ଆସନ୍ତାବର୍ଷ ଟି-୨୦ ବିଶ୍ୱକପ ଥିବାରୁ ଏବେଠାରୁ ଯୁବ ଖେଳାଳିଙ୍କୁ ନେଇ ଟିମ ଗଠନ କରିବା ମୁଡରେ ରହିଛି ବିସିସିଆଇ। ବିଶେଷ କରି ଆଇପିଏଲରେ ଚହଳ ପକାଇଥିବା ଯଶସ୍ୱୀ ଜୈସୱାଲ, ତିଲକ ବର୍ମା ଓ ରିଙ୍କୁ ସିଂହଙ୍କ ଭଳି ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ନଜର ଆସିବେ।
ସେହିପରି ବୋଲିଂ ବାହିନୀରେ ଅର୍ଶଦୀପ ସିଂହ, ଆବେଶ ଖାନ, ମୁକେଶ କୁମାର ଓ ରବି ବିଷ୍ଣୋଇ ରହିଛନ୍ତି। କିନ୍ତୁ ଦିନିକିଆ ବିଶ୍ୱକପ ସ୍କ୍ୱାଡରେ ନଥିବା ଦୁଇ ଷ୍ଟାର ଖେଳାଳି ସଞ୍ଜୁ ସାମସନ ଓ ୟୁଜଭେନ୍ଦ୍ର ଚହଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଅଣଦେଖା କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ସ୍କ୍ୱାଡ ଘୋଷଣା ହେବା ପରେ ଚହଲ ସୋଶାଲ ମିଡିଆରେ କେବଳ ଗୋଟି ସ୍ମାଇଲ ଇମୋଜି ପୋଷ୍ଟ କରିଥିଲେ।
ବିଶ୍ୱକପରେ ସ୍ଥାନ ପାଇ ନଥିବା ଚହଲ ଅଷ୍ଟ୍ରେଲିଆ ସିରିଜରେ ନଥିବାରୁ ଏହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଥିଲା। ହେଲେ ସବୁବେଳେ ନୀରବ ରହୁଥିବା ଚହଲ ଏବେ ନିଜ ବୋଲିଂ ଯାଦୁ ସମସ୍ତଙ୍କୁ ଦେଖାଇଛନ୍ତି।
ସେ ବିଜୟ ହଜାରେ ଟ୍ରଫିରେ କମାଲ କରିଛନ୍ତି। ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍ରେ ହରିଆଣା ପାଇଁ ଖେଳୁଥିବା ଚହଲ ୬ ୱିକେଟ ନେଇଛନ୍ତି। ସେ ୨୬ ରନ ଦେଇ ଆଦିତ୍ୟ ତାରେ, ଜୀବନଜୋତ ସିଂହ ଓ ସ୍ୱପ୍ନିଲ ସିଂହଙ୍କ ଭଳି ୬ ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି। ତାଙ୍କୁ ବାରମ୍ବାର ଅଣଦେଖା କରାଯାଉଥିବାରୁ ସେ ୱିକେଟ ଦଖଲ କରି ସମସ୍ତଙ୍କୁ କଡ଼ା ଜବାବ ଦେଇଥିବା କୁହାଯାଉଛି।
ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିବା ପରେ ଚହଲ କହିଥିଲେ ଯେ “ ମୁଁ ବୁଝିପାରୁଛି ଯେ କେବଳ ୧୫ ଜଣ ଖେଳାଳି ହିଁ ଭାଗ ନେଇପାରିବେ। କାରଣ ଏହା ବିଶ୍ୱକପ। ଆପଣ କେବେ ହେଲେ ୧୭ରୁ ୧୮ ଜଣଙ୍କୁ ସ୍କ୍ୱାଡରେ ରଖିପାରିବେ ନାହିଁ। ହିଁ ମୋତେ ଟିକିଏ ଖରାପ ଲାଗୁଛି। କିନ୍ତୁ ମୋ ଜୀବନର ଲକ୍ଷ୍ୟ ହେଲା ଆଗକୁ ବଢ଼ିବା। ମୋର ସବୁ କିଛି ଅଭ୍ୟାସ ହୋଇଗଲାଣି। ୩ଟି ବିଶ୍ୱକପରେ ମୋ ସହ ଏମିତି ଘଟିଲାଣି।”
