ଫେବୃୟାରୀ ୨୫ ସୁଦ୍ଧା ୨୯ ଜିଲ୍ଲାକୁ ସମ୍ପ୍ରସାରିତ ହେବ ଆହାର ଯୋଜନା

ଭୁବନେଶ୍ୱର: ଆହାର ଯୋଜନା ରାଜ୍ୟର ୨୯ଟି ଜିଲ୍ଲାକୁ ସମ୍ପ୍ରସାରିତ ହେବ। ଫେବୃୟାରୀ ୨୫ ସୁଦ୍ଧା ସମ୍ୱଲପୁରକୁ ଛାଡି ବାକି ସବୁ ଜିଲ୍ଲାର ସହରାଞ୍ଚଳରେ ୫୭ଟି ଆହାର କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏସବୁ କେନ୍ଦ୍ରରେ ପ୍ରତିଦିନ ୩୦ହଜାର ୩୦୦ ମିଲ ପ୍ରସ୍ତୁତ କରାଯିବ। ଫେବୃୟାରୀ ୨୫ ତାରିଖ ସୁଦ୍ଧା ସମସ୍ତ ଭିତ୍ତିଭୂମି ସହିତ ପରିବହନ, ପ୍ରଶିକ୍ଷଣ, ପରିମଳ, ପାନୀୟଜଳ ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସଚିବାଳୟରେ ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ବୈଠକ ପରେ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ କହିଛନ୍ତି, ଆହାର ଯୋଜନା ସମ୍ପ୍ରସାରଣର ସମୀକ୍ଷା ମୁଖ୍ୟମନ୍ତ୍ରୀ କରିଥିଲେ। ପ୍ରାୟ ସବୁ ଜିଲ୍ଲାରେ କାମ ଶେଷ ହୋଇଗଲାଣି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆହାର ଯୋଜନା କାର୍ଯ୍ୟକାରୀ ଲାଗି ଏଜେନ୍ସିଙ୍କୁ କାମ ଦିଆ ସରିଛି। ଆଉ ଯାହା କିଛି ସମସ୍ୟା ରହିଛି ତାହାର ଶୀଘ୍ର ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ କାର୍ଯ୍ୟ ସରିବା ପରେ କେବେ ଏହି ଯୋଜନା କାର୍ଯ୍ୟକାରୀ ହେବ ମୁଖ୍ୟମନ୍ତ୍ରୀ ତାହାର ନିର୍ଦ୍ଦେଶ ଦେବେ। ଏଥିପାଇଁ ଆବଶ୍ୟକ ଖର୍ଚ୍ଚ ବିଭିନ୍ନ ସଂସ୍ଥା ମାଧ୍ୟମରେ ଯୋଗାଇ ଦିଆଯିବାକୁ ସରକାର ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଖାଦ୍ୟ ସୁରକ୍ଷା ଆଇନର କାର୍ଯ୍ୟକାରିତା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଆସନ୍ତା ୧୫ ତାରିଖ ସୁଦ୍ଧା ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ସହ ପ୍ରସ୍ତୁତ ହୋଇ ସାରିଥିବା ସମସ୍ତ କାର୍ଡ ବଣ୍ଟନ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଜାନୁୟାରୀ ୩୧ ଭିତରେ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ଓ ଗହମ ବଣ୍ଟନ କରିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଯୋଗ୍ୟ ହିତାଧିକାରୀମାନେ କୌଣସି କାରଣରୁ ତାଲିକାରୁ ବାଦ ପଡିଛନ୍ତି ସେମାନଙ୍କ ସାମିଲ ପାଇଁ କୌଣସି ସମୟ ସୀମା ନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଖାଦ୍ୟ ଯୋଗାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, ଖାଦ୍ୟ ସୁରକ୍ଷା ଆଇନ ଠିକ୍ ଭାବେ କାର୍ଯ୍ୟକାରୀ ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୪ଟି ନିର୍ଦ୍ଦେଶ ଦେଇଛନ୍ତି। ରାସନ କାର୍ଡରୁ ବାଦ ପଡିଥିବା ହିତାଧିକାରୀ ନିକଟସ୍ଥ ବ୍ଲକ ଓ ପୌରପାଳିକା କାର୍ଯ୍ୟାଳୟକୁ ଯାଇ ଆବେଦନ କରି ରାସନ କାର୍ଡ ନେଇ ପାରିବେ। ରାଜ୍ୟ ସ୍ତରୀୟ ଖାଦ୍ୟ କମିଶନ ଗଠନ କରାଯିବା ସମ୍ପର୍କରେ ଯଥେଷ୍ଟ ପୂର୍ବରୁ ସୂଚନା ଦିଆଯାଇଥିଲା। ଜିଲ୍ଲା ସ୍ତରରେ ପିଡି ଡିଆରଡିଏଙ୍କୁ ଏହାର ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।

ସେହିପରି ୨୦୧୬-୧୭ ଶିକ୍ଷାବର୍ଷରୁ ୧୦୦ଟି ମଡେଲ ସ୍କୁଲରେ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଏହି ସମୟ ମଧ୍ୟରେ ଭିତ୍ତିଭୂମି ନିର୍ମାଣ, ବିଦ୍ୟୁତୀକରଣ, ଜଳଯୋଗାଣ ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ବିଦ୍ୟାଳୟକୁ ରାସ୍ତା ଆଦି ଆନୁସଙ୍ଗିକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସଚିବାଳୟରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଖାଦ୍ୟ ଯୋଗାଣ ଓ ନଗର ଉନ୍ନୟନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୫୨ହଜାର ୬୫୯ ପରିବାର କାର୍ଡ ଫେରସ୍ତ ପାଇଁ ଆବେଦନ କରିଛନ୍ତି। ସେଥି ମଧ୍ୟରୁ ୧ଲକ୍ଷ ୩୦ହଜାର ୨୭୨ ଆବେଦନ ମଞ୍ଜୁର ହୋଇଛି। ସେପଟେ ରୁଲସ୍ ଫ୍ରେମ୍ ନ କରି ଆଇନକୁ କିପରି କାର୍ଯ୍ୟକାରୀ କରାଯାଉଛି ସେ ନେଇ ପ୍ରଶ୍ନ ଉଠାଇଛି ବିଜେପି।

ବିଜେପି ନେତା ମନମୋହନ ସାମଲ କହିଛନ୍ତି, ଏହା ପ୍ରଥମେ କାର୍ଯ୍ୟକାରୀ ହେବ। ଏହା କ୍ୟାବିନେଟରେ ମଞ୍ଜୁରୀ ନ ହେଲେ ଯେତେ ନୋଟିଫିକେସନ କଲେ ବି କ୍ଷମତା କାହା ପାଖରେ ରହିବ ନାହିଁ। ସେ ଜିଲ୍ଲାର ଡିଆରଡିଏ ସେଲ ହୁଅନ୍ତୁ, ଭିଜିଲାନ୍ସ କମିଟି ହେଉ କିମ୍ବା ଷ୍ଟେଟ କମିଟି ହେଉ।

ରାସନ କାର୍ଡ ଅନିୟମିତତା ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ପୁରୀରେ ଶାସକ ଦଳର ନେତା ଓ କର୍ମୀମାନେ ବେଆଇନ୍ ଭାବେ କାର୍ଡ ହାତେଇଥିବା ଅଭିଯୋଗ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏହାର ପ୍ରତିବାଦରେ ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯାଇ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରାଯାଇଥିଲା।