ଶିକ୍ଷାର ଆଲୁଅ ଜଳାଇବା ପାଇଁ ୧୯୬୬ ମସିହାରେ ପୁଟିଣେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଏଠାରେ ନବମ ଓ ଦଶମ ଦୁଇଟି ଶ୍ରେଣୀ ରହିଛି। ଏହି ଦୁଇ ଶ୍ରେଣୀରେ ପାଠ ପଢ଼ୁଛନ୍ତି ୧୨୯ ଛାତ୍ରଛାତ୍ରୀ। ନବମ ଶ୍ରେଣୀରେ ୫୬ ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ଦଶମରେ ୭୩ ଜଣ ପିଲା ପଢ଼ୁଛନ୍ତି। ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ଖେଳ ଶିକ୍ଷକଙ୍କୁ ମିଶାଇ ୩ ଜଣ ଶିକ୍ଷକ। ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି।
୨୦ କିମି ଦୂରରେ ଥିବା ଏକ ସ୍କୁଲ ପ୍ରଧାନଶିକ୍ଷକ ଏହି ସ୍କୁଲର ଦାୟିତ୍ୱରେ ଅଛନ୍ତି। ଦୁଇଟି ସ୍କୁଲର ଦାୟିତ୍ୱ ତାଙ୍କ ମୁଣ୍ଡରେ ଥିବାରୁ ସେ ପ୍ରତିଦିନ ଆସୁନାହାନ୍ତି। ଯେଉଁଦିନ ଆସୁଛନ୍ତି କେବଳ ଅଫିସ୍ରେ ବସି ଫାଇଲ ଚାଷ କରି ଫେରୁଛନ୍ତି। ତାହାହେଲେ ପିଲାମାନଙ୍କୁ ପାଠ ପଢ଼ାଇବ କିଏ? କେମିତି ପିଲାମାନେ ପାଠ ପଢ଼ିବ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଏହି ସ୍କୁଲର ଖେଳ ଶିକ୍ଷକ ପଢ଼ାଉଛନ୍ତି ବିଜ୍ଞାନ ଓ ଗଣିତ। ଅର୍ଥାତ ଖେଳ ଶିକ୍ଷକ ପିଲାମାନଙ୍କୁ ବିଜ୍ଞାନ ଓ ଗଣିତର ଫର୍ମୁଲା ଦେଉଛନ୍ତି।
ଆଉ ଅନ୍ୟ ଦୁଇ ଜଣ ଶିକ୍ଷକ ବାକି ବିଷୟକୁ କଷ୍ଟେମଷ୍ଟେ ପଢ଼ାଉଛନ୍ତି। ସେପଟେ ଫେବ୍ରୁଆରୀ ୨୦ ତାରିଖରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା। ହେଲେ ଶିକ୍ଷକ ଅଭାବରୁ ଆଜି ଯାଏଁ ହିନ୍ଦୀ, ସଂସ୍କୃତ, ଗଣିତ, ବିଜ୍ଞାନ ବିଷୟର ପାଠ ପଢ଼ା ସରିନି। ତାହାହେଲେ ଦଶମ ଶ୍ରେଣୀରେ ପଢ଼ୁଥିବା ୭୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କଣ ଲେଖିବେ? ଏବେ ଏପରି ନାନା ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି।
ସ୍କୁଲରେ ଶିକ୍ଷକ ଅଭାବ ନେଇ ଅଭିଭାବକମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଗୁହାରୀ କରିଥିଲେ। ଶିକ୍ଷକ ନିଯୁକ୍ତ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲାପାଳ। ହେଲେ ଆଜି ପର୍ଯ୍ୟନ୍ତ ଶିକ୍ଷକ ନିଯୁକ୍ତି ଦିଆଗଲା ନାହିଁ। ପରେ ଅଭିଭାବକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲେ। ସେଠାରୁ ମଧ୍ୟ ନିରାଶ ହେବାକୁ ପଡ଼ିଥିଲା। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଉଛି।
ସବୁଠାରୁ ଦଃଖଦ ବିଷୟ ହେଉଛି ସ୍କୁଲରେ ଆବଶ୍ୟକ ସଂଖକ ଶିକ୍ଷକ ନାହାନ୍ତି। ତେଣୁ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ସେପଟେ ଜିଲ୍ଲା ପ୍ରଶାସନ ସ୍କୁଲକୁ ସ୍ମାର୍ଟ କରୁଛନ୍ତି। 5-Tରେ ଅନ୍ତର୍ଭୁକ୍ତ ହେବା ପରେ ସ୍କୁଲରେ ନୂଆ ବିଲ୍ଡିଂ, ସ୍ମାର୍ଟ କ୍ଲାସ୍ ରୁମ୍, ଡିଜିଟାଲ୍ ଲାଇବ୍ରେରୀ, ଶୌଚାଳୟ, ଗେଟ୍ ପ୍ରମୁଖ ତିଆରି କରାଯାଇଛି। ବାହାରୁ ଚାକାଚକ ଦେଖା ଯାଉଛି ସ୍କୁଲ। ହେଲେ ଶିକ୍ଷକ ନାହାନ୍ତି ବୋଲି ଜାଣିନାହାନ୍ତି ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର। ତେଣୁ ପିଲାମାନଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦିଆଯାଇଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ ନିଯୁକ୍ତି ନ ହେଲେ ଆଗାମୀ ଦିନରେ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି।
ଜଣେ ଅଭିଭାବକ ବାଙ୍କବିହାରୀ ମହାପାତ୍ର କହିଛନ୍ତି, ରାଜ୍ୟ ସରକାର ସ୍କୁଲରେ 5-Tରେ ଅନ୍ତର୍ଭୁକ୍ତ କରିଦେଲେ। ହେଲେ ଶିକ୍ଷକ ଦେଲେନି। ପାଠ ପଢ଼ା କେମିତି ହେବ? ବର୍ତ୍ତମାନ ସ୍କୁଲର ବିଜ୍ଞାନ, ଗଣିତ, ହିନ୍ଦୀ, ସଂସ୍କୃତ ନାହାନ୍ତି। ଏପରି ସ୍ଥିତିରେ ପିଲାମାନେ ମାଟ୍ରିକ ପରୀକ୍ଷାରେ କ’ଣ ଲେଖିବେ ବୋଲି ପ୍ରଶ୍ନ କରିଛନ୍ତି ବାଙ୍କବିହାରୀ ବାବୁ।
ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ
୧୯୭୬ ମସିହାରେ ପ୍ରତିଷ୍ଠା ହୋଇଥିବା ବାଂଶଡ଼ା ହାଇସ୍କୁଲ। ଦୁଇ ବର୍ଷ ତଳେ ଏହି ସ୍କୁଲ 5-Tରେ ରୂପାନ୍ତରିତ ହୋଇଥିଲା। 5-Tରେ ଅନ୍ତର୍ଭୁକ୍ତ ହେବା ପରେ ବଦଳିଥିଲା ସ୍କୁଲ ରୂପରେଖ। ୩୮ ଲକ୍ଷ ଟଙ୍କାରେ ନିର୍ମାଣ ହୋଇଥିଲା ସ୍କୁଲ ବିଲ୍ଡିଂ, ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରୀ, ଗେଟ୍ ପ୍ରମୁଖ। ବାହାରୁ ଝଲମଲ ଦେଖାଯାଉଛି ସ୍କୁଲ। ହେଲେ ଦୁଃଖର ବିଷୟ ଏହି 5-T ସ୍କୁଲରେ ଶିକ୍ଷକ ନିଯୁକ୍ତ କରିବା ପାଇଁ ଭୁଲିଗଲେ ସରକାର। ଜଣେ ଶିକ୍ଷକରେ ଚାଲିଛି ସ୍କୁଲ୍। ସିଏ ପୁଣି ବିଜ୍ଞାନ ଶିକ୍ଷକ।
