ବଗିଚାରେ କାମ କରୁଥିଲେ ମହିଳା, ଗିଳି ଦେଲା ୨୩ ଫୁଟ୍‌ର ଅଜଗର

ନୂଆଦିଲ୍ଲୀ: ସାଧାରଣତଃ ଆନାକୋଣ୍ଡା ଭଳି ବିଶାଳ ସାପ ମଣିଷକୁ ଗିଳି ଦେଇଥାଏ ବୋଲି ଆମେ ଶୁଣିଥାଉ। କିନ୍ତୁ ଅଜଗର ଯେ ମଣିଷକୁ ଗିଳିଦେବ ଏକଥା ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟକର। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଭାରତର ମିତ୍ର ରାଷ୍ଟ୍ର ଇଣ୍ଡୋନେସିଆରେ। ସେଠାରେ ୱାତିବା ନାମକ ଜଣେ ମହିଳା ନିଜ ପରିବା କ୍ଷେତରେ ଦେଖାରେଖା କରିବାକୁ ଯାଇ ହଠାତ୍‌ ନିଖୋଜ ହୋଇ ଯାଇଥିଲେ। ପରେ ଖୋଜାଖୋଜି କରିବାରୁ ଏକ ବିଶାଳ ଅଜଗର ସାପ ପେଟରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ଗୁରୁବାର ମହିଳା ଜଣଙ୍କ ପରିବା କ୍ଷେତକୁ ଯାଇ ନ ଫେରିବାରୁ, ଚିନ୍ତାରେ ପଡ଼ିଯାଇଥିଲେ ପରିବାର ଲୋକେ। ସେମାନେ ଗାଁ ଲୋକଙ୍କ ସହିତ ୱାତିବାଙ୍କୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ଏହି ସମୟରେ ପରିବା କ୍ଷେତରେ ତାଙ୍କ ଜୋତା ଓ କୁରାଢ଼ି ପଡ଼ିଥିବାର ଦେଖିବାକୁ ପାଇଥିଲେ। ଆଉ ଏହାର ପାଖାପାଖି ୩୦ ମିଟର ଦୂରରେ ୭ ମିଟର ଲମ୍ବ ଅର୍ଥାତ୍ ୨୩ ଫିଟ୍‌ର ଏକ ବିଶାଳ ଅଜଗର ସାପ ଶୋଇଥିଲା।

ସାପଟିର ପେଟ ଫୁଲିଥିବାର ଦେଖି ସେମାନଙ୍କ ମନରେ ସନ୍ଦେହ ହୋଇଥିଲା। ୱାତିବାଙ୍କୁ ସାପଟି ଗିଳି ଦେଇଛି ବୋଲି ସନ୍ଦେହ କରି ସେମାନେ ଅଜଗରରକୁ ମାରି ଦେଇଥିଲେ। ଏହାପରେ ବଗିଚାରୁ ଏକ ଫାଙ୍କା ସ୍ଥାନକୁ ନେଇ ଅଜଗରର ପେଟ ଚିରି ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ପ୍ରକାଶ ଥାଉକି ଏତେବଡ଼ ବିଶାଳ ସାପ ପୃଥିବୀର ଇଣ୍ଡୋନେସିଆ ଓ ପିଲିପିନ୍ସରେ ଦେଖା ଯାଇଥାନ୍ତି। ଏଠାରେ ୬ ମିଟରରୁ ୭ ମିଟର ପର୍ଯ୍ୟନ୍ତ ଅଜଗର ସାପ ଦେଖାଯାଆନ୍ତି।