ରାଜରାଜେଶ୍ୱର ବେଶରେ ରଥାରୂଢ଼ ଚତୁର୍ଦ୍ଧା ମୂରତି। ଶ୍ରୀଅଙ୍ଗରେ ସୁଶୋଭିତ ମହଣ ମହଣ ସୁନା। ଶ୍ରୀପୟର, ଶ୍ରୀଭୂଜ ସାଙ୍ଗକୁ ମସ୍ତକରେ ଝଟକୁଛି ସୁବର୍ଣ୍ଣ କିରିଟି। ଅଣ୍ଟାରେ ସୁନାପଟି ଓଡ଼ିଆଣି, କର୍ଣ୍ଣରେ କୁଣ୍ଡଳ, ଆଖି ପତା ଉପରେ ଚନ୍ଦ୍ର ସୂର୍ଯ୍ୟ, ବେକରେ ଘାଗଡ଼ା, ବାହାଡ଼ା, ସେବତୀ, କଦମ୍ବ ଓ ବାଘନଖି ଭଳି କେତେକଣ ମାଳି। ତା’ ସାଙ୍ଗକୁ ତିନି ଦିଅଁଙ୍କ ସ୍ୱତନ୍ତ୍ର ଆୟୁଧ, ସ୍ୱତନ୍ତ୍ର ଆଭୂଷଣ। ବ୍ରହ୍ମାଣ୍ଡ ଠାକୁରଙ୍କ ଶ୍ରୀଅଙ୍ଗରେ ଏମିତି ୧୩୮ ପ୍ରକାରର ରତ୍ନ ଖଚିତ ଅଳଙ୍କାର ଦେଖି, ଚକିତ, ପୁଲକିତ, ପୁଣି କେତେବେଳେ ଆଧ୍ୟାତ୍ମିକତାର ଶିହରଣରେ ଶିହରିତ, ଲକ୍ଷ ଲକ୍ଷ ଭକ୍ତ।
ମଧ୍ୟାହ୍ନ ଧୂପ ଓ ମଇଲମ, ଶାଢ଼ୀ ଖଣ୍ଡୁଆ ଲାଗି ସଂଧ୍ୟା ଆଳତୀ ଓ ଏକାଦଶୀ ସର୍ବାଙ୍ଗ ପରେ ଆରମ୍ଭ ହୋଇଥିଲା ସୁନାବେଶ ପ୍ରସ୍ତୁତି। ସିଂହଦ୍ୱାର ଦେଇ ସେବାୟତମାନେ ରଥ ଉପରକୁ ଗୋଟିକ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହି ନେବା ବେଳେ ଝଲସି ଉଠିଥିଲା ଶ୍ରଦ୍ଧାଳୁଙ୍କ ଆଖି। ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଅଙ୍ଗ ସଜ୍ଜା ପରେ ସୁନାବେଶ ବା ବଡ଼ତଢ଼ାଉ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ।
ପାଗ ଭଲ ଥିବାରୁ ସୁନାବେଶ ଦେଖିବା ଲାଗି ବଡ଼ଦାଣ୍ଡରେ ଜମିଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି। ପ୍ରଥମ ଥର ପାଇଁ ଟ୍ରାଫିକ ଓ ପାର୍କିଂ ବ୍ୟବସ୍ଥାର ସୁପରିଚାଳନା ପାଇଁ ଡ୍ରୋନର ବ୍ୟବହାର କରାଯାଇଛି। ଆଜି ସୁନାବେଶ ଦର୍ଶନ ସରିବା ପରେ ଆସନ୍ତାକାଲି ରଥାରୁଢ଼ ଠାକୁରଙ୍କ ପାଖରେ ଲାଗିହେବ ଅଧରପଣା। ଆଉ ଶନିବାର ନିଳାଦ୍ରୀ ବିଜେ।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦେଖିପାରିବେ। ବେଶ ଓଲାଗି ପରେ ବଡସିଂହାର ବେଶ ଓ ରାତ୍ର ପହୁଡ ହେବ। ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ମାର୍କେଟ ଛକରୁ ବ୍ୟାରିକେଡ୍ କରାଯାଇଛି। ଲୋକମାନେ ମାର୍କେଟ ଛକରୁ ବ୍ୟାରିକେଡ଼ରେ ଆସି ବେଶ ଦେଖିବା ପରେ ତିନିରଥ ପଛପଟ ରାସ୍ତା ଦେଇ ପ୍ରସ୍ତାନ କରିବାର ବ୍ୟବସ୍ତା କରାଯାଇଛି। ଶ୍ରୀଜିଉଙ୍କର ସମସ୍ତ ଚିତ୍ତାକର୍ଷକ ବେଶ ମଧ୍ୟରେ ସୁନାବେଶ ଅର୍ଥାତ ବଡତଢାଉ ବେଶ ଅନ୍ୟତମ।
ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି, ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା ଓ ଝୋବାକଣ୍ଠି, ଆଦି ପରିଧାନ କରୁଛନ୍ତି। ଦେବୀ ସୁଭଦ୍ରାଙ୍କୁ କିରିଟି, ଓଡ଼ିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ଦୁଇଟି ତଗଡି,ସେବତୀ ମାଳି, ଘାଗଡାମାଳି, କଦମ୍ବମାଳି ଆଦି ପରିଧାନ କରୁଛନ୍ତି। ସେହିଭଳି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଆଦି ଅନେକ ସୁନା ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, କମରପଟି, କର୍ଣ୍ଣକୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡାମାଳି, କଦମ୍ବମାଳି, ତିଳକତ୍ରୀଖଣ୍ଡିକା, ସେବତୀମାଳି, ଝୋବା କଣ୍ଠି, ତାବିଜ ମାଳି ଓ ବାହାଡା ମାଳି ପରିଧାନ କରି ଭକ୍ତଙ୍କୁ ରଥ ଉପରେ ଦର୍ଶନ ଦେବେ।
୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀଜିଉ। ଏହି ମନମୁଗ୍ଧକର ବେଶ ବର୍ଷକରେ ଥରେ ରଥ ଉପରେ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶରେ ଦର୍ଶନ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ ଖତ ହେଉଛି। ତେଣେ ପ୍ରଭୁ ଗୋଟିଏ ସେଟ୍ ପିନ୍ଧୁଛନ୍ତି। ମହାପ୍ରଭୁଙ୍କର ଗୋଟିଏ କାହିଁକି ୧୦/୧୫ ସେଟ୍ ଅଳଙ୍କାର ହେଉ। ରାଜ୍ୟ ସରକାର ଚାହିଁଲେ ଦାତାଙ୍କ ଜରିଆରେ ଅଳଙ୍କାର ସେଟ୍ କରିପାରିବେ। ସରକାର ଖାଲି ଘୋଷଣା କରନ୍ତୁ, ଦାତା ସୁନା ଗଦା କରି ପକାଇବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।
