ଏହି ସମୟରେ ଏନଆଇଏ କୋର୍ଟରେ ପ୍ରଦୀପ ଶର୍ମା ଜାମିନ ଆବେଦନ କରିଛନ୍ତି। କିନ୍ତୁ ଜାମିନକୁ ବିରୋଧ କରି ଆହୁରି ଅନେକ କିଛି ତଥ୍ୟ ଦେଇଛି ଏନଆଇଏ। ଯେଉଁଥିରେ କୁହାଯାଇଛି ଏହି ହତ୍ୟାର ଷଡ଼ଯନ୍ତ୍ର ମୁମ୍ବାଇ ପୁଲିସ କମିଶନରଙ୍କ ଅଫିସରେ ହୋଇଥିଲା। ଏହି ସମୟରେ ପୁଲିସ କମିଶନର ଥିଲେ ପରମବୀର ସିଂହ। ଯିଏକି ବଟି ଆଦାୟ ମାମଲାରେ ଗିରଫଦାରୀରୁ ବର୍ତ୍ତିବା ପାଇଁ କୋର୍ଟ କଚେରୀ ଦୌଡୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଲା ଯେଉଁ ଖାକି ବର୍ଦ୍ଦି ପିନ୍ଧି ଲୋକଙ୍କୁ ନ୍ୟାୟ ଦେବା କଥା ସେହି ବର୍ଦ୍ଦି ପିନ୍ଧି ସଚିନ ବାଜେ ହତ୍ୟାର ଷଡଯନ୍ତ୍ର ରଚିଥିଲା। ଏଥିପାଇଁ ପ୍ରଦୀପ ଶର୍ମାଙ୍କୁ କ୍ରାଇମ ପାର୍ଟନର ଭାବେ ବ୍ୟବହାର କରିଛି। ମୁମ୍ବାଇ ପୁଲିସରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ପ୍ରଦୀପ ଜଣାଶୁଣା। ବିବାଦୀୟ କାର୍ଯ୍ୟକଳାପ ପାଇଁ ସେ ପୁଲିସ ଚାକିରିରୁ ନିଲମ୍ବିତ ହୋଇଥିଲେ। ପରେ ଶିବସେନା ଟିକେଟରୁ ବିଧାୟକ ଭାବେ ନିର୍ବାଚନ ଲଢି ମାଟି କାମୁଡିଥିଲେ।
ଏନଆଇଏର ଏହି ଦାବି ପରେ ମହାରାଷ୍ଟ୍ର ସରକାର କିଭଳି ଜଣେ ଅପରାଧୀ ପୁଲିସ ଅଧିକାରୀକୁ ସୁରକ୍ଷା ଦେଉଥିଲା ସେ ନେଇ ପ୍ରଶ୍ନ ଉଠିଛି। ଆଉ ପୁଲିସର ନାକ ତଳେ ଏତେ କଥା ହେଉଥିବା ବେଳେ ପରମବୀର ସିଂହ ଏବଂ ସେତେବେଳେର ଡିଜି କେମିତି କିଛି ଜାଣିପାରିଲେନି ତାହା ମଧ୍ୟ ପ୍ରଶ୍ନ ଘେରରେ।
ଉଲ୍ଲେଖଯୋଗ୍ୟ, ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ। ଏହି ଅଟ୍ଟାଳିକା ଆଗରୁ ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓ ଜବତ ହୋଇଥିଲା। ଏହି କାରର ମାଲିକ ମନସୁଖ ହିରେନ। ଯାହାକୁ ସଚିନ ବାଜେ ଆଣି ବ୍ୟବହାର କରୁଥିଲେ। ଉଭୟ ବାଜେ ଏବଂ ମନସୁଖ ଭଲ ସାଙ୍ଗ। ତେବେ ବିସ୍ଫୋରଣ ସାମଗ୍ରୀ ଭର୍ତ୍ତି କାର ମାମଲାରେ ମହାରାଷ୍ଟ୍ର ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦଶ ଦେବା ପରେ ମନସୁଖ ହିରେନ ତଦନ୍ତ ପରିସରଭୁକ୍ତ ହୋଇଥିଲେ। ଆଉ କ୍ରାଇମବ୍ରାଞ୍ଚ ତଦନ୍ତର ନେତୃତ୍ୱ ନେଇଥିଲେ ସଚିନ ବାଜେ। ଏହି ସମୟରେ ମନସୁଖ କହିଥିଲେ କାରଟି ଦୁଇ ଦିନ ହେବ ହଜିଯାଇଥିଲା। ସେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା। ତଦନ୍ତ ଭାର ଏଟିଏସ ହାତକୁ ଯିବା ପରେ ହଠତ୍ ମନସୁଖଙ୍କ ମୃତଦେହ ଏକ ନଦୀରୁ ଉଦ୍ଧାର ହୋଇଥିଲା।
ମୁମ୍ବାଇ ସ୍ୱତନ୍ତ୍ର ଅଦାତଲରେ ଏନ୍ଆଇଏ ସଚିନ ବାଜେଙ୍କ ବିରୋଧରେ ୨୯୦ ପୃଷ୍ଟାର ଚାର୍ଜସିଟ୍ ଦାଖଲ କମରିଛି। ଚାର୍ଜସିଟ୍ ଅନୁଯାୟୀ, ସଚିନ ବାଜେ ପୂର୍ବତନ ଏନକାଉଣ୍ଟର ସ୍ପେଶାଲିଷ୍ଟ ପ୍ରଦୀପ ଶର୍ମାଙ୍କ ମାଧ୍ୟମରେ ମାନସୁଖ ହିରେନଙ୍କୁ ହତ୍ୟା କରିଥିଲେ। ତାଙ୍କ ରହସ୍ୟ ଖୋଲିବା ଭୟରେ ବାଜେ ପ୍ରଦୀପ ଶର୍ମାଙ୍କୁ ମନସୁଖ ହରେନଙ୍କ ହତ୍ୟା ଦାୟିତ୍ୱ ଦେଇଥିଲେ। ପରେ ସୁପାରୀ ଦେଇ ପ୍ରଦୀପ ଶର୍ମା ମାନସୁଖ ହିରେନଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ ସଚିନ ବାଜେ ହିଁ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ସାମଗ୍ରୀ ରଖିବା ପାଇଁ ପୂରା ଷଡଯନ୍ତ୍ର ରଚିଥିଲେ।
ସଚିନ ଏହି ଷଡଯନ୍ତ୍ର ଜରିଆରେ ନିଜର 'ସୁପର୍କପ୍'ର ଛବି ପ୍ରତିଷ୍ଠା କରିବାକୁ ଚାହୁଁଥିଲେ। ଏଥିପାଇଁ ବଟି ଆଦୟ କରି ସେ ବିପୁଳ ପରିମାଣର ଟଙ୍କା ସଞ୍ଚିତ କରୁଥିଲେ। ଏଥିସହ ସଚିନ ମୁମ୍ବାଇର ବଡ ବଡ ଧନୀ ଲୋକଙ୍କୁ ମିଛ ମମଲାରେ ଫାଇସ ଦେବାକୁ କହି ସେମାନଙ୍କ ମନରେ ଭୟ ସୃଷ୍ଟି କରିବାକୁ ଚାହୁଁଥିଲେ, ଫଳରେ ଭବିଷ୍ୟତରେ ସେ ତାଙ୍କଠାରୁ ମଧ୍ୟ ଯେପରି ଟଙ୍କା ଆଦୟ କରି ପାରିବେ।
ଚାର୍ଜସିଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବାଜେ ତାଙ୍କ ଷଡଯନ୍ତ୍ରରେ ଆତଙ୍କବାଦୀ ଘଟଣାର ରୂପ ଦେବା ପାଇଁ ଜୟଶ-ଉଲ-ହିନ୍ଦ ନାମକ ଏକ ଟେଲିଗ୍ରାମ ଆକାଉଣ୍ଟରେ ବିସ୍ଫୋରକ ସାମଗ୍ରୀକୁ ନେଇ ଫେକ୍ ପୋଷ୍ଟ ଅପ୍ଲୋଡ କରିଛନ୍ତି।
ଚାର୍ଜସିଟ ଅନୁଯାୟୀ, ସଚିନ ବାଜେ ପ୍ରଥମେ ଆଣ୍ଟିଲିଆ ବାହାରେ ଥିବା ବିସ୍ଫୋରକ ମାମଲାର ତଦନ୍ତ କରୁଥିଲେ ଏବଂ ତାଙ୍କ ଷଡଯନ୍ତ୍ରକୁ ଲୁଚାଇବା ପାଇଁ ତଦନ୍ତରେ ଅନେକ ଭୁଲ ଜିନିଷ ରଖିଥିଲେ। ଏହି ମାମଲାର ଲିଙ୍କ ବ୍ୟବସାୟୀ ମାନସୁଖ ହିରେନ ସହ ଥିଲା, ଯାହାର ମୃତଦେହ ମାର୍ଚ୍ଚ ୫ ତାରିଖ ଦିନ ଏକ ଘାଇରୁ ମିଳିଥିଲା।
ସୂଚନା ମୁତାବକ, ଫେବ୍ରୁଆରୀ ୨୫ ତାରିଖ ଦିନ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ବାହାରେ ଥିବା ଏକ ଗାଡିରେ ବିସ୍ଫୋରକ ସାମଗ୍ରୀ ମିଳିଥିଲା। ଏହାର କିଛି ଦିନ ପରେ ବ୍ୟବସାୟୀ ମାନସୁଖ ହିରେନଙ୍କ ମୃତଦେହ ଏକ ଖାଲରୁ ମିଳିଥିଲା। ଏହି ମାମଲାରେ ବାଜେଙ୍କ ସମେତ ୯ ଜଣଙ୍କ ବିରୋଧରେ ଏନଆଇଏ ଚାର୍ଜସିଟ ଦାଖଲ କରିଛି।
ମୁମ୍ୱାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ଅଭିଯୋଗ କରିଥିଲେ। ପରେ ଏହାର ତଦନ୍ତ ଦାବି କରି ପରମବୀର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ହାଇକୋର୍ଟ ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସିବିଆଇ ମହାରାଷ୍ଟ୍ର ସରକାର ଓ ଦେଶମୁଖ ସୁପ୍ରିମକୋର୍ଟ ଯାଇଥିଲେ। ହେଲେ କୋର୍ଟ ବମ୍ୱେ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ। ହାଇକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ପରମବୀର ସିଂହ ଗୃହମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ।
ନିକଟରେ ଏନଆଇଏ କୋର୍ଟକୁ ଏକ ଚିଠି ଲେଖି ସଚିନ ବାଜେ ମଧ୍ୟ ଅନୀଲ ଦେଶମୁଖଙ୍କ ନାଁରେ ବଟି ଆଦାୟ ଅଭିଯୋଗ ଆଣିଥିଲେ। ଆଣ୍ଟେଲିଆରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲା ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ମାମଲାରେ ଏବେ ଏନଆଇଏ ହେପାଜତରେ ରହିଛନ୍ତି ସଚିନ ବାଜେ।
ଏପ୍ରିଲ ୧୨ ତାରିଖରେ ସିବିଆଇ ଅନୀଲ ଦେଶମୁଖଙ୍କୁ ସମନ କରିଥିଲା। ଏହା ପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ଏବଂ ସଚିନ ବାଜେଙ୍କ ଦୁଇ ଡ୍ରାଇଭରକୁ ସିବିଆଇ ଜେରା କରି ବୟାନ ରେକର୍ଡ କରିଛି। ଆଉ ସଚିନ ବାଜେଙ୍କ ଡ୍ରାଇଭର ଆଣ୍ଟେଲିଆ ଓ ମନସୁଖ ମୃତ୍ୟୁ ମାମଲାରେ ଅନେକ ଗୁମର ସିବିଆଇ ଆଗରେ ଖୋଲିଥିବା ସୂଚନା ରହିଛି। ଅନୀଲ ଦେଶମୁଖ ତାଙ୍କ ସହଯୋଗୀଙ୍କ ଜରିଆରେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିବିଆଇ ଆଗରେ କହିଥିଲେ। ତେଣୁ ଦେଶମୁଖଙ୍କୁ ଜେରା କରିବା ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରିଥିଲା ସିବିଆଇ।
ଅନ୍ୟପଟେ ସିବିଆଇ ଗତ ସପ୍ତାହରେ ଜଣେ ହୋଟେଲ ତଥା ବାର ମାଲିକଙ୍କ ବୟାନ ରେକର୍ଡ କରିଛି। ମୁମ୍ୱାଇର ନର୍ଥ ଓ୍ୱେଷ୍ଟର୍ଣ୍ଣରେ ଥିବା ହୋଟେଲ ମାଲିକ ମହେଶ ସେଠୀଙ୍କ ବୟାନ ରେକର୍ଡ କରିଛି ସିବିଆଇ। ମହେଶ ସେଠୀ ନିଲମ୍ୱିତ ଏପିଆଇ ସଚିନ ବାଜେଙ୍କର ନିକଟତମ ବ୍ୟକ୍ତି ବୋଲି ଜଣାପଡ଼ିଛି। ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆଣିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି।
