ସେହିପରି ଗଁନ୍ଦିଆ ଥାନା ଅନ୍ତର୍ଗତ ଦେଓଗାଁ ଡାଗରା ପଲ୍ଲୀସାହିରେ ଏକ ସ୍କୁଲ ପିଣ୍ଢାରେ ଆଶ୍ରୟ ନେଇଥିବା ୫ ଜଣ ଲୋକଙ୍କ ଉପରେ ବଜ୍ରପାତ ହୋଇଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ପହଞ୍ଚିବା ବେଳକୁ ସେମାନଙ୍କ ମଧ୍ୟରୁ ଡଗରାପଲ୍ଲୀର ଜଗତା ଦେହୁରୀଙ୍କ ମୃତ୍ୟୁ ହୋଇଯାଇଥିଲା। ଉକ୍ତ ଗ୍ରାମର ଗୌରାଙ୍ଗ ଦେହୁରୀ, ଶରତ ଦେହୁରୀ, ଜଗା ବେହେରା ଓ ଯାଆନ୍ଦାପଶି ଗ୍ରାମର ଶ୍ରୀପତି ଦେହୁରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
ସେପଟେ ଢେଙ୍କାନାଳରେ କାଳବୈଶାଖୀ ପ୍ରଭାବରେ ବହୁ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଯାଇଥିବାରୁ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ଚାଷବାସ ମଧ୍ୟ ଉଜୁଡ଼ି ଯାଇଛି। ଯାହାକୁ ନେଇ ଚାଷୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁ’ର ହରି ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ କେଦାର ଗୌଡ଼ ଗୁରୁତର ଆହତ ହୋଇଛନ୍ତି। ସେମାନେ ଛେଳି ଚରାଇବାକୁ ଯାଇଥିବା ବେଳେ କାଳବୈଶାଖୀ ମାଡ଼ି ଆସିଥିଲା। ଚାହୁଁଚାହୁଁ ବଜ୍ରପାତ ସହ ଝଡ଼ବର୍ଷା ହୋଇଥିଲା। ଦୁହେଁ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ବଜ୍ରପାତର ଶିକାର ହୋଇଥିଲେ।
ସେହିଭଳି ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁ’ର ରୂପ ଶବର(ନାବାଳକ)ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି। ସେମାନେ ଆମ୍ବତୋଳୁ ଥିବା ବେଳେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ସହ ବଜ୍ରପାତ ହୋଇଥିଲା। ସେମାନଙ୍କ ଉପରେ ବଜ୍ରପାତ ହେବାରୁ ଏଭଳି ଅଘଟଣ ଘଟିଛି। ଗୁରୁତରମାନଙ୍କୁ ପାତ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା-ଖଳିସାହି ରାସ୍ତାର ଅଁଳାପଟା ନିକଟରେ ଏହି ଅଘଟଣ ଘଟିଛି। ୩ ଗୁରୁତରଙ୍କୁ ସ୍ଥାନୀୟ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ଖଣ୍ଡପଡ଼ା କିଆଝରି ପଞ୍ଚାୟତ ହରିଜନସାହିର ରସ୍ମିତା ନାୟକ(୨୮), ତାଙ୍କ ମା’ ରୋମା ନାୟକ, ସମ୍ପର୍କିୟ ଝିଲି ନାୟକ ଓ ବିମଳା ନାୟକ। ଆଜି ଅପରାହ୍ନରେ ହରିଜନ ସାହିରୁ ପରିବାର ଲୋକେ କୌଣସି କାମରେ ଯାଉଥିଲେ। ବାଟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ଆରମ୍ଭ ହୋଇଯାଇଥିଲା। ରାସ୍ତା କଡ଼ରେ ଥିବା ଏକ ଜାମୁ ଗଛ ଡାଳ ପବନରେ ଭାଙ୍ଗିଥିଲା। ଏହାର ଡାଳ ତଳେ ଅଟୋ ଚାପି ହୋଇଯାଇଥିଲା।
ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଅଟୋ ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଆଣିଥିଲେ। ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ସେହିପରି ଦ୍ୱିତୀୟ ଘଟଣାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲାରେ ଗଛ ଡାଳ ପଡ଼ି ଆଇସକ୍ରିମ୍ ବେପାରୀ ମୃତ ହୋଇଛି। ଗଣିଆ ଥାନା ଅନ୍ତର୍ଗତ ଦଶପଲ୍ଲା କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଏହି ଅଘଟଣ ଘଟିଛି। ମୃତକ ଜଣକ ଖଣ୍ଡପଡା ଥାନା ଅନ୍ତର୍ଗତ ମାଧବେରେଣୀ ଗ୍ରାମର ନବ ଖଟୁଆ(୫୫)।
ସେ ସବୁଦିନ ପରି ଆଜି ଅପରାହ୍ନରେ ଆଇସକ୍ରିମ ବେପାର ସାରି ନିଜ ଘରକୁ ଫେରୁଥିବା ବେଳେ ବାଟରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା। ଏଥିରୁ ରକ୍ଷା ପାଇବାକୁ ସେ ରାସ୍ତା ପାର୍ଶ୍ୱ ଏକ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପ୍ରବଳ ପବନରେ ଆମ୍ବ ଗଛର ଏକ ବିରାଟ ଡାଳ ଭାଙ୍ଗି ତାଙ୍କରି ଉପରେ ପଡ଼ି ଯାଇଥିଲା। ସ୍ଥାନୀୟ ଲୋକଙ୍କ ନଜର ପଡ଼ିବା ପରେ ତାଙ୍କୁ ଉଦ୍ଧାର କରି ଦମକଳ ଗାଡ଼ି ଯୋଗେ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ।
ତାଙ୍କ ମୁଣ୍ଡରେ ବିରାଟ କ୍ଷତ ହୋଇଥିବାରୁ ବହୁ ରକ୍ତସ୍ରାବ ହୋଇସାରିଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ଚାଷ କ୍ଷତି ହୋଇଛି। ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳରେ ବ୍ୟାପକ ଧାନ ଫସଲ କ୍ଷତି ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ନଷ୍ଟ ହୋଇଛି ବହୁ ଏକର ମକା ଫସଲ। ପବନ ମାଡ଼ରେ କ୍ଷେତରେ ଶୋଇଯାଇଛି ଫୁଲ ଓ ଫଳ ଧରିଆସିଥିବା ମକା ଫସଲ। କୋରାପୁଟ ଜିଲ୍ଲା ଲେନ୍ଦିରି ମାଳିଗୁଡ଼ା ଅଞ୍ଚଳରେ ବାଇଗଣ, ଭେଣ୍ଡି, କଲରା ଓ କାକୁଡ଼ି ଆଦି ବିଭିନ୍ନ କିସର ପରିବା ଫସଲ ନଷ୍ଟ। ସେହିଭଳି ବାଲେଶ୍ୱର ଓ ଜିଲ୍ଲାର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବ୍ୟାପକ ପିରମାଣରେ କଖାରୁ, ତରଭୁଜ ଓ ଜହ୍ନି ଫସଲ କ୍ଷତି ହୋଇଛି।
ତିନି ଦିନ ଧରି କୋହଲା ପାଗ ସାଙ୍ଗକୁ କାଲିର କୁଆପଥର ବର୍ଷା ପରେ ପାଣିରେ ଲୋଟୁଛି ଏକର ଏକର ପରିବା କ୍ଷେତ। ଯାହାକୁ ନେଇ ଚାଷୀ ଦୁଃଖି।
ସେପଟେ ଭଦ୍ରକ ବାସୁଦେବପୁରରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ ବାଂଶବଡା ଥାନା ଅଧିନ କରଞ୍ଜମାଳ ଗୁଆଁଶୁଳ ଗ୍ରାମର କାର୍ତ୍ତିକ ମାଝି। ସେହିପରି ବାଲେଶ୍ୱର ସିମୁଳିଆର ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀର ଅକାଳ ବିୟୋଗ ଖବର ଆସିଛି। ସେପଟେ ମାଲକାନଗିରି ପଡିଆ ବ୍ଲକ ମେଟାଗୁଡ଼ା ଗାଁରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ-ବାପା ଗୁରୁତର ଆହତ ହୋଇଛନ୍ତିା
ଏହି ଜିଲ୍ଲାର ଅନେକ ସ୍ଥାନରେ ଚାଳ ଓ ଆଜବେଷ୍ଟ ଛପର ଉଡ଼ିଯିବାରୁ ଲୋକେ ବେସାହାରା ହୋଇଛନ୍ତି। ସେହିଭଳି କୋରାପୁଟ ଜିଲ୍ଲାର ଦଶରଥପୁର ଓ ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ଘରର ଆଜବେଷ୍ଟସ ଛପର ଉଡିବା ଗଛ ଉପୁଡ଼ି ଘର ଭାଙ୍ଗିଥିବା ଚିତ୍ର ବି ସାମ୍ନାକୁ ଆସିଛି।
କରୋନା ପାଇଁ ସ୍କୁଲ ବନ୍ଦ ରହିଥିବାରୁ ଚାନ୍ଦୁଆ ଥାନା ବାଘୁଆଶୋଳ ଗାଁର ୧୦ମ ଶ୍ରେଣୀ ଛାତ୍ର ବାବୁଲ ନାୟକ, ଷଷ୍ଠ ଶ୍ରେଣୀ ଛାତ୍ରୀ ବର୍ଷା ନାୟକ ଓ ନବମ ଶ୍ରେଣୀ ଛାତ୍ର ସୁଜିତ ନାୟକ ଘରେ ଥିଲେ। ଆଜି ସେମାନେ ସାଥୀ ହୋଇ ଘରଠାରୁ ୧୦୦ ମିଟର ଦୂରରେ ଛେଳି ଚରାଉଥିଲେ। ଏହି ସମୟରେ ହଠାତ୍ ବର୍ଷା ହୋଇଥିଲେ।
ବର୍ଷା ହେବାରୁ ୩ ଛାତ୍ରଛାତ୍ରୀ ଗଛ ମୂଳରେ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହୋଇଥିଲା। ଫଳରେ ବାବୁଲ, ବର୍ଷା ଓ ସୁଜିତ ଚେତା ହରାଇ ପଡ଼ିଥିଲେ। ପରିବାର ଲୋକେ ଜାଣିପାରି ସେମାନଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାଛଡ଼ା ୧୮ରୁ ଅଧିକ ଛେଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ଆଜି ଅପରାହ୍ନରେ ମୟୂରଭଞ୍ଜ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଦେଖି ଦେଖି ପ୍ରବଳ ବର୍ଷିଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା।