ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଞ୍ଜୟଙ୍କ ସମେତ ୫ ମନ୍ତ୍ରୀ, କାରଣ ଅସ୍ପଷ୍ଟ

sanjayଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମେତ ୫ ମନ୍ତ୍ରୀ ଭେଟିଥିଲେ। ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ଅନ୍ୟ ମନ୍ତ୍ରୀମାନେ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ, ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ ସାହୁ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ତେବେ ଏହି ୫ ଯୁବ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ଭେଟିବାକୁ ଡକାଇଥିଲେ, ତାହା ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଏହି ୫ ମନ୍ତ୍ରୀଙ୍କୁ ଡାକି ଆଲୋଚନା କରିବା ନେଇ ଏକାଧିକ ଆକଳନ କରାଯାଉଛି।

ପାଜେରୋଗାଡ଼ି ସମ୍ବନ୍ଧରେ ସିବିଆଇ ନୋଟିସ୍‌କୁ ନେଇ ବର୍ତ୍ତମାନ ସଞ୍ଜୟ ଦାସବର୍ମା ଚର୍ଚ୍ଚାରେ ରହିଛନ୍ତି।  ଏ ସଂପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଡାକି ଥାଇପାରନ୍ତି ବୋଲି କୁହାଯାଉଛି।

ସେହିପରି ଯୁକ୍ତ ଦୁଇ ପରୀକ୍ଷା ଖାତା ମୁଲ୍ୟାୟନ ନେଇ ଦେଖା ଦେଇଥିବା ସମସ୍ୟା ସଂପର୍କରେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା କୁହାଯାଉଛି।

ଏହା ବି କୁହାଯାଉଛି ଯେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱରଠାରେ ହେବାକୁ ଥିବା ବିଜେଡିର ପ୍ରସ୍ତାବିତ ଚାଷୀ ସମାବେଶ ସଂପର୍କରେ ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ମନ୍ତ୍ରୀମାନଙ୍କୁ ଡାକିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଆଜିଠାରୁ ନୂଆଦିଲ୍ଲୀ ଗସ୍ତରେ ଯାଉଥିବାରୁ ସେଥିପାଇଁ ଏହି ୫ ମନ୍ତ୍ରୀଙ୍କୁ ଡାକି ଆଲୋଚନା କରିଥିବା କୁହାଯାଉଛି। କିନ୍ତୁ ଆଲୋଚନା ସଂପର୍କରେ କୌଣସି ମନ୍ତ୍ରୀ ମୁହଁ ଖୋଲି ନାହାନ୍ତି।