https://twitter.com/ANI/status/1381296466166050818?s=20
ମିଳିଥିବା ସୂଚନା ଅନୁସାରେ ନର୍ଥ ଓ୍ୱେଷ୍ଟର୍ଣ୍ଣ ଏରିଆରେ ଥିବା ହୋଟେଲ ଗୁଡ଼ିକର କୌଣସି ଅସୁବିଧା ହେଲେ ମହେଶ ନେତୃତ୍ୱ ନେଇ ସମସ୍ତ ସମସ୍ୟାର ସମାଧାନ କରୁଥିଲେ। ମୁଖ୍ୟତଃ ପୁଲିସ ସଂପର୍କିତ ମାମଲାର ସମାଧାନ କରୁଥିଲେ ମହେଶ ସେଠୀ। ହୋଟେଲ ଗୁଡ଼ିକରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମହେଶ ସେଠୀ ଅନେକ ଥର ମୁମ୍ୱାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ। ନିଲମ୍ୱିତ ଏପିଆଇ ସଚିନ ବାଜେ ଏବଂ ଏସିପି ସଞ୍ଜୟ ପାଟିଲଙ୍କ ସହିତ ଅନେକ ହୋଟେଲ ମାଲିକଙ୍କୁ ଚିହ୍ନା କରାଇଥିଲେ ମହେଶ ସେଠୀ।
ଏବେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ସିବିଆଇ ଅନୀଲ ଦେଶମୁଖଙ୍କୁ ଜେରା କରିବାକୁ ଡାକିପାରେ। ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ପ୍ରମାଣ ସହଯୋଗୀ ମାନଙ୍କୁ ଜେରା କରିସାରିବା ପରେ ଅନୀଲ ଦେଶମୁଖଙ୍କୁ ସିବିଆଇ ସିଧାସଳଖ ଡାକିବ।
ସୂଚନାଯୋଗ୍ୟ, ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଅଭିଯୋଗ ଆସିବା ପରେ ଦଳୀୟ ନେତା ଠିକ୍ ଭାବରେ ମତ ରଖି ପାରିନଥିଲେ ବୋଲି ଶରଦ ପାୱାର ଅନୁଭବ କରିଛନ୍ତି। ଯଦି ଦଳର ନେତା ଠିକ୍ ଭାବରେ ମତ ରଖିଥାନ୍ତେ ତାହେଲେ ବିରୋଧୀଙ୍କ ସ୍ୱର ଶାଣିତ ହୋଇ ପାରିନଥାନ୍ତା ବୋଲି ଶରଦ ପାୱାର ଦଳୀୟ ନେତାଙ୍କୁ କହିଥିବା ସୂଚନା ରହିଛି। ଆଉ ଏବେ ଅନୀଲ ଦେଶମୁଖଙ୍କ ବିରୋଧରେ ସିବିଆଇ ତଦନ୍ତ ହେବା ପରେ ଏନସିପିର ଛବି ମଳିନ ପଡ଼ିଛି ବୋଲି ସୁପ୍ରିମୋ ଅନୁଭବ କରିଛନ୍ତି।
ଏନଆଇଏ ତଦନ୍ତରେ ରିଆଜ କାଜି ସଚିନ ବାଜେ ସହିତ ଅପରାଧିକ ମାମଲାରେ ଜଡ଼ିତ ଥିବା ଜଣାପଡ଼ିଛି। ପ୍ରମାଣ ନଷ୍ଟ କରିବାରେ ରିଆଜ କାଜିର ଭୂମିକା ସନ୍ଦେହ ଘେରରେ ଥିଲା। ଗତ ଦୁଇ ସପ୍ତାହରେ ତଦନ୍ତକାରୀ ଟିମ୍ ସଚିନ ବାଜେଙ୍କ ଅନେକ ଦାମୀ କାର ଜବତ କରିଛି। ଯେଉଁଥିରୁ ଅନେକ ନକଲି ନମ୍ବର ପ୍ଲେଟ ଉଦ୍ଧାର ହୋଇଥିଲା। ଏବେ ଏନଆଇଏ ଜାଣିବାକୁ ପାଇଛି ଯେ ରିଆଜ ହିଁ ସଚିନ ବାଜେଙ୍କୁ ନକଲି ନମ୍ବର ପ୍ଲେଟ ଯୋଗାଇବାରେ ସାହାଯ୍ୟ କରିଥିଲେ। ଏହାପୂର୍ବରୁ ସଚିନ୍ ବାଜେ ଯେଉଁଠି ରୁହନ୍ତି ସେଠିକାର ସିସିଟିଭି ଫୁଟେଜ୍ ରିଆଜ ଆଣି ମିଠି ନଦୀରେ ଫିଙ୍ଗି ଦେଇଥିଲେ। ଯାହାକୁ ଏନଆଇଏ ନଦୀରୁ ଉଦ୍ଧାର କରିଛି।
ସେହିପରି ରିଆଜ କାଜିଙ୍କର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ରିଆଜ ଏକ ନମ୍ୱର ପ୍ଲେଟ ଦୋକାନକୁ ଯାଇ ଗାଡ଼ି ନମ୍ୱର ବାବଦରେ କଥା ହେଉଥିବାର ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ସଚିନ ବାଜେ କ୍ରାଇମବ୍ରାଞ୍ଚର ଇଣ୍ଟେଲିଜେଣ୍ଟ ୟୁନିଟର ନେତୃତ୍ୱ ନେଉଥିବା ବେଳେ ରିଆଜ ସହଯୋଗୀ ଭାବରେ କାମ କରୁଥିଲେ। ଟିଆରପି ସ୍କାମ ମାମଲା ପାଖରୁ ଆରମ୍ଭ କରି ଅନେକ ବଡ଼ ବଡ଼ ଘଟଣାର ତଦନ୍ତ ସଚିନ ବାଜେ କରୁଥିଲେ। ଆଉ ସହଯୋଗୀ ଭାବରେ ରିଆଜ ମଧ୍ୟ ସଚିନଙ୍କ ସାଙ୍ଗରେ ଥିଲେ। ମାର୍ଚ୍ଚରେ ମୁମ୍ୱାଇ ପୁଲିସରେ ବଡ଼ ଧରଣର ଅଦଳ ବଦଳ ହୋଇଥିଲା। ଯେଉଁଥିରେ ରିଆଜଙ୍କୁ କ୍ରାଇମବ୍ରାଞ୍ଚରୁ ବାହାର କରି ଅନ୍ୟ ଦାୟିତ୍ୱ ଦିଆଯାଇଛି।
ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ବିଧାୟକ ତଥା ପରିବହନ ମନ୍ତ୍ରୀ ଅନୀଲ ପରବ। ସଚିନ ବାଜେ ଯେଉଁ ଅଭିଯୋଗ ତାଙ୍କ ଉପରେ ଆଣିଛନ୍ତି ତାହା ଭିତ୍ତିହୀନ ବୋଲି ଅନୀଲ ପରବ କହିଛନ୍ତି।
ସଚିନ ବାଜେ କୋର୍ଟକୁ ଚିଠି ଲେଖି ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ଉଲ୍ଲେଖ ରହିଛି, ଅନୀଲ ପରବ ୫୦ କୋଟି ଲାଞ୍ଚ ଦେଇ ଏସବିୟୁଟି ମାମଲାର ତଦନ୍ତ ବନ୍ଦ କରିବାକୁ କହିଥିଲେ। ସେହିପରି ବିଏମସିରେ ଥିବା ୫୦ ଠିକାଦାରଙ୍କ ପାଖରୁ ୧୦୦ କୋଟି ଚାନ୍ଦା ଆଦାୟ କରିବାକୁ ଅନୀଲ ପରବ କହୁଥିଲେ।
ଏବେ ମନ୍ତ୍ରୀ ଅନୀଲ ପରବ ଏହାର ଜବାବ ଦେଇଛନ୍ତି, ଏସବିୟୁଟି ଟ୍ରଷ୍ଟ ଲାଞ୍ଚ ମାମଲାରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ବଦନାମ କରିବା ପାଇଁ ଏଭଳି ରଣନୀତି ପ୍ରସ୍ତୁତ କରାଯାଉଛି। ଦୁଇ ଝଅଙ୍କ ରାଣ ନିୟମ ପକାଇ ମନ୍ତ୍ରୀ କହିଛନ୍ତି ତାଙ୍କ ଉପରେ ଆସିଥିବା ଅଭିଯୋଗ ଭିତ୍ତିହୀନ। ସମସ୍ତ ପ୍ରକାର ତଦନ୍ତ ପାଇଁ ସେ ପ୍ରସ୍ତୁତ ବୋଲି କହିଛନ୍ତି।
ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଛି ଏହା ପଛରେ ବିରୋଧୀ ବିଜେପି ରହିଛି ବୋଲି ଅନୀଲ ପରବ କହିଛନ୍ତି। କିଛି ଦିନ ପୂର୍ବରୁ ସଚିନ ବାଜେ ପ୍ରସଙ୍ଗରେ ଆଉ ଜଣେ ମନ୍ତ୍ରୀ ପଦ ହରାଇବେ ବୋଲି କହିଥିଲା। ଏବେ ସଚିନ ବାଜେ ଜରିଆରେ ଚିଠି ଲେଖାଇ ବିଜେପି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି ବୋଲି ଅନୀଲ ପରବ କହିଛନ୍ତି।
ଏନଆଇଏ କୋର୍ଟରେ ପକ୍ଷ ରଖି କହିଛନ୍ତି, ଏହି ମାମଲାରେ ଏଯାବତ ୫୦ରୁ ଅଧିକ ସାକ୍ଷୀଙ୍କୁ ଜେରା କରାଯାଇଛି। ବାଜେ ସହିତ ସାମିଲ ଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ତଦନ୍ତ କରାଯାଇଛି। ଯେଉଁଥିରେ ବାଜେଙ୍କ ବ୍ୟତୀତ ଜଣେ ଅଜ୍ଞାତ ବ୍ୟକ୍ତି ରହିଥିବା ଜଣାପଡ଼ିଛି। ମିଠୀ ନଦୀ କୂଳରୁ ଅନେକ ଜିନିଷ ଏହି ମାମଲାରେ ଜବତ କରାଯାଇଛି। ଯେଉଁଥିରେ ୨ଟି ସିସିଟିଭି ଡିଭିଆର, ୨ଟି ସିପିୟୁ, ୨ଟି ହାର୍ଡ ଡିସ୍କ, ଗୋଟିଏ ଲାପଟପ୍, ଗୋଟିଏ ପ୍ରିଣ୍ଟର୍ ଏବଂ ୨ଟି ନମ୍ବର ପ୍ଲେଟ୍ ରହିଛି। ସେହିପରି ଏକ ଡାଏରୀ ଜବତ ହୋଇଛି ଯେଉଁଥିରୁ ୨୫ ଲକ୍ଷ ଟଙ୍କାର ହିସାବ ମିଳିଛି। ଏନଆଇଏ ଏହି ଡାଏରୀ ଗିରଫ କନଷ୍ଟେବଳ ବିନାୟକ ସିନ୍ଧେଙ୍କ ଘରୁ ଜବତ କରିଥିଲା। ଉଦ୍ଧାର ହୋଇଥିବା ଡାଏରୀରୁ ଜଣାପଡିଛି ଯେ ମୁମ୍ବାଇର ୩୦ରୁ ଅଧିକ ବାର ଏବଂ କ୍ଲବରୁ ନିଲମ୍ବିତ ସଚିନ ବାଜେ ବିନାୟକ ସିନ୍ଦେ ଜରିଆରେ ବଟି ଆଦାୟ କରୁଥିଲେ।
ଏହି ମାମଲାରେ ଗତକାଲି ଜଣେ ମହିଳାଙ୍କୁ ମଧ୍ୟ ଅଟକ ରଖିଛି ଏନଆଇଏ। ଯିଏକି ସଚିନ ବାଜେଙ୍କ ଆୟ ବ୍ୟୟର ହିସାବ ରଖୁଥିଲେ। ଇଏ ହେଉଛନ୍ତି ସେହି ମହିଳା ଯିଏକି ଫେବୃଆରୀ ୧୬ରେ ଟ୍ରାଇଟେଣ୍ଡ ହୋଟେଲରେ ସଚିନ ବାଜେଙ୍କୁ ଦେଖା କରିଥିଲେ ବୋଲି ଏନଆଇଏ ସୂତ୍ରରୁ ଜଣାପଡ଼ିଛି। କିଛି ମିଡିଆ ରିପୋର୍ଟ ଅନୁଯାୟୀ ପାଖାପାଖି ୧୦ ଘଣ୍ଟା ଏହି ଦୁଇ ଜଣଙ୍କୁ ମୁହାଁମୁହିଁ କରି ଏନଆଇଏ ଜେରା କରିସାରିଛି। ସେହିପରି ଆଜି ଆଉ ଏକ ଦାମୀ କାର ଜବତ କରିଛି ଏନଆଇଏ। ଏହି କାର ସଚିନ ବାଜେଙ୍କର। ଅଟକ ରହିଥିବା ମହିଳା ଏହି କାର ବ୍ୟବହାର କରୁଥିଲେ ବୋଲି ଜଣାପଡ଼ିଛି। ଏନଆଇଏ ଏଯାବତ ସଚିନ ବାଜେଙ୍କର ୮ଟି ଦାମୀ କାର ଜବତ କରିସାରିଛି।
ସୂଚନାଯୋଗ୍ୟ, ଫେବୃଆରୀ ୨୫ରେ ବିଜନେସ ଟାଇକୁନ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲା ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ଏବଂ ସେହି କାରର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ମାମଲାରେ ସଚିନ ବାଜେ ଅଭିଯୁକ୍ତ ବୋଲି ଏନଆଇଏ ଦର୍ଶାଇ ନିଜ ହେପାଜତରେ ରଖିଛି।
ପରମବୀରଙ୍କ ପକ୍ଷ ଶୁଣିବାପରେ ବିଚାରପତି ଜଷ୍ଟିସ ଦିପଙ୍କର ଦତ୍ତ କହିଛନ୍ତି ଏହି ପ୍ରସଙ୍ଗ ଦୁଇଟି ବିନ୍ଦୁ ଉପରେ ଆଧାରିତ। ଏହି ଆବେଦନ ଜନସ୍ୱାର୍ଥ ମାମଲା ଶ୍ରେଣୀର ଆସୁଛି କି ନାହିଁ ଦେଖିବାକୁ ହେବ ସେହିପରି ନ୍ୟାୟଳୟ ବିନା ଏଫଆଇଆରରେ କିଭଳି ଶୁଣାଣି କରିବ? ଯଦି ଏଫଆଇଆର ଦାଖଲ ନହେବ ତାହେଲେ ଆବେଦନକାରୀ ନିଜ ଦାୟିତ୍ୱ ଠିକ ଭାବରେ ପାଳନ କରୁନାହାନ୍ତି। ତେଣୁ ଆବେଦନକାରୀ ମିଡିଆରେ ଏ ପ୍ରସଙ୍ଗରେ ଅଭିଯୋଗ ଆସିବା ପରେ ତତକ୍ଷଣତା ଏଫଆଇଆର ଦାଖଲ କରିବାର ଥିଲା।
ପରମବୀର ଏଫଆଇଆର ଦାଖଲ କରିନଥିବାରୁ ବିଚାରପତି ତାଙ୍କ ଉପରେ ପ୍ରଶ୍ନ କରିଛନ୍ତି, ଜଣେ ପୁଲିସ ଅଫିସର ହୋଇ କିଭଳି ଆଇନକୁ ଠିକ୍ ଭାବରେ ପାଳନ କରୁନାହାନ୍ତି ହୋଲି ବିଚାରପତି ପରମବୀରଙ୍କୁ ପ୍ରଶ୍ନ କରିଛନ୍ତି। ନେତା, ମନ୍ତ୍ରୀ, ପୁଲିସ ଅଧିକାରୀର ଅର୍ଥ ନୁହେଁ ଆଇନ ଉପରେ ବୋଲି ସେ କହିଛନ୍ତି।
ପରମବୀରଙ୍କ ଓକିଲ ପକ୍ଷ ରଖି କହିଥିଲେ ଏହା ଏକ ଗୁରୁତର ପ୍ରସଙ୍ଗ। ପରମବୀରଙ୍କ ଚିଠିରେ ସବୁ ସତ କଥା କୁହାଯାଇଛି। ଯାହାକି ପୁଲିସ ଫୋର୍ସର ସମସ୍ୟା। ପୁଲିସରେ ରାଜନୀତିକ ହସ୍ତକ୍ଷେପ ରହିଛି।
ସୂଚନାଯୋଗ୍ୟ, ପରମବୀର ସିଂହ ଅଭିଯୋଗ କରିଛନ୍ତି ଯେ ମୁମ୍ବାଇର ରେଷ୍ଟୁରାଣ୍ଟ ଏବଂ ବାରରୁ ପ୍ରତି ମାସରେ 100 କୋଟି ଟଙ୍କା ବଟି ଆଦାୟ ପାଇଁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଲମ୍ବିତ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ ହେବା ଦରକାର। ଅନୀଲ ଦେଶମୁଖଙ୍କ ଘର ପାଖରେ ଲାଗିଥିବା ସିସିଟିଭି ଫୁଟେଜ ଜବତ ହେବା ଦରକାର। ଏମିତି ହେଲେ ସଚିନ ବାଜେ ଏବଂ ଅନୀଲ ଦେଶମୁଖଙ୍କ ଭେଟଘାଟର ପ୍ରମାଣ ମିଳିବ। ଯଦି କୋର୍ଟ ନିର୍ଦ୍ଦେଶ ନଦେବେ ସେ ଯେଉଁ ଅଭିଯୋହ କରିଛନ୍ତି ତାର ପ୍ରମାଣ ନଷ୍ଟ ହୋଇଯିବ। ତେଣୁ ସେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ କୋର୍ଟରେ ଦାବି କରିଛନ୍ତି। ଫେବୃଆରୀରେ ଦେଶମୁଖଙ୍କ ବାସଭବନରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ସଚିନ ବାଜେ ଅନୀଲ ଦେଶମୁଖଙ୍କୁ ଭେଟିଥିଲେ ବୋଲି ପରମବୀର ଅଭିଯୋଗ କରିଛନ୍ତି।
ପୂର୍ବରୁ ସମାନ ପ୍ରସଙ୍ଗ ଆଣି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ପରମବୀର। କିନ୍ତୁ ଶୁଣାଣି ସମୟରେ ସୁପ୍ରିମକୋର୍ଟ ହାଇକୋର୍ଟ ଯିବାକୁ କହିଥିଲେ।
ଏବେ ଉଦ୍ଧାର ହୋଇଥିବା ଗାଡି ନମ୍ୱରର ମାଲିକ ବିଜୟ ମଧୁକର ନାଡେ ସାମ୍ନାକୁ ଆସିଛନ୍ତି। ସେ ଔରାଙ୍ଗାବାଦର। ସୋଶିଆଲ ଓ୍ୱେଲଫେୟାର ଡିପାର୍ଟମେଣ୍ଟରେ କିରାଣୀ ଭାବରେ କାମ କରନ୍ତି। ନଭେମ୍ୱର ୧୬ରେ ତାଙ୍କର MH-20-FP-1539 ନମ୍ୱର ବିଶିଷ୍ଟ କାର ଔରଙ୍ଗାବାଦର ଉଦ୍ଧାଭରାଓ ପାଟିଲରୁ ଚୋରି ହୋଇଥିବା କହିଛନ୍ତି। ଏନେଇ ସେ ନଭେମ୍ୱର ୧୭ରେ ଥାନାରେ ଏତଲା ଦେଇଥିଲେ। ଆଉ ସେହି ଏତଲା କପିକୁ ବିଜୟ ଆଜି ଗଣମାଧ୍ୟମକୁ ଦେଖାଇଛନ୍ତି।
ଏତଲା ଦେବାର ତିନି ମାସ ପରେ ନିଜ କାର ବାବଦରେ କିଛି ଖବର ପାଇନଥିଲେ ବୋଲି ମଧୁକର ନାଡେ କହିଛନ୍ତି। ହେଲେ ଗତକାଲି ତାଙ୍କ ଗାଡ଼ି ନମ୍ୱର ପ୍ଲେଟ ଉଦ୍ଧାର ହୋଇଥିବା ଖବର ଟିଭିରୁ ଦେଖିବାକୁ ପାଇଥିଲେ ବୋଲି ସେ କହିଛନ୍ତି। ସବୁଠୁ ବଡ଼କଥା ହେଲା ମଧୁକର ନାଡେଙ୍କ କାରର ବୀମା ୨୦୨୩ ଯାଏ ରହିଛି। ଆଉ ସେହି ନମ୍ୱରଟିକୁ କଳାତାଲିକାଭୁକ୍ତ କରାଯାଇଛି ବୋଲି ଜଣାପଡ଼ିଛି। ଏବେ ସଚିନ ବାଜେ ଏହି ନମ୍ୱର ବାବଦରେ କେମିତି ସୂଚନା ପାଇଲେ? ମଧୁକର ନାଡେଙ୍କ କାର ଚୋରି ପଛରେ ସଚିନେ ବାଜେ କି ପ୍ରଶ୍ନ ଉଠିଛି। କାରଣ ମନସୁଖ ହିରେନଙ୍କ କାର ଚୋରି ପଛରେ ସଚିନ ବାଜେଙ୍କର ହାତଥିଲା ବୋଲି ଜଣାପଡ଼ିଛି। ଯେଉଁ କାର ମନସୁଖଙ୍କର ଚୋରି ହୋଇଥିଲା ତାହା ନଭେମ୍ୱରରୁ ଫେବୃଆରୀ ଅଧା ଯାଏ ସଚିନ ବାଜେ ଚଲାଉଥିଲେ। ପରେ ଷ୍ଟିଅରିଂ କାମ କରୁନି ବୋଲି ମନସୁଖଙ୍କୁ କାର ଫେରାଇ ଦେଇଥିଲେ। ହେଲେ ମନସୁଖଙ୍କ କାର ଚୋରିବେଳେ କାରର କୌଣସି ଡୋର କି କାଚ ଭଙ୍ଗାଯାଇନଥିଲା। ସାଧାରଣ ଚାବିରେ କାରଟିକୁ ଖୋଲାହୋଇ ମନସୁଖ ରଖିଥିବା ସ୍ଥାନରୁ ନିଆଯାଇଥିଲା ବୋଲି ଜଣାପଡ଼ିଛି। ଅର୍ଥାତ ମନସୁଖଙ୍କ କାର ଚଢ଼ିବା ବେଳେ ସଚିନ ବାଜେ ସେହି କାରର ଏକ ନକଲ ଚାବି ପାଖରେ ରଖିଥିଲେ। ଆଉ ସେହି ଚାବି ଜରିଆରେ ମନସୁଖଙ୍କ କାରକୁ ନେଇଥିଲେ। ପରେ ସେହି କାରରେ ସଚିନ ବାଜେ ଜିଲେଟିନ ରଖି ମୁକେଶ ଅମ୍ୱାନୀଙ୍କ ଘର ଆଗରେ ରଖିଥିଲେ ବୋଲି କୁହାଯାଉଛି।
ମୁକେଶ ଅମ୍ୱାନୀଙ୍କ ଘର ଆଗରୁ ଉଦ୍ଧାର ହୋଇଥିବା ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ସ୍କୋର୍ପିଓ ଗାଡ଼ିର ମାଲିକ ହେଉଛନ୍ତି ମନସୁଖ ହିରେନ। ଆଉ ମନସୁଖ ଏହି ମାମଲାରେ ଜେରାର ସମ୍ମୁଖୀନ ହେବାର କିଛି ଦିନପରେ ରହସ୍ୟଜନକ ଭାବରେ ତାଙ୍କର ମୃତ ଦେହ ଏକ ନଦୀରୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ତ୍ରୀ ବିମଳା ହିରେନ ଏନେଇ ସଚିନ ବାଜେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ। ଏହାପରେ ବାଜେ ବିବାଦରେ ଫସିଯାଇଛନ୍ତି। ଏବେ ସେ ଏନଆଇଏ ହେପାଜତରେ ଏପ୍ରିଲ ୩ ଯାଏ ରହିବେ।
ଗତକାଲି ମିଠି ନଦୀରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ୍ସ ଉପକରଣ ଗୁଡ଼ିକୁ ଏନଆଇଏ ସଚିନ ବାଜେଙ୍କୁ ଦେଖାଇଛି। ସେ ଏବଂ ତାଙ୍କ ସହଯୋଗୀ ରିଆଜ କାଜୀ (ନିଲମ୍ୱିତ ପୁଲିସ) ମିଶି ଏହିସବୁ ପ୍ରମାଣ ନଷ୍ଟ କରିଥିବା ଜଣାପଡ଼ିଛି।
ଆଜି ଏନଆଇଏ ୧୧ ଜଣ ସଫେଇ କର୍ମଚାରୀ ଏବଂ ପାଣି ଭିତରେ ପହଁରିବାରେ ଦକ୍ଷ ରଖିଥିବା ବ୍ୟକ୍ତିଙ୍କୁ ମିଠି ନଦୀରେ ନିୟୋଜିତ କରିଥିଲା। ସେମାନେ ସିସିଟିଭି, ଡିଭିଡି, ସିପିୟୁ, ହାର୍ଡ ଡିସ୍କ, ନମ୍ୱର ପ୍ଲେଟ୍, ପ୍ରିଣ୍ଟର ଆଦି ଉଦ୍ଧାର କରିଛନ୍ତି। ଆଉ ଏନଆଇଏ ସଚିନ ବାଜେଙ୍କୁ ମିଠି ନଦୀ ପାଖକୁ ଆଣି ସମସ୍ତ ଜିନିଷ ଦେଖାଇଛି। ଏହିସବୁକୁ ଯାଞ୍ଚ କରି ଏନଆଇଏ ମନସୁଖ ହତ୍ୟାକାଣ୍ଡର ଚେରକୁ ଖୋଜି ପାରିବ ବୋଲି କୁହାଯାଉଛି।
ମନସୁଖଙ୍କ ମୃତ୍ୟୁ ଓ ଅମ୍ୱାନୀଙ୍କ ଘର ଆଗରେ କାର ରଖିବା ମାମଲାର ତଦନ୍ତ ଜୋରଦାର ହେବା ମାତ୍ରେ ସଚିନ୍ ବାଜେ ଏବଂ ରିୟାଜ କାଜି ନଦୀରେ ଫିଙ୍ଗି ଦେଇଥିଲେ। ପ୍ରମାଣ ନଷ୍ଟ ହୋଇଗଲେ ତାଙ୍କ ପ୍ରତି ବିପଦ ରହିବ ନାହିଁ ବୋଲି ବିଶ୍ୱାସ ରଖିଥିଲେ ଏହି ଦୁଇ ଅଭିଯୁକ୍ତ। ଏବେ ଉଭୟ ମୁମ୍ବାଇ ପୁଲିସରୁ ନିଲମ୍ବିତ ହୋଇସାରିଛନ୍ତି। ଗୋଟିଏ ପଟେ ସଚିନ ବାଜେ ଏପ୍ରିଲ ୩ ପର୍ଯ୍ୟନ୍ତ ଏନଆଇଏ ହେପାଜତରେ ଥିବା ବେଳେ ରିଆଜ କାଜିଙ୍କୁ ଏନଆଇଏ ଗୋଡ଼ାଇ ତୋଡ଼ାଇ ଜେରା କରୁଛି।
ଏବେ ନଦୀରୁ ଉଦ୍ଧାର ହୋଇଥିବା ପ୍ରମାଣ ଗୁଡ଼ିକୁ ଏନଆଇଏ ସମାନ ଜିନିଷ କି ନୁହଁ ଜାଣିବାକୁ ଚେଷ୍ଟା କରିବ। ଏହାପରେ ସଚିନ ଯେଉଁ ଜାଗାରେ ରହୁଥିଲେ ସେଠିକାର ସିସିଟିଭି ଏବଂ ଡିଭିଡି ନଷ୍ଟ କରିଥିଲେ। ଏଭଳି କରିବା ପାଇଁ ସେଠିକାର ସୋସାଇଟିକୁ ଏକ ଚିଠି ଅନ୍ୟ ଜଣଙ୍କ ଦ୍ୱାରା ଲେଖାଇଥିଲେ ବାଜେ। ଏହାପରେ ପୁଲିସ ତଦନ୍ତ କରିବ କହି ରିଆଜ ସଚିନ ବାଜେଙ୍କ ଘର ପାଖରେ ଲାଗିଥିବା ସିସିଟିଭିକୁ ନେଇ ଆସିଥିଲେ। ଏବେ ଏହି ସିସିଟିଭି ନଦୀରୁ ଉଦ୍ଧାର ହୋଇଥିବା କୁହାଯାଉଛି।
