ପିନିଙ୍କ ଯନ୍ତ୍ରଣାଯୁକ୍ତ ଜୀବନ ବିଶେଷ ଭାବରେ ଦୁର୍ବଳ ମାଙ୍କଡ଼ିଆ ଆଦିବାସୀଙ୍କ ବିକଳ ସ୍ଥିତି ଓ ପ୍ରଶାସନିକ ଅବହେଳାର ବେଦନାର ଏକ ନୈରାଶ୍ୟଜନକ ପ୍ରତିଫଳନ…
ଛୁଆ ଜନ୍ମ କରି ପାରୁନୁ କହି ପୂର୍ବ ସ୍ୱାମୀ ତଡ଼ିଦେଲେ, ଗର୍ଭବତୀ ଥିବା ବେଳେ ଦ୍ଵିତୀୟ ସ୍ୱାମୀ ମରିଗଲେ
ବୟସ ତୁଳନାରେ ଅଧିକ ବୟସ୍କା ଦିଶିଗଲେଣି ପିନି ମାଙ୍କଡ଼ିଆ। ଦିଶିବେନି ବା କେମିତି? ସାରା ଆକାଶଟା ଯେମିତି ଛିଣ୍ଡି ପଡ଼ିଛି ତାଙ୍କ ଉପରେ। ସେ ଯେତେବେଳେ ୮ ମାସର ଗର୍ଭବତୀ ଥିଲେ ଟ୍ରାକ୍ଟରରେ ମୂଲ କାମ କରୁଥିବା ତାଙ୍କ ସ୍ୱାମୀ ମିଟୁ ମାଙ୍କଡ଼ିଆ ସେହି ଟ୍ରାକ୍ଟର ଦୁର୍ଘଟଣାରେ ଆରପାରିକି ଚାଲିଗଲେ। ଟ୍ରାକ୍ଟରର ବୀମା ନ ଥିଲା। ଟ୍ରାକ୍ଟର ମାଲିକ ପିନିଙ୍କୁ ୩୦,୦୦୦ ଟଙ୍କା ଦେଲେ। ଯେମିତି ସେଇ ମଣିଷର ମୂଲ୍ୟ ସେତିକି ହିଁ ଥିଲା! ଅବଶ୍ୟ ସେତିକି ବି ଟଙ୍କା କେବେ ପିନି ଦେଖି ନ ଥିଲେ। କିନ୍ତୁ ମାସ କେଇଟା ଓ ସ୍ୱାମୀଙ୍କ ଶୁଦ୍ଧିରେ ସେଇଟା ସରିଗଲା। ସ୍ୱାମୀ ମରିବାର ମାସେ ପରେ ଝିଅ ଜନ୍ମ ହେଲା। ହାତରେ ଗଉଣିଏ ନଥିଲା। ପିନି ଆଗରୁ ଅନ୍ୟ ଜଣଙ୍କୁ ବିବାହ କରିଥିଲେ। ବାଲ୍ୟାବସ୍ଥାରୁ ତାଙ୍କର ବିବାହ ହୋଇଥିଲା କେନ୍ଦୁମୁଣ୍ଡି ଗାଁର ଜଣଙ୍କ ସହିତ। କିନ୍ତୁ ଛୁଆପିଲା ହେଉ ନଥିବାର ଦୋଷ ପିନିଙ୍କ ଉପରେ ଲଦି ତାଙ୍କୁ ଘରୁ ତଡ଼ି ଦେଇଥିଲା ତାଙ୍କର ସ୍ୱାମୀ। ପରେ ପିନି ମିଟୁଙ୍କୁ ବିବାହ କରିଥିଲେ। ସ୍ୱାମୀ ମିଟୁ ବଞ୍ଚିଥିବାବେଳେ ବି ସୁଖରେ ନ ଥିଲେ ଦମ୍ପତି। ଜୀବନଟା ଚଳି ଯାଉଥିଲା ଯାହାତାହା ହୋଇ। କିନ୍ତୁ ମିଟୁ ମରିଯିବା ପରେ ସବୁ ଯନ୍ତ୍ରଣା ପିନିଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା ଯେମିତି।
ନିଜର ଘର ନାହିଁ, ଯୋଉଠି ଅଛନ୍ତି ତାହାର ଚାଳ ଉଠିଯିବ ଆଉ କିଛି ଦିନରେ
ପ୍ରାକୃତିକ ପରିବେଶର ଗନ୍ତାଘର ବିଶାଳ ଶିମିଳିପାଳ ଜୈବ କ୍ଷେତ୍ରର ସୀମାରେ ଥିବା ବାଲିପୋସି ଗାଁରେ ରହନ୍ତି ପିନି। ସରକାରୀ ଭାବରେ ଗାଁର ନାଁ 'ହିଲ ବ୍ଲକ ୧୭୩'। ଲୋକେ ବାଲିପୋସି ବୋଲି ଜାଣନ୍ତି। ଶିମିଳିପାଳ ଅଭୟାରଣ୍ୟ ବାଘ, ଭାଲୁ, ହାତୀ ଆଦି ବନ୍ୟପ୍ରାଣୀଙ୍କୁ ଆଶ୍ରା ଦେଇଛି। କିନ୍ତୁ ପିନିଙ୍କ ଆଶ୍ରା ନାହିଁ। ଯେଉଁ ଘରଟିରେ ପିନି ଓ ତାଙ୍କ ତିନି ବର୍ଷର ଝିଅ ରହୁଛନ୍ତି ତାହା ତାଙ୍କର ନୁହଁ। ଘରଟି ପରଦେଶୀ ମାଙ୍କଡ଼ିଆଙ୍କର। ସେ ଏବେ ବାଲିପୋସିରେ ନ ରହି ଅନ୍ୟ ଏକ ଗାଁରେ ରହୁଛନ୍ତି। ମୁଣ୍ଡ ଗୁଞ୍ଜିଥିବା ସେଇ ଘରେ କବାଟଟିଏ ନାହିଁ। ଯାହାର ଘର ସିଏ ଏବେ ସେଇ ଘରର ଆଜବେଷ୍ଟସକୁ ବିକି ଦେଇଛନ୍ତି ତାଙ୍କ ଗାଁର ଆଉ ଜଣଙ୍କୁ। କିଣିଥିବା ଲୋକ ଆଜବେଷ୍ଟସ କାଢ଼ି ନେବେ ଆଉ କିଛି ଦିନରେ। ପିନି ଓ ତାଙ୍କ କୁନି ଝିଅଙ୍କ ମୁଣ୍ଡ ଉପରୁ ଆଉ କିଛି ଦିନରେ ସେଇ ଛାତ ଟିକକ ବି ପଳାଇବ।
ମାଙ୍କଡ଼ିଆଙ୍କଠାରୁ ତାଙ୍କର ପୂର୍ବ ଆବାସ ଓ କୌଳିକ ବେଉସା ଛଡ଼ାଇ ନିଆଯାଇ ସାରିଛି
ମାଙ୍କଡ଼ିଆ ଆଦିବାସୀ ଆଗରୁ ବି ଚାଷ କରୁ ନ ଥିଲେ କି ଏବେ ବି ପ୍ରାୟ କରୁନାହାନ୍ତି। କାହାରି ନାଁରେ ଜମି ମାଣେ ନଥିବ। ପିନି କି ତାଙ୍କ ସ୍ୱାମୀଙ୍କ ନାଁରେ ବି ଜମି ନାହିଁ କି ସେମାନେ କେବେ ଚାଷ କରି ନଥିଲେ। ମାଙ୍କଡ଼ିଆ ଆଦିବାସୀଙ୍କ ବୃତ୍ତି ଥିଲା ଜଙ୍ଗଲରୁ ଶିଆଳି ଲତା ଆଣି ସେଥିରେ ଦଉଡ଼ି ତଥା ଚାଷ କାର୍ଯ୍ୟରେ ବା ଘରେ ବ୍ୟବହାର ହେଉଥିବା ପଘା, ଶିକା ଆଦି ତିଆରି କରି ତାହାକୁ ବିକ୍ରି କରିବା। ସେମାନେ ଆଗରୁ ଶିମିଳିପାଳ ଜଙ୍ଗଲରେ ରହୁଥିଲେ। ସେଠାରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ ପ୍ରସ୍ତୁତ କରୁଥିବା ପଘା ଦଉଡ଼ି ଆଦିକୁ ଗାଁଗାଁ ବୁଲି ବିକ୍ରି କରୁଥିଲେ। ତାହା ହିଁ ଥିଲା ତାଙ୍କର ରୋଜଗାର ଉତ୍ସ। ଏହା ସହ ଜଙ୍ଗଲରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ କରି ସେଥିରୁ ଖାଉଥିଲେ ଓ ପ୍ରକୃତିର ସନ୍ତାନ ଭାବରେ ଚଳୁଥିଲେ। କ୍ରମେକ୍ରମେ ତାଙ୍କୁ ଶିମିଳିପାଳ ଜୈବ କ୍ଷେତ୍ରରୁ ବାହାର କରିଦିଆଗଲା। ସେମାନେ ଜଙ୍ଗଲରୁ ଶିଆଳି ଲତା ବି ଆଣି ପାରିଲେ ନାହିଁ। ତାହିଁକୁ ଜଙ୍ଗଲ ବିଭାଗର ଶକ୍ତ ମନା ରହିଲା। ତାଙ୍କର ମୁଳ ବେଉସା ଉଜୁଡ଼ିଗଲା। ମୟୂରଭଞ୍ଜ ଜିଲ୍ଲାରେ ଯେତିକି ମାଙ୍କଡ଼ିଆ ଆଦିବାସୀ ଅଛନ୍ତି ତାଙ୍କ ମଧ୍ୟରେ ବାସ୍ କେଇ ଜଣ ହିଁ କଲେଜ ଦୁଆର ମାଡ଼ିଛନ୍ତି। ପ୍ରାୟ ସମସ୍ତେ ଅପାଠୁଆ। ଜଙ୍ଗଲ ବନ୍ଦ ହେଲା ପରେ କିଛି ପରିବାର ବଜାରରେ ମିଳୁଥିବା ପ୍ଲାଷ୍ଟିକ ବସ୍ତା କିଣି ତହିଁରୁ ଦଉଡ଼ି ଆଦି ତିଆରି କରିବା ଆରମ୍ଭ କଲେ। ଯୁବକ ଶ୍ରେଣୀର ଲୋକେ ମୁଲିଆ କାମ କରିବା ଆରମ୍ଭ କଲେ। ପିନିଙ୍କ ସ୍ୱାମୀ ସେମିତି ମୂଲିଆ କାମ କରୁଥିଲେ, ଟ୍ରାକ୍ଟରରେ।
'ଆଧାର' ନାହିଁ ବୋଲି ସରକାରୀ ଦୁଆର ମନା
ସ୍ୱାମୀ ଗଲା ପରେ ଖାଇବା ଟିକେ ଖୋଜିବା ବି ଦୁରୁହ ହୋଇ ପଡ଼ିଛି ପିନିଙ୍କ ପାଇଁ। ସରକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ମାସରେ ୧୦ କିଲୋଗ୍ରାମ ଚାଉଳ କିଲୋ ପ୍ରତି ଟଙ୍କାଏ ଦରରେ ପାଉଛନ୍ତି ପିନି। ସେତିକି ହିଁ ମିଳେ ସରକାରଙ୍କ ତରଫରୁ। ତାଙ୍କର 'ଆଧାର' ଏଯାଏ ପ୍ରସ୍ତୁତ ହୋଇପାରିନି। ଆଧାର ନଥିବା କାରଣରୁ ତାଙ୍କୁ କୌଣସି ଯୋଜନାରେ ସାମିଲ କରାଯାଇ ପାରୁନାହିଁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହନ୍ତି। ସେଇଥି ପାଇଁ ହିଁ ସେ 'ବିଧବା ଭତ୍ତା' ତଥା ଆବାସ ଯୋଜନା ପାଇଁ ଅଯୋଗ୍ୟ ହୋଇ ରହିଛନ୍ତି ଏଯାଏ। ଅନେକ ଥର ସେ ଆଧାର ପ୍ରସ୍ତୁତ ପାଇଁ ଥିବା କେନ୍ଦ୍ରକୁ ଯାଇଛନ୍ତି। ସେଇଠି ତାଙ୍କର ଫୋଟୋ ଉଠା ହୋଉଛି, ଯନ୍ତ୍ରରେ ତାଙ୍କର ପାପୁଲିର ଚିହ୍ନ ନିଆ ଯାଇଛି, ଆଖିରେ ଯନ୍ତ୍ର ପଡ଼ିଛି। କିନ୍ତୁ ଆଧାର ଆସିନାହିଁ। ଖାଲି ପିନିଙ୍କର ନୁହଁ, ତାଙ୍କ ବାଲିପୋସି ଗାଁରେ ଅନେକ ଲୋକଙ୍କର ଆଧାର ନାହିଁ। ସେମାନେ ବି ଆଧାର କେନ୍ଦ୍ରକୁ ଅନେକ ଥର ଯାଇଛନ୍ତି। ଆଧାରର ଅପେକ୍ଷାରେ ହିଁ ରହିଛନ୍ତି। ପିନିଙ୍କୁ ସରକାରୀ ଲୋକେ କହିଛନ୍ତି 'ଆଧାର' ପାଇଲା ପରେ ହିଁ ତାଙ୍କ ପାଇଁ କିଛି ହୋଇପାରିବ। ସେଇ ଆଶାରେ ପିନି ଏବେ ବି ସାଇତି ରଖିଛନ୍ତି ବର୍ଷକ ତଳେ ଆଧାର କେନ୍ଦ୍ରରୁ ପାଇଥିବା ରସିଦ ଖଣ୍ଡିକୁ। ରସିଦରେ ଯେମିତି କଣା ପଡ଼ିଲାଣି ସେଇ ପାଉତିରେ ବି ସେମିତି କଣା ସବୁ ହେଲାଣି। କିନ୍ତୁ ଆଧାର କାହିଁକି ଆସୁନି ତାହା ପିନି ବା ତାଙ୍କ ଗାଁର ଅନ୍ୟ କେହି ଜାଣି ନାହାନ୍ତି। ଏହି ଲେଖକ ପିନିଙ୍କ ଆଧାର ଦରଖାସ୍ତର ସ୍ଥିତି ଜାଣିବା ପାଇଁ ସମ୍ପୃକ୍ତ ସରକାରୀ ଦପ୍ତରକୁ ଯୋଗାଯୋଗ କରିବାରୁ ଜଣା ପଡ଼ିଲା ଯେ ତାଙ୍କର ଦରଖାସ୍ତ କେବେଠୁ ନାକଚ ହୋଇସାରିଛି। କାହାରିକୁ ଜଣା ନାହିଁ ବା କେହି ତାଙ୍କୁ ଜଣାଇବାର ଆବଶ୍ୟକତା ଅଛି ବୋଲି ଚିନ୍ତା ମନକୁ ଆଣି ନାହାନ୍ତି। ମାଙ୍କଡ଼ିଆ ଆଦିବାସୀଙ୍କର କ'ଣ ବା ମୂଲ୍ୟ ଅଛି ଯେ! 'ଆଧାର'ଟେ ନାହିଁ ବୋଲି ନିରାଧାର ହୋଇଯାଇଛି ପିନିଙ୍କ ଜୀବନ।
ଭିକ ହିଁ ସମ୍ବଳ
ଦଶ କିଲୋ ଚାଉଳରେ ବା ଚଳିବେ କେମିତ ଯେ! କିଣିବା ପାଇଁ ଆବଶ୍ୟକ ହେଉଥିବା ୧୦ ଟଙ୍କା ବି ଅଧିକାଂଶ ସମୟରେ ଟଙ୍କା ଅଣ୍ଟିରେ ନଥାଏ। ସାହା ଓ ସାହାରା ହରାଇ ନିଜ ଓ ଝିଅର ଖାଦ୍ୟ ଟିକିଏ ପାଇଁ ଭିକ ମାଗିବା ପାଇଁ ବାଧ୍ୟ ହୋଇଛନ୍ତି ପିନି। ଏବେ ତାହା ହିଁ ତାଙ୍କର ରୋଜଗାର। କାଖରେ କୁନି ଝିଅକୁ ବୋହି ସକାଳ ୯ଟାରୁ ଘରୁ ବାହାରନ୍ତି। ଦୁଇ ତିନିଟି ଗାଁରେ ଭିକ ମାଗି ଅପରାହ୍ନ ପ୍ରାୟ ୩ଟା ବେଳକୁ ଘରକୁ ଫେରନ୍ତି। ଏବେ କୁନି ଝିଅ ବେଳେବେଳେ ଚାଲୁଛି। ସବୁବେଳେ ବୋହିବାକୁ ପଡ଼ୁନି। ଆଗରୁ ପୂରା ବୋହି ରହୁଥିଲେ। ଦିନଟି ଭଲ ଗଲେ ପିନିଙ୍କୁ ପାଞ୍ଚ ଛ କିଲୋ ଚାଉଳ ମିଳିଯାଏ। କେବେ କେମିତି କିଏ ଫଳ ଓ ପରିବା ଦି’ଟା ବି ଦେଇ ଦିଅନ୍ତି। ଘରକୁ ଫେରି ପୁଣି ବାହାରି ଯାଆନ୍ତି ନିକଟବର୍ତ୍ତୀ ଜଙ୍ଗଲକୁ। ରୋଷେଇ ପାଇଁ କାଠ ଦରକାର। ପୁଣି ଶାଗ ଛତୁ ଆଦି କିଛି କାଳେ ମିଳିଯିବ! କିଛି ଦିନ ମିଳି ବି ଯାଏ, କିଛି ଦିନ ମିଳେ ନାହିଁ। ସେତିକି ହିଁ ପିନି ଓ ତାଙ୍କ ଝିଅଙ୍କୁ ପୋଷଣ ଓ ପୌଷ୍ଟିକ ତତ୍ତ୍ୱ ଦିଏ।
'ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗ'ର ଏହି ମାଙ୍କଡ଼ିଆଙ୍କ ପାଇଁ ବିଶେଷ ଯୋଜନା ଅପହଞ୍ଚ