ସେପଟେ ରତ୍ନଭଣ୍ଡାର ଖୋଲିବା ନେଇ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଦରକାର। ରତ୍ନଭଣ୍ଡାରରେ କଣ ଅଛି ଓ କିଭଳି ଅବସ୍ଥାରେ ଅଛି ତାର ଯାଞ୍ଚ ହେବା ଦରକାର। ରାଜା କପିଳେନ୍ଦ୍ର ଦେବ ଯେଉଁ ଗହଣା ଦେଇଥିଲେ, ସେଇଥିରେ ଚାଲିଛି ଏଯାଏ। ସେହି ଅଳଙ୍କାରରେ ମହାପ୍ରଭୁ ଏଯାଏ ଆଭୂଷିତ ହେଉଛନ୍ତି। ସରକାର ଯଦି ଚାହାନ୍ତେ, ଆହୁରି ଅଧିକ ସେଟ ଅଳଙ୍କାର ହୋଇପାରନ୍ତା। ସୁନା ଥାଳି ଭଣ୍ଡାର ଘରେ ପଡ଼ିଛି। ମହାପ୍ରଭୁ ପିତ୍ତଳ ଥାଳିରେ ଖାଉଛନ୍ତି। ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲନ୍ତୁ ଓ ତାର ମରାମତି ହେଉ ବୋଲି ଶ୍ରୀ ଦାସ ମହାପାତ୍ର କହିଛନ୍ତି।
ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ପାଣି ଗଳୁଛି। ତେଣୁ ଭଣ୍ଡାରରେ ଥିବା ହୀରା, ମୋତି, ମାଣିକ୍ୟ ଓ ଅନ୍ୟାନ୍ୟ ଅଳଙ୍କାର ନଷ୍ଟ ହୋଇଯିବା ଆଶଙ୍କା ପାଉଛି। ଏଥିସହ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ମତ ପ୍ରକାଶ ପାଇଲାଣି। ହେଲେ ରାଜ୍ୟ ସରକାର ନିଦା ବିଷ୍ଣୁ ପାଲଟି ଯାଇଛନ୍ତି। ରତ୍ନ ଭଣ୍ଡାର ଖୋଲିବା ପାଇଁ ସାମାନ୍ୟତମ ଉଦ୍ୟମ କରୁନାହାନ୍ତି। ଯାହାକୁ ନେଇ ପୂର୍ବରୁ ମହାରାଜା ଦିବ୍ୟସିଂହ ଦେବ ଉଦ୍ବେଗ ପ୍ରକାଶ କରିଥିଲେ। ଏବେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ରତ୍ନଭଣ୍ଡାର ଖୋଲିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
[caption id="attachment_660442" align="aligncenter" width="650"] ରଥରେ କାଳିଆ ସାଆନ୍ତା।[/caption]
ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସରିଛି ବାହୁଡାଯାତ୍ରା । କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ପାଇଁ ନିର୍ଦ୍ଧାରିତ ସମୟ ଆଗରୁ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ୩ ରଥ ।ଏପଟେ ସୁନାବେଶ ପାଇଁ ସହରର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ। ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଏବଂ ନିଳାଦ୍ରୀ ବିଜେ ପାଇଁ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ଏସବୁ ଅଞ୍ଚଳକୁ ଛାଡିଦେଲେ ପୁରୀ ପୌରାଞ୍ଚଳର ଅନ୍ୟ ସମସ୍ତ ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି।
ତିନି ରଥ ଏବେ ସିଂହଦ୍ୱାର ସମ୍ମୁଖରେ । ଆଜି ହେବ ଶ୍ରୀଜୀଉଙ୍କ ସୁନାବେଶ । ଏହା ପରେ ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଏହି କ୍ରମରେ ପୁରୀ ବେଳାଭୂମିର ଝୁରା ବାଲିରେ ଜଗତରନାଥ ଜଗନ୍ନାଥଙ୍କ ସୁନାବେଶର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
[caption id="attachment_660443" align="aligncenter" width="650"] ବାଳୁକା କଳାରେ ୩ ଠାକୁରଙ୍କ ପ୍ରତିମୂର୍ତ୍ତି।[/caption]
ସେପଟେ ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ତିଆରି କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଏବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ନିଜ ବାଲୁକା କଳା ମାଧ୍ୟମରେ ନିଜେ ଦର୍ଶନ କରିବା ସହ ଜଗନ୍ନାଥପ୍ରେମୀଙ୍କୁ ଶ୍ରୀଜିଉଙ୍କ ସୁନାବେଶର ଦର୍ଶନ କରାଇଛନ୍ତି ।