୬ ଆଦିବାସୀଙ୍କ ମୃତ୍ୟୁ ଘଟଣା: କଂଗ୍ରେସ ଓ ବିଜେପିର କନ୍ଧମାଳ ବନ୍ଦ, ଜୀବନଯାତ୍ରା ପ୍ରଭାବିତ

bandaକନ୍ଧମାଳ: କନ୍ଧମାଳ ଜିଲ୍ଲା କୁର୍ତ୍ତମଗଡ଼ରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି କଂଗ୍ରେସ ଓ ବିଜେପି କନ୍ଧମାଳ ବନ୍ଦ ପାଳନ କରୁଛନ୍ତି। ଦଳୀୟ କର୍ମୀ ଓ ନେତା ଜିଲ୍ଲାର ଫୁଲବାଣୀ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାନବାହନ ଚଳାଚଳ ବନ୍ଦ ରହିବା ସହ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ବନ୍ଦ ଯୋଗୁଁ ଫୁଲବାଣୀ, ବାଲିଗୁଡ଼ା, ଜି.ଉଦୟଗିରି ଓ କେ.ନୂଆଗାଁ ସମେତ ଅନ୍ୟାନ୍ୟ ସ୍ଥାନରେ ଗାଡି ଚଳାଚଳ ବନ୍ଦ ରହିଛି। କଂଗ୍ରେସ କର୍ମୀମାନେ ଫୁଲବାଣୀ କଲେଜ ଛକରେ ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁରଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଅଟକ ରଖିଥିଲେ।

ଘଟଣା ପ୍ରତିବାଦରେ କଂଗ୍ରେସ ମଧ୍ୟ ଜୋରଦାର ବିରୋଧ ପ୍ରଦର୍ଶତ କରିଛି। ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି କହିଛନ୍ତି, “ପ୍ରଥମ ଦଫାରେ କନ୍ଧମାଳରୁ ଏହି ବନ୍ଦ ପାଳନ ଆରମ୍ଭ ହୋଇଛି, ଆଗାମୀ ଦିନରେ ସାରା ଓଡ଼ିଶାରେ ପ୍ରସାରିତ କରାଯିବ। ଦକ୍ଷିଣାଞ୍ଚଳ ଆଇଜି ଅମିତାଭ ଠାକୁର ଏବଂ ଏସ୍‌ପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୋଲିସ ନିରୀହ ଆଦିବାସୀଙ୍କୁ ହତ୍ୟା କରିବା ପ୍ରତିବାଦରେ କନ୍ଧମାଳବାସୀ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ଆଦିବାସୀଙ୍କୁ ଏପରି ହତ୍ୟା କରାଯିବା ପ୍ରଥମ ଘଟଣା ନୁହେଁ। ଗୋଟିଏ ବର୍ଷ ମଧ୍ୟରେ ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରିରେ ଏପରି ଘଟଣା ଘଟିଛି। ସରକାରଙ୍କୁ ଉଚିତ ଜବାବ ଦିଆଯିବ। ଡିଆଇଜି ଏବଂ ଏସ୍‌ପିଙ୍କୁ ଗିରଫ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।”

ସେ କହିଛନ୍ତି, “ପୋଲିସ ଗତକାଲି ସନ୍ଧ୍ୟାରେ ଗାଁକୁ ଯାଇ ଗଣମାଧ୍ୟମ ଓ ରାଜନୈତିକ ନେତାଙ୍କ ସମ୍ମୁଖରେ ମୁହଁ ନ ଖୋଲିବାକୁ ମୃତକଙ୍କ ପରିବାର ଲୋକଙ୍କୁ ଧମକ ଦେଇଛି। ଏହାକୁ ନେଇ ସେମାନ ଭୟଭୀତ ଅବସ୍ଥାରେ ଅଛନ୍ତି ଓ ଜଙ୍ଗଲ ଛାଡି ଚାଲିଯିବାକୁ ଉଦ୍ୟମ କରୁଛନ୍ତି। ଏପର୍ଯ୍ୟନ୍ତ ମୃତକଙ୍କ ପରିବାର ସହ ଆଲୋଚନା କରିବାକୁ କୌଣସି ପ୍ରଶାସନିକ ଅଧିକାରୀ ଗାଁରେ ପହଞ୍ଚି ନାହାନ୍ତି।”

