଷ୍ମୀଙ୍କୁ ରସଗୋଲା ପ୍ରଦାନ କରୁଛନ୍ତି ତାହା ମଧ୍ୟ ଦେଖାଇଛନ୍ତି।
ସନ୍ଧ୍ୟାରେ ଏହି ସ୍ୱତନ୍ତ୍ର ନୀତି ପାଇଁ ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରାଦ ଦିଆଯାଇଥିବା ଏକ ସ୍ୱତନ୍ତ୍ର ଅଧର ହାଣ୍ଡିରେ ଏହି ପଣା ପ୍ରସ୍ତୁତ ହୋଇଥିଲା। ଦୁଗ୍ଧ, ଜଳ, ସର, ଛେନା, କର୍ପୂର, ନବାତ, ଗୋଲମରିଚ, ଅଳେଇଚ ଓ ପାଚିଲାକଦଳୀ ଇତ୍ୟାଦି ସାମଗ୍ରୀରେ ଅଧରପଣା ପ୍ରସ୍ତୁତ ହୋଇଥିଲା। ପରେ ଏହାକୁ ପଞ୍ଚୋପଚାର ବିଧିରେ ଠାକୁରଙ୍କୁ ସମର୍ପଣ କରାଯାଇଥିଲା। ଉକ୍ତ ହାଣ୍ଡି ପଣା ଭୋଗକୁ ପୂଜାପଣ୍ଡା ସାମନ୍ତ ବାଡ଼େଇ ରଥ ପାର୍ଶ୍ୱ ଦେବଦେବୀ, ଯକ୍ଷ, କିନ୍ନର, ଚଣ୍ଡୀ, ଚାମୁଣ୍ଡାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଦେଇଥିଲେ।
ଏହି ଅବସରେ ଭକ୍ତଙ୍କ ଭିତରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ରଥ ସମ୍ମୁଖରେ ଥିବା ଭକ୍ତମାନେ ଜୟଶ୍ରୀଜଗନ୍ନାଥ ଓ ହରିବୋଲ ଧ୍ୱନୀ ଦେଇଥିଲେ। ଫଳରେ ବଡ଼ଦାଣ୍ଡ ଗଗନପବନ ଭକ୍ତିମୟ ହୋଇପଡ଼ିଥିଲା। ରଥ ଉପରେ ଠାକୁରଙ୍କୁ ଦେଖି ଭକ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ। ଆଜି ଅଧରାପଣା ନୀତି ସମାପନ ହୋଇଛି।
ଆସନ୍ତାକାଲି ନୀଳାଦ୍ରିବିଜେ। ମହାପ୍ରଭୁ ଭକ୍ତଙ୍କ ଠାରୁ ରସଗୋଲା ଭୋଗ ଖାଇବେ। ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ମହାପ୍ରଭୁ ରସଗୋଲା ଖୁଆଇ ମାନଭଞ୍ଜନ କରି ନୀଳକନ୍ଦରରେ ବିଜେ କରିବେ।
ଶ୍ରୀଜୀଉମାନଙ୍କ ପବିତ୍ର ଅଧରପଣା ନୀତିର ଭବ୍ଯ ଦୃଶ୍ଯ: pic.twitter.com/6vVa9P9tl1
— I & PR Department, Odisha (@IPR_Odisha) June 30, 2023
ପ୍ରତି ରଥରେ ୩ଟି ଲେଖାଏଁ ମାଟି ହାଣ୍ଡିରେ ଅଧର ପଣା ଭୋଗ କରାଯାଇଥାଏ। ଏହି ୯ ହାଣ୍ଡି ପଣାକୁ ପୂଜାପଣ୍ଡା ସେବକମାନେ ପଞ୍ଚୋପଚାର ପଦ୍ଧତିରେ ଶ୍ରୀବିଗ୍ରହମାନଙ୍କୁ ଅର୍ପଣ କରିଥାନ୍ତି। ଭୋଗ ହେବା ପରେ ପଣା ଥିବା ହାଣ୍ଡିଗୁଡ଼ିକୁ ରଥ ଉପରେ ଭାଙ୍ଗି ଦିଆଯାଏ। ରଥଗୁଡ଼ିକରେ ଥିବା ପାଶ୍ୱଦେବାଦେବୀ, ଭୁତପ୍ରେତ ତଥା ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭୋଗ ହେବା ପରେ ଭାଙ୍ଗି ଦିଆଯିବାର
ବିଧି ରହିଛି। ଆସନ୍ତାକାଲି ହେବ ନୀଳାଦ୍ରି ବିଜେ।
ଗତକାଲି ରଥ ଉପରେ ସୁନାବେଶ ବା ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ। ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇଥିଲେ ତିନି ଠାକୁର। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକିଥିଲା ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି।
ମହାପ୍ରଭୁଙ୍କର ଏହି ଅନନ୍ୟ ବେଶ ଦେଖିବାକୁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥିଲା। ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ ଅବଧି ବଢାଯାଇଥିଲା। ରାତି ୧୨ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ସୁନାବେଶରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ରାତି ୧୨ଟା ପରେ ଓଲାଗି ନୀତି ହୋଇଥିଲା।
ରାଜରାଜେଶ୍ୱର ବେଶରେ ରଥାରୂଢ଼ ଚତୁର୍ଦ୍ଧା ମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି। ତା’ ସାଙ୍ଗକୁ ତିନି ଦିଅଁଙ୍କ ସ୍ୱତନ୍ତ୍ର ଆୟୁଧ, ସ୍ୱତନ୍ତ୍ର ଆଭୂଷଣ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଦେଖି, ଚକିତ, ପୁଲକିତ, ପୁଣି କେତେବେଳେ ଆଧ୍ୟାତ୍ମିକତାର ଶିହରଣରେ ଶିହରିତ, ଲକ୍ଷ ଲକ୍ଷ ଭକ୍ତ।
ମଧ୍ୟାହ୍ନ ଧୂପ ଓ ମଇଲମ, ଶାଢ଼ୀ ଖଣ୍ଡୁଆ ଲାଗି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ୱାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ।
ପାଗ ଭଲ ଥିବାରୁ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ପ୍ରଥମ ଥର ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ପାଇଁ ଡ୍ରୋନର ବ୍ୟବହାର କରାଯାଇଛି। ଆଜି ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।
ବୁଧବାର କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ କେନ୍ଦୁଆରେ ବାହୁଡା ଯାତ୍ରାରେ ବଡ଼ ଅଘଟଣ ଘଟିଥିଲା। ରଥ ଟଣାବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଭୁବନପଶି ଗାଁର ଯୁଗଳ କିଶୋର ବାରିକ ଓ କେନ୍ଦୁଆ ଗ୍ରାମର ବରୁଣ ଗିରିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଗୁରୁତର ଆହତ ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଥିଲେ।
ସେହିପରି କୋରାପୁଟ ଜିଲ୍ଲା କୋଲାବ ନଗରରେ ରଥଟଣା ବେଳେ ଜଣଙ୍କ ମୃତ୍ୟୁ ଘଟିଥିଲା। ରଥଟି ବିଦ୍ୟୁତ ତାରରେ ଲାଗିବାରୁ ଜଣେ ମୃତ୍ୟୁ ହୋଇଥିଲା। ଅନ୍ୟ ଜଣେ ଗୁରୁତର ହୋଇ ମେଡ଼ିକାଲ୍ରେ ଭର୍ତ୍ତି ହୋଇଥିଲେ।
ବଡ଼ଭାଇ ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା, ଝୋବାକଣ୍ଠି ଆଦି ପରିଧାନ କରିବେ। ଭଉଣୀ ସୁଭଦ୍ରା କିରିଟି, ଓଡ଼ିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି, ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀ ମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ସୁନା ବେଶରେ ଦର୍ଶନ ଦେବେ।
ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଭଳି ସୁନାବେଶ ଦର୍ଶନ ପାଇଁ ମଧ୍ୟ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ବ୍ୟବସ୍ଥା ପରିଚାଳନା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।
ଆଜି ସୁନାବେଶ ପରେ ଆସନ୍ତାକାଲି ଶ୍ରୀଜିଉଙ୍କ ଅଧରପଣା ନୀତି ଏବଂ ଶନିବାର ହେବ ନୀଳାଦ୍ରିବିଜେ ନୀତି। ନବଦିନାତ୍ମକ ଯାତ୍ରାରେ ସମସ୍ତ ଲୀଳାଖେଳା ସାରି ବାହୁଡ଼ି ନୀଳକନ୍ଦରକୁ ବାହୁଡ଼ିବେ ତିନି ଠାକୁର। ଗତକାଲି ସଅଳ ନୀତିକାନ୍ତି ସହ ସଅଳ ପହଣ୍ଡି ସରିବା ପରେ ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ରଥରେ ବିଜେ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି। ଗତକାଲି ସଂଧ୍ୟାସୁଦ୍ଧା ତିନି ରଥ ସିଂହଦ୍ୱାର ନିକଟରେ ପହଞ୍ଚି ଯାଇଥିଲେ।
