ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ତା’ପରଠାରୁ ପ୍ରତିଦିନ ଶହଶହ ଶ୍ରଦ୍ଧାଳୁ ଏସି ବ୍ୟାରିକେଡ ଦେଇ ଶ୍ରୀମନ୍ଦିରକୁ ଯାଉଛନ୍ତି। ଆଉ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ହେଲେ ଏବେ ସେହି ଏସି ବ୍ୟାରିକେଡ ବିଲ୍ ଚିନ୍ତାର କାରଣ ସାଜିଛି। ଗତ ଦୁଇ ମାସରେ ବିଦ୍ୟୁତ ବାବାଦକୁ ବିଲ୍ ଆସିଛି ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା। ଏତେ ପରିମାଣର ବିଦ୍ୟୁତ ଦେୟ ଶ୍ରୀମନ୍ଦିର ପ୍ରଶାସନ କିପରି ଦେବେ ସେ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସେବାୟତ। ଯଦି ଦୁଇ ମାସରେ ଏତିକି, ତେବେ ବର୍ଷକୁ ବିଦ୍ୟୁତ ବିଲ କୋଟିଏ ଟପି ଯିବ ବୋଲି ସେବାୟତମାନେ କହିଛନ୍ତି। ତେଣୁ ଭକ୍ତଙ୍କ ଲାଗି ବିଦ୍ୟୁତ ବିଲ୍ ଛାଡ କରିବାକୁ ସେବାୟତ ନିବେଦନ କରିଛନ୍ତି।
୮୪ ମିଟର ଲମ୍ବ ଓ ୧୨ ମିଟର ଚୌଡାର ସେଡ୍ରେ ଭକ୍ତଙ୍କ ପାଇଁ ଏୟାର କଣ୍ଡିସନ ସହ ଫ୍ୟାନ ଓ ଲାଇଟ୍ ସଂଯୋଗୀକରଣ କରାଯାଇଛି। ହେଲେ ଗତ ଜାନୁଆରୀ ଓ ଫେବ୍ରୁଆରୀ ମାସର ବିଦ୍ୟୁତ୍ ବିଲ୍ ଏବେ ଚିନ୍ତା ବଢ଼ାଇଛି। ଦୁଇ ମାସରେ କେବଳ ଏସି ହ୍ୟାଙ୍ଗର ଓ ପ୍ରତିକ୍ଷାଳୟ ବିଦ୍ୟୁତ ବିଲ୍ ବାବଦକୁ ୧୪ ଲକ୍ଷ ୧୭ ହଜାର ୬ ଶହ ୩୦ ଟଙ୍କା ହୋଇଛି। ସେପଟେ ଏହି ବିଲକୁ ନେଇ ବିଦ୍ୟୁତ ବିଭାଗର ଇଞ୍ଜିନିୟରମାନେ ତର୍ଜମା କରିବେ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି।
ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପଶିଲେ ୪ ଜଣ ବାଂଲାଦେଶୀ। ସେମାନେ ଗର୍ଭଗୃହକୁ ଯାଇ ଜଗା ଦର୍ଶନ କରିବା ସହିତ ଆନନ୍ଦ ବଜାରରୁ ଅବଢ଼ା ଧରି ଫେରୁଥିଲେ। ରବିବାର ସନ୍ଧ୍ୟା ବେଳେ ଏ ଘଟଣା ଖାଲି ଯେ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛି ତା’ନୁହେଁ, ଶ୍ରୀମନ୍ଦିର ସୁରକ୍ଷା ପ୍ରତି ମଧ୍ୟ ଲଗାଇଛି ବିରାଟ ପ୍ରଶ୍ନ ଚିହ୍ନ? କିଛି ସେବାୟତ ଏହି ଅଣହିନ୍ଦୁମାନଙ୍କୁ ଦେଖି ହଲ୍ଲାପଟ୍ଟା କରିବା ପରେ ତୁରନ୍ତ ସେମାନଙ୍କୁ ସିଂହଦ୍ୱାର ଥାନାକୁ ନେଇଯାଇଥିଲେ। ତା’ପରେ ସେମାନଙ୍କୁ ଯାଞ୍ଚ କରାଯାଇଥିଲା।
ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନର ଏତଲା ଆଧାରରେ ମନ୍ଦିର ଭିତରକୁ ଯାଇଥିବା ୪ ଜଣ ଓ ପରିକ୍ରମା ମାର୍ଗରେ ବୁଲୁଥିବା ସେମାନଙ୍କ ସାଙ୍ଗରେ ଆସିଥିବା ସାଥୀଙ୍କୁ ମିଶାଇ ମୋଟ୍ ୯ଜଣଙ୍କ ପାସପୋର୍ଟ ସିଜ୍ କରାଯାଇଛି। ତା’ର ଅବଧୀ ଓ ବୈଧତା ଯାଞ୍ଚ ଚାଲିଛି। କେଉଁ ଉଦ୍ଦେଶ୍ୟ ନେଇ ସେମାନେ ଓଡ଼ିଶା ଆସିଥିଲେ? ପୂର୍ବରୁ ଭାରତର ଅନ୍ୟ କେଉଁ କେଉଁ ସ୍ଥାନକୁ ଯାଇଥିଲେ କି? ଆଗରୁ କେତେଥର ଭାରତ ଆସିଥିଲେ? ସେ ସବୁ ଦିଗକୁ ଗୁରୁତର ସହ ନେଇ ଖୋଳତାଡ଼ ଚଳାଇଛି ବୋଲି ଏସ୍ପି କହିଛନ୍ତି।
“ଜଗନ୍ନାଥ ମନ୍ଦିରକୁ କେବଳ ହିନ୍ଦୁମାନେ ଯାଇ ପାରିବେ। ଅନ୍ୟ ଧର୍ମର ଲୋକମାନେ ପ୍ରବେଶ କରିପାରିବେ ନାହିଁ।” ସିଂହଦ୍ୱାର ଆଗରେ ଲାଗିଥିବା କେଉଁ ମନ୍ଧାତା ଅମଳର ସୂଚନା ଫଳକରେ ଏହା ଲେଖା ଯାଇଛି। ହେଲେ ତା’ ଅବସ୍ଥା ଏମିତି ଯେ, କ’ଣ ଲେଖାଅଛି ଭଲକରି ଦିଶୁନି। ତା’ସହ ଅନ୍ୟ କେଉଁଠି ମଧ୍ୟ ଏଭଳି ସୂଚନା ଫଳକଟିଏ ଲଗାଯାଇନି। ତେଣୁ ଏହାକୁ ନେଇ ବେଶୀ କ୍ଷୁବ୍ଧ ହୋଇଛନ୍ତି ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବାୟତ। ସଫା ସଫା କହିଛନ୍ତି, ଜଗନ୍ନାଥ ମନ୍ଦିରକୁ ଅଣହିନ୍ଦୁଙ୍କ ପ୍ରବେଶ ରୋକିବାକୁ କଡ଼ା ନିୟମ ଆସୁ। ଦରକାର ପଡ଼ିଲେ ଟେମ୍ପୁଲ ଆକ୍ଟରେ ପରିବର୍ତ୍ତନ କରାଯାଉ। ସବୁ ଚେକିଂ ପଏଣ୍ଟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଥିବା ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଉ।
ସେପଟେ ରବିବାର ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ଆଜି ଚେତିଛି। ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ କହିଛନ୍ତି, ଭବିଷ୍ୟତରେ ଯେପରି ଏଭଳି ଅଘଟଣ ଆଉ ନଘଟେ, ସେଥିପାଇଁ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସୂତ୍ର କାଢ଼ିବୁ। ଭକ୍ତଙ୍କୁ ଯାଞ୍ଚ ପାଇଁ ଏସଓପି କରାଯିବ। ଏସି କରିଡ଼ରଠୁ ସବୁ ଚେକିଂ ପଏଣ୍ଟ ଓ ମନ୍ଦିର ପ୍ରବେଶ ଦ୍ୱାରରେ କେବଳ ହିନ୍ଦୁଙ୍କୁ ପ୍ରବେଶ ଅନୁମତି ଲେଖାଥିବା ବଡ଼ ବଡ଼ ସାଇନବୋର୍ଡ ଲଗାଇବୁ।
ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନୂଆ ନୁହେଁ। ଯଦିଓ ପାଶ୍ଚାତ୍ୟ ଦେଶ ନାଗରିକଙ୍କୁ ଚିହ୍ନଟ ସହଜ ହେଉଛି। ହେଲେ ବାଂଲାଦେଶ ଭଳି ଭାରତର ଅନ୍ୟ ପଡ଼ୋଶୀ ଦେଶର ନାଗରିକ ହୁଅନ୍ତୁ କି ଦେଶ ଭିତରର ଭିନ୍ନ ସଂପ୍ରଦାୟ ଲୋକଙ୍କୁ ଚିହ୍ନିବାଟା ସହଜ ହେଉନି। ଯେହେତୁ ଶ୍ରୀମନ୍ଦିର ଆତଙ୍କବାଦୀ ଟାର୍ଗେଟରୁ ବାଦ ପଡ଼ିନି, ତେଣୁ ତାକୁ ନେଇ ବଢିଛି ଚିନ୍ତା।
ଆଜି ୯ ଜଣ ବାଂଲାଦେଶୀ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ। ସେମାନଙ୍କ ଭିତରୁ ୪ ଜଣ ପରିକ୍ରମା ମାର୍ଗରେ ବସିଥିବା ବେଳେ ୫ ଜଣ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ଭିତରକୁ ଯାଇଥିବା ୫ ଜଣଙ୍କ ଭିତରେ ଜଣେ ଅଛନ୍ତି ହିନ୍ଦୁ। ବାକି ୪ ଜଣ ଅଣ ହିନ୍ଦୁ। ଅଭିଯୋଗ ଅନୁସାରେ ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ମହାପ୍ରସାଦ ସେବନ କରିଛନ୍ତି। ଆଉ ଶ୍ରୀମନ୍ଦିରରୁ ବାହାରିଲା ବେଳେ ସାଥୀରେ ମହାପ୍ରସାଦ ଧରି ବାହାରୁଥିବା ଅଭିଯୋଗ ହୋଇଛି।
ପରିକ୍ରମା ମାର୍ଗରେ ବସିଥିବା ୪ ଜଣ ବ୍ୟକ୍ତି ଅଣ ହିନ୍ଦୁ ବୋଲି ସନ୍ଦେହ ହେଉଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କ ପରିଚୟ ପଚାରିଥିଲେ। ସେମାନେ ନିଜର ପରିଚୟ ଦେବା ସହିତ ୫ ଜଣ ବନ୍ଧୁ ଶ୍ରୀମନ୍ଦିର ଭିତରକୁ ଯାଇଥିବା କହିଥିଲେ। ଏହାପରେ ସ୍ଥାନୀୟ ଯୁବକମାନେ ସେମାନଙ୍କ ଫେରିବା ରାସ୍ତାକୁ ଚାହିଁ ବସିଥିଲେ। ସେମାନେ ମହାପ୍ରସାଦ ଧରି ବାହାରିବା ବେଳେ ସେମାନଙ୍କୁ ଧରି ପକାଇଥିଲେ। ଏଥିସହ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ସମସ୍ତ ୯ ଜଣଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
ଅଟକ ଥିବା ୯ ଜଣଙ୍କ ଭିତରୁ ଜଣେ ହେଉଛନ୍ତି ହିନ୍ଦୁ। ତା’ ନାଁ ହେଉଛି ଦିଲ୍ଲୀପ କୁମାର ସାହ। ତାଙ୍କ ସାଙ୍ଗରେ ଅଣହିନ୍ଦୁମାନେ ଶ୍ରୀମନ୍ଦିର ଯାଇଥିଲେ। ପୁଲିସ୍ ସେମାନଙ୍କଠାରୁ ଗୋଟିଏ ବାଂଲାଦେଶ ପେସ୍ପୋର୍ଟ ଜବତ କରିଛି। ଅନ୍ୟମାନଙ୍କ ପାସ୍ପୋର୍ଟ ହୋଟେଲ୍ରେ ଥିବା କହିଥିଲେ। ଏହା ପରେ ପୁଲିସ୍ ସମସ୍ତଙ୍କୁ ସାଥୀରେ ଧରି ହୋଟେଲ୍ ଯାଇଛି। ହୋଟେଲ୍ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।
ସେପଟେ ଶ୍ରୀମନ୍ଦିରରୁ ଫେରିଥିବା ଜଣେ ଅଣ ଅଣହିନ୍ଦୁ କହିଛନ୍ତି, ଅଣହିନ୍ଦୁମାନେ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ଜାଣିନଥିଲି। ଆମ ଭାଇ ଆମକୁ ଡାକି ନେଇଥିଲେ। ଆମର ଭୁଲ୍ ହୋଇଛି। ଆଉ କେବେ ଯିବୁ ନାହିଁ ବୋଲି ଅଣହିନ୍ଦୁ ଜଣକ କହିଛନ୍ତି।
ନାଟମଣ୍ଡପ ମରାମତି ଚାଲୁଥିବାରୁ ଭକ୍ତମାନେ ଆଉ ପୂର୍ବଭଳି ଗୁରୁଡ଼ ସ୍ତମ୍ଭ ପଛପଟକୁ ଯାଇ ପାରିବେ ନାହିଁ। ବାହାର କାଠ ପାଖରୁ ଜାଲି ଦ୍ୱାରକୁ ଲାଇନ୍ରେ ଯିବେ। ସେଠୁ ଜୟବିଜୟ ଦ୍ୱାର ଦେଇ ଭିତରକାଠ ପର୍ଯ୍ୟନ୍ତ ଦର୍ଶନ ସାରି ବେହରଣ ଦ୍ୱାର ବାଟେ ପ୍ରସ୍ଥାନ କରିବେ। ସନ୍ଧ୍ୟା ୭ଟା ପରେ ମରାମତି ସରିଲେ ସନ୍ଧ୍ୟା ଧୂପ ହୋଇ ଠାକୁରଙ୍କ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବ। ତେବେ ମନ୍ଦିର ପ୍ରଶାସନ ନିଜେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ନହେଲେ ଶୃଙ୍ଖଳିତ ନୀତିକାନ୍ତି ନେଇ ଆଶଙ୍କା ପ୍ରକାଶ କରିଛନ୍ତି ବରିଷ୍ଠ ସେବାୟତ। ତେଣେ ନୀତି ପ୍ରଶାସକ କହିଛନ୍ତି, ଦର୍ଶନ ଓ ମରାମତି ଏକାସାଙ୍ଗେ ବିନା ବାଧାରେ ଚାଲି ପାରିବ।
ସେପଟେ ବୁଧବାର ବନକଲାଗି ନୀତି ପାଇଁ ସନ୍ଧ୍ୟା ୬ଟାକୁ ସମୟ ଧାର୍ଯ୍ୟ ହୋଇଥିଲା। ହେଲେ ଶ୍ରୀମୁଖ ଶୃଙ୍ଗାର ଆରମ୍ଭ ହେଲା ବେଳକୁ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା। ଫଳସ୍ୱରୂପ ପଛକୁ ପଛ ନୀତି ଡେରି ହେଲା ଓ ଶ୍ରୀଜୀଉଙ୍କ ରାତ୍ର ପହୁଡ଼ ବେଳକୁ ଭୋର୍ ୪ଟା ବାଜି ଗଲା। ଯେଉଁଥିପାଇଁ ଆଜି ଦ୍ୱାର ଫିଟା ହେଲା ବେଳକୁ ସକାଳ ସାଢ଼େ ୬ ପାର୍। ମଙ୍ଗଳଆଳତୀ ସରି ଦର୍ଶନ ବେଳକୁ ୭ଟା ୨୦। ଯାହାକୁ ନେଇ ଭକ୍ତ ଯେତିକି ଅସନ୍ତୋଷ ପ୍ରକାଶ କରିଛନ୍ତି, ବରିଷ୍ଠ ସେବକ ବି ସେତିକି ଦୋଷ ପ୍ରଶାସନକୁ ଦେଇଛନ୍ତି।
ରବିବାର ଅପରାହ୍ନ ୪.୩୫ରେ ଦ୍ୱିତୀୟ ଭୋଗ ମଣ୍ଡପ ଉଠିବା ପାଇଁ ପ୍ରସ୍ତୁତି ସରିଥିଲା। ଭଅଣ୍ଡ ଘରେ ଅନ୍ନ, କାନିକା, ଡାଲି, ବେସର ଆଦି ବ୍ୟଞ୍ଜନ ପହଞ୍ଚି ସାରିଥିଲା। ହେଲେ ସେତେବେଳେ ଭିତର କାଠ ପାଖରେ ରକ୍ତ ଛିଟା ଦେଖି ଠାକୁରଙ୍କ ବଡ଼ ମହାସ୍ନାନ କରାଯାଇଥିଲା। ଯେଉଁଥିପାଇଁ ଠାକୁରଙ୍କ ନୀତିକାନ୍ତି ବିଳମ୍ବ ଘଟିଥିଲା। ତେବେ ରାତି ୯ରୁ ସାଢ଼େ ୯ଟା ଭିତରେ ଦ୍ୱିତୀୟ ଭୋଗ ମଣ୍ଡପ ଉଠିଯିବା କଥା। ହେଲେ ମହାସ୍ନାନ ପରେ ଆଗ ସନ୍ଧ୍ୟା ଆଳତୀ ହେବ ନା ଆଗ ଭୋଗ ମଣ୍ଡପ ଉଠିବ, ତାକୁ ନେଇ ସୁଆର ମହାସୁଆର ଓ ସିଂହାରି ସେବକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ଯାହା ଫଳରେ ନୀତି ସେଇଠି ଠପ୍ ହୋଇଗଲା। ପରେ ଶ୍ରୀମନ୍ଦିର କମାଣ୍ଡରଙ୍କ ବୁଝାସୁଝା ପରେ ପ୍ରଥମେ ଭୋଗ ମଣ୍ଡପ ଉଠିଥିଲା।
ସେତେବେଳକୁ ରାତି ୧୧ଟା ୩୫ ବାଜି ଯାଇଥିଲା। ଏତେ ରାତିରେ ମହାପ୍ରସାଦ ନେଇ କାହାକୁ ବିକିବେ ବୋଲି ପ୍ରଶ୍ନ କରି ସୁଆର-ମହାସୁଆର ସେବକ ପଳାଇଥିଲେ। ଫଳରେ ରାତି ତମାମ ଭୋଗମଣ୍ଡପ ଘରେ ସେମିତି ଶହ ଶହ କୁଡୁଆ ମହାପ୍ରସାଦ ପଡ଼ି ରହିଥିଲା। ପାଖାପାଖି ୧୨୦ ହାଣ୍ଡି ଅନ୍ନ, ଶତାଧିକ କୁଡୁଆ ଡାଲି, ଡାଲେମା, ବେସର ଓ ମହୁର ବିକ୍ରି ନହୋଇ ନଷ୍ଟ ହୋଇଥିବାରୁ ଏ ବାବଦରେ ପ୍ରାୟ ୧୨ ଲକ୍ଷରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଦାବି କରିଛି ସୁଆର-ମହାସୁଆର ନିଯୋଗ।
ସେପଟେ ଖବର ପାଇ ଆଜି ସକାଳେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଓ ନୀତି ପ୍ରଶାସକ ସୁଆର-ମହାସୁଆର ନିଯୋଗ ସହ ଆଲୋଚନା କରି ଏହାର ତାଲିକା ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବିଭ୍ରାଟର କାରଣ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଏଡ଼ାଇ ଯାଇଥିଲେ।
ଗୋଟିଏ ପଟେ ସେବାୟତଙ୍କ ଜିଦ ଯୋଗୁ ରାତି ତମାମ ଭୋଗମଣ୍ଡପ ଘରେ ମହାପ୍ରସାଦ ତାଲା ପଡ଼ି ରହିଲା। ଅନ୍ୟପଟେ ଯେଉଁମାନେ ଜନ୍ମଦିନ, ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟାରେ ଅଥିତି ଚର୍ଚ୍ଚା ପାଇଁ ମହାପ୍ରସାଦ ଅର୍ଡର ଦେଇଥିଲେ, ସେମାନଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା। ଏଇ ଯେମିତି ପୁରୀ ସହରର ରାମଚନ୍ଦ୍ର ଦୋରା। ପୁଅ ବାହାଘର ଭୋଜି ପାଇଁ ଅବଢ଼ା ଅର୍ଡର ଦେଇଥିଲେ। ହେଲେ ରାତି ସାଢ଼େ ୧୧ରେ ମିଳିବନି ଶୁଣି ଚମକି ପଡ଼ିଥିଲେ। ଶେଷରେ ଅତିଥିମାନଙ୍କୁ କିଛି ମିଠା ଓ ନିଜେ ରାନ୍ଧିଥିବା ସାଧା ଅନ୍ନ ଡାଲି ଖୁଆଇ ବଡ଼ କଷ୍ଟରେ ବିଦା କରିଥିଲେ। ତେଣେ ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟରୁ ଠାକୁର ଅନିଦ୍ରା ରହିବା ଓ ମହାପ୍ରସାଦ ବିଳମ୍ବ ଯାଏଁ, ସବୁକୁ ନେଇ ଭକ୍ତ କ୍ଷୁବ୍ଧ ହୋଇଛନ୍ତି। ତେଣେ ମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି, ଆଗ ଅପେକ୍ଷା ନୀତିକାନ୍ତି ଶୃଙ୍ଖଳାରେ ଅନେକ ସୁଧାର ଆସିଛି।
ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଆସନ୍ତା କାଲି(ଶୁକ୍ରବାର)ଠାରୁ ଗଜପତି ମହାରାଜଙ୍କ ଦ୍ୱାରା ଆଚାର୍ଯ୍ୟ ବରଣ, ଗୁଆ ଟେକା, ଅଙ୍କୁର ରୋପଣ କାର୍ଯ୍ୟ ହେବ। ୧୩ ତାରିଖରେ ଅଙ୍କୁର ପୂଜନ ହେବ। ୧୪ ତାରିଖରେ ଅଙ୍କୁର ପୂଜନ, ଯଜ୍ଞ ଅଧିବାଶ, ଧ୍ୱଜା ସ୍ଥାପନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୫ ତାରିଖଠାରୁ ଯଜ୍ଞ ଆରମ୍ଭ ହେବ। ସେଦିନ ସକାଳ ସାଢ଼େ ୭ଟାରୁ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚ କର୍ମ, ବ୍ରାହ୍ମଣ ବରଣ ଓ ଯଜ୍ଞକାର୍ଯ୍ୟ ହେବ। ୧୬ ତରିଖରେ ମଧ୍ୟ ଦିନସାରା ଯଜ୍ଞ ଚାଲିବ। ୧୭ ତାରିଖ ଅପରାହ୍ନ ୧ଟା ୧୫ ମିନିଟ୍ରୁ ସାଢ଼େ ୧ଟା ଭିତରେ ମାନ୍ୟଗଣ୍ୟ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପ ଫଳକ ଲୋକାର୍ପଣ କରିବେ। ସେହି ସମୟରେ ଗଜପତି ମହାରାଜା ପୁଷ୍ପାଞ୍ଜଳି ଓ ଯଜ୍ଞ ପୂର୍ଣ୍ଣାହୂତି ଦେବେ। ୨ରୁ ସାଢ଼େ ୨ଟା ଭିତରେ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ପରିକ୍ରମା ମାର୍ଗ ପରିଦର୍ଶନ କରିବେ। ସାଢ଼େ ୨ଟାରୁ ୩ଟା ଭିତରେ ଉତ୍ତର ପାର୍ଶ୍ୱ ମଠ ପାଖରେ ପ୍ରତିଷ୍ଠା ହୋଇଥିବା ଗୃହରେ ଧନ୍ୟବାଦ ସଭା ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବେ। ଅପରାହ୍ନ ୩ଟା ପରେ ସାଧାରଣ ଲୋକ ପରିକ୍ରମା ମାର୍ଗ ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ସେ କହିଛନ୍ତି, ୧୭ ତାରିଖ ସକାଳ ୮ଟା ପରେ ପରିକ୍ରମା ମାର୍ଗରେ ନିର୍ମାଣ ହୋଇଥିବା ଛୋଟ ଛୋଟ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଯେଉଁଥିରେ ରହିଛି ଓଡ଼ିଶୀ ନୃତ୍ୟ, ବ୍ରହ୍ମପୁର ପଶୁ ନୃତ୍ୟ, ସମ୍ୱଲପୁର ସମ୍ୱଲପୁରୀ(ଡାଲଖାଇ), ପାଇକ, ବନାଟି, ପୁରୀର ସାହିଜାତ ନୃତ୍ୟ, ମାହାରୀ ନୃତ୍ୟ ପ୍ରମୁଖ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆହୁରି ରଙ୍ଗୀନ କରାଯିବ। ଲୋକମାନେ ଉପଭୋଗ କରିପାରିବେ।
ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ଶ୍ରୀ ଦାସ କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଯାହା ଛୋଟମୋଟ କାମ ରହିଛି, ଆଜି ରାତି ସୁଦ୍ଧା ସରିଯିବ। ଶୁକ୍ରବାର ସକାଳ ସୁଦ୍ଧା ପରିକ୍ରମା ପ୍ରକଳ୍ପକୁ ହସ୍ତାନ୍ତର କରିବେ। ତା’ପରେ ଲୋକାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ। କଟକ ଭୁବନେଶ୍ୱରରୁ ଆସୁଥିବା ଶ୍ରଦ୍ଧାଳୁମାନେ ଶ୍ରୀସେତୁ ଦେଇ ଜଗନ୍ନାଥ ବହ୍ଲଭ ପାର୍କିଂରେ ପହଞ୍ଚିବେ। ସେଠାରେ ସେମାନେ ଗାଡ଼ି ପାର୍କିଂ କରିବେ। ତା’ପରେ ସେଠାରେ ଆୟୋଜିତ ହୋଇଥିବା ମହାପ୍ରଭୁଙ୍କ ରୀତିନୀତି ଓ ମହିମା ଉପରେ ଆଧାରିତ ପ୍ରଦର୍ଶନୀକୁ ଦେଖିବାକୁ ପାଇବେ ବୋଲି ଶ୍ରୀ ଦାସ କହିଛନ୍ତି।
ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିଲା ସମୀକ୍ଷା ବୈଠକ। କାମର ଗତି ଓ କ୍ୱାଲିଟି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ମହାପାତ୍ର। କହିଛନ୍ତି, ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସମୟରେ ପୁରୀକୁ ଲକ୍ଷ ଲକ୍ଷ ଭକ୍ତ ଆସିବେ। ସେମାନେ ଏହି ସବୁ ସୁବିଧାର ଉପଯୋଗ କରିବେ। ସେବାୟତଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛନ୍ତି ସୁରେଶ। ତା’ସହ ପୁରୀରୁ ସବୁ ଜିଲ୍ଲାକୁ ଖୁବ୍ ଶୀଘ୍ର ଜଗନ୍ନାଥ ଏକ୍ସପ୍ରେସ ବସ୍ ଗଡିବ। ପ୍ରାୟ ୬୦ଟି ବସ୍ ଗଡିବ ବୋଲି ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି। ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଦିନ ହିଁ ନୂଆ ଜଗନ୍ନାଥ ଏକ୍ସପ୍ରେସ ବସ୍ ଯୋଜନାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିପାରନ୍ତି।
ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି। ମୁଁ ନିମନ୍ତ୍ରଣ ପାଇଛି। କିନ୍ତୁ ଲୋକାର୍ପଣ ଉତ୍ସବରେ ଯୋଗଦେବି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହିଁ। ଠିକ୍ ସମୟରେ ନିଷ୍ପତ୍ତି ନେବି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଆଗରୁ ରୂପରେଖ ସଂପର୍କରେ ମୁଁ କିଛି ଜାଣିନଥିଲି। ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୋତେ ଭେଟି ଜଣାଇବା ପରେ ଜାଣିଲି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।
ସେ ଆହୁରି କହିଛନ୍ତି, ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ, ହୋଟେଲବାଲା ଖୁସି ହେବେ। ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ତୀର୍ଥସ୍ଥଳୀର ମହତ୍ତ୍ୱ ରହିବନି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।
ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଏହି ଲୋକାର୍ପଣ ଉତ୍ସବକୁ ଭବ୍ୟ ଭାବେ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ଦେଶର ବିଭିନ୍ନ ମନ୍ଦିର ଓ ଶକ୍ତି ପୀଠକୁ ନିମନ୍ତ୍ରଣ କରାଯାଉଛି। ଉତ୍ସବରେ ସାମିଲ୍ ଦେବା ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାଛଡ଼ା ରାଜ୍ୟରେ ପ୍ରତି ଗାଁରେ ବୁଲୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଘରୁ ଆଦାୟ ହେଉଛି ଗୁଆ ଓ ଆରୁଆ ଚାଉଳ।
ଜାନୁଆରୀ ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା କରାଯିବ। ନିମନ୍ତ୍ରଣ ପତ୍ର ସହିତ ଶ୍ରୀଜଗନ୍ନାଥଙ୍କ ପାଖକୁ ଆସିଛି ଗୁଆ, ନଡ଼ିଆ, ପାନ, ପଇତା ଓ ବସ୍ତ୍ର। ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହେବା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ସେବକ ଛତିଶା ନିଯୋଗ ନାୟକଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣ। ୨୨ ତାରିଖରେ ହେବାକୁ ଥିବା ସମାରୋହରେ ଯୋଗଦେବା ପାଇଁ ଅନରୋଧ କରାଯାଇଛି।
ଏ ସମ୍ପର୍କରେ ଛତିଶା ନିଯୋଗର ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଆମକୁ ଅଯୋଧ୍ୟା କ୍ଷେତ୍ରକୁ ଯିବା ପାଇଁ ନିମନ୍ତ୍ରଣ ଆସିଛି। ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ଉପସ୍ଥିତ ରହିବାକୁ କୁହାଯାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଦୟା ରହିଲେ, ରାମଲାଲାଙ୍କ ଏହି ଶୁଭ କାର୍ଯ୍ୟରେ ନିଜକୁ ନିୟୋଜିତ କରି ତାଙ୍କ କାର୍ଯ୍ୟରେ ସାମିଲ୍ କରାଇବି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ଶ୍ରୀମନ୍ଦିର ପରି ଉତ୍ତରପାର୍ଶ୍ୱ ମଠ ମହନ୍ତ ମହାରାଜ ନାରାୟଣ ରାମାନୁଜ ଦାସଙ୍କ ପାଖକୁ ମଧ୍ୟ ଆସିଛି ନିମନ୍ତ୍ରଣପତ୍ର। ଡାକ ଯୋଗେ ଚିଠି ଆସିଛି। ଚିଠି ପାଇବା ପରେ ମଠରେ ଆନନ୍ଦର ମାହୋଲ୍। ଅନ୍ୟପକ୍ଷରେ ଅଯୋଧ୍ୟା ଯିବା ପାଇଁ ମହନ୍ତ ମହାରାଜା ପ୍ରସ୍ତୁତ ଥିବା କହିଛନ୍ତି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟା ଯିବେ ବୋଲି କହିଛନ୍ତି।
ମହନ୍ତ ମହାରାଜା ନାରାୟଣ ରାମାନୁଜ ଦାସ କହିଛନ୍ତି, ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗଦେବା ପାଇଁ ପୁରୀର ସମସ୍ତ ମଠ ମହନ୍ତମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଯିବା ନେଇ ୨୧ ତାରିଖ ପୂର୍ବରୁ ସୂଚନା ଦେବାକୁ କୁହାଯାଇଛି। ଉତ୍ତରପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ, ମହିପ୍ରକାଶ ମଠ, ପାପୁଡ଼ିଆ ମଠ, ହାତୀ ଆଖଡ଼ା ମଠ ପରି ୬ଟି ମଠ ପାଖକୁ ନିମନ୍ତ୍ରଣପତ୍ର ଆସିଛି। ଅନ୍ୟ ମଠ ପାଖକୁ ନିମନ୍ତ୍ରଣପତ୍ର ଆସୁଛି। ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ହେବ ବୋଲି ଜାଣି ନିମନ୍ତ୍ରଣପତ୍ର ଆସିବା ପୂର୍ବରୁ ଅର୍ଥାତ ଗତ ମାସରୁ ଟିକଟ କରିଦେଇଛୁ। ଜାନୁଆରୀ ୧୯ ତାରିଖରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ଶ୍ରୀ ଦାସ କହିଛନ୍ତି।
ସେହିପରି ମହୀପ୍ରକାଶ ମଠ ମହନ୍ତଙ୍କୁ ମଧ୍ୟ ଆମନ୍ତ୍ରଣ ଆସିଛି। ମହୀପ୍ରକାଶ ମଠ ମହନ୍ତ ମହାରାଜ ସ୍ୱାମୀ ଶୁଭାନନ୍ଦଙ୍କୁ ଟ୍ରଷ୍ଟ ତରଫରୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣପତ୍ର ପାଇବାର ଯଥେଷ୍ଟ ପୂର୍ବରୁ ସେମାନେ ଅଯୋଧ୍ୟା ଯିବା ପାଇଁ ଟିକେଟ କରିଦେଇଛନ୍ତି। ନିମନ୍ତ୍ରଣ ପାଇବା ପରେ ମଠ ମହନ୍ତ ମହାରାଜା ବେଶ ଉତ୍ସାହିତ ଅଛନ୍ତି। ଆସନ୍ତା ୨୨ ତାରିଖରେ ଅଯୋଧ୍ୟ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ରାତି ପାହିଲେ ନୂଆବର୍ଷ। ସେଥିପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଶ୍ରୀକ୍ଷେତ୍ର ଅଭିମୁଖେ ଆସିଲେ। ଆହୁରି ଅନେକ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ମହୋଦଧିରେ ସ୍ନାନ କରି ଭୋରୁ ଭୋରୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧର୍ମର ମାସ କାର୍ତ୍ତିକରେ ଶ୍ରଦ୍ଧାଳୁମାନେ ଭୋଗିଥିବା ସମସ୍ୟା ଯେମିତି ପୁନର୍ବାର ନହେବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ନୂଆବର୍ଷରେ ନୂଆ ବ୍ୟବସ୍ଥା ଲାଗୁ ହେବ। ଲମ୍ବାଧାଡିରେ ଠିଆ ନହୋଇ ଏସି ଟନେଲରେ କିଛି ସମୟ ବସିବାର ବ୍ୟବସ୍ଥା ହୋଇଛି।
ଭକ୍ତଙ୍କୁ ବଡଦାଣ୍ଡକୁ ଆସିବାକୁ ହେଲେ ମାର୍କେଟ ଛକ ବା ମରଚିକୋଟ ଛକରୁ ବ୍ୟାରିକେଡରେ ଏସି ଟନେଲରେ ପ୍ରବେଶ କରିବେ। ସେଠାରେ ଏୟାରକଣ୍ଡିସନ ବ୍ୟବସ୍ଥା କରାଯାଇଛି। ସେଠାରୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ସ୍ୱତନ୍ତ୍ର ବ୍ୟାରିକେଡ ଦେଇ ସିଂହଦ୍ୱାରରେ ପ୍ରବେଶ କରିବେ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମଧ୍ୟ ଭକ୍ତଙ୍କ ପାଇଁ ବସିବାର ସୁଯୋଗ ରହିଛି। ଆଜି ଏସି ଟନେଲ ବ୍ୟାରିକେଡରେ ମକଡ୍ରିଲ୍ କରାଯାଇଛି। ନିଜେ କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସ୍ପିଙ୍କ ଉପସ୍ଥିତିରେ ମକଡ୍ରିଲ୍ କରାଯାଇଥିଲା। ସେପଟେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ସ୍ୱେଚ୍ଛାସେବୀମାନଙ୍କୁ ମୁତୟନ କରାଯାଉଛି।
ଅନ୍ୟପକ୍ଷରେ ନୂଆବର୍ଷ ପାଇଁ ପୁରୀରେ କଡାକଡି କରାଯାଉଛି ସୁରକ୍ଷା ବ୍ୟବସ୍ଥା। ଜିରୋ ନାଇଟ୍ରେ ମଦ ପିଇ ବୁଲିଲେ କାର୍ଯ୍ୟାନୁଷ୍ଠାନ ହେବ। ମାର୍କେଟ ଛକରୁ ହେବ ନୋ ଭେଇକିଲ୍ ଜୋନ୍। ଟୁରିଷ୍ଟ ବସ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ। ଦୈନନ୍ଦିନ ବସ ଯେଉଁ ରୁଟରେ ଯିବାଆସିବା କରୁଥିଲା, ସେହି ରାସ୍ତା ଦେଇ ଯିବ।
ଗୋଟିଏ ପଟେ ସିଂହଦ୍ୱାର ସାମ୍ନାରେ ଭକ୍ତଙ୍କୁ ବ୍ୟାରିକେଡ୍ କଷ୍ଟରୁ ମୁକ୍ତି ଦେବାକୁ ପର୍ଯ୍ୟାପ୍ତ ବ୍ୟବସ୍ଥା ହେଉଛି। ହେଲେ ଶ୍ରୀମନ୍ଦିର ଭିତରେ କିନ୍ତୁ ଠେଲାପେଲା ଓ ଅଣନିଶ୍ୱାସୀ ସ୍ଥିତିର ସୁଧାର ପାଇଁ କାହାରି ନିଘା ନାହିଁ। ସାତ ପାହାଚରୁ ଭିତରକାଠ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ କାଳିଆ ଦର୍ଶନ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ହେଉଛି। ଛୋଟପିଲା, ବୟସ୍କ ଓ ମହିଳାଙ୍କୁ ଶ୍ରୀମୁଖ ଦର୍ଶନ ଲାଗି ଯେମିତି ଯୁଦ୍ଧ କରିବାକୁ ପଡୁଛି। ତେଣୁ ମନ୍ଦିର ଭିତରେ ମଧ୍ୟ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ଉଭୟ ଭକ୍ତ ଓ ସେବାୟତ।
ଶ୍ରୀମନ୍ଦିର ସାଙ୍ଗକୁ ଶ୍ରୀକ୍ଷେତ୍ର। ନୂଆବର୍ଷରେ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସଜାଗ ହୋଇଛି ପୁରୀ ପୁଲିସ୍। ଏସପିଙ୍କ ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତର ପାଇଁ ୭ ଓ ବାହାର ପାଇଁ ୯ଟି ସେକ୍ଟରରେ ସୁରକ୍ଷା ବ୍ୟବସ୍ଥା ବଣ୍ଟା ଯାଇଛି। ମରଚିକୋଟ ଛକରୁ ହେବ ନୋ’ ଭେଇକିଲ୍ ଜୋନ୍। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ରହିବ। ଆମ୍ବୁଲାନ୍ସ ଯିବ ଗ୍ରୀନ୍ କରିଡରରେ। ନୂଆ ଦର୍ଶନ ବ୍ୟବସ୍ଥା ସଂପର୍କରେ ଭକ୍ତଙ୍କଠାରୁ ଫିଡବ୍ୟାକ୍ ନିଆଯିବ। ସମୁଦ୍ର କୂଳରେ ଟ୍ରାଫିକ୍ ଜାମ୍ ଓ ଅପରାଧ ରୋକିବାକୁ ନନଷ୍ଟପ୍ ପାଟ୍ରୋଲିଂ ସହ ୩ଟି ଫାଣ୍ଡି କରାଯିବ।
ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ପୁରୀରୁ ଆସିଥିଲେ ପ୍ରତିନିଧି ମଣ୍ଡଳୀ। ଆକର୍ଷଣୀୟ ଝୋଟି ଓ ଚିତା ସାଙ୍ଗକୁ ପାରମ୍ପରିକ ନୃତ୍ୟସଂଗୀତ ମାଧ୍ୟମରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସେବକମାନେ ଶ୍ରୀମନ୍ଦିର ସେବାୟତଙ୍କୁ ମହାପ୍ରଭୁଙ୍କ ଗର୍ଭଗୃହକୁ ପାଛୋଟି ନେଇଥିଲେ। ଆଉ ସେଠି ପ୍ରତିନିଧିମଣ୍ଡଳୀ ସାଙ୍ଗରେ ଆଣିଥିବା ଗୁଆ, ନଡ଼ିଆ, ପାନ, ମାହାର୍ଦ୍ଦ ଓ ନିମନ୍ତ୍ରଣ ପତ୍ର ଦେଇ କୁତାଞ୍ଜଳୀ ପୁଟରେ ପରିକ୍ରମା ପ୍ରକଳ୍ପ ଉତ୍ସବରେ ଅତିଥି ହେବାକୁ ନିମନ୍ତ୍ରଣ ଦେଇଥିଲେ।
ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପରେ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିର, ଧାମ ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ପୀଠକୁ ଯାତ୍ରା କରିଥିଲେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଟିମ। ମୋଟ ୩୦ଟି ଟିମ ମଧ୍ୟରୁ ୧୩ଟି ଓଡ଼ିଶା ଭିତରେ ଓ ୧୭ଟି ଓଡ଼ିଶା ବାହାରେ ବିଭିନ୍ନ ଦେବସ୍ଥାନ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଯାଇ ନିମନ୍ତ୍ରଣ ଦେବେ। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅକ୍ଷତ ଚାଉଳ ଓ ଗୁଆ ପ୍ରଦାନ କରିଥିଲେ। ଆଜି ସକାଳେ ପୁରୀରୁ ବାବାହାରିଥିବା ନିମନ୍ତ୍ରଣକାରୀ ଟିମ୍କୁ ନାମ ସଂକୀର୍ତ୍ତନ ଓ ଶଙ୍ଖ ବଜାଇ ବିଦାୟ ଦେଇଥିଲେ ପୁରୀବାସୀ ଏବଂ ଜଗନ୍ନାଥ ଭକ୍ତ।
ଗୋଟିଏ ପଟେ ଆସନ୍ତା ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଭବ୍ୟ ଆୟୋଜନ ଚାଲିଛି ତ ଅନ୍ୟପଟେ ଶ୍ରୀମନ୍ଦିର ଆଗରେ ଦର୍ଶନ ଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି। କ୍ରିସମାସ୍ ଛୁଟି ଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉନଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି।
କୋଟି ଓଡ଼ିଆର ଆରାଧ୍ୟ ଦେବତା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଆଶୀର୍ବାଦ ପାଇବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଧାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ସେଥିପାଇଁ ଶ୍ରୀକ୍ଷତ୍ରରେ ପ୍ରତିଦିନ ପ୍ରବଳ ଜନସମାଗମ ହେଉଛି। ଯାହାକୁ କଣ୍ଟ୍ରୋଲ୍ କରିବା ଶ୍ରୀମନ୍ଦିର ପ୍ରଶାସନ ପାଇଁ କାଠିକର ପାଠ ହେଉଛି। ଯେଉଁଥିପାଇଁ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। କେତେବେଳେ ଠେଲାପେଲାରେ ଶ୍ରଦ୍ଧାଳୁମାନେ ଅଚେତ ହୋଇ ତଳେ ପଡ଼ିଯାଉଛନ୍ତି ତ ଆଉ କେତେବେଳେ ଢ଼ିଲା ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ କିଏ ଶ୍ରୀମନ୍ଦିର ଭିତରେ ପଶି ଯାଉଛି। ସ୍ୱତନ୍ତ୍ର ବାଟାଲିୟନ ହେବା ଦ୍ୱାରା ଏଥିରୁ ମୁକ୍ତି ମିଳିବ ବୋଲି ଆଲୋଚନା ହେଉଛି।
ସେହିପରି ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ୟର ୩ଟି ରୁପାମୁକୁଟ ଦାନ କରିଛନ୍ତି ଗୁଜରାଟ ଅହମ୍ମଦାବାଦର ଭକ୍ତ ଚିରାଗ ଚିନୁଭାଇ ପଟେଲ। ପୁରୀ ଆସି ଛତିଶାନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ଓ ବରିଷ୍ଠ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି।
ତେବେ ଏହି ଅଳଙ୍କାର ଗୁଜରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରଟ୍ ସୁନାରେ ତିଆରି କରାଯାଇଛି। ଆଜି ଏହାକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି। ଏହାଦ୍ୱାରା ଅନ୍ୟ ଭକ୍ତମାନେ ଦାନ କରିବା ପାଇଁ ଉତ୍ସାହିତ ହେବେ ବୋଲି ସେବାୟତ।ମାନେ କହିଛନ୍ତି।
ସୂଚନା ଅନୁସାରେ, ରାଜ୍ୟ ଓ ରାଜ୍ୟ ବାହାରୁ ୭୪୬ଟି ଜଗନ୍ନାଥ ମନ୍ଦିର ଓ ୧୧୧ଟି ଅନ୍ୟ ପ୍ରମୁଖ ଧାର୍ମିକ ସ୍ଥଳୀଙ୍କୁ ମିଶାଇ ମୋଟ ୮୫୭ ଦେବସ୍ଥାନକୁ ନିମନ୍ତ୍ରଣ ପତ୍ର ପଠାଯିବ। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୬୮, ଗଂଜାମରୁ ୬୦, କଟକ ଓ ଖୋର୍ଦ୍ଧାରୁ ୫୮ଟି ଲେଖାଏଁ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣପତ୍ର ପଠାଯିବ। ବଡ଼ ଅତିଥିମାନଙ୍କ ମଧ୍ୟରେ ୪ ଧାମର ଶଙ୍କରାଚାର୍ଯ୍ୟ, ପ୍ରମୁଖ ଧର୍ମପୀଠମାନଙ୍କରୁ ସାଧୁସନ୍ଥଙ୍କ ସହ ନେପାଳ ରାଜାଙ୍କୁ ଡ଼କାଯିବ। ଏଥିପାଇଁ ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ଟିମ୍ ଭାଗ ଭାଗ ହୋଇ ବାହାରିବେ। ସେମାନେ ଅତିଥିଙ୍କୁ ଏକ ଇନଭିଟେସ୍ କିଟ୍ ପ୍ରଦାନ କରିବେ। ଯେଉଁଥିରେ ଶ୍ରୀମନ୍ଦିର ପ୍ରଶାସନର ନିମନ୍ତ୍ରଣପତ୍ର ସହ, ମହାପ୍ରଭୁଙ୍କ ଓଲାଗି ଧ୍ୱଜା, ମହାପ୍ରସାଦ ଓ ପରିକ୍ରମା ପ୍ରକଳ୍ପର ବିବରଣୀ ପୁସ୍ତିକା ସଜେଇ ରଖାଯିବ।
ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ସରସ ସୁନ୍ଦର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଉଭୟ ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ, ବାହାରୁ ଭକ୍ତମାନେ ଆସି ଜଗନ୍ନାଥ ବଲ୍ଲଭ ପାର୍କିଂରେ ପହଞ୍ଚିବା ପରେ ସେଠି ଏକ ଅଭ୍ୟର୍ଥନା କକ୍ଷ ସହ ପ୍ରଦର୍ଶନୀ ମଣ୍ଡପ ନିର୍ମାଣ ହେବ। ଯେଉଁଠି ଶ୍ରୀମନ୍ଦିରର ସ୍ୱର୍ଣ୍ଣିମ ଇତିହାସ, ମହାପ୍ରଭୁଙ୍କ ଲୀଳା, ବେଶ ଓ ଯାନିଯାତର ପ୍ରତିକୃତି ପ୍ରଦର୍ଶନ କରାଯିବ। ଏଥିସହ ମ୍ୟୁନିସିପାଲିଟି ମାର୍କେଟରେ ଏକ ଲେଜର ସୋ ଚାଲିବ। ସେଥିରେ ଗଜପତି ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଭିଯାନର ଗାଥା ପ୍ରଦର୍ଶନ ହେବ। ତାହା ସହ ଉତ୍ସବ ସମୟରେ ସମଗ୍ର ପୁରୀ ସହରକୁ ଆଲୋକୀକରଣ କରିଯିବ। ତାଛଡ଼ା ଅନ୍ୟ ସମସ୍ତ ଛୋଟବଡ଼ ମଠ ମନ୍ଦିରକୁ ସଜ୍ଜିତ କରାଯିବ। ପୁରୀ ସହରବାସୀଙ୍କୁ ନିଜ ଘରେ ଦୀପ ଜାଳି ଅତିଥିଙ୍କୁ ସ୍ୱାଗତ ପାଇଁ ମଧ୍ୟ ନିବେଦନ କରିଛି ଜିଲ୍ଲା ପ୍ରଶାସନ। ତେଣେ ଲୋକାର୍ପଣ ଉତ୍ସବ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ, ସେମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସହ ଠାକୁରଙ୍କ ନୀତିକାନ୍ତି ଉପରେ ଜୋର ଦେଇଛନ୍ତି ଭକ୍ତ ଓ ସେବାୟତ।
ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ନୀତି ସବ୍ କମିଟି ବୈଠକ ବସିଥିଲା। ଏଥିରେ ଆସନ୍ତା ୧୬ରୁ ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାଛଡ଼ା ୧୫ ତାରିଖରେ ପଡୁଥିବା ଧନୁ ସଂକ୍ରାନ୍ତି ଓ ଜାନୁଆରୀ ୨୫ ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିଲା।
ପହିଲି ଭୋଗ ଆରମ୍ଭ ହେବା ଦିନଠାରୁ ରାତି ୨ଟାରେ ସିଂହଦ୍ଵାର ଫିଟାଯାଇ ଭୋର ୫ଟା ୨୦ରୁ ୬ଟା ମଧ୍ୟରେ ପହିଲି ଭୋଗ ନୀତି ସମ୍ପନ୍ନ ହେବ। ପହିଲି ଭୋଗ ନୀତି ଚାଲିବା ସମୟରେ ନୂଆବର୍ଷ ପୂର୍ବଦିନ ୩୧ ତାରିଖ ପଡୁଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆବଶ୍ୟକ ପଡିଲେ ରାତ୍ର ପହୁଡ ହେବନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି। ସେପଟେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ତାରିଖରେ ଦିବା ପହୁଡ ହେବନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଆଜି ବୈଠକରେ ଚୂଡାନ୍ତ ନୀତି ନିର୍ଘଣ୍ଟକୁ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯିବା ପରେ ପରିଚାଳନା କମିଟିରେ ପାରିତ କରାଯିବ। ତେବେ ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତା କରିଥିବା ବେଳେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ, ନୀତି ସବକମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ସେପଟେ ଦେଖିବାକୁ ଗଲେ ସିଂହଦ୍ୱାରକୁ ଛାଡ଼ି ବାକି ତିନି ଦ୍ୱାରରେ କାମ ଚାଲିଛି। ହେଲେ ସବୁଠି ଅଧପନ୍ତରିଆ। ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସାମ୍ନାରେ ମହିଳା, ପୁରୁଷ ଓ ସେବାୟତଙ୍କ ପାଇଁ ନିର୍ମାଣ ହୋଇଛି ୬ଟି ଶୌଚାଳୟ, ୩ଟି ସେଲଟର ପାଭେଲିଅନ ଓ କ୍ଲୋକ୍ ରୁମ୍। ହେଲେ ପୂର୍ବ ନିଷ୍ପତ୍ତି ମୁତାବକ ଏମଆର ମଠ ପାଖରେ ନିର୍ମାଣ ହେବାକୁ ଥିବା ଅଭ୍ୟର୍ଥନା କେନ୍ଦ୍ର କୁଆଡ଼େ ଗଲା? ସେ ନେଇ କାହା ପାଖେ ଉତ୍ତର ନାହିଁ। ତେଣେ ୪ ବର୍ଷ ଧରି ପ୍ରକଳ୍ପ କାମ ସରୁନଥିବା ଓ ଲୋକାର୍ପଣ ପାଇଁ ତରତର ହୋଇ କାମ ସାରିବା ଉଦ୍ୟମକୁ ନାପସନ୍ଦ କରିଛନ୍ତି ଶ୍ରୀମନ୍ଦିର ସେବାୟତ।
୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି। ତା ସତ୍ତ୍ୱେ ଭକ୍ତଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ରିସେପସନ ସେଣ୍ଟର ନିର୍ମାଣ କାମ ଆରମ୍ଭ ହୋଇ ପାରିଲାନି। କେତେବେଳେ କୁହାଯାଉଛି ଏମଆର ମଠ ପାଖରେ ୮୦୦ ଲୋକ ବସିଲା ଭଳି ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ ତ ପୁଣି ଆଉ କେତେବେଳେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ ପଛପଟେ ୪ ହଜାର ଲୋଙ୍କ ବସିଲା ଭଳି ରିସେପସନ ସେଣ୍ଟର ନିର୍ମାଣ ହେବ। କିନ୍ତୁ ଏଯାଏଁ ତା’ର ନାମ ନିଶାନ ନାହିଁ। ଏଣେ ଆର ମାସ ୧୭ ତାରିଖରେ ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହା କ’ଣ ସମ୍ଭବ ବୋଲି ଉଠିଲାଣି ପ୍ରଶ୍ନ।
ସେପଟରେ ଠିକା ସଂସ୍ଥା ଓବିସିସି କହୁଛି, ଦୁଇଟି ଯାକ ସ୍ଥାନରେ ଅଭ୍ୟର୍ଥନା କେନ୍ଦ୍ର ନିର୍ମାଣ ହେବ। ଆଉ ଜିଲ୍ଲା ପ୍ରଶାସନର ଦମ୍ଭୋକ୍ତି ନିର୍ଦ୍ଧରିତ ସମୟ ଆଗରୁ ସବୁ କାମ ସରିଯିବ।
୩୬ ମାସର ଡେଡ୍ ଲାଇନ୍ ଡେଇଁ ସାରିଲାଣି। ତଥାପି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସରିପାରୁନି। ଏଣେ ଏମଆର ମଠ ପାଖରେ ବହୁଚର୍ଚ୍ଚିତ ରଘୁନନ୍ଦନ ଲାଇବ୍ରେରୀ କଥା ତ ଆଉ ମୋଟେ ଉଠୁନି।
ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ନିର୍ମାଣ ହେବ ଶୀତତାପ ନିୟନ୍ତ୍ରିତ କରିଡ଼ର। ଯାହା ଭିତରେ ରହିବ ସବୁ ପ୍ରକାର ସୁବିଧା। ମରିଚିକୋଟ୍ ଛକରୁ ଟନେଲ ସଦୃଶ ଏହି କରିଡ଼ର ବର୍ଷ ସାରା ରହିବ। କେବଳ ରଥଯାତ୍ରା ସମୟରେ ଉଠିଯିବ। ଏଥିପାଇଁ ଶ୍ରୀମନ୍ଦିରଠୁ ମରିଚିକୋଟ୍ ଯାଏଁ ସବୁ ଦୋକାନ ଉଠାଇବାକୁ ପୁରୀ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଛନ୍ତି।
ବିଭିନ୍ନ ମହଲରୁ ମିଳିଥିବା ଫିଡ୍ ବ୍ୟାକ ଆଧାରରେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ। ସେପଟେ ଜେଲରୋଡ଼ ସ୍ଥିତ ନବନିର୍ମିତ ବହୁତଳ ପାର୍କିଂର ଆଜି ଉଦଘାଟନ ହୋଇଛି। ଯେଉଁଥିରେ ୫୦୦ କାର ଏବଂ ୫୦୦ ବାଇକ୍ ଏକକାଳୀନ ପାର୍କିଂ ହୋଇ ପାରିବ। ପ୍ରତି ଚାରିଚକିଆ ଯାନକୁ ୪ଘଣ୍ଟା ପିଛା ୫୦ ଟଙ୍କା ପାର୍କିଂ ଫି ଦେବାକୁ ହେବ। ୪ଘଣ୍ଟାରୁ ଅଧିକ ହେଲେ ପ୍ରତି ଘଣ୍ଟା ପିଛା ୧୦ ଟଙ୍କା ଅଧିକ ଦେୟ ଦେବାକୁ ପଡ଼ିବ। ଆଗକୁ ପୁରୀରେ ଏଭଳି ଆଉ ଦୁଇଟି ମଲ୍ଟି ଲେବଲ୍ ପାର୍କିଂ ମଧ୍ୟ ଉଦଘାଟନ ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ।
ଯାଞ୍ଚ ପାଇଁ ଆଜି ଏଏସ୍ଆଇର ଏକ ସ୍ୱତନ୍ତ୍ର ବୈଷ୍ୟୟିକ ଟିମ୍ ଅନୁସନ୍ଧାନ ଆରମ୍ଭ କରିଛି। ସ୍ୱତନ୍ତ୍ର ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ପନ୍ନ 3D ରୋଟେଟିଂ ଲେଜର ସ୍କାନିଂ ଦ୍ୱାରା ରତ୍ନ ଭଣ୍ଡାର ବାହାର ପାର୍ଶ୍ଵରୁ ଆରମ୍ଭ ହୋଇଛି। ମୁମ୍ବାଇର ୩ ଜଣ ଇଞ୍ଜିନିଅରଙ୍କ ସମେତ ୧୫ ଜଣିଆ ଟିମ୍ ଏହି ଯାଞ୍ଚରେ ସାମିଲ ରହିଅଛି। 3D କ୍ୟାମେରା ବ୍ୟବହାର କରି ଉନ୍ନତ ବୈଷ୍ୟୟିକ ଜ୍ଞାନ କୌଶଳରେ ଯାଞ୍ଚ କରାଯାଉଛି। ଯାଞ୍ଚ ପରେ ଏଏସ୍ଆଇ ସବିଶେଷ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିବ ବୋଲି ଜଣାପଡିଛି।
ସ୍କାନିଂ ରିପୋର୍ଟ ସମ୍ପର୍କରେ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ। ତେବେ ନାଭି କଟା ମଣ୍ଡପ ନିକଟରେ ଆଜି ବାହାର ରତ୍ନ ଭଣ୍ଡାର ଯାଞ୍ଚ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯାଞ୍ଚ ନେଇ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି।
ସେପଟେ ଶ୍ରୀମନ୍ଦିର ଭଗ୍ନ ହୋଇଥିବା କଳାକୃତିକୁ ସଂରକ୍ଷଣ କରାଯାଇ ନୂତନ ପରିପାଟିରେ ପୂର୍ଣ୍ଣତା ଦିଆଯିବ। ଯେପରି କଳାର ପୁନଃ ପରିପୂର୍ଣ୍ଣତା ଆସିବ। ଐତିହ୍ୟର ସଂରକ୍ଷଣ ପାଇଁ ଏଏସଆଇ ତା’ର ନୂତନ ଆଇନର ଆଧାର ଅନୁସାରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ୨୦୧୪ ମସିହାରେ ଏଏସ୍ଆଇ ଆଇନରେ ସଂଶୋଧନ କରି ନୂତନ ଆଇନ୍ ଲାଗୁ କରାଯାଇଛି। ଯାହାଫଳରେ ଐତିହ୍ୟର ମୁଖ୍ୟ କଳାକୃତିକୁ ଢାଞ୍ଚାରେ ପରିପୂର୍ଣ୍ଣତା ଆସିବ। ଯେଉଁ ମୂର୍ତ୍ତିର ଗୋଡର ବା ନାକରେ ବା ଶରୀରରେ କ୍ଷତ ସୃଷ୍ଟି ହୋଇଛି, ସେହି ସ୍ଥାନରେ ମରାମତି କରାଯିବ। ଯେଉଁ ଭଳି ସ୍ଥିତିରେ ରହିଛି, ସେହି ଭଳି ଭାବରେ ନିର୍ମାଣ ଓ ମରାମତି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ପୂର୍ବରୁ ଓଡ଼ିଶାର କୋଣାର୍କ, ରତ୍ନଗିରୀ ଓ ଦିଲ୍ଲୀର କୁତବମୀନାରରେ ଏ ଭଳି ଭାବରେ ମରାମତି କରି ସଫଳତା ପାଇସାରିଛି ଏଏସଆଇ।
