ଡି’ ବ୍ରଦର୍ସ ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଛି: ପୋଲିସ କମିଶନର

ଭୁବନେଶ୍ୱର: ଡି’ ବ୍ରଦର୍ସ ମାମଲାରେ ପୋଲିସ କମିଶନର ୱାଇ.ବି. ଖୁରାନିଆ ଆଜି ଏକ ପ୍ରେସମିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଡି’ ବ୍ରଦର୍ସଙ୍କ ଅପରାଧିକ ସାମ୍ରାଜ୍ୟରେ ସିଧାସଳଖ ଓ ପରୋକ୍ଷରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୦ଟି କେସ୍‌ ରୁଜୁ କରାଯାଇ ଥିବାବେଳେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଖୁରାନିଆ କହିଛନ୍ତି, “ଡି’ ବ୍ରଦର୍ସଙ୍କ ପାଖରୁ ମୋଟ ୩ କୋଟି ୬୨ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇଭାଇଙ୍କ ଆକାଉଣ୍ଟରେ ୨କୋଟି ୬୫ଲକ୍ଷ ଟଙ୍କା […]

y.b.khuraniya

y.b.khuraniya

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 11:26 AM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସ ମାମଲାରେ ପୋଲିସ କମିଶନର ୱାଇ.ବି. ଖୁରାନିଆ ଆଜି ଏକ ପ୍ରେସମିଟ୍‌ରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଡି’ ବ୍ରଦର୍ସଙ୍କ ଅପରାଧିକ ସାମ୍ରାଜ୍ୟରେ ସିଧାସଳଖ ଓ ପରୋକ୍ଷରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୦ଟି କେସ୍‌ ରୁଜୁ କରାଯାଇ ଥିବାବେଳେ ୧୭ ଜଣଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଖୁରାନିଆ କହିଛନ୍ତି, “ଡି’ ବ୍ରଦର୍ସଙ୍କ ପାଖରୁ ମୋଟ ୩ କୋଟି ୬୨ଲକ୍ଷ ଟଙ୍କା ଜବତ କରାଯାଇଛି। ଦୁଇଭାଇଙ୍କ ଆକାଉଣ୍ଟରେ ୨କୋଟି ୬୫ଲକ୍ଷ ଟଙ୍କା ଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ୨୩ଟି ବନ୍ଧୁକ, ଗୋଟିଏ କାର୍ବାଇନ ସହ ୭ଟି ଗାଡି ଜବତ କରାଯାଇଛି।”

ସେ ଆହୁରି କହିଛନ୍ତି, “ଡି’ ବ୍ରଦର୍ସ ମାମଲାରେ ଯେ କେହି ବି ସମ୍ପୃକ୍ତ ଥିବେ କାହାରିକୁ ଛଡାଯିବ ନାହିଁ। ମାମଲାର ତଦନ୍ତ ଚାଲିଛି, ଆଗକୁ ଆହୁରି ଅଧିକ ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି।”

ଗତ ଜାନୁୟାରୀ ୨୮ ତାରିଖ ରାତିରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଏକ ଭଡ଼ା ଘରୁ ଗିରଫ କରାଯାଇଥିଲା। ସୁଶାନ୍ତ ନାଁରେ ୩ଟି ହତ୍ୟା ଘଟଣାରେ ୱାରେଣ୍ଟ୍ ରହିଥିଲା। ସେମାନଙ୍କ ନିକଟରୁ ୨.୬୫ କୋଟିରୁ ଅଧିକ ଟଙ୍କା ସହିତ ୧୦ଟି ବିଭିନ୍ନ ଧରଣର ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଦେଢ଼ ଶହରୁ ଅଧିକ ଗୁଳି ମଧ୍ୟ ସେମାନଙ୍କ ଘରୁ ଜବତ କରାଯାଇଥିଲା। ଏହା ସହିତ ୩ଟି ମର୍ସିଡିଜ୍ ଓ ୨ଟି ଅଡି କାର ସହିତ ଏକାଧିକ ମୋବାଇଲ, ଲାପଟପ୍ ଓ ଡାଏରୀ ଜବତ କରାଯାଇଥିଲା।

ଦୁଇଭାଇଙ୍କୁ ଜେରା ବେଳେ ଦିପୁ ଓ ଓମ୍‌ ହତ୍ୟାର ପର୍ଦ୍ଦାଫାସ ହୋଇଥିଲା। ଦୁଇଭାଇ ଆଠଗଡ଼ରେ ଥିବା ଏକ ଗେଷ୍ଟ ହାଉସରେ ସହଯୋଗୀଙ୍କ ସହ ମିଶି ସେମାନଙ୍କୁ ହତ୍ୟା କରିବା ପରେ ଝାଡ଼ଖଣ୍ଡ ନେଇ ସେମାନଙ୍କ ମୃତଦେହ ନଷ୍ଟ କରି ଦେଇଥିବା ସ୍ୱୀକାର ଥିଲେ। ଏକଦା ଦିପୁ ଓ ଓମ୍‌ ଡି’ ବ୍ରଦର୍ସଙ୍କ ସହଯୋଗୀ ଭାବେ କାମ କରୁଥିଲେ। ସେମାନେ ଦୁଇ ଭାଇଙ୍କ ଠାରୁ ଅଲଗା ହୋଇ ନିଜର ଗ୍ୟାଙ୍ଗ କରିବାକୁ ଚେଷ୍ଟା କରିବା ପରେ ଡି’ ବ୍ରଦର୍ସ ସେମାନଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ।

ଡି’ ବ୍ରଦର୍ସଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ଫଟୋକୁ ନେଇ ଚର୍ଚ୍ଚା ଏବେ ବି ଲାଗି ରହିଛି। ରାଜନେତାମାନେ ଦୁଇଭାଇଙ୍କ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଥିଲେ। ଏହି ରାଜନେତାମାନେ କେବଳ ଡି’ ବ୍ରଦର୍ସଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ ନା ସେମାନଙ୍କ ଅପରାଧିକ କାର୍ଯ୍ୟରେ ସାମିଲ ଥିଲେ ତାହାର ତଦନ୍ତ କରାଯିବାକୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos