୬ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ହାବିଲଦାର ଓ ସିପାହୀ ମହାସଂଘ

ଭୁବନେଶ୍ୱର: ୬ଦଫା ଦାବି ନେଇ ଆଜିଠୁ ରାଜ୍ୟ ହାବିଲଦାର ଓ ସିପାହୀ ମହାସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଆଜି ସଂଘର ସଦସ୍ୟମାନେ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରୁଛନ୍ତି। ଦାବି ପୂରଣ ନ ହେଲେ ଆସନ୍ତା ୨୩ ତାରିଖକୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ମହାସଂଘ ନିଷ୍ପତ୍ତି ନେଇଛି। ଗ୍ରେଡ ପେ’ ବୃଦ୍ଧି, କେନ୍ଦ୍ରୀୟ ଢାଞ୍ଚାରେ ସ୍ୱତନ୍ତ୍ର ଖାଦ୍ୟ ଭତ୍ତା ପ୍ରଦାନ, ଚତୁର୍ଥ ଗ୍ରେଡ୍ କର୍ମଚାରୀ ନିଯୁକ୍ତି ଓ ଠିକା ନିଯୁକ୍ତି ଉଚ୍ଛେଦ ଆଦି ୬ ଦଫା ଦାବିରେ ମହାସଂଘ ଆନ୍ଦୋଳନ କରିଛି।  ଓଏସ୍‌ଏପି, କନଷ୍ଟେବଲ, ସିପାହୀ ଏବଂ ହାବିଲଦାର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।

କେନ୍ଦୁଝର ହାବିଲଦାର କନଷ୍ଟେବଲ ଶାଖା ସଂଘର ସଭାପତି ପ୍ରଫୁଲ୍ଲ କୁମାର ପଣ୍ଡା କହିଛନ୍ତି,“୨୦୧୫ ମସିହାରୁ ରାଜ୍ୟ ହାବିଲଦାର ଓ ସିପାହୀ ମହାସଂଘ ୬ ଦଫା ଦାବି ସମ୍ବଳିତ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିଥିଲା। ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଆଜି ମହାସଂଘର ଡାକରା ଅନୁସାରେ ଆମେ କଳାବ୍ୟାଜ ପରିଧାନ କରିଛୁ। କଳାବ୍ୟାଜ ମାଧ୍ୟମରେ ଆମେ ସରକାର ପ୍ରତି ଅସନ୍ତୁଷ୍ଟ ମନୋଭାବ ପ୍ରକାଶ କରୁଛୁ। ଯଥାଶୀଘ୍ର ଆମକୁ ନ୍ୟାୟ ପ୍ରଦାନ କରାଯାଉ।”