୨୭ରୁ ଶ୍ରୀମନ୍ଦିର ଜଗମୋହନ ମରାମତି: ସ୍ନାନ ପୂର୍ଣ୍ଣିମା ପୂର୍ବରୁ କାମ ସାରିବା ଲକ୍ଷ୍ୟ

ପୁରୀ/ଭୁବନେଶ୍ୱର: ଜାନୁଆରୀ ୨୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନ ମରାମତି କାମ। ଏଏସ୍ଆଇ ବିଶେଷଜ୍ଞଙ୍କ ଦ୍ୱାରା ପୂରା ସ୍ଥିତି ଯାଞ୍ଚ କରାଯିବା ପରେ କାମ ଆରମ୍ଭ ହେବ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ନିଯୋଗକୁ ଦିଆଯାଇଛି ଆଦେଶ ପତ୍ର। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟର ଆଦେଶ ପତ୍ରରେ ଜଗମୋହନ ମରାମତି ପାଇଁ ଅନୁମୋଦିତ ନୀତି ନିର୍ଘଣ୍ଟ ସମ୍ପର୍କରେ ଉଲ୍ଲେଖ ରହିଛି। ଜଗମୋହନ ମରାମତି ପାଇଁ ରାତି ୨ଟାରୁ ଦ୍ୱାରଫିଟା, ପରେ ଭିତରଶୋଧ, ମଙ୍ଗଳ ଆରତି, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ ପରେ ଦ୍ୱିତୀୟ ଭୋଗମଣ୍ଡପ ଓ ଦକ୍ଷିଣ ଘର ଭୋଗ ଦିନ ୧୧ଟା ସୁଦ୍ଧା ସରିବ। ଏହାପରେ ଆରମ୍ଭ ହେବ ମରାମତି କାର୍ଯ୍ୟ।

ନିର୍ଘଣ୍ଟ ଅନୁଯାୟୀ ନୀତି ନିର୍ବାହ କଲେ ପାଳିଆ ଓ ଅଧିକ ପାଳିଆ ସେବକଙ୍କୁ ଦିଗୁଣା ହାରରେ ପୁରସ୍କାର ଦିଆଯିବ ବୋଲି ଆଦେଶ ପତ୍ରରେ କୁହାଯାଇଛି। ତେବେ ନୀତି ବିଶୃଙ୍ଖଳା କିମ୍ୱା ଅବହେଳା ପ୍ରଦର୍ଶନ କଲେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସ୍ନାନଯାତ୍ରା ପୂର୍ବରୁ ଜଗମୋହନର ଉତ୍ତର-ପଶ୍ଚିମ କୋଣ ସ୍ତମ୍ଭ କାର୍ଯ୍ୟ ଶେଷ କରିବା ପାଇଁ ଦଇତାପତି ନିଯୋଗ ଗୁରୁତ୍ୱ ଦେଉଛି। ଏନେଇ ଦଇତାପତି ନିଯୋଗ ସହ ସମ୍ପାଦକ ବିନାୟକ ଦାସମହାପାତ୍ର କହିଛନ୍ତି ଯେ ଜଗମୋହନ ମରାମତି କାର୍ଯ୍ୟ ଠିକ ସମୟରେ ଶେଷ ହେବ କି ନାହିଁ ତାହା ଏଏସଆଇ କର୍ତ୍ତୃପକ୍ଷଙ୍କ ଉପରେ ନର୍ଭର କରେ। ଜୁନମାସରେ କାର୍ଯ୍ୟର ଅଗ୍ରଗତି ନେଇ ପୁଣି ଥରେ ତାଙ୍କ ସହ ଆଲୋଚନା କରାଯିବ। ଯାହା ହେଲେ ବି ଜୁନ ମାସରେ ଭାରା ଖୋଲିବାକୁ ପଡ଼ିବ। ତା’ପରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଓ ଅଣସର ଗୁପ୍ତନୀତି ଆଦି ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଗରାବଡୁ ନିଯୋଗ ସମ୍ପାଦକ ରଜତ କୁମାର ପ୍ରତିହାରୀ କହିଛନ୍ତି ଯେ କୋଟି କୋଟି ହିନ୍ଦୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କ ମନ୍ଦିର ମରାମତି ନିତାନ୍ତ ଅପରିହାର୍ଯ୍ୟ। ତେଣୁ ଏଥିରେ ସବୁ ନିଯୋଗ ସହଯୋଗ କରିବେ।

ଜଗମୋହନ ମରାମତି ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ତରଫରୁ ବିଭନ୍ନ କାମ ପାଇଁ ୫ଟି ଟିମ୍ ଗଠନ କରାଇଛି। ମେ ସୁଦ୍ଧା ମରାମତି କାମ ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ। ଆବଶ୍ୟକ ହେଲେ ଆଉ ଗୋଟିଏ କିମ୍ୱା ଦୁଇ ସପ୍ତାହ ଅଧିକ ଲାଗିପାରେ। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସବୁ କାମ ଶେଷ ହେବ ବୋଲି ବୈଷୟିକ କମିଟି ସଦସ୍ୟ ଡ. ନାରାୟଣ ଚନ୍ଦ୍ର ପାଲ୍ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।