ସେହିପରି ଏକ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ରିଆଜ କାଜି ଏକ ନମ୍ବର ପ୍ଲେଟ ତିଆରି ଦୋକାନରେ ପ୍ରବେଶ କରୁଥିବା ଦେଖାଯାଉଛି। ମୁମ୍ବାଇର ବିକ୍ରୋଲି ଅଞ୍ଚଳର ବଣ୍ଟି ରେଡିୟମ୍ ନାମକ ଏହି ଦୋକାନରେ ସେ କିଛି ସମୟ ପାଇଁ ଦୋକାନର ମାଲିକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଆଉ ସେହି ଦୋକାନର କିଛି ଡିଭିଡି ଏବଂ କମ୍ପ୍ୟୁଟର ନେଇଥିବାର ଦେଖିବାକୁ ମିଳିଛି। କୁହାଯାଉଛି କାଜି ସେହି ଜିନିଷଗୁଡ଼ିକୁ ମିଠି ନଦୀରେ ଫିଙ୍ଗିଥିଲେ। ଏବେ ନକଲି ନମ୍ବର ପ୍ଲେଟ୍ ମଧ୍ୟ ମିଳିଛି। ମନସୁଖ କାର ଭିତରୁ ଅନେକ ନମ୍ୱର ପ୍ଲେଟ୍ ମିଳିଥିଲା ସେହି ନମ୍ୱର ଗୁଡ଼ିକ ଏହି ଦୋକାନରୁ କାଜି ତିଆରି କରିଥିବା ଅଭିଯୋଗ ହୋଇଛି। ଏବେ ଏହି ସବୁ ଉଦ୍ଧାର ହୋଇଥିବା ଇଲୋକ୍ଟ୍ରାନିକ୍ସ ଉପକରଣ ଯାଞ୍ଚ ହେବା ପରେ ଅନେକ ସତ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।
କାରଣ ଯେଉଁ ଏନସିପି ଜରିଆରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନରେ ବସିଛି ଏବେ ସେହି ଦଳକୁ ସମାଲୋଚନା କରିବାକୁ ପଛାଇନି ଶିବସେନା। ଅନ୍ୟପଟେ ଶନିବାର ରାତିରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ସୂଚନା ରହିଛି। ଉପରୋକ୍ତ ତିନି ପ୍ରମୁଖ ପ୍ରସଙ୍ଗ ଉପରେ ସାରା ଦେଶରେ ନଜର ରହିଥିବା ବେଳେ ରାଜ୍ୟ ରାଜନୀତି ଥ୍ରୀଲର ସିନେମା ଭଳି ଦେଖିବାକୁ ମିଳିଛି।
ସାମ୍ନା ଜରିଆରେ ଶିବସେନା କହିଛି, ମେଣ୍ଟ ସରକାରରେ ଏନସିପି ନେତା ତଥା ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଆକ୍ସିଡେଣ୍ଟାଲ ବା ଅକସ୍ମାତ ଗୃହମନ୍ତ୍ରୀ ପଦବୀ ପାଇଛନ୍ତି। ଏମିତିକି ଅନୀଲ ଦେଶମୁଖଙ୍କ ପାଇଁ ମହାରାଷ୍ଟ୍ର ବଦନାମ ହୋଇଛି ବୋଲି ଶିବସେନା କହିଛି। ପୂର୍ବରୁ ଆର ଆର ପାଟିଲ ରାଜ୍ୟର ଗୃହମନ୍ତ୍ରୀ ଥିଲେ। ହେଲେ ଆର ଆର ପାଟିଲଙ୍କ ଭଳି ଦେଶମୁଖ ନେତୃତ୍ୱ ନେଇପାରୁନାନ୍ତି ବୋଲି ଶିବସେନା କହିଛି। ଯେଉଁଥିପାଇଁ ଗୃହମନ୍ତ୍ରାଳୟ ମର୍ଯ୍ୟଦା ହରାଇଛି ବୋଲି ଶିବସେନା କହିଛି।
ସାମ୍ନାରେ ଉଲ୍ଲେଖ ରହିଛି, ‘ଗୃହମନ୍ତ୍ରୀ ପଦ ପ୍ରଥମେ ଜୟନ୍ତ ପାଟିଲ, ଦିଲ୍ଲୀପ ଭାଲସେ ପାଟିଲଙ୍କୁ ଯଚା ହୋଇଥିଲା। ହେଲେ ଦୁହେଁ ଏହି ସମ୍ମାନଜନକ ପଦବୀ ମନାକରିବାରୁ ଶରଦ ପାଓ୍ୱାର ଅନୀଲ ଦେଶମୁଖଙ୍କୁ ଏହି ପଦବୀରେ ବସାଇଥିଲେ’।
ସଚିନ ବାଜେ ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ଅଫିସରେ କିଭଳି ବସୁଥିଲେ। ଜଣେ ଏପିଆଇ ଏତେ କ୍ଷମତା କିଭଳି ପାଇଲେ? ସଚିନ ବାଜେ ଅମ୍ୱାନୀଙ୍କ ଘର ଆଗରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିଲେ ଅଥଚ ଏବାବଦରେ ଗୃହ ବିଭାଗ କିଭଳି କିଛି ପ୍ରମାଣ ପାଇଲାନି ବୋଲି ଏନିସିପି ନେତା ଅନୀଲ ଦେଶମୁଖଙ୍କୁ ଟାର୍ଗେଟ କରି ପ୍ରଶ୍ନ କରିଛି ସାମ୍ନା।
ସେହିପରି ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଛି। ପୂର୍ବତନ ମୁମ୍ୱାଇ ପୁଲିସ କମିଶନର ପରମବୀର ସିଂହ ଏହି ଅଭିଯୋଗ ଆଣିଛନ୍ତି। ଯାହାକି ତଦନ୍ତ ପରିସରଭୁକ୍ତ ହେବା ଦରକାର।
ବିରୋଧୀ ବିଜେପିକୁ ଟାର୍ଗେଟ କରିବାକୁ ଯାଇ ଶିବସେନା ଲେଖିଛି, ବିରୋଧୀ ସରକାରକୁ ଭାଙ୍ଗିବା ପାଇଁ ଅପେକ୍ଷା କରିଛି। ଟ୍ରାନ୍ସଫର ରାକେଟ ନେଇ ଫଡନାଭିସ ଦିଲ୍ଲୀରେ ଗୃହ ସଚିବଙ୍କୁ ଯେଉଁ ତଥ୍ୟ ଦେଇଛନ୍ତି ସେଥିରେ ବୋଧହୁଏ କୌଣସି ପ୍ରମାଣ ନାହିଁ। ନହେଲେ କେନ୍ଦ୍ରର ମୋଦି ସରକାର କିଛି ନା କିଛି ପଦକ୍ଷେପ ନେଇଥାନ୍ତା ବୋଲି ଶିବସେନା କହିଛି।
ସେହିପରି ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କ ବାବଦରେ କହିଛି, ରାଜ୍ୟରେ ଏତେ ଘଟଣା ଘଟୁଛି ହେଲେ ରାଜ୍ୟପାଳ ନୀରବ। ୧୨ ଜଣ ବିଧାନ ପରିଷଦଙ୍କ ନାଁ ଶିବସେନା ପଠାଇଛି ହେଲେ ଏଯାବତ ରାଜ୍ୟପାଳ ଅନୁମୋଦନ ଦେଉ ନାହାନ୍ତି। ବୋଧହୁଏ ରାଜ୍ୟରେ ମେଣ୍ଟ ସରକାର ଭାଙ୍ଗିବାକୁ ରାଜ୍ୟପାଳ ଅପେକ୍ଷା କରିଛନ୍ତି ବୋଲି ଶିବସେନା କହିଛି।
ତେବେ ଶିବସେନାର ଏଭଳି ଆକ୍ରମଣାତ୍ମକ ଆଲେଖ୍ୟ ପରେ ଜବାବ ରଖିଛି ଏନସିପି। ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଛନ୍ତି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ହେବ। ସତ ସାମ୍ନାକୁ ଆସିବା ଦରକାର ବୋଲି ସେ କହିଛନ୍ତି। କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାପରେ ଏନସିପି ନେତା ତଥା ମନ୍ତ୍ରୀ ନବାବ ମଲ୍ଲିକ କହିଛନ୍ତି ସାମ୍ନାରେ ପ୍ରକାଶିତ ଲେଖା ବାବଦରେ ସେ କୌଣସି ପ୍ରତିକ୍ରିୟା ରଖିବେନି। ସେ ତାଙ୍କ ବାଟରେ ତାଙ୍କ କାମ କରୁଛନ୍ତି। ହେଲେ ଅନୀଲ ଦେଶମୁଖ ଅକସ୍ମାତ ଗୃହମନ୍ତ୍ରୀ ବୋଲି ଯେଉଁ ଦାବି ହୋଇଛି ତାହା ସମ୍ପୂର୍ଣ୍ଣ ରୁପେ ଗ୍ରହଣୀୟ ନୁହେଁ।
ଯଦିଓ ସାମ୍ନାରେ ଆଜି ଏ ଖବର ପ୍ରକାଶ ପାଇଛି। ହେଲେ ଗତକାଲି ରାତିରେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ବିଜେପି ନେତା ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିବା ସୂଚନା ରହିଛି।
କୋର୍ଟରେ ନିଜ ପକ୍ଷ ରଖିବା ବେଳେ ସଚିନ ନିଜକୁ ନିରୀହ ବୋଲି କହିଛନ୍ତି। ଏହି ମାମଲାରେ ସେ ‘ବଳି ବୋଦା’ ପାଲଟିଛନ୍ତି ବୋଲି କହିଛନ୍ତି।
ସଚିନ୍ କହିଛନ୍ତି ଯେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ଅନ୍ୟ ଜଣଙ୍କ ଦ୍ୱାରା ଏଭଳି ଭାବେ ରଖି ତାକୁ ନିଜେ ଠାବ କରି ଆହୁରି ଲୋକପ୍ରିୟ ହେବା ଥିଲା ତାଙ୍କର ଲକ୍ଷ୍ୟ। ଅପରାଧ ଘଟାଇବା ତାଙ୍କର ଆଦୌ ଉଦ୍ଦେଶ୍ୟ ନଥିଲା। ଅନ୍ୟପକ୍ଷରେ ଏନ୍ଆଇଏ କହିଛି ଯେ ସଚିନ ବାଜେ କେଉଁ ଉଦ୍ଦେଶ୍ୟରେ ଗାଡ଼ିଟିକୁ ଆଣ୍ଟିଲିଆ ଆଗରେ ରଖିଥିଲେ, ତା’ର ତଦନ୍ତ ଚାଲିଛି।
ସେ କହିଛନ୍ତି, ବିସ୍ଫୋରକ ଭର୍ତ୍ତି ଗାଡ଼ି ଆଣ୍ଟିଲିଆ ଆଗରେ ରଖିଥିବା କଥା ମୁଁ ସ୍ୱୀକାର କରିଛି ବୋଲି କୁହାଯାଉଛି। କିନ୍ତୁ ମୁଁ ସେମିତି କୌଣସି କଥାକୁ ସ୍ୱୀକାର କରିନାହିଁ।
କୋର୍ଟଙ୍କୁ ସଚିନ୍ ଆହୁରି କହିଛନ୍ତି ଯେ ଏହି ମାମଲାର ତଦନ୍ତ ସେ ମାତ୍ର ଦେଢ଼ ଦିନ ପାଇଁ କରିଥିଲେ। ଖାଲି ସେ ନୁହେଁ ଏଟିଏସ ଏବଂ ମୁମ୍ୱାଇ ପୁଲିସ ମଧ୍ୟ ତଦନ୍ତ କରୁଥିଲା। ଏପରିକି ସେ ନିଜେ ଏନଆଇଏ ପାଖକୁ ଯାଇଥିଲେ। ହେଲେ ଏନଆଇଏ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିଥିଲା। ଅନ୍ୟପକ୍ଷରେ କୋର୍ଟରେ ଏନଆଇଏ ସଚିନ ବାଜେଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଥିବା କହିଛି।
ସୂଚନାଯୋଗ୍ୟ, ସଚିନଙ୍କୁ ମାର୍ଚ୍ଚ ୧୩ ତାରିଖରେ ଗିରଫ କରିବା ପରେ ମାର୍ଚ୍ଚ ୨୫ ଯାଏଁ ଏନ୍ଆଇଏ ତାଙ୍କୁ ନିଜ ହେପାଜତରେ ରଖିଥିଲା। ଆଜି ଏହି ଅବଧି ଶେଷ ହେବା ପରେ ଏନଆଇଏ ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ପୁଣି ଥରେ ହାଜର କରିଥିଲା। ତା’ସହିତ ସଚିନ୍ଙ୍କୁ ପୁଣି ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନ୍ଆଇଏ। ତେବେ କୋର୍ଟ ଏପ୍ରିଲ୍ ୩ ତାରିଖ ଯାଏ ତାଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ତେବେ ୟା ମଧ୍ୟରେ ସଚିନ ବାଜେଙ୍କ ବିରୋଧରେ ୟୁଏପିଏ ଆକ୍ଟ ଲଗାଇଛି।