ଆମେରିକାର ପ୍ରସିଦ୍ଧ ଥିଙ୍କଟ୍ୟାଙ୍କ ୟୁ ରିସର୍ଚ୍ଚ ପକ୍ଷରୁ ନିକଟରେ ଗୋଟିଏ ବିଷୟ ଉପରେ ଅନୁସନ୍ଧାନ କରାଯାଇଥିଲା। ଏହା ଥିଲା ଭାରତ ଏବଂ ଚୀନ ଉପରେ ବିଶେଷ ଭାବେ କେନ୍ଦ୍ରିତ। ବିଶ୍ୱବ୍ୟାଙ୍କ ୨୦୨୦ ଏବଂ ୨୧ରେ ଚୀନ୍ ଓ ଭାରତର ଜିଡିପିର ସମ୍ଭାବ୍ୟ ଆକଳନ କରି କହିଛି ଯେ, ମୋଟାମୋଟି ଭାବରେ ଏହା ଯଥାକ୍ରମେ ବିଯୁକ୍ତ ୫.୮ପ୍ରତିଶତ ଏବଂ ବିଯୁକ୍ତ ୫.୯ ପ୍ରତିଶତ ହେବ। ୨୦୨୧ ଜାନୁଆରୀରେ କରୋନା ମହାମାରୀର ଦ୍ୱିତୀୟ ଲହରକୁ ଦେଖି ବିଶ୍ୱବ୍ୟାଙ୍କ ନିଜ ଅନୁମାନକୁ ସଂଶୋଧନ କରି ଚୀନକୁ ପ୍ରଗତି ଏବଂ ବୃଦ୍ଧି ପାଉଥିବା ଅର୍ଥ ବ୍ୟବସ୍ଥାରେ ସ୍ଥାନିତ କରିଛି। ଚୀନର ଜିଡ଼ିପି ବା ଅର୍ଥବ୍ୟବସ୍ଥା ୨ ପ୍ରତିଶତ ଗତିରେ ବିକଶିତ କରୁଛି। ଅଥଚ ଭାରତର ଅଭିବୃଦ୍ଧି ହାର ବିଯୁକ୍ତ ୯.୬ ପ୍ରତିଶତ ରହିଛି। ଭାରତର ରିଜର୍ଭ ବ୍ୟାଙ୍କ ଏହି ପରିସଂଖ୍ୟାନକୁ ବିଯୁକ୍ତ ୭.୭ ପ୍ରତିଶତ ବୋଲି ସ୍ୱୀକାର କରିଛି।
ଏଥିରୁ ଭାରତର ଆର୍ଥିକ ସଂକୋଚନ ସଂପର୍କରେ ଯଥେଷ୍ଟ ଆଭାସ ମିଳୁଛି। ଆର୍ଥିକ ସଂକୋଚନ ହେଉଛି ଏକ ନକରାତ୍ମକ ଦିଗ। ଏହାର ପ୍ରଭାବ ବେକାରୀ ଉପରେ ପଡ଼ିବ। ମଧ୍ୟମ ବର୍ଗ ବା ମିଡ଼ିଲ କ୍ଲାସ ଆହୁରି ଗରିବ ହେବେ। କୋଭିଡ଼ କାଳରେ ୩୨ ନିୟୁତ ମଧ୍ୟମ ବର୍ଗଙ୍କ ଆୟ ତଳକୁ ଖସିଛି। ଲୋକଙ୍କ ହାତରୁ ନିଯୁକ୍ତି ଚାଲିଯିବା ପଛରେ ଦରଦାମକୁ ଏକ ବିଶେଷ କାରଣ ଭାବେ ଗ୍ରହଣ କରାଯାଇପାରେ। ଡିଜେଲ ଏବଂ ପେଟ୍ରୋଲ ଦରବୃଦ୍ଧି ସହ ଏଲ୍ପିଜି ଗ୍ୟାସ ସିଲିଣ୍ଡରର ଦରବୃଦ୍ଧି ସାମଗ୍ରିକ ଦରଦାମ୍ ବୃଦ୍ଧିର କାରଣ ହୋଇଛି। ମନରେଗାରେ ରୋଜଗାର ଦେବା ପାଇଁ ଯେଉଁ ଆଇନଗତ ବ୍ୟବସ୍ଥା ରହିଛି ତାହାକୁ କାର୍ଯ୍ୟକାରୀ କରିବାରେ ସରକାର ସମର୍ଥ ହୋଇପାରିନାହାନ୍ତି। ଗ୍ରାମୀଣ ଲୋକଙ୍କ ପାଇଁ ଏହି ଯୋଜନାରେ ୧୦୦ ଦିନ ପାଇଁ ନିଯୁକ୍ତିର ଗ୍ୟାରେଣ୍ଟି ରହିଛି। ୨୦୦୯ରେ ମହାତ୍ମା ଗାନ୍ଧି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ କାର୍ଯ୍ୟକାରୀ ହେଲା । ଏହା ମଧ୍ୟରେ ଏହି ଅଧିନିୟମକୁ ନିଷ୍ଠାର ସହ କାର୍ଯ୍ୟକାରୀ କରିବା ଦିଗରେ ସରକାର ସଫଳ ହୋଇପାରିନାହାନ୍ତି।
ଭାରତର ଶ୍ରମ ଶକ୍ତିର ହାରାହାରି ୭୬ ପ୍ରତିଶତ ଯାହା ଜନସଂଖ୍ୟାରେ ୪୦୦ ନିୟୁତ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ। କିନ୍ତୁ ଏହି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ କରୋନା ମହାମାରୀ ନାମରେ ଛଟେଇ କରାଯାଇଛି। ୨୦୨୦ରୁ ଏହି ପ୍ରକ୍ରିୟା ଏପରି ଭାବେ ଆଗକୁ ବଢ଼ିଛି ଯାହା ଫଳରେ ଏହି ଶ୍ରମିକମାନଙ୍କ ମଧ୍ୟରୁ ୮୦ ଭାଗଙ୍କ ହାତରେ କାମ ନାହିଁ। ସରକାରଙ୍କ ଦ୍ୱାରା କୌଣସି ନିୟୋଜିତ କାର୍ଯ୍ୟ ଯୋଜନା ନଥିବାରୁ ଏହି ଶ୍ରମିକମାନେ ରୋଜଗାର ହରାଇ ଅର୍ଦ୍ଧାହାରରେ ଜୀବନ କାଟୁଛନ୍ତି। ଏହା ସତ୍ୟ ଯେ, ଅର୍ଥବ୍ୟବସ୍ଥାରେ ସବୁଠୁ ଅଧିକ ଗତି ମଧ୍ୟ ଏହି ଅସଂଗଠିତ କ୍ଷେତ୍ରର ଆୟ ଉପରେ ନିର୍ଭର କରିଥାଏ। ଏହି ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇପାରୁନଥିବାରୁ ଶ୍ରମିକମାନଙ୍କ ଖାଦ୍ୟ ସୁରକ୍ଷା ମଧ୍ୟ ବିପନ୍ନ ସ୍ଥିତିରେ। ଏହାର ଦୁଷ୍ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡ଼ିଛି।
ଅପ୍ରେଲ ୨୦୨୦ରୁ ୩୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଭାରତର ଜିଡ଼ିପିବ ବିଯୁକ୍ତ ୨୩.୯ ପ୍ରତିଶତରେ ରହିଥିବା ଅର୍ଥଶାସ୍ତ୍ରୀମାନେ ମତ ଦେଇଥିଲା ବେଳେ ସରକାର କିନ୍ତୁ ଏହାକୁ ସ୍ୱୀକାର କରୁନାହାନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଦିଗରେ ସରକାର ଯେଭଳି ପଦକ୍ଷେପ ନେବା କଥା ତାହା ନେଇପାରିନାହାନ୍ତି। ଔଦ୍ୟୋଗିକ ଏବଂ ବ୍ୟବସାୟିକ ଗତିବିଧି କରୋନାର ଦ୍ୱିତୀୟ ଲହରରେ ଧିମେଇ ଯାଇଛି।
୧୯୯୧ରେ ଯେତେବେଳେ ଗ୍ଲୋବାଲାଇଜେସନ ଏବଂ ମୁକ୍ତ ବଜାରର ଧାରା ଆରମ୍ଭ ହେଲା ସେତେବେଳେ ଦେଖାଇ ଦିଆଗଲା ଦେଶରେ ଅଚାନକ ସମୃଦ୍ଧି ଆସିଯାଇଛି। ୧୯୪୭ରେ ଆରମ୍ଭ ହୋଇଥିବା ମିଶ୍ରିତ ଅର୍ଥବ୍ୟବସ୍ଥାକୁ ସମାଜବାଦୀ ଆର୍ଥିକ ବିଚାରର ଅଂଶ ବୋଲି କୁହାଯାଉଥିଲା। ୧୯୯୧ରେ ଏହାର ପରିବର୍ତ୍ତନ ହେଲା। ଏହି ଅର୍ଥବ୍ୟବସ୍ଥା ପୁଞ୍ଜିବାଦୀ ଅର୍ଥବ୍ୟବସ୍ଥା ନାମରେ ପରିଚିତ। ଏହାଥିଲା ଅର୍ଥବ୍ୟବସ୍ଥା ଇତିହାସରେ ଏକ ଟର୍ଣ୍ଣିଂପଏଣ୍ଟ୍। ସେବେଠାରୁ ଆଜିଯାଏ ଅର୍ଥାତ୍ କରୋନା ମହାମାରୀ ସମୟରେ ସାଧାରଣ ନାଗରିକଙ୍କର ଆୟ ହ୍ରାସ ପାଉଛି, ଅଥଚ ହାତଗଣତି ମହାଧନୀ ଯଥା ଅଦାନୀ-ଅମ୍ବାନି ଗ୍ରୁପର ଆୟ ବହୁ ହଜାର ଗୁଣ ବୃଦ୍ଧି ପାଇଛି। ସଂକୁଚିତ ହେଉଛି ଅର୍ଥବ୍ୟବସ୍ଥା।
ବର୍ତ୍ତମାନ ଏପରି ସ୍ଥିତି ହୋଇଛି ସାର୍ବଜନିକ ବିତରଣ ବ୍ୟବସ୍ଥାକୁ ଦୃଢ ହେବା ପରିବର୍ତ୍ତେ ଦୁର୍ବଳ କରାଯାଉଛି। କରୋନା ମହାମାରୀ ପରିପ୍ରେକ୍ଷୀରେ ଅପ୍ରେଲ ୨୦୨୦ରେ ଅମର୍ତ୍ତ୍ୟ ସେନ୍, ରଘୁରାମ ରାଜନ ଏବଂ ଅଭିଜିତ ବାନାର୍ଜୀଙ୍କ ଭଳି ପ୍ରସିଦ୍ଧ ଅର୍ଥନୀତିଜ୍ଞ ଯେଉଁ ମତ ଦେଇଥିଲେ ତାହା ଥିଲା ସମସ୍ତ ପରିବାରକୁ ଅସ୍ଥାୟୀ ରାନ କାର୍ଡ଼ ଦିଆଯାଉ। ଯାହା ଦ୍ୱାରା ୬ ମାସ ଯାଏ ସେମାନେ ସର୍ବନିମ୍ନ ମାସିକ ରାସନ ଗ୍ରହଣ କରିପାରିବେ। ସରକାର ମଧ୍ୟ ଆତ୍ମନିର୍ଭର ଭାରତ ତଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ନାମରେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦିଆଯାଉଥିବା ସୂଚନା ଦେଲେ। କିନ୍ତୁ ଆବଣ୍ଟନରେ ଘୋଷଣା