ଜନ୍ମବେଦୀ ସରିଲା ମହାପ୍ରଭୁଙ୍କ ଲୀଳାଖେଳା। ଏବେ ଶ୍ରୀମନ୍ଦିର ବାହୁଡ଼ିଯିବାର ବେଳ। ସେଥିପାଇଁ ଶରଧାବାଲିରୁ ସିଂହଦ୍ୱାର ଜନସମୁଦ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ। ଘଣ୍ଟଘଣ୍ଟା, ହୁଳହୁଳି, ଶଙ୍ଖ ଧ୍ୱନୀରେ ପ୍ରକମ୍ପିତ ବଡଦାଣ୍ଡ। ତାରି ଭିତରେ ନାକଚଣା ଦ୍ୱାରରେ ୩ ଠାକୁରଙ୍କ ଅପେକ୍ଷାରେ ଥିଲା ୩ ରଥ। ଏଣେ ଆଡ଼ପ ମଣ୍ଡପରୁ ଆରମ୍ଭ ହୋଇଥିଲା ସଅଳ ନୀତିକାନ୍ତି। ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ବେଳାବେଳି ବାହୁଡ଼ିଯିବାକୁ କଳା ସାଆନ୍ତ ବି ସତେଯେମିତି ପ୍ରସ୍ତୁତ ହେଉଥିଲେ। ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ୪ ଘଣ୍ଟା ଆଗରୁ ହୋଇଯାଇଥିଲା ପହଣ୍ଡି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ପରେ ବଡ଼ଭାଇ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ଶେଷରେ ଟାହିଆ ହଲାଇ, ହଲି ଝୁଲି ନନ୍ଦିଘୋଷ ରଥକୁ ଏଭଳି ଭଙ୍ଗିରେ ଆସିଥିଲେ ଭାବ ବିନୋଦିଆ।
ଅନ୍ୟ ରୀତିନୀତି ପରେ ଶ୍ରୀନଅରରୁ ଆସି ଶରଧାବାଲିରେ ପହଞ୍ଚିଥିଲେ ଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆରମ୍ଭ କରିଥିଲେ ଛେରାପହଁରା। ଏହାପରେ ପହଞ୍ଚି ଯାଇଥିଲା ସେହି ଅପୂର୍ବ ମୁହୂର୍ତ୍ତ। ଦିନ ୧୨ଟା ୪୫ ମିନିଟରେ ପ୍ରଥମେ ଘର୍ଘର ନାଦରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡ଼ିବା କ୍ଷଣି ଭକ୍ତିରେ ଉଛୁଳି ପଡ଼ିଥିଲା ପରିବେଶ।
କେବଳ ଯେ, ତାଳଧ୍ୱଜ ରଥକୁ ସଅଳ ଗଡ଼ାଇ ନେଇଥିଲେ ଭକ୍ତ, ତା’ ନୁହେଁ। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ପରେ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥକୁ ମଧ୍ୟ ଶ୍ରୀମନ୍ଦିର ଆଡ଼କୁ ଟାଣି ନେଇଥିଲେ ଲକ୍ଷ ଲକ୍ଷ ଭକ୍ତ। କିଛି ସମୟ ପାଇଁ ରଥ ଅଟକିଥିଲା ମାଉସୀ ମାଆଙ୍କ ମନ୍ଦିର ଆଗରେ। ଯେଉଁଠି ହୋଇଥିଲା ପୋଡ଼ପିଠା ଭୋଗ। ମାଉସୀଙ୍କ ହାତରୁ ପୋଡ଼ପିଠା ଖାଇ ପୁଣି ସିଂହଦ୍ୱାର ଅଭିମୁଖେ ବାହାରିଥିଲେ ୩ ଭାଇଭଉଣୀ। ଏହାପରେ ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ।
ଗୁଣ୍ଡିଚା ଦିନ ରଥଟଣାରେ ଅହେତୁକ ବିଳମ୍ବ ଘଟିବା ସହ , ସଂଧ୍ୟା ଯାଏଁ ଚାଲିଥିଲା ରଥଟଣା। ତଥାପି ସେଦିନ ଶରଧା ବାଲିରେ ଲାଗି ପାରିନଥିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। ୨ ଦିନକାଳ ରଥରେ ରହି ଯାତ୍ରାର ତୃତୀୟ ଦିନ ଆଡ଼ପ ମଣ୍ଡପ ବିଜେ କରିଥିଲେ ୩ ଠାକୁର। ଯାହାକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ତେବେ ବାହୁଡ଼ାରେ କିନ୍ତୁ ସେଭଳି ବ୍ୟତିକ୍ରମ ଘଟିନଥିଲା। ଗତକାଲିଠୁ ହିଁ ବାହୁଡ଼ା ପାଇଁ ପ୍ରସ୍ତୁତି ପରେ ଆଜି ସଅଳ ନୀତିକାନ୍ତି ସହ ଶୃଙ୍ଖଳିତ ଭାବେ ସଞ୍ଜ ହେବାର ଯଥେଷ୍ଟ ସମୟ ଆଗରୁ ସିଂହଦ୍ୱାର ସାମ୍ନାରେ ଲାଗିଯାଇଥିଲା ଗୋଟିଏ ପରେ ଗୋଟିଏ ରଥ।
ପାଖାପାଖି ଅପରାହ୍ନ ସାଢ଼େ ୪ଟା ବେଳେ ଏହି ଘଟଣା ଘଟିଛି। କୁମାଘାଟ ଅଞ୍ଚଳରେ ବାହୁଡ଼ାଯାତ୍ରା ଚାଲିଥିଲା। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥରେ ବସାଇ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନେ ଆଣୁଥିଲେ। ରଥଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା।
ରଥଟି ଲୁହାରେ ତିଆରି ହୋଇଥିବା ବେଳେ ଅକସ୍ମାତ୍ ବାଟରେ ଏକ ୧୩୩ କେଭି ବିଦ୍ୟୁତ୍ କେବୁଲ୍ ସଂସ୍ପର୍ଶରେ ଆସି ଯାଇଥିଲା। ଯାହା ଫଳରେ ଏତେବଡ଼ ଅଘଟଣ ଘଟିଲା ବୋଲି ପୁଲିସ କହିଛି। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଗରତାଲା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।
ମୁଖ୍ୟମନ୍ତ୍ରୀ ମାନିକ ଶାହ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
ଏକଦା ମହାପ୍ରଳୟ କାଳରେ ପୁରୁଷୋତ୍ତମ କ୍ଷେତ୍ରସ୍ଥ ରୋହିଣୀକୁଣ୍ଡରୁ ନିଃସୃତ ଜଳ ମହାପ୍ରଳୟ ଘଟାଇବା ପରେ ପୁଣି ସେହି କୁଣ୍ଡରେ ଲୀନ ହୋଇ ନ ଥିଲା। ଠିକ୍ ସେତିକି ବେଳେ ମା’ ଲକ୍ଷ୍ମୀଙ୍କ ଆଜ୍ଞାରେ ଯୋଗମାୟାଙ୍କ ଦିବ୍ୟରୂପରୁ ଏକ ଶକ୍ତି ଜାତ ହୋଇ ଅର୍ଦ୍ଧ ପ୍ରଳୟଜଳ ଶୋଷଣ କରିଥିଲେ। ଏଥିସହ ଶ୍ରୀକ୍ଷେତ୍ର ରକ୍ଷା ନିମନ୍ତେ ଏଠାରେ ଜଗି ରହିଛନ୍ତି। ଏହି ଠାକୁରାଣୀ ହେଉଛନ୍ତି ଅର୍ଦ୍ଧାଶିନୀ ଏହି ପ୍ରସଙ୍ଗ ଇନ୍ଦ୍ର ନୀଳମଣି ପୁରାଣରେ ବର୍ଣ୍ଣିତ।
ଏହାଛଡ଼ା ଦେବୀ ଏଠାରେ ଥିବା ଶବରମାନଙ୍କ ନିବାସ ସ୍ଥଳକୁ ସୁରକ୍ଷା ଦେଇଥିବାରୁ ସ୍ଥାନୀୟ ଲୋକେ ଠାକୁରାଣୀଙ୍କୁ ଇଷ୍ଟଦେବୀ ଭାବେ ପୂଜନ କରନ୍ତି। ଏନେଇ ପୁରୁଷୋତ୍ତମ ମହାତ୍ମ୍ୟରେ ବର୍ଣ୍ଣିତ ଥିବା ଜଣାଯାଏ।
ଶବର ସାମନ୍ତମାନେ ଇନ୍ଦ୍ରନୀଳମଣି ମୂର୍ତ୍ତିକୁ ଲୁଚାଇ ରଖିଲା ପରି ଅର୍ଦ୍ଧାଶିନୀଙ୍କ ଅର୍ଦ୍ଧଅଙ୍ଗକୁ ସୁଭଦ୍ରାଙ୍କ ମୁଖମଣ୍ଡଳ ରୂପରେ ଲୁଚାଇ ରଖିଥିବା ଶୁଣିବାକୁ ମିଳେ। ଏହି ମୂର୍ତ୍ତି ଦେବୀ ସୁଭଦ୍ରାଙ୍କ ଅଙ୍ଗସମ୍ପୂତା ବୋଲି ପ୍ରମାଣିତ କରିବାକୁ ଏହି ବିଗ୍ରହଙ୍କ ମୂର୍ତ୍ତିକୁ ସମାନ ରୂପ ଦିଆଯାଇଛି। ଏହି ଠାକୁରାଣୀଙ୍କୁ ଦର୍ଶନ ମାତ୍ରକେ ଭକ୍ତ ଭିତରେ ଥିବା ଅଜ୍ଞାନତାକୁ ଏହି ମା’ ଶୋଷନ କରି ନିଅନ୍ତି ବୋଲି କୁହାଯାଏ।
ଶ୍ରୀଗୁଣ୍ଡିଚା ମନ୍ଦିର ଓ ଶ୍ରୀମନ୍ଦିର ମଧ୍ୟସ୍ଥ ବଡ଼ଦାଣ୍ଡର ଠିକ୍ ମଝି ସ୍ଥାନରେ ଏହି ମନ୍ଦିର ଅବସ୍ଥିତ। ପୂର୍ବେ ଏହି ମନ୍ଦିର ଦେଇ ବୋହି ଯାଇଥିବା ମାଳିନୀ ନଦୀ ଏବେ ସମ୍ପୂର୍ଣ୍ଣ ସତା ହରାଇଛି। କେଶରୀବଂଶର ରାଜାଙ୍କ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିବା ଜଣାଯାଏ।
ମଉସୀ ମା’ ମୂଳତଃ ଏକ କୃଷ୍ଣପ୍ରସ୍ତର ନିର୍ମିତ ଦ୍ୱିଭୁଜା ରମଣୀୟ ବିଗ୍ରହ। ବିଗ୍ରହଙ୍କ ଦୁଇପାର୍ଶ୍ୱରେ ଦୁଇଜଣ ପାର୍ଶ୍ୱଦେବୀ ବିଦ୍ୟମାନ। ମୂର୍ତ୍ତିର କଟି ଦେଶରୁ ଉପର ଅଂଶକୁ ଆଚ୍ଛାଦିନ କରି ଦେବୀ ସୁଭଦ୍ରାଙ୍କ ମୁଖାଟିଏ ଚାପି ଦିଆଯାଇଛି। ଏଠାରେ ପ୍ରତ୍ୟେକ ଦିନ ଅନ୍ୟମନ୍ଦିର ଭଳି ଦେବନୀତି ହୋଇଥାଏ। ଦେବୀଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ। ଏହି ଠାକୁରାଣୀ ଦ୍ୱିଭୁଜା। ଠାକୁରାଣୀ ମାଳା ଓ ଅଭୟ ମୁଦ୍ରା ବିଭୂଷିତା। ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଦିନ ଠାକରାଣୀଙ୍କ ଜଳାଶାୟୀ ଉତ୍ସବ ହୋଇଥାଏ।
କାହିଁକି ପୋଡ଼ପିଠା - ପୁରାଣରୁ ଜଣାଯାଏ ପ୍ରଭୁ ଶ୍ରୀରାମଚନ୍ଦ୍ର ବନବାସରୁ ଆସିବା ସମୟରେ ସାନ ମା’ କୈକେୟୀଙ୍କୁ ଦୁଃଖିତ ଥିବା ଦେଖି ବ୍ୟଥିତ ହୋଇଥିଲେ। ଭରତ କୈକେୟୀଙ୍କୁ ମା’ ବୋଲି ଡାକିବେ ନାହିଁ ବୋଲି ସତ୍ୟ କରିଥିବା ଜାଣିବା ପରେ ଭାରତଙ୍କ ସତ୍ୟ ରକ୍ଷା ନିମନ୍ତେ ଓ ମା’ କୈକେୟୀଙ୍କ ଦୁଃଖ ଲାଘବ ନିମନ୍ତେ ପ୍ରଭୁ ଶ୍ରୀରାମ ଲୀଳା ରଚନା କରିଥିଲେ। ସେ ପରବର୍ତ୍ତୀ ଜନ୍ମମାନଙ୍କରେ କୈକେୟୀଙ୍କ ପାଖଳରେ ଲାଳନ ପାଳନ ହେବେ ଓ ମା’ ଭାବେ ଡାକିବେ ବୋଲି ବରଦାନ ଦେଇଥିଲେ। ରଘୁନାଥ ବରଦାନରେ କହିଥିଲେ- ତ୍ରେତୟାଯୁଗ ଅବସାନ ପରେ ଆସିବ ଦ୍ୱାପର ଯୁଗ। ଏହି ସମୟରେ ତୁମେ ପାଳିତ ମା’ ଯଶୋମତି ବା ଯଶୋଦା ହେବ। କଳିଯୁଗରେ ମୁଁ ଦାରୁବ୍ରହ୍ମ ହେବି, ତୁମେ ମୋ ମାଉସୀ ମା’ ହୋଇ ଶ୍ରୀକ୍ଷେତ୍ରରେ ରହିବ। ଘୋଷଯାତ୍ରାଦିନ ବଡ଼ଦାଣ୍ଡରେ ମୋ ନନ୍ଦିଘୋଷ ରଥ ଗଡ଼ି ଯିବା ବେଳେ ତୁମ ହାତ ପ୍ରସ୍ତୁତ ପୋଡ଼ପିଠା ଖାଇବା ପାଇଁ ମୁଁ ଅଟକିବି ବୋଲି ଶ୍ରୀରାମଚନ୍ଦ୍ର ବରଦାନ ଦେଇଥିବାରୁ ଏହି ପରମ୍ପରା ଚାଲି ଆସୁଥିବା କୁହାଯାଏ।