ସେ କହିଛନ୍ତି, “ସିଡିଏମ୍‌ଓ ଦେଇଥିବା ରିପୋର୍ଟରେ ୩ ମିଟର ଦୂରରୁ ସେମାନଙ୍କୁ ଗୁଳି କରାଯାଇଥିବା ଉଲ୍ଲେଖ କରିଛନ୍ତି। ଏହାର ଅର୍ଥ ଏହି ଆଦିବାସୀମାନେ ମାଓବାଦୀ ନୁହନ୍ତି ବୋଲି ସୁରକ୍ଷାକର୍ମୀମାନେ ଭଲ ଭାବେ ଜାଣି ମଧ୍ୟ ସେମାନଙ୍କୁ ଗୁଳି କରି ହତ୍ୟା କଲେ। ରାଜ୍ୟରେ ଏପରି ଶାସନ ଚଳିବ ନାହିଁ। ନବୀନ ବାବୁଙ୍କ ଶାସନ, ଆଇଏସ୍‌ଆଇଏସ୍‌ ଓ ତାଲିବାନ ଠାରୁ ବଳିଗଲାଣି।”

ସେ ଆହୁରି କହିଛନ୍ତି, “ଏହା ରାଜନୈତିକ ଘଟଣା ନୁହେଁ ମାନବବାଦ ଘଟଣା। ଏନ୍‌ଆରଇଜିଏସ୍‌ ଟଙ୍କା ନେଇ ଘରକୁ ଫେରୁଥିବା ନିରୀହ ଲୋକଙ୍କୁ ଗୋଡାଇ ଗୋଡାଇ ଗୁଳିମାରି ହତ୍ୟା କଲ, ଆମେ ପ୍ରତିବାଦ କଲେ ରାଜନୀତି କରୁଛୁ ବୋଲି କହୁଛ। ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇ ନାଟକ କରୁଛନ୍ତି। ଘଟଣା ଉପରେ ଘଣ୍ଟ ଘୋଡାଇବା ପାଇଁ ଏପରି ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସାଧାରଣ ଲୋକ ହତ୍ୟା କଲେ ଜେଲ ଯାଉଛି। ଏଠାରେ ପୋଲିସ ହତ୍ୟା କରିଛି, ସେ କାହିଁକି ଜେଲ ଯିବ ନାହିଁ? ଏପରି କରି ସରକାର ଆମକୁ ଅସ୍ତ୍ର ଉଠାଇବାକୁ ବାଧ୍ୟ କରୁଛି, ଆବଶ୍ୟକ ହେଲେ ଏପରି କରିବାକୁ ମଧ୍ୟ ଆମେ ପଛାଇବୁ ନାହିଁ।”

ସେ କହିଛନ୍ତି, “କଂଗ୍ରେସ କେବଳ ବନ୍ଦ ଡାକରା ଦେଇଥିଲା। ଜିଲ୍ଲାବାସୀ ନିଜ ଇଛାରେ ଏଥିରେ ସାମିଲ ହୋଇଛନ୍ତି। ସେମାନେ ଜାଣିଛନ୍ତି, ଆଗାମୀ ଦିନରେ ଏପରି ଘଟଣା ତାଙ୍କ ସହ ମଧ୍ୟ ଘଟିପାରେ। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ଏଥର ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ କଂଗ୍ରେସ ଦଳ ପଛକୁ ହଟିବ ନାହିଁ। ଘଟଣା ସ୍ଥଳରେ କ୍ରସ ଫାୟାରିଂ ହେଉ ନ ଥିଲା, ଏମାନେ ଅଟୋରେ ଯାଉଥିଲେ, ୩ ମିଟର ଦୂରରୁ ସେମାନଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ରିପୋର୍ଟ ଆସି ସାରିଲାଣି। ଆଉ ତଦନ୍ତ କ’ଣ ଦରକାର ?”

ବିଜେପି ମଧ୍ୟ ପ୍ରତିବାଦକୁ ଜୋରଦାର କରିଛି। ଦଳୀୟ କର୍ମୀ ଓ ନେତାମାନେ ବିଭିନ୍ନ ଛକ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଛନ୍ତି। ଦଳ ପକ୍ଷରୁ କୁହାଯାଇଛି, “କନ୍ଧମାଳ ଜିଲ୍ଲାବାସୀଙ୍କ ଆହ୍ୱାନ କ୍ରମେ ବିଜେପି ଏହି ବନ୍ଦ ଡାକରା ଦେଇଛି। କମ୍ବିଂ ଅପରେସନ ନାଁରେ ନିରୀହ ଆଦିବାସୀଙ୍କୁ ଯେପରି ନିର୍ମମ ଭାବେ ହତ୍ୟା କରାଗଲା ଏହା ହେଉଛି ତା’ର ପ୍ରତିବାଦ। ବାଲିଗୁଡାର ଉପାନ୍ତ ଅଞ୍ଚଳରୁ ଆରମ୍ଭ କରି, ଦାରିଙ୍ଗବାଡ଼ି, ଚକାପାଦ, ଖଜୁରୀପଡ଼ା ପର୍ଯ୍ୟନ୍ତ ସବୁ ଅଞ୍ଚଳର ଲୋକେ ସ୍ୱଇଚ୍ଛାରେ ଏହି ଧାରଣାରେ ସାମିଲ ହୋଇଛନ୍ତି।

