ଏନେଇ ମହିଳାଜଣକ କରିଥିବା ଅଭିଯୋଗ ଅନୁଯାୟୀ, ୨୦୧୫ ମସିହାରେ ମୁସଲିମ୍ ରୀତିନୀତିରେ ତାଙ୍କ ବିବାହ ହୋଇଥିଲେ। ବିବାହ ସମୟରେ ତାଙ୍କ ବାପା ୧୫ ଲକ୍ଷ ଟଙ୍କା ଯୌତୁକ ଆକାରରେ ଦେଇଥିଲେ।
ମାତ୍ର ଏହାପରେ ଏକ ସ୍କର୍ପିଓ ଦାବି କରି ସ୍ୱାମୀଙ୍କ ସମେତ ଶାଶୁ, ଶ୍ୱଶୁର, ଦିଅରମାନେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏହାବାଦ ବି ଗାଡ଼ି ନ ମିଳିବାରୁ ଗତ ଜୁଲାଇରେ ସ୍ୱାମୀ ବାପଘରକୁ ପଠାଇ ଦେଇଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।
କିଛି ଦିନ ପୂର୍ବେ ମହିଳାଙ୍କ ସ୍ୱାମୀ ତାଙ୍କ ବାପ ଘରେ ପହଞ୍ଚିଥିଲେ। ସେଠାରେ ବି ସ୍କର୍ପିଓ ପାଇଁ ଦାବି କରିଥିଲେ। ମାତ୍ର ବାପଘର ଲୋକେ ଏହା ଦେବାକୁ ରାଜି ନ ହେବାରୁ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କୁ ସେଠାରେ ଟ୍ରିପଲ ତଲାକ୍ ଦେଇ ପଳାଇଥିଲେ।
ମହିଳାଜଣକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ପଚରାଉଚରା ଚଳାଇଥିବା କହିଛି।
ଗୁଲସାଇବା ନାମ୍ନୀ ମହିଳା ସଲିମ ନାମକ ଯୁବକଙ୍କୁ ୨୦୨୨ ମସିହାରେ ବିବାହ କରିଥିଲେ। ଏହାପରେ ଗୁଲସାଇବା କାନପୁରରେ ନିଜ ଶାଶୁ ଘରେ ରହୁଥିବା ବେଳେ ସଲିମ ନିଜ କର୍ମ କ୍ଷେତ୍ର ସାଉଦି ଆରବକୁ ଗତ ଅଗଷ୍ଟ ୩୦ରେ ଚାଲି ଯାଇଥିଲେ।
ଗୁଲସାଇବା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସ୍ୱାମୀ ସାଉଦି ଆରବ ଚାଲି ଯିବା ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଉଥିଲେ। ଏନେଇ ସ୍ୱାମୀଙ୍କୁ କହିଲେ ସେ ବି କିଛି ଶୁଣୁ ନ ଥିଲେ। ଏଥିସହ ଗୁଲସାଇବା ସଜବାଜ ହେବାକୁ ଭଲ ପାଉଥିବା ବେଳେ ତାଙ୍କ ସ୍ୱାମୀଙ୍କର ତାହା ପସନ୍ଦ ନ ଥିବା ସେ କହିଥିଲେ।
ଗତ ଅକ୍ଟୋବର ୪ ତାରିଖରେ ଗୁଲସାଇବାଙ୍କ ନିକଟକୁ ତାଙ୍କ ସ୍ୱାମୀ ଭିଡିଓ କଲ୍ କରିଥିଲେ। ଉକ୍ତ ସମୟରେ ପତ୍ନୀ ଆଇବ୍ରୋ କରିଥିବା ସେ ଦେଖିବାକୁ ପାଇଥିଲେ। ଏହାଦେଖି ସେ ଉତ୍ତ୍ୟକ୍ତ ହୋଇ ହଠାତ୍ ତାଙ୍କୁ ଟ୍ରିପଲ୍ ତଲାକ ଦେଇଦେଇଥିଲେ। ଏହାପରେ ସେ ଫୋନ୍ ସୁଇଚ୍ ଅଫ୍ କରି ଦେଇଥିବା ବେଳେ ଆଉ ଫୋନ୍ ଉଠାଇ ନ ଥିଲେ।
ଗୁଲସାଇବା ଏନେଇ ଥାନାରେ ନିଜ ସ୍ୱାମୀ, ଶାଶୁଙ୍କ ସମେତ ୫ ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଝିଅର ଭାଇ କମରନ ୱାସି କହିଛନ୍ତି, ଗୋଟିଏ ଦିନରେ ମୋର ଦୁଇ ଭଉଣୀ ଡଲି ଓ ଗୌରୀଙ୍କ ବାହାଘର ଆଗ୍ରାର ଫତେହାବାଦ ରୋଡ୍ ସ୍ଥିତ ଏକ ମଣ୍ଡପରେ ହୋଇଥିଲା। ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଅସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।
ମହମ୍ମଦ ଅସିଫ ଯୌତୁକରେ କାର ମାଗିଥିଲେ। ବାହାଘର ହେବାକୁ ଥିବା ସ୍ଥାନରେ କାର୍ ଆଣି ରଖିବାକୁ ସେ କହିଥିଲେ। କାର୍ ନଦେଲେ ବାହାଘର ଶେଷ ହେବା ମାତ୍ରେ ନଗଦ ୫ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମହମ୍ମଦ ଅସିଫଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଡଲିଙ୍କ ଘର ଲୋକେ ଏଥିପାଇଁ ରାଜି ହୋଇଥିଲେ। କିନ୍ତୁ କାର୍ କି ଟଙ୍କା ନ ମିଳିବାରୁ ରାଗି ଯାଇଥିଲେ ଅସିଫ।
ଅତି ଅଳ୍ପସମୟ ମଧ୍ୟରେ କାର୍ କିମ୍ବା ୫ ଲକ୍ଷ ଟଙ୍କା ଯୋଗାଡ଼ କରିବା ସମ୍ଭବ ହୋଇପାରିଲାନି ବୋଲି ଡଲିଙ୍କ ପରିବାର ଲୋକେ ଅସିଫଙ୍କୁ କହିଥିଲେ। କିନ୍ତୁ ଅସିଫ କିଛି ଶୁଣି ନଥିଲେ। ସେ ସେହି ବାହାଘର ମଣ୍ଡପରେ ଡଲିଙ୍କୁ ତିନି ଥର ତଲାକ କହି ତାଙ୍କ ପରିବାର ଲୋକଙ୍କ ସହିତ ପଳାଇଯାଇଥିଲେ।
ଏହି ଘଟଣାକୁ ନେଇ ଅସିଫ ଓ ଆଉ ୬ ଜଣଙ୍କ ନାଁରେ ଏଫଆଇଆର ଦେଇଥିଲେ ଡଲିଙ୍କ ଭାଇ କମରନ ୱାସି। ଏଫ୍ଆଇଆରରେ ଉଲ୍ଲେଖ ଥିବା ସମସ୍ତ ୭ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।
ମୁସଲମାନ ମହିଳା (ବିବାହ ଅଧିକାର ସୁରକ୍ଷା) ଆଇନ ୨୦୧୯ ଅନୁସାରେ କୌଣସି ମହିଳାଙ୍କୁ ତିନି ଥର ତଲାକ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ଦଣ୍ଡନୀୟ ଅପରାଧ।