ଅନୁଯାୟୀ ରାସନ ମିଳିଲା ନାହିଁ। ଆଜି ପୁଣିଥରେ କରୋନା ମହାମାରୀର ଦ୍ୱିତୀୟ ଲହର ଆସିଥିବାରୁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସହ ସମସ୍ତ ଶ୍ରମିକ ପରିବାର ଯେପରି ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ପାଇବେ ସେ ଦିଗରେ ପଦକ୍ଷେପ ନେବାର ସମୟ ଆସିଛି। କାରଣ ଖାଦ୍ୟ ବ୍ୟବସ୍ଥା ଆଜି ଦୁର୍ବଳ ହେଉଥିବାରୁ ଏହି ପ୍ରକ୍ରିୟାକୁ ସୁଦୃଢ କରାଯିବା ଉଚିତ୍। ଖାଦ୍ୟ କହିଲେ କେବଳ ଚାଉଳ କି ଗହମ ନୁହେଁ, ଏହା ସହ ତେଲ,ଲୁଣ, ଆଳୁ ଭଳି ଖାଦ୍ୟ ସାମଗ୍ରୀ ମଧ୍ୟ ଯୋଗାଇଦେବା ଆବଶ୍ୟକ।
ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଫୋନ୍: ୯୪୩୮୦୦୬୨୧୫
ଗୋଟିଏ ଦେଶରେ ଜଣେ ଦୟାଳୁ ପ୍ରଜାବତ୍ସଳ ରାଜା ଥିଲେ। ପ୍ରଜାମାନଙ୍କ ହିତଚିନ୍ତାରେ ଅହରହ ବ୍ୟସ୍ତ ରହୁଥିଲେ। ଛଦ୍ମବେଶରେ ରାଜ୍ୟସାରା ଭ୍ରମଣ କରି ଜାଣିପାରିଲେ ଯେ କେତେଜଣ ନିପଟ ଅଳସୁଆ ଜୀଅନ୍ତା କାଠଗଣ୍ଡି ପରି କାଳାତିପାତ କରୁଛନ୍ତି। ଦୟା ପରବଶ ହୋଇ ସେ ରାଜ୍ୟର ସବୁ ଅଳସୁଆମାନଙ୍କୁ ଆଣି ନଗର ବାହାରେ ସେମାନଙ୍କର ରହିବା ଖାଇବା ପିଇବାର ବନ୍ଦୋବସ୍ତ କରିଦେଲେ। ଆଉ ଯଦି କୌଣସି ଅଳସୁଆ ଆସନ୍ତି, ସେମାନଙ୍କୁ ମଧ୍ୟ ଏଠାରେ ରହିବାର ସୁଯୋଗ ଦେବାକୁ କର୍ମଚାରୀମାନଙ୍କୁ ଆଦେଶ ଦେଲେ।
ରାଜାଙ୍କର ଏତାଦୃଶ ଆଦେଶ ଯୋଗୁଁ ରାଜ୍ୟର ଯେତେ ଅଳସୁଆ, ଠକ, ଠାପୁଆ, କର୍ମକୁଣ୍ଠ ଲୋକଥିଲେ, ବିନା ପରିଶ୍ରମରେ ଖାଇପିଇ ଗଡିବା ପାଇଁ ସେମାନେ ପ୍ରତିଦିନ ଅଳସୁଆ ପରିଚୟ ଦେଇ ଏଠାକୁ ଆସିବାକୁ ଲାଗିଲେ। ଅଳସୁଆଙ୍କ ସଂଖ୍ୟା ଏତେ ବଢ଼ିଗଲା ଯେ ସେମାନଙ୍କ ଦାୟିତ୍ୱ ବୁଝିବା କର୍ମଚାରୀମାନଙ୍କର ତଥା ମନ୍ତ୍ରୀଙ୍କର ମୁଣ୍ଡବ୍ୟଥାର କାରଣ ହୋଇଗଲା। ମନ୍ତ୍ରୀ ଚିନ୍ତା କଲେ, ଯଦି ପ୍ରତିଦିନ ଏ ନକଲି ଅଳସୁଆଙ୍କ ସୁଅ ଛୁଟେ, ତେବେ ରାଜ୍ୟର ପ୍ରଜାମାନେ କାମଧନ୍ଦା ଛାଡ଼ି ଏଠାରେ ଖାଇପିଇ ଆରାମରେ ଗଡ଼ିବେ। ପ୍ରଜାମାନେ କର୍ମକୋଢ଼ି ହୋଇଯିବେ, ଆଦୌ କାମଧନ୍ଦା କରିବେନି। ରାଜ୍ୟ ଉଚ୍ଛନ୍ନ ହୋଇଯିବ, ରାଜକୋଷ ଶୂନ୍ୟ ହୋଇଯିବ। ରାଜାଙ୍କ ନିକଟରେ ବହୁବାର ଏ ଚିନ୍ତା ପ୍ରକଟ କଲେ ବି ଦୟାଳୁ ରାଜା କିଛି ଶୁଣିବାକୁ ନାରାଜ ଥିଲେ, ବରଂ ପ୍ରଜାମାନଙ୍କ ହିତ କରୁଛନ୍ତି ବୋଲି ସନ୍ତୁଷ୍ଟ ଥିଲେ।
କଥାରେ ଅଛି, ରାଜା ଷୋଳକଳା ହେଲେ ମନ୍ତ୍ରୀ ବତିଶକଳା, ଚୋର ଚୌଷଠି କଳା। ଦିନେ ମନ୍ତ୍ରୀ ସମସ୍ତଙ୍କ ଅଜାଣତରେ ଅଳସୁଆମାନଙ୍କ ରହିବା ଘରେ, ଯାହାକୁ ପ୍ରଜାମାନେ ଥଟ୍ଟାରେ ‘ଅଳସୁଆ ମନ୍ଦିର’ ବୋଲି କହୁଥିଲେ, ସେଥିରେ ନିଆଁ ଲଗାଇ ଦେଲେ। ନିଆଁ ଲାଗିବା ମାତ୍ରେ ସମସ୍ତେ ଜୀବନ ବିକଳରେ ଅଳସୁଆ ମନ୍ଦିର ଛାଡ଼ି ପଳାଇଲେ। କେବଳ ଦୁଇଟି ଲୋକ ନିଶ୍ଚଳଭାବେ ଶୋଇରହି ଥିଲେ। ମନ୍ତ୍ରୀ ସେମାନଙ୍କ ପାଖରେ ପହଂଚିବାବେଳକୁ ନିଆଁ ଧାସ ଲାଗୁଥିବା ଲୋକଟି କହୁଛି – “ଘ. ପୋ.” ଅର୍ଥାତ ‘ଘର ପୋଡ଼ିଯାଉଛି’। ଏତକ କଥା କହିବାକୁ ବି ସେ ଅଳସାଉଛି। ଆରଜଣକ କହୁଛି – “ବୁ.ଶୋ.” - ଅର୍ଥାତ୍ ‘ବୁଲିକି ଶୋ’। ମନ୍ତ୍ରୀ ଜାଣିଗଲେ ଯେ ଏଇ ଦି’ଟା ହେଉଛନ୍ତି ଖାଂଟି ଅଳସୁଆ। ସେମାନଙ୍କୁ ଟାଣି ବାହରକୁ ବାହାର କରିଦେଲେ। କେବଳ ସେହି ଦୁଇଜଣଙ୍କ ନିମନ୍ତେ ଅଳସୁଆ ମନ୍ଦିରର ସମସ୍ତ ବନ୍ଦୋବସ୍ତ କରିଦେଲେ। ରାଜାଜ୍ଞା ପାଳନ ହେଲା, ଉଦ୍ଦେଶ୍ୟ ବି ସାଧିତ ହେଲା।
ଏହା ଏକ କାଳ୍ପନିକ କାହାଣୀ। କିନ୍ତୁ ଏହାର ମଞ୍ଜ କଥାଟିକୁ ଲକ୍ଷ୍ୟ କଲେ ତାହା ଆମର ବର୍ତ୍ତମାନ ସମାଜ ସହିତ ମିଳିଗଲା ପରି ଲାଗୁଛି।