'ମାଙ୍କଡ଼ିଆ' ଆଦିବାସୀଙ୍କୁ 'ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗ' ଭାବରେ ବିବେଚିତ କରାଯାଇଛି। ଆଦିବାସୀମାନେ ସେମିତି ଦୁର୍ବଳ। ଆଦିବାସୀମାନଙ୍କ ଭିତରେ ସେମାନେ ଆହୁରି ଅଧିକ ଦୁର୍ବଳ। ଇଂରାଜୀରେ 'ପାର୍ଟିକୁଲାରଲି ଭଲନରେବଲ ଟ୍ରାଇବାଲ ଗ୍ରୁପ' (Particularly Vulnerable Tribal Group) ବୋଲି କୁହାଯାଏ। ମାଙ୍କଡ଼ିଆଙ୍କ ଉନ୍ନତି ପାଇଁ ସରକାର ଅନେକ ଦଶନ୍ଧି ତଳୁ 'ହିଲ ଖଡ଼ିଆ ଓ ମାଙ୍କଡ଼ିଆ ଡେଭେଲପମେଣ୍ଟ ଏଜେନ୍ସି' ଆରମ୍ଭ କରିଥିଲେ। କିନ୍ତୁ ସେହି ଏଜେନ୍ସି ମୟୂରଭଞ୍ଜର କେବଳ ଦୁଇଟି ବ୍ଲକରେ କାମ କରେ। ପିନିଙ୍କ ଗାଁ ସେହି ଯୋଜନାରେ ସାମିଲ ହୋଇ ନାହିଁ। ତେଣୁ ପିନି ଏବଂ ତାଙ୍କ ଭଳି ତାଙ୍କ ଗାଁର ବିଶେଷ ଦୁର୍ବଳ ବା କହିବାକୁ ଗଲେ ଅତ୍ୟଧିକ ଦୁର୍ବଳ ମାଙ୍କଡ଼ିଆଙ୍କ ପାଇଁ ସରକାରଙ୍କ ସ୍ୱତନ୍ତ୍ର ଯୋଜନା ନାହିଁ। ମୟୂରଭଞ୍ଜର ବିଭିନ୍ନ ବ୍ଲକର ୯ଟି ଗାଁରେ ମାଙ୍କଡ଼ିଆ ଆଦିବାସୀ ରହନ୍ତି। ସେହି ଏଜେନ୍ସିର କେବଳ ଦୁଇଟି ମାଙ୍କଡ଼ିଆ ବସତି ହିଁ ସାମିଲ ହୋଇଛି। ପିନି ଓ ଅନ୍ୟ ମାଙ୍କଡ଼ିଆ ପରିବାର ଆଗରୁ ଶିମିଳିପାଳ ଜଙ୍ଗଲ ଭିତରେ ରହି ଜଙ୍ଗଲରୁ ଶିଆଳି ଲତା ସଂଗ୍ରହ କରି ତହିଁରୁ ଦଉଡ଼ି, ଶିକା, ପଘା ଆଦି ତିଆରି କରି ଗାଁଗାଁରେ ବିକ୍ରି କରୁଥିଲେ। ତାହା ଥିଲା ତାଙ୍କର ପ୍ରମୁଖ ଜୀବିକା। ପରେ ବ୍ୟାଘ୍ର ପ୍ରକଳ୍ପ, ଅଭୟାରଣ୍ୟ ତଥା ଜୈବ-ମଣ୍ଡଳ ପାଇଁ ଧୀରେଧୀରେ ଜଙ୍ଗଲରୁ ତଡ଼ା ଖାଇଲେ। ଏବେ ସବୁ ମାଙ୍କଡ଼ିଆ ବସତି ଶିମିଳିପାଳ ଜଙ୍ଗଲର ବାହାରେ। ଜଙ୍ଗଲରୁ ଶିଆଳି ଆଣିବା ତ' ଅପରାଧ ହୋଇସାରିଛି। ଅନେକ ପରିବାର ଜଙ୍ଗଲ ବିଭାଗର ଲାଠି ବି ଖାଇସାରିଛନ୍ତି। ଏବେ ତାଙ୍କ ପାଇଁ ଶିଆଳି ସଂଗ୍ରହ କରିବା ସ୍ୱପ୍ନ। କିଛି ମାଙ୍କଡ଼ିଆ ପରିବାର ବସ୍ତା ସଂଗ୍ରହ କରି ତାହାର ସୂତାରେ ଦଉଡ଼ି, ପଘା ଆଦି ପ୍ରସ୍ତୁତ କରୁଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ତାହା ସମ୍ଭବ ହେଉନାହିଁ। ତାହା କରିବା ପାଇଁ ମାଙ୍କଡ଼ିଆ ଆଦିବାସୀଙ୍କୁ ବସ୍ତା କିଣିବାକୁ ପଡ଼ିବ। ତାହା କିଣିବା ପାଇଁ ଅଧିକାଂଶ ମାଙ୍କଡ଼ିଆଙ୍କ ସମ୍ବଳ ନାହିଁ। ପିନିର ବି ସମ୍ବଳ ନ ଥିଲା। ଏବେ ପାଖ ଗାଁର ଜଣେ ବେପାରୀ ପିନିକୁ କିଛି ବସ୍ତା ଦେଇଛନ୍ତି। ସେଥିରୁ ଦଉଡ଼ି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି ପିନି। ପ୍ରସ୍ତୁତ କରିସାରି ସେହି ବେପାରୀକୁ ହିଁ ଦେବେ। ବେପାରୀ ତାକୁ କିଛି ମୁଲ ପଇସା ଦେବ। କେତେ ଦେବ ତାହା ବି ପିନି ଜାଣି ନାହାନ୍ତି। ବସ୍ତାରେ ତିଆରି ଦଉଡ଼ିର ବିଶେଷ ଆଦର ଓ ବ୍ୟବହାର ନାହିଁ ବେପାରୀ କହୁଛନ୍ତି। ତଥାପି ବି ଝିଅ ପାଇଁ ଆଉ ଟିକେ ପଇସା ମିଳିଯିବ ବୋଲି ସେ ଆଶା କରିଛି। ଅନେକ ସରକାରୀ ଯୋଜନା ଏବେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। କିନ୍ତୁ ପିନିର ଗାଁ କପ୍ତିପଦା ବ୍ଲକର ବାଲିପୋସିରେ ଗୋଟିଏ ବି ସ୍ୱୟଂ ସହାୟକ ଗୋଷ୍ଠୀ ନାହିଁ କି ସେଇ ଗାଁର ଜଣେ ବି କୌଣସି ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ନୁହନ୍ତି। ମାଙ୍କଡ଼ିଆମାନେ ସାଧାରଣତଃ ଋଣ କରନ୍ତି ନାହିଁ। ତେଣୁ କୌଣସି ସୂତ୍ରରୁ ବି ଅର୍ଥ ପାଇବା ପିନିଙ୍କ ପାଇଁ ସମ୍ଭବ ନୁହେଁ।
କୁନି ଝିଅ ଆଖିରେ ସ୍ୱପ୍ନ ଦେଖୁଛନ୍ତି ପିନି
ପିନିଙ୍କ ଜୀବନଟା ଯନ୍ତ୍ରଣା ଜର୍ଜରିତ ରହିଛି। ପିନିଙ୍କ ସ୍ଥିତି ଜଣେ ବିଧବା ମାଙ୍କଡ଼ିଆ ଆଦିବାସୀଙ୍କ ଭୟଙ୍କର ଦୁରାବସ୍ଥାକୁ ଦର୍ଶାଏ। ଆଦିବାସୀ ଓ ମହିଳାମାନେ ସାଧାରଣତଃ ସାମାଜିକ ଓ ଆର୍ଥିକ ଭାବରେ ଦୁର୍ବଳ। ତହିଁରେ ବିଶେଷ ଭାବରେ ଦୁର୍ବଳ ଆଦିବାସୀ ବର୍ଗର ବିଧବା ମହିଳା ହେବା ପିନିଙ୍କ ଜୀବନକୁ ଆହୁରି ଯନ୍ତ୍ରଣାମୟ କରିଦେଇଛି। ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ ପାଖରେ ସରକାରୀ ସାମାଜିକ ସୁରକ୍ଷା ବ୍ୟବସ୍ଥା ତଥା ବେସରକାରୀ ସହାୟତା ପହଞ୍ଚି ନ ପାରିବା ଚଳନ୍ତି ବ୍ୟବସ୍ଥାର ଏକ ବେଦନାଦାୟକ ସ୍ଥିତି ବ୍ୟକ୍ତ କରେ। ଏହି ଆଶା କରିବା କଥା ଯେ ସରକାରୀ ବିଭାଗ ଓ ସଂସ୍ଥା ତଥା ବେସରକାରୀ ଅନୁଷ୍ଠାନ ତୁରନ୍ତ ପିନି ଓ ତାଙ୍କ ଭଳି ଦୁର୍ଦ୍ଦଶାଗ୍ରସ୍ତ ମାଙ୍କଡ଼ିଆଙ୍କ ଆଦିବାସୀଙ୍କ ପାଖରେ ପହଞ୍ଚିବେ। ପିନି ତାଙ୍କ ବୟସଠାରୁ ଅଧିକ ବୟସ୍କା ଅବଶ୍ୟ ଦିଶୁଛନ୍ତି କିନ୍ତୁ କୁନି ଝିଅର ଆଖିରେ ସରଗେ ସପନ ଦେଖୁଛନ୍ତି। ସେ ନିଜେ ଅପାଠୁଆ କିନ୍ତୁ ଝିଅ ପଢ଼ିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ। ଝିଅ ପାଇଁ ଜୀଉଁଛନ୍ତି ସେ, ସେଇଥିରୁ ବଳ ପାଉଛନ୍ତି।
ବିମଳ ପାଣ୍ଡିଆ, Email: bimalpandia@gmail.com
ସନ୍ଦୀପ କୁମାର ପଟ୍ଟନାୟକ, Email: sandeepkumar.pattnaik@gmail.com
ସୂଚନା ଅନୁସାରେ, ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଚଳିତ ବର୍ଷରୁ ରାଜ୍ୟର ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ସାଧାରଣ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚାହୁଁଥିବା ଗରିବ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ଏକକାଳୀନ ୫୦ହଜାର ଟଙ୍କାର ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ‘ହୋ’, ‘ସଉରା’ ଓ ‘କୁଇ’ ଭାଷାକୁ ଅନ୍ତର୍ଭୁକ୍ତ କରିବା ଏବଂ ଭାରତ ସରକାରଙ୍କର ଅନୁସୂଚିତ ଜନଜାତି ତାଲିକାରେ ଓଡ଼ିଶାର ରାଣା/ରୋଣା, ବୋଣ୍ଡୋ, ପିଭିଟିଜି, ମାଲି ଓ କୁଲି ସଂପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକରେ ସୁପାରିଶ କରାଯାଇଛି । ସେହିପରି ଓଡ଼ିଶା ଅନୁସୂଚିତ ଜନଜାତି ତାଲିକାର-୪୯ରେ ଥିବା ‘ମିର୍ଦ୍ଧାସ’ ସହ ‘ମିର୍ଦ୍ଧା’ଙ୍କୁ ଅନ୍ତର୍ଭୁକ୍ତ ପାଇଁ ସୁପାରିଶ କରାଯାଇଛି ।
ଏହାବ୍ୟତୀତ ଜନଜାତି ବର୍ଗର ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅନୁଚ୍ଛେଦ ଅଂଚଳରେ ୧୯୫୬ ରେଗୁଲେସନ୍ ୨ର ଧାରା ୩(୧)ରେ ସଂଶୋଧନ ପାଇଁ ଉପଦେଷ୍ଟା ପରିଷଦ ସୁପାରିଶ କରିଛନ୍ତି । ଫଳରେ ଉପଜିଲ୍ଲାପାଳଙ୍କ ଲିଖିତ ଅନୁମତିରେ ସିଡ୍ୟୁଲ ଏରିଆରେ ଆଦିବାସୀମାନେ କୃଷି, ଆବାସିକ ଗୃହ ନିର୍ମାଣ, ପିଲାଙ୍କ ଉଚ୍ଚଶିକ୍ଷା, ସ୍ୱନିଯୁକ୍ତି, ବ୍ୟବସାୟ କିମ୍ବା କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାରୀ ଆର୍ଥିକ ପ୍ରତିଷ୍ଠାନରେ ନିଜର ଜମିକୁ ବନ୍ଧକ ରଖି ଅବା ଲିଜ୍ ସୂତ୍ରରେ ଋଣ ନେଇପାରିବେ । ଉପଜିଲ୍ଲାପାଳ ଅନୁମତି ନଦେଲେ ସମ୍ପୃକ୍ତ ବ୍ୟକ୍ତି ୬ମାସ ମଧ୍ୟରେ ଜିଲ୍ଲାପାଳଙ୍କ ପାଖରେ ଆବେଦନ କରିପାରିବେ ବୋଲି ସରକାରୀ ପ୍ରେସ୍ ରିଲିଜରେ ଦର୍ଶାଯାଇଛି ।
ସେହିପରି ଜଙ୍ଗଲ ଅଧିକାର ଆଇନ ବଳରେ ୨୦୨୩ ଏପ୍ରିଲ ମାସ ଶେଷ ସୁଦ୍ଧା ରାଜ୍ୟର ୪.୬୪ଲକ୍ଷ ଜଣଙ୍କୁ ୧୦.୪୨ଲକ୍ଷ ହେକ୍ଟର ଜଙ୍ଗଲ ଜମିର ଜମି ପଟ୍ଟା ଅଧିକାର ପ୍ରଦାନ କରାଯାଇଥିବା ନେଇ ଉପଦେଷ୍ଟା ପରିଷଦକୁ ଅବଗତ କରାଯାଇଥିଲା । ରାଜ୍ୟରେ ଚଳିତବର୍ଷରୁ ନୂଆ ଯୋଜନା ‘ମୋ ଜଙ୍ଗଲ ଜମି ଯୋଜନା’ କାର୍ଯ୍ୟକାରୀ କରି ଯୋଗ୍ୟ ଅନୁସୂଚିତ ଜନଜାତି ବାସିନ୍ଦାଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ ସୁନିଶ୍ଚିତ କରାଉଛନ୍ତି । ମୁଖ୍ୟମନ୍ତ୍ରୀ ଜୀବିକା ମିଶନରେ ୧.୫ଲକ୍ଷ ଆଦିବାସୀ ପରିବାରକୁ ଜୀବିକା ନିର୍ବାହ ନିମନ୍ତେ ୫୦୦କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଦିମ ଜନଜାତି ବସବାସ କରୁଥିବା ୧୧୩୮ ଗୋଟି ନୂତନ ଭାବେ ଚିହ୍ନଟ ହୋଇଥିବା ବସତିକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଛି । ୧୧୩୮ ଗୋଟି ଗ୍ରାମ ମଧ୍ୟରୁ ୮୮୮ଟି ଗ୍ରାମ ୧୫ଟି ଅଣୁପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଅଣୁପ୍ରକଳ୍ପ ଅଂଚଳ ବାହାରେ ରହିଥିବା ୨୫୦ ଗୋଟି ଗ୍ରାମକୁ ପିଭିଟିଜି ଗ୍ରାମ ଭାବେ ଘୋଷଣା କରାଯାଇଅଛି ଏବଂ ତିନିଗୋଟି ଅଣୁପ୍ରକଳ୍ପ ପ୍ରତିଷ୍ଠା ହୋଇଛି । ଯାଜପୁର ଜିଲ୍ଲାର ବିରହୋର ଓ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ଢେଙ୍କାନାଳ ଜିଲ୍ଲାର ଜୁଆଙ୍ଗ ଉନ୍ନୟନ ସଂସ୍ଥା, ପ୍ରାଚୀନ ଜନଜାତି ବସବାସ କରୁଥିବା କେଉଁଝର ଜିଲ୍ଲାର ପାଉଡ଼ିଭୂୟାଁ ଉନ୍ନୟନ ସଂସ୍ଥାରେ ଅଣୁପ୍ରକଳ୍ପ ପ୍ରତିଷ୍ଠା ହୋଇଛି ।