ସେପଟେ ଦେଖିବାକୁ ଗଲେ ସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ରହିଛି। ୨୦୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଜଣେ ମାତ୍ର ଶିକ୍ଷକରେ ଅଷ୍ଟମରେ ୬୩, ନବମରେ ୬୪ ଓ ଦଶମରେ ୮୨ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ପ୍ରଧାନଶିକ୍ଷକ ସର୍ବେଶ୍ଵର ପାଢ଼ୀ ଅଫିସ୍ କାମ କରିବା ସହିତ ୩ଟି କ୍ଲାସ୍କୁ ସମ୍ଭାଳୁଛନ୍ତି। ପାଳି କରି ପ୍ରତି ଶ୍ରେଣୀରେ ପଢ଼ାଉଛନ୍ତି। ସବୁଠାରୁ ଦୁଃଖର ବିଷୟ ସର୍ବେଶ୍ଵର ପାଢ଼ୀ ବିଜ୍ଞାନ ଶିକ୍ଷକ ହୋଇଥିଲେ ମଧ୍ୟ ଅନ୍ୟ ବିଷୟ ପଢ଼ାଉଛନ୍ତି। ସାର୍ ସାହିତ୍ୟ, ଇତିହାସ, ଇଂଲିଶି ପଢ଼ାଇଛନ୍ତି। ହେଲେ ହିନ୍ଦୀ ଓ ସଂସ୍କୃତ କେମିତି ପଢ଼ାଉଛନ୍ତି? ସତରେ ସେ କଣ ହିନ୍ଦୀ ଓ ସଂସ୍କୃତ ପଢ଼ାଉଛନ୍ତି ନା ଛାତ୍ରଛାତ୍ରୀଙ୍କ ମନ ବୁଝିବା ପାଇଁ କ୍ଲାସ୍ କରୁଛନ୍ତି।
ସ୍କୁଲର ଏ ଅବସ୍ଥା ଦେଖି ସେହି ଗାଁରେ ଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକ ମଝିରେ ମଝିରେ ଆସି କ୍ଲାସ ନେଉଛନ୍ତି। ହେଲେ ସେ ସବୁଦିନ ଆସୁନାହାନ୍ତି। ବିନା ପାରିଶ୍ରମିକରେ କିଏ କାହିଁକି ପିଲାଙ୍କୁ ପାଠ ପଢ଼ାଇବ? ତାହାହେଲେ ଏଠି ପ୍ରଶ୍ନ ଉଠୁଛି ସ୍କୁଲରେ ପଢ଼ୁଥିବା ପିଲାମାନେ ପାଠ ପଢ଼ିବେ କେମିତି? ଆଗକୁ ମାଟ୍ରିକ୍ ପରୀକ୍ଷା ଥିବାରୁ ପିଲାମାନେ ପରୀକ୍ଷାରେ କ’ଣ ଲେଖିବେ? ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍କୁଲରେ ଶୀଘ୍ର ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି।
ସ୍କୁଲରେ ଶିକ୍ଷକ ଅଭାବ ନେଇ ପ୍ରଧାନଶିକ୍ଷକ ସର୍ବେଶ୍ଵର ପାଢ଼ୀ କହିଛନ୍ତି, ଶିକ୍ଷକ ଅଭାବ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲି। ଏହା ପରେ ଜଣେ ଗେଷ୍ଟ ଶିକ୍ଷକ ଆସିଥିଲେ। ହେଲେ ସେ ଅଧାରୁ ଆସିଲେ ନାହିଁ। ତେଣୁ ପିଲାମାନଙ୍କୁ ପାଠ ପଢାଇବାରେ ବହୁ ସମସ୍ୟା ହେଉଛି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ସେପଟେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ କହିଛନ୍ତି, ସ୍କୁଲରେ ଶିକ୍ଷକ ସମସ୍ୟା ରହିଛି। ଖୁବଶୀଘ୍ର ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି।
ରିପୋର୍ଟ- ଚାନ୍ଦବାଲିରୁ ତ୍ରିଲୋଚନ ସାହୁ
ଭିନ୍ନ ଭିନ୍ନ ପ୍ରକାରର ଶିକ୍ଷା ବ୍ୟବସ୍ଥା ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଦିନକୁ ଦିନ ମଜଭୁତ ହେବାରେ ଲାଗିଛି। ମାଧ୍ୟମିକ ସ୍ତରରେ ରାଜ୍ୟରେ ଅନ୍ତତଃ ତିନି ବର୍ଗର ବିଦ୍ୟାଳୟ ଶିକ୍ଷା ଦେଖିବାକୁ ମିଳୁଛି। ଏହି ବର୍ଗମାନଙ୍କ ମଧ୍ୟରେ ଓଡ଼ିଶା ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ବା ଓବିଏସଇ, ସର୍ବଭାରତୀୟ ଶିକ୍ଷା ବ୍ୟବସ୍ଥା ବା ସିବିଏସଇ, ଅନ୍ୟ ଏକ ଶିକ୍ଷାପଦ୍ଧତି ଆଇସିଏସଇ ଯାହାକି ପ୍ରଥମେ ଇଂରେଜମାନେ ଆରମ୍ଭକରି ଷ୍ଟୁଆର୍ଟ, କେମ୍ବ୍ରିଜ ଆଦି ମାଧ୍ୟମରେ ଉଚ୍ଚବର୍ଣ୍ଣର ଶିକ୍ଷା ଦେଇଥିଲେ, ଏବେ ଏହା ଭାରତୀୟ କରଣ ଆଇସିଏସଇ ଭାବେ ପ୍ରଚଳନ ହୋଇ ଚାଲିଛି। ଏହି ଶିକ୍ଷା ବ୍ୟବସ୍ଥାଗୁଡ଼ିକ ସହିତ ସି.ବି.ଏସ୍.ଇ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ଆଦି ଭିନ୍ନ ଭିନ୍ନ ପାଠ୍ୟକ୍ରମ ବିଦ୍ୟାଳୟ ସ୍ତରରେ ଚାଲୁଛି ଓ ରାଜ୍ୟରେ ପୂର୍ବ ପ୍ରଚଳିତ ସ୍ୱାଧୀନ ଓ ସ୍ୱତନ୍ତ୍ର ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ପାଠ୍ୟକ୍ରମର ଏହି ଜାତିଭେଦ ବା ପ୍ରକାର ଭେଦ ସହିତ ଅନେକ ଜାତିର ଶିକ୍ଷାୟତନ ସୃଷ୍ଟି ହେବାରେ ଦେଖାଯାଇଥାଏ।
କେନ୍ଦ୍ରୀୟ ବିଦ୍ୟାଳୟ ବା ସେଣ୍ଟ୍ରାଲ ସ୍କୁଏ, ଜବାହାରଲାଲ ନେହେରୁ ବିଦ୍ୟାଳୟ ବା ନବୋଦୟ ବିଦ୍ୟାଳୟ, କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ, ବାବୁ ଜଗଜ୍ଜୀବନରାମ ଉଚ୍ଚ ବିଦ୍ୟାଳୟ ଏବଂ ପରବର୍ତ୍ତୀ ଅବସ୍ଥାରେ ଜନ୍ମ ନେଇଥିବା କେନ୍ଦ୍ରୀୟ ସ୍ତରରେ ଆଦର୍ଶ ବିଦ୍ୟାଳୟ ଓ ରାଜ୍ୟ ସ୍ତରରେ ମଡ଼େଲ ସ୍କୁଲ ବ୍ୟବସ୍ଥା ଆଦି ଆମ ରାଜ୍ୟରେ ଦେଖିବାକୁ ମିଳିଥାଏ। ଏବେ ରାଜ୍ୟରେ ଅନେକ ଆଦର୍ଶ ବିଦ୍ୟାଳୟ ଏକ ଅଦ୍ଭୁତ ନାମଧାରୀ ‘ଫାଇଭ୍ ଟି’ ସ୍କୁଲ୍ ଦେଖିବାକୁ ମିଳୁଛି। ଯାହାସବୁ ଦେଖିବାକୁ ମିଳୁଛି, ରାଜା ମହାରାଜାଙ୍କ ପିଲା ପଢ଼ିବା, ବ୍ରାହ୍ମଣ, କ୍ଷତ୍ରୀୟ ପିଲା ପଢ଼ିବା ଏବଂ ଗରିବ ଦଳିତଙ୍କ ପିଲା ପଢ଼ିବା ପାଇଁ ସାମନ୍ତବାଦୀ ଯୁଗର ବ୍ୟବସ୍ଥା ସୃଷ୍ଟି ହୋଇଛି ଓ ସଜଡ଼ା ହୋଇ ରହିଥିବା ପରି ମନେହୁଏ। ପ୍ରଶ୍ନ ଉଠିଥାଏ, ତେବେ କ’ଣ କିଛି ହେଉଛି ନବୋଦୟ ବିଦ୍ୟାଳୟ ଆଉ ସବୁ ଅନୁଷ୍ଠାନଗୁଡ଼ିକ ଆଦର୍ଶ ହୀନ? କିଛି ମଡେଲ ସ୍କୁଲ ଆଉ ସବୁ ସ୍କୁଲର ପିଲାମାନେ କ’ଣ ମଡେଲ ସ୍କୁଲରେ ନ ପଢ଼ନ୍ତୁ ପଛେ ତାକୁ ହିଁ ଦେଖି ଶୁଣି ନିଜକୁ ତିଆରିବେ? ଦଳେ ମଡେଲ ହେବେ, ଆଉ ସବୁ ସେହି ମଡେଲକୁ ଦେଖିଚାହିଁ ଅନୁକରଣ କରିବେ? ଏହା କ’ଣ ସମ୍ଭବ କି? ଅଭିଭାବକମାନେ ନିଜ ପିଲାଙ୍କୁ ଆଦର୍ଶ ବିଦ୍ୟାଳୟରେ ନ ପଢ଼ାଇ ଆଦର୍ଶହୀନ ବିଦ୍ୟାଳୟରେ ପଢ଼ାଇବେ କାହିଁକି? ସେହି ସବୁ ବିଦ୍ୟାଳୟ (ଆଦର୍ଶ ବିହୀନ) ଛାତ୍ରଛାତ୍ରୀ ଅଭାବରୁ ବନ୍ଦ ହୋଇଯିବ ନାହିଁକି? ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ସୁଯୋଗର ଭିନ୍ନତା ହେତୁ ଅସମତାର ଶୀକାର ହେବେ ନାହିଁ କି? ସେହିପରି ମଡ଼େଲ ସ୍କୁଲକୁ ପିଲାଏ ନ ଯାଇ ଅନ୍ୟ ବିଦ୍ୟାଳୟକୁ ଯିବେ କାହିଁକି? ଏସବୁ ଅମୀମାଂସିତ ପ୍ରଶ୍ନ ବାରମ୍ବାର ଉଠୁଛି।
ଆଦର୍ଶ ସ୍କୁଲର ଯେଉଁ ବ୍ୟବସ୍ଥା ସବୁ ରହିଛି ତାହା ଅତ୍ୟନ୍ତ ଆକର୍ଷଣୀୟ ଓ ଅତ୍ୟନ୍ତ ଉପଯୋଗୀ। ଲେଖକଙ୍କର ଏହି ମଡ଼େଲ ସ୍କୁଲରେ ପ୍ରବେଶ ଅଭିଜ୍ଞତା ଅଛି। ଗୋଟିଏ ଗ୍ରାମୀଣ ବିଦ୍ୟାଳୟରେ ଅଧ୍ୟୟନରତ ଥିବାବେଳେ ଅଭିଭାବକଙ୍କ ନିଷ୍ପତ୍ତି ଅନୁସାରେ ଷାଠିଏ ଦଶକରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଖୋଲା ଯାଇଥିବା ଏକମାତ୍ର ମଡ଼େଲ ସ୍କୁଲ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ନାମ ଲେଖାଇଥିଲା। ବଛା ବଛା ଶିକ୍ଷକମାନେ ପଢ଼ାଇବା ସହିତ ବିଦ୍ୟାଳୟ ପୁସ୍ତକାଗାର, ବିଜ୍ଞାନାଗାର, ଏନ୍.ସି.ସି. ସହିତ ଅନେକ ଭାବରେ ରାଜ୍ୟ ତଥା ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ସୁଯୋଗ ମିଳିଲା। ଏହି ଗ୍ରାମୀଣ ଛାତ୍ର ଅନେକ ଭାବରେ ଆଗଧାଡ଼ିକୁ ଚାଲି ଯାଇଥିଲା। ତେବେ ଗାଁ ସ୍କୁଲରେ ରହିଥିବା ପିଲାଙ୍କ ଭାଗ୍ୟରେ କିଛି ଭଲ ଶିକ୍ଷକଙ୍କ ବ୍ୟତୀତ ଅନ୍ୟକିଛି ନଥିଲା। ଛାତ୍ରଛାତ୍ରୀମାନେ ବୋର୍ଡ଼ ସ୍କୁଲରେ ମିଳୁଥିବା ସୁଯୋଗ ଲାଭ କରିଥିଲେ ଅନେକ ଭାବେ ନିଜର କୃତିତ୍ୱ ଦେଖାଇ ପାରିଥାନ୍ତେ। ଅଥବା ଏହି ମଡ଼େଲ ସ୍କୁଲରେ ଶେଷ ଦୁଇବର୍ଷ ନପଢ଼ି ଲେଖକ ଯଦି ଅନ୍ତତଃ ଅଷ୍ଟମରୁ ପଢ଼ିବାର ସୁଯୋଗ ପାଇଥାନ୍ତା ତେବେ ହୁଏତ ଆହୁରି କେଇପାଦ ଆଗକୁ ଯିବାର ଶକ୍ତି ଓ ସାମର୍ଥ୍ୟ ମିଳିଥାନ୍ତା।
ଭାରତ ସରକାରଙ୍କର ଦ୍ୱାରା ୨୦୦୪ ମସିହାରେ ଗଠିତ କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ପରିଷଦ ୨୦୦୫ ଜୁନ୍ରେ ଏକ ରିପୋର୍ଟ ଦେଲେ। ଯେଉଁଥିରେ କେନ୍ଦ୍ରୀୟ ବିଦ୍ୟାଳୟ ଯାହାକି ପ୍ରାୟତଃ ସହରାଞ୍ଚଳରେ ଥାଏ ଏବଂ ସର୍ବଭାରତୀୟ ତଥା କେନ୍ଦ୍ରୀୟ ଚାକିରୀ କ୍ଷେତ୍ରରେ ଥିବା କର୍ମଚାରୀଙ୍କ ପିଲାଙ୍କ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ସେହି ଢାଞ୍ଚାରେ ଗ୍ରାମାଞ୍ଚଳରେ ଅନ୍ତତଃ (ପ୍ରତି ବ୍ଲକରେ) ଗୋଟିଏ ବିଦ୍ୟାଳୟ ଗଢ଼ିବା ପାଇଁ ସୁପାରିଶ କଲେ। ସୁପାରିଶ ଅନୁସାରେ ୨୦୦୭ ମସିହାରୁ ସମଗ୍ର ଦେଶରେ ୬୦୦୦ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଦେଲେ। ଏହି ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥାଗୁଡ଼ିକର ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି ମୁଖ୍ୟତଃ (କ) ଶିକ୍ଷକ ଅନୁପାତ ୧:୨୫ ହାରରେ ରହିବା ସହିତ ଶ୍ରେଣୀରେ ଅତିବେଶି ହେଲେ ୪୦ ପିଲା ରହିବେ, (ଖ) କଳା ଓ ଚିତ୍ରାଙ୍କନ ଶିକ୍ଷକ ନିଯୁକ୍ତ ହେବେ, (ଗ) ବିଜ୍ଞାନ, ଗଣିତ, ଇଂରେଜୀ ପାଠ ଉପରେ ଗୁରୁତ୍ୱ ଦିଆଯିବ, (ଘ) ଯୋଗ ଓ ଶାରିରୀକ ଶିକ୍ଷା ଦିଆଯିବ, (ଙ) ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ, (ଚ) ଭଲ ବହି ଓ ପତ୍ରପତ୍ରିକା ରହିବା ପାଇଁ ପାଠାଗାର ରହିବ, (ଛ) ଇଂରେଜୀରେ ବାର୍ତ୍ତାଳାପ ଶିକ୍ଷା ଦିଆଯିବ, (ଜ) ଶିକ୍ଷାର ମାଧ୍ୟମ ରାଜ୍ୟ ସରକାର ନିର୍ଣ୍ଣୟ କରିବେ। ଏହିସବୁ ସୁବିଧା ସୁଯୋଗ ଥାଇ ଯେକୌଣସି ବିଦ୍ୟାଳୟ ନିଶ୍ଚୟ ଉନ୍ନତ ମାନର ପ୍ରତିପାଦିତ ହେବ ଯଦିଓ ଏହା ପୂର୍ଣ୍ଣ ତୃଟିମୁକ୍ତ ନୁହେଁ। ହେଲେ ଯେଉଁଗୁଡ଼ିକରେ ଏ ସମସ୍ତ ସୁବିଧା ଉପଲବ୍ଧ ନୁହେଁ, ସେହି ପିଲାମାନେ କେଉଁ ବର୍ଗର ହେବେ? ସେମାନେ ତୁଳନାତ୍ମକ ଦୃଷ୍ଟିରୁ ଉଚ୍ଚମାନର ଶିକ୍ଷା ଓ ସୁଯୋଗରୁ ବଂଚିତ ହୋଇ ଶିକ୍ଷାକ୍ଷେତ୍ରରେ ଦଳିତ ବା ନିମ୍ନ ବର୍ଗର ବିବେଚିତ ହେବେ ନାହିଁକି?