ପୋଡ଼ପିଠା ପ୍ରସ୍ତୁତି - ଏହି ପୋଡ଼ ପିଠା ଛେନା, ଗହମରୁ ପ୍ରସ୍ତୁତ ଅଟା, ଗାଈ ଘିଅ, ଚିନି, ବାଦାମ, ଖିସିମିସି, ଅଳେଇଚ, ଲବଙ୍ଗ ପ୍ରଭୃତି ଏକତ୍ର ମିଶ୍ରଣ କରି ଚକଟା ଯାଏ। ପରେ ଠାକୁରାଣୀଙ୍କ ମନ୍ଦିରରେ ଥିବା ଚୁଲିରେ ପାଣିହାଣ୍ଡି ଭିତରେ ରଖି ବାମ୍ଫରେ ସିଝାଇ ବାହାର କରାଯାଏ। ପରେ ଏହାକୁ ଖଣ୍ଡଖଣ୍ଡ କରି କାଟି ଶୁଦ୍ଧ ଘିଅରେ ଛଣାଯାଏ। ଏହାକୁ ମାଟି ହାଣ୍ଡିରେ ରଖାଯାଏ। ବାହୁଡ଼ା ଦିନ ତିନି ରଥ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକିବା ବେଳେ ଏହି ପିଠା ସମର୍ପଣ କରାଯାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାରେ ନିୟୋଜିତ ପୂଜାପଣ୍ଡା ସାମନ୍ତ ଆସି ଏହି ନବେଦ୍ୟକୁ ମହାପ୍ରଭୁଙ୍କୁ ସମର୍ପଣ କରିଥାନ୍ତି। ଏହାକୁ ସର୍ପମଣୋହୀ ଭୋଗ କରାଯାଏ।
ଆଜି ମହାପ୍ରଭୁଙ୍କ ବାହାଡ଼ା ଯାତ୍ରା। ନିର୍ଦ୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇଥିଲା। କୋଟିକୋଟି ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁଙ୍କ ରଥକୁ ଟାଣିନେଥିଲେ ସେବାୟତ, ପୁଲିସ ଓ ଭକ୍ତ। ତେବେ ମାର୍କେଟ ଛକରେ ଘଟିଲା ଅଘଟଣ। ବଡ଼ଭାଇ ବଳଭଦ୍ରଙ୍କ ରଥର ଦଉଡି ଛିଡ଼ି ଯିବାରୁ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି।
ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିଲା। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହୋଇଥିଲା। ପରେ ସେନାପଟା ଲାଗି ଓ ମଙ୍ଗଳାର୍ପଣ ନୀତି ପରେ ପହଣ୍ଡି ଆରମ୍ଭ ହୋଇଥିଲା।
ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ ହେବ। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ସେନାପଟା ଲାଗି ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ନୀତି ହେବ। ତା’ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।
ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହେବେ। ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଗଜପତିଙ୍କ ଛେରାପହଁରା ନୀତି ରହିଥିବାବେଳେ ଅପରାହ୍ନ ୪ଟାରେ ରଥଟଣା ହେବ।
ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପୁଲିସ୍ ପ୍ରଶାସନ ଗୁରୁତ୍ୱ ଦେଇଛି।
ନବଦିନାତ୍ମକ ଯାତ୍ରା ଅବସରରେ ଆଡ଼ପ ମଣ୍ଡପ ବା ଜନ୍ମ ବେଦୀରେ ଗତକାଲି ଥିଲା ମହାପ୍ରଭୁଙ୍କ ଲୀଳାଖେଳାର ଶେଷ ଦିନ। ଗତକାଲି ଭୋରରୁ ମଙ୍ଗଳ ଆଳତି ସରୁ ସରୁ ଆରମ୍ଭ ହୋଇଥିଲା ସର୍ବସାଧାରଣ ଦର୍ଶନ। ପାଗ ଭଲ ଥିବାରୁ ବ୍ୟାରିକେଡ୍ ଦେଇ ସନ୍ଧ୍ୟା ପର୍ଯ୍ୟନ୍ତ
ଭକ୍ତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ଆଡ଼ପ ଅବଢ଼ା ପାଇ କୃତ୍ୟକୃତ୍ୟ ହୋଇଥିଲେ। ତେବେ ଏଥର ସନ୍ଧ୍ୟା ଦର୍ଶନ ସନ୍ଧ୍ୟା ୫ଟା ପରେ ବନ୍ଦ କରି ଦିଆଯିବାରୁ ବହୁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇଥିଲେ।
ମଙ୍ଗଳଆଳତି ପରେ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ। ଆଜି ସଂଧ୍ୟା ଦର୍ଶନ ଯୋଗୁଁ ଗୁଣ୍ଡିଚା ମନ୍ଦିରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛିା ଆଜି ଅଧିକରୁ ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ରହିଛିା ତେଣୁ ଏହାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଶ୍ରୀକ୍ଷେତ୍ର ଯାତ୍ରାଠୁ ହେରାପଞ୍ଚମୀ ପର୍ଯ୍ୟନ୍ତ ନୀତିକାନ୍ତିରେ ଘୋର ବିଭ୍ରାଟ ପରେ ବାହୁଡ଼ା ନୀତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗୁରୁତ୍ୱତ୍ପୂର୍ଣ୍ଣ ନିଷ୍ପତ୍ତି ହୋଇଛି।
ଅନ୍ୟପକ୍ଷରେ ଆଜି ସରିବ ସିଂହଦ୍ୱାର ରୂପା ଛାଉଣୀ କାମ। ବାହୁଡାଯାତ୍ରା ପୂର୍ବରୁ ସିଂହଦ୍ୱାର ରୂପାରେ ଝଟକିବ ମୁମ୍ବାଇରୁ ଆସିଥିବା ଶିଳ୍ପୀ ମାନେ ଦିନରାତି ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ କରୁଛନ୍ତି। ୫୦୦ କେଜି ରୂପାରେ ସିଂହଦ୍ୱାର ଛାଉଣୀ କରାଯାଉଛିା ଦୁଇଟି ଷ୍ଟିଲ୍ ଫ୍ରେମରେ ବର୍ମା ଟିକ୍ ଉଡ୍ ଲଗାଯାଇଛିା ତା ଉପରେ ରୂପା ଚାଦର ପକାଯାଉଛି। ଉତ୍କଳୀୟ କାରୁକାର୍ଯ୍ୟରେ ଏହା ପରିପୂର୍ଣ୍ଣ ରହିଛିା ସିଂହଦ୍ବାର ରୂପା ଛାଉଣୀ ଓ କବାଟ
ସଂଯୋଗୀକରଣ ବେଳେ ସିସିଟିଭି କ୍ୟାମେରା, ମାଜିଷ୍ଟ୍ରେଟ ମୁତୟନ ରହିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛିା ନୀଳାଦ୍ରି ବିଜେ ଦିନ ରୂପା ଛାଉଣୀ ଦ୍ବାର ଦେଇ ଶ୍ରୀମନ୍ଦିରରେ ମହାପ୍ରଭୁ ପ୍ରବେଶ କରିବୋ ପୂର୍ବରୁ ସାତପାହାଚ, ଜୟବିଜୟ, କଳାହାଟ, ବେହରଣ, ଭୋଗ ମଣ୍ଡପ ଦ୍ୱାରା ରୂପା ଛାଉଣୀ ସରିଛିା
ତେବେ ଏସବୁ ଭିତରେ ସାଂଧ୍ୟଦର୍ଶନ ସମୟକୁ ନେଇ ଆରମ୍ଭ ହୋଇଛି ବିବାଦ। ସଂଧ୍ୟା ବଦଳରେ ଅପରାହ୍ଣରେ ଦର୍ଶନକୁ ବନ୍ଦ କରାଯିବା ଶାସ୍ତ୍ରସମ୍ମତ ନୁହେଁ ବୋଲି କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ହରିଶଙ୍କର ମିଶ୍ର। ଯାହାକୁ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଖଣ୍ଡନ କରିବା ସହ ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳତି କରାଯିବା ପାଇଁ ସର୍ବସମ୍ମତ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।
ସେପଟେ ଗୁଣ୍ଡିଚାରେ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆଜି ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ମୁତାବକ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ଯେଭଳି ବସିବେନି ସେ ଦିଗରେ ଧ୍ୟାନ ଦିଆଯିବ। ସେହିପରି କର୍ଡନକୁ ବଡ଼ କରାଯିବା ସହ ରଥ ଦୌଡ଼ିକୁ କର୍ଡନ ବାହାରକୁ ଛଡ଼ାଯିବ ନାହିଁ। ଏଥିସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ପାଇଁ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡ଼ାୟାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବା ସହ ଗୁରୁବାର ସୁନାବେଶ ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଥିବା ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।
ପ୍ରଶାସନିକ ଏଭଳି ପ୍ରସ୍ତୁତି ଦେଖିଲେ ବାହୁଡ଼ାରେ ଶ୍ରଦ୍ଧାଳୁମାନେ ରଥ ଭିଡ଼ାର ସୁଯୋଗ ପାଉଛନ୍ତି ନା ନାହିଁ ଦେଖିବାର କଥା। ଏହାଛଡ଼ା ପ୍ରଶାସନିକ ନିଷ୍ପତ୍ତି ରଥ ଉପରେ କେତେଦୂର ପାଳନ ହେଉଛି ଓ ଭକ୍ତଙ୍କୁ ଠାକୁର ଦର୍ଶନରେ ମୁକ୍ତ ପରିବେଶ ମିଳୁଛି ନା ନାହିଁ ତାହା ମଧ୍ୟ ଦେଖିବାର କଥା।
ତେଣେ ସରି ସରି ଆସୁଛି ଜନ୍ମବେଦୀର ମହାପ୍ରଭୁଙ୍କ ଲୀଳାଖେଳା। ମାତ୍ର ଦିନକ ପରେ ଶ୍ରୀମନ୍ଦିର ଅଭିମୁଖେ ତିନି ଠାକୁର ବାହୁଡ଼ିବେ। ସେଇଥିପାଇଁ ଗତକାଲି ତାଳଧ୍ୱଜ ଓ ଦର୍ପଦଳନ ପରେ ଆଜି ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ମନ୍ଦିର ସମ୍ମୁଖକୁ ଅଣାଯାଇଛି। ବାହୁଡ଼ା ପାଇଁ ତିନିରଥ ସଂପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ହେରାପଞ୍ଚମୀ ଯାଏଁ ନୀତିକାନ୍ତିରେ ଘୋର ବିଶୃଙ୍ଖଳା ପରେ ଆଜି ନୀତିକାନ୍ତି ବ୍ୟବସ୍ଥିତ ହେବା ସହ ଆଡ଼ପ ଦର୍ଶନ ବି ସୁରୁଖୁରୁରେ ଚାଲିଛି। ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ।
ବାହୁଡ଼ା ଯାତ୍ରା ପାଇଁ ତିନିରଥ ଦକ୍ଷିଣ ମୋଡ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ପହଞ୍ଚିଛନ୍ତି l #RathaYatra2023#JayJagannatha#DakhinaModa pic.twitter.com/4ktUSBx3FF
— Shree Jagannatha Temple Office, Puri (@SJTA_Puri) June 26, 2023
ଗତକାଲି ଥିଲା ଅନନ୍ୟ ହେରାପଞ୍ଚମୀ ନୀତି। ମହାପ୍ରଭୁ ଜଗନ୍ନାଥ, ରଥଯାତ୍ରାରେ ସାଙ୍ଗରେ ଆଣିନଥିବାରୁ କୋପ କରିଥିବା ପତ୍ନୀ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଆସି ସେଠି ନନ୍ଦିଘୋଷ ରଥ ଭାଙ୍ଗିବାର ବିଧି ରହିଛି। ଯାହାକୁ ଭକ୍ତମାନେ ଚର୍ମଚକ୍ଷୁରେ ପ୍ରତିବର୍ଷ ଦର୍ଶନ କରିଥାନ୍ତି। ହେଲେ ସେ ନୀତିରେ କିନ୍ତୁ ଗତକାଲି ଘଟିଥିଲା ଅହେତୁକ ବିଳମ୍ବ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ସନ୍ଧ୍ୟା ଧୂପ ପୂଜା ବେଳକୁ ବାଜି ଯାଇଥିଲା ଆଜି ଭୋର ୪ଟା ୧୫। ସେପଟେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ରାତି ୩ଟାରେ ବାହାରି, ଗୁଣ୍ଡିଚା ମନ୍ଦିର ଆଗରେ ରଥଭଙ୍ଗା ନୀତି ସାରି ଫେରିଲା ବେଳକୁ ଭୋର ସାଢ଼େ ୫ଟା ବାଜି ଯାଇଥିଲା।
ଦଇତାପତି ସେବକ ନବକିଶୋର ପତିମହାପାତ୍ର କହିଛନ୍ତି, ନୀତି ବିଳମ୍ୱ କରାଯାଉଥିବାରୁ ଆଜି ସକାଳେ ଲକ୍ଷ୍ମୀଙ୍କ ଦ୍ୱାରା ରଥଭଙ୍ଗା ନୀତି ସମାପନ ହୋଇଛି। ଏହା ଦୁଃଖର ବିଷୟ, ଏପରି ହେବାକଥା ନୁହେଁ।
ଖାଲି ହେରାପଞ୍ଚମୀ ନୁହେଁ ତା ପୂର୍ବଦିନ ବି ନୀତି ବିଳମ୍ବ କାରଣରୁ ଠାକୁରଙ୍କ ରାତି ପହୁଡ଼ ହୋଇପାରିନି। ଏମିତିକି ଆଜି ଭୋର ୪ଟାରେ ହେବାକୁ ଥିବା ଠାକୁରଙ୍କ ମଙ୍ଗଳ ଆଳତି ସକାଳ ୯ଟା ୨୦ରେ ହୋଇଥିଲା। ଦୀର୍ଘ ୫ଘଣ୍ଟା କାଳ ଭକ୍ତ ଏହାକୁ ଦେଖିବାକୁ ଅପେକ୍ଷା କରି ବିରକ୍ତ ହୋଇଯାଇଥିଲେ। ସେମିତି ରୋଷହୋମ ସକାଳ ୧୦ଟା ୪୫, ସୂର୍ଯ୍ୟପୂଜା ୧୧ଟା ୨୫ ଓ ସକାଳ ଧୂପ ସରିବାବେଳକୁ ଦିନ ଗୋଟାଏ ୨୦ ମିନିଟ୍ ବାଜିଗଲା। ନୀତିକାନ୍ତିରେ ଅହେତୁକ ବିଳମ୍ବ ଯୋଗୁଁ ଆଜି ରଥ ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ବିଜେ ବେଳକୁ ଅପରାହ୍ନ ୨ଟା ୧୫ ହୋଇଥିଲା। ଯାହାକୁ ନେଇ ଭକ୍ତ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏହାକୁ ଜଗନ୍ନାଥଙ୍କ ଇଚ୍ଛା ବୋଲି କହିବା ଆଦୌ ଯୁକ୍ତିସଙ୍ଗତ ନୁହେଁ ବୋଲି ଦର୍ଶାଇଛନ୍ତି।
ମୁକ୍ତିମଣ୍ଡପ ପଣ୍ଡିତ ସଭା ସଦସ୍ୟ ହରିଶଙ୍କର ମିଶ୍ର କହିଛନ୍ତି, ମହାପ୍ରଭୁ ନୀତି ପରିଚାଳନାରେ ପ୍ରଶାସନ ଫେଲ୍ ମାରିଛି। ଯଦି ଜଗନ୍ନାଥଙ୍କ ଇଚ୍ଛାରେ ସବୁ ହେଉଥାଆନ୍ତା ତେବେ ଏତେ ସଂଖ୍ୟକ ପ୍ରଶାସକ, ପୁଲିସ ଛାଉଣୀ, ସୁରକ୍ଷା ବ୍ୟବସ୍ଥା କ’ଣ ଆବଶ୍ୟକ ରହିଛି। ଦାୟିତ୍ୱ ହୁଡ଼ୁଥିବା ପ୍ରଶାସକମାନେ କାମ ଠିକ୍ ଭାବେ କରୁ ନ ଥିବା ଏହା ଦର୍ଶାଉଛି।
ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୀତି କରାଯାଉଥିବାରୁ ଏଭଳି ବିଳମ୍ୱ ହୋଇଥିବା କହି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରୁ ଖସି ଯାଇଛନ୍ତି।
ଏଣେ ବିଳମ୍ବିତ ନୀତିକାନ୍ତି ଭିତରେ ଆଜି ହୋଇଛି ତିନି ରଥର ଦକ୍ଷିଣ ମୋଡ଼। ପରଂପରା ମୁତାବକ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ଆଜି ତିନି ରଥର ଦକ୍ଷିଣ ମୋଡ଼ କରାଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ରଥତ୍ରୟଙ୍କୁ ଭାବ ଓ ଭକ୍ତିର ସହ ଭକ୍ତମାନେ ଟାଣି ନାକଚଣା ଦ୍ୱାର ଆଗରେ ରଖିଛନ୍ତି। ତାସହ ଆଜିଠୁ ଆରମ୍ଭ ହୋଇଛି ଶ୍ରୀଜିଉମାନଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି।
ହେରାପଞ୍ଚମୀ ଦିନ ଅର୍ଥାତ ଆଜି ରାତିରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମହାଲକ୍ଷ୍ମୀ । ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ପୂର୍ବରୁ ମହାପ୍ରଭୁ ଗତକାଲି ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ବନକଲାଗି ହୋଇଛନ୍ତି। ଆଜି ସଂଧ୍ୟା ଆଳତୀ ପରେ ଏକ ସୁସଜିତ ବିମାନରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ହେଲେ ସନ୍ଧ୍ୟା ଧୂପ ଚାଲିଥିବା ବେଳେ ଟେରା ପଡିଥିବା କାରଣରୁ ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମହାଲକ୍ଷ୍ମୀ। ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ ବେଳେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ। ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିବେ। ବଡଦାଣ୍ଡ ଓ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି । ଅନ୍ୟପଟେ ଆଡ଼ପ ଦର୍ଶନ ପାଇଁ ଆଜି ମଧ୍ୟ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ସକାଳୁ ମେଘୁଆ ପାଗ ସହ ଝିପିଝିପି ବର୍ଷା ସତ୍ୱେ ଭକ୍ତଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଛି। ଏଥିସହ ଗତକାଲି ଆଡ଼ପ ଅବଢ଼ା ପାଇଛନ୍ତି ଭକ୍ତ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ଆସି ମହାପ୍ରଭୁଙ୍କ ଦର୍ଶନ ଠିକ୍ ଭାବେ ପାଇବେ ଓ ଅବଢ଼ା ଖାଇ ସ୍ୱଗୃହକୁ ଫେରିପାରିବେ ସେଥିନିମନ୍ତେ ବ୍ୟବସ୍ଥା କରାଯାଇଛି।
ଗତକାଲି ଗୋଟି ପହଣ୍ଡିରେ ଆଡପ ମଣ୍ଡପକୁ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଡ ଭାଇ ବଳଭଦ୍ର, ତାପରେ ଭଉଣୀ ସୁଭଦ୍ରା ଏବଂ ଶେଷରେ ଜନ୍ମବେଦୀକୁ ବିଜେ କରିଥିଲେ ମହାପ୍ରଭୁ ଜଗନ୍ନାଥ। ମହାପ୍ରଭୁଙ୍କ ଆଡପ ବିଜେ ଦେଖିବାକୁ ଲୋକାରଣ୍ୟ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର।
ଏଇ ନବଦିନାତ୍ମକ ଯାତ୍ରାରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଏକ ଅପୂର୍ବ ମିଳନ ହୋଇଥାଏ। ବର୍ଷ ତମାମ ମହାପ୍ରଭୁ ରତ୍ନବେଦୀରେ ଦର୍ଶନ ଦେଉଥିବା ବେଳେ ଏବେ ଭକ୍ତମାନେ ଆଡପ ମଣ୍ଡପରେ ଦର୍ଶନ କରିବେ। ଅନ୍ୟପକ୍ଷରେ ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ। କାଲି ହେରାପଞ୍ଚମୀ ନୀତି ଥିବାରୁ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ହେବ ।
ସେହିପରି ଜଗମୋହନରେ ହୋଇଥିବା ଷ୍ଟିଲ ଫ୍ରେମ୍ କାମର ତଦାରଖ ସହ ନାଟମଣ୍ଡପ ଗରୁଡ଼ସ୍ତମ୍ଭ ବିମ୍ରେ ସୃଷ୍ଟ ଫାଟର ବି ଅନୁଧ୍ୟାନ ଚାଲିଛି। ଯେହେତୁ ଏବେ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି, ତେଣୁ ନୀଳାଦ୍ରିବିଜେ ପୂର୍ବରୁ ଏସବୁ କାମ ସାରିବାକୁ ତତ୍ପର ହୋଇଛି ଟିମ୍। ତା’ସହ ଗର୍ଭଗୃହରେ ଶ୍ରୀଅଙ୍ଗକୁ ବିପଦ ସାଜିଥିବା ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ କମାଇବାକୁ ମଧ୍ୟ ପଦକ୍ଷେପ ନିଆଯିବ। ଗର୍ଭଗୃହରେ ସବୁ ଛୋଟବଡ଼ ଫାଙ୍କରେ ଲୁହା ଜାଲି ଦିଆଯିବା ସହ ଆବଶ୍ୟକ ପଡ଼ିଲେ ଜୈବ ଓ ପ୍ରାକୃତିକ ପ୍ରଣାଳୀରେ ଔଷଧ ପ୍ରସ୍ତୁତ କରାଯାଇ ମୂଷା ବଂଶ କମାଇବାକୁ
ପଦକ୍ଷେପ ନିଆଯିବ ବୋଲି ଟିମ୍ ଲକ୍ଷ୍ୟ ରଖାଯାଇଥିବା ଆର୍କ୍ୟୁଲୋଜିଷ୍ଟ ସୁପରିଟେଣ୍ଡେଣ୍ଟ ଡି.ଏସ୍. ଗଡ଼ନାୟକ କହିଛନ୍ତି।
ସେପଟେ ପୂର୍ବ ନିଷ୍ପତ୍ତି ମୁତାବକ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ସମୟରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା। ଗତକାଲି ରାତିରେ ପ୍ରଥମେ ସିଂହଦ୍ୱାରରେ ଏକ ଅବିକଳ ଅସ୍ଥାୟୀ ଦ୍ୱାର ଲଗାଯାଇଛି। ମୁମ୍ବାଇ ଜଣେ ଦାତାଙ୍କ ପାଖରୁ ୫ ଶହ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଆସି ପହଞ୍ଚିବା ପରେ ୧୫ରୁ ଅଧିକ ଶ୍ରମିକ ଏହାକୁ ସିଂହଦ୍ୱାର ପାଖକୁ ନେଇ ମାପ-ଚୁପ କାମରେ ଲାଗିଛନ୍ତି। ବର୍ମା ଶାଗୁଆନ କାଠରେ ମୂଳ ସିଂହଦ୍ୱାର ଭଳି ଫ୍ରେମ ପଡ଼ିବା ପରେ ସେଥିରେ ଉତ୍କଳୀୟ ଢାଞ୍ଚାରେ ରୁପା କାରୁକାର୍ଯ୍ୟ ସହ ଛାଉଣୀ କରାଯିବ। ସେପଟେ ରୂପା ଛାଉଣୀ କାମ ଚାଲିଥିବାରୁ ସିଂହଦ୍ୱାର ବାଟେ କେବଳ ସେବାୟତଙ୍କୁ ଛାଡ଼ି କାହାରିକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ସଂପୂର୍ଣ୍ଣ ସିଂହଦ୍ୱାରକୁ ଏବେ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି।
ଜନ୍ମବେଦୀରେ ଅବସ୍ଥାନ ପରେ ଗୁଣ୍ଡିଚା ମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ଲୀଳାଖେଳା। ଶୁକ୍ରବାରଠୁ ଶ୍ରଦ୍ଧାଳୁଙ୍କୁ ମିଳିବ ଆଡ଼ପ ଅବଢ଼ା। ଆଉ ଏଥିପାଇଁ ଉତ୍କଣ୍ଠା ସହରେ ଅନାଇ ରହିଛନ୍ତି ଶ୍ରଦ୍ଧାଳୁ ।
ସୂଚନାଯୋଗ୍ୟ, ଗତକାଲି ପୁରୀରେ ରଥ ଟଣା ହୋଇଥିଲା। ମାଉସୀ ମାଆ ଭମନ୍ଦି ନିକଟରେ ଅଟକିଥିବା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ବଡ଼ଶଙ୍ଖ ନିକଟରେ ଅଟକି ଥିବା ଦର୍ପଦଳନରଥକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଟାଣି ଶରଧାବାଲିରେ ଲଗାଇଥିଲେ। ମଙ୍ଗଳବାର ଦିନ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିଲା।
ସୂଚନା ମୁତାବକ, ଆଜି ସକାଳେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ରଥାରୁଢ଼ ଶ୍ରୀବଳଭଦ୍ରଙ୍କର ଓ ବାଟରେ ଅଟକି ରହିଥିବା ରଥାରୁଢ଼ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ପୂଜା ସକାଳ ୮ଟା ୫ ସୁଦ୍ଧା ସରିଥିଲା। ଏହାପରେ ବଲ୍ଲଭ ଭୋଗ ହେବା କଥା। ହେଲେ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବା ପରେ ବଲ୍ଲଭ ଭୋଗ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିଲା। ତେଣୁ ବଡ଼ଶଙ୍ଖ ଠାରେ ଅଟକିଥିବା ଦେବୀ ସୁଭଦ୍ରାଙ୍କ ରଥ ଓ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକୁ ଭିଡ଼ିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ୧୦.୨୫ରେ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ୧୦.୩୫ରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଥିଲା। ଏହାପରେ ଠାକୁରଙ୍କ ବଲ୍ଲଭ ଭୋଗ କରିବା ନିମନ୍ତେ ଜେଟିପି ସମ୍ପୃକ୍ତ ସେବକଙ୍କୁ ଆଣିବାକୁ ଯାଇଥିଲେ।
ହେଲେ ବଲ୍ଲଭ ଭୋଗରେ ସମ୍ପୃକ୍ତ ସେବକଙ୍କୁ ନେଇ ଆସିବା ବେଳେ ମାର୍କେଟ ଛକ ଓ ବଡ଼ଶଙ୍ଖ ଛକରେ ପୁଲିସ ବାଧକ ସାଜିଥିଲା। ଡ୍ରେସ୍ କୋର୍ଡ ଓ ପାସ୍ ଥିଲେ ହେଁ ଜେଟିପି କିମ୍ବା ସେବକଙ୍କୁ ଛାଡ଼ି ନଥିଲେ ଉପସ୍ଥିତ ପୁଲିସ ଅଧିକାରୀମାନେ। ତେଣୁ ପୁଲିସ କରିଥିବା ଏହି ବ୍ୟାରିକେଟ ଠାରୁ ହିଁ ଜେଟିପି ଓ ସେବକମାନେ ଘରକୁ ଫେରି ଯାଇଥିଲେ। ତେଣୁ ଠାକୁରଙ୍କ ପାଖରେ ବଲ୍ଲଭ ଭୋଗ ହୋଇପାରି ନାହିଁ ଓ ଠାକୁର ରଥ ଉପରେ ଉପବାସ ରହିଛନ୍ତି।
ଗତକାଲି ମହାପ୍ରଭୁ ରଥରେ ବସିବା ପୂର୍ବରୁ ଖାହାକିଛି ଖାଇକି ଆସିଥିଲେ। ସେବେଠୁ ଏଯାଏଁ କିଛି ବି ଖାଇ ନାହାନ୍ତି। ରଥ ଟଣା ସରିବା ପରେ ଅଫିସରମାନେ ଘରକୁ ଚାଲି ଯାଇଥିଲେ। ଏବାବଦରେ ଉପଯୁକ୍ତି ଦୃଷ୍ଟି ଦେଇ ନ ଥିଲେ। ତେବେ ଶେଷ ଖବର ସୁଦ୍ଧ ପୁରୀ ଉପଜିଲ୍ଲାପାଳ ଠାକୁରଙ୍କ ନୀତିକୁ ଆଗେଇ ନେବା ନିମନ୍ତେ ସେବାୟତ ଓ ପୁଲିସ ଅଧିକାରୀ ଭିତରେ ସମନ୍ୱୟ ରକ୍ଷା ନିମନ୍ତେ ଆଲୋଚନା କରୁଥିବା ଜଣାପଡ଼ିଛି।
ସେହିପରି ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ଅଟକି ରହିଥିଲା। ଆଜି ତିନି ରଥ ଶରଧାବାଲିରେ ଲାଗିବା ପରେ ଭକ୍ତମାନେ ରଥଉପରେ ହିଁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ।
ସୂଚନାଯୋଗ୍ୟ, ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଥିଲେ। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଥିଲେ।
ଭକ୍ତମାନେ ବଡ଼ଦାଣ୍ଡରେ ରଥଟାଣିବାର ସୁଯୋଗ ପାଇବେ। ସେହିପରି ସରଧାବାଲେରି ରଥ ଉପରେ ତିନି ଠାକୁରକଙ୍କ ଦର୍ଶନ କରିପାରିବେ।
ଆସନ୍ତାକାଲି ଆଡ଼ପ ମଣ୍ଡପରେ ବିଜେ କରିବେ ଚତୁର୍ଦ୍ଧାମୁରତି। ଶୁକ୍ରାବର ଦିନ ଗୁଣ୍ଡିଚା ମନ୍ଦିରରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇପାରିବେ। ଏପଟେ ବଳଭଦ୍ରଙ୍କ ରଥ ସରଧାବାଲିରେ ଲାଗିବା ପୂର୍ବରୁ ରାତି ହୋଇଯାଇଥିବାରୁ ସନ୍ଧ୍ୟା ପରେ ରଥ ଟଣାଯିବାକୁ ନେଇଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।
ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତକାଲି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।
ସେପଟେ ଠିକଣା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଜି ରଥ ନପହଞ୍ଚି ପାରିବା ନେଇ ବହୁ ଭକ୍ତ ଓ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶାସ୍ତ୍ରରେ ଉଲ୍ଲେଖ ଥିବା ମତ ଓ ବହୁବର୍ଷ ଧରି ଚାଲି ଆସୁଥିବା ବ୍ୟବସ୍ଥା ଭିତରେ ଅନ୍ତର ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସେମାନେ ମତ ପ୍ରକାଶ କରିଛନ୍ତି।
ଆଜି ରଥଟଣାରେ ମୁଖ୍ୟ ବାଧକ ସାଜିଥିଲା ରଥ ଠିକ୍ ଭାବେ ମୋଡ଼ ନେଇ ନ ପାରିବା। ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ୩ କିମି ରାସ୍ତାରେ ୩ଟି ପ୍ରମୁଖ ମୋଡ଼ ରହିଥାଏ। ତେବେ ରଥ ଉପରେ ଧାର୍ଯ୍ୟ ଠାରୁ ଅଧିକ ସେବାୟତ ରହିବାରୁ ରଥ ମୋଡ଼ ନେବାରେ ଅସୁବିଧା ସୃଷ୍ଟି ହୋଇଥିଲା। ତେଣୁ ସନ୍ଧ୍ୟା ପୂର୍ବରୁ କୌଣସି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରି ନ ଥିଲା। ଅନ୍ଧାର ହୋଇଯାଇଥିଲେ ହେଁ ଅଳ୍ପ ଆଲୁଅ ଭିତରେ ପ୍ରଶାସନିକ ଅଧିକାରୀ, ପୁଲିସ ଟିମ୍ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜକୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ି ନେଇ ଲଗାଇ ଦେଇଥିଲେ। ସେହିପରି ଶ୍ରୀସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମଧ୍ୟ ଅଳ୍ପ ଲାଇଟ୍ ବ୍ୟବସ୍ଥା ଭିତରେ କିଛି ବାଟ ଗଡ଼ିଥିଲା। ସେବାୟତମାନେ ସନ୍ଧ୍ୟା ପରେ ରଥ ନଟାଣିବାକୁ କହିବାରୁ ଦର୍ପଦଳନ ବଡ଼ଶଙ୍ଖ ଛକ ପାଖରେ ଅଟକିଥିଲା। ଏଥିସହ ଶେଷରେ ଗହଳି ଲଗାଇ ଆସୁଥିବା ନନ୍ଦିଘୋଷ ମାଉସୀ ମା’ ମନ୍ଦିର ନିକଟରେ ଅଟକି ଥିଲା।
ରଥ ଉପରେ ଠାକୁରଙ୍କ ଆଗରେ ଓ ପାର୍ଶ୍ୱରେ ଆବଶ୍ୟକ ଠାରୁ ଅଧିକ ସେବାୟତ ରହିବାରୁ ମଧ୍ୟ ରଥଟଣା ବେଳେ ଶ୍ରଦ୍ଧାଳୁ ଠାକୁରଙ୍କୁ ଭଲଭାବେ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ଯାହାକୁ ସ୍ୱୀକାର କରିବା ସହ ସେବାୟତଙ୍କୁ ଏଭଳି ନ କରିବାକୁ ବାରଣ କରାଯାଇଥିବା ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି।
ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମନୋଜ ରଥ କହିଛନ୍ତି, ସ୍କନ୍ଦ ପୁରାଣ ମୁତାବକ ସନ୍ଧ୍ୟା ହେଲେ ମଧ୍ୟ ହଜାର ହଜାର ମସାଲ ଲଗାଇ ଉଜ୍ୱଳ ଅଲୋକ ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣିନେବାକୁ ଓ ମସାଲ ଜଳାଇ ଠାକୁରଙ୍କୁ ପହଣ୍ଡି କରି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଜେ କରାଇବାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ମାତ୍ର ଶାସ୍ତ୍ରୀୟ ମତକୁ ନ ମାନି ବହୁବର୍ଷ ଧରି ଗଡ଼ି ଆସିଥିବା ବ୍ୟବସ୍ଥାକୁ ପ୍ରଶାସନ ପାଳନ କରିବା ପରିତାପର ବିଷୟ। ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ହଜାରହଜାର ଅଲୋକର ବ୍ୟବସ୍ଥା କରି ପ୍ରଶାସନ ରଥ ଭିଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଲଗାଇବା ସହ ପ୍ରଥମ ଦିନ ହିଁ ଠାକୁରମାନଙ୍କୁ ଆଡ଼ପ ମଣ୍ଡପକୁ ପହଣ୍ଡି କରି ନେବା କଥା। ହେଲେ ଏହାକୁ ପାଳନ କରାଯାଉନି। ପ୍ରଶାସନିକ ଦାୟିତ୍ୱହୀନତା ଏହାର କାରଣ ହୋଇଛି।
ଏନେଇ ପୂଜାପଣ୍ଡା ସେବାୟତ ମହେଶ୍ୱର ପାତ୍ରୀ କହିଛନ୍ତି, ନୀତି ମୁତାବକ ଆଜି ରଥ ଦୁଇ ଦଉଡ଼ି ବାଟ ଟଣାଯିବା କଥା। ରଥ ନିକଟସ୍ଥ ମଠ ଠାରେ ଅଟକିବା କଥା। କିନ୍ତୁ ସେବକ ଓ ପ୍ରଶାସନିକ ତାଳମେଳ ଅଭାବରୁ ରଥଟଣା ହୋଇପାରିନି। ଏଥିସହ ହଜାର ହଜାର ବର୍ଷର ପରମ୍ପରା ଭାଙ୍ଗିଛି।
କେନ୍ଦ୍ରାପଡ଼ା ଏସ୍ଡିପିଓ ଜୟନ୍ତ ମହାପାତ୍ର କହିଛନ୍ତି ପାଳିଆ ପଣ୍ଡାଙ୍କ ଅସୁବିଧା ଯୋଗୁ ରଥଟଣା ହୋଇପାରିନି। ସେବାୟତଙ୍କ ଭିତରେ ହିଁ ଅସନ୍ତୋଷ ଥିଲା। ତେଣୁ ଆସନ୍ତାକାଲି ରଥ ଟଣାଯିବ।
ଦେବୋତ୍ତର କମିଶନର ବଳଭଦ୍ର ପତ୍ରୀ କହିଛନ୍ତି, ଖରାଗରମରୁ ପହଣ୍ଡି ବିଳମ୍ବ ହୋଇଥିଲା। ତେଣୁ ରଥଟଣା ହୋଇପାରିନି। ରାତିରେ ରଥ ଟାଣିଥିଲେ କିଛି ଅଘଟଣ ଘଟିବା ଆଶଙ୍କା ଥିବାରୁ ଆସନ୍ତାକାଲିକୁ ରଥଟଣା ଯିବ। ଏହାଛଡ଼ା ରାତିରେ ରଥଟଣା ଯିବାର ନିୟମ ନାହିଁ।
ଆଜି ନୀଳକନ୍ଦରରୁ ଭକ୍ତଙ୍କ ଗହଣକୁ ଓହ୍ଲାଇ ଅସିଛନ୍ତି ମହାବାହୁ। ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି। ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଆଜି ୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ୱେ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ରଥ ପହଞ୍ଚିପାରି ନ ଥିଲା। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନିଠାକୁର। ସେପଟେ ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦେଖି ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛି। ରଥ ଟାଣି ହାତ, ପାଦ ଓ ଶରୀରକୁ ମହାପ୍ରଭୁଙ୍କ ସେବାରେ ଲଗାଇ ଭକ୍ତ ଧନ୍ୟ ମଣିଛନ୍ତି।
ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।
ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ପ୍ରାୟ ୩ଟା ଅର୍ଥାତ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଟଣା। ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ। ଏହା ପରେ ମା ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିର ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ।
ସେପଟେ କଳା ଠାକୁରଙ୍କ ଛନ୍ଦ, ଠାଣି, ଭାବ, ବେଶ, ଅଭୂଷଣ ଦେଖି ତାଙ୍କରି ଭକ୍ତ ବା କାହିଁକି ବାଦ୍ ପଡ଼ିବେ। ନାନା ରଙ୍ଗ, ଭାବ ଆଉ ଭଙ୍ଗୀ ସହ ଭକ୍ତିରେ ଆଜି ମଜ୍ଜିଯାଇଥିଲେ ରାଜ୍ୟ, ଦେଶ ଆଉ ବିଦେଶରୁ ଧାଇଁ ଆସିଥିବା ଭକ୍ତ। ଭାବ ବିନୋଦିଆଙ୍କୁ ପାଖରେ ପାଇ କିଏ ନିଜକୁ ସମର୍ପି ଦେଇଥିଲେ ତ ଆଉ କିଏ ଲୁହ ଛଳ ଛଳ ଆଖିରେ ଦୁଃଖ ଜଣାଇଥିଲେ। ଜୟ ଶ୍ରୀଜଗନ୍ନାଥ ଧ୍ୱନୀ ଉଚ୍ଚାରଣ କରି ହାତ ମେଲାଇ ମହାପ୍ରଭୁଙ୍କୁ ଗୁହାରି କରିଥିଲେ ଶ୍ରଦ୍ଧାଳୁ। ଭକ୍ତ ଆଉ ଭଗବାନଙ୍କ ମିଳନର ଏହି ଅବର୍ଣ୍ଣନୀୟ ମୂହୁର୍ତ୍ତରେ ଜାତି, ଧର୍ମ, ବର୍ଣ୍ଣ ଆଉ ଭାଷାର ଭିନ୍ନତା ସତ୍ତ୍ୱେ ଆଜି ଏକାକାର ହୋଇଛନ୍ତି ସମସ୍ତେ। ଆଉ ଏହି ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ କିଏ ପବନ ପୁତ୍ର ହନୁମାନ ବେଶରେ ତ ଆଉ କିଏ ଶିବ ଆଉ ପାର୍ବତୀଙ୍କ ବେଶରେ ସଜ୍ଜିତ ହୋଇ ବଡ଼ଦାଣ୍ଡରେ ଉଭା ହୋଇଥିଲେ। ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ନୃତ୍ୟଶିଳ୍ପୀମାନେ ମଧ୍ୟ ଧନ୍ୟ ହୋଇଯାଇଥିବା ପ୍ରକାଶ କରିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୁଢ଼ବେଳେ ଜଳ ଜଳ ହୋଇ ଦିଶୁଥିଲା ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମାହାରୀ, ଓଡ଼ିଶୀ ଏବଂ ଗୋଟିପୁଅ ନୃତ୍ୟ। ଭିଡ଼ ଭିତରେ ସୁଦୂର କଲମ୍ବିଆରୁ ଆସିଥିବା ନୃତ୍ୟଶିଳ୍ପୀ ବ୍ରିନ୍ଦାଙ୍କ ଭକ୍ତି ମଧ୍ୟ ବାରି ହୋଇପଡ଼ୁଥିଲା। ସେ ବି ୩ ରଥ ଆଗରେ ଘୁଙ୍ଗୁରି ବାନ୍ଧି ଓଡ଼ିଶୀ ଛାନ୍ଦରେ ନୃତ୍ୟ ପରିବେଷଣ କରିଛନ୍ତି ଆକର୍ଷଣୀୟ ଢଙ୍ଗରେ। କହିଛନ୍ତି, ଏଠିକୁ ଆସି ବହୁତ ଖୁସି। କେବଳ ଓଡ଼ିଶୀ କି ଗୋଟିପୁଅ ନୃତ୍ୟ ନୁହଁ, ଖୋଳ ମୃଦଙ୍ଗ ସହ ନାମ ସଂକୀର୍ତ୍ତନରେ ପୂରି ଉଠୁଥିଲା ସାରା ପରିବେଶ। ଦରିଆପାରିରୁ ଧାଇଁ ଆସିଥିବା ବିଦେଶୀ ଭକ୍ତଙ୍କ ମୁହଁରେ ବିଖରିତ ହେଉଥିଲା ରାମ କୃଷ୍ଣ ହରେ ରାମ।
ଅନ୍ୟପଟେ ରଥ ଟଣା ପୂର୍ବରୁ ହିଁ ବଡ଼ଦାଣ୍ଡରେ ଠାକୁରଙ୍କ ଦର୍ଶନ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କଠୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନେ ବି ପହଞ୍ଚିଥିଲେ। ମହାପ୍ରଭୁଙ୍କ ରଥ ଟାଣିଥିଲେ, ଆଖି ପୂରାଇ ଦର୍ଶନ ବି କରିଥିଲେ। ରାଜ୍ୟପାଳ ମହାପ୍ରଭୁଙ୍କ ପହଣ୍ଡି ଦେଖିବା ସହ ରଥଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନ କରିଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ସହିତ ରଥ ଦଉଡ଼ିକୁ ଛୁଇଁ ପ୍ରଣାମ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ମହାବାହୁଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନେକ ମନ୍ତ୍ରୀ, ବରିଷ୍ଠ ନେତା, ପିସିସି ସଭାପତି ଶରତ ପଟ୍ଟନାୟକ ରଥଯାତ୍ରାରେ ସାମିଲ ହୋଇଥିଲେ।
ଆଉ ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର। ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବଡ଼ଦାଣ୍ଡ ଓ ପୂରା ସହର ଉପରେ ନଜର ରଖଯାଇଛି। ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଛନ୍ତି ୧୮୦ ପ୍ଳାଟୁନ୍ ଫୋର୍ସ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ରୁ ଅଧିକ ସିସିଟିଭି ଲଗାଯାଇ ଲୋକଙ୍କ ଯାତାୟତ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟରିଂ କରାଯାଇଥିଲା ସେହିପରି ଯାତ୍ରୀମାନଙ୍କର ସୁବିଧା ଲାଗି ୧୧ଟି ସ୍ଥାନରେ ଖୋଲାଯାଇଛି ସୂଚନା କେନ୍ଦ୍ର। ଆଜିଠାରୁ ନୀଳାଦ୍ରି ବିଜେ ଯାଏଁ କଡ଼ା ସୁରକ୍ଷା ବଳୟ ଭିତରେ ରହିବ ଶ୍ରୀକ୍ଷେତ୍ର।
ସବୁ ବର୍ଷ ଭଳି ଏଥର ବି ରଥଯାତ୍ରାରେ ମାଧବଙ୍କ ଦର୍ଶନ ଅପେକ୍ଷା ମାନବ ସେବାକୁ ବ୍ରତ କରିଥିଲେ ବହୁ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ଅନୁଷ୍ଠାନ। ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ଅଗଣିତ ଭକ୍ତଙ୍କୁ ସକାଳୁ ସନ୍ଧ୍ୟା ଯାଏଁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେଇଥିଲେ ଭିନ୍ନ ଭିନ୍ନ ସେବା। କିଏ ଖାଦ୍ୟ, କିଏ ପାନୀୟ ତ ଆଉ ଶୃଙ୍ଖଳା ରକ୍ଷା, ଆମ୍ବୁଲାନ୍ସ, ସେବା ଶୁଶ୍ରୁସାରେ ହଜାଇ ଦେଇ ନିଜକୁ ଧନ୍ୟ ମନେ କରିଥିଲା। ପଚାରିଲେ ସେମାନଙ୍କ ମୁହଁରେ ଗୋଟିଏ କଥା ଥିଲା- ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି।
ଲକ୍ଷ ଲକ୍ଷ ଭକ୍ତଙ୍କ ଆତଯାତ ଭିତରେ ପୁରୀରେ ଆଜି ଅନୁଭୂତ ହେଉଥିଲା ପ୍ରଚଣ୍ଡ ତାତି ଆଉ ଅସହ୍ୟ ଗୁଳୁଗୁଳି। ଦିନ ୧୧ଟା ବେଳକୁ ସହରର ଆଦ୍ରତା ୭୯ ପ୍ରତିଶତ ଛୁଇଁଥିଲା। ତାରି ଭିତରେ ଭକ୍ତଙ୍କ ଉପରେ ଶୀତଳ ଜଳ ସିଞ୍ଚନ ସେବାରେ ଲାଗିଥିଲେ ଓଡ଼ିଶା ଅଗ୍ନିଶମ ବାହିନୀର ଆଗ୍ନିକ। ଏ କାମରେ ବହୁ ଘରୋଇ ସଂସ୍ଥାର ସ୍ୱେଚ୍ଛାସେବୀ ବି ନିଜକୁ ହଜାଇ ଦେଇଥିଲେ। ଦର୍ଶନ ଅପେକ୍ଷାରେ ଥିବା ଭକ୍ତ, ଆଉ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମୁହଁରୁ ଓଦା କପଡ଼ାରେ ଝାଳ ପୋଛିଦେଇ, ସେମାନଙ୍କ ଶ୍ରମ ଲାଘବ କରୁଥିଲେ କିଛି ସ୍ୱେଚ୍ଛାସେବୀ। ସେହିଭଳି କିଏ ଦହିପାଣି ତ, ଆଉ କିଏ ଶ୍ରଦ୍ଧାଳୁଙ୍କୁ ଶୁଦ୍ଧ ପିଇବା ପାଣି ଟିକେ ଦେଇ ତୃପ୍ତ କରୁଥିଲା। ରଥଯାତ୍ରା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେବା ଥିଲା ଗହଳି ଭିତରେ ଅଚେତ ହୋଇ ଯାଉଥିବା କିମ୍ବା ଅସୁସ୍ଥ ହୋଇପଡୁଥିବା ଶ୍ରଦ୍ଧାଳୁଙ୍କ ତୁରନ୍ତ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଦେବା। ଏଥିରେ ସରକାରୀ ସ୍ୱାସ୍ଥ୍ୟକର୍ମୀ ଓ ସରକାରୀ ଆମ୍ବୁଲାନ୍ସକୁ ବାଦ ଦେଲେ ଶହ ସଂଖ୍ୟାରେ ଘରୋଇ ଆମ୍ବୁଲାନ୍ସ ସାଙ୍ଗକୁ ହଜାର ହଜାର ଭଲ୍ୟୁଣ୍ଟିୟର ଉଲ୍ଲେଖନୀୟ ଭୂମିକା ନେଉଥିଲେ। ଆଉ ଭିଡ଼ ଭିତରେ ଆମ୍ବଲାନସ୍ ପାଇଁ ବାଟ କଢାଇ ନେବାକୁ ଆଗେଇ ଆସୁଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମେତ ଅନ୍ୟ ଅନୁଷ୍ଠାନର ସ୍ୱେଚ୍ଛାସେବକ। ସେହିଭଳି କିଏ ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲ୍ ଚେୟାର ସେବା ଯୋଗାଇ ଦେଉଥିଲେ ତ ଆଉ କିଏ ଖରା ତାପରୁ ରକ୍ଷା ପାଇଁ ଯୋଗାଇ ଦେଉଥିଲେ ଛତା ଓ ଟୋପି ସେବା।
ସେପଟେ ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ଼କୁ ଲକ୍ଷ କରି ଶତାଧିକ ଲାଇଫ୍ ଗାର୍ଡ୍ ଓ ଅଭିଜ୍ଞ ଧୀବର ବି ଜନସାଧାରଣଙ୍କୁ ସେବା ଯୋଗାଇ ଅହରହ ପ୍ରସ୍ତୁତ ଥିଲେ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅହମଦାବାଦର ଦିରିୟାପୁରରେ ଆୟୋଜିତ ହୋଇଥିଲା। ରାସ୍ତାରେ ମହାବାହୁଙ୍କ ରଥ ଗଡ଼ୁ ଥିବା ବେଳେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ଜମିଥିଲା।
ଏହିକ୍ରମରେ କିଛି ଲୋକ ରାସ୍ତା କଡ଼ରେ ଥିବା ଗୋଟିଏ ପୁରୁଣା ଦୁଇ ମହଲା କୋଠାର ବାଲକୋନୀରେ ଛିଡ଼ା ହୋଇ ରଥାରୂଢ଼ ମହାପ୍ରଭୁଙ୍କ ଅପୂର୍ବ ଯାତ୍ରାକୁ ଚର୍ମଚକ୍ଷୁରେ ଦେଖୁଥିଲେ।
ତେବେ ରଥ ଘରଘର ନାଦ କରି ରାସ୍ତାରେ ଯାଉଥିବା ବେଳେ ହଠାତ୍ ଦୁଇ ମହଲା କୋଠାର ବାଲକୋନୀ ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଅନେକ ଲୋକ ଏହା ତଳେ ଚାପି ହୋଇଯାଇଥିଲେ। ଏହାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।
ରାସ୍ତାରେ ଥିବା ଲୋକମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଖବର ପାଇ ପୁଲିସ୍ ଓ ପ୍ରଶାସନ ତୁରନ୍ତ ଧ୍ୱଂସାବଶେଷ ତଳୁ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଏବେ ସୁଦ୍ଧା ଉଦ୍ଧାର ହୋଇଥିବା ୮ ଜଣଙ୍କ ଅବସ୍ଥା ସ୍ଥିର ଥିବା ପୁଲିସ୍ କହିଛି।
ମଙ୍ଗଳବାର ଅହମଦାବାଦରେ ଭଗବାନ ଜଗନ୍ନାଥଙ୍କ ୧୪୬ତମ ରଥଯାତ୍ରା ଆରମ୍ଭ ହୋଇଛି। ଲକ୍ଷାଧିକ ଲୋକ ଏଥିରେ ସାମିଲ ହୋଇ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିଛନ୍ତି।
Accident during Rath Yatra in Ahmedabad, many injured due to balcony collapse #Ahmedabad #WhatsApp #AhmedabadRathYatra pic.twitter.com/Efi4zUW077
— Pawan Shandilya (@pawanshandilya8) June 20, 2023
ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ପହଣ୍ଡି ବିଧି କରିଥିବା ବେଳେ ଭୋର ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳା ଆରତୀ କରିଥିଲେ।
ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଏକ ଆକର୍ଷଣ ହେଲା ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ହେଉଥିବା ସ୍ୱତନ୍ତ୍ର ଭୋଗ। ଏଥିପାଇଁ ପୂର୍ବରୁ ହେଉଥିବା ରଥ ଭୋଗ ଓ ଏବେ ହେଉଥିବା ରଥ ଭୋଗ ବିଷୟରେ ଜାଣିବାକୁ ପଡ଼ିବ।
ମାଦଳାପାଞ୍ଜି, ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଏବଂ ଶ୍ରୀମନ୍ଦିର ପଞ୍ଜିକା ଇତ୍ୟାଦିରୁ ଜଣାପଡ଼େ ଗଜପତି ମହାରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରକାର ଭୋଗମାନ ବନ୍ଦନ କରାଯାଇଥିଲା। ଏହି ଗଜପତି ରଥ ଉପରେ ହେଉଥିବା ଭୋଗଗୁଡ଼ିକ ଯଥା- ବଡ଼ସାନ ମନୋହର, ପଶୁପାଳକ କାକରା, ନାଡ଼ି, ଗଜା, ଟାକୁଆ, ଫେଣି, ଡାଳିମ୍ବ, ସୁଆର ନଡ଼ୁ, କାକରା ଇତ୍ୟାଦି ଭୋଗର ଖର୍ଚ୍ଚ ତୁଲାଇବାକୁ ଅସାମର୍ଥ୍ୟ ପ୍ରକାଶ କରିଥିଲେ। ଏହା ବଦଳରେ ରଥଭୋଗ ଆକାରରେ କେବଳ ବିଭିନ୍ନ ଆକୃତିର କୋରା, ଖଇ ଓ ଫଳ ଇତ୍ୟାଦି କରାଯାଇଥିଲା।
ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ଅଧିକ ଭୋଗ ମଧ୍ୟରେ କୋରା, ଖଇ, ବଡ଼ କାକରା, ଉଠା କାକରା, ମହା ପ୍ରସସ୍ତ ମନହର, ବଡ ଅମାଲୁ, ସାନ ଅମାଲୁ, ଝଡ଼େଇ ନେଦା, ମାଣ୍ଡୁଅ, ଏକ ବଡ଼ ଟାକୁଆ, ରଥ ମନହର, ମରିଚି ଲଡ଼ୁ ଇତ୍ୟାଦି ଭୋଗ ଦ୍ରବ୍ୟ ପ୍ରଭୃତି କୋଠଭୋଗ ସୂପକାରଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିଲା। ଏହି ଭୋଗ ଶ୍ରୀମନ୍ଦିର ଆନନ୍ଦବଜାର ସ୍ଥିତ ପାଣିଘର ଠାରେ ପ୍ରସ୍ତୁତ ହେଉଥିଲା।
ଏହାଛଡ଼ା ରଥ ଉପରେ ଅନୁଷ୍ଠିତ ଭୋଗମାନ ମାଜଣା ଯାଗା, ଦଶାବତାର ମଠ, ଚାଉଳିଆ ମଠ, ବଡ଼ଛତା ମଠ ଓ ଜଗନ୍ନାଥ ବଲ୍ଲଭ ମଠ ଠାରେ ପ୍ରସ୍ତୁତ ହେଉଥିଲା। କିନ୍ତୁ ପ୍ରାୟ ୮୦ ବର୍ଷ ଧରି ଏହି ଭୋଗ ବନ୍ଦ ହୋଇଯାଇଛି।
ବର୍ତ୍ତମାନ କେବଳ ମାଜଣା ଜାଗା ପକ୍ଷରୁ ଶ୍ରୀମନ୍ଦିର ସୁପକାର ସେବକମାନଙ୍କ ଦ୍ୱାରା ଖେଚଡ଼ି ଓ ଡାଲମା ଇତ୍ୟାଦି ରନ୍ଧା ହୋଇ ଯାଗା ବିଜେସ୍ଥଳୀ ଠାରେ ଠାକୁରମାନଙ୍କ ଉଦ୍ଦେଶ୍ୟରେ ପୂଜାପଣ୍ଡା ସେବକମାନଙ୍କ ଦ୍ୱାରା ଭୋଗ କରାଯାଉଛି।
ଏଥିସହ ସମ୍ପ୍ରତି ରଥ ଉପରେ ଦୁଇପ୍ରକାର ବଡ଼କୋରା, ଧୁଆମୁଗ, ଗଜାମୁଗ, ପାତିନଡ଼ିଆ, ଭଲ ଘିଅ, ବଲ୍ଲଭ ଖଇ, ସେଓ, କଦଳୀ, କମଳା, ଚାଉଳିଆ, କାକୁଡ଼ି ଇତ୍ୟାଦି ଫଳ ଭୋଗ ହେଉଛି।
ତିନି ରଥ ଉପରେ ଶ୍ରୀବିଗ୍ରହମାନଙ୍କୁ ସକାଳ ଧୂପ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପରେ ମୋଟ ଉପରେ ୭୪ଟି କୋରା, ୨୧ ଓଳି ଖଇ ନୈବେଦ୍ୟ କରାଯାଉଛି।
ସେଥିମଧ୍ୟରୁ ତାଳଧ୍ୱଜରେ ବଳଭଦ୍ରଙ୍କ ନିକଟରେ ୨୬ଟି କୋରା, ୭ ଓଳି ଖଇ, ଗଜାମୁଗ, ଫଳ ଇତ୍ୟାଦି ଅର୍ପଣ କରାଯାଏ। ନନ୍ଦିଘୋଷ ଉପରେ ଶ୍ରୀଜଗନ୍ନାଥଙ୍କ ନିକଟରେ ୨୮ଟି କୋରା, ୭ ଓଳି ଖଇ, ଗଜାମୁଗ, ଫଳ, ନଡ଼ିଆ ପାତି ଇତ୍ୟାଦି ଅର୍ପଣ କରାଯାଏ। ଦେବଦଳନ ଉପରେ ମା’ ସୁଭଦ୍ରାଙ୍କ ନିକଟରେ ୨୦ଟି କୋରା, ୭ ଓଳି ଖଇ, ଗଜାମୁଗ, ନଡ଼ିଆ ପାତି, ସେଓ, କମଳା, କଦଳୀ, କାକୁଡ଼ି ଆଦି କଟା ଫଳ ଅର୍ପଣ କରାଯାଏ।
ବଡ଼ସିଂହାର ଭୋଗରେ ତିନି ରଥ ଉପରେ ଠାକୁରମାନଙ୍କୁ ୨୪ଟି ସାନ ନଡ଼ିଆ କୋରା, ୧୨ ଓଳି ସାଦା ଖଇ ଭୋଗ ହୋଇଥାଏ। ଏଥିମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ରଥରେ ୮ଟି କୋରା, ୪ ଓଳି ଖଇ ଓ ଦେବୀ ସୁଭଦ୍ରାଙ୍କୁ ୮ଟି କୋରା ଓ ୪ ଓଳି ଖଇ, ବଳଭଦ୍ରଙ୍କ ପାଖରେ ୮ଟି କୋରା ଓ ୪ ଓଳି ଖଇ ଭୋଗ କରାଯାଏ।
ରଥ ଉପରେ ଗୋପାଳ ବଲ୍ଲଭ ଭୋଗରେ ଖଇ, ଖୁଆମଣ୍ଡା, ନଡ଼ିଆ ପାତି, କୋରା, ଦହି, ଫଳମୂଳ ଆଦି ସର୍ପାମଣୋହି କରାଯାଏ।
ସର୍ବଶେଷରେ ଏତିକି କୁହାଯାଇପାରେ, ଯେଉଁ ସାତ୍ତ୍ୱିକ ଆହାର ରସଯୁକ୍ତ, ସ୍ନିଗ୍ଧ, ଘୃତାଦି ସ୍ନେହଗୁଣ ସମ୍ପନ୍ନ, ସାରଯୁକ୍ତ ଓ ହୃଦୟ ପ୍ରୀତିକର ତାହା ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୁଏ। ସେହି ଦିବ୍ୟ ଗୁଣଧାରୀ ମହାପ୍ରସାଦକୁ ଆସ୍ୱାଦନରେ ଭକ୍ତ ମଣ୍ଡଳି କୁତାର୍ଥ ହୁଅନ୍ତି। ତେବେ ପୂର୍ବ ପ୍ରଚଳିତ ଭୋଗଗୁଡ଼ିକ କାହିଁକି ପୁନଃ ପ୍ରଚଳନ କରିବା ପାଇଁ ସରକାର ପଦକ୍ଷେପ ନେଉନାହାନ୍ତି ତାହା ଅସ୍ପଷ୍ଟ।
ଠେଲାପେଲାରେ ବହୁ ସଂଖ୍ୟକ ମହିଳା ଓ ବରିଷ୍ଠ ନାଗରିକ ପଡ଼ି ଯିବା ପରେ ଉପସ୍ଥିତ ସୁରକ୍ଷା କର୍ମୀ ଭିଡ଼କୁ ପ୍ରତିହତ କରି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମୃଦ ଲାଠି ଚାଳନା କରି ପଡ଼ି ଯାଇଥିବା ଲୋକଙ୍କୁ ଉଠାଇ ଆଶୁ ଚିକିତ୍ସା କେନ୍ଦ୍ରକୁ ନିଆଯିବା ପରେ ସେଠାରୁ ପ୍ରାୟ ୫ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ସମସ୍ତଙ୍କର ଚିକିତ୍ସା ଚାଲିଛି। ସେମାନଙ୍କ ଭିତରେ ଜଣେ ବିଦେଶୀ ଭକ୍ତ ମଧ୍ୟ ଅଛନ୍ତି।
ରଥ ଟାଣିବାକୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ହୋଇଛି। ପ୍ରବଳ ଗୁଳୁଗୁଳି ସତ୍ତ୍ୱ ଠାକୁରଙ୍କ ରଥ ଭିଡ଼ିବାକୁ ସମସ୍ତଙ୍କ ଭିତରେ ଆଗ୍ରହ ଠେଲାପେଲା ପରିସ୍ଥିତି ସୃଷ୍ଟି କରିଛି। ତେବେ ଶୃଙ୍ଖଳିତ ରଥ ଟଣା ନିମନ୍ତେ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳେ ଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଦ୍ୱାରପାଳ, ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବା ଭଳି ନୀତିକାନ୍ତି ଶେଷ ହେବା ପରେ ରଥ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ ହୋଇଥିଲା। ତା’ପରେ ସକାଳ ପ୍ରାୟ ୯ଟା ବେଳକୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଥିଲେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରାୟ ୧୨ଟା ବେଳକୁ ପହଣ୍ଡି ଶେଷ ହୋଇଥିଲା।
ନିୟମ ଅନୁଯାୟୀ, ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ସେ ଆସି ଦେବଦଳନ ରଥରେ ବିରାଜମାନ ହୋଇଥିଲେ। ତାଙ୍କ ପରେ ବଡ଼ ଠାକୁର ବଳଭଦ୍ର, ତା’ପରେ ଦେବୀ ସୁଭଦ୍ରା ଓ ଶେଷରେ ଆସିଥିଲେ କାଳିଆ ଠାକୁର। ପହଣ୍ଡି ବିଜେ ବେଳେ ବାଜିଥିଲା ବିଜେ କାହାଳୀ। ହୁଳହୁଳି ଓ ହରିବୋଲ ଧ୍ୱନିରେ ପୂରା ସିଂହଦ୍ୱାରା ଅଞ୍ଚଳ ପ୍ରକମ୍ପିତ ହୋଇଯାଇଥିଲା।
ପହଣ୍ଡିରେ ଆସି ବଡ଼ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ ବିରାଜମାନ ହୋଇଥିବା ବେଳେ ଦେବୀ ସୁଭଦ୍ର ଦେବଦଳନ ଓ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି।
ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ଠିକ୍ ୪ଟାରେ ରଥ ଟଣା ଆରମ୍ଭ ହେବ।