ଚହଲ ବିଶ୍ୱକପରୁ ବାଦ୍ ପଡିଥିଲେ, ଏବେ ପୁଣି ଟି-୨୦ ସିରିଜରୁ ବାଦ୍ ପଡିଛନ୍ତି। ସୋମବାର ବୋର୍ଡ ସ୍କ୍ୱାର୍ଡଙ୍କ ନାମ ଘୋଷଣା କରିବା ପରେ ଏକ ରହସ୍ୟକର ପୋଷ୍ଟ କରିଛନ୍ତି ଚହଲ। ସେ ଏକ୍ସ ପୋଷ୍ଟରେ କିଛି ଶବ୍ଦ ନ ଲେଖି କେବଳ ଗୋଟିଏ ସ୍ମାଇଲ୍ ଇମୋଜି ପୋଷ୍ଟ କରିଛନ୍ତି, ଯାହା କୋଟିଏ ଶବ୍ଦ ବଖାଣୁଛି।
😊
— Yuzvendra Chahal (@yuzi_chahal) November 20, 2023
ପ୍ରକାଶ ଥାଉ କି, ଜାନୁଆରୀରେ ଶେଷଥର ପାଇଁ ଦିନିକିଆ ଖେଳିଥିଲେ ଚହଲ। ଏହାପରଠାରୁ ସେ ଦଳରେ ନାହାନ୍ତି। ବିଶ୍ୱକପରେ ସାମିଲ୍ କରାନଯିବାକୁ ନେଇ ଏକ ପ୍ରଶ୍ନରେ ଚହଲ କହିଥିଲେ, ସେ ବର୍ତ୍ତମାନ ଏପରି ପରିସ୍ଥିତର ଅଭ୍ୟସ୍ତ ହୋଇଗଲେଣି। କିନ୍ତୁ ମୋ ଜୀବନର ଲକ୍ଷ୍ୟ ହେଉଛି ମୁଭ୍ ଅନ୍ କରିବା(ଆଗକୁ ବଢିବା)। ଯେଉଁଠି ବି ଯେପରି ଭାବେ କ୍ରିକେଟ ଖେଳିବା ମୋର ଲକ୍ଷ୍ୟ ବୋଲି ଚହଲ କହିଥିଲେ।
ବିସିସିଆଇ ଗତକାଲି ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ସ୍କ୍ୱାର୍ଡ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ନବାଗତମାନଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଟିମକୁ ଯୁଜବେନ୍ଦ୍ର ଚହଲ, ଭୁବନେଶ୍ୱର କୁମାର ଏବଂ ସଞ୍ଜୁ ସାମସନଙ୍କ ଭଳି ଖେଳାଳି ଦଳକୁ ଫେରିବେ ବୋଲି ପ୍ରଶଂସକମାନେ ଆଶା କରୁଥିଲେ। କିନ୍ତୁ ବିସିସିଆଇ ଏମାନଙ୍କୁ ତାଲିକାରେ ରଖିନାହିଁ। ଏମାନଙ୍କ ବଦଳରେ ବୋର୍ଡ କିଛି ଆଇପିଏଲ୍ ଖେଳାଳିଙ୍କୁ ନିର୍ଣ୍ଣୟ କରିଛି, ଯେଉଁଥିରେ ରିଙ୍କୁ ସିଂହ, ଜିତେଶ ଶର୍ମା, ଶିବମ୍ ଦୁବେଙ୍କ ସହ ଅନ୍ୟମାନେ ଅଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଭାରତ ଦଳ: ସୂର୍ଯ୍ୟକୁମାର ଯାଦବ (କ୍ୟାପଟେନ), ଋତୁରାଜ ଗାଏକ୍ୱାଡ(ଉପ-ଅଧିନାୟକ), ଇଶାନ କିଶନ, ଯଶସ୍ୱୀ ଜୈସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା(ୱିକେଟ କିପର୍), ୱାଶିଂଟନ ସୁନ୍ଦର, ଅକ୍ସର ପଟେଲ, ଶିବମ ଦୁବେ, ରବି ବିଷ୍ଣୋୟୀ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣ, ଆବେଶ ଖାନ, ମୁକେଶ କୁମାର।
ଶ୍ରେୟାସ ଆୟର ମଧ୍ୟ ଶେଷ ଦୁଇ ମ୍ୟାଚରେ ଦଳରେ ଯୋଗଦେବେ। ସେ ଟିମରେ ଉପ-ଅଧିନାୟକ ରହିବେ।