ମାତୃଗର୍ଭରେ ଭୃଣଟିଏ ସଂଚରିତ ହେବା ଦିନଠାରୁ ମା’ ଓ ଗର୍ଭସ୍ଥ ସନ୍ତାନର ଯତ୍ନ, ରୋଗ ପ୍ରତିଷେଧକ ଟୀକା, ରକ୍ତହୀନତା ଦୂରୀକରଣ, ଗର୍ଭବତୀର ସାମୟିକ ପରୀକ୍ଷା, ନିରାପଦ ପ୍ରସବ ଏବଂ ପରେ ପରେ ମା’ ଓ ଶିଶୁର ସୁସ୍ଥ ଜୀବନ ପାଇଁ ବିଭିନ୍ନ ଯୋଜନା କରାଯାଇଛି। ପିଲାଟିର ଅଙ୍ଗନବାଡ଼ିଠାରୁ ସ୍କୁଲଶିକ୍ଷା ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ, ମଧ୍ୟାହ୍ନଭୋଜନ, ବହିଖାତା, ଜାମାପ୍ୟାଂଟ୍, ଜୋତା, ସାଇକେଲ, ଲାପ୍ଟାପ୍ ଇତ୍ୟାଦି ଯୋଗାଇ ଦିଆଯାଉଛି। ଉଚ୍ଚଶିକ୍ଷା ପାଇଁ ବ୍ୟବସ୍ଥା, ଋଣ, ପ୍ରୋତ୍ସାହନ ଦିଆଯାଉଛି। ବଡ଼ ହେଲେ ଜୀବନ ନିର୍ବାହ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ପ୍ରୋତ୍ସାହନ, ରିହାତି ସୁଧରେ ଋଣ ଇତ୍ୟାଦି ଦିଆଯାଉଛି। ସାମୂହିକ ଭାବେ ସମିତି, ମଣ୍ଡଳି ପାଇଁ ବହୁତ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଚାଳଘରକୁ ପକ୍କାଘର, ସୁଲଭ ଶୌଚାଳୟ, ମୋ ବଗିଚା, ମୋ ପୋଖରୀ ଠାରୁ ଆରମ୍ଭ କରି ପ୍ରତି ଘରକୁ ପାଇପ୍ ଯୋଗେ ପାନୀୟଜଳ, ବିଜୁଳୀ, ରୋଷେଇ ପାଇଁ ରନ୍ଧନଗ୍ୟାସ ଯୋଗାଇ ଦିଆଯାଉଛି। ମହିଳା ସଶକ୍ତିକରଣ ନିମନ୍ତେ ଅନେକ ସାହାଯ୍ୟ, ପ୍ରୋତ୍ସାହନ ମଧ୍ୟ ମିଳୁଛି। ଯାତାୟତ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, ଚାଷ ଇତ୍ୟାଦି ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ପ୍ରୋତ୍ସାହନ, ରିହାତି, ଋଣଛାଡ଼ ମଧ୍ୟ ମିଳୁଛି। ଦୈବୀଦୁର୍ବିପାକ ପାଇଁ ଅନୁଦାନ ରାଶି ମିଳୁଛି। ଏପରିକି ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ଶେଷକୃତ୍ୟ ପାଇଁ ସାହାଯ୍ୟ ମିଳୁଛି। ମୋଟ ଉପରେ ଜରାୟୂରୁ ଜୁଇ ପର୍ଯ୍ୟନ୍ତ ଜନସାଧାରଣ କିପରି ସୁବିଧାରେ, ଭଲରେ ରହିବେ, ତା’ର