ଆଜିର ଏହି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ୧୫ ଜଣ ବିଧାୟକ, ଦୁଇ ଜଣ ସାଂସଦ ଓ ଅନ୍ୟ ସଦସ୍ୟଙ୍କ ସମେତ ମୁଖ୍ୟ ସଚିବ, ଅତିରିକ୍ତ ମୁଖ୍ୟ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବ ଏବଂ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରର ତୃତୀୟ ପାଳିରେ ୨୦୦୯-୧୪ ମସିହା ମଧ୍ୟରେ ଆଦିବାସୀ ଉପଦେଷ୍ଟା ପରିଷଦ ବୈଠକ ମୋଟ ୪ଥର ବସିଥିବା ବେଳେ ଚତୁର୍ଥ ପାଳି ସରକାରରେ ୨୦୧୪-୧୯ ମଧ୍ୟରେ ୨ଥର ବୈଠକ ଅନୁଷ୍ଠିତ ହୋଇଥିଲା । ଶେଷଥର ପାଇଁ ପରିଷଦ ବୈଠକ ୨୦୧୮ ଜୁନ୍ ୨୮ରେ ହୋଇଥିବାବେଳେ ପଂଚମ ପାଳି ସରକାରରେ ଆଜି ପ୍ରଥମଥର ପାଇଁ ବୈଠକ ବସିଛି । ୨୦୧୯ ମସିହାରେ ବିଧାନସଭା ଭଙ୍ଗ ହେବା ସହ ଆଦିବାସୀ ଉପଦେଷ୍ଟା ପରିଷଦର କାର୍ଯ୍ୟକାଳ ସମାପ୍ତ ହୋଇଥିଲା ଓ ବହୁ ସମାଲୋଚନା ପରେ ୨୦୨୨ ଅଗଷ୍ଟ ୨ତାରିଖରେ ରାଜ୍ୟ ସରକାର ଏହି ପରିଷଦର ପୁନର୍ଗଠନ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ, ସମ୍ବିଧାନର ପଂଚମ ଅନୁଚ୍ଛେଦ ଅନ୍ତର୍ଗତ ଓଡ଼ିଶା ଆଦିବାସୀ ଉପଦେଷ୍ଟା ପରିଷଦ ରୁଲ୍-୧୯୫୦ର ପ୍ରାବଧାନ ଅନୁସାରେ ଆଦିବାସୀ ଉପଦେଷ୍ଟା ପରିଷଦ(ଟିଏସି) କମିଟି ବର୍ଷକୁ ସର୍ବନିମ୍ନ ୨ଥର ବୈଠକ କରିବା ଜରୁରୀ। ଟିଏସି ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ଓ ଉପାଧ୍ୟକ୍ଷ ଭାବେ ଅନୁସୂଚିତ ଜନଜାତି (ଆଦିବାସୀ) ବିଭାଗର ମନ୍ତ୍ରୀଙ୍କୁ କାର୍ଯ୍ୟ କରିଥାନ୍ତି । ମୋଟ ୨୦ଜଣ ସଦସ୍ୟଙ୍କୁ ନେଇ ଏହି ଟିଏସି ଗଠନ ହୋଇଥାଏ, ଯେଉଁଥିରେ ୧୫ଜଣ ସଦସ୍ୟ ଅନୁସୂଚିତ ଜନଜାତି ବର୍ଗର ହେବା ବାଧ୍ୟତାମୂଳକ। ଆଦିବାସୀ ବର୍ଗର ବିଧାୟକ ଓ ସାଂସଦଙ୍କୁ ଏହି ଟିଏସି ସଦସ୍ୟ ଭାବେ ସାମିଲ କରାଯାଇଥାଏ।
ତେବେ ଆଶ୍ଚର୍ଯ୍ୟ ଓ ପରିତାପର କଥା ଯେ, ଓଡ଼ିଶାର ୭ଟି ଜିଲ୍ଲା ସମ୍ପୂର୍ଣ୍ଣ ଓ ୬ଟି ଜିଲ୍ଲା ଆଂଶିକ ଭାବେ ସିଡ୍ୟୁଲଡ୍ ଏରିଆର ପରିସରଭୁକ୍ତ ହୋଇଥିବାବେଳେ ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିଜକୁ ଆଦିବାସୀଙ୍କୁ ହିତୌଷୀ ବୋଲି ବାରମ୍ବାର ଦାବି କରୁଛି। କିନ୍ତୁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବା ପରଠୁ ଗତ ୨୧ବର୍ଷ ମଧ୍ୟରେ ଟିଏସି ବୈଠକ ମାତ୍ର ୧୬ଥର ବସିଛି। ୨୦୦୨ ଓ ୨୦୦୭ ମସିହାକୁ ବାଦ୍ ଦେଲେ ଅନ୍ୟ କୌଣସି ବର୍ଷ ଟିଏସି ବୈଠକ ୨ଥର ବସିବା ସମ୍ଭବପର ହୋଇନି। ଶେଷଥର ପାଇଁ ୨୦୧୮ ଜୁନ୍ ୨୮ତାରିଖରେ ଟିଏସି ବୈଠକ ବସିଥିଲା, ତା’ପୁଣି ବିଧାନସଭାରେ ଅନୁସୂଚିତ ଜନଜାତି ବର୍ଗର ବିଧାୟକମାନେ ଉଦବେଗ ବ୍ୟକ୍ତ କରିବା ସହ ହଟ୍ଟଗୋଳ କରିବା ପରେ ସରକାର ଏହି ଟିଏସି ବୈଠକ ଡାକିଥିଲେ । ତା’ପୂର୍ବରୁ ୨୦୧୫ ମେ’ ୧୪ତାରିଖରେ ଟିଏସି ବୈଠକ ଅନୁଷ୍ଠିତ ହୋଇଥିଲା।
