ଅବଦୁର ରେହମାନ ଗିରଫ ଘଟଣା: ମଦ୍ରାସା ଛାଡ଼ିଲେ ସବୁ ପିଲା

cକଟକ: ପୋଲିସର ପଚରାଉଚରା ସରିବା ପରେ ଗିରଫ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ ଜଗତପୁର ଅଞ୍ଚଳରେ ଚଳାଇଥିବା ମଦ୍ରାସା ଛାଡ଼ିଲେ ସମସ୍ତ ପିଲା। ଏହି ମଦ୍ରାସାରେ ଝାଡ଼ଖଣ୍ଡର ପ୍ରାୟ ୬୦ଜଣ ପିଲା ପଢୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ କିଛି ପିଲା ପଢୁଥିଲେ। ତେବେ ଆଜି ସବୁ ପିଲା ସେମାନଙ୍କ ଜିନିଷପତ୍ର ଧରି ମଦ୍ରାସା ଛାଡିଛନ୍ତି। ପୋଲିସ ଓ ପ୍ରଶାସନ ଉପସ୍ଥିତିରେ  ଏହି ପିଲାମାନଙ୍କୁ ସେମାନଙ୍କ ଅଭିଭାବକମାନଙ୍କୁ ହସ୍ତାନ୍ତର କରାଯାଇଥିଲା। ଅଭିଭାବକମାନେ ଠିକଣା ପରିଚୟ ପତ୍ର ଦେଖାଇବା ପରେ ପିଲାମାନଙ୍କୁ ହସ୍ତାନ୍ତର କରାଯାଇଥିଲା।

ଅବଦୁର ରେହମାନକୁ ସନ୍ଦିଗ୍ଧ ଆତଙ୍କବାଦୀ ଭାବେ ଗିରଫ କରାଯିବା ଘଟଣାରେ ତାଙ୍କ ମଦ୍ରାସାରେ ପଢ଼ୁଥିବା ପିଲାଙ୍କ ଅଭିଭାବକମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏହି ଅଭିଭାବକମାନେ କହିଛନ୍ତି ଯେ ସେମାନେ ଏବେବି ଏହି ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି। ମୌଲବୀ ଅବଦୁର ରେହମାନ  ଆତଙ୍କବାଦୀ ହୋଇଥିବେ ବୋଲି ସେମାନେ ଜମାରୁ ବିଶ୍ୱାସ କରୁନାହାନ୍ତି।

ତେବେ ଦେଶର ନ୍ୟାୟିକ ପ୍ରକ୍ରିୟା ପ୍ରତି ସେମାନଙ୍କର ବିଶ୍ୱାସ ରହିଛି । ଯଦି ଭବିଷ୍ୟତରେ ଏହି ମଦ୍ରାସା ପୁଣି ଚାଲିବ, ତା’ହେଲେ  ସେମାନେ ସେମାନଙ୍କ ପିଲାଙ୍କୁ ଏଠାରେ  ପାଠପଢ଼ିବାକୁ ଛାଡିବେ। ଅନ୍ୟପକ୍ଷରେ ଟାଙ୍ଗି ଅଞ୍ଚଳର ଥିବା ମଦ୍ରାସାର ୨ ଜଣ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

ଟାଙ୍ଗୀ ବିଲିତେରୁଆଁରେ ହୋଇଥିବା ମଦ୍ରାସାଟି କଟକ ଯୋବ୍ରାର ମହମ୍ମଦ ସିରାଜଉଦ୍ଦିନଙ୍କ ଜାଗା ଉପରେ ହୋଇଥିବା ଜଣାପଡିଛି। ଏହି ଜାଗାଟି ସିରାଜଉଦ୍ଦିନଙ୍କ ସ୍ତ୍ରୀଙ୍କ ନାଁରେ ରହିଛି। ୨ ବର୍ଷ ତଳେ ଧାର୍ମିକ ଅନୁଷ୍ଠାନ ଗଢିବା ପାଇଁ ୪ ଗୁଣ୍ଠ ଜମି ସେ ଅବଦୁଲ୍ ରେହେମନଙ୍କୁ ଦେଇଥିବା ସିରାଜଉଦ୍ଦିନ କହିଛନ୍ତି।

ଡିସେମ୍ବର ୧୬ ତାରିଖରେ  କଟକ ଓ ଭୁବନେଶ୍ୱର ପୋଲିସ ସହାୟତାରେ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଅବଦୁର ରେହମାନକୁ କଟକ ଜିଲ୍ଲା ଜଗତପୁର ଅଞ୍ଚଳର ପଶ୍ଚିମକଛରୁ  ଗିରଫ କରିଥିଲା। ଗିରଫଦାରୀ ପରେ ସେହିଦିନ ଅପରାହ୍ନରେ ଦିଲ୍ଲୀ ପୋଲିସ୍ ତାକୁ ସାଲେପୁର କୋର୍ଟରେ ହାଜର କରି ୨ଦିନିଆ ଟ୍ରାଜିଂଟ୍ ରିମାଣ୍ଡରେ ନେଇଥିଲା। ସେହିଦିନ ରାତିରେ ତାକୁ ଦିଲ୍ଲୀ ନିଆଯାଇଥିଲା। ରେହମାନକୁ ଏବେ ଦିଲ୍ଲୀ ପୋଲିସ ୧୨ ଦିନ ରିମାଣ୍ଡରେ ନାଇ ପଚରାଉଚରା କରୁଛି। ଅନ୍ୟପକ୍ଷରେ ରେହମାନ ଚଳାଇଥିବା ମଦ୍ରାସା ବେଆଇନ ବୋଲି ଜଣାପଡିଥିଲା। ତା’ର ଗିରଫଦାରୀ ପରେ  ପୋଲିସ ଏହି ମଦ୍ରାସାରେ ପଢ଼ୁଥିବା ପିଲାମାନଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ସମ୍ପର୍କରେ ସହ ବିଶେଷ ତଥ୍ୟ ସଂଗ୍ରହ କରିଥିଲା। ଏହି ପିଲାମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହେବାକୁ ରେହମାନ ଉତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ରାଜ୍ୟରେ ଚାଲିଥିବା ସମସ୍ତ ମଦ୍ରାସା ଗୁଡିକର ଅନୁଧ୍ୟାନ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।