ସୋମବାର ଭୋରରୁ ମହୋଦଧିରେ ଡଙ୍ଗା ଭସାଣ ହେବ। ଏଥିସହ ରାଇ-ଦାମୋଦର ବ୍ରତର ସାମାପନ ହେବ। ରତ୍ନବେଦୀରେ ମହାପ୍ରଭୁଙ୍କର ହେବ ରାଜରାଜେଶ୍ୱର (ସୁନାବେଶ)। ମହଣ ମହଣ ସୁନାରେ ଆଭୂଷିତ ହେବେ ଶ୍ରୀଜୀଉ। ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ବେଶ କରାଯିବ। ସେପଟେ ଆଜି ବୈକୁଣ୍ଠ ଚତୁର୍ଦ୍ଦଶୀରେ ଶ୍ରୀଜୀଉ ଲକ୍ଷ୍ମୀ-ନୃସିଂହ ବା ଆଡ଼କିଆ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
ଆସନ୍ତାକାଲି ରାସ ପୂର୍ଣ୍ଣମୀରେ ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଲାଗିବ। ଯଦିଓ କାର୍ତ୍ତିକ ମାସ ସାରା ବଡ଼ଦାଣ୍ଡରେ ଭକ୍ତଙ୍କ ଦର୍ଶନ ଯନ୍ତ୍ରଣା ଗଣମାଧ୍ୟମରେ ପ୍ରସାରଣ ପରେ ଶ୍ରୀମନ୍ଦିର ବାହାର ବ୍ୟବସ୍ଥା ବଦଳିଛି। ହେଲେ ମନ୍ଦିର ଭିତର ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ। ସାତପାହାଚ, ଜୟ-ବିଜୟ ଦ୍ୱାରରେ ଭକ୍ତମାନେ ଅସମ୍ଭବ ଠେଲାପେଲାର ଶିକାର ହେଉଛନ୍ତି। ଏମିତିକି କିଏ କାଳିଆକୁ ଦେଖି ପାରୁଛି ତ ପୁଣି କିଏ ନାଇଁ। ଅନେକ ଭକ୍ତ କ୍ଷୋଭରେ ଶ୍ରୀମନ୍ଦିର ଫିଡବ୍ୟାକ ସେଣ୍ଟରକୁ ଆସି ଅଭିଯୋଗ ମଧ୍ୟ କରୁଛନ୍ତି। ତେଣେ କାର୍ତ୍ତିକ ପୂର୍ଣ୍ଣମୀରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଅଧିକ ଯତ୍ନବାନ ହୋଇଛି ଶ୍ରୀମନ୍ଦିର ପ୍ରଶାସନ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ, ଆଜି ରାତି ସାରା ମନ୍ଦିର ଖୋଲା ରହିବ। ପ୍ରତୀକାତ୍ମକ ରାତ୍ର ପହୁଡ଼ କରାଯାଇ ନୀତି ଶୃଙ୍ଖଳିତ କରିବାକୁ ସେବାୟତଙ୍କ ସହ ଆଲୋଚନା ହୋଇଛି। ନିଜେ ଶ୍ରୀମନ୍ଦିର ନୀତି ପ୍ରଶାସକ ଓ କମାଣ୍ଡର ରହି ଏହାର ତଦାରଖ କରିବେ। ସେପଟେ ଭକ୍ତଙ୍କ ସୁଅକୁ ଦେଖି ଅଧିକ ସଜାଗ ହୋଇଛି ପୁରୀ ପୁଲିସ୍। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ସୁରକ୍ଷା ଦାୟିତ୍ୱରେ ୫୦ ପ୍ଲାଟୁନ ଫୋର୍ସ ରହିଛନ୍ତି। ମାର୍କେଟ ଛକରୁ କୌଣସି ଗାଡ଼ିକୁ ଭିତରକୁ ଛଡ଼ାଯିବ ନାହିଁ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସହ ବେଳାଭୂମିରେ ମଧ୍ୟ ପୁଲିସ ସହ ଅଧିକ ଲାଇଫଗାର୍ଡ ମୁତୟନ ହେବେ ବୋଲି ପୁରୀ ଏସ୍ପି କନୱର ବିଶାଲି ସିଂ କହିଛନ୍ତି।
ସେ କହିଛନ୍ତି, ରତ୍ନଭଣ୍ଡାର ବାହାର ପଟ କାନ୍ଥର ପ୍ରଥମେ ଲେଜର ସ୍କାନିଂ କରାଯିବ। ତା’ପରେ କେଉଁ ସ୍ଥାନରେ ଫାଟ ରହିଛି ଓ କ'ଣ ସମସ୍ୟା ରହିଛି ତାହା ଜଣାପଡ଼ିବ। ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ। ସେପଟେ ଲେଜର ସ୍କାନିଂ ମେସିନ ଏଏସ୍ଆଇ ପାଖରେ ପହଞ୍ଚି ସାରିଛି। ରତ୍ନଭଣ୍ଡାରର ଲେଜର ସ୍କାନିଂ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ପଡ଼ିବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
କେନ୍ଦୁଝର ଜିଲ୍ଲା ଫକୀରପୁର ଅଞ୍ଚଳର ହାରମଣୀ ଦେବୀ। ବୟସ ୭୦ ବର୍ଷରୁ ଅଧିକ ହେବ। କାର୍ତ୍ତିକ ବ୍ରତ ପାଳିବାକୁ କେତେ ଆଶା କରି ଶ୍ରୀକ୍ଷେତ୍ର ଧାଇଁ ଆସିଥିଲେ। ଭାବିଥିଲେ ଜଗାକୁ ପାଖରୁ ଦେଖି ଯିବେ। ତେଣୁ ସକାଳୁ ଗାଧୋଇ ପାଧୋଇ ସିଂହଦ୍ୱାର ସମ୍ମୁଖ ବ୍ୟାରିକେଡ୍ରେ ଛିଡ଼ା ହୋଇଥିଲେ। ଅଖିଆ ଅପିଆ ୫ ଘଣ୍ଟାରୁ ଅଧିକ ସମୟ ଧରି ଛିଡ଼ା ହୋଇଥିଲେ। ଆଉ ବେଶୀ ସମୟ ଛିଡ଼ା ହୋଇପାରିଲେ ନାହିଁ। ଗହଳି ଭିତରେ ତଣ୍ଟି ବାସ୍ପରୁଦ୍ଧ ହୋଇଯାଇଥିଲା। ତାହାରି ଭିତରେ ଲୁହା ବ୍ୟାରିକେଡ୍କୁ ଧରି ବସି ପଡ଼ିଲେ। ଦୁଇ ଆଖିରୁ ବୋହି ଯାଉଥିଲା ଲୁହର ଧାର।
ଭୋ ଭୋ ହୋଇ କାନ୍ଦିବାରେ ଲାଗିଲେ ହାରମଣୀ ମାଉସୀ। ଆଉ କହିଲେ, ମୋର ଗୋଡ଼ହାତ କ’ଣ ହୋଇ ଯାଉଛି। ମୋତେ ଟିକେ ପଦାକୁ ନେଇ ଯାଅ। ମୁଁ ଆଉ ଛିଡ଼ା ହୋଇ ପାରିବି ନାହିଁ। ୫ ଘଣ୍ଟା ହେଲାଣି ଛିଡ଼ା ହୋଇଛି। ଏମିତି କେତେକ କ’ଣ କହି ପକାଇଲେ। ହେଲେ ଦୁଃଖର ବିଷୟ ବୁଢ଼ୀ ମାଉସୀଙ୍କ ପରି ବରିଷ୍ଠ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ପାଖରେ କୌଣସି ପୁଲିସ୍ କର୍ମଚାରୀ ମଧ୍ୟ ନଥିଲେ।
ଗଣମାଧ୍ୟମ ପ୍ରତିନିଧିଙ୍କ ଚିତ୍କାର ପରେ ପୁଲିସ୍ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ବୁଢ଼ି ମାଉସୀଙ୍କୁ ଉଦ୍ଧାର କରିଥିଲେ। ବ୍ୟାରିକେଡ୍ରୁ ବାହାରିବା ପରେ କଇଁ କଇଁ ହୋଇ କାନ୍ଦୁଥିଲେ ବୁଢ଼ୀ ମାଉସୀ। ଆଉ କହିଥିଲେ, ଜୀବନରେ ଆଉ କେବେ ଆସିବିନି... ମୋର ଗୋଡ଼ହାତ କ’ଣ ହୋଇଗଲାଣି। .... କି ବ୍ୟବସ୍ଥା କରିଛନ୍ତି ଏ ଗୁଡ଼ାକ, ଛି...। ମାରିଦେବେ... ସବୁ ଜଗିକି ଅଛନ୍ତି ବୋଲି ବୁଢ଼ୀ ମାଉସୀ କୋହଭରା କଣ୍ଠରେ କହିଥିଲେ।
ସୂଚନାରୁ ପ୍ରକାଶ, ଦୁଇ ଦିନ ତଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ ବୟସ୍କ ଓ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ବୟସ୍କ ବ୍ୟକ୍ତିମାନଙ୍କୁ ଶ୍ରୀମନ୍ଦିର ଭିତରକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଧାଡ଼ିରେ ଯିବାକୁ ପଡ଼ିବ ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି, ତାହାହେଲେ ୭୦ ବର୍ଷୀୟା ହାରମଣୀ ମାଉସୀଙ୍କ କାହିଁକି ଦୀର୍ଘ ୫ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା? ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ଶ୍ରୀମନ୍ଦିରର ଏପରି ମାନବକୃତ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ଶ୍ରୀମନ୍ଦି ମୁଖ୍ୟ ପ୍ରଶାସକ। ନିଜର ଅଯୋଗ୍ୟ ପଣିଆକୁ ଲୁଚାଇବାକୁ ଯାଇ ବୟସାଧିକ ଓ ରୋଗାକ୍ରାନ୍ତଙ୍କୁ ଆସିବାକୁ ମନା କରିଛନ୍ତି ମୁଖ୍ୟ ପ୍ରଶାସକ। ସେ କହିଛନ୍ତି, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନପଶିବାକୁ ଅନୁରୋଧ। ଯେଉଁ ସମୟରେ କମ ଭିଡ଼ ଥିବ, ସୂଚନା ନେଇ ଆସିଲେ ଭଲ ହେବ। ଆଗ୍ରହ ସହ ସ୍ୱାସ୍ଥ୍ୟ ଅବସ୍ଥା ଦୃଷ୍ଟିରେ ରଖି ଆସିବାକୁ ଅନୁରୋଧ। କାର୍ତ୍ତିକ ମାସରେ ଏବେ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ଦର୍ଶନ କରିବାକୁ ଆସି ଲୋକେ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେଉଛନ୍ତି। ଆଜି ଦୀର୍ଘ ସମୟ ଧାଡ଼ିରେ ରହି କିଛି ଅସୁସ୍ଥ ହୋଇପଡ଼ିଥିଲେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିଛନ୍ତି।
କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ନୀଳକନ୍ଦରରେ ବଡ଼ ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଶ୍ରୀ ସୁଭଦ୍ରାଙ୍କ ସହିତ ବିଜେ କରୁଛନ୍ତି ମହାପ୍ରଭୁ। ହେଲେ ପ୍ରଭୁଙ୍କ ସାନିଧ୍ୟ ପାଇବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଥିବା ଶ୍ରଦ୍ଧାଳୁମାନେ ବଡ଼ ଦାଣ୍ଡରେ ଅତି ଦୟନୀୟ ଭାବେ ରାତ୍ରି ଜାପନ କରୁଛନ୍ତି। ଶୀତୁଆ ରାତିରେ କିଏ ଦୋକାନ ବାରଣ୍ଡାରେ ସମୟ ଅତିବାହିତ କରୁଛି ତ ଆଉ କିଏ ବଡ଼ଦାଣ୍ଡରେ ଖୋଲା ଆକାଶ ତଳେ ପିଲା ଛୁଆଙ୍କୁ ଧରି ରହୁଛନ୍ତି। ଆଉ କିଏ ସିଂହଦ୍ୱାର ସମ୍ମୁଖରେ ନିର୍ମାଣ ହୋଇଥିବା ବ୍ୟାରିକେଟରେ ଶୋଇଥିବା ଦେଖିବାକୁ ମିଳିଛି। ଆଉ ବା କ’ଣ କରିବେ? ପରିକ୍ରମା ପ୍ରକଳ୍ପ ନାଁରେ ରାଜ୍ୟ ସରକାର ମଠ ବାଡ଼ି ଓ ଧର୍ମଶାଳା ଭାଙ୍ଗି ଦେଇଥିବାରୁ ଶ୍ରଦ୍ଧାଳୁମାନେ ଏପରି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି। ହେଲେ ଏଥିପ୍ରତି ପ୍ରଶାସନର ତିଳେ ମାତ୍ର ନଜର ନାହିଁ।
ଉଦାହରଣ ସ୍ୱରୁପ- କାର୍ତ୍ତିକ ବ୍ରତ ପାଳିବା ପାଇଁ ଗଞ୍ଜାମରୁ ଆସିଥିଲେ କିଛି ବୟସ୍କ ଶ୍ରଦ୍ଧାଳୁ। ସେମାନେ ପ୍ରତିବର୍ଷ ଶ୍ରୀକ୍ଷେତ୍ର ଆସିଥାଆନ୍ତି। ଶ୍ରୀମନ୍ଦିର ପାଖରେ ଥିବା ଧର୍ମଶାଳାରେ ରହୁଥିଲେ। ଚଳିତବର୍ଷ ସେହି ଧର୍ମଶାଳାଟି ଭାଙ୍ଗି ଯାଇଥିବାରୁ ସହର ସାରା ଘୂରି ବୁଲିଥିଲେ। ହେଲେ ରହିବା ପାଇଁ ପାଇଲେ ନାହିଁ ଧର୍ମଶାଳା। ସେପଟେ ପାଖରେ ଏତେ ଟଙ୍କା ନାହିଁ ଯେ ବଡ଼ ବଡ଼ ହୋଟେଲ୍ ବା ଗେଷ୍ଟ ହାଉସ୍ରେ ରାତି କାଟିବେ। ତେଣୁ ଜଗା ଭରସାରେ ବଡ଼ଦାଣ୍ଡରେ ରାତି କାଟୁଥିବା କୋହର ସହ କହିଛନ୍ତି।
ଦିନ ଦରିଦ୍ରଙ୍କ ବନ୍ଧୁ ବୋଲାଉଥିବା ଜଗନ୍ନାଥଙ୍କ ଧାମରେ ପୁଣି ଭକ୍ତଙ୍କର ଏଭଳି ଅବସ୍ଥା? ଯାହାଙ୍କ ପାଇଁ ମନ୍ଦିର କଡ଼ରେ ଶହ ଶହ ବର୍ଷ ଧରି ମଠ ବାଡ଼ି ଛିଡ଼ା ହୋଇଥିଲା, ସେମାନେ ଆଜି ଶୀତ କାକରରେ ବଡ଼ଦାଣ୍ଡରେ ସଢୁଛନ୍ତି କାହିଁକି? ନା ଶ୍ରୀମନ୍ଦିର ପ୍ରଶାସନର ନିଘା ଅଛି, ନା ଜିଲ୍ଲା ପ୍ରଶାସନ ସାମାନ୍ୟତମ ବ୍ୟବସ୍ଥା କରୁଛି। ତଥ୍ୟ କହୁଛି- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପାଖାପାଖି ୧୮ଟି ଛୋଟବଡ଼ ମଠ ମାଟିରେ ମିଶିଛି। କେବଳ ମହନ୍ତ ଓ ଠାକୁରଙ୍କ ବିଜେ ସ୍ଥଳୀ ଛାଡ଼ି ବାକି ସବୁ ଅଞ୍ଚଳ ନିଶ୍ଚିହ୍ନ ହୋଇଛି। ସେମିତି ମନ୍ଦିର କଡ଼ରେ ଥିବା ଅନେକ ଛୋଟବଡ଼ ଲଜିଂ ଓ ଧର୍ମଶାଳାର ମଧ୍ୟ ସମାନ ଅବସ୍ଥା। ତେଣେ ମଠ ସଂପତ୍ତି ଶ୍ରୀମନ୍ଦିର ପ୍ରଶାସନ ଖାତାକୁ ଚାଲିଯିବା ପରଠୁ ସେସବୁକୁ ଏବେ ମୋଟା ଅଙ୍କରେ ବିକ୍ରି ପାଇଁ ମସୁଧା ଚାଲିଥିବା ଅଭିଯୋଗ କଲେଣି ମହନ୍ତ।
ହେଲେ ଏଭଳି ଅଭିଯୋଗକୁ କିନ୍ତୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। କହିଛନ୍ତି ମଠ ଗୁଡ଼ିକର ପୁନରୁଦ୍ଧାର ଚେଷ୍ଟା ଚାଲିଛି। ଆସନ୍ତା ରଥଯାତ୍ରା ପୂର୍ବରୁ ସେ କାମ ସାରିବାକୁ ଲକ୍ଷ୍ୟ ରହିଛି। ସେହିପରି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ହବିଷ୍ୟାଳୀଙ୍କ ରହଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଆଗକୁ ସ୍ୱଳ୍ପ ମୂଲ୍ୟରେ ୪ ହଜାର ଭକ୍ତଙ୍କ ରହଣୀ ପାଇଁ ବାସେଳି ସାହିରେ ଧର୍ମଶାଳା ନିର୍ମାଣ ଚାଲିଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ପଲଙ୍କ ଗୁଡ଼ିକ ବହୁଦିନ ତଳେ ନିର୍ମାଣ ହୋଇଥିଲା। ତେଣୁ ସେହି ପଲଙ୍କ ଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଆସନ୍ତାକାଲି(ଶୁକ୍ରବାର)ଠାରୁ ମହାପ୍ରଭୁଙ୍କ ରତ୍ନ ପଲଙ୍କ ମରାମତି କାମ ଆରମ୍ଭ ହେବ। ୩ଟି ପଲଙ୍କ ନିର୍ମାଣ ପାଇଁ ବର୍ମା ଟିକ୍ କାଠ ବ୍ୟବହାର ହେବ। ସେଥିପାଇଁ ଆବଶ୍ୟକ କାଠ ରହିଛି। ପଲଙ୍କରେ ବ୍ୟବହାର ହେବାକୁ ଥିବା ରୁପା ଜଣେ ଡୋନର ଦେଇଛନ୍ତି। ବର୍ତ୍ତମାନ ରୁପା ଆମ ପାଖରେ ରହିଛି। ହାତୀ ଦାନ୍ତ ମିଳିବାରେ ସମସ୍ୟା ଦେଖାଦେଉଛି। ତେଣୁ ପୁରୁଣା ପଲଙ୍କରେ ଲାଗିଥିବା ହାତୀ ଦାନ୍ତକୁ ଆଉଥରେ ବ୍ୟବହାର କରାଯିବ। ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ପୂର୍ବରୁ ୩ଟି ପଲଙ୍କ ନିର୍ମାଣ କାର୍ଯ୍ୟ ଶେଷ ହେବ। ଅର୍ଥାତ ଓଡ଼ିଆ ନବବର୍ଷରେ ମହାପ୍ରଭୁ ନୂଆ ପଲଙ୍କରେ ଶୟନ କରିବେ। ନାରାୟଣ, ମଦନ ମହନ, ଭୁଦେବୀ, ଶ୍ରୀଦେବୀ, ମାଧବ, ଅମାବାସ୍ୟା ଠାକୁର ଓ ଶୟନ ଠାକୁରଙ୍କ ପ୍ରଭା ମରାମତି କରାଯିବ। ସେ କାମ ମଧ୍ୟ କାଲିଠାରୁ ଆରମ୍ଭ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି, ଆସନ୍ତାକାଲି ଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି। ଗରୁଡ଼ ସ୍ତମ୍ଭଠାରୁ ପ୍ରଥମେ ଆରମ୍ଭ ହେବ ମରାମତି କାମ। ମରାମତି କାମ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ପ୍ରତିଦିନ ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ କାମ କରାଯିବ। ମରାମତି କାମ ବେଳେ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁରକ୍ଷାକୁ ଧ୍ୟାନ ଦିଆଯିବ। ନୀତିକାନ୍ତି ବ୍ୟାଘାତ ନହେଲା ଭଳି ଦେଖି ମରାମତି କାମ ଚାଲିବ। ଯେତେବେଳେ ନୀତିକାନ୍ତି ନଥିବ, ସେହି ସମୟରେ କାମ କରାଯିବ। କାର୍ତ୍ତିକ ମାସ ସରିଲେ, ପୂର୍ଣ୍ଣ ସମୟ ଦେଇ କାମ କରାଯିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି।
ସେ ଆହୁରି କହିଛନ୍ତି, ବର୍ତ୍ତମାନ ୩୦ରୁ ୪୦ ଜଣ ଦିବ୍ୟାଙ୍ଗ ଶ୍ରୀମନ୍ଦିର ଆସୁଛନ୍ତି। ସେଥିପାଇଁ ଶ୍ରୀମନ୍ଦିର ପାର୍ଶ୍ୱରେ ଗୋଟିଏ ରେଜିଷ୍ଟ୍ରେସନ୍ ସେଣ୍ଟର ଖୋଲା ଯାଇଛି। ସେଠାରେ ରେଜିଷ୍ଟ୍ରେସନ୍ ସରିବା ପରେ ଦିବ୍ୟାଙ୍ଗମାନଙ୍କୁ ହ୍ୱିଲ୍ ଚେୟାରେ ବସାଇ ସ୍ୱଚ୍ଛାସେବୀମାନେ ଉତ୍ତର ଦ୍ୱାର ପର୍ଯ୍ୟନ୍ତ ନେବେ। ତା’ପରେ ସେଠାରୁ ଶ୍ରୀମନ୍ଦିର ଭିତରକୁ ନିଆଯିବେ। ସେମାନଙ୍କୁ ଦୁଇଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ଭିତରକୁ ନିଆଯିବ। ସକାଳେ ଯେଉଁମାନେ ରେଜିଷ୍ଟ୍ରେସନ୍ କରିଥିବେ, ସେମାନଙ୍କୁ ୧୦ରୁ ୧୧ଟା ଭିତରେ ନିଆଯିବ। ଆଉ ଯେଉଁମାନେ ମଧ୍ୟାହ୍ନ ୧୨ଟା ପରେ ଆସିବେ, ସେମାନଙ୍କୁ ସାଢ଼େ ୩ଟାରୁ ୪ଟା ଭିତରେ ଶ୍ରୀମନ୍ଦିର ଭିତରକୁ ନେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