ମଡେଲ ସ୍କୁଲର ପରିକଳ୍ପନା ରାଜ୍ୟ ସରକାରଙ୍କର। ରାଜ୍ୟର ୩୧୪ଟି ବ୍ଲକରେ ଏହି ମଡେଲ ସ୍କୁଲ ପ୍ରତିଷ୍ଠା ପାଇଁ ସରକାରୀ ନିଷ୍ପତ୍ତି ଘୋଷଣା ହୋଇଛି। ଏହା ମଧ୍ୟ ଶିକ୍ଷାଜନିତ ଉଚ୍ଚବର୍ଣ୍ଣର ବିଦ୍ୟାଳୟ। ଏଥିରେ ଅନେକ ସ୍ୱତନ୍ତ୍ର ସୁବିଧା ସୁଯୋଗ ଥିବାର ସୂଚୀତ ହେଉଛି। ଏହିସବୁ ଉଚ୍ଚବର୍ଣ୍ଣ ବିଦ୍ୟାଳୟରେ ବିଦେଶୀ ଭାଷା ଇଂରେଜୀ, ହିନ୍ଦୀର ପ୍ରାଧାନ୍ୟ ରହିବ। ରାଜ୍ୟଭାଷା ଓଡ଼ିଆକୁ ଗୌଣ ବା ନ୍ୟୁନ କରି ଦିଆଯାଇଛି।
ସର୍ବୋପରି ଏହିପରି ଉଚ୍ଚବର୍ଣ୍ଣ ଓ ନୀଚ୍ଚବର୍ଣ୍ଣ ବିଦ୍ୟାଳୟର ସ୍ଥିତି ଭିତରେ ଆଉ ଗୋଟିଏ ନବ ଔପନେବଶିକ ଶିକ୍ଷା ସ୍ଥିତି ଦୃଷ୍ଟିକୁ ଆସିଥାଏ। ତାହା ହେଉଛି ପବ୍ଲିକ୍ ସ୍କୁଲ। ଏହା ଆଦୌ ପବ୍ଲିକ ବା ସାଧାରଣ ଲୋକଙ୍କର ନୁହେଁ। ଢାଞ୍ଚାଗତ ଭାବରେ କାହାର ନା କାହାର। ଆମ ରାଜ୍ୟରେ ଚାଲୁଥିବା ଏହି ପବ୍ଲିକ ସ୍କୁଲ ବର୍ଗର ପରିଚୟ ନେଇ ସାଇ ଇଣ୍ଟରନ୍ୟାସନାଲ, ବିବେକାନନ୍ଦ ବିଦ୍ୟାଳୟ, ସରସ୍ୱତୀ ବିଦ୍ୟାମନ୍ଦିର, ଶ୍ରୀମା’ ଅରବିନ୍ଦ ଇଣ୍ଟିଗ୍ରାଲ ସ୍କୁଲ, ମଡ଼ର୍ଣ୍ଣ ପବ୍ଲିକ୍ ସ୍କୁଲ, ଦିଲ୍ଲୀ - କଳିଙ୍ଗ ପବ୍ଲିକ୍ ସ୍କୁଲ ଆଦି ଗଢ଼ି ଉଠିଛି। ଭିନ୍ନ ଭିନ୍ନ ନାମରେ ଏହିସବୁ ପବ୍ଲିକ ସ୍କୁଲ ଆତ୍ମପ୍ରକାଶ କରୁଛି ଓ କାୟା ବିସ୍ତାର କରି ଚାଲିଛି। ଏଥିରେ ପବ୍ଲିକ ଶବ୍ଦ ଯୋଡ଼ାଯାଇଛି ହେଲେ ସଂପୂର୍ଣ୍ଣ ବ୍ୟକ୍ତି ବା କର୍ପୋରେଟ ଗୋଷ୍ଠୀ ନିୟନ୍ତୟଣରେ ରହି କେବଳ ଥିଲାବାଲାଙ୍କ ନିମନ୍ତେ ପ୍ରଶସ୍ତ ଶିକ୍ଷାକ୍ଷେତ୍ର ପାଲଟିଛି। ପବ୍ଲିକ ସ୍କୁଲ ନାମଧାରୀ ସମସ୍ତ ବିଦ୍ୟାଳୟରେ ପଢ଼ାଇବା ଖର୍ଚ୍ଚ କେବଳ ଥିଲାବାଲା ସଂପ୍ରଦାୟ ହିଁ ତୁଲାଇ ପାରିବେ। ଏହିସବୁ ଶିକ୍ଷାକେନ୍ଦ୍ର ଶିକ୍ଷାଦାନ ଅପେକ୍ଷା ଅଧିକଭାବେ ଅର୍ଥ- ଉପାର୍ଜନର କ୍ଷେତ୍ର ପାଲଟିଛି। ଅନ୍ୟପକ୍ଷରେ ଦୃଶ୍ୟମାନ ସରକାରୀ, ଅର୍ଦ୍ଧ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାଳୟମାନେ ଦଳିତ ଶୁଦ୍ର ସଂପ୍ରଦାୟ ଅନ୍ତର୍ଭୁକ୍ତ ପରି ମନେ ହୁଏ।
ମୁଠାଏ ଖାଇବା ବା ଖଣ୍ଡିଏ ମାଗଣା ପିନ୍ଧିବା ପାଇଁ ସତେ ଯେପରି ଏହି ବିଦ୍ୟାଳୟ ସବୁ ପଡ଼ି ରହିଛି। ଜାତି ଭିତରେ ଉପଜାତି ଥିବା ପରି ସରକାରୀ ବିଦ୍ୟାଳୟମାନଙ୍କରେ ଅନେକ ଜାତିର ଓ ଉପଜାତିର ବିଦ୍ୟାଳୟ ଦେଖିବାକୁ ମିଳିଥାଏ। ଏହି ଉପଜାତି ବିଚାରରେ ଗଭର୍ଣ୍ଣମେଣ୍ଟ ସ୍କୁଲ, ଗଭର୍ଣ୍ଣମେଣ୍ଟ ଟେକେନ୍ଓଭର ସ୍କୁଲ, ଗ୍ରାଣ୍ଟ ଇନ୍ ଏଡ଼୍ ସ୍କୁଲ, ବ୍ଲକ୍ ଗ୍ରାଣ୍ଟ୍ ସ୍କୁଲ ଆଦି ଦେଖିବାକୁ ମିଳିଥାଏ।
ଶିକ୍ଷା ଓ ଶିକ୍ଷାୟତନରେ ଯେପରି ପ୍ରକାରଭେଦ ଦେଖିବାକୁ ମିଳେ ଶିକ୍ଷକମାନଙ୍କ ଭିତରେ ମଧ୍ୟ ଅନେକ ପ୍ରକାର ବା ଗୋଷ୍ଠୀ ରହିଛି। ଦରମା ଦୃଷ୍ଟିରୁ ହେଉ ବା ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ହେଉ, ଏହିସବୁ ପ୍ରକାରଭେଦ ଦେଖିବାକୁ ମିଳିଥାଏ।
କେବଳ ମାଧ୍ୟମିକ ସ୍ତରରେ ନୁହେଁ, ପ୍ରାଥମିକ ସ୍ତରରେ ମଧ୍ୟ ଅନେକ ପ୍ରକାର ଭେଦ ଦେଖାଯାଏ। ନୋଡ଼ାଲ ସ୍କୁଲ, ଅପର ପ୍ରାଇମେରୀ, ଅପଗ୍ରେଡ଼େଡ଼ ପ୍ରାଇମେରୀ ବା ୟୁ.ଜି.ଏମ.ଇ, ଏମ୍.ଇ ସ୍କୁଲ ଆଦି ପରିଚୟ ଥାଇ ବିଦ୍ୟାଳୟ ସବୁ ଦେଖିବାକୁ ମିଳିଥାଏ। ଏବେ ଆଉ ଗୋଟିଏ ନୂଆ ଜାତି ବା ବ୍ୟବସ୍ଥା ଯୋଡ଼ା ହୋଇଛି। ପୂର୍ବବର୍ଣ୍ଣିତ ପବ୍ଲିକ ସ୍କୁଲ ବା ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଗରିବ, ବି.ପି.ଏଲ କାର୍ଡ଼ଧାରୀ ବା ନିମ୍ନବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯିବାର ଗୋଟିଏ ପ୍ରହସନ ଆରମ୍ଭ ହୋଇଛି।
ସେହିସବୁ ସ୍କୁଲରେ ବାବୁମାନଙ୍କ ପିଲାଙ୍କ ଭିତରେ ଦଳିତ ବା ବି.ପି.ଏଲ୍. କାର୍ଡ଼ଧାରୀମାନେ ଶିକ୍ଷାକୁ ଆପଣେଇବା ନିମନ୍ତେ ସକ୍ଷମ ହେବେ? ବିଦ୍ୟାଳୟ ପରିବର୍ତ୍ତନ ଏକା ଜାତିର ଧନୀ-ଦରିଦ୍ର ମଧ୍ୟର ବିବାହ ସଦୃଶ। କିନ୍ତୁ ବର୍ତ୍ତମାନର ଏହି ସ୍ଥିତିଟି ଭିନ୍ନ ଭିନ୍ନ ଜାତି ମଧ୍ୟରେ ବିବାହ ହେବା କଥା ପରି। ଏହା ପୁଣି ପ୍ରେମରୁ ନୁହେଁ ବାଧ୍ୟବାଧକତାରୁ ସୃଷ୍ଟି ହୋଇଛି। ଶିକ୍ଷାକ୍ଷେତ୍ରରେ ବିଚାର ବିଭ୍ରାଟ ପାଇଁ ସରକାର ଓ ସରକାରୀ ନୀତି ତ ନିଶ୍ଚୟ ଦାୟୀ, ହେଲେ ଏହାସହିତ ପୂର୍ଣ୍ଣଭାବେ ଜଡ଼ିତ ଶିକ୍ଷକ ମଣ୍ଡଳୀ କ’ଣ ଦାୟୀ ନୁହଁନ୍ତି? ନିଜ ପିଲାମାନଙ୍କୁ ନିଜେ ପଢ଼ାଉଥିବା ଶିକ୍ଷା ବ୍ୟବସ୍ଥା ମଧ୍ୟରେ ନ ରଖି ଅନ୍ୟତ୍ର ତଥାକଥିତ ପବ୍ଲିକ ସ୍କୁଲମାନଙ୍କୁ ପଢ଼ାଇବା ଅବା ଓଡ଼ିଆ ମାଧ୍ୟମରେ ନ ପଢ଼ାଇ ଇଂରେଜୀ, ହିନ୍ଦୀ ମାଧ୍ୟମରେ ପଢ଼ାଇବାର ଇଚ୍ଛା ସମ୍ବରଣ କରବା କ’ଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଉଚିତ ନଥିଲା। ଅଭିଭାବକମାନେ ଏସବୁ ଦେଖିଶୁଣି ଆର୍ଥିକ କଷ୍ଟସତ୍ତ୍ୱେ ପବ୍ଲିକ ସ୍କୁଲ ସବୁକୁ ନିଜ ପିଲାଙ୍କୁ ପଠାଇଲେ। ଆମେ ସମସ୍ତେ ଭୁଲିଗଲେ ଯେ ଏହି ଶିକ୍ଷକଙ୍କ ପିଲା ସତୁରୀ ଦଶକ ଅଶି ଦଶକ ପୂର୍ବରୁ ସାଧାରଣ ବିଦ୍ୟାଳୟରେ ପାଠପଢ଼ି ସର୍ବଭାରତୀୟ ସ୍ତରରେ ଉଚ୍ଚମାନ ପ୍ରତିଷ୍ଠା କରୁଥିଲେ। ସେମାନଙ୍କ ମଧ୍ୟରୁ ଆଦୌ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ନଥିଲେ। କହିଲେ ଅତ୍ୟୁକ୍ତି ହେବନାହିଁ, ସେତେବେଳେ ମଧ୍ୟ ଷ୍ଟୁଆର୍ଟ, କେମ୍ବ୍ରିଜ ପ୍ରଭୃତି ବିଦ୍ୟାଳୟ ଥିଲା। ତଥାପି ପ୍ରଫେସର, ଶିକ୍ଷକ ତଥା ଅନ୍ୟାନ୍ୟ ଅଭିଭାବକଗଣ ନିଜ ପିଲାକୁ ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ରଖିଥିଲେ।