ବ୍ୟବସ୍ଥାମାନ କରାଯାଇଛି। ଏହା ବାଦ୍ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଇତ୍ୟାଦି ଅନେକ ପ୍ରକାର ଭତ୍ତାର ବ୍ୟବସ୍ଥା କରାଯାଇଛି। ବିଶେଷକରି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗରିବଲୋକମାନଙ୍କୁ ଟଙ୍କିକିଆ ଚାଉଳ ମିଳୁଛି।
ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଲକ୍ଷ୍ୟ କଲେ ଜଣାପଡ଼େ, ଜନସାଧାରଣଙ୍କର ସାମାନ୍ୟତମ ଦୁଃଖକଷ୍ଟ ନ ହେଉ, ଏଥିପାଇଁ ସରକାର ସଦା ଜାଗ୍ରତ। ଏହା ଅତି ଉତ୍ତମ କଥା। ଏଥିରେ ସଦ୍ଭାବନା, ସଦିଚ୍ଛା, ପ୍ରଗତି, ବିକାଶର ଭାବ ଭରପୂର ହୋଇ ରହିଛି। ଏଥିପାଇଁ ସରକାର ପ୍ରକୃତରେ ଧନ୍ୟବାଦର ପାତ୍ର। ପରନ୍ତୁ, ଏହା ମୁଦ୍ରାର ଗୋଟିଏ ପାର୍ଶ୍ୱ, ଉଜ୍ଜ୍ୱଳ ପାର୍ଶ୍ୱ।
ଅପର ପାଶ୍ୱର୍ଟି କିନ୍ତୁ ... ବହୁ କିନ୍ତୁର ସମାହାର। ଅଧିକାଂଶ ଯୋଜନାର କାର୍ଯ୍ୟାନ୍ୱୟନ ପଛରେ ‘କିନ୍ତୁ’ଟିଏ ଲଗାଯାଇପାରେ। ଏହାର ବର୍ଣ୍ଣନା ନିଷ୍ପ୍ରୟୋଜନ। ନିରପେକ୍ଷ ଭାବେ ନିଜ ସାହିରେ, ଗ୍ରାମରେ, ଗ୍ରାମ ପଂଚାୟତରେ, ମହଲାରେ ଲକ୍ଷ୍ୟ କରନ୍ତୁ ... ସରକାରଙ୍କ ବିଭିନ୍ନ ଯୋଜନାରେ ଲାଭାନ୍ୱିତ ହେଉଥିବା ହିତାଧିକାରୀମାନଙ୍କ ମଧ୍ୟରୁ କେତେଜଣ ପ୍ରକୃତ ହିତାଧିକାରୀ ଓ କେତେଜଣ ନକଲି। ଖବରକାଗଜରେ ପ୍ରକାଶିତ ଏଇ କେତେ ମାସ ତଳର ଖବରଟିଏ ... ସରକାରଙ୍କର ଜଣେ ବିଭାଗୀୟ କର୍ତ୍ତା ଏକ ଧାନମଣ୍ଡିରେ ଅଚାନକ ପହଂଚିଗଲେ। ଜଣେ ସାଧାରଣ ଛୋଟ ଚାଷୀଠାରୁ ପଚାରି ବୁଝିଲେ ଯେ ସେ ଚାଷୀଟି ଅମଳ କରିଥିବା ସବୁଯାକ ଧାନ ମଣ୍ଡିରେ ବିକ୍ରି କରିଦେଇ ଟଙ୍କିକିଆ ଚାଉଳ ଓ ଭତ୍ତାରେ ଚଳିଯାଉଛି। ଜଣେ ଚାଷୀ ଧାନ କ୍ୱିଂଟାଲ ପାଖାପାଖି ଦେଢ଼ହଜାର ଟଙ୍କାରେ ବିକି ମାସକୁ ମାସ ଟଙ୍କିକିଆ ୩୫ କିଲୋ ଚାଉଳ ପାଉଛି। ଏଥିପାଇଁ ଚାଷୀଟିକୁ ଦୋଷ ଦେଇ ହେବନି। ଏହା ବର୍ତ୍ତମାନ ସାଧାରଣ ଜନତାଙ୍କ ମାନସିକତା ହୋଇଯାଇଛି। ଅଳ୍ପ ପରିଶ୍ରମରେ ବା ବିନା ପରିଶ୍ରମରେ କଳେବଳେକୌଶଳେ, ବାହୁବଳେ ବା ବୁଦ୍ଧିବଳେ ମିଳୁଥିବା ସବୁ ସୁବିଧା ସୁଯୋଗ ହାତେଇ ନେବା। ନୈତିକତାର ପ୍ରଶ୍ନ ଉଠୁନି, ସେ ସବୁ ଚୁଲିକୁ ଗଲାଣି। କେଉଁଟା ଅନୈତିକ, ଏକଥା ବି ଅନେକଙ୍କର ଚିନ୍ତାର ବହିର୍ଭୂତ ବିଷୟ।
ଦୈନିକ ଖବରକାଗଜ, ଟି.ଭି. ନ୍ୟୁଜ ଦେଖିଲେ, କେତେ ଯେ ଅନୈତିକ କାର୍ଯ୍ୟକଳାପ, ଦୁର୍ନୀତି, ଚୋରୀଡକାୟତି, ଉତ୍ପାତ, ଲୁଣ୍ଠନ, ଦିନ ଦି’ପହରେ ବିଚ୍ ରାସ୍ତାରେ ଲୁଟ୍ତରାଜ, ହତ୍ୟା, ବ୍ୟଭିଚାର, ଅନାଚାର ଦେଖିବାକୁ ମିଳୁଛି, ଯାହା ସାଧାରଣ ନାଗରିକର ‘ତାଜୁବ୍’କୁ ମଧ୍ୟ ତାଜୁବ୍ କରିଦେଉଛି। ଏପରି ଅକଳ୍ପନୀୟ ବ୍ୟକ୍ତିଙ୍କ ସଂପର୍କରେ ଅଦ୍ଭୁତ ଖବରକୁ ବିଶ୍ୱାସ କରି ହେଉନି, କିନ୍ତୁ ତାହା ଘଟୁଛି। କେବଳ ‘ହେ ଭଗବାନ!’ କହି ମୁଣ୍ଡରେ ହାତ ମାରିବା ଛଡ଼ା ଉପାୟ ନାହିଁ। ଏବେ ଏବେ ଉଦ୍ଭାବିତ ସାଇବର ଅପରାଧ ତ ‘ଛୂ ମନ୍ତର’ କୁହୁକ ପରି ଲାଗୁଛି। ଏପରି ମାନସିକତା ନେଇ ଆମେ କେଉଁଆଡ଼େ ମୁହାଁଉଛେ, ସହଜେ ଅନୁମେୟ। ମନେହୁଏ, ମଣିଷର ମନ ଅପେକ୍ଷା ଉତ୍କୃଷ୍ଟତର ବୁଦ୍ଧିର ଏ ଖେଳ। କିନ୍ତୁ ଏହା ସୁବୁଦ୍ଧି ନୁହେଁ, କୁବୁଦ୍ଧି, ଦୁର୍ବୁଦ୍ଧି, ଶୈତାନୀ ବୁଦ୍ଧି।
ତେଣୁ ସାଧୁ ସାବଧାନ! ପ୍ରତ୍ୟେକ ଯୁଗରେ, କାଳରେ ଦୟାଳୁ ରାଜାଙ୍କ ପାଖରେ ବୁଦ୍ଧିମାନ ମନ୍ତ୍ରୀ ଥିଲେ, ଏବେ ଅଛନ୍ତି, ଭବିଷ୍ୟତରେ ବି ରହିବେ। ଦିନେ ନା ଦିନେ ଅଳସୁଆ ମନ୍ଦିରରେ ନିଶ୍ଚୟ ନିଆଁ ଲାଗିବ। କୁମନ, କୁବୁଦ୍ଧିର ଅନ୍ତ ଘଟିବ।
ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର, ଜିଲ୍ଲା : ଯାଜପୁର
ମୋ : ୯୯୩୭୫୯୩୪୯୩