ଅଲକାଏଦାର ଓଡ଼ିଶା ଲିଙ୍କ୍‌ ଖୋଜୁଛି କ୍ରାଇମବ୍ରାଞ୍ଚର ଏସଟିଏଫ

କଟକ:ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚର ଏସଟିଏଫ ଜେରା କରୁଛି। କ୍ରାଇମବ୍ରାଞ୍ଚର କଟକ ସ୍ଥିତ ମୁଖ୍ୟାଳୟରେ ଅବଦୁରକୁ  ଗତକାଲିଠାରୁ ଜେରା କରାଯାଉଛି।  ଜେରାର ଦ୍ୱିତୀୟ ଦିନରେ ଏସ୍‌ଟିଏଫ୍‌ ବିଭିନ୍ନ ପ୍ରସଙ୍ଗ ଯଥା ଓଡ଼ିଶାରେ ଆତଙ୍କବାଦର ନେଟ୍‌ୱାର୍କର ପ୍ରସାର ଓ ପ୍ରଚାର, ମଦ୍ରାସାର ଅର୍ଥଦେଣନେଣ, ଝାରଖଣ୍ଡରୁ ମଦ୍ରାସାକୁ ପିଲା ଆସି ପଢିବା ଓ ସେମାନଙ୍କୁ ଶାରୀରିକ ଦିଆଯିବା, ଜଗତପୁରର ବିଭିନ୍ନ ଅଞ୍ଚଳରେ ଉତ୍ତେଜକ ଭାଷଣ ଦେବାର ଅଡିଓ କ୍ଲିପ୍‌ ଓ ଆତଙ୍କବାଦ କାର୍ଯ୍ୟକଳାପ ଇତ୍ୟାଦି ନେଇ ଏସ୍‌ଟିଏଫ୍‌ ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଡିସେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନକୁ ଗିରଫ କରିଥିଲା କମିଶନରେଟ୍ ପୋଲିସ୍ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍। ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍)ର ସଦସ୍ୟ ବୋଲି ଜଣାପଡ଼ିଥିଲା। ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ୍ କହିଥିଲା। ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ କରାଯାଇଥିଲା।