ଦଳ ପକ୍ଷୁରୁ କୁହାଯାଇଛି, “ବିଜେପି ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି କରେ ନାହିଁ। ବିଜେଡି ଏହି ଘଟଣାକୁ ରାଜନୈତିକ ମୋଡ଼ ଦେଉଛି। ୬ ଜଣ ନିରୀହ ଆଦିବାସୀଙ୍କ ଜୀବନ ନେଇଗଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଦଫାରେ ମାମଲା ରୁଜୁ କରାଯାଉ ଓ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ହାତରେ ଘରୋଇ ବିଭାଗ ଥିବାରୁ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦିଅନ୍ତୁ। ମାଆ କୋଳରେ ଶୋଇଥିବା ଏକ ଦେଢ଼ବର୍ଷର ଶିଶୁକୁ ପୋଲିସ ଲଗାଇ ହତ୍ୟା କରିଛନ୍ତି। ନବୀନ ବାବୁ ମୁଖ୍ୟମନ୍ତ୍ରୀ ପଦରେ ବସିବାର ନୈତିକ ଅଧିକାର ହରାଇ ସାରିଛନ୍ତି।

କନ୍ଧମାଳ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା କହିଛନ୍ତି, “ଆଜିର ବନ୍ଦରେ ଜନସାଧାରଣଙ୍କ ସମ୍ପୂର୍ଣ୍ଣ ସହଯୋଗ ରହିଛି। ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଦଫାରେ ହତ୍ୟା ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଉ। ମୃତକଙ୍କ ପରିବାରକୁ ୨୦ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ସହ ଜଣଙ୍କୁ ଚାକିରି ଦିଆଯାଉ। ଆହତମାନଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ମାଗଣା ଚିକିତ୍ସା କରାଯାଉ। ଆଗାମୀ ଦିନରେ ଏହି ଘଟଣାର ପୁନରାବୃତ୍ତି ଯେପରି ନ ଘଟେ ସେଥିପ୍ରତି ସରକାର ସଚେତନ ହୁଅନ୍ତୁ।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ ମାଓ ଅପରେସନ୍‌ରେ ୬ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ଦଳ ଉଦ୍‌ବେଗ ପ୍ରକାଶ ବାହାନାରେ ଘଟଣାକୁ ରାଜନୀତିକରଣ କରୁଛନ୍ତି। ଯାହା ଘଟିଗଲା ଅତ୍ୟନ୍ତ ଦୁଃଖଦାୟକ, ଏପରି ଘଟିବାର ନ ଥିଲା। ସରକାର ଏ ନେଇ ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ସାରିଛନ୍ତି। ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ଆଇନ ଅନୁଯାୟୀ ଦଣ୍ଡ ପାଇବେ। ଘଟଣାସ୍ଥଳରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଳନ କରାଯାଇଥିଲା କି ନାହିଁ, ପୋଲିସ୍ ଗୁଇନ୍ଦା ଖବର ପାଇଥିଲା କି ଆଦି ଦିଗ ଉପରେ ତଦନ୍ତ କରାଯିବା ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ।”

ବନ୍ଦ ପାଇଁ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଏ ନେଇ ଡିଆଇଜି ଠାକୁର କହିଛନ୍ତି, “ଜିଲ୍ଲାରେ ୭ ପ୍ଲାଟୁନ ସିଆରପିଏଫ୍‌ ଯବାନଙ୍କ ସହ ୨୦ ପ୍ଲାଟୁନ ସ୍ପେଶାଲ ଆଇଆରବିଙ୍କୁ ମୁତୟନ କରାଯାଇଛି। ଏହାସହ ୧୬ ପ୍ଲାଟୁନ ପୋଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତାମାନେ ଆସିଛନ୍ତି। ଆଶା କରୁଛି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ନାହିଁ।”

ସେ କହିଛନ୍ତି, “ମୃତକ ଓ ପୀଡିତଙ୍କ ପରିବାର ଲୋକଙ୍କୁ ତଦନ୍ତରେ ସହଯୋଗ କରିବାକୁ ବୁଝାଉଛୁ। ଘଟଣାର ନିରପେକ୍ଷ ତଦନ୍ତ ହେବ। ତଦନ୍ତରୁ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ। ସରକାର ଘୋଷଣା କରିଥିବା ସହାୟତା ରାଶି ସହ କ୍ରସ୍‌ ଫାୟାରିଂରେ ମୃତକଙ୍କୁ ମିଳୁଥିବା ଅନୁକମ୍ପା ରାଶି ମଧ୍ୟ ପ୍ରଦାନ କରାଯିବ।”