ଶ୍ରୀମନ୍ଦିର ସତ୍ତ୍ଵଲିପିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିରେ ୧୧୯ ପ୍ରକାର ସେବାରେ ନିୟୋଜିତ ହେଉଥିଲେ ସେବାୟତ। କିନ୍ତୁ ଏବେ ୧୭ରୁ ୧୮ ପ୍ରକାର ସେବା ବିଲୁପ୍ତ ହୋଇଗଲାଣି। ଯେମିତି ୮୫ ନମ୍ୱର ସେବାରେ ରହିଛି ଶଙ୍ଖୁଆ ସେବା। ସାଧାରଣ ଭକ୍ତମାନେ ଭାବନ୍ତି ଶଙ୍ଖକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଶଙ୍ଖ ବାଜେ ନାହିଁ। ଏହା ସମ୍ପୂର୍ଣ୍ଣ ଭୁଲ କଥା। ‘ନୀଳଦ୍ରୀ ମହୋଦୟ’ରେ କୁହାଯାଇଛି, ଦୈନିକ ପ୍ରଭାତରେ ଶଙ୍ଖଧ୍ୱନି କରି ମହାପ୍ରଭୁଙ୍କ ନିଦ୍ରାଭଙ୍ଗ କରାଇଯାଇଥାଏ। ଶ୍ରୀଜଗନ୍ନାଥ ମନ୍ଦିର ସତ୍ତ୍ଵଲିପି ଅନୁସାରେ ଶଙ୍ଖୁଆ ସେବକ ଦୈନିକ ସକାଳ ଧୂପ ସମୟରେ, ମହାପ୍ରଭୁଙ୍କ ସକଳ ବିଜେ ଓ ଯାନିଯାତ୍ରା ସମୟରେ ଶଙ୍ଖଧ୍ୱନି କରୁଥିଲେ। ହେଲେ ସେମାନଙ୍କୁ ଦରମା ପ୍ରଦାନ କରାନଯିବାରୁ ସେମାନେ କାମ ଛାଡିଦେଲେ। ଏହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉନି ବୋଲି କହିଛନ୍ତି ବରିଷ୍ଠ ପାଇକ ସେବକ।
ସେପଟେ ଆନ୍ତର୍ଜାତୀୟ ଓଡ଼ିଶୀ ଓ ମାହାରୀ ନୃତ୍ୟ ଶିଳ୍ପୀ ରୂପଶ୍ରୀ ମହାପାତ୍ର ପିଲାଟି ବେଳୁ ଦେବଦାସୀ ଶଶୀମଣି, ପରସ ମଣିଙ୍କ ସହ ରହିଆସିଛନ୍ତି। ଦେବଦାସୀ ପରମ୍ପରାକୁ ଉଜ୍ଜୀବିତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦୁଇଥର ଆବେଦନ କରିଛନ୍ତି। କିନ୍ତୁ ଉଭୟ ଦେବଦାସୀଙ୍କର ମୃତ୍ୟୁ ପରେ ଦେବଦାସୀ ପରମ୍ପରା ବା ସେବା ବନ୍ଦ ହୋଇଗଲା। କିନ୍ତୁ ତାଙ୍କୁ ଏହି ସେବା ଦିଆଯାଇପାରି ନାହିଁ। ଯାହାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।
ସେପଟେ ଶଙ୍ଖକ୍ଷେତ୍ର ପୁରୀରେ ଶଙ୍ଖ ବାଦ୍ୟ ସେବା ବନ୍ଦ ହେବା ଉଚିତ ନୁହେଁ। ତେଣୁ ସେହି ସେବା କିଭଳି ଉଜ୍ଜୀବିତ ହେବ ତା’ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବରିଷ୍ଠ ଚୂନରା ସେବକ ଦାବି କରିଛନ୍ତି।
୧୯୫୨ ମସିହାରେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ପାଇଁ ଶ୍ରୀଜଗନ୍ନାଥଙ୍କ ଯାନିଯାତ୍ରା, ସେବା ପୂଜା, ରୀତିନୀତି ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍ ପ୍ରଣୟନ କରିଥିଲେ। ସେବା ପୂଜା ଓ ସେବକଙ୍କ ତାଲିକାକୁ ନେଇ ରେକର୍ଡ ଅଫ୍ ରାଇଟ୍ସ ବା ଶ୍ରୀମନ୍ଦିର ସତ୍ତ୍ଵଲିପି ପ୍ରଣୟନ କରାଗଲା। ଏହାକୁ ୧୯୬୦ ମସିହା ଡିସେମ୍ବର ମାସରୁ ଲାଗୁ କରାଗଲା। ଶ୍ରୀମନ୍ଦିର ସତ୍ତ୍ୱଲିପିରେ ୧୧୯ ପ୍ରକାରର ସେବା ଲିପିବଦ୍ଧ ରହିଲା। କିନ୍ତୁ ଧୀରେ ଧୀରେ କିଛି ସେବା ଏଥିରୁ ବିଲୁପ୍ତ ହେଲାଣି।
ନିଃସନ୍ତାନ ହେତୁ ବା ଟଙ୍କାର ଅଭାବ ଯୋଗୁ ସେବା ପୂଜା ଯୋଗାଇ ପାରିନଥିବାରୁ ବା ମହାପ୍ରଭୁ ପାତାଳୀ ହେବା ଯୋଗୁ ସେବା ପୂଜା ବନ୍ଦ ହୋଇଯାଇଛି। ଯେମିତି କି- ଖଟୁଳି ସେବକ, ପରିଚ୍ଚା ସେବା, ବୀଣାକାର ସେବା, ଗୀତଗୋବିନ୍ଦ ସେବା, ସୁଆର ନିଯୋଗ ନାୟକ, ଦେବଦାସୀ, ପତରବନ୍ଧା ସେବା, ବୈଜୟନ୍ତୀରୀ ସେବାରୁ ଗୋଟିଏ ଚାଲିଥିବା ବେଳେ ଅନ୍ୟ ଚାରୋଟି ସେବା ମହୁରୀ, ଢୋଲକି, ସ୍ୱର ସେବା ବନ୍ଦ ହୋଇଯାଇଛି। ଏଥିସହ କୁମ୍ଭାର ବିଶୋଇ, ବାଣୁଆ, ମାପ ସାଇତିଆ କରଣ, କୋଠ କରଣ, ଚର୍ଚ୍ଚାଇତ କରଣ, ଦଉଡିବୋଳା ସେବା ଆଦି ବିଲୁପ୍ତ ହୋଇଗଲାଣି। ତେଣୁ ଏସବୁ ସେବା କିଭଳି ପୁନରୁଦ୍ଧାର ହେବା, ତା’ଉପରେ ଗୁରୁତ୍ୱ ଦିଆଯିବା ପାଇଁ ପରିଚାଳନା କମିଟିରେ ଆଲୋଚନା କରିବା ପାଇଁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଓ ପରିଚାଳନା କମିଟି ସଦସ୍ୟ।
ସେପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଯେଉଁ ସେବାର ଅତ୍ୟାବଶ୍ୟକ ରହିଛି ସେସବୁ ନୀତି ସବକମିଟିରେ ଆଲୋଚନା କରାଯାଇ ପରିଚାଳନା କମିଟିରେ ଏହାର ପୁନରୁଦ୍ଧାର ଉପରେ ଆଲୋକପାତ କରାଯିବ।
ମାଆ ଲକ୍ଷ୍ମୀଙ୍କୁ ପବିତ୍ର ରଥଯାତ୍ରା ସମୟରେ ମହାପ୍ରଭୁ ଗୁଣ୍ଡିଚା ଘରକୁ ନେଇନଥିଲେ। ତେଣୁ ନୀଳାଦ୍ରିବିଜେ ସମୟରେ ଅଭିମାନିନୀ ମାଆ ଲକ୍ଷ୍ମୀଙ୍କୁ ମହାପ୍ରଭୁ ଗୁପ୍ତଗୁଣ୍ଡିଚାରେ ଯିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେବେ ସେହି ପ୍ରତିଶ୍ରୁତି, ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ଗୁପ୍ତଗୁଣ୍ଡିଚା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ସେବାୟତମାନେ ମତ ଦେଇଛନ୍ତି।
ଦୁର୍ଗାମାଧବ ଉପାସନାର ଏକ ବିଶେଷ ଲୀଳା, ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥାଏ। ମାତା ମହାଲକ୍ଷ୍ମୀ, ମାଆ ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି।
ଷୋଳପୂଜାର ଶେଷ ଆଠ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିରରୁ ନାରାୟଣୀ ମନ୍ଦିରକୁ ଏକ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି। ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନା ନୀତି ପରମ୍ପରା ବେଶ ଅନନ୍ୟ।
ତେବେ ଏଠି ପ୍ରଶ୍ନ ଉଠୁଛି, ଶ୍ରୀମନ୍ଦିରକୁ ଗଲେ ପିନ୍ଧିବେ କ'ଣ? ପୁରୁଷ କ’ଣ ପିନ୍ଧିବେ ? ମହିଳାଙ୍କ ପରିଧାନ କିଭଳି ରହିବ? ଛୋଟ ପିଲା କିଭଳି ପୋଷାକ ପିନ୍ଧିବେ ? ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ ଡ୍ରେସ୍ କୋଡ୍ ସଂପର୍କରେ କୁହାଯାଇ ନଥିଲା ବେଳେ ଦଇତାପତି ନିଯୋଗର ସଂପାଦକ କହିଛନ୍ତି ମହିଳାମାନେ ଶାଢି ଓ ସାଲୱାର ପଞ୍ଜାବୀ ଏବଂ ପୁରୁଷମାନେ ପ୍ୟାଣ୍ଟ ସାର୍ଟ ଓ କୁର୍ତ୍ତା-ପଞ୍ଜାବୀ ପିନ୍ଧିପାରିବେ। ୧୨ ବର୍ଷରୁ କମ୍ ପିଲାମାନେ ହ୍ୟାଫ୍ ପ୍ୟାଣ୍ଟ ପିନ୍ଧି ପାରିବେ। କିନ୍ତୁ ପ୍ରାପ୍ତ ବୟସ୍କଙ୍କ ପାଇଁ ଚିରା ଫଟା ପୋଷାକ, ହାଫ୍ ପ୍ୟାଣ୍ଟ କିମ୍ବା ସ୍ଲିଭଲେସ୍ ଭଳି ଶରୀରକୁ ପୂର୍ଣ୍ଣ ଆବୃତ୍ତ କରୁନଥିବା ପୋଷାକ ପିନ୍ଧି ଶ୍ରୀମନ୍ଦିର ଯାଇ ପାରିବେନି। ନୂଆବର୍ଷଠୁ ଏ ନିୟମ କଡ଼ାକଡ଼ି ପାଳନ ହେବାକୁ ଥିବା ବେଳେ ଏନେଇ ବ୍ୟାପକ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଅପରପକ୍ଷେ, ସଚେତନତା ସତ୍ତ୍ୱେ ଯେଉଁ ଭକ୍ତ ମାର୍ଜିତ ପରିଧାନ ବିନା ଶ୍ରୀମନ୍ଦିରରେ ପହଞ୍ଚିବେ, ସେମାନେ ପ୍ରବେଶ ପୂର୍ବରୁ କିଭଳି ଉପଯୁକ୍ତ ପୋଷାକ ପିନ୍ଧିବେ, ସେଥିପାଇଁ ଚାରି ଦୁଆରରେ କ୍ଳକ୍ ରୁମ୍ ଓ ଚେଞ୍ଜିଂ ରୁମ୍ କରାଯିବାକୁ ଦାବି କରିଛନ୍ତି ସେବାୟତ।
ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଏହି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି। ହେଲେ କିଛି ବୁଦ୍ଧିଜୀବୀ ଏପରି ନିୟମ ଭକ୍ତଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥିବା କହି ବିରୋଧ କରିଛନ୍ତି। ଏପରିକି ଏହି କାରଣରୁ ଯଦି କୌଣସି ଭସ୍ତଙ୍କୁ ମନ୍ଦିର ପ୍ରବେଶରୁ ବଂଚିତ କରାଯାଏ ତାହେଲେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବ ବୋଲି କହିଛନ୍ତି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦଶ ସତ୍ତ୍ୱେ ଆଜିଯାଏଁ ମହାପ୍ରସାଦ ଦର ନିର୍ଦ୍ଧାରଣ ହୋଇ ପାରୁନଥିବା, ମୋବାଇଲ୍ କଟକଣା ମଧ୍ୟ ଠିକଣା ଭାବେ କାର୍ଯ୍ୟକାରୀ ହୋଇପାରୁନଥିବା ବେଳେ ଭକ୍ତ ଏବଂ ସେବାୟତଙ୍କ ସମର୍ଥନ ସତ୍ତ୍ୱେ ପରିଧାନକୁ ନେଇ ଲାଗୁ ହେବାକୁ ଥିବା ଏହି ନୂଆ ନିୟମ କିଭଳି କାର୍ଯ୍ୟକାରୀ ହେଉଛି ? ଏବେ ତାହା ଉପରେ ସମସ୍ତଙ୍କ ନଜର।
ଗ୍ରହଣ ସ୍ପର୍ଶ ସମୟରୁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସ୍ନାନ, ଗ୍ରହଣ ଖଇକୋରା ଭୋଗ ନୀତି ସମ୍ପନ୍ନ ହେବ। ୬ଟି ରାଶି ପାଇଁ ଶୁଭ ହୋଇଥିବା ବେଳେ ୬ଟି ରାଶି ପାଇଁ ଅଶୁଭ ଫଳଦାୟକ ହୋଇଥାଏ। ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ପାଇଁ ଅଶୁଭ ଥିବା ବେଳେ ମିଥୁନ, ବିଛା, ଧନୁ, ମକର, କୁମ୍ଭ ଓ ମୀନ ପାଇଁ ଶୁଭ ଫଳଦାୟକ ବୋଲି କହିଛନ୍ତି ଜ୍ୟୋତିର୍ବିଦ। ସେପଟେ କୁମାରପୂର୍ଣ୍ଣିମାର ଠିକ୍ ପରଦିନ କାର୍ତ୍ତିକ ବ୍ରତଧାରୀ ହବିଷ୍ୟାଳୀମାନେ ବ୍ରତ ଶଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରି ଆଶ୍ରମ ବିଜେ କରିବେ। ସେଥିପାଇଁ ପାଳିଆମାନେ ନୀତିକାନ୍ତି କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।
ନୂଆବର୍ଷଠାରୁ ନୂଆ ନିୟମ କଡ଼ାକଡ଼ି ହେବା ପୂର୍ବରୁ ଆସନ୍ତାକାଲିଠାରୁ ଭକ୍ତମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା କରାଯିବ। ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଭକ୍ତମାନଙ୍କୁ ପରାମର୍ଶ ଦିଆଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।
ଶ୍ରୀମନ୍ଦିର ପ୍ରଶାସକ ପକ୍ଷରୁ କୁହାଯାଇଛି, ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍ ପିନ୍ଧିବେ। ଫୁଲ୍ ଡ୍ରେସ୍ ପିନ୍ଧିବେ। କୌଣସି ଚରାଫଟା ଓ ହାପ୍ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍ ପିଲା ହାପ୍ ପ୍ୟାଣ୍ଟ ପିନ୍ଧି ପାରିବେ। ଯେଉଁମାନେ ଶାଳୀନତା ପୂର୍ଣ୍ଣ ଡ୍ରେସ୍ ପିନ୍ଧିନଥିବେ, ସେମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ।
କୋଟି ଓଡ଼ିଆଙ୍କ ମଉଡମଣୀ ହେଉଛି ମହାପ୍ରଭୁ କାଳିଆ ଠାକୁର। ସେଥିପାଇଁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଦୂରଦୂରାନ୍ତୁ ଶ୍ରୀକ୍ଷେତ୍ର ଆସୁଛନ୍ତି। ହେଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁମାନେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି। ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲୁନଥିବାରୁ ଏପରି ସମସ୍ୟା ଉପୁଜିଛି। ବାରମ୍ୱାର ଅନୁରୋଧ ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ବା ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ନଜର ଦେଉନାହିଁ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଏହା ବିରୋଧରେ ରାଜ ରାସ୍ତାକୁ ଓହ୍ଲାଇବ ଶ୍ରୀ ଜଗନ୍ନାଥ ସେନା। ଅକ୍ଟୋବାର ୩ ତାରିଖରେ ଜଗନ୍ନାଥ ସେନା ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦେଇଛି। ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ଦାବିରେ ସେନା ଏହି ବନ୍ଦ ଡାକରା ଦେଇଛି।
ଆଜି ପୁରୀ ଜିଲ୍ଲାପାଳ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଆଲୋଚନା ପାଇଁ ଡାକିଥିଲେ। ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ଚାରିଦୁଆର ଖୋଲାଯିବ ବୋଲି ଜିଲ୍ଲାପାଳ କହିଥିଲେ। ମାତ୍ର ଏଥିରେ ସହମତି ପ୍ରକାଶ କରିନଥିଲେ ଜଗନ୍ନାଥ ସେନା ଆବାହକ। ନିଜ ଜିଦ୍ରେ ଅଟଳ ରହିଥିଲା ସେନା। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଲିଖିତ ପ୍ରତିଶ୍ରୁତି ନମିଳିଲେ ଭକ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ କରିବ ବୋଲି ପୁନର୍ବାର ଚେତାବନୀ ଦେଇଛି ସେନା।
କାଳିଆ ପାଇଁ ଦିନଟିଏ। ଭକ୍ତ ପାଇଁ ଦିନଟିଏ ଦେବାକୁ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଆହ୍ୱାନ ଦିଆଯାଇଛି। ଶ୍ରୀ ଜଗନ୍ନାଥ ସେନାର ଏହି ଦାବିକୁ ରାଜନୈତିକ ଦଳମାନେ ସମର୍ଥନ ଥିବା ଜଣାପଡ଼ିଛି। ଚାରିଦୁଆର ଓ ରତ୍ନଭଣ୍ଡାର ଖୋଲିବା ଏବଂ ରତ୍ନଭଣ୍ଡାର ସୁରକ୍ଷା ଦାବି ଯଥାର୍ଥ ବୋଲି ବିଜେଡିଠାରୁ ଆରମ୍ଭ କରି ବିଜେପି ଓ କଂଗ୍ରେସ ନେତାମାନେ ଦାବି କରିଛନ୍ତି। ଓଡ଼ିଶା ବନ୍ଦ ଡାକରା ଏକ ମାଧ୍ୟମ ନୁହେଁ। ପ୍ରତିବାଦର ଭିନ୍ନ ଭିନ୍ନ ବାଟ ରହିଛି ବୋଲି ପୂର୍ବତନମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି।
ସେପଟେ ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, ବନ୍ଦ ଡାକରା ଦାବି ଶାନ୍ତିପୂର୍ଣ୍ଣ ହେଲେ ଆମେ ସମର୍ଥନ କରିବୁ। ପୂର୍ବରୁ ଚାରି ଦୁଆର ଖୋଲା ଯାଉଥିଲା। ଏବେ ଖୋଲାଯିବା ଉଚିତ। ମୁଁ ମଧ୍ୟ ଚାହୁଁଛି, ଚାରି ଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ଯାଆନ୍ତୁ ବୋଲି ଜୟନ୍ତ ଷଡଙ୍ଗୀ କହିଛନ୍ତି।
ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଷ୍ଟଡିଜର ରିପୋର୍ଟ ଅନୁସାରେ ସେବାୟତ ପରିବାରରେ ଗତ ୨୦୦୫ ମସିହାରେ ୧୦୦୦ ପୁରୁଷରେ ମହିଳାଙ୍କ ସଂଖ୍ୟା ଥିଲା ମାତ୍ର ୮୬୩। ଅବଶ୍ୟ ଏହା ପରେ ସେହି ଅନୁପାତ ୨୦୧୩ ମସିହାରେ ୮୭୩ ଓ ୨୦୨୧ ମିହାରେ ୯୨୪ରେ ପହଞ୍ଚିଛି। ତଥାପି ପୁଅ ତୁଳନାରେ ଝିଅ ସଂଖ୍ୟା କମ ଥିବାରୁ ବାଧ୍ୟ ହୋଇ କେହି କେହି ଅନ୍ୟ କୁଳରେ ବିବାହ କରୁଛନ୍ତି। ଏହାବାଦ ସାମାଜିକ ଓ ଶିକ୍ଷାଗତ ଯୋଗ୍ୟତାର ତାରତମ୍ୟ ପାଇଁ ମଧ୍ୟ ବେଳେ ବେଳେ ଭିନ୍ନକୁଳ ବିବାହ ହେଉଛି। ଫଳରେ ପ୍ରଥା, ପରମ୍ପରାର ଉଲ୍ଲଂଘନରୁ ସେବାପୂଜାର ଅଧିକାର ହରାଇବାକୁ ପଡୁଛି। ତେଣୁ ଏହା ଆଗକୁ ସମସ୍ୟା ସୃଷ୍ଟି କରି ପାରେ ବୋଲି ସେବାୟତ ମତ ଦେଇଛନ୍ତି।
ତେବେ ପୁଅ-ଝିଅ ସଂଖ୍ୟା ଅନୁପାତରେ ପାର୍ଥକ୍ୟକୁ କମ କରିବା ପାଇଁ ସେବାୟତଙ୍କ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ପରିଚାଳନା କମିଟି ସଦସ୍ୟ। ଏପରିକି କନ୍ୟା ସନ୍ତାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିହାରୀ ନିଯୋଗ ପକ୍ଷରୁ ୧ ଲକ୍ଷ ଟଙ୍କା ଓ ଗରାବଡୁ ନିଯୋଗ ପକ୍ଷରୁ ୩୦ ହଜାର ଟଙ୍କା ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ରହିଛି। ତେଣୁ ସବୁ ନିଯୋଗ ମଧ୍ୟ ଏଭଳି ପଦକ୍ଷେପ ନେବା ସହ ସେବାପୂଜା ଜଡ଼ିତ ସମସ୍ୟା ତୁଟାଇବାକୁ ମିଳିତ ହୋଇ ସମାଧାନର ସୂତ୍ର ବାହାର କରିବା ଦରକାର ବୋଲି ବରିଷ୍ଠ ସେବାୟତ କହିଛନ୍ତି।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ସୂଚନା ଅନୁସାରେ, ସକାଳ ୬ଟା ୫୫ ମିନିଟରେ ମଙ୍ଗଳ ଆଳତୀ ସରିବା ପରେ ସୃଷ୍ଟି ହୋଇଥିଲା ବିବାଦ। ଅନ୍ୟ ଜାତିରେ ବିବାହ କରିଥିବାରୁ ୫ ବର୍ଷ ତଳୁ ନିଜ ନିଯୋଗ ଦ୍ୱାରା ସେବାନିବୃତ ହୋଇଥିବା ସିଂହାରୀ ସେବକ ଶଙ୍ଖମିତ୍ର ସିଂହାରୀ ଆଜି ସୁଭଦ୍ରାଙ୍କ ବାଡ଼ରେ ମଙ୍ଗଳ ଆଳତୀ କରିଥିଲେ। ଯାହାକୁ ବିରୋଧ କରି ଅନ୍ୟ ପାଳିଆ ସେବକମାନେ ଆଉ ନୀତି ଆଗକୁ ନେଇନଥିଲେ।
ବିବାଦ ବଢ଼ିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା। ଏହା ତୁଟିବାବେଳକୁ ଦିନ ଦୁଇଟା ବାଜି ଯାଇଥିଲା। ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ, ଏଭଳି ଘଟଣାର ତଦନ୍ତ ହେବ। ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଜଣେ ସେବାନିବୃତ୍ତ ସେବକ ରତ୍ନସିଂହାସନ ଉପରକୁ ଉଠିଲେ କେମିତି ? ଅନ୍ୟ ସେବକ ଓ ଶ୍ରୀମନ୍ଦିର କମାଣ୍ଡର ସେତେବେଳେ ତାଙ୍କୁ କାହିଁକି ଅଟକାଇଲେନି? ଏସବୁ ପ୍ରଶ୍ନ ନେଇ କିନ୍ତୁ ମୁଖ୍ୟ ଶ୍ରୀମନ୍ଦିର ପ୍ରଶାସକଙ୍କ ଉତ୍ତର ଆଦୌ ସନ୍ତୋଷଜନକ ନଥିଲା।
ଗୋଟିଏ ପଟେ ଆଜି ସପ୍ତପୁରୀ ଅମାବାସ୍ୟ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସାଙ୍ଗକୁ ନାରାୟଣଙ୍କ ସାଗର ବିଜେ ନୀତି ହୋଇଥାଏ। ହଜାର ହଜାର ଶ୍ରଦ୍ଧାଳୁ ମଧ୍ୟ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଛନ୍ତି। ହେଲେ ଘୋର ନୀତି ବିଭ୍ରାଟ ସହ ଠାକୁରମାନେ ଖାଡ଼ା ଉପାସ ରହିବା କଥା ଶୁଣି ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି ଭକ୍ତ। ତା’ସହ ଠିକ ସମୟରେ ଆନନ୍ଦ ବଜାରରେ ମହାପ୍ରସାଦ ନପାଇ ନିରାଶ ହୋଇ ଫେରିଛନ୍ତି।
ହରିୟାଣାର ଫରିଦାବାଦ ଅଞ୍ଚଳର ଅଶୋକ ବର୍ମା ମେ’ ମାସ ୩୦ ତାରିଖ ରେ ପାଦରେ ଚାଲି ଚାଲି ବାହାରିଥିଲେ ବାଗେଶ୍ୱର ଧାମ । ସେ ଜୁନ ୧୯ ତାରିଖରେ ବାଗେଶ୍ୱର ଧାମରେ ପହଞ୍ଚିଥିଲେ । ସେଠାରେ ସେ ବାଗେଶ୍ୱର ଧାମ ଦର୍ଶନ କରିବା ସହ ବାବାଙ୍କ ନିକଟରେ ନିଜର ଗୁହାରୀ ଜଣାଇଥିଲେ। ଆଉ ତା’ପରେ ଯାହା ହୋଇଥିଲା ତାହା ଆଶ୍ଚର୍ଯ୍ୟଠୁ କମ୍ ନୁହେଁ ।
ବାବାଙ୍କ ନିକଟରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଚିତ୍ର ଉପରେ ଅଶୋକଙ୍କ ନଜର ପଡ଼ିଗଲା । ସେବେଠୁ ସେ ଜଗନ୍ନାଥଙ୍କ ପ୍ରେମରେ ପଡ଼ି ଯାଇଥିବା ବେଳେ ତାଙ୍କ ଚକା ଚକା ଆଖି ତାଙ୍କୁ ଅଥୟ କଲା । ଏହାପରେ ମହାପ୍ରଭୁଙ୍କ ନାମ ନେଇ ସେଠାରୁ ପାଦରେ ଚାଲି ଚାଲି ସିଧା ପୁରୀ ଜଗନ୍ନାଥ ଧାମ ବାହାରିଥିଲେ ।
ସେ ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଦେଇ ୫୭ ନମ୍ବର ଜାତୀୟ ରାଜପଥରେ ପୁରୀ ଅଭିମୁଖେ ପାଦ ବଢ଼ାଇ ଚାଲିଛନ୍ତି। ସେ ଜଗନ୍ନାଥଙ୍କୁ ଦର୍ଶନ କରି ନିଜ ଗୁହାରୀ ତାଙ୍କ ଜାଗା ପାଖରେ ରଖିବେ ବୋଲି କହିଛନ୍ତି ।
ଏନେଇ ଅଶୋକ ବର୍ମା କହିଛନ୍ତି, ମୁଁ ଜଗନ୍ନାଥଙ୍କ ସମ୍ପର୍କରେ ପୂର୍ବରୁ ଶୁଣିଥିଲେ ବି ବିଶେଷ କିଛି ଧାରଣା ନ ଥିଲା। ମାତ୍ର ବାଗେଶ୍ୱର ଧାମ ପୀଠରେ
ଜଗନ୍ନାଥଙ୍କ ଫଟୋ ଦେଖିବା ପରେ ତାଙ୍କ ଦର୍ଶନ କରିବାକୁ ମୋ’ ମନରେ ଇଚ୍ଛା ଜାଗ୍ରତ ହେଲା। ଏହାପରେ ଆଉ ଘରକୁ ନ ଫେରି ୯ ଜୁଲାଇରୁ ପୁରୀ ଅଭିମୁଖେ ବାହାରି ଚାଲିବାରେ ଲାଗିଛି।
ପୂରା ଘଟଣା ଦେଖିବାକୁ ଗଲେ, ବାରିପଦା ଜଗନ୍ନାଥ ମନ୍ଦିର ହେଉଛି ବହୁ ପୁରାତନ। ରାଜରାଜୁଡ଼ା ଅମଳରୁ ନିର୍ମାଣ ହୋଇଛି। ଉତ୍ତର ଓଡ଼ିଶାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ। ହେଲେ ମହାପ୍ରଭୁଙ୍କ ଏହି ପୀଠ ପ୍ରତି ରାଜ୍ୟ ସରକାର ଅଣଦେଖା କରାଯାଉଥିବା ଅଭିଯୋଗ ହେଉଛି। ମନ୍ଦିରର ଉନ୍ନତି କରଣ, ଜଗନ୍ନାଥଙ୍କ ଜମି ପୁନଃ ଉଦ୍ଧାର, ଜଗନ୍ନାଥଙ୍କ ସମ୍ପତ୍ତି ପୁନଃ ଉଦ୍ଧାର, ଠାକୁରଙ୍କ ଗହଣା ଉଦ୍ଧାର ଓ ସେବାୟତଙ୍କ ମାସିକ ଭତ୍ତା ବୃଦ୍ଧି ପରି ଅନେକ ଦାବି ନେଇ ସେବାୟତମାନେ ବହୁବାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତ ସମୟରେ ସେବାୟତମାନେ ସେମାନଙ୍କ ଦାବି ଜଣାଇଥିଲେ। ହେଲେ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ସେବାୟତଙ୍କ ଦାବି ପୂରଣ କଲେ ନାହିଁ। ଏପରିକି ସେମାନଙ୍କ ସହିତ ଆଲୋଚନା କଲେ ନାହିଁ।
ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଗୁହାରୀ ଜଣାଇବା ପାଇଁ ଆଜି ପଦଯାତ୍ରାରେ ବାହାରିଥିଲେ ସେବାୟତ। ଆଜି ସକାଳେ ସେବାୟତମାନେ ମହାପ୍ରଭୁଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ପଦଯାତ୍ରାରେ ବାହାରିଥିଲେ। ପ୍ରାୟ ୨୦ ଜଣ ସେବାୟତ ପଦଯାତ୍ରାରେ ବାରିପଦାରୁ ବାହାରିଥିଲେ।
ସେବାୟତଙ୍କ ପଦଯାତ୍ରା ସମ୍ପର୍କରେ ଖବର ପାଇ ବାରିପଦା ଡେପୁଟି କଲେକ୍ଟର ଓ ଅନ୍ୟ ଅଧିକାରୀମାନେ ମନ୍ଦିର ପାଖରେ ପହଞ୍ଚିଥିଲେ। ସେବାୟତମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ହେଲେ ସବୁ ଉଦ୍ୟମ ଫେଲ୍ ମାରିଲା। ସେବାୟତମାନେ ନିଜ ଜିଦ୍ରେ ଅଟଳ ରହିଥିଲେ ଓ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ।
ବାରିପଦା ଜଗନ୍ନାଥ ମନ୍ଦିରଠାରୁ ପ୍ରାୟ ୨୦ କିମି ଚାଲିବା ପରେ ସେବାୟତମାନେ ବୁଢ଼ି ଖମାରୀ ଛକରେ ପହଞ୍ଚିଥିଲେ। ଡେପୁଟି କଲେକ୍ଟରଙ୍କଠାରୁ ସବୁ ତଥ୍ୟ ସଂଗ୍ରହ କରି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସ୍ପି ବି.ଙ୍ଗାଧର ଓ ଅନ୍ୟ ପଦାଧିକାରୀମାନେ ବୁଢ଼ି ଖମାରୀ ଛକରେ ପହଞ୍ଚି ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ଦୀର୍ଘ ସମୟ ଧରି ରାସ୍ତାରେ ଆଲୋଚନା ହୋଇଥିଲା। ଶେଷରେ ପ୍ରତିଶ୍ରୁତି ମିଳିବା ପରେ ସେବାୟତମାନେ ଫେରିଥିବା ଜଣାପଡ଼ିଛି।
ସେବାୟତଙ୍କ ଦୀର୍ଘ ଦିନର ଦାବି କ’ଣ ପାଇଁ ଶୁଣୁନଥିଲା ଜିଲ୍ଲା ପ୍ରଶାସନ? ଜିଲ୍ଲାପାଳ ଚାହିଁଥିଲେ କ’ଣ ଆଜି ସକାଳେ ସେବାୟତଙ୍କ ସହିତ ଆଲୋଚନା କରିପାରିନଥାଆନ୍ତେ? ହେଲେ ତାହା ହେଲା ନାହିଁ। ୨୦ କିମି ଚାଲିବା ପରେ ଜିଲ୍ଲାପାଳ ଓ ଏସ୍ପି ହଠାତ୍ କାହିଁକି ଭେଟିବାକୁ ଗଲେ? ତାହାର କାହା ପାଖରେ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି, ଆଗାମୀ କିଛି ଦିନ ଭିତରେ 5-T ସଚିବ ମୟୂରଭଞ୍ଜ ଗସ୍ତରେ ଆସିବେ। 5-T ସଚିବଙ୍କ ଗସ୍ତ ପୂର୍ବରୁ ଜିଲ୍ଲାରେ ଯେପରି କୌଣସି ବିଶୃଙ୍ଖଳା ନଘଟେ, ସେଥିପାଇଁ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।
ରିପୋର୍ଟ-ବାରିପଦାରୁ ମାଣିକଲାଲ୍ ପାଣି
ସେପଟେ ଦତ୍ତମହାପାତ୍ର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଯାଇଛି ଯେ, ପ୍ରଶାସନ ଯେଉଁ ଦିନ ଠାକୁରଙ୍କ ବନକଲାଗି କରିବାକୁ ନିଷ୍ପତ୍ତି ନେବ ସେହିଦିନ ପାଇଁ ଦତ୍ତମହାପାତ୍ର ନିଯୋଗ ପ୍ରସ୍ତୁତ ରହିଛି।
ସୂଚନା ଥାଉକି, ସରକାର ଓ ଶ୍ରୀମନ୍ଦିର ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ମହାପ୍ରଭୁମାନଙ୍କ ବନକଲାଗି ହୋଇପାରୁନି। ଗୁରୁବାର ବନକଲାଗି କରିବାକୁ ଦତ୍ତମହାପାତ୍ର ନିଯୋଗ ଜିଦ୍ ଧରିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ବୁଧବାର କରିବାକୁ କହୁଛି। ଦତ୍ତମହାପାତ୍ର ନିଯୋଗ ସେବା ନକଲେ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ଚେତାବନୀ ଦେଇଥିବା ଶ୍ରୀମନ୍ଦିର ପ୍ରଶାସନ ପରେ ଶୀଥିଳ ପଡ଼ି ଯାଇଥିଲା। ଏହି ନିଷ୍ପତ୍ତି ବିବାଦ ଗତ ୨୮ ତାରିଖ ନୀତି ସବ୍କମିଟି ବୈଠକରେ ଛିଡ଼ି ନପାରିବାରୁ ଆଜି ହେବାକୁ ଥିବା ପରିଚାଳନା କମିଟିରେ ସମାଧାନ ହେବାର ଥିଲା। ହେଲେ ଏହି ବୈଠକ ମଧ୍ୟ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେଣୁ ବିବାଦର ସ୍ଥାୟୀ ସମାଧାନ ବାଟ ଦିଶୁନି। ଏପରି ସ୍ଥଳେ ମହାପ୍ରଭୁଙ୍କ ବନକଲାଗି କେବେ ହେଉଛି ତାହାକୁ ଭକ୍ତ ଚାହିଁ ବସିଛନ୍ତି। ପ୍ରଶାସନ ଓ ସେବକଙ୍କ ଦାୟିତ୍ୱହୀନତା ନେଇ ଅସନ୍ତୋଷ ଝାଡ଼ୁଛନ୍ତି।
ବନକଲାଗି ନିର୍ଦ୍ଧାରିତ ସମୟରେ ନ ହେବା ଫଳରେ ମହାପ୍ରଭୁଙ୍କ ଶ୍ରୀମୁଖରେ ବିଘ୍ନ ଜଳଜଳ ଦେଖାଗଲାଣି। ଏହା ରାଜା, ପ୍ରଜାଙ୍କ ନିମନ୍ତେ ଅମଙ୍ଗଳକାରକ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଗତ ରଥଯାତ୍ରା ପରଠାରୁ ଏ ପର୍ଯ୍ୟନ୍ତ ପ୍ରାୟ ମାସେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନି। ଯାହାକି ପ୍ରତି ସପ୍ତାହର ବୁଧବାର କିମ୍ୱା ଗୁରୁବାର ହେବା କଥା ବୋଲି ଶାସ୍ତ୍ରୀୟ ପ୍ରମାଣ ରହିଛି।
ମହାପ୍ରଭୁଙ୍କ ବନକଲାଗି ସେବା କରିଆସୁଥିବା ଦତ୍ତ ମହାପାତ୍ର ସେବକଙ୍କ ଦାବି-ଶ୍ରୀମନ୍ଦିର ସତ୍ତ୍ୱଲିପିରେ ମାସକୁ ୪ ଥର ଓ ପ୍ରତି ଗୁରୁବାର ଶ୍ରୀମୁଖ ଶୃଙ୍ଖାର ନୀତି କରାଯିବାର ବିଧି ରହିଛି। ଏମିତିକି ଗୁରୁବାର ମହାଲକ୍ଷ୍ମୀଙ୍କ ମାଜଣା ନୀତି ଚାଲୁଥିବାରୁ ସେହିଦିନ ମହାପ୍ରଭୁ ଜଗନ୍ନାଥଙ୍କ ଅଧରପୋଛା ସହ ବନକଲାଗି କରାଯିବାର ତାତ୍ତ୍ୱିକ ନିୟମ ରହିଛି। ଯଦି କେବେ କିଛି ଅସୁବିଧା ଥିଲେ ତା’ର ଦିନକ ଆଗରୁ ଅର୍ଥାତ୍ ବୁଧବାର ବନକଲାଗି କରାଯାଏ। କିନ୍ତୁ ଏବେ ଗୁରୁବାର ପରିବର୍ତ୍ତେ ସବୁ ବୁଧବାର ଶ୍ରୀମୁଖ ଶୃଙ୍ଗାର ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ କରୁଛି। ଯାହାକି ରେକର୍ଡ ଅଫ୍ ରାଇଟ୍ସର ଉଲ୍ଲଂଘନ।
ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି- ବୁଧବାର ବନକଲାଗି କରାଯିବାକୁ ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏବେ ଦତ୍ତ ମହାପାତ୍ର ସେବକମାନେ ଯେଉଁ ଜିଦ ଧରିଛନ୍ତି, ତାକୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ସମାଧାନ କରୁ। ଏ ପ୍ରସଙ୍ଗ ସେମାନେ ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଉଠାଇ ପାରିବେ। ଯେହେତୁ ବିଭିନ୍ନ ସମୟରେ ମନ୍ଦିରରେ ଯାନିଯାତ୍ରା ପାଇଁ ଭିଡ଼ ହୁଏ, ତେଣୁ ବୁଧବାର ଆଗୁଆ ଶ୍ରୀମୁଖ ଶୃଙ୍ଗାର ନୀତି କରାଯିବାରେ କୌଣସି ଅସୁବିଧା ନାହିଁ।
ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଅଧିକାଂଶ ଭକ୍ତ ଶାଳୀନତା ରକ୍ଷା କରୁନଥିବା ଭଳି ପୋଷାକ ପରିଧାନ କରୁଛନ୍ତି। ଯାହାକି ଜଗନ୍ନାଥଙ୍କ ସଂସ୍କୃତି ଓ ପରମ୍ପରାକୁ ଆଘାତ ପହଞ୍ଚାଉଛି। ତେଣୁ ପାଶ୍ଚାତ୍ୟ ପୋଷାକ ପିନ୍ଧି ଆସୁଥିବା ଭକ୍ତଙ୍କୁ ମନ୍ଦିର ପ୍ରବେଶ ପୂର୍ବରୁ ଅଟକାଯାଉ। ଚେଞ୍ଜିଂ ରୁମ୍ରେ ପୋଷାକ ବଦଳାଇ ମନ୍ଦିରକୁ ଯିବାର ବ୍ୟବସ୍ଥା କରାଯାଉ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
ସେପଟେ ନିଯୋଗର ଏଭଳି ଦାବିକୁ ସମର୍ଥନ କରି ଆଉ ଜଣେ ବରିଷ୍ଠ ସେବାୟତ କହିଛନ୍ତି, ଦକ୍ଷିଣ ଭାରତର ଅଧିକାଂଶ ମନ୍ଦିର ସହ ଦେଶର ପ୍ରାୟ ସବୁ ପ୍ରମୁଖ ଧାର୍ମିକ ସ୍ଥଳରେ ଡ୍ରେସକୋଡ୍ ବ୍ୟବସ୍ଥା ରହିଛି। ତେଣୁ ଶ୍ରୀମନ୍ଦିରରେ ମଧ୍ୟ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ। କାଳିଆ ଦର୍ଶନ ପାଇଁ ଆସୁଥିବା ମହିଳାମାନେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼େଇ ରଖିଲା ଭଳି ଶାଢ଼ୀ ଓ ସାଲୱାର ପରିଧାନ କଲେ ଭଲ। ସେହିପରି ପୁରୁଷ ଭକ୍ତମାନେ ଧୋତି, ଗାମୁଛା ସହ ମଠା ପିନ୍ଧିବାକୁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ଯଥାଶୀଘ୍ର ଯତ୍ନବାନ ହୋଇ ନିଷ୍ପତ୍ତି ନେବାକୁ ନିଯୋଗ ନିବେଦନ କରିଛନ୍ତି ସେବାୟତ।
ତେଣେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ଦାବି ଯଥାର୍ଥ ଦର୍ଶାଇଛନ୍ତି ଅନେକ ଭକ୍ତ। ତେବେ କିଏ କେଉଁ ପ୍ରକାର ପୋଷାକ ପିନ୍ଧିବ? କେତେ ବୟସ ପିଲାଙ୍କଠାରୁ ଏହାକୁ ବାଧ୍ୟତାମୂଳକ କରାଯିବ? ସେ ନେଇ ସ୍ପଷ୍ଟତା ଆସିବା ଦରକାର ବୋଲି ଭକ୍ତଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ତେବେ ଅତିକମ୍ରେ ୧୨ରୁ ୧୪ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଏହା ଲାଗୁ ନକରିବାକୁ ପ୍ରସ୍ତାବ ରଖିଛନ୍ତି।
ଡ୍ରେସକୋଡ୍ ଲାଗୁ ପାଇଁ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର ବିଚାରଧାର ଭିତରେ ରହିଛି। କିନ୍ତୁ ଏଥିପାଇଁ ମନ୍ଦିର ପରିଚାଳନା କମିଟି, ସେବାୟତ ନିଯୋଗ ଓ ପ୍ରଶାସନର ସହମତି ଆସିଲେ ଯାଇ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜୀତେନ୍ଦ୍ର ସାହୁ।
୨୦୨୧ ମସିହା ଅକ୍ଟୋବର ୨୦ ତାରିଖରୁ ଶ୍ରୀମନ୍ଦିରରେ ସେବାୟତଙ୍କ ପାଇଁ ଲାଗୁ ହୋଇ ସାରିଛି ଡ୍ରେସକୋଡ୍। ଧୋତି, ଗାମୁଛା ଓ ପାଟ ପିନ୍ଧିନଥିଲେ କୌଣସି ସେବାୟତଙ୍କୁ ସେବାପୂଜା ପାଇଁ ଅନୁମତି ମିଳିବନି ବୋଲି ନିୟମ ହୋଇଥିଲା। ହେଲେ ତାହା ଏଯାଏଁ କଡ଼ାକଡ଼ି ପାଳନ ହେଉନାହିଁ। ଆଉ ଏଭଳି ସ୍ଥିତିରେ ଭକ୍ତଙ୍କ ପାଇଁ ଡ୍ରେସକୋଡ୍ ଲାଗୁ ଦାବି ଉଠିଲାଣି।
ଅନ୍ୟପଟେ ଆଉ କିଛି ସେବାୟତଙ୍କ ମତ ହେଲା ରତ୍ନଥାଳିରେ କୋଠ ଭୋଗରେ ଶ୍ରୀଜିଉଙ୍କୁ ଖେଚୁଡି ପରଷା ଯାଉ। ରତ୍ନ ଭଣ୍ଡାର ଖୋଲି ଗଣତି ହେଲେ ମହାପ୍ରଭୁଙ୍କ ଦୁର୍ମୁଲ୍ୟ ଅଳଙ୍କାର ସମ୍ପର୍କରେ ସୂଚନା ମିଳିପାରିବ। ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ମଧ୍ୟ ସମାନ କଥା ଉଠାଇ ଥିଲେ।
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ସବୁ କଥା ଯଦି ହାଇକୋର୍ଟ ଯିବ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ କରାଯିବ, ତାହାହେଲେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗ ବୈଠକର ମୂଲ୍ୟ କଣ? ରତ୍ନଭଣ୍ଡାର ନଖୋଲିବାକୁ ନେଇ ସେବାୟତମାନେ ସନ୍ଦେହ ଘେରକୁ ଆସିଲେଣି। ତେଣୁ ଖୁବ୍ଶୀଘ୍ର ରତ୍ନଭଣ୍ଡା ଖୋଲାଯାଉ। ମରାମତି କରାଯାଉ। ରତ୍ନଭଣ୍ଡାରରେ ଥିବା ସୁନା ଓ ରୁପା ଥାଳିରେ ମହାପ୍ରଭୁଙ୍କଠାରେ ଭୋଗ ଲାଗୁ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
ସେହିପରି ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ମହାପ୍ରଭୁ ବହୁ ବର୍ଷ ହେଲା ରଘୁନାଥ ବେଶ ହୋଇନାହାନ୍ତି। ତେଣୁ ରତ୍ନଭଣ୍ଡାର ଖୋଲାଯାଉ, ସେଠାରେ ଥିବା ଅଳଙ୍କାର ବାହାର କରି ମହାପ୍ରଭୁଙ୍କ ରଘୁନାଥ ବେଶ କରାଯାଉ। ଫଳରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ରଘୁନାଥ ବେଶ ଦେଖିପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ସେପଟେ ବିରୋଧୀ ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି କରି ଆସୁଛନ୍ତି। ତେବେ କାହିଁକି ସରକାର ପଛଘୁଞ୍ଚା ଦେଉଛନ୍ତି ତାହା ଜଣାପଡୁନାହିଁ। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ସରକାର ହେଉଛନ୍ତି ରତ୍ନ ଭଣ୍ଡାରର ମାର୍ଫତଦାର, ମାଲିକ ନୁହନ୍ତି। ପୂର୍ବରୁ କେତେ ଥିଲା ଏବେ ସମ୍ପତ୍ତି କେତେ ଅଛି ତାହା ଜାଣିବା ଭକ୍ତଙ୍କ ଅଧିକାର। ରତ୍ନ ଭଣ୍ଡାର ନଖୋଲିବା ସନ୍ଦେହର ମୁଖ୍ୟ କାରଣ ଶ୍ରୀ ମହାପାତ୍ର କହିଛନ୍ତି। ସେହିପରି କଂଗ୍ରେସ କଡା ସମାଲୋଚନା କରି କହିଛି, କାହିଁକି ରତ୍ନ ଭଣ୍ଡାର ଖୋଲାଯାଇ ସୂଚନା ସାର୍ବଜନୀନ କରାଯାଉନି ? ତେବେ ବାଦ ବିବାଦ ବଢ଼ିବା ପରେ ସାଂସଦ ପିନାକୀ ମିଶ୍ର ମୁହଁ ଖୋଲି କହିଛନ୍ତି, କେସ୍ କୋର୍ଟରେ ଅଛି। କୋର୍ଟଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ସମ୍ପାଦନ ହେବ।
ରତ୍ନ ଭଣ୍ଡାରରେ ମହାପ୍ରଭୁଙ୍କର ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ଅଳଙ୍କାର ରହିଛି। ଶେଷ ଥର ଲାଗି ୧୯୭୮ରେ ରତ୍ନ ଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା। ଦିନକ ତଳେ ରତ୍ନଭଣ୍ଡାର ଖୋଲିବାକୁ ଦାବି କରି ବିଜେପି ପକ୍ଷରୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ରତ୍ନ ଭଣ୍ଡାର ଖୋଲିବା, ମରାମତି ଓ ଅଳଙ୍କାର ଗଣତି ପାଇଁ ପିଟିସନ ଦାଖଲ କରିଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ମୁଁ ମନ୍ତ୍ରୀ ଥିବାବେଳେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲି। କିନ୍ତୁ ମୁଁ ବିଫଳ ହୋଇଥିଲି। ସେତେବେଳେ ମୋ’ ଉପରେ ଚାପ ପଡ଼ିଥିଲା। ମୋ ସରକାର କହିଥିଲା, ଯାହା କରୁଛନ୍ତି ଭାବିଚିନ୍ତି କରନ୍ତୁ। ମୁଁ ଏବେ ଦାବି କରୁଛି, ରତ୍ନଭଣ୍ଡାର ଖୋଲାଯାଉ ବୋଲି ନରସିଂହ ମିଶ୍ର କହିଛନ୍ତି।
ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ଗୁରୁବାର ଦିନ ଦାବି କରିଥିଲେ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ସେ କହିଥିଲେ, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ ଖତ ହେଉଛି। ତେଣେ ପ୍ରଭୁ ଗୋଟିଏ ସେଟ୍ ପିନ୍ଧୁଛନ୍ତି। ମହାପ୍ରଭୁଙ୍କର ଗୋଟିଏ କାହିଁକି ୧୦/୧୫ ସେଟ୍ ଅଳଙ୍କାର ହେଉ। ରାଜ୍ୟ ସରକାର ଚାହିଁଲେ ଦାତାଙ୍କ ଜରିଆରେ ଅଳଙ୍କାର ସେଟ୍ କରିପାରିବେ। ସରକାର ଖାଲି ଘୋଷଣା କରନ୍ତୁ, ଦାତା ସୁନା ଗଦା କରି ପକାଇବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।
ସୂଚନାରୁ ପ୍ରକାଶ, ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଅବସ୍ଥା ଦୟନୀୟ ବୋଲି ଏଏସ୍ଆଇ ରିପୋର୍ଟରେ ଦର୍ଶାଇଥିଲା। ଏହାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଏହା ପରେ ଅର୍ଥାତ ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ଓ ପ୍ରଶାସନର ସ୍ୱତନ୍ତ୍ର କମିଟି ଭିତର ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲା। ହେଲେ ଚାବି ହଜି ଯାଇଥିବା ଦର୍ଶାଇ କେବଳ ଟର୍ଚ୍ଚ ମାରି ଲୁହା ଦ୍ୱାର ଫାଙ୍କରେ ଭିତର ସ୍ଥିତି ଅନୁଧ୍ୟାନ କରି ପ୍ରଶାସନିକ ଟିମ୍ ଫେରିଥିବା ରିପୋର୍ଟରେ ଦର୍ଶାଇଥିଲା। ସେବେଠାରୁ ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ ଖତ ହେଉଛି। ତେଣେ ପ୍ରଭୁ ଗୋଟିଏ ସେଟ୍ ପିନ୍ଧୁଛନ୍ତି। ମହାପ୍ରଭୁଙ୍କର ଗୋଟିଏ କାହିଁକି ୧୦/୧୫ ସେଟ୍ ଅଳଙ୍କାର ହେଉ। ରାଜ୍ୟ ସରକାର ଚାହିଁଲେ ଦାତାଙ୍କ ଜରିଆରେ ଅଳଙ୍କାର ସେଟ୍ କରିପାରିବେ। ସରକାର ଖାଲି ଘୋଷଣା କରନ୍ତୁ, ଦାତା ସୁନା ଗଦା କରି ପକାଇବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।
ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦରକାର। ରତ୍ନଭଣ୍ଡାରରେ କଣ ଅଛି ଓ କିଭଳି ଅବସ୍ଥାରେ ଅଛି ତାର ଯାଞ୍ଚ ହେବା ଦରକାର। ରାଜା କପିଳେନ୍ଦ୍ର ଦେବ ଯେଉଁ ଗହଣା ଦେଇଥିଲେ, ସେଇଥିରେ ଚାଲିଛି ଏଯାଏ। ସେହି ଅଳଙ୍କାରରେ ମହାପ୍ରଭୁ ଏଯାଏ ଆଭୂଷିତ ହେଉଛନ୍ତି। ସରକାର ଯଦି ଚାହାନ୍ତେ, ଆହୁରି ଅଧିକ ସେଟ ଅଳଙ୍କାର ହୋଇପାରନ୍ତା। ସୁନା ଥାଳି ଭଣ୍ଡାର ଘରେ ପଡ଼ିଛି। ମହାପ୍ରଭୁ ପିତ୍ତଳ ଥାଳିରେ ଖାଉଛନ୍ତି। ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ଓ ତାର ମରାମତି ହେଉ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି।
ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ପାଣି ଗଳୁଛି। ତେଣୁ ଭଣ୍ଡାରରେ ଥିବା ହୀରା, ମୋତି, ମାଣିକ୍ୟ ଓ ଅନ୍ୟାନ୍ୟ ଅଳଙ୍କାର ନଷ୍ଟ ହୋଇଯିବା ଆଶଙ୍କା ପାଉଛି। ଏଥିସହ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ମତ ପ୍ରକାଶ ପାଇଲାଣି। ହେଲେ ରାଜ୍ୟ ସରକାର ନିଦା ବିଷ୍ଣୁ ପାଲଟି ଯାଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ପାଇଁ ସାମାନ୍ୟତମ ଉଦ୍ୟମ କରୁନାହାନ୍ତି। ଯାହାକୁ ନେଇ ପୂର୍ବରୁ ମହାରାଜା ଦିବ୍ୟସିଂହ ଦେବ ଉଦ୍ବେଗ ପ୍ରକାଶ କରିଥିଲେ। ଏବେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
ତେବେ ଏସବୁ ଭିତରେ ସାଂଧ୍ୟଦର୍ଶନ ସମୟକୁ ନେଇ ଆରମ୍ଭ ହୋଇଛି ବିବାଦ। ସଂଧ୍ୟା ବଦଳରେ ଅପରାହ୍ଣରେ ଦର୍ଶନକୁ ବନ୍ଦ କରାଯିବା ଶାସ୍ତ୍ରସମ୍ମତ ନୁହେଁ ବୋଲି କହିଛନ୍ତି ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଦସ୍ୟ ହରିଶଙ୍କର ମିଶ୍ର। ଯାହାକୁ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସ ମହାପାତ୍ର ଖଣ୍ଡନ କରିବା ସହ ବାହୁଡ଼ା ନୀତିକାନ୍ତିକୁ ଶୃଙ୍ଖଳତି କରାଯିବା ପାଇଁ ସର୍ବସମ୍ମତ କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି।
ସେପଟେ ଗୁଣ୍ଡିଚାରେ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଆଜି ଆରଡିସିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ମୁତାବକ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ଯେଭଳି ବସିବେନି ସେ ଦିଗରେ ଧ୍ୟାନ ଦିଆଯିବ। ସେହିପରି କର୍ଡନକୁ ବଡ଼ କରାଯିବା ସହ ରଥ ଦୌଡ଼ିକୁ କର୍ଡନ ବାହାରକୁ ଛଡ଼ାଯିବ ନାହିଁ। ଏଥିସହ ଶ୍ରୀଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଗମନାଗମନ ପାଇଁ ଯେଉଁଭଳି ବ୍ୟବସ୍ଥା ହୋଇଥିଲା ବାହୁଡ଼ାୟାତ୍ରାରେ ମଧ୍ୟ ସମାନ ବ୍ୟବସ୍ଥା ଆପଣାଇବା ସହ ଗୁରୁବାର ସୁନାବେଶ ପାଇଁ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଥିବା ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି।
ପ୍ରଶାସନିକ ଏଭଳି ପ୍ରସ୍ତୁତି ଦେଖିଲେ ବାହୁଡ଼ାରେ ଶ୍ରଦ୍ଧାଳୁମାନେ ରଥ ଭିଡ଼ାର ସୁଯୋଗ ପାଉଛନ୍ତି ନା ନାହିଁ ଦେଖିବାର କଥା। ଏହାଛଡ଼ା ପ୍ରଶାସନିକ ନିଷ୍ପତ୍ତି ରଥ ଉପରେ କେତେଦୂର ପାଳନ ହେଉଛି ଓ ଭକ୍ତଙ୍କୁ ଠାକୁର ଦର୍ଶନରେ ମୁକ୍ତ ପରିବେଶ ମିଳୁଛି ନା ନାହିଁ ତାହା ମଧ୍ୟ ଦେଖିବାର କଥା।
ତେଣେ ସରି ସରି ଆସୁଛି ଜନ୍ମବେଦୀର ମହାପ୍ରଭୁଙ୍କ ଲୀଳାଖେଳା। ମାତ୍ର ଦିନକ ପରେ ଶ୍ରୀମନ୍ଦିର ଅଭିମୁଖେ ତିନି ଠାକୁର ବାହୁଡ଼ିବେ। ସେଇଥିପାଇଁ ଗତକାଲି ତାଳଧ୍ୱଜ ଓ ଦର୍ପଦଳନ ପରେ ଆଜି ସକାଳୁ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ମନ୍ଦିର ସମ୍ମୁଖକୁ ଅଣାଯାଇଛି। ବାହୁଡ଼ା ପାଇଁ ତିନିରଥ ସଂପୂର୍ଣ୍ଣ ପ୍ରସ୍ତୁତ। ଶ୍ରୀଗୁଣ୍ଡିଚା ଯାତ୍ରାରୁ ହେରାପଞ୍ଚମୀ ଯାଏଁ ନୀତିକାନ୍ତିରେ ଘୋର ବିଶୃଙ୍ଖଳା ପରେ ଆଜି ନୀତିକାନ୍ତି ବ୍ୟବସ୍ଥିତ ହେବା ସହ ଆଡ଼ପ ଦର୍ଶନ ବି ସୁରୁଖୁରୁରେ ଚାଲିଛି। ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି କୃତ୍ୟ କୃତ୍ୟ ହେଉଛନ୍ତି ଭକ୍ତ।
ବାହୁଡ଼ା ଯାତ୍ରା ପାଇଁ ତିନିରଥ ଦକ୍ଷିଣ ମୋଡ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ପହଞ୍ଚିଛନ୍ତି l #RathaYatra2023#JayJagannatha#DakhinaModa pic.twitter.com/4ktUSBx3FF
— Shree Jagannatha Temple Office, Puri (@SJTA_Puri) June 26, 2023
‘ଉତ୍ସବ’ ଆପ୍ରେ କୁହାଯାଇଛି, ଯେ କୌଣସି ସ୍ଥାନରେ ରହିଥିଲେ ମଧ୍ୟ ଭକ୍ତମାନେ ଅନଲାଇନ୍ ବୁକିଂ କରିପାରିବେ। ଭକ୍ତଙ୍କ ଘର ଠିକଣାରେ ଶ୍ରୀମନ୍ଦିରର ଶୁଖିଲା ଭୋଗ ଓ ନିର୍ମାଲ୍ୟ ପଠାଯିବର ଅଫର ଦିଆଯାଇଛି। ମହାପ୍ରଭୁଙ୍କ ମସ୍ତିଷ୍କରେ ଆଟିକା ବାନ୍ଧିବାକୁ ୧୧,୫୦୧ ଟଙ୍କା ପୈଠ କରିବା ଲାଗି କୁହାଯାଇଛି। ଶ୍ରୀବିଗ୍ରହଙ୍କୁ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା ପୈଠ କରିବାକୁ କୁହାଯାଇଛି। ମହାପ୍ରଭୁଙ୍କୁ ଭୋଗ ଲଗେଇବା ପାଇଁ ପୃଥକ୍ ପୃଥକ୍ ରେଟ୍ ଚାର୍ଟ ରହିଛି। ମାସିକିଆ ଭୋଗ କଲେ ୮୦୦୦ ଟଙ୍କା, ରଥରେ ଭୋଗ ପାଇଁ ୪୫୦୦ ଟଙ୍କା ଦେଇ ବୁକିଂ କଲେଣି ୩,୭୦୦ ଭକ୍ତ।
‘ଉତ୍ସବ’ ଆପ୍ ବିଜ୍ଞାପନରେ ଆହୁରି କହିଛି, ରଥଯାତ୍ରାରେ ସ୍ୱତନ୍ତ୍ର ଭୋଗ ପାଇଁ ୪,୫୦୧ ଟଙ୍କା ପୈଠ କରିବାକୁ ପଡ଼ିବ। ସମ୍ପୂର୍ଣ୍ଣ ପରିବାର ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପୂଜା କରିବାକୁ ହେଲେ ୨୪୦୧ ଟଙ୍କା ଓ ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨୧୫୧ ଟଙ୍କା ପୈଠ କରିବାକୁ ହେବ ବୋଲି କୁହାଯାଇଛି। ମନ୍ଦିରରେ ନାଁ ଓ ଗୋତ୍ରରେ ସଂକଳ୍ପ କରିବା ପାଇଁ ୮୦୧ ଟଙ୍କା ଦେବାକୁ ଆପ୍ରେ ଉଲ୍ଲେଖ ରହିଛି। ଯାହାକୁ ସେବାୟତମାନେ ବିରୋଧ କରିଛନ୍ତି।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ଯେଉଁମାନେ ଏପରି କାମ କରୁଛନ୍ତି, ତାହାର ତଦନ୍ତ ହେବା ଦରକାର। ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଭକ୍ତମାନଙ୍କୁ ଅନୁରୋଧ, ସେମାନେ ଏପରି ଠକାମୀରେ ଶିକାର ହୁଅନ୍ତୁ ନାହିଁ। ‘ଉତ୍ସବ’ ଆପ୍ ମାଧ୍ୟମରେ କୌଣସି ପଇସା ପଠାନ୍ତୁ ନାହିଁ ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି।
ସେପଟେ ଏହି ଘଟଣାକୁ ଜଗନ୍ନାଥ ସେନା ବିରୋଧ କରି ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏଥିସହ ଏନେ ଥାନାରେ ଲିଖିତ ଅଭିଯୋଗ କରିଛି। ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ସେହିପରି ଜଗମୋହନରେ ହୋଇଥିବା ଷ୍ଟିଲ ଫ୍ରେମ୍ କାମର ତଦାରଖ ସହ ନାଟମଣ୍ଡପ ଗରୁଡ଼ସ୍ତମ୍ଭ ବିମ୍ରେ ସୃଷ୍ଟ ଫାଟର ବି ଅନୁଧ୍ୟାନ ଚାଲିଛି। ଯେହେତୁ ଏବେ ମହାପ୍ରଭୁ ଗୁଣ୍ଡିଚା ଯାତ୍ରାରେ ଅଛନ୍ତି, ତେଣୁ ନୀଳାଦ୍ରିବିଜେ ପୂର୍ବରୁ ଏସବୁ କାମ ସାରିବାକୁ ତତ୍ପର ହୋଇଛି ଟିମ୍। ତା’ସହ ଗର୍ଭଗୃହରେ ଶ୍ରୀଅଙ୍ଗକୁ ବିପଦ ସାଜିଥିବା ମୂଷା ଓ ଅସରପାଙ୍କ ପ୍ରାଦୁର୍ଭାବ କମାଇବାକୁ ମଧ୍ୟ ପଦକ୍ଷେପ ନିଆଯିବ। ଗର୍ଭଗୃହରେ ସବୁ ଛୋଟବଡ଼ ଫାଙ୍କରେ ଲୁହା ଜାଲି ଦିଆଯିବା ସହ ଆବଶ୍ୟକ ପଡ଼ିଲେ ଜୈବ ଓ ପ୍ରାକୃତିକ ପ୍ରଣାଳୀରେ ଔଷଧ ପ୍ରସ୍ତୁତ କରାଯାଇ ମୂଷା ବଂଶ କମାଇବାକୁ
ପଦକ୍ଷେପ ନିଆଯିବ ବୋଲି ଟିମ୍ ଲକ୍ଷ୍ୟ ରଖାଯାଇଥିବା ଆର୍କ୍ୟୁଲୋଜିଷ୍ଟ ସୁପରିଟେଣ୍ଡେଣ୍ଟ ଡି.ଏସ୍. ଗଡ଼ନାୟକ କହିଛନ୍ତି।
ସେପଟେ ପୂର୍ବ ନିଷ୍ପତ୍ତି ମୁତାବକ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ସମୟରେ ଆରମ୍ଭ ହୋଇଛି ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା। ଗତକାଲି ରାତିରେ ପ୍ରଥମେ ସିଂହଦ୍ୱାରରେ ଏକ ଅବିକଳ ଅସ୍ଥାୟୀ ଦ୍ୱାର ଲଗାଯାଇଛି। ମୁମ୍ବାଇ ଜଣେ ଦାତାଙ୍କ ପାଖରୁ ୫ ଶହ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମ୍ ଆସି ପହଞ୍ଚିବା ପରେ ୧୫ରୁ ଅଧିକ ଶ୍ରମିକ ଏହାକୁ ସିଂହଦ୍ୱାର ପାଖକୁ ନେଇ ମାପ-ଚୁପ କାମରେ ଲାଗିଛନ୍ତି। ବର୍ମା ଶାଗୁଆନ କାଠରେ ମୂଳ ସିଂହଦ୍ୱାର ଭଳି ଫ୍ରେମ ପଡ଼ିବା ପରେ ସେଥିରେ ଉତ୍କଳୀୟ ଢାଞ୍ଚାରେ ରୁପା କାରୁକାର୍ଯ୍ୟ ସହ ଛାଉଣୀ କରାଯିବ। ସେପଟେ ରୂପା ଛାଉଣୀ କାମ ଚାଲିଥିବାରୁ ସିଂହଦ୍ୱାର ବାଟେ କେବଳ ସେବାୟତଙ୍କୁ ଛାଡ଼ି କାହାରିକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ସଂପୂର୍ଣ୍ଣ ସିଂହଦ୍ୱାରକୁ ଏବେ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି।
ଏବେ ସିଂହଦ୍ୱାରରେ ପୁରୁଣା ପିତଳ ଛାଉଣୀ ଦ୍ୱାର ରହିଛି। ଏହି ସ୍ଥାନରେ ନୂଆ ଦୁଆର ଲାଗିବ। ମୁମ୍ବାଇର ଜଣେ ଦାତା ନୂଆ ରୁପା ଛାଉଣୀ ଦ୍ୱାର ପାଇଁ ରୁପା ଦାନ କରିଛନ୍ତି। ବର୍ମାଟିକ୍ କାଠରେ ନୂଆ ଦ୍ୱାର କରାଯାଉଥିବା ବେଳେ ଏହା ଉପରେ ରୁପା ଛାଉଣୀ କରାଯିବ।
ପୂର୍ବରୁ ଶ୍ରୀମନ୍ଦିର ସାତପାହାଚ ଦ୍ୱାର, ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ୱାରା ପ୍ରଭୃତି ସ୍ଥାନରେ ନୂଆ କରି ବର୍ମାଟିକ୍ କାଠରେ ନୂଆ ଦ୍ୱାର କରାଯିବା ସହ ଏହା ଉପରେ ରୁପା ଛାଉଣୀ କରାଯାଇଛି।
ଏବେ ପ୍ରଶ୍ନ ରଥଯାତ୍ରା ଆଗରୁ ସରିବ ତ ଶ୍ରୀମନ୍ଦିର ଐତିହ୍ୟ କରିଡରର ବାହ୍ୟ ପ୍ରକଳ୍ପ? ବାରମ୍ବାର ନିର୍ଭର ପ୍ରତିଶ୍ରୁତି ଓ ନିଇତି ଗ୍ରାଉଣ୍ଡ ଜିରୋରେ ସମୀକ୍ଷା ପରେ ସମୀକ୍ଷା ସତ୍ତ୍ୱେ ଏବେକାର ସ୍ଥିତି ଅତି କଦ୍ଦର୍ଯ୍ୟ। ରାସ୍ତା, ଡ୍ରେନେଜ, ଇଲେକଟ୍ରିକ୍ ସିଷ୍ଟମ, ଫେବର ବ୍ଳକ ଅବା ସୌନ୍ଦର୍ଯ୍ୟକର, କେଉଁ ଗୋଟିଏ ବି ଠିକରେ ସରିନି। ଯାହାକୁ ନେଇ ଆଗରୁ ଭକ୍ତ ଓ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇ ଆସୁଥିଲେ। ଏବେ ଖୋଦ୍ ମହାପ୍ରଭୁଙ୍କ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବି ଅସନ୍ତୋଷ ଝାଡ଼ିଲେଣି। କହୁଛନ୍ତି ରଥଯାତ୍ରା, ସୁନାବେଶ, ନୀଳାଦ୍ରି ବିଜେ ସମୟରେ ଶ୍ରୀମନ୍ଦିର ଚାରିପାଖେ ପ୍ରବଳ ଭକ୍ତଙ୍କ ସମାଗମ ହେବ।
ତେଣୁ ଅଧପନ୍ତରିଆ ପ୍ରକଳ୍ପ କାମ ଯୋଗୁଁ ଜଗା ଦର୍ଶନାର୍ଥୀ ହୀନସ୍ତା ହେବା ସୁନିଶ୍ଚିତ। ତାସହ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ବାଲିସାହି, ବାସେଳିସାହି, ଗଡନ୍ତି ଛକ ଓ ଦକ୍ଷିଣଦ୍ୱାର ରାସ୍ତା ସବୁଠି ଅଧାବିଧା କାମରେ ଲଟକିଛି। ସେସବୁ ସାହିର ଲୋକେ ବି ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ବିଶେଷକରି ଆଉଟର ଆକସେସ୍ ରୋଡ କାମ ରଥଯାତ୍ରା ଆଗରୁ ସାରିବାକୁ ଓବିସିସି ଓ ଟାଟାକୁ ଡେଡ୍ ଲାଇନ୍ ଦିଆଯାଇଥିଲେ ବି ତାହା କାର୍ଯ୍ୟକ୍ଷମ ହେବା ନେଇ ସନ୍ଦେହ ତୁଟୁନି। ଏମିତିକି ପ୍ରକଳ୍ପ ଆରମ୍ଭ ପୂର୍ବରୁ ଯେଉଁ ଡିଜାଇନ୍ ଅନୁମୋଦନ ପାଇଁ ପରିଚାଳନା କମିଟିକୁ ଆସିଥିଲା, ସେଥିରେ ଏବେ ପରିବର୍ତ୍ତନ ଘଟିଛି ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସହସ୍ୟ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା କହିଛନ୍ତି, ପ୍ରକଳ୍ପ ସ୍ଥଳରେ କଣ ତିଆରି ହେଉଛି, କଣ ଭଙ୍ଗା ଯାଉଛି ? ସେନେଇ ପରିଚାଳନା କମିଟି ସଦସ୍ୟ ବି ଅନ୍ଧାରରେ ଅଛନ୍ତି। ସବୁକିଛି ଲୁଚାଛପା ଚାଲିଛି। ସ୍ପଷ୍ଟ କରାଯାଉନି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି, ଯଦି ରଥଯାତ୍ରା ସୁଦ୍ଧା କାମ ଠିକ୍ ନ ସରେ ତେବେ ଭକ୍ତ ଅସୁବିଧା ଭୋଗିବା ସୁନିଶ୍ଚିନ୍ତ। ତେଣୁ ତୁରନ୍ତ କାମ ସରିବା ଠିକ୍ ହେବ।
ଐତିହ୍ୟ କରିଡର ପ୍ରକଳ୍ପର ବାସ୍ତବ ସ୍ଥିତି ଯାହା ଥାଉନା କାହିଁକି, ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେବାରେ କିନ୍ତୁ ଜମା ଢିଲା ଦେଉନି ଜିଲ୍ଲା ପ୍ରଶାସନ। ଗତ ୮ ତାରିଖ ଦିନ ପୁରୀ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଓବିସିସି ଓ ଟାଟା ଅଧିକାରୀଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ପ୍ରକଳ୍ପ ସ୍ଥଳ ବୁଲି କାମ ଅନୁଧ୍ୟାନ କରିଥିଲେ। ଆଉଟର ଆକସେସ୍ ରୋଡ କାମ ରଥଯାତ୍ରା ପୂର୍ବରୁ ସରିଯିବ ବୋଲି କହିବା ସହ ସେବାଟେ ଗାଡିମଟର ଯାଆସ ଏବଂ ଭକ୍ତଙ୍କ ପାଇଁ ଟଏଲେଟ ସୁବିଧା ମିଳିଯିବ ବୋଲି କହିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା।
ତେଣୁ ଦେଖିବାର କଥା, ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ହେଲେ ତାପୂର୍ବରୁ ପରିକ୍ରମା ପ୍ରକଳ୍ପ ଭକ୍ତଙ୍କ ସେବାରେ ଲାଗିଯିବ ନା ପୁଣି ଡେରି ହେବ, ଏବେ ତାକୁ ଅପେକ୍ଷା।
ପୂର୍ବରୁ ରେଷମ ବସ୍ତ୍ରରେ ଯେଉଁ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେଉଥିଲା, ତାହା ରେଷମ ପୋକକୁ ମାରି ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ଶୋହନ କ୍ରୀଷ୍ଣା ସାହୁ ବ୍ୟକ୍ତିଗତ ପ୍ରଚେଷ୍ଟାରେ ଏକ ନୂଆ ପ୍ରଣାଳୀରେ ରେଷମ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ରେଷମ ପୋକକୁ ନ ମାରି, ରେଷମ ପୋକକୁ କାଢ଼ି, ତା’ର ଖୋସାରେ ସେ ଏହି ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଯାହାକୁ ରାଜ୍ୟ ହସ୍ତତନ୍ତ ବିଭାଗ ମଧ୍ୟ ଗ୍ରହଣ କରିଛି।
ଶ୍ରୀମନ୍ଦିରରେ ଏହି ରେଷମ ପ୍ରଚଳନ ପାଇଁ ସରକାର ଚାହୁଁଛନ୍ତି। ସେ ଦୃଷ୍ଟିରୁ ଆଜି ଏହି ରେଷମରେ ପ୍ରସ୍ତୁତ ଏକ ଗୀତଗୋବିନ୍ଦ ଖଣ୍ଡୁଆ ବୈଠକରେ ସର୍ବସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା। ଏହାର ବିଶେଷତ୍ତ୍ୱ ହେଉଛି, ବିନା ଜୀବ ହତ୍ୟାରେ ରେଷମରୁ ଗୀତଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ପାଖରେ ଲାଗିପାରିବ। ସଂପୂର୍ଣ୍ଣ ସାତ୍ତ୍ୱିକ ପ୍ରଣାଳୀରେ ଗୀତଗୋବିନ୍ଦ ଖଣ୍ଡୁଆ ରେଷମରୁ ପ୍ରସ୍ତୁତ ହେବ। ଏହାକୁ ମହାପ୍ରଭୁଙ୍କଠାରେ ଲାଗି ପାଇଁ ପରିଚାଳନା କମିଟି ସହମତି ପ୍ରକାଶ କରିଛି। ଖୁବଶୀଘ୍ର ହସ୍ତତନ୍ତ ବିଭାଗ ସହଯୋଗରେ ଏହି ଗୀତଗୋବିନ୍ଦ ଖଣ୍ଡୁଆ ପ୍ରଚଳନ କରିବାକୁ ଯାଉଛୁ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
ତେଣେ ସାତ୍ତ୍ୱିକ ରେଶମ ସୂତା ଉତ୍ପାଦନ ସମ୍ପର୍କରେ ତଥ୍ୟ ଦେଇ ରାଜ୍ୟ ରେଶମ ଶିଳ୍ପ ବିଭାଗ କହିଛି- ବର୍ତ୍ତମାନ ସମୟରେ ମୁଖ୍ୟତଃ ୪ ପ୍ରକାର ରେଶମ ପୋକ ଯଥାକ୍ରମେ ମାଲବେରୀ, ଟସର, ଏରି ଓ ମୁଗାଙ୍କ ଖୋସାରୁ ସିଲ୍କ ସୂତା ସଂଗ୍ରହ ହେଉଛି। ସେମାନଙ୍କ ମଧ୍ୟରୁ କେବଳ ଏରିକୁ ଛାଡ଼ି ବାକି ସବୁ ପୋକଙ୍କୁ ସୂତା ପାଇଁ ମରାଯାଏ। କିନ୍ତୁ ଏରି ବା ଏଣ୍ଡି ପୋକ, ପ୍ରଜାପତିରେ ପରିଣତ ହୋଇ ଉଡ଼ିଯିବା ପରେ ସେ ଛାଡ଼ି ଯାଉଥିବା ଖୋସାରୁ ଯେଉଁ ରେଶମ ସୂତା ବାହାରୁଛି ତାହା ଅତ୍ୟନ୍ତ ମୋଟା ଯୋଗୁ ସେଥିରୁ ପାଟବସ୍ତ୍ର ତିଆରି ହୋଇପାରୁନଥିଲା। କିନ୍ତୁ ରାୟପୁରର ଏକ ଫ୍ୟାକ୍ଟ୍ରିରେ ଏବେ ସେ ଖୋସାରୁ ସରୁ ସୂତା ବାହାରି ପାରୁଛି। ଯାହାକି ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ତିଆରି ପାଇଁ ଉପଯୋଗୀ ହୋଇଛି।
ସେପଟେ ଏଭଳି ସାତ୍ତ୍ୱିକ ଗୀତଗୋବିନ୍ଦ ଖଣ୍ଡୁଆକୁ ଦେଖି ବେଶ୍ ଖୁସି ହୋଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ସେବାୟତ। ବିନା ଦ୍ୱିଧାରେ ଠାକୁରଙ୍କୁ ଲାଗି ପାଇଁ ସହମତି ଦେଇଛନ୍ତି। ଦଇତାପତି ସେବକଙ୍କ ସୂଚନା ଅନୁସାରେ- ଶ୍ରୀଜିଉମାନେ ପରିଧାନ କରୁଥିବା ଗୋଟିଏ ବାଡ଼ ସଜ ସେଟରେ ୧୬ଟି ପାଟ ଲୁଗା ରହିଥାଏ। ୮୮ମିଟର ଲମ୍ବର ଗୋଟିଏ ସେଟ୍ ପ୍ରସ୍ତୁତ କରିବାକୁ ହେଲେ ୪ରୁ ୭ ଲକ୍ଷ ଟସର ପୋକଙ୍କୁ ମାରି ରେଶମ ସଂଗ୍ରହ କରିବାକୁ ପଡ଼ିଥାଏ। ଅନ୍ୟ ଉପାୟ ନଥିବାରୁ ପୁରୁଣା ପ୍ରଣାଳୀରେ ପାଟ୍ ବସ୍ତ୍ର ପ୍ରସ୍ତୁତ ହୋଇ ଆସୁଛି। ଏବେ କିନ୍ତୁ ଅହିଂସା ପାଟ ତିଆରି ପାଇଁ ରାଜ୍ୟ ହସ୍ତତନ୍ତ ବିଭାଗର ଉଦ୍ୟମ ପ୍ରଶଂସନୀୟ।ସେପଟେ ଜଗନ୍ନାଥ ମନ୍ଦିରକୁ ପୁରୁଷ ପୁରୁଷ ଧରି ଖଣ୍ଡୁଆପାଟ ଯୋଗାଇ ଆସୁଥିବା ଖୋର୍ଦ୍ଧା ବେଗୁନିଆସ୍ଥିତ ରାଉତପଡ଼ା ଗାଁର ବୁଣାକାରମାନେ ଗୋଟିଏ ସେଟ୍ ସାତ୍ତ୍ୱିକ ପାଟ ବୁଣି ସାରିଥିବା ବେଳେ ଆଉ ଏକ ସେଟ୍ ପ୍ରସ୍ତୁତି ଚାଲିଥିବା କହିଛନ୍ତି।
ମନ୍ଦିର ପ୍ରଶାସନର ଏଭଳି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ। ସରକାରୀ ବିଧିବ୍ୟବସ୍ଥାକୁ ସମାଲୋଚନା କରି ନିଶ୍ୱାସ ପକାଉଛନ୍ତି। ଶ୍ରୀଜିଉଙ୍କ ନୀତିକାନ୍ତି ତ୍ୱରାନ୍ୱିତ କରିବା ଉପରେ ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରଦ୍ଧାଳୁ।
ଶ୍ରୀମନ୍ଦିର ତିନି ଦ୍ୱାରରେ ପ୍ରବେଶ କଟକଣା ଥିବାରୁ ସିଂହଦ୍ୱାରରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ଜମୁଛି ଏବଂ ମହାପ୍ରଭୁଙ୍କ ଦର୍ଶନରେ ବହୁ ବିଳମ୍ବ ହେଉଛି। ମନ୍ଦିର ପ୍ରଶାସନର ଏଭଳି ଦର୍ଶନ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତମାନେ।
ଶ୍ରୀକ୍ଷେତ୍ରରେ କାହିଁକି ଶୃଙ୍ଖଳିତ ହେଉନି ଦର୍ଶନ ? ଏମିତି କେତେ ଦିନ ଡହଳ ବିକଳ ହୋଇ ଦର୍ଶନ କରିବେ ଭକ୍ତ ? ସୂଚନା ଅନୂସାରେ, ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ପହୁଡ ପଡୁଛି। ଫଳରେ ସକାଳୁ ଦ୍ୱାରଫିଟା ନୀତି ଏବଂ ମଙ୍ଗଳ ଆରତୀ ବିଳମ୍ବ ହେଉଛି। ଯାହାର ପ୍ରଭାବ ପଡୁଛି ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ। ମନ୍ଦିରରେ ନୀତିକାନ୍ତି ବିଳମ୍ବ ହେବା ଯୋଗୁଁ ଭକ୍ତ ଘଂଟା ଘଂଟା ଧରି ଖରାରେ ସିଝୁଛି।
ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି, ଭକ୍ତ ଭିଡ଼ ବଢ଼ୁଥିବାରୁ ପ୍ରଶାସନକୁ ଏହାର ସ୍ଥାୟୀ ସମାଧାନ କରିବାକୁ ପଡ଼ିବ। ଭକ୍ତ ଏଭଳି କଷ୍ଟ ପାଇବା ଆଦୌ ଠିକ୍ ନୁହେଁ।
ପୁରୀ ଏସପି କନଓ୍ୱର ବିଶାଳ ସିଂ କହିଛନ୍ତି, ନୀତି ମୁତାବକ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଓ ବାହାରକୁ ଛଡ଼ା ଯାଉଛି। ଗହଳି ନିୟନ୍ତ୍ରଣ ନିମନ୍ତେ ସବୁ ପ୍ରକାର ଚେଷ୍ଟା କରାଯାଉଛି।