ଅନ୍ୟ ଏକ କଥା ସ୍ୱୀକାର କଲାବେଳେ ଏ ଲେଖକ କଷ୍ଟର ସହିତ କହିବାକୁ ଚାହେଁ ଯେ ଯେଉଁ ଅଳ୍ପ କିଛିଦିନର ସୁଯୋଗ ସରକାରୀ ବ୍ୟବସ୍ଥାରେ ପରିଚାଳନାଗତ ସଂପୃକ୍ତି ଆସିଥିଲା ସେଥିରେ ଶିକ୍ଷା ବିଭାଗ ଦାୟିତ୍ୱରେ ନଥିଲେ ମଧ୍ୟ ଏହି ଶିକ୍ଷାରେ ଥିବା ଘୃଣିତ ପ୍ରକାରଭେଦକୁ ସହ୍ୟ କରୁନଥିଲା। ବିଦ୍ୟାଳୟ ଏକୀକରଣ ବ୍ୟବସ୍ଥାକୁ ଦୃଢ଼ଭାବେ ସମର୍ଥନ କରୁଥିଲା। ମ୍ୟୁନିସପାଲ ସ୍କୁଲକୁ ସରକାରୀ ସ୍ତରକୁ ଆଣିବା, ବିଦ୍ୟାଳୟ ଭିତରେ ମିଶ୍ରଣ ପ୍ରକ୍ରିୟା ଆରମ୍ଭ କରିବାବେଳେ ଶିକ୍ଷକମାନଙ୍କ ଭିତରେ ଅନେକ ସମାଲୋଚନାର ସ୍ୱର ଶୁଭୁଥିଲା। ଅପରିଣାମ ଦର୍ଶିତା ପାଇଁ୧୦୪ ଲେଫ୍ଟ ଆଉଟ୍ ବାଳିକା ବିଦ୍ୟାଳୟକୁ ସରକାରୀ ଭାବେ ଘୋଷଣା ହେବା ପରିବର୍ତ୍ତେ ଆଉ ଗୋଟିଏ ନୂଆ ପ୍ରକାର ବିଦ୍ୟାଳୟ ‘ବ୍ଲକଗ୍ରାଣ୍ଡ ସ୍କୁଲ’ର ସୃଷ୍ଟି ହେଲା। କେବଳ ସେତିକି ନୁହେଁ, ଗୁଡ଼ିଏ ଅଯଥା କ୍ୟାଡ଼ର ସୃଷ୍ଟି କରାଯିବାର ବାଧ୍ୟବାଧକତାକୁ ଗ୍ରହଣ କରିବାକୁ ହୋଇଥିଲା। ସେମାନେ ଆଜି ନିଶ୍ଚୟ ବୁଝୁଥିବେ ଏହିସବୁ ପ୍ରକାରଭେଦର ସଂକୀର୍ଣ୍ଣତା ପାଇଁ ଆଜି ସମଗ୍ର ଶିକ୍ଷା ଜଗତରେ ଅସମତା ବୃଦ୍ଧି ଘଟିଛି। ଶିକ୍ଷା ଭିତରେ ଏକରକମର ଗୋଷ୍ଠୀ ବା ଜାତି ସଂଘର୍ଷ ଘଟୁଛି। ଅବସ୍ଥାକୁ ମୁକାବିଲା କରିବାକୁ ଯାଇ ବ୍ୟବସ୍ଥାକୁ ଅଧିକ ଅସଜଡ଼ା କରିଦେବା ଆଦୌ ଉଚିତ ନୁହେଁ। ଏହାସବୁ ଦୂରଦର୍ଶିତାର ଅଭାବ ବୋଲି ଭାବିବାକୁ ହେବ। ପ୍ରବନ୍ଧର ବିଚାରରେ ଶିକ୍ଷକମାନେ ହିଁ ବ୍ୟବସ୍ଥା ସଜାଡ଼ିବା ଅପେକ୍ଷା ଅସଜଡ଼ାକୁ ଅନେକ ସମୟରେ ଆପଣେଇ ନେଉଛନ୍ତି। ଯେପରିକି ‘ଯାହାପଛେ ମିଳୁ ହଜାରେ ହେଉ ବା ଦି ହଜାର ହେଉ ମିଳିଯାଉ’ କହି ବ୍ଲକ୍ଗ୍ରାଣ୍ଟକୁ ୨୦୦୪ରେ ଆପଣେଇ ନେଲେ। ଫଳସ୍ୱରୂପ ଅନେକ ଦିନ ଲଢ଼େଇ କରି ମିଳିଥିବା ଡାଇରେକ୍ଟ ପେମେଣ୍ଟ କଥାଟି ଦୁର୍ବଳ ହୋଇଗଲା। ‘ବ୍ଲକଗ୍ରାଣ୍ଡ’ ପରି ଏକ ଭିନ୍ନ ବର୍ଗ ବା ଜାତିର ସ୍କୁଲ ବା ଶିକ୍ଷକ ସୃଷ୍ଟି ହେଲା।
ଏବେ ସମୟ ଆସିଛି ଅଧିକ ତର୍କକୁ ନ ଯାଇ କ୍ଷୁଦ୍ର ସ୍ୱାର୍ଥ ପରିହର କରି ପ୍ରକାରଭେଦ ରହିତ ଶିକ୍ଷା, ଶିକ୍ଷକ, ଶିକ୍ଷାୟତନ ସଜାଡ଼ିବା ଦିଗରେ ସମସ୍ତ ଚିନ୍ତାଶୀଳ ବର୍ଗ ଉଦ୍ୟମ କରିବା ଦରକାର। ସରକାର ମଧ୍ୟ ଏହାକୁ ନିଜର ପ୍ରାଥମିକ ଦାୟିତ୍ୱ ଭାବି କାର୍ଯ୍ୟକଲେ ଖୁବ୍ ସୁଫଳ ମିଳିବ। ସ୍ମରଣ କରିବାକୁ ହେବ ଯେ ଗୋଟିଏ ସମୟରେ ନଅ ହଜାର ପ୍ରାଥମିକ ଶିକ୍ଷକ (ତୃତୀୟ ଶିକ୍ଷକ) ନିଯୁକ୍ତି ପାଇଁ ମିଳିଥିବା ଆର୍ଥିକ ଅନୁଦାନ ୭/୮ବର୍ଷ ଧରି ଉପଯୋଗ ହୋଇ ନଥିଲା। ଅଥଚ ବିଦ୍ୟାଳୟମାନଙ୍କରେ ଶିକ୍ଷକର ଘୋର ଅଭାବ ଥିଲା। ହଠାତ୍ ବାଧ୍ୟ ବାଧକତାରେ ସରକାର ଏହି ଦରମାକୁ ଭାଗ କରି ୨୭ ହଜାର ଶିକ୍ଷକ ନିଯୁକ୍ତି କଲେ। କହିବାକୁ ଗଲେ ଏଥିରେ ଲେଖକଙ୍କର ସେ ସମୟରେ ସମର୍ଥନ ଥିଲା। କାରଣ ବିଦ୍ୟାଳୟରେ ଶିକ୍ଷକ ନଥିବାବେଳେ ଶିକ୍ଷକଙ୍କୁ ଦରମା ଦେବାପାଇଁ ରାଜ୍ୟର ସମ୍ବଳ ନଥିଲା। ଏହା ଏକରକମର ଆଡହକ ବ୍ୟବସ୍ଥା ବୋଲି ବିଚାର କରାଯାଇଥିଲା। କିଛି ବର୍ଷ ପାଇଁ ସ୍ୱଳ୍ପବେତନରେ ଶିକ୍ଷକ ଶିକ୍ଷୟିତ୍ରୀ ଗଣ ପ୍ରାଥମିକ ବିଦ୍ୟାଳୟରେ ଖୁସିରେ ନ ହେଲେ ବି ଗ୍ରହଣ କରି ନେଇଥିଲେ। ଏହି ନିଯୁକ୍ତି ପ୍ରାୟତଃ ଆଡହକ ବା ସ୍ୱଳ୍ପକାଳୀନ ବୋଲି ଧରା ଯାଉଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହା ଏକ ଅସହାୟ ଓ ନ୍ୟୁନ ସ୍ଥିତିଟିଏ ସୃଷ୍ଟି କରି ଚାଲିଛି। ନିର୍ଦ୍ଦିଷ୍ଟ ବେତନ ଓ ଗୋଟିଏ ସୀମା ପରେ ସମୀକରଣର ବେତନ ସ୍ତର ସହ ଶିକ୍ଷକ ସମାନ ସୁବିଧା ସୁଯୋଗ ଥିବା ଏକ ପ୍ରକାରର ବିଦ୍ୟାଳୟ, ରାଜ୍ୟଭାଷା ମାଧ୍ୟମରେ ଉନ୍ନତ ଓ ସ୍ୱତନ୍ତ୍ର ମାନର ଏକପ୍ରକାର ଶିକ୍ଷା ବ୍ୟବସ୍ଥା ହିଁ ଶିକ୍ଷାରେ ଅସମତାକୁ ଦୂର କରିବ।