ଭୋଟବ୍ୟାଙ୍କ ରାଜନୀତିରେ ମାହିର ବିଜେଡି ସରକାର ଦେଶର ସମ୍ବିଧାନିକ ପ୍ରାବଧାନକୁ ଅଣଦେଖା କରି ୨୦୧୯ ସାଧାରଣ ନିର୍ବାଚନ ପରଠୁ ଟିଏସିର ପୁର୍ନଗଠନ କରୁନଥିବାବେଳେ ଅନ୍ୟ ବିରୋଧୀ ଦଳ ଓ ଆଦିବାସୀ ସଂଗଠନଗୁଡ଼ିକ ମଧ୍ୟ ଏନେଇ ଚୁପ୍ ବସିଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ଏହି ପରିଷଦର ଅଧ୍ୟକ୍ଷ ଥିଲେ ମଧ୍ୟ ସମ୍ବିଧାନିକ ହକରୁ ଆଦିବାସୀଙ୍କୁ ବଂଚିତ କରାଯାଉଛି । ବିଧାନସଭାରେ ୩୫ଜଣ ଆଦିବାସୀ ବିଧାୟକଙ୍କ ମଧ୍ୟରୁ ୧୧ଜଣ ବିଜେପିର, ୨ଜଣ କଂଗ୍ରେସ, ଜଣେ ସିପିଏମ୍ ଓ ଜଣେ ସ୍ୱାଧୀନ ବିଧାୟକ ଏବଂ ୨୦ଜଣ ବିଜେଡିର ରହିଛନ୍ତି। ତଥାପି ବିଜେପି କିମ୍ବା କଂଗ୍ରେସ ଗତ ୨ବର୍ଷ ମଧ୍ୟରେ ଏହି ଟିଏସି କାହିଁକି ପୁର୍ନଗଠନ ହେଉନି ସେ ନେଇ ସରକାରଙ୍କୁ ପ୍ରଶ୍ନ କରିବାର ସାହାସ ଜୁଟାଇ ପାରିନାହାନ୍ତି। ଯଦିଓ ବିଜେପିକୁ ଆଦିବାସୀ ଅଂଚଳରେ ଅଧିକ ଆସନ ମିଳିଛି।
ଅନ୍ୟପକ୍ଷରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଟିଏସି ପୁର୍ନଗଠନରେ ବିଳମ୍ବ ହେଉଥିବାକୁ ସ୍ୱୀକାର କରିଥିଲେ ମଧ୍ୟ କାହିଁକି ବିଳମ୍ବ ହେଉଛି ତାହା ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି। ଟିଏସି କେବେ ସୁଦ୍ଧା ସରକାର ଗଢ଼ିବେ ତା’ର ମଧ୍ୟ ଉତ୍ତର ତାଙ୍କ ପାଖରେ ନାହିଁ। ଟିଏସି ପୁର୍ନଗଠନକୁ ନେଇ ବିଭାଗୀୟ ମନ୍ତ୍ରୀ ନିଜର ଅସହାୟତା ପ୍ରକଟ କରିଥିବାବେଳେ ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଛନ୍ତି ଯେ, ଟିଏସି ଗଠନ ପାଇଁ ଖୁବଶୀଘ୍ର ସରକାରଙ୍କ ନିକଟରେ ଦାବିପତ୍ର ପ୍ରଦାନ କରାଯିବ। ୨ବର୍ଷ ହେଲା ଟିଏସି ନଥିଲେ ମଧ୍ୟ ସେ ନେଇ ବିଜେପି ଯେଭଳି ଦାବି ଉଠାଇବା କଥା ତାହା କରାଯାଇନି ବୋଲି ସେ କହିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ଅଣଆନୁଷ୍ଠାନିକ ଭାବେ ଟିଏସି ପୁର୍ନଗଠନ ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର କଥାକଥାକେ ଆଦିବାସୀଙ୍କ ପାଇଁ ଦରଦ ଦେଖାଉଥିବାବେଳେ ମୁଖ୍ୟମନ୍ତ୍ରୀ ଖୋଦ୍ ଅଧ୍ୟକ୍ଷ ରହିଥିବା ଆଦିବାସୀ ଉପଦେଷ୍ଟା କମିଟିକୁ ଗଠନ କରାଯାଉନଥିବାରୁ ଆଦିବାସୀଙ୍କ ସ୍ୱାର୍ଥକୁ ସରକାର କେତେ ଗୁରୁତ୍ୱ ଦେଉଛନ୍ତି ତାହା ଜଣାପଡ଼ିଯାଉଛି।
ସୂଚନାଯୋଗ୍ୟ, ରାଜ୍ୟର ୨୨.୮୫ ପ୍ରତିଶତ ଜନସଂଖ୍ୟା ଅନୁସୂଚିତ ଜନଜାତି ବର୍ଗର। ୧୩ଟି ଆଦିମ ଜନଜାତି ସମେତ ମୋଟ ୬୨ଟି ସମୁଦାୟର ଆଦିବାସୀ ଓଡ଼ିଶାରେ ରହିଛନ୍ତି ଯେଉଁମାନଙ୍କ ସଂଖ୍ୟା ପ୍ରାୟ ଏକ କୋଟି ହେବ ବୋଲି ଜଣାପଡ଼ିଛି।