ପ୍ରାଥମିକ ତଥା ମାଧ୍ୟମିକ ଶିକ୍ଷା ପୂର୍ଣ୍ଣମାତ୍ରାରେ ରାଜ୍ୟ ସରକାରଙ୍କର ଦାୟିତ୍ୱରେ ଛାଡ଼ିଦେଇ ଉଚ୍ଚଶିକ୍ଷାର ସମସ୍ତ ଖର୍ଚ୍ଚ କେନ୍ଦ୍ରୀୟ ବଜେଟରୁ ହେଲେ ଉଭୟ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ ଏବଂ ଆର୍ଥିକ ବୋଝ ଉଭୟଙ୍କ ପାଇଁ ସହନଶୀଳ ହେବ। ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ରାଜ୍ୟମାନଙ୍କ ଭିତରେ କେନ୍ଦ୍ରୀୟ ଟିକସ୍ ଆୟର ଆବଣ୍ଟନ ୪୨% ଅଛି ଏବଂ ଏହା ତ୍ରୟୋଦଶ ଅର୍ଥ କମିଶନଙ୍କ ସୁପାରିଶ ଅପେକ୍ଷା ୧୦% ଅଧିକ। ଏଥିରେ ନୀତି ଆୟୋଗର ପରାମର୍ଶ ନେଇ ୩% ଅଧିକ ଦେବାରେ କୌଣସି ସାମ୍ବିଧାନିକ ତୃଟି ରହିବ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କର କେନ୍ଦ୍ରଠାରେ ଦାବୀ ହେବା ଦରକାର। କେନ୍ଦ୍ର ସରକାର ୨୦୧୫ ଶିକ୍ଷା ନିମନ୍ତେ ଥିବା କେନ୍ଦ୍ରୀୟ ପ୍ରବର୍ତ୍ତୀତ ଯୋଜନାରେ କାଟଛାଣ୍ଟ କରିଥିବାର ଜଣାଯାଏ। ଉପରୋକ୍ତ ମତେ ୩% ଅଧିକ ଆବଣ୍ଟନ କରି ପ୍ରାଥମିକ ତଥା ବିଦ୍ୟାଳୟ ବ୍ୟବସ୍ଥାଟିକୁ ରାଜ୍ୟମାନଙ୍କୁ ହସ୍ତାନ୍ତର କରିଦେଲେ ଶିକ୍ଷା ସାର୍ବଜନୀନ ଓ ଫଳପ୍ରଦ ତଥା ଉଚ୍ଚମାନର ଓ ଗୁଣାତ୍ମକ ହେବ। ପ୍ରାଥମିକ ଓ ମାଧ୍ୟମିକ ସ୍ତର ଶିକ୍ଷା ସର୍ବଜନୀନ ହେବା ସହିତ ଶିକ୍ଷାରେ ପ୍ରକାରଭେଦ ବା ଜାତିଭେଦ ସଙ୍କୁଚିତ ହେବ ବା ଲୋପ ପାଇବ।
ଫୋ- ୯୪୩୮୩୬୦୮୪୯
୧୯୮୧ ମସିହାରେ ବଡ଼ହଳ ଗାଁରେ ପ୍ରତିଷ୍ଠା କରାଯାଇଥିଲା କଲେଜ ରୋଡ୍ ହାଇସ୍କୁଲ। ଚଳିତବର୍ଷରେ ନବମ ଓ ଦଶମ ଶ୍ରେଣୀରେ ମୋଟ୍ ୫୫ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ। ୨୮ ଦଶମ ଓ ୩୭ ଜଣ ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଦଶମରେ ପଢ଼ୁଥିବା ୨୮ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ। ସେଥିରୁ ୨୭ ଜଣ ପାସ୍ କରିଥିଲେ। ତେବେ ନବମ ଶ୍ରେଣୀରେ ପଢ଼ୁଥିବା ୩୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨ ଅନ୍ୟ ସ୍କୁଲରେ ଦଶମରେ ନାମ ଲେଖାଇଲେ। ଶିକ୍ଷକ ନଥିବାରୁ ପିଲାମାନେ ଅନ୍ୟ ସ୍କୁଲରେ ନାଁ ଲେଖାଇଥିବା ଜଣାପଡ଼ିଛି। ଚଳିତବର୍ଷ ଏହି ସ୍କୁଲରେ ଦଶମରେ ୨୫ ପିଲା ଓ ନବମ ଶ୍ରେଣୀରେ ୩୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।
ସବୁଠାରୁ ମଜା କଥା ହେଉଛି, ଗତ ଏପ୍ରିଲରେ ଏହି ବିଦ୍ୟାଳୟକୁ 5Tରେ ଅନ୍ତର୍ଭୁକ୍ତ କରାଯାଇଛି। ବିଦ୍ୟାଳୟର ଉଦ୍ୟାନଠାରୁ ଆରମ୍ଭ କରି ବିଜ୍ଞାନଗାର, ଡିଜିଟାଲ କ୍ଲାସ ରୁମ୍ କରାଯାଇଛି। ବାହାରୁ ଚାକଚକ୍ ଦେଖାଯାଉଥିବା ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ୧୨ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ଅଛନ୍ତି ଜଣେ ଶିକ୍ଷକ। ତାହା ପୁଣି ସେ ହିନ୍ଦୀ ଶିକ୍ଷକ। ସ୍ମାର୍ଟ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଗଣିତ ଜଟିଳ ଅଙ୍କ ପଢ଼ାଉଛନ୍ତି ହିନ୍ଦୀ ଶିକ୍ଷକ। ଖାଲି ଗଣିତ ନୁହେଁ, ସଂସ୍କୃତ, ସାହିତ୍ୟ, ବିଜ୍ଞାନ, ଇଂରାଜୀ, ଭୂଗୋଳ ଓ ଇତିହାସ ମଧ୍ୟ ପଢ଼ାଉଛନ୍ତି। ଦରକାର ପଡ଼ିଲେ ହିନ୍ଦୀ ସାର୍ ଖେଳ ଶିକ୍ଷକଙ୍କ କାମ ମଧ୍ୟ କରୁଛନ୍ତି।
ଅବସର ନେଉଥିବା ଶିକ୍ଷକଙ୍କ ସ୍ଥାନରେ ସରକାର ନୂଆ ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଯେଉଁଥିପାଇଁ ଶିକ୍ଷକ ମରୁଡ଼ି ଦେଖାଦେଇଛି। ରାଜ୍ୟ ସରକାରଙ୍କ ସ୍ମାର୍ଟ ସ୍କୁଲର ଏପରି ବିକଳ ଚିତ୍ର ଦେଖି ହତବାକ ହୋଇଛନ୍ତି ଅଭିଭାବକ। ନିଜ ପିଲାମାନଙ୍କୁ କାଢ଼ି ନେଇ ଅନ୍ୟ ସ୍କୁଲରେ ନାମ ଲେଖାଉଛନ୍ତି।
ତେବେ ଏନେଇ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ଏହି ବିଦ୍ୟାଳୟ ସରକାରଙ୍କ ଅନୁଦାନପ୍ରାପ୍ତ ବିଦ୍ୟାଳୟ। ସେହି ବିଦ୍ୟାଳୟରୁ ଯେଉଁ ଶିକ୍ଷକମାନେ ଅବସର ନେଇଛନ୍ତି, ସେମାନଙ୍କ ସ୍ଥାନରେ ନୂଆ ଶିକ୍ଷକ ନିଯୁକ୍ତି ନିଆଯାଇ ନାହିଁ। ଯେଉଁଥିପାଇଁ ସମସ୍ୟା ଦେଖାଦେଉଛି। ଏନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଏକକ ଶିକ୍ଷକ ଥିବା ହାଇସ୍କୁଲ ଗୁଡିକ ଚିହ୍ନଟ କରାଯାଉଛି। ସେହି ସ୍କୁରେ ଖୁବ୍ଶୀଘ୍ର ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ସେଠୀ କହିଛନ୍ତି।
ରିପୋର୍ଟ-କେନ୍ଦୁଝରରୁ ପ୍ରଣୟ ପାଣି
ରାଜ୍ୟରେ ୪୮୮୫୬ଟି ସରକାରୀ ସ୍କୁଲରେ ୫୦.୮୦ଲକ୍ଷ ଛାତ୍ରଛାତ୍ରୀ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ ମଧ୍ୟ ସେମାନଙ୍କୁ ପଢ଼ାଇବା ପାଇଁ ଏସବୁ ସରକାରୀ ସ୍କୁଲରେ ମୋଟ ୯୨୫୬୦ଜଣ ଶିକ୍ଷକ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଏପଟେ ଫାଇଭ-ଟି ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ ସ୍କୁଲଗୁଡ଼ିକର ସୌନ୍ଦର୍ଯ୍ୟକରଣ କରାଯାଉଥିବାବେଳେ ସେପଟେ ସ୍କୁଲଗୁଡ଼ିକରେ ଶିକ୍ଷକ ନଥିବା ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷାକୁ ଇଙ୍ଗିତ କରୁଛି ।
ଆଜି ବିଧାନସଭାରେ ବିଧାୟକ ତାରାପ୍ରସାଦ ବାହିନୀପତି, ଗଣେଶରାମ ସିଂ ଖୁଣ୍ଟିଆ ଓ ନାଉରୀ ନାୟକଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯେଉଁ ତଥ୍ୟ ରଖିଛନ୍ତି ତାହା ରାଜ୍ୟରେ ପ୍ରାଥମିକ ଶିକ୍ଷା କିଭଳି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ତା’ର ପ୍ରମାଣ ମିଳିଛି । ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବା ନିମନ୍ତେ ଏବେ ମୋଟ ୬୨୨୯୧ଟି ସ୍କୁଲ ଥିବାବେଳେ ସେଥିରୁ ୪୮୮୬୫ଟି ହେଉଛି ସରକାରୀ ସ୍କୁଲ । ଆଉ ଏସବୁ ସରକାରୀ ସ୍କୁଲରେ ୫୦ଲକ୍ଷ ୭୯ହଜାର ୯୧୨ଜଣ ପିଲା ପ୍ରଥମରୁ ଦଶମ ପାଠ ପଢ଼ୁଛନ୍ତି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ଏହି ସରକାରୀ ସ୍କୁଲ ମଧ୍ୟରେ ୨୬୬୮୦ଟି ପ୍ରାଥମିକ ସ୍କୁଲ, ୧୫୧୪୯ଟି ଉଚ୍ଚପ୍ରାଥମିକ ଓ ୫୦୯୩ଟି ମାଧ୍ୟମିକ ସ୍କୁଲ ରହିଛି ।
ଏହି ସରକାରୀ ସ୍କୁଲଗୁଡ଼ିକ ଭିତରୁ ପ୍ରାୟ ୨୭୩୧୯ଟି ସ୍କୁଲରେ ଗୋଟିଏ କ୍ଲାସରୁମରେ ଏକାଧିକ ଶ୍ରେଣୀର ପିଲାମାନେ ପାଠ ପଢ଼ୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ତେବେ ବିଭାଗ ଅଧୀନରେ ଥିବା ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲଗୁଡ଼ିକରେ ମୋଟ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ସଂଖ୍ୟା ୧ଲକ୍ଷ ୪୦ହଜାର ୬୫୬ ହୋଇଥିବାବେଳେ ସେଥିରୁ ମୋଟ ୮୪୨୪୬ଟି ଶିକ୍ଷକ ପଦବୀ ଖାଲି ପଡ଼ିଛି । ଲେଭଲ-୩ ବର୍ଗରେ ୧୮୭୬୯ଟି, ଲେଭଲ-୪ ବର୍ଗରେ ୫୧୧୬୪ଟି , ଲେଭଲ-୫(ଖ)ରେ ୩୩୩୯୮ଟି ଓ ଲେଭଲ-୫(କ)ରେ ୩୨୩୨୫ଟି ପଦବୀ ରହିଛି । ଯାହାର ମୋଟ ସଂଖ୍ୟା ୧.୪୦ଲକ୍ଷ । ତେବେ ଏହି ପଦବୀ ମଧ୍ୟରୁ ଏବେ ମୋଟ ୮୪୨୪୬ଟି ପଦବୀ ଖାଲି ପଡ଼ିଛି । ଗତ ୨୦୧୯-୨୦ରୁ ୨୦୨୨-୨୩ ମସିହାମ ଧ୍ୟରେ ରାଜ୍ୟର ସରକାରୀ ପ୍ରାଥମିକ , ଉଚ୍ଚ ପ୍ରାଥମିକ ଓ ହାଇସ୍କୁଲଗୁଡ଼ିକରୁ ମୋଟ ୨୧୨୦୯ଜଣ ଶିକ୍ଷକ ଅବସର ଗ୍ରହଣ କରିଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ସେହିପରି ରାଜ୍ୟରେ ମାଧ୍ୟମିକ ସ୍କୁଲଗୁଡ଼ିକରେ ମୋଟ ୪୭୮୨ଟି ପ୍ରଧାନ ଶିକ୍ଷକ ପଦବୀକୁ ମିଶାଇ ମୋଟ ୪୪୯୪୮ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ଏବେ ୮୭୯୮ଟି ପଦବୀ ଖାଲି ପଡ଼ିଛି । ହାଇସ୍କୁଲସ୍ତରରେ ଏସବୁ ପଦବୀ ପୂରଣ ନେଇ ସରକାର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଥିବା ମନ୍ତ୍ରୀ ଶ୍ରୀ ଦାଶ ସୂଚନା ଦେଇଛନ୍ତି । କିନ୍ତୁ ପ୍ରାଥମିକ ସ୍କୁଲଗୁଡ଼ିକରେ ଖାଲି ପଡ଼ିଥିବା ପ୍ରାୟ ୮୪ହଜାର ଶିକ୍ଷକ ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ଦାଶ କିଛି ସୂଚନା ଦେଇନାହାନ୍ତି ।
ରାଜ୍ୟରେ ଶିକ୍ଷା ଭିତ୍ତିଭୂମିରେ ସୁଧାର ପାଇଁ କୋଟି କୋଟି ଟଙ୍କା ବ୍ୟୟ ହେଉଥିଲେ ମଧ୍ୟ ପ୍ରାଥମିକ ଶିକ୍ଷା ଭିତ୍ତିଭୂମିର ଏହି ବିକଟାଳ ଓ ବିପର୍ଯ୍ୟସ୍ତ ରୂପ ରାଜ୍ୟ ସରକାରଙ୍କ ବହୁଳପ୍ରଚାରିତ ଫାଇଭ-ଟି ରୂପାନ୍ତରୀକରଣର ଅସଲ ଚେହେରାକୁ ପଦାରେ ପକାଇ ଦେଇଥିବା ଜଣାପଡ଼ିଛିି ।
ସେପଟେ ମାର୍ଚ୍ଚ ୧ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେଉଥିବାରୁ ଏଥିପାଇଁ ପ୍ରସ୍ତୁତି କରାଯାଇଛି। ପ୍ରଶ୍ନପତ୍ର ପଠା ସରିଛି। କିଛି ଅଧ୍ୟାପକ ପରୀକ୍ଷା ବର୍ଜନ କରିବା ପାଇଁ ଚେତାବନୀ ଦେଇଥିବାରୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି।
ସୂଚନା ଥାଉକି, ଚଳିତ ବଜେଟରେ ଶିକ୍ଷା ଓ କୌଶଳ ବିକାଶ ନିମନ୍ତେ ସରକାର ୩୦ ହଜାର ୩୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଯାହା ଗତଥର ତୁଳନାରେ ୧୦ପ୍ରତିଶତ ଅଧିକ ବୋଲି କୁହାଯାଇଛି। ବଜେଟରେ ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟିର ବ୍ୟୟବରାଦ ହୋଇଛି। ଯାହା ଭିତରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ୧୩୯ କୋଟି ବ୍ୟୟବରାଦ ହୋଇଛି। ତେବେ ଦେଖିବାର କଥା ଉଜୁଡ଼ି ପଡ଼ିଥିବା ସରକାରୀ ସ୍କୁଲ ଭିତ୍ତିଭୂମି ସଜାଡ଼ିବାରେ ସରକାରଙ୍କ ଏହି ବ୍ୟୟ ଅଟକଳ କେତେ ମାତ୍ରାରେ ସମର୍ଥ ହେଉଛି।
ଏନେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି, ଚଳିତ ବଜେଟରେ ଶିକ୍ଷାର ବିକାଶ ନିମନ୍ତେ ଅନେକ ପଦକ୍ଷେପ ନିଆଯାଇଛି। ଆଗରୁ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍ ମାଗଣା ଦିଆଯାଉଥିବା ବେଳେ ଏବେ ୧୦ ପର୍ଯ୍ୟନ୍ତ ସ୍କୁଲ ଡ୍ରେସ୍ ମାଗଣା ଦିଆଯିବ। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାମାନଙ୍କୁ ନୋଟ୍ ବୁକ୍ ଦିଆଯିବ। ପିଲା କ’ଣ ପାଠ ପଢ଼ୁଛନ୍ତି ଓ ଶିକ୍ଷକ କ’ଣ ପାଠ ପଢ଼ାଉଛନ୍ତି ତାହା ଏହା ଦ୍ୱାରା ଅଭିଭାବକମାନେ ଜାଣି ପାରିବେ। ପ୍ରାଥମିକ ସ୍କୁଲରେ ଶିକ୍ଷକ ପଦବୀ ପୂରଣ ନିମନ୍ତେ ଖୁବ୍ ଶୀଘ୍ର ବଡ଼ ଘୋଷଣା ହେବାକୁ ଯାଉଛି। ଚଳିତ ବଜେଟରେ ଡିଇଓ ଓ ବିଇଓମାନଙ୍କ କାର୍ଯ୍ୟକୁ ମଧ୍ୟ ଅନୁଶୀଳନ କରାଯିବାକୁ ବ୍ୟବସ୍ଥା ହୋଇଛି।
କଟକ ଜିଲ୍ଲା ନରସିଂହପୁରରେ ଏମିତି ଏକ ବିଦ୍ୟାଳୟ ଅଛି। ଯାହାର ନାଁ ସିଆରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଯେଉଁଠି ବିଦ୍ୟାଳୟ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। ଫୁଲ ଓ ଫଳ ଗଛରେ ସଜେଇ ହୋଇଛି ସ୍କୁଲ ପରିବେଶ। ଗେଣ୍ଡୁ, ସେବତି, ସୂର୍ଯ୍ୟମୁଖୀ, ଡାଲିଆ, ଗୋଲାପ, କୃଷ୍ଣଚୂଡା ସହ ବିଦେଶୀ ଓ ଅନ୍ୟାନ୍ୟ ପ୍ରଜାତିର ଫୁଲ ଲାଗିଛି। କିଚେନ୍ ଗାର୍ଡେନରେ ଫଳିଛି କଦଳୀ, ଅମୃତ ଭଣ୍ଡା, କଖାରୁ, ବାଇଗଣ, ଲେମ୍ବୁ, କଞ୍ଚାଲଙ୍କା ଆଦି ପନିପରିବା। ଏହି ବିଦ୍ୟାଳୟ ପରିସରରେ ଗଣେଶ ମୂର୍ତ୍ତି, ସରସ୍ୱତୀ ମୂର୍ତ୍ତି, ବୁଦ୍ଧ ମୂର୍ତ୍ତି, ସୁଭାଷ ବୋଷ ଓ ମଧୁବାବୁଙ୍କର ଆକର୍ଷଣୀୟ ମୂର୍ତ୍ତି ରହିଛି। ପିଲାମାନଙ୍କୁ ଖେଳିବାର ସୁଯୋଗ ଦେବା ପାଇଁ ଖେଳ ପଡ଼ିଆ ଓ ଖେଳ ଉପକରଣ ରହିଛି। ସ୍କୁଲରେ କାର୍ଯ୍ୟରତ ମିନତୀ ଦିଦିଙ୍କ ସବୁଜ ସଂକଳ୍ପ ସ୍କୁଲରେ ଏଭଳି ପରିବେଶ ସୃଷ୍ଟି କରିଛି।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ମୋଟ ୯୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି। ତେବେ ଶିକ୍ଷକ ଅଭାବ ଥିବାରୁ ସ୍କୁଲ ପାଖ ଗାଁର ୨ ଜଣ ଶିକ୍ଷିତ ଯୁବକ ପିଲାମାନଙ୍କୁ ପଢ଼ାଇବା ଦାୟିତ୍ୱ ନେଇଛନ୍ତି।
ବିଦ୍ୟାଳୟର ସୁନ୍ଦର ଓ ଶୈଖିକ ପରିବେଶ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାରେ ବେଶ ଆକୃଷ୍ଟ କରୁଛି। ଛାତ୍ରଛାତ୍ରୀ ଶାରୀରିକ, ମାନସିକ, ସାମାଜିକ ବିକାଶରେ ବେଶ ସହାୟକ ହୋଇଛି। ବିଦ୍ୟାଳୟ ଯାହାର ଅନ୍ୟ ଏକ ନାମ ମଣିଷ ତିଆରି କାରଖାନା। ଯେଉଁଠି ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଓ ଚରିତ୍ର ଗଠନର ମୂଳଦୁଆ ପଡ଼ିଥାଏ। ଏହି ସ୍କୁଲର ଉନ୍ନତ ଭିତ୍ତିଭୂମିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବେଶ ଖୁସ୍। ତେବେ ଏହି ସ୍କୁଲ ଏବେ ସୁନ୍ଦର ପରିବେଶ ପାଇଁ ସାରା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଯାଇଛି।
ପିଲାଙ୍କୁ ସ୍କୁଲ୍ ମୁହାଁ କରିବା ଓ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ଏହି ପ୍ରୟାସ କରିଛନ୍ତି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମିନତୀ ବେହେରା। ସ୍କୁଲର ସୁନ୍ଦର ଓ ପରିଷ୍କାର ପରିଚ୍ଛନ୍ନ ପରିବେଶ ପାଇଁ ଏହି ସ୍କୁଲ ଜିଲ୍ଲା ଓ ରାଜ୍ୟ ସ୍ତରରେ ଅନେକ ପୁରସ୍କାର ପାଇଛି। ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ମିଶି ସ୍କୁଲରେ ଏହି ଫଳ, ଫୁଲ, ପରିବା ଗଛଗୁଡ଼ିକର ଯତ୍ନ ନେଇଛନ୍ତି।
ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ବେହେରା କହିଛନ୍ତି, ଏହି ସ୍କୁଲରେ ପ୍ରାୟ ୨୨୩ ପ୍ରକାର ଫୁଲ, ଫଳ ଓ ଔଷଧୀୟ ଗଛ ଲାଗିଛି। ଅମୃତଭଣ୍ଡା, ସଜନା ଛୁଇଁ, ବିଭିନ୍ନ ପ୍ରକାର ଶାଗ, କଦଳି, ଅଦା ପ୍ରଭୃତି ପନିପାରିବା ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେଉଛି। ବାହାରୁ ଗୋଟାଏ ବି ପନିପରିବା କିଣାଯାଉନି। ଯେତେବେଳେ ଯେଉଁଠିକି ଯାଉଥିଲି, ସେଠାରୁ ପନିପରିବା, ଫଳ ଓ ଫୁଲ ଚାରା କିଣି ଆଣି ସ୍କୁଲ ପରିସରରେ ରୋପଣ କରି ଦେଉଥିଲି। ଅଭିଭାବକ, ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ମିଶି ଏହି ଫଳଫୁଲ ବଗିଚାର ଯତ୍ନ ନେଉଛନ୍ତି। ତେଣୁ ଏହା ସବୁ ମହଲରେ ଆଦର ପାଇଛି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।
ସିଆରସିସି ପ୍ରମୋଦ ବେହେରା କହିଛନ୍ତି, ସ୍କୁଲର ସୁନ୍ଦର ଓ ଶୈଖିକ ପରିବେଶ ସମସ୍ତଙ୍କ ମହଲରେ ଆଦାର ପାଇଛି। ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।
ଛାତ୍ରୀ ଆତ୍ମନା ଶୁଭ ଦର୍ଶିନୀ କହିଛନ୍ତି, ଏହି ସ୍ୱଚ୍ଛ ଓ ସୁନ୍ଦର ପରିବେଶରେ ପାଠପଢ଼ିବା ପାଇଁ ଭଲ ଲାଗୁଛି। ତେଣୁ କେବେବି କ୍ଲାସ୍ ମିସ୍ କରି ନ ଥାଏ।
ପରିଚାଳନା କମିଟି ସଭାପତି ନିର୍ମଳ ମାହୁନ୍ତ କହିଛନ୍ତି, ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ଉଦ୍ୟମରୁ ଏହି ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିଛି। ଏହାର ଯତ୍ନ ନେବା ନିମନ୍ତେ ସମସ୍ତେ ଆଗେଇ ଆସିଛନ୍ତି।
ରିପୋର୍ଟ-ନରସିଂହପୁରରୁ ସର୍ବେଶ୍ୱର ସ୍ୱାଇଁ
https://www.youtube.com/watch?v